ଉତ୍କଳ ବ୍ରାହ୍ମଣ ସମାଜ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବେଦ କହେ -"ବ୍ରହ୍ମ ଜାନାତି ଯଃ-ସଃ ବ୍ରାହ୍ମଣ ।" ଯିଏ ବ୍ରହ୍ମଜ୍ଞାନର ଅଧିକାରୀ ସେ ହିଁ ପ୍ରକୃତ ବ୍ରାହ୍ମଣ ; ବ୍ରହ୍ମକୁ ଚିହ୍ନିଲେ ବ୍ରାହ୍ମଣ । ବଜ୍ରସୂଚିକା ଉପନିଷଦ ଅନୁସାରେ ବ୍ରାହ୍ମଣର ପରିଚୟ ଏକ ସ୍ବତନ୍ତ୍ର ଢ଼ଙ୍ଗରେ ବର୍ଣ୍ଣନା କରାଯାଇଛି । ଏହି ବଜ୍ରସୂଚିକା ଉପନିଷଦଟି ସାମବେଦ ସମ୍ବନ୍ଧିତ ଅଟେ ଓ ଏହା ନଅ ଗୋଟି ମନ୍ତ୍ର ସମ୍ବଳିତ । ବୈଦିକ ଚାରି ବର୍ଣ୍ଣ ମଧ୍ୟରୁ ବ୍ରାହ୍ମଣଙ୍କୁ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚନା କରାଯାଇଛି । "ବ୍ରାହ୍ମଣ କିଏ ?" ଏହି ପ୍ରଶ୍ନର ସମାଧାନରେ ଅନେକ ସମ୍ଭାବନାକୁ ନିରସ୍ତ କରି ଉପନିଷଦକାର ମାନେ "ବ୍ରାହ୍ମଣ" ପରିଭାଷାରେ କୁହନ୍ତି କି -"ସମସ୍ତ ଦୋଷ ରହିତ ଅଦ୍ବିତୀୟ ଆତ୍ମଭାବରେ ସମ୍ପୃକ୍ତ ବ୍ଯକ୍ତିଙ୍କୁ ବ୍ରାହ୍ମଣ କହନ୍ତି । ଆତ୍ମଭାବ ହିଁ ସଚ୍ଚିଦାନନ୍ଦ ସ୍ବରୂପ ; ସେହି ସଚ୍ଚିଦାନନ୍ଦ ସ୍ବରୂପ ବ୍ରହ୍ମଭାବ ସମ୍ପନ୍ନ ମନୁଷ୍ୟ ତ ବାସ୍ତବିକ ବ୍ରାହ୍ମଣ ।" (ଅହଙ୍କାରୀ) ବ୍ରାହ୍ମଣର ଅଜ୍ଞାନ ନାଶକ, ଅଜ୍ଞାନୀଙ୍କ ପାଇଁ ଦୂଷକ ଏବଂ ଜ୍ଞାନୀ ମାନଙ୍କର ଭୂଷଣ ବଜ୍ରସୂଚୀ ଶାସ୍ତ୍ର ବିଷୟରେ ବର୍ଣ୍ଣନା କହୁଛି । ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର - ଏମାନଙ୍କ ମଧ୍ୟେ ବ୍ରାହ୍ମଣ ଶ୍ରେଷ୍ଠ ବୋଲି ବେଦୋପନିଷଦ କହେ । ତେବେ ପ୍ରଶ୍ନ ଉଠେ ଯେ - "ବ୍ରାହ୍ମଣ କ'ଣ - ଜୀବ ? ଜାତି ? ଜ୍ଞାନ ? କର୍ମ ? ଅବା ଧାର୍ମିକତା ବ୍ରାହ୍ମଣତ୍ବର ନିର୍ଦ୍ଧାରକ ତତ୍ତ୍ବ କି ? ଏପରି ସ୍ଥିତିରେ ଯଦି ସର୍ବପ୍ରଥମେ ଜୀବକୁ ବ୍ରାହ୍ମଣ ବୋଲିବା ତେବେ ତାହା ଅସମ୍ଭବ ; ଜୀବ କଦାପି ବି ବ୍ରାହ୍ମଣ ହୋଇ ନ ପାରେ । କାରଣ ଅତୀତରେ ଅନେକ ଜୀବ ଜନ୍ମ ନେଇ ସାରିଛନ୍ତି ଏବଂ ଭବିଷ୍ଯତରେ ବି ଅନେକ ଜୀବ ଜନ୍ମ ନେବେ । ଅର୍ଥାତ୍ ଜୀବ ଜନ୍ମ ନେଇ ସାରିଛି କିମ୍ବା ଜନ୍ମ ନେବା ଜୀବର ସମାନ (ଜାତି) ବ୍ଯତୀତ ଜୀବ ଅନ୍ଯ କିଛି ନୁହେଁ । ବସ୍ତୁତଃ ଜୀବ ଏକ ହୋଇ ବି କର୍ମ ଅନୁସାରେ ବିଭିନ୍ନ ଦେହ ଧାରଣ କରନ୍ତି ଏବଂ ଦୈବାଧୀନ ସବୁ ଜୀବନରେ ଦେହର ଅବସ୍ଥା ଓ ମୃତ୍ୟୁ ଆଦିରେ ଅନେକ କିଛିର ସମତ୍ବ ରହୁଛି । ତେବେ ଦେହ ବି ବ୍ରାହ୍ମଣ ନୁହେଁ କାରଣ ସର୍ବଜନ ଜ୍ଞାତ ଯେ ଏ ଦେହ ପଞ୍ଚଭୂତରେ ଗଢ଼ା ଓ ଜରା - ମରଣଶୀଳ ; ରଙ୍ଗ ବି ବ୍ରାହ୍ମଣର ପରିଚୟ ନୁହେଁ । ବ୍ରାହ୍ମଣ ଗୌର, କ୍ଷତ୍ରୀୟ ନାଲି, ବୈଶ୍ୟ ପୀତ, ଶୁଦ୍ର କୃଷ୍ଣବର୍ଣ୍ଣ ଏଭଳି ସେମିତି କିଛି ବର୍ଣ୍ଣ ଭେଦ ନାହିଁ , ଦେହର ଗଠନ ଅନିଶ୍ଚିତ । ଦେହ କଦାପି ବ୍ରାହ୍ମଣ ନୁହେଁ, କାରଣ ମୃତ୍ୟୁଗତି ପ୍ରାପ୍ତ ବ୍ରାହ୍ମଣଙ୍କୁ ଦାହ କରିବାରେ ପୁତ୍ରଙ୍କୁ ବ୍ରହ୍ମହତ୍ୟା ପାପ ଲାଗେନି । ପଞ୍ଚତତ୍ତ୍ୱରୁ ଗଠିତ ଏହି ଦେହ ସମସ୍ତଙ୍କ ପାଇଁ ସମାନ । ଅନେକ ଜାତିରେ ଅନେକ ଅନେକ ଋଷିମାନେ ଜନ୍ମ ନେଇ ସିଦ୍ଧ ମନ୍ତ୍ରମାନ ରଚନା କରିଛନ୍ତି ଯେପରିକି ମୃଗୀଙ୍କ ଠାରୁ ଶୃଙ୍ଗି, କୁଶଙ୍କ ଠାରୁ କୌଶିକ ଆଦି ; ଏ ଲାଗି ଜାତିକୁ ବ୍ରାହ୍ମଣ କୁହାଯାଇ ପାରିବନି । ସମସ୍ତ ପ୍ରାଣୀଙ୍କର ପ୍ରାରବ୍ଧ, ସଞ୍ଚିତ ତଥା ଆଗାମୀ କର୍ମରେ (ନିୟତିର ନିୟମାନୁସାରେ) ସମାନତା ଅଛି ଏବଂ ସେସବୁରୁ ପ୍ରେରିତ ହୋଇ ଜୀବ ଆପଣାର କର୍ମ କରୁଛି, ଅତଃ କର୍ମ କେବେ ବ୍ରାହ୍ମଣ ନୁହେଁ । ଧାର୍ମିକତା ଦୃଷ୍ଟିରୁ କ୍ଷତ୍ରୀୟ ଆବି ସ୍ବର୍ଣ୍ଣଦାନ କରି ଆସୁଛନ୍ତି, ତେଣୁ ଧର୍ମ ବି ବ୍ରାହ୍ମଣ ହୋଇ ନ ପାରନ୍ତି ।
ଅଦ୍ବୈତ ଭାବନା ଯୁକ୍ତ ଜାତି - ଗୁଣ - କ୍ରିୟା ରହିତ ଛ ଉର୍ମି - ଛ ଭାବ ଦୋଷ ରହିତ, ସତ୍ଯ, ଆନନ୍ଦ, ଜ୍ଞାନ ଆଦି ଯୁକ୍ତ, କାମ, ରାଗ ଆଦି ରହିତ, ପରମ ତତ୍ତ୍ବଜ୍ଞ ତଥା ଅହଙ୍କାର ଆଦି ତ୍ଯାଗକାରୀଙ୍କୁ ବ୍ରାହ୍ମଣ କୁହାଯାଏ । ଆତ୍ମାର ସଚ୍ଚିଦାନନ୍ଦାତ୍ମକତାର ଅନୁଭବ କରୁଥିବା ବ୍ୟକ୍ତି ବ୍ରାହ୍ମଣ ; ଅନ୍ଯ କେହି ନୁହେଁ । ସଂସ୍କୃତରେ ଲିଖିତ - "ବ୍ରହ୍ମବେଦ + ଜ୍ଞାତାର୍ଥେ = ବ୍ରହ୍ମନ୍ ।" ଅତଏବ ଯେ ବ୍ରହ୍ମକୁ ବା ବେଦକୁ ଜାଣେ, ସେ ବ୍ରାହ୍ମଣ ପଦବାଚ୍ୟ । ବେଦରୁ ପ୍ରମାଣ ମିଳେ ବୈଦିକ ଯୁଗରୁ ବ୍ରାହ୍ମଣଙ୍କ ଉତ୍ପତ୍ତି ; ସେ ଯୁଗରେ ଗୁଣ,କର୍ମ ବିଭାଗ ଅନୁସାରେ ବ୍ରାହ୍ମଣ ଜାତିର ଉତ୍ପତ୍ତି । କାଳକ୍ରମେ ସେହି ଜାତି ବିଭାଗ ବଂଶାନୁକ୍ରମେ ଚାଲିଲା ; ଅର୍ଥାତ୍ ବ୍ରାହ୍ମଣର ପୁତ୍ର ବ୍ରହ୍ମଜ୍ଞ ନହେଲେ ବି ସେ ବ୍ରାହ୍ମଣ ରୂପେ ପରିଚିତ ।
କେହି କେବେ ଜନ୍ମରୁ ବ୍ରାହ୍ମଣ ହୋଇ ନ ଥାଏ । ପ୍ରଥମେ ମଣିଷ ଶୁଦ୍ର ହୋଇ ଜନ୍ମ ନିଏ । ଉପନୟନ କର୍ମ ସମାପନ ପରେ ବା ସଂସ୍କାର କର୍ମାଦି କରି ଯଜ୍ଞୋପବୀତ ଧାରଣ କରିବା ପରେ ଶୁଦ୍ରରୁ ସେ ଦ୍ବିଜ ବୋଲାଏ ; ବେଦପାଠ କଲେ ବିପ୍ର ହୁଏ । ବିପ୍ରଟି ବ୍ରହ୍ମକୁ ଚିହ୍ନିଲେ ଅର୍ଥାତ୍ ବିପ୍ରର ବ୍ରହ୍ମଜ୍ଞାନ ଉଦୟ ହେଲେ ସେ ବ୍ରାହ୍ମଣ ବୋଲାଏ । ଦଶଗୋଟି ବିଧିରେ ବ୍ରାହ୍ମଣର ସଂସ୍କାର ହୁଏ ; ଯାହାକୁ ଦଶସଂସ୍କାର କହନ୍ତି । ଦଶସଂସ୍କାର ଗୁଡ଼ିକ ହେଲା ଯଥାକ୍ରମେ :- ଗର୍ଭାଧାନ, ପଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ଚୂଡ଼ାକରଣ, ଉପନୟନ, ସମାବର୍ତ୍ତନ, ବିବାହ । ବିବାହ ପରେ ପରିଣୀତା ପତ୍ନୀଙ୍କ ସହବାସ କରି ଗର୍ଭ ସଞ୍ଚାର କରାଇବା କର୍ମକୁ ଗର୍ଭାଧାନ କୁହାଯାଏ । ଏହା ବେଦ ବିହିତ ଅନୁଷ୍ଠାନ । ଗର୍ଭର ତୃତୀୟ ମାସରେ ଗର୍ଭସ୍ପନ୍ଦନ ସମୟରେ ଅନୁଷ୍ଠେୟ ଆଚାର ହିଁ ପୁଂସବନ । ଗର୍ଭର ଚତୁର୍ଥ,ଷଷ୍ଠ ବା ଅଷ୍ଟମ ମାସରେ ଅନୁଷ୍ଠେୟ ଆଚାରକୁ ସୀମାନ୍ତୋନ୍ନୟନ କହନ୍ତି । ସନ୍ତାନ ଭୂମିଷ୍ଠ ହେବା ପରେ ଜନକଙ୍କ ଅନୁଷ୍ଠେୟ ଆଚାର ହେଉଛି ଜାତକର୍ମ । ଜନ୍ମର ଛଅ ମାସ ପରେ ସନ୍ତାନର ନାମକରଣ କରିବା କର୍ମକୁ "ନାମକରଣ" କର୍ମ ବୋଲାଯାଏ । ସନ୍ତାନକୁ ଏକବର୍ଷ ହେଲେ ପ୍ରଥମେ ଅନ୍ନ ଭୋଜନ କରାଇବାକୁ ଅନ୍ନପ୍ରାଶନ କହନ୍ତି । ସନ୍ତାନକୁ ତିନି ବର୍ଷ ପୂର୍ଣ୍ଣ ହେଲେ ତା'ର ମସ୍ତକ ମୁଣ୍ଡନ କରି ଶିଖା ବନ୍ଧନ କରିବା କର୍ମକୁ ଚୂଡ଼ାକରଣ କହନ୍ତି । ଏହି ଚୂଡ଼ାକର୍ମରେ କର୍ଣ୍ଣବେଧ କରାଯାଏ ଏବଂ ସନ୍ତାନର ବିଦ୍ଯା ଆରମ୍ଭ କରାଯାଏ ।
ଅଷ୍ଟମ କର୍ମଟି ଉପନୟନ ; ଯାଗାଦି କର୍ମ ପୂର୍ବକ ସନ୍ତାନକୁ ଯଜ୍ଞୋପବୀତ ଧାରଣ କରାଇବା ରୂପକ ସଂସ୍କାର । ଏହି ସଂସ୍କାର ବ୍ରାହ୍ମଣ, କ୍ଷତ୍ରୀୟ ଏବଂ ବୈଶ୍ୟ ମାନଙ୍କର ବି ହୁଏ ; ଏହି ସଂସ୍କାରକୁ ପୁନର୍ଜନ୍ମର ସଂସ୍କାର କୁହାଯାଏ । ଉପନୟନ ହେବାରୁ ଅନ୍ଯ ନାମ ଦ୍ବିଜ ଅଟେ ଏମାନଙ୍କର । ଉପନୟନ ନହେବା ଯାଏଁ ଦ୍ବିଜ ସନ୍ତାନ ଶୁଦ୍ର ବୋଲି ବିବେଚିତ ହୁଏ । ଏହି ସଂସ୍କାରଟି ଦ୍ବିଜର ପ୍ରଧାନ ସଂସ୍କାର ଅଟେ । ଉପନୟନ କର୍ମାନ୍ତେ ବ୍ରାହ୍ମଣ ସନ୍ତାନ ବ୍ରହ୍ମଚର୍ଯ୍ୟ ଅବଲମ୍ବନ ପୂର୍ବକ ଗୁରୁ ଗୃହରେ ବାସ କରି ବେଦାଧ୍ଯୟନ କରିବାର ବିଧି ପ୍ରଚଳିତ ଅଛି । ବେଦ ଅଧ୍ଯୟନ ପରେ ଗୁରୁଙ୍କର ଆଦେଶକୁ ଶିରୋଧାର୍ଯ୍ଯ ମନେକରି ଗୃହକୁ ଫେରି ଆସିବା ସମୟରେ ଅନୁଷ୍ଠେୟ ଆଚାରକୁ ସମାବର୍ତ୍ତନ କହନ୍ତି । ଏହିଠାରେ ବ୍ରହ୍ମଚର୍ଯ୍ୟ ସରିଯାଏ । ତା'ପରେ ବେଦ ବିଧିରେ ମନ୍ତ୍ରାଦି ଅନୁଷ୍ଠାନ ପୂର୍ବକ ଧର୍ମପତ୍ନୀ ଗ୍ରହଣ କରିବା ଆଚାର ବିବାହ ଅଟେ । ସ୍ବଗୃହକୁ ଆଶ୍ରମ ମନେ କରି ଗୃହସ୍ଥ ଜୀବନ କଟାନ୍ତି ବ୍ରାହ୍ମଣ । ଏ ହେଉଛି ଦଶସଂସ୍କାର ।
ବର୍ତ୍ତମାନ ଏହି ଦଶସଂସ୍କାର ବା ଦଶ କର୍ମ ନାମକୁ ମାତ୍ର ହେଉଛି ; ଉପନୟନ ସମୟେ ଏକାଥରକେ ଏହି ଦଶ କର୍ମର ଅଭିନୟ ମାତ୍ର କରାଯାଉଛି । ଲୋକେ କୁହନ୍ତି ସେ "ଦଶ କର୍ମରେ ବ୍ରତ ହେଲା "। ଫଳତଃ ନବମ କର୍ମ ସମାବର୍ତ୍ତନର ଓ ଦଶମ କର୍ମ ବା ବିବାହର ସେ ଯାଏଁ ସମଧା ହୋଇ ନ ଥାଏ । ଦ୍ବିଜ ମାନଙ୍କର ଚ଼ାରୋଟି - ବ୍ରହ୍ମଚର୍ଯ୍ୟା, ଗାର୍ହସ୍ଥ୍ଯ, ବାଳପ୍ରସ୍ଥ ଓ ସନ୍ନ୍ୟାସ ବା ଭିକ୍ଷୁ ବ୍ରତ । ଉପନୟନ ପରେ ବିବାହ ହେବା ଯାଏଁ ଗୁରୁ ବାସ କରି ସଂଯମ ଓ ବ୍ରହ୍ମଚର୍ଯ୍ୟ ରନ୍ଧା ପୂର୍ବକ ବେଦାଭ୍ଯାସ ଓ ଗୁରୁ ସେବାକୁ "ବ୍ରହ୍ମଚର୍ଯ୍ୟା" କୁହାଯାଏ । ବିବାହ ପୂର୍ବକ ଆଚାର ଓ କର୍ତ୍ତବ୍ୟ ପରିପାଳନର ନାମ "ଗାର୍ହସ୍ଥ୍ଯ" । ସନ୍ତାନ ଆଦି ଲାଭ କରିବା ପରେ ଗୃହ ତ୍ଯାଗ କରି ତପଃ ସାଧନାର୍ଥେ ଅରଣ୍ୟ ଗମନ କରି ସେଠି ଫଳମୂଳ ଖାଇ ବଞ୍ଚିବାକୁ "ବାଳପ୍ରସ୍ଥ" କହନ୍ତି । କିଛିକାଳ "ବାଳପ୍ରସ୍ଥ" ଅବଲମ୍ବନ ପରେ ଭିକ୍ଷା ବୃତ୍ତି କରି ଜୀବନ ଧାରଣ କରିବାକୁ କୁହନ୍ତି "ସନ୍ନ୍ୟାସ ବା ଭିକ୍ଷୁ ବ୍ରତ" । ଏସବୁ ଅବଲମ୍ବନ କରିବାର ନିର୍ଦ୍ଧିଷ୍ଟ ବୟସ ଅଛି ; ବର୍ତ୍ତମାନ ବ୍ରାହ୍ମଣର ଏସବୁ କାର୍ଯ୍ୟତଃ ପାଳିତ ହେଉନାହିଁ । ବ୍ରାହ୍ମଣର ତିନୋଟି କର୍ତ୍ତବ୍ୟ ହେଉଛି -ଅଧ୍ଯୟନ, ଯଜନ ଓ ଦାନ ଏବଂ ଶାସ୍ତ୍ର ନିରୁପିତ ତିନୋଟି ଜୀବୀକା ହେଉଛି - ଅଧ୍ଯାପନ,ଯାଜନ ଓ ପ୍ରତିଗତ । ବ୍ରାହ୍ମଣଙ୍କର ନିତ୍ଯ କର୍ତ୍ତବ୍ୟ - ସ୍ବଧର୍ମ ପାଳନ ; ଯଥା- ତ୍ରିସନ୍ଧ୍ଯାରେ ବ୍ରହ୍ମ ଉପାସନା ଓ ହରିଙ୍କୁ ସମର୍ପିତ ନୈବେଦ୍ଯ ଗ୍ରହଣ । ବ୍ରାହ୍ମଣର ଲକ୍ଷଣ ହେଲା - ଯୋଗ, ତପସ୍ଯା, ଦାନ, ବ୍ରତ, ଦମ ବା ଇନ୍ଦ୍ରିୟ ସଂଯମ, ଶୌଚ, କ୍ଷମା, ସରଳତା, ଅହିଂସା, ଦୟା, ବିଦ୍ଯା, ବିଜ୍ଞାନ, ଆସ୍ତିକ୍ୟ, ସତ୍ଯବାଦିତା ଏବଂ ବ୍ରାହ୍ମଣଙ୍କର ପ୍ରଧାନ ମନ୍ତ୍ର "ଓଁକାର" ଓ "ଗାୟତ୍ରୀ ମନ୍ତ୍ର" । ପୁରାଣପୋଥିରେ ବ୍ରାହ୍ମଣଙ୍କର କର୍ତ୍ତବ୍ୟ, ନିତ୍ଯକ୍ରିୟା, ଆଚରଣ, ଲକ୍ଷଣାଦି ବିସ୍ତୃତ ଭାବରେ ବର୍ଣ୍ଣିତ ଅଛି । ତନ୍ମଧ୍ୟେ ପ୍ରଧାନ କଥା ବେଦାଧ୍ଯୟନ, ତ୍ରିସନ୍ଧ୍ଯା କର୍ମ ଓ ଉପାସନା ଏବଂ ଯଜ୍ଞ ସାଧନ ଅଟେ । ପାଶ୍ଚାତ୍ଯ ସଭ୍ୟତା ପ୍ରଭାବରେ ଦେଶରେ ପ୍ରାଚୀନ ରୀତି-ନୀତିର ପରିବସହ ବ୍ରାହ୍ମଣଙ୍କ କ୍ରିୟାକଳାପ ବିଲୁପ୍ତ ପ୍ରାୟ ; ଶୁଦ୍ର ପରି କ୍ରିୟାକଳାପ ବ୍ରାହ୍ମଣ ମାନଙ୍କ ଠାରେ ଦୃଶ୍ଯମାନ । ପୁରାଣକାରଙ୍କ ମତରେ ସର୍ବଲକ୍ଷଣ ସମ୍ପନ୍ନ ଓ ସଦାଚାରରତ ବ୍ରାହ୍ମଣ ସ୍ବୟଂ ବିଷ୍ଣୁ ମୂର୍ତ୍ତି ବା ବିଷ୍ଣୁଙ୍କ ସହିତ ସମାନ ଏବଂ ନିନ୍ଦିତ କର୍ମଚାରୀ ଆଚାର ରହିତ ବିପ୍ରଙ୍ଖୁ ବିଷହୀନ ସର୍ପ ଓ ଶୁଦ୍ର ସଙ୍ଗତେ ସମାନ ବୋଲି ଅଭିହିତ କରିଛନ୍ତି ପୁରାଣକାରମାନେ । କେଉଂ ବ୍ରାହ୍ମଣମାନେ ଶୁଦ୍ର ସଙ୍ଗେ ସମାନ ତାହା "ବ୍ରହ୍ମବୈବର୍ତ୍ତ" ପୁରାଣରେ ଲିଖିତ । ଆଜିକାଲି ସମାଜରେ ବ୍ରାହ୍ମଣ ରୂପେ ପଇତା ପକାଇଥିବା ବ୍ରାହ୍ମଣମାନେ ପ୍ରକୃତ ବ୍ରାହ୍ମଣ ନୁହଁନ୍ତି ବୋଲି "ବ୍ରହ୍ମବୈବର୍ତ୍ତ" ପୁରାଣ କହେ । ବ୍ରାହ୍ମଣ ବାହ୍ୟ ଚିହ୍ନ ଯଥା - ଗଳା ପ୍ରଦେଶରେ ଯଜ୍ଞସୂତ୍ର ଧାରଣ, ସଦସର୍ବଦା ନିର୍ମଳ ଉତ୍ତରୀୟ ଓ ଧୌତ ଅଧୋବସ୍ତ୍ର ପରିଧାନ, ଲଲାଟେ ତିଳକ ଧାରଣ, ହସ୍ତରେ କୁଶାଜ୍ଞୂରୀୟ, କଟୀଦେଶେ କୁଶମୟୀ ମେଖଳା ଏବଂ ମସ୍ତକେ ଗ୍ରନ୍ଥିବଦ୍ଧ ଶିଖା ଧାରଣ ।
ପୁରାଣ ମତାନୁସାରେ ନିନ୍ଦିତ ବ୍ରାହ୍ମଣ ହେଲେ -ବିଷ୍ଣୁମନ୍ତ୍ର ବିହୀନ, ତ୍ରିସନ୍ଧ୍ଯା ରହିତ, ଏକାଦଶୀ ବିହୀନ, ବୃଷ ବାହକ(ଶଗଡ଼ିଆ ବା ହଳିଆ), ଧାବକ(ପତ୍ରବାହକ, ବହା, ପିଆଦା), ଶୁଦ୍ରାନ୍ନଭୋଗୀ (ଶୁଦ୍ରଙ୍କ ଭାତ୍ଯ ଓ ଶୁଦ୍ରଙ୍କ ଠାରୁ ଦାନଗ୍ରାହୀ), ଶୁଦ୍ର ମାନଙ୍କ ସୁପକାର(ପାଚକ), ଶୁଦ୍ର ମାନଙ୍କ ଯାଜକ(ପୁରୋହିତ), ଶୁଦ୍ରାପତି, ଅସିଜୀବୀ(ପଲଟଣ ବା ପୁଲିସି ଚାକିରିଆ), ମସୀଜୀବୀ(କିରାନି), କନ୍ଯା ବିକ୍ରୟୀ, ହରିନାମ ବିକ୍ରୟୀ, ବିଦ୍ଯା ବିକ୍ରୟୀ, ସକରୁ ସନ୍ଧ୍ୟା ମଧ୍ୟେ ଦ୍ବିବାର ଭୋଜନକାରୀ, ମତ୍ସ୍ଯ -ମାଂସଭୋଜୀ, ଦେବ ପୂଜା ରହିତ । ପୁରାଣରେ ଏହା ବି ଦୃଶ୍ଯମାନ ଯେ କେହି କେହି ଜନ୍ମତଃ ଶୁଦ୍ର ; ତପାଚରଣ ଦ୍ବାରା ବ୍ରାହ୍ମଣଙ୍କ ପଦବାଚ୍ୟ ଏବଂ ବ୍ରାହ୍ମଣ କ୍ରିୟା ରହିତ ହେତୁ ଶୁଦ୍ର ହୋଇଛନ୍ତି । ବ୍ରାହ୍ମଣ ମାନଙ୍କର ଦେଶ ବିଶେଷରେ ଭିନ୍ନ ଭିନ୍ନ ଶ୍ରେଣୀ ଅଛି ଯଥା- ଓଡ଼ିଶାବାସୀ, ଶ୍ରୋକ୍ରିୟ, ମଢ଼ିଆ ପଣ୍ଡା, ଦେଉଳିଆ, ମାସ୍ତାନ ବା ବଳଭଦ୍ର ଗୋତ୍ରୀ, ସାରୁଆ । ପୁନରାୟ ଶାସନୀ ବା ଦାନୁଆ, ପଣ୍ଡା, ହଳୁଆ, ପନିଅରି, ଭାଦ୍ରୀ ଏମାନେ ପ୍ରାୟତଃ ଗଞାମ ବା ଆଠଗଡ଼ବାସୀ । ସମ୍ବଲପୁରବାସୀ ମଧ୍ୟରେ ଓଡ଼ିଆ, ଝାଡ଼ୁଆ, ରଘୁନାଥ ଆଦି ଜାତି । ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି "ଉତ୍କଳ ବ୍ରାହ୍ମଣ" ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡରେ ବସବାସ କରନ୍ତି । ଏହି ବ୍ରାହ୍ମଣଗୋଷ୍ଠୀ ଗୁଡିକଙ୍କର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ଶହେରୁ ନଅ ଭାଗ ଏମାନେ ଅଧିକାର କରିଛନ୍ତି । ଏମାନଙ୍କର ଗୁଣସୂତ୍ର ବା କ୍ରୋମୋଜୋମ୍ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ ।
ଶୁଣିବାକୁ ମିଳେ ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲା । ପ୍ରଥରରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୂଳରୁ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ ଅନେକ ବ୍ରାହ୍ମଣ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୂଳରେ ବସବାସ କରିବା ଆରମ୍ଭ କଲେ । କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗା ମାନଙ୍କରେ ବସତି ସ୍ଥାପନ କଲେ । ଚୀନ୍ର ମହାନ ଦାର୍ଶନିକ ହୁଏନସାଂ ବି ତାଙ୍କ ଲେଖାରେ ଉତ୍କଳୀୟ ବ୍ରାହ୍ମଣଙ୍କ ଭବ୍ୟ ଯଜ୍ଞ ଓ ବୈତରଣୀ ନଦୀ କୂଳରୁ ଉଠୁଥିବା ପାବନ ଧୂମ୍ର ବିଷୟରେ ବର୍ଣ୍ଣନା କରିଛନ୍ତି । ଶିବ ପୁରାଣ, କାଶ୍ମୀର ରାଜାଙ୍କ ଦରବାରରେ କବି କହ୍ଳଣଙ୍କ ଦ୍ବାରା ରଚିତ "ରାଜତରଙ୍ଗିଣୀ" ଅନୁସାରେ (୧୨ଶ ଶତାବ୍ଦୀ) ସନାତନ ହିନ୍ଦୁ ବ୍ରାହ୍ମଣମାନେ ଭୌଗୋଳିକ ଭାବେ ଦଶ ଭାଗରେ ବିଭକ୍ତ । ସେମାନେ ହେଲେ - ସାରସ୍ବତ, କାନ୍ଯକୁବ୍ଜ, ଗୌଡ଼, ମୈଥିଳ, ଉତ୍କଳ (ପଞ୍ଚଗୌଡ଼) ଏବଂ ଗୁର୍ଜ୍ଜର, ମହାରାଷ୍ଟ୍ର, ତୈଲଙ୍ଗ, କର୍ଣ୍ଣାଟ, ଦ୍ରାବିଡ(ପଞ୍ଚଦ୍ରାବିଡ଼) । "ରାଜତରଙ୍ଗିଣୀ"ର ଶ୍ଳୋକାନୁସାରେ :-
"କର୍ଣ୍ଣାଟକାଶ୍ଚ ତୈଲଙ୍ଗା ଦ୍ରାବିଡା ମହାରାଷ୍ଟ୍ରକା ।
ଗୁର୍ଜ୍ଜରାଶ୍ଚେତି ପଞ୍ଚୈବ ଦ୍ରାବିଡା ବିନ୍ଧ୍ୟଦକ୍ଷିଣେ ।।
ସାରସ୍ବତାଃ କାନ୍ଯକୁବ୍ଜା ଗୌଡ଼ା ଉତ୍କଳମୈଥିଳାଃ ।
ପଞ୍ଚଗୌଡ଼ା ଇତି ଖ୍ଯାତା ବିନ୍ଧ୍ଯସ୍ଯୋତ୍ତରବାସିନଃ ।।"
ଅର୍ଥାତ୍ ବିନ୍ଧ୍ଯ ପର୍ବତର ଦକ୍ଷିଣକୁ ଥିବା (ସାଧାରଣତଃ ବିନ୍ଧ୍ଯ ପର୍ବତ ନର୍ମଦା ଉପତ୍ୟକା ଯାହା ମଧ୍ୟପ୍ରଦେଶେ ପ୍ରବାହିତ) ରାଜ୍ଯ ମାନଙ୍କରେ ଥିବା କର୍ଣ୍ଣାଟକ, ତୈଲଙ୍ଗ ବା ତେଲୁଗୁ ବ୍ରାହ୍ମଣବର୍ଗ, ମହାରାଷ୍ଟ୍ରୀୟ, ଗୁର୍ଜ୍ଜର ବା ଗୁଜୁରାଟୀ, ଦ୍ରାବିଡ ବା ତାମିଲ୍, ମାଲୟାଲମ୍ ବ୍ରାହ୍ମଣବର୍ଗ ପଞ୍ଚଦ୍ରାବିଡ଼ ଅନ୍ତର୍ଭୁକ୍ତ ଅଟନ୍ତି । ପୁନରପି ବିନ୍ଧ୍ଯାଚଳ ଉତ୍ତର ଭାଗେ ସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟେ ସାରସ୍ବତ ବା କାଶ୍ମୀର / ପଞ୍ଜାବ, କାନ୍ଯକୁବ୍ଜ ବା ଗାଙ୍ଗେୟ ସମତଳର ବ୍ରାହ୍ମଣବର୍ଗ, ଗୌଡ଼ ବା ହରିୟାଣା / ରାଜସ୍ଥାନ, ଉତ୍କଳ ବା ଓଡ଼ିଶା, ମୈଥିଳ ବା ଉତ୍ତର ବିହାର / ନେପାଳର ବ୍ରାହ୍ମଣବର୍ଗ ପଞ୍ଚଗୌଡ଼ ।ପ୍ରାଚୀନ କଳିଙ୍ଗରେ ସ୍ବଳ୍ପ ସଂଖ୍ୟକ ବ୍ରାହ୍ମଣ ଥିଲେ ; ସେମାନେ ତନ୍ତ୍ରବିଦ୍ୟା ଓ ଅଥର୍ବବେଦ ବିଶାରଦ ଥିଲେ । ବୌଦ୍ଧ ଧର୍ମ ଓ ଜୈନ ଧର୍ମର ପରାଜୟ ଓ ଆଦିଶଙ୍କରାଚ଼ାର୍ଯ୍ଯଙ୍କ ଦ୍ବାରା ପୁରୀରେ ପୂର୍ବାମ୍ନାୟ ଗୋବର୍ଦ୍ଧନ ମଠର ସ୍ଥାପନା ଫଳରେ ବହୁ ବ୍ରାହ୍ମଣ ବଂଶ କେନ୍ଦ୍ରୀୟ ଏବଂ ଉତ୍ତର ଭାରତରୁ ଉତ୍କଳ ଆସିଲେ । ଅଷ୍ଟମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଯାତିକେଶରୀ ଯାଜପୁରର ବୈତରଣୀ ନଦୀ ନିକଟରେ କାନ୍ଯକୁବ୍ଜରୁ ଆଗତ ବ୍ରାହ୍ମଣଙ୍କ ଦ୍ବାରା ଦଶଟି ଅଶ୍ବମେଧ ଯାଗ କରାଇ ତାଙ୍କୁ ବହୁ ନିଷ୍କର ଭୂମି ଦାନ କରିଥିଲେ । କ୍ରମେ ଗଙ୍ଗବଂଶ ରାଜୁତି କାଳରେ ଦକ୍ଷିଣରୁ ବି ବ୍ରାହ୍ମଣମାନେ ଆସିଲେ । ମଧ୍ଯଯୁଗରେ ଉଜ୍ଜୟିନୀ, ପ୍ରୟାଗ, କାଶୀ, ମଗଧର ଟକାରୀ, ହସ୍ତୀଗ୍ରାମ, ଗୟା,ମିଥିଳା ଆଦି ସ୍ଥାନରୁ ମୁସଲମାନ ଆକ୍ରମଣରୁ ବଞ୍ଚି ଅନେକ ପରିବାର ଉତ୍କଳ ଆସିଥିଲେ । କେଶରୀ ବଂଶର ସନନ୍ଦ ଗୁଡ଼ିକରେ ଭଟ୍ଟଗ୍ରାମ, ବଟ୍ଟାଗ୍ରହାର ବା ଭଟ୍ଟଶାସନର ନାମ ଦେଖିବା ପାଇଁ ମିଳେ । ଭଟ୍ଟର ଅର୍ଥ ବିଦ୍ବାନ ବ୍ରାହ୍ମଣ ହୋଇଥିବାରୁ ଏହି ଗ୍ରାମ, ଅଗ୍ରହାର ଶାସନ ଗୁଡ଼ିକ ସେହିମାନଙ୍କ ଦ୍ବାରା ଅଧିକୃତ ହୋଇଥିଲା ବୋଲି ଜଣାଯାଏ ।
ଉତ୍କଳର ବ୍ରାହ୍ମଣଗଣ ମୁଖ୍ଯତଃ ବେଦ ବା ଶ୍ରୌତ ପରମ୍ପରା ପାଳନ କରନ୍ତି । ପ୍ରତ୍ଯେକ ବ୍ରାହ୍ମଣ ପରିବାର କୌଣସି ଗୋଟିଏ ବୈଦିକ ଶାଖାର କଳ୍ପସୂତ୍ରକୁ ଅବଲମ୍ବନ କରି ନିଜର ଷୋହଳ ସଂସ୍କାର, ପୂଜାପର୍ବ, ଗାୟତ୍ରୀ ଉପାସନା, ପୈତା ନିର୍ମାଣ, ଶ୍ରାଦ୍ଧାଦି କରିଥା'ନ୍ତି । ଓଡ଼ିଶାରେ ଚାରିବେଦର ବ୍ରାହ୍ମଣଙ୍କ ବସବାସ । ଋଗବେଦୀ ବ୍ରାହ୍ମଣମାନେ ବାଷ୍କଳ ଶାଖା ଅଧ୍ଯୟନ କରିବା କଥା ; କିନ୍ତୁ "ବାଷ୍କଳ ସଂହିତା" ଲୋପ ପାଇଯିବାରୁ ଶାଳକ ଶାଖାକୁ ଅଧ୍ଯୟନ କରା ଯାଉଛି । ଏ ଶାଖାର କଳ୍ପସୂତ୍ର ଅଶ୍ବଳାୟନ କଳ୍ପସୂତ୍ର ( ଶ୍ରୌତ,ଗୁହ୍ଯ ଉଭୟ) ଅଟେ । ଯଜୁର୍ବେଦୀମାନେ ମୁଖ୍ଯତଃ ଶୁକ୍ଳଯଜୁର୍ବେଦର ବାଜସନେୟୀ-କାଣ୍ବ ଶାଖା ଅବଲମ୍ବନକାରୀ ଯାହା ଭାରତରେ ବିରଳ । ଭାରତର ଅନ୍ଯ ପ୍ରାନ୍ତରେ କୃଷ୍ଣଯଜୁର୍ବେଦ ତଥା ଶୁକ୍ଳଯଜୁର୍ବେଦୀୟ ମାଧ୍ଯନ୍ଦିନ ଶାଖା ପଢ଼ାଯାଏ । ଏ ଶାଖାର କଳ୍ପସୂତ୍ର କାତ୍ଯାୟନ (ଶ୍ରୌତସୂତ୍ର, ଶୁଲ୍ବସୂତ୍ର) ଏବଂ ପାରସ୍କର ଗୃହ୍ଯସୂତ୍ର ଅଟେ । ଉତ୍କଳର ସାମବେଦୀମାନେ ସାଧାରଣତଃ ନନ୍ଦ, ତ୍ରିପାଠୀ ସାଜ୍ଞାଧାରୀ ତଥାପି ଅନ୍ଯ ସାଜ୍ଞାଧାରୀ ସ୍ବଳ୍ପ ସଂଖ୍ୟକ । ଏମାନେ ସବୁ କୌଥୁମୀ ଶାଖା ଅଧ୍ଯୟନ କରନ୍ତି । ଏ ଶାଖାର କଳ୍ପସୂତ୍ର ଦ୍ରାହ୍ଯାୟଣ (ଶ୍ରୌତସୂତ୍ର) ଏବଂ ଗୋଭିଲ୍ଯ ଗୃହ୍ଯସୂତ୍ର । ଏଠାକାର ଅଥର୍ବବେଦୀମାନେ ସାରା ଭାରତବର୍ଷେ ସୁପରିଚିତ । କାରଣ ଅଥର୍ବବେଦର ଲୁପ୍ତ ପ୍ରାୟ ପୈପ୍ପଳାଦ ଶାଖା କେବଳ ଓଡ଼ିଶାରେ ଦୃଶ୍ଯମାନ ; ଏମାନେ ଉତ୍କଳର ସର୍ବପୁରାତନ ବ୍ରାହ୍ମଣଗୋଷ୍ଠୀ । ଏମାନେ ପୈପ୍ପଳାଦ ଶାଖା ଅଧ୍ଯୟନକାରୀ ଏବଂ ୟା'ଙ୍କର କଳ୍ପସୂତ୍ର ବୈତାନ ଶ୍ରୌତସୂତ୍ର ଏବଂ କୌଶିକ ଗୃହ୍ଯସୂତ୍ର ।
ଏକ ଆର୍ଷ ଉକ୍ତି ହେଲା -"ଅଭିବାଦନ ଶୀଳସ୍ଯ"। ଏ ଅଭିବାଦନ ମଧ୍ୟେ ବ୍ଯକ୍ତିର ନାମ, ଗୋତ୍ର, ପ୍ରବର, ବେଦ, ଶାଖା, କଳ୍ପସୂତ୍ର ଆଦି ଉଲ୍ଲେଖ ଥାଏ । ଏକ ଉଦାହରଣ :- ଅଭିବାଦୟେ ଭାର୍ଗବ-ଚ୍ଯବନ-ଅପ୍ନବାନ-ଔର୍ବ-ଜା ମଦଗ୍ନ୍ଯ ପଞ୍ଚାର୍ଷେୟ ପ୍ରବର ଆନ୍ବିତ ବତ୍ସସ୍ଯ ଗୋତ୍ର ଉତ୍ପନ୍ନ ଶୁକ୍ଳଯଜୁର୍ବେଦୀୟ ବାଜସନେୟୀ କାଣ୍ବ ଶାଖା କାତ୍ଯାୟନ କଳ୍ପସୂତ୍ରାଧ୍ଯାୟୀ ଦିବ୍ଯସିଂହ ଦେବ ଶର୍ମା ଅହଂ ଭୋଃ ଆଚାର୍ଯ୍ୟ / ଦେବଃ / ଦେବୀ ।" ନିଜ ବଂଶର ପ୍ରବର୍ତ୍ତକ ବା ଆଦିପିତାଙ୍କ ନାମରେ ଗୋତ୍ରର ପ୍ରଚଳନ । ଉତ୍କଳର ସମସ୍ତ ବ୍ରାହ୍ମଣବର୍ଗ ସପ୍ତଋଷିଙ୍କର ବଂଶଧର ; ଏମାନେ ହେଲେ - "ଅତ୍ରି, ଭୃଗୁ, ଅଙ୍ଗିରା, କାଶ୍ଯପ, ବଶିଷ୍ଠ , ବିଶ୍ବାମିତ୍ର ଓ ଅଗସ୍ତ୍ଯ ।" ପ୍ରତ୍ଯେକ କର୍ମରେ ଗୋତ୍ରର ଆବଶ୍ଯକତା ପଡ଼ିଥାଏ । ହିନ୍ଦୁ ଧର୍ମ ଶାସ୍ତ୍ରାନୁସାରେଣ ଭ୍ରାତା-ଭଗ୍ନୀ ସମ୍ବଦ୍ଧ ହେତୁ ସମଗୋତ୍ର ବା ସମବଂଶରେ ବିବାହ ନିଷିଦ୍ଧ । ପ୍ରତ୍ଯେକ ଗୋତ୍ରର ଗୋତ୍ରପିତା ଋଷିପୁତ୍ର, ନାତି, ଅଣନାତି, ପଣନାତି ଆଦିଙ୍କୁ ନେଇ ପ୍ରବର ଗଠିତ । କୋଉ ଗୋତ୍ରର ତିନିଟି ତ କୋଉ ପାଞ୍ଚଟି, ସାତଟି ଲେଖାଏଁ ପ୍ରବର ଅଛି । ଗୋତ୍ର ବିଚାର ବେଳେ ଗୋତ୍ରପିତା ଋଷିପୁତ୍ର, ପୌତ୍ର ବା ପ୍ରବର ଋଷିଙ୍କର ବି ବିଚାର ହୁଏ । ଏହି ପ୍ରବର ଋଷି ସମାନ ଥିଲେ ଏକବଂଶୀୟ ଗୋତ୍ର ଧରାଯାଇ ବିବାହ ହୁଏନାହିଁ ।
ସାଧାରଣତଃ ଓଡ଼ିଶା ସମୁଦ୍ର ତଟବର୍ତ୍ତୀ ଓ ନଦନଦୀ ଭରା ରାଜ୍ଯ ; ତେଣୁ ଏଠାକାର ବାସିନ୍ଦା ଆମିଷାଶୀ । କିନ୍ତୁ ଅନେକ ବୈଦିକ ବ୍ରାହ୍ମଣ ଏଯାଏଁ ନିରାମିଷାଶୀ ଅଟନ୍ତି । ତଥାପି ଅନେକ ବ୍ରାହ୍ମଣବର୍ଗ ଶାକ୍ତ ଥିବାରୁ ଏବଂ ବଳିପ୍ରଥା ପ୍ରଚଳନ ହେତୁ ମତ୍ସ୍ୟ ମାଂସାଦି ନୈବେଦ୍ଯାକାରେ ଗ୍ରହଣ କରନ୍ତି । କିନ୍ତୁ ମାଂସ ମଧ୍ଯରେ କେବଳ ଛାଗ ମାଂସ ଗ୍ରହଣୀୟ । ଏବେ ବି ଶାକ୍ତ ବା ତାନ୍ତ୍ରିକ ପରିବାର ମାନଙ୍କରେ କୁକ୍କୁଟ, ଗ୍ରାମଶୂକର, ମୃଗ ଆଦି ମାଂସ ତଥା ଡ଼ିମ୍ବ ଆଗ୍ରାହ୍ଯ ହୁଏନାହିଁ । ସାଧାରଣତଃ ଦୃଶ୍ଯମାନ ଓଡ଼ିଆ ଖାଦ୍ୟପେୟ ଓ ରାନ୍ଧଣା ସହ ବ୍ରାହ୍ମଣ ଖାଦ୍ୟପେୟର ସାମଞ୍ଜସ୍ୟ ରହିଛି । ପିଠାପଣା, ଭାତ ତିଅଣ ଆଦି ପିଆଜ, ରସୁଣ ଆଦି ବିହୀନ ହେଲେ ହେଁ ବ୍ରାହ୍ମଣ ଘରର ରାନ୍ଧଣା ଗତାନୁଗତିକ ଓଡ଼ିଆ ରାନ୍ଧଣା ସହିତ ସମାନ । ପୁରୀର ଶ୍ରୀମନ୍ଦିର ପରିସରରେ ସ୍ଥିତ ମୁକ୍ତିମଣ୍ଢପ ଉତ୍କଳୀୟ ବ୍ରାହ୍ମଣ ମାନଙ୍କର ଏକ ମୁଖ୍ଯାନୁଷ୍ଠାନ । ଗୋବର୍ଦ୍ଧନ ମଠର ପୀଠାଧିପତି ଶଙ୍କରାଚାର୍ଯ୍ୟ ଏହାର ମୁଖ୍ୟ ବ୍ଯବସ୍ଥାପକ ଓ ସଞ୍ଚାଳକ । ଓଡ଼ିଶାର ହିନ୍ଦୁ ସମାଜରେ ଘଟୁଥିବା ସମସ୍ତ ଧାର୍ମିକ ସମସ୍ୟା ଯଥା ଜାତିଆଣ ବିବାଦ, ପ୍ରାୟଶ୍ଚିତ, ଗୋତ୍ରାଦି ବିଚାର, ଅଶୌଚ ବିଚାରାଦି କରାଯାଏ । ମଣ୍ଡପଟିର କପିଳେନ୍ଦ୍ର ଦେବ ଏ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟେ ଅନେକ ପୁନଃନିର୍ମାଣ କରାଯାଇଥିଲା । ପୁରୀ ନିକଟସ୍ଥ ଷୋହଳଟି ବ୍ରାହ୍ମଣ ଗ୍ରାମକୁ ଷୋହଳ ଶାସନ ନାମ ଦିଆଯାଇଛି । ଏସବୁ ଗ୍ରାମର ପଣ୍ଡିତମାନେ ମୁକ୍ତିମଣ୍ଡପର ଅଧ୍ଯକ୍ଷତା କରନ୍ତି ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା,ନିରାକାରପୁର,ପୁରୀ
8917480536
- Get link
- X
- Other Apps
Comments
Post a Comment