ଐତିହାସିକ ଯୁଗ - ପ୍ରସ୍ତର ଯୁଗ
- Get link
- X
- Other Apps
"""""""""""""""""""""""""""""" """"""""'""""""""""""
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
"""""""""""""""""""""""""""""" """""""""""""""""""""""
ମାନବ ଜାତିର ଇତିହାସ ରୋଚ଼କ ତଥ୍ୟର ନଥି ; ଆଦିମାନବରୁ ଆମେ ବିବର୍ତ୍ତନବାଦ ସରଣୀର ସାରଥି ହୋଇ ପୂଣ୍ଣାଙ୍ଗ ମାନବ ରୂପରେ ଧରଣୀ ପୃଷ୍ଠରେ ଚ଼ରାଚ଼ର । ଆମ ପୂର୍ବ ଅବସ୍ଥା କଥା ଚ଼ିନ୍ତା କଲେ ଜଣାଯାଏ ଆମେ କେତେ ଘାତ ପ୍ରତିଘାତର ବିଶାଳ ମରୁଭୂମି ପାର ହୋଇ ସୁନ୍ଦର ରମ୍ଯ ନନ୍ଦନବନର ବାସିନ୍ଦା ହୋଇଛେ । ଏତେ କଷ୍ଟ କରି ବଣଜଙ୍ଗଲରେ ଜୀବନ ବିତାଉଥିବା ମଣିଷ ଏବେ ସୁଉଚ୍ଚ ସୁନ୍ଦର ସୁସଜ୍ଜିତ ଅଟ୍ଟାଳିକା ମଧ୍ୟରେ ରହୁଛି ; ସଭ୍ୟତା ଓ ସଂସ୍କୃତି ଗଢ଼ି ଜଟିଳସାଧ୍ଯ ଜୀବନର ଯମୁନା ନଦୀ ପାର ହୋଇ ସରଳସାଧ୍ଯ ସୁଶୋଭିତ ଜୀବନଯାପନ କରୁଛି । କଞ୍ଚାମାଂସ ଭକ୍ଷଣ କରୁଥିବା ମଣିଷ ଏବେ ସୁସ୍ବାଦୁ ବ୍ଯଞ୍ଜନ ପ୍ରସ୍ତୁତ କରି ଖାଇ ପାରୁଛି ଓ ଖୋଇ ବି ପାରୁଛି । ନିଆଁର ବ୍ଯବହାର ଜାଣି ନଥିବା ମଣିଷ ଏବେ ଅଗ୍ନି ଉତ୍ସ ପ୍ରସ୍ତୁତ କରି ଜୀବନକୁ ଆହୁରି ସରଳ କରିପାରିଛି । ପଥର ପରେ ଲୌହରୁ ପ୍ରସ୍ତୁତ ବର୍ଚ୍ଛା , ଖଡ୍ଗ ଆଦି ଅସ୍ତ୍ର ଏବେ ବଦଳି ଯାଇ କ୍ଷେପଣାସ୍ତ୍ର , ଗୁଳିଗୋଳାରେ ପରିଣତ ହୋଇଛି । ଏତେ ବୁଦ୍ଧିହୀନ ମାନବ ଏବେ ବୁଦ୍ଧିମାନ ପାଲଟି ବିଜ୍ଞାନ କୁ ଆପଣେଇ ପୃଥିବୀ ବ୍ଯତୀତ ବାହ୍ଯ ଗ୍ରହ ନକ୍ଷତ୍ରଙ୍କୁ ପରିକ୍ଷଣ କରି ଅନେକ ଜ୍ଞାନକୌଶଳର ଅଧିକାରୀ ହୋଇପାରିଛି । ପୂର୍ବାବସ୍ଥାକୁ ଇତିହାସ ଭାବି ଅଣଦେଖା କରିବା ଆମର ବୋକାମୀର ପରିଚ଼ୟ ନିଶ୍ଚୟ ; ପୂର୍ବାବସ୍ଥାର ଚ଼ିନ୍ତନ ହିଁ ମଣିଷର ଏ ଅବସ୍ଥାରେ ଅନେକ ଶିକ୍ଷା ପ୍ରଦାନ କରିଥାଏ । ତେଣୁ ଇତିହାସ ମନେକରି ବାନ୍ଧିବୁନ୍ଧି ରଖିଦେଲେ ଆମେ ବିଜ୍ଞ ନୁହେଁ , ବରଂଚ଼ ଅଜ୍ଞତାର ପରିଚ଼ୟ ଦେବା । ଆସନ୍ତୁ ଥରେ ମନେ ପକାଇବା ସେଇ ଐତିହାସିକ ଯୁଗକୁ , ଆମ ସୃଷ୍ଟିର ମୌଳିକତା ତା'ରି ଭିତରେ ହିଁ ଲୁକ୍କାୟିତ । ଏହାକୁ ମାନବ ପୁରାଣ କହିଲେ ବି ଅତ୍ଯୁକ୍ତି ହେବନି । ପୁରୁଣା କଥାକୁ ବଣ୍ଣନ ହିଁ ପୁରାଣ । ଆମ ପୁରୁଣା କଥା , ଅତୀତର ଗାଥା ହେଉଛି ମାନବ ପୁରାଣ ।
ଗୋଟିଏ ଜାତିର ପ୍ରାଚ଼ୀନତାକୁ ଅଧୁନା ଐତିହାସିକମାନେ ତିନୋଟି ସ୍ରୋତ ଦ୍ବାରା ଆକଳନ କରିଛନ୍ତି , ସେଗୁଡିକ ହେଲା :- ପ୍ରତ୍ନତାତ୍ତ୍ୱିକ ଆବିଷ୍କାର , ପ୍ରାଚ଼୍ଯ ସାହିତ୍ଯ ସ୍ରୋତ , ଭାରତ ଆସିଥିବା ପାଶ୍ଚାତ୍ଯ ପଣ୍ଡିତଙ୍କ ବିବରଣୀ । ବିଶ୍ବର ମାନବ ଜାତି ଭଳି ଓଡ଼ିଆ ଜାତିର ପ୍ରାଚ଼ୀନତା ସ୍ପଷ୍ଟ ବାରି ହୋଇପଡ଼େ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପରେ ମୃତ୍ତିକା ଗର୍ଭରୁ ପ୍ରାପ୍ତ ଜୀବାଶ୍ମ ଓ ଆଦିମାନବର ବ୍ଯବହାରୋପଯୋଗୀ ଅସ୍ତ୍ରଶସ୍ତ୍ର ପ୍ରାପ୍ତରୁ । ଏସବୁ ଓଡ଼ିଶାରେ ପ୍ରବାହିତ ହେଉଥିବା ମହାନଦୀ , ସୁବଣ୍ଣରେଖା , ବ୍ରାହ୍ମଣୀ ଇତ୍ଯାଦି ନଦୀ ଅବବାହିକାରୁ ପ୍ରଚୁର ପ୍ରମାଣେ ମିଳିପାରିଛି ; ତେଣୁ ଓଡ଼ିଶାରେ ବି ପୁରାତନ ପ୍ରସ୍ତର ଯୁଗ ଠାରୁ ନୂତନ ପ୍ରସ୍ତର ଯୁଗ ଅନ୍ତର୍ଭୁକ୍ତ ତାମ୍ରଯୁଗ ଓ ଲୌହଯୁଗ ମଧ୍ୟରେ ମାନବର କ୍ରମବିକାଶର ଅବସ୍ଥା ବିଷୟରେ ସୂଚ଼ନା ମିଳେ । ଏହା ସହିତ ଆଦିମାନବରୁ ବିବର୍ତ୍ତନବାଦ ପ୍ରକ୍ରିୟାରେ ଆଧୁନିକ ମାନବ ସଭ୍ୟତାରେ ଉପନୀତ ହେବା ବିଷୟରେ ପ୍ରମୁଖ ଭୂମିକା ନେଇଥିବା ଲିପିର କ୍ରମବିକାଶିତ ସ୍ବରୂପ ଝାରସୁଗୁଡ଼ାର ବିକ୍ରମଖୋଲ , ଉଷାକୋଠି , ଉଲଫଗଡ଼ , କଳାହାଣ୍ଡିର ଗୁଡ଼ହାଣ୍ଡି , ନୂଆପଡ଼ାର ଯୋଗୀମଠ ସମେତ ପଞ୍ଚାବନଟି ଗୁମ୍ଫାରୁ କୋଡିଏ ହଜାର ବର୍ଷ ପୂର୍ବେ ଅଙ୍କିତ ପାଞ୍ଚଶହ ସତସ୍ତରି ଗୋଟି ବିଭିନ୍ନ ଚ଼ିତ୍ରଲିପିରୁ ଜଣାପଡ଼ିଥିବା ବେଳେ ଓଡ଼ିଆ ଜାତିର ଉତ୍କର୍ଷ ସମ୍ପର୍କିତ ସୂଚ଼ନା ଭାରତର ବିଭିନ୍ନ ପ୍ରାଚ଼ୀନ ସାହିତ୍ଯ ଏବଂ ବିଦେଶ ଆଗତ ଭ୍ରମଣକାରୀଙ୍କ ବିବରଣୀରେ ଦେଖିବାକୁ ମିଳେ ।
ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାଯାଏ ଏଯାଏଁ ଆବିଷ୍କୃତ ଭାରତର ସର୍ବପ୍ରାଚ଼ୀନ ସଭ୍ୟତା ହେଉଛି ପଶ୍ଚିମ ଭାଗରେ ପ୍ରବାହିତ ସିନ୍ଧୁ ଓ ଏହାର ଶାଖାନଦୀ କୂଳରେ ଗଢ଼ି ଉଠିଥିବା ବାଣିଜ୍ୟିକ ସଭ୍ଯତା ; ଯାହା ୫୦୦୦ ବର୍ଷ ପୂର୍ବର । ଏ ସଭ୍ୟତା ପ୍ରମାଣ କରେ ଯେ ଭାରତ ଖାଲି ବାଣିଜ୍ୟ ବେପାର ନୁହେଁ , ଲିଖନ କଳାରେ ବି ତତ୍କାଳୀନ ସୁମେରୀୟଙ୍କ ଭଳି ସଫଳ ଥିଲେ । ବହୁବାର ପ୍ରାକୃତିକ ଦୁର୍ବିପାକ ତଥା ସିନ୍ଧୁ ଓ ଏହାର ଶାଖାନଦୀରେ ବନ୍ଯା ହେତୁ ଏ ସଭ୍ୟତା ଗଢ଼ି ଉଠିଥିବା ସଭ୍ୟତାରେ ପରିବର୍ତ୍ତନ ନହେବାରୁ ଏହାର ଅବକ୍ଷୟ ଘଟିଛି । ତେଣୁ ନିଜର ସୁରକ୍ଷା ପାଇଁ ବାଧ୍ୟବାଧକତାର ସହ ଗ୍ରାମାଭିମୁଖୀ ହେଲେ ସେମାନେ ; ବିଭିନ୍ନ ନଦୀତଟସ୍ଥ ସୁରକ୍ଷିତ ସ୍ଥାନରେ ନିବାସ କଲେ । ଏ ସଭ୍ୟତା କୃଷି ଭିତ୍ତିକ ବଳକା ଶସ୍ଯ ବ୍ଯବସ୍ଥା ଉପରେ ଗଢ଼ି ଉଠିଥିଲା । ଖ୍ରୀ.ପୂ ୨୫୦୦ରୁ ଖ୍ରୀ.ପୂ ୧୮୦୦ ଯାଏଁ ନଗର ବିକାଶର ଚ଼ରମ ସୀମାରେ ପହଞ୍ଚିଥିଲା । ତଥାପି ଏହା ଜୋରୱେ ସଂସ୍କୃତି ଯାହା ଖ୍ରୀ.ପୂ ସପ୍ତମ ଶତାବ୍ଦୀ ପର୍ଯ୍ଯନ୍ତ ଥିଲା , ଅର୍ଥାତ୍ ଲୌହ ଆବିଷ୍କାର ପରେ ଗଙ୍ଗା ଉପତ୍ୟକାରେ ଦ୍ବିତୀୟ ନଗରୀକରଣ ସୃଷ୍ଟି ହେବା ଯାଏଁ ବ୍ଯାପ୍ତ ଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିବା ସାମଗ୍ରୀ ସବୁକୁ ବିଶ୍ଳେଷଣ କରି ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି । ଏ କାଳ ମଧ୍ୟରେ କୃଷି ଓ ପଶୁପାଳନକୁ ଆଧାର କରି ଉତ୍ତର ଭାରତରେ ଏକ ଶିକ୍ଷିତ ଗୋଷ୍ଠୀ "ଆର୍ଯ୍ଯ"ଙ୍କ ଆବିର୍ଭାବ ହେଲା । ଇଂରେଜ ଗବେଷକମାନେ ଆମ ମୁଣ୍ଡରେ ପୂରେଇ ଦେଲେ ଯେ , ଏମାନେ ଭୂମଧ୍ୟସାଗର ବା ଏସିଆ ମହାଦେଶର ଉଚ୍ଚଶିକ୍ଷିତ ମାନବ ଜାତି ।
ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହାଡ଼ରୁ ମିଳିଥିଲା ତେଲୁଗୁ ଓ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ବିଶିଷ୍ଟ ଶିଳାଲିପି । ଏହା ବ୍ଯତୀତ ପାହାଡ଼ ପାଦଦେଶରୁ ମିଳିଛି ଗୁଡ଼ାଏ ଖପରା , ଯଦ୍ଦ୍ବାରା ଅନୁମେୟ ଯେ ଏ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଗୈତିହାସିକ ଯୁଗରୁ ନୂତନ ପ୍ରସ୍ତର ସଂସ୍କୃତି ବି ବିକଶିତ ଥିଲା । ଅନୁମାନ କରାଯାଏ ଶିଳାଲିପିରେ ଉଲ୍ଲିଖିତ ଅକ୍ଷର ସମୂହ ବଙ୍ଗ ବଂଶର ଶେଷ ପର୍ଯ୍ଯାୟ ଅଥବା ଗଜପତି ମାନଙ୍କ ଶାସନର ଆରମ୍ଭ ବେଳର ହୋଇଥାଇ ପାରେ । ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ପଶ୍ଚିମାଞ୍ଚଳରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲା ବିବେଚ଼ିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଆଧାରରେ ଏଠି ପ୍ରସ୍ତର ଯୁଗ ଓ ଲୌହଯୁଗର ମାନବ ବସତିର ସୂଚ଼ନା ପ୍ରାପ୍ତି ହୁଏ । ଦୁଇ ହଜାର ବର୍ଷ ପୂର୍ବରୁ ଅସୁରଗଡ଼ରେ ଏକ ଉନ୍ନତ ଓ ସଭ୍ଯ ସହରର ଜନ ବସତି ଥିବାର ଜ୍ଞାତ ହୁଏ । ପୂର୍ବେ ଏହା ମହାକାନ୍ତାର (ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ ଭାବରେ ଜଣା ଥିଲା । କାରୁଣ୍ଡା କହିଲେ ମାଣିକ ବୁଝିବାକୁ ହେବ । ଏଠାରେ ମାଣିକ , ଲାଲ୍ ପଥର , ବେରୁଜ , ନୀଲମ୍ , ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । କଳାହାଣ୍ଡିର ଅଧିଷ୍ଠାତ୍ରୀ "ମାଣିକେଶ୍ୱରୀ" , ଅର୍ଥାତ୍ ଯିଏ ମାଣିକର ଈଶ୍ବରୀ ; ଏହାଙ୍କ ଉପସ୍ଥିତି ଜିଲ୍ଲାର ଇତିହାସ ସହ ସଂଯୋଗ ।
ପ୍ରସ୍ତର ଯୁଗର ଅଧିବାସୀ ସର୍ବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ପଥର , ଅସ୍ଥି , କାଷ୍ଠରେ ନିର୍ମାଣ କରୁଥିଲେ ଏବଂ ସେମାନେ ଗୁମ୍ଫାରେ ରହୁଥିଲେ । ଶିକାର କରି ଖାଦ୍ୟପଦାର୍ଥ ଯୋଗାଡ଼ କରୁଥିଲେ । ପରବର୍ତ୍ତୀ ସମୟରେ କୃଷିକାର୍ଯ୍ୟ କଲେ ଏବଂ ଗୃହପାଳିତ ପଶୁ ରଖି ଏକ ସ୍ଥାୟୀ ଜୀବନ ଆରମ୍ଭ କଲେ । ଭୀମବେଟ୍କା ଶୈଳାଶ୍ରୟ କେନ୍ଦ୍ରୀୟ ଭାରତସ୍ଥ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳ । ପୁରାତନ ପ୍ରସ୍ତର ଯୁଗ ଓ ମଧ୍ୟକାଳୀନ ପ୍ରସ୍ତର ଯୁଗରୁ ଏ ଶୈଳାଶ୍ରୟ ଭୀମବେଟ୍କା ଠାରେ ଥିଲା ଓ ବ୍ଯବହୃତ ହେଉଥିଲା । ଭାରତୀୟ ଉପମହାଦ୍ବୀପରେ ସର୍ବପୁରାତନ ଜନବସତି ଓ ପ୍ରସିତରଯୁଗ ଜନବସତିର ଏକ ଜ୍ବଳନ୍ତ ପ୍ରମାଣ ଏ ଶୈଳାଶ୍ରୟ । ଏହି ଶୈଳାଶ୍ରୟଟି ମଧ୍ଯପ୍ରଦେଶର ରାଜଧାନୀ ଭୋପାଳଠୁ ୪୫ କି.ମି ଦ.ପୂ ଦିଗରେ ରାଇସନ ଜିଲ୍ଲାରେ ଅଛି ; ଏଆ ଏକ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳ ଯେଉଁଠି ସାତଟି ପାହାଡ଼ରେ ପ୍ରାୟ ୭୫୦ଟି ଶୈଳାଶ୍ରୟ ୧୦କି.ମି ଲମ୍ବା ଅଞ୍ଚଳରେ ବ୍ଯାପ୍ତ ହୋଇ ରହିଛି । ପ୍ରାୟ ଏକଲକ୍ଷ ବର୍ଷ ପୂର୍ବେ ଏହି ଶୈଳାଶ୍ରୟ ମାନଙ୍କରେ ଆଦିମାନବଙ୍କ ବସବାସ ଥିଲା । ବ୍ରିଟାନିଆ ଜ୍ଞାନକୋଷରୁ ଜଣାଯାଉଛି ଯେ , ଏହି ସ୍ଥାନର ଅଧିବାସୀମାନେ ପ୍ରଥମେ ଶିକାର , ତା'ପରେ କୃଷି ଓ ପରେ ପରେ ଆଧ୍ଯାତ୍ମିକ ଆଡ଼କୁ ମୁହାଁଇବାର ; ସାଂସ୍କୃତିକ କ୍ରମବିବର୍ତ୍ତନର ଏକ ବିରଳ ଉଦାହରଣ । ଏଠାରେ ପ୍ରାୟ ତିରିଶି ହଜାର ବର୍ଷ ପୁରୁଣା ପ୍ରାଗ୍ଐତିହାସିକ ଶୈଳଚ଼ିତ୍ର ଦୃଶ୍ଯମାନ । ଏହି ଶୈଳଚ଼ିତ୍ର ମାନଙ୍କରେ ମୁଖ୍ଯତଃ ପଶୁପକ୍ଷୀ ଶିକାର କରିବା ଓ ପ୍ରାଚୀନ ନୃତ୍ୟର ଚ଼ିତ୍ର ଅଛି । ଉପମହାଦ୍ବୀପରେ ଅଦ୍ଯାବଧି ଆବିଷ୍କୃତ ସମସ୍ତ ଶିଳାଚ଼ିତ୍ର ମଧ୍ୟରେ ଭୀମବେଟ୍କା ସର୍ବପୁରାତନ ଓ ସର୍ବବୃହତ ପ୍ରାଗ୍ଐତିହାସିକ ସ୍ଥଳ । ଏହାର ମୃଳ ଶବ୍ଦ ଭୀମବୈଠକ ; ଅନୁମାନ କରାଯାଏ ଏହା ଅପଭ୍ରଂଶ ହୋଇ ଭୀମବେଟ୍କା ହୋଇଥାଇ ପାରେ । ମହାଭାରତ କାବ୍ଯର ପୌରାଣିକ ଚ଼ରିତ୍ର ଦ୍ବିତୀୟ ପାଣ୍ଡବ ଭୀମଙ୍କ ସହ ଜଡ଼ିତ ବୋଲି ଶୁଣାଯାଏ । ବ୍ରିଟିଶ୍ ଶାସନାଧୀନ ଭାରତର ଡବ୍ଲୁ. କିନକେଡ୍ ନାମ୍ନୀ ଜନୈକ ଅଧିକାରୀ ୧୮୮୮ ମସିହାରେ ପ୍ରକାଶିତ ସ୍ବରଚ଼ନାରେ ଏହି ସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି । ଭୋଜପୁର ହ୍ରଦ ନିକଟରେ ବସବାସ କରୁଥିବା ଆଦିବାସୀଙ୍କଠୁ ସଂଗୃହୀତ ତଥ୍ଯକୁ ଆଧାର କରି ସେ ଭୀମବଟ୍କାକୁ ଏକ ପ୍ରାଚୀନ ବୌଦ୍ଧସ୍ଥଳ ବୋଲି ଅଭିହିତ କରିଥିଲେ । ବିଷ୍ଣୁ ଶଙ୍କର ୱାକଣକର ପ୍ରଥମ ପ୍ରତ୍ନତତ୍ତ୍ବବିତ୍ ଭାବେ ଏ ଗୁମ୍ଫାର ଆବିଷ୍କାର କରି ଏହାର ପ୍ରାଗ୍ଐତିହାସିକ ମହତ୍ତ୍ୱ ଜାଣି ପାରିଥିଲେ । ପୂର୍ବରୁ ସ୍ପେନ୍ ଓ ଫ୍ରାନ୍ସରେ ଦେଖିଥିବା ଶୈଳ ସଂରଚ଼ନା ସହିତ ଏଠାକାର ପାହାଡ଼ର ଶୈଳ ସଂରଚ଼ନା ଥିବା ତାଙ୍କର ମନକୁ ଆସିଥିଲା । ୧୯୫୭ ମସିହାରେ ସେ ପ୍ରତ୍ନତତ୍ତ୍ୱବିତ୍ ମାନଙ୍କ ଏକ ଦଳ ନେଇ ଭୀମବେଟ୍କା ଯାଇ ବିଭିନ୍ନ ପ୍ରାଗ୍ଐତିହାସିକ ଶୈଳାଶ୍ରୟ ଆବିଷ୍କାର କରିଥିିଲେ । ୧୯୭୦ ଦଶନ୍ଧିରେ ଏହି ଶୈଳାଶ୍ରୟର ପ୍ରକୃତ ବିସ୍ତାର ଓ ମହତ୍ତ୍ୱ ଆବିଷ୍କୃତ ଓ ପ୍ରକାଶିତ ହୋଇପାରିଥିଲା । ତା' ପରଠୁ ୭୫୦ରୁ ଅଧିକ ଶୈଳାଶ୍ରୟ ଓ ଗୁମ୍ଫା ଆବିଷ୍କୃତ ହୋଇସାରିଛି । ଏଥିମଧ୍ୟରୁ ୨୪୩ଟି ଭୀମବେଟ୍କା ଗୋଷ୍ଠୀ ଓ ୧୭୮ ଜ୍ବାର ଗୋଷ୍ଠୀ ଅନ୍ତର୍ଭୁକ୍ତ ।
ଭୀମବଟ୍କାର ପ୍ରସ୍ତର କାନ୍ଥ ଓ ଚ଼ଟ୍ଟାଣ ପୃଥିବୀର ସର୍ବପୁରାତନ ବୋଲି ବିଶ୍ବାସ କରାଯାଏ ; ଏଠୁ କିଛି ସ୍ଥାନରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ ଅବଶେଷ ଗୋଟିଏ ପ୍ରସ୍ତରରେ ନିର୍ମିତ ଏବଂ ଅନୁମେୟ ଯେ ମଧ୍ୟପ୍ରଦେଶର ରାଇସେନରୁ ଏଥିପାଇଁ କଞ୍ଚାମାଲ୍ ଆମଦାନି କରାଯାଇ ଥାଇପାରେ । ୧୮୯୨ ହେକ୍ଟର ପରିମିତ ଏ ସ୍ଥାନ ଆଇନ୍ ଅନୁସାରେ ଏକ ସଂରକ୍ଷିତ ସ୍ଥାନ ଏବଂ ଏହାର ପରିଚାଳନା ଦାୟିତ୍ବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ୧୯୯୦ ମସିହାରେ ହସ୍ତାନ୍ତର କରାଯାଇଥିଲା । ୨୦୦୩ ମସିହାରେ ୟୁନେସ୍କୋ ଦ୍ବାରା ଏ ସ୍ଥାନକୁ ଏକ ବିଶ୍ୱ ଐତିହ୍ଯ ସ୍ଥଳର ମାନ୍ୟତା ମିଳିଲା । ଏଠାରେ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି ବିରାଟ ସଭାଗୃହ (Auditorium cave) । ଅନେକ କ୍ବାର୍ଜାଇଟ୍ ସ୍ତମ୍ଭ ଦ୍ବାରା ଘେରା ହୋଇ ରହିଥିବା ଏ ସଭାଗୃହ ଗୁମ୍ଫାଟି ଅନେକ ଦୂରରୁ ଦେଖିହେବ । ଏହା ଭୀମବଟ୍କାର ସମସ୍ତ ଶୈଳାଶ୍ରୟ ମଧ୍ୟରେ ବୃହତ୍ତମ । ରବର୍ଟ ବେଡ୍ନାରିକ୍ଙ୍କ ଭାଷାରେ ଏହି ପ୍ରାଗ୍ଐତିହାସିକ ସଭାଗୃହର ଆଭ୍ଯନ୍ତର କେତେକାଂଶରେ ଗୋଟିଏ ଗୀର୍ଜ ପରି ଏବଂ ଏହାର ଛାତ ଗୋଥିକ୍ ତୋରଣ ପରି ଦୃଶ୍ଯମାନ । ଆଭ୍ଯନ୍ତର ଗଠନ ଏକ ସମକୋଣିଆ ଛକ ପରି ପଥ ରହିଛି ଓ ଏହା ଚ଼ାରି ମୁଖ୍ଯ ଦିଗକୁ ସୂଚ଼ାଇ ଥା'ନ୍ତି ; ଗୁମ୍ଫାର ମୁଖ୍ଯ ଦ୍ବାରଟି ପୂର୍ବପଟେ ଅବସ୍ଥିତ । ପୂର୍ବପଟର ପଥର ଶେଷ ଆଡ଼କୁ ଏକ ବିଶାଳ ପଥର ଚ଼ଟ୍ଟାଣ ଅଛି ; ଏହା ଚ଼ଟ୍ଟାଣ ଭୂମି ସହ ପ୍ରାୟ ସମକୋଣରେ ଦଣ୍ଡାୟମାନ ଓ ସବୁପଟରୁ ଦୃଶ୍ଯମାନ । ପ୍ରତ୍ନତାତ୍ତ୍ୱିକ ଲେଖା ମାନଙ୍କରେ ଏହାକୁ "ମୁଖିଆ ପଥର" ବା "ରାଜ ପଥର" ନାମ ଦିଆଯାଇଛି ; କିନ୍ତୁ ଏଯାବତ୍ ଅଜଣା ଯେ ଏ ପଥରର ପ୍ରାଚୀନ ପରମ୍ପରାରେ ମୁଖିଆ ବା ରାଜା ସମ୍ବନ୍ଧୀୟ କିଛି ଭୂମିକା ଥିଲା ନା ନାହିଁ । ଏହି ସଭାଗୃହ ଗୁମ୍ଫା ଏ ସ୍ଥାନରେ ଇତଃସ୍ତତଃ ହୋଇ ବିଛେଇ ରହିଥିବା ଗୁମ୍ଫା ମାନଙ୍କ କେନ୍ଦ୍ରସ୍ଥଳ ତଥା ପ୍ରମୁଖ । ଏହାର ଉଭୟ ପାର୍ଶ୍ବରେ ପ୍ରାୟ ୭୫୪ଟି ଶୈଳାଶ୍ରୟ ରହିଛି ; ୫୦୦ଟିରେ ଶୈଳଚ଼ିତ୍ରମାନ ଦୃଶ୍ଯମାନ । ଏଠାର ଶୈଳାଶ୍ରୟରେ ଥିବା ଅନେକ ଶିଳାଚ଼ିତ୍ର ଗୁଡ଼ିକ ପ୍ରାୟ ୩୦,୦୦୦ ବର୍ଷ ପୁରୁଣା ବୋଲି ଅନୁମେୟ ; କିଛି ଜ୍ଯାମିତିକ ଚ଼ିତ୍ର ମଧ୍ଯଯୁଗ ସମୟର ହୋଇଥାଇପାରେ । ଗୁମ୍ଫାର ବହୁ ଭିତରେ କାନ୍ଥରେ ଏ ଚ଼ିତ୍ର ଅଙ୍କିତ ଓ ଏଗୁଡ଼ିକୁ ପ୍ରାକୃତିକ ରଙ୍ଗ ଦ୍ବାରା ରଞ୍ଜିତ କରାଯାଉଥିଲା ।
ଶିଳାଚ଼ିତ୍ର ମାନଙ୍କ ସମୟସୀମାକୁ ବିଭିନ୍ନ ପର୍ଯ୍ଯାୟରେ ବିଭକ୍ତ ସାତଗୋଟି କରାଯାଇଛି । ପ୍ରଥମ ପର୍ଯ୍ଯାୟ ପୁରାତନ ପ୍ରସ୍ତର ଯୁଗରୁ ଶେଷଭାଗ ପର୍ଯ୍ଯନ୍ତ ; ଏ କାଳର ଚ଼ିତ୍ର ସବୁ ମୁଖ୍ଯତଃ ରୈଖିକ ଚ଼ିତ୍ର ଓ ସବୁଜ ଏବଂ ଗାଢ଼ ଲାଲ୍ ରଙ୍ଗରେ ରଞ୍ଜିତ । ମୁଖ୍ଯତଃ ଏଥିରେ ବାଘ , ଗଣ୍ଡା ଓ ବନ୍ଯ ଗୟଳ ପରି ପ୍ରାଣୀ ପ୍ରଦର୍ଶିତ । ମଧ୍ଯବର୍ତ୍ତୀ ପ୍ରସ୍ତର ଯୁଗ ହେଉଛି ଦ୍ବିତୀୟ ପର୍ଯ୍ଯାୟ ଏବଂ ଏହାର ଚ଼ିତ୍ର ପ୍ରଥମ ପର୍ଯ୍ଯାୟ ଚ଼ିତ୍ର ଠାରୁ କ୍ଷୁଦ୍ରତର ; ଏମାନଙ୍କରେ ରୈଖିକ ସାଜସଜ୍ଜା ଦେଖାଯାଏ । ଏଥିରେ ପଶୁପକ୍ଷୀ , ମନୁଷ୍ୟ ଓ ଶିକାର ଆଦି ପ୍ରଦର୍ଶିତ ହୋଇଥିବାରୁ ସେଥିରୁ ସେ କାଳର ବର୍ଚ୍ଛା , ତେଣ୍ଟା, ଗୋଜିଆ ବାଡ଼ି , ଧନୁତୀର ପରି ଅସ୍ତ୍ରଶସ୍ତ୍ର ସମ୍ବନ୍ଧେ ସମ୍ଯକ ଧାରଣା ମିଳେ । କିଛି ଚ଼ିତ୍ରରେ ସେ କାଳର ତିନିଟି ଆଦିମ ଜନଜାତି ମଧ୍ୟେ ସଂଗଠିତ ସଂଙ୍ଘର୍ଷକୁ ତିନୋଟି ସାଙ୍କେତିକ ପଶୁ ମଧ୍ୟରେ ଯୁଦ୍ଧ ରୂପ ଦିଆଯାଇଛି ବୋଲି ବିବେଚ଼ନା କରାଯାଏ । ଗୋଷ୍ଠୀ ନୃତ୍ୟ , ପକ୍ଷୀ , ବାଦ୍ଯଯନ୍ତ୍ର , ଗର୍ଭବତୀ ନାରୀ , ମୃତ ଜୀବଜନ୍ତୁ ର ଶବ ବୋହୁଥିବା ମଣିଷ , ଶବସତ୍କାର , ମା' ଓ ଶିଶୁ ଆଦିଙ୍କ ଚ଼ିତ୍ର ଦେଖା ଯାଇପାରିବ । ତାମ୍ର ପ୍ରସ୍ତର ଯୁଗକୁ ତୃତୀୟ ପର୍ଯ୍ଯାୟନ୍ତର୍ଭୁକ୍ତ କରାଯାଇଛି । ମାଳବ ସମତଳ ଅଞ୍ଚଳର କୃଷିଜୀବୀ ସମୁଦାୟଙ୍କ ସହ ସମ୍ପର୍କ ଓ ଜିନିଷ ଆଦାନ ପ୍ରଦାନର ଚ଼ିତ୍ର ଏହି ପର୍ଯ୍ୟାୟର ବିଶେଷତ୍ୱ ଏବଂ ଶୈଳୀ ଦୃଷ୍ଟିରୁ ଏଗୁଡ଼ିକ ଦ୍ବିତୀୟ ପର୍ଯ୍ଯାୟର ଚ଼ରିତ୍ର ମାନଙ୍କ ପରି । ପ୍ରାଗ୍ଐତିହାସିକ ଯୁଗକୁ ଚ଼ତୁର୍ଥ ଓ ପଞ୍ଚମ ପର୍ଯ୍ଯାୟନ୍ତର୍ଭୁକ୍ତ କରାଯାଇଛି ; ଏସମୟର ଚ଼ିତ୍ର ସବୁ ଅଧିକ ସାଜସଜ୍ଜା ଓ କାରୁକାର୍ଯ୍ୟପୂଣ୍ଣ ଏବଂ ଲାଲ୍ , ଧଳା , ପୀତ ରଙ୍ଗରେ ରଞ୍ଜିତ । ଧାର୍ମିକ ସଙ୍କେତ , ଆରୋହୀ , ବସ୍ତ୍ର , କିଛି ଲିପି ଏହି ଚ଼ିତ୍ରରେ ଅବସ୍ଥାପିତ ଅଟନ୍ତି । ଯକ୍ଷ , ବୃକ୍ଷ , ଦେବତା , ବିସ୍ମୟକର ଉଡ଼ନ୍ତା ରଥ ଏହି ସବୁ ଧାର୍ମିକ ବିଶ୍ୱାସର ପରିପ୍ରକାଶ ।
ମଧ୍ଯଯୁଗୀୟକୁ ଷଷ୍ଠ ଓ ସପ୍ତମ ପର୍ଯ୍ଯାୟରେ ବିଭକ୍ତ କରାଯାଇଛି । ଏହି ସମୟର ଚ଼ିତ୍ର ସମୂହ ସରଳ ରୈଖିକ , ଅଧିକ ଠାଣୀଯୁକ୍ତ କିନ୍ତୁ ଚ଼ିତ୍ରକଳା ଦୃଷ୍ଟିରୁ ନିକୃଷ୍ଟ ମାନର । ଏ କାଳର କଳାକାର ସବୁ କଳା ମାଙ୍ଗାନିଜ୍ ଅକ୍ସାଇଡ୍ ବା ମାଙ୍କଡ଼ା ପଥର ଓ କୋଇଲା ଆଦିରୁ ରଙ୍ଗ ବନେଇ ବ୍ଯବହାର କରୁଥିବାର ଜଣାପଡ଼ିଛି । "ଚ଼ିଡ଼ିଆଖାନା ଶିଳା" ବୋଲାଉଥିବା ଏକ ପ୍ରସ୍ତର ଚ଼ଟ୍ଟାଣରେ ହାତୀ , ବାର୍ହା , ଶିଙ୍ଗା , ବନ୍ଯ ଗୟଳ ଓ ହରିଣ ଆଦିଙ୍କର ଚ଼ିତ୍ର ଦେଖାଯାଏ । ଆଉ ଏକ ଶିଳାର ଚ଼ିତ୍ରରେ ମୟୂର , ସାପ , ହରିଣ ଏବଂ ସୂର୍ଯ୍ୟ ଅଛନ୍ତି । ଚ଼ିତ୍ରିତ ଦାନ୍ତ ବିଶିଷ୍ଟ ଦୁଇଟି ହାତୀ ଅନ୍ଯ ଏକ ଚ଼ିତ୍ରର ମୁଖ୍ୟ ଆକର୍ଷଣ । ଖଣ୍ଡା , ଢ଼ାଲ , ଧନୁତୀରର ବ୍ଯବହାରରେ କରାଯାଉଥିବା ଶିକାର ସମୟର ଦୃଶ୍ଯ ମଧ୍ୟ ଏହି ପ୍ରାଗ୍ଐତିହାସିକ ଚ଼ିତ୍ର ମାନଙ୍କରେ ଦୃଶ୍ଯମାନ । ଏକ ଗୁମ୍ଫାରେ ବନ୍ଯ ଗୟଳଟି ମଣିଷକୁ ଗୋଡ଼ାଉଥିବାର ଦୃଶ୍ଯ ଓ ମଣିଷର ଦି' ଜଣ ସାଙ୍ଗ ନିଃସହାୟ ଭାବରେ ଛିଡ଼ା ହୋଇଥିବାର ଦୃଶ୍ଯ ଏଥିରେ ଅଙ୍କିତ । ଆଉ ଏକ ଚି଼ତ୍ରରେ କିଛି ଅଶ୍ବାରୋହୀ ଏବଂ ଧନୁର୍ଦ୍ଧର ଦୃଶ୍ଯ ହୁଏ । ଆଉ ଏକ ଚି଼ତ୍ରରେ ଏକ ବିଶାଳକାୟ ବାର୍ହା ଅଙ୍କନ କରାଯାଇଛି । ସମସ୍ତ ଚ଼ିତ୍ରକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଗୋଟିଏ ହେଲା ଶିକାର ଓ ଖାଦ୍ୟ ସଂଗ୍ରହ କରୁଥିବା ଲୋକଙ୍କ ଚ଼ିତ୍ର ଏବଂ ଅନ୍ଯଟି ହେଲା ଧାତବ ଅସ୍ତ୍ରଶସ୍ତ୍ରଧାରୀ ଓ ଘୋଡ଼ା-ହାତୀ ପୃଷ୍ଠେ ଅବସ୍ଥାପିତ ଯୋଦ୍ଧା । ପ୍ରଥମଟି ପ୍ରାଗ୍ଐତିହାସିକ ସମୟର ଓ ଦ୍ବିତୀୟଟି ତା' ପରବର୍ତ୍ତୀ ଐତିହାସିକ କାଳର ବୋଲି ଅନୁମାନ କରାଯାଏ । ଐତିହାସିକ କାଳରେ ସମସ୍ତ ଚ଼ିତ୍ରରେ ଶାସକମାନେ ଖଣ୍ଡା , ବର୍ଚ୍ଛା , ଧନୁତୀର ଧାରଣ କରି ଯୁଦ୍ଧ କରୁଥିବାର ଦୃଶ୍ଯ ଦେଖିବେ । ଆଉ ଏକ ପାହାଡ଼ ଚ଼ଟ୍ଟାଣରେ ଜନୈକ ମାନବ ହସ୍ତେ ତ୍ରିଶୂଳାସ୍ତ୍ର ଧରି ନୃତ୍ୟ କରିବାର ଚ଼ିତ୍ର ରହିଛି । ଏହାକୁ ପ୍ରତ୍ନତତ୍ତ୍ବବିଦ୍ ବିଷ୍ଣୁ ଶଙ୍କର ୱାକଣକର "ନଟରାଜ" ବୋଲି ଅଭିହିତ କରିଛନ୍ତି । ପ୍ରାୟ ୧୦୦ଟି ଗୁମ୍ଫାର ଶିଳାଚ଼ିତ୍ର ଲିଭି ସାରିଲାଣି । "ନଟରାଜ" ଚ଼ିତ୍ର ବର୍ତ୍ତମାନ ଲିଭି ଗଲାଣି ।
ସେହିପରି ବିଶ୍ବ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରାପ୍ତ ବୌଦ୍ଧ , ହିନ୍ଦୁ ଓ ଜୈନ ଧାର୍ମିକ ଭାବନା ପ୍ରତିଫଳିତ ହେଉଥିବା ଭାରତର ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ଥିବା "ଏଲୋରା ଗୁମ୍ଫା"ର ମୂର୍ତ୍ତି ଓ ଶିଳ୍ପକଳା ଖ୍ରୀ. ୬୦୦-୧୦୦୦ ସମୟର ବୋଲି ଅନୁମାନ କରାଯାଏ । ଗୁମ୍ଫା କ୍ରମାଙ୍କ ୧୬ରେ ଏକ ଶିଳା କାଟି ନିର୍ମିତ କୈଳାସ ମନ୍ଦିର ବିଶ୍ୱର ବୃହତ୍ତମ ପ୍ରସ୍ତର ଖୋଦିତ ମନ୍ଦିର ; ଏହା ଏକ ରଥାକୃତି ଶିବ ମନ୍ଦିର । ଏଥିରେ ଶିବଙ୍କ ବ୍ଯତୀତ ବହୁ ଦେବାଦେବୀଙ୍କ ମୂର୍ତ୍ତି , ବୈଷ୍ଣବ - ଶାକ୍ତ - ଶୈବ ପରମ୍ପରାର ପୌରାଣିକ ଗଳ୍ପର ଚ଼ିତ୍ର , ରାମାୟଣ - ମହାଭାରତ କଥା ଆଦି ଖୋଦିତ ହୋଇଛି । ଏହା ୱେରୁଲ୍ ଓ ଏଲୁରା ଭାବେ ବି ପରିଚ଼ିତ । ଏହି ଗୁମ୍ଫାର ପ୍ରାଚୀନ ନାମ "ଏଲାପୁର"ର ଅପଭ୍ରଂଶ ; ଖ୍ରୀ.୮୧୨ ସମୟର ବରୋଦା ଶିଳାଲେଖରେ ଏହି ଗହ୍ବରର ମହାନତା ଓ କୃଷ୍ଣରାଜଙ୍କ ସମୟରେ ଏଲାପୁରରେ ଏହି ଗହ୍ବରର ଖୋଦନ ବା ନିର୍ମାଣ ବିଷୟରେ ଲେଖାଯାଇଛି । ବରୋଦା ଶିଳାଲେଖରେ ଉଲ୍ଲିଖିତ ଗହ୍ବର ଗୁମ୍ଫା କ୍ରମାଙ୍କ ୧୬ର କୈଳାସ ଆଡ଼କୁ ଇଙ୍ଗିତ କରିଥାଏ । ଏଲୋରାର ଅନେକ ଅଭିଲେଖ ୬ଷ୍ଠ ଶତାବ୍ଦୀ ଓ ପରବର୍ତ୍ତୀ ସମୟର ; ଏମାନଙ୍କ ମଧ୍ୟରେ ବହୁ ପରିଚ଼ିତ ହେଉଛି ରାଷ୍ଟ୍ରକୂଟ ରାଜା ଦାନ୍ତିଦୁର୍ଗଙ୍କ ଶିଳାଲେଖ ଯାହା ଗୁମ୍ଫା ୧୫ର ସମ୍ମୁଖ ମଣ୍ଡପର ପଶ୍ଚାତ୍ପଟର କାନ୍ଥରେ ଅବସ୍ଥାପିତ । ରାଜା ଦାନ୍ତିଦୁର୍ଗଙ୍କ ଶାସନ କାଳ ୭୫୩-୭୫୭ଖିରୀ. ପର୍ଯ୍ଯନ୍ତ ଥିଲା । ଏହି ଶିଳାଲେଖରେ ରାଜା ଉକ୍ତ ମନ୍ଦିରରେ ପ୍ରାର୍ଥନା କରିଥିବା ବିଷୟ ଉଲ୍ଲିଖିତ । ଜଗନ୍ନାଥ ସଭା ନାମରେ ପରିଚ଼ିତ କ୍ରମାଙ୍କ ୩୩ ଜୈନ ଗୁମ୍ଫାରେ ୩ଟି ଶିଳାଲେଖ ରହିଛି। ଏଥିରେ ବିଭିନ୍ନ ସନ୍ଥ ଓ ଦାନୀ ବ୍ଯକ୍ତିଙ୍କ ନାମ ଉଲ୍ଲିଖିତ । ପାହାଡ଼ରେ ଥିବା ପାର୍ଶ୍ବନାଥଙ୍କ ମନ୍ଦିରରେ ୧୨୪୭ ମସିହାର ଏକ ଶିଳାଲେଖରେ ବର୍ଦ୍ଧନପୁରର ଜଣେ ଦାତାଙ୍କର ନାମ ଉଲ୍ଲିଖିତ ରହିଛି ।
ଅଜନ୍ତା ଗୁମ୍ଫାର କାନ୍ଥ ଓ ଛାତରେ ବୁଦ୍ଧଙ୍କ ପୁନର୍ଜନ୍ମ , ଆର୍ଯ୍ଯସୁରଙ୍କର ଜାତକମାଳା କଥା ଅଙ୍କିତ ଏବଂ ବିଭିନ୍ନ ଦେବାଦେବୀଙ୍କର ଶିଳାମୂର୍ତ୍ତି ଖୋଦିତ ହୋଇଛି । କିଛି ପ୍ରାଚୀନ ଅଭିଲେଖ କହେ ମୌସୁମୀ ଋତୁରେ ବୌଦ୍ଧଭିକ୍ଷୁ ଓ ସନ୍ନ୍ଯାସୀମାନେ ଏହି ଗୁମ୍ଫାରେ ବାସ କରୁଥିଲେ । ପ୍ରାଚୀନ ଭାରତର ବ୍ଯବସାୟୀ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏହା ଏକ ବିଶ୍ରାମସ୍ଥଳ ଥିଲା । ୧୭ଶ ଶତାବ୍ଦୀରେ ମୋଗଲ ସମ୍ରାଟ ଆକବରଙ୍କ ଜଣେ ଅଧିକାରୀ ଓ ଅନେକ ମଧ୍ଯଯୁଗୀୟ ଚ଼ୀନୀ ବୌଦ୍ଧ ପରିବ୍ରାଜକଙ୍କ ଭ୍ରମଣ ବିବରଣୀରେ ଅଜନ୍ତାର ଉଲ୍ଲେଖ ଦେଖିବାକୁ ମିଳେ । ଏହି ଗୁମ୍ଫା ଜଙ୍ଗଲ ଓ ବଣବୁଦା ଦ୍ବାରା ଆବୃତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା । ୧୮୧୯ ମସିହାରେ ଜନୈକ ପାଶ୍ଚାତ୍ୟ ଅଧିକାରୀ କ୍ଯାପ୍ଟେନ୍ ଜନ୍ ସ୍ମିଥ୍ ଏଠାକୁ ବାଘ ଶିକାର କରିବାକୁ ଆସି ଦୈବାତ୍ ଏହି ଅଜନ୍ତା ଗୁମ୍ଫାର ଆବିଷ୍କାର କରିଥିିଲେ । ଡୋକାନ ମାଳଭୂମିରେ ପ୍ରବାହିତ ୱାଘୋରା ନଦୀରେ ସୃଷ୍ଟ ଏକ ଅର୍ଦ୍ଧଚନ୍ଦ୍ର ଆକୃତିର ଗଣ୍ଡର ଉତ୍ତର ପ୍ରସ୍ତର କାନ୍ଥରେ ଏସବୁ ଗୁମ୍ଫା ଖୋଦିତ ହୋଇଥିଲା । ଗଣ୍ଡ ମଧ୍ଯରେ ଅନେକ ଜଳପ୍ରପାତ ଏବଂ ଅଧିକ ଜଳପ୍ରବାହ ବେଳେ ଏ ପ୍ରପାତ ମାନଙ୍କର ଶବ୍ଦ ବହୁଦୂରକୁ ଶୁଭେ ।
ଅଜନ୍ତା ଚ଼ିତ୍ରରୁ ପ୍ରାଚୀନ ଭାରତର ସାମାଜିକ ଓ ଅର୍ଥନୈତିକ ତଥ୍ଯ ସମ୍ବନ୍ଧରେ ସମ୍ଯକ୍ ସୂଚ଼ନା ମିଳେ । ପଞ୍ଚମ ଶତାବ୍ଦୀରେ ବିଦେଶୀ ସଂସ୍କୃତି ସହ ଭାରତୀୟ ସଂସ୍କୃତିର ମିଳନ ଓ ବିନିମୟ ସମ୍ପର୍କରେ ମଧ୍ୟ ଜଣାଯାଏ । ଭାରତୀୟ ଐତିହାସିକ ହରୁନ୍ ଖାନ୍ ଶେରୱାନିଙ୍କ ମତରେ - "ଅଜନ୍ତାର ଚ଼ିତ୍ର ବୌଦ୍ଧଧର୍ମର ବିଶ୍ବବାଦୀ ଚ଼ରିତ୍ର ପ୍ରକାଶ କରିଥାଏ । ବୌଦ୍ଧଧର୍ମ ବିକଶିତ ହୋଇ ଗ୍ରୀକ୍ , ପାର୍ସୀୟ , ସକ , ପଲ୍ଲବ , କୁଶୀଣ , ହୁଣ ପରି ଅନେକ ବିଦେଶୀ ଜାତିଙ୍କ ନିକଟରେ ପହଞ୍ଚି ପାରିଥିଲା ।" ସ୍ପିଂକ୍ଙ୍କ ମତରେ - "ଅଜନ୍ତାର ଗୁମ୍ଫା ଚ଼ିତ୍ର ସମୂହରେ ବିଦେଶୀଙ୍କ ଚ଼ିତ୍ର ମଧ୍ୟ ଭରପୂର ରହିଛି । ବିଦେଶୀଙ୍କ ଚ଼ିତ୍ର ଯୋଗୁଁ "ପାରସ୍ଯ ଦୂତାବାସ ଦୃଶ୍ଯ" ପରି ତ୍ରୁଟିପୂଣ୍ଣ ଅନୁମେୟ । ଅଜନ୍ତାର ବିଦେଶୀଙ୍କ ଚ଼ିତ୍ରରେ ଶାସନୀୟ ବ୍ଯବସାୟୀ , ଯାତ୍ରୀ ଓ ତତ୍କାଳୀନ ବାଣିଜ୍ୟ ପଥ ଆଦି ପ୍ରତିଫଳିତ ।" ଅଜନ୍ତାର ପ୍ରଥମ ଗୁମ୍ଫାର ପ୍ରବେଶ ଦ୍ୱାର ଦେଇ ପଶିବା ପରେ ଠିକ୍ ଦକ୍ଷିଣ ପଟକୁ ବିଦେଶୀ ଲୋକଙ୍କ ମୁଖ ଓ ବେଶଭୂଷା ଥିବା ଅଙ୍କିତ ଚ଼ିତ୍ର "ପାରସ୍ଯ ଦୂତାବାସ ଦୃଶ୍ଯ"କୁ ଉନବିଂଶ ଶତାବ୍ଦୀର ସ୍ଥାପତ୍ୟ ଐତିହାସିକ ଜେମ୍ସ୍ ଫର୍ଗୁସନ୍ ଖ୍ରୀ.୬୨୫ ସମୟରେ ଚ଼ାଲୁକ୍ଯ ବଂଶର ରାଜା ଦ୍ବିତୀୟ ପୁଲକେଶିନଙ୍କ ଦରବାରକୁ ପାରସ୍ଯ ରାଜଦୂତ ଆସିଥିବା ବେଳର ଦୃଶ୍ଯ ବୋଲି ସ୍ଥିର କରିଥିଲେ ବୋଲି ସ୍ପିଂକ୍ଙ୍କ ମତାମତ । ଅନ୍ଯ ଏକ ମତ , ଜଣେ ହିନ୍ଦୁ ରାଜଦୂତ ପାରସ୍ଯ ରାଜା ଦ୍ବିତୀୟ ଖୁସ୍ରୁଙ୍କ ଡରବାରକୁ ଖ୍ରୀ.୬୨୫ରେ ଯାଇଥିବା ଦୃଶ୍ଯ ଏହି ଚ଼ିତ୍ରରେ ଦର୍ଶିତ ଯାହାକୁ ଫର୍ଗୁସନ୍ ଅମାନ୍ୟ କରିଛନ୍ତି । ସ୍ପିଂକ୍ଙ୍କ ମତରେ ଔପନିବେଶିକ ସମୟର ବ୍ରିଟିଶ୍ ଐତିହାସିକମାନେ ଅନୁମାନ ପୂର୍ବକ ଏ ୭ମ ଶତାବ୍ଦୀର ଘଟଣାକୁ ଅଜନ୍ତା ଚ଼ିତ୍ର ସହ ଯୋଗ କରିଥିବାରୁ ଗୁମ୍ଫା ମାନଙ୍କ ନିଣ୍ଣୟ କାଳ ତ୍ରୁଟିପୂଣ୍ଣ ଥିଲା । ତାଙ୍କ ମତରେ ହରିସେନଙ୍କ ଶାନ କାଳରେ ଅଙ୍କିତ ଏ ଚ଼ିତ୍ରଟି ମହାସୁଦର୍ଶନ ଜାତକ କଥାରୁ ଗୃହୀତ ଯା'ର କାହାଣୀ ଅନୁଯାୟୀ ପୂର୍ବ ଜନ୍ମରେ ରାଜା ଥିବା ବୁଦ୍ଧ ହିଁ ଏହି ଚ଼ିତ୍ରରେ ରାଜା ରୂପରେ ଦର୍ଶିତ । ପଞ୍ଚମ ଶତାବ୍ଦୀ ବେଳେ ଭାରତ ସହ ଶାସନୀୟ ସାମ୍ରାଜ୍ୟର ବାଣିଜ୍ୟିକ ସମ୍ପର୍କକୁ ଏ ଚ଼ିତ୍ର ଦ୍ବାରା ଦର୍ଶାଯାଇଛି । ଅଜନ୍ତାର ଚ଼ିତ୍ରକଳା ଶୈଳୀ ତିବ୍ବତ୍ ଓ ଶ୍ରୀଲଙ୍କାର ଚ଼ିତ୍ରକଳା ଶୈଳୀକୁ ପ୍ରଭାବିତ କରିଥାଏ । ନନ୍ଦଲାଲ ବୋଷ ଅଜନ୍ତା ଚ଼ିତ୍ରଶୈଳୀକୁ ବ୍ଯବହାର କରି ଏକ ସ୍ବତନ୍ତ୍ର ଶୈଳୀର ଆବିଷ୍କାର କରିଥିିଲେ । ରବିନ୍ଦ୍ରନାଥ ଠାକୁର ଓ ସୟଦ ଅଜୁଦ୍ଦିନଙ୍କ ପରି ଚ଼ିତ୍ରକର ଅଜନ୍ତା ଚ଼ିତ୍ରରୁ ବହୁମାତ୍ରାରେ ପ୍ରଭାବିତ ହୋଇଥିଲେ । ଗୁମ୍ଫାରେ ଚ଼ିତ୍ର ଓ କଳାକୃତି ସମୟକ୍ରମେ ସଂରକ୍ଷଣ ଅଭାବରୁ ଅବକ୍ଷୟପ୍ରାପ୍ତ ହୋଇଛି । ତେଣୁ କାନ୍ଥ , ଛାତ , ସ୍ତମ୍ଭରେ ଥିବା ଚ଼ିତ୍ର ମାନଙ୍କ ମଧ୍ୟରେ ଚି଼ତ୍ରଶୂନ୍ଯ ଛାପ ଦେଖିବାକୁ ମିଳେ । ଚ଼ିତ୍ର ମାନଙ୍କ ବିଷୟବସ୍ତୁ ଚ଼ିହ୍ନିବା ୧୮୧୯ ପରଠାରୁ ଏଠାକାର ଗବେଷଣାର ଏକ ଲକ୍ଷ୍ଯ ରହିଆସିଛି ।
ଅଧା ପ୍ରାକୃତିକ ଓ ଅଧା ମଣିଷକୃତ ଗୁମ୍ଫା ହେଉଛି ଉଦୟଗିରି ଓ ଖଣ୍ଡଗିରି ଯାହାର ଐତିହାସିକ , ପୁରାତନ ତତ୍ତ୍ବ ଓ ଧାର୍ମିକ ଗୁରୁତ୍ବ ରହିଛି । ଦୁଇଟି ପାହାଡ଼ ଖଣ୍ଡଗିରି ଓ ଉଦୟଗିରି ଉପରେ ଭୁବନେଶ୍ୱର ଠାରେ ଅଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା । ଏ ଦୁଇ ପାହାଡ଼ ଉଭୟଙ୍କ ଆଡ଼କୁ ମୁହାଁଇ ରାସ୍ତାର ଦୁଇ ପାଖରେ ଅଛନ୍ତି । ଖଣ୍ଡଗିରି ରେ ୧୫ଟି ଗୁମ୍ଫା ଓ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ଜୈନ ବିବରଣୀରୁ ଜଣାଯାଏ , ଏଠାରେ ମହାବୀର ଜୈନ ତାଙ୍କର ଧର୍ମ ପ୍ରଚ଼ାର କରିଥିଲେ । ଏ ସ୍ଥାନରେ ଅଛି ସମ୍ରାଟ ଖାରବେଳଙ୍କର ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ । ଏଠାରେ ଏବେ ବି ସୁଦ୍ଧା ଜୈନ ସମ୍ପ୍ରଦାୟର ସାଧୁଙ୍କୁ ଦେଖିବା ପାଇଁ ମିଳେ । ଉଦୟଗିରିରେ ଥିବା ୧୮ଟି ଗୁମ୍ଫା ହେଲା - "ରାଣୀଗୁମ୍ଫା , ଛୋଟ ହାତୀଗୁମ୍ଫା , ଅଳକାପୁରୀ ଗୁମ୍ଫା , ଜୟ ବିଜୟ ଗୁମ୍ଫା , ଠାକୁରାଣୀ ଗୁମ୍ଫା , ପାତାଳପୁରି ଗୁମ୍ଫା , ଗଣେଶ ଗୁମ୍ଫା , ଜମ୍ବେଶ୍ୱର ଗୁମ୍ଫା , ବ୍ଯାଘ୍ର ଗୁମ୍ଫା , ସର୍ପ ଗୁମ୍ଫା , ହାତୀଗୁମ୍ପା , ଧାନଘର ଗୁମ୍ଫା , ହରିଦାସ ଗୁମ୍ଫା , ଜଗମଥା ଗୁମ୍ଫା , ରୋଷେଇ ଗୁମ୍ଫା" । ଖଣ୍ଡଗିରିରେ ଥିବା ୧୫ଟି ଗୁମ୍ଫା ହେଲା :- "ତତ୍ତ୍ବ ଗୁମ୍ଫା , ତତ୍ତ୍ବ ଗୁମ୍ଫା , ଅନନ୍ତ ଗୁମ୍ଫା , ତେନ୍ତୁଳି ଗୁମ୍ଫା , ଖଣ୍ଡଗିରି ଗୁମ୍ଫା , ଧ୍ଯାନ ଗୁମ୍ଫା , ନବମୂନି ଗୁମ୍ଫା , ବାରଭୂଜି ଗୁମ୍ଫା , ତୃସୁଳ ଗୁମ୍ଫା , ଅମ୍ବିକା ଗୁମ୍ଫା , ଲଲାଟେନ୍ଦୁ କେଶରୀ ଗୁମ୍ଫା , ଏକାଦଶୀ ଗୁମ୍ଫା" । ଏ ହେଲା ପନ୍ଦରଟି ଗୁମ୍ଫା ; ଆଉ ତିନୋଟି ଗୁମ୍ଫାର ନାମକରଣ କରାଯାଇନାହିଁ । ପୁଣି ଓଡ଼ିଶାର ଦୟାନଦୀ ତଟରେ ଧଉଳି ପାହାଡ଼ ଉପରେ ଏକ ବୌଦ୍ଧବିହାର ଓ ସ୍ତୁପ ରହିଛି । ଏହି ପାହାଡ଼ର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କର ଶିଳାଲେଖ ଅଛି । ଐତିହାସିକଙ୍କ ମତରେ ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା । ବୌଦ୍ଧ ଜିଲ୍ଲାରେ ବି ଅନେକ ଜାଗାରେ ବୌଦ୍ଧକୀର୍ତ୍ତି ସବୁ ରହିଛି ।
ଓଡ଼ିଶାର ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଓ ବିରୂପା ନଦୀର ଉପତ୍ୟକାରେ ଥିବା ରତ୍ନଗିରି ହେଉଛି ବୌଦ୍ଧବାଦର ମୂଳ ବିହାର ମହାବିହାରର ଏକ ପ୍ରଧାନ ଭାଗ ; ଏହା ଲଳିତଗିରି ଓ ଉଦୟଗିରି ସହ ପୁଷ୍ପଗିରି ବିଶ୍ବବିଦ୍ୟାଳୟର ଏକ ଅଂଶ । ୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତ ନରପତି ନରସିଂହ ବଳାଦିତ୍ଯଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚ଼ରମ ଉନ୍ନତିର ପୁରୋଭାଗରେ ପହଞ୍ଚି ଥିଲା । ତିବ୍ବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ଏହି ରତ୍ନଗିରି ଦଶମ ଶତକର କାଳଚ଼କ୍ରତନ୍ତ୍ରର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳର ଅନେକ ଗୁଡ଼ିଏ ସ୍ତୁପ , ଧାତବ ଅନୁଶାସନ ଓ ଅନ୍ଯାନ୍ଯ କାଳଚ଼କ୍ରର ସଙ୍କେତ ଥିବା କିର୍ତ୍ତୀରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ । ସନ ୧୯୫୮ ଓ ୧୯୬୧ରେ ଏକ ବଡ଼ ଧରଣର ଖନନ ଅନ୍ତେ ଅନେକ ଅଜଣା ତଥ୍ଯ ସାମ୍ନାକୁ ଆସିଥିଲା । ନବମ ଶତାବ୍ଦୀରେ ମୁଖ୍ଯ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି ହୋଇଥିଲା ଯାହା ଗୁପ୍ତ ଯୁଗର ଥିଲା । ଅଧୁନା ସେଠାରେ ଏକ ମୂର୍ତ୍ତି ସମୂହ ତାରା , ଅବଲୋକିତେଶ୍ୱର , ଅପରାଜିତା ଓ ହରିତି ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବା ପାଇଁ ମିଳନ୍ତି ।
ଯାଜପୁର ଜିଲ୍ଲାର ପୁଷ୍ପଗିରି ମହାବିହାର ଏକ ପୁରାତନ ଓ ପ୍ରମୁଖ ବୌଦ୍ଧ ମହାବିହାର ; କେହି କେହି ଏହାକୁ ଫୁଫଗିରି ମହାବିହାର ବି କହିଥା'ନ୍ତି । ଏହା ଭାରତୀୟ ଉପମହାଦେଶର ଏକ ମୁଖ୍ଯ ବିହାର ଭାବରେ ୧୧ଶ ଶତାବ୍ଦୀ ଯାଏଁ କାର୍ଯ୍ୟକ୍ଷମ ଥିଲା । ମହାବିହାରର ମୁଖ୍ଯ ତିନୋଟି ଅଞ୍ଚଳ ଭିତରୁ କେବଳ ଲଳିତଗିରି ରହିଛି କଟକ ଜିଲ୍ଲାରେ । ପ୍ରତିମା ଖୋଦେଇ ଗବେଷଣାରୁ ଜଣାଯାଇଛି , ଖ୍ରୀ.ପୂ ଦ୍ବିତୀୟ ଶତାବ୍ଦୀରେ ସୁଙ୍ଗ ଶାସନ ବେଳେ ଲଳିତଗିରି ନିର୍ମାଣ କାମ ସମାପ୍ତ ହୋଇଥିଲା । ଏହାକୁ ସର୍ବପୁରାତନ ବୌଦ୍ଧସ୍ଥଳର ମାନ୍ଯତା ମିଳିଛି । ମହାବିହାରର ଭଗ୍ନାଂଶ ଲାଙ୍ଗୁଡ଼ି ପାହାଡ଼ ଉପରେ , ମହାନଦୀର ତ୍ରିକୋଣଭୂମି ଠାରୁ ୯୦ କି.ମି ଦୂରରେ ଯାଜପୁର ଓ କଟକ ଜିଲ୍ଲାରେ ରହିଛି । ଏ.ଏସ୍.ଆଇ (ASI) ଏହା ପାଇଁ ନାନାଦି ଯୋଜନା ଆରମ୍ଭ କରିଛି । ୨୦୦୭ରେ ମହାବିହାର ପାଖରେ ଅଧିକ ଜାଗା ଅଧିଗ୍ରହଣ କାମ ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଏଠାରେ ସବୁ ବର୍ଷ ଏକ ବୁଦ୍ଧ ମହୋତ୍ସବର ଆୟୋଜନ କରୁଛନ୍ତି । ଲାଙ୍ଗୁଡ଼ି ପାହାଡ଼ରେ ରହିଛି ଅନେକ ବୌଦ୍ଧସ୍ଥଳୀ । ମୌର୍ଯ୍ୟ ଶାସନକାଳ ଖ୍ରୀ.ପୂ ୨ରେ ତିଆରି ହୋଇଥିବା ଚ଼ାରୋଟି ଖୋଣ୍ଡାଲାଇଟ୍ ନିର୍ମିତ ଅଖଣ୍ଡ ଖମ୍ବ ଦେଇ ବେଢ଼ା ହାତୀର ପଥର ଖୋଦା ମୂର୍ତ୍ତି ଲାଙ୍ଗୁଡ଼ି ପାହାଡ଼ ସମୀପସ୍ଥ "କାଇମା ପାହାଡ଼"ରେ ଅଛି । ବ୍ରାହ୍ମଣୀ ଓ କିମିରିଆ ନଦୀ କୂଳରେ ସ୍ଥିତ ଦେଉଳି ପାହାଡ଼ର ଗୁମ୍ଫା ଭିତରେ ପଥର ଖୋଦା ବୌଦ୍ଧବିହାର ସମସ୍ତ ଅଛି । ବଜ୍ରଗିରି , ସାରପୁର , ପାଇକରାପୁରରୁ ବି ଅନେକ ବୌଦ୍ଧସ୍ଥଳୀ ଆବିଷ୍କୃତ । ପୁରାତନ ଅନୁଶାସନାନୁସାରେ ଲଳିତଗିରିର ଐତିହାସିକ ନାମ "ମାଧବପୁର ମହାବିହାର" ଥିଲା । ଏଠାରେ ଗୌତମ ବୁଦ୍ଧଙ୍କ ଅସ୍ଥି ସମ୍ବଳିତ ଏକ ପୁରାତନ ଆଧାର ରଖାଯାଇ ସଂଗ୍ରହାଳୟ ନିର୍ମାଣ ହୋଇଛି । ଏହି ସଂଗ୍ରହାଳୟରେ ଅନେକ ପ୍ରତ୍ନତାତ୍ତ୍ୱିକ ବସ୍ତୁ ବି ରହିଛି ଜନସାଧାରଣଙ୍କ ଦର୍ଶନ ନିମନ୍ତେ । ୧୯୮୫ରୁ ୧୯୯୨ ମଧ୍ୟରେ ଲଳିତଗିରିର ଉତ୍ଖନନ ବେଳେ ବହୁ ଦୁର୍ମୂଲ୍ୟ ବୌଦ୍ଧମୂର୍ତ୍ତି ଓ ବୌଦ୍ଧଧର୍ମ ସମ୍ପର୍କୀତ ଏକ ବିଶାଳ ସ୍ତୁପ ଏବଂ ତା' ମଧ୍ୟରୁ ଗୋଟିକ ଭିତରେ ଗୋଟିଏ ଥାଇ ଚ଼ାରିଟି ଫରୁଆ ମିଳିଥିଲା । ଖାଣ୍ଡୋଲାଇଟ୍ ପଥରରେ ନିର୍ମିତ ପ୍ରଥମ ଫରୁଆ ମଧ୍ଯେ ଷ୍ଟେଟାଇଟ୍ ନିର୍ମିତ ଏକ ଫରୁଆ , ତା' ମଧ୍ୟରେ ରୂପାର ନିର୍ମିତ ଫରୁଆ ଓ ସେଥି ମଧ୍ୟରେ ଏକ ସୁନା ଫରୁଆ ଥିଲା । ସୁନା ଫରୁଆ ଗର୍ଭରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଥିଲା । ଏବେ ଏସବୁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ଅଛି ।
ଗଞାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ଦଶ କି.ମି ଦୂର "ମାଳତୀ ପର୍ବତ"ର ଅଂଶବିଶେଷ "ଜଉଗଡ଼" , ଯାହାର ଦୂର୍ଗର କାନ୍ଥ ଜଉ ବା ଲାଖରେ ନିର୍ମିତ ଓ ଏହା ଖୁବ୍ ପିଚ୍ଛିଳ ; ଏଲାଗି ଏହାର ଅନ୍ଯ ନାମ "ଜଉ ଦୂର୍ଗ" ବା "ଲାଖ ଦୂର୍ଗ" । ଆୟତାକାର ଏ ଦୂର୍ଗରେ ଅଛି ଅଶୋକଙ୍କ ଦ୍ବାରା ଖୋଦିତ ଶିଳାଲିପି ; ଏ ଶିଳାଲିପି ଗୁଡ଼ିକ ତିରିଶି ଫୁଟ ଲମ୍ବା ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରାନାଇଟ୍ ପ୍ରସ୍ତରରେ ଲିଖିତ । ଏଠାରେ ଆବିଷ୍କାର କରାଯାଇଛି ମୌର୍ଯ୍ୟ ଯୁଗର କିଛି ମୁଦ୍ରା । ଏହି "ଜଉଗଡ଼"କୁ ଋଷିକୁଲ୍ୟା ନଦୀ ସଭ୍ଯତାର ମୂକସାକ୍ଷୀ କହନ୍ତି । ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ରହିଛି ସବୁଠାରୁ ବଡ଼ ଓ ଶ୍ରେଷ୍ଠ ପୁରାତନ ଐତିହାସିକ ଭଗ୍ନାବଶେଷ "ଶିଶୁପାଳଗଡ଼" । ଭୁବନେଶ୍ବରର ଅନତି ଦୂରରେ ଅବସ୍ଥିତ "ଶିଶୁପାଳଗଡ"ର ନିର୍ମାଣ ଶୈଳୀ ଓ କଳାକୃତି ଦେଖି ଭୂତତ୍ତ୍ୱବିତ୍ମାନେ ଏହାକୁ ୨୫୦୦ ବର୍ଷର ପୁରାତନ ବୋଲି କହନ୍ତି । ପୁରାତନ ଖନନରୁ ପ୍ରଫେସର ଲାଲ ସିଦ୍ଧାନ୍ତ ଦେଇଥିଲେ ଯେ , ଏ ଦୂର୍ଗ-ସହର ତୃତୀୟ ଶତକରୁ ଚ଼ତୁର୍ଥ ଶତକ ମଧ୍ୟରେ ବିକାଶ ଲାଭ କରିଥିଲା । ନୂତନ ଅନୁଧ୍ୟାନରୁ ଶ୍ରୀମତୀ ସ୍ମିଥ୍ ଓ ଶ୍ରୀ ମହାନ୍ତି ଏହି ପୁରାତନ ନଗର ପଞ୍ଚମ ଶତକରେ ବିସ୍ତାରଲାଭ କରି ଚ଼ତୁର୍ଥ ଶତକ ଯାଏଁ ରହିଥିଲା ବୋଲି କହନ୍ତି । ବି.ବି. ବଳଙ୍କ ଦ୍ବାରା ୧୯୪୮ ମିହାରେ ଏ ସ୍ଥଳୀର ପ୍ରଥମ ଖନନ ହୋଇଥିଲା । ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରସ୍ତର ଯୁଗର ଅନେକ ଦୃଶ୍ଯ ମିଳେ । ପୁରାତନ ପ୍ରସ୍ତର ଯୁଗ ଓ ଆଧୁନିକ ପ୍ରସ୍ତର ଯୁଗ ବହୁ ଜାଗାରେ ଠାବ ହୋଇଛି ; ଅନେକ ଶିଳାଲେଖ ଦୃଶ୍ଯମାନ ।
ଓଡ଼ିଆ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ତିଆରି କଳିଙ୍ଗ ଲିପିରୁ ତିଆରି ହୋଇଛି । ଏହା ୧୦୫୧ ପରର ଓଡ଼ିଆ ଭାଷାରେ ଏଯାବତ୍ ପ୍ରାପ୍ତ ଲେଖ ସମସ୍ତ ରୁ ଜ୍ଞାତ । ଖାରବେଳଙ୍କ ଅନୁଶାସନ ଓ ଅଶୋକଙ୍କ ଅନୁଶାସନ ଭାଷାର ଗଢ଼ଣ ଦୃଷ୍ଟିରୁ ସମ୍ପୂଣ୍ଣ ଭିନ୍ନ । ଖାରବେଳଙ୍କ ଅନୁଶାସନ ଓଡ଼ିଆ ଲିପିରେ ପାଳି ଭାଷାରେ ରଚ଼ିତ , କିନ୍ତୁ ଅଶୋକଙ୍କ ଅନୁଶାସନ ବ୍ରାହ୍ମୀ ଲିପିରେ ରଚ଼ିତ । ଭାଷାବିଜ୍ଞାନୀଙ୍କ ମତରେ ପାଳି ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ଜର୍ମାନ ଭାଷାବିଜ୍ଞାନୀ ପ୍ରଫେସର ଅଲଡ଼େନବର୍ଗଙ୍କ ଗବେଷଣାନୁସାରେ ପାଳି ଓଡ଼ିଶାର ମୂଳ ଭାଷା ଅଟେ । "ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ" ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଭାଗ , ଯାହା ବ୍ରିଟିଶ୍ ଶାସନ ସମୟରେ ୧୮୬୧ ମସିହାରେ ଆଲେକଜାଣ୍ଡର କାନନୀଙଘାମ ସ୍ଥାପନ କରିଥିଲେ ଓ ସ୍ବୟଂ ଏହାର ପ୍ରଥମ ଡ଼ିରେକ୍ଟର୍ ଜେନେରାଲ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।
୨୦୧୮ ମସିହାରେ ପ୍ରାଚୀନଦୀ ଉପତ୍ଯକାରେ ତାମ୍ର ପ୍ରସ୍ତର ଯୁଗ ସଭ୍ଯତାର ସନ୍ଧାନ ପ୍ରାପ୍ତ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ଉତ୍ଖନନ ଶାଖା-୪ ପକ୍ଷରୁ ଖନନ କରାଯାଇ ପୁରାତନ ଯୁଗର କିଛି ପ୍ରସ୍ତରଖଣ୍ଡ ମିଳିଛି । ପ୍ରାରମ୍ଭିକ ଅନୁଧ୍ୟାନ ପରେ ଜଣା ପଡ଼ିଥିଲା ସେଠି ୩-୪ ହଜାର ବର୍ଷ ପୂର୍ବରୁ ଜନବସତି ଗଢ଼ି ଉଠିଥିଲା । ସେବେଳର ବ୍ଯବହୃତ ମାଟିପାତ୍ର , ପଥର ପ୍ରସ୍ତୁତ ଅସ୍ତ୍ରର ଭଗ୍ନାବଶେଷ , ବିଭିନ୍ନ ଜନ୍ତୁଙ୍କ ହାଡ଼ ଆଦି ମିଳିଥିଲା ସେ ଜାଗାରୁ । ପ୍ରାଚ଼ୀନ ପ୍ରସ୍ତର ଯୁଗରେ ଘୋଡ଼ା ଜିରାଫ ପରି ଗଠନ ଥିବା ପ୍ରାଇମେଟସ୍ , କସ୍ତୁରୀମୃଗ , ଛେଳି , ମଇଁଷି , ଗୋ ଜାତୀୟ ପଶୁ ଏବଂ ଘୁଷୁରି ଆଦି ପ୍ରାଣୀଙ୍କର ଉଦ୍ଭବ ହୋଇଥିଲା । ପ୍ରାଚୀନ ପ୍ରସ୍ତର ଯୁଗରେ ଘୋଡ଼ା ଉତ୍ତର ଆମେରିକୀୟ ବଂଶଜ ବୋଲି ଜଣାଯାଏ । ଏମାନେ ହିମାଳୟର ପୂର୍ବ ଏବଂ ପଶ୍ଚିମାଞ୍ଚଳ ଦେଇ ଆମ ଦେଶକୁ ଆଗତ ହୋଇଥିଲେ । ଏ ଯୁଗରେ ମାନବ ମୁଖ୍ଯତଃ ବଡ଼ ଓ ମଧ୍ୟମାକାରର ଖୁରା ଥିବା ସ୍ତନ୍ଯପାୟୀ ପ୍ରାଣୀଙ୍କୁ ଶିକାର କରୁଥିଲା ଏବଂ ଷଣ୍ଢ , ବଣ ମଇଁଷି , ନୀଳଗାଈ , ଝିଙ୍କ , ଗେଜର , କୃଷ୍ଣସାର ମୃଗ , ସମ୍ବର , ଚ଼ିତା ଆଦିଙ୍କ ମାଂସ ଭକ୍ଷଣ କରୁଥିଲା ।
------------------------------ ---------------------------
ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
ସମ୍ପର୍କ - ୮୯୧୭୪୮୦୫୩୬
------------------------------ ---------------------------
- Get link
- X
- Other Apps
Comments
Post a Comment