ଇସଲାମ ଧର୍ମ : ତା'ର ପ୍ରଥା ଓ ପରମ୍ପରା
- Get link
- X
- Other Apps
****************************** *
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
########################
"ଇସଲାମ" ଧର୍ମ ଏକ ଅଦ୍ବୈତବାଦୀ ଆବ୍ରାହଅମୀୟ ଧର୍ମ ; ଏହା ଇସଲାମ ଧର୍ମଗ୍ରନ୍ଥ "କୋରାନ" ଦ୍ବାରା ପ୍ରଚ଼ାରିତ ହୋଇଥାଏ ଏବଂ ଈଶ୍ୱରଙ୍କ ପ୍ରଚ଼ାରିତ ବାଣୀର ଅକ୍ଷରେ ଅକ୍ଷରେ ସମାନ ଭାବରେ ପ୍ରଚ଼ାରିତ ହୋଇଥାଏ । ଏହି ଧର୍ମପନ୍ଥୀଙ୍କୁ ମୁସଲିମ କୁହାଯାଏ ଏବଂ ଏ ଧର୍ମର ପ୍ରବର୍ତ୍ତକ ଥିଲେ ହଜରତ୍ ମହମ୍ମଦ । ଏହି ଧର୍ମର ପ୍ରଥମ ଓ ମୁଖ୍ଯ ଧର୍ମନୀତି ହେଲା ଏକେଶ୍ବରବାଦ ; ଏ ଧର୍ମ ବିଶ୍ବାସ ଅନୁସାରେ ଆଲ୍ଲା ହିଁ ଜଗତର ଏକମାତ୍ର ପ୍ରଭୁ ଏବଂ ମହମ୍ମଦ ତାଙ୍କର ଜନୈକ ପଏଗମ୍ବର ଅର୍ଥାତ୍ ପୃଥିବୀକୁ ପ୍ରରିତ ଦୂତ ଅଟନ୍ତି । ମୁସଲମାନ ଶବ୍ଦଟିର ଅର୍ଥ "ଭକ୍ତିପୂର୍ଣ୍ଣ ଭକ୍ତ"। ଯେ' ଏହି ଧର୍ମର ଏକେଶ୍ବରବାଦକୁ ଅମାନ୍ୟ କରନ୍ତି ସେମାନେ "କାଫେର" ବା "ବିଧର୍ମୀ" ଏବଂ କାଫେର ମାନଙ୍କ ସହିତ "ଯିହାଦ" ବା ଧର୍ମଯୁଦ୍ଧରେ ପ୍ରାଣତ୍ୟାଗ କଲେ ଅନନ୍ତ ସ୍ବର୍ଗଲାଭ ହୁଏ । ମୁସଲମାନମାନେ ଶୂକର ମାଂସ ଭକ୍ଷଣ ଓ ମଦ୍ୟପାନ କରିପାରିବେ ନାହିଁ ; ଚ଼ାରୋଟିରୁ ଅଧିକ ପତ୍ନୀ ବିବାହ କରିପାରିବେନି ।
ମହମ୍ମଦ ଜଣେ ଆରବ୍ଯ ଧାର୍ମିକ ନେତା । ମୁସଲମାନ ମାନେ ବିଶ୍ବାସ କରନ୍ତି ଯେ , ସେ ପ୍ରେରିତ ଦୂତ ଅର୍ଥାତ୍ ଆଲ୍ଲାଙ୍କ ସନ୍ଦେଶ ବାହକ ଯାହାଙ୍କୁ ଆଲ୍ଲା (ଆଲ୍ଲାହ) ଜିବ୍ରାଏଲ ନାମକ ଦେବଦୂତ (ଫରିସ୍ତା)ଙ୍କର ଜରିଆରେ କୁରାନର ସନ୍ଦେଶ ଦେଇଥିଲେ । ହଜରତ୍ ମହମ୍ମଦ ଆରବର ମକ୍କା ନଗରୀରେ ଖ୍ରୀ. ୫୭୦ରେ କୋରେଶ୍ ବଂଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଅବଦୁଲା ଓ ମାତା ଥିଲେ ବିବି ଅମିଲା ; ତାଙ୍କର ପାଳିତା ମା'ଙ୍କ ନାମ ହାଲିମା ବିବି । ମହମ୍ମଦଙ୍କର ୮ଟି ସ୍ତ୍ରୀ ଥିଲେ ଏବଂ ସବୁ ସ୍ତ୍ରୀଙ୍କ ମଧ୍ୟେ ସବୁଠୁ ବେଶି ସୁନ୍ଦରୀ ଥିଲେ "ଖାଦିଜା" ; ଖାଲି ସୁନ୍ଦରୀ ନୁହେଁ ଗୁଣବତୀ ମଧ୍ୟ । ତାଙ୍କ ଗର୍ଭଜାତ ପୁତ୍ରଙ୍କ ନାମ ଆବୁ ତୟବ , ଆବୁ ତହେର ଏବଂ କନ୍ୟା ନାମ ଫାତିମା ଜୋହୋରା ; ଏହି କନ୍ଯା ମହମ୍ମଦଙ୍କ ଖୁଡ଼ୂତା ପୁଅ ଭାଇ ଆଲିଙ୍କୁ ବିବାହ କରିଥିଲେ । ଫାତିମା ଜୋହୋରା ଥିଲେ ରୂପବତୀ , ଗୁଣବତୀ ଏବଂ ଧାର୍ମିକା । ମହମ୍ମଦଙ୍କ ପିତୃବ୍ୟଙ୍କ ନାମ ଆବୁତାଲିବ୍ ଏବଂ ପିତାମହଙ୍କ ନାମ ଅବଦୁଲ୍ ମୋତଲବ୍ । ଅଳ୍ପ ବୟସରେ ୟା'ଙ୍କର ପିତୃ ବିୟୋଗ ଘଟିବାରୁ ଏ ଜଣେ ଧନୀ ବଣିକଙ୍କ ପଣ୍ଯବାହୀ ଉଷ୍ଟ୍ର ଚ଼ାଳକ ରୂପେ ୨୫ ବର୍ଷ ବୟସ ଯାଏଁ ବହୁ ଦୁଃଖରେ କାଳାତିପାତ କରିଥିଲେ ; ତତ୍ପରେ ଖାଦିଜା ନାମ୍ନୀ ଜଣେ ଧନୀ ବିଧବାଙ୍କ ପାଣିଗ୍ରହଣ କରିବାରୁ ସୁଖ ପ୍ରାପ୍ତି କଲେ । ଏହାଙ୍କର ବାଲ୍ଯ କାଳେ ବିଦ୍ଯା ଶିକ୍ଷାଲାଭ ହୋଇନଥିଲେ ହେଁ ସ୍ବଭାବତଃ ଚ଼ିନ୍ତାଶୀଳ ଥିଲେ ; ଆରବବାସୀଙ୍କ ପୌତ୍ତଳିକତା , ତଜ୍ଜନିତ ମତଭେଦ ଓ ବିବାଦ ଦେଖି ଇଏ ବ୍ଯଥିତ ହୋଇଥିଲେ । ଏକ ଗିରିଗୁହାକୁ ଯାଇ ଧ୍ଯାନମଗ୍ନ ହୋଇ ତପସ୍ୟା କରିବା ବେଳେ ଈଶ୍ବର ଗେବ୍ରୀଏଲ୍ ନାମକ ସ୍ବର୍ଗଦୂତ ଦ୍ବାରା ଏହାଙ୍କୁ ଈଶ୍ବରଙ୍କ ଆଜ୍ଞା ସମସ୍ତ (ଏକେଶ୍ବରବାଦ ଆଦି) ଶୁଣାଇଥିଲେ ଓ ସେହି ଆଜ୍ଞା ସବୁକୁ ମହମ୍ମଦ "କୋରାନ" ରୂପେ ପ୍ରଚ଼ାର କଲେ । ଏହି ଏକେଶ୍ବରବାଦ ଧର୍ମର ପ୍ରଚ଼ାର ମହମ୍ମଦଙ୍କର ୪୦ ବର୍ଷ ବୟସରେ ଆରବ୍ଧ ହେଲା । ପ୍ରଥମେ ଏହାଙ୍କର ପତ୍ନୀ ଓ ଦୁଇଜଣ ବ୍ଯକ୍ତି ମାତ୍ର ଏହାଙ୍କର ମତ ଗ୍ରହଣ କଲେ ; କ୍ରମେ କ୍ରମେ ଏହାଙ୍କ ଶିଷ୍ୟଙ୍କ ସଂଖ୍ଯାରେ ପରିବୃଦ୍ଧି ହେଲା । କିନ୍ତୁ ମକ୍କାବାସୀ ଏହାଙ୍କ ପ୍ରଚ଼ାରିତ ଧର୍ମ ବିରୋଧୀ ହୋଇ ନାନାଦି ଉତ୍ପୀଡ଼ନ ଆରମ୍ଭ କରିଦେଲେ । ସର୍ବଶେଷେ ମହମ୍ମଦ ମଦିନା ନଗରକୁ ଗଲେ ଓ ଏହାଙ୍କର କିଛି ଶିଷ୍ୟ ଆଫ୍ରିକାର ଆବିସିନିଆକୁ ଗଲେ । ଆତ୍ମରକ୍ଷା ପାଇଁ ମହମ୍ମଦଙ୍କୁ ଅସ୍ତ୍ର ଧାରଣ କରିବାକୁ ପଡ଼ିଥିଲା । କ୍ରମଶଃ ଏହାଙ୍କ ଶିଷ୍ୟ ବଢ଼ିଲେ ଓ ଆରବ ଦେଶ ତମାମ ଏ ଧର୍ମର ପ୍ରଚ଼ାର କଲେ ; କ୍ରମେ କ୍ରମେ ମହମ୍ମଦ ସେନା ନାୟକ ହୋଇ ଅନେକ ସ୍ଥାନ ଓ ନଗର ଅଧିକାର କଲେ । ୬୩୨ ଖ୍ରୀଷ୍ଟାବ୍ଦରେ ୫୨ ବର୍ଷ ବୟସରେ ଏହାଙ୍କର ଦେହାନ୍ତ ହେଲା ଓ ଏହାଙ୍କ ପ୍ରବର୍ତ୍ତିତ ଧର୍ମ ଇସଲାମ ଆଉ ଏହି ଧର୍ମାବଲମ୍ବୀ ମୁସଲମାନ ନାମରେ ଖ୍ଯାତ ହେଲେ ।
ମହମ୍ମଦ ମଦିନାକୁ ଯିବା ସମୟ (୬୨୨ ଖ୍ରୀଷ୍ଟାବ୍ଦ) ଠାରୁ ମୁସଲମାନ ମାନଙ୍କର "ହିଜିରୀ" ସନର ଗଣନା ଆରମ୍ଭ ହେଲା । ମକ୍କାରୁ ମଦିନା ଯିବା ପରେ ବିଧର୍ମୀ ମାନେ ସେଠି ବି ଶାନ୍ତିରେ ରଖାଇ ଦେଲେନି ; ସେଠି ବିଧର୍ମୀ ମାନଙ୍କ ସହ ଯୁଦ୍ଧ କରି ମହମ୍ମଦ ପରାସ୍ତ ହେଲେ । ମହମ୍ମଦଙ୍କ ପୂର୍ବେ ମକ୍କା ନଗରୀରେ ଯେଉଁ ମନ୍ଦିରରେ ପ୍ରତିମା ପୂଜା କରାଯାଉଥିଲା ମହମ୍ମଦ ତାକୁ ହିଁ ପ୍ରଥମେ ଏକେଶ୍ବରବାଦ ଉପାସନା ମନ୍ଦିରରେ ପରିଣତ କଲେ । ବର୍ତ୍ତମାନ ମକ୍କା ନଗରୀର ଏ ମନ୍ଦିର ବା "କବ୍ବା" ପ୍ରକାରାନ୍ତରେ 'କାବା' ମୁସଲମାନ ମାନଙ୍କର ଏକ ପ୍ରଧାନ ତୀର୍ଥ ; ପ୍ରତିବର୍ଷ ଏଠାରେ "ହଜ୍" (ଈଶ୍ବରଙ୍କ ନାମରେ ଉତ୍ସର୍ଗୀକୃତ ପୂଜା) କରିବାକୁ ଲକ୍ଷ ଲକ୍ଷ ମୁସଲମାନ ଯାତ୍ରୀଙ୍କର ଭିଡ଼ ହୁଏ । ମୁସଲମାନ ମାନଙ୍କ ପୂଜିତ ଆଲ୍ଲାଙ୍କ ପ୍ରାର୍ଥନା ରୂପେ "ଆଲ୍ଲୋପନିଷଦ" ନାମରେ ଏକ ସୂକ୍ତ ଅଥର୍ବ ବେଦରେ ଲିଖିତ ଅଛି ଓ ତହିଁରେ ମହମ୍ମଦଙ୍କ ନାମ ଉଲ୍ଲେଖ ଅଛି । ଇସଲାମ ଧର୍ମଗ୍ରନ୍ଥ ଆରବୀ ଭାଷାରେ ଲିଖିତ ଓ ଏହି ଗ୍ରନ୍ଥକୁ ୩୦ ଭାଗରେ ବିଭକ୍ତ କରାଯାଇଛି ; ପ୍ରତି ଭାଗକୁ 'ପାରା' କହନ୍ତି ଆଉ 'ପାରା' ମାନଙ୍କ ଶ୍ଳୋକକୁ ସୁରା କହନ୍ତି । ଏ ଗ୍ରନ୍ଥକୁ ମୁସଲମାନ ମାନେ ମାନ୍ଯରେ "କୁରାନ ସରିଫ" ବା "କୁରାନ ମଜୀଦ୍" ବୋଲି କହନ୍ତି । "କୋରାନ" ଅନୁସାରେ ମୁସଲମାନଙ୍କର ପାଞ୍ଚୋଟି କର୍ତ୍ତବ୍ୟ ଥାଏ , ତା' ହେଲା - କଲମା , ନମାଜ , ରୋଜା , ଜକାତ ଏବଂ ହଜ୍ । ଏକେଶ୍ବରବାଦ କଲମା ("ଲା ଇଲାହ୍ ଇଲ୍ଲିଲାହ୍ ମହମ୍ମଦଉର୍ ରସୂ ମିଲ୍ଲାହ୍" ଅର୍ଥାତ୍ - ଈଶ୍ବର ଏକ ମହମ୍ମଦ ତାଙ୍କର ଦୂତ) ପଢ଼ିବା ।
କୋରାନର ସୁରା(ମନ୍ତ୍ର)ପାଠ ପୂର୍ବକ ଆଲ୍ଲାଙ୍କୁ ଡ଼ାକି ସ୍ତୁତିପାଠ ଏବଂ ନମସ୍କାର କରିବାକୁ "ନମାଜ" କହନ୍ତି । ମୁସଲମାନ ମାନେ ପ୍ରତ୍ଯହ ପାଞ୍ଚଥର ନମାଜ ପାଠ କରିବାର ବିଧି ପ୍ରଚ଼ଳିତ । ହାତ-ଗୋଡ଼-ମୁହଁ ଧୋଇ ଏକ ମୂସଲ୍ଲା(ସ୍ବତନ୍ତ୍ର ଆସନ)ରେ ଆଣ୍ଠୁମାଡ଼ି ବସି ଓ ଛିଡ଼ା ହୋଇ ମୁଣ୍ଡ ତଳକୁ ଲଗାଇ ମକ୍କା ଆଡ଼କୁ ମୁଖ କରି ନମାଜ ପାଠ କରାଯାଏ । ଦୈନିକ ନମାଜ ପାଠ ସହ ମୁସଲିମ ମାନେ ପ୍ରତି ଶୁକ୍ରବାର ଦିନ ମସଜିଦରେ ଏକାଠି ହୋଇ ଈଶ୍ବରୋପାସନା କରନ୍ତି ଯାହାକୁ "ଯୁମା ନମାଜ" କହନ୍ତି ; ଏହି ବିଶେଷ ନମାଜ ଇଦ୍ ଦିନ ୯ଟାରୁ ୧୧ଟା ଯାଏଁ କରାଯାଏ । ନମାଜର ମର୍ମ ହେଉଛି - "ଈଶ୍ବର ଏକମାତ୍ର ପ୍ରଭୁ , ତାଙ୍କ ଛଡା ଦ୍ବିତୀୟ କେ' ନାହିଁ । ମହମ୍ମଦ ଈଶ୍ବରଙ୍କ ପୈଗମ୍ବର (ପୃଥିବୀକୁ ପ୍ରରିତ ଦୂତ) , ତାଙ୍କୁ ସର୍ବେ ପ୍ରଶଂସା କରିବା ଉଚିତ୍ ।" ନମାଜ ପଢ଼ିବାର ସମୟ ବି ନିର୍ଘଣ୍ଟ ହୋଇଛି ; ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ୍ ବଡ଼ିଭୋର ୪ଟା ବେଳେ ନମାଜ ପଢ଼ିବାକୁ "ଫଜର୍" କୁହାଯାଉଥିବା ବେଳେ ଦ୍ବିପ୍ରହର ପରେ ଅର୍ଥାତ୍ ଅପରାହ୍ନ ୧ଟା ବେଳେ ନମାଜ ପଢ଼ିବାକୁ "ଜୋହର" କହନ୍ତି । ସେପରି ସୂର୍ଯ୍ଯାସ୍ତର ଠିକ୍ ପରେ ନମାଜ ପଢ଼ା ହୁଏ ଯାହାକୁ କହନ୍ତି "ମର୍ଗୀବ୍" ଏବଂ ରାତି ୮ଟା ବେଳେ ପଢ଼ିବା ନମାଜକୁ "ଏସା" କହନ୍ତି । ନମାଜର ତିନୋଟି ଅଂଶ ଅଛି , ଯଥା :- ୧/ ଫର୍ଜ୍ - ଯାହା ଈଶ୍ବରଙ୍କ ଉଦ୍ଦେଶ୍ଯରେ ବୋଲାଯାଏ , ୨/ ସୂନ୍ନତ୍ - ଯାହା ହଜ୍ରତ୍ ମହମ୍ମଦ ପାଠ କରୁଥିଲେ ଏବଂ ୩/ ନଫୀଲ୍ - ଯାହା ପ୍ରାର୍ଥନାକାରୀ ନିଜର ଧର୍ମ ସାଧନାର୍ଥେ ପାଠ କରେ ।
ପ୍ରତିବର୍ଷ ରମଜାନ୍ ମାସରେ ଇଦ୍ ପର୍ବ ପୂର୍ବରୁ ୩୦ ଦିନ ନିମନ୍ତେ ଦିନସାରା ପାଳିତ ହେବା ଉପବାସ ବ୍ରତକୁ "ରୋଜା" କହନ୍ତି । ଧର୍ମଶାସ୍ତ୍ରାନୁସାରେ ଶିଶୁ , ଅତି ରୁଗ୍ଣ , ଅତ୍ଯନ୍ତ ଅକ୍ଷମ ବ୍ଯକ୍ତିଙ୍କୁ ବାଦ୍ ଦେଲେ ଅନ୍ଯ ସମସ୍ତେ ଧର୍ମତଃ ଏହି "ରୋଜା" ପାଳିବା ବାଧ୍ୟତାମୂଳକ । ଏ ଉପବାସରେ ନିର୍ଜଳ ରହିବା ବିଧେୟ ଏବଂ ରୋଜା ରଖିଥିବା ଲୋକେ ସୂର୍ଯ୍ଯାସ୍ତ ପରେ ଇଫତାର(ରୋଜାର ପାରଣା) କରନ୍ତି । ସନ୍ଧ୍ଯା ହେଲେ ନମାଜ ପଢ଼ି ସାରି ଇଫତାର କରନ୍ତି ; ରୋଜା ଖୋଲିଲା ବେଳେ ପ୍ରଥମେ ସର୍ବତ ପାନ ଓ ତା'ପରେ ଅନ୍ୟ ଖାଦ୍ଯ ଖିଆଯାଏ । ଏହି "ରମଜାନ" ଏକ ଆରବୀ ଶବ୍ଦ ଯାହାର ଆକ୍ଷରିକ ଅର୍ଥ "ଜଳିଯିବା" (ଯେଉଁ ମାସରେ ଧର୍ମ କର୍ମ ଦ୍ବାରା ପାପରାଶି ଜଳିଯାଏ) ; ଇସଲାମ ଧର୍ମର ହିଯିରୀ କ୍ଯାଲେଣ୍ଡର ଅନୁଯାୟୀ "ରମଜାନ" ମାସ ହେଲା ବର୍ଷର ନବମ ମାସ । ଏହା ସାବାନର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ ; ଇସଲାମୀୟ ପରମ୍ପରା ଅନୁସାରେ ଏହି "ରମଜାନ" ମାସ ହିନ୍ଦୁଙ୍କର କାର୍ତ୍ତିକ ମାସ ସମ ପବିତ୍ର ଓ ପୁଣ୍ଯ ମାସ ଅଟେ । ଏ ମାସରେ "ରୋଜା" (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଓ ତରାବି ନମାଜ ପଠନ ହୁଏ ।
ଇସଲାମ ଧର୍ମ ଅନୁସାରେ "ରୋଜା" ଶ୍ରଦ୍ଧାଳୁଙ୍କର ରକ୍ଷାକବଚ଼ ପରି ; ନିର୍ଜଳ ଉପବାସ ପ୍ରତ୍ଯହ ସୂର୍ଯ୍ଯୋଦୟରୁ ସୂର୍ଯ୍ଯାସ୍ତ , ଚ଼କ୍ଷୁ-କର୍ଣ୍ଣ-ନାସା-ଜିହ୍ବାଦି ଇନ୍ଦ୍ରିୟ ଗୁଡ଼ିକ ଉପରେ ସଂଯମ ଅବଲମ୍ବନ ପୂର୍ବକ ଆଲ୍ଲାଙ୍କ ସ୍ତୁତି କରିବାକୁ "ରୋଜା" କହନ୍ତି । ଏହା ବିନା "ରୋଜା" ଅସମ୍ପୁର୍ଣ୍ଣ ରହେ । ମାସସାରା ଧୈର୍ଯ୍ୟଶୀଳତା , ଆଧ୍ଯାତ୍ମିକତା , ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଆଦି ବେଶ୍ କଠୋର ଭାବେ ପାଳନ କରିବାକୁ ପଡ଼େ । ଇସଲାମ ଧର୍ମାନୁସାରେ ୨୯ ବା ୩୦ ଦିନ ପରେ ନବ ଚ଼ନ୍ଦ୍ର ଦର୍ଶନ ପରେ "ଇଦ୍-ଉଲ୍-ଫିତର୍" ଦିନ ସମାପ୍ତ ହୁଏ । "ଇଦ୍"ର ଅର୍ଥ ଖୁସି , "ଫିତର୍"ର ଅର୍ଥ ଦାନ ; "ରମଜାନ"ର ଶେଷ ରାତି ଲୋକ ମାନଙ୍କ ପାଇଁ "ମଗଫିରତ" ରାତ୍ରି ଅଟେ । ଏହି ରାତ୍ରିରେ ପ୍ରତ୍ଯେକ ବ୍ଯକ୍ତିଙ୍କୁ ଆଲ୍ଲା ଆଗାମୀ ବର୍ଷ ପାଇଁ ରୋଜି ବା ରୋଜଗାର ଦେଇଥା'ନ୍ତି । ଏ ପର୍ବ ଦାନର ମହୋତ୍ସବ ; ବର୍ଷସାରାର ଆୟର ଅଢ଼େଇ ଭାଗ ଦୀନ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୁଣ୍ଯ ପ୍ରାପ୍ତିର ବିଶ୍ବାସ ଅଛି । ସବୁରି ସୁଖ ସମୃଦ୍ଧି ପାଇଁ ମୁସଲମାନ ମାନେ ଏ ମାସରେ ଆଲ୍ଲାଙ୍କୁ ପ୍ରାର୍ଥନା କରନ୍ତି ; ଏ ମାସର ଶ୍ରେଷ୍ଠ ଦିନ ହେଉଛି "ସବେକଦର" । ଏହି ଦିନ ଇସଲାମ ଧର୍ମାବଲମ୍ବୀ ମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଏ ଧର୍ମାନୁସାରେ ଏହି ମାସକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ୧୦ ଦିନ ଆଲ୍ଲାତଲ୍ଲା ଦୟା କରନ୍ତି , ଏକାଦଶରୁ ବିଂଶ ଦିନ ଯାଏଁ ପାପୀର ପାପକୁ କ୍ଷମା ଦିଅନ୍ତି ଏବଂ ୨୧ ଦିନରୁ ତିରିଶି ଦିନ ଯାଏଁ ଦୋଜଖ (ନର୍କ) ନିଆଁରୁ ମୁକ୍ତି ଦେଇଥା'ନ୍ତି । ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ସମସ୍ତ ଇସଲାମ ଧର୍ମୀ ଏହି "ରୋଜା" ପାଳିବାକୁ ବାଧ୍ୟ । ଏ ମାସରେ ଭଲ କାମ କଲେ ୭୦ ଗୁଣା ଅଧିକ ପୁଣ୍ଯ ଅର୍ଜନ ହୁଏ ବୋଲି ବିଶ୍ବାସ । ଏ ମାସରେ ନର୍କର ଦ୍ବାର ବନ୍ଦ ଥାଏ ; ଏହି ମାସରେ ମହମ୍ମଦ ଆଲ୍ଲାଙ୍କ ବାଣୀ ପ୍ରାପ୍ତ କରିଥିଲେ । ପରମ୍ପରାନୁସାରେ ପ୍ରାତଃ କାଳେ ରୋଜା ରଖିବା ବେଳେ ଭକ୍ତମାନେ ଆଲ୍ଲା ସ୍ମରଣ ପୂର୍ବକ କହନ୍ତି - "ଆଲ୍ଲା ! ମୁଁ ଆପଣଙ୍କ ପାଇଁ ରୋଜା ରଖୁଛି , ମୋ' ରୋଜା ସ୍ବୀକାର କରନ୍ତୁ ।" ସେହିପରି ଭାବେ ରୋଜା ଖୋଲିବା ବେଳେ କହନ୍ତି - "ଆଲ୍ଲା ! ମୁଁ ଆପଣଙ୍କ ରୋଜା ରଖିଥିଲି ଓ ଆପଣଙ୍କ ଆଶୀର୍ବାଦରୁ ଖୋଲୁଛି ।"
ରୋଜା ରଖିବାକୁ ମୁସଲମାନ ମାନେ ରାତ୍ରିର ଶେଷ ପ୍ରହରେ କରୁଥିବା ବାଧ୍ୟତାମୂଳକ ଭୋଜନକୁ "ସହେରୀ" ଏବଂ ରୋଜା ଖୋଲିବା ପରେ ଯେଉଁ (ଅଳ୍ପ) ଭୋଜନ ହୁଏ ତାକୁ "ଇଫତାର" କହନ୍ତି । ରମ୍ଜାନ ମାସର ବିଶେଷ ରାତିରେ ଉଜାଗର ରହି ନମାଜ ପାଠ , କୋରାନ ପାଠ ଓ "ଆଲ୍ଲା" ନାମ ଜପକୁ "ସବେକଦର" କହନ୍ତି । ଏ ମାସର ୨୧ , ୨୩ , ୨୫ , ୨୭ , ୨୯ତମ ରାତ୍ରିରେ "ସବେକଦର" କରାଯାଏ । ୨୭ତମ ରାତିରେ ପବିତ୍ର ଧର୍ମଗ୍ରନ୍ଥ କୋରାନ ଆଲ୍ଲାଙ୍କ ନିକଟରୁ ଆସିଥିବାରୁ ଅଧିକ ଭକ୍ତ ଉଜାଗର ରହନ୍ତି । ରମ୍ଜାନ ମାସରେ ମୁସଲମାନ ସମସ୍ତେ ହିଂସା , ଦ୍ବେଷ , ପରଶ୍ରୀକାତର ଭଳି କାମରୁ ଦୂରେଇ ରହିବା ସହ ନାଚ଼-ଗୀତ ପରି ମନୋରଞ୍ଜନ ଧର୍ମୀ ଦୃଶ୍ୟ ଆଉ କଥାଚି଼ତ୍ର ଦେଖିବାକୁ ବାରଣ କରାଯାଇଛି ଏଥିରେ । ଗାଳି , କୁମନ୍ତ୍ରଣା , ମିଥ୍ୟା , ପରଚ଼ର୍ଚ୍ଚା ଓ ପର ସମାଲୋଚ଼ନାରୁ ଦୂରରେ ରୁହନ୍ତି ଏହି ଧର୍ମାବଲମ୍ବୀମାନେ ; ରହସ୍ୟ କଥା ଓ ସିନେନା ସଙ୍ଗୀତରୁ ବହୁଦୂରରେ ଥା'ନ୍ତି । କୌଣସି ଅଙ୍ଗକୁ କୁକାର୍ଯ୍ଯରେ ବ୍ଯବହାର ନକରିବାକୁ ପରାମର୍ଶ ଦିଆଯାଇଛି ; ଏସବୁ ନକରିବା ବ୍ୟକ୍ତିଟି ଅର୍ଥାତ୍ ନିୟମ ଉଲ୍ଲଂଘନକାରୀର "ରୋଜା" ମକ୍ରୁ (ଅସଫଳ) ହୋଇଥାଏ । ଏତତ୍ ବ୍ୟତୀତ ଅନ୍ଯାନ୍ଯ କାରଣରୁ ବାନ୍ତି ହେଲେ କି ଶରୀରରୁ ରକ୍ତ ଝରିଲେ ମଧ୍ୟ ରୋଜା ମକ୍ରୁ ହୁଏ । ସମସ୍ତଙ୍କୁ ଐକ୍ୟଭାବ ସୂତ୍ରେ ବାନ୍ଧି ରଖିବାର ବ୍ରତ ହେଉଛି "ରମ୍ଜାନ" ପର୍ବ ବୈଶିଷ୍ଟ୍ୟ ।
କେହି କେହି ପାଣି ପିଇ ରୋଜା ଖୋଲୁଥିବା ବେଳେ କେହି କେହି ଖଜୁରୀ କୋଳି ସେବନ କରି ରୋଜା ଖୋଲନ୍ତି । ଏହି ଖଜୁରୀ କୋଳି ସେବନ ପରମ୍ପରା ଆରବୀ ମାନେ ଆରମ୍ଭ କରିଥିଲେ ବୋଲି ଶୁଣାଯାଏ , କାରଣ ସେଠି ଏ କୋଳି ଭରପୂର ମାତ୍ରାରେ ଉପଲବ୍ଧ ହେଉଥିଲା । ଧର୍ମାର୍ଥ ନିଜ ରୋଜଗାର ଅନୁସାରେ ଦାନ ଦେବାକୁ "ଜକାତ" କହନ୍ତି ; ସ୍ବ ରୋଜଗାରର ବାର୍ଷିକ ଆୟରୁ ହଜାରକେ ୨୫ ଟଙ୍କା ହିସାବରେ ଈଶ୍ବର ଉପାସନା ଓ ଦାନ ପାଇଁ ବ୍ଯୟ ହୁଏ । ଆର୍ଥିକ ସମ୍ବଳ ଥିଲେ ମକ୍କା , ମଦିନା ଯାଇ ତୀର୍ଥ କରିବାକୁ "ହଜ୍" କୁହାଯାଏ । ମୁସଲମାନ ମାନଙ୍କର "ଜିଲ୍ହଜ୍" ମାସର ଦଶମ ଦିନ "ବକ୍ରୀଦ୍ ପର୍ବ" ପଡ଼େ । ସେଦିନ ମକ୍କାକୁ ଯାଇ "ହଜ୍" କରନ୍ତି ମୁସଲିମ । "ସିହା" ଓ "ସୁନି" ନାମରେ ମୁସଲିମ ଦୁଇ ସମ୍ପ୍ରଦାୟରେ ବିଭକ୍ତ । ବର୍ତ୍ତମାନ ମୁସଲମାନ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଏକ ନୂଆ ଶାଖା "ଆହମ୍ମଦୀ" ପ୍ରବର୍ତ୍ତିତ ହୋଇଛି ; ଏହାର ପ୍ରତିଷ୍ଠାତା "ମୀର୍ଜା ଘୁଲାମ ଅହମ୍ମଦ" । ତାଙ୍କର ଜନ୍ମ ୧୮୩୫ ମସିହା ଫେବୃଆରୀ ୧୩ ତାରିଖରେ ଓ ମୃତ୍ୟୁ ହୋଇଥିଲା ୧୯୦୮ ମସିହା ମଇ ମାସ ୨୬ ତାରିଖରେ । ଏ ହେଉଛନ୍ତି ଭାରତୀୟ ଧର୍ମ ପ୍ରଚ଼ାରକ ଓ ୟା'ଙ୍କର ଜନ୍ମସ୍ଥାନ କ୍ବାଦିନ , ଶିଖ ସାମ୍ରାଜ୍ୟରେ ଏବଂ ମୃତ୍ୟୁ ହୋଇଥିଲା ୭୩ ବର୍ଷ ବୟସରେ ଲାହୋର , ଇଂରେଜ ଶାସନାଧିନ ଭାରତରେ । ଏହାଙ୍କ ବାପା ଥିଲେ ମୀର୍ଜା ଘୁଲାମ ମୂର୍ତ୍ତଜା ଓ ମାତା ଥିଲେ ଚ଼ିରାଘ ବିବି । ମୀର୍ଜା ଘୁଲାମ ବା ହଜରତ୍ ମୀର୍ଜା ଗୋଲାମ ଅହମ୍ମଦ ଥିଲେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାସ୍ଥ କାଦୀୟାନ ନାମକ ସ୍ଥାନାଧିବାସୀ ଓ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଅହମ୍ମଦୀୟ ବା କାଦୀୟାନ ମତ ପ୍ରଚ଼ାର କରିଥିଲେ । ମହମ୍ମଦଙ୍କର ପରବର୍ତ୍ତୀ କାଳରେ ମୁସଲମାନ ଧର୍ମରେ ଯେଉଁ କେତୋଟି ମନ୍ଦ ପ୍ରଥା ପ୍ରବେଶ କରିଥିଲା ସେ ସବୁର ସଂସ୍କାର କରିଥିଲେ । ଏହାଙ୍କର ଉପାଧି ହେଉଛି ମେହଦୀ ବା ମହମ୍ମଦଙ୍କ ଈଶ୍ଵର ପ୍ରେରିତ ଶିଷ୍ୟ ।
ସେ ନିଜକୁ ବିଭିନ୍ନ ପାଶ୍ଚାତ୍ଯ ଧର୍ମାଦିର ଭବିଷ୍ଯବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷ ନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଏ ଧର୍ମର ବିଜୟ ଆନୟନରେ ସିଦ୍ଧ ହୋଇଥିଲେ ବୋଲି ଘୋଷଣା କରିଥିଲେ । ସେ ନିଜକୁ ଚ଼ତୁର୍ଦ୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ବରୀୟ ସଂସ୍କାରକ) ଓ ମୁସ୍ଲିମ ମାନଙ୍କର ପ୍ରତୀକ୍ଷିତ ମହଦି ଆଉ ପ୍ରତିଜ୍ଞାବଦ୍ଧ ମସିହା ରୂପେ ଘୋଷଣା କରିଥିଲେ । ଆହମ୍ମଦୀୟ ଆନ୍ଦୋଳନର ଅନୁଗାମୀମାନେ ଆହମ୍ମଦୀ ବା ଅହମ୍ମଦୀ ମୁସଲମାନ ଭାବେ ପରିଚ଼ିତ । ଅନ୍ୟ ମତ ଅବଲମ୍ବୀମାନେ ଏହାଙ୍କୁ ବ୍ଯଙ୍ଗୋକ୍ତିରେ କାଦିଆନୀ (କାଦିୟାନ ସ୍ଥଳର) ମୁସଲମାନ ବୋଲି କହନ୍ତି । ମୁସଲମାନ ମାନେ ଆଉ ଏକ ପର୍ବ ପାଳନ୍ତି "ମହରମ" । ଏହା ତାଙ୍କର ଖେଦ ପ୍ରକାଶକ , ପ୍ରଧାନ ଯାତ୍ରା ; ମୁସଲମାନ ମାନଙ୍କର ହିଯିରୀ ବର୍ଷର ପ୍ରଥମ ମାସ "ମହରମ ମାସ" । ଏ ମହରମ ମାସର ସପ୍ତମ ଦିବସରୁ ନବମ ଦିବସ ଯାଏଁ ତିନିଦିନ ପାଳିତ ହୁଏ ; ଏହା କୋରାନରେ କିନ୍ତୁ ନାହିଁ । ମହମ୍ମଦଙ୍କ ମୃତ୍ୟୁର ୩୪ ବର୍ଷ ପରେ ତାଙ୍କ କନ୍ୟା ଫାତିମା ଜୋହୋରାଙ୍କ ଜ୍ଯେଷ୍ଠପୁତ୍ର ଇମାମ୍ ବସନ୍ ଖଲିଫା (ଧର୍ମଗୁରୁ) ପଦରେ ଉପବେଶନ କରିବାର ଛଅମାସ ପରେ ଦାମସ୍କ୍ର ଶାସନକର୍ତ୍ତା "ମାଭିଆ" ଖଲିଫା ହେବାକୁ ଚ଼ାହିଁବାରୁ ବୃଥା ରକ୍ତପାତର ଆଶଙ୍କା ଦୂର କରିବାକୁ ହସନ୍ ତାଙ୍କୁ ଉକ୍ତ ଅଧିକାର ବା "ଖିଲାଫତ୍" ଛାଡ଼ିଦେଲେ । ତଥାପି ମାଭିଆଙ୍କ ପୁତ୍ର ଦୂଷ୍ଟ ଏଜିଦ୍ ହସନ୍ଙ୍କୁ ବିଷ ଦେଇ ମାରିଦେଲେ ; ଏଥିରେ ମଧ୍ୟ ସନ୍ତୁଷ୍ଟ ନହୋଇ ମାଭିଆର ସାନପୁଅ ହସନ୍ଙ୍କ ଭାଇ ହୋସେନ୍ଙ୍କ ସହିତ ତାଙ୍କର ୭୨ ଜଣ ସଙ୍ଗୀଙ୍କୁ ବିଶ୍ୱାସରେ "କୁଫା" ନାମ୍ନୀ ସ୍ଥାନକୁ ଡ଼କାଇ ନେଇ ସେଠି ତାଙ୍କୁ ନିରାହାର ରଖି ନିଷ୍ଠୁର ଭାବେ 'କତଲ୍' ବା ହତ୍ୟା କଲା । ଏସନେକ ଦୁର୍ଘଟଣା ମହରମ ମାସରେ ହୋଇଥିବାରୁ ଏହାର ସ୍ମରଣାର୍ଥେ ମୁସଲମାନ ମାନେ 'ମହରମ' ପାଳନ କରନ୍ତି । ଦାନ , ଭୋଜନ ଦେଇ ଏ ପର୍ବ ପାଳନ ହୁଏ । କଥିତ ଅଛି ଯେ , ତୈମୁର୍ଲଙ୍ଗ ଭାରତବର୍ଷରେ ତାଙ୍କ ସୈନ୍ୟଙ୍କ ପାଳିତ (ଖ୍ରୀ. ୧୩୯୮) ମହରମ ଉପଲକ୍ଷେ ତାଜିଆ ନିର୍ମାଣ କରି ତାଜିଆ ସହ ଶୋଭାଯାତ୍ରା କରିବା ପ୍ରକ୍ରିୟା ପ୍ରଥମେ ଆରମ୍ଭ କରିବାରୁ ଏହା କ୍ରମଶଃ ମୁସଲମାନ ମାନଙ୍କ ମଧ୍ୟେ ଚ଼ଳି ଆସୁଛି । ଏହି ପର୍ବର ନବମ ଦିବସ ଦିନ ଆକବର କରବଲ୍ଲା ଶୋକ ପ୍ରକାଶର ଚ଼ିହ୍ନ ରୂପେ ମୁସଲମାନ ମାନେ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତି । ଶୋଭାଯାତ୍ରା ସହ ସେମାନେ ବାହାର କରୁଥିବା ତାଜିଆଟି ହୋସେନ୍ଙ୍କ କଫିନ୍ ବା ଶବରଥର ପ୍ରତିକୃତି ଅଟେ । ମୁସଲମାନ ମାନେ ଏ ରଣଯାତ୍ରାର ସ୍ମରଣ ଚ଼ିହ୍ନ ସ୍ବରୂପ ହୋସେନ୍ଙ୍କ ପାପୁଲିର ପ୍ରତିରୂପ ପିତ୍ତଳର "ପାଞ୍ଜା" ବା କରତାଳ ପରି ଗୋଟିଏ ରୂପକୁ କାଗଜ ଓ ଜରିରେ ତିଆରି ବିମାନରେ ରଖି ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଯୁଦ୍ଧଯାତ୍ରା କରନ୍ତି ।
ଅଲ୍ବିଦା , ଅର୍ଥାତ୍ ଏ ଦିନ ପ୍ରାତେଃ ତାଜିଆ ଘେନି ନଗର ଯାତ୍ରା ସାରି ବିଶ୍ରାମ କରନ୍ତି ଓ ପୁନଃ ରାତିକୁ ତାଜିଆ ନେଇ ନଦୀରେ କରବଲ୍ଲା ନାମକ ଯୁଦ୍ଧକ୍ଷେତ୍ର କଳ୍ପନା କରି ବିସର୍ଜନ କରନ୍ତି । ଷଷ୍ଠ ଦିନ ଆଉଲିଆ ମାହାତମ୍ , ଅର୍ଥାତ୍ ପାଞ୍ଜାକୁ ତାଜିଆରେ ସ୍ଥାପନ କରି ଫାତିଆ (ପୂଜା) କରନ୍ତି ଏବଂ ସପ୍ତମ ବିନ ଦୋପହରିଆ ମାହାତମ୍ , ଅର୍ଥାତ୍ ଫାତିମାଙ୍କର ପୁତ୍ର - ଶୋକ ସମାଚ଼ାର ସ୍ମାରକ ସ୍ବରୂପ ଦିନ ଦ୍ବିପ୍ରହର ବେଳେ - ଫାତିଆ କରନ୍ତି । ଅଷ୍ଟମ ଦିନ ଗୁମ୍ପୁମ୍ ବା ବିଶ୍ରାମ , ଅର୍ଥାତ୍ ଏ ଦିନ ଶତ୍ରୁ ଡ଼ରରେ ଜଙ୍ଗଲ ମଧ୍ୟେ ଏକ କୂପ ମଧ୍ୟେ ହୋସେନ୍ ପଶି ରହିଥିବାରୁ ସେଦିନ କିଛି ଯାତ୍ରା ହୁଏନି । ନବମ ଦିନ ମୁସଲମାନ ମାନଙ୍କ ବିଭିନ୍ନ ଦଳମାନ ରାତିଡ଼ୁ ତାଜିଆ ବାହାର କରି ନିଜ ନିଜ ଆଖଡ଼ାରେ ଅସ୍ତ୍ରଶସ୍ତ୍ର ସଞ୍ଚାଳନ କରନ୍ତି ; ଏ ଦିନ ଯୁଦ୍ଧରେ ହୋସେନ୍ଙ୍କ ସହ ତାଙ୍କ ପକ୍ଷମାନେ ନିହତ ହୋଇଥିଲେ ।
ମୁସଲିମ ମାନଙ୍କର ପ୍ରଥା - ପରମ୍ପରା ସତରେ ନିଆରା ଓ ବିସ୍ମୟ ସୂଚ଼କ । କୌଣସି ମୁସଲିମ ସ୍ତ୍ରୀ ତା'ର ପୂର୍ବ ସ୍ବାମୀ ଆଡୁ ସନ୍ତାନ ସନ୍ତତି ଥାଇ ପୁଣି ଅନ୍ଯ ଜଣଙ୍କୁ ବିବାହ କଲେ ଓ ସନ୍ତାନ ସନ୍ତତି ଜନ୍ମ ନେଲେ ଏ ଛୁଆମାନେ ପିତାର - ମା'ର , ମାତ୍ର ତ୍ଯାଗ ସ୍ବାମୀ ଆଡୁ ହୋଇଥିବା ଛୁଆମାନେ ଉକ୍ତ ପିତାର ବୋଲି ଧରାହେବେ । ଯେଉଁମାନେ ସନ୍ତାନ ସନ୍ତତି ତା' ମାଆର ବୈଧତା ଅବୈଧ ସହବାସ ଦ୍ବାରା ଜନ୍ମ ହୋଇଥାଏ , ସେ ଛୁଆ ତା'ର ମା'ର ସନ୍ତାନ ବୋଲି ଧରାହେବେ । ସ୍ବାମୀ-ସ୍ତ୍ରୀର ସିଦ୍ଧ ବିବାହ ସନ୍ତାନ ପିତାର ବୋଲି ଧରାହେବେ । ଛୁଆ ଗର୍ଭସ୍ଥ ଥିବା ବେଳେ ପିତା-ମାତାଙ୍କର ଯଦି ସ୍ବାମୀ-ସ୍ତ୍ରୀର ସମ୍ପର୍କ ଥାଏ , ଯଦି ଛୁଆଟି ତା' ମା' ଗର୍ଭରେ ୨୮୦ ଦିନ ରହେ ଏବଂ ଯଦି ଉଭୟ ପିତା ଓ ମାତା ଛୁଆଟିକୁ ତାଙ୍କର ବୈଧ ସନ୍ତାନ ବୋଲି ଗ୍ରହଣ କରନ୍ତି ତେବେ ସେ ପିତାର ବୋଲି ଧରାଯିବ । ଯଦି ଜଣେ ମୁସଲିମ ଛୁଆ ପିତୃତ୍ୱ କୁ ଅସ୍ବୀକାର କରିବାକୁ ଚ଼ାହେଁ ତେବେ ଠିକ୍ ଛୁଆର ଜନ୍ମ ପରେ ପରେ ପିତୃତ୍ୱ ଅସ୍ବୀକାର କରିବ - "ଏ ମୋର ଛୁଆ ନୁହେଁ " । ଜନ୍ମର ଠିକ୍ ପରେ ପରେ ମନା ନକଲେ ପଛରେ ଆଉ ମନା କରିପାରିବେ ନାହିଁ । ଏଭଳି ସ୍ଥଳେ ସେ ସନ୍ତାନ ଅନ୍ଯ କାହା ଆଡ଼ୁ ହୋଇଛି ବୋଲି ଧରାଯିବ । ପିତା ଯଦି ଜନ୍ମିତ ଶିଶୁର ମା'କୁ ତା'ର ସ୍ତ୍ରୀ ବୋଲି ସ୍ବୀକାର କରେ ତେବେ ଉକ୍ତ ସ୍ବୀକାର ପିତୃତ୍ୱର ପ୍ରମାଣ ବୋଲି ଧରାଯିବ । ଯଥା - ସ୍ବାମୀ-ସ୍ତ୍ରୀ ପରସ୍ପର ବିବାହକୁ ମାନୁଥିବେ ଆଉ ସ୍ବାମୀ-ସ୍ତ୍ରୀର କିଛି ବୟସ ତାରତମ୍ୟ ନଥିବ ତେବେ ସେ ଜାଗାରେ ସନ୍ତାନର ପିତୃତ୍ୱ ନିର୍ଦ୍ଧାରଣ ହେବ ।
ମୁସଲିମ ଆଇନ୍ରେ ପୋଷ୍ଯପୁତ୍ର ଗ୍ରହଣ ବାରଣ ଅଛି ; ମାତ୍ର ଜଣେ ମୁସଲମାନ ତାଙ୍କର କୌଳିକ ପ୍ରଥାନୁଯାୟୀ ଏକ ପୋଷ୍ଯପୁତ୍ର ଗ୍ରହଣ କରିପାରେ । ବିବାହିତା ସ୍ତ୍ରୀ , ନାତି ନାତୁଣୀ , ବିବାହିତ ସ୍ତ୍ରୀର ସନ୍ତାନ ସନ୍ତତି , ଜେଜେବାପା - ଜେଜେମା' , ପୁଅର ସ୍ତ୍ରୀ , ପୋଷ୍ଯମାତା , ଅନ୍ଯ କେହି ରକ୍ତ ସମ୍ପର୍କୀୟ ଖୋରାକ-ପୋଷାକ ପାଇବାକୁ ହକଦାର ଅଟନ୍ତି । ସମ୍ବଳହୀନ ହୋଇ ନଥିବା ମୁସଲମାନ ବ୍ଯକ୍ତି ଖୋରାକ-ପୋଷାକ ପାଇବାକୁ ହକଦାର ନୁହେଁ । ସ୍ବାମୀ , ପିତା , ମାତା , ଜେଜେବାପା , ଜେଜେମା' , କୌଣସି ସନ୍ତାନ ସନ୍ତତି , କୌଣସି ପିତୃକୁଳର କକା-ଖୁଡ଼ୀମାନେ ଖାଦ୍ୟ ଓ ପୋଷାକ ଦେବାକୁ ବାଧ୍ଯ । ଜଣେ ବିବାହିତା ସ୍ତ୍ରୀ ତାଙ୍କର ବ୍ଯକ୍ତିଗତ ଆଇନ୍ ଓ କୌଣସି ଚୁକ୍ତି ବଳରେ କିମ୍ବା Cr P. C ଦ୍ବାରା ଖୋରାକ-ପୋଷାକ ଦାବି କରିପାରିବେ । ଜଣେ ସ୍ତ୍ରୀ ସ୍ବାମୀର ସକ୍ଷମାନୁସାରେ ବା ଅବସ୍ଥାକୁ ଦେଖି ଖୋରାକ-ପୋଷାକ ପ୍ରାପ୍ତ ପାଇଁ ହକଦାର , ମାତ୍ର କୋର୍ଟ୍ ଚ଼ାହିଁଲେ ସ୍ଥଳବିଶେଷରେ ପରିବର୍ତ୍ତନ କରିପାରନ୍ତି । ସ୍ତ୍ରୀ ତାଙ୍କର ବକେୟା ଚ଼ଳଣି ଅର୍ଥ କୋର୍ଟ୍ ଜରିଆରେ ଅସୁଲ କରିପାରିବେ । Debt Recovery Caseରେ ବିବାହିତ ସ୍ତ୍ରୀ ପ୍ରଥମ ଅଗ୍ରାଧିକାର ପାଇଥା'ନ୍ତି । ନାବାଳକ ପୁଅ , ଅବିବାହିତା ଝିଅ ତା'ର ବାପା , ମା' , ଜେଜେବାପା ଓ ଜେଜେମାଆ ଦ୍ବାରା ପ୍ରତିପାଳନ ହୋଇପାରିବ । ସାବାଳକ ପୁଅ ଓ ଝିଅ , ଯେଉଁମାନେ ଦରିଦ୍ର ନୁହଁନ୍ତି ସେମାନେ ତାଙ୍କର ପିତା-ମାତାଙ୍କୁ ପ୍ରତିପାଳନ କରିବେ ; ସେମିତି ଜେଜେବାପା ଓ ଜେଜେମା' ତାଙ୍କ ନାତି ନାତୁଣୀ ମାନଙ୍କ ଦ୍ବାରା ପ୍ରତିପାଳିତ ହେବେ । ଯଦି ପୁଅ ଗରିବ , ନାବାଳକ , ଅକ୍ଷମ ଥାଏ ତା'ର ସ୍ତ୍ରୀକୁ ତା' ଶ୍ବଶୁର ପୋଷିବାକୁ ବାଧ୍ୟ ରୁହେ ; ପୋଷ୍ଯପୁଅ ତା'ର ପୋଷ୍ଯ ମାଆକୁ ପରିପାଳନ କରିବ । ଏତତ୍ ବ୍ଯତିରେକ ସମ୍ବଳଯୁକ୍ତ ସମ୍ପର୍କୀୟମାନେ ତାଙ୍କ ଦରିଦ୍ର ସମ୍ପର୍କୀୟଙ୍କୁ ପ୍ରତିପାଳନ ପାଇଁ ବାଧ୍ୟ ରୁହନ୍ତି । କୌଣସି ଧର୍ମ ପରିବର୍ତ୍ତନକାରୀ ବା ଚ଼ରିତ୍ରହୀନ ପୁରୁଷ ବା ସ୍ତ୍ରୀ ଖାଦ୍ୟ - ବସ୍ତ୍ର ପାଇବା ପାଇଁ ହକଦାର ନୁହଁନ୍ତି । କୌଣସି ଲୋକ ଆଇନତଃ ଖାଦ୍ୟ - ବସ୍ତ୍ର ଦେବାକୁ ବାଧ୍ଯ ନୁହେଁ କି ଦେଇ ପୋଷି ଆସୁଛି , ପରେ ଖାଦ୍ୟ - ବସ୍ତ୍ର ଦେବାକୁ ଥିବା ଲୋକଠାରୁ ସେ ବ୍ଯୟ କରିଥିବା ଧନ ଆଦାୟ କରିପାରିବ । ଜଣେ ବିବାହିତା ସ୍ତ୍ରୀ ପ୍ରଥମେ ନିଜ ଧନରେ ଚ଼ଳି ପରେ ସ୍ବାମୀଠୁ ଆଦାୟ କରି ପାରିବାର ନିୟମ ପୂର୍ବରୁ ସ୍ଥିର ହୋଇଛି । ପୁଅ ଓ ଝିଅ ଘରଯୋଗ୍ଯା ହେବା ପରେ ସାବାଳକ ବୋଲି ଧରାଯିବ । ବିବାହ କେବଳ ଜଣେ ମାହାର ଓ ତଲାକ ପାଇଁ ମାତ୍ର ନାବାଳକ ସତ୍ବକୁ ଉଦ୍ଧାର ପାଇଁ ; ସେ ୨୧ ବର୍ଷ ହେଲେ ସାବାଳକ ବୋଲି ଧରାଯିବ ଏବଂ ଅନ୍ଯ ସମସ୍ତ କ୍ଷେତ୍ରେ ୧୮ ବର୍ଷରେ ସାବାଳକ ଧରାଯିବ । ମୁରବି ବା ଗାର୍ଡିଆନ ମାନେ ଖାଲି ନାବାଳକର ରକ୍ଷଣାବେକ୍ଷଣ ଓ ତା'ର ସମ୍ପତ୍ତିର ଦେଖାଶୁଣା ସହ ନାବାଳକ ମାନଙ୍କର ବିବାହ କ୍ଷେତ୍ରରେ ଦରକାର ହୁଅନ୍ତି ।
ଜଣେ ନାବାଳକ , ଅସୁସ୍ଥ ମସ୍ତିଷ୍କ , ଆଉ ଜଣେ ନାବାଳକ ଗାର୍ଡିଆନ ହୋଇପାରିବନି । ଜଣେ ନାବାଳକ କେବଳ ବିବାହ ସମ୍ପର୍କ ଯାଏଁ ଗାର୍ଡିଆନ ହେବ ; ସେ ଜଣେ ସୁସ୍ଥ ମସ୍ତିଷ୍କ ଲୋକ ହୋଇଥିବା ଉଚିତ୍ । କେହି କେହି ବି ଗୋଟିଏ ନାବାଳକ ବିବାହ ନିମନ୍ତେ କେବଳ ଗାର୍ଡିଆନ ହୋଇପାରିବେ । ପିତୃକୁଳର ସମ୍ପର୍କୀୟ ଯିଏକି Residuary ହିସାବରେ ସମ୍ପତ୍ତି ପାଇବେ । ମା' ବା ମାତୃକୁଳ ସମ୍ପର୍କୀୟ ଗାର୍ଡିଆନ ହେବେ ; କେହି ନଥିଲେ ସର୍ବଶେଷେ ଅଦାଲତ ତାଙ୍କର କୋର୍ଟ୍ ଗାର୍ଡ଼ ନିଯୁକ୍ତ କରିବେ । ଜଣେ ଗାର୍ଡିଆନ ଏକ ନାବାଳକ ଓ ମସ୍ତିଷ୍କ ବିକୃତି ବା କନ୍ୟାଙ୍କ ବିବାହ କ୍ଷେତ୍ରରେ ଗାର୍ଡ଼ିଆନ କାର୍ଯ୍ଯ କରିପାରିବେ । ମାତ୍ର ଅଦାଲତ ଦ୍ବାରା ଗାର୍ଡିଆନ ଅଦାଲତର ଅନୁମତି ବିନା ବିବାହ ଦେଇପାରିବେ ନାହିଁ । ଜଣେ ଗାର୍ଡିଆନ ବିବା ଦାୱାର ଅର୍ଥ ପାଇଁ ଚୁକ୍ତି ସମ୍ପାଦନ କରିବେ । କୌଣସି ନାବାଳକର ପିତା ଓ ମା' ଖୁଲା ବିବାହର ଗାର୍ଡିଆନ ହୋଇ କରାଇ ପାରିବେ । ଜଣେ ନାବାଳିକା ସାବାଳିକା ହେବା ପରେ Dissoluto marriage Act - 1939 ଦ୍ବାରା ବିବାହକୁ ସ୍ବୀକାର କରିନପାରନ୍ତି । ସେପରି ଜଣେ ବାଳକ ସାବାଳକ ପ୍ରାପ୍ତ୍ଯନ୍ତେ କୋରାନନୁଯାୟୀ ବିବାହକ ଗ୍ରହଣ କରିନପାରନ୍ତି ; ମାତ୍ର ଉପରୋକ୍ତ ବିଚ୍ଛେଦ କେବଳ ଅଦାଲତରେ ସାବ୍ଯସ୍ତ ହେବ । Right to Custody of the Person 1890 ମସିହାର ଗାର୍ଡିଆନ ଓ ୱାର୍ଡ Act ନିର୍ଦ୍ଦେଶ ମୁତାବକ ନାବାଳକର ଗାର୍ଡ଼ିଆନ ସାବ୍ଯସ୍ତ ହୁଏ । ପୁତ୍ର କ୍ଷେତ୍ରରେ ୭ ବର୍ଷ ଯାଏଁ ନାବାଳକ , କିନ୍ତୁ କନ୍ୟା କ୍ଷେତ୍ରରେ ବିବାହିତ ବା ଅବିବାହିତ ଥାଇ ତା'ର ପ୍ରଥମ ଋତୁମତୀ ଦିବସ ଯାଏଁ ନାବାଳିକା ରହେ । ମା' , ଭଉଣୀ , ଜେଜେମା' , ମାଉସୀ , ଅଜା , ଚ଼ାଚ଼ା ନଥିଲେ ପିତା , ଜେଜେବାପା , ବାପାଙ୍କର ଭାଇମାନେ ନାବାଳିକାର ଗାର୍ଡିଆନ ହୁଅନ୍ତି । ମାତ୍ର କୌଣସି କ୍ଷେତ୍ରେ Prohibited degree ଭିତରେ ନଆସୁଥିବା ପୁରୁଷ କୌଣସି କନ୍ୟା ସନ୍ତାନର ଗାର୍ଡିଆନ ହୋଇପାରିବେ ନାହିଁ । ଜଣେ ସ୍ତ୍ରୀଲୋକ ଯଦି ସେ ନାବାଳକ ବା ନାବାଳିକାର ରକ୍ତ ସମ୍ପର୍କୀୟ ନୁହେଁ ସେ ତା'ର ଗାର୍ଡିଆନ ହୋଇପାରିବନି । ଦୁଶ୍ଚରିତ୍ରା ସ୍ତ୍ରୀଲୋକ ଓ ସ୍ଦାମୀ-ଶାଶୁଠୁ ଦୂରେଇ ରହୁଥିବା ସ୍ତ୍ରୀଲୋକ ଗାର୍ଡ଼ିଆନ ପାଇଁ ଅଯୋଗ୍ୟା । ପୁରୁଷ ଯଦି ନିଷେଧ ସଂକ୍ରାନ୍ତୀୟ ନୁହେଁ ତେବେ ସେ ଗାର୍ଡିଆନ ପାଇଁ ଅଯୋଗ୍ୟ । ବାପା , ବାପାଙ୍କ କ୍ଷମତାପ୍ରାପ୍ତ ଅଧିକାରୀ , ବାପାଙ୍କ କ୍ଷମତାପ୍ରାପ୍ତଧିକାରୀଠୁ କ୍ଷମତା ଗ୍ରହଣ କରିଥିବା ଲୋକ , ଜେଜେବାପା ବା ଜେଜେବାପାଠୁ କ୍ଷମତାପ୍ରାପ୍ତଧିକାରୀ ମାନେ ଲିଗାଲ ଗାର୍ଡିଆନ ଅଟନ୍ତି । ଲିଗାଲ ଗାର୍ଡିଆନ ଭାବରେ ଅଦାଲତ ଗାର୍ଡିଆନ ନିଯୁକ୍ତ କରେ । ଯେଉଁଠି ଲିଗାଲ ଗାର୍ଡିଆନ ଓ କୋର୍ଟ୍ ଗାର୍ଡ଼ିଆନ ନଥାଏ , କେହି ମଧ୍ଯସ୍ଥି ନିଜ ଆଡୁ ନାବାଳକ ଓ ତା' ସମ୍ପତ୍ତିର ଦାୟିତ୍ବ ନିଅନ୍ତି ।
ଲିଗାଲ ଗାର୍ଡିଆନ ନାବାଳକର ସମ୍ପତ୍ତି ବିକ୍ରି , ବନ୍ଧକ କରିପାରନ୍ତି ଯଦି ସମ୍ପତ୍ତିର ଦାମ୍ ଦୁଇଗୁଣାରୁ ଅଧିକ ହେବ ଏବଂ ନାବାଳକର ରକ୍ଷଣାବେକ୍ଷଣ କରନ୍ତି । ନାବାଳକ ଉତ୍ତରାଧିକାରୀ ସୂତ୍ରେ ପ୍ରାପ୍ତ ସମ୍ପତ୍ତିରୁ ତାଙ୍କ ପିତାଙ୍କ ଋଣ ପରିଶୋଧ ନିମନ୍ତେ ଏହି ଗାର୍ଡିଆନ ଦାୟିତ୍ବ ନେବେ । ଯେଉଁଠି ସମ୍ପତ୍ତିର ଆୟଠୁ ବ୍ଯୟ ଅଧିକ , ଯେଉଁଠି ସମ୍ପତ୍ତି ନଷ୍ଟ ହେଉଥିବ ବା ଆଦାୟ କରିବା ଅସମ୍ଭବ ନତୁବା ନାବାଳକର ଉନ୍ନତି ପାଇଁ ଦରକାର ହେଲେ ନାବାଳକର ସମ୍ପତ୍ତି ଲିଗାଲ ଗାର୍ଡିଆନ ବିକ୍ରି କରିପାରିବେ । କୋର୍ଟ୍ ଦ୍ବାରା ନିଯୁକ୍ତ ଗାର୍ଡ଼ିଆନ କେବଳ କୋର୍ଟ୍ ଅର୍ଡ଼ର୍ ଅନୁସାରେ ୧୦୮ ଦଫାରେ ବର୍ଣ୍ଣିତ ବିକ୍ରିବଟା କରିପାରିବେ । ଜନୈକ De Facto Guardian ନାବାଳକର ସମ୍ପତ୍ତିକୁ କୌଣସିମତେ ବିକ୍ରି କରିପାରିବନି କି ବନ୍ଧକ ରଖି ପାରିବନି କିମ୍ବା ଅନ୍ଯାନ୍ଯ ପ୍ରକାର ହସ୍ତାନ୍ତର କରିପାରିବନି । ନାବାଳକ ଓ ତା' ସମ୍ପତ୍ତି ରକ୍ଷଣାବେକ୍ଷଣର ଆଇନ୍ ଓ ପାଗଳ ଆଉ ତା' ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଆଇନ୍ ଏକା ପ୍ରକାରର । ଜଣେ ମୁସଲମାନର ମୃତ୍ୟୁ ପରେ ତା'ର ସମ୍ପତ୍ତି ତା' ଉତ୍ତରାଧିକାରୀ ମାନଙ୍କ ଉପରେ ନ୍ଯସ୍ତ ହେବ । "ମୃତ ବ୍ଯକ୍ତି ଯାହା ସପକ୍ଷରେ will କରିଥାଏ , ଯେ will କରିଦେଇ ମରିଥାଏ ଓ will ସମ୍ପତ୍ତି ପକ୍ଷେ ଅଦାଲତ ଯାହାକୁ ନିଯୁକ୍ତି କରିଥାଏ , ଯେଉଁଠି Administrator ନଥା'ନ୍ତି ତା'ର , ଅନ୍ୟାନ୍ୟ ଉତ୍ତରାଧିକାରୀଙ୍କ ଠାରେ ସମ୍ପତ୍ତି ନ୍ଯସ୍ତ କରାଯାଏ" - ଏପରି ସ୍ଥଳେ ଉତ୍ତରାଧିକାରୀ ଅଭିଷିକ୍ତ । ପୁନଃ ସଦା will ପ୍ରୋବେଟ ହେବ ନଚ଼େତ will କାର୍ଯ୍ଯକାରୀ ହୋଇପାରିବନି କି will ବଳରେ ଉକ୍ତ ଲୋକ ଠାରେ ସମ୍ପତ୍ତିର ସତ୍ବ ଉପୁଜିବନି । ଏକ ଉତ୍ତରାଧିକାରୀ ଅନ୍ୟ ଉତ୍ତରାଧିକାରୀଙ୍କ ଠାରୁ ତା' ଅଂଶ ପ୍ରାପ୍ତ୍ଯର୍ଥେ Partion sult baa Administrator ନିଯୁକ୍ତି ପାଇଁ Sult file କରିପାରିବେ । ଏପରି ଅନେକ ଆଇନ୍ ପ୍ରଣୟନ ଅଛି , ଯାହା ବର୍ଣ୍ଣନା କରି ପ୍ରବନ୍ଧଟିକୁ ବିସ୍ତୃତ କରିହେବନି ।
ମୁସଲମାନ ସମ୍ପ୍ରଦାୟରେ ବିବାହ ପଦ୍ଧତି ପୂରା ଭିନ୍ନ । ଆରବୀ ଭାଷାରେ ମୁସଲମାନ ବିବାହକୁ 'ନିକା' କହନ୍ତି , ଯାହାର ଅର୍ଥ ଦୁଇଟି ବିଷମ ଲିଙ୍ଗର ଶାରୀରିକ ବା ଦୈହିକ ମିଳନ । ଅନ୍ଯ ଧର୍ମ ପରି କୌଣସି ଧାର୍ମିକ ସଂସ୍କାର ବହନକାରୀ ନୁହେଁ ମୁସଲମାନ ବିବାହ ; ଏହା ସମାଜରେ ଏକ ସାମାଜିକ ଚୁକ୍ତି ଭାବରେ ଗ୍ରହଣୀୟ ହୁଏ । 'ନିକା'ର ମୁଖ୍ଯ ଉଦ୍ଦେଶ୍ୟ ହେଉଛି ଯୌନ ଲିପ୍ସାର ପରିତୃପ୍ତି , ପାରସ୍ପରିକ ପ୍ରେମ , ସନ୍ତାନ ଜନ୍ମ ଓ ଲାଳନପାଳନ କରିବା ଏବଂ ନ୍ତାନ ମାନଙ୍କୁ ବୈଧାନିକ ପ୍ରସ୍ଥିତି ପ୍ରଦାନ କରିବା । ସାମାଜିକ ସ୍ବୀକୃତି ଦୃଷ୍ଟିରୁ ଏହା ଦୁଇ ଭାଗରେ ବିଭକ୍ତ । ଗୋଟିଏ ହେଲା "ବୈଧ ବା ସିଦ୍ଧ ବିବାହ" ଓ ଅନ୍ଯଟି "ଅବୈଧ ବା ଅସିଦ୍ଧ ବିବାହ" । ଯାହା ମୁସଲମାନ ସମ୍ପ୍ରଦାୟର ଠିକ୍ ନୀତିନିୟାମକ ସର୍ବ ସହମତିରେ ହୁଏ ତାହାକୁ "ସିଦ୍ଧ ବିବାହ ବା ବୈଧ ବିବାହ" ଏବଂ ଯାହା ସଠିକ ନୀତିନିୟମରେ ଆଉ ସର୍ବ ସହମତିରେ ହୋଇନଥାଏ କିମ୍ବା ପ୍ରତିବନ୍ଧକ ଥାଇ ହୋଇଥାଏ ତାହାକୁ "ଅସିଦ୍ଧ ବିବାହ ବା ଅବୈଧ ବିବାହ' କହନ୍ତି । "ସିଦ୍ଧ ବିବାହ" ମୁସଲମାନ ସମାଜରେ ଉତ୍କୃଷ୍ଟ ଓ ଚ଼ିରସ୍ଥାୟୀ ବିବା ରୂପେ ଅନୁମୋଦିତ ହୋଇଥାଏ । ମୁସଲମାନ ସମ୍ପ୍ରଦାୟରେ ଚ଼ଳି ଆସୁଛି 'ନିକା' ପାଇଁ ଅନେକ ସର୍ତ୍ତ ।
ଉଭୟ ପକ୍ଷ ସୁସ୍ଥ ମସ୍ତିଷ୍କ ହୋଇଥିବେ ଏବଂ ୧୫ ବର୍ଷ ବୟସରୁ ଅଧିକ ହୋଇଥିବେ । ୧୫ ବର୍ଷରୁ କମ୍ ହେଲେ ବିବାହ ଚୁକ୍ତି ପରସ୍ପରଙ୍କ ଅଭିଭାବକଙ୍କ ଦ୍ବାରା ସମ୍ପାଦିତ ହେବ । ମୁସଲମାନ ସମ୍ପ୍ରଦାୟର ବିବାହ ପ୍ରସ୍ତାବ ମୁଖ୍ଯତଃ ବରପକ୍ଷରୁ କନ୍ଯାପକ୍ଷକୁ ଯାଇଥାଏ । ଉଭୟ ପକ୍ଷର ବୈଠକ ବସି ବିବାହ ପ୍ରସ୍ତାବ ଦେଇ ଅନୁମୋଦନ ହୁଏ ; ଗୋଟିଏ ବୈଠକରେ ବିବାହ ପ୍ରସ୍ତାବ ଦିଆଯାଏ ଏ ଅନ୍ୟ ବୈଠକରେ ଅନୁମୋଦନ ହୁଏ । ଏହି ପ୍ରକାରର ବିବାହକୁ "ଅନିୟମିତ ବିବାହ" କହନ୍ତି । ବିବାହ ପ୍ରସ୍ତାବ ଅନୁମୋଦନ ବେଳେ ପୁରୁଷ ଓ ନାରୀ , ଦୁଇଜଣ ସାକ୍ଷୀ ଆବଶ୍ଯକ ହୁଏ ; ସାକ୍ଷ୍ୟ ବ୍ଯକ୍ତି ମୁସଲମାନ ସମ୍ପ୍ରଦାୟର , ସୁସ୍ଥ ମସ୍ତିଷ୍କ ଓ ପ୍ରାପ୍ତ ବୟସ୍କ ହେବା ଦରକାର । ଏହି ସମ୍ପ୍ରଦାୟର ବିବାହରେ "ମହର" ପ୍ରଦାନ କରିବା ବିଧି ଅଛି ; "ମହର"କୁ କିଛି ଟଙ୍କା ବା ସମ୍ପତ୍ତି ଆକାରରେ ସ୍ତ୍ରୀକୁ ବିବା ପୂର୍ବରୁ ଦିଆଯାଏ । ଏହି "ମହର" ସମ୍ପ୍ରଦାୟର ସମ୍ମାନର ପ୍ରତୀକ ; ବିନା "ମହର"ରେ ମୁସଲମାନ ବିବାହ ଅବୈଧ ଅଟେ । ଅର୍ଥାତ୍ ପୂରା ରୂପେ ବିବାହକୁ ସାମାଜିକ ସ୍ବୀକୃତି ମିଳି ନଥାଏ । ମୁସଲମାନ ସମ୍ପ୍ରଦାୟର ବିବାହରେ ବର-କନ୍ୟା ଉଭୟ ପକ୍ଷ ପୂରା ସହମତି ପ୍ରକାଶ କରିବା ଦରକାର । କିଛି ଆପତ୍ତି ବା ପ୍ରତିବନ୍ଧକର ଆଭାସ ମିଳିଲେ ବିବାହକୁ ନିଷିଧ ଘୋଷଣା କରାଯାଏ ।
ଗୋଟିଏ ନାରୀ ଏକ ସମୟରେ ଗୋଟିଏ ପୁରୁଷକୁ ବିବାହ କରିବ । ଯଦି ନାରୀ ଅନ୍ଯ ଏକ ବିବାହ ପାଇଁ ଇଚ୍ଛା କରେ ତେବେ ପ୍ରଥମ ବିବାହକୁ ଛାଡ଼ପତ୍ର ଦ୍ବାରା ଅସିଦ୍ଧ ଘୋଷଣା କରିବାକୁ ହୁଏ , ନଚ଼େତ ଦ୍ବିତୀୟ ବିବାହ ଅସମ୍ଭବ ; ଏହା "ଅବୈଧ ବା ଅସିଦ୍ଧ ବିବାହ"ର ଆଦ୍ଯ ନିୟମ । ଭାଇ , ଭଉଣୀ , କନ୍ୟା ଆଦି ନିକଟ ସମ୍ପର୍କୀୟଙ୍କ ସହ ବିବାହ ନିଷେଧ, ଏପରିକି ନିକଟ ସମ୍ପର୍କୀୟ ସନ୍ତାନ ମାନଙ୍କ ସହ ସମ୍ପର୍କୀୟ ସନ୍ତାନ ମାନଙ୍କୁ ବିବାହ କରିବାର ସ୍ବୀକୃତି ଏ ସମ୍ପ୍ରଦାୟରେ ମିଳେନା । ମୂର୍ତ୍ତି ପୂଜା କରୁଥିବା ବ୍ଯକ୍ତିଙ୍କ ସହ ବିବାହର ସ୍ବୀକୃତି ନାହିଁ ; ଏପରି କଲେ ଏଭଳି ବିବାହକୁ "ଅସିଦ୍ଧ ବା ଅବୈଧ ବିବାହ'' କହନ୍ତି । ଏ ସମ୍ପ୍ରଦାୟୀ ମାନେ ଚ଼ାରୋଟି ବ୍ଯତୀତ ଅଧିକ ସ୍ତ୍ରୀ ଗ୍ରହଣ କରିବେ ନାହିଁ । ଚ଼ାରୋଟି ସ୍ତ୍ରୀରୁ ଜଣକୁ ଛାଡ଼ପତ୍ର ଦେଲେ ପଞ୍ଚମ ସ୍ତ୍ରୀ ଗ୍ରହଣ କରିହେବ । ଏହି ନିୟମ ଉଲ୍ଲଂଘନ କରି ବିବାହ କଲେ , ତାହା ଅବୈଧ ବିବାହ ହୁଏ । ବିନା ସାକ୍ଷ୍ଯରେ ଏ ସମ୍ପ୍ରଦାୟରେ ବିବାହ ଅସମ୍ଭବ ବା ଅବୈଧ । ବିବାହ ବିଚ୍ଛେଦ ବା ଛାଡ଼ପତ୍ର ସ୍ବାକ୍ଷରିତ ହେବା ଦିନଠୁ ତିନିମାସ ଯାଏଁ ସମୟକୁ "ଇଦତ" ସମୟ କହନ୍ତି । ଏହି ସମୟ ସମାପ୍ତ ନହେବା ପୂର୍ବରୁ ବିବାହ ନିଷେଧ ଅଟେ । ଏହା ଉଲ୍ଲଂଘନ କରି ବିବାହ କଲେ ତାହା ଅସିଦ୍ଧ ଘୋଷଣା ହୁଏ ।
ମୁସଲିମ ମହିଳାମାନେ ବୁର୍ଖା ପରିଧାନ କରନ୍ତି । ଇସଲାମ ଧର୍ମରେ ଏ ନିୟମ ଅଛି ଯେ ନାରୀମାନେ ନିଜ ଶରୀରକୁ କପଡ଼ାରେ ଢ଼ାଙ୍କି ରଖିବେ ଯେମିତି ଖାଲି ଆଖି ଛଡ଼ା ଆଉ କିଛି ଅଙ୍ଗ ବାହାରକୁ ଦେଖା ନଯାଏ । କୋରାନରେ ଲେଖା ଅଛି ମହିଳାମାନେ ବୁର୍ଖା ପିନ୍ଧିବେ , କୌଣସି ଅଜଣା ଲୋକ ମୁସ୍ଲିମ ସ୍ତ୍ରୀଲୋକଙ୍କ କୌଣସି ଅଙ୍ଗ ଦେଖିବେ ନାହିଁ । ତେଣୁ ପବିତ୍ର ଗ୍ରନ୍ଥ କୋରାନର କଥାକୁ ସେମାନେ ଅମାନ୍ୟ କରନ୍ତିନି । ଆମେ ଯେପରି ପ୍ରଣାମ ଜଣାଇବାକୁ କର ଯୋଡୁଛେ , ସେମାନେ ସେପରି ପ୍ରଣାମ ସୂଚ଼କ ଭାବରେ ସଲାମ କରନ୍ତି । ଇସଲାମ ଧର୍ମୀଙ୍କ ପାରିବାରିକ ମାମଲା ସବୁ "Muslim Personal Law"ର ବିଭିନ୍ନ ପ୍ରବଧାନ ଦ୍ବାରା ପରିଚ଼ାଳିତ । ଭାରତରେ ପ୍ରଚ଼ଳିତ ମୁସଲିମ ଆଇନ୍ ଅନ୍ତର୍ଗତ ତୁରନ୍ତ ବିବାହ ବିଚ୍ଛେଦ ସମ୍ବନ୍ଧିତ ଏକ ପ୍ରାବଧାନ "ତିନି ତଲାକ" । "ତଲାକ"ର ଅର୍ଥ ଛାଡ଼ପତ୍ର ବା ବିଚ୍ଛେଦ । ବିଶେଷଭାବେ ହନାଫି ସୁନ୍ନି ଇସଲାମିକ ପନ୍ଥାର ଅନୁଗାମୀ ମାନେ ଏହି ନ୍ଯାୟିକ ପରମ୍ପରାରେ ବିଶ୍ୱାସ ରଖନ୍ତି । ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ ପୁରୁଷଟି ତିନିଥର ମାତ୍ର ତଲାକ ଶବ୍ଦ ଉଚ୍ଚାରଣ କରି (ମୌଖିକ , ଲିଖିତ ବା କୌଣସି ବୈଦ୍ୟୁତିକ ଉପକରଣ ମାଧ୍ୟମେ) ନିଜ ସ୍ତ୍ରୀକୁ ଆଇନତଃ ଛାଡ଼ପତ୍ର ଦେଇପାରିବେ । ଭାରତର ଉଚ୍ଚତମ ନ୍ଯାୟାଳୟ ତିନି ତଲାକକୁ ଅସାମ୍ବିଧାନିକ ତଥା ଅବୈଧ ଘୋଷଣା କରିଥିଲେ । ଏହି ତିନି ତଲାକକୁ ପୁନଃ ଚ଼ାଲୁ କରିବାକୁ କ୍ଯାବିନେଟ୍ ମଞ୍ଜୁରୀ ମିଳିଯାଇଛି ।
ହାନାଫି ସୁନ୍ନୀ ମୁସଲିମ ଗୋଷ୍ଠୀର ନ୍ଯାୟ ଶାସ୍ତ୍ରବେତ୍ତାଙ୍କ ମତରେ - "ତିନି ତଲାକ କେବଳ ସେତେବଳେ ବୈଧ ଯଦି ଏହା ମୁସଲମାନ ସାକ୍ଷୀଙ୍କ ଉପସ୍ଥିତିରେ ଉଚ୍ଚାରିତ ତଥା ଶାରିୟା ଅଦାଲତ ଦ୍ବାରା ଅନୁମୋଦ୍ତ । ଏହି ତିନି ତଲାକ ମୁସଲିମ ବ୍ଯକ୍ତିଗତ ଆଇନ୍ ତଥା ଧାର୍ମିକ ବ୍ଯପାରର ଅନ୍ତର୍ଗତ ; ସେଥିପାଇଁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ।" ତିନି ତଲାକ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଆଇନଜ୍ଞ କପିଳ ଶିବଲଙ୍କ ମତରେ - "ଭାରତର ସମ୍ବିଧାନର ଧାରା ୩୭(କ) ଅନୁଯାୟୀ ମୁସଲିମ ମାନଙ୍କର ବ୍ଯକ୍ତିଗତ ଆଇନ୍ ତଥା ଧାର୍ମିକ ପରମ୍ପରାରେ ସରକାରଙ୍କ ହସ୍ତକ୍ଷେପ ସମ୍ବିଧାନ ବିରୋଧୀ ଅଟେ ।"
ସେ ଯାହା ବି ହେଉ ; କିଏ କେଉଁ ଉପାୟରେ ଈଶ୍ୱରଙ୍କୁ ପ୍ରାପ୍ତି କରିବାର ଜିଜ୍ଞାସା ରଖେ । ସବୁ ଧର୍ମକୁ ସମ୍ମାନ ଦେବା ମାନବିକତା । ଆମେ ଖୁସି ହେବା ଉଚିତ ଯେ , ବିଭିନ୍ନ ଧର୍ମର ବିଭିନ୍ନ ପରମ୍ପରାର ରୋଚ଼କ ଦୃଶ୍ୟକୁ ଉପଭୋଗ କରିବାର ସୁଯୋଗ ମିଳୁଛି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ; "ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ" ବୋଲି ପ୍ରତିପାଦନ କରିବାର ଏକମାତ୍ର ପଥ "ଭାଇଚ଼ାରାର ସମ୍ପର୍କ" । ଏହାକୁ ବଜାୟ ରଖିବା ନିହାତି ଭାରତୀୟ ସଂସ୍କୃତି ଆଉ ପରମ୍ପରାର ସମ୍ମାନ । ଆସନ୍ତୁନା , ସଂଙ୍ଘର୍ଷ ବରଜି , ବିଦ୍ରୋହର ବହ୍ନିକୁ ନିର୍ବାପିତ କରି କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇ ଏକ ଇତିହାସ ସୃଷ୍ଟି କରିବା ଏବଂ ଆମ ଭାରତର ଟେକକୁ ରଖିବା ।
////////////////////////////// //////////////////////
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋ - ୮୯୧୭୪୮୦୫୩୬
////////////////////////////// //////////////////////
- Get link
- X
- Other Apps
Comments
Post a Comment