ଆଦିମାନବରୁ ମାନବ
------------------------
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
-----------------------------------------------
ସବୁଠାରୁ ଶ୍ରେଷ୍ଠ ଜନ୍ମ ମାନବ ଜନ୍ମ ; ସବୁଠାରୁ ବୁଦ୍ଧିମାନ ପ୍ରାଣୀ ବି । ପ୍ରଥମେ ଆଦିମାନବ ଭାବରେ ଧରାରେ ପ୍ରକଟିତ ହୋଇଥିଲା । ବିକୃତ ଶରୀର ଧାରଣ କରିଥିଲା , କଞ୍ଚାମାଂସ ଖାଉଥିଲା , ନିଆଁର ବ୍ଯବହାର ଜାଣି ନଥିଲା । ସେ ଥିଲା ଯାଯାବର ; ଗୋଷ୍ଠୀ ହୋଇ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଖାଦ୍ୟ ଅନ୍ବେଷଣରେ ଯାଉଥିଲା । ଯୋଉ ସ୍ଥାନରେ ରହୁଥିଲା , ସେ ସ୍ଥାନ ତା'ର ବାସସ୍ଥଳୀ ଥିଲା । ବିଭିନ୍ନ ଗୋଷ୍ଠୀ ଏକାସାଙ୍ଗରେ ଗୋଟିଏ ଅଞ୍ଚଳକୁ ଦଖଲ କରିବାକୁ ଯାଇ ପରସ୍ପର ମଧ୍ୟରେ ଗୋଷ୍ଠୀ ଯୁଦ୍ଧର ସୂତ୍ରପାତ ହେଉଥିଲା । ପରାଜୟ ହେଉଥିବା ଗୋଷ୍ଠୀ ପଳାୟନ କରୁଥିଲା । ବନ୍ଦୀ ପୁରୁଷଙ୍କୁ ହତ୍ଯା କରାଯାଉଥିଲା ଏବଂ ନାରୀ ମାନଙ୍କୁ ବୋଧହୁଏ ବିଜେତା ଗୋଷ୍ଠୀରେ ସାମିଲ୍ କରାଯାଉଥିଲା କି କ'ଣ ତାହା ଜଣା ନାହିଁ । ଗୋଷ୍ଠିରେ ପରସ୍ପର ସହାୟତା ଥିଲା ଭଲ ମନ୍ଦ ଓ ବିପଦ ଆପଦ କାଳରେ ; ସେ ସମୟେ ବି ପ୍ରତିଶୋଧ ନିଆ ଯାଉଥିଲା କ୍ଷତି ପହଞ୍ଚାଇବା ଲୋକ ଠାରୁ । ବିଚ଼ାର କରି ପ୍ରତି କାର୍ଯ୍ୟ କରାଯାଉଥିଲା ଏବଂ ଗୋଷ୍ଠୀର ସମୂହ ମତ ଉପରେ ନିଷ୍ପତ୍ତି ସ୍ଥିର ହେଉଥିଲା । ତାଙ୍କର କୌଣସି ସେନାବାହିନୀ ନଥିଲା ; ପୁରୁଷ ଓ ନାରୀ ଉଭୟ ଯୁଦ୍ଧକୁ ବାହାରୁଥିଲେ । କିଛି ଖରାପ କାର୍ଯ୍ୟ କଲେ ଗୋଷ୍ଠୀ ତାଙ୍କୁ ନିନ୍ଦା କରେ ; ଗୁରୁତର ଅପରାଧ ପାଇଁ ଗୋଷ୍ଠୀରୁ ତାକୁ ବାହାର କରି ଦିଆଯାଏ । ଗୋଷ୍ଠୀରେ ପ୍ରତ୍ଯେକଙ୍କ କର୍ତ୍ତବ୍ୟ ଓ ଅଧିକାର ସମାନ ଥିଲା ; କେହି ଉଚ୍ଚାସନାଧିକାରୀ ନଥିଲେ । ସମସ୍ତେ ସମ୍ମାନର ଅଧିକାରୀ ଥିଲେ । ନା ଥିଲା ରାଷ୍ଟ୍ର , ଦେଶ କି ରାଜ୍ଯ ; ମୁକ୍ତାକାଶ ତଳେ ବସତି ସ୍ଥାପନ । ମହାଭାରତର ଶାନ୍ତି ପର୍ବ ପ୍ରାଚୀନ। କାଳର ମାନବ ସମାଜର ଚ଼ିତ୍ରଟିଏ ଆଙ୍କିଛି ।
"ନୈଚ଼ରାଜ୍ଯଂ ନ ରାଜାଽସୀନ୍ନ ଚ଼ ଦଣ୍ଡୋ ନ ଦାଣ୍ଡିକଃ
ଧର୍ମଣୈବ ପ୍ରଜାଃ ସର୍ବାରକ୍ଷନ୍ତିସ୍ମ ପରସ୍ପରମ୍
ଶ୍ରୁୟନ୍ତେ ହି ପୁରାଣେଷୁ ପ୍ରଜାଧିଗ୍ଦଣ୍ଡା ଶାସନାଃ
ପାଲ୍ଯାମାନସ୍ତଥା ନ୍ଯୋନମ୍ , ପରସ୍ପରମ୍ ଭାବୟନ୍ତଃ ।।
ପୂରା ଧିଗ୍ ଦଣ୍ଡ ଏବାସୀଦ୍
ସଂହତ୍ଯ ଧର୍ମ - ଚ଼ରଣଂ ପୁରାସୀତ୍ ସୁଖମେବ ତତ୍
ତେଷାଂ ନାସୀତ୍ ଦି ତବ୍ଯଂ ପ୍ରାୟଶ୍ଚିତ୍ତଂ କଥଞ୍ଚନଃ ।
ଐତିହାସିକମାନେ ମାନବ ସଭ୍ଯତା ଓ ସଂସ୍କୃତିର ସମୟସୀମାକୁ ସ୍ଥୂଳତଃ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ତା' ହେଲା :- ପ୍ରାଗ୍ - ଐତିହାସିକ ଯୁଗ ଏବଂ ଐତିହାସିକ ଯୁଗ । ପ୍ରାଗ୍ - ଐତିହାସିକ ଯୁଗ ପ୍ରାୟ ଖ୍ରୀ:ପୂ ୫୦୦,୦୦୦ରୁ ଖ୍ରୀ:ପୂ ୫୦୦୦ ଯାଏଁ ବ୍ଯାପ୍ତ ଏବଂ ଐତିହାସିକ ଯୁଗ ପ୍ରାୟ ଖ୍ରୀ:ପୂ ୫୦୦୦ରୁ ଏଯାବତ୍ ବ୍ଯାପ୍ତ । ପ୍ରାଗ୍ _ ଐତିହାସିକ ଯୁଗର ସମୟସୀମା ୪୫୦ ହଜାର ବର୍ଷ ପର୍ଯ୍ଯନ୍ତ ବ୍ଯାପ୍ତ ହୋଇଥିବା ସ୍ଥଳେ , ଐତିହାସିକ ଯୁଗର ସମୟସୀମା ଏ ପର୍ଯ୍ଯନ୍ତ ଅଛି ।
ସଭ୍ୟତା ଓ ସଂସ୍କୃତି ଧିରେ ଧିରେ ପରିବର୍ତ୍ତିତ ହୋଇ ଆଜିର ସମୟରେ ଉପନୀତ । ମାନବ ସୃଷ୍ଟିର ଇତିହାସ ମହାନ ବୈଜ୍ଞାନିକ ଚ଼ାର୍ଲସ୍ ରବର୍ଟ ଡ଼ାରୱିନ୍ଙ୍କ ଦ୍ବାରା ପ୍ରବର୍ତ୍ତିତ "ବିବର୍ତ୍ତନ - ବାଦ"ରେ ପୁଙ୍ଖାନୁପୁଙ୍ଖ ବଣ୍ଣିତ ଅଛି । ଆଜିର ଐତିହାସିକ ଯୁଗ ପରି ପ୍ରାଗ୍ - ଐତିହାସିକ ଯୁଗ ଏତେ ଦୃତଗତିରେ ପରିବର୍ତ୍ତନ ହେଉ ନଥିଲା ; ବହୁତ ମନ୍ଥର ଥିଲା । ମାନବ ସୃଷ୍ଟିର ବହୁକାଳ ପରେ ସଭ୍ୟତା ଓ ସଂସ୍କୃତି ମୁଣ୍ଡ ଟେକି ଉଠିଥିଲା । ମାନବ ସୃଷ୍ଟିର ବହୁକାଳ ପୂର୍ବରୁ ଜଳ ଓ ସ୍ଥଳଚ଼ର ପ୍ରାଣୀ ଓ ତା'ର ବହୁକାଳ ପୂର୍ବରୁ ଜଳରେ ଓ ସ୍ଥଳରେ ଲତା , ଗୁଳ୍ମ ଓ ଉଦ୍ଭିଦର ସୃଷ୍ଟି ହୋଇଥିଲା । ତା'ର ବହୁକାଳ ପୂର୍ବରୁ ପୃଥିବୀର ସୃଷ୍ଟି ହୋଇଛି । ପ୍ରଥମେ ପୃଥିବୀ ଏକ ଗୋଲାକାର ଜ୍ବଳନ୍ତ ପିଣ୍ଡ ଥିଲା । ଧିରେ ଧିରେ ଏହାର ପରିବର୍ତ୍ତନ ହୋଇ ଆଜିର ପୃଥିବୀର ରୂପ ନେଇଛି । ପୃଥିବୀ କେବେ ସୃଷ୍ଟି ତାହା ଜଣା ପଡ଼ିନି ଠିକ୍ ଭାବରେ । କିଛିଙ୍କ ମତ ଅନୁସାରେ ଆଜକୁ ପ୍ରାୟ ୨୦୦୦,୦୦୦,୦୦୦ ବର୍ଷ ପୂର୍ବେ ଏବଂ ଆଉ କିଛି ମତ ଦିଅନ୍ତି ଆଜକୁ ପ୍ରାୟ ୪୫୦ କୋଟି ବା ତଦୁର୍ଦ୍ଧ୍ବ ବର୍ଷ ପୂର୍ବେ ପୃଥିବୀ ସୂର୍ଯ୍ୟଠୁ ଅଲଗା ହୋଇ ଏକ ଗୋଲାକାର ଜ୍ବଳନ୍ତ ଗ୍ଯାସୀୟ ପଦାର୍ଥ ରୂପେ ସୂର୍ଯ୍ୟର ପରିକ୍ରମଣ କରୁଥିଲା । ଧିରେ ଧିରେ ଗତି ମନ୍ଥର ଓ ପୃଥିବୀ ଥଣ୍ଡା ହେବାରେ ଲାଗିଲା । ଉତ୍ତପ୍ତ ବାଷ୍ପ ମଣ୍ଡଳ ଥଣ୍ଡା ପୃଥିବୀ ପୃଷ୍ଠରେ ବୃଷ୍ଟିପାତ , ବାୟୁ ପ୍ରବାହ , ହିମ ପ୍ରବାହ ଆରମ୍ଭ ହେଲା ; ପୃଥିବୀର ଆଭ୍ଯନ୍ତରୀଣ ଉତ୍ତପ୍ତ ଗ୍ଯାସୀୟ ଓ ତରଳ ପଦାର୍ଥର ଦ୍ରୁତ ପ୍ରଗତିଶୀଳ ଯୋଗୁଁ ପୃଥିବୀ ପୃଷ୍ଠେ ଝରଣା , ନଦୀ , ହ୍ରଦ , ସାଗର , ମହାସାଗର ସହ ଆଗ୍ନେୟଗିରି , ହିମଗିରି , ପାହାଡ଼ ପର୍ବତ ଓ ସମତଳ ଭୂମି ଆଦି ସୃଷ୍ଟି ହେଲା । ତେଣୁ ଏଭଳି ପରିବର୍ତ୍ତନ ହେତୁ ବିଭିନ୍ନ ଜାଗାରେ ଜଳବାୟୁର ପରିବର୍ତ୍ତନ ହେତୁ ଜୀବଜଗତ ସୃଷ୍ଟିରେ ସହାୟକ ହେଲା । ଏଲାଗି ଲକ୍ଷ ଲକ୍ଷ ବର୍ଷ ଲାଗି ଯାଇଥିଲା ।
ପ୍ରଥମେ ଜଳ ଓ ସ୍ଥଳଭାଗରେ ଉଦ୍ଭିଦ ଓ ଜଳଚ଼ର ପ୍ରାଣୀ ଜନ୍ମ ନେଲେ । ତା'ପରେ ଉଭୟଚ଼ର ପ୍ରାଣୀଙ୍କର ଜନ୍ମ ଏବଂ ତା'ପରେ ସ୍ତନ୍ଯପାୟୀ ପ୍ରାଣୀ ସ୍ଥଳଭାଗରେ ଜନ୍ମ ନେଲେ ଓ ପକ୍ଷୀମାନେ ସୃଷ୍ଟି ହେଲେ । କାଳକ୍ରମେ ଏହି ସ୍ତନ୍ଯପାୟୀ ପ୍ରାଣୀ ମାନଙ୍କ ମଧ୍ୟରେ ବାନର ପ୍ରଜାତି ଜନ୍ମ ନେଲେ । ଏହି ବାନର ପ୍ରଜାତିର କ୍ରମବିକାଶ ଘଟି ମନୁଷ୍ଯକୃତ ବାନର ଜନ୍ମ ନେଲେ ଏବଂ ଏହାଙ୍କର କ୍ରମବିକାଶ ହୋଇ ମନୁଷ୍ୟକୃତ ବାନର ସୃଷ୍ଟି ହେଲେ । ତା'ପରେ ଏମାନଙ୍କ କ୍ରମବିକାଶ ହୋଇ ମନୁଷ୍ୟ ପରି ଦିଶୁଥିବା ବାନର ସୃଷ୍ଟି ହେଲେ । ଏମାନଙ୍କୁ ବୈଜ୍ଞାନିକମାନେ ଆଦିମାନବ ବୋଲି ସ୍ଥିର କରିଛନ୍ତି । ତା'ପରେ ଏମାନଙ୍କ କ୍ରମବିକାଶ ହୋଇ ନିୟଣ୍ଡର୍ଥାଲ୍ ମନୁଷ୍ଯ ସୃଷ୍ଟି ହେଲେ ଓ ଶେଷରେ କ୍ରୋ - ମ୍ଯାନନ୍ ମଣିଷ ସୃଷ୍ଟି ହେଲେ ; ଯାହା ପ୍ରକୃତ ମଣିଷର ରୂପ । ବୈଜ୍ଞାନିକମାନେ କହନ୍ତି ପାଞ୍ଚଲକ୍ଷ ବା ତା'ଠୁ ଅଧିକ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠରେ ଆଦିମାନବର ସୃଷ୍ଟି ଏବଂ ପଚ଼ାଶ ହଜାର ବର୍ଷ ପୂର୍ବରୁ ବା ତାହାଠୁ ଅଧିକ ବର୍ଷ ପୂର୍ବରୁ ପ୍ରକୃତ ମାନବର ସୃଷ୍ଟି । ଏଥିଲାଗି କୋଟି କୋଟି ବର୍ଷ ଲାଗି ଯାଇଥିଲା । ଏଭଳି ପରିବର୍ତ୍ତନ ହିଁ "ବିବର୍ତ୍ତନ" ଏବଂ ଏହାକୁ କୁହାଯାଏ "ବିବର୍ତ୍ତନବାଦ" ।
ନିଜର ଚ଼ଳିବା ପାଇଁ ଓ ଶତ୍ରୁ ମାନଙ୍କ ଆକ୍ରମଣରୁ ରକ୍ଷା ପାଇବାକୁ ଆଦିମାନବ ପ୍ରସ୍ତର , ଲୌହ ଆଦିରେ ସେବେଳେ ଅସ୍ତ୍ର ପ୍ରସ୍ତୁତ କରୁଥିଲା । ସେଲାଗି ତ ଆମ ବୈଜ୍ଞାନିକ ମାନେ କ୍ରମାନୁସାରେ ପ୍ରସ୍ତରଯୁଗ , ଲୌହଯୁଗ , ତାମ୍ରଯୁଗ ଆଦି ନାମକରଣ କରିଛନ୍ତି । ଧିରେ ଧିରେ ପରିବର୍ତ୍ତନ ହୋଇ ଆମେ ଆଜିର। ଯୁଗରେ ଉପନୀତ ହୋଇଛେ । କିଏ କହେ ପକ୍ଷୀ ଉଡ଼ିବାର ଦେଖି ତ କିଏ କହେ ସାମାନ୍ୟ ଛୁଞ୍ଚିରୁ ଉଡ଼ାଜାହାଜ , ଅକ୍ଷରରୁ ଉପନ୍ୟାସ , ନାଦରୁ ସଙ୍ଗୀତ , ସଂଖ୍ଯାରୁ ସୂତ୍ର ଯାଏଁ ପ୍ରତ୍ଯେକଟି ଗବେଷଣା କରି ଆମେ ଉନ୍ନତ ହୋଇପାରିଛେ । ଆଜିର ଯୁଗରେ ପାଦ ଥାପିବାକୁ କେତେ ମହାମାନବଙ୍କ ବଳିଦାନ ରହିଛି , ତାହା କଳନା ବାହାରେ । ବ୍ଯକ୍ତିଗତ ସ୍ବାର୍ଥରେ ଯଦି ପ୍ରତ୍ଯେକ ଲୟ ଲଗାଇ ଥା'ନ୍ତେ , ତେବେ ଆମେ ସେଇ ଆଦିମାନବ ହେଇ ନିଘଞ୍ଚ ଜଙ୍ଗଲରେ ହିଁ ଘୂରି ବୁଲୁଥା'ନ୍ତେ । ବିବେକାନନ୍ଦ କହିଥିଲେ - "The bigger the struggle , the better the win will be." ଆମେ ସେହି ମହାନ ବ୍ଯକ୍ତି ମାନଙ୍କର ବଂଶଜ ହୋଇ ନିଜସ୍ୱ ଜନ୍ମଜାତ ପ୍ରତିଭା ପ୍ରତି ବିମୁଖ ହେବା ଅନୁଚିତ୍ ।
ଆଜିର ପ୍ରତ୍ନତତ୍ତ୍ୱବିତ୍ ମାନେ ପୁରାତନ କାଳର ଅସ୍ତ୍ରଶସ୍ତ୍ର , ମୁଦ୍ରା ଆଦି ମାଟିତଳୁ ଉଦ୍ଧାର କରି ଆଦିମାନବର ସ୍ଥିତି ଓ ପରିବର୍ତ୍ତନକୁ ସୁନିଶ୍ଚିତ କରିପାରିଛନ୍ତି । ଦକ୍ଷିଣ ଗ୍ରୀସ୍ର ଏପିଡ଼ିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକ ମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ ; ଏହାକୁ ସନ୍ଧାନ କରିଥିିଲେ "ୟୁନିଭରସିଟି ଅଫ୍ ଏଥେନ୍ସ ସ୍କୁଲ୍ ଅଫ୍ ମେଡ଼ିସିନ୍"ର ମାନବ ବିଜ୍ଞାନୀ ମାନେ । ଦୀର୍ଘବର୍ଷ ଗବେଷଣା କରିବା ପରେ ଅଧିକ ନଷ୍ଟ ହୋଇ ଯାଇଥିବା ଏ ଦୁଇଟି ଖପୁରି ନିଅଣ୍ଡ୍ରର୍ଥାଲ୍ (ଆଦିମାନବ)ଙ୍କ ଖପୁରି ବୋଲି ଚ଼ିହ୍ନଟ ହୋଇଥିଲା । ଏହା ପୂର୍ବରୁ ୟୁରୋପରେ ୪୫ ହଜାର ବର୍ଷ ପୂର୍ବର ମଣିଷଙ୍କ ଜୀବାଶ୍ମ ମିଳିଛି । ଏହା ଦୁଇ ଲକ୍ଷ ଦଶ ହଜାର ବର୍ଷ ତଳର ଓ ଏହା ଆଫ୍ରିକା ବାହାରେ ରହୁଥିବା ଆଦିମାନବଙ୍କର ବୋଲି ଜଣା ପଡ଼ିଛି । କୁହାଯାଉଥିଲା ଆଫ୍ରିକାରେ ତିନି ଲକ୍ଷ ବର୍ଷ ପୂର୍ବରୁ ଆଦିମାନବ ରହୁଥିଲେ ଓ ଦେଢ଼ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରୁ ୟୁରୋପକୁ ଆସିଥିଲା । କିନ୍ତୁ , ତା'ର ବହୁବର୍ଷ ପୂର୍ବରୁ ୟୁରୋପରେ ଥିବା କୁହାଯାଉଥିଲା । ଏ ମାନବ କାହିଁକି ବିଲୋପ ହେଲେ ବୋଲି ଜଣା ପଡ଼ିନି ବୋଲି ଗବେଷଣାରେ ସାମିଲ୍ ହୋଇଥିବା ଜର୍ମାନୀର ଟ୍ଯୁବିଂଜେନ ୟୁନିଭରସିଟି ଗବେଷକ କଟ୍ରିନା ହାର୍ବଟି କହନ୍ତି ; ଏ ସମ୍ପର୍କରେ ତଥ୍ଯ "ନେଚ଼ର ଜଣ୍ଣାଲ"ରେ ପ୍ରକାଶିତ । ପ୍ରାପ୍ତ ଖପୁରି ଦୁଇଟିର ନାମକରଣ ଏପିଡ଼ିମା - ୧ ଓ ଏପିଡ଼ିମା - ୨ ହୋଇଛି । ଏପିଡ଼ିମା - ୨ ଖପୁରିଟି ଏକଲକ୍ଷ ସତୁରି ହଜାର ବର୍ଷ ତଳର ; ଏହା ନିଅଣ୍ଡ୍ରର୍ଥାଲ୍ ମାନବଙ୍କ ଖପୁରି । କିନ୍ତୁ ଏପିଡ଼ିମା - ୧ ଖପୁରିଟି ଏପିଡ଼ିମା - ୨ ଖପୁରିଠୁ ଆହୁରି ଚ଼ାଳିଶି ହଜାର ବର୍ଷ ପୂର୍ବର ଅର୍ଥାତ୍ ଦୁଇ ଲକ୍ଷ ଦଶ ହଜାର ବର୍ଷ ପୂର୍ବର ଏବଂ ଏହା ହୋମୋ ସାମ୍ପିଏନ୍ଙ୍କ ଖପୁରି ଯାହା ନିଅଣ୍ଡ୍ରର୍ଥାଲ୍ ଠାରୁ ପୁରୁଣା । ଅନୁଗୋଳ ଜିଲ୍ଲାର କଳିଆକଟା , ଟିକରପଡ଼ା , ପରଙ୍ଗ , ଗୋଳାବନ୍ଧ , କେରଜାଙ୍ଗ ଆଦି ସ୍ଥାନରୁ ବି ପ୍ରାଚୀନ ପ୍ରସ୍ତର ଯୁଗୀୟ ଓ ନୂତନ ପ୍ରସ୍ତର ଅସ୍ତ୍ରଶସ୍ତ୍ର ମିଳିଛି ।
ଝାରସୁଗୁଡ଼ା ସଦର ମହକୁମା ଠାରୁ ୨୫ କି.ମି ଦୂର ତଥା ବେଲପାହାଡ଼ - ସୁନ୍ଦରଗଡ ରାସ୍ତାପାର୍ଶ୍ବ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ମନୋରମ ପରିବେଶରେ ଥିବା ପ୍ରାଚୀନ ଗୁମ୍ଫା ବିକ୍ରମଖୋଲରୁ କିଛି ପ୍ରାଚୀନ ଶିଳାଲେଖ ମିଳିଛି । ଏବେ ଏହାକୁ ପର୍ଯ୍ଯଟନସ୍ଥଳୀର ମାନ୍ଯତା ମିଳିଛି । ଏଠାକୁ ଯିବାକୁ ହେଲେ ମାଣିକେଶ୍ୱରୀ ମନ୍ଦିର ଠାରୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ । ଏହା ୧୧୫ ଫୁଟ ଦୈର୍ଘ୍ଯ ଓ ୨୭. ୭ ଫୁଟ ଉଚ୍ଚ । ଏଥିରେ ଥିବା ଶିଳାଲେଖକୁ କେହି ପଢ଼ିବାକୁ ସକ୍ଷମ ନୁହଁନ୍ତି । କିଛି ଗବେଷକ ମତବ୍ୟକ୍ତ କରନ୍ତି ଖ୍ରାଷ୍ଟପୂର୍ବ ୪୦୦୦ରେ ଏଠାରେ ଆଦିମାନବ ବାସ କରୁଥିଲେ । ଏ ଗୁମ୍ଫା ୧୯୫୮ ମସିହାରେ ଲୋକନେତ୍ରକୁ ଆସିଥିଲା । ୧୯୯୫ ମସିହାରେ ପ୍ରତ୍ନତତ୍ତ୍ୱବିତ୍ଦଳ ସର୍ବେକ୍ଷଣ ପାଇଁ ଏ ଗୁମ୍ଫାକୁ ଯାଇଥିଲେ । କଳାହାଣ୍ଡି ଜିଲ୍ଲାରୁ ବି ଆଦିମାନବର ସୂଚ଼ନା ମିଳେ । ଏଠୁ ବି ମିଳିଛି ବିଭିନ୍ନ ଅସ୍ତ୍ରଶସ୍ତ୍ର । ଆହୁରି ଅନେକ ଜାଗାରୁ ବି ମିଳିଛି । ସେ ଯାହା ବି ହେଉ ; ଧିରେ ଧିରେ ପରିବର୍ତ୍ତନ ଘଟି ଚ଼ାଲିଛି । ପରିବର୍ତ୍ତନରୁ ପରିବର୍ତ୍ତିତ ରୂପ ସମ୍ପୂଣ୍ଣ ମାନବ । ଇତିହାସର ଛପା ଚ଼ିତ୍ର ଭବରେ ଆଦିମାନବ ଥିଲେ ବି ବୁଝିବାକୁ ହେବ ଯେ ଆମେ ଆଦିମାନବରୁ ମାନବ ଆଜି । ଛବି ଦେଖି ଭାବି ନେବାକୁ ହେବ ଯେ , ଆମେ ପରିବର୍ତ୍ତନଶୀଳ । ଅତୀତରୁ ବର୍ତ୍ତମାନ ଇତିହାସ ହିଁ ଇତିହାସ ; ଯାହା ଆମର ବାସ୍ତବ ସ୍ଥିତିକୁ ସୂଚ଼େଇ ଦିଏ ।
ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
ଯୋଗାଯୋଗ - ୮୯୧୭୪୮୦୫୩୬
Comments
Post a Comment