ଜ୍ଯୋତିଷ ଶାସ୍ତ୍ର : ଅଳ୍ପ ଆଲୋଚ଼ନା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
"ଜ୍ଯୋତିଷ ଶାସ୍ତ୍ର" ନାମଟି ଉପରେ ପ୍ରାୟ ସମସ୍ତେ ଅବଗତ ; ଏହା ଏକ ଛଦ୍ମ ବିଜ୍ଞାନ ଅଟେ , ଯାହା ଖଗୋଳୀୟ ପିଣ୍ଡର ଚ଼ଳଣୀ ଓ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ଯ ସମ୍ବନ୍ଧୀୟ ବିଷୟ ଆଉ ସାଂସାରିକ ଘଟଣା ସମ୍ପର୍କରେ ଦିବ୍ଯ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ର ଦ୍ବାରା ମନୁଷ୍ଯ ତଥା ପୃଥିବୀର ଗ୍ରହ ଏବଂ ତାରା ମାନଙ୍କ ଶୁଭାଶୁଭ ପ୍ରଭାବର ଅଧ୍ୟୟନ କରାଯାଇପାରେ । ଗ୍ରହ - ନକ୍ଷତ୍ର ସହ ସମ୍ବନ୍ଧ ରଖୁଥିବା ବିଦ୍ଯା ହେଉଛି ଜ୍ଯୋତିଷ ବିଦ୍ଯା । ଯଦିଓ ଏ ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ଯୋତିଷ ର ବି ବୋଧ ହୁଏ , ତଥାପି ସାଧାରଣ ଲୋକ ଜ୍ଯୋତିଷ ବିଦ୍ଯା ଦ୍ବାରା ଫଳିତ ବିଦ୍ଯାର ଅର୍ଥ ବୋଲି ଭାବି ନିଅନ୍ତି । ଭାରତୀୟ ଜ୍ଯୋତିଷରେ ସୂର୍ଯ୍ଯ ସିଦ୍ଧାନ୍ତ ଆଦି ଗ୍ରନ୍ଥରୁ ଆସୁଥିବା ବିନ୍ଦୁ ହିଁ ମେଷାଦି ଦ୍ବାଦଶ ରାଶିର ଗଣନା କରାଯାଏ । ଏ ପ୍ରକାର ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡ଼ିଥାଏ । ଭାରତରେ ୧୨ଟି ରାଶିକୁ ୨୭ ବିଭାଗରେ ବିଭକ୍ତ କରାଯାଇଛି , ଯାହାକୁ ନକ୍ଷତ୍ର କହନ୍ତି । ଫଳାଫଳର ବିଚ଼ାରାର୍ଥେ "ଚ଼ନ୍ଦ୍ରମା" ନକ୍ଷତ୍ରର ବିଶେଷ ଉପଯୋଗ କରାଯାଏ । ବହୁ ବୈଜ୍ଞାନିକ ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥା'ନ୍ତି । ପରିଭାଷାରେ ଅନ୍ତର ହେବା ପରେ ବି ଜ୍ଯୋତିଷ ବିଦ୍ୟାର ଏକ ସାମାନ୍ୟ ଧାରଣା ଅଛି ଯେ , ଖଗୋଳୀୟ ପିଣ୍ଡ ନିଜ କ୍ରମ ସ୍ଥାନରୁ ଭୁତ ଓ ବର୍ତ୍ତମାନର ଘଟଣା ଆଉ ଭବିଷ୍ୟବାଣୀକୁ ବୁଝିବାରେ ସାହାଯ୍ଯ କରିପାରେ । ଏକ ମତଦାନରେ ୩୧% ଆମେରିକୀୟ ଜ୍ଯୋତିଷ ଉପରେ ବିଶ୍ବାସ ପ୍ରକଟ କରିଥିବା ବେଳେ ଅନ୍ଯେକ ଅଧ୍ଯୟନନୁସାରେ ୩୯% ଲୋକ ଏହାକୁ ବିଜ୍ଞାନ ବୋଲି ମାନିଛନ୍ତି ।
ଜ୍ଯୋତିଷ ଶାସ୍ତ୍ରରେ କୁଣ୍ଡଳୀ ଗଣନାର ପ୍ରାଧାନ୍ୟ ନିହାତି ରହିଛି । କୁଣ୍ଡଳୀ ଏପରି ଏକ ଚ଼କ୍ର , ଯଦ୍ଦ୍ବାରା କୌଣସି ଇଷ୍ଟ କାଳରେ ରାଶି ଚ଼କ୍ର "କ୍ରାନ୍ତି ଚ଼କ୍ର" ଦ୍ବାରା ସମ୍ବନ୍ଧିତ ହୋଇଥାଏ , ଯାହାର ସ୍ଥିତି ଅକ୍ଷାଂଶର ଭିନ୍ନତା କାରଣରୁ ନାନା ଦେଶରେ ଏକା ପରି ହୋଇନଥାଏ । ଅତଏବ ରାଶି ଚ଼କ୍ରର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ସମୟ ତଥା ନିଜ ସ୍ଥାନରେ ରହିଥିବା ରାଶି ମାନଙ୍କର ଉଦୟ ସ୍ଥିତି ଜ୍ଞାନ ଆବଶ୍ଯକ । ରାଶି ମାନଙ୍କର ଅଙ୍କ ଦ୍ବାରା ବ୍ଯକ୍ତ ହୁଏ , ଏ ପ୍ରକାର ରାଶି ଚ଼କ୍ରକୁ କୁଣ୍ଡଳୀ କହନ୍ତି । ଭାରତୀୟ ପଦ୍ଧତିରେ ଗ୍ରହ ଯଥା ରବି , ଚ଼ନ୍ଦ୍ର , ଭୌମ , ବୁଧ , ବୃହସ୍ପତି , ଶୁକ୍ର , ଶନି , ରାହୁ ଓ କେତୁର ହିସାବ ହୁଏ ଏବଂ ପାଶ୍ଚାତ୍ଯ ପ୍ରଣାଳୀରେ ମେଷ , ବୃଷ , ମିଥୁନ , କର୍କଟ , ସିଂହ , କନ୍ଯା , ତୁଳା , ବିଛା , ଧନୁ , ମକର , କୁମ୍ଭ , ମୀନ ରାଶି ମାନଙ୍କୁ ଆଉ ଉପରୋକ୍ତ ନଅଟି ଗ୍ରହଙ୍କୁ ୧ , ୨, ୩ , ୪........ ଆଦି ଚ଼ିହ୍ନ ଦ୍ବାରା ସୂଚ଼ିତ କରାଯାଏ । ରାହୁ ଓ କେତୁ ବାସ୍ତବିକ ଗ୍ରହ ନୁହଁନ୍ତି ; ଏମାନଙ୍କୁ ଛାୟା ଗ୍ରହ କହନ୍ତି ।
ସୂର୍ଯ୍ୟ କିମ୍ବା କୌଣସି ଅନ୍ଯ ତାରା ମାନଙ୍କ ଚ଼ାରିପାଖେ ପରିକ୍ରମା କରୁଥିବା ଖଗୋଳ ପିଣ୍ଡକୁ ଗ୍ରହ କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହର ପରିଭାଷା ଭିନ୍ନ ଅଟେ । ଭାରତୀୟ ଜ୍ଯୋତିଷ ଏବଂ ପୌରାଣିକ କଥାରେ ନଅଟି ଗ୍ରହ ଗଣତି ହୁଅନ୍ତି । ଗ୍ରହ ଦୁଇ ପ୍ରକାରର , ଗୋଟିଏ ଆନ୍ତରିକ ଗ୍ରହ ଓ ଅନ୍ଯଟି ବାହ୍ଯ ଗ୍ରହ । ଏଆ ହେଉଛି ମହାକାଶ ବିଜ୍ଞାନ ମତ । ଜ୍ଯୋତିଷ ଶାସ୍ତ୍ରରେ ଭିନ୍ନ ପ୍ରକାରର କିନ୍ତୁ । ଗ୍ରହ ଚ଼କ୍ର ୧୨ଟି ରାଶିରେ ବିଭକ୍ତ , ଅର୍ଥାତ ରବି ବର୍ଷକ ମଧ୍ୟେ ୧୨ଟି ରାଶିକୁ ସଂକ୍ରମଣ କରି ତାଙ୍କର ବାର୍ଷିକ ଗତିଚ଼କ୍ରକୁ ଥରେ ବୁଲନ୍ତି ; ତାଙ୍କ ବାର୍ଷିକ ଗତି ଦ୍ବାରା ପୃଥ୍ବୀର ଚ଼ାରିଆଡ଼େ ଆକାଶରେ ଯେଉଁ ବୃତ୍ତ କଳ୍ପନା ଦ୍ବାରା ଅଙ୍କିତ ହୁଏ ତାହାକୁ ରାଶି ଚ଼କ୍ର କୁହାଯାଏ । ଏହି ସୂର୍ଯ୍ଯଙ୍କ ଗତି ଦ୍ବାରା କଳ୍ପିତ ରେଖା ଅଣ୍ଡାକାର , କିନ୍ତୁ ହିନ୍ଦୁ ଜ୍ଯୋତିଷ ସବୁ ଉକ୍ତ ପରିଧିକୁ ବୃତ୍ତ ରୂପେ କଳ୍ପନା କରି ସେହି ପରିଧିକୁ ରାଶି ଚ଼କ୍ର କରିଛନ୍ତି ; ଆକାଶସ୍ଥ ସେ କଳ୍ପିତ ବୃତ୍ତ ୧୨ ଭାଗରେ ବିଭକ୍ତ ଓ ପ୍ରତ୍ଯେକ ଅଂଶର ସୀମା ମଧ୍ୟରେ ଥିବା କେତେଗୁଡିଏ ଉଜ୍ଜ୍ବଳ ନକ୍ଷତ୍ରର ସମଷ୍ଟିକୁ ରାଶି କୁହାଯାଏ ।
ଚ଼ନ୍ଦ୍ର ବି ଏକମାସ ମଧ୍ୟେ ପୃଥ୍ବୀର ଚ଼ାରିଆଡ଼େ ବୁଲି ଯେଉଁ ପରିଧି ଆଙ୍କନ୍ତି ତାକୁ (ଅର୍ଥାତ , ଆକାଶଚ଼କ୍ରକୁ) ୨୭ ଭାଗରେ ବିଭକ୍ତ କରି ଉକ୍ତ ଭାଗ ମାନଙ୍କୁ ନକ୍ଷତ୍ର କୁହାଯାଏ । ସୂର୍ଯ୍ୟ ଯେଉଁ ରାଶିର ସୀମା ମଧ୍ୟେ ଯେଉଁ ମାସରେ ଥା'ନ୍ତି ସେହି ମାସର ସେହି ରାଶି ଅନୁସାରେ ନାମକରଣ କରାଯାଏ । ସୂର୍ଯ୍ୟ ଏକ ରାଶିର ସୀମା ମଧ୍ୟରେ ପ୍ରାୟ ୧ ମାସ କାଳ ଅବସ୍ଥାନ କରନ୍ତି ; ସୂର୍ଯ୍ୟ ଯେଉଁ ରାଶିର ସୀମା ମଧ୍ୟରେ ଯେଉଁ ମାସରେ ଥାଆନ୍ତି ସେହି ମାସକୁ ସୌର ବା ସୌରମାନ ମାସ କହନ୍ତି । ରାଶି ଗୁଡ଼ିକ ଉଜ୍ଜ୍ବଳ ତାରକାର ସମଷ୍ଟି ; ମାତ୍ର ସେହି ତାରକା ସବୁ କାଳ୍ପନିକ ରେଖା ମାନଙ୍କ ଦ୍ବାରା ଯୋଗ କରାଗଲେ ତାହା ଯେଉଁ କାଳ୍ପନିକ ଜୀବ ବା ବସ୍ତୁ ପରି ଦିଶେ , ସେହି ରାଶିକୁ ସେହି ଜୀବର ବା ବସ୍ତୁର ନାମ ଦିଆଯାଇଛି । ହିନ୍ଦୁ ମାନଙ୍କ ରାଶି ସବୁ ସହ ପାଶ୍ଚାତ୍ୟ ରାଶି ସବୁର ନାମ ସାଦୃଶ୍ୟ ଥିଲେ ହେଁ ସଂସ୍କୃତ ରାଶି ମାନଙ୍କ ସଙ୍ଗେ ପାଶ୍ଚାତ୍ୟ ରାଶି ମାନଙ୍କର କେତେକ ଅମେଳ ଅଛି । ରାଶି ଓ ନକ୍ଷତ୍ରମାନ ବାମାବର୍ତ୍ତ , ଅର୍ଥାତ ଆକାଶଚ଼କ୍ରର ନିର୍ଦ୍ଧିଷ୍ଟ ସ୍ଥାନରୁ ଆରମ୍ଭ କରି ବାମ ଆଡ଼କୁ ଯଥାକ୍ରମେ ଗତି କରୁଥିବା କଳ୍ପିତ ହୋଇଛନ୍ତି । ମନୁଷ୍ୟର ଜନ୍ମ ସମୟରେ ଚ଼ନ୍ଦ୍ର ଗ୍ରହ ଯେଉଁ ରାଶିରେ ଥା'ନ୍ତି ତାକୁ ଉକ୍ତ ବ୍ଯକ୍ତିର ଜନ୍ମରାଶି କହନ୍ତି ଏବଂ ମନୁଷ୍ୟର ଜନ୍ମ ସମୟରେ ରାଶିଚ଼କ୍ରର ଯେଉଁ ଅଂଶ ବା ଯେଉଁ ରାଶିଟି କୁବୃତ୍ତ ବା କୁମଣ୍ଡଳରେ ଲଗ୍ନ ଥାଏ ବା ଲାଗିଥାଏ ତାହାକୁ ମନୁଷ୍ୟର ଜନ୍ମ ଲଗ୍ନ କୁହାଯାଏ । ନିଜର ଅବସ୍ଥିତ ସ୍ଥାନକୁ କେନ୍ଦ୍ର କରି ୯ ଡ଼ିଗ୍ରୀରେ ବୁଲାଇଲେ ଯେଉଁ କଳ୍ପିତ ମଣ୍ଡଳ ବା ପରିଧି ହୁଏ ତାହା କୁମଣ୍ଡଳ । ଯେଉଁ ବ୍ଯକ୍ତି ଯେଉଁ ରାଶିରେ ଜନ୍ମ ସେହି ବ୍ଯକ୍ତିର ସେହି ରାଶି ଥିବାର କୁହାଯାଏ । ଗୋଟିଏ ବୃତ୍ତର ୧୨ ଭାଗରୁ ୧ ଭାଗକୁ ଏକ ରାଶି କହନ୍ତି । ଦୁଇଟି ନକ୍ଷତ୍ର ଓ ଅପର ଏକ ନକ୍ଷତ୍ରର ଏକ ଚ଼ତୁର୍ଥାଂଶ ଘେନି ଏକ ରାଶି ଗଠିତ ହୁଏ । କାଳପୁରୁଷ ଭଗବାନ ଦ୍ବାଦଶଧା ବିଭକ୍ତ ହୋଇ ଶୂନ୍ଯ ମଣ୍ଡଳରେ ରାଶିଚ଼କ୍ର ଭାବେ ବିରାଜିତ । ଭାରତୀୟ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନକ୍ଷତ୍ରକୁ ଚ଼ନ୍ଦ୍ର ମହଲ ମଧ୍ୟ କହନ୍ତି । ନକ୍ଷତ୍ର ନିଜ ପ୍ରଭାବରେ ଯେକୌଣସି ବ୍ଯକ୍ତିଙ୍କ ସ୍ବଭାବକୁ ପରିବର୍ତ୍ତନ କରିପାରେ ; ସେଲାଗି ନକ୍ଷତ୍ର ଅନୁକୁଳ କରିବା ପାଇଁ ନକ୍ଷତ୍ର ସହ ସମ୍ବନ୍ଧିତ ଗ୍ରହଙ୍କ ପୂଜାପାଠ ଓ ବ୍ରତ ଆଦି ପାଳନ କରିଥା'ନ୍ତି ।
ଦକ୍ଷ ପ୍ରଜାପତିଙ୍କ କନ୍ଯା ମାନଙ୍କ ନାମାନୁସାରେ ୨୭ଟି ନକ୍ଷତ୍ର ନାମିତ ଓ ଏ ସମସ୍ତ କନ୍ୟାଙ୍କ ବିବାହ ଚ଼ନ୍ଦ୍ରଙ୍କ ସହିତ ହୋଇଥିଲା । ଏହି ସବୁ କନ୍ୟା ବା ରାଣୀ ମାନଙ୍କ ମଧ୍ୟେ ରୋହିଣୀ ଥିଲେ ଚ଼ନ୍ଦ୍ରଙ୍କର ଅତି ପ୍ରିୟ ଓ ସେଲାଗି ଚ଼ନ୍ଦ୍ରଙ୍କୁ ଅଭିଶାପର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପୁରାଣ ଅନୁସାରେ ପ୍ରଥମେ ଋଷିମାନେ ଆକାଶକୁ ୧୨ ଭାଗରେ ବିଭକ୍ତ କରିଥିଲେ ଯାହା ୧୨ଟି ରାଶି ; ଏହାକୁ ଆହୁରି ସୂକ୍ଷ୍ମ ବିଭାଜନ କରି ୨୭ ଭାଗ କରାଯାଇଛି । ପରିଣାମ ସ୍ବରୂପ ଏକ ରାଶି ଭିତରେ ୨.୨୫ ନକ୍ଷତ୍ର ଆସିଥା'ନ୍ତି । ନକ୍ଷତ୍ର ଦଶା ଓ ଅବଧି ଗଣନାରେ ସହାୟକ ହୁଏ । ଏହା ସାରାଂଶ ରାଶି ନକ୍ଷତ୍ରର । ଯଦି କୌଣସି ବ୍ଯକ୍ତିଙ୍କ ନିର୍ଭୁଲ୍ ଜନ୍ମ ନକ୍ଷତ୍ରର ସୂଚ଼ନା ଥାଏ ତେବେ ସେ ବ୍ଯକ୍ତିଙ୍କର ଭବିଷ୍ଯବାଣୀ ସଠିକ ଭାବେ କରାଯାଇପାରେ ଏବଂ ଏ ସଠିକ ଗଣନା ବ୍ଯକ୍ତିଙ୍କୁ ଅଧିକ ଲାଭପ୍ରଦ ହୁଏ । ଏହାଦ୍ବାରା ଅନେକ ପ୍ରକାର ଦୋଷ ଆଉ ନକରାତ୍ମକ ପ୍ରଭାବ ଦୂରାର୍ଥେ ଉପାୟ ବାହାର କରିପାରିବେ ।
୧୮୩୫ରେ ଓଡ଼ିଶା ରାଜ୍ୟର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ଜନ୍ମିତ ଜଣେ ଜ୍ଯୋତିର୍ବିଦ୍ ଓ ପଣ୍ଡିତ ପଠାଣି ସାମନ୍ତ ସୂର୍ଯ୍ୟ , ଚ଼ନ୍ଦ୍ର , ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ୍ ଗଣନା କରିବା ଓ ସୂର୍ଯ୍ୟପରାଗ ଆଉ ଚ଼ନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ପାରଙ୍ଗମ ଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚ଼ଳିତ ଅଛି ଯାହା ଗ୍ରହ ନକ୍ଷତ୍ର , ରାଶି ଆଦିର ଅବସ୍ଥିତିକୁ ନେଇ ଭବିଷ୍ଯତ ଗଣନାରେ ସାହାଯ୍ୟ କରିଥାଏ । ତାଙ୍କର ପୂରା ନାମ ଥିଲା ସାମନ୍ତ ଚ଼ନ୍ଦ୍ରଶେଖର ସିଂହ ହରିଚ଼ନ୍ଦନ ମହାପାତ୍ର ; ତାଙ୍କ ପିତା ଥିଲେ ଶ୍ଯାମବନ୍ଧୁ ସିଂହ ଓ ମାତା ଥିଲେ ବିଷ୍ଣୁମାଳୀ ଦେବୀ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମ ସ୍ଥିତ ମହାଦେବ ଶ୍ରୀ ଶ୍ରୀ ଶ୍ରୀ ଚ଼ନ୍ଦ୍ରଶେଖରଙ୍କ ପ୍ରସାଦରୁ ଜନ୍ମଗ୍ରହଣ କରିଥିବା ବିଶ୍ବାସରେ ପିତା ମାତା ତାଙ୍କ ନାମ ଚ଼ନ୍ଦ୍ରଶେଖର ବୋଲି ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ , ତାଙ୍କ ଅପର୍ତ୍ତ୍ଣାଣୀ ନାମ ପଠାଣି ରଖାଯାଇଥିଲା ।
ପଠାଣି ସାମନ୍ତ ବାଲ୍ଯରୁ ଉଦାସୀନ , ମନଯୋଗୀ , ଏକାଗ୍ରଚ଼ିତ୍ତ , ଅଧ୍ୟବସାୟୀ ସହ ଉଦାରମନା ଥିଲେ ; ସେ ଗୁରୁ କୃତ୍ତିବାସ ରଥଙ୍କଠୁଁ ବାଲ୍ଯଶିକ୍ଷା ଏବଂ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଠୁଁ ସଂସ୍କୃତ ଶିକ୍ଷାଲାଭ କରିଥିଲେ । ପଠାଣି ସାମନ୍ତଙ୍କ ବାପା ସେ ସମୟରେ ଥିଲେ ପ୍ରଧାନ ଗାଣିତିକ ; ଗଣିତ ଜ୍ଯୋତିଷରେ ଅଗାଧ ଜ୍ଞାନ ଥିଲା । ପଠାଣି ସାମନ୍ତ ତାଙ୍କ ପିତାଙ୍କ ଠାରୁ ଗଣିତ ଜ୍ଯୋତିଷର ଆଲୋଚ଼ନା ମାଧ୍ଯମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ଯୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚ଼ନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିିଲେ । ଦୁଇଟି ବାଉଁଶ ନଳୀ ଦ୍ବାରା ଦୂରଦୂରାନ୍ତର ଗ୍ରହମଣ୍ଡଳର ନକ୍ଷତ୍ର ମାନଙ୍କ ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ଯୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତା'ର ଅନେକ ଅସମାନତା ଥିଲା । ତାଙ୍କର ସ୍ବ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ , ପୁରାତନ ଭାରତୀୟ ଜ୍ଯୋତିର୍ବିଦ୍ ମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳି ଯାଇଛି । ତାଙ୍କ ନୂତନ ମୌଳିକ ଗଣନାନୁଯାୟୀ ସେ ରଚ଼ନା କରିଥିିଲେ "ସିଦ୍ଧାନ୍ତ ଦର୍ପଣ" । ଏଥିରେ ପାଖାପାଖି ୨୦୦୦ଟି ପଦ ଅଛି ଓ ଏହା ୧୮୯୯ରେ କଲିକତା ବିଶ୍ବବିଦ୍ୟାଳୟରୁ ପ୍ରକାଶିତ । ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସେ ଏହି ଗ୍ରନ୍ଥ ରଚ଼ନା ଆରମ୍ଭ କରି ମୁକୁନ୍ଦଦେବଙ୍କ ୧୪ଶ ଅଙ୍କ ମାର୍ଗଶୀର କୃଷ୍ଣ ନବମୀ ଶନିବାର ଅର୍ଥାତ ୧୮୯୨ ନଭେମ୍ବର ୧୨ ତାରିଖରେ ସମାପ୍ତ କରିଥିଲେ ; ଏହି ଗ୍ରନ୍ଥ ଆରମ୍ଭ କରିବା ବେଳେ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ଏହି ଗ୍ରନ୍ଥ ସଂସ୍କୃତ ଭାଷାରେ ରଚ଼ିତ ଓ ଏଥିରେ ସୁନ୍ଦର ପଦ୍ଯାବଳୀରେ ୨୪ଟି ବିଭାଗ ଆଉ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି । ଏଥିରେ ୨୨୮୪ଟି ଶ୍ଳୋକ ପଠାଣି ସାମନ୍ତଙ୍କ ଦ୍ବାରା ରଚି଼ତ ଓ ଅବଶିଷ୍ଟାଂଶ ପୁରାତନ ସିଦ୍ଧାନ୍ତ ମାନଙ୍କରୁ ଗୃହୀତ । ଏହା ମଧ୍ଯାଧିକାର , ସ୍ଫୁଟାଧିକାର , ତ୍ରିପ୍ରଶ୍ନାଧିକାର , ଗୋଳାଧିକାର ଓ କଳାଧିକାର ନାମରେ ପଞ୍ଚ ଅଧିକାରରେ ବିଭକ୍ତ ; ତାଳପତ୍ରରେ ଲିଖିତ ପଠାଣି ସାମନ୍ତଙ୍କ ହସ୍ତଲିପିକୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରି ଥିଲେ । ତତ୍କାଳୀନ କରଦ ରାଜ୍ଯ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ୍ ସୁଦାମ ଚ଼ରଣ ନାୟକଙ୍କ ଉଦ୍ଯମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୁରଭଞ୍ଜ ମହାରାଜା ଶ୍ରୀରାମଚ଼ନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତା ସ୍ଥିତ ଗିରୀଶ ବିଦ୍ଯାରତ୍ନ ମୁଦ୍ରଣାଳୟରେ ୧୯୮୪ ମସିହାରେ ଛାପାକାର୍ଯ୍ଯ ଆରମ୍ଭ ହୋଇଥିଲା । ଏ ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ଯାଏଁ ଅନାଲୋଚି଼ତ ହୋଇ ରହିବା ପରେ ଅଧ୍ୟାପକ ଯୋଗେଶ ଚ଼ନ୍ଦ୍ର ରାୟ ବିଦ୍ଯାନିଧି "ନେଚ଼ର କଲେଜ" ନାମ୍ନୀ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକଲୋଚନକୁ ଆଣିଥିଲେ । ପଦାର୍ଥ ବିଜ୍ଞାନୀ ପ୍ରଫେସର ଲକ୍ଷ୍ମୀଧର ଶତପଥି ଓ ଡ଼ଃ ପ୍ରହଲ୍ଲାଦ ଚ଼ନ୍ଦ୍ର ନାୟକ ମିଳିତ ଭାବେ ପଠାଣି ସାମନ୍ତ ସମ୍ବନ୍ଧେ କତିପୟ ପ୍ରବନ୍ଧ ପ୍ରକାଶ କରିଛନ୍ତି । କେତେକ ଭାରତୀୟ ଓ ଅଣଭାରତୀୟ ବୈଜ୍ଞାନିକଙ୍କ ଚ଼େଷ୍ଟାରେ ତାଙ୍କ ସମ୍ବନ୍ଧରେ "ବୌଦ୍ଧିକ ଅବଦାନ" ନାମକ ପୁସ୍ତକ ଦ୍ବିଲ୍ଲୀର ନିରୋସା ପବ୍ଲିସିଂ ହାଉସ୍ ତରଫରୁ ପ୍ରକାଶିତ ହୋଇଛି ।
ଗୋଲଯନ୍ତ୍ର , ସୂର୍ଯ୍ୟଘଡ଼ି , ଶଙ୍କୁଦଣ୍ଡ , ଉଲମ୍ବୀ ଚ଼କ୍ର , ମାନଯନ୍ତ୍ର , ଖଗୋଳ ଯନ୍ତ୍ର ଆଦିର ନିର୍ମାତା ଥିଲେ ପଠାଣି ସାମନ୍ତ । ଫଳିତ ଜ୍ଯୋତିଷର ନିର୍ଭୁଲ୍ ଗଣନା ଯୋଗୁଁ ତାଙ୍କୁ ୧୮୯୩ରେ ମହାମହୋପାଧ୍ୟାୟ ଉପାଧି ପ୍ରଦାନ କରାଯାଇଥିଲା ଏବଂ ୧୯୦୩ ନଭେମ୍ବର ୨୦ରେ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ୫୦ ଟଙ୍କାର ମାସିକ ବୃତ୍ତି ପ୍ରଦାନ କରିଥିଲେ । ପଠାଣି ସାମନ୍ତଙ୍କୁ ସମ୍ମାନ ଜଣାଇ ଓଡ଼ିଶା ଲୋକଙ୍କ ମଧ୍ୟେ ଖଗୋଳ ବିଜ୍ଞାନ ଓ ଜ୍ଯୋତିର୍ବିଜ୍ଞାନ ଉପରେ ଅଧିକ ଆଗ୍ରହ ଜନ୍ମାଇବା ଲକ୍ଷ୍ଯରେ ଏକ ତାରାଘର "ପଠାଣି ସାମନ୍ତ ପ୍ଲାନେଟୋରିୟମ୍" ଭୁବନେଶ୍ୱର ଠାରେ ତିଆରି କରାଯାଇଛି । ୧୯୧୫ ଅଗଷ୍ଟ ମାସ ପହିଲାରେ ପୁରୀରେ "ଚ଼ନ୍ଦ୍ରଶେଖର ହଲ୍" ପ୍ରତିଷ୍ଠା ହୋଇଥିଲା । ସେଠାରେ ସାହିତ୍ୟିକ ଗୋପାଳ ଚ଼ନ୍ଦ୍ର ପ୍ରହରାଜ ଚ଼ନ୍ଦ୍ରଶେଖରଙ୍କ ସ୍ମୃତି ତର୍ପଣ କରି କହିଥିଲେ - "ନିଜ ଦେଶରେ ନିଜ ଗ୍ରାମରେ , ଆପଣା ଜୀବିତ କାଳରେ ମହାପୁରୁଷମାନେ ସମ୍ମାନିତ ହେବାର ମହାପୁରୁଷ ମାନଙ୍କର ଜୀବନରେ କ୍ବଚି଼ତ୍ ଘଟିଥାଏ । ଆମ ଦେଶର "ଗାଁ କନିଆ ସିଂଙ୍ଘାଣିନାକୀ" ଏବଂ "ଗାଁ ବଳଦ ଗାଁରେ ବିକାଯାଏ ନାହିଁ" ଆଦି ପ୍ରବଚ଼ନ ଏ ଉକ୍ତିର ସତ୍ଯତା ପ୍ରତିପାଦନ କରୁଅଛି ।"
ଗଣିତ ବିଜ୍ଞାନକୁ ଦଶମିକ ସଂଖ୍ୟା ସହ ପରିଚ଼ିତ କରାଇଥିଲେ ଓଡ଼ିଆ ଗଣିତଜ୍ଞ ଓ ଜ୍ଯୋତିର୍ବିଦ୍ ଶତାନନ୍ଦ ଆଚ଼ାର୍ଯ୍ଯ । ଜ୍ଯୋତର୍ବିଜ୍ଞାନରେ ଦଶମିକ ଗଣନାର ବିନା ସାହାଯ୍ଯରେ ମନୁଷ୍ୟ ଚ଼ନ୍ଦ୍ରରେ ପହଞ୍ଚିବା ଅସମ୍ଭବ ହେଇଥା'ନ୍ତା ବୋଲି ଜ୍ଯୋତିର୍ବିଜ୍ଞାନରେ ଜଣା । ସେ ତିନୋଟି ଜ୍ଯୋତର୍ବିଜ୍ଞାନ ଗ୍ରନ୍ଥ "ଭାସ୍ବତୀ କରଣ" , "ଶତାନନ୍ଦ ରତ୍ନମାଳା" , "ଶତାନନ୍ଦ ସଂଗ୍ରହ" ରଚ଼ନା କରିଥିଲେ । ୧୦୯୯ ଖ୍ରୀଷ୍ଟାବ୍ଦରେ ରଚି଼ତ "ଭାସ୍ବତୀ କରଣ" ଗ୍ରନ୍ଥରେ ଗ୍ରହ ନକ୍ଷତ୍ର ମାନଙ୍କର ଗତି ଓ ଅବସ୍ଥିତି ଠିକ୍ ଗଣନାର୍ଥେ ଦଶମିକ ଗଣନାର ପ୍ରୟୋଗ କରୁଥିଲେ । ସେ "ସୂର୍ଯ୍ୟ ସିଦ୍ଧାନ୍ତ"ରେ ଲିଖିତ ବାସ୍ତବତା ଓ ବରାହମିହିରଙ୍କ ଯନ୍ତ୍ର ଦ୍ୱାରା ପର୍ଯ୍ଯବେକ୍ଷଣକୁ ଗାଣିତିକ ସୂତ୍ରରେ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଆଣି ଚ଼ନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗର ଠିକ୍ ମୁହୂର୍ତ୍ତ , ଭୋଗ ଓ ମୋକ୍ଷ ସମୟ ନିରୁପଣ କରିଥିଲେ । ପଠାଣି ସାମନ୍ତଙ୍କ "ସିଦ୍ଧାନ୍ତ ଦର୍ପଣ" ସହାୟତାରେ ପଞ୍ଚାଙ୍ଗ (ପାଞ୍ଜି) ନିରୁପଣ ହେବା ଯାଏଁ ଶତାନନ୍ଦଙ୍କ ନିରୁପିତ ପଞ୍ଚାଙ୍ଗନୁସାରେ ପୁରୀରେ ଜଗନ୍ନାଥ ମନ୍ଦିର ନୀତି ଚ଼ଳି ଆସୁଥିଲା । ସିଦ୍ଧାନ୍ତ ଦର୍ପଣକୁ ନେଇ ମନେପଡ଼େ କବିବର ରାଧାନାଥଙ୍କର କାଳଜୟୀ ବାଣୀଟିଏ -
"ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ
ନରଦେହେ ଥିବ ଯାବତ ହୃଦୟ ।"
ଜ୍ଯୋତିଷ ଶାସ୍ତ୍ର ବହୁକିଛି ଉପକାର ସାଧନ କରିବା ସହ ବିଭିନ୍ନ କାର୍ଯ୍ଯ ସରଳ କରିପାରିଛି । ତେଣୁ କାହା ମତରେ ଇଏ ଅନ୍ଧବିଶ୍ୱାସ ହୋଇପାରେ ; କିନ୍ତୁ ମୁଁ କହିବି ଏଭଳି ଶାସ୍ତ୍ର ଅମୂଲ୍ୟ । ଏହାର ଉତ୍ତରୋତ୍ତର ଉନ୍ନତି ଚ଼ିନ୍ତା କରି ଏ ଶାସ୍ତ୍ରକୁ ଆହୁରି ସମୃଦ୍ଧ କରିବାର ପ୍ରଚ଼େଷ୍ଟା କଲେ ଏବଂ ଏହାକୁ ବଞ୍ଚାଇ ରଖି ଉଚି଼ତ ସମ୍ମାନ ପ୍ରଦର୍ଶନ ପୂର୍ବକ ଏ ଦିଗରେ ଯଦି ଅଗ୍ରର ହେବା , ତେବେ ଜ୍ଯୋତର୍ବିଜ୍ଞାନ ବଳରେ ଆମ ଦେଶ ଓ ଆମେ ସର୍ବୋଚ୍ଚ ସ୍ଥାନରେ ରହି ସଦାସର୍ବଦା ଗର୍ବନୁଭବ କରିପାରିବା ଓ ବିଶ୍ବରେ ପ୍ରଶଂସିତ ହୋଇପାରିବା ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ସମ୍ପର୍କ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment