ମଦ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
'ମଦ'- ଏହାକୁ କିଏ ନ ଚିହ୍ନେ ! ଏ ଶବ୍ଦଟି ଉପରେ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ପରିଚିତ । ଆଜିକା ଦୁନିଆରେ ମଦ୍ଯପଙ୍କ ସଂଖ୍ୟା ବହୁତ । ମଦ୍ଯପଙ୍କ ଗହଣରେ ମଦ ବନ୍ଧୁଟିଏ ହୋଇପାରିଛି । ସବୁଠି ସବୁ କ୍ଷେତ୍ରରେ ମଦର ଉପସ୍ଥିତି ମଦକୁ ପ୍ରାଧାନ୍ୟତା ପ୍ରଦାନ କରିଛି । ବିବାହ, ଜନ୍ମଦିନ, ବଣଭୋଜି ଏପରିକି ଶ୍ମଶାନରେ ଶବଦାହ ବେଳେ ବି ମଦର ଆବଶ୍ଯକତା ପରିଲକ୍ଷିତ ହେଉଛି । କେହି କେହି ଖୁସିରେ ପିଅନ୍ତି ତ ପୁଣି କିଏ ଦୁଃଖରେ ପିଅନ୍ତି । ଆଉ କେହି ଶ୍ରମ ଲାଘବ ପାଇଁ ମଦ୍ଯପାନ କରୁଥିବାର ଦେଖାଯାଏ । ମଦ ଶରୀର ପ୍ରତି କେତେ ହାନିକାରକ ସେ ସବୁ ଜ୍ଞାନ ଥାଇ ବି ଜନସମାଜ ଅଜ୍ଞତାର ବଶବର୍ତ୍ତୀ । ଅତ୍ଯଧିକ ମଦ୍ଯପାନ ହେତୁ ଉଜୁଡି ଯାଉଛି ସଂସାର ; ଭାଙ୍ଗି ଯାଉଛି ଘର ଓ ପରିବାର । ସୃଷ୍ଟି ହେଉଛି ମତଭେଦ ଓ ମନୋମାଳିନ୍ୟ ; ପରସ୍ପର ମଧ୍ୟେ ବିଭେଦନ । ଜାଣି ଜାଣି ଅପମୃତ୍ୟୁକୁ ଆମନ୍ତ୍ରଣ କରାଯାଉଛି ଏଇ ମଦ୍ଯପାନ ଜରିଆରେ । କଥାରେ ଅଛି - "ଅତି ସର୍ବଦା ଇତି"; ଅତ୍ଯଧିକ ମାତ୍ରାରେ ମଦ୍ଯପାନ ଶରୀରରେ କୁପ୍ରଭାବ ପକାଏ । ସାଧାରଣ ଭାବରେ 'ମଦ'ର ଅର୍ଥ ମୋ ଭାଷାରେ କହିବାକୁ ଗଲେ - "ମୃତ୍ୟୁର ଦ୍ବାର"। 'ମ' ଶବ୍ଦର ଅର୍ଥ -'ମରଣ' ଓ 'ଦ' ଶବ୍ଦର ଅର୍ଥ -'ଦହନ'। ମଦ୍ଯପକୁ ମଦ ସାରା ଜୀବନ ଅଜ୍ଞାତରେ ହନ୍ତସନ୍ତ କରେ । ଶରୀର ଭିତରେ ପ୍ରବେଶ ମାତ୍ରରେ ସୃଷ୍ଟି ହୁଏ ଉତ୍ତେଜନା ; ଧିରେ ଧିରେ ଦହନ କରିଚାଲେ ଶରୀରକୁ । ଶରୀରର ଏକ ଏକ ଅଙ୍ଗକୁ 'ମଦ' ତା'ର ଉତ୍ତାପରେ ଉତ୍ତପ୍ତ କରି ଜାଳି ପୋଡି ଚାଲେ ଏବଂ ପରିଶେଷରେ ମୃତ୍ୟୁର ଦ୍ବାର ଦେଶରେ ଦଣ୍ଡାୟମାନ କରିଦିଏ । ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଜଳି ପୋଡ଼ି ଅକାମୀ ହୋଇଗଲା ପରେ ମଣିଷ ମରିଯାଏ ; ଶେଷରେ ଆତ୍ମୀୟସ୍ବଜନମାନେ ତା'ର ଶରୀରଟାକୁ ନେଇ ଶ୍ମଶାନରେ ଦାହ କରିଦିଅନ୍ତି । ଅର୍ଥାତ୍, ଭିତର ଅଙ୍ଗ ପାଉଁଶ ହୋଇସାରିଛି କହିଲେ ଚଳେ ; ବାହ୍ଯ ଅଙ୍ଗକୁ ଶ୍ମଶାନରେ ପାଉଁଶ କରି ଦିଆଯାଏ । ତେବେ କୁହନ୍ତୁ ତ, ଏ 'ମଦ' ହିତାକାଂକ୍ଷୀ ବନ୍ଧୁ ନା ଅଜାତଶତ୍ରୁ ?
ପ୍ରଥମେ ଜାଣିବା 'ମଦ' କ'ଣ ଓ କେଉଁଥିରୁ ତିଆରି ।'ମଦ' ଏକ ନିଶା ଉଦ୍ରେକକାରୀ ପାନୀୟ ଯାହା ବିଭିନ୍ନ ପ୍ରକାର ଦ୍ରବ୍ୟରୁ ପ୍ରସ୍ତୁତ । 'ମଦ'କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ;ଯଥା - "ଦେଶୀ ମଦ" ଓ "ବିଦେଶୀ ମଦ"। ମଦ୍ଯ, ମଦିରା, ସରାପ, ତାଡି - ଏସବୁ "ଦେଶୀ ମଦ" ଅନ୍ତର୍ଭୁକ୍ତ ଅଟନ୍ତି । "ବିଦେଶୀ ମଦ" ଜଳ ଅତିରିକ୍ତ ପାନୀୟ ଶ୍ରେଣୀରେ ଜଣାଶୁଣା ; ଯାହାକୁ ଇଂରାଜୀରେ ବିଭରେଜ(Beverage) କୁହାଯାଏ । ଏହାକୁ ଅନ୍ଯ ଅର୍ଥରେ ହାର୍ଡ୍ ଡ୍ରିଙ୍କ୍ କୁହାଯାଏ ; ଏତତ୍ ଭିନ୍ନ ଅନ୍ଯ ପାନୀୟ ମାନଙ୍କୁ ସଫ୍ଟ୍ ଡ୍ରିଙ୍କ୍ କହନ୍ତି । "ବିଦେଶୀ ମଦ"କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ; ଯଥା -"ବିୟର୍(beer), ୱାଇନ୍(wines), ସ୍ପିରିଟ (sprits) l ସାରା ପୃଥିବୀରେ ଅନେକ ଦେଶର ଲୋକମାନେ ଏହାକୁ ପିଅନ୍ତି । ଏକଶହରୁ ଅଧିକ ଲୋକ ଏହାର ତିଆରି,ବିକ୍ରୀ,ପାନ କରିବା ଉପରେ ନିୟମ ସୃଷ୍ଟି କରିଛନ୍ତି ।"ମଦ୍ଯ"କୁ ଦ୍ବାଦଶ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା - ମାଧ୍ବୀ ବା ମାଧ୍ବୀକ, ଐକ୍ଷବ, ଦ୍ରାକ୍ଷବ, ତାଳ, ଖାର୍ଜୁର, ପାନସ, ମୈରେୟ, ପାକ୍ଷିକ, ଟାସ୍କ ବା ଟାଙ୍କ, ମଧୁକ ବା ମାଧକୀ, ନାରୀକେଳନ, ଅନ୍ନବିକାରେତ୍ଥ । ମହୁରୁ ମାଧ୍ବୀକ ବା ମାଧ୍ବୀ ନାମ୍ନୀ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ଆଖୁ ରସରୁ - ଐକ୍ଷବ, ଅଙ୍ଗୁର ରସରୁ -ଦ୍ରାକ୍ଷବ, ତାଳ ଗଛର ରସରୁ ପ୍ରସ୍ତୁତ ହୁଏ -"ତାଳ" ନାମଧେୟ ମଦ୍ଯ ଏବଂ ଖଜୁରୀ ଗଛରୁ ପ୍ରସ୍ତୁତ ମଦ୍ଯର ନାମ "ଖାର୍ଜୁର" । ସେହିପରି ପଣସ ଫଳରୁ "ପାନସ", ଧାଇଫୁଲ ଓ ଗୁଡ଼ରୁ "ମୈରେୟ", ଏକପ୍ରକାର ନୀଳବର୍ଣ୍ଣର ମହୁମାଛିର ସଂଗୃହୀତ ମଧୁରୁ"ପାକ୍ଷିକ", ସୋମଲତା ରସରୁ "ଟାସ୍କ ବା ଟାଙ୍କ", ମହୁଲ ଫୁଲ ରସରୁ "ମଧୁକ ବା ମାଧକୀ" ନାମ୍ନୀ ମଦ୍ଯ ପ୍ରସ୍ତୁତ କରାଯାଉଥିବା ବେଳେ ନଡିଆ ଗଛର ଅଫୁଟା ଖୋସାର ଅଗ କାଟିଲେ ତହିଁରୁ ନିର୍ଗତ ହେଉଥିବା ରସରୁ ପ୍ରସ୍ତୁତ କରାଯାଏ "ନାରୀକେଳନ" ନାମକ ଏକପ୍ରକାରର ମଦ୍ଯ । ଚାଉଳ ଆଦିକୁ ସିଝାଇ ବାଖର ଦେଇ ସଢ଼ାଇ ବକ ଯନ୍ତ୍ର ଦ୍ବାରା ଅର୍କ କାଢ଼ି ପ୍ରସ୍ତୁତ ହେଉଥିବା ମଦ୍ଯକୁ "ଅନ୍ନବିକାରେତ୍ଥ" ନାମ ଦିଆଯାଇଅଛି ।
ବୃକ୍ଷ, ପୁଷ୍ପ, ଫଳ ଇତ୍ଯାଦିର ରସକୁ ସଢ଼ାଇ ଯେଉଁ ପାନୀୟ ପ୍ରସ୍ତୁତ କରାଯାଏ, ତାହାକୁ ମଦ୍ଯ ବୋଲାଯାଏ । ଏହାକୁ ପାନ କଲେ ନିଶା ହୁଏ । ରାତିରେ ଝରିଥିବା ଖଜୁରୀ ଆଦି ସଦ୍ଯ ରସରେ ନିଶା ହୁଏନାହିଁ ; କିନ୍ତୁ ତାହା ବାସି ହୋଇଗଲେ ନିଶାରେ ପରିଣତ ହୋଇଯାଏ । ଅର୍ଥାତ୍ ସୂର୍ଯ୍ୟ କିରଣ ପଡ଼ିଲେ ତାହା ନିଶା ପାନୀୟରେ ପରିବର୍ତ୍ତନ ହୋଇଯାଏ । ଭାରତରେ ଖଜୁରୀ ଗଛର ବେକ ପାଖ କନ୍ଦାକୁ କ୍ଷତ କରି ଯେପରି ତାଡ଼ି ବାହାର କରନ୍ତି, ସେପରି ଉତ୍ତର ଭାରତରେ ତାଳ ଗଛରୁ ସେହିପରି ତାଡ଼ି ହୁଏ । ମାନ୍ଦ୍ରାଜ ଅଞ୍ଚଳରେ ନଡ଼ିଆ ଗଛର ଅଫୁଟା ଖୋସାର ଅଗ କାଟିଲେ ସେଥରୁ ଯେଉଁ ରସ ବାହାରେ, ସେ ରସରୁ ତାଡ଼ି ହୁଏ । ଇଉରୋପ ଆଦିରେ ଦ୍ରାକ୍ଷା ବା ଅଙ୍ଗୁର ରସକୁ ସଢ଼ାଇ ବକ ଯନ୍ତ୍ର ଦ୍ବାରା ଅର୍କ କାଢ଼ି ମଦ୍ଯ ପ୍ରସ୍ତୁତ କରାଯାଏ । ଚାଉଳକୁ ରାନ୍ଧି ଓ ତାକୁ ସଢ଼ାଇ କିମ୍ବା ଯବ ଓ ଗହମ ଆଦିକୁ ସିଝାଇ, ସଢ଼ାଇ, ସେଥିରୁ ଅର୍କ କାଢ଼ି ମଦ୍ଯ ତିଆରି କରାଯାଏ । ଗଡ଼ଜାତ ଅଞ୍ଚଳରେ ମହୁଲ ଫୁଲକୁ ପାଣିରେ ସିଝାଇ ତାକୁ ସଢ଼ାଇ ସେଥିରୁ ପ୍ରସ୍ତୁତ କରାଯାଏ ମହୁଆ ମଦ ଏବଂ ଚାଉଳକୁ ରାନ୍ଧି, ସଢ଼ାଇ ପ୍ରସ୍ତୁତ ହେଉଥିବା ମଦ୍ଯକୁ ହାଣ୍ଡିଆ ମଦ କହନ୍ତି । କେହି କେହି ଆଖୁ ଦୋରୁଅରୁ ଏବଂ ମହୁରୁ ବି ମଦ୍ଯ ପ୍ରସ୍ତୁତ କରନ୍ତି । ସବୁ ମଦର ପ୍ରଧାନ ଉପାଦାନ ମିଠା ପଦାର୍ଥ ଏବଂ ତାହା ସଢ଼ିଗଲେ "ତାଡ଼ି" ହୁଏ । ସେହି ତାଡ଼ିରୁ ବାହାରୁଥିବା "ଅର୍କ" ନିଶାଯୁକ୍ତ । ରୋଗବିଶେଷରେ ଓ ଧାତ ଦୌର୍ବଲ୍ଯାଦିରେ ଚିକିତ୍ସକମାନେ ରୋଗୀକୁ ସାମାନ୍ୟ ପ୍ରମାଣେ ମଦ୍ଯ ସେବନ କରିବାକୁ ଉପଦେଶ ଦିଅନ୍ତି ; ତଦ୍ଦ୍ୱାରା ଉପକାର ହେବାର ଦେଖାଯାଏ । କିନ୍ତୁ ଅଭ୍ଯାସ ପୂର୍ବକ ମଦ୍ଯପାନ ଦ୍ବାରା ମଦ୍ଯପ ନାନାଦି ଲୋଗର ଶିକାର ହେବା ସହ ହିତାହିତ ଜ୍ଞାନ ଭୁଲି ନିଜେ ନିଜର ଅନିଷ୍ଟ କରି ବହୁ ସମସ୍ୟାର ସମ୍ମୁଖୀନ ହୁଏ ।
ପୂର୍ବେ ବୈଦିକ ଯଜ୍ଞରେ ସୋମଲତାକୁ ଛେଚି,ଚିପୁଡ଼ି ଓ ସଢ଼ାଇ 'ମଦ୍ଯ' ପ୍ରସ୍ତୁତ କରି ବ୍ଯବହାର କରାଯାଉଥିଲା । ତନ୍ତ୍ର ଯୁଗରେ ମଧ୍ୟ ପୂଜା ଆଦିରେ ଏବଂ ପଞ୍ଚକର୍ମରେ ସାଧନାରେ 'ମଦ୍ଯ' ବ୍ଯବହାର କରାଯାଉଥିଲା । ଯେତେ ମଦ୍ଯ ଅଛି ସେଥିରୁ 'ଖର୍ଜୁର' ଓ 'ତାଳ' ର୍ଶେଣୀର ମଦ୍ଯ ପର୍ଯ୍ଯୁସିତ ଓ ଅନ୍ୟ ସବୁ ଅଭିସ୍ରତ ଅଟେ । ଏହାଛଡା କ୍ବାଥରୁ ପ୍ରସ୍ତୁତ ଏକ ପ୍ରକାର ମଦିରାକୁ "ଅରିଷ୍ଟ" କହନ୍ତି । ଧାନ ବା ଚାଉଳର ମଦିରାକୁ "ସୁରା", ଯବର ମଦିରାକୁ "କୋହଲ", ଗହମର ମଦିରାକୁ "ମଧୁଳିକା", ମିଠାରସର ମଦିରାକୁ "ଶୀଧୁ", ଗୁଡ଼ର ମଦିରାକୁ "ଗୌଡ଼ି"ଏବଂ ଦ୍ରାକ୍ଷାର ମଦିରାକୁ "ମାଧୂକ" କହନ୍ତି । ବୈଦଶାସ୍ତ୍ର ମତରେ ବିଭିନ୍ନ ମଦିରାର ବିଭିନ୍ନ ଗୁଣ ଓ ତହିଁର ପ୍ରୟୋଗ ବି ଭିନ୍ନ ଭିନ୍ନ ଅବସ୍ଥାରେ ଉପକାରକ । 'ମଦ'ରେ ୩୦%-୪୦% ଇଥାନଲ୍ ବା ଇଥାଇଲ୍ ଆଲକୋହଲ ଥାଏ । ପ୍ରସ୍ତର ଯୁଗରୁ ମଦ୍ଯପାନ କରାଯାଉଛି ଜଣାଯାଏ । 'ମଦ'ର ବ୍ଯବହାରିକ ଆବିଷ୍କାର ଖ୍ରୀଷ୍ଟ ପୂର୍ବ ୭୦୦୦-୬୬୦୦ରେ ଜିଆହୁରେ କରାଯାଇଛି । "ମଦ୍ଯ"ରୁ ୬. ୯୩ କିଲୋକ୍ଯାଲୋରୀ ଶକ୍ତି ମିଳେ । ମଦ୍ଯରେ ବ୍ଯବହୃତ ଆଲକୋହଲଟି ମଦ୍ଯପାନର କିଛି ସମୟ ଭିତରେ ଶରୀରରୁ ଜଳୀୟାଂଶ କମାଇ ଦେବାରୁ ମଣିଷ ବା ମଦ୍ଯପ ନିଶାସକ୍ତ ହୋଇଯାଏ । ଇଥାନଲ ବା ଇଥାଇଲ୍ ଆଲକୋହଲ ଏକ ସାଇଟୋଆକ୍ଟିଭ୍ ଔଷଧ । ଏହା ପାନ କଲେ ଚେତନା, ଚିହ୍ନିବା ଶକ୍ତି, ବ୍ଯବହାର, ଚିନ୍ତାଶକ୍ତି ଆଦିର ପରିବର୍ତ୍ତନ ହୁଏ । ଏହା ନିଶ୍ଚେତକ ଓ ଯନ୍ତ୍ରଣା ନିବାରକ ଭାବେ ବ୍ଯବହୃତ ହୁଏ ; କିଛି ମାନସିକ ରୋଗୀଙ୍କୁ ବି ଦିଆଯାଏ । ଏହା ପୃଥିବୀରେ ଅପବ୍ଯବହୃତ ଓ ସ୍ବୟଂ ବ୍ଯବହୃତ ହେଉଥିବା ଔଷଧ । ଏହା ପାନୀୟର ଶତକଡ଼ା କେତେ ଭାଗ, ସେହି ଅନୁସାରେ ହିସାବ ହୁଏ । ଶହେ ମି.ଲି. ପାନୀୟରେ କେତେ ମି.ଲି. ଆଲକୋହଲ ଅଛି ତାହା ପ୍ରକାଶ କରାଯାଏ । ପାତନ ପ୍ରଣାଳୀରେ ୯୫. ୬%ରୁ ଅଧିକ ଆଲକୋହଲ ପ୍ରସ୍ତୁତ ହୋଇପାରିବ ନାହିଁ ।
ସଫ୍ଟ ଡ୍ରିଙ୍କ୍ରେ ଆଲକୋହୋଲ ମାତ୍ରା ୦. ୫%ରୁ କମ୍ ରଖାଯାଇଥାଏ । ଏବେ କିଛି ଜାଗାରେ ନକଲି "ମଦ"ର କାରବାର ବହୁ ଜନଜୀବନକୁ ବିପର୍ଯ୍ୟସ୍ତ କରି ପକାଉଛି । ନକଲି ମଦ ତିଆରି ପାଇଁ ସ୍ପିରିଟ, ମଦ ପ୍ଯାକିଂ କରିବା ପାଇଁ ବୋତଲ, ବ୍ଯବହାରିକ ତରଳ ପଦାର୍ଥ, ମଦ ବୋତଲ ସିଲ୍ କରିବା ପାଇଁ ମେସିନ୍ ଏବଂ ବିଭିନ୍ନ କମ୍ପାନିର ଲୋଗୋ ବ୍ଯବହାର ହେଉଛି । ମଦ ପ୍ରସ୍ତୁତି କରି ସେଥିରେ ଆର.ଏସ ସ୍ପିରିଟ, ରଙ୍ଗ, ଫେବ୍ଲର୍ ମିଶା ଯାଉଛି । କମ୍ ଦାମରେ ମଦ ବିକ୍ରୀ କରି ଅଧିକ ଲାଭବାନ ହେବା ଆଶାରେ ମଦ ମାଫିଆମାନେ ଲୋକମାନଙ୍କ ଜୀବନ ସହ ଖେଳୁଛନ୍ତି । ବ୍ରାଣ୍ଡ ଅସଲି ହେଲେ ମଦ ନକଲି । କିଛି ଜାଗାରେ ଭିନ୍ନ ପ୍ରକାରର ନକଲି ମଦ ପ୍ରସ୍ତୁତ ହୁଏ । ଏକ ଡ଼ାମ୍ଫଣ ଦ୍ବାରା ପ୍ରଥମେ ମଦ ବୋତଲରୁ ଠିପି ସାବଧାନର ସହ ଖୋଲାଯାଏ ଯେପରି ଠିପିର ସିଲ୍ ନ ଖୋଲି ବି ଠିପିଟି ସମ୍ପୂର୍ଣ୍ଣ ଭାବେ ବୋତଲରୁ ବାହାରି ଆସେ । ପ୍ରତ୍ଯେକ ବୋତଲରୁ କିଛି କିଛି ମଦ ବାହାର କରିନେଇ ଅନ୍ଯ ଗୋଟିଏ ବୋତଲରେ ରଖାଯାଏ । ଯେତିକି ପରିମାଣର ମଦ ବାହାରେ ସେତିକି ମାତ୍ରାର ସ୍ପିରିଟ ଓ ପାଣିକୁ ସେହି ବୋତଲରେ ପୂରାଇ ପୁନର୍ବିକ୍ରୟାର୍ଥେ ବଜାରକୁ ପଠାଯାଏ । ଏ ପ୍ରକ୍ରିୟାରେ ୨୦ଟି ଅସଲି ମଦ ବୋତଲରୁ ୩୦ଟି ପାଖାପାଖି ନକଲି ମଦ ପ୍ରସ୍ତୁତ କରିଥା'ନ୍ତି ନକଲି ବେପାରୀ ।
ୱାଇନ୍ ପସନ୍ଦ କରୁଥିବା ବ୍ୟକ୍ତିମାନେ ସପ୍ତାହକୁ ଦୁଇ-ତିନି ଥର ରେଡ୍ ୱାଇନ୍ ପିଇବା ଦ୍ବାରା ଏହା ତ୍ବଚା ଉପରେ ଭଲ ପ୍ରଭାବ ପକାଇ ଥାଏ । ଏଥିରେ ଥିବା "ଆଣ୍ଟିଅକ୍ସିଡାଣ୍ଟ" ଏଜିଙ୍ଗ ପ୍ରକ୍ରିୟାକୁ ଧିର କରିଥାଏ । ଏକ ଗବେଷଣାରୁ ଜଣା ପଡ଼ିଛି ଯେ ରେଡ୍ ୱାଇନ୍ରେ ଦୁଇଟି ତତ୍ତ୍ବ ଇପିଗୈଲେକ୍ଟଜିନ୍ ଏବଂ ଟନିକ୍ ଏସିଡ୍ ପ୍ରଚୁର ପରିମାଣରେ ଥାଏ ; ଯାହା ଆମକୁ ଅନେକ ବଡ଼ ବଡ଼ ରୋଗରୁ ରକ୍ଷା କରେ । ଏହି ରେଡ୍ ୱାଇନ୍ ଗ୍ରୀନ୍ ଟି ପରି କାର୍ଯ୍ଯ କରେ ; ଶରୀରର ବିଷାକ୍ତ ମଲିକ୍ୟୁଲସ୍କୁ ପ୍ରସ୍ତୁତ କରିବାକୁ ରୋକେ । ଏ ପ୍ରକାରେ ଗ୍ରୀନ୍ ଟି ସାହାଯ୍ୟରେ ଆନୁବଂଶିକ ରୂପରେ ହେଉଥିବା ଅନେକ ରୋଗକୁ କମ୍ କରିଥାଏ । ରେଡ୍ ୱାଇନ୍ରେ ଆଉ ଏକ ଉପାଦାନ ରିଜବେରାଟଲ ଥାଏ, ଯାହା ଇନସୁଲିନକୁ ନିୟନ୍ତ୍ରଣ କରେ ଓ ମଧୁମେହର କାର୍ଯ୍ୟକୁ ଉନ୍ନତ କରିଥାଏ । ତେଣୁ ସୀମିତ ମାତ୍ରାରେ ରେଡ୍ ୱାଇନ୍ ପିଇବା ଠିକ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଯେ ଘରୁ ଅସରପାକୁ ବାହାର କରିବାକୁ ରେଡ୍ ୱାଇନ୍ ବ୍ଯବହାର କରାଯାଇ ପାରିବ ।
ଅଧୁନା ସମାଜେ ମଦ୍ୟପାନ ଏକ ଫ୍ଯାସନ କହିଲେ ଚଳେ । ଶୀତପ୍ରଧାନ ପାଶ୍ଚାତ ରାଷ୍ଟ୍ର ଗୁଡ଼ିକରେ ମଦ୍ୟପାନ ଯେତିକି ଫ୍ଯାସନ ନୁହେଁ, ଶରୀର ନିମିତ୍ତ ଏହାର ଆବଶ୍ଯକତା ଅନେକ । ଏହା ଧିରେ ଧିରେ ଲାଇଫ୍ ଷ୍ଟାଇଲ୍ ଭାବେ ଗ୍ରହଣ ହୋଇଗଲାଣି । ବିଶେଷତଃ ହାଇ ସୋସାଇଟିରେ ମଦ୍ୟପାନ ସାଧାରଣ ଖାଦ୍ଯ କହିଲେ ଚଳେ । ବିଶ୍ବରେ ଦଶଟି ଦେଶ ଅଧିକ ମଦ୍ୟପାନ କରନ୍ତି ବୋଲି ଏକ ସର୍ଭେରୁ ଜଣା ଯାଇଛି । ବେଲାଋଷ, ଅଣ୍ଡୋରା, ଲିଥୁଆନିଆ, ଚେକ୍ ଗଣରାଜ୍ୟ, ଗ୍ରେନେଡ଼ା, ଅଷ୍ଟ୍ରିଆ, ଆୟରଲ୍ୟାଣ୍ଡ, ଫ୍ରାନ୍ସ୍, ସେଣ୍ଟ ଲୁସିଆ, ଏଷ୍ଟନିୟା ; ଏହି ଦେଶର ବାସିନ୍ଦାମାନେ ମାତ୍ରାଧିକ ମଦ୍ୟପାନ କରନ୍ତି ।ମଦ୍ୟପାନ କ୍ଷେତ୍ରେ ସାରା ବିଶ୍ବରେ ରେକର୍ଡ କରିଛି ବେଲାଋଷ ; ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି ମଦ୍ୟପାନରେ । ଏଠି ବର୍ଷକୁ ବ୍ୟକ୍ତି ପିଛା ହାରାହାରି ମଦ୍ୟର ପରିମାଣ ୧୪.୩୭ଲିଟର । ଏ ଦେଶର ଜାତୀୟ ପାନୀୟ ହେଲା ଏକ ପ୍ରକାର ମଦ ; ଏଠି ଲୋକମାନେ ପିଉଥିବା ୧୭ ପ୍ରତିଶତ ହେଲା ବିଅର, ପାଞ୍ଚ ପ୍ରତିଶତ ୱାଇନ୍ ଏବଂ ୪୭ ପ୍ରତିଶତ ସ୍ପିରିଟ ଥିବାବେଳେ ୩୧ ପ୍ରତିଶତ ଅନ୍ଯ ପାନୀୟ ଥାଏ । ଏଠି ବର୍ଷକୁ ପୁରୁଷମାନେ ପ୍ରାୟ ୨୭.୫ ଲିଟର ଓ ମହିଳାମାନେ ୯.୧ ଲିଟର ମଦ୍ଯପାନ କରନ୍ତି । ମଦ୍ୟପାନରେ ଦ୍ବିତୀୟ ସ୍ଥାନରେ ଅଛି ଆଣ୍ଡୋରା ; ଏଠି ମଦ୍ୟପାନର ହାରାହାରି ପରିମାଣ ୧୩.୩୧ ଲିଟର । ଏ ଦେଶର ଜାତୀୟ ପାନୀୟ ୱାଇନ୍ ; ଏଠି ୩୫ ପ୍ରତିଶତ ଲୋକ ମଦ ପିଉଥିବା ବେଳେ ୩୫ ପ୍ରତିଶତ ଲୋକ ବିୟର ଓ ୨୦ ପ୍ରତିଶତ ଲୋକ ସ୍ପିରିଟ ବ୍ଯବହାର କରନ୍ତି । ଏଠି ମଦ୍ୟପାନର ପରିମାଣ ବାର୍ଷିକ ହାରରେ ୧୯.୫ ଲିଟର ପୁରୁଷ ଓ ୮.୨ ଲିଟର ମହିଳାଙ୍କର ।
ଲିଥୁଆନିଆରେ ବ୍ଯକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ୧୨.୯ ପ୍ରତିଶତ । ଲିଥୁଆନିଆ ମଦ୍ୟପାନରେ ତୃତୀୟ ; ଏଠି ଜାତୀୟ ପାନୀୟ ହେଲା ମିଡ୍ସ ମିଡ । ଏଠି ୪୬ ପ୍ରତିଶତ ଲୋକ ବିୟର, ୩୪ ପ୍ରତିଶତ ସ୍ପିରିଟ, ୮ ପ୍ରତିଶତ ୱାଇନ୍ ଏବଂ ଅନ୍ୟ ପାନୀୟ ୧୨ ପ୍ରତିଶତ ଲୋକ ପାନ କରନ୍ତି । ପୁରୁଷ ମାନଙ୍କ ମଦର ପରିମାଣ ୨୪.୪ ପ୍ରତିଶତ ବେଳେ ମହିଳା ମାନଙ୍କ ମଦର ପରିମାଣ ୭.୯ ଲିଟର । ଚତୁର୍ଥ ସ୍ଥାନଳଂକୃତ କରିଛି ମଦ୍ୟପାନରେ ଚେକ୍ ଗଣରାଜ୍ୟ, ଯାହାର ବ୍ଯକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ୧୨.୬୯ ଲିଟର । ଏମାନଙ୍କ ଜାତୀୟ ପାନୀୟ "ବେଚେରେଭୋକ"। ଏଠି ଲୋକ ୫୪ ପ୍ରତିଶତ ବିୟର, ୨୬ ପ୍ରତିଶତ ସ୍ପିରିଟ, ୨୦ ପ୍ରତିଶତ ୱାଇନ ସେବନ କରନ୍ତି । ପୁରୁଷମାନେ ବାର୍ଷିକ ୧୮.୬ ଲିଟର ଓ ମହିଳାମାନେ ୭.୩ ଲିଟର ମଦ୍ୟପାନ କରନ୍ତି । ପଞ୍ଚମ ସ୍ଥାନରେ ଅଛି ଗ୍ରେନେଡ଼ା ଦେଶ ଯାହାର ବ୍ଯକ୍ତି ପିଛା ମଦର ହାରାହାରି ପରିମାଣ ୧୨.୪ ଲିଟର । ଏଠାକାର ଜାତୀୟ ପାନୀୟ ରମ ।ଏଠି ଲୋକ ୩୦ ପ୍ରତିଶତ ବିୟର, ୬୬ ପ୍ରତିଶତ ସ୍ପିରିଟ ଓ ୪ ପ୍ରତିଶତ ୱାଇନ୍ ପିଅନ୍ତି । ପୁରୁଷମାନେ ବର୍ଷକୁ ୧୭.୯ ଲିଟର ଓ ମହିଳା ମାନେ ୭.୩ ଲିଟର ପିଇଥା'ନ୍ତି ।ଷଷ୍ଠ ସ୍ଥାନରେ ଅଛି ଅଷ୍ଟ୍ରିଆ, ଯା'ର ବ୍ଯକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ୧୨.୧ ଲିଟର । ଏଠାର ଜାତୀୟ ପାନୀୟ ସ୍କାନପ୍ । ୫୦ ପ୍ରତିଶତ ଲୋକ ବିୟର, ୧୪ ପ୍ରତିଶତ ସ୍ପିରିଟ, ୩୭ ପ୍ରତିଶତ ୱାଇନ ଓ ୮ ପ୍ରତିଶତ ଅନ୍ୟ ମଦ ପାନ ହୁଏ ; ପୁରୁଷ ବର୍ଷକୁ ୧୫.୪ ଲିଟର ଓ ମହିଳା ୬.୩ ଲିଟର ମଦ ପିଇଥା'ନ୍ତି ।
ସପ୍ତମ ସ୍ଥାନରେ ଆୟରଲ୍ୟାଣ୍ଡ ଅଛି ଯିଏକି ପ୍ରତିବର୍ଷ ବ୍ଯକ୍ତି ପିଛା ମଦ୍ଯର ପରିମାଣ ୧୧.୯୨ ଲିଟର ଯୋଗାଏ ; ଜାତୀୟ ପାନୀୟ ହେଉଛି "ପେୟଗୀନିଜ" । ଏଠି ୪୮ ପ୍ରତିଶତ ବିୟର, ୧୮ ପ୍ରତିଶତ ସ୍ପିରିଟ, ୨୬ ପ୍ରତିଶତ ୱାଇନ୍ ଓ ଅନ୍ୟାନ୍ୟ ମଦ୍ଯ ୧୬.୮ ପ୍ରତିଶତ ଲୋକ ପିଅନ୍ତି । ପୁରୁଷମାନେ ବାର୍ଷିକ ୧୬.୮ ଲିଟର ଓ ମହିଳାମାନେ ୭.୧ ଲିଟର ମଦ୍ୟପାନ କରନ୍ତି । ଫ୍ରାନ୍ସ୍ ଅଷ୍ଟମ ସ୍ଥାନାଧିକାରୀ ଅଟେ । ଏଠି ବାର୍ଷିକ ବ୍ଯକ୍ତି ପିଛା ମଦ୍ଯ ବ୍ଯୟ ହୁଏ ୧୧.୭ ଲିଟର । ପୁରୁଷମାନେ ବର୍ଷକୁ ୧୬.୮ ଲିଟର ମଦ ପିଉଥିବା ବେଳେ ମହିଳାମାନେ ୭.୧ ଲିଟର ମଦ୍ୟପାନ କରନ୍ତି । ୧୯ ପ୍ରତିଶତ ଲୋକ, ୨୩ ପ୍ରତିଶତ ସ୍ପିରିଟ, ୨୩ ପ୍ରତିଶତ ୱାଇନ୍, ୨ ପ୍ରତିଶତ ଲୋକ ଅନ୍ୟ ମଦ୍ଯପାନ କରନ୍ତି । ଏଠାକାର ଜାତୀୟ ପାନୀୟ ଓ ବ୍ରଣ୍ଡିଜ । ନବମରେ ସେଣ୍ଟ ଲୁସିଆ ଯା'ର ବ୍ଯକ୍ତି ପିଛା ମଦ୍ୟପାନର ପରିମାଣ ବାର୍ଷିକ ୧୧.୬ ଲିଟର । ଏହାର ଜାତୀୟ ପାନୀୟ ହେଲା "ପେୟଗୀନିଜ"। ଏଠି ୩୧ ପ୍ରତିଶତ ଲୋକ ବିୟର, ୫୬ ପ୍ରତିଶତ ସ୍ପିରିଟ, ୧୩ ପ୍ରତିଶତ ୱାଇନ୍ ଏବଂ ଅନ୍ୟ ମଦ ୧୬.୮ ପ୍ରତିଶତ ଲୋକ ପିଅନ୍ତି । ପୁରୁଷମାନେ ବାର୍ଷିକ ୧୫.୧ ଲିଟର ଓ ମହିଳାମାନେ ୫.୯ ଲିଟର ମଦ୍ୟପାନ କରନ୍ତି । ଏଷ୍ଟନିୟାକୁ ବିଶ୍ବ ଦଶମ ସ୍ଥାନ ପ୍ରଦାନ କରିଛି । ଏଠାରେ ବର୍ଷକୁ ହାରାହାରି ମଦ ପିଇବାର ପରିମାଣ ୧୧.୩୬ ଲିଟର ; ପୁରୁଷମାନେ ୧୬.୨ ଲିଟର ଓ ମହିଳାମାନେ ୫.୩ ଲିଟର ମଦ୍ୟପାନ କରନ୍ତି । ଏଠାର ମଧ୍ୟ ଜାତୀୟ ପାନୀୟ ପେୟଗୀନିଜ । ଏଠାରେ ୪ ପ୍ରତିଶତ ଲୋକ ବିୟର , ୩୭ ପ୍ରତିଶତ ଲୋକ ସ୍ପିରିଟ, ୧୧ ପ୍ରତିଶତ ଲୋକ ୱାଇନ୍ ପିଉଥିବା ବେଳେ ୧୧ ପ୍ରତିଶତ ଲୋକ ଅନ୍ୟ ମଦ ପିଇଥା'ନ୍ତି ।
ବହୁବର୍ଷ ଧରି ମଦ୍ୟପାନ କଲେ "ଆଲକହଲିଜ୍ମ" ବା "ମଦ୍ୟାତ୍ୟୟ", "କ୍ରନିକ", "କୁପୋଷଣ", "ପାଙ୍କ୍ରିଆଟାଇଟିସ୍", "ଆଲକହଲିକ୍", "ଯକୃତ ରୋଗ", "କର୍କଟ" ରୋଗ ସହ ସ୍ନାୟୁ ମଣ୍ଡଳ ଦୁର୍ବଳ ହୋଇଯାଏ । ଯକୃତ ଦ୍ବାରା ଆଲ୍କହର୍ ଆସେଟାଲଡ଼ିହାଇଡ଼ରେ ପରିବର୍ତ୍ତିତ ହୁଏ ଯାହା ଏକ କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ । ଅଧିକ ମଦ୍ୟପାନର ଫଳ ସ୍ବରୂପ ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଆଦି ଅସୁବିଧା ଜାତ ହୁଏ ।
"ଆଲକହଲିଜ୍ମ"ବା"ମଦ୍ୟାତ୍ୟୟ" ପୂର୍ବରୁ "ଆଲକୋହୋଲ୍ ଆବ୍ଯୁଜ" ଓ "ଆଲକୋହୋଲ ଡ଼ିପେଣ୍ଡେନ୍ସ୍" ନାମରେ ଦୁଇ ଭାଗରେ ବିଭକ୍ତ କରାଯାଉଥିଲା । ଜଣେ ବ୍ଯକ୍ତି ବହୁଦିନ ଧରି ଅତ୍ଯଧିକ ମଦ୍ୟପାନ କରୁଥିବ, ମଦ୍ୟପାନ ପାଇଁ ବହୁତ ସମୟ ବ୍ଯୟ କରୁଥବ,, ଅଧିକ ମଦ୍ୟପାନ ଇଚ୍ଛା କରୁଥିବ, ମଦ୍ୟପାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁ ନ ଥିବ ଓ ସାମାଜିକ ସମସ୍ଯା ସୃଷ୍ଟି କରୁଥିବ, ସ୍ବାସ୍ଥ୍ୟ ସମସ୍ଯା ହେଉଥିବ, ସଙ୍କଟଜନକ ଅବସ୍ଥା ସୃଷ୍ଟି କରୁଥିବ, ମଦ୍ୟପାନ ବନ୍ଦ କଲେ ନିରୋଧନବା ଉଇଥଡ୍ରୟାଲ ଲକ୍ଷଣ ବାହାରୁଥିବ ଓ ଏହାର ବ୍ଯବହାର -ଅସହନଶୀଳତା ହେଉଥବ - ଏସବୁ ଲକ୍ଷଣ "ମଦ୍ୟାତ୍ୟୟ" ବୋଲି ଚିକିତ୍ସକଙ୍କ ମତ । ଆଲ୍କୋହୋଲ୍ ସେବନ ଦ୍ବାରା ମସ୍ତିଷ୍କ,ହୃତପିଣ୍ଡ, ଯକୃତ, ଅଗ୍ନ୍ୟାଶୟ ଓ ଇମ୍ମ୍ୟୁନିଟି ବିଭାଗ ଆଦି ଶରୀରର ସମସ୍ତ ଅଙ୍ଗ ପ୍ରଭାବିତ ହୁଅନ୍ତି । ଏହା ଫଳରେ ମାନସିକ ରୋଗ,ୱେର୍ଣ୍ଣିକ କୋର୍ସାକୋଫ ସିଣ୍ଡ୍ରୋମ, ଅନିୟମିତ ହୃତ୍ସ୍ପନ୍ଦନ, ସିରୋସିସ୍ ଓ କର୍କଟ ସମ୍ଭାବନା ଦେଖାଯାଏ ।ମଦର ବିପଜ୍ଜନକ ଶାରୀରିକ ଓ ମାନସିକ ପ୍ରଭାବ ପୁରୁଷ ଅପେକ୍ଷା ମହିଳାଙ୍କ ଉପରେ ଅଧିକ ପଡ଼େ । ଗର୍ଭାବସ୍ଥାରେ ମଦ୍ୟପାନ କଲେ ଗର୍ଭସ୍ଥ ଶିଶୁର ଫିଟାଲ ଆଲକୋହଲ ସେକ୍ଟ୍ରମ ଡ଼ିଜ ଅର୍ଡର ହୁଏ ।
ଉଭୟ ଜେନେଟିକ୍ ଓ ପରିବେଶ ଉପାଦାନ ଯୋଗୁଁ "ଆଲକହଲିଜ୍ମ" ହେବାର ବିଶ୍ବାସ କରାଯାଏ ; ଏଥିପାଇଁ ସମ ପରିମାଣରେ ଉଭୟ ଦାୟୀ । ଆଲକୋହଲିକ ଥିବା ଜଣେ ପିତା ମାତା ବା ଭାଇ ଭଉଣୀ ଥିଲେ ୩ରୁ ୪ ଗୁଣ ଅଧିକ ସଙ୍କଟ ରହେ । ସାମାଜିକ, ସାଂସ୍କୃତିକ ଓ ବ୍ଯବହାରିକ ପ୍ରଭାବ ବି ରହେ ; ଉଚ୍ଚ ଧରଣର ମାନସିକ ଚାପ, ଉତ୍କଣ୍ଠା ଓ ସହଜ ଲବ୍ଧ ଆଲକୋହୋଲ ଏ ରୋଗ ସଙ୍କଟ ବଢ଼ାଇ ଦିଏ । ରୋଗ ଲକ୍ଷଣ ହ୍ରାସ ପାଇଁ ବା ପ୍ରତିରୋଧ ପାଇଁ ଆଂଶିକ ଭାବେ ଆଲକୋହୋଲ ପିଆ ଯାଇପାରେ । ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କଲେ ବି କିଛି ମାସ ଧରି ଲକ୍ଷଣ ଚାଲୁରହେ । ଚିକିତ୍ସା ବିଜ୍ଞାନ ଅନୁସାରେ ଆଲ୍କହଲିଜ୍ମ ଉଭୟ ଶାରୀରିକ ଓ ମାନସିକ ରୋଗ ରୂପେ ବିବେଚନା କରାଯାଏ । ପ୍ରଶ୍ନାବଳୀ ଓ ରକ୍ତ ପରୀକ୍ଷା ପୂର୍ବକ ସନ୍ଦେହାତ୍ମକ ରୋଗ ନିର୍ଣ୍ଣୟ କରାଯାଏ ; ରୋଗ ନିଧାର୍ଯ୍ୟ ନିମନ୍ତେ ଅଧିକ ତଥ୍ଯ ସଂଗ୍ରହ କରାଯାଏ । ମଦର ସୀମିତ ବିକ୍ରି ଓ ନିୟନ୍ତ୍ରଣ, ଆଲ୍କୋହୋଲ ଟିକସ ବୃଦ୍ଧି ଏବଂ ଶସ୍ତା ଚିକିତ୍ସା ଉପଲବ୍ଧ କଲେ "ମଦ୍ଯାତ୍ଯୟ" ଦୂର କରିବା ସମ୍ଭବପର ହେବ । ମଦ ହଠାତ ତ୍ଯାଗ କଲେ ସଙ୍କଟ ଦେଖାଯାଏ, ତେଣୁ ନିୟନ୍ତ୍ରିତ ଆଲକୋହୋଲ ଡ଼ିଟକ୍ସିଫିକେସନ କରାଯାଏ । ଏ ଲାଗି ବେଞ୍ଜୋଡାଏଜେପିନ ଦଳର ଡ଼ାଏଜେପାମ ସାଧାରଣତଃ ବ୍ଯବହାର ହୁଏ ।ଏହାର ଚିକିତ୍ସାରେ ମାନସିକ ବ୍ଯାଧି ଓ ଅନ୍ୟ ନିଶା ଜଟିଳତା ସୃଷ୍ଟି କରିବା ସମ୍ଭାବନା ଥାଏ ।ଡ଼ିଟକ୍ସିଫିକେସନ ପରେ ଦଳଗତ ଥେରାପି ଓ ସାହାଯ୍ୟକାରୀ ଦଳ ରୋଗୀକୁ ପୁନଃ ନିଶାଗ୍ରସ୍ତ ହେବାରେ ସାହାଯ୍ୟ କରନ୍ତି । ଆକାମ୍ପ୍ରୋସେଟ, ଡ଼ାଇସଲଫିରାମ ବା ନାଲଟ୍ରେକସୋନ ପରି ମେଡ଼ିସିନ୍ ମଦ୍ୟପାନ କରିବାରୁ ରକ୍ଷା କରିବାକୁ ଦିଆଯାଏ । ମଦ୍ଯାତ୍ଯୟ ରୋଗ ଅଳ୍ପ ବୟସ୍କ ଯୁବକଙ୍କୁ ଅଧିକ ହୁଏ ; ମଧ୍ୟ ବୟସ୍କ ତଥା ବୃଦ୍ଧ ବୟସରେ କମ୍ ଦିଶେ । ମଦ୍ଯାସକ୍ତ ଲୋକଙ୍କୁ ଲୋକମାନେ ଅସମ୍ମାନ ଜନକ ଟ୍ରିପଲର, ମଦୁଆ ଏବଂ ଡ଼ିପୋଶୋମାନିଆକ ଆଦି ନାମରେ ଡ଼ାକୁଥିଲେ । ସନ ୧୯୭୯ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏପରି ନାମକୁ ନାପସନ୍ଦ କରି ଆଲକୋହୋଲ ଡ଼ିପେଣ୍ଡେନ୍ସ୍ ସିଣ୍ଡ୍ରୋମ ନାମ ଦେଇଥିଲେ ।
ଯଥେଷ୍ଟ ପୋଷକ ନ ଥିବା ବା ମାତ୍ରାଧିକ ପୋଷକ ଥିବା ଖାଦ୍ଯ ଖାଇବା ଫଳରେ "କୁପୋଷଣ" ରୋଗ , ଯିଏକି "ପୁଷ୍ଟିମାନ୍ଦ୍ଯ ବା ଅପପୁଷ୍ଟି" ରୋଗ ନାମରେ ଜଣା । ଗର୍ଭାବସ୍ଥା ଓ ଦୁଇ ବର୍ଷ ବୟସରୁ କମ ବୟସ ପିଲାଙ୍କର କୁପୋଷକ ବା ଅପପୁଷ୍ଟି ରୋଗ ହେଲେ ଶାରୀରିକ ତଥା ମାନସିକ ବୃଦ୍ଧି ହୁଏନି । ଅତ୍ଯଧିକ ପୋଷକ ଅଭାବ ଯେପରିକି ଉପବାସ ଅବସ୍ଥା ହେଲେ ଉଚ୍ଚତା କମ ଓ ଶରୀର ପତଳା ହୁଏ ; ଶକ୍ତିସ୍ତର କମିବା ସହ ପେଟ ତଥା ଗୋଡ଼ ଫୁଲିଯାଏ । ଏଥିରେ ଲୋକର ଅଧିକ ରୋଗ ସଂକ୍ରମଣ ହୁଏ ଓ ଦେହ ଥଣ୍ଡା ରହେ । କୁପୋଷଣ ରୋଗର ସଚେତକ ଚିହ୍ନ ରୂପରେ କମଳା ରଙ୍ଗର ରିବନ ଥାଏ । ଏହି ରୋଗର ଇଂରାଜୀ ନାମ "ମାଲନ୍ଯୁଟ୍ରିସନ" ବା "ମାଲନରିସମେଣ୍ଚ" ଅଟେ । କାରଖାନା ପ୍ରବଣ ଦେଶ ମାନଙ୍କରେ ଓ ସ୍ବଳ୍ପ ବିକଶିତ ରାଷ୍ଟ୍ର ମାନଙ୍କରେ ଏ ରୋଗ ପରିଲକ୍ଷିତ ହୁଏ । ଧନୀ ଦେଶ ମାନଙ୍କରେ ଅସ୍ବାସ୍ଥ୍ଯକର ଖାଦ୍ଯ, ଅଧିକ ଶକ୍ତି ସମ୍ପର୍ଣ୍ଣ ଚର୍ବି ଏବଂ ଶ୍ବେତସାର ଖାଦ୍ଯ ଖାଇବା ଯୋଗୁଁ ଏ ରୋଗ ହୁଏ । ପୃଥୁଳତା ଏକ ଜନ ସ୍ବାସ୍ଥ୍ୟ ସମସ୍ଯା ରୂପେ ଦଣ୍ଡାୟମାନ । ଉତ୍ତମ ମାନର ଖାଦ୍ଯ ଖାଇବାକୁ ନ ମିଳିଲେ ଏ ରୋଗ ହୁଏ ।
ମଦ ସହିତ ଲୋକମାନେ କିଛି ଚାଖଣା ଖାଇଥା'ନ୍ତି । କିନ୍ତୁ କିଛି ଚାଖଣା ମଦ୍ଯ ସହିତ ଖାଇବାକୁ ବାରଣ କରାଯାଇଛି । ମଦ୍ଯ ସହିତ କାଜୁ ଓ ଚିନାବାଦାମ, ମଦ୍ଯ ସହ ସୋଡ଼ା ବା ଥଣ୍ଡାପାନୀୟ ମିଶାଇ ପିଇବା ଅନୁଚିତ । କାଜୁ ଓ ଚିନାବାଦାମରେ ପ୍ରଚୁର ପରିମାଣରେ କୋଲୋଷ୍ଟ୍ରୋଲ୍ ଥିବା ହେତୁ ଏହା ଭୋକ କମାଇ ଦିଏ । ମଦ ସହ ସୋଡ଼ା ବା ଥଣ୍ଡାପାନୀୟ ମିଶାଇ ପାନ କଲେ ଶରୀରର ଜଳୀୟ ଅଂଶ କମିଯାଏ ; ସେହିପରି ମଦ ସହ ତେଲ ଛଣା ଖାଦ୍ଯ ଖାଇଲେ ଏସିଡ଼ିଟି ହେବାର ସମ୍ଭାବନା ଥାଏ । ପୁନଃ ମଦ ସହ ଚିପ୍ସ୍, ଦହି, ଲହୁଣି, ବିରିଆନି, ମସଲାଯୁକ୍ତ ଖାଦ୍ଯ ଖାଇବାରୁ ଦୂରେଇ ରହିବା ଯଥୋଚିତ ଓ ମିଠା ଖାଦ୍ଯ ଖାଇବାରୁ ବି ଦୂରେଇ ରହିବା ଉଚିତ । ମଦ ସହ ମିଠା ଖାଇଲେ ନିଶା ଦୁଇ ଗୁଣ ବଢ଼ି ଯାଇଥାଏ ଓ ମିଠା ମଦରେ ଥିବା ବିଷାକ୍ତ ପଦାର୍ଥକୁ ଉଜ୍ଜୀବିତ କରିଥାଏ । ମଦ୍ୟପାନ ଉପରେ କରାଯାଇଥିବା ଗବେଷଣାରୁ ଜଣାଯାଏ ଯେ ଶୀତ ଋତୁରେ ଅଧିକ ମଦ୍ୟପାନ କରାଯାଇଥାଏ । ଅନ୍ଯ ଜଣେ ଗବେଷକ ଡ଼. ମ୍ଯାକ୍ସ ଗ୍ରୀସ ବୁଲଡ଼ଙ୍କ ମତରେ ଗୋଟିଏ ପେଗ୍ ମଦ ପିଇଲେ ବି ଶରୀର ଉପରେ ତା'ର କୁପ୍ରଭାବ ପଡ଼େ । ଏହା ଫଳରେ କର୍କଟ, ମଧୁମେହ, ଟ୍ଯୁବର କୁଲୋସିସ୍ ରୋଗ ହେବାର ଆଶଙ୍କା ୦.୫% ବୃଦ୍ଧି ପାଇଥାଏ । ଯେଉଁମାନେ ଦିନରେ ଦୁଇ ପେଗ୍ରୁ ଅଧିକ ଡ୍ରିଙ୍କ୍ସ୍ କରିଥା'ନ୍ତି, ସେମାନଙ୍କଠି ଉପରୋକ୍ତ ରୋଗର ଆଶଙ୍କା ସାତ ପ୍ରତିଶତ ଯାଏଁ ବୃଦ୍ଧି ହୋଇଥାଏ । କିନ୍ତୁ ଯେଉଁମାନେ ଦିନରେ ପାଞ୍ଚ ପେଗ୍ ମଦ୍ୟପାନ କରନ୍ତି, ସେମାନଙ୍କ ଠାରେ ଏହି ରୋଗର ଆଶଙ୍କା ୩୭ ପ୍ରତିଶତ ବୃଦ୍ଧି ପାଏ । ମଦ ଜନିତ ମୃତ୍ୟୁ ସଂଖ୍ୟା ଭାରତ, ଚୀନ ଓ ଋଷିଆ ଭଳି ଦେଶରେ ସର୍ବାଧିକ ବୋଲି କୁହା ଯାଉଛି । ଏହି ଗବେଷଣାରେ ୧୯୯୦ରୁ ୨୦୧୭ ମଧ୍ୟରେ ୧୯୫ ଦେଶର ଲୋକଙ୍କୁ ସାମିଲ୍ କରାଯାଇଥିଲା ।
ଆସାମର ରାଜଧାନୀ ଗୁଆହାଟୀରେ ୫ ଜଣ ବୈଜ୍ଞାନିକ ଏକ ଉପାୟ ଅବଲମ୍ବନ କରି ଚା'ରୁ ପ୍ରସ୍ତୁତ କରିଛନ୍ତି ମଦ । ଟୋକଲାଇ ଟି ରିସର୍ଚ୍ଚ ଇନଷ୍ଟିଚୁଟର ଏ ପାଞ୍ଚ ଜଣ ବୈଜ୍ଞାନିକ କେତୋଟି ଚା'କୁ ମିଶ୍ରଣ କରି ମଦ ତିଆରି କରିଥିଲେ ; ଯାହାର ବାସ୍ନା ସବୁଠୁ ନିଆରା । ସେହିପରି ଉକ୍ତ ସଂସ୍ଥାର ମାଇକ୍ରୋଲୋଜି ଓ ମାଇକ୍ରୋ ବାୟୋଲୋଜିର ବୈଜ୍ଞାନିକ ମାନେ ଚା'ରୁ ପ୍ରସ୍ତୁତ ଅନ୍ଯ ତିନି ପ୍ରକାରର ମଦ ତିଆରି କରିଛନ୍ତି । ସେଗୁଡିକ ହେଲା - ସିଟିସି ୱାଇନ୍, ଆର୍ଥୋଡ଼ିକ୍ସ ଓ ଗ୍ରୀନ୍ ଟି ୱାଇନ୍ । ଏହାକୁ ପାନ କଲେ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ବୋଲି ବୈଜ୍ଞାନିକ ମାନଙ୍କର ଅଭିମତ । ଏହା ଅର୍ଗାନିକ ଓ ପେଷ୍ଟିସାଇଡ୍ସ ଗ୍ରୀନ୍ ଟିରୁ ପ୍ରସ୍ତୁତ, ଯାହା ଶରୀରକୁ ଛୋଟମୋଟ ଥଣ୍ଡା ସର୍ଦ୍ଦିକୁ ଦୂରେଇ ଦେବ ବୋଲି ସେମାନେ କହନ୍ତି । ଦକ୍ଷିଣ କୋରିଆରେ ଅଭିନବ ଉପାୟରେ ଏକ ମଦ ପ୍ରସ୍ତୁତ କରାଯାଉଛି, ଯାହା ସାରା ଦୁନିଆରେ ଚର୍ଚ୍ଚିତ । ଏହି ମଦ ଶରୀର ପାଇଁ ଲାଭଦାୟକ ବୋଲି କୁହାଯାଏ । ଏହି ମଦକୁ ସେବନ କଲେ ଶରୀରର ଦରଜ କମେ ଓ ହାଡ଼ ଭାଙ୍ଗିଥିବା ଲୋକଙ୍କ ପାଇଁ ଏକା ଉପକାରୀ କୁହାଯାଏ । ଶରୀରରେ ଥିବା ବିଭିନ୍ନ ରୋଗର ଉପଶମକାରୀ ଏହି ମଦ ୩ରୁ ୪ ବର୍ଷ ଶିଶୁଙ୍କ ମଳରେ ପ୍ରସ୍ତୁତ ହେଲେ ହେଁ ବିଶେଷ ଗନ୍ଧ ହୁଏ ନାହିଁ । କୋରିଆର ଡ଼ାକ୍ତର ଲି ଚ଼ାଂ ସୁ ତିଆରି କରିଥିବା ଏହି ମଦକୁ ଲୋକେ "ସାଙ୍ଗ୍ସୁଲ୍" କହନ୍ତି । ତାଙ୍କ କହିବାନୁସାରେ ଏ ମଦ ତିଆରି ପାଇଁ ପିଲାଙ୍କର ମଳରେ ୯% ଆଲକହଲ ମିଶାଯାଏ । କିଛି ଗବେଷଣାରୁ ଉପଲବ୍ଧି ମିଳିଛି ଯେ ସ୍ବଳ୍ପ ପରିମାଣରେ ମଦ୍ୟପାନ ଶରୀର ପ୍ରତି ହିତକାରକ । ଏହାଦ୍ବାରା ହାର୍ଟ୍ ଭଲ ରହେ, ମଣିଷର ସୃଜନଶୀଳତା ବଢ଼େ ; ଆଲଯାଇମର ରୋଗରୁ ସୁରକ୍ଷା ଦେଇଥାଏ । ଅନୁସନ୍ଧାନରୁ ଜ୍ଞାତ ଯେ ପୁରୁଷ ବା ନାରୀ ଯିଏକି ଦୈନିକ ଗୋଟେ ବା ଦୁଇ ପେଗ୍ ମଦ୍ୟପାନ କରନ୍ତି ସେମାନେ ନପିଉଥିବା ଲୋକଙ୍କ ଅପେକ୍ଷା ହୃଦ୍ଘାତର କମ୍ ଶିକାର ହୁଅନ୍ତି । ମଣିଷ ପାଇଁ ମଦ୍ୟପାନର ସୁସ୍ଥ ଲେଭେଲ ହେଲା ଦୈନିକ ୩ ୟୁନିଟ୍, ଅର୍ଥାତ୍ ସପ୍ତାହକୁ ୨୧ ୟୁନିଟ୍ । ଗୋଟେ ୟୁନିଟ୍ ଆଲକୋହଲ ସହ ସମତୁଲ୍ଯ - "ଅଧା ପାଇଁଟ ବିଅର (୩-୪% ଆଲକୋହଲ), ଅଳ୍ପ ପରିମାଣର କଡ଼ା ମଦ ( ୪୦% ଆଲକୋହଲ)। ସେପରି ଦେଢ଼ ୟୁନିଟ ଆଲକୋହଲ ସହ ସମତୁଲ୍ଯ ହେଲା - "ୱାଇନ୍ର ଏକ ଛୋଟ ଗ୍ଲାସ୍ (୧୨% ଆଲକୋହଲ), କଡ଼ା ମଦର ଏକ ପେଗ୍ (୪୦% ଆଲକୋହଲ) ।" ପୁରୁଷମାନେ ଦୈନିକ ୪ ୟୁନିଟ୍ରୁ ଅଧିକ ମଦ ପାନ କରିବା ଅନୁଚିତ । ସପ୍ତାହରେ ଦୁଇଦିନ କମସେ କମ ବିନା ମଦରେ ଚଳିବା ପାଇଁ ହେବ । ସ୍ବଳ୍ପ ମଦ୍ୟପାନ ଆମ ଶରୀରରେ H D L (ହିତକାରୀ କୋଲେଷ୍ଟେରୋଲ)ର ପରିମାଣ ବୃଦ୍ଧି କରି ହୃଦ୍ରୋଗରୁ ରକ୍ଷା କରିଥାଏ ।
ବିଭିନ୍ନ ନିଶାଦ୍ରବ୍ୟରୁ ଅବକାରୀ ବିଭାଗ ଅନେକ ଲାଭବାନ ହୋଇ ପାରୁଛି ; ବିଶେଷ କରି ମଦ୍ଯରୁ ଅଧିକ ଲାଭବାନ ହେଉଥିବାର ଜଣା ଯାଏ । ଅପମିଶ୍ରିତ ମଦ୍ଯ କାରବାର ରୋକିବା ଓ ରାଜ୍ଯରେ ଅଧିକ ସମ୍ବଳ ସୃଷ୍ଟି କରିବା ଉଦ୍ଦେଶ୍ଯ ନେଇ ସରକାର ଏପରି ଏକ ନୀତି ନିର୍ଦ୍ଧାରଣ କରିଛନ୍ତି,ଯଦ୍ଦ୍ବାରା କି ମଦ୍ଯ ପସ୍ତୁତି, ଏହାର ପାତନ ଓ କାରବାର ସରକାରଙ୍କ କଡ଼ା ତତ୍ତ୍ବାବଧାନରେ ନିୟନ୍ତ୍ରଣ ହେଉଛି । ଏହା ସାମାଜିକ ମୂଲ୍ୟବୋଧକୁ ପ୍ରଭାବିତ ନ କରି ଯଥେଷ୍ଟ ପରିମାଣର ରାଜସ୍ୱ ଆଦାୟ କରିବାରେ ସହାୟତା କରି ପାରୁଛି । ଚ଼ୋରାମଦ କାରବାରକୁ ପ୍ରତିହତ କରିବା ଓ ସମ୍ଭାବ୍ୟ ମଦ ମୃତ୍ୟୁକୁ ରୋକିବାର୍ଥେ ୨୦୦୬-୦୭ ଆର୍ଥିକ ବର୍ଷରେ ବିହାର ଓ ଓଡ଼ିଶା ଅବକାରୀ (ସଂଶୋଧନ) ଆଇନ ୨୦୦୬ ଜରିଆରେ ଅବକାରୀ ଅପରାଧ ନିମନ୍ତେ ଦଣ୍ଡବିଧି ଗୁଡ଼ିକୁ ଅଧିକ କଠୋରରୁ କଠୋରତର କରାଯାଇଛି ; ଏହାକୁ ଅନେକାଂଶରେ ଜାମିନ ବିହୀନ ମଧ୍ୟ କରାଯାଇଛି ଏବଂ ଅବକାରୀ ଅଧିକାରୀ ମାନଙ୍କୁ ପୋଲିସ କ୍ଷମତା ପ୍ରଦାନ କରାଯାଇଛି । ମଦ ବେପାରୀ ମାନଙ୍କ ଅସାଧୁମେଣ୍ଟର ଭଗ୍ନାର୍ଥେ ସରକାରୀ ସଂସ୍ଥା ମାନଙ୍କୁ ବିନା ଲାଇସେନ୍ସରେ ଅବକାରୀ ଦୋକାନ ଖୋଲିବାକୁ ବ୍ଯବସ୍ଥା ହୋଇଛି । ବିହାର ଓ ଓଡ଼ିଶା ଅବକାରୀ (ସଂଶୋଧନ) ଆଇନ ୨୦୦୬ ବହୁ ସଫଳ କରିଛି । ମଦ ମାଫିଆଗଣ ଚ଼ୋରାମଦ କାରବାର କରିବାକୁ ଭୀତତ୍ରସ୍ତ ପ୍ରାୟ । ଭାରତ ପ୍ରସ୍ତୁତ ବିଦେଶୀ ଓ ଦେଶୀ ମଦର ପାଇକାରି ବ୍ଯବସାୟକୁ ସରକାର ୨୦୦୧ ମସିହାରୁ "ଓଡ଼ିଶା ରାଜ୍ଯ ପାନୀୟ ନିଗମ" ଜରିଆରେ ହାତକୁ ନେଇଛନ୍ତି ; ଯାହା ଅବୈଧ ମଦ କାରବାର ରୋକିବାରେ ଯଥେଷ୍ଟ ସାହାଯ୍ୟ କରିଛି । ଅବକାରୀ ରାଜସ୍ୱ ଅନେକ ମାତ୍ରାରେ ବୃଦ୍ଧି ମଧ୍ୟ ଘଟିଚି । ପୁନଃ ଅବକାରୀ ଧରପଗଡ଼ କାର୍ଯ୍ୟକ୍ରମ ମଧ୍ୟ କଡ଼ାକଡ଼ି ହୋଇଛି ; ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକ ମାନଙ୍କୁ ସଂଦିଗ୍ଧ ଅବୈଧ ମଦରନ୍ଧା କେନ୍ଦ୍ର ସବୁ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିବା ଓ ବିଷାକ୍ତ ମଦ କାରବାରକୁ ପ୍ରତିହତ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏସବୁ ଜାଗାରେ ମିଳିତ ଚଢ଼ଉ ଚାଲିଛି । ପରିବର୍ତ୍ତିତ ପରିସ୍ଥିତି ନିରେଖି ଓଡ଼ିଶା ଅବକାରୀ ବିଲ୍, ୨୦୦୫ ନାମ୍ନୀ ଏକ ନୂତନ ଚିଠା ବିଲ୍ ମାନ୍ୟବର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ କରାଯାଇଛି ; ମାନ୍ୟବର ବିଧାନସଭା ଏ ବିଲ୍କୁ ବିଧାନସଭାର ସିଲେକ୍ଟ୍ କମିଟି ନିକଟକୁ ବିଚାରାର୍ଥେ ପଠାଇଛନ୍ତି । ବିଭିନ୍ନ ରାଜ୍ଯ ପରିଦର୍ଶନ କରି ସିଲେକ୍ଟ୍ କମିଟି ଆବଶ୍ୟକୀୟ ସଂଶୋଧନ ସହିତ ଏ ବିଲ୍କୁ ଚୂଡ଼ାନ୍ତ ରୂପରେଖ ଦେଇଛନ୍ତି ; ଏହା ନୂତନ ଆଇନ୍ରେ ପରିଣତ ହୋଇସାରିଛି । ୨୦୧୭ ଏପ୍ରିଲରୁ ରାଜ୍ଯରେ ନୂଆ ମଦ ଆଇନ୍ ପ୍ରଣୟନ ହେଲା । ସମ୍ବିଧାନରୀ ଥିବା "ଡ଼ିରେକ୍ଟିଭ୍ ପ୍ରିନ୍ସପାଲ ଅଫ୍ ଷ୍ଟେଟ୍ ପଲିସି"ର ଧାରାନୁଯାୟୀ ସ୍ବାସ୍ଥ୍ୟ ସେବା ଉଦ୍ଦେଶ୍ଯରେ ନିଶାଦ୍ରବ୍ୟକୁ ଔଷଧ ରୂପେ ବ୍ଯବହାର କରାଯାଇ ପାରିବ । ସରକାରଙ୍କ ନିୟମାନୁସାରେ ଲାଇସେନ୍ସ ପ୍ରାପ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ନିଜେ ବାର୍ ଖୋଲି ନଥା'ନ୍ତି ; ଏଥିପାଇଁ ସେମାନେ ଅନ୍ଯକୁ ନିଯୁକ୍ତି ଦେଇଥା'ନ୍ତି । ଏହି ଲାଇସେନ୍ସ ଦେବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି ।
ଭାରତ ସ୍ବାଧିନତା ପାଇବା ପୂର୍ବରୁ ଗାନ୍ଧିଜୀଙ୍କର ବହୁତ ବଡ଼ ଇଚ୍ଛା ଥିଲା ଦେଶରୁ ନିଶା ନିବାରଣ କରିବା । ସ୍ବାଧିନତା ପ୍ରାପ୍ତିର ଅଳ୍ପକାଳ ପୂର୍ବରୁ ସ୍ବାଧୀନ ଭାରତରେ କେଉଁ କାମକୁ ସେ ଅଗ୍ରାଧିକାର ଦେବେ ବୋଲି ଯେବେ ସାମ୍ବାଦିକମାନେ ଗାନ୍ଧିଜୀଙ୍କୁ ପ୍ରଶ୍ନ କଲେ, ଗାନ୍ଧିଜୀ କହିଥିଲେ "ମୋର ମତ ସ୍ବାଧିନତା ପ୍ରାପ୍ତିର ୨୪ଘଣ୍ଟା ଭିତରୀ ଦେଶରୁ ସମ୍ପୂର୍ଣ୍ଣ ନିଶା ହଟିବା ଦରକାର ।" ଗାନ୍ଧି ନିଜେ କହିଛନ୍ତି ସର୍ବ ପ୍ରକାର ହିଂସା, ହତ୍ୟା,ଗଣ ବଳାତ୍କାର ଓ ଶିଶୁ ବଳାତ୍କାର ପଛରେ ମଦ୍ଯର ନିର୍ବିବାଦୀୟ ଭୂମିକା ଅଛି । ଏ କାରଣରୁ ମୂଳୋତ୍ପାଟନ ନ କରି ଅହିଂସାର ସ୍ଲୋଗାନ ଦେଇ ରାଜସ୍ୱ ଆଦାୟ ଉଦ୍ଦେଶ୍ଯ ମଦ୍ଯକୁ ପ୍ରୋତ୍ସାହନ ଦେଇ ଜାଣିଶୁଣି ହିଂସା ଆପଣେଇବା ନୀତି ପ୍ରଚଳିତ । ନିଶା ନିବାରଣ ପାଇଁ ୧୯୫୬ ମସିହାରୁ ଏକ ଆଇନ୍ ପାରିତ ହୋଇ ରାଷ୍ଟ୍ରପତିଙ୍କ ସମ୍ମତି ପାଇ ପଡ଼ି ରହିଛି । ଏହା ସତ୍ତ୍ୱେ ବି. ଜେ. ଡ଼ି. ର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ରାଜ୍ଯ ବିଧାନସଭାରେ ଏକ ବିଧେୟକ ନୀତି ଆଣିଥିଲେ ଓ ଏ ଆଲୋଚନାରେ ସବୁ ଦଳର ସଦସ୍ୟମାନେ ସମ୍ମତି ଦେଇଛନ୍ତି । ତଥାପି ରାଜ୍ଯରେ ଉକ୍ତ ଆଇନ୍ କାର୍ଯ୍ଯକାରୀ ହେବାର ନାହିଁ । ବିହାରରେ ନିଶା ନିବାରଣ ହୋଇପାରିଲା, କିନ୍ତୁ ହୋଇ ପାରିଲାନି ଓଡ଼ିଶାରେ ।
ଭାଟପଡ଼ା, ନିରାକାରପୁର, କଣାସ (ପୁରୀ)
Comments
Post a Comment