ଓଡ଼ିଆ ସଂସ୍କୃତିର ଅମାର - ଚୈତ୍ର ମାସ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ଯୋଗର ମାସ ଚୈତ୍ର ମାସ । ଏହା ଧର୍ମର ମାସ ଅଟେ ଏବଂ ଏହା ବସନ୍ତ ଋତୁର ଶେଷ ମାସ । ମୃଦୁ ମଳୟ ଚଇତାଳି ବାଆରେ ବାତୁଳ ପରାୟ ନର । ତେଣୁ କୁହାଯାଇଛି :-
"ଫାଲ୍ଗୁନ , ଚୈତ୍ର ବସନ୍ତରେ ।
ମୃଦୁ ମଳୟ ମନ ହରେ ।।"
ଏ ମାସଟି ବର୍ଷର ଅନ୍ତିମ ମାସ । କାକୁଡ଼ି , ପିଆଜ, ବିନ୍, ଆଳୁ, ବିଲାତି ବାଇଗଣ , ହରିଦ୍ରା , ମୃଳା , କଖାରୁ, ଲାଉ ଆଦି ପନିପରିବା ସହ ମକା , ଚେରି , ଡିମିରି , ଭଣ୍ଡା, ଗୋଲମରିଚ ଆଦି ଯଥେଷ୍ଟ ପ୍ରମାଣେ ଉପଲବ୍ଧ ଥାଏ । ପରିବେଶ ନିର୍ମଳ ଏବଂ ନଭମଣ୍ଡଳ ପରିଷ୍କାର । କବି ଭାବୁକଙ୍କ କଲମ ମୁନରେ କେତେ ଚିତ୍ର ଆଙ୍କି ହୋଇଥାଏ ।
ଏ ମାସର ପ୍ରତ୍ଯେକ ମଙ୍ଗଳବାର ଚଇତି ମଙ୍ଗଳବାର ଓଷା ଭାବରେ ପାଳନ କରାଯାଏ ; ଏହାକୁ ବି କୁହାଯାଏ "ନିଶା ମଙ୍ଗଳବାର ଓଷା"। ଏ ଓଷାର ଆରାଧ୍ୟା ମା' ମଙ୍ଗଳା ଅଟନ୍ତି , ଚୈତ୍ରର ପ୍ରତି ମଙ୍ଗଳବାର ଦିନ ଓଡ଼ିଶାର ପ୍ରାୟ ପ୍ରତ୍ଯେକ ଗୃହିଣୀ ଏ ଓଷାରେ ମଙ୍ଗଳାଙ୍କ ପୂଜାରଧନା କରିଥା'ନ୍ତି । ସାଧାରଣତଃ ଦାଣ୍ଡରେ ପାନ୍ଥେଇ ଖୋଳି , ତହିଁରେ ପଣା ଭୋଗ ଦେଇ ଏ ପୂଜା କରାଯାଏ । ପୁରାଣନୁସାରେ ନିତ୍ଯ ପ୍ରାତଃରେ ଚଇତି ହାଡ଼ିଆଣୀ ରାଜନବର ଓଳାଏ ; ଦିନେ ରାଜନବର ଓଳାଇଲା ବେଳେ ସେ ରାଜାଙ୍କର ମୁଖ ଦର୍ଶନ କଲା । ସେ ରାଜନ ଥିଲେ ଅପୁତ୍ରିକ । ପ୍ରଚଳିତ ଜନ ବିଶ୍ବାସରେ ଅପୁତ୍ରିକର ମୁଖ ଦେଖିବା ଅଶୁଭ ଅଟେ । ତେଣୁ ଚଇତି ମନ ଦୁଃଖ କରି ରାଜାଙ୍କୁ "ଅପୁତ୍ରିକ" ବୋଲି ସମ୍ବୋଧନ କରନ୍ତେ ରାଜା କ୍ରୋଧାନ୍ୱିତ ହୋଇ ଚଇତି ହାଡ଼ିଆଣୀର ସାତ ପୁଅଙ୍କୁ ଢ଼ିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ବିସର୍ଜନାର୍ଥେ ଆଦେଶ ପ୍ରଦାନ କଲେ । ସେପରି ହେଲା , ସାତ ପୁତ୍ରଙ୍କୁ ମାରି ଗଭୀର ଗଣ୍ଡରେ ପକାଇ ଦିଆଗଲା । ଚଇତି ହାଡ଼ିଆଣୀ ମଙ୍ଗଳାଙ୍କ ପୂଜା କରି ସେ ଗଣ୍ଡରେ ଦୂବ ପ୍ରସାଦ ପକାଇବାରୁ ସାତଟି ପୁତ୍ର ଜୀବଦାନ ପାଇ ଫେରି ଆସିଲେ । ଏତାଦୃଶ ଦୃଶ୍ଯ ଦେଖି ରାଜା ଚଇତି ଓଷା ବିଧି ଜ୍ଞାତାର୍ଥେ ତାକୁ ଅନୁରୋଧ ବାଢ଼ନ୍ତେ ଚଇତି ହାଡ଼ିଆଣୀ ବତାଇ ଦେବାରୁ ରାଣୀମାନେ ଏ ଓଷା କଲେ ଓ ପୁତ୍ର ସନ୍ତାନ ଲାଭ କଲେ । ତେଣୁ ନିଜର ପୁତ୍ର ପାଇଁଁ ମହିଳାମାନେ ଏ ଓଷାଟିକୁ କରିଥା'ନ୍ତି । ପାନ୍ଥେଇ ଖୋଳି ପୂଜା ହେଉଥିବାରୁ ଏହାକୁ "ପାନ୍ଥେଇ ଓଷା" ବି କହନ୍ତି ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାପ୍ତ ଚୈତ୍ର ମଙ୍ଗଳବାର ଓଷା ପୋଥିର କାହାଣୀ ସମାନ ନୁହେଁ । ଟିକାଲି , ବୁଗୁଡ଼ା ଆଉ ଶେରଗଡ଼ାଦି ଅଞ୍ଚଳରୁ ମିଳିଥିବା ପୋଥିରେ ଅଛି ସ୍ବର୍ଗରେ ନିତେଇ ଧୋବଣୀ ଓ ମର୍ତ୍ତ୍ୟରେ ଚଇତି ହାଡ଼ିଆଣୀ ଏ ଓଷା କରନ୍ତି । ଏହା ସୂଚାଏ ସବୁ ବର୍ଗର ମହିଳାମାନେ ଏ ଓଷା କରିପାରିବେ । "ଲକ୍ଷ୍ମୀ ପୁରାଣ"ର ରଚୟିତା ବଳରାମ ଦାସଙ୍କ ନାମେ ଭଣିତା ଥାଇ ଚଇତି ମଙ୍ଗଳବାର ଓଷା ପୋଥି ବି ଅଛି ଯେଉଁଥିରେ ବି ପରିଶେଷେ ଚଣ୍ଡାଳୁଣୀ ମଙ୍ଗଳା ମାତାଙ୍କ ପୂଜା କରି ସାତ ପୁଅ ଓ ସାତ ଝିଅଙ୍କର ମାଆ ହୋଇଥିଲା ବୋଲି ଲେଖା ଅଛି । ଅପୁତ୍ରିକ ରାଜନର ମୁଖ ଦର୍ଶନେ "ଆଜି ଖାଇବାକୁ ମିଳିବନି" ବୋଲି ଚଣ୍ଡାଳୁଣୀ କହିବାରୁ ରାଜା କ୍ରୋଧବଶତଃ ତା'ର ସାତ ପୁଅଙ୍କୁ ହତ୍ଯା କରିବାକୁ ନିର୍ଦ୍ଦେଶ ଦେଲେ ; ପାଞ୍ଚ ପାଞ୍ଚଥର ମଙ୍ଗଳା ତା'ର ପୁତ୍ରଗଣଙ୍କୁ ସୁରକ୍ଷା କଲେ । ସର୍ବଶେଷେ ରାଜା ନିଜର ଭୁଲ୍ ବୁଝି ଚଣ୍ଡାଳୁଣୀ ଶ୍ରୀୟା ସହ ସମ୍ବନ୍ଧ ମିତ୍ରତାରେ ଯୋଡ଼ିଲେ । ଚଣ୍ଡାଳୁଣୀ ଚଇତି ମଙ୍ଗଳବାର ଓଷା ବିଧି ରାଣୀଗଣଙ୍କୁ ବତାଇବାରୁ ସମସ୍ତେ ପୁତ୍ରବତୀ ହେଲେ ।
ପାପ ହରଣାର୍ଥେ ଚୈତ୍ର ମାସ କୃଷ୍ଣ ଏକାଦଶୀ ତିଥିରେ ପାଳିତ ବ୍ରତକୁ "ପାପମୋଚନୀ ଏକାଦଶୀ" କହନ୍ତି । କିମ୍ବଦନ୍ତୀ କହେ ପ୍ରାଚୀନେ ଚୈତ୍ରରଥ ନାମ୍ନୀ ଏକ ସୌନ୍ଦର୍ଯ୍ୟମୟ ବନରେ ଭ୍ରମଣ ବେଳେ ମଞ୍ଜୁଘୋଷା ନାମ୍ନୀ ଅପସରା ନିଜ ଭାବ ଭଙ୍ଗୀରେ ମାଧବ ମୁନିଙ୍କୁ ବଶ କରିଦେଇଥିଲେ । ତପ ଭ୍ରଷ୍ଟ ହେତୁ ତପସ୍ବୀ ତାଙ୍କୁ ପିଶାଚ ପାଲଟିବାର ଶାପ ଦେଲେ ; ଅପସରା ଆକୁଳ ପ୍ରାର୍ଥନା ପରଷିଲା । ତା'ର ବିନମ୍ର ବିନୀତ ଶ୍ରବଣାନ୍ତେ ତପସ୍ବୀ ତାଙ୍କୁ ପାପମୋଚନୀ ବ୍ରତ ପାଳନର ଉପଦେଶ ଦ୍ଯନ୍ତେ ସେ ବ୍ରତ ପାଳନ କରି ପିଶାଚରୁ ପରିତ୍ରାଣ ହୋଇ ସ୍ବର୍ଗ ପ୍ରତ୍ଯାଗମନ କଲେ । ମାଧବ ମୁନି ବି ଏ ବ୍ରତ କରି ଅପସରା ସଂସର୍ଗ ଜନିତ ପାପରୁ ପରିତ୍ରାଣ ପାଇଲେ । ଏ ବ୍ରତର ଆରାଧ୍ୟ ଦେବ ଶ୍ରୀ ମହାବିଷ୍ଣୁ । "ଭବିଷ୍ଯତ୍ତୋର ପୁରାଣ"ରେ ଏ ଏକାଦଶୀର ବିସ୍ତୀର୍ଣ୍ଣ ବର୍ଣ୍ଣନା ଅଛି । ଏ ପୁରାଣର ପାପମୋଚନୀ ଏକାଦଶୀ ସନ୍ଦର୍ଭରେ ଶ୍ରୀକୃଷ୍ଣ କହୁଛନ୍ତି ପାର୍ଥକୁ :- "ହେ ପାର୍ଥ , ଚୈତ୍ର କୃଷ୍ଣ ଏକାଦଶୀ ପାପମୋଚିନୀ ଅର୍ଥାତ୍ ପାପ ବିନିଷ୍ଟ କରେ ।" ଏ ବ୍ରତରେ ସୂର୍ଯ୍ଯୋଦୟ ବେଳେ ସ୍ନାନ-ତର୍ପଣ କରି ବିଷ୍ଣୁ ଆରାଧନା କରିବାକୁ ହୁଏ ଏବଂ ନିରାଧାର ସାରା ଦିବସ ଓ ରାତ୍ର ବିତାଇବାକୁ ପଡ଼େ । ଏହି ବ୍ରତ ବାସି ଦ୍ବାଦଶୀରେ ପ୍ରାତଃ ଶୌଚ ସ୍ନାନାନ୍ତେ ବିଷ୍ଣୁ ପୂଜା ପୂର୍ବକ ବିପ୍ର ଭୋଜନ , ଦାନ, ଦକ୍ଷିଣା ଦେଇ ବ୍ରତୀ ଆପେ ଭୋଜନ କରିବା ବିଧି । ଏହାପରେ ପାରଣ ଅର୍ଥାତ ବ୍ରତ ସମାପନ ହୁଏ । ଦ୍ବାଦଶୀରେ ପାରଣ ନକଲେ ଦ୍ବିଗୁଣା ପାପାର୍ଜନ ହୁଏ । ଯଦି କିଛି କାରଣ ବଶତଃ ପ୍ରାତଃରେ ପାରଣ ନହୁଏ , ତେବେ ମଧ୍ଯାହ୍ନରେ କରିବା ବିଧେୟ ।
ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀ ହେଉଛି ବାରୁଣୀ ସ୍ନାନ ; ଯଦିବା ସେଦିନ ଶନିବାର କି ଶତଭିଷା ନକ୍ଷତ୍ର ବା ଜ୍ଯୋତିଷ ମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀ ଯୋଗ କହନ୍ତି । ଯଦି ଶନିବାର ଓ ଶତଭିଷା ନକ୍ଷତ୍ର ଉଭୟେ ପଡ଼ନ୍ତି ତେବେ ସେ ମହାବାରୁଣୀ ଯୋଗ ହୁଏ । ଏହି ଯୋଗରେ ସ୍ନାନ କଲେ ଶତ ସଂଖ୍ୟକ ସୂର୍ଯ୍ଯପରାଗରେ ଅନୁଷ୍ଠିତ ଧର୍ମକର୍ମର ପୁଣ୍ଯଫଳ ମିଳେ ; ତୀର୍ଥରାଜ ସମୁଦ୍ରରେ ଗଙ୍ଗାନଦୀ ପଡ଼ିଥିବାରୁ ସମୁଦ୍ର ସ୍ନାନ ବି କରାଯାଏ ଏବଂ ଅନ୍ଯାନ୍ଯ ସମୁଦ୍ର ଗାମିନୀ ତଟିନୀରେ ବି ସ୍ନାନ ହୁଏ । ଗଙ୍ଗାନଦୀ ପରି ବି ବୈତରଣୀରେ ସ୍ନାନାନ୍ତେ ପିଣ୍ଡଦାନ ଓ ଗୋଦାନ ମଧ୍ଯ ହୁଏ । ବାରୁଣୀ ସ୍ନାନକୁ ଓଡ଼ିଶାର କୁମ୍ଭ କହନ୍ତି । ଚୈତ୍ରରେ ମକର ରାଶିରେ ରବି ପ୍ରବେଶ ବେଳେ ଏ ବାରୁଣୀ ଯୋଗ ପଡ଼େ ।
ଏହାର ପୌରାଣିକ କିମ୍ବଦନ୍ତୀ - ଥରେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ଯେ ବଡ଼ପଣାର୍ଥେ ଗୋଳ ହେବାରୁ ଉଭୟେ ଶିବଙ୍କୁ ମଧ୍ଯସ୍ଥି ଭାବି ସମସ୍ଯା ଜ୍ଞାତ କରାଇବାରୁ ସେ କହିଲେ - "ମୋର ପାଦଠୁ ମସ୍ତକ ଯାଏଁ ଯେ' ଯା'-ଆସ କରିପାରିବ ସେ ହିଁ ସବୁଠୁ ବଡ଼ ।" ବିଷ୍ଣୁ ଅଧାରୁ ଲେଉଟି ଆସି କହିଲେ - "ଆପଣଙ୍କର ପାଦଠୁ ଶିର ଯାଏଁ ଯିବାକୁ କେହି ବି ଅସମର୍ଥ ।" ବ୍ରହ୍ମା , ବିଷ୍ଣୁଙ୍କଠୁ କେଇପଥ ଆଗକୁ ଅଗ୍ରଗାମୀ ହୋଇ କେତକୀ ଫୁଲକୁ ଭେଟିଲେ ; ଶିବଙ୍କ ମସ୍ତକ ଯାଏଁ ଯାଇଥିଲେ ବୋଲି ତାଙ୍କୁ ମିଥ୍ଯା ସାକ୍ଷୀ ଦେବାକୁ କହି ଲେଉଟିଲେ । ବ୍ରହ୍ମାଙ୍କ ବାଡ଼୍ଯାନୁସାରେଣ କେତକୀ ମିଥ୍ଯା ଭାଷିବାରୁ ଶିବ କ୍ରୋଧ କରି ବ୍ରହ୍ମାଙ୍କୁ ଅପୂଜା ରହିବାର ଶାପ୍ଯ ଦେଲେ । ଶାପ୍ଯ ଉଦ୍ଧାର ପଥ ଦର୍ଶାଇବାର ବିନତି କରିବାରୁ ଶିବ ବୈତରଣୀ ତଟରେ ଯଜ୍ଞ କରି ଯଜ୍ଞ ପୁରୁଷ ବିଷ୍ଣୁଙ୍କୁ ସନ୍ତୋଷ କରିବାକୁ କହିବାରୁ ବ୍ରହ୍ମା ବିରଜା କ୍ଷେତ୍ରକୁ ଯଜ୍ଞସ୍ଥଳ ଭାବେ ବାଛି ବୈତରଣୀକୁ ଅତ୍ର ପ୍ରବାହିତ ହେବାକୁ ଅନୁରୋଧ କଲାରୁ ବୈତରଣୀ ଚାଲିଲା ବ୍ରହ୍ମାଙ୍କ ପଶ୍ଚାତ୍ । କିଛି ଦୂର ଗଲା ପରେ କୁଳୁକୁଳୁ ନାଦ ନଶୁଭିବାରୁ ବ୍ରହ୍ମା ପଛକୁ ଦେଖିଲେ ଯେ , ନଦୀ ଅଦୃଶ୍ୟ । କାରଣ ଗୋଚରାର୍ଥେ ଧ୍ଯାନ ବଳେ ବ୍ରହ୍ମା ଜ୍ଞାତ କଲେ ଶୂନ୍ଯବାଣୀ ଦ୍ବାରା ଯେ , ନିବିଡ଼ାରଣ୍ଯ ମଧ୍ଯେ ରମଣୀଙ୍କ ନଗ୍ନ ରୂପ ଦେଖି ଭୀତେ ଆତ୍ମଗୋପନ ସେ କରିଛନ୍ତି ; ଯଦି ପ୍ରତିକୋଣେ ଶିବଲିଙ୍ଗ ସ୍ଥାପନ ହୁଏ ତେବେ ଶିବ ଦର୍ଶନରେ ପାପମୁକ୍ତ ହୋଇ ସେ ଯଜ୍ଞସ୍ଥଳେ ଉପନୀତ ହୋଇପାରିବେ । ତେଣୁ ବ୍ରହ୍ମା ପ୍ରତି କୋଣେ ଏକ-ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ । ଗୋନାସିକା ପର୍ବତରୁ ଏକକୋଶ ଦୂରରେ ବ୍ରହ୍ମେଶ୍ୱର , ତା'ପରେ ପ୍ରତି କୋଣରେ କୁଶଳେଶ୍ବର , ଅମ୍ବକେଶ୍ବର , ଗତେଶ୍ବର , ଲିଙ୍ଗେଶ୍ବର , ଭୁତେଶ୍ବର , ବିଲେଶ୍ବର , ହରନ୍ତେଶ୍ବର ଆଦି ସ୍ଥାପିତ ପରେ ବୈତରଣୀ ବିରଜା କ୍ଷେତ୍ରରେ ପ୍ରବେଶ କଲେ । ଏମାନଙ୍କ ମଧ୍ୟେ ଶେଷ ଲିଙ୍ଗ ହେଲେ ସିଦ୍ଧେଶ୍ୱର ; ଏଠାରୁ ବ୍ରହ୍ମା ବୈତରଣୀକୁ ଉତ୍ତରବାହୀ କରିଦେଇ ଥିବାରୁ ତତ୍ରରୁ ଆଉ ଶିବଲିଙ୍ଗ ଦୃଶ୍ଯ ନାହିଁ । ଏଠାରେ ସ୍ନାନ କଲେ ଦଶବିଧ ପାତକର ମହାପ୍ରୟାଣ ଘଟେ ।
ଚୈତ୍ର କୃଷ୍ଣ ତ୍ରୟୋଦଶୀରେ ବରୁଣ ଦେବତା ଯଜ୍ଞ କଲା ଭିତରେ ଋଷିକୁଲ୍ୟା ନଦୀ ଉତ୍ପନ୍ନ ହେତୁ ପ୍ରତି ସାଲ ଋଷିକୁଲ୍ୟା ଜନ୍ମ ନକ୍ଷତ୍ର ଦିନରେ ଏଠାରେ ବାରୁଣୀ ସ୍ନାନ ପାଳିତ ହୁଏ । ବିଶ୍ବାସ , ଏଠାରେ ବାରୁଣୀ ସ୍ନାନାନ୍ତେ ସମଗ୍ର ଅଜ୍ଞାତ ପାପ ଧୌତ ସହ ସ୍ବର୍ଗଗମନର ସୌଭାଗ୍ୟ ପ୍ରାପ୍ତ ହୁଏ । ବାରୁଣୀ ସ୍ନାନାନ୍ତେ ଦେବ ଦର୍ଶନ କଲେ ପୁଣ୍ଯ ଘର ପୂର୍ଣ୍ଣ ହେବାର ଅଖଣ୍ଡ ବିଶ୍ବାସ ହିନ୍ଦୁ ମାନସରେ ଘନୀଭୂତ ହୋଇଥାଏ । "କପିଳ ସଂହିତା" ଅନୁସାରେ ରାମ - ଲକ୍ଷ୍ମଣ - ଜାନକୀ ଅରଣ୍ଯବାସ କାଳରେ ଭାର୍ଗବୀ ନଦୀର ଭୃଗୁ ଘାଟରେ ଚୈତ୍ର କୃଷ୍ଣ ତ୍ରୟୋଦଶୀ ବାରୁଣୀ ସ୍ନାନ ବେଳେ ସ୍ନାନାନ୍ତେ ପିତୃପୁରୁଷଙ୍କୁ ପିଣ୍ଡ ପକାଇଥିଲେ ଏବଂ ବରାଳ ଠାରେ ଶିବଲିଙ୍ଗ ସହ ମାଆ ଜାଗେଶ୍ବରୀଙ୍କୁ ପ୍ରତିଷ୍ଠା କରିଥିଲେ ।
ଏ ମାସର ବିଶେଷାକର୍ଷଣୀୟ ପର୍ବ "ଶ୍ରୀରାମ ନବମୀ" ଯାହା ଶୁକ୍ଳପକ୍ଷ ନବମୀରେ ପଡ଼େ । ଶାସ୍ତ୍ରବାକ୍ଯ ଏଦିନ ଶ୍ରୀରାମ ଧରାବତରଣ କରିଥିଲେ । ତେଣୁ ସମ୍ପୂର୍ଣ୍ଣ ଭାରତରେ ଏହା ପାଳିତ । ରାମାୟଣ କାହାକୁ ବା ଅଛପା ! ରାବଣ ସଂହାର ପରେ ରାମ ଅଯୋଧ୍ଯାର ଗାଦୀ ଆରୋହଣ କରିଥିଲେ । ଚୈତ୍ର ଶୁକ୍ଳପକ୍ଷ ନବମୀ ତେଣୁ ରାମ ଜନ୍ମ ଉତ୍ସବ ପାଳନର ଦିବସ । ସାତକାଣ୍ଡ ରାମାୟଣ ଗୋଟିଏ ଶ୍ଳୋକରେ ସମାପ୍ତ ।
"ରାମାଦୌ ଜନନଂ କୁମାର ଗମନଂ ୟଜ୍ଞ ପ୍ରତିପାଲନଂ
ଶାପଦୁଦ୍ଧରଣଂ ଧନୁର୍ବିଦଲନଂ ସୀତାଙ୍ଗନୋଦ୍ବାହନମ୍ ।
ଲଙ୍କାୟା ଦହନଂ ସମୁଦ୍ରତରଣଂ ସୌମିତ୍ରୀ ସମ୍ମୋହନଂ
ରକ୍ଷଃ ସଂହରଣଂ ସ୍ବରାଜ୍ଯଭବନଂ ଚୈତଦ୍ଧି ରାମାୟଣମ୍ ।।"
ସମ୍ପୂର୍ଣ୍ଣ ରାମାୟଣ ବର୍ଣ୍ଣନା କରି ପ୍ରବନ୍ଧକୁ ଦୀର୍ଘ କରିବା ଦରକାର ନାହିଁ , କାରଣ ଏ କାହାଣୀ ସମସ୍ତେ ଅବଗତ ଅଛନ୍ତି । ପୁନର୍ବାର ଶାସ୍ତ୍ରରେ ଆଉ ଏକ ଏକଶ୍ଳୋକୀ ରାମାୟଣ ଅଛି , ତା' ହେଲା -
"ଜନ୍ମାଦୌ କ୍ରତୁରକ୍ଷଣଂ ମୁନିପତେଃ ସ୍ଥାଣୋର୍ଧନୁଭଞ୍ଜନଂ
ବୈଦେହୀଗ୍ରହଣଂ ପିତୁଶ୍ଚ ବଚନାଦ୍ଘୋରାଟବୀ ଗାହନମ୍ ।
କୋଦଣ୍ଡଗ୍ରହଣଂ ଖରାଦିମଥନଂ ମାୟାମୃଗଚ୍ଛେଦନଂ
ବଦାବ୍ଧିକ୍ରମଣଂ ଦଶାସ୍ଯନିଧନଂ ଚୈତଦ୍ଧି ରାମାୟଣମ୍ ।।"
ଆଉ ଏକ ଶ୍ଳୋକରେ ରାମାୟଣର ବର୍ଣ୍ଣନାତ୍ମକ ବିଶ୍ଳେଷଣ କରାଯାଇପାରେ :-
"ଆଦୌ ରାମତପୋବନାଦି ଗମନଂ ହତ୍ବା ମୃଗଂ କାଂଚନଂ
ବୈଦେହୀହରଣଂ ଜଟାୟୁ ମରଣଂ ସୁଗ୍ରୀବସଂଭାଷଣମ୍ ।
ବାଳୀନିର୍ଦଳନଂ ସମୁଦ୍ରତରଣଂ ଲଙ୍କାପୁରୀଦାହନଂ
ପଶ୍ଚାଦ୍ରାବଣ କୁମ୍ଭକର୍ଣ୍ଣହନନ ମେତଦ୍ଧି ରାମାୟଣମ୍ ।।"
ରାମନବମୀର ଦୁଇଦିନଠି ପଡ଼େ କାମଦା ଏକାଦଶୀ । ଏହା ଫଳଦା ଏକାଦଶୀ ଭାବେ ବି ବିଦିତ । ଚୈତ୍ର ଶୁକ୍ଳ ଏକାଦଶୀ ବ୍ରତ ଏ । ଯୁଧିଷ୍ଠିରଙ୍କ ପ୍ରତି କୃଷ୍ଣଙ୍କ ଉବାଚ - ପ୍ରାଚୀନେ ଭୋଗପୁରୀ ନଗ୍ର ଶାସକ ଐଶ୍ବର୍ଯ୍ଯ ପୂର୍ଣ୍ଣ ରାଜା ପୁଣ୍ଡରୀକଙ୍କ ରାଜସଭାରେ ଗନ୍ଧର୍ବ ମାନଙ୍କ ସଙ୍ଗତିରେ ଲଳିତ ଗନ୍ଧର୍ବ ଗୀତ ଗାୟନ ବେଳେ ପତ୍ନୀ ଲଳିତାକୁ ଧ୍ଯାନ କରି ଗୀତ ଭାଙ୍ଗିଦେଲେ ; କର୍କୋଟ ନାଗ ଗୀତର ଲୟର ଏପଟ ସେପଟର କାରଣ ଜାଣି ରାଜାଙ୍କୁ ସୂଚାଇ ଦେବାରୁ ରାଜନ କ୍ରୋଧେ ଭାଷିଲେ - "ମୋ' ସମୀପେ ଗୀତଗାନ ବେଳେ ପତ୍ନୀ ସ୍ମରଣ ହେତୁ ତୁମେ ରାକ୍ଷସ ହୋଇ କର୍ମଫଳ ଭୁଞ୍ଜ ।" ରାଜା ଶାପ୍ଯରେ ରାକ୍ଷସ ହୋଇ ଲଳିତ ଦୁଃଖ ପ୍ରାପ୍ତ କଲେ ; ପତ୍ନୀ ଏହା ଜାଣି ଜଙ୍ଗଲରେ ଭ୍ରମଣ କରୁଥିବା ରାକ୍ଷସ ପାଲଟା ସ୍ବାମୀଙ୍କୁ ଉଦ୍ଧାରର ଚିନ୍ତନ କଲେ । ସ୍ବାମୀଙ୍କ ପଶ୍ଚାତ୍ଧାବନ ପୂର୍ବକ ଲଳିତା ଯାଇ ପହଞ୍ଚିଲେ ବିନ୍ଧ୍ୟାଞ୍ଚଳ ପର୍ବତରେ ଏବଂ ଋଷ୍ଯଶୃଙ୍ଗଙ୍କୁ ଦୁଃଖ ପ୍ରତିପାଦନାନ୍ତେ ଋଷି କହିଲେ - "ଆସନ୍ତା ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀ କାମଦା ଏକାଦଶୀ ନାମେ ପ୍ରଖ୍ୟାତ ଯାହା ବ୍ରତ ଫଳ ସର୍ବ କାର୍ଯ୍ଯ ସିଦ୍ଧି ; ବ୍ରତ କରି ତୁମ ପୁଣ୍ଯଫଳ ଦ୍ବାରା ସ୍ବାମୀଙ୍କୁ ମୁକ୍ତ କର ।" ସେ ବ୍ରତ କଲାରୁ ଲଳିତ ମୁକ୍ତି ପାଇ ସ୍ବର୍ଗବାସୀ ହେଲେ । ତେଣୁ ଏ ବ୍ରତ ବି ମହାନ । ଏହି ଏକାଦଶୀ ପ୍ରେତଯୋନି ମାନଙ୍କରୁ ମୁକ୍ତି ଦିଏ ।
ଚୈତ୍ର ମାସ ଶୁକ୍ଳ ତ୍ରୟୋଦଶୀ ହେଉଛି ଅନଙ୍ଗ ତ୍ରୟୋଦଶୀ । ଗୁଜୁରାଟ ଓ ମହାରାଷ୍ଟ୍ରରେ ଏ ବ୍ରତ ପାଳନଟି ବହୁଳ ; ଉଜ୍ଜୟିନୀର କନ୍ଦର୍ପେଶ୍ବର ମହାଦେବଙ୍କ ମନ୍ଦିରରେ କନ୍ଦର୍ପେ ତ୍ରୟୋଦଶୀରେ ଅସଂଖ୍ୟ ଜନ ସମାଗମ ହୁଏ । ତାଡ଼କାସୁର ଶିବ ସୁତ ଦ୍ବାରା ମହାପ୍ରୟାଣର ବରଲାଭ କରିଥିଲା । ଅନ୍ଯପକ୍ଷେ ସତୀ ଭସ୍ମ ହେବା ପରେ ଶିବ ସମାଧିରେ ଲୀନ ହୋଇଯାଇଥିଲେ । ତାଙ୍କୁ ସମାଧିରୁ ଉଠାଇ ମାତା ପାର୍ବତୀଙ୍କ ସହ ବିବାହ କରାଇବାକୁ ଦେବଗଣ ପ୍ରୟାସ ଜାରି ରଖିଥିଲେ , କିନ୍ତୁ ତାଙ୍କୁ ସମାଧିରୁ ଉଠାଇବା ଜଟିଳ ଥିଲା । ତେଣୁ କାମଦେବଙ୍କ ସହାୟତା ନେବାକୁ ହେଲା । ଶିବଙ୍କ କ୍ରୋଧାଗ୍ନିରେ ଦଗ୍ଧ ହୋଇ କାମଦେବ ଭସ୍ମ ହେବା ପରେ ରତିଦେବୀ ପତିଙ୍କ ଉଦ୍ଧାରାର୍ଥେ ଶିବଙ୍କୁ ବର ପ୍ରାର୍ଥନା କରିବାରୁ ଶିବ କହିଲେ କି କାମଦେବ ଉପସ୍ଥିତ କିନ୍ତୁ ସେ କେବଳ ଅଙ୍ଗହୀନ ହୋଇଛନ୍ତି । ବିଷ୍ଣୁ ଯେବେ କୃଷ୍ଣାବତାର ନେବେ ସେବେ ତାଙ୍କ ପୁତ୍ର ପ୍ରଦ୍ୟୁମ୍ନ ରୂପରେ ଜନ୍ମ ନେବେ କାମଦେବ । ରତିଙ୍କୁ କାମଦେବଙ୍କ ସହ ପୁନର୍ମିଳନର ମାର୍ଗଦର୍ଶନ କରାଇବା ପରେ ଶିବ ତାଙ୍କୁ ଅନଙ୍ଗ ତ୍ରୟୋଦଶୀ ବ୍ରତ କରିବା ପାଇଁ କହିଥିଲେ । ଶ୍ରଦ୍ଧା - ଭକ୍ତି - ପ୍ରେମଭାବ ସହ ଶିବ , ପାର୍ବତୀ , ରତି ଓ କାମଦେବଙ୍କୁ ଆରାଧନା ଦ୍ବାରା ବ୍ରତୀ ତଥା ଭକ୍ତର ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ଉପଗତ ହୁଏ ବୋଲି ଶିବ କହିଥିଲେ ।
ଅନଙ୍ଗ ତ୍ରୟୋଦଶୀର ଆଉ ଏକ ନାମ ହେଉଛି କାମ ତ୍ରୟୋଦଶୀ । କାମଦେବଙ୍କ ଅନ୍ଯ ନାମ ଅନଙ୍ଗ ଆଉ ସେ ପ୍ରେମ ଓ କାମନାର ଦେବତା । କାମଦେବ ଅନଙ୍ଗ ବା ଅଙ୍ଗହୀନ ହୋଇଥିବାରୁ ଏପରି ନାମକରଣ ରହିଛି । ଏଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ "ଦୟଣାଚୋରୀ" ନୀତି । ଏଲାଗି ଦ୍ବାଦଶୀ ଦିନ କନ୍ଦର୍ପ ପଟି (କାମଦେବଙ୍କ ଚିତ୍ରପଟ୍ଟ)ଙ୍କର ଅଧିବାସ ହୁଏ । ଏହି ନୀତିରେ ଶ୍ରୀରାମ ଆଉ ଶ୍ରୀକୃଷ୍ଣ ଜଗନ୍ନାଥ ବଲ୍ଲଭକୁ ଯିବା ବେଳେ କନ୍ଦର୍ପ ପଟି ଆଗେ ଆଗେ ଯାଆନ୍ତି । ସେଠି ତାଙ୍କର ଅର୍ଚ୍ଚନା ପରେ ଶ୍ରୀରାମ ଆଉ ଶ୍ରୀକୃଷ୍ଣ ଦୟଣା ଚୋରୀ କରନ୍ତି । ତା'ପରେ ସେଟି କନ୍ଦର୍ପ ପଟିକୁ ବିସର୍ଜନ କରିଦିଆଯାଏ । ଶ୍ରୀରାମ ଓ ଶ୍ରୀକୃଷ୍ଣ ଚୋରୀ କରି ଆଣିଥିବା ଦୟଣାକୁ ପ୍ରଥମେ ଶ୍ରୀଦେବୀ , ଭୂଦେବୀ ଓ ମଦନମୋହନଙ୍କୁ ପ୍ରଦାନ କରାଯିବା ପରେ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଏ ।
ବାସ୍ତବରେ ଦୟଣା ଚୋରୀ ଯାତ୍ରା "ଦମନକ ଭଞ୍ଜିକା" ଯାତ୍ରା । ଏକ ଦୁରାଚାରୀ ଅସୁର ବିଷ୍ଣୁଙ୍କ ଦ୍ବାରା ସଂହାର ହେବା ପରେ ଦୟଣା ନାମ୍ନୀ ସୁବାସିତ ତୃଣ ପାଲଟି ଯାଇଥିଲା ; ଏହା ତାମସିକତା ସାତ୍ତ୍ୱିକତାରେ ପରିବର୍ତ୍ତିତର ପ୍ରତୀକ ।
ଚୈତ୍ର ପୂର୍ଣ୍ଣିମା ଓଡ଼ିଶାର ଏକ ଗଣପର୍ବ ଯାହା କେଉଟ ଜାତିର ଲୋକଙ୍କ ଦ୍ବାରା ପାଳିତ । ସେମାନେ ଘୋଡ଼ାର ଏକ ଖୋଳପା କରି ତହିଁରେ ପ୍ରବେଶି ଘୋଡ଼ା ଚଢ଼ିବାର ଅଭିନୟ କରିଥା'ନ୍ତି ଯାହା ଚଇତି ପୂର୍ଣ୍ଣିମାର ଆକର୍ଷଣ ରୂପେ ଚଇତି ଘୋଡ଼ା ଭାବେ ବିଦିତ । ପୂର୍ଣ୍ଣମୀର ପୂର୍ବ ଆଠଦିନ ଧରି ଚଇତି ପର୍ବ ପାଳିତ ହୋଇଥାଏ । ଏହି ପର୍ବରେ ଆଦିବାସୀଗଣ ଦିବସ-ରାତ୍ର ବ୍ଯାପି ଶିକାର ଓ ଭୋଜିଭାତ ସହ ନାଚଗୀତ କରିଥା'ନ୍ତି । କିଛି ସମ୍ପ୍ରଦାୟରେ ଏଦିନ ପଶୁବଳିର ବିଦି ଅଛି । ବର୍ଷର ପ୍ରଥମ ପାଚିଲା ଆମ୍ବ ଖାଇବାନୁକୁଳ ଏହିଦିନ ହୋଇଥାଏ । ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡନାଚ ଓ ଚଇତି ଘୋଡ଼ାନାଚ ହୋଇଥାଏ । ଏହା ଉଭୟ ଆଦିବାସୀ ଓ ଅଣାଆଦିବାସୀ ମାନେ ପାଳନ୍ତି । ଚଢ଼େଇଆ-ଚଢ଼େୟାଣୀ ବେଶ ହୋଇ ଚଇତି ଘୋଡ଼ା ନାଚ ହୁଏ ଓ ଗୀତ ଗାନ କରାଯାଏ । ଘୋଡ଼ା ନାଚରେ ଜଣେ ଲେଖାଂ ଗାୟକ , ପାଳିଆ , ଢ଼ୋଲକିଆ , ମହୁରିଆ ରାଉତ ଓ ରାଉତାଣୀ ଥା'ନ୍ତି । ମା' ବାସେଳୀ ଠାକୁରାଣୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ , ପରେ ରାଧାକୃଷ୍ଣ ଲୀଳା ଓ ଶିବ ପାର୍ବତୀଙ୍କ କାହାଣୀକୁ ଗୀତାକାରରେ ଗାୟନ କରାଯାଏ ଓ ନୃତ୍ଯ ହୁଏ । କୈବର୍ତ୍ତ୍ଯ ଗୀତା , କୈବର୍ତ୍ତ୍ଯ ପୁରାଣ , କୈବର୍ତ୍ତ୍ଯ ସଂହିତାରୁ ବିଷୟବସ୍ତୁ ଉଦ୍ଧାରିତ ହୋଇ ପାରମ୍ପରିକ ଶୈଳୀରେ ଶବ୍ଦ ସଂଯୋଜନା ପୂର୍ବକ ସ୍ବର ଦେଇ ଗାୟନ ହୁଏ ।
ଏହାର ଏକ ପୌରାଣିକ ମତ ଅଛି । ସତ୍ଯଯୁଗରେ ପୃଥ୍ବୀ ଜଳାର୍ଣ୍ଣବ ବେଳେ କଳ୍ପବଟ ବାଦ୍ ସବୁକିଛି ବୁଡ଼ି ଯାଇଥିଲା । କଳ୍ପବଟରେ ଅନନ୍ତ ଶୟନରତ ବିଷ୍ଣୁ ନିଜର କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ ଓ ତାକୁ ପାଣି ମଧ୍ଯେ ଥିବା ରାଘବ ମତ୍ସ୍ଯ ଗିଳି ଦେବାରୁ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ଚୈତ୍ର ପୂର୍ଣ୍ଣମୀରେ ହେବାରୁ ସେ ତା'ର ହତ୍ଯା କରି ପୁରୁଷକୁ ଉଦ୍ଧାର କଲେ ଏବଂ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା ।ପୃଥ୍ବୀ ପୂର୍ବାବସ୍ଥା ପ୍ରାପ୍ତ ପରେ ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତା'ର ଆରାଧ୍ୟା ଦେବୀ ବାସେଳୀଙ୍କୁ ଆରାଧନା ପୂର୍ବକ ସୌଖ୍ଯ ଜୀବନ ଧାରଣ କରିବା ପାଇଁ କହିଲେ । ସେଦିନଠାରୁ ସେ ମାଛ ଦରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ାନାଚ କଲା । ଆଉ ଏକ ଭିନ୍ନ ମତରେ ରାମ ବନବାସ ବେଳେ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ପାର କରୁଥିଲା ସରଯୁ ନଦୀ , ତାକୁ ରାମଚନ୍ଦ୍ର ଏକ ଘୋଡ଼ା ଦେଇଥିଲେ ପୁରସ୍କାର ସ୍ବରୂପ । ସେଦିନଠୁ ସେମାନେ ଘୋଡ଼ାର ରୃପ ନିର୍ମାଣି ପୂଜା କରି ଆସୁଛନ୍ତି ।
ଭାରତୀୟ କାଳଗଣନାନୁସାରେ ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ହେଲା ସୃଷ୍ଟିର ଆରମ୍ଭ ଦିନ । ଏ ତିଥିରେ ଧାର୍ମିକ , ପୌରାଣିକ , ଐତିହାସିକ ମହତ୍ତ୍ୱ ଅଛି ; କିମ୍ବଦନ୍ତୀ କହେ ବ୍ରହ୍ମା ଏହିଦିନଠୈ କାଳଗଣନାର ଆରମ୍ଭ କରିଥିଲେ । ଏହିଦିନଟିକୁ ଆମେ ନବବର୍ଷ ଭାବରେ ପାଳନ କରିବା ପାଇଁ ମନରୁ ପାଶୋରି ପକାଇଛୁ । ଏ ମାସ କାଳଚକ୍ରର ପହିଲା ମାସ ବୋଲି "ମହାକାଳ ସିଦ୍ଧାନ୍ତ" ଉବାଚ । ଶାସ୍ତ୍ରୌବାଚ ଅନୁସାରେ - "ଚୈତ୍ରମାସି ଜଗଦବ୍ରହ୍ମା ସମର୍ଜନେ ପ୍ରଥମେହଽନି , ଶୁକ୍ଳପକ୍ଷେ ସମଗ୍ରଂତୁ ତଥା ସୂର୍ଯ୍ଯୋଦୟେ ସତି । ପ୍ରବତୟାମାସ ତଦାକାଳସ୍ଯ ଗଣନାମମି , ଗ୍ରହାନ୍ , ନାଗାନ୍ , ଋତୁନ୍ , ମାସନ୍ ବସରାନ୍ ବସରାଧିପାନ ।" ବ୍ରହ୍ମା ପ୍ରଥମେ ଚୈତ୍ର ଶୁକ୍ଳ ପ୍ରତିପଦାର ସୂର୍ଯ୍ଯୋଦୟ ସମୟେ ସୃଷ୍ଟି ସର୍ଜନା କରିଥିଲେ । ବୈଦିକ ରୀତି ଅନୁସାରେ ଏହି ମାସ ହିଁ ଭାରତୀୟଙ୍କର ବର୍ଷର ଆରମ୍ଭ ମାସ ।
ଚୈତ୍ର ମାସରେ ଦଣ୍ଡପାଟୁଆମାନେ ମାସଯାକ ନିଷ୍ଠା ସହକାରେ ବ୍ରତ ପାଳି ଝାମୁଯାତ୍ରା ପାଇଁ ପ୍ରସ୍ତୁତି ହୁଅନ୍ତି । ଏ ମାସରେ ନାନା ମହାମାରୀର ଶାନ୍ତିକରଣାର୍ଥେ ଝୁଣାର ପ୍ରାଧାନ୍ୟ ବେଶି ଥାଏ । ତେଣୁ ବାୟୁମଣ୍ଡଳ ପରିଷ୍କାରାର୍ଥେ ଓଡ଼ିଆ ବନଜ ପଦ୍ଧତିକୁ ଆପଣାର କରିଥାଏ ଏବଂ ଶରୀରର ସୁସ୍ଥତା ପାଇଁ ପ୍ରପାନକ ପାନକୁ ସେ ଉପଯୁକ୍ତ ମଣିଥାଏ ।।ଓଡ଼ିଆ ପ୍ରବାଦନୁସାରେ - "ପୁଷେ ଖଈ , ମାଘେ ଦହି , ଚଇତେ ନିମଚକୁଳି ଖାଇ" ; ଏ ମାସରେ ନିମଚକୁଳି ସ୍ବାସ୍ଥ୍ୟ ହିତକର । ଔଷଧୀୟ ଗୁଣର ଭଣ୍ଡାର ନିମ୍ବ , ତେଣୁ ସେ ଈଶ୍ବରୀୟ ବୃକ୍ଷ ରୂପେ ବିବେଚିତ । ଏ ମାସରେ ବି ଚୈତ୍ର ନବରାତ୍ରୀ ପାଳନ କରାଯାଏ । ସତରେ ଏ ମାସଟି ଧର୍ମ ମାସ ; ଈଶ୍ବରଙ୍କ ବରଦାନ ପରି ଏ ମାସ ପବିତ୍ର ମାସ । ଚୈତ୍ରର ମହତ୍ତ୍ୱ ମହଣ ମହଣ , କିମ୍ବଦନ୍ତୀର ଗନ୍ତାଘର । ଓଡ଼ିଆର ସଂସ୍କୃତିର ଅମାର କହିଲେ ଅତ୍ଯୁକ୍ତି କିଛି ବି ହେବନାହିଁ ।
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment