ଅଚଳ ମୁଦ୍ରା ଓ ଆଜିର ଟଙ୍କା

              ଶିବ ପ୍ରସାଦ ବାହିନୀପତି

                                     ସମ୍ପାଦକ - ଉଦୟ ଭାନୁ 

       ବାଣିଜ୍ୟର ମୁଖ୍ଯ ଜିନିଷଟି ମୁଦ୍ରା ବା ଟଙ୍କା । କୌଣସି କିଛି କିଣିବା ପାଇଁ ହେଲେ ପ୍ରଥମେ ଟଙ୍କା ଦରକାର ।ଯଦି ଟଙ୍କା ନଥା'ନ୍ତା ତେବେ ଏହି ସମାଜରେ ଏକ ପ୍ରକାରର ଅରାଜକତା ସୃଷ୍ଟି ହୋଇଥା'ନ୍ତା ଏବଂ ବହୁ ବିଶୃଙ୍ଖଳା ଉପୁଜି ଥା'ନ୍ତା । ଆଧ୍ଯାତ୍ମିକ ଆଧାରରେ କିଛି ବି ଆମର ନୁହେଁ ; ସବୁକିଛି ତ ବିଧାତାଙ୍କର । ତେବେ ବିଧାତାଙ୍କ ଠାରୁ ଟଙ୍କା ଦେଇ କ'ଣ କିଛି କ୍ରୟ କରି ନିଜର ବୋଲି ଦାବି କରିହେବ କି ? ଆମେ ତ କେବଳ ରକ୍ଷଣାବେକ୍ଷଣକାରୀ ମାତ୍ର ; ଆସିଲା ବେଳେ ଶୂନ୍ୟହସ୍ତ ଆସିଛେ ଗଲା ବେଳେ ଶୂନ୍ୟ ହସ୍ତରେ ଯିବା । ଆମ ଜାଗା ଆଉ କିଏ ପୂରଣ କରିବ ଏ ସବୁର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇ । କିନ୍ତୁ ଲୌକିକ ମତରେ ଯଦି ମୁଦ୍ରାର ପ୍ରଚଳନ ନଥା'ନ୍ତା ତ ତେବେ ମନ ଇଚ୍ଛା ସବୁ ଚାଲିଥା'ନ୍ତା । ନିଜର ବୋଲି କିଛି ନଥା'ନ୍ତା ; ସର୍ବଦା କନ୍ଦୋଳ ସୃଷ୍ଟି ହୋଇଥା'ନ୍ତା । ପ୍ରତ୍ଯେକ ଜିନିଷର ପ୍ରକୃତ ହକ୍‌ଦାରୀ କିଏ ଜାଣିବା ବଡ଼ କଷ୍ଟସାଧ୍ୟ ହୋଇ ପଡ଼ିଥା'ନ୍ତା । ତେଣୁ ଦେଣ-ନେଣର ମାଧ୍ୟମ ଭାବରେ ମୁଦ୍ରାକୁ ରଖା ଯାଇଛି । "କିଛି ଦେଲେ କିଛି ମିଳେ" ଏକଥା କାହିଁ କେଉଁ ଯୁଗରୁ ପ୍ରଚଳିତ । ପୌରାଣିକ ଯୁଗରୁ ଆଧୁନିକ ସଭ୍ଯତା ପର୍ଯ୍ୟନ୍ତ ବଣିଜର ମାଧ୍ୟମ ମୁଦ୍ରା ।

          ପୂର୍ବେ ମୁଦ୍ରା ନଥିଲା ; କଉଡ଼ି ଥିଲା କ୍ରୟ - ବିକ୍ରୟ ଓ ଦେଣ-ନେଣର ମାଧ୍ୟମ । ପୌରାଣିକ ଯୁଗରେ ସମସ୍ତେ କଉଡ଼ିକୁ କାରବାରର ମାଧ୍ୟମ କରିଥିଲେ । ଏହି କଉଡ଼ିଟି ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ; ଏହା ଧନ ଏବଂ ମୂଲ୍ୟକୁ ସୂଚାଏ । ଯେଉଁଠି ମୂଲ୍ୟ ଦେବାକୁ ପଡେ ; ସେଠି ଏହି କଉଡ଼ିକୁ ହିଁ ଦିଆ ଯାଇଥାଏ । ଅନେକ ପ୍ରକାରର କଉଡ଼ି ଅଛି ଯଥା- "ଗଣ୍ଠି କଉଡ଼ି, ସାଧା କଉଡ଼ି, ବେଙ୍ଗୀ କଉଡ଼ି, ଚିତ୍ର କଉଡ଼ି"ଇତ୍ଯାଦି । ଚିତ୍ର କଉଡ଼ିଟି ଅଧିକ ମସୃଣ ଓ ସୁନ୍ଦର । କେଉଁ ଜିନିଷର ଦାମ୍‌ କେତେ ଜାଣିଲା ପରେ ଆମେ ଯେମିତି ତା'ର ମୂଲ୍ୟ ସ୍ବରୂପ ଟଙ୍କା ଦେଇ ଜିନିଷଟି କ୍ରୟ କରୁଥିଲୁ ; ଠିକ୍‌ ସେମିତି ପୂର୍ବ କାଳରେ କେଉଁ ଜିନିଷକୁ କେତୋଟି କଉଡ଼ି ଦରକାର ତାହା ଦେଇ ଜିନିଷ କ୍ରୟ କରିବାକୁ ପଡୁଥିଲା ।ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଜିନିଷ ଓ ପ୍ରତ୍ଯେକ କାର୍ଯ୍ଯର ମୂଲ୍ଯାୟନ କରି ଯଥୋଚିତ ମୂଲ୍ୟ ଦେବା କେଉଁ ଆବାହନ କାଳରୁ ପ୍ରଚଳିତ ହୋଇ ଆସୁଛି । 

            ପ୍ରମାଣ ମିଳେ ଓଡ଼ିଶାର କେଶରୀ ବଂଶର ରାଜାମାନଙ୍କ ରାଜତ୍ବ କାଳ ପୂର୍ବରୁ ମୁଦ୍ରା ରୂପେ କଉଡ଼ିର ପ୍ରଚଳନ ଥିଲା । ଭାରତ ମହାସାଗରରୁ କଉଡ଼ି ସଂଗ୍ରହ କରା ଯାଉଥିଲା ; ପ୍ରଜାମାନେ କର ସ୍ବରୂପ କଉଡ଼ି ଦେଉଥିଲେ ରାଜାଙ୍କୁ । ଆଜିର ସମାଜରେ ଏକଟଙ୍କା, ଦୁଇଟଙ୍କା, ତିନିଟଙ୍କା ପରି ସେବେଳେ କଉଡ଼ିକୁ ଏହିପରି ଭାବରେ ଗଣତି କରାଯାଉଥିଲା । ଗୋଟିଏ କଉଡ଼ିକୁ ଏକ କଡ଼ା, ୪ଟି ବା ୪ କଡ଼ାକୁ ଏକ ଗଣ୍ଡା, ୫ କଡ଼ା କଉଡ଼ିକୁ ଅର୍ଦ୍ଧଦାମୁଡ଼ି, ୧୦ କଡ଼ା କଉଡ଼ିକୁ ଦାମୁଡ଼ି କୁହାଯାଉଥିବା ବେଳେ ୫ ଗଣ୍ଡା କଉଡ଼ିକୁ ବୋଡ଼ି ବା ଛଦାମ,୨୦ଗଣ୍ଡାକୁ ପଣ  ଓ ୧୬ ପଣରେ ଏକ କାହାଣ ବୋଲି କୁହାଯାଉଥିଲା । ପୂର୍ବ କାଳରେ ଚ଼ୋରଙ୍କ ଭୟରେ ଲୋକମାନେ କଉଡ଼ିକୁ ମାଠିଆରେ ପୂରାଇ ମାଟି ତଳେ ପୋତି ରଖୁଥିଲେ । ଆଜି-କାଲି ଅନେକ ଜାଗାରୁ ମାଟି ଗର୍ଭରୁ ମାଠିଆ ଭର୍ତ୍ତି  କଉଡ଼ି ମିଳିବାର ନଜିର୍‌ ରହିଛି । ସେତେବେଳେ କାଳର ପରିବର୍ତ୍ତନ ଅନୁସାରେ ହାଟ-ବଜାରରେ କଉଡ଼ିର ସ୍ବତନ୍ତ୍ର ଦୋକାନ ରହୁଥିଲା । ଏକ ପଇସାରେ ପଣେ କଉଡ଼ି ବା ୮୦ ଗୋଟି କଉଡ଼ି ମିଳୁଥିଲା । ଧିରେ ଧିରେ ସମୟ ବଦଳିବା ସହିତ ସବୁକିଛିର ପରିବର୍ତ୍ତନ ଆସିଲା । ଆମ ଦେଶରେ ବ୍ରିଟିଶ ଶାସନର ପ୍ରାରମ୍ଭ ବେଳକୁ କଉଡ଼ିର ବ୍ଯବହାର କ୍ରମଶଃ ହ୍ରାସ ପାଇ ଅଧଲା, ପାହୁଲା ଆଦିର ପ୍ରଚଳନ ହୋଇ ଯାଇଥିଲା । ପରବର୍ତ୍ତୀ ସମୟେ କଉଡ଼ିକୁ ମୂଲ୍ୟ ଦେବା ବା ମୁଦ୍ରା ରୂପରେ ବ୍ଯବହାର କରିବା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । 

           ସେତେବେଳେ କଉଡ଼ି ଥିଲା ଓଡ଼ିଆଙ୍କର ବିଭିନ୍ନ ଅଳଙ୍କାର । ସ୍ତ୍ରୀ-ଲୋକମାନେ ଝୁମ୍ପା, ହାତଫୁଲି ଆଦି ଅଳଙ୍କାରରେ କଉଡ଼ି ଲଗାଇ ପିନ୍ଧୁଥିଲେ । କିଛି ଲୋକ କଉଡ଼ିକୁ କଣା କରି ସୂତା ବାନ୍ଧି କଣ୍ଠରେ ଧାରଣ କରୁଥିଲେ ଏବଂ ଗୃହପାଳିତ ପଶୁପକ୍ଷୀଙ୍କ ଗଳାରେ ବି ପିନ୍ଧାଉଥିଲେ । ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଝାଡ଼, ପେଡ଼ି, ଶିକା ଆଦିରେ କଉଡ଼ି ଖଞ୍ଜି ତାକୁ ଆହୁରି ସୁନ୍ଦର କରି ରଖୁଥିଲେ । ଧାନମାଣିକା ଓଷା ଓ ଲକ୍ଷ୍ମୀପୂଜାରେ ଏହି କଉଡ଼ିକୁ ଗୃହିଣୀମାନେ ପୂଜା କରି ଆସୁଥିଲେ ; ଏବେ ବି ଚାଲିଛି । 

           ଲକ୍ଷ୍ମୀପୂଜାରେ କଉଡ଼ିରେ ଲକ୍ଷ୍ମୀଦେବୀଙ୍କ ନେତ୍ର ତିଆରି କରନ୍ତି ଗୃହିଣୀମାନେ ଏବଂ ଗୃହ ପ୍ରବେଶ ପୂଜାବିଧିରେ କଉଡ଼ିର ବ୍ଯବହାର ହୁଏ । ନବଜାତ ପିଲାର ଷଠୀଘରେ କାନ୍ଥରେ କଉଡ଼ିକୁ ବ୍ଯବହାର କରିଥା'ନ୍ତି ।କଉଡ଼ିକୁ ସ୍ତ୍ରୀତ୍ବ, ଉର୍ବରତା, ଜନ୍ମ ଓ ଧନର ପ୍ରତୀକ ରୂପେ ପରିଗଣିତ କରା ଯାଏ । କଉଡ଼ିର ତଳ ପଟକୁ ଯୋନି ଓ ଆଖିର ପ୍ରତୀକ ଭାଵେ ବିବେଚନା କରାଯାଏ । କେରଳରେ ଜ୍ଯୋତିଷଙ୍କ ଦ୍ବାରା କଉଡ଼ିକୁ ଏକ ଆଧ୍ଯାତ୍ମିକ ଉପକରଣ ହିସାବରେ ବ୍ଯବହାର କରା ଯାଏ ।କଉଡ଼ିକୁ ଖେଳ ସାମଗ୍ରୀ ରୂପେ ବ୍ଯବହାର କରାଯାଏ ଏବଂ ବିବାହ ବେଦିରେ ବର-କନ୍ୟା କଉଡ଼ି ଖେଳିବାର ପ୍ରଥା ପ୍ରଚଳିତ ଅଛି । ସଧବା ସ୍ତ୍ରୀର ମୃତ୍ୟୁ ହେଲେ ଶବ ଯାତ୍ରା ପଥରେ ଖଇ କଉଡ଼ି ବୁଣାଯାଏ । ସେହି କଉଡ଼ିକୁ ସଧବା ସ୍ତ୍ରୀ- ଲୋକମାନେ ସାଉଁଟି ନେଇ ମଙ୍ଗଳର ପ୍ରତୀକ ଭାବେ ମନେ କରି ପାଖରେ ରଖନ୍ତି କିମ୍ବା ଅଳଙ୍କାର କରି ପିନ୍ଧନ୍ତି । ଚିକିତ୍ସା ବିଜ୍ଞାନ ଅନୁସାରେ କଉଡ଼ି ଔଷଧୀୟ ଗୁଣ ସମ୍ପର୍ଣ୍ଣ । ବୈଦ୍ୟମାନେ ଏହାର ଭସ୍ମକୁ ନାନା ରୋଗର ଉପଚାରରେ ବ୍ଯବହାର କରନ୍ତି । ଲୋକ ସମାଜରେ ବିଶ୍ବାସ ଅଛି -ବେଙ୍ଗୀ କଉଡ଼ି ମାଳ କରି ଛୋଟ ଛୁଆଙ୍କୁ ପିନ୍ଧାଇଲେ ବେଙ୍ଗୀ ବଥ ହୁଏ ନାହିଁ । ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ବି କଉଡ଼ିର ଭୂମିକା ସ୍ବତନ୍ତ୍ର । ଶୁଣିବାକୁ ମିଳେ ଯେ କଉଡ଼ିକୁ ମୁଦ୍ରା ଭାବରେ ବ୍ଯବହାର କରିବା ପଦ୍ଧତି ୧୮୪୫ ମସିହାର ପ୍ରତିକୃତି, ଯେଉଁଥିରେ ଜଣେ ଆରବ ବଣିକ କଉଡ଼ିକୁ ପଇସା ଭାବରେ ବ୍ଯବହାର କରିଥିଲେ ।
 
            ପୂର୍ବ କାଳରେ ଜିନିଷ ବଦଳରେ ଜିନିଷ ଦେଇ ଲୋକମାନେ ନେଣ-ଦେଣ କରୁଥିଲେ ; ପରେ ପରେ କଉଡ଼ି ଓ ତା'ପରେ ମୁଦ୍ରା ଦେଇ ଦେଣନେଣ କରାଗଲା । ମୁଦ୍ରା କ୍ଷେତ୍ରରେ ଦେଶର ଅନେକ ପରିବର୍ତ୍ତନ ଆସିଛି । ବହୁ ମୁଦ୍ରା ପ୍ରସ୍ତୁତ ହୋଇଛି ଏବଂ ଅଚଳ ବି ହୋଇଛି । ସମୟ ସମୟରେ ମୁଦ୍ରାର ରୂପରଙ୍ଗ ଓ ଆକାରରେ ପରିବର୍ତ୍ତନ କରାଯାଇଛି । ଇତିହାସ ଫର୍ଦ୍ଦରୁ ଜଣା ଯାଏ ଯେ ସେର୍‌ ଶାହ ସୁରୀ ତାଙ୍କ ଶାସନ କାଳ ୧୪୮୬ରୁ ୧୫୪୫ ମଧ୍ୟରେ ପ୍ରଥମେ ଭାରତରେ ଋପୟା ଶବ୍ଦର ବ୍ଯବହାର କରିଥିଲେ ।କୁହାଯାଏ ସେବେଠୁ ଟଙ୍କାର ପ୍ରଚଳନ ବୋଲି । ଇତିହାସ କହେ ମୁଦ୍ରା ପ୍ରଚଳନରେ ସର୍ବପୁରାତନ ଦେଶ ଭାରତ । ମୁଦ୍ରାର କ୍ରମ ବିକାଶ ଭିତ୍ତିରେ ଭାରତୀୟ ମୁଦ୍ରା ଯୁଗକୁ ମୁଖ୍ୟତଃ ଛଅଗୋଟି ଭାଗରେ ବିଭକ୍ତ କରାଯାଇଛି  । ଯଥା-ପ୍ରାଚୀନ, ମଧ୍ୟଯୁଗୀୟ, ମୋଗଲ, ଲେଟ ଫ୍ରି କଲୋନିଆଲ, ବ୍ରିଟିଶ୍‌ ଇଣ୍ଡିଆ , ରିପବ୍ଲିକ୍‌ ଇଣ୍ଡିଆ  । ଭାରତୀୟ ରିଜର୍ଭ ବ୍ଯାଙ୍କ୍‌ ମନିଟାରୀ ମ୍ଯୁଜିୟମର ତଥ୍ଯ କହେ ଯେ ପ୍ରଥମେ ଖୋଦିତ ମୁଦ୍ରା ପ୍ରଚଳନ ହୋଇଥିଲା । ଅନୁମାନ ସ୍ବରୂପ ଏ ମୁଦ୍ରା ଖ୍ରୀଷ୍ଟପୂର୍ବ ସପ୍ତମ-ଷଷ୍ଠ ଶତାବ୍ଦୀ ବେଳକୁ ଆରମ୍ଭ ହୋଇଥିଲା ।

         ମରହଟ୍ଟା ଶାସନ କାଳରେ ଥିଲା କଉଡ଼ିର  ପ୍ରଚଳନ ।୧୮୧୧ରେ ସରକାର ରୌପ୍ୟମୁଦ୍ରାରେ ରାଜସ୍ବ ଆଦାୟ କରିବା ହେତୁ କଉଡ଼ିର ମୂଲ୍ୟରେ ପତନ ଘଟିଲା । ଲୋକେ କଉଡ଼ି ବିନିମୟରେ ରୌପ୍ୟ ମୁଦ୍ରା ସଂଗ୍ରହ କରିବାକୁ ଚେଷ୍ଟା କରି ମୁଦ୍ରା ବିନିମୟକାରୀଙ୍କ ଦ୍ବାରା ଶୋଷଣର ଶିକାର ହେଲେ । ସରକାର ସ୍ଥିର କରିଥିଲେ ଏକ ଟଙ୍କାରେ ଚ଼ାରି କାହାଣ କଉଡ଼ି ଯାହା ଅସଲି ବଜାରରେ ବିନିମୟ ହେଲା ଟଙ୍କାରେ ଛଅରୁ ସାତ କାହାଣ କଉଡ଼ି । ଅର୍ଥାତ୍ ଯେଉଁ ଜମିଦାର ପାଞ୍ଚ ହଜାର ଟଙ୍କା ରାଜସ୍ବ ଦେବାକୁ କୋଡ଼ିଏ ହଜାର କଉଡ଼ି ଦେଉଥିଲେ, ଏବେ ଅବମୂଲ୍ଯାୟନାନ୍ତେ ତିରିଶି ହଜାର ବା ତା' ଠୁ ଉର୍ଦ୍ଧ୍ବ କଉଡ଼ି ଦେବେ । ଏହାକୁ ଭରଣା କରିବାକୁ ଜମିଦାରଗଣ ଅଧିକ କଠୋର ଭାବେ ରୟତ ପ୍ରଜାଙ୍କ ଠାରୁ ଅଧିକ କଉଡ଼ି ଦେୟ ମାଗିଲେ । ବିଶେଷତଃ ଗରିବ ତଳସ୍ତରର ଲୋକେ କଉଡ଼ି ଅଧିକ ବ୍ଯବହାର କରୁଥିଲେ ; ସେମାନଙ୍କୁ ସହିବା ପାଇଁ ହେଲା ବେଶି କ୍ଷତି । କ୍ରୟ ବିକ୍ରୟ କାଳେ ସେମାନଙ୍କ କଉଡ଼ିକୁ ରୌପ୍ୟ ମୁଦ୍ରାରେ ବିନିମୟ କରାଯିବାରୁ ସେମାନେ ଶୋଷିତ ହେଲେ ; ଫଳତଃ ବଜାରରେ ଦେଖା ଗଲା ରୌପ୍ୟ ମୁଦ୍ରାର କୃତ୍ରିମ ଅଭାବ । ହେଲେ ଲାଭବାନ ହେଲେ ସାହୁକାର ମହାଜନମାନେ । 

            ମୁଦ୍ରାର ଅନ୍ଯ ଏକ ରୂପ ପଇସା ; ଯାହା ସାଧାରଣତଃ ଧାତୁ ବା ପ୍ଲାଷ୍ଟିକ୍‌ ଗୋଲ୍‌ ଜିନିଷ ଅଟେ । ଏହା ଖୁବ୍‌ କମ୍‌ ଓଜନ ହେତୁ ବେପାର ପାଇଁ ସୁବିଧା ହୁଏ । ପଇସା ସାଧାରଣତଃ ଧାତୁ ବା (ମିଶ୍ରଧାତୁ)ରେ ପ୍ରସ୍ତୁତ । ଏହା କେବେ କେବେ  ସିନ୍ଥୋଟିକ୍‌ ସାମଗ୍ରୀରୁ ତିଆରି ହୋଇଥାଏ । 

          ଏହା ମୁଖ୍ଯତଃ "ଡ଼ିସ୍କ୍‌"(ଗଣିତ)ର ଆକାର ରହିଥାଏ । ମୂଲ୍ଯବାନ ଧାତୁରେ ପ୍ରସ୍ତୁତ ପଇସା ବଡ଼ ମାତ୍ରାରେ "ବୁଲିୟନ ପଇସା" ଏସ୍‌ ରୂପେ ସଂଗ୍ରହିତ ହୋଇଥାଏ । ମୁଦ୍ରା ରୂପେ ବ୍ଯବହୃତ ଅନ୍ଯ ପଇସା ବ୍ଯାଙ୍କ୍‌ ନୋଟ୍‌ ସହ ଚାଲି ଥାଏ । ବୁଲିୟନ ପଇସାକୁ ଛାଡ଼ି ସାଧାରଣତଃ ସଞ୍ଚଳନରେ ସର୍ବୋଚ୍ଚ ମୂଲ୍ୟର ପଇସା ସବୁଠାରୁ କମ୍‌ ମୂଲ୍ୟର ନୋଟ୍‌ଠୁଁ କମ୍‌ ଅଟେ । ମୁଦ୍ରାସ୍ଫୀତି କାରଣରୁ ଯଦି ଅନ୍ତର ମହତ୍ତ୍ୱପୂର୍ଣ୍ଣ ହୋଇଯାଏ, ତ ଜାରୀ କରୁଥିବା ପ୍ରାଧୀକରଣ ଏହି ପଇସାକୁ ସଞ୍ଚଳନରୁ ଫେରାଇ ଆଣିବାର ନିର୍ଣ୍ଣୟ ନେଇ ପାରନ୍ତି । ସମ୍ଭବତଃ ଏକ ଅଲଗା ସଂରଚନା ସହିତ ନୂତନ ସମକକ୍ଷ ଜାରୀ କରୁଛନ୍ତି । ଭାରତରେ ପ୍ରଚଳିତ ମୁଦ୍ରା ତିଆରି କରିବାର ସମସ୍ତ କ୍ଷମତା କଏନଏଜ ଆ୦ ୧୯୦୭ ଅନୁସାରେ ସରକାରଙ୍କ ଅଧିନସ୍ଥ ଏବଂ ମୁଦ୍ରାର ଆକାର, ଅଳଙ୍କରଣ ଆଦି ସମସ୍ତ କାର୍ଯ୍ୟ ଭାରତ ସରକାର ହିଁ କରିବେ । ଭାରତର ଚାରିଗୋଟି ସ୍ଥାନ ବମ୍ବେ, କଲିକତା(ଅଲିପୁର), ହାଇଦ୍ରାବାଦ (ସୈଫାବାଦ)(ଚେର୍ଲାପାଲି) ଏବଂ ଉତ୍ତରପ୍ରଦେଶର ନୋଏଡ଼ା ସ୍ଥିତ କାରଖାନାରେ ମୁଦ୍ରା ତିଆରି କରାଯାଇ ପରେ ଆର.ବି.ଆଇ ଆ୦ ଅନୁସା ମୁଦ୍ରା ସର୍କୁଲେସନ ହେଉଛି । ଆମ ଦ୍ବାରା ବ୍ଯବହୃତ ଭାରତୀୟ ମୁଦ୍ରାକୁ ଦେଶ ସ୍ବାଧୀନତା ପ୍ରାପ୍ତ ପରେ ପରେ ୪ଟି ସିରିଜ୍‌ରେ ବିଭକ୍ତ ହୋଇଛି । ଅଣା ସିରିଜ, ଡ଼େସିମାଲ୍‌ ସିରିଜ, ପରବର୍ତ୍ତୀ ଆଲୁମିନିୟମ୍‌ ସିରିଜ ଏବଂ ସମସାମୟିକ ମୁଦ୍ରା । ୧୯୫୦ ଅଗଷ୍ଟ ୧୫ ତାରିଖରେ ଅଣା ସିରିଜର ପ୍ରଚଳନ କରାଯାଇ ଥିଲା । ଏହା ପୂର୍ବରୁ ପ୍ରଚଳିତ ଏକଟଙ୍କିଆ ମୁଦ୍ରାର  ଦୁଇପାର୍ଶ୍ବକୁ ପରିବର୍ତ୍ତନ କରାଯାଇଥିଲା ।ଗୋଟେ ପଟେ ରାଜାଙ୍କ ଛବି ଥିବା ମୁଣ୍ଡ ପରିବର୍ତ୍ତେ ସିଂହ ମସ୍ତକ ଯୁକ୍ତ ଅଶୋକ ସ୍ତମ୍ଭ ଏବଂ ଅନ୍ଯ ପଟେ ବାଘ ଛବିକୁ ହଟେଇ ଦେଇ ମକା ଚିତ୍ର ସ୍ଥାପନ କରାଯାଇଥିଲା ମୁଦ୍ରାରେ । ସେପ୍ଟେମ୍ବର ୧୯୫୫ରେ ଇଣ୍ଡିଆନ କଏନ୍‌ ଆ୦ଟେ ସଂଶୋଧନ କରାଯାଇ ୧୯୫୭ ଏପ୍ରିଲ୍‌ ୧ ତାରିଖରୁ ଲାଗୁ କରାଗଲା ଡ଼େସିମାଲ୍‌ ସିରିଜ । ପୂର୍ବରୁ ଥିଲା ଏକଟଙ୍କାକ ଷୋଳ ଅଣା ; ତାକୁ ପରିବର୍ତ୍ତନ କରାଯାଇ ଏକଟଙ୍କାକ ଶହେ ପଇସା କରା ଗଲା ।  ସେତେବେଳେ ସମସ୍ତେ ଏହାକୁ ନୂଆ ପଇସା ବୋଲି ଗ୍ରହଣ କରିଥିଲେ । ୧୯୬୪ ଜୁନ୍‌ ୧ ତାରିଖରେ ଏହା ବନ୍ଦ କରି ଦିଆଗଲା । ୧୯୬୪ରୁ ଆରମ୍ଭ ହେଲା ଆଲୁମିନିୟମ୍‌ ସିରିଜ । 

        ଆଲୁମିନିୟମ୍‌ ସିରିଜରେ ଟଙ୍କିକିଆ,ପଚାଶ  ପଇସା, ପଚିଶି ପଇସା, ଦଶ ପଇସା, ଦୁଇ ପଇସା ଓ ଏକ ପଇସା ପ୍ରଚଳନ କରାଯାଇଥିଲା । ୧୯୬୦ରେ ଯେତେବେଳେ ସାମଗ୍ରୀ ଦର ବୃଦ୍ଧି ହେଲା ବ୍ରୋଞ୍ଜ୍‌, ନିକେଲ-ବ୍ରାସ୍‌, କପର-ନିକେଲ, ଆଲୁମିନିୟମ୍‌-ବ୍ରୋଞ୍ଜ ମୁଦ୍ରା ପରିବର୍ତ୍ତିତ ହୋଇ କେବଳ ଆଲୁମିନିୟମ୍‌ ମୁଦ୍ରାର ରୂପ ନେଲା ; ସେ ଯାଏଁ କୋଡ଼ିଏ ପଇସା ମୁଦ୍ରାର ପ୍ରଚଳନ ନଥିଲା । ୧୮୬୮ରେ କୋଡ଼ିଏ ପଇସା ମୁଦ୍ରା ପ୍ରଥମେ ପ୍ରଚଳନ ହେଲା । ମୁଦ୍ରା ପ୍ରସ୍ତୁତରେ ଅତ୍ଯଧିକ ଖର୍ଚ୍ଚ ଏଡ଼ାଇବା ପାଇଁ ୭୦ ଦଶକରେ ଏକ ପଇସା, ଦୁଇ ପଇସା ଓ ତିନି ପଇସା ମୁଦ୍ରାକୁ ବନ୍ଦ କରି ଦିଆଗଲା । ପରେ ପରେ ୧୯୮୮ ମସିହାରେ ଦଶ ପଇସା ଓ ପଚାଶ ପଇସା ମୁଦ୍ରା ଷ୍ଟେନଲେସ ଷ୍ଟିଲ୍‌ରେ ତିଆରି କରାଗଲା । ଅଷ୍ଟାଦଶ ଶତାଦ୍ଦୀର ଶେଷ ଆଡ଼କୁ ଦେଶରେ କାଗଜ ଟଙ୍କାର ପ୍ରଚଳନ ଆରମ୍ଭ ହେଲା । ଘରୋଇ ଓ ଅର୍ଦ୍ଧ ସରକାରୀ ବ୍ଯାଙ୍କ ଦ୍ବାରା ବ୍ଯାଙ୍କ ଅଫ୍‌ ବେଙ୍ଗଲ୍‌,ବ୍ଯାଙ୍କ ଅଫ୍‌ ବମ୍ବେ, ବ୍ଯାଙ୍କ ଅଫ୍‌ ମାଡ୍ରାସ ପେପର ମନି ବା କାଗଜ ଟଙ୍କା ତିଆରି କରୁଥିଲେ । ୧୮୬୧ ମସିହାରେ ପେପର କରେନ୍ସି ଆ୦ ମାଧ୍ୟମରେ କାଗଜ ନୋଟ୍‌ ଛପା ପ୍ରକ୍ରିୟା ସରକାରଙ୍କ ଅଧିନରେ ରହିଲା । ବ୍ରିଟିଶ ଇଣ୍ଡିଆ ନୋଟ୍‌ର ପ୍ରଥମ ସିରିଜ ହେଉଛି ଭିକ୍ଟୋରିଆ ପୋଟ୍ରେଟ ସିରିଜ । ଏହି ସିରିଜରେ ୧୦,୨୦,୫୦,୧୦୦ ଓ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହୋଇଥିଲା ଯାହା ଦୁଇଟି ଭାଷାରେ ଲେଖା ଯାଇଥିଲା । ପରେ ୧୮୬୭ ମସିହାରେ ଅଣ୍ଡର୍‌ ପ୍ରିଣ୍ଟ୍‌ ସିରିଜ ଆସିଲା । ସେବେ ପ୍ରଥମେ ପାଞ୍ଚ ଟଙ୍କିଆ ନୋଟ୍‌ ପ୍ରଚଳନ ହୋଇଥିଲା । ପ୍ରଥମ ବିଶ୍ବଯୁଦ୍ଧ ହେତୁ ସରକାର ବାଧ୍ଯ ହୋଇଥିଲେ ସ୍ମଲ୍‌ ଡ଼ିନୋମିନେଶନ ନୋଟ୍‌ ଛପାଇବାକୁ । ୧୯୨୩ ମସିହା ମେ' ମାସରୁ ପଞ୍ଚମ ଜର୍ଜଙ୍କ ଚିତ୍ର ସଂଲଗ୍ନ ବହୁ ନୋଟ୍‌ ଯାଇଥିଲା । ଏହା ଭାରତୀୟ ରିଜର୍ଭ ବ୍ଯାଙ୍କ୍‌ ସ୍ଥାପନ ହେବା ପର୍ଯ୍ୟନ୍ତ ଚାଲୁ ରହିଲା । ୧୯୨୮ ମସିହାରେ ନାସିକରେ କରେନ୍ସି ନୋଟ ପ୍ରେସ ସ୍ଥାପନ ହେବା ପରେ ସମସ୍ତ ଭାରତୀୟ ନୋଟ୍‌ ସେଠି ଛପାଗଲା । ୧୯୯୬ ମସିହା ପରଠାରୁ ଯେଉଁ ନୋଟ୍‌ ବ୍ଯବହାର ହେଲା ତାହା ଗାନ୍ଧିଆନ ସିରିଜ ବୋଲି ବିବେଚିତ ।ଏଥିରେ ମହାତ୍ମା ଗାନ୍ଧିଙ୍କ ୱାଟର୍‌ମାର୍କ ଛବି ଅଛି । 

          ଦେଶରେ ପ୍ରଥମ କରି ୧୯୫୪ ମସିହାରେ ୧୦ ହଜାର, ୫ ହଜାର ଏବଂ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ ହେଲା । କଳାଧନ ରୋକିବା ଉଦ୍ଦେଶ୍ଯରେ ସରକାର ଏହି ସବୁ ନୋଟ୍‌କୁ ୧୯୭୮ ମସିହାରେ ବନ୍ଦ କରିଦେଇଥିଲେ । ଏହାର ୨୨ ବର୍ଷ ପରେ ୨୦୦୦ ମସିହାରେ ପୁନରାୟ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଗଲା । ଭାରତୀୟ ମୁଦ୍ରାରେ ହିନ୍ଦି ଓ ଇଂରାଜୀ ସହ ଅନ୍ଯାନ୍ଯ ୧୫ଟି ଭାଷା ବି ବ୍ଯବହୃତ । ଭାରତ ସହ ଆଠଟି ଦେଶର ଭାଷାରେ ଟଙ୍କା ପରିଚିତ ଋପିୟାରେ । ରିଜର୍ଭ ବ୍ଯାଙ୍କ୍‌ ଟଙ୍କା ତିଆରି ପାଇଁ କଟନ୍‌ରେ ତିଆରି କାଗଜ ଓ ବିଶେଷ ଧରଣର କାଳି ବ୍ଯବହାର କରେ । କିଛି କାଗଜ ମହାରାଷ୍ଟ୍ରର "କରେନ୍ସି ନୋଟ୍‌ ପ୍ରେସ୍‌" ଏବଂ ଅଧିକାଂଶ କାଗଜ ମଧ୍ଯପ୍ରଦେଶର ହୋସାଙ୍ଗାବାଦ ପେପର ମିଲ୍‌ରୁ ଆସେ ; ଏହାଛଡା ଭାରତୀୟ ମୁଦ୍ରା ପାଇଁ ଚାରିଟି ଦେଶରୁ ଆସେ କାଗଜ ଏବଂ ଟଙ୍କା ଛାପିବାକୁ ଦୁଇ ପ୍ରକାରର କାଳି ବ୍ଯବହାର କରାଯାଏ । ଏଥିରେ ବ୍ଯବହୃତ ଅଫ୍‌ସେଟ୍‌ କାଳି ମଧ୍ୟପ୍ରଦେଶର ଦେୱାସ୍‌ ବ୍ଯାଙ୍କ୍‌ ନୋଟ୍‌ ପ୍ରେସ୍‌ରେ ତିଆରି କରାଯାଏ ଓ ଅନ୍ୟ କାଳିଟି ସିକିମ୍‌ର ସୁଇସ୍‌ ଫାର୍ମରେ ତିଆରି ହୁଏ । ଫ୍ରାନ୍ସ୍‌ର ଉର୍ଜା ଅର୍ଗୋଭିଗିଜ୍‌ ଆମେରିକା ପୋର୍ଟାଲ୍‌, ସ୍ବିଡ଼େନ୍‌ର ଗେନ୍‌, ପେପର୍‌ ଫେବ୍ରିକସ୍‌ ଲୁସେଣ୍ଟଲ୍‌ ବି କାଗଜ ଯୋଗାଏ ଭାରତୀୟ ନୋଟ୍‌ ଛାପିବାକୁ । ଆମରି ଦେଶରେ ଚାରିଗୋଟି ନୋଟ୍‌ ଛାପାଖାନା , ଚ଼ାରିଟି ଟଙ୍କାଶାଳ, ଗୋଟିଏ ପେପର୍‌ ମିଲ୍‌ ରହିଅଛି । ମଧ୍ଯପ୍ରଦେଶର ଦେୱାସ, ମହାରାଷ୍ଟ୍ରର ନାସିକ, ପଶ୍ଚିମବଙ୍ଗର ସାଲ୍ବୋନି ଓ କର୍ଣ୍ଣାଟକର ମୌସୁରୀରେ ନୋଟ୍‌ ଛାପାଖାନା ଅଛି । ଦେୱାସ୍‌ରେ ୨୬୫ କୋଟି ଟଙ୍କାର ଟଙ୍କା ଛପାଯାଏ ; ଯେଉଁଥିରେ ୨୦,୫୦,୧୦୦,୫୦୦ ଟଙ୍କିଆ ନୋଟ୍‌ ଛପା ଯାଇଥାଏ । ନାସିକରେ ୧୯୯୧ ମସିହା ଠାରୁ ୧, ୨, ୫, ୧୦, ୫୦, ୧୦୦ ଟଙ୍କା ଛପା ଯାଉଛି । ପ୍ରଥମେ ଏଠାର ୫୦ ଓ ୧୦୦ ଟଙ୍କିଆ ନୋଟ୍‌ ଛପା ଆରମ୍ଭ ହୋଇଥିଲା ; ନୋଟ୍‌ବନ୍ଦି ପରେ ଏଠାରେ ୨୦୦୦ ଓ ୫୦୦୦ ଟଙ୍କିଆ ନୋଟ୍‌ ଛପାଗଲା । 

         ନୋଟ୍‌ ଛାପିବାକୁ ଆସୁଥିବା କାଗଜକୁ ସାୟମଣ୍ଟନ୍‌ ନାମକ ଏକ ବିଶେଷ ଧରଣର ମେସିନ୍‌ରେ ରଖା ଯାଉଥାଏ । ଏହା ପରେ ପେପର୍‌ ସିଟ୍‌ ଉପରେ ଟଙ୍କା ଛାପି ଯାଇଥାଏ ; ପରେ ଭଲ ଓ ଖରାପ ନୋଟ୍‌ ଦେଖି ବାଛି ଅଲଗା କରାଯାଏ । ଗୋଟିଏ ପେପର୍‌ ସିଟ୍‌ରେ ପାଖାପାଖି ୩୨ରୁ ୪୮ଟି ନୋଟ୍‌ ତିଆରି ହୁଏ । ଏହା ପରେ ଚମକୁ ଥିବା କାଳିରେ ନୋଟ୍‌ର ସଂଖ୍ଯା (କେତେ ଟଙ୍କିଆ ନୋଟ୍‌) ମୁଦ୍ରଣ କରାଯାଏ । ବ୍ଯବହାର ଅନୁପଯୋଗୀ ନୋଟ୍‌କୁ ରିଜର୍ଭ ବ୍ଯାଙ୍କ୍‌ ବ୍ଯାଙ୍କ୍‌ ମାଧ୍ୟମରେ ଏକତ୍ରିତ କରି ଜଳାଇ ଦିଆଯାଉଥିଲା ; କିନ୍ତୁ ଏବେ ବାୟୁ ପ୍ରଦୂଷଣକୁ ଆଖିରେ ରଖି ଆଉ ଜଳାଇ ଦିଆ ନଯାଇ ବିଦେଶରୁ ଆନୀତ ୯ କୋଟି ଟଙ୍କା ବ୍ଯୟର ମେସିନ୍‌ରେ ଛୋଟ ଛୋଟ ଟୁକୁରା କରି ୱେଷ୍ଟ୍‌ କରି ବିଭିନ୍ନ କାର୍ଯ୍ଯରେ ଲଗା ଯାଉଛି । 

           ଐତିହାସିକଙ୍କ ମତରେ ବହୁବର୍ଷ ପୂର୍ବରୁ ସୁନାମୁଦ୍ରାର ପ୍ରଚଳନ ଥିଲା । ୨୫୦୦ ବର୍ଷ ପୂର୍ବେ ଲିଡ଼ିଆର ରାଜା କ୍ରୋଏସସ୍‌ ନିଜ ରାଜ୍ଯରେ ପ୍ରଥମେ ସୁନାମୁଦ୍ରା ପ୍ରଚଳନ କରିଥିଲେ । ପରେ ପର୍ସିଆନମାନେ କ୍ରୋଏସସ୍‌ଙ୍କୁ ବନ୍ଦି କରି ତାଙ୍କ ରାଜ୍ଯ ଲିଡ଼ିଆରୁ ସମସ୍ତ ସୁନା ଟଙ୍କା ବୋହି ନେଇ ସେଥିରେ ସେମାନେ ନୂଆ କିସମର ସୁନାଟଙ୍କା ତିଆରି କରିଥିଲେ । ଖ୍ରୀଷ୍ଟପୂର୍ବ ୨୧୫ରେ ରୋମାନ୍‌ମାନେ ସୁନାଟଙ୍କା ଚଳେଇ ଥିଲେ ଓ ତାକୁ ଯୁଦ୍ଧ ପାଇଁ ବ୍ଯୟ କରିଥିଲେ । ଜୁଲିୟସ୍‌ ସିଜାର୍‌ଙ୍କ ରାଜତ୍ବ ବେଳେ ରୋମ୍‌ରେ ସୁନାଟଙ୍କା ବହୁଳ ଭାବରେ ବ୍ଯବହାର ହେଉଥିଲା  । ଅନ୍ଯ ଅଞ୍ଚଳ ଗୁଡ଼ିକ ସହ ରୋମ୍‌ର ବାଣିଜ୍ୟ ବେପାର ଥିବାରୁ ରୋମ୍‌ର ସୁନାଟଙ୍କା ଅନ୍ଯ ଦେଶ ଗୁଡ଼ିକୁ ଯିବାରେ ସମସ୍ୟା ନଥିଲା । ପାଖାପାଖି ୨୦୦୦ ବର୍ଷ ତଳେ ଆମ ଦେଶରେ ସୁନାଟଙ୍କାର ପ୍ରଚଳନ ଥିଲା । ଭାରତରେ ସର୍ବପୁରାତନ ମୁଦ୍ରା ରୂପାରେ ତିଆରି ହୋଇଥିଲା । ପରେ କୁଶାଣ ସମ୍ରାଟ ଭୀମା କଡ଼୍ଫିସେସ୍‌ ନିଜ ରାଜ୍ଯରେ ପ୍ରଥମେ ସୁନାଟଙ୍କା ଚଳାଇ ଥିଲେ ; ଯୋଉଥିରେ ଖୋଦିତ ହୋଇଥିଲା ଶ୍ରୀ ମହାଦେବଙ୍କର ଛବି । ଆମ ଭାରତରେ ବିଭିନ୍ନ ମୂଲ୍ୟର ସୁନାଟଙ୍କା ପ୍ରଚଳିତ ଥିଲା । 

         ସେ ଯାହା ବି ହେଉ ; କଉଡ଼ିରୁ ସୁନା-ରୂପା ଟଙ୍କା ଓ ସୁନା-ରୂପା ଟଙ୍କାରୁ ବିଭିନ୍ନ ଧାତୁର ଟଙ୍କାରେ ପହଞ୍ଚିଲା ପରେ ଏବେ କାଗଜ ନୋଟ୍‌ରେ ଉପନୀତ ଆମେ । ଯୁଗ ବଦଳିବା ସହ ସବୁକିଛିର ପରିବର୍ତ୍ତନ ; ମୁଦ୍ରାର ନୂଆ ରୂପ । ଅନେକ ଅଚଳନ୍ତି ମୁଦ୍ରା ଏବେ ସ୍ମୃତି ସାଉଁଟାଏ ।।

     ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)
               ଫୋ- ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା