ଉତ୍କଳ ଦିବସ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
"ଉତ୍କଳ ସାମ୍ରାଜ୍ୟ" ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବ ଭାଗରେ ଅବସ୍ଥିତ ଥିଲା । ମହାଭାରତ ଗ୍ରନ୍ଥରେ ଉତ୍କଳ , ଉତ୍ପଳ , ଅକଳ ଓ ଓଡ୍ର ଦେଶ ବିଷୟରେ ବଣ୍ଣିତ ଅଛି । ଭାରତର ଜାତୀୟ ସଙ୍ଗୀତରେ ମଧ୍ୟ ଏ ନାମ ଦୃଶ୍ଯମାନ । ମଧ୍ୟଯୁଗରେ ଏହା ଅତ୍ଯନ୍ତ କଳାର ଦେଶ ଥିଲା ବୋଲି ଇତିହାସ କହେ । ତେଣୁ ମଧ୍ୟଯୁଗରେ ପୁରାତନ ସାହିତ୍ୟରେ ଏହାକୁ ଉତ୍କଳ ବୋଲି ଅଭିହିତ କରାଯାଇଥିଲା । ମହାଭାରତରୁ ଜଣାଯାଏ ଯେ , ଉତ୍କଳର ବାସିନ୍ଦାମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ । ପୁଣି ଏଇ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ , ଦୁର୍ଯ୍ଯୋଧନଙ୍କ ପତ୍ନୀ କଳିଙ୍ଗ ବା ଉତ୍କଳର ଅଧିବାସୀ ଥିଲେ । ଏହି ଉତ୍କଳ ର ପୂର୍ବବର୍ତ୍ତୀ ନାମ ଅଙ୍ଗ , ବଙ୍ଗ , କଳିଙ୍ଗ , ପୁଣ୍ଡ୍ର , ସୁହମା ଥିଲା ବୋଲି ମହାଭାରତରୁ ଜଣାଯାଏ । ସେତେବଳେ ଏହାର ଦୁଇଟି ରାଜଧାନୀ ଥିଲା ; ତାହା ହେଲା ଦନ୍ତପୁର ଓ ରାଜପୁର । ଦନ୍ତପୁର ହେଉଛି ଆଜିର ପୁରୀ ସହର ଯାହା ସହଦେବଙ୍କ ଦ୍ବାରା ଅଧିକୃତ ହୋଇଥିବାର ଜଣାଯାଏ । ଆମର ଏ ଉତ୍କଳ ଏବେ ଓଡ଼ିଶା ନାମରେ ପରିଚ଼ିତ । ଏହା ଆୟତନରେ ନବମ ଓ ଜନସଂଖ୍ୟାରେ ଏଗାରତମ ରାଜ୍ଯ ଏବଂ ଏହାର ସରକାରୀ ଭାଷାଟି ଓଡ଼ିଆ ଅଟେ । ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ସ୍ବତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିବାରୁ ପ୍ରତିବର୍ଷ ଏହି ଦିବସଟିକୁ ଅର୍ଥାତ୍ ଅପ୍ରେଲ ୧ ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି । ଭୁବନେଶ୍ବର ଏହାର ରାଜଧାନୀ । ପୂର୍ବରୁ ଅର୍ଥାତ୍ ଅଷ୍ଟମ ଶତାବ୍ଦିରୁ ଅଧିକ ସମୟ ଧରି କଟକ ଥିଲା ଏହାର ରାଜଧାନୀ । ୧୯୪୮ ମସିହା ଅପ୍ରେଲ ୧୮ ତାରିଖରେ ଭୁବନେଶ୍ବରକୁ ଓଡ଼ିଶାର ରାଜଧାନୀ ଘୋଷଣା କରାଗଲା ।
ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ "ଓର/ଉର" ବା 'ଓଡ୍ର', 'ଉଡ୍ର' ଦେଶରୁ ,'ସୁମେରୀୟ' , ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆଗତ । ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବପଟାରେ ଓଡ୍ର ବିଷୟରେ ସୂଚ଼ନା ମିଳିଛି । ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନିଦି ଏଲଡ଼ର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ୍' ବୋଲି ନାମିତ କରିଛନ୍ତି । କିମ୍ବଦନ୍ତୀ ରହିଛି ଯାହା ଓଡ଼ିଶାରେ ପ୍ରଚ଼ଳିତ ଲୋକକଥା :- ଏଟି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାରିଥିଲା । ସିଂହଳ (ଶ୍ରୀଲଙ୍କା), ଜାଭା , ସୁମାତ୍ରା , ବାଲି , ବ୍ରହ୍ମଦେଶ (ମିଆଁମାର) , ସାମ (ଥାଇଲାଣ୍ଡ) , ଚ଼ୀନ୍ , କାମ୍ବୋଡ଼ିଆ , ଅନାମ (ଭିଏତନାମ) , ଜବନ (ଜାପାନ) , କୁକୁଟ (କୋରିଆ) , ମକ୍କସିଖ (ମେକ୍ସିକୋ) , ମିସର (ଇଜିପ୍ଟ) , ସିମିଳି (ଆରବ) , ବାବଲିନ୍ ( ଇରାକ) ଇତ୍ଯାଦି ସ୍ଥାନରେ ଆମର ନିର୍ମାଣ - କଳା ଓ ବାଣିଜ୍ୟ - ସଂସ୍କୃତି- ଇତିହାସର ଚ଼ିହ୍ନ ଏବେ ବି ଦୃଶ୍ଯମାନ । ସମ୍ଭବତଃ ଲୋକତନ୍ତ୍ର ପ୍ରଚ଼ଳିତ ଥିଲା ।
ସପ୍ତମ ଶତାବ୍ଦିରେ ଆମ ରାଜ୍ଯର ଶାସକଗଣ ସ୍ବାଧୀନ ଥିଲେ ; ସେବେଳେ ଗଙ୍ଗବଂଶୀୟ ରାଜାମାନେ ଶାସନ କରୁଥିଲେ । ୭୯୫ ଖ୍ରୀଷ୍ଟାବ୍ଦରେ ଦ୍ବିତୀୟ ଯଯାତି (ମହାସିବ ଗୁପ୍ତ) ସିଂହାସନରେ ବସିଥିଲେ । ଓଡ଼ିଶା ଇତିହାସରେ ଏହା ସ୍ବଣ୍ଣଯୁଗ ଥିଲା । ସେ ସମ୍ରାଟ ଖାରବେଳଙ୍କ ଦ୍ବାରା ଅନୁପ୍ରାଣିତ ହୋଇ କଳିଙ୍ଗ , କାଳଗୋଡ଼ା , ଉତ୍କଳ ଓ କୋଶଳ ଏ ଚାରୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କଲେ । ଏହି ରାଜବଂଶର ଶାସନ ଓଡ଼ିଶାରେ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ଯାଏଁ ଥିଲା । ଏହି ରାଜ୍ଯକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି - ଉପଜାତି ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତିର ଉତ୍ପତ୍ତି ହେଲା । ସେମାନେ ସାଧବର ପରିଚ଼ୟ ପ୍ରାପ୍ତ କରିଲେ । ବୈଶ୍ୟ ଓ ଶୁଦ୍ରମାନେ ରାଜ୍ଯର ଅନ୍ତ - ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚ଼ାଷୀଙ୍କ ଠାରୁ କୃଷିଜାତ ଦ୍ରବ୍ଯ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ଯ ଯୋଗାଉଥିଲେ । ଏହି କ୍ରୟ - ବିକ୍ରୟର ମୁଖ୍ୟ ମାଧ୍ୟମ ଥିଲା ସୁନା , ରୂପା , ମୁଦ୍ରା , କଉଡ଼ି । ଏ ସମୟରେ ବଙ୍ଗୋପସାଗର ତଟଦେଶରେ ପ୍ରସିଦ୍ଧିଲାଭ କରିଥିବା "ଚ଼ରିତ୍ରପୁର" ବନ୍ଦର ଦେଇ ଚ଼ୀନ୍ , ଶ୍ରୀଲଙ୍କା , ଜାଭା ଆଦି ସହ ଆମ ରାଜ୍ଯର ବେପାର ବଣିଜ ଚ଼ାଲୁଥିଲା । ୧୬ଶ ଓ ୧୭ଶ ଶତାବ୍ଦିରେ ଓଡ଼ିଶାର ବାହାର ବାଣିଜ୍ୟ ଉନ୍ନତି ସାଧନ କରିଥିଲା ; କିଛିବର୍ଷର ରାଜନୈତିକ ଅସ୍ଥିରତା ପାଇଁ ଅର୍ଥନୀତିର ପ୍ରଗତିରେ ବାଧା ଆସିଥିଲା ।
୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କରିସାରିଥିଲେ । ସେତେବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚ଼ରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବଣିକ ଥିବାରୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ୍ ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚ଼ଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚ଼ଳନ ହେତୁ ଓଡ଼ିଶା ଶିଳ୍ପ - ବାଣିଜ୍ୟର ଧ୍ବଂସ ସାଧନ ଲକ୍ଷ୍ଯରେ ଏଠୁ ବିଲାତକୁ କଞ୍ଚାମାଲ୍ ନେଇ ସେଠାରୁ ଓଡ଼ିଶାକୁ କଳକବ୍ଜା ଆମଦାନି ବାଣିଜ୍ୟ ବେପାରର ଆରମ୍ଭ ହୋଇଥିଲା । ଏଥି ସହିତ ଜନସାଧାରଣଙ୍କ ଉପରେ ଲବଣ କର ଲାଗୁ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଅସ୍ଥିକୁ ଭାଙ୍ଗି ପକାଇଥିଲା । ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶ ଗୁଡ଼ିକରେ ମାରୁଆଡ଼ୀ ଓ ବଙ୍ଗାଳୀ ଓକିଲ ଓ ଅନ୍ଯ ବୁଦ୍ଧିଜୀବୀଙ୍କ ପ୍ରରୋଚ଼ନାରେ ଓଡ଼ିଶାର ବିଭିନ୍ନ ଜାଗାରୁ କଞ୍ଚାମାଲ୍ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ଲାଭରେ ରହୁଥିଲେ ବିଦେଶୀ । ଓଡ଼ିଶାର ସାମାଜିକ ବିଧିବ୍ୟବସ୍ଥା , ଧାର୍ମିକ ବିଶ୍ବାସ କ୍ଷୁଣ୍ଣ କରିବାକୁ ଚ଼େଷ୍ଟିତ ଇଂରେଜ କମ୍ପାନୀ ସରକାର ୧୮୬୬ରେ "ନଅଙ୍କ ଦୁର୍ଭିକ୍ଷ" ସୃଷ୍ଟି କରିଥିଲେ । ଫଳତଃ ଓଡ଼ିଶାର ଦୁଇ ତୃତୀୟାଂଶ ଲୋକ ଅନାହାରରେ ପୋକମାଛି ପରି ମଲେ କିମ୍ବା କଲିକତାରେ ବିକ୍ରି ହେଲେ । ବିଶେଷ ଦ୍ରଷ୍ଟବ୍ୟ : ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ ବୋଲି ପ୍ରମାଣିତ । ଖ୍ରୀ. ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ବର ନିକଟସ୍ଥ ଦୟାନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେଯାଏଁ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏ ଯୁଦ୍ଧର ଭୟାବହତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ , ସେ ଯୁଦ୍ଧ ଛାଡ଼ି ଅହିଂସା ପଥର ପଥିକ ହୋଇ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରି ଉତ୍କଳ ବା କଳିଙ୍ଗର ନାମ ସାର୍ଥକ କରିଥିଲେ । ୧୫୬୮ ଖ୍ରୀ. ଅ. ରେ ବଙ୍ଗଳାର ସେନାପତି କଳାପାହାଡ ଆକ୍ରମଣ , ୧୭୫୧ ଖ୍ରୀ. ଅ. ରେ ଓଡ଼ିଶା ମରାଠୀ ମାନଙ୍କ ଅଧିକୃତ ଏବଂ ପରେ ପରେ ଇଂରେଜ ଶାସନ ଉତ୍କଳର ପ୍ରାଣପିଣ୍ଡରେ ପ୍ରବଳ ଆଘାତ ଦେଇଛି । ୧୯୩୬ରେ ବିଛିନ୍ନ ଅଞ୍ଚଳ ସମୂହକୁ ଏକତ୍ର କରି ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା ;ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ଯ ହେଲା ।
୧୮୭୫ରେ ବାଲେଶ୍ବରର ରାଜା ଶ୍ଯାମାନନ୍ଦ ଦେ ଓ ଦେଶବ୍ରତୀ ବିଚ଼ିତ୍ରାନନ୍ଦ ଦାସଙ୍କ ଦ୍ବାରା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଙ୍ଗର ତତ୍କାଳୀନ ଲେଫ୍ଟ୍ନାଣ୍ଟ୍ ଗଭର୍ନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଦିନଠାରୁ ଉତ୍କଳ ସ୍ବତନ୍ତ୍ର ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା ।
୧୮୮୨ରେ ଉତ୍କଳଗୌରବ ମଧୁସୁଦନ ଦାସଙ୍କ ଦ୍ବାରା ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ଉତ୍କଳ ସଭା ବା ଓଡ଼ିଶା ଆସୋସିଏସନ ଗଠନ ଏବଂ ୧୮୯୫ରେ ସେଣ୍ଟ୍ରାଲ ପ୍ରୋଭିନ୍ସ୍ ଚ଼ିଫ୍ କମିଶନରଙ୍କ ପକ୍ଷରୁ ସମ୍ବଲପୁରର କୋର୍ଟ୍ କଚେରୀ ମାନଙ୍କ ମଧ୍ୟରୁ ଓଡ଼ିଆ ଭାଷା ସମ୍ପୂଣ୍ଣ ଉଚ୍ଛେଦ ଏବଂ ହିନ୍ଦୀ ଭାଷାର ପ୍ରଚ଼ଳନ ଆରମ୍ଭ ହୋଇଥିଲା । ସମ୍ବଲପୁରବାସୀଙ୍କ ମଧ୍ୟେ ତୀବ୍ର ଅସନ୍ତୋଷ ଓ ଜନ ଆନ୍ଦୋଳନ ମୁଣ୍ଡ ଟେକି ଉଠିଥିଲା । ୧୯୦୧ରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କର ନେତୃତ୍ବରେ ରମ୍ଭା ପ୍ରାସାଦରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ବିଚ଼ାର ଆଲୋଚ଼ନା ହୋଇଥିଲା ଯାହା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉତ୍କଳ ପ୍ରଦେଶ ଗଠନ ପାଇଁ ପ୍ରଥମ ଉଦ୍ଯମ ଥିଲା । ତା'ପରେ ଜାତିର ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ଉତ୍କଳ ହିତୈଷିନୀ ଗଠିତ ହେଲା । ୧୯୦୨ରେ ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସମ୍ମିଳନୀରେ ମଧୁସୁଦନ ଦାସ ଓ ଗୌରୀଶଙ୍କର ରାୟ ଯୋଗଦାନ କରି ଓଡ଼ିଶା ଡ଼ିଭିଜନରେ ଗଞ୍ଜାମ ଜିଲ୍ଲାର ମିଶ୍ରଣ ପାଇଁ ଦାବି ଉପସ୍ଥାପନ ଏବଂ ୧୯୦୩ରେ ମଧୁସୁଦନଙ୍କ ବଳିଷ୍ଠ ନେତୃତ୍ବରେ ଉତ୍କଳ ସମ୍ମିଳନୀର ଜନ୍ମ । ୧୯୦୫ରେ ସମ୍ବଲପୁର ଜିଲ୍ଲାକୁ ମଧ୍ଯପ୍ରଦେଶରୁ କାଢ଼ି ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶା ଡ଼ିଭିଜନରେ ମିଶାଗଲା । ୧୯୧୭ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ପ୍ରଦେଶ ଅନ୍ତର୍ଗତ କରିବାକୁ ମଟେଂଗୁ ଚ଼େମ୍ସ୍ଫୋର୍ଡ କମିଟି ନିକଟରେ ଦାବି ବଢ଼ାଗଲା । ୧୯୨୭ରେ ସାଇମନ୍ କମିସନଙ୍କ ନିକଟରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ଉପସ୍ଥାପନ କରାଗଲା ।୧୯୩୧ରେ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଯୋଗଦାନ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନାର୍ଥେ ଦାବି ଉପସ୍ଥାପନ ଏବଂ ୧୯୩୩ରେ ପାରଳାଖେମୁଣ୍ଡି , ଜୟପୁର ଜମିଦାରକୁ ସ୍ବତନ୍ତ୍ର ଓଡ଼ିଶା ଗଠନ ପରିକଳ୍ପନାରୁ ବାଦ ଦେଇ ଶ୍ବେତପତ୍ରର ପ୍ରକାଶ ହେତୁ ଏହା ବିରୋଧରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ବିଶାଳ ଜନ ଆନ୍ଦୋଳନର ଉତ୍ପତ୍ତି । ୧୯୩୫ରେ ଭାରତ ଶାସନ ଆଇନ୍ ମାଧ୍ୟମରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବିଚ଼ରାଧୀନ ରହିଲା । ୧୯୩୬ ଅପ୍ରେଲ - ୧ରେ କଟକ , ପୁରୀ , ବାଲେଶ୍ବର , ସମ୍ବଲପୁର , ଗଞ୍ଜାମ ଓ କୋରାପୁଟ , ଏ ଛଅଟି ଜିଲ୍ଲାକୁ ନେଇ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ୧୮୭୫ରୁ ପ୍ରାରମ୍ଭ ଓଡ଼ିଶା ପ୍ରଦେଶ ଗଠନର ଉଦ୍ଯମ ୧୯୩୬ରେ ୬୧ ବର୍ଷରେ ପୂରଣ ହେଇଥିଲା । ଏଥିରୁ ଜଣାଯାଏ ମଧୁସୁଦନଙ୍କ ଭୂମିକା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ କେତେ ମହତ୍ତ୍ୱପୂଣ୍ଣ । ଉତ୍କଳୀୟ ଜାତିକୁ ନେଇ ତାଙ୍କ କଲମ ନିଃସୃତ ପଦ୍ଯଟିଏରୁ ପଦେ ମନେପଡ଼େ :-
"ଜାତି ନନ୍ଦିଘୋଷ ଚ଼ଳିବ କି ଭାଇ
ସ୍ବାର୍ଥକୁ ସାରଥୀ କଲେ
ଚ଼ଳାଏ କି ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ ।"
ପ୍ରତିବର୍ଷ ଏହି ଅପ୍ରେଲ ପହିଲାକୁ ଉତ୍କଳ ଦିବସ ଭାବରେ ପାଳନ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କଣ୍ଣଧାର ମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । ଏହି ଦିନଟିକୁ ମନେ ରଖିବାକୁ ଏବଂ କଣ୍ଣଧାର ମାନଙ୍କ ସ୍ମୃତି ସାଉଁଟିବାକୁ ଏହି ଦିବସ ପାଳନ ହୁଏ ।
ସା/ପୋ - ଭାଟପଡ଼ା
ଭା- ନିରାକାରପୁର
ଜି- ପୁରୀ
ପିନ୍ -୭୫୨୦୧୯
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment