ପ୍ରତ୍ନତତ୍ତ୍ବ ସର୍ବେକ୍ଷଣରେ ଧାତୁଯୁଗ


କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି 
       ସମ୍ପାଦକ - ଉଦୟ ଭାନୁ 
-----------------------------------------------

     ମାନବ ଜାତିର ଇତିହାସ ଏକ ମହାପୁରାଣ । ଯାହାର ବ୍ଯାଖ୍ଯା କରିବା ସମୟ ସାପେକ୍ଷ । ଏତେଟା ଜଟିଳସାଧ୍ଯ ନୁହେଁ କି ସମ୍ପୂଣ୍ଣ ସରଳସାଧ୍ଯ ବି ନୁହେଁ । ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଜିର ଯୁଗରେ ପହଞ୍ଚିଛି । ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କରି ଠୋସ୍‌ ପ୍ରମାଣ ପ୍ରାପ୍ତ କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍‌ । ଭାରତ ତଥା ଭାରତ ବାହାରେ ଅନେକ ସ୍ଥାନରୁ ଖନନ କରି ଅନେକ ଦ୍ରବ୍ୟ ପ୍ରାପ୍ତ କରି ମ୍ଯୁଜିୟମ୍‌ରେ ରଖାଯାଇଛି । ବହୁ ଐତିହାସିକ ସର୍ବେକ୍ଷଣ ଆମର ପୂର୍ବ ସ୍ଥିତି ସୂଚ଼ିତ କରେ । ପ୍ରସ୍ତର ଯୁଗର ଅଧିବାସୀ ମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ପଥର , ଅସ୍ଥି ଓ କାଷ୍ଠରେ ପ୍ରସ୍ତୁତ କରି ବ୍ଯବହାର କରୁଥିଲେ । ଗୁମ୍ଫାରେ ରହି ଶିକାର କରି ଖାଦ୍ୟ ଯୋଗାଡ଼ କରୁଥିଲେ । ପରବର୍ତ୍ତୀ କାଳରେ କୃଷିର ବ୍ଯବାର , ନିଆଁର ବ୍ଯବହାର , ଗୃହପାଳିତ ପଶୁ ପାଳନ ଆଦି କରି ଚ଼ଳିଲେ । ପ୍ରସ୍ତର ଯୁଗ ପରେ ଧାତୁଯୁଗ , ବ୍ରୋଞ୍ଜ ଯୁଗ , ଲୌହଯୁଗ କ୍ରମାନୁସାରେ ପୃଥ୍ବୀ ପୃଷ୍ଠରେ ଆରମ୍ଭ ହୋଇଥିଲା । କେବଳ ଧାତୁର ଆବିଷ୍କାର ଯୋଗୁଁ ମାନବ ସଭ୍ୟତା ବିକଶିତ ହୋଇ ପାରିଥିଲା । ବ୍ରୋଞ୍ଜ ଯୁଗରେ ମେସୋପୋଟାମିଆ , ଚୀନ୍‌ , ଇଜିପ୍ଟ ଆଉ ଭାରତରେ ଉନ୍ନତ ସଭ୍ଯତା ମୁଣ୍ଡ ଟେକି ଉଠିଥିଲା । ନୂତନ ପ୍ରସ୍ତର ଯୁଗର ଶେଷରେ ଧାତୁର ବ୍ଯବହାର ଆରମ୍ଭ ହୋଇଥିଲା । ଏ ଯୁଗର ଲୋକମାନେ ପ୍ରଥମେ ତମ୍ବା ଧାତୁ ବ୍ଯବହାର କରିଥିଲେ । ପ୍ରସ୍ତର ଓ ତମ୍ବା ବ୍ଯବହାର ଉପରେ ଆଧାରିତ ସଂସ୍କୃତିକୁ ଚ଼ାଲକୋଲିଥିକ୍‌ ସଂସ୍କୃତି କୁହାଯାଏ । ଏ ଯୁଗକୁ ବ୍ରୋଞ୍ଜ ଯୁଗ ବି କୁହାଯାଏ  । କାଳକ୍ରମେ ଲୋକମାନେ କାଷ୍ଠ , ପ୍ରସ୍ତର ଓ ଅସ୍ଥି ବଦଳରେ ତମ୍ବା ଓ ବ୍ରୋଞ୍ଜ ବ୍ଯବହାର କରି ଅସ୍ତ୍ରଶସ୍ତ୍ର ନିର୍ମାଣ କଲେ । ସମୟକ୍ରମେ ମାନବ ଇଟା ତିଆରି କୌଶଳ ଶିକ୍ଷା କରି ନିର୍ମାଣ କାର୍ଯ୍ଯରେ ଲଗାଇଲେ ; ଉକ୍ତ ଇଟା ସବୁ ନିଆଁ ଓ ସୂର୍ଯ୍ୟ ତାପରେ ପ୍ରସ୍ତୁତ ହେଉଥିଲା । ନଦୀ ଉପତ୍ୟକା ମାନଙ୍କରେ ପ୍ରଥମ କରି ସହର ସଭ୍ଯତା ଗଢ଼ି ଉଠିଥିଲା , ଏଗୁଡ଼ିକ ବାଣିଜ୍ୟ ଓ ଶାସନ ପରିଚ଼ାଳନାର ମୁଖ୍ଯ କେନ୍ଦ୍ର ଥିଲା । ଏ ସାମ୍ରାଜ୍ୟ ବୃହତ ଥିଲା ଓ ଏହା ତାଙ୍କର ମହତ ଅବଦାନ ଥିଲା । ଏସବୁର ପ୍ରମାଣ ମିଳୁଛି ପ୍ରତ୍ନତତ୍ତ୍ବ ସର୍ବେକ୍ଷଣରୁ , ଅନେକ ଜାଗାରୁ ପ୍ରାପ୍ତ ହୋଇଛି ଐତିହାସିକ ତଥା ବହୁ ପୁରାତନ ସାମଗ୍ରୀ । ଏବେ ବି ସୁଦ୍ଧା ଚ଼ାଲିଛି ସର୍ବେକ୍ଷଣ । 

     ଖୋର୍ଦ୍ଧା ଜିଲ୍ଲାର ଗୋଳବାଇ ଗ୍ରାମରୁ ମିଳିଛି କିଛି ପୁରାତନ ତଥ୍ଯ । ଦ୍ବାଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧ ଯାଏଁ ଲୋକମୁଖରେ ଏତେଟା ପରିଚ଼ୟ ନଥିଲା ଏ ଗାଁ , ଯାହା ଆଜି ସର୍ବବିଦିତ । ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କାର କରାଗଲା ପ୍ରତ୍ନତାତ୍ତ୍ୱିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ; ଏହାପରେ ଗୋଳବାଇ ନାମଟି ପ୍ରଚ଼ାର ହୋଇଗଲା ଚ଼ାରିଆଡ଼େ । ଐତିହାସିକ ମାନଙ୍କ ମତରେ ଗୋଳବାଇ ଗାଁର ଦକ୍ଷିଣ - ପୂର୍ବ ଦିଗରେ ପ୍ରାଚ଼ୀନ ସଭ୍ଯତା ଗଢ଼ି ଉଠିଥିଲା । ୧୮୨୭ ମସିହାରେ ସାମନ୍ତ ମାଧବଚ଼ନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଗୋଳବାଇ ନିକଟସ୍ଥ ଗଙ୍ଗା ପାହାଡ଼ରେ ଗୁମ୍ଫା ସ୍ଥାପନ କରି ପାଇକ ମାନଙ୍କୁ ତାଲିମ୍‌ ପ୍ରଦାନ କରୁଥିଲେ ଓ ଗୋଳାବାରୁଦ ସବୁ ଗଚ୍ଛିତ କରି ରଖୁଥିଲେ । ପାଇକ ବିଦ୍ରୋହରେ ଇଂରେଜ ମାନଙ୍କ ଉପରକୁ ଗୋଳା ଫୋପାଡ଼ି ବାଇ ହୋଇଥିବାରୁ ଏ ଗ୍ରାମର ନାମ ଗୋଳବାଇ ରହିଛି ବୋଲି ଗ୍ରାମର ଯୁବ ଗବେଷକ ସୌମ୍ଯ ରଞ୍ଜନ ବଳିୟାରସିଂହଙ୍କ ମତ । ୧୯୯୧ ମସିହାରେ ପ୍ରଥମ ଖନନ କାମ ପ୍ରତ୍ନତାତ୍ତ୍ୱିକ ବିଭାଗର ଚ଼ତୁର୍ଥ ଶାଖା କର୍ମଚ଼ାରୀ ବି.କେ. ସିହ୍ନା ଆରମ୍ଭ କରି ଏଠି ନୂତନ ପାଷାଣ , ତାମ୍ର ପାଷାଣ , ଲୌହଯୁଗର ବସ୍ତୁ ଆବିଷ୍କାର କରିଥିଲେ ; ଖ୍ରୀ.ପୂ.୨ୟ ଓ ୧ମ ସହସ୍ରାବ୍ଦର ତାମ୍ର ପାଷାଣ ଓ ଲୌହ ଯୁଗୀୟ ବସ୍ତୁ ମିଳିଥିଲା । ଏଠୁ ମଧ୍ଯ ମିଳିଥିଲା ପାଉଁଶିଆ ଓ ଲାଲ୍‌ ମାଟିପାତ୍ର ; ଗୋଳବାଇ ଓ ସାନଖେରଜଙ୍ଗ ଗ୍ରାମରୁ ପ୍ରାପ୍ତ ବସ୍ତୁ ଏକା ଯୁଗର ବୋଲି ଅନୁମେୟ । ଏଠାରେ ଗଢି ଉଠିଥିଲା ନୂତନ ପାଷାଣ , ତାମ୍ର ପାଷାଣ , ପ୍ରାକ୍‌-ଲୌହ , ପ୍ରାକ୍‌-ଐତିହାସିକ ଓ ମଧ୍ୟଯୁଗୀୟ ଜନବସତି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଚ଼ତୁର୍ଥ ଖନନରୁ ଆବିଷ୍କାର କରାଯାଇଥିଲା ପାଉଁଶ , ଅଙ୍ଗାର , ଭଙ୍ଗା ମାଟିପାତ୍ର ଏବଂ ଅନେକ ହାତହତିଆର ; ଯାହା ଜଣାପଡ଼ିଛି ବିଭିନ୍ନ ଯୁଗର ବୋଲି । ଏହା ଥିଲା ଖନନର ପ୍ରଥମ ପର୍ଯ୍ଯାୟ ; ଦ୍ବିତୀୟ ପର୍ଯ୍ଯାୟରେ ପ୍ରସ୍ତର ଯୁଗର ମାଟିପାତ୍ର ପ୍ରାପ୍ତ । ତା'ଛଡ଼ା ପଥରର ନିହାଣ , ଅନ୍ଯ କିଛି ହାତହତିଆର ବି ଆବିଷ୍କାର କରାଯାଇଛି । ଅନ୍ଯ ଆବିଷ୍କାରକ ମାନେ ବି ଏଠୁ ପାଇଛନ୍ତି ହରିଣ , ଛେଳି , ଗୋରୁ ଶିଙ୍ଗ ଓ ଅସ୍ଥି ପ୍ରସ୍ତୁତ ହତିଆର ଓ ନାନାଦି ଉପକରଣ । କିଛି ଅପରିମାର୍ଜିତ ତ କିଛି ପାଲିସ୍‌ କରି ପ୍ରସ୍ତୁତ । ପୁନଃ ଆବିଷ୍କୃତ ହୋଇଛି ଦନ୍ତାହାତୀ , ଗୋରୁଗାଈ ଓ ଛେଳି ଆଦି ଜନ୍ତୁଙ୍କର ଅସ୍ଥି । ପ୍ରତ୍ନତତ୍ତ୍ବବିତ୍‌ ସିହ୍ନାଙ୍କ ମତରେ ଏଠୁ ମିଳିଥିବା ଲାଲ୍‌ ରଙ୍ଗର ଚ଼ିକ୍କଣ ଓ ମସୃଣ ମାଟିପାତ୍ର ଆକର୍ଷଣୀୟ ; ଗୋଲାକାର ମୁହଁ , କାରୁକାର୍ଯ୍ୟପୂଣ୍ଣ ଗୋଲ୍‌ ମୁହଁ ଯୁକ୍ତ ହାଣ୍ଡି ଓ ପାତ୍ର ,କୁଣ୍ଡ , ଉତ୍ତଳ ଗିନା , ମାଟିର ବାସନକୁସନ ତାମ୍ର - ପାଷାଣ ଯୁଗର ହୋଇଥାଇପାରେ । 

     ଗୋଳବାଇରୁ ମିଳିଥିବା ମନ୍ଦିରର ଅବଶେଷ ମଧ୍ୟରୁ କେବଳ ଗୋଟିଏ ମନ୍ଦିର ଭଲ ଅବସ୍ଥାରେ ଅଛି ; ତାହା ହେଉଛି ମାଳଗୁଣି ନଦୀ ତଟସ୍ଥ ଜଳେଶ୍ୱର ମନ୍ଦିର । ଏହି ମନ୍ଦିରଟି ଖ୍ରୀ. ୧୧ଶ ବା ୧୨ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ଓ ଏଥିରେ ଆରାଧ୍ୟ ଠାକୁର ହେଲେ ଶିବ । ଏହାର ସଂରକ୍ଷଣ ଦାୟିତ୍ବ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ହସ୍ତରେ । ମାଳଗୁଣି ନଦୀର ଦକ୍ଷିଣ ପଟେ ତଟ ଦେଶରେ ଜଳେଶ୍ୱର ମନ୍ଦିରର ବିପରୀତ ପାର୍ଶ୍ବରେ ପୋତା ପ୍ରାଚ଼ୀର ଘେରା ଏକ ସ୍ଥାନର ସନ୍ଧାନ ମିଳିଛି । ପୋତି ହୋଇଯାଇଥିବା ଏହି ଦୂର୍ଗର ଅବଶେଷ "ତଳଗଡ଼" ନାମରେ ଜଣାଶୁଣା ; ଏହାର ଅନତି ଦୂରରେ ଥିବା ଏକ ଗ୍ରାମର ନାମ "ତଳପଡ଼ା" । ଏହି ପୋତା ପ୍ରାଚ଼ୀରର ଆକାର ବର୍ଗାକାର ପ୍ରାୟ ଓ ଏହାର ପ୍ରତ୍ଯେକ ବାହୁର ଦୈର୍ଘ୍ଯ ୫୫୦ରୁ ୫୮୦ ମିଟର । ଏହା ଚ଼ତୁଃପାର୍ଶ୍ବରେ ଚ଼ାରୋଟି ଦ୍ବାର ରହିଛି । ପଶ୍ଚିମ ଦ୍ବାର କିଛିକାଂଶରେ ଭଲ ଥିବା ବେଳେ ଦକ୍ଷିଣ ଦ୍ବାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛିକାଂଶରେ ନଷ୍ଟ ପ୍ରାୟ ହୋଇଯାଇଛି । ଉତ୍ତର ଓ ପୂର୍ବ ଦ୍ବାର ଲୋକଙ୍କ ଗମନାଗମନ ପଥରେ ଅଛି ; ଏହା ପ୍ରାଚ଼ୀର ଭୂମିରୁ ୨.୫ କି.ମି ଉଚ୍ଚତାରେ ଅଛି ଏବଂ ପ୍ରତି ଦ୍ବାର ପ୍ରାଚ଼ୀରର ମଧ୍ୟଭାଗରେ ଅଛି । ଏହି ଦ୍ବାର ଗୁଡ଼ିକ ଦେଖିବାକୁ ପ୍ରାଚ଼ୀନ କଳିଙ୍ଗର ଶିଶୁପାଳଗଡ ବା ରାଧାନଗର ବା ଜଉଗଡ଼ର ଦ୍ବାର ପରି । "ତାଳଗଡ଼"ର ଚ଼ାରିପାଖେ ପୂର୍ବେ ଜଳଘେରା ଖାଇ ଥିବାର ଅନୁମାନ କରାଯାଏ , ଯାହା ସମ୍ପୂଣ୍ଣ ପୋତି ହୋଇଗଲାଣି । କେବଳ ପଶ୍ଚିମ ପଟେ ଜଳବନ୍ଧନୀର କିଛି ଅଂଶ ଏଯାବତ୍‌ ଅଛି । ତାଳଗଡ଼ରୁ ମିଳିଥିବା ମସୃଣ ଓ ଚ଼ିକ୍କଣିଆ ମାଟିପାତ୍ରର ଭଗ୍ନାବଶେଷ ଶିଶୁପାଳଗଡର ପ୍ରତ୍ନତାତ୍ତ୍ୱିକ ଅବଶେଷ ପରି । ଅନୁମାନ କରାଯାଉଛି ଯେ , ତାଳଗଡ଼ର ସଭ୍ଯତା ଖ୍ରୀ.ପୂ ୧୭୦୦ରୁ ୧୧୦୦ ମଧ୍ୟରେ ହୋଇଥାଇପାରେ ; ଏ ସମୟେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର , ପ୍ରସ୍ତର ଯୁଗର ସଭ୍ଯତା ଅଭ୍ଯୁଥାନ ହୋଇଥିବ । ଗୋଳବାଇ ଓ ଚ଼ିଲିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଆବିଷ୍କୃତ ପଥର , ଅସ୍ଥି ଓ ତାମ୍ର ନିର୍ମିତ ନାନା ପ୍ରକାର ନିହଣ , ଟାଙ୍ଗିଆ ପରି ହତିଆର , ମରାମତି ଉପକରଣରୁ ଗୋଳବାଇର ପ୍ରାଚୀନ କାଳରେ ଏକ ଡ଼ଙ୍ଗା ବା ବୋଇତ ନିର୍ମାଣ ମରାମତି କେନ୍ଦ୍ର ଥିଲା ବୋଲି ଐତିହାସିକଙ୍କର ଅନୁମାନ । ଏଠାରୁ ମିଳି ପାରିଥିବା ବନିଶୀ କଣ୍ଟା , ବହୁ ସଂଖ୍ୟକ କାଠକାମ ଉପଯୋଗୀ ନିହାଣ ସୂଚ଼ନା ଦିଏ ଯେ ଏ ଅଞ୍ଚଳରେ ଅନେକ ଲୋକ ଡ଼ଙ୍ଗା ନିର୍ମାତା ଓ ମତ୍ସ୍ଯଜୀବୀ ଥିଲେ । ନଦୀପଥରେ ମାଳଗୁଣି ଓ ଦୟାନଦୀ ଯୋଗେ ଚ଼ିଲିକା ଓ ବଙ୍ଗ ଉପସାଗର ପର୍ଯ୍ଯନ୍ତ ଗମନାଗମନ ସମ୍ଭବପର ହୋଇଥିବାରୁ ଏଠାରେ ଜାହାଜ ମରାମତି କେନ୍ଦ୍ର ଥାଇପାରେ ବୋଲି ଅନୁମେୟ । 

     ଗୋଳବାଇର ପ୍ରାଚ଼ୀନ ଜାହାଜ ନିର୍ମାଣ କେନ୍ଦ୍ର ପ୍ରାଚ଼ୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟର ବିକାଶରେ ସହାୟତା କରୁଥିଲା ବୋଲି ମତାମତ ମିଳେ । ଖ୍ରୀ. ୧୬୦୦ରୁ ନେଇ ୧୮୦୦ ଶତାବ୍ଦୀ ବେଳକୁ ଇଉରୋପୀୟ ଔପନିବେଶିକ ଶକ୍ତି ମାନଙ୍କ ଆଗତ ପରେ ପିପିଲି ଜାହାଜ ନିର୍ମାଣ କେନ୍ଦ୍ର ଭାବରେ ପ୍ରସିଦ୍ଧିଲାଭ କରିଥିଲା । ଓଡ଼ିଶା ପ୍ରାଚ଼ୀନ କାଳରେ କଳିଙ୍ଗ ନାମରେ ଜଣାଶୁଣା ଥିଲା । କଳିଙ୍ଗବାସୀଙ୍କର ସାମୁଦ୍ରିକ ବାଣିଜ୍ୟ ଖ୍ରୀ.ପୂ ୩୫୦ ପୂର୍ବରୁ ଆରମ୍ଭ ହୋଇ ସାରିଥିଲା ବୋଲି କେତେକ ପ୍ରାଚ଼ୀନ ସୂତ୍ରରୁ ଜଣାପଡେ । ଏ ଅଞ୍ଚଳର ବ୍ଯବସାୟୀ/ସାଧବମାନେ ବଙ୍ଗୋପସାଗର ପାର ହୋଇ ଦକ୍ଷିଣ-ପୂର୍ବ ଏସିଆ ଓ ଚ଼ୀନ୍‌ ସହିତ ବ୍ଯବସାୟିକ ସମ୍ବନ୍ଧ ସ୍ଥାପନ କରିଥିଲେ । ଦକ୍ଷିଣ-ପୂର୍ବ ଏସିଆର ଅନେକ ସ୍ଥାନରେ କଳିଙ୍ଗ ସଂସ୍କୃତିର ଛାପ ଦୃଶ୍ଯମାନ । ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚ଼ିତ "ମଞ୍ଜୁଶ୍ରୀମୂଳକଳ୍ପ"ରେ ବଙ୍ଗୋପସାଗରକୁ "କଳିଙ୍ଗ ସାଗର" ବୋଲି କୁହାଯାଇଛି । ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ ବର୍ତ୍ତମାନ ପାଳିତ ହେଉଥିବା ବାଲିଯାତ୍ରା , ବୋଇତ ବନ୍ଦାଣ ଆଦି ଉତ୍ସବ । ପ୍ରାୟ ଖ୍ରୀ.ପୂ. ୩୬୨ରେ କଳିଙ୍ଗ ମଗଧର ଶାସନାଧୀନ ଥିଲା ; ଖ୍ରୀ.ପୂ. ୩୨୦ରେ ଏହା ସ୍ବାଧୀନ ହେଲା । ପୁଣି ଖ୍ରୀ.ପୂ. ୨୬୧ ବେଳକୁ ମୌର୍ଯ୍ୟବଂଶୀ ରାଜା ଅଶୋକ ଏହାକୁ ଅଧିକାର କରିନେଲେ । ପ୍ରାୟ ଖ୍ରୀ.ପୂ. ୩୦୦ରୁ ୪୦୦ ପର୍ଯ୍ଯନ୍ତ ଶିଶୁପାଳଗଡ ତୋଷାଳି ନାମରେ ଏବଂ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ସ୍ବଳ୍ପ ସମୟ ପାଇଁ କଳିଙ୍ଗ ନଗର ନାମରେ ଅଭିହିତ ହେଉଥିଲା ବୋଲି କିଛି ଐତିହାସିକ ମତବ୍ୟକ୍ତ କରନ୍ତି । ଏହା ମଧ୍ୟ ଏକ ସମୟରେ ଅଶୋକଙ୍କ ପ୍ରାନ୍ତୀୟ ରାଜଧାନୀ ଥିଲା ; ତା' ପରବର୍ତ୍ତୀ ସମୟର ଇତିହାସ ପ୍ରମାଣ ଅଭାବରୁ ଅସ୍ପଷ୍ଟ ଅଛି । କେବେ ଉତ୍ତର କଳିଙ୍ଗ ଓ ଦକ୍ଷିଣ କଳିଙ୍ଗ ଭଳି ଦ୍ବୟ ରାଜ୍ୟ ଗଠନ ହୋଇଥିଲା ତ କେବେ ଦ୍ବୟ ରାଜ୍ୟ ମିଳିତ ଭାବରେ କଳିଙ୍ଗ ନାମରେ ଅଭିହିତ ହେଉଥିଲେ ; କେବେ କଳିଙ୍ଗ ସ୍ବାଧୀନ ରାଜ୍ୟ ଭାବେ ପରିଗଣିତ ହେଉଥିଲା ତ ପୁଣି କେବେ ପଡ଼ୋଶୀ ରାଜ୍ୟ ଦ୍ବାରା ଶାସିତ ହେଉଥିଲା । ପ୍ରାୟ ୭୦୦ରୁ ୧୦୦୦ ଯାଏଁ ଓଡ଼ିଶାର ଉତ୍ତର - ପୂର୍ବ ପ୍ରାନ୍ତ ଉତ୍କଳ ନାମରେ ଜଣାଯାଉଥିଲା । ଏ ସମୟେ ଉତ୍କଳ ଭୌମକର ବଂଶ ଦ୍ବାରା ଶାସିତ ହେଉଥିଲା ; ଏ ଶାସକମାନେ ଖ୍ରୀଷ୍ଟାବ୍ଦ ୮୧୦ରୁ ୮୫୦ ଯାଏଁ ବଙ୍ଗର ପାଳବଂଶୀୟ ଶାସକ ଦେବପାଳଙ୍କ ଅଧୀନରେ ଥିଲେ କିନ୍ତୁ ଉତ୍କଳ ଦେବପାଳଙ୍କ ପରବର୍ତ୍ତୀ ଶାସକ ମାନଙ୍କ କବଳରୁ ନିଜର ସ୍ବାଧୀନତା ହାସଲ କରିଥିଲା । ୧୦୧୨ରୁ ୧୦୪୪ ପର୍ଯ୍ଯନ୍ତ କିଛି ବର୍ଷ ପାଇଁ ଉତ୍କଳ ତାମିଲ୍‌ ଚ଼ୋଳ ସାମ୍ରାଜ୍ୟର ରାଜା ରାଜେନ୍ଦ୍ର ଚ଼ୋଳଙ୍କ ଅଧୀନକୁ ଆସିଥିଲା । ସ୍ବାଧୀନତା ପ୍ରାପ୍ତି ପରେ ଅନନ୍ତ ବର୍ମନ୍‌ ଚ଼ୋଡ଼ଗଙ୍ଗ ଦେବ ୧୦୭୮ରୁ ୧୯୯୧ ମଧ୍ୟରେ ଏ ଅଞ୍ଚଳ ଅଧିକାର କରିଥିଲେ । ଓଡ଼ିଶାର ରାଜନୈତିକ ଓ ସାମରିକ ଶକ୍ତି ସବୁ ସମୟରେ ସ୍ଥିର ନଥିବାରୁ ୧୫୮୬ରେ ଓଡ଼ିଶା ନିଜ ସ୍ବାଧୀନତା ପୁନଃ ହରାଇ ବସିଲା । 

    ବୋଇତ ନିର୍ମାଣର ନିୟମାବଳୀ ସମ୍ବନ୍ଧରେ ସଂସ୍କୃତ ଭାଷାରେ ରଚ଼ିତ ଥିବା "ଯୁକ୍ତିକଳ୍ପତରୁ" ବିବରଣୀ ଦେଇଛି ଯେ , ରାଜା ଭୋଜ ନିଜ ସମୟରେ ସେ ସ୍ଥାନରେ ମିଳୁଥିବା କାଷ୍ଠର ବ୍ଯବହାରରେ ଅନେକ ବୋଇତ ନିର୍ମାଣ କରାଇଥିଲେ ବୋଲି "ମାଦଳାପାଞ୍ଜି" ପ୍ରମାଣ ଯୋଗାଏ । ଚ଼ିଲିକା ତଟସ୍ଥ ଗୋଳବାଇରୁ ପ୍ରାପ୍ତ ବଢ଼େଇ ଉପକରଣର ଅବଶେଷାଂଶ ଏହାର ପ୍ରମାଣ ପ୍ରଦାନ କରିଥାଏ । ମକାରେ ଲଦା ବୋଇତ ଗୁଡ଼ିକର ଚ଼ିତ୍ର ଅଙ୍କିତ ପୋଡ଼ାମାଟିର ସିଲ୍‌-ମୋହର ବନଗଡ଼ ଓ ଚ଼ନ୍ଦ୍ରକେତୁଗଡ଼ରୁ ଉଦ୍ଧୃତ ହୋଇଛି । ଦୁଇଟି ବୋଇତ ଥିବା ଚ଼ିତ୍ର ଯୁକ୍ତ କଳାକୃତି ପ୍ରଥମେ ବ୍ରହ୍ମେଶ୍ୱର ମନ୍ଦିର ନିକଟରୁ ପ୍ରାପ୍ତ ; ତାହାକୁ ରାଜ୍ୟ ସଂଗ୍ରହାଳୟ ନିଜ ସଂରକ୍ଷଣରେ ରଖିଛି । ଏ ବୋଇତ ଗୁଡ଼ିକ ଗୋଟିଏ ମାସ୍ତୁଲ୍‌ - ବିଶିଷ୍ଟ ଓ ଏମାନଙ୍କର ପାଲ ସବୁ ବର୍ଗାକାର ; ଗୋଟିଏ ବୋଇତରେ ହାତୀ ବୁହା ହେଉଥିବା ବେଳେ ସେଥିରେ ନାବିକ ସହିତ ଯାତ୍ରୀମାନେ ବସିଥିବାର ଚ଼ିତ୍ର ପ୍ରଦର୍ଶିତ । ଖ୍ରୀ. ୧୧ଶ'ରୁ ୧୬ଶ ଶତାବ୍ଦୀ ମଧ୍ୟରେ କଳିଙ୍ଗ ନାମ ବଦଳି କ୍ରମଶଃ ଓଡ୍ର ଦେଶ , ଉଡ଼ିଶା ଓ ଓଡ଼ିଶା ହେଲା । ଖ୍ରୀ. ୧୪୩୫ରୁ ୧୪୬୬ ମଧ୍ଯରେ , କପିଳେନ୍ଦ୍ର ଦେବଙ୍କ ରାଜୁତି ବେଳେ ଓଡ଼ିଶା ଏକ ମହାନ ରାଜନୈତିକ ଶକ୍ତି କେନ୍ଦ୍ର ଭାବରେ ପରିଗଣିତ ହେଉଥିଲା । ଗଙ୍ଗାଠୁ ଆର୍କୋଟ ଯାଏଁ ବ୍ଯାପ୍ତ ଏହାର ସୀମା ବର୍ତ୍ତମାନ ଓଡ଼ିଶାର ଭୌଗୋଳିକ ସୀମାଠୁ ବଡ଼ ଥିଲା । ତାଙ୍କ ପରବର୍ତ୍ତୀ ରାଜାମାନେ ଏ ବିଶାଳ ସାମ୍ରାଜ୍ୟ ନିଜ ଅଧୀନରେ ରଖିଥିଲେ । ଖ୍ରୀ. ୧୪୯୭ରୁ ୧୫୪୧ ମଧ୍ୟରେ ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ହୁଗୁଳି ଓ ମେଦିନୀପୁର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ ଅଞ୍ଚଳ ଯାଏଁ ବ୍ଯାପ୍ତ ଥିଲା । ଆରବୀ ନାବିକମାନେ ବଙ୍ଗୋପସାଗରଞ୍ଚଳରେ ଖ୍ରୀ. ୮ମ ଶତାବ୍ଦୀର ପ୍ରାରମ୍ଭ ବେଳକୁ ନିଜର ଆଧିପତ୍ୟ ବଢ଼ାଇ ଥିଲେ । ତା'ପରେ ପର୍ତ୍ତୁଗୀଜ ,ଓଲନ୍ଦାଜ , ଇଂରେଜୀ , ଫରାସୀମାନେ ଏହି ଅଞ୍ଚଳରେ ବ୍ଯାପକ ବ୍ଯବସାୟ ଆରମ୍ଭ କରିଥିଲେ । ଓଡ଼ିଶାର ନାବିକ ମାନଙ୍କ ସୀମା କ୍ରମଶଃ ସଙ୍କୁଚି଼ତ ହେବାରେ ଲାଗିଲା । ୧୫୮୬ ମସିହାରେ ବଙ୍ଗର ମୁସଲମାନ ଶାସକ ସୁଲେମାନ ଖାନ୍‌ କର୍ରଣି ଓଡ଼ିଶା ଅଧିକାର କରିବା ହେତୁ ଓଡ଼ିଶାର ସ୍ବାଧୀନତା କ୍ଷୁଣ୍ଣ ହେଲା । ପରେ ମରହଟ୍ଟା ମାନେ ୧୭୫୧ରେ ଓ ବ୍ରିଟିଶ୍‌ ମାନେ ୧୮୦୩ରୁ ୧୮୦୫ ମଧ୍ଯରେ ହୋଇଥିବା ଯୁଦ୍ଧ ମାନଙ୍କରେ ମରହଟ୍ଟା ବାହିନୀଙ୍କୁ ପରାସ୍ତ ପୂର୍ବକ ଓଡ଼ିଶାରେ ପ୍ରବେଶ କଲେ । ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କଟକର ଜୋବ୍ରା ଠାରେ ୨୦୧୩ ମସିହାରେ ଉଦ୍‌ଘାଟିତ ହୋଇଥିଲା ଯାହା ସାମୁଦ୍ରିକ ନୌବାଣିଜ୍ୟର ଇତିହାସ ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ ବଦ୍ଧ ପରିକର । 

     ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍‌ ଅନ୍ତର୍ଗତ ମାଣିକପାଟଣା ବି ଏକ ପ୍ରତ୍ନତତ୍ତ୍ୱ ସ୍ଥଳ । କିମ୍ବଦନ୍ତୀ କହେ , ମାଣିକ ଗୌଡୁଣୀ ନାମକ ଜନୈକ ଦଧି ବେପାରୀ ହସ୍ତରୁ କାଞ୍ଚି ଅଭିଯାନ ବେଳେ ସ୍ବୟଂ ଜଗନ୍ନାଥ ଓ ବଳଭଦ୍ର କଳା ଓ ଧଳା ଘୋଡ଼ାରେ ଆସି ଦଧିପାନ କରିଥିଲେ । ପଇସା ଦେବା ବଦଳରେ ଏକ ମୁଦ୍ରିକା ଦେଇ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଠାରୁ କଉଡ଼ି ନେଇଯିବାକୁ କହିଥିଲେ । ରାଜା ଏ ମୁଦ୍ରିକାକୁ ଦେଖନ୍ତେ ତ , ଜାଣିପାରିଲେ ଏ ମୁଦ୍ରିକା ସ୍ବୟଂ ଜଗନ୍ନାଥଙ୍କର । ସେ ଗୌଡୁଣୀକୁ କଉଡ଼ି ଦେବା ବଦଳରେ ତା'ର ନାମାନୁସାରେ ସେହି ଗ୍ରାମକୁ "ମାଣିକପାଟଣା" ନାମରେ ନାମ୍ତ କରିଦେଇଥିଲେ । ଏହି ଗ୍ରାମଟି ଚ଼ିଲିକା ମୁହାଣକୁ ଲାଗି ରହିଛି ଓ ଗ୍ରାମଟି ଭବକୁଣ୍ଡଳେଶ୍ବର ମନ୍ଦିର ପାଇଁ ପ୍ରସିଦ୍ଧିଲାଭ କରିଛି । ମନ୍ଦିରଟି ପୂର୍ବାଭିମୁଖ ଓ ଏହି ମନ୍ଦିରରେ ସ୍ବୟଂ ଶିବ ପୂଜିତ ହୁଅନ୍ତି ; ଏଠାର ଶିବ ଲିଙ୍ଗଟି କଳାମୁଗୁନି ପଥରରେ ନିର୍ମିତ । ଏ ଗ୍ରାମଟି ଏକ ପ୍ରାଚ଼ୀନ ବନ୍ଦର ଏବଂ ସାମ୍ପ୍ରତିକ ସମୟରେ ଏକ ପ୍ରତ୍ନତତ୍ତ୍ୱ ସ୍ଥଳ ମଧ୍ୟ । କେତେକ ଗବେଷକଙ୍କ ମତରେ ଚୀନ୍‌ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରେ ଉଲ୍ଲିଖିତ ମଧ୍ୟଯୁଗୀୟ ବନ୍ଦର "ଚ଼େଲିତାଲେ" ହିଁ ମାଣିକପାଟଣାର ପୁରାତନ ନାମ । ଏହି ଗ୍ରାମଟି ଚ଼ିଲିକା ହ୍ରଦର ଉତ୍ତର ପଟକୁ ଓ କୁଶଭଦ୍ରା ନଦୀର ବାମ କୂଳରେ ଅବସ୍ଥିତ । ମାଣିକପାଟଣା ଅଞ୍ଚଳରେ ଖନନରୁ ଉଦ୍ଧୃତ ବସ୍ତୁ ମାନଙ୍କରୁ ଜ୍ଞାତ ହୁଏ ଯେ , ଏ ସ୍ଥାନର ନାବିକମାନେ ଅନେକ ଦେଶ ସହ ଯୋଗାଯୋଗ ସ୍ଥାପନ କରିଥିଲେ । ଏ ଅଞ୍ଚଳ ଖନନରୁ ମୁଖ୍ୟତଃ ଦୁଇଟି ଯୁଗ ଖ୍ରୀ.ପୂ. ଦ୍ବିତୀୟରୁ ଷଷ୍ଠ ଶତାବ୍ଦୀ ଓ ଖ୍ରୀ. ନବମରୁ ଉନବିଂଶ ଶତାବ୍ଦୀର ବ୍ଯବହୃତ ଦ୍ରବ୍ୟ ଉଦ୍ଧାର ହୋଇଛି । ପ୍ରାପ୍ତ ନାନା ପ୍ରକାର ଚ଼ାଇନା ମାଟିପାତ୍ରର ଭଗ୍ନାବଶେଷରୁ ଏକାଧିକ ଶତାବ୍ଦୀ ବ୍ଯାପି ଚ଼ୀନ୍‌ ସହିତ ରହିଥିବା ବାଣିଜ୍ୟିକ ସମ୍ପର୍କର ସୂଚ଼ନା ମିଳେ ; ଏ ଚ଼ାଇନା ମାଟିର ପାତ୍ର ସବୁ ଏକା ସମୟର ନୁହେଁ । ଧଳା ଓ ପାଉଁଶିଆ ରଙ୍ଗର ମାଟିପାତ୍ର , ଧରିବାକୁ ଥିବା ଘୁଣ୍ଡୀ ବା ଦସ୍ତା ଥିବା ମାଟିପାତ୍ର , ଧରିବା ବ୍ଯବସ୍ଥା ଥିବା ସୁରେଇ ଆଦିର ଅବଶେଷ ରୁ ରୋମାନ୍‌ ସାମ୍ରାଜ୍ୟ ସହ ମାଣିକପାଟଣାର ସାମୁଦ୍ରିକ ସମ୍ପର୍କ ବିଷୟ ଅବଗତ ହୁଏ । ଖନନରୁ ପ୍ରାପ୍ତ ଅନ୍ୟ ମାଟିପାତ୍ର ବ୍ରହ୍ମଦେଶ , ସିଆମ , ଆରବ ଦେଶର ବୋଲି ଜଣାଯାଏ । ଏକାଦଶ ଓ ଦ୍ବାଦଶ ଶତାବ୍ଦୀ ବେଳେ ରାଜା ସହସ୍ରମଲ୍ଲଙ୍କ ଶାସନ କାଳରେ କେତେକ ସିଂହଳୀ ମୁଦ୍ରାର ଅବଶେଷ ମଧ୍ୟ ଏଠାରୁ ଆବିଷ୍କୃତ । ଏ ଗ୍ରାମ ଉନବିଂଶ ଶତାବ୍ଦୀର ଶେଷ ଯାଏଁ ଏକ ବ୍ଯସ୍ତ ଓ ସମୃଦ୍ଧ ବନ୍ଦର ଭାବରେ ଜଣାଶୁଣା ଥିଲା ବୋଲି ଆରବ ଦେଶର ଆବୁଲ୍‌ ଫାଜଲ୍‌ଙ୍କ ଲିଖିତ "ଆଇନ୍‌-ଇ-ଆକବରୀ"ରୁ ପ୍ରାପ୍ତ । ୧୫୯୨ ମସିହାରେ ରାଜା ମାନସିଂହ ଓଡ଼ିଶା ବିଜୟ କଲା ପରେ ଏହା ମୋଗଲ ଶାସନାଧୀନ ହେଲା ବୋଲି ଏଥିରେ ଲେଖା ଅଛି । ମାଣିକପାଟଣା ଠାରେ ସବୁ ବର୍ଷ ଲୁଣ ମାରିବାକୁ କର ପୈଠ ହେଉଥିଲା ବୋଲି ଆବୁଲ୍‌ ଫାଜଲ୍‌ ଲେଖିଛନ୍ତି । ଏଠାରେ "ସମୁଦ୍ରକର ବନ୍ଧ" ନାମକ ଏକ ଦ୍ବାର ଥିଲା ଯେଉଁଠି ବଣିକ ମାନଙ୍କ ଠାରୁ କର ଆଦାୟ କରା ଯାଉଥିଲା । 

    ମାଣିକପାଟଣା ନିକଟସ୍ଥ ଗୁରୁବାଇ ନିକଟରେ ପ୍ରଥମ ଓ ଦ୍ବିତୀୟ ଶତାବ୍ଦୀ ସମୟର ଅନେକ ପୁରୀ-କୁଷାଣ ମୁଦ୍ରା ବି ମିଳିଛି । ସାଧାରଣ ପାଗରେ ବଡ଼ ଜାହାଜ , ବୋଇତ ଆଦି ତଟକୁ ଆସିବାରେ ଅସୁବିଧା ହେତୁ ଅନେକ ପାହୁଲା ଥିବା ମାସୁଲ୍‌ ଡ଼ଙ୍ଗା ବ୍ଯବହୃତ ହେଉଥିଲା । ମାଣିକପାଟଣା ଠାରୁ ଅନତି ଦୂରରେ ଖ୍ରୀ. ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ମସ୍‌ଜିଦ୍‌ରୁ ଆରବୀୟ ଭାଷାର ଲେଖା ଉଦ୍ଧୃତ ହୋଇଛି । ଏଥିରେ ଉଲ୍ଲେଖ ଅଛି ଯେ ବଣିକ ଓ ନାବିକମାନେ ଯାତ୍ରା କରିବା ଆଗରୁ ଏଠାରେ ପ୍ରାର୍ଥନା ବା ଜଣାଣ କରୁଥିଲେ । ମାଣିକପାଟଣାରୁ ପ୍ରାପ୍ତ ଲାଲ୍‌ ଓ ଈଷତ୍ କଳା ରଙ୍ଗର ମାଟିପାତ୍ର ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ପ୍ରତ୍ନତତ୍ତ୍ବ ଖନନରୁ ପ୍ରାପ୍ତି ହୋଇଥିବା ମାଟିପାତ୍ର ସଦୃଶ  । ମାଣିକପାଟଣା ଗ୍ରାମରେ ଚ଼ାରିଟି ଛୋଟ ନାଳ - କୂଅର ଅବଶେଷ ମିଳିଛି ; ଅଧିକ ଜୁଆର ବେଳେ ଏଗୁଡ଼ିକ ବୁଡ଼ିଯା'ନ୍ତି ଓ ପାଣି ସ୍ବଳ୍ପ ଥିଲା ବେଳେ ଦିଶନ୍ତି । 

     ଓଡ଼ିଶାର ମୁଖ୍ୟତଃ ଅଭିଲେଖ ଗୁଡ଼ିକ ଧାତୁଲେଖ , ଶିଳାଲେଖ ; ଧାତୁ ମଧ୍ଯରେ ତମ୍ବା ଅଧିକ ମାତ୍ରାରେ ବ୍ଯବହୃତ ହେଉଥିଲା । ଏଗୁଡ଼ିକ ପ୍ରଧାନତଃ ଓଡ଼ିଶା , ଆନ୍ଧ୍ରପ୍ରଦେଶର ଉତ୍ତରାଞ୍ଚଳର ମନ୍ଦିର ଗାତ୍ରରେ , ମନ୍ଦିର ସ୍ତମ୍ଭରେ ଅବା ସ୍ବତନ୍ତ୍ର ଭାବେ ସ୍ତମ୍ଭ ବା ସ୍ତୁପରେ ଖୋଦିତ । ଏସବୁ ଅଭିଲେଖ ଗୁଡ଼ିକରେ ତତ୍କାଳୀନ ରାଜ୍ୟ ଶାସନ , ସାମାଜିକ ରୀତିନୀତି , ସଂସ୍କୃତି , ଅନୁଶାସନ , ଦାନ ଦକ୍ଷିଣା , ଭୂମି-ଧନସମ୍ପଦ ବିକ୍ରି ଆଦି ଲିପିବଦ୍ଧ । ବିଶେଷତଃ ଅଭିଲେଖ ଗୁଡ଼ିକରେ ଗଙ୍ଗବଂଶ ଓ ସୂର୍ଯ୍ୟବଂଶ ରାଜା ମାନଙ୍କର ରାଜତ୍ବ କାଳର ବିବିଧ ଚ଼ିତ୍ର ଅଧିକ ମାତ୍ରାରେ ଦୃଶ୍ଯମାନ । ସୋରୋ ନିକଟସ୍ଥ ଚ଼ଣ୍ଡିବେଢ଼ା ଗ୍ରାମରୁ ଆବିଷ୍କୃତ ଏକ ବୌଦ୍ଧ ପ୍ରତିମାର ପାଦଦେଶରେ ଦୁଇ ଧାଡ଼ି ପଦ୍ଯ ରଚ଼ିତ ; ତା' ହେଲା :- 
                  "ଦେବ କହି ଭଗତି କରୁଣ
                 ଅଛନ୍ତି ଭୋ କୁମାର ସେଣ ।"
ଡ଼. ସତ୍ଯନାରାୟଣ ରାଜଗୁରୁଙ୍କ ମତରେ ଏ ଲେଖାଟି ଦଶମ ଓ ଏକାଦଶ ଶହ ଶତାବ୍ଦୀର ପ୍ରାଚ଼ୀନତମ ଓଡ଼ିଆ ଅଭିଲେଖ । ଡ଼. କୁଞ୍ଜବିହାରୀ ତ୍ରିପାଠୀଙ୍କ ମତରେ ଏହା ପ୍ରାଚ଼ୀନତମ ନୁହେଁ । ତାଙ୍କ ମତରେ ଏଯାଏଁ ଆବିଷ୍କୃତ ଓଡ଼ିଆ ଅଭିଲେଖ ଗୁଡ଼ିକ ଭିତରେ "ଉରଜାମ୍‌" ଶିଳାଲେଖ ସର୍ବପ୍ରାଚ଼ୀନ ; ଏହାର ସମୟ ହେଲା ୧୫୦୧ ଖ୍ରୀଷ୍ଟାବ୍ଦ । ଅବଶ୍ଯ ତା' ପୂର୍ବରୁ ମାଧବ ବର୍ମାଙ୍କ ଖୋଦିତ ଖୋର୍ଦ୍ଧା ତାମ୍ର ଶାସନରେ କେତେକ ଓଡ଼ିଆ ଶବ୍ଦ ଦୃଶ୍ଯ ହୁଏ ; ସେପରି ପରବର୍ତ୍ତୀ ଅଭିଲେଖ ମାନଙ୍କରେ ବି ଓଡ଼ିଆ ଭାଷାର ପରିଚ଼ୟ ମିଳେ । ପଞ୍ଚମ ବଜ୍ରହସ୍ତ ଦେବଙ୍କ ପାରଳାଖେମୁଣ୍ଡି ତମ୍ବାପଟା , ତ୍ରୟୋଦଶ ଶତାବ୍ଦୀରେ ଦ୍ବିତୀୟ ନରସିଂହ ଦେବଙ୍କ ଖୋଦିତ ଦୈଭାଷିକ ଶିଳାଲେଖ , ତ୍ରୟୋଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଖୋଦିତ ଭାନୁଦେବଙ୍କ ଶିଳାଲେଖ ଉଦାହରଣୀୟ । ୧୩୯୪ ଖ୍ରୀଷ୍ଟାବ୍ଦରେ ଖୋଦିତ ଚ଼ତୁର୍ଥ ନରସିଂହ ଦେବଙ୍କ ପୁରୀ ତ୍ରିମାଳୀ ମଠ ତାମ୍ର ଫଳକ ସନନ୍ଦ , ଯାହା ଚ଼ତୁର୍ଦ୍ଦଶ ଶତାବ୍ଦୀରେ ଓଡ଼ିଆ ଭାଷା କିପରି ବଳିଷ୍ଠ ଓ ବିକଶିତ ଭାଷା ଭାବରେ ପ୍ରତିଷ୍ଠିତ ହୋଇଥିଲା ବୋଲି ତା'ର ନମୂନା ଏ ତାମ୍ର ଫଳକରୁ ଜଣାପଡ଼େ । ୧୯୩୪ ଖ୍ରୀଷ୍ଟାବ୍ଦରେ ଖୋଦିତ ଚ଼ତୁର୍ଥ ନରସିଂହ ଦେବଙ୍କର ଯାଜପୁର ସିଦ୍ଧେଶ୍ୱର ମନ୍ଦିରସ୍ଥ ସ୍ତମ୍ଭାଭିଲେଖ ଓଡ଼ିଆ ଭାଷାର ସୂଚ଼ନା ଦିଏ । ୧୯୯୫-୯୬ ଖ୍ରୀ:ଅରେ ଖୋଦିତ ଚ଼ତୁର୍ଥ ନରସିଂହ ଦେବଙ୍କ ପୁରୀ ଶଙ୍କରାନନ୍ଦ ମଠର ତାମ୍ର ଫଳକ ସନନ୍ଦ ବି ଉଦାହରଣୀୟ । ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ପ୍ରାୟ ୫୦ ପର୍ଯ୍ଯନ୍ତ ଅଭିଲେଖ ଲିଖିତ ହୋଇଥିବାର ଦୃଷ୍ଟାନ୍ତ ମିଳିଥାଏ । କେବଳ କପିଳେନ୍ଦ୍ରଦେବଙ୍କ ୨୦ଟି ଶିଳାଲେଖର ସନ୍ଧାନ ମିଳିଛି । କପିଳେନ୍ଦ୍ରଦେବଙ୍କର ରାଜତ୍ବ କାଳକୁ ଓଡ଼ିଆ ଭାଷା ସାହିତ୍ଯର ସୁବଣ୍ଣ ଯୁଗ କୁହାଯାଏ । ଏ ସମୟେ ଓଡ଼ିଆ ଭାଷା ରାଜକୀୟ ଭାଷା ଭାବରେ ଆଦର ଓ ସମ୍ମାନ ପାଇବା ସହ ପୂଣ୍ଣାଙ୍ଗ ବିକଶିତ ଭାଷା ଭାବରେ ସମୃଦ୍ଧିଲାଭ କରିଥିଲା , ଯାହା ସାରଳା ଦାସଙ୍କ ପରି ଜଣେ ବଳିଷ୍ଠ ସାହିତ୍ଯିକଙ୍କୁ ଜନ୍ମ ଦେଲା । ଗଙ୍ଗବଂଶର ଓଡ଼ିଆ ଅଭିଲେଖର ଭାଷା ବେଶଯ ଉଚ୍ଚକୋଟୀର ଥିଲା । ସୂର୍ଯ୍ଯବଂଶଙ୍କ ପରେ ଗୋବିନ୍ଦ ଦେବଙ୍କ ତୃତୀୟ ଅଙ୍କ , ଚ଼ତୁର୍ଥ ଅଙ୍କ , ପଞ୍ଚମ ଅଙ୍କ ଓ ଷଷ୍ଠ ଅଙ୍କ ଏବଂ ମୁକୁନ୍ଦଦେବଙ୍କ ନବମ ଅଙ୍କରେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିଥିଲା ।

   ଦୁଇଟି ନଦୀ "ଟାଇଗ୍ରୀସ୍‌" ଓ ୟୁଫ୍ରେର୍ଟିସ"ର ମଧ୍ଯବର୍ତ୍ତୀ ଦେଶ ମେସୋପୋଟାମିଆ , ଯାହାକୁ ଆଧୁନିକ ଇରାକ୍‌ କହନ୍ତି  । ଏ ଦୁଇ ନଦୀରେ ବାରମ୍ବାର ବନ୍ଯା ଫଳରେ ଏହାର ଚ଼ାରିପାଖେ ପଟୁ ଜମା ହୋଇ ଏକ ଉର୍ବର ଉପତ୍ୟକାରେ ପରିଣତ ହେବାରୁ ଏହା ଶସ୍ଯ ଉତ୍ପାଦନ ବୃଦ୍ଧିରେ ସହାୟକ ହେଲା ; ଫଳରେ ଏଠାରେ ଶସ୍ଯୋତ୍ପାଦନର ପ୍ରାଚୁର୍ଯ୍ୟ ବହୁ ପରିବାର ଯଥା ଧାତୁଶିଳ୍ପୀ , କୁମ୍ଭକାର , ରାଜମିସ୍ତ୍ରୀ , ବୁଣାକାର , ବଢ଼େଇ ଆଦି କୁଶଳୀ ଲୋକଙ୍କ ଅଭିବୃଦ୍ଧି ହେଲା । ସେମାନେ ତାଙ୍କର ଉତ୍ପନ୍ନ ଦ୍ରବ୍ଯକୁ ଅନ୍ଯ ମାନଙ୍କ ପାଖରେ ବଦଳ କରି ଆବଶ୍ଯକୀୟ ପଦାର୍ଥ ପ୍ରାପ୍ତ କରୁଥିଲେ । ସେମାନେ ଭାରତ ପରି ଦୂରବର୍ତ୍ତୀ ଦେଶ ସହ ବେପାର ବଣିଜ କରୁଥିଲେ । ଗମନାଗମନ ଓ ପରିବହନ ଅର୍ଥେ ଜାହାଜ , ନୌକା ଓ ଶଗଡ଼ଗାଡ଼ି ବ୍ଯବହାର କରୁଥିଲେ । ସେମାନେ ଲିଖନ କଳା ହାସଲ କରିଥିଲେ , ତାଙ୍କ ଲିପି ବିଭିନ୍ନ ପ୍ରକାରର ସାଙ୍କେତିକ ଚ଼ିହ୍ନ ଓ ଚ଼ିତ୍ରର ସମଷ୍ଟି ଥିଲା । ସେମାନେ କୀଳକ ସଦୃଶ ରେଖାମାନ ଅଙ୍କନ କରୁଥିବାରୁ ଏହି ଲିପିକୁ "କ୍ଯୁନିଫର୍ମ" ଲିପି ନାମରେ ନାମିତ ହୋଇଛି  । ମେସୋପୋଟାମିଆର ପ୍ରାରମ୍ଭିକ ସହର ଗୁଡ଼ିକ ଛୋଟ ଛୋଟ ରାଜ୍ୟ ପରି ଓ ପ୍ରତ୍ଯେକଙ୍କର ନିଜର ଶାସନ ପ୍ରଣାଳୀ ଥିଲା ; ପୂଜକ , ରାଜା , ସମ୍ଭ୍ରାନ୍ତ ବଂଶୀୟ ବ୍ଯକ୍ତିଗଣ ଶାସନର ମୁଖ୍ଯ ଥିଲେ । ତାଙ୍କ ବ୍ଯତୀତ ବ୍ଯବସାୟୀ , ସାଧାରଣ ଜନ।, କ୍ରୀତଦାସ ମାନେ ବି ଶାସନର ଅଂଶୀଦାର ଥିଲେ । ମେସୋପୋଟାମିଆର ଲୋକମାନେ ବିଭିନ୍ନ ଦେବଦେବୀଙ୍କ ପୂଜକ ଥିଲେ ; ତାଙ୍କ ମଧ୍ୟରେ ଆକାଶ , ସୂର୍ଯ୍ୟ , ଚ଼ନ୍ଦ୍ର , ଉତ୍ପାଦକ ଶକ୍ତି ଅନ୍ଯତମ ଏବଂ ପ୍ରତ୍ଯେକ ସହରର ନିଜସ୍ବ ଦେବଦେବୀ ମାନେ ଥିଲେ ।

       ନୀଳନଦୀ ତଟରେ ସୃଷ୍ଟି ହୋଇଥିଲା ଇଜିପ୍ଟ ସଭ୍ୟତା । ଏହି ନଦୀ ଦ୍ବାରା ଆନୀତ ପଟୁମାଟି ଦ୍ବାରା ଅନେକ ଅଞ୍ଚଳ ଉର୍ବର ମୁଖର ହୋଇଥିଲା । ଇଜିପ୍ଟ ରାଜା ମାନଙ୍କୁ "ଫାରୋ" କୁହାଯାଉଥିଲା । ଅନେକ ମନ୍ତ୍ରୀ ଓ କାର୍ଯ୍ୟରତ କର୍ମଚ଼ାରୀ ରାଜାଙ୍କ ନିର୍ଦ୍ଦେଶନାମାନୁସାରେ ଭୂ-ସମ୍ପତ୍ତିର ପରିଚ଼ାଳନା କରିବା ସହିତ କର ଆଦାୟ କରୁଥିଲେ । ଉଚ୍ଚ ଓ ସମ୍ମାନନୀୟ ପଦବାଚ୍ଯ ଥିଲେ ଧର୍ମଯାଜକମାନେ । ପ୍ରତ୍ଯେକ ସହରର ମନ୍ଦିର ଗୁଡ଼ିକ ଏକ ସ୍ବତନ୍ତ୍ର ଦେବତାଙ୍କୁ ଉତ୍ସର୍ଗୀକୃତ ଥିଲା । ପ୍ରାଚୀନ ଇଜିପ୍ଟର ଲିପିକୁ "ହାଇରୋଗ୍ଲାଇଫିକ୍‌" କହନ୍ତି । ବ୍ଯବସାୟୀ ଏବଂ ସୌଦାଗର ମାନେ ଜଳ ଓ ସ୍ଥଳ ଉଭୟ ପଥର ବ୍ଯବହାରକାରୀ ଥିଲେ । ସେମାନେ ପଥର କଟାଳୀ ଓ ବଢ଼େଇ ଆଦି ଦକ୍ଷ କାରିଗର ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ । ପ୍ରାଚ଼ୀନ ଇଜିପ୍ଟବାସୀଙ୍କର ଗାଣିତିକ ବିଦ୍ଯା , ଓଜନ ଓ ପରିମାପ ଉପରେ ଅଗାଧ ଜ୍ଞାନ ଥିଲା । ଫାରୋ ମାନେ ପ୍ରାଚ଼ୀନ ବିଶ୍ବରେ ପିରାମିଡ଼ ନାମରେ ବିଖ୍ଯାତ ସମାଧି , ସୌଧ ସବୁ ନିର୍ମାଣ କରିଥିଲେ ; ସେମାନେ ପୂର୍ବ ଜନ୍ମର ବିଶ୍ବାସକ ଥିଲେ । ମୃତ ଶରୀରକୁ ସାଇତି ରଖୁଥିଲେ ; ସେହି ମୃତ ଶରୀରକୁ "ମମି" କହନ୍ତି । ପିରାମିଡ଼ ରେ ସାଇତି ରଖୁଥିଲେ ମମିକୁ । 

     ଉତ୍ତର ହ୍ବାଙ୍ଗ୍‌ହୋ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା ଚୀନ୍‌ ସଭ୍ୟତା ଓ ଖ୍ରୀ.ପୂ. ୧୫୨୩-୧୧୨୨ ପର୍ଯ୍ଯନ୍ତ ଶାସନ ଡ଼ୋରି ଧରିଥିଲେ ପ୍ରଥମ ଶାସକ "ସାଙ୍ଗ" ; ସେ ଚୀନ୍‌ର ପ୍ରଥମ ସହରର ନିର୍ମାତା । ପ୍ରାଚ଼ୀନ ଚ଼ୀନ୍‌ର କଳା - ସଂସ୍କୃତିକୁ ଏହି ରାଜାଙ୍କ ଅବଦାନ ଥିଲା , ତାଙ୍କ ଶାସନ କାଳରେ ଚ଼ୀନ୍‌ ଲେଖନ ପ୍ରଣାଳୀ ସୃଷ୍ଟି ହୋଇଛି । ବିଶେଷତଃ ଏ ସମୟେ ଶିଳ୍ପୀ ମାନଙ୍କ ମଧ୍ୟେ ବ୍ରୋଞ୍ଜ ଶିଳ୍ପୀ ମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ଥିଲା ଭଲ । ଏହି 'ସାଙ୍ଗ' ରାଜବଂଶ ବିତାଡ଼ିତ ହୋଇଥିଲେ "ଝୋସ" ମାନଙ୍କ ଦ୍ବାରା । ସେମାନେ ନିଜର ସୁରକ୍ଷା ଓ ବାହ୍ଯ ଆକ୍ରମଣରୁ ବର୍ତ୍ତିବାର୍ଥେ ଶକ୍ତିଶାଳୀ ଦୂର୍ଗ ଓ ପ୍ରାଚ଼ୀର ଆବଦ୍ଧ ସହରମାନ ଗଢ଼ିଥିଲେ । 'ଝୋସ' ଶାନର ପରବର୍ତ୍ତୀ କାଳରେ ଲୌହର ପ୍ରଚ଼ଳନ ହୋଇଥିଲା ଏବଂ ପରେ ପରେ ଚ଼ୀନ୍‌ରେ ବ୍ରୋଞ୍ଜର ଅବସାନ ଘଟିଲା । ଖ୍ରୀ.ପୂ. ୨୨୧ରେ ଚ଼ୀନ୍‌ ଶାସକମାନେ ଚ଼ୀନ୍‌ରେ କ୍ଷମତାସୀନ ହେଲେ ଏବଂ ସମଗ୍ର ସାମ୍ରାଜ୍ୟରେ ଏକପ୍ରକାର ଭାଷା , ଆଇନ୍‌ ଓ ଓଜନ ଆଉ ପରିମାପକ ବ୍ଯବସ୍ଥାର ପ୍ରଚ଼ଳନ ପାଇଁ ଆଦେଶ ଜାରି କଲେ । ସେମାନେ ଏଭଳି ଶାସକ ଥିଲେ , ଯେଉଁମାନେ ଚୀନ୍‌ର ପ୍ରସିଦ୍ଧ ବୃହତ୍‌ ପ୍ରାଚୀର ବି ନିର୍ମାଣ କରିଥିଲେ । ଚୀନ୍‌ ମାନଙ୍କ ପରେ ଖ୍ରୀ:ଅ: ୨୨୦ରେ "ହୁନ୍‌" ରାଜବଂଶ କ୍ଷମତାଧୀନ ହେଲେ । ଏ ସମୟେ ଚୀନ୍‌ ବ୍ଯବସାୟୀ ମାନେ ରେଶମ ପଥ ଦେଇ (ଯାହା ମଧ୍ୟ ଏସିଆ ଓ ପାର୍ସିଆ ମଧ୍ୟ ଦେଇ ଗତି କରୁଥିଲେ) ପାଶ୍ଚାତ୍ଯ ମାନଙ୍କ ସହ ନିତ୍ଯ ସମ୍ପର୍କ ରଖୁଥିଲେ । ଚୀନ୍‌ର ଲୋକେ ବିଭିନ୍ନ ଦେବଦେବୀଙ୍କ ଉପାସକ ଥିଲେ ; ମୃତ ବ୍ଯକ୍ତିଙ୍କ ପୂଜା ଓ ପ୍ରକୃତି ଆରାଧନା ଏକ ସାଧାରଣ ବିଧି ଥିଲା । ଚୀନ୍‌ରେ କନ୍‌ ଫୁସିଅସ୍‌ ନାମକ ଜନୈକ ଧର୍ମ ପ୍ରଚ଼ାରକ ସଦାଚ଼ାରର ମୁଖ୍ଯ ପ୍ରବକ୍ତା ଥିଲେ ଯାହା ଚ଼ୀନ୍‌ର ସମାଜ ଓ ଶାସନ ପ୍ରଣାଳୀକୁ ବିଶେଷତଃ ପ୍ରଭାବିତ କରିଥିଲା । ସେ ନୈତିକତା , ବୟୋଜ୍ୟେଷ୍ଠ ପ୍ରତି ସମ୍ମାନ , ପରିବାର ପ୍ରତି ବିଶ୍ବସ୍ତତା ଏବଂ ଆଇନ୍‌ ବ୍ଯବସ୍ଥା ପ୍ରତି ମାନ୍ଯତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । 

     ଭାରତ ବ୍ରୋଞ୍ଜ ଯୁଗୀୟ ସଭ୍ଯତାର ଅଂଶବିଶେଷ ଥିଲା ଓ ଏହା ସିନ୍ଧୁନଦୀ ଓ ତା' ପାରିପାର୍ଶ୍ବିକ ଅଞ୍ଚଳରେ ବିକଶିତ ହୋଇଥିଲା ; ଏହାକୁ ସିନ୍ଧୁ ସଭ୍ୟତା କହନ୍ତି  । ଏ ସଭ୍ୟତାକୁ ଆବିଷ୍କାର କରାଯାଇଥିଲା , ୧୯୨୦ ମସିହାରେ କେତେକାଞ୍ଚଳର ମାଟି ଖନନ କାର୍ଯ୍ୟ ଆରମ୍ଭ କରି ପ୍ରତ୍ନତତ୍ତ୍ୱବିତ୍‌ମାନେ କିଛି ସୂଚ଼ନା ପାଇଥିଲେ । ପ୍ରଥମେ ହରପ୍ପା ଓ ମହେଞ୍ଜୋଦାରୋ ଆଦି କ୍ଷେତ୍ର ଗୁଡ଼ିକର ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଉକ୍ତ ସଭ୍ଯତାକୁ ହରପ୍ପା ସଭ୍ଯତା କହନ୍ତି । ଦକ୍ଷିଣ ଏସିଆରେ ପ୍ରଥମେ ସହରାଞ୍ଚଳ ସମାଜ ପ୍ରତିଷ୍ଠା ଉକ୍ତ ସଭ୍ଯତାର ଏକ ପ୍ରଧାନ ନିଦର୍ଶନ ଥିଲା । ଏହି ଲୋକମାନେ ସୁପରିକଳ୍ପିତ ସହର ଗୁଡ଼ିକରେ ସାର୍ବଜନୀନ ଅଟ୍ଟାଳିକା ରହିଥିଲା ଏବଂ ପରସ୍ପରକୁ ସମକୋଣରେ ଅତିକ୍ରମ ପ୍ରଶସ୍ତ ରାସ୍ତାମାନ ରହିଥିଲା ; ଘର ଗୁଡିକ ଇଟାରେ ତିଆରି ଓ ଦ୍ବି'ତାଲା ବିଶିଷ୍ଟ । ପ୍ରତ୍ଯେକ ଗୃହରେ କୂଅ , ସ୍ନାନାଗାର , ନାଳ , ଜଳ ନିଷ୍କାସନ ପ୍ରଣାଳୀ ଥିଲା । ସ୍ବାସ୍ଥ୍ୟ ଓ ପରିମଳ ବ୍ଯବସ୍ଥା ଉନ୍ନତ ଥିଲା । ପକ୍କାରାସ୍ତା ତା'ର ଆଲୋକୀକରଣ ବ୍ଯବସ୍ଥା ଥିଲା ; ଏ ସହରର ନିମ୍ନବର୍ତ୍ତୀ ବାସଗୃହ ଗୁଡିକ ଛଡ଼ା ବହୁ ସ୍ତମ୍ଭ ବିଶିଷ୍ଟ ବଡ଼ ପ୍ରକୋଷ୍ଠମାନ ମହେଞ୍ଜୋଦାରୋ ଅଞ୍ଚଳରେ ଆବିଷ୍କୃତ ହୋଇଛି । ସବୁଠୁ ଚ଼ିତ୍ତାକର୍ଷକ ଓ ଦର୍ଶନୀୟ ବୈଶିଷ୍ଟ୍ୟ ବୃହତ ସ୍ନାନାଗାର ଯାହାର ଲମ୍ବା ୧୮୦ ଫୁଟ ଓ ପ୍ରସ୍ଥ ୧୮୦ ଫୁଟ । ଏଠାରେ ସ୍ଥିତ ସ୍ନାନ କୁଣ୍ଡ ୩୯ ଫୁଟ ଲମ୍ବ , ୨୩ ଫୁଟ ପ୍ରସ୍ଥ ଓ ୮ ଫୁଟ ଗଭୀର । ହରପ୍ପାର ଶସ୍ଯ ଭଣ୍ଡାର ମଧ୍ୟ ବିରାଟ ଅଟ୍ଟାଳିକା ଅଟେ । ହରପ୍ପାର ଅଧିବାସୀ କୃଷି , ପଶୁପାଳନ , କଳା , ଶିଳ୍ପବୃତ୍ତି , ବଣିଜ ବ୍ଯବସାୟ ଆଦି କରୁଥିବାର ଜଣାଯାଇଛି । 

    ଏମାନଙ୍କର ମୁଖ୍ଯ ଶସ୍ଯ ଥିଲା ଗହମ , ବାର୍ଲି , ଯବ ଓ ମଟର ; ଲୋଥାଲ ଓ ରାଙ୍ଗପୁର ଠାରେ ଧାନଚ଼ାଷ କରୁଥିବାର ପ୍ରମାଣ ମିଳିଛି । କାଲିବଙ୍ଗନ ଠାରେ ଦେଖାଯାଇଥିବା ଲଙ୍ଗଳ ଗାରରୁ ସେମାନେ ଜମିକୁ ହଳ କରୁଥିବାର ପ୍ରମାଣ ମିଳିଛି । ଫସଲ ଅମଳୟେ ଦାଆର ବ୍ଯବହାର ହେଉଥିଲା ଓ ବିଭିନ୍ନ ଜଳସେଚ଼ନ ପ୍ରଣାଳୀ ଅବଲମ୍ବନ ହେଉଥିଲା ; କପା ଏକ ଉତ୍ପନ୍ନ ଦ୍ରବ୍ଯ ରୂପେ ପରିଚିତ ଥିଲା । ଗୃହପାଳିତ ପଶୁ ଭାବରେ ଥିଲେ ଗାଈ , ମେଣ୍ଢା , କୁକୁର , ବିରାଡ଼ି , କୁବ୍ଜ, ଓଟ , ଗଧ , ଷଣ୍ଢ ଆଦି ପ୍ରାଣୀମାନେ ; ଗହମ ଜାତୀୟ ଖାଦ୍ୟ , ମାଛ , ମାଂସ , ଦୁଗ୍ଧ , ଅଣ୍ଡା ଓ ଫଳ ଆଦି ଭକ୍ଷଣ କରୁଥିବାର ପ୍ରମାଣ ମିଳେ । ମୁଖ୍ଯତଃ ବ୍ରୋଞ୍ଜ , ତମ୍ବା ନିର୍ମିତ ବିଭିନ୍ନ ଉପକରଣ ଓ ଅସ୍ତ୍ରଶସ୍ତ୍ରର ବ୍ଯବସ୍ଥା ଥିଲା । ସୁନା , ରୂପା , ମୂଲ୍ଯବାନ ପଥର , ଶଙ୍ଖା , ହସ୍ତୀ ଦାନ୍ତରେ ବିଭିନ୍ନ ଅଳଙ୍କାର ତିଆରି ହେଉଥିଲା । ଲୌହର ବ୍ଯବହାର ଜଣା ନଥିଲା କିନ୍ତୁ । ଏଠି କୁମ୍ଭକାର  , ବୁଣାକାର , ରାଜମିସ୍ତ୍ରୀ , ବଢ଼େଇ , ଧାତୁଶିଳ୍ପୀ , ଅଳଙ୍କାର ବ୍ଯବସାୟୀ , ମୂର୍ତ୍ତିକାର , ପଥର ଖୋଦନକାରୀ ଆଦି କୁଶଳୀ କାରିଗର ମାନେ ଥିଲେ  । ମୋସୋପଟାମିଆ ସହିତ ହରପ୍ପାର ବାଣିଜ୍ୟ ସମ୍ପର୍କର ଦୃଷ୍ଟାନ୍ତ ମିଳେ । ସୁନା , ଟିଣ , ତମ୍ବା , ବିଭିନ୍ନ ମୂଲ୍ଯବାନ ରତ୍ନ ଥିଲା ଆମଦାନି ଦ୍ରବ୍ଯ । ହାତୀଦନ୍ତ , ମାଟିପାତ୍ର , କୃଷିଜାତ ପଦାର୍ଥ , କପା , ଅଳଙ୍କାର ଓ ଅନ୍ଯ ହସ୍ତ ନିର୍ମିତ ଦ୍ରବ୍ଯ ରପ୍ତାନି ହେଉଥିଲା । ଅନୁମାନ ଯେ , ହରପ୍ପାର ମୋହରକୁ ବାଣିଜ୍ୟ କାମରେ ବ୍ଯବହୃତ ହେଉଥିଲା । ସମାଜ ଦୁଇଟି ଶ୍ରେଣୀରେ ବିଭକ୍ତ ଥିଲା , ଯଥା - ଧର୍ମ ଓ ସଂସ୍କୃତି ଏବଂ ବୈଷୟିକ ଜ୍ଞାନ । 

     ଅନେକ ନାରୀ ମୂର୍ତ୍ତିଙ୍କୁ ଦେଖି ଅନୁମାନ କରାଯାଉଛି ଯେ , ହରପ୍ପାବାସୀ ମାତୃଶକ୍ତି ବା ଦେବୀ ଶକ୍ତିର ଆରାଧନା କରୁଥିଲେ । ଗୋଟିଏ ସିଲ୍‌ ଉପରେ ଏକ ଦେବ ମୂର୍ତ୍ତିର ପ୍ରତିକୃତି ଦେଖିବାକୁ ମିଳିଥିଲା ଯାହାଙ୍କର ପରିପାର୍ଶ୍ବ ପଶୁ ମାନଙ୍କ ଦ୍ୱାରା ପରିବେଷ୍ଟିତ ଥିଲା ଏବଂ ଯୋଗାସନରେ ଉପବିଷ୍ଟ ଥିଲେ । ଅନୁମାନ ହୁଏ ଯେ , ଏହା ଶିବ ମୂର୍ତ୍ତି । ସେ ସମୟରେ ବୃକ୍ଷ , ପଶୁ ଓ ଲିଙ୍ଗ ପୂଜାର ପ୍ରଚ଼ଳନ ଥିଲା । ସେମାନଙ୍କୁ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ଜଣା ଥିଲା । ସହର ନିର୍ମାଣର ଯାନ୍ତ୍ରିକ ପଦ୍ଧତି , ଓଜନ , ପରିମାପକ ଓ ସ୍ବାସ୍ଥ୍ୟରକ୍ଷା ସମ୍ବନ୍ଧେ ଅଧିକ ଜ୍ଞାନ ଆହରଣ କରିଥିଲେ ଏବଂ ଲିଖନ ପ୍ରଣାଳୀ ବି ଜାଣିଥିଲେ । ସେମାନେ ବ୍ଯବହାର କରୁଥିବା ଏକ ଲିପିର ବ୍ଯାଖ୍ଯା ଏଯାଏଁ ସମ୍ଭବପର ହୋଇପାରିନି । କେଉଁଥିପାଇଁ ଏହାର ପତନ ଘଟିଲା କହିବା ଜଟିଳସାଧ୍ଯ । ପ୍ରାକୃତିକ ବିପର୍ଯ୍ୟୟ ଏହାର ପତନର ମୂଳ କାରଣ ହୋଇଥାଇପାରେ । ବାରମ୍ୱାର ବନ୍ଯା , ମରୁଡ଼ି , ମୃତ୍ତିକା କ୍ଷୟ ଓ ଉର୍ବରତା ହ୍ରାସ , ବହୁଳ ମାତ୍ରାରେ କାଷ୍ଠର ବ୍ଯବହାର ହେତୁ ଜଙ୍ଗଲ ନଷ୍ଟ  , ଭୂମିକମ୍ପ , ବୃଷ୍ଟିହୀନତା , ମରୁଭୂମିର ପ୍ରସାରଣ ଏ ସଭ୍ଯତାର ଧ୍ବଂର କାରଣ । କିଛି ଗବେଷକଙ୍କ ମତରେ ମେସୋପଟାମିଆ ସହ ବୈଦେଶିକ ସମ୍ପର୍କ ଛିନ୍ନ ହେବା ସିନ୍ଧୁ ସଭ୍ଯତାର ପତନର କାରଣ ହୋଇପାରେ  । ଏକ ସହସ୍ର ବର୍ଷ ପାଇଁ ଭାରତରେ ସ୍ବାକ୍ଷରତା ଓ ସହଲୀ ଜୀବନ ଏ ସଭ୍ଯତାର ପତନାନ୍ତେ ଉଭେଇ ଯାଇଥିଲା । 

     ତିନି ହଜାରରୁ ଉର୍ଦ୍ଧ୍ବ ବର୍ଷ ପୂର୍ବେ ଲୌହ ଯୁଗର ଆରମ୍ଭ ଓ ଲୁହାର ବହୁଳ ଉତ୍ପାଦନ ହୋଇ ସାଧାରଣ ବ୍ଯବହାରରେ ଲାଗୁଥିଲା ; ତମ୍ବା ଓ ବ୍ରୋଞ୍ଜ ଠାରୁ ଅଧିକ ଶକ୍ତିଶାଳୀ ଥିଲା ଲୁହା । ଏଣୁ ଲୌହୋପକରଣ ଓ ସରଞ୍ଜାମ କୃଷି ପ୍ରସାର ପାଇଁ ଜଙ୍ଗଲ ସଫା କରି ଚ଼ାଷଜମି ଚ଼ାଷୋପଯୋଗୀ କରିବାରେ ପୂର୍ବଜ ମାନଙ୍କର ସହାୟକ ହୋଇଥିଲା । ଏଣୁ ଚ଼ାଷକାର୍ଯ୍ଯରେ ଅହେତୁକ ଉନ୍ନତି ଘଟିଲା । ଲୁହାରେ ନୂତନ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହେଲା ; ଲମ୍ବା ଓ ଓଜନିଆ ଖଣ୍ଡା , ବକ୍ର ଖଣ୍ଡା , ଲୁହା ଢ଼ାଇ , ତେଣ୍ଟା ଓ ବର୍ଚ୍ଛା ଆଦି ଯୁଦ୍ଧ ପଦ୍ଧତିରେ ପରିବର୍ତ୍ତନ ଆଣିଲା । ଏ ଯୁଗ ଏକ ବୌଦ୍ଧିକ ବିକାଶର ଯୁଗ ଥିଲା ; ଏ ଯୁଗର ମହତ୍ତ୍ୱପୂଣ୍ଣ ବିକାଶ ଥିଲା ବଣ୍ଣମାଳା ସୃଷ୍ଟି । ଇଜିପ୍ଟ , ଚ଼ୀନ୍‌ ଓ ମେସୋପଟାମିଆରେ ପୂର୍ବ ପ୍ରଚ଼ଳିତ ଛବିଲିପି ପ୍ରଣାଳୀର ଅନ୍ତ ଘଟାଇଥିଲା । ଉକ୍ତ ଲୌହଯୁଗ ସଭ୍ଯତା ଗ୍ରୀସ୍‌ , ରୋମ୍‌ , ପାର୍ସିଆ ଓ ଭାରତରେ ପ୍ରସାରିତ ହୋଇଥିଲା । 

     ଗ୍ରୀସ୍‌ ସଭ୍ଯତାରେ ସ୍ବତନ୍ତ୍ର ନଗର ରାଜ୍ଯମାନ ଗଢ଼ି ଉଠିଥିଲା ଓ ଏକ ଉନ୍ନତ ଶାସନ ବ୍ୟବସ୍ଥା ବି ବିକଶିତ ଥିଲା । ଏ ନଗର ରାଜ୍ଯ ମାନଙ୍କର ଅନନ୍ଯ ବୈଶିଷ୍ଟ୍ୟ ଥିଲା ;  ପ୍ରତ୍ଯେକ ସହରର ସୁରକ୍ଷାର୍ଥେ ଚ଼ାରିପାଶେ ଏକ ପ୍ରାଚ଼ୀର ନିର୍ମାଣ ହୋଇଥିଲା । ସହର ମଧ୍ୟରେ ଥିବା ପାହାଡ଼ ଉପରେ ଏକ ଦୂର୍ଗ ଥିଲା ଯାହାର ନାମ "ଆକ୍ରପୋଲିସ୍‌" ; ଗ୍ରୀସ୍‌ ନଗର ରାଜ୍ଯ ମାନଙ୍କ ମଧ୍ୟେ ଏଥେନ୍ସ ଓ ସ୍ପାର୍ଟା ସବୁଠୁ ଶକ୍ତିଶାଳୀ ଏବଂ ଏଥେନ୍ସ ମାନେ ଧନୀ ଓ ଶିକ୍ଷିତ ଥିଲେ । ଏମାନଙ୍କ ମଧ୍ୟେ ଲେଖକ , ଦାର୍ଶନିକ , କଳାକାର ଓ ଚ଼ିନ୍ତାଶୀଳ ବ୍ଯକ୍ତି ମଧ୍ୟ ବାସ କରୁଥିଲେ । ସମାଜ ଥିଲା ଶ୍ରମ ଭିତ୍ତିକ ଓ ଗଣତନ୍ତ୍ର ଶାସନ ଅବଲମ୍ବନ ହେଉଥିଲା  । ଗ୍ରୀସ୍‌ର ଶ୍ରେଷ୍ଠ ସୈନ୍ୟବାହିନୀ ସ୍ପାର୍ଟାରେ ଥିଲା ଓ ଯୁଦ୍ଧ କୌଶଳ ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଥିଲା । ଏଥେନ୍ସ ଓ ସ୍ପାର୍ଟା ମଧ୍ୟରେ ବୁ ପ୍ରତିଦ୍ବନ୍ଦିତା ଥିଲା । କିନ୍ତୁ ଡ଼ାନରିୟସ୍‌ ଜେରେକ୍ସ୍‌ଙ୍କର ପାର୍ସୀ ସୈନ୍ୟଦଳ ଯେତେବେଳେ ଗ୍ରୀସ୍‌ ଅଧିକାର କରିବାକୁ ଚ଼େଷ୍ଟା କରିଥିଲେ , ତାଙ୍କୁ ବିତାଡ଼ିତ କରିବାକୁ ସ୍ପାର୍ଟା ଓ ଏଥେନ୍ସ ଏକପକ୍ଷରେ ଯୁଦ୍ଧ କରିଥିଲେ । ପେରିକିଲ୍ସ୍‌ଙ୍କ କାଳରେ ଏଥେନ୍ସ ଏକ ସୁବଣ୍ଣ ଯୁଗର ସ୍ବାଦ ଚ଼ାଖିଥିଲା ; କିନ୍ତୁ ଏଥେନ୍ସ ଓ ସ୍ପାର୍ଟା ମଧ୍ୟରେ ଏକ ଦୀର୍ଘ କାଳୀନ ଯୁଦ୍ଧ ହୋଇଥିଲା , ଯାହାର ନାମ ଥିଲା "ପୋଲୋପନେସିଆନ୍‌ ଯୁଦ୍ଧ" । ୨୭ ବର୍ଷ ଯୁଦ୍ଧ ପରେ ଏଥେନ୍ସ ପରାଜିତ ହେଲା । ଗ୍ରୀସ୍‌ ଥିଲା ପାଶ୍ଚାତ୍ଯ ସଭ୍ଯତାର ଅଗ୍ରଦୂତ ଏବଂ ସକ୍ରେଟିସ , ପ୍ଲାଟୋ, ଆରିଷ୍ଟୋଟଲ ଆଦି ବିଶିଷ୍ଟ ଦାର୍ଶନିକଗଣ ଉକ୍ତ ସଭ୍ଯତାର ମୁଖ୍ଯାକର୍ଷଣ ଥିଲେ ; ସେମାନଙ୍କ ଆଦେଶକୁ ବର୍ତ୍ତମାନ ସୁଦ୍ଧା ଅଧ୍ୟୟନ କରାଯାଉଛି ।  ସେଠାରେ ହେରୋଡ଼ଟସ ଏବଂ ଥୁସିଡ଼ାଇଡ୍‌ସ ପରି ପ୍ରମୁଖ ଐତିହାସିକ , ଆର୍କିମେଡ଼ିସ , ଆରିଷ୍ଟ୍ରାକ୍ସ୍‌ ଏବଂ ଡେମୋକ୍ରିଟସ ଆଦି ବିଶିଷ୍ଟ ବୈଜ୍ଞାନିକ , ଆସିଲସ , ସୋଫେକ୍ଲିସ , ଆରିଷ୍ଟୋଫେନସ ଆଦିଙ୍କ ପରି ବିଶିଷ୍ଟ ନାଟ୍ଯକାର ସହିତ ଇଲିୟାଡ଼ ଓ ଓଡ଼ିସି ପରି ପ୍ରସିଦ୍ଧ ନାଟକର ଲେଖକ ହୋମର ବି ଜନ୍ମଗ୍ରହଣ କରିଥିଲେ । ଗ୍ରୀକ୍‌ ମାନଙ୍କର ସ୍ଥାପତ୍ୟ କଳାରେ ବିଶେଷ ଜ୍ଞାନ ଥିଲା ଓ ସେମାନେ ସୁନ୍ଦର ପ୍ରାସାଦ ଓ ମନ୍ଦିର ସବୁ ନିର୍ମାଣ କରିପାରୁଥିଲେ ; ଗ୍ରୀକ୍‌ମାନେ ଥିଲେ ଅନେକ ଦେବ ବିଶ୍ବାସୀ । ପ୍ରତ୍ଯେକ ସହରର ଓ ନିଜର ସ୍ବତନ୍ତ୍ର ରକ୍ଷାକର୍ତ୍ତା ଓ ଦେବତା ଥିଲେ । ବିଶ୍ବାସ ଥିଲା ଦେବତା ମାନେ ମାଉଣ୍ଟ ଅଲିମ୍ପସ ନାମକ ସ୍ଥାନରେ ବାସ କରୁଥିଲେ । 

     ଖ୍ରୀ.ପୂ. ୭୭୬ରେ ପ୍ରଥମେ ଆରମ୍ଭ ହୋଇଥିଲା ଅଲମ୍ପିକ ଖେଳ ଓ ଏହା ପ୍ରତି ଚ଼ାରି ବର୍ଷରେ ଥରେ ହୁଏ ଅଲମ୍ପିଆ ନାମକ ସ୍ଥାନରେ ; କ୍ରୀଡ଼ାଦିର ଆୟୋଜନ ଦେବତା ମାନଙ୍କ ଜିଅସ୍‌କୁ ସମ୍ମାନ ଦେବାର୍ଥେ ଉଦ୍ଦିଷ୍ଟ ଥିଲା । ଗ୍ରୀକ୍‌ମାନେ ଏକ ବିଶାଳ ସାମ୍ରାଜ୍ୟ ଗଢ଼ିଥିଲେ । ସହରର ସବୁ ଶାସନ ତଥା ସାଂସ୍କୃତିକ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳ ଥିଲା । କୃଷକ ମାନେ ମୁଖ୍ୟତଃ ଅଙ୍ଗୁର , ଅଲିଭ ଓ ଶସ୍ଯ ଉତ୍ପାଦନ କରୁଥିଲେ ଏବଂ ମଦ୍ୟ ଓ ଅଲିଭ ତେଲ ବିଶିଷ୍ଟ ଉତ୍ପାଦନର ବସ୍ତୁ ଥିଲା । ଇତିହାସର ମହାନ ଆଲେକଜାଣ୍ଡାର (ମାସିଡ଼ୋନିଆର ଶାସକ) ଶିରିଆ , ଇଜିପ୍ଟ , ମେସୋପଟାମିଆ , ଆଫଗାନିସ୍ଥାନ , ମଧ୍ୟ ଏସିଆ ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ଜୟ କରିଥିବା ରାଜନଙ୍କର ୩୩ ବର୍ଷ ବୟସରେ ମହାପ୍ରୟାଣ ପରେ ବିଶାଳ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ଛୋଟ ଛୋଟ ରାଜ୍ୟରେ ପରିଣତ ହେଲା । ପରବର୍ତ୍ତୀ କାଳରେ ରୋମ୍‌ ମାନଙ୍କ ଦ୍ୱାରା ଗ୍ରୀସ୍‌ ଅଧିକାର କରାଯାଇଥିଲା । 

       ଖ୍ରୀ.ପୂ. ୫୧୦ରେ ରୋମ୍‌ମାନେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ ଯାହା ଇଟାଲିର ତିବ୍ବତ ନଦୀକୂଳରେ ଥିଲା , ଏହା ଏକ "ସିନେଟ୍‌" ଦ୍ବାରା ଶାସିତ ହେଉଥିଲା ଯାହା ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କୁ ନେଇ ଗଠିତ ହୋଇଥିଲା । କନସଲ୍‌ମାନେ ସିନେଟର ମାନଙ୍କ ପ୍ରତିନିଧିତ୍ବ କରୁଥିଲେ ଏବଂ ସିନେଟର ମାନେ ଦି' ଜଣ କନସଲ୍‌ଙ୍କୁ ନିର୍ବାଚ଼ିତ କରୁଥିଲେ । ଖ୍ରୀ.ପୂ. ୨୦୦ ସୁଦ୍ଧା ରୋମ୍‌ , ଇଟାଲିର ଏକ ଅଗ୍ରଣୀ ଶକ୍ତି ରୂପେ ପ୍ରତିଷ୍ଠିତ ହୋଇ ସାରିଥିଲା । ଏହା ଭୂମଧ୍ୟସାଗରୀୟ ଅଞ୍ଚଳକୁ ନିୟନ୍ତ୍ରଣ କରିବାର୍ଥେ କାଥେଜ୍‌ ବଳି ପ୍ରତିଦ୍ବନ୍ଦୀ ମାନଙ୍କୁ ପରାଜିତ କରିଥିଲା । ପ୍ରାଚ଼ୀନ ରୋମୀୟ ସମାଜକୁ ସମ୍ଭ୍ରାନ୍ତ ବର୍ଗ , ସାଧାରଣ ବର୍ଗ ଓ କ୍ରୀତଦାସ ବର୍ଗ ପରି ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ ରୋମୀୟ ଅର୍ଥନୀତି 'ଦାସତ୍ବ' ଶ୍ରମ ଉପରେ ଆଧାରିତ ଥିଲା ଏବଂ ଧନୀ ବ୍ଯକ୍ତିମାନେ କ୍ରୀତଦାସ ଓ ହିସ୍ର ପଶୁ ମାନଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଥିଲା ; ସେ ସମୟେ କ୍ରୀତଦାସ ମାନଙ୍କ ବିଦ୍ରୋହ ବାରମ୍ୱାର ସଂଘଠିତ ହେଉଥିଲା  । ଖ୍ରୀ.ପୂ. ୭୪ରେ ସେହିଭଳି ଏକ ବିଦ୍ରୋହ ସ୍ପାର୍ଟାକସ ନାମକ ଏକ ବ୍ଯକ୍ତିତ୍ବଙ୍କ ନେତୃତ୍ବରେ ହୋଇଥିଲା । ରୋମ୍‌ର ଗଣତନ୍ତ୍ର ଥାଇ ବି ପ୍ରଭାବଶାଳୀ ନେତାମାନେ କ୍ଷମତା ପାଇଁ ସର୍ବଦା ଯୁଦ୍ଧ କରୁଥିଲେ । ସେଭଳି ଏକ ନେତା ଥିଲେ ଜୁଲିଅସ ସିଜର , ଯିଏ ବହୁ କ୍ଷମତା ଅକ୍ତିଆର କରି ଏକଛତ୍ରପତି ଶାସକ ହୋଇପାରିଥିଲେ । ଖ୍ରୀ.ପୂ. ୪୪ରେ ଷଡ଼ଯନ୍ତ୍ରକାରୀଙ୍କ ଦ୍ବାରା ତାଙ୍କୁ ହତ୍ୟା କରାଯାଇଥିଲା ; ଏଲାଗି ରୋମ୍‌ରେ ଏକ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଏହା ପରେ ଅଗଷ୍ଟସ୍‌ ସିଜର ରୋମ୍‌ର ପ୍ରଥମ ସମ୍ରାଟ ହୋଇଥିଲେ । 

  ।। ରୋମ୍‌ ସାମ୍ରାଜ୍ୟ ଏସିଆ , ଆଫ୍ରିକା ଓ ଇଉରୋପ ମହାଦେଶକୁ ବ୍ଯାପି ଥିଲା । ଅଗଷ୍ଟସ୍‌ଙ୍କ ରାଜତ୍ବ କାଳରେ ମହାନ୍‌ ଧର୍ମ ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟ ଜନ୍ମ ନେଲେ । ସେ ଏକ ନୂତନ ଧର୍ମ ପ୍ରଚ଼ାର କଲେ ଏବଂ ତାଙ୍କର ମତ ଥିଲା ସମସ୍ତ ମାନବ ଈଶ୍ୱରଙ୍କ ସନ୍ତାନ ; ସମସ୍ତଙ୍କୁ ଭଲପାଇବାକୁ ସେ ଉପଦେଶ ଦେଉଥିଲେ । ତାଙ୍କର ମୃତ୍ଯୁ ପରେ ଖ୍ରୀଷ୍ଟଭକ୍ତ ମାନେ ତାଙ୍କ ବାଣୀ ପ୍ରଚ଼ାର କରିଥିଲେ । ରୋମ୍‌ର ସବୁ ସ୍ଥାନରେ ସ୍ନାନାଗାର , ମନ୍ଦିର ,ପ୍ରାସାଦ , ନାଟ୍ଯଶାଳା ସହିତ ବଡ଼ ସହର ନିର୍ମାଣ କରାଯାଉଥିଲା । ପ୍ରଦେଶ ଓ ଗ୍ରାମାଞ୍ଚଳ ଗୁଡ଼ିକରେ ରୋମ୍‌ବାସୀ ବୃହତ ଆରାମଦାୟକ କୃଷି ଉଦ୍ୟାନସ୍ଥ ଗୃହମାନ ନିର୍ମାଣ କରୁଥିଲେ , ଏ ଗୃହର ନାମ ଥିଲା 'ଭିଲା' । ରୋମ୍‌ ସାମ୍ରାଜ୍ୟକୁ ଅନେକ ପ୍ରଦେଶରେ ବିଭକ୍ତ କରାଯାଇଥିଲା ଓ ପ୍ରତ୍ଯେକ ପ୍ରଦେଶରେ ଜଣେ ଜଣେ ଶାକ ଶାସନ କରୁଥିଲେ ; ତାଙ୍କ ପାଖରେ ଅନେକ ଅଧସ୍ତନ କର୍ମଚ଼ାରୀ କାମ କରୁଥିଲେ ଯେଉଁମାନେ ଶାଣକଳର ବିଭିନ୍ନ ବିଭାଗର ତଦାରଖ କରୁଥିଲେ । ରୋମ୍‌ ସୈନ୍ୟ ବିଭାଗରେ ମୁଖ୍ଯ ଯୁଦ୍ଧ ବିଭାଗ ଥିଲା "ଲିଜିୟନ" ଯାହା ୫୦୦୦ ସୈନ୍ୟ ବିଶିଷ୍ଟ ଥିଲା ଓ ଏହା ଦାୟିତ୍ବରେ ଜଣେ ସେନାପତି ଥିଲେ ; ରୋମ୍‌ ସାମ୍ରାଜ୍ୟ ସମ୍ରାଟଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେଉଥିଲା , କିନ୍ତୁ ତାଙ୍କର କ୍ଷମତା ସମ୍ପୂଣ୍ଣରୂପେ ସୈନ୍ୟ ଶକ୍ତି ଉପରେ ନିର୍ଭରଶୀଳ ଥିଲା । ଖ୍ରୀ:ଅ: ୩୯୫ ସୁଦ୍ଧା ରୋମ୍‌ ସାମ୍ରାଜ୍ୟକୁ ଶାସନର ସୁବିଧାର୍ଥେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ; ଖ୍ରୀ:ଅ: ୪୭୬ରେ ରୋମାନ୍‌ ସାମ୍ରାଜ୍ୟର ଉତ୍ତର ଭାଗର ପତନ ହେବା ପରେ ବି ପୂର୍ବଭାଗ (ରାଜଧାନୀ ବାଇଜାନଟିଅମ୍‌) ତିଷ୍ଠି ରହିଥିଲା । ସମ୍ରାଟ କନଷ୍ଟାଣ୍ଟାଇନ ବାଇଜାନଟିଅମ୍‌କୁ ଏକ ନୂତନ ନାମ "କନଷ୍ଟାଣ୍ଟିନୋପଲ" ଦେଇଥିଲେ । ଏହା ପ୍ରାଚ଼୍ଯ ଖ୍ରୀଷ୍ଟଧର୍ମାବଲମ୍ବୀ କେନ୍ଦ୍ରସ୍ଥଳୀ ଥିବା ସହିତ ବାଇଜାନଟାଇନ ସମ୍ରାଟ ମାନଙ୍କ ରାଜଧାନୀରେ ପରିଣତ ହୋଇଥିଲା । 

      ଲୌହଯୁଗର ପର୍ସିଆ (ଆଧୁନିକ ଇରାନ)ରେ ଆର୍ଯ୍ଯମାନେ ବସବାସ କରୁଥିଲେ ଓ ତାଙ୍କର ଏକ ଶାଖା ଯାହା "ମେଡ଼ିସ" ନାମରେ ପରିଚ଼ିତ , ଦେଶର ପଶ୍ଚିମ ଭାଗରେ ବସତି ସ୍ଥାପନ କରିଥିଲେ ; ଅନ୍ୟ ଏକ ଶାଖା ଦକ୍ଷିଣ ଓ ପୂର୍ବ ଭାଗ ଅଧିକାର କଲେ ଯାହାକୁ "ପାର୍ସୀ" କୁହାଗଲା । ମେଡ଼ିସ୍‌ ମାନେ ଇରାନର ବିସ୍ତୀଣ୍ଣାଞ୍ଚଳକୁ ନେଇ ଏକ ଶକ୍ତିଶାଳୀ ରାଜ୍ଯ ଗଠନ କଲେ ; ପ୍ରଥମେ ତାଙ୍କ ଆଧିପତ୍ୟକୁ ପାର୍ସୀମାନେ ସ୍ବୀକାର କରିବାକୁ ବାଧ୍ଯ ହେଲେ । ଖ୍ରୀ.ପୂ. ୫୫୦ରେ ପର୍ସିଆର ଏକତ୍ରୀକରଣ କରିଥିଲେ ସାଇରସ ନାମକ ଏକ ପାର୍ସୀ ରାଜା ; ସେ ଏକ ସୈନ୍ୟବାହିନୀ ଗଠନ କରି ବେବିଲୋନ , ଆସିରିଆ ଓ ଏସିଆ ମାଇନର ଜୟଲାଭ କରିବାକୁ ସକ୍ଷମ ହୋଇଥିଲେ । ଆର୍ଜିମେନିୟା ରାଜବଂଶର ରାଜା ଡ଼ାରିଅସ ପ୍ରଥମ ପର୍ସିଆର ସର୍ବଶ୍ରେଷ୍ଠ ସମ୍ରାଟ ଥିଲେ ଯାହାର ସାମ୍ରାଜ୍ୟ ସିନ୍ଧୁନଦୀଠୁ ଭୂମଧ୍ୟସାଗର ପୂର୍ବତଟ ଯାଏଁ ବିସ୍ତୃତ ଥିଲା ; ଖ୍ରୀ.ପୂ. ୫୧୮ରେ ସେ ପର୍ସିପଲିସ୍‌ରେ ତାଙ୍କର ରାଜଧାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ଶାସନ କାଳରେ ପର୍ସିଆରେ କଳା , ସ୍ଥାପତ୍ୟ ଓ ନିର୍ମାଣ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲା । ସେ ମଧ୍ୟ ଏକ ଶକ୍ତିଶାଳୀ ନୌବାହିନୀ ଗଠନ କରିଥିଲେ , ତାକୁ "ସତ୍‌ରାପ" କହନ୍ତି । ଏମାନେ ବଳିଷ୍ଠ ଯୋଦ୍ଧା ଓ ଏମାନଙ୍କର ଥିଲା ଅଶ୍ବବାହିନୀ , ନୌବାହିନୀ ଆଦି ଯୁଦ୍ଧ ବିଭାଗ ; ଲୌହାସ୍ତ୍ର ବ୍ଯବହାର କରୁଥିଲେ । ଖ୍ରୀ.ପୂ. ୩୩୧ରେ ଆଲେକଜାଣ୍ଡାରଙ୍କ ଦ୍ବାରା ପରାସ୍ତ ହୋଇ ବି ସଭ୍ଯତାର ଅନ୍ତ ହୋଇ ନଥିଲା ; ସଭ୍ଯତା ଓ ସଂସ୍କୃତି ପାର୍ଥିଆ ଓ ଶସାଣ ସମ୍ରାଟ ମାନଙ୍କ ଅଧିନରେ ଥିଲା ଓ ଖ୍ରୀ:ଅ:୭ମ ଶତାବ୍ଦୀରେ ସେମାନେ ଆରବୀୟ ମାନଙ୍କ ଦ୍ୱାରା ପରାଜିତ ହୋଇଥିଲେ । 

     ଭାରତୀୟ ଆର୍ଯ୍ଯ ମାନଙ୍କ ପରି ପାର୍ସୀମାନେ ବି ପ୍ରକୃତି ପୂଜକ ଥିଲେ ; ସୂର୍ଯ୍ୟ , ଆକାଶ ଓ ଅନ୍ଯ କେତେକ ଦେବତା ବିଶ୍ବାସୀ ଥିଲେ ଏବଂ ନିଆଁକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରୁଥିଲେ । ପଶୁବଳି ଓ ଅଗ୍ନି ସମ୍ପର୍କୀୟ ବିଭିନ୍ନ ବିଧି ଓ ପ୍ରଥା ପାଳନ କରୁଥିଲେ । ପର କାଳରେ ଏକ ଧର୍ମଯାଜକ ଜୋରାଷ୍ଟର ପ୍ରଚ଼ାର କଲେ ଯେ - "ଆହୁର ମଜଦା" ସବୁ ଦେବତାଙ୍କଠୁ ବଡ଼ ଓ ସେ ସ୍ବର୍ଗ ଆଉ ଆଲୋକର ଦେବତା , ଯିଏ ମଣିଷକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଥା'ନ୍ତି ।" ତାଙ୍କ କହିବା ଅନୁସାରେ ଜୀବନ ଭଲ (ଆଲୋକ) ଓ ମନ୍ଦ (ଅନ୍ଧାର) ମଧ୍ୟରେ ଏକ ଅବିରତ ଯୁଦ୍ଧ ; ଏମାନଙ୍କ ଧର୍ମଗ୍ରନ୍ଥକୁ " ଜେନ୍ଦ୍‌-ଅଭେସ୍ତା" କୁହାଯାଏ । 

     ମାନବର ଇତିହାସ ବିସ୍ତୃତ ; ଏହି ଧାତୁଯୁଗ ଆମ ପୂର୍ବ ସ୍ଥିତିର ସୂଚ଼ନା ପ୍ରଦାନ କରେ । ଇତିହାସ ପୃଷ୍ଠାରେ ରୌପ୍ୟ ଲିପିରେ ରଚ଼ିତ ଏ ଗାଥା ଆମର ଜ୍ଞାନଗର୍ଭକ । ଏସବୁ ଜାଣିଲେ ହିଁ ମାନବ ଜନ୍ମର ସାର୍ଥକତାକୁ ସହଜରେ ଉପଲବ୍ଧି କରିହେବ । ପାଠକ ଶ୍ରେଷ୍ଠ ବିଚ଼ାରକ , ତେଣୁ ଜ୍ଞାତାର୍ଥେ ଉପସ୍ଥାପନ କଲି । 

---------------------------------------------------------
 ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 
୮୯୧୭୪୮୦୫୩୬ 
---------------------------------------------------------

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା