ପରିବର୍ତ୍ତନଶୀଳ ପଲ୍ଲୀ ସଂସ୍କୃତି ଓ ପରମ୍ପରା

 


          କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                  ସମ୍ପାଦକ - ଉଦୟ ଭାନୁ 


    ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଆମ ଦେଶର କଳା, ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା ଏବଂ ବିଶ୍ବ ଦରବାରରେ ପ୍ରସିଦ୍ଧ । କଥାରେ ଅଛି - "ଯାହା ନାହିଁ ଭାରତେ ; ତାହା ନାହିଁ ଜଗତେ ।" ଆମ ଦେଶରେ ସବୁକିଛି ମହଜୁଦ୍‌ ଅଛି । ସନ୍ଧାନ କଲେ ପ୍ରାପ୍ତ ସୁନିଶ୍ଚିତ । ଆମ ଦେଶର ଅପରୂପ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ । ରାଧାନାଥ ରାୟଙ୍କ କଲମ ନିଃସୃତ ବାଣୀ -


            "ସୁନ୍ଦର ତୃପ୍ତିର ଅବସାଦ ନାହିଁ 

         ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।"


ଆମ ଦେଶର ସମସ୍ତ ସୌନ୍ଦର୍ଯ୍ୟମୟ ସ୍ଥାନ ମଧ୍ୟରୁ ଓଡ଼ିଶା ଅନ୍ଯତମ । ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶା । ଏହାର ସୁନ୍ଦରତାରେ ବେଶ୍‌ ଆକର୍ଷଣ ଥାଏ । ଓଡ଼ିଶାବାସୀଙ୍କ ଚ଼ାଲିଚ଼ଳଣି , ରଙ୍ଗଢ଼ଙ୍ଗ ଏବଂ ସଂସ୍କୃତି ଓ ପରମ୍ପରା ବେଶ୍‌ ନିଆରା ସହିତ ଆମୋଦ ପ୍ରମୋଦ ବି । ପୂର୍ବେ ଏହା କଳିଙ୍ଗ , ଉତ୍କଳ ବୋଲି ବିଦିତ ଥିଲା ; ପରେ ପରେ ପରିବର୍ତ୍ତିତ ନାମ ଓଡ୍ର ଏବଂ ପୁନଃ ପରିବର୍ତ୍ତନ ହୋଇ ଓଡ଼ିଶାରେ ରୂପାନ୍ତରିତ ହୋଇଛି । ଓଡ଼ିଶାର ମୂଳ ଭାଷା ଓଡ଼ିଆ ଏବଂ ଧୋତି ପଞ୍ଜାବି ପରେ ପରେ ଲୁଙ୍ଗୀ ପାଇଜାମା ଥିଲା ଓଡ଼ିଆ ମାନଙ୍କର ପୋଷାକ । ପ୍ରଧାନ ଖାଦ୍ଯ ଭାତ ଏବଂ ପରସ୍ପର ଭାଇଚ଼ାରାର ସମ୍ପର୍କ । ଓଡ଼ିଆ ମାନଙ୍କ ବେଶ ପୋଷାକ ଏବଂ ସଂସ୍କୃତି , ପରମ୍ପରାରେ ଅଣଓଡ଼ିଆ ତଥା ବିଦେଶୀମାନେ ଆକୃଷ୍ଟ । ବିଶେଷ ସୌନ୍ଦର୍ଯ୍ୟ ଓଡ଼ିଶାର ପଲ୍ଲୀ ପ୍ରକୃତି ଓ ପଲ୍ଲୀ ବାସିନ୍ଦାଙ୍କ ସଂସ୍କୃତି ,ପରମ୍ପରା ସବୁ । ଯାହା ଆଜି ଅନେକାଂଶରେ ବିଦେଶୀ ଢ଼ାଞ୍ଚାରେ ବଦଳିବାରେ ଲାଗିଛି ଏବଂ କିଛିକାଂଶ ବି ବଦଳି ସାରିଛି । ପୂର୍ବ ପରମ୍ପରା, ସଂସ୍କୃତି ଏବଂ ଆଜିର ପରମ୍ପରା ଓ ସଂସ୍କୃତି ଭିତରେ ଆକାଶ ପାତାଳ ତଫାତ । କିଛି ବଞ୍ଚିଛି , କିଛି ବିଲୁପ୍ତର ଅନ୍ତିମ ପାବଚ୍ଛରେ ତ ଆଉ କିଛି ସମ୍ପୂଣ୍ଣ ନିଶ୍ଚିହ୍ନ ପ୍ରାୟ  । 


    ମଣିଷ ବଞ୍ଚିବା ପାଇଁ ତିନୋଟି ଜିନିଷର ଆବଶ୍ଯକତା ଥାଏ ; ତାହା ହେଲା - "ଖାଦ୍ଯ , ବସ୍ତ୍ର ଏବଂ ବାସଗୃହ" । ପୂର୍ବର ଖାଦ୍ଯ ,ବସ୍ତ୍ର ଓ ବାସ ଆଉ ଏବେକାର ଖାଦ୍ଯ , ବସ୍ତ୍ର ଓ ବାସକୁ ନଜରକୁ ଆଣିଲେ ବହୁ ତଫାତ ମନେହୁଏ । ମୋଗଲ ଶାସନ ସମୟରେ ଲୁଙ୍ଗୀ ପାଇଜାମା ଥିଲା ପୁରୁଷ ମାନଙ୍କର ପ୍ରଧାନ ବସ୍ତ୍ର ଏବଂ ଶାଢ଼ୀ ଥିଲା ସ୍ତ୍ରୀ ମାନଙ୍କର ବସ୍ତ୍ର  । ଜାହାଙ୍ଗୀରଙ୍କ ସମୟରେ ବାଣିଜ୍ୟ କରିବା ଆଳରେ ଇଂରେଜ ମାନଙ୍କର ପ୍ରବେଶ ପରେ ତାଙ୍କ ଶାସନାଧିନ ହୋଇଗଲା ସମଗ୍ର ଭାରତବର୍ଷ । ଧିରେ ଧିରେ ପରିବର୍ତ୍ତନ ଆଡ଼କୁ ମୁହାଁଇଲେ ଭାରତବାସୀ । ବଦଳି ଗଲା ବେଶ ପୋଷାକ ,ଖାଦ୍ଯପେୟ , ଚ଼ାଲିଚ଼ଳଣି । ଯୋଡ଼ି ହୋଇଗଲା କେତେ ନୂଆ ସଂସ୍କୃତି ଓ ପରମ୍ପରା । ଲୁଙ୍ଗୀ ପାଇଜାମା ଓ ଧୋତି ପଞ୍ଜାବିର ପରିବର୍ତ୍ତିତ ରୂପ ପ୍ଯାଣ୍ଟ୍‌ ସାର୍ଟ୍‌ । ବିଦେଶୀ ଭୂଷଣକୁ ଆପଣେଇ ସ୍ବଦେଶୀ ବସ୍ତ୍ରର ବିଲୋପ ପ୍ରାୟ । ପୁରାତନ ଖାଦ୍ଯ ଏବଂ  ଏବେର ଖାଦ୍ଯପେୟରେ ବି ଅହେତୁକ ପରିବର୍ତ୍ତନ । ବଦଳି ଗଲା ବାସଗୃହ ଏବଂ ପୂର୍ବର ବ୍ଯବହାରୋପଯୋଗୀ ସରଞ୍ଜାମ । ସ୍ବଦେଶୀ ଦ୍ରବ୍ଯ ଛାଡ଼ି ଆମେ ବିଦେଶୀ ଦ୍ରବ୍ଯ ଆପଣେଇ କେତେ ପରିବର୍ତ୍ତନ ହୋଇଛେ କି କେଉଁ ମହତ୍ତ୍ବଟିକୁ ବଜାୟ ରଖିଛେ ଯେ..... । ମୂଳ ଭାଷାକୁ ହେୟଜ୍ଞାନ କରି ବିଦେଶୀ ଭାଷାରେ କଥୋପକଥନ ପାଇଁ ବେଶ୍‌ ଆଗ୍ରହୀ ଆମେମାନେ । ଏସବୁର ପରିବର୍ତ୍ତନରେ ଆମେ ଆମ ମୌଳିକତାକୁ ହରାଇ ବସିଛେ ଏହା ନିଃସନ୍ଦେହ । ଦେଶ ସ୍ବାଧୀନ ପରେ ଆମେ ପର ଦ୍ରବ୍ଯ ଆପଣି , ବିଦେଶୀ ଢ଼ାଞ୍ଚାକୁ ନିଜର କରି ଅଦ୍ଯାପି ବି ଚ଼ଳି ଚ଼ାଲିଛେ । ସେମାନଙ୍କ ଅକଥନୀୟ ଅତ୍ଯାଚାରରୁ ସିନା ଆମେ ମୁକ୍ତି ; ହେଲେ ନିଜକୁ ସ୍ବାଧୀନ ବୋଲି ଘୋଷଣା କରିବା ମୁର୍ଖାମୀର ଏକ ପରିଚ଼ୟ ପ୍ରଦାନ କରୁନି କି ? ରଜତନ୍ତ୍ର , ପ୍ରଜାତନ୍ତ୍ର ,ଅମଲାତନ୍ତ୍ରରୁ ଏବେ ଗଣତନ୍ତ୍ର ; ଜନ ଯେତେବେଳେ ଗଣ ପାଲଟି ଗଲେ କିଛିକାଂଶରେ ଲାଭ ତ କିଛିକାଂଶରେ ଅତୀତ ହୃତରେ ସାରା ଦେଶଟା କ୍ଷତି ତାରିକାରେ ସାମିଲ୍‌ । ଆମ ଗର୍ବ ଗୌରବ ଆଜି ମୃତ ପ୍ରାୟ ; ଏଥିରେ ସନ୍ଦେହର ଅବକାଶ ନାହିଁ ।  


    ଏବେ ଆଉ ପୂର୍ବ ପରି ହସୁନି ଆମ ପଲ୍ଲୀ ପ୍ରକୃତି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଦେଶୀ ଢ଼ାଞ୍ଚାର ପ୍ରୟୋଗରେ ହୃତ ତା'ର ସୌନ୍ଦର୍ଯ୍ୟ । ମୃତ ପ୍ରାୟ ପଲ୍ଲୀ ପର୍ବ , ସଂସ୍କୃତି ଏବଂ ପରମ୍ପରା । ଦୋଳ , ଦଶହରା , ହୋଲି ଆଉ ରଜପର୍ବ ପରି ପର୍ବପର୍ବାଣୀରେ ବହୁମାତ୍ରାରେ ପରିବର୍ତ୍ତନ । ବଦଳି ଯାଇଛି ଧର୍ମ ସଂସ୍କୃତି ଆଧୁନିକତାର ଛାପ ପାଇ । ଦୋଳ ଏବଂ ଦଶହରାର ଦୋଳ ବିମାନ ଏବେ ଯାନ୍ତ୍ରିକ ଯାନରେ ପରିବର୍ତ୍ତିତ ପ୍ରାୟ । ରଜପର୍ବ ଥିଲା ନିଆରା ସେବେଳେ ; ରଜ ଗୀତ ବି ଥିଲା ବେଶ୍‌ ଆକର୍ଷଣୀୟ । କୁଆଁରୀ କନ୍ୟା ମାନେ କଦଳୀ ପଟୁକା ବାନ୍ଧି ପଦଚ଼ାରଣ କରିବାର ପରମ୍ପରା ଏବେ ହୃତ ପ୍ରାୟ । ଘରେ ଘରେ ଆରିସା , କାକରା , ପୁରି , ଚ଼କୁଳି ପରି ପିଠା ଏବେ ପ୍ରାୟ କମ୍‌ ଦେଖିବା ପାଇଁ ମିଳେ ; ବିଦେଶୀ ଢ଼ାଞ୍ଚାରେ କେକ୍‌ ଏବେ ଏହାର ସ୍ଥାନ ପୂରଣ କରିଛି । ଜନ୍ମଦିନରେ ମହମବତି ଜଳାଇ କେକ୍‌ କାଟିବା ବିଦେଶୀ ଢ଼ାଞ୍ଚା ହେଲେ ବି ଆମୋଦ ଦେଉଛି ଆମମାନଙ୍କୁ । କଦଳୀ ,କ୍ କ୍ଷୀର , ନଡ଼ିଆ ,ଗୋଲମରିଚ଼ ମିଶ୍ରିତ ପଣା ଏବେ ବଦଳି ଯାଇଛି ଚ଼େରୀ ପକା ଲସି ସର୍ବତରେ । ଚ଼ାଇନିଜ୍‌ ଫୁଡ୍‌ସ୍‌ର ସ୍ବାଦର ଆଦର ଅନେକ ; ପୁରୁଣା ପ୍ରଚ଼ଳିତ ଖାଦ୍ଯକୁ ବା ଏଠି ପଚ଼ାରୁଛି କିଏ ?


    ହଁ ଆମେ ବଦଳିଛୁ ; ବେଶ୍‌ ଉପକୃତ ହୋଇଛୁ । ବହୁ ଆଗକୁ ଗତି କରିପାରିଛୁ ବୋଲି ମାନୁଛୁ ; କିନ୍ତୁ ଯେତିକି ଆଗକୁ ଯାଇଛୁ ପ୍ରତି ପାଦରେ ଲେଖି ଚ଼ାଲିଛୁ ଆମେ ଇତିହାସ । ଆଗାମୀ ପିଢ଼ିଙ୍କୁ ଆମେ ଆମ ପରମ୍ପରାକୁ ପଢ଼ିବାର ସୁଯୋଗ ଦେଇଛୁ ଇତିହାସର ଶ୍ବେତ ପୃଷ୍ଠାରେ ; ଅଙ୍ଗେ ନିଭେଇବାର କି ଦେଖିବାର ସୁଯୋଗରୁ ବଞ୍ଚିତ କରିଛୁ । ଭୁଲି ଯାଇଛୁ ଆମେ ଆମ ଉତ୍କଳର ଭାଷା , ସାହିତ୍ଯ , କଳା ସ୍ଥାପତ୍ୟକୁ । ବହୁ ପଛରେ ଛାଡ଼ି ଆସିଛୁ ଆମ ନିଆରା ପରମ୍ପରା । ଝିଅ ବିଦା ବେଳର ବାହାଘର କାନ୍ଦଣା , ଆମ ଓଡ଼ିଆ ଭାଷାରେ ପ୍ରଚ଼ଳିତ ଢ଼ଗଢ଼ମାଳୀ , ରୁଢ଼ି ଆଦି ଆଜିର ଅଧୁନା ମାନବକୁ ଅଜ୍ଞାତ ପ୍ରାୟ । ମେଳା ମଉଚ୍ଛବ ଆଗ ପରି ଆଉ ନାହିଁ ; ଯାହା ବି ଅଛି ସେଥିରେ ଏତେ ଆଉ ମଧ୍ଯ ରସ ନାହିଁ । ପୁରାତନ ଭଜନ , ଜଣାଣ , ଲୋକଗୀତ , ଲୋକନୃତ୍ୟ ହୃତ ପ୍ରାୟ । ଆଧୁନିକ ସଙ୍ଗୀତର ମାହାରରେ ମସ୍‌ଗୁଲ୍‌ ଜନତା । ସବୁକିଛି ବଦଳି ଯାଇଛି ସ୍ବାଧୀନତା ପରଠାରୁ । 


     ଗାଁରେ ଆଉ ନାହିଁ ଭାଗବତ ଟୁଙ୍ଗି ; ପୁରାଣପଣ୍ଡାର ସେ ପୁରାଣ ପଠନ ଏବେ ବହୁତ୍‌ କମ୍‌ ଦୃଶ୍ଯମାନ । ତାହା ବି ଦିନେ ଲୋପ ପାଇଯିବାର ଆଶଙ୍କା ବି ରହିଛି । ଏଇ ଭାରତବର୍ଷରେ ମୂନୀଋଷି ମାନେ ପୁରାଣ ମାଧ୍ଯମରେ ଦେଇ ଯାଇଥିବା ଶିକ୍ଷା , ନୈତିକତା ,ଔପଚ଼ାରିକତା କେତେ ଯେ ମୂଲ୍ଯବାନ ଥିଲା ତାହା ପୂର୍ବଜ ମାନଙ୍କୁ ଭଲ ରକମ ଜ୍ଞାତ ଥିଲା । ଏବେ ତ ଏସବୁରୁ ବଞ୍ଚିତ ଆମେମାନେ । ଧର୍ମ କ'ଣ , ଅଧର୍ମ କ'ଣ ଏବଂ ଉଚ଼ିତ - ଅନୁଚ଼ିତ ଆମେ ଅଜ୍ଞାତ ପ୍ରାୟ । ଏସବୁ ବିଲୋପ ହେତୁ ଆମେ ଅହଂଭାବ , ହିଂସା ,ଦ୍ବେଷର ବଶବର୍ତ୍ତୀ ନୁହେଁ କି ? ରାମାୟଣ , ଭାଗବତ , ଗୀତା ପରି ଗ୍ରନ୍ଥ ଶିକ୍ଷାରୁ ବଞ୍ଚିତ ହୋଇ ଭୁଲି ଯାଇଛେ ଆମେ ପାପ - ପୁଣ୍ଯ , କର୍ମ - ଅକର୍ମର ବିଚ଼ାର । ହଜି ଯାଇଛି ପୁରାତନ ସାଂସ୍କୃତିକ କାର୍ଯ୍ୟକ୍ରମ । ପାଲା , ସଂକୀର୍ତ୍ତନ , ଦାସକାଠିଆ , ଘୁଡ଼ିକି ପରି ସାଂସ୍କୃତିକ କାର୍ଯ୍ୟକ୍ରମରୁ ମିଳି ପାରୁଥିଲା ଜ୍ଞାନ । ପୁରାଣର ଆଲୋଚ଼ନା , ସମାଲୋଚନା ସାଙ୍ଗକୁ ନୀତିଶିକ୍ଷା ବି ଭରପୂର ଥିଲା ଏସବୁରେ । ଶିକ୍ଷା ସାଙ୍ଗକୁ ମନୋରଞ୍ଜନ ମଧ୍ୟ ଥିଲା ; ଯାହା ଆଜି ନିଶ୍ଚିହ୍ନ ହେବାକୁ ବସିଛି । ଓଡ଼ିଶା ପ୍ରସିଦ୍ଧ ଓଡ଼ିଶୀ ନୃତ୍ଯ ଏବେ ଇତିହାସ ଫର୍ଦ୍ଦରେ ପଢ଼ିବାକୁ ମିଳୁଛି ସିନା ; ଦେଖିବାର ସୁଯୋଗ ନାହିଁ । ଆମ କଳାକୃତି ଓ ଆମ ପରମ୍ପରାର ବିଲୋପ ହୋଇନି ଯେ , ଆମକୁ କୁପଥଗାମୀ କରେଇ ଦେଇଛି । 


   ବିଜ୍ଞାନ ବଳରେ ମଣିଷ ଆଜି ଚ଼ନ୍ଦ୍ରପୃଷ୍ଠରେ ଘର ତୋଳି ରହିବାର ସ୍ବପ୍ନ ଦେଖୁଛି । ଅସାଧ୍ୟ ସାଧି ପାରୁଛି ; ଗବେଷଣା କରି ଅନେକ ତଥ୍ୟ ପାଇ ପାରୁଛି । କିନ୍ତୁ ଭୁଲି ଯାଇଛି ଧର୍ମୀୟ ଭାବନାକୁ । ଯନ୍ତ୍ର ମାନବ ପୂରଣ କରୁଛି ମାନବର ସମସ୍ତ କାର୍ଯ୍ୟର ଶୂନ୍ଯସ୍ଥାନ । ଗାଁ ଗହଳିର ସେବେଳର ଚୂଲି ଆଉ ନାହିଁ କି ଗୋବର ଘସି ଓ ଜାଳେଣି କାଠର ବ୍ଯବହାର ନାହିଁ । ଘରେ ଘରେ ଗ୍ଯାସ୍‌ ଚୂଲାରେ ରୋଷେଇ । ଗାଁ ଆଉ ଗାଁ ହୋଇ ନାହିଁ ; ସହରରେ ବଦଳି ଗଲାଣି । ମଣିଷ ଏବେ ପାଲଟି ଗଲେଣି କର୍ମକୁଢ଼ିଆ । ବିଜ୍ଞାନ ଦ୍ବାରା ଉଦ୍ଭାବିତ ଯନ୍ତ୍ର ମାନବ ରୋଷେଇ କରୁଛି , ଖାଇବାକୁ ବି ଦେଉଛି ; ମଣିଷ ଦ୍ୱାରା କରାଯାଉଥିବା କାର୍ଯ୍ୟ ଯନ୍ତ୍ର ମାନବ କରିପାରୁଛିି । ତେବେ ଚ଼ିନ୍ତା କରନ୍ତୁ ଯେ ଏମିତି ସମୟ ଉପନୀତ ହେବ ମଣିଷର ଆଉ କିଛି କର୍ତ୍ତୃତ୍ବ ନଥିବ । ଏ ସାରା ବିଶ୍ବ ପାଲଟି ଯିବ ଯନ୍ତ୍ର ମାନବର ଆବାସସ୍ଥଳୀ । ଯାନ୍ତ୍ରିକ ପଦ୍ଧତିରେ ଧର୍ମ ଉପାସନା ଶୁଣି ଆଚ଼ମ୍ବିତ ଲାଗେ । ସତରେ କ'ଣ ମଣିଷ ଏତେ ଦୁର୍ବଳ ! ଘଣ୍ଟିଟିଏ ବଜାଇ ପାରିବନି ସେ ! ମନ୍ଦିରରେ ଯନ୍ତ୍ର ବଜାଇବ ଘଣ୍ଟଘଣ୍ଟି ଏବଂ ଯନ୍ତ୍ରରୁ ବାହାରି ଆସିବ ହୁଳହୁଳି ଶବ୍ଦ । ପ୍ରତ୍ଯେକ ଧର୍ମ କାର୍ଯ୍ଯରେ ହୁଳହୁଳି ଏକ ବିଧି ଥିଲା । ଏବେ ବି ଅଛି କିନ୍ତୁ ସେତେ ପରିମାଣରେ ନାହିଁ ; ଯେତେ ପରିମାଣରେ ଆଗରୁ ଥିଲା । ଧର୍ମ କାର୍ଯ୍ଯହେଲେ ସିନା ହୁଳହୁଳିର ଆବଶ୍ଯକତା ; ଧର୍ମ କାର୍ଯ୍ଯ ତ ବିଲୋପ । ହୁଳହୁଳି ହରିବୋଲ ଶୁଭିବ କୁଆଡ଼ୁ ? ପୁରାତନ ପରମ୍ପରା , ସଂସ୍କୃତି ଧ୍ବଂସାଭିମୁଖୀ । 


     ହଜି ଯାଇଛି ଖଞ୍ଜଣି ମାଡ଼, ସପ୍ତସ୍ବରୀ ବାଦ୍ଯ ଯନ୍ତ୍ର । ମୃଦଙ୍ଗର ତାଳ ଏବେ ସେତେ ମାତ୍ରାରେ ଦୃଶ୍ଯମାନ ନାହିଁ ଯେତେ ମାତ୍ରାରେ ପୂର୍ବରୁ ଥିଲା ; ଏବେ ଆଧୁନିକ ବାଦ୍ଯ ଯନ୍ତ୍ରର ପ୍ରୟୋଗ । ଶୁଭୁନି ଆଉ ଶଙ୍ଖ ଧ୍ୱନି । ହଳ ଲଙ୍ଗଳର ସ୍ଥାନ ପୂରଣ କରିଛି ଏବେ କଳ ଲଙ୍ଗଳ । ବଳଦ ଯୋଚ଼ି କୃଷକ ବାପୁଡ଼ା ଚ଼ଷାପୁଅ ଗୀତ ଗାଇ କ୍ଷେତରେ କର୍ଷଣ କରିବା ଦୃଶ୍ଯ ଏବେ ବିରଳ କହିଲେ ଅତ୍ୟୁକ୍ତି ହେବନି । ଗୋରୁର ଆବଶ୍ଯକତା ଯେତେବେଳେ ନାହିଁ ; ଗୋରୁ ପାଳନର ଆବଶ୍ଯକତା ବି ନାହିଁ ବୋଲି ପ୍ରତିପାଦନ କରୁଛି । ତେଣୁ ଗୋ- ସମ୍ପଦ କ୍ଷୟର ମୁଖ୍ୟ କାରଣ ଏଇ କଳ ଲଙ୍ଗଳ । ଗୋବର ଖତ ,ଜୈବିକ ସାର ବଦଳରେ ବିଷ ତୁଲ୍ୟ ରାସାୟନିକ ସାର ପ୍ରୟୋଗରେ ସାରା ଶରୀର ବିଷାକ୍ତ । ଖାଦ୍ଯ ବଦଳରେ ଅହରହ ବିଷ ଭକ୍ଷଣ । ପୂର୍ବ ପରମ୍ପରା ଓ ଲୋକନାଟ୍ୟ ବଦଳରେ ବିଦେଶୀ ମାନଙ୍କ ପରମ୍ପରା ଓ ଅଶ୍ଳୀଳ ଉଦ୍ଭଟ ନୃତ୍ଯରେ ବିଭୋର ମାନବ । ସେସବୁ ଦେଖିବାକୁ କି ଶୁଣିବାକୁ କାହାର ମନ ବଳୁନି ; ପାଲା , ସଂକୀର୍ତ୍ତନ , ଘୁଡ଼ିକି ପରି ସାଂସ୍କୃତିକ ଲୋକନାଟ୍ୟ ଏବେ ମୃତ ପ୍ରାୟ । ଆଧୁନିକ ଅପେରା ପାର୍ଟି ପାଖରେ ସଂଖ୍ଯାଧିକ ଜନ ସମାଗମ ବେଳେ ପାଲା , ସଂକୀର୍ତ୍ତନ ଶୁଣିବାକୁ କେହି ନାହିଁ । 


     ସମସ୍ତଙ୍କୁ ମୋର ଗୋଟିଏ ପ୍ରଶ୍ନ , ଉତ୍ତର ପ୍ରାପ୍ତର ଆଶୟୀ ମୁଁ । କୁହନ୍ତୁ ତ ଆମେ ପରିବର୍ତ୍ତନ ହୋଇ କେତେ ଲାଭ ଓ କେତେ କ୍ଷତିଗ୍ରସ୍ତ ହୋଇଛେ ? ପୁରାତନତାକୁ ପାସୋରି ଆଧୁନିକତାର ଛାପରେ ଆମେ ନିଜକୁ ନୈତିକ ଶିକ୍ଷାରୁ ବଞ୍ଚିତ କରିନେ କି ? ଆମର ଗର୍ବ ଓ ଗୌରବକୁ ଆମେ ସ୍ବ - ପାଦେ ଦଳି ମକଚ଼ି କେଉଁ ଯଶାଧୀନ ହୋଇ ପାରିଛେ ? ଆମ ସମାଜର କେତେ ହିତ ଓ ଅହିତ ବିଚ଼ାରଧାରାନୁଯାୟୀ ବୁଦ୍ଧିଜୀବୀମାନେ ବିଚ଼ାର କରି କୁହନ୍ତୁ ତ । ଆମେ କ'ଣ ପାଇଛେଆଉ କ'ଣ ହରାଇଛେ ତର୍ଜମା କରନ୍ତୁ । ଧର୍ମର ବିଲୋପରେ କର୍ମର ବିଲୋପ ; ଆଉ କର୍ମର ବିଲୋପରେ ମାନବ ସମ୍ବଳ ବିନିଷ୍ଟ - ଏ ଏକ ଚ଼କ୍ରାକାର ପଦ୍ଧତି । ଯାହା ଏବେ ଆମ ସାମ୍ନାରେ ଦଣ୍ଡାୟମାନ । ବିଚ଼ାରନ୍ତୁ ବୁଦ୍ଧିଜୀବୀ ; ତର୍ଜମା କରନ୍ତୁ ପରିବର୍ତ୍ତନଶୀଳ ସମାଜ ଓ ପୁରାତନ ସମାଜକୁ ନେଇ । ବିଶେଷ କରି ପଲ୍ଲୀ ସଂସ୍କୃତି ଓ ପରମ୍ପରା ମୁଖ୍ୟ ପ୍ରସଙ୍ଗ ହେଉ । 


ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)

ଯୋଗାଯୋଗ - ୮୯୧୭୪୮୦୫୩୬ 

 


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା