କିଛି ରୋଚ଼କତା : ଆମ ଐତିହ୍ୟ (ସମ୍ଯକ ଭାଷ)

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 

      ମାନବର ଐତିହ୍ୟ ସତରେ ରୋଚ଼କ ; ଭାବିଲେ କେତେ ଜଟିଳସାଧ୍ଯ ଥିଲା ସେ । ବିରାଟ ଏକ ନାଟକର କାହାଣୀ ପରି ଲାଗେ , ମାନବ ଇତିହାସ ବୃହତ ଉପନ୍ୟାସ କହିଲେ ଅତ୍ୟୁକ୍ତି ନାହିଁ । ଐତିହ୍ୟ କହିଲେ ଏକ ଜାତିର ଗୌରବୋଜ୍ଜଳ ଅତୀତର କିର୍ତ୍ତୀରାଜି ସମ୍ପର୍କିତ ସଂସ୍କୃତି , ସାହିତ୍ଯ , ଧର୍ମ , କଳା , ସ୍ଥାପତ୍ୟ , ପରମ୍ପରା ଓ ଜୀବନ ଶୈଳୀର ଆଲେଖ୍ଯ ଉତ୍ତର ପିଢ଼ିଙ୍କ ଅର୍ଥେ ପ୍ରେରଣାର ଉତ୍ସ ହୋଇଥିଲେ , ତାକୁ ସେ ଜାତିର ଐତିହ୍ୟ କହନ୍ତି । ପୁରାତନ କାଳରୁ ଓଡ଼ିଶା ନାନା କ୍ଷେତ୍ରେ ଉତ୍କର୍ଷତା ପ୍ରତିପାଦନ କରି ଆସିଛି । ଭାରତ ଇତିହାସରେ ଏକ ଗୁରୁତ୍ୱପୂଣ୍ଣ ସ୍ଥାନାଧିକାର କରିଥିବା ଓଡ଼ିଶାର ନିଜର ବହୁ ମୂଲ୍ୟବାନ ଐତିହ୍ୟ ରହିଛି । ମୌର୍ଯ୍ୟ ଯୁଗରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ଗଜପତି ଶାସନ କାଳ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରତ୍ନତାତ୍ତ୍ୱିକ କିର୍ତ୍ତୀ ସମୂହର ସ୍ଥାପତ୍ୟ  , ଭାସ୍କର୍ଯ୍ୟ , ଚ଼ିତ୍ରକଳା ଓଡ଼ିଶାର ଐତିହ୍ୟ ବହନ କରେ । ଭୁବନେଶ୍ୱର ସମୀପସ୍ଥ ଦୟାନଦୀ ତଟରେ ଧଉଳି ପାହାଡ଼ ଉପରେ ଖୋଦିତ ସମ୍ରାଟ ଅଶୋକଙ୍କର ଶିଳାଲେଖ ଓ ତାହାର ଉପରିଭାଗରେ ଖଣ୍ଡିଏ ପଥରରେ ନିର୍ମିତ ପ୍ରତିମୂର୍ତ୍ତି ଓଡ଼ିଶାର ସର୍ବପ୍ରଥମ ଭାସ୍କର୍ଯ୍ୟ ଭାବେ ପରିଗଣିତ । ରତ୍ନଗିରି  , ଉଦୟଗିରି ଓ ଲଳିତଗିରି ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧ ସ୍ତୁପ , ଚ଼ୈତ୍ଯଗୃହ , ମଠ ଓ ବୌଦ୍ଧ ମୂର୍ତ୍ତିକଳା ଆବିଷ୍କୃତ ହୋଇ ପୁରାତନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରମାଣ ପ୍ରତିପଦାନିଛି । ମନ୍ଦିର ଓଡ଼ିଶାର ଏକ ସ୍ବତନ୍ତ୍ର ଐତିହ୍ୟ ବହନ କରେ । ଖ୍ରୀଷ୍ଟୀୟ ୬୦୦ରୁ ୧୩୦୦ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ମନ୍ଦିର ନିର୍ମିତ । 


     ମନ୍ଦିର ସ୍ଥାପତ୍ୟ କ୍ଷେତ୍ରେ ଓଡ଼ିଶା ସ୍ବତନ୍ତ୍ର ; ଏହାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ "କଳିଙ୍ଗ ଶୈଳୀ" କହନ୍ତି । ଭାରତର ଅନ୍ଯ ସ୍ଥାନ ମାନଙ୍କରେ ନିର୍ମିତ ମନ୍ଦିର ସବୁ ନାଗର , ବେସର ଓ ଦ୍ରାବିଡ ଶୈଳୀଠୁ "କଳିଙ୍ଗ ଶୈଳୀ" ପୂରା ଭିନ୍ନ ବୋଲି ଗ୍ରହଣୀୟ । ଷଷ୍ଠ ଶତାବ୍ଦୀର ଅନ୍ତଭାଗେ ବା ସପ୍ତମ ଶତାବ୍ଦୀ ପ୍ରାରମ୍ଭେ ନିର୍ମିତ ଭୁବନେଶ୍ୱରର ଭଗ୍ନାବସ୍ଥାରେ ସ୍ଥିତ ଲକ୍ଷ୍ମଣେଶ୍ବର , ଭରତେଶ୍ବର ଆଦି ମନ୍ଦିର ସବୁଠାରୁ ପୁରାତନ । ଏଠାର ପର୍ଶୁରାମେଶ୍ବର ମନ୍ଦିର ଓ ୟା'ୟ ସମସାମୟିକ ସ୍ବର୍ଣ୍ଣ ଜଳେଶ୍ୱର ମନ୍ଦିର ସପ୍ତମ ଶତାବ୍ଦୀର ମନୋରମ ସ୍ଥାପତ୍ୟ କିର୍ତ୍ତୀ ଏବଂ ଭୌମକର ଶାସନ ଯୁଗରେ ନିର୍ମିତ ମନ୍ଦିର ମାନଙ୍କ ମଧ୍ୟେ ଶିଶିରେଶ୍ବର , ବୈତାଳ , ମାର୍କଣ୍ଡେଶ୍ୱର ମନ୍ଦିର ମୁଖ୍ଯ । ଏତତ୍ ଛଡ଼ା ସୋମବଂଶୀ ରାଜାଙ୍କ ରାଜତ୍ବ କାଳେ ନିର୍ମିତ ଭୁବନେଶ୍ୱରର ମୁକ୍ତେଶ୍ୱର , ରାଜରାଣୀ ଓ ଲିଙ୍ଗରାଜ ମନ୍ଦିର ଅନ୍ଯତମ । ପରବର୍ତ୍ତୀ ଗଙ୍ଗବଂଶୀ ରାଜତ୍ବ କାଳେ ନିର୍ମିତ ମନ୍ଦିର ସବୁ ହେଲା - ପୁରୀ ଜଗନ୍ନାଥ ମନ୍ଦିର , ଭୁବନେଶ୍ୱରସ୍ଥ ମେଘେଶ୍ୱର ମନ୍ଦିର , ଅନନ୍ତ ବାସୁଦେବ ମନ୍ଦିର , ଭାସ୍କରେଶ୍ବର ମନ୍ଦିର , ସାରି ଦେଉଳ ଏବଂ ସର୍ବୋପରି କୋଣାର୍କ ସୂର୍ଯ୍ଯ ମନ୍ଦିର ଅନ୍ଯତମ । ସୂର୍ଯବଂଶୀ ଗଜପତି ଶାସନ କାଳରେ ଓଡ଼ିଶାର ମନ୍ଦିର ନିର୍ମାଣ ଗତି ଧିର ହୋଇଯାଇଥିଲା । ଏ ସମୟେ ନିର୍ମିତ ଏକମାତ୍ର ଉଲ୍ଲେଖଯୋଗ୍ୟ ମନ୍ଦିର ଭୁବନେଶ୍ୱରର କପିଳେଶ୍ବର ମନ୍ଦିର । ସୂର୍ଯବଂଶୀ ଶାସନ ପତନ ପରେ ୧୫୬୭ ଖ୍ରାଷ୍ଟାବ୍ଦରେ ଓଡ଼ିଶା ଆଫଗାନି ମାନଙ୍କ ଦ୍ୱାରା ଅଧିକୃତ ହେବା ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ପରିସମାପ୍ତି ଘଟିଥିଲା । ଓଡ଼ିଶାର ମନ୍ଦିର ଗୁଡ଼ିକର ବାହ୍ଯପାର୍ଶ୍ବ ବା ତୋରଣ ସବୁରେ ଖୋଦିତ ବିସ୍ମୟକର ଓ ଅତି ମନୋରମପୂର୍ଣ୍ଣ ଭାସ୍କର୍ଯ୍ୟ ଏବଂ ଓଡ଼ିଶାର ମୂର୍ତ୍ତିକଳା ଏକ ବଳବାନ ଐତିହ୍ଯ ସ୍ଥାପନ କରିଛି । 


    ଓଡ଼ିଶାରେ ନିର୍ମିତ ମସଜିଦ ଓ ଦରଘାର ମଧ୍ୟ ଓଡ଼ିଶାର ଐତିହ୍ଯ ପ୍ରତି ଅବଦାନ ରହିଛି ; ଏ ମଧ୍ୟୁ କଟକର ଐତିହ୍ଯର ଅବଦାନ ମହତ୍ତ୍ୱପୂର୍ଣ୍ଣ । କଟକର ଦରଘା ବଜାରରେ ଜୁମ୍ମା ମସଜିଦ ପ୍ରଧାନ । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ଆଗତ ପରେ କଟକ ତିନିକୋଣିଆ ବଗିଚ଼ାରେ ନିର୍ମିତ ବାପଟିଷ୍ଟ ଚର୍ଚ୍ଚ ଏବଂ କାଠଯୋଡି ତଟେ ନିର୍ମିତ ରୋମାନ କ୍ଯାଥେଲିକ୍‌ ଚର୍ଚ୍ଚର ବି ଓଡ଼ିଶାର ଐତିହ୍ଯ ପ୍ରତି ଅବଦାନ ଅଛି । ଏମାନଙ୍କ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଓଡ଼ିଶାର ଐତିହ୍ୟ ପାଇଁ ଅଧିକ ମୂଲ୍ୟଯୁକ୍ତ । ଧର୍ମପୀଠ ଛଡ଼ା ଓଡ଼ିଶାର ପୁରାତନ ସ୍ଥାପତ୍ୟ କଳାର ନିଦର୍ଶନ କିଛି ଦୂର୍ଗରେ ବି ଦୃଶ୍ୟମାନ । ବାରବାଟୀ ଦୂର୍ଗ , ବାଙ୍କଡ଼ା ଦୂର୍ଗ , ଖୋର୍ଦ୍ଧାଗଡ଼ , ସାରଙ୍ଗଗଡ଼ , ରାଇବଣିଆ ଦୂର୍ଗ , ଅସୁରଗଡ଼ ଆଦି ପ୍ରମୁଖ ଭାସ୍କର୍ଯ୍ୟର ଭଣ୍ଡାର । ସେଥିଲାଗି ତ ରୁଢ଼ିଟିଏ ଅଛି :- "ମନ୍ଦିର ମାଳିନୀ ଓଡ଼ିଶା" । ଓଡ଼ିଶା ହେଉଛି ମନ୍ଦିର ମାନଙ୍କର ଅମାର । 


        ପ୍ରାଗୈତିହାସିକ ଯୁଗରୁ ପ୍ରଚ଼ଳିତ ଚ଼ିତ୍ରକଳା ଓଡ଼ିଶା ଐତିହ୍ଯର ବୈଶିଷ୍ଟ୍ୟତା । ଭାରତ ଦେଶରେ ବହୁ ସ୍ଥାନରେ ପୁରାତନ ଚ଼ିତ୍ରକଳା ଆବିଷ୍କୃତ । କଳାହାଣ୍ଡିର ଗୁଡ଼ହାଣ୍ଡି , ନୂଆପଡ଼ାର ଯୋଗୀମଠ , ଝାରସୁଗୁଡ଼ାର ବିକ୍ରମଖୋଲ , ସୁନ୍ଦରଗଡ଼ର ମାଣିକମୋଡ଼ା ଓ ଉଷାକୋଠି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଖ୍ରୀଷ୍ଟୀୟ ଚ଼ତୁର୍ଥ - ପଞ୍ଚମ ଶତାବ୍ଦୀର କେନ୍ଦୁଝରର ସୀତାବାଞ୍ଜି ଠାରେ ରାବଣଛାୟା ପାହାଡ଼ରେ ଏଯାଏଁ ବିଦ୍ଯମାନ ଚ଼ିତ୍ରକଳା ଓଡ଼ିଶାର ଐତିହାସିକ ଯୁଗର ପ୍ରଥମ ଚ଼ିତ୍ରକଳା ଅନ୍ଯତମ ଅଟେ । ଖ୍ରୀଷ୍ଟୀୟ ଦ୍ବାଦଶରୁ ଷୋଡ଼ଶ ଶତାବ୍ଦୀ ମଧ୍ୟେ ପୁରୀ ଜଗନ୍ନାଥ ମନ୍ଦିର କାନ୍ଥରେ ବୈଷ୍ଣବ ସନ୍ନ୍ଯାସୀ ରାମାନୁଜଙ୍କର ଓଡ଼ିଶାରେ ବୌଦ୍ଧ ମାନଙ୍କ ଉପରେ ବିଜୟ ଏବଂ ରାଜା ପୁରୁଷୋତ୍ତମଙ୍କ କାଞ୍ଚି ବିଜୟ ଚ଼ିତ୍ରକଳା ଯଥାକ୍ରମେ ବୁଦ୍ଧ ବିଜୟ ଓ କାଞ୍ଚି ବିଜୟ ଚ଼ିତ୍ରକଳା ଓଡ଼ିଶାର ଚ଼ିତ୍ରକଳାର ଐତିହ୍ଯରେ ଏକ ବିଶିଷ୍ଟତା ଅଟେ । ମଧ୍ୟଯୁଗର ଶେଷ ଭାଗରେ ଓଡ଼ିଶାର ଅନେକ ମଠ ଓ ମନ୍ଦିର କାନ୍ଥରେ ଚ଼ିତ୍ରକାର ମାନଙ୍କ ଦ୍ୱାରା ପୌରାଣିକ ଓ ଧାର୍ମିକ ବିଷୟବସ୍ତୁ ସବୁ ଅଙ୍କିତ ହୋଇଥିଲା । ଓଡ଼ିଶା ଚ଼ିତ୍ରକଳାର ସ୍ବତନ୍ତ୍ରତାର ପରିଚ଼ୟ ଦିଏ ପଟ୍ଟଚିତ୍ର । କନାରୁ ପ୍ରସ୍ତୁତ ପଟ୍ଟ ଉପରେ ଚ଼ିତ୍ରକାର ମାନେ ବିଭିନ୍ନ ଦେବଦେବୀ , ରାମାୟଣ-ମହାଭାରତ-ଗୀତାର କଥବସ୍ତୁ ରୂପରେ ଆଧାରିତ ଘଟଣାବଳୀକୁ ଭିନ୍ନ ଭିନ୍ନ ରଙ୍ଗରେ ଚ଼ିତ୍ରିତ କରି ଅତି ଚମତ୍କାର ଚ଼ିତ୍ରକଳା ସୃଷ୍ଟି କରିଛନ୍ତି । ଦ୍ବାଦଶ ଶତାବ୍ଦୀରୁ ବଂଶାନୁକ୍ରମିକ ଭାବେ ଏ ପଟ୍ଟଚିତ୍ରର ପରମ୍ପରା ବଜାୟ ଅଛି । 


     ଓଡ଼ିଆ ମାନେ ଯୁଗେ ଯୁଗେ ଧର୍ମବିଶ୍ବାସୀ ; ବହୁ ପୁରାତନ କାଳରୁ ଓଡ଼ିଶାରେ ମଠ ଓ ମନ୍ଦିର ପ୍ରଭୃତି ସଂସ୍କୃତିର ଅଭ୍ଯୁଦୟ ହୋଇଥିଲା । କିଛି ପ୍ରକୃତିର ତାଣ୍ଡବ ଲୀଳାରେ ତ କିଛି ମନୁଷ୍ଯକୃତ ଭାବେ କରାଳ ଗର୍ଭରେ ବିଲୀନ ପ୍ରାୟ ; ତଥାପି ଓଡ଼ିଆ ପ୍ରାଣ ସେ ସବୁ ସ୍ମୃତିକୁ ପୁରୁଷ ପୁରୁଷ ଧରି ବଞ୍ଚାଇ ରଖିଛନ୍ତି । ପ୍ରାଚ଼ୀନଦୀ ବହୁ ପୁରାତନ କାଳର ବୋଲି କିମ୍ବଦନ୍ତୀ କହେ । କିମ୍ବଦନ୍ତୀ ଅନୁସାରେ ଆଧୁନିକ ନରାଜ ଗ୍ରାମରେ ପ୍ରାଚ଼ୀନଦୀର ଉତ୍ପତ୍ତି ହୋଇଥିଲା । ପାଣ୍ଡବ ମାନଙ୍କ ଅଜ୍ଞାତବାସ କାଳରେ ଏକତା ପୁଣ୍ଯତୋୟା ମହାନଦୀ ତଟରେ ପାଣ୍ଡବ ମାନେ ଗମନ ବେଳେ ସେଠି ସ୍ବୟଂଭୁ ମହାଦେବ ସିଦ୍ଧେଶ୍ୱରଙ୍କୁ ଦର୍ଶନ କରି ଠାକୁରଙ୍କ ଅଭିଷେକାର୍ଥେ ମନ ବଳାଇଥିଲେ । ଏଥିପାଇଁ ପୂର୍ବାଭିମୁଖୀ ନଦୀର ଜଳ ଆବଶ୍ଯକ ହେବାରୁ ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ଅର୍ଜୁନ ତୀର ପ୍ରହାର କରନ୍ତେ , ସେଠାରୁ ଏକ ଜଳ ଉତ୍ସ ବାହାରି ପୂର୍ବଦିଗରେ ଅଗ୍ରସର ହେଲା ଏବଂ ଏହାକୁ ପ୍ରାଚ଼ୀନଦୀ ଭାବରେ ଯୁଧିଷ୍ଠିର ହିଁ ନାମିତ କରିଥିଲେ ; କାରଣ , ଏହା ପୂର୍ବାଭିମୁଖୀ ଥିଲା । ବହୁଦିନ ଧରି ଏ ନଦୀ ବହି ଚ଼ାଲିଲା ପରେ କୌଣସି ପ୍ରାକୃତିକ କାରଣରୁ ମୂଳ ଉତ୍ସରୁ ଅଲଗା ହୋଇଯାଇଥିଲା ; ଯା'ର ଖଣ୍ଡ ବିଖଣ୍ଡିତାଂଶ ଏବେ ବି ଦୃଶ୍ୟମାନ । ଏ ନଦୀ ଓଡ଼ିଶାର ସଂସ୍କୃତି  , ଐତିହ୍ଯ , ନୌବାଣିଜ୍ୟ ଆଦିରେ ମୁଖ୍ଯ ଭୂମିକା ନେଇଛି ; ଯାହା କେବଳ ଜନଶ୍ରୁତିରେ ରହି ଯାଇଛି । ଏ ଜନଶ୍ରୁତିର ଅଡୁଆ ସୂତାରୁ ଖିଏ ବାରଙ୍ଗର ଉଦାସୀ ମଠ ; ଯାହା ବଣଜଙ୍ଗଲ ଆବୃତ ବାରଙ୍ଗଞ୍ଚଳର ଏକ ନିର୍ଭୃତ କୋଣରେ ସ୍ଥିତ । ଏବେ ଏହା ପ୍ରାୟ ବିଲୁପ୍ତ ; ଏହାର ଅବସ୍ଥିତି ଜାଣିବା ଜଟିଳକର । ଦୂରରୁ ଏ ସ୍ଥାନଟି ଜଙ୍ଗଲ ପରି ଲାଗେ ; ଗୋଟେ ପାଖେ ପୁରୀ ମୁଖ୍ଯ କେନାଲ ଓ ଅନ୍ଯ ପାଖେ ପୂର୍ବତଟ ରେଳପଥ ଏହାର କଳେବରକୁ ସଙ୍କୁଚିତ କରିଦେଇଛି । ଏକ ପୁରୁଣା ବଗିଚ଼ା , କିଛି ସମାଧି ମଠର ସାମାନ୍ୟ ସଙ୍କେତ ପ୍ରଦାନେ । ପୂର୍ବରୁ ଦୁଇ-ତିନି ପରିବାର ଏହିଠାରେ ବାସ କରନ୍ତି ଓ ଚ଼ାଷ କରି ଆଉ ମୂଲ ଲାଗି ଗୁଜୁରାଣ ମେଣ୍ଟାନ୍ତି । ତାଙ୍କ କଥାନୁସାରେ ଏଠି ଏକ ମଠ ଥିଲା ଓ ତାଙ୍କର ପୂର୍ବପୁରୁଷ ମଠରେ କାର୍ଯ୍ୟ କରୁଥିଲେ ; ଅନେକ ସମୟରେ ସାଧୁସନ୍ଥ ମାନେ ଏଠି ଆତିଥ୍ୟ ସ୍ବୀକାର କରୁଥିଲେ । ପ୍ରାଚ଼ୀନଦୀର ବିଲୋପ ପରେ ଏଠି ଏକ ବିଶାଳ ଜଳାଶୟ ଥିଲା ଓ ପାର୍ଶ୍ବବର୍ତ୍ତୀ ଚୁଡ଼ଙ୍ଗ ଜଙ୍ଗଲରୁ ଏକ ପାଣିଧାର ଆସି ଏଥିରେ ମିଶୁଥିଲା ; ଏହାର ଜଳ ସ୍ବାଦଯୁକ୍ତ । ଏହା ଧଳାରଙ୍ଗର ହୋଇଥିବାରୁ ଏହାକୁ ଦୁଧିଆ ଧାର କହନ୍ତି ; ଏହା ଏବେ ବି ଅଛି । ଏହି ମଠର ଶେଷ ମହନ୍ତ ଥିଲେ ଉଦାସୀ ବାବା , ସେ ଜଳସ୍ତର ଉପରେ ଉପବେଶନ କରି ତପ କରନ୍ତି । ସେହି ତପ ବେଳେ ସେ ଜଳ ସମାଧି ନେଇଥିବା ଜନଶ୍ରୁତି ମିଳେ । ସବୁକିଛିର ବିଲୟ ହୋଇଥିଲେ ବି ଏକ କ୍ଷୁଦ୍ରାଂଶକୁ ଧରି ସ୍ମୃତିଚ଼ାରଣ କରୁଛନ୍ତି ଲୋକେ । 


      କଳାହାଣ୍ଡି ଜିଲ୍ଲାର ନର୍ଲା ଥାନାଞ୍ଚଳରେ ଥିବା "ଅସୁରଗଡ଼" ନର୍ଲା ଠାରୁ ପାଞ୍ଚ କି.ମି. ହେବ ଓ ରୁପ୍ରା ରୋଡ଼ ଷ୍ଟେସନରୁ ୨ କି.ମି. ହେବ । ଐତିହାସିକ ମାନଙ୍କ ମତରେ ଏଠି ୨୦୦୦ ବର୍ଷ ତଳେ ଏକ ଉନ୍ନତ ଜନବସତି ଥିଲା । ଅସୁରଗଡ଼ରେ ପ୍ରତ୍ନତାତ୍ତ୍ବିକ ଖନନ କରିଥିବା ଐତିହାସିକ ଡ଼କ୍ଟର ନବୀନ କୁମାର ସାହୁ କହନ୍ତି , ଏ ଦୂର୍ଗ ଖ୍ରୀ.ପୂ. ତୃତୀୟରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲା । ଏହା ଆଟବିକ ରାଜ୍ୟର ଏକ ପ୍ରମୁଖ ଅର୍ଥନୈତିକ , ସାଂସ୍କୃତିକ ତଥା ରାଜନୈତିକ କେନ୍ଦ୍ର ଥିଲା । ଖ୍ରୀ.ପୂ. ଚ଼ତୁର୍ଥ ଶତାବ୍ଦୀରେ ଏହା ବ୍ଯାଘ୍ରରାଜାଙ୍କ ରାଜଧାନୀ ଥିଲା ; ଏହାର ନାମ ଥିଲା "ମହାକାନ୍ତର" । ଗୁପ୍ତ ରାଜବଂଶର ସମ୍ରାଟ ସମୁଦ୍ରଗୁପ୍ତ ତାଙ୍କ ଦାକ୍ଷିଣାତ୍ୟ ବିଜୟ ବେଳେ ଏଠାର ରାଜାଙ୍କୁ ପରାସ୍ତ କରି ଅସୁରଗଡ଼ ଅଧିକାର କରିଥିବାର କୁହାଯାଏ । ସ୍ଥାନୀୟ ଲୋକଙ୍କ ମତରେ ଅସୁରରାଜା ଗୋସିଂହ ଅସୁରଗଡ଼ର ପ୍ରତିଷ୍ଠାତା । ସାନ୍ଦୁଲ ନଦୀ ତଟରେ ଏବେ ବି ଏ ଦୂର୍ଗର ଭଗ୍ନାବଶେଷ ଦୃଶ୍ୟମାନ । ଏ ସମୀପେ ସ୍ଥିତ ପ୍ରାୟ ୨୦୦ ଏକର ପରିସୀମାର ଏକ ଜଳାଶୟ । ଐତିହାସିକ ମାନଙ୍କ ମତରେ ଏ ଦୂର୍ଗର ଚ଼ାରିଟି ପ୍ରବେଶ ଦ୍ୱାର ଥିଲା ଏବଂ ପ୍ରତି ଦ୍ୱାରରେ ଜଣେ ଲେଖାଏଁ ଦେବଦେବୀ ଦ୍ବାରପାଳ ଥିଲେ । ପୂର୍ବରେ ଗଙ୍ଗା ଦେବୀ , ପଶ୍ଚିମରେ କଳାପାହାଡ , ଦକ୍ଷିଣରେ ବୈଷ୍ଣବୀ ଓ ଉତ୍ତରରେ ବୁଢ଼ାରାଜା ଦ୍ବାର ରକ୍ଷକ ଥିଲେ । ଏ ଦୂର୍ଗ ପରିସରରେ ଏକ ଗାଁରେ ଏ ଦୂର୍ଗାଧିଷ୍ଠାତ୍ରୀ ଦେବୀ ଡ଼ୋକରି ଦେବୀ ପୂଜାପା'ନ୍ତି । ୧୯୭୩ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଧ୍ଯାପକ ଡ଼କ୍ଟର୍‌ ନବୀନ କୁମାର ସାହୁ ଏ ସ୍ଥାନରେ ପ୍ରତ୍ନତାତ୍ତ୍ବିକ ଖନନ କରି ୨୯ଟି ମୁଦ୍ରା , ତାମ୍ରୋପକରଣ , ଲୌହୋପକରଣ , ମୂଲ୍ୟବାନ ପଥରରେ ଗୁନ୍ଥା ଗୋଟିକା ମାଳି , ମୂଲ୍ୟବାନ ପଥରର ପଦକ , ମାଟିମୂର୍ତ୍ତି ତଥା ମାଟିପାତ୍ରର ଅବଶେଷ ପ୍ରାପ୍ତ କରିଥିଲେ । ଏଠାରୁ ମିଳିଥିଲା ତୃତୀୟ ଶତାବ୍ଦୀର କୁଶାଣ ଶାସନ ବେଳର ତାମ୍ରମୁଦ୍ରା । 


     ଚ଼ିଲିକା ଗର୍ଭରେ ଥିବା କାଳିଜାଇ ମନ୍ଦିର ବି ଏକ ଐତିହ୍ଯ ସ୍ଥଳ ; ଏହାର କାହାଣୀ ଆବାଳ ବନିତା ବୃଦ୍ଧ ସମସ୍ତଙ୍କୁ ଜଣା , ସେଲାଗି ବଖାଣି ପ୍ରବନ୍ଧଟିକୁ ବିସ୍ତୃତ କରିବାକୁ ଚ଼ାହୁଁନି । କାଳିଜାଇ କାହାଣୀ ବହୁ ପୁରାତନ , ପ୍ରସିଦ୍ଧ କଥା ; ଏହାର ସଠିକ ସମୟ ଜଣା ନଥିଲେ ବି ଲୋକମୁଖରେ ବେଶ୍‌ ପରିଚ଼ିତ ଓ ପ୍ରଚ଼ଳିତ । ମଧ୍ୟବିତ୍ତ ପରିବାରର ଝିଅ ଥିଲା ଜାଇ ଯିଏ ପ୍ରକୃତିର ତାଣ୍ଡବ ହେଉ ବା ଈଶ୍ୱରଙ୍କ ଇଚ୍ଛା ହେଉ , ଲୀନ ହୋଇଯାଇଥିଲା ନୀଳାମ୍ବୁ ଚ଼ିଲିକାର ଅଥଳ ଗର୍ଭରେ । ଏ ଦୁଃଖଦ କଥା ବା ଘଟଣା ପୁନରାବୃତ୍ତି ନହେବା ପାଇଁ ସେ ସେଠାରେ ଦେବୀ ରୂପରେ ଅବସ୍ଥାପିତ ହେଲେ । କାଳ କାଳ ଧରି ସେଠାକାର ବାସିନ୍ଦା ତଥା ନାଉରିଆଙ୍କୁ ଏବଂ ଯାତ୍ରୀଗଣଙ୍କୁ ସହାୟ ହୁଅନ୍ତି । ବହୁ ବଡ଼ ବଡ଼ ବିଦ୍ବାନ , ସାହିତ୍ଯିକ , ଦାର୍ଶନିକ , ଅନେକ ଭକ୍ତ ଏଠାକୁ ଦର୍ଶନାର୍ଥେ ଆସନ୍ତି । ମକର ସଂକ୍ରାନ୍ତି ଏଠାରେ ପ୍ରସିଦ୍ଧ ପର୍ବ ; ବଜାର ବସେ ଓ ହଜାର ହଜାର ଜନସମାଗମ ହୁଏ । ଏହି ମନ୍ଦିର ୧୭୧୭ ମସିହାରେ ବାଙ୍କଡ଼(ବର୍ତ୍ତମାନର ବାଣପୁର)ର ରାଜା ଶ୍ରୀ ଜଗନ୍ନାଥ ମାନସିଂହ ନିର୍ମାଣ କରିଥିବାର ଡ଼. ରାଧା ଚ଼ରଣ ପଣ୍ଡା ୧୯୩୦ରେ ରଚ଼ିତ ତାଙ୍କ ବହି "ପାରିକୁଦର ଇତିହାସ"ରେ ଉଲ୍ଲେଖ କରିଛନ୍ତି । ୧୯୯୮ ମସିହା ଅପ୍ରେଲ ମାସ ୧୪ ତାରିଖରେ ଜନ୍ମ ଓ ୧୯୭୪ ମସିହାରେ ମହାପ୍ରୟାଣ ପ୍ରାପ୍ତ କରିଥିଲେ ଡ଼. ରାଧା ଚ଼ରଣ ପଣ୍ଡା ; ସେ ଥିଲେ ଜଣେ ଓଡ଼ିଆ ଡ଼ାକ୍ତର ଓ ଲେଖକ । ସେ ଓଡ଼ିଶାର ଆଞ୍ଚଳିକ ଇତିହାସ , ଜୀବନୀ ସାହିତ୍ଯ ଓ ସ୍ବାସ୍ଥ୍ଯ ସାହିତ୍ଯ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଛନ୍ତି । ତାଙ୍କର ପୈତୃକ ସ୍ଥାନ ଆନ୍ଧ୍ରପ୍ରଦେଶର ସାଲୁର ଓ ଜନ୍ମ ଓଡ଼ିଶାର ବିଛିନ୍ନାଞ୍ଚଳ ଟିକାଲି ; ତାଙ୍କ ପିତା କୃଷ୍ଣଚନ୍ଦ୍ର ପଣ୍ଡା (ସରକାରୀ କଚ଼େରୀ କିରାଣୀ) ଓ ମାତା ଥିଲେ କୁନ୍ଦନମଣି । ତାଙ୍କ ସହଧର୍ମିଣୀ ଥିଲେ ପାରଳା - ଜୟପୁର ବାସିନ୍ଦା କୁର୍ମ ପାତ୍ରଙ୍କ ଜ୍ଯେଷ୍ଠ କନ୍ୟା ଯଶୋଦା ଦେବୀ ; ୧୯୧୪ ମସିହାରେ ବିବାହ କରିଥିଲେ । ଡ଼. ରାଧା ଚ଼ରଣ ପଣ୍ଡାଙ୍କୁ ୧୨ ବର୍ଷ ବୟସରେ ତାଙ୍କ ପିତାଙ୍କ ପରଲୋକ ଗମନ ହୋଇଥିଲା । ଆର୍ଥିକ ଅନଟନ ଯୋଗୁଁ ଶ୍ବଶୁର ଘରେ ରହି ୧୯୧୮ରେ ମାଟ୍ରିକ୍‌ ଶିକ୍ଷାଲାଭ କରିଥିଲେ ଏବଂ ତେଲୁଗୁ ମାଧ୍ଯମରେ ମାଇନର ଶିକ୍ଷା କଲେ । 


      ସେ ୧୯୨୩ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡ଼ିକାଲ ସ୍କୁଲ୍‌ରୁ ଏଲ୍‌.ଏମ୍‌.ପି. ଶିକ୍ଷା କରି କିଛିଦିନ ଅନନ୍ତପୁର ଜିଲ୍ଲାରେ ଡ଼ାକ୍ତର ଚ଼ାକିରୀ କରିଥିଲେ । ପରେ କିଛିଦିନ ପାରଳାଖେମୁଣ୍ଡିରେ କାର୍ଯ୍ୟ କରି ୧୯୨୫ରେ ପୁରୀ ଜିଲ୍ଲା ବୋର୍ଡ ଅଧିନରେ ମେଡ଼ିକାଲ ଅଫିସର ଭାବେ ଯୋଗ ଦେଲେ । ସେ ୧୯୪୫ ମସିହା ଯାଏଁ ପାରିକୁଦ , କାକଟପୁର , ଅସ୍ତରଙ୍ଗ , କଣାସ ଆଦି ସ୍ଥାନ ରେ ଡ଼ାକ୍ତରଖାନା ମାଧ୍ଯମରେ ଜନସେବା କରିଥିଲେ । ୧୯୪୫ରେ ଗାନ୍ଧିଜୀଙ୍କ ବ୍ରିଟିଶ ରାଜତ୍ବ ବିରୋଧୀ ଆନ୍ଦୋଳନରେ ଡ଼ାକ୍ତରୀ ଚ଼ାକିରୀରୁ ଇସ୍ତଫା ଦେଇ ଖୋର୍ଦ୍ଧା ଜିଲ୍ଲାସ୍ଥ ବାଲୁଗାଁରେ ନିଜ ବାସଭବନରେ "ସ୍ବାଧୀନ ଚ଼ିକିତ୍ସାଳୟ" ସ୍ଥାପନ କରିଥିଲେ । ୧୯୩୨ରେ ପତ୍ନୀଙ୍କର ମୃତ୍ୟୁ ପରେ ୧୯୩୪ରେ ମଞ୍ଜୁଷାର ସୋମନାଥ ସାହୁଙ୍କ ଝିଅ ଉମାମଣି ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ପ୍ରଥମ ପୁସ୍ତକ "ସ୍ବାସ୍ଥ୍ୟଶିକ୍ଷା" ୧୯୨୮ ମସିହାରେ ପ୍ରକାଶିତ ହୋଇଥିଲା , ଯାହା ସେବେଳେ ପ୍ରାଇମେରୀ ଠାରୁ ମାଟ୍ରିକ୍‌ ଯାଏଁ ପାଠ୍ଯପୁସ୍ତକ ଭାବେ ଚ଼ଳୁଥିଲା ; ଏପରିକି ୧୯୬୦ ମସିହା ଯାଏଁ ଏ ବହିର ଷାଠିଏତମ ସଂସ୍କରଣ ହୋଇପାରିଥିଲା । ରାଧା ଚ଼ରଣ ପଣ୍ଡା ବି ଗୋପାଳଚ଼ନ୍ଦ୍ର ପ୍ରହରାଜଙ୍କୁ "ପୂର୍ଣ୍ଣଚ଼ନ୍ଦ୍ର ଓଡ଼ିଆ ଭାଷାକୋଷ" ପାଇଁ ଶବ୍ଦ ସଂଗ୍ରହରେ ବହୁ ସହାୟତା ଦେଇଥିଲେ । ତାଙ୍କର ଲେଖକୀୟ ଛଦ୍ମନାମ ଥିଲା "ନାଡ଼ିଚ଼ିପା" । ସେ ଲେଖିଥିବା ବହି ମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ପାଇଥିବା ବହି - " ପାରିକୁଦର ଇତିହାସ , ଚ଼ିଲିକା(୧୯୭୭) , ବାଣପୁର , ପ୍ରାଚ଼ୀନଦୀର ଐତିହାସିକ ବିଭବ(୧୯୬୯) , ଉତ୍କଳର କୁଟୀରଶିଳ୍ପ , ଉତ୍କଳର ଶିଳ୍ପ ଚ଼ାତୁରୀ , ଉତ୍କଳର ପଲ୍ଲୀ ପ୍ରସଙ୍ଗ , ରାଜକବି ବିକ୍ରମଦେବ ବର୍ମା , ମହାପୁରୁଷ ପିଟର , ଡ଼ାକ୍ତର ଲିଭିଂଷ୍ଟୋନ , ନାରୀକବି ଅନ୍ନପୂର୍ଣ୍ଣା , ଦାନବୀର କ୍ଷେତ୍ରବାସୀ ରାଉତରାୟ , ଗଣସେବକ ଡ଼ାକ୍ତର ଗୋଦାବରୀଶ , ଗୋପାଳଚ଼ନ୍ଦ୍ର ପ୍ରହରାଜ ବ୍ଯକ୍ତି ଓ ବ୍ଯକ୍ତିତ୍ବ ଅନ୍ଯତମ ଅଟେ । "ପାରିକୁଦର ଇତିହାସ" ପାଇଁ ସେ ବେଶ୍‌ ପ୍ରଶଂସିତ । 


      ଚ଼ିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ବୀପ "ପାରିକୁଦ" ଯାହା କୃଷ୍ଣପ୍ରସାଦ ପଞ୍ଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ବରେ ଚ଼ିଲିକା ହ୍ରଦ ଓ ବଙ୍ଗୋପସାଗର ଓ ପୂର୍ବ ପ୍ରାନ୍ତରେ ଚ଼ିଲିକା କୂଳରେ ଜହ୍ନିକୁଦା ଗ୍ରାମ ଅଛି । ଭସାପୋଲରେ ଜହ୍ନିକୁଦାରୁ ଜନଗଣ ପୁରୀ ଓ ସାତପଡ଼ା ଯାତାୟତ କରନ୍ତି ; ଏଠାର ଅଧିବାସୀ ମୁଖ୍ଯତଃ ମତ୍ସ୍ଯଜୀବୀ ଓ ଚ଼ାଷୀ । ପାରିକୁଦର ଏକ ପ୍ରମୁଖ ବଜାର ମାଲୁଦ , ଜାତୀୟ ରାଜପଥ ୫ରୁ ୨୩କି.ମି ଦୂରରେ ଅଛି ଏବଂ ଆଉ ଦୁଇଟି ପ୍ରମୁଖ ବଜାର କୃଷ୍ଣପ୍ରସାଦ ବଜାର ଓ ଚ଼ାରିଛକ ବଜାର ବି ରହିଛି । "ପାରିକୁଦ" ବ୍ରହ୍ମଗିରି ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଓ ୧୯୭୪ ପୂର୍ବରୁ ଏହା ବଙ୍କଡ(ବାଣପୁର) ରାଜାଙ୍କ ଅଧିନରେ ଥିଲା ; ବଙ୍କଡ଼ ସର୍ବଦା ଇଂରେଜ ମାନଙ୍କ ଆକ୍ରମଣର ଶିକାର ହେଉଥିବାରୁ , ରାଜା ଶ୍ରୀ ହରିସେବକ ମାନସିଂହ ପ୍ରଥମେ ପାରିକୁଦ ଆସି ନୃସିଂହଗଡ଼(ଗୁରୁବାଇ) ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଶେଷରେ ରାଜା ଭାଗିରଥି ମାନସିଂହ ନିଜ ରାଜଧାନୀକୁ କୃଷ୍ଣପ୍ରସାଦ ସ୍ଥାନାନ୍ତରିତ କରିଥିଲେ ଏବଂ ଏଠାରେ ରାଜପ୍ରାସାଦ ନିର୍ମାଣ କରିଥିଲେ ୧୯୭୮ ମସିହାରେ । ଚ଼ତୁଃପାର୍ଶ୍ବ ଚ଼ିଲିକାବୃତ ହେତୁ ବହୁବର୍ଷ ଯାଏଁ ଇଂରେଜଙ୍କ କବଳରୁ ରକ୍ଷା ପାଇ ପାରିଥିଲା । ଲୋକକଥା ଅନୁସାରେ ଏକ ଦୁଧବିକାଳି ବଗ ଦ୍ବାରା ବଡ଼ ଶାଗୁଣା ମର୍ବା କଥା ରାଜାଙ୍କୁ ଜଣାଇବାରୁ ରାଜା ପ୍ରଭାବିତ ହୋଇ ଏଠି ନିଜ ରାଜଧାନୀ ବସାଇଥିଲେ । ପାରିକୁଦର ରାଜା ବ୍ରାହ୍ମଣ ମାନଙ୍କୁ ଦାନ କରିଥିବା ଏକ ଗ୍ରାମ (ଶାସନ)ର ବର୍ତ୍ତମାନ ନାମ ଭାଗିରଥିପୁର ଶାସନ । ୧୮୦୩ରେ ଇଂରେଜଙ୍କ ଓଡ଼ିଶା ଆକ୍ରମଣ କାଳେ ମାଲୁଦର ଫତେ ମହମ୍ମଦ ନାମକ ଜଣେ ଡ଼ଙ୍ଗା ବାହକ କନ୍ଦାଖାଇ ଠାରେ ଇଂରେଜ ମାନଙ୍କୁ ପୁରୀ ଯିବାର ରାସ୍ତା ଦେଖାଇ ଥିଲା ; ଏହାର ପ୍ରତିବଦଳେ ଇଂରେଜ ସରକାର ପାରିକୁଦ ଓ ମାଲୁଦଞ୍ଚଳର ବୁ ଜମି ପ୍ରଦାନ କରିଥିଲେ । 


    କାଳିଜାଇ ମନ୍ଦିରଟି ୨୯ ଏକର ପାହାଡ଼ ପୂର୍ଣ୍ଣ ଦ୍ବୀପରେ ସ୍ଥିତ । ଇତିହାସର ପୃଷ୍ଠା ମଣ୍ଡନ କରିଥିବା ଏ ମନ୍ଦିର ଓ ପାରିକୁଦର ରୋଚ଼କ ତଥ୍ୟ ଆମ ଐତିହ୍ୟକୁ ବଞ୍ଚାଇ ରଖିଛି ଏବଂ ଆଜି ବି ଚ଼ିର ଜୀବିତ ରହିଛନ୍ତି ତାଙ୍କର ପୁସ୍ତକ ସମୂହ ଜରିଆରେ ଡ଼. ରାଧା ଚ଼ରଣ ପଣ୍ଡା ମହୋଦୟ । ସତରେ ଉତ୍କର୍ଷ କଳାର ରାଜ୍ଯ ଓଡ଼ିଶା । ଆଉ ଏକ ସ୍ଥାନ ବୌଦ୍ଧ ଯାହା କନ୍ଧମାଳରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ଯତା ପ୍ରାପ୍ତ କରିଛି ; ଏହା ଗୌତମ ବୁଦ୍ଧଙ୍କ ନାମରେ ନାମିତ । ବହୁ ଛୋଟ ହେଲେ ବି ଐତିହ୍ଯ ସମ୍ପନ୍ନ । ଏଠାରେ ତିନୋଟି ଉଚ୍ଚ ବୌଦ୍ଧମୂର୍ତ୍ତି ସହ ବାଲିପଥରରେ ନିର୍ମିତ ଅନେକ ଗନ୍ଧର୍ବ ମୂର୍ତ୍ତି ରହିଛି ; ଏ ସହର ଭିତରେ ଏକ ବିରାଟ ବୌଦ୍ଧମୂର୍ତ୍ତି ଓ ଆଉ ଦୁଇଟି ଶ୍ଯାମସୁନ୍ଦର ପୁର ଓ ପ୍ରଗଲ ପୁରରେ ଅଛି । ଐତିହାସିକ ମାନଙ୍କ ମତରେ ଏଠାରେ ଥିବା ରାମେଶ୍ୱର ବା ରାମନାଥ ମନ୍ଦିର ନବମ ଶତାବ୍ଦୀରେ ତିଆରି । ଜଣେ ଉଦାର ଓ ଦାନଶୀଳ ରାଜା ଯୋଗେନ୍ଦ୍ର ଦେବ ତାଙ୍କ ଶାସନ କାଳ ସମୟରେ ଏଠାରେ ଯୋଗୀନ୍ଦ୍ର ଭିଲ୍ଲା ପ୍ଯାଲେସ୍‌ ତିଆରି କରିଥିଲେ ଯାହା ବେଶ୍‌ ଆକର୍ଷଣୀୟ ; ଏହାକୁ ଲୋକମାନେ କହନ୍ତି "ରାଜବାଟୀ" । ଏଠାରେ ପୂରା ମହାନଦୀ ଦୃଶ୍ୟ ହୁଏ ଏବଂ ନବମ ଶତାବ୍ଦୀରେ ଖିଞ୍ଜଳି ମଣ୍ଡଳର ରାଜାମାନେ ଏଠାରେ ନୀଳମାଧବ ଓ ସିଦ୍ଧେଶ୍ୱର ମନ୍ଦିର ନିର୍ମାଣ କରିଛନ୍ତି ଯାହା ବୌଦ୍ଧ ସହରଠୁ ୧୬କି.ମି. ଦୂରବର୍ତ୍ତୀ ସ୍ଥାନରେ ରହିଛି । ଏହା ଐତିହାସିକ ମାନଙ୍କ ମତ ଅଟେ ଓ ଏହି ଦୁଇଟି ମନ୍ଦିର ଏକା ପରି ଦେଖିବାକୁ ; ସିଦ୍ଧେଶ୍ୱର ମନ୍ଦିର ଶିଖର ଶିବଲିଙ୍ଗାକୃତି ଥିବା ବେଳେ ନୀଳମାଧବ ମନ୍ଦିରର ଶିଖର ନୀଳ କ୍ଲୋରାଇଟ୍‌ରେ ନିର୍ମିତ ଚ଼କ୍ରାକୃତିର । ଏ ଥିଲା କଳା ଓ ସ୍ଥାପତ୍ୟର କଥା ; ଭାଷା ସାହିତ୍ଯର କଥା ସମ୍ଯକ ଆଲୋଚ଼ନା କରିବା ଏବେ । 


      ଭାରତୀୟ ଉପମହାଦେଶରେ ଆଦ୍ୟ ବିକଶିତ ଭାଷା ମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଭାଷା ଅନ୍ଯତମ । ଅର୍ଦ୍ଧ-ମାଗଧି ଓ ସୌରଶେଣୀ ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଆର୍ଯ୍ଯ ଭାଷାଭାଷୀ ଲୋକମାନଙ୍କ ଇଣ୍ଡୋ-ଆରିୟାନ କିପରି ଦାନ ବା ପ୍ରାକୃତ ଭାଷା ଦ୍ବାରା ପ୍ରଭାବିତ ହୋଇ ଏ ଭାଷା ମାଗଧି-ପ୍ରାକୃତ ଭାଷାରୁ ଉତ୍ପତ୍ତି ଏବଂ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ଏକ ଆଧୁନିକ ଇଣ୍ଡୋ-ଆରିୟାନ ଭାଷା ପ୍ରଚ଼ଳିତ ହୋଇଥିଲା । ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଭୁବନେଶ୍ୱର ଉଦୟଗିରି ପାଲି-ପ୍ରାକୃତ ଭାଷାରେ ଲିଖିତ ହାତୀଗୁମ୍ପା ଶିଳାଲେଖରୁ ଓଡ଼ିଶାର ପ୍ରଥମ ସ୍ବଦେଶୀ ସାହିତ୍ଯ ଭାବେ ଗ୍ରହଣ ହୋଇପାରେ । ଏହି ଶିଳାଲେଖର ଆଧୁନିକ ଓଡ଼ିଆ ଭାଷା ସହ ଅନେକ ପରିମାଣରେ ସାମଞ୍ଜସ୍ୟ ଥିବାର ଜଣାଯାଏ । ଖ୍ରୀଷ୍ଟୀୟ ସପ୍ତମରୁ ନବମ ଶତାବ୍ଦୀ ମଧ୍ୟେ ରଚ଼ିତ ବୌଦ୍ଧ ଚ଼ର୍ଯ୍ଯାପଦ ଓ ଦୋହା ପ୍ରାଚ଼ୀନ ଓଡ଼ିଆ ସାହିତ୍ଯର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନମୂନା ଭାବେ ପରିଗଣିତ ହୁଏ । ଖ୍ରୀଷ୍ଟୀୟ ତ୍ରୟୋଦଶ - ଚ଼ତୁର୍ଦ୍ଦଶ ଶତାବ୍ଦୀରେ ଚ଼ଉତିଶା କବିତା ରଚ଼ିତ ହୋଇଥିଲା । ବତ୍ସା ଦାସଙ୍କ "କଳସ ଚଉତିଶା" ଖାଣ୍ଟି ଓଡ଼ିଆ ଶୈଳୀରେ ରଚ଼ିତ ଗୀତି କବିତାର ଏକ ଉଲ୍ଲେଖନୀୟ ନମୂନା । ଅବଧୂତ ନାରାୟଣ ସ୍ବାମୀଙ୍କ ରଚ଼ିତ "ରୁଦ୍ର ସୁଧାନିଧି" ଓଡ଼ିଆ ସାହିତ୍ଯର କାବ୍ଯ ଛନ୍ଦରେ ଲିଖିତ ଗଦ୍ଯ ସାହିତ୍ଯର ସର୍ବ ଉତ୍କୃଷ୍ଟ ଉଦାହରଣ । ଏହା ସେ ସମୟରେ ଏକ ଅପ୍ରତିଦ୍ୱନ୍ଦୀ ଗଦ୍ଯ ସାହିତ୍ଯ ଥିଲା । ଚ଼ତୁର୍ଦ୍ଦଶ - ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ରଚ଼ିତ "ମହାଭାରତ" ଓଡ଼ିଶା ପୌରାଣିକ କାବ୍ଯ ଜଗତର ଏକ ଅମୂଲ୍ୟ କୃତି । ତାଙ୍କ ଦ୍ବାରା ରଚି଼ତ "ବିଲଙ୍କା ରାମାୟଣ" ବି ଅନନ୍ୟ । ସେ ବି ଲେଖିଛନ୍ତି "ଦେବୀ ଦୁର୍ଗାଙ୍କ ସ୍ତୁତି" ଓ "ଚ଼ଣ୍ଡୀ ପୁରାଣ" । ଚ଼ତୁର୍ଦ୍ଦଶ ଶତାବ୍ଦୀର ଏକ ପ୍ରଖ୍ଯାତ ସାଂସ୍କୃତିକ ଗାଥା କବିତା ମାର୍କଣ୍ଡ ଦାସଙ୍କ "କେଶବ କୋଇଲି" ଏବେ ବି ଜନପ୍ରିୟ । ଅର୍ଜୁନ ଦାସଙ୍କ ପ୍ରାସଙ୍ଗିକ କବିତା "ରାମ ବିଭା" ଓଡ଼ିଆ ସାହିତ୍ଯରେ କାବ୍ଯ ରଚ଼ନାର ଆରମ୍ଭ । ଦୁଇ ଶତାବ୍ଦୀ ପରେ ଓଡ଼ିଶାରେ ବହୁସଂଖ୍ୟାରେ କାବ୍ଯ ରଚ଼ିତ ହୋଇ ଓଡ଼ିଆ ସାହିତ୍ଯରେ କାବ୍ଯ ଯୁଗର ସୃଷ୍ଟି ହୋଇଛି । ମଧ୍ଯଯୁଗର ଷୋଡ଼ଶ ଶତାବ୍ଦୀ ଆରମ୍ଭରେ ପଞ୍ଚାସଖା ଭାବେ ପରିଚ଼ିତ ବଳରାମ ଦାସ , ଜଗନ୍ନାଥ ଦାସ , ଅନନ୍ତ ଦାସ , ଯଶୋବନ୍ତ ଦାସ , ଅଚ୍ୟୁତାନନ୍ଦ ଦାସ ବହୁସଂଖ୍ୟାରେ ଧର୍ମ ସାହିତ୍ଯ ମାନ ରଚ଼ନା କରି ଯାଇଛନ୍ତି । 


     ବଳରାମ ଦାସଙ୍କ ରଚ଼ିତ "ଓଡ଼ିଆ ରାମାୟଣ" ଓ ଜଗନ୍ନାଥ ଦାସଙ୍କ ରଚ଼ିତ "ଭାଗବତ" ଓଡ଼ିଶାରେ ବହୁଳ ଆଦୃତ ଓ ସମ୍ମାନୀତ । ସପ୍ତଦଶ ଶତାବ୍ଦୀରେ ପ୍ରଥମ ଭାଗରେ କାବ୍ଯ ଯୁଗର ଆରମ୍ଭ ଓ ଆଳଙ୍କରିକ କବିତା ରଚ଼ନା ହେଲା । ଏହି ଆଳଙ୍କରିକ କବିତା ଉପରେ ସଂସ୍କୃତ କବି ଜୟଦେବଙ୍କ ରଚ଼ିତ "ଗୀତଗୋବିନ୍ଦ"ର ବହୁ ପ୍ରଭାବ ପଡ଼ିଥିଲା । ଏ ସମୟେ ତିନିଜଣ ଉଲ୍ଲେଖନୀୟ କାବ୍ଯିକ ପ୍ରତିଭା ଥିଲେ ଦୀନକୃଷ୍ଣ ଦାସ , ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ଯୁ ସାମନ୍ତସିଂହାର । ଦୀନକୃଷ୍ଣଙ୍କ ରଚ଼ିତ "ରସକଲ୍ଲୋଳ" ବେଶ୍‌ ଆଦୃତ ଓ ଲୋକପ୍ରିୟ ହୋଇଥିଲା । ଉପେନ୍ଦ୍ର ଭଞ୍ଜ "ଲାବଣ୍ୟବତୀ , ବୈଦେହୀଶ ବିଳାସ ଓ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ" ରଚ଼ନା କରି କବିତା ଶୈଳୀକୁ ଶୀର୍ଷରେ ପହଞ୍ଚାଇ ଥିଲେ । ଅଭିମନ୍ୟୁ ସାମନ୍ତସିଂହାରଙ୍କ ସର୍ବୋତ୍ତମ ରଚନା ହେଉଛି "ବିଦଗ୍ଧ ଚ଼ିନ୍ତାମଣି" ; ସେ ଓଡ଼ିଆ ବୈଷ୍ଣବ କବିତାକୁ ଆଳଙ୍କରିକତା ପ୍ରଦାନ କରିଥିଲେ । ତା'ପରେ ରଚନା ହେଲା ଭକ୍ତ ଚ଼ରଣ ଦାସଙ୍କ ଦ୍ବାରା "ମନବୋଧ ଚ଼ଉତିଶା" , "ମଥୁରା ମଙ୍ଗଳ" ଏବଂ ବଳଦେବ ରଥଙ୍କ ଦ୍ୱାରା "କିଶୋର ଚ଼ନ୍ଦ୍ରାନନ ଚ଼ମ୍ପୂ" ; ଯାହା ପ୍ରସିଦ୍ଧିଲାଭ କରିଛି । ମଧ୍ୟଯୁଗର ଶେଷଭାଗରେ ରଚନା କରାଗଲା ଭୀମ ଭୋଇଙ୍କ ଦ୍ବାରା "ସ୍ତୁତି ଚ଼ିନ୍ତାମଣି" , ଯାହାର ଭଜନ ଏବେ ବି ଆଦୃତ ଏବଂ ଅରକ୍ଷିତ ଦାସଙ୍କ ରଚ଼ିତ "ମହୀମଣ୍ଡଳ ଗୀତା" ଏକ ଜନପ୍ରିୟ ଗ୍ରନ୍ଥ । ଏ ଯୁଗର ଓଡ଼ିଆ ସାହିତ୍ଯର ଅନ୍ଯ ଏକ ବିଶିଷ୍ଟ କୃତି ହେଲା ବ୍ରଜନାଥ ବଡ଼ଜେନାଙ୍କ ରଚ଼ିତ "ସମର ତରଙ୍ଗ" ; ଯାହା ଶୌର୍ଯ୍ୟ ଓ ବୀରତ୍ୱ ର କବିତା ଭାବେ ଏକ ସ୍ବତନ୍ତ୍ର ସ୍ଥାନରେ ସ୍ଥାନିତ । 


    ଆଧୁନିକ ଓଡ଼ିଆ ସାହିତ୍ଯର ତ୍ରିରଥୀ ଥିଲେ ଫକୀରମୋହନ ସେନାପତି , ରାଧାନାଥ ରାୟ ଓ ମଧୁସୁଦନ ରାଓ ; ଏମାନେ ସାଧାରଣ ମଣିଷ , ପ୍ରକୃତି ଓ ଈଶ୍ୱରଙ୍କୁ ତାଙ୍କ ସାହିତ୍ୟର ବିଷୟବସ୍ତୁର ପ୍ରାଧାନ୍ୟତା ଦେଇଥିଲେ । ଫକୀରମୋହନଙ୍କର "ଛ' ମାଣ ଆଠଗୁଣ୍ଠ , ମାମୁଁ ଓ ଲଚ୍ଛମା" ପ୍ରସିଦ୍ଧିଲାଭ କରିଥିବା କୃତି । ପ୍ରକୃତିର ସୌନ୍ଦର୍ଯ୍ୟକୁ ଲୋକଲୋଚନାଭିମୁଖୀ କରାଇବାରେ ଓଡ଼ିଆ ସାହିତ୍ଯର ପ୍ରଥମ କବି ରାଧାନାଥ ରାୟଙ୍କ ସର୍ବଶ୍ରେଷ୍ଠ କୀର୍ତ୍ତି "ଚ଼ିଲିକା କାବ୍ଯ" । ମଧୁସୁଦନ ରାଓ ସନେଟ୍‌ ଲେଖିଥିଲେ ସେକ୍ସ୍‌ପିଅର , ମିଲ୍‌ଟନଙ୍କ ଶୈଳୀର ଅନୁକରଣରେ । ତାଙ୍କ ଦ୍ବାରା ରଚି଼ତ "ବସନ୍ତ ଗାଥା" ଏକ ସନେଟ୍‌ ଓ "କୁସୁମାଞ୍ଜଳୀ" ଭକ୍ତିଗୀତର ଏକ ସମାରୋହ । ସନେଟ୍‌ ଓ ଗୀତିକବିତା ମାଧ୍ଯମରେ ପ୍ରାକୃତିକ ଦୃଶ୍ଯ ଓ ମନୁଷ୍ୟର ଭାବାବେଗକୁ ବର୍ଣ୍ଣନା କରିଥିବା ଆଉ ଜଣେ ଯଶସ୍ବୀ କବି ହେଉଛନ୍ତି ଗଙ୍ଗାଧର ମେହେର ; "ପ୍ରଣୟ ବଲ୍ଲରୀ , ତପସ୍ବିନୀ , କୀଚ଼କ ବଧ" ଆଦି ତାଙ୍କ ର ସର୍ବୋତ୍କୃଷ୍ଟ କୃତି । ଆଉ ଜଣେ ହେଲେ ନନ୍ଦକିଶୋର ବଳ , ଯାହାର ଗ୍ରାମ୍ଯ ଜୀବନ ଭିତ୍ତିକ "ପଲ୍ଲୀଚ଼ିତ୍ର" ଓ "ନିର୍ଝରିଣୀ" କବିତା ଆଉ ଏକ "କନକଲତା" ଉପନ୍ଯାସ ସହିତ "ନାନାବାୟା ଗୀତ" ପ୍ରଭୃତି କୃତି ଓଡ଼ିଆ ସାହିତ୍ଯରେ ନବନୀତା ଆଣିଛି । ପ୍ରାଚ଼ୀନ କାଳରୁ ଓଡ଼ିଆ ସାହିତ୍ଯରେ ସମୃଦ୍ଧି ହୋଇ ଆସିଛି ଓଡ଼ିଶା । 


    ଓଡ଼ିଶାର ଐତିହ୍ଯ ପ୍ରତି ଗୀତ , ନୃତ୍ୟ ଓ ବାଦ୍ଯର ବିଶେଷ ଅବଦାନ ରହିଛି । ଓଡ଼ିଶାର ପ୍ରାଚ଼ୀନ ମନ୍ଦି ଗାତ୍ରେ ଖୋଦିତ ଗାୟନ , ବାଦନ ଓ ନର୍ତ୍ତକୀ ମାନଙ୍କ ଚ଼ିତ୍ରରୁ ଏ ସାହିତ୍ଯ ସମ୍ପନ୍ନ କଳାର ପରିଚ଼ୟ ପ୍ରାପ୍ତ ହୁଏ । ଓଡ଼ିଶାର ଗ୍ରାମ୍ୟ ସଂସ୍କୃତିରେ ଲୋକ ସଙ୍ଗୀତର ବୈଶିଷ୍ଟ୍ୟତା ଅଛି । ଏବେ ବି ଗାଁ ଗହଳିରେ ଭଜନ , ଜଣାଣ ,ଚ଼ମ୍ପୂ , ଛାନ୍ଦ , ଚ଼ଉତିଶା ଆଉ କୋଇଲି ଗୀତ ବେଶ୍‌ ଆଦୃତ ଓ ବ୍ଯବହୃତ । ଜୟଦେବଙ୍କ "ଗୀତଗୋବିନ୍ଦ" ଆଉ ଭକ୍ତ ସାଲବେଗଙ୍କ ଭଜନ ଓଡ଼ିଶାର ପ୍ରତି ପୁରପଲ୍ଲୀରେ ବେଶ୍‌ ଲୋକପ୍ରିୟ । ଆମର ପ୍ରଧାନ ଶାସ୍ତ୍ରୀୟ ନୃତ୍ୟ "ଓଡ଼ିଶୀ" । ପୁରାତନ କାଳରେ ଜଗନ୍ନାଥ ମନ୍ଦିରରେ ଦେବଦାସୀ ମାନଙ୍କର ନୃତ୍ଯ ପରିବେଷଣ ଏବେ ଇତିହାସ ହେଲେ ବି ସ୍ମୃତିପୂର୍ଣ୍ଣ ଓ ଜନାଦୃତ । ପ୍ରଭୁଙ୍କୁ ପ୍ରଣତି ଜଣାଇବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସଙ୍ଗୀତର ତାଳ ଓ ରାଗ ସହ ସମନ୍ବୟ ରକ୍ଷା କରି ନୃତ୍ୟ କରାଯାଉଥିଲା , ଯାହାର ଶୈଳୀକୁ "ମାହାରୀ ଶୈଳୀ" କୁହାଯାଉଥିଲା ; ଏହି ଶୈଳୀର ନୃତ୍ଯରୁ ଓଡ଼ିଶୀ ନୃତ୍ଯର ଉଦ୍ଭବ । ରଣପା ନାଚ଼ , ଚ଼ଇତି ଘୋଡ଼ା ନାଚ଼ , ଦଣ୍ଡନାଚ଼ , ନାଗ ନାଚ଼ , କେଳା-କେଳୁଣୀ ନାଚ଼ , ଚ଼ଢ଼େୟା-ଚ଼ଢ଼େୟାଣୀ (ଶବର-ଶବରୁଣୀ) ନାଚ଼ , ବାଘ ନାଚ଼ , ଘୁମୁରା ନାଚ଼ , ଛଉନୃତ୍ଯ , ଡ଼ାଲଖାଇ ନାଚ଼ , ରସକେଳି ନାଚ଼ ଆଦି ଲୋକନୃତ୍ୟ ଏବଂ କରମା , ଗଦବା , କେନ୍ଦୁ , ଝୁମର , କୋୟା , ପାରିଜା ଆଦି ଆଦିବାସୀ ନୃତ୍ଯ ବେଶ୍‌ ମନଲୋଭା । ମୃଦଙ୍ଗ , ଝାଞ୍ଜ , ଗିନି , ଢ଼ୋଲ , ତୂରୀ , ମହୁରୀ , ଘଣ୍ଟ , ମାଦଳ , ବୀଣା ଆଦି ବାଦ୍ଯଯନ୍ତ୍ର ପ୍ରଧାନ ଥିଲା । ଓଡ଼ିଶା ନିଶ୍ଚିତ ଭାବରେ କଳାର ରାଜ୍ଯ ଆଉ ଭାରତ ଏକ କଳାନୈପୁଣ୍ଯ ଦେଶ । 


   ଭାରତର ବିଭିନ୍ନ ଅଞ୍ଚଳରେ ଓ ଭାରତ ବାହାରେ ପ୍ରାୟ ସମସ୍ତେ ଦେଶରେ ଜନପ୍ରିୟତା ହାସଲ କରିଥିବା ଓଡ଼ିଶାର କିଛି ନିଜସ୍ୱ ହସ୍ତଶିଳ୍ପ ଓଡ଼ିଶାର ଐତିହ୍ଯ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ । ଏଗୁଡ଼ିକର ଉତ୍ପାଦନର ପ୍ରାରମ୍ଭ ସମୟ ଜଣାନାହିଁ ; କିନ୍ତୁ ବିଭିନ୍ନ ପ୍ରତ୍ନତାତ୍ତ୍ବିକ ଓ ସାହିତ୍ୟିକ ଉତ୍ସରୁ ପୁରାତନ କାଳର ବୋଲି ମନେ ହୁଏ । ପ୍ରତ୍ନତାତ୍ତ୍ୱିକ ପର୍ଯ୍ଯବେକ୍ଷଣରୁ ପ୍ରାପ୍ତ କଳାତ୍ମକ ବସ୍ତୁ ଓ ମନ୍ଦିର ମାନଙ୍କର ଭାସ୍କର୍ଯ୍ୟ ଶିଳ୍ପୀ ମାନଙ୍କ କାରିଗରୀ କୌଶଳର ପ୍ରମାଣ ଦିଏ । ବିଭିନ୍ନ ପ୍ରକାର ଚ଼ାନ୍ଦୁଆ , ଗୋଡ଼ପୋଛା ପାବଚ୍ଛ , ବଗିଚ଼ା ତଥା କ୍ରୀଡ଼ା ପ୍ରାଙ୍ଗଣରେ ବ୍ଯବହାର ପାଇଁ ବଡ଼ ବଡ଼ ଛତା , ବ୍ଯାଗ୍‌ , ବିଜୁଳିବତୀ ଖୋଳ , ଚ଼ିଠିପତ୍ର ବା ପତ୍ରିକା ରଖିବା ମୁଣି ଆଦି ଚ଼ାନ୍ଦୁଆ କପଡ଼ାରେ ପ୍ରସ୍ତୁତ ହୋଇ ଦେଶ ବିଦେଶରେ ବହୁତ ଆଦୃତ ହେଉଛି । ଏଥିପାଇଁ ପୁରୀ ଜିଲ୍ଲାର ପିପିଲି ବେଶ୍‌ ପ୍ରସିଦ୍ଧ । ଆଉ ଏକ ଐତିହାସିକ ହସ୍ତଶିଳ୍ପ "ରୂପା ତାରକସି କାମ" ; ଯାହା ପାଇଁ କଟକ ପ୍ରସିଦ୍ଧ । କଟକ ଆଉ ପାରଳାଖେମୁଣ୍ଡିର ଶିଙ୍ଗକାମ ଯଥା - ଶିଙ୍ଗ ପ୍ରସ୍ତୁତ ପାନିଆ , ଧୂମପାନ ନଳି , କଲମ - ଥାକ , ମହମବତୀ ଥାକ , ପଶୁପକ୍ଷୀ , ଡ଼ାଳପତ୍ୟ ଆଦି ବେଶ୍ ପ୍ରସିଦ୍ଧିଲାଭ କରିଛି । ଖୋର୍ଦ୍ଧା ଜିଲ୍ଲାସ୍ଥ ବାଳକାଟିର ପିତ୍ତଳ ପ୍ରସ୍ତୁତ ସାମଗ୍ରୀ , ଢ଼େଙ୍କାନାଳର ଡ଼ୋକ୍ରା କାମ , କେନ୍ଦୁଝରର ଟେରାକୋଟା ଶିଳ୍ପ ଆଦି ଐତିହ୍ଯ ବହନକାରୀ ଶିଳ୍ପ । ବୟନ କଳାର ବୈଶିଷ୍ଟ୍ଯ ଇକତ ଢ଼ାଞ୍ଚା ଓଡ଼ିଶାର ପ୍ରାଚ଼ୀନ ସାମୁଦ୍ରିକ କାର୍ଯ୍ୟକଳା ପରି ପ୍ରଭାବରୁ ସୃଷ୍ଟି ବୋଲି ବିଶ୍ବାସ । ସମ୍ବଲପୁର ଓ ବଲାଙ୍ଗୀରର ପଶାପାଲି ଶାଢ଼ୀ , ସୋନପୁରର ସୂନା ସୂତା ଓ ଜରି କାରୁକାର୍ଯ୍ୟ ଖଚି଼ତ ଶାଢ଼ୀ , ସମ୍ବଲପୁର  , ବଲାଙ୍ଗୀର , ବରଗଡ଼ ଏବଂ ସୋନପୁରର ବୋମକାଇ ପାଟ ସହିତ ଗଞ୍ଜାମ ଜିଲ୍ଲାସ୍ଥ ବ୍ରହ୍ମପୁରର ମଠା ଶାଢ଼ୀ , କଟକ ଜିଲ୍ଲାର ନୂଆପାଟଣା ଓ ମଣିଆବନ୍ଧ ଶାଢ଼ୀ , ଖୋର୍ଦ୍ଧା ଜିଲ୍ଲାର ଲୁଙ୍ଗୀ , ଗାମୁଛା , ଶାଢ଼ୀ କର୍ପାସ , ଟସର ଓ ରେଶମ ଲୁଗାରେ ପ୍ରସ୍ତୁତ ହୋଇ ସର୍ବତ୍ର ଓଡ଼ିଶା ପାଇଁ ସୁଖ୍ୟାତି ଆନୟନ କରିଛି । 


     ଆମର କଳା , ସ୍ଥାପତ୍ୟ , ସାହିତ୍ଯ ସବୁଠୁ ନିଆରା ; ସର୍ବଜନାଦୃତ ବି । ଆମ ଐତିହ୍ୟକୁ ବଜାୟ ରଖିବାକୁ ଚ଼ାହିଁଲେ ରଖିପାରିବା , ନଚ଼େତ୍‌ ଡ଼ାଇନୋସର ପ୍ରଣୀ ବିଲୋପ ହେଲା ପରି ବିଲୋପ ହୋଇଯିବ ଓଡ଼ିଆର କଳା , ସଂସ୍କୃତି , ପରମ୍ପରା , ସାହିତ୍ଯ ସବୁକିଛି । କେବଳ ଇତିହାସ ପୁସ୍ତକ ହିଁ ହେବ ଆମର ଜ୍ଞାନକୋଷ ; ଚ଼ିତ୍ରରେ ଦେଖିବା ଆଉ ଗପରେ ପଢ଼ିବା ଛଡ଼ା ଅନୁଭବରୁ ବହୁ ଦୂରକୁ ଚ଼ାଲିଯିବା । ତେଣୁ ଆମର ଏ ସମ୍ପତ୍ତିର ସୁରକ୍ଷା ଆମରି ହାତରେ ; ଆମ ପରମ୍ପରା ଆମର ଗୌରବ । ଏହାକୁ ବଞ୍ଚାଇ ରଖିପାରିଲେ , ଆମେ ତଥା ଆମ ରାଜ୍ୟ ଓ ଆମ ଦେଶ ନୈପୁଣ୍ଯମୟ ହୋଇପାରିବ । କଥାରେ ଅଛି "ବାରମାସରେ ତେର ପର୍ବ" ; ଯାହା ଓଡ଼ିଶାରେ ବେଶ୍ ପ୍ରସିଦ୍ଧ । ହିନ୍ଦୁମାନେ ପ୍ରାୟ ପଚ଼ାଶରୁ ଉର୍ଦ୍ଧ୍ବ ପର୍ବପର୍ବାଣୀ ପାଳନ କରନ୍ତି । ଆଧୁନିକତାର ଛାପରେ ଅନେକ ବିଲୋପ ହୋଇଗଲାଣି ତ କିଛି ବିଲୋପର ପ୍ରତୀକ୍ଷାରେ । ଗର୍ବ ଓ ଗୌରବ ବୋଲି କହିବାକୁ ହେଲେ ଏସବୁର ସୁରକ୍ଷା ନିହାତି ଆବଶ୍ୟକ । ଏ ଦାୟିତ୍ବ ଉତ୍ତର ପିଢ଼ିଙ୍କ ହାତରେ ।


ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 

             ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା