କି ପ୍ରକାର ଏ ରାଜନୀତି ?

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 



          "ଦେଶଦାସୀ ବନ୍ଧୁ ଆତ୍ମୀୟ ସୋଦର ,
         କାରାଦଣ୍ଡେ ମୋର ହେଲ କି କାତର ? 
 
           ଥିଲା ଏହା ଆଗୁଁ ଜଣାଶୁଣା କଥା ,
       ସେଥିପାଇଁ ତେବେ କିମ୍ପା ମନେ ବ୍ଯଥା ।

            କାତରତା ସିନା କାପୁରୁଷପଣ ,
         ବୀର ମରେ ଅବା ମାରେ କରି ରଣ ।

           ପଛଘୁଞ୍ଚା ନାହିଁ ବୀରର ଜାତକେ ,
         ନମରେ ସେ କେବେ ପରାଣ ଆତଙ୍କେ ।

             ଜାଣିଛି , ଲାଗିଛି ଏ ଶାନ୍ତି ସମର ,
             ନାହିଁ ଏଠି ତୋପ ହାତହତିଆର ।

           ବଳ ବା ବିଭବ ନାହିଁ ଏଠି ଲୋଡ଼ା ,
        ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।

            ଆଧ୍ଯାତ୍ମିକ ବଳେ ଲାଗିଛି ଲଢ଼ାଇ ,
             ଭାଙ୍ଗିବାକୁ ପଶୁବଳର ବଡ଼ାଇ ।

           ଛାଡ଼ି ଧନ - ଆଶା ଘରଦ୍ୱାର - ମାୟା ,
            ଅସଙ୍ଗଶସ୍ତ୍ରେ ଯେ ସାଜିଅଛି କାୟା ।

         ଅହିଂସା - ବଳରେ ଯେହୁ ବଳୀୟାନ ,
          ଏ ରଣ ପ୍ରାଙ୍ଗଣେ ତା'ର ଏକା ସ୍ଥାନ ।

              ଏଥିରେ ପ୍ରଥମ ଫଳ କାରାଦଣ୍ଡ ,
            ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ ।

             ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ ,
            ନାହିଁ ମୋ' ବିଚ଼ାର ମାନ ପମାନେ ।

         ମିଶୁ ମୋର ଦେହ ଏ ଦେଶ ମାଟିରେ ,
          ଦେଶଦାସୀ ଚ଼ାଲି ଯାଆନ୍ତୁ ପିଠିରେ ।

         ଦେଶର ସ୍ବରାଜ୍ଯ - ପଥେ ଯେତେ ଗାଡ଼ ,
           ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼  ।

          ସ୍ବାଧୀନତା ପଥେ ତିଳେ ହେଲେ ନର ,
          ମୋ' ଜୀବନ ଦାନେ ହେଉ ଅଗ୍ରସର ।

               ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା ,
           ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା ।"

     ଏହି କବିତାଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ରଚି଼ତ । ଏହା ତାଙ୍କ ରଚ଼ିତ "ବନ୍ଦୀର ଆତ୍ମକଥା" କାବ୍ଯର ଉଦ୍ଧୃତାଂଶ । ବହୁବର୍ଷ ତଳେ ଏହି ରଚ଼ନାଟି ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଆମେ ପଢ଼ୁଥିଲୁ । ସେ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ , କବି , ଲେଖକ ଓ ଦୈନିକ ଖବରକାଗଜ଼ "ସମାଜ" ଆଉ "ସତ୍ଯବାଦୀ"ର ପ୍ରତିଷ୍ଠାତା । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତୁଳନୀୟ । ଏହି କବିତାଟିରେ ତାଙ୍କର ଦେଶପ୍ରୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି । ନିଜକୁ ଉଦାହରଣରେ ନେଇ ସମାଜକୁ ଦେଇଥିବା ବାର୍ତ୍ତା ତାଙ୍କର ମହନୀୟ ଗୁଣବତ୍ତାକୁ ପ୍ରତିପାଦନ କରୁଛି । ଏହି କବିତାରେ  ସେ ଭାରତବାସୀଙ୍କୁ ନୂତନ ବାର୍ତ୍ତା ପ୍ରେରଣ ପୂର୍ବକ ସୁପ୍ତ ଶୟନରତ ଜନତାଙ୍କର ନିଦ୍ରାଭଗ୍ନ କରିବା ସହିତ ପରୋକ୍ଷରେ "ବଲମ ଠାରୁ କଲମର ଶକ୍ତି ଅଧିକ" ବୋଲି ଦର୍ଶାଇ ପାରିଛନ୍ତି । କାରାଗାରର ରୁଦ୍ଧ କୋଠରୀରେ ଥାଇ ବି , ବିପଦ ଅଛି ବୋଲି ଜାଣି ବି ସେ ନିରବରେ ବସି ନଯାଇ କଲମର ଶାଣିତ ମୁନରେ ସ୍ବର ତୋଳି ଜନସମାଜକୁ ଜାଗ୍ରତ କରାଇଛନ୍ତି ଏବଂ ନିଜକୁ ଦେଶ ମାତୃକାର ଶରୀର ସହିତ ଲୀନ କରାଇବାର ବାର୍ତ୍ତା ପ୍ରେରଣ କରି କଲମ ମୁନରେ ଦେଶ ଓ ଜାତିକୁ ନିଷ୍କଣ୍ଟକ କରିବାର ସୁନ୍ଦର ବାର୍ତ୍ତା ପରଷିଛନ୍ତି । ସେହି ମହାନ ଗୁଣ ସମ୍ପନ୍ନ , ଦେଶଭକ୍ତଙ୍କୁ ଶତ ନମନ ; ସେ ଚ଼ିର ସ୍ମରଣୀୟ । 

       ଖାଲି ଗୋପବନ୍ଧୁ ନୁହଁନ୍ତି ; ମଧୁସୁଦନ ଦାସ , ଲାଲା ଲଜପତ ରାୟ , ବାଳ ଗଙ୍ଗାଧର ତିଳକ , ବିପିନ ଚ଼ନ୍ଦ୍ର ପାଲ , ବୀର ସୁରେନ୍ଦ୍ର ସାଏ , ମହାତ୍ମା ଗାନ୍ଧୀ , ଜବାହରଲାଲ ନେହେରୁ , ସୁଭାଷ ବୋଷ , ବାଜି ରାଉତ ପରି ଅନେକ ବୀର ତଥା ଦେଶଭକ୍ତ ଆମ ଦେଶ ମାତୃକାର ସେବାରେ ବ୍ରତୀ ଥିଲେ । ସ୍ବାଧୀନତା ପାଇଁ ଲଢ଼େଇ କରି ପ୍ରାଣବଳି ଦେଇ ଯାଇଛନ୍ତି । ସମାଜରେ ତାଙ୍କର କର୍ତ୍ତବ୍ୟ ପରାୟଣତା ତଥା ଦେଶବାସୀଙ୍କୁ ଗଭୀର ଭଲପାଇବା ଇତିହାସ ହେଲେ ମଧ୍ୟ ଅବିସ୍ମରଣୀୟ ହୋଇ ରହିଛି । ସେମାନେ ପ୍ରକୃତରେ ଥିଲେ ଜଣେ ଜଣେ କର୍ମବୀର , ଧର୍ମବୀର ; ଜନସେବା ହିଁ ଥିଲା ତାଙ୍କର ଏକମାତ୍ର ବ୍ରତ । ନିଜ ଆତ୍ମୀୟଙ୍କର ଦୁଃଖ , କଷ୍ଟକୁ ପଛରେ ପକାଇ ଜନ ସମାଜର ମଙ୍ଗଳ ଚ଼ିନ୍ତା କରି ଧର୍ମଦାଣ୍ଡକୁ କର୍ମଦଣ୍ଡ ଧରି ଲମ୍ଫ ପ୍ରଦାନ କରି "ସତ୍ଯମେବ ଜୟତେ"ର ସ୍ଲୋଗାନକୁ ପାଥେୟ କରି "ବନ୍ଦେ ମାତରମ୍‌"ର ଖରନାଦରେ ଶତ୍ରୁ ଶିର ଛେଦି ନିଜ ଜାତିର ବିଜୟ ଧ୍ୱଜା ଉତ୍ତୋଳନ କରି ନିଜକୁ ସଙ୍କଟରେ ପକାଇ ଦେଶ ଓ ଜାତିର ସୁରକ୍ଷା କରି ଚ଼ାଲିଥିଲେ । ବିବେକାନନ୍ଦଙ୍କ ବାଣୀ ଅନୁସାରେ "ମାନବ ସେବା ହିଁ ମାଧବ ସେବା" ; ଏକଥାର ଯଥାର୍ଥ ଉଦାହରଣ ପୂର୍ବସୂରୀ ମାନଙ୍କ ଠାରୁ ମିଳେ । ସେଇ ମାନଙ୍କ ପାଇଁ ଆମେ ଇଂରେଜୀ ଶାସନର ମହାବିପତ୍ତିରୁ ବର୍ତ୍ତି ଆଜି ସ୍ବାଧୀନ ଭାବରେ ବିଚ଼ରଣ କରିପାରୁଛେ । ତେଣୁ ସେ ମହାନ ; ଚ଼ିର ନମସ୍ୟ ଥିଲେ , ଅଛନ୍ତି ଆଉ ଆଗକୁ ବି ରହିଥିବେ । ଆଜି ସେମାନେ ଆମ ଗହଣରେ ନାହାନ୍ତି ସତ ; କିନ୍ତୁ ଆମ ମନ ନିଳୟରେ ସଦାସର୍ବଦା ବିରାଜିତ । ସେମାନଙ୍କର ପ୍ରତ୍ଯେକ ବାର୍ତ୍ତା ଆମ ହୃଦ ଅମାରର ସାଇତା ସନ୍ତକ ଏବଂ ତାଙ୍କର ପ୍ରତ୍ଯେକଟି କାର୍ଯ୍ୟକଳାପ ଆମ ମାନଙ୍କର ଚ଼କ୍ଷୁ ଦର୍ପଣର ପ୍ରତିବିମ୍ବ  । ଆମେ ସେମାନଙ୍କ ଅନୁସରଣକାରୀ ହେବା ଉଚି଼ତ୍ ।

      ସେଦିନର ଜନ ସମାଜ ଓ ଆଜିର ଜନ ସମାଜ ଭିତରେ ଆକାଶ - ପାତାଳ ତଫାତ ପରିଲକ୍ଷିତ । ପୂର୍ବର ସେ ମହାମନିଷୀ ଆଜି ବିରଳ ଏ ସମାଜେ । ଆଗ ପରି ନାହିଁ ଆଉ ଭାଇଚ଼ାରାର ସମ୍ପର୍କ ; କାହା ମନରେ ନାହିଁ ସଦ୍ଭାବନା , ସ୍ନେହ - ଶ୍ରଦ୍ଧା ଓ ଆନ୍ତରିକତା । କାନ୍ଧକୁ କାନ୍ଧ ମିଳାଇ ଚ଼ଳିବାର ନିଆରା ଦୃଶ୍ୟ ବର୍ତ୍ତମାନ ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବନି । ପୂର୍ବର ସେ ପରମ୍ପରା ଆଉ ଓଷା ବ୍ରତ ଏବେ ଖତଗାଡ଼ରେ ପତିତ ପ୍ରାୟ କହିଲେ ଭୁଲ୍‌ ହେବନି । ଭାରତୀୟ ସଂସ୍କୃତିର ଏବେ ପରିବର୍ତ୍ତିତ ରୂପ ବିଦେଶୀ ସଂସ୍କୃତି । ଧୋତି ପଞ୍ଜାବି ଆଉ ଲୁଙ୍ଗୀ ପାଇଜାମା ଏବେ ନଳିଆ ପେଣ୍ଟ୍ ଓ ଫୁଲ୍‌ ହାତବାଲା କଟୀଦେଶ ପର୍ଯ୍ଯନ୍ତ ଲମ୍ବିତ ସାର୍ଟ୍‌ । ଶାଢ଼ୀ ପରିବର୍ତ୍ତେ ଛୋଟ ଡ୍ରେସ୍‌ ବେଶ୍‌ ବେଶ୍‌ ଆକର୍ଷଣୀୟ । ସବୁକିଛିର ପରିବର୍ତ୍ତନ ପରିଲକ୍ଷିତ ; ନମସ୍କାର - ଓଳଗି କରିବା ପାଇଁ ବହୁତ ଲାଜ ଲାଗୁଛି ଆମମାନଙ୍କୁ । କି ପୁଅ , କି ଝିଅ , କୁଣ୍ଢାକୁଣ୍ଢି ହୋଇ ସମ୍ମାନ ପ୍ରଦାନ ପରସ୍ପର । ହୃତ ନୁହେଁ , ମୃତ ପ୍ରାୟ ଆମ ସଂସ୍କୃତି । 

      ହିଂସା , ଦ୍ବେଷ , ସ୍ବାର୍ଥ, ଲୋଭ ଆଉ ପରଶ୍ରୀକାତରତା ଆମ ମାନଙ୍କର ଭୂଷଣ  । ସ୍ବାଧୀନ ସ୍ବାଧୀନ ବୋଲି ଚ଼ିତ୍କାର କରୁଥିବା ମଣିଷ ପରାଧୀନତାର ଉଚ୍ଛୃଙ୍ଖଳିତ ବେଡ଼ିରେ ବନ୍ଧା ହୋଇ ପଡ଼ିଛି ବୋଲି ଅଜ୍ଞାତ ଆମେ । ଧର୍ମ ନାମରେ ଅଧର୍ମ , କର୍ମ ନାମରେ ଅପକର୍ମ , ପ୍ରେମ ନାମରେ ବିଶ୍ୱାସଘାତକତା ବର୍ତ୍ତମାନର ସମାଜକୁ କଳୁଷିତ କରି ଚ଼ାଲିଛି । ସତ୍ଯ - ଧର୍ମ - ନ୍ଯାୟର କଥା କହୁଥିବା ମଣିଷ ଆଜି ଅସତ୍ୟ - ଅଧର୍ମ - ଅନ୍ଯାୟ ପଥର ପଥିକ ; ଉପଦେଶ ଦେଇ ଜାଣେ ସିନା ନିଜେ ଗ୍ରହଣ କରିବାକୁ ଅପ୍ରସ୍ତୁତ । ମାନବିକତା ନାମରେ ଅମାନୁଷିକ କାର୍ଯ୍ୟକଳାପ ସବୁ ମାନବ ସମ୍ବଳ ହ୍ରାସ ଦିଗରେ ଅଗ୍ରସର କରାଇ ନେଉଛି । ଓଡ଼ିଆରେ ଏକ କଥା ଅଛି - "ହାତୀର ଦେଖେଇବା ଦାନ୍ତ ଗୋଟିଏ ଆଉ ଚ଼ୋବେଇବା ଦାନ୍ତ ଅନ୍ୟ ଗୋଟିଏ" ; ଠିକ୍ ସେହିପରି ମଣିଷର ସ୍ବଭାବ । ଭଦ୍ରମୁଖା ପରିଧାନ କରି ଅଭଦ୍ରାମିର ସବୁ ସୀମା ସରହଦ ପାରି ହୋଇଯାଏ ଆଜିର ଏ ମୂଢ଼ ମାନବ । "କଜ୍ଜଳପାତିଆ ଭଦ୍ରଲୋକ" ସଦୃଶ ମଣିଷ ଚ଼ିହ୍ନିବାଟା ଜଟିଳସାଧ୍ଯ । କହିବା ଓ କରିବା ଭିତରେ ଅନେକ ତଫାତ ।

    ଗୀତା - କୋରାନ - ବାଇବଲ - ତ୍ରିପିଟକକୁ ଧର୍ମଗ୍ରନ୍ଥ ବୋଲି ବିବେଚ଼ନା କରି ତାକୁ ସମ୍ମାନ ଦେଉଥିବା ତଥା ଗନ୍ଧ - ପୁଷ୍ପରେ ଅର୍ଚ୍ଚନା କରୁଥିବା ଲୋକ ନିଜର ସ୍ବାର୍ଥ ହାସଲ ପାଇଁ ଏଭଳି ଧର୍ମଗ୍ରନ୍ଥର ଅବମାନନା କରିବାକୁ ବି ପଛାଏନି । କଚ଼େରୀର କାଠଗଡ଼ାରେ ଛିଡ଼ା ହୋଇ ଗାନ୍ଧାରୀ ହାତରେ ଝୁଲୁଥିବା ଧର୍ମ ତରାଜୁକୁ ଚ଼ାହିଁ ଧର୍ମଗ୍ରନ୍ଥ ଛୁଇଁ "ଯାହା କହିବି ସତ କହିବି, ଗୋଟିଏ ବି ମିଛ କହିବି ନାହିଁ" ବୋଲି ସ୍ବୀକାର କରି ଖାଣ୍ଟି ଡ଼ାହାମିଛ କହି ଧର୍ମଗ୍ରନ୍ଥ ତଥା ସତ୍ଯ - ନ୍ଯାୟର ଜନୟିତ୍ରୀ ଗାନ୍ଧାରୀଙ୍କର କେବଳ ଅପମାନ କରୁନି ; ସମାଜରେ ଏହି ସତ୍ଯ - ନ୍ଯାୟ - ଧର୍ମର ଶବ୍ଦକୁ କଳୁଷିତ କରିବା ସହିତ ନିଜର ତଥା ଜନ ସମାଜର ବହୁତ ବଡ଼ ଅପମାନ କରି ଚ଼ାଲିଛି । ନ୍ଯାୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଚ଼ାଲିଛି , ଯାହା ବିଚ଼ାର ବହିର୍ଭୂତ । ଜନସାଧାରଣଙ୍କୁ ନ୍ଯାୟ ଦେବା ପାଇଁ ପ୍ରଚ଼େଷ୍ଟା ନ କରି ଅନ୍ଯାୟୀକୁ ସମର୍ଥନ ଜଣାଇ ନ୍ଯାୟଦୂତ ମାନେ ନ୍ଯାୟବାଦୀର ବିରୁଦ୍ଧାଚ଼ରଣ କରିବା ସହିତ ଅର୍ଥ ଲୋଭରେ ନ୍ଯାୟବାଦୀର ନ୍ଯାୟଦୂତ ସହିତ ବାକ୍‌ସମର କରି ପରାଜିତ କରିବାର ପ୍ରଚ଼େଷ୍ଟା କରିଚ଼ାଲିଛନ୍ତି । ଫଳତଃ ନ୍ଯାୟ ବ୍ୟବସ୍ଥା ଉଚି଼ତ ମାର୍ଗରେ ନଯାଇ ଅନୁଚି଼ତ ସରଣୀର ପଥଯାତ୍ରୀ ପାଲଟୁଛି । ବିଚ଼ରା ଦୀନଦୁଃଖୀ ଜନଟି ନ୍ଯାୟ ପାଇବାରୁ ବଞ୍ଚିତ ହୋଇ ସର୍ବସ୍ବାନ୍ତ ହୋଇପଡୁଛି । ରାତାରାତି କଳା ପାଲଟି ଯାଉଛି ଧଳା , ଆଉ ଧଳାରଙ୍ଗ ବି ଭାନୁ ଆଗମନ ଆଗରୁ ରଙ୍ଗ ବଦଳାଇ କଳା ହୋଇଯାଉଛି । 

      ସୁରକ୍ଷାକର୍ମୀ ଏଠି ସଂହାରଧର୍ମୀ ବନିଯାଉଛି । ଶାସକ ଏଠି ଶୋଷକ ପାଲଟି ଯାଉଛି । ସମାଜସେବା ଏକ ପ୍ରହେଳିକାର ପ୍ରାଚ଼ୀର ହୋଇ ଛିଡ଼ା ହେଉଛି ; ଗାଦି ପାଇଁ ବାଦୀଙ୍କର ସୃଷ୍ଟି ହେଉଛି । ସତ୍ଯ - ନ୍ଯାୟ - ଧର୍ମ ଏଠି ମୃଗତୃଷ୍ଣା ; ସର୍ବତ୍ର ଅସତ୍ୟ - ଅନ୍ଯାୟ - ଅଧର୍ମର ମରୁଭୂମି । ସ୍ବାର୍ଥ , ହିଂସା , ଦ୍ବେଷର କଣ୍ଟକିତ ପାଦପ ; ଅନ୍ଯାୟୀ , ଅତ୍ଯାଚ଼ାରୀ , ମିଥ୍ୟାବାଦୀ , ସ୍ବାର୍ଥନ୍ବେଷୀ ସମସ୍ତ ମରୁଜାହାଜ ସାଜି ଚ଼ରାଚ଼ର । "କହିଲେ କୁଳ କୁଟୁମ୍ବକୁ ଲାଜ , ନ କହିଲେ କୁଳ ଭାସି ଯାଉଛି" - ଏକଥା ସମାଜରେ ପରିଦୃଶ୍ଯ । "ସତ କହିଲେ ଶତ୍ରୁ" - ଏହା ଜଳଜଳ ଦୃଶ୍ଯମାନ ; ଅନ୍ଯାୟୀ ଅଧର୍ମୀର ଆକ୍ରୋଶର ଶିକାର । 

     ସାଧୁ ବେଶରେ ଅସାଧୁଙ୍କ ଧର୍ମଲୁଟ୍‌ ବ୍ଯଥିତ କରିପକାଏ ଜନମାନସକୁ ; ଧର୍ମ ତଥା ଧର୍ମ ପ୍ରଚ଼ାରକଙ୍କ ଉପରୁ ଆସ୍ଥା ଓ ବିଶ୍ବାସ ହରାଇବସୁ ଆମେ । କାମନାର ଚ଼ରିତାର୍ଥ ପାଇଁ , ଲୋଭର ବଶବର୍ତ୍ତୀ ହୋଇ , ସ୍ବାର୍ଥନ୍ବେଷୀ ହୋଇ ଆମେ ଧର୍ମକୁ ବି ଶୂଳୀରୀ ଚ଼ଢ଼ାଇବାକୁ ପଛାଉ ନାହୁଁ । ଶତ ଶତ ସାରଥି , ସୁର , ବାନା , ରାଧେ ମାଆ ହୋଇ ଧର୍ମର ମୁଖା ତଳେ ଅଧର୍ମର ମୁଖମଣ୍ଡଳକୁ ଛପାଇ ଧର୍ମବିଶ୍ବାସୀଙ୍କ ଧର୍ମୀୟ ଭାବନା ସହ ଚ଼ତୁରତାର ସହିତ ଖେଳି ଚ଼ାଲିଛେ ଦ୍ଯୁତକ୍ରୀଡ଼ା । ଠାକୁରଙ୍କ ନାମରେ ଅର୍ଥ ଉପାର୍ଜନ କରି ଭାକୁର ମାଛ ଝୋଳରେ ନିଜର ଜିହ୍ଵା ଲାଳସାକୁ ପରିତୃପ୍ତ କରିବାକୁ ବି ଟିକେ ଲଜ୍ଜ୍ଯାବୋଧ ହେଉନି ଆମ ମାନଙ୍କୁ । ଚ଼ୋରୀ ଡ଼କାୟତି ଆଉ ଲୁଟ୍‌ତରାଜ ଅହରହ ପରିଦୃଶ୍ଯମାନ ; ଠାକୁର ସମ୍ପତ୍ତି ହଡ଼ପ କରିବାରେ ବି କୁଣ୍ଠାବୋଧ ନାହିଁ ଆମର । ପର ସମ୍ପତ୍ତି ଦେଖି ଜଳିଯିବା ବା ପରଦ୍ରବ୍ଯରେ ନବର ନିର୍ମାଣିବା ପ୍ରକୃତ ମାନବିକତା ନୁହେଁ ବୋଲି ଆମକୁ ଏଯାବତ୍‌ ଜ୍ଞାତ ହୋଇନାହିଁ  । 

     ରାଜକୋଷର ସମ୍ପତ୍ତି ରାଜ୍ୟର ସାମୂହିକ ସମ୍ପତ୍ତି ; ରାଜ୍ୟ ହିତରେ ବ୍ଯୟ ହେବା ଉଚି଼ତ୍ ଜାଣି ବି ବ୍ଯକ୍ତିଗତ , ଦଳଗତ ଭାବେ ଲୁଣ୍ଠନ କରିବା ଧର୍ତ୍ତବ୍ୟ ଅପରାଧ । ଉଚି଼ତ୍ ବାଟରେ ବିନିଯୋଗ କରିବା ବଦଳରେ ଚ଼ଞ୍ଚକତାର ସହ ଲୁଣ୍ଠନ କରିବା ଆମର ପ୍ରବୃତ୍ତି । "ମାଗଣା ପଡ଼ିଲେ ଆଲକାତରା ଗିଳିବା" ନ୍ଯାୟରେ ପରିଚ଼ାଳିତ ଆମେ । ରାଜସ୍ବ କେବଳ ଜଣଙ୍କର ନୁହେଁ ; ରାଜ୍ୟର ସମସ୍ତ ବାସିନ୍ଦାଙ୍କର । ସେଥିରେ ନିର୍ଦ୍ଧିଷ୍ଟ ଏକ ଦଳ-ଗୋଷ୍ଠୀ କିମ୍ବା ବ୍ଯକ୍ତିଙ୍କର କୌଣସି ଅଧିକାର ନାହିଁ । ଏସବୁ କରୁଥିବା ଲୋକଙ୍କର ମୁଖା ଖୋଲିବାକୁ ଅଣ୍ଟା ଭିଡ଼ି ରାଜସ୍ବ ବଞ୍ଚାଇବାକୁ ଆଗେଇ ଆସି ସରକାରଙ୍କ ନିକଟରେ ସୂଚ଼ନା ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ପ୍ରୟୋଗ କରୁଥିବା ସୂଚ଼ନାଧିକାରୀ କର୍ମୀମାନେ ଲୁଣ୍ଠନକାରୀର ଆକ୍ରୋଶର ଶିକାର ହୁଅନ୍ତି । ଲୁଣ୍ଠନକାରୀର ମୁଖା ଉତ୍ତାରିବାକୁ ପ୍ରୟାସ କରି ସୂଚ଼ନାଧିକାରୀ କର୍ମୀ ରଞ୍ଜନ କୁମାର ଦାସ ଓ ଅଭିମନ୍ଯୁ ପଣ୍ଡାଙ୍କ ପରି ସତ୍ଯନିଷ୍ଠ - ନିଃସ୍ବାର୍ଥପର - ନ୍ଯାୟନିଷ୍ଠ ଦରଦୀ ବ୍ଯକ୍ତି ମାନଙ୍କର ମୁହଁକୁ ବନ୍ଦ କରିଦିଆଯାଏ ଜୋରଜବରଦସ୍ତ । ସବୁଦିନ ପାଇଁ ନିଶ୍ଚିହ୍ନ କରିଦିଆଯାଏ , ଏ ସମାଜରୁ ଅନେକ ଦୂରକୁ ପଠେଇ ଦିଆଯାଏ ସେମାନଙ୍କୁ ; ଏକମାତ୍ର ରୋଜଗାରିଆ ପୁତ୍ରକୁ ହରାଇ ଏମିତି ଅନେକ ପରିବାର ଉଜୁଡ଼ି ଯାଏ । ଏଠି ମରିଯାଏ ମାନବିକତା ; ସ୍ବାର୍ଥ ପାଇଁ ବ୍ଯର୍ଥ ଯାଏ ଅନେକ ଜୀବନ । ପ୍ରଶାସନ ଚୁପ୍‌ , ସୁରକ୍ଷାକର୍ମୀ ଚୁପ୍‌ , ନେତା - ମନ୍ତ୍ରୀ ସମସ୍ତେ ଏଠି ନିରବ ; ବଡ଼ବଡ଼ିଆଙ୍କ ପାଦ ଚ଼ାଟୁଥିବା କୁଜିନେତାଙ୍କ ବହପ ବହଳ । ପ୍ରକୃତ ସତ୍ଯକୁ ସାମ୍ନା କରିବାର ସତ୍‌ସାହସ କାହାର ନାହିଁ ; ବରଂ ହତ୍ୟା ଘଟଣାକୁ ଅପମୃତ୍ୟୁ , ଆତ୍ମହତ୍ଯା ନହେଲେ ଦୁର୍ଘଟଣାର ରୂପ ଦେଇଦିଆଯାଏ । 

    ଉପରୁ ତଳ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ; ପ୍ରତିପତ୍ତି ବିସ୍ତାର ପାଇଁ ହେଉ ଅବା ନିଜକୁ ମହାନ କହି ପ୍ରତିଷ୍ଠିତ କରିବାକୁ ହେଉ । ଡ଼ାକ୍ତର ଠାରୁ ଆରମ୍ଭ କରି ବିଧାୟକ , ନେତା , ମନ୍ତ୍ରୀ ସମସ୍ତେ ନଛୋଡ଼ବନ୍ଧା ; ଦୁର୍ନୀତିର ମୂଳୋତ୍ପାଟନ କରିବ କିଏ ? ଅପରାଧୀ ତା'ର ଅପରାଧ ସ୍ବୀକାର କରିବା ପରେ ଏବଂ ଆହୁରି କିଛିଙ୍କୁ ହତ୍ୟା କରିବାର ଧମକ ଦେବା ପରେ ବି ସରକାର ନିରବଦ୍ରଷ୍ଟା , ପ୍ରଶାସନ ମୁକ , ସୁରକ୍ଷାକର୍ମୀ ବଧିର  ଆଉ ଆମ ଜନତା କେବଳ ଦର୍ଶକ ; ଦେଖି ଚ଼ାଲିଛୁ ରଙ୍ଗମଞ୍ଚରେ ନାଟକ । ଖଳନାୟକର ଅନ୍ତ କେତେବେଳେ ହେବ ଜାଣିବାକୁ ଉତ୍କଣ୍ଠାର ସହ ଏକଲୟରେ ଅନେଇ ବସିଛୁ । ଏଇ ଆମ ମାନବିକତା , ଧର୍ମ , ସଦ୍ଭାବନା ଓ ନ୍ଯାୟ ବିଚ଼ାର । ଧନ୍ୟରେ ମାନବ ; ଦେଶର ସୁନାଗରିକ ତଥା ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ ବୋଲି କହି ଡ଼ିଣ୍ଡିମ ପିଟିବା ପୂର୍ବରୁ ମୁହଁରେ ଆମର କଳା କପଡ଼ା ବାନ୍ଧିଦେବା ଦରକାର । ନହେଲେ ଆମେ ବେଲଜ୍ଜ୍ଯା ବା ବେସରମୀ ବୋଲି ପରିଚ଼ୟ ପ୍ରାପ୍ତ କରିବା । 

    ଏଠି କର୍ମୀ କାହାକୁ କହିବା ? ଏଠି ତ ଯେତେ ଧନ ସେତେ ଲୋଭ ; ଯେତେ ଖାଇଲେ ବି ପେଟ ପୂରୁନି କି ପାଟି ବି ପୂରୁନି । ଅସୁରଙ୍କ ପରି ଖାଲି "ଖାଇବି ଖାଇବି , ଆହୁରି ଦିଅ , ଆହୁରି ଦିଅ"ର କର୍କଶ ବିକଳ କଣ୍ଠସ୍ୱର । ଯଥା ସମ୍ଭବ ବର୍ତ୍ତନ ଏଠି ଏତେ କମ୍‌ ପଡ଼ିଯାଉଛି ଯେ ଜନତାଙ୍କ ଧନ ଉପରେ ଆଖି ! ଏତେ ଖାଇ ବି ପେଟ ପୂରୁନି ଯେ ପୁଣି ଜନସାଧାରଣଙ୍କ ତଣ୍ଟି ଚ଼ିପି ରକ୍ତ ପିଇବାକୁ ବି ପଡୁଛି ! ପାଞ୍ଚଟା ବୃକ୍ଷ ରୋପଣ କରି ପାଞ୍ଚ ହଜାର ଗଛ ଲଗାଯାଇଛି କହି ବିନା ତନଖିରେ କାଗଜ - କଲମରେ ଦଲିଲ୍‌ ପ୍ରସ୍ତୁତ କରି ରାଜସ୍ବ ଲୁଟୁଥିବା ରାଜ୍ୟଦ୍ରୋହୀ ପାଇଁ ଦଣ୍ଡାଦେଶ କରିବାକୁ ନ୍ଯାୟାଧୀଶଙ୍କର ଘୋର ଅଭାବ ଏ ରାଜ୍ୟରେ ବୋଧେ । ସମୟାନୁବର୍ତ୍ତିତା - ନିୟମାନୁବର୍ତ୍ତିତା ନ ହୋଇ ଲୋକଙ୍କ ଆଶା ଓ ବିଶ୍ବାସ ସହିତ ଖେଳି କୋଟି କୋଟି - ଅବୃତ ଅବୃତ ଅର୍ଥ ହଡ଼ପ କରି ପୁଞ୍ଜି ବିସ୍ତାର କରୁଥିବା ଦେଶଦ୍ରୋହୀ , ବିଶ୍ବାସଘାତକ ନୀଳଶୃଗାଳ ପ୍ରତି ଦଣ୍ଡବିଧାନ କରିବାକୁ ଅସକ୍ଷମ କାହିଁକି ଆମ ରାଜନ ? ଛୋଟ ଶିଶୁ କଳିକାଙ୍କର ପେଟକୁ ନାତ ମାରି ତାଙ୍କ ପ୍ରାପ୍ଯ ଲୁଣ୍ଠନ କରୁଥିବା କର୍ମୀ ପ୍ରତି କଠୋରରୁ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅସକ୍ଷମ କାହିଁକି ଆମ ନ୍ଯାୟ ଆସନଧାରୀ ? ଭ୍ରୂଣହତ୍ୟା , ଶିଶୁହତ୍ଯା , ବ୍ଯଭିଚ଼ାରର ଅନ୍ତ ନାହିଁ କାହିଁକି ? କି ଶାସନ ଚ଼ାଲିଛି ? ଶାସନ ଚ଼ାଲିଛି ନା ଶାସନ ନାମରେ ଶୋଷଣ ଚ଼ାଲିଛି  ? 

   ଏଠି ଧର୍ମକୁ ଆଖିଠାର ଚ଼ାଲିଛି । ଅହଂତ୍ବର ବଶବର୍ତ୍ତୀ ହୋଇ ମଣିଷ ସ୍ବଧର୍ମକୁ ପାସୋରି ଅନ୍ୟାୟ - ଅନୀତି ସୃଷ୍ଟି କରି ସମାଜକୁ କରିଚ଼ାଲିଛି କଳୁଷିତ । ସାଧୁତାର ଆଳ ଦେଖାଇ ଅସାଧୁ ଉପାୟରେ ଅର୍ଜି ଚ଼ାଲିଛି ଅର୍ଥ ଓ ସ୍ବାର୍ଥ । ଦୀନଦୁଃଖୀର ଲୁହ - କୋହ - ଯନ୍ତ୍ରଣାର ଉପଶମ କରିବା ବଦଳରେ ତା'ର ଅସହାୟତାର ସୁଯୋଗ ନେଇ ଆଧୁ ବି ରୂପ ବଦଳେଇ ଅସାଧୁ ପାଲଟି ଯାଉଛି । ୨୦୨୦ ମସିହା ମାର୍ଚ୍ଚ ମାସରେ ଓଳାଶୁଣୀ  ଗୁମ୍ଫାରେ ଦୀର୍ଘବର୍ଷ ଧରି ପୋଡ଼ପିଠା ବିକ୍ରି କରୁଥିବା ଜଣେ ଦୀନଦୁଃଖୀ ଉପରେ ଓଳାଶୁଣୀ ମଠ ମହନ୍ତଙ୍କର ଜୁଲମ ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ବିଶେଷ ଖବର ନିଆଯାଇଛି ଯେ , ସେ ବାବାଙ୍କ ନାମ କୁନାବାବା । ସେଠାକାର ବାବା ମାନେ ପ୍ରାୟତଃ ମଦ୍ଯପାନ କରୁଥିବାର ଜଣାଯାଏ । ଜଣେ ଦୀନଦୁଃଖୀ ସହ ଝଗଡା କରିବା ସହିତ ମଦ୍ଯପାନ କରି ଠାକୁରଙ୍କର ଆଳତୀ କରିବା ଏବଂ ପ୍ରତିବାଦ କଲେ ନିର୍ଦ୍ଧୁମ୍‌ ପିଟିବା ସାଧୁ ସମାଜକୁ ଲଜ୍ଜିତ କରୁନାହିଁ କି ? "ଜଣଙ୍କ ପାଇଁ ପଣେ ଦୋଷୀ" ନ୍ଯାୟରେ ସାଧୁସନ୍ଥଙ୍କ ଉପରୁ ତଥା ଧର୍ମରୁ ବିମୁଖ ହେଉନାହାନ୍ତି କି ଏଇ ଜନସମାଜ ? ଏସବୁର ସ୍ବଚ୍ଛ ବିଚ଼ାର କେବେ ଓ କିଏ କରିବ ?

   ଆମ ନ୍ଯାୟ ବ୍ୟବସ୍ଥା କହୁଛି "ଲକ୍ଷେ ଦୋଷୀ ଖସି ଚ଼ାଲିଯାଉ , କିନ୍ତୁ ଗୋଟିଏ ବି ନିର୍ଦ୍ଦୋଷ ଦଣ୍ଡ ନପାଉ" - ଏକଥା ବାସ୍ତବରେ ହେଉଛି ନା ଖାଲି ନାମକୁ ମାତ୍ର ପ୍ରୟୋଗ ? ଏଠି ଦୋଷୀ ଖସୁଛି , କିନ୍ତୁ ନିର୍ଦ୍ଦୋଷ ଦଣ୍ଡିତ । ନିର୍ଭୟା ଗଣଦୁଷ୍କର୍ମକାରୀ ବାରମ୍ବାର ଫାଶି ପାଇ ବାରମ୍ବାର ବଞ୍ଚୁଥିବା ପରି ନ୍ଯାୟ ଆମ ଦେଶରେ ପ୍ରଚ଼ଳିତ । ଶୁକ୍ରାଚାର୍ଯ୍ୟଙ୍କ ମୃତ୍ୟୁ ସଞ୍ଜିବନୀ ପାଖରେ ଧର୍ମରାଜ ଯୁଧିଷ୍ଠିରଙ୍କର ବାଣ ତେଜହୀନ , ଦୁର୍ବଳ ; କ'ଣ ପାଇଁ ? କ'ଣ ପାଇଁ ରାଜକୋଷ ବୃଦ୍ଧି କରିବା ନାଁରେ ମଦ ରାକ୍ଷସକୁ ଆଭ୍ଯର୍ଥନା ସହ ଆଶ୍ରୟ ଦିଆଯାଉଛି ? ନିର୍ମଳ ଭାବମୂର୍ତ୍ତି ଦେଖେଇବା ପାଇଁ ମଦ୍ଯପ ମାନଙ୍କୁ ଜୋରିମାନା କରାଯାଉଛି ଏବଂ ପ୍ରଚ୍ଛଦପଟ୍ଟରେ ମଦ୍ଯ ବ୍ଯବସାୟୀଙ୍କୁ ଲାଇସେନ୍ସ୍‌ ଦେଇ ପୁଞ୍ଜିପତି କରାଯାଉଛି ; ଏ କି ପ୍ରକାର ନ୍ଯାୟ ? କି ଶାସକ ଇଏ ଯିଏ ଶାସନ ନାମରେ ଶୋଷଣ କରିଚ଼ାଲିଛି ଏବଂ ପ୍ରଜାଙ୍କ ବିଶ୍ବାସ ଓ ଜୀବନ ସହ ଖେଳିଚ଼ାଲିଛି ? କ'ଣ ବୁଝାଯିବ ଏଥିରୁ , ଇଏ ଭ୍ରଷ୍ଟ ରାଜନୀତି ନା ଶ୍ରେଷ୍ଠ ରାଜନୀତି ନା ରାଜ୍ୟବାସୀଙ୍କ ସହିତ କୂଟ ରଣନୀତି ? ଜନତା ଜନାର୍ଦ୍ଦନ ଉତ୍ତର ଦେବେ କି ପ୍ରକାର ଏ ରାଜନୀତି  । 

ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
ଫୋ - ୯୫୫୬୧୩୭୧୨୦

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା