ବାସ୍ତୁ ଶାସ୍ତ୍ର
- Get link
- X
- Other Apps
------------------------------
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
****************************** ****
ବସ୍ତୁରୁ ବାସ୍ତୁ ; କେଉଁ ଜାଗାରେ କେଉଁ ବସ୍ତୁ ରହିବ ବୋଲି ଯେଉଁ ଶାସ୍ତ୍ର ବର୍ଣ୍ଣନା କରେ ସେ ହେଲା ବାସ୍ତୁ ଶାସ୍ତ୍ର । ଅନ୍ଯର୍ଥରେ ଓଡ଼ିଆରେ "ବାସ୍ତୁ" ଶବ୍ଦର ଅର୍ଥ ଗୃହ ବା ବାସସ୍ଥାନ , ଗୃହ ନିର୍ମାଣାର୍ଥେ ଉଦ୍ଧିଷ୍ଟ କ୍ଷେତ୍ର ଅଟେ । ବାସ୍ତୁ ଶାସ୍ତ୍ର ଅତି ପୁରାତନ କଳା ବିଜ୍ଞାନ ଓ ଭାରତୀୟ ସଂସ୍କୃତିର ଏକ ଅଂଶ । ପୂର୍ବ କାଳରେ ରାଜା ମହାରାଜାମାନେ ବାସ୍ତୁ ଶାସ୍ତ୍ରାନୁସାରେ ରାଜପ୍ରାସାଦର ନିର୍ମାଣ କରୁଥିଲେ । ବୃହତ ସଂହିତା , ବିଶ୍ବକର୍ମା , ଶିଳ୍ପ ଶାସ୍ତ୍ରାଦି ଅନେକ ଗ୍ରନ୍ଥ ଏହି ବାସ୍ତୁବିଦ୍ୟା ଉପରେ ଦୃଶ୍ୟମାନ । ସୁଖ ସମ୍ପଦ ବୃଦ୍ଧି , ସନ୍ତାନ ସନ୍ତତି , ଅନ୍ଯାନ୍ଯ ବହୁବିଧ ସୌଭାଗ୍ଯ ଲାଗି ବାସ୍ତୁ ଶାସ୍ତ୍ର ବେଶ୍ ସହାୟକ । ବାସ୍ତୁ ତ୍ରୁଟି ବହୁ ଯାତନା ପ୍ରଦାନେ , ତେଣୁ ବାସ୍ତୁ ଶାସ୍ତ୍ର ନିୟମରେ ଗୃହ ନିର୍ମାଣ ନିତାନ୍ତ ଆବଶ୍ୟକ ଓ ଶୁଭଙ୍କର । ପ୍ରାଚ଼ୀନ କାଳରେ ମୁନିଋଷିଙ୍କ ଦ୍ବାରା ଏ ଶାସ୍ତ୍ର ରଚ଼ିତ । "ବାସ୍ତୁ ଶାସ୍ତ୍ର" ଏକ ପାରମ୍ପରିକ ହିନ୍ଦୁ ବ୍ଯବସ୍ଥା ଯାହା ଶାବ୍ଦିକ ରୂପରେ ବସ୍ତୁକଳାର ବିଜ୍ଞାନର ଅନୁବାଦ କରିଥାଏ । ଏହା ଭାରତୀୟ ଉପମହାଦ୍ବୀପରେ ପ୍ରାପ୍ତ ଗ୍ରନ୍ଥ ଯାହା ଡ଼ିଜାଇନ୍ , ଲେଆଉଟ , ମାପ , ଜମିର ପ୍ରସ୍ତୁତି , ଅନ୍ତରୀକ୍ଷ ବ୍ଯବସ୍ଥା , ସ୍ଥାନୀୟ ଜ୍ଯାମିତିର ସିଦ୍ଧାନ୍ତର ବର୍ଣ୍ଣନା କରେ । ଏହି ଶାସ୍ତ୍ରରେ ପ୍ରାୟତଃ ହିନ୍ଦୁ ଏବଂ କିଛି ମାମଲାରେ ବୌଦ୍ଧ ବିଶ୍ବାସର ଆବଶ୍ୟକତା , ଡ଼ିଜାଇନ୍ର ଉଦ୍ଦେଶ୍ୟ ପ୍ରକୃତି ସହ ବାସ୍ତୁକଳା , ସଂରଚ଼ନାର ବିଭିନ୍ନାଂଶର ପାରିବାରିକ କାର୍ଯ୍ୟ ଓ ଜ୍ଯାମିତୀୟ ଯନ୍ତ୍ରର ଉପଯୋଗ କରୁଥିବା ପ୍ରାଚ଼ୀନ ମାନ୍ଯତା , ସମିତି ଓ ଦେଶାତ୍ମକ ସଂରକ୍ଷଣ ସାମିଲ୍ ହୋଇଥାଏ ।
ବାସ୍ତୁ ଶାସ୍ତ୍ରରେ ଦିଗ ଗୁଡ଼ିକର ବିଶେଷ ମହତ୍ତ୍ବ ରହିଛି । ଗୃହରେ ଠିକ୍ ଜାଗାରେ ଠିକ୍ ଜିନିଷ ନରଖିଲେ ଅଶୁଭ ଓ ବହୁ କ୍ଷୟକ୍ଷତି ଆଉ ଅସୁବିଧା ଭୋଗ ହୁଏ । ସେଲାଗି ଗୃହ ନିର୍ମାଣ କାଳେ ବାସ୍ତୁର ସାହାରା ନିଆଯାଏ । ଦିଗନୁସାରେ ଶୋଇବା ଘର , ଖାଇବା ଘର (ରୋଷେଇ ଗୃହ), ପଢ଼ାଘର , ପାଇଖାନା , ଗାଧୁଆ ଘର , ଠାକୁର ଘର ଆଦି ନିର୍ମାଣ କରାଯାଏ । ଘରର କୋଉ ଦିଗରେ ଜଳାଶୟ ରହିବ ଓ କ'ଣ ରଖିବା ଅନୁଚ଼ିତ ତାହା ବାସ୍ତୁ ଶାସ୍ତ୍ର ପରାମର୍ଶରେ ହୁଏ । ବାସ୍ତୁ ଶାସ୍ତ୍ରାନୁସାରେ ଦକ୍ଷିଣ - ପଶ୍ଚିମ କୋଣରେ ଦୋଷ ରହିଲେ ଘରେ ଥିବା କୌଣସି ବ୍ଯକ୍ତିଙ୍କର ଅକାଳ ମୃତ୍ୟୁ ହୁଏ ଏବଂ ଉତ୍ତର-ପଶ୍ଚିମ ଦିଗରେ କୂପ ରହିଲେ ଘର ମୂରବୀ ଆତ୍ମହତ୍ୟା କରନ୍ତି । ସେହିପରି ଯେଉଁ ଘରେ ପୂର୍ବ ଦିଗରେ ମୁଖ୍ଯ ଦ୍ବାର ଓ ପୂର୍ବ-ଦକ୍ଷିଣ ଦିଗରେ ପୁଣି ଏକ ଦ୍ବାର ଥାଏ ଓ ସେ ଘରର ଈଶାନ କୋଣ କ୍ଷତିଗ୍ରସ୍ତାବସ୍ଥାରେ ଥାଏ , ତେବେ ସେ ଘରେ ବସବାସ କରୁଥିବା ସଦସ୍ୟ ମାନଙ୍କର ହୃଦ୍ଘାତ କିମ୍ବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଆଶଙ୍କା ଓ ଘରର କୌଣସି ସଦସ୍ଯ ଆତ୍ମହତ୍ଯା କରିବାର ଆଶଙ୍କା ଅନେକ ରହିଥାଏ ।
ବାସ୍ତୁକଳାର ଅଧିଷ୍ଠାତା ଦେବତା ହେଲେ "ବାସ୍ତୁ ପୁରୁଷ" ବା "ବାସ୍ତୁ ଦେବତା" । ବେଦରେ ଏହାକୁ "ସ୍ଥାପତ୍ୟ ବେଦ" ବୋଲି ବି କୁହାଯାଇଛି । ଏହି "ବାସ୍ତୁ ପୁରୁଷ"ଙ୍କ ଉତ୍ପତ୍ତିକୁ ନେଇ ଅନେକ ପୌରାଣିକ ମତ ଅଛି । ପ୍ରଜାପତି କାଶ୍ଯପ ଆଉ ସିଂହିକାଙ୍କ ପୁତ୍ର ଓ ରାହୁଙ୍କ ଭାତ୍ରୁ ହେଉଛନ୍ତି "ବାସ୍ତୁ ପୁରୁଷ" । ବାସ୍ତୁ ପୁରୁଷଙ୍କ ପୃଷ୍ଠରେ ସବୁ ଦେବତା ଅବସ୍ଥାନ। କରିଛନ୍ତି । ଦେବତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ , ଗୃହାଦି ବାସ୍ତୁ ନିର୍ମାଣ ସମୟେ "ବାସ୍ତୁ ପୁରୁଷ" ପୂଜା ଏବଂ ବଳି ପ୍ରାପ୍ତ କରିବେ । ଯେଉଁ ବ୍ଯକ୍ତି ଏହାର ଅବଜ୍ଞାକାରୀ ହେବ , ସେ ନାନାଦି ପୀଡ଼ା , ଦୁଃଖ ଓ ସମସ୍ଯାରେ ଜୀବନ ଅତିବାହିତ କରିବ ଏବଂ ଅକାଳରେ ଇହଲୀଳା ସମ୍ବରଣ କରିବ । ସେଦିନଠୁ ଦେବତାଙ୍କ ନିର୍ଦ୍ଦେଶ ପାଇ "ବାସ୍ତୁ ପୁରୁଷ" ମୁହଁ ମାଡ଼ି ଶୋଇଛନ୍ତି । ତାଙ୍କର ମୁଖ ଈଶାନ କୋଣକୁ , ପାଦ ନୈଋତ କୋଣକୁ , ଦୁଇ ହାତ ବାୟୁଓ ଅଗ୍ନି କୋଣକୁ ପ୍ରସାରିତ ଏବଂ ଏହାଙ୍କ ଶିରରେ ଶିଖାଯୁକ୍ତ ଯଜ୍ଞାଗ୍ନି ଅଛି । ବିବାହ , ବ୍ରତ , ନୂତନ ଗୃହ ନିର୍ମାଣ , ଗୃହ ପ୍ରତିଷ୍ଠା , ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା , ଯଜ୍ଞ , ସଂକୀର୍ତ୍ତନାଦି କର୍ମରେ ବାସ୍ତୁ ପୂଜା ବିଧେୟ । ଘରେ ସର୍ପ ବାସ କରେ , ପେଚ଼ା ରାବ କରେ ଓ ଗୋରୁଗାଈ ଓ ବିରାଡ଼ିମାନେ ସର୍ବଦା ରାବ କରନ୍ତି ଆଉ ସ୍ତ୍ରୀଲୋକମାନେ କଳହ କରନ୍ତି ଏହା ସହ ଗୃହରେ କପୋତମାନେ ବାସ କଲେ , ମହୁଫେଣା ଦେଖାଦେଲେ , ପ୍ରତି ତିନି ବର୍ଷଲେ ଜଣେ ଗୃହ ସଦସ୍ୟର ମୃତ୍ୟୁ ହେଲେ , ସରକାରୀ ସ୍ତରରେ ସମସ୍ଯା , କର୍ମ ବିଚ୍ଯୁତି , ଅନେକ ଦିନ ଦରି ରୋଗଗ୍ରସ୍ତ , ଗୃହପାଳିତ ପଶୁପକ୍ଷୀଙ୍କର ଅକାଳ ମୃତ୍ୟୁ ହେଲେ ଗୃହର ବାସ୍ତୁ ଦୋଷ ବୋଲି ଜଣାଯାଏ । ଏଥିପାଇଁ ବିଭିନ୍ନ ପ୍ରତିକାର କରି ବାସ୍ତୁପୂଜା କରିବା ବାଞ୍ଛନୀୟ ଅଟେ ।
"ବାସ୍ତୁ" ଶବ୍ଦଟି ସଂସ୍କୃତରେ "ବସ୍" ଧାତୁରୁ ନିଷ୍ପନ୍ନ ; ଏହାର ଅର୍ଥ "ନିବାସ", ବାସସ୍ଥାନ ବା ଆଶ୍ରୟସ୍ଥଳୀ । ଗୃହ ରଚ଼ନା ଯୋଗ୍ଯ ଅବିଚ୍ଛିନ୍ନ ଭୂମିକୁ ବାସ୍ତୁ କହନ୍ତି । ବୃହତ ପରାଶର ସମ୍ପୂର୍ଣ୍ଣ ବାସ୍ତୁ ବିଜ୍ଞାନରେ କୁହାଯାଇଛି -
"ସ୍ତ୍ରୀ ପୁତ୍ରାଦିକ ଭୋ ଆରଣ୍ୟ ଜନନଂ
ଧର୍ମାର୍ଥ କାମପୁରମ୍ ଜନ୍ତୁ ନାମୟନଂ
ସୁଖାସ୍ଯ ମିଂ ଶୀତାମ୍ବୁ ଧର୍ମାହମ୍ ।"
ଏହାର ଅର୍ଥ - ସ୍ତ୍ରୀ ପୁତ୍ରାଦି , ସୁଖ , ଧର୍ମ , ଅର୍ଥ , କାମ ପ୍ରଦାନକାରୀ , ପଶୁ ସମୂହ , ଗାଈଗୋରୁ , ଛେଳି - ମେଣ୍ଢା , ବଳଦ , ଘୋଡ଼ା , ହାତୀ ଆଦିର ସୁଖସ୍ଥାନ , ଶୀତତାପ ନିୟନ୍ତ୍ରିତ , ଜଳ , ବାୟୁ , ସୂର୍ଯ୍ୟତାପ କଷ୍ଟ ଦୂରକାରୀ ଏକମାତ୍ର ଗୃହ । ବାସ୍ତୁ ନାମାନୁସାରେ ଗୃହ ନିର୍ମାଣ କଲେ କୌଣସି ସମସ୍ଯା ଉପୁଜେ ନାହିଁ । ବାସ୍ତୁ ଶାସ୍ତ୍ରର ପ୍ରଧାନ ବିଚ଼ାର ସମ୍ବନ୍ଧେ ପରାଶରଙ୍କ ବାଣୀଟିଏ ମନେପଡ଼େ :-
"ଦକ୍ଷିଣେ ଶୋଇବ , ଉତ୍ତରେ ଥୋଇବ ,
ପୂରୁବେ ରାନ୍ଧିବ , ପଶ୍ଚିମେ ବାନ୍ଧିବ ,
ଉତ୍ତର ପୂରୁବ ନଳା, ପଶ୍ଚିମେ ନରଖ ଜଳା
କହେ ପରାଶର ପ୍ରେତ ଦେବେ କିଳିକିଳା ।"
ସେ ଯାହା ବି ହେଉ , ହିନ୍ଦୁ ଧର୍ମର ତଥା ମୁନିଋଷିଙ୍କ ବାଣୀକୁ ଅବମାନନା କରିବା ଅନୁଚିତ । ବିଶ୍ବାସ ହିଁ ମୂଳ ; ତେଣୁ ବାସ୍ତୁ ଶାସ୍ତ୍ର ବିଶ୍ବାସନୀୟ ହେବା ଉଚିତ ।
%%%%%%%%%%%%%%%%%%%%%%
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋ- ୮୯୧୭୪୮୦୫୩୬
%%%%%%%%%%%%%%%%%%%%%%
- Get link
- X
- Other Apps
Comments
Post a Comment