ଆମ ଭାଷା ଆମ ସାହିତ୍ୟ



       କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
                ସମ୍ପାଦକ - ଉଦୟ ଭାନୁ 

          ସାହିତ୍ୟ କହିଲେ ସମାଜର ହିତ ସାଧନ । ଯାହା ସମାଜର ହିତରେ ଆସେ ସେ ସାହିତ୍ୟ । ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବୀରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି । ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲୀ ସାହିତ୍ୟକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ । ସ୍ମରଣ ରଖିବାର୍ଥେ ସମସ୍ତ କଥାକୁ ପଦ୍ଯ ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ଯା,ଆକାଶ ବିଦ୍ଯା,ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ଯମାନ ରଚିତ ହୋଇଥିଲା । ଓଡ଼ିଆରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡ଼ାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି । ଓଡ଼ିଆ ସାହିତ୍ୟର ଇତିହାସ ଚର୍ଯା ଗୀତିରୁ ଆରମ୍ଭ ବୋଲି ପ୍ରମାଣ ପ୍ରାପ୍ତ ; ଏହା ବୁଦ୍ଧଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ ବୁଦ୍ଧଙ୍କ ଜନ୍ମ ଜାତକ (ବୁଦ୍ଧ ଜାତକ),ବାଣୀ ତ୍ରିପିଟକ ଭାବରେ ଓ ବୌଦ୍ଧ ସାଧୁ ସନ୍ଥ ମାନଙ୍କ ଲେଖା ଚର୍ଯ୍ଯଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ । ଏହା ପରବର୍ତ୍ତୀ କାଳରେ ଭକ୍ତିଯୁଗ ବେଳେ ଖୁବ୍‌ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । କେତେକ ସ୍ଥଳରେ ଉତ୍ତର ଆଧୁନିକ ସାହିତ୍ୟର ଉକ୍ତି ଦେଖିବା ପାଇଁ ମିଳେ । ଓଡ଼ିଆ ସାହିତ୍ୟର ସମୟ କାଳକୁ ବିଭିନ୍ନ ଯୁଗାନୁସାରେ ବଣ୍ଟନ ହୋଇଛି , ଯଥା- ଚର୍ଯା ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତିଯୁଗ, ରାଧାନାଥ ଯୁଗ, ସତ୍ଯବାଦୀ ଯୈଗ, ପ୍ରଗତି ଯୁଗ, ସବୁଜ ଯୁଗ ଓ ସ୍ବାଧିନତା ପରର ଯୁଗ ।କିନ୍ତୁ ଭାଷାବିତ ମାନଙ୍କର ଏହି ସମୟକ୍ରମ ଅନୁସାରେ ଆମେ ଓଡ଼ିଆ ସାହିତ୍ୟକୁ ଭାଗ କଲେ ଓଡ଼ିଆ ସାହିତ୍ୟର ବିକାଶର ଠିକ୍‌ ଚିତ୍ର ପ୍ରାପ୍ତ କରିପାରିବା ନାହିଁ । ବୁଝିବା ସୁବିଧା ପାଇଁ ଆମ ସାହିତ୍ୟ "କଥିତ ସାହିତ୍ୟ" ଓ "ଲିଖିତ ସାହିତ୍ୟ" ନାମରେ ଦୁଇ ଭାଗରେ ବିଭକ୍ତ । ସାଧାରଣ ଲୋକର ମୁଖରେ ପ୍ରଚଳିତ କଥା, କବିତା ଆଦିକୁ "କଥିତ ସାହିତ୍ୟ" ବୁଝାଏ ।

           ସାଧାରଣ ଲୋକେ ନିଜ ଆନନ୍ଦ,ବିଷାଦ, ଆଶା,ଆକାଂକ୍ଷାକୁ ଗୀତ ଓ ଗପ ମାଧ୍ଯମରେ ପ୍ରକାଶ କରନ୍ତି । ଗାଁ ଗହଳିରେ ଅନେକ ଭାବପ୍ରବଣ ଲୋକ ମୁହେଁ ମୁହେଁ ଗୀତ ବାନ୍ଧି ଦେଇଥା'ନ୍ତି ; ସେ ଗୀତ ଅନ୍ଯମାନେ ଶୁଣି ମନେ ରଖିଥା'ନ୍ତି । ଏପରି ପିଢ଼ି ପରେ ପିଢ଼ି ସେ ଗୀତ, ଢ଼ଗ ଢ଼ମାଳି,ପ୍ରବଚନାଦି କାନରୁ କାନକୁ ବ୍ଯାପୀ ପୁରୁଷ ପୁରୁଷ ଯାଏଁ ଲୋକ ଗାଇ ବୁଲନ୍ତି । ଏହି କଥିତ ସାହିତ୍ୟର ଲେଖକକୁ ଆକଳନ କରିବା ଅସମ୍ଭବ । ହେଲେ ସେଥିରେ ସାଧାରଣ ଲୋକର ଜୀବନ ଛବି ଅଙ୍କା ହୋଇଥାଏ ଏବଂ ସାଧାରଣ ଭାଷାରେ ପ୍ରକାଶିତ ହୋଇଥାଏ । ଏସବୁର ମୂଲ୍ଯ ସାହିତ୍ୟ ଓ ଭାଷା ପାଇଁ ବେଶି ।

            ଓଡ଼ିଆ ସାହିତ୍ୟରେ କାନ୍ଦଣା,ଓଷାଗୀତ, ଦୋଳିଗୀତ,ଶଗଡ଼ିଆ ଗୀତ,ଚଷା ଗୀତ, ନାଉରିଆ ଗୀତ ଆଦି ଲିପିବଦ୍ଧ ।

"ରାମ ହେ ଲଇଖଣ ହେ ଗଲେ ମିରିଗ ମାରି... ହୁ... ଡ଼... ରରର..."
                                             -ଚଷା ଗୀତ 
     ଏଠାରେ ପୁରାତନ ଓଡ଼ିଆ "ଲଇଖଣ" ଶବ୍ଦର ପ୍ରୟୋଗ । ଆଦିବାସୀ ମାନଙ୍କ କରମା ଗୀତ,ପାଲା,ଦାସକାଠିଆ ସଙ୍ଗୀତ, ବାଲେଶ୍ବରର ଚଢ଼େଇଆ ସଙ୍ଗୀତ ଆଦି ସବୁ ଏହି ଶ୍ରେଣୀର । ଗୀତ ପରି କଥା ଓ କାହାଣୀ ବି ଲୋକମୁଖରେ ପ୍ରଚଳିତ,ଯାହାର ନାଁ ଲୋକକଥା । ଭୂତ-ପ୍ରେତ, ଦେବତା,ଅସୁର,ଅସୁରୁଣୀ,ରାଜାପୁଅ,ସାଧବପୁଅ, ପଶୁ-ପକ୍ଷୀ,ଗାଇଆଳ,ଚଷା,ବିଧବା ଏସବୁକୁ ନେଇ ଅନେକ ପଲ୍ଲୀ ଗୀତ ଓ କଥା ତିଆରି ହୋଇଛ । ସେପରି ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ,କଳାହାଣ୍ଡିର ଦେଶୀୟ ଓଡ଼ିଆ, ବାଲେଶ୍ବର,ଭଦ୍ରକ,ମୟୁରଭଞ୍ଜାଦି ଉତ୍ତର ଓଡ଼ିଶାର ଗଞାମ, ଗଜପତି ଆଦିରେ କଥିତ ଭାଷା ଗଞାମି ଓଡ଼ିଆରେ ଅନେକ ଲୋକକଥା ଓ ଲୋକଗୀତ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛି । ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ମାନଙ୍କ ମଧ୍ୟେ ଅନ୍ଯତମ । ଏହା ମୁଖ୍ୟତଃ ଓଡ଼ିଶାର ଅଧିବାସୀ ମାନଙ୍କ ଦ୍ବାରା ବ୍ଯବହୃତ ।ଭାରତର ପୂର୍ବଭାଗରେ ଓଡ଼ିଶା ଅଛି । ହେଲେ ତା' ବାଦେ ଓଡ଼ିଶାକୁ ବେଢ଼ି ରହିଥିବା ଆନ୍ଧ୍ରପ୍ରଦେଶ,ଛତିଶଗଡ, ଝାଡ଼ଖଣ୍ଡ  ଓ ପଶ୍ଚିମବଙ୍ଗ -ଏ ଚାରୋଟି ସୀମାନ୍ତ ରାଜ୍ଯର ଭାଷାରେ ବି ଓଡ଼ିଆ ଭାଷାଭାଷୀ ଲୋକେ ଓଡ଼ିଆରେ କଥା କହନ୍ତି ଓ ଏସବୁ ଭାଷାରେ ଓଡ଼ିଆରେ ପ୍ରଭାବ ଦେଖିବାକୁ ମିଳେ । ଏହା ବ୍ଯତିତ ଭାରତର ଅନ୍ଯାନ୍ଯ ରାଜ୍ଯ ମାନଙ୍କରେ  ଏବଂ ବିଦେଶରେ ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା,କାନାଡ଼ା,ଅଷ୍ଟ୍ରେଲିଆ ଏବଂ ଇଉରୋପ ଆଦି ପାଶ୍ଚାତ୍ଯ ଦେଶ ମାନଙ୍କରେ ବି ବେଶ୍‌ କିଛି ଓଡ଼ିଆ ଅଧିବାସୀ ଓଡ଼ିଆକୁ ବିଦେଶରେ ଖ୍ଯାତ କରାଇଛନ୍ତି । ଓଡ଼ିଆ ଭାଷା ଖ୍ରୀଷ୍ଟାବ୍ଦ ୧୨୦୦ରୁ ଏହାର ଆଧୁନିକ ରୂପ ଧାରଣ କରିଛି । ଏହି ସମୟରୁ କୋଇଲି,ଚଉତିଶା ଇତ୍ଯାଦି ପଦ୍ଯର ରଚନା ଆରମ୍ଭ ହୋଇଥିଲା । ଚତୁର୍ଦ୍ଦଶ ଶତାଦ୍ଦୀରେ ସାରଳା ଦାସ ଓଡ଼ିଆରେ ରଚନା କରିଥିଲେ ମହାଭାରତ । ଚତୁର୍ଦ୍ଦଶରୁ ଷୋଡ଼ଶ ଶତାଦ୍ଦୀ ପର୍ଯ୍ଯନ୍ତ କବିମାନେ ସଂସ୍କୃତରୁ ବିଭିନ୍ନ ପୁରାଣର ଓଡ଼ିଆ ଅନୁବାଦ କରିଥିଲେ । ସପ୍ତଦଶ ଶତାଦ୍ଦୀରୁ ଉନବିଂଶ ଶତାଦ୍ଦୀ ଯାଏଁ ଓଡ଼ିଶାର କବିବୃନ୍ଦ ବିଭିନ୍ନ ଛନ୍ଦ,ରାଗ,ତାଳରେ ଭିନ୍ନ ଭିନ୍ନ କାବ୍ଯ-କବିତା,ଭଜନ-ଜଣାଣ, ଛାନ୍ଦ- ଚଉପଦୀ ଆଦି ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିଲେ । ଏହି ସମୟରେ ଓଡ଼ିଆ ଭାଷା ଉନ୍ନତିର ଚରମ ସୀମାରେ ପହଞ୍ଚି ଥିଲା । ଉନବିଂଶ ଶତାଦ୍ଦୀ ପରଠାରୁ ଓଡ଼ିଆ ଭାଷାର କ୍ରମନ୍ବୟ ପ୍ରଗତି ଘଟିଥିଲେ ବି ଏହା ଭାରତର ଅନ୍ଯାନ୍ଯ ଆଞ୍ଚଳିକ ଭାଷାର ପ୍ରଗତି  ତୁଳନାରେ ଗୌଣ ।

          ଭାରତର ସବୁଠୁ ପୁରୁଣା ଭାଷା ପାଳିରୁ ଓଡ଼ିଆର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ ବୁଦ୍ଧଙ୍କ ଜନ୍ମ,ଧର୍ମପ୍ରଚାର ଓ ବୌଦ୍ଧ ଧର୍ମର ବିକାଶ କାଳରେ ପାଳି ଭାଷା ହିଁ ଥିଲା ଓଡ଼ିଆ ଭାଷା ତିଆରିର ମୂଳଦୁଆ ଯାହାକି ଆଧୁନିକ ଓଡ଼ିଆ ଭାଷାର ମୂଳଦୁଆ । ଓଡ଼ିଶା ଓ ଏହାର ସୀମାନ୍ତ ରାଜ୍ଯ ମାନଙ୍କରେ ନାନା ଅଞ୍ଚଳରୁ ସଂଗୃହୀତ ତାମ୍ର ଫଳକ ଓ ପଥର ଖୋଦିତ ଲେଖା ମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାଦ୍ଦୀ ମଧ୍ୟେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ପଷ୍ଟ ପ୍ରମାଣ ମିଳେ । ଏହା ବ୍ଯତୀତ ନେପାଳରୁ ସଂଗୃହୀତ ବୌଦ୍ଧଧର୍ମୀ ଚର୍ଯାପଦ ମାନଙ୍କ ପଦ୍ଯ ରଚନା ସବୁ ମଧ୍ୟରୁ ଏ ସମୟରେ ଓଡ଼ିଆ ଭାଷାର ଆଦ୍ୟାବସ୍ଥାର ପରିଚୟ ମିଳିଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାଦ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା । ସେବେଳେ ଆର୍ଯ୍ୟ ମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହୋଇ ଶବ୍ଦ ଗଢ଼ଣରେ ବଦଳ ଆସିଲା । ଏ ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି ।ସେତେବେଳର ଓଡ଼ିଶା ବା କଳିଙ୍ଗ ଭୂଖଣ୍ଡ ଭିତରେ ଆଜିର ଓଡ଼ିଶା, ବଙ୍ଗଳା,ବିହାର ଓ ଆସାମ ଆଦି ଥିବାରୁ ଓଡ଼ିଆ ଏସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁଭାବେ ପ୍ରଭାବିତ କରିଥିଲା । ଏକାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥା'ନ୍ତି । ଏଥିରେ ଲିଖିତ କେତେକ ଗୀତି କବିତା ମିଳିଛି ଯାହାକୁ ଚର୍ଯାଗୀତି ବା ଚର୍ଯ୍ଯଗୀତିକା କହନ୍ତି ।ବୌଦ୍ଧ ସିଦ୍ଧ କବି ମାନଙ୍କ ଦ୍ବାରା ଏସବୁ ରଚିତ ; ଏଗୁଡିକ ଆକାରରେ ଖୁବ୍‌ ଛୋଟ  । କାହ୍ନୁ ପା, ଲୁଇ ପା, ସବରି ପା,ହାଡୁ ପା,କୁକୁରି ପା ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା ; ନିତାନ୍ତ ସରଳ ଓ ମୌଳିକ ଭାଷାର ପ୍ରୟୋଗ ଯାହାକୁ ଭଲ ଭାବେ ବୋଲାଯାଇପାରେ । ଏ କବିତା ଗୁଡ଼ିକରେ ସୁନା, ବେଙ୍ଗ, ଶବର-ଶବରୁଣୀ, କପା ବୁଣିବା, ଜହ୍ନାକ୍ଷେତ ଆଦିର ରୂପକ ବା ପ୍ରତୀକ ଛବି ରହିଛି । ଏହି ଚର୍ଯାଗୀତି ସବୁ ଓଡ଼ିଆ,ବଙ୍ଗଳା,ଅସିମିଆ ଓ ମୈଥିଳି ସାହିତ୍ୟର ଆଦି ରୂପ ବୋଲି କୁହାଯାଏ । ଏ ଯୁଗର ନାମ ସିଦ୍ଧ ସାହିତ୍ୟର ଯୁଗ ବା ଚର୍ଯାଗୀତିର ଯୁଗ ।

          ୧୨ଶ ଓ ୧୩ଶ ଶତାଦ୍ଦୀ ବେଳକୁ ଓଡ଼ିଆ ସାହିତ୍ୟରେ ଏହି ସିଦ୍ଧ ସାହିତ୍ୟର କିଛି ବିକାଶ ହୋଇଥିଲା । ପୁରାତନ ଓଡ଼ିଆ ଭାଷା ଓ ସାହିତ୍ଯରେ ଅନେକ ଚଉତିଶା ରଚା ଯାଇଥଲା ; ଏଯାବତ୍ ଏହାର ସମ୍ଭାର କଳନା କରାଯାଇ ପାରିନାହିଁ । ଏଥିରୁ ଓଡ଼ିଆ ଗୀତି ସାହିତ୍ୟ ଓ ଛନ୍ଦ ସାହିତ୍ଯର ଉଦ୍ଭବ । ଚଉତିଶା ରଚନା ଏକ ଆଳଙ୍କରିକ ରଚନା । 'କ'ରୁ 'କ୍ଷ' ଯାଏଁ ୩୪ଟି ବ୍ଯଞ୍ଜନ ବର୍ଣ୍ଣର ଆଦିକ୍ରମରେ ରଚିତ କବିତା ଚଉତିଶା ବୋଲାଏ । 

         କେହି କେହି ଓଡ଼ିଆ କବି ଓଲଟ ଚଉତିଶା ବି ରଚନା ଡ଼ରିଥିବାର ଦେଖାଯାଏ । ଏହା 'କ୍ଷ'ରୁ ଆରମ୍ଭ ହୋଇ 'କ'ରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏପରି କିଛି ଚଉତିଶା ରଚନା କରିଥିଲେ ଏବଂ ପ୍ରାଚୀ ସମିତି ପ୍ରକାଶିତ ଚଉତିଶା ମଧୁଚକ୍ରରେ ଏପରି କେତୋଟି ରଚନା ଦେଖାଯାଏ ।ବହୁ ଚଉତିଶା ଏଯାଏଁ ପ୍ରକାଶ ଲାଭ କରି ନ ଥିବାରୁ ଏସବୁ କାଳ ନିରୁପଣ କରାଯାଇ ପାରିନି । ପୁରାତନ ଓଡ଼ିଆ ସାହିତ୍ୟରେ ଲୋକପ୍ରିୟତା ହାସଲ କରିଥିବା ଚଉତିଶା ମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ  । ପ୍ରାଚୀ ଓଡ଼ିଆ କାବ୍ଯ ମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଛି । ଯେପରି ଆଷାଢ ଶୁକ୍ଳ,ମୁନିବାର ବାଣୀ ଇତ୍ଯାଦି, କିନ୍ତୁ ଏସବୁ ରଚନା ଏଯାବତ ମିଳିନାହିଁ । ଏ ଚଉତିଶା ମାନଙ୍କ ସଂଖ୍ୟା ୧୦୦୦ ରୁ ଉର୍ଦ୍ଧ୍ବ ହେବ । ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । କୋଇଲି ଚଉତିଶା,କାଦମ୍ବିନୀ ଚଉତିଶା,ଚିଟାଉ ଚଉତିଶା(ଉପେନ୍ଦ୍ର ଭଞ୍ଜ)ଆଦି ପ୍ରଧାନ । ଓଡ଼ିଆରେ ବହୁ ପୁରୁଣା ଜଣାଣ ଅଛି ଯାହା ଆଧାରରେ ଏବେ କବିଗଣ ଜଣାଣ ରଚନ୍ତି । ଏ ଜଣାଣ ମଧ୍ୟେ ଜଗବନ୍ଧୁ ଜଣାଣ(ସାଧୁ),ରାମଚନ୍ଦ୍ର ଜଣାଣ(ଭୋବନି),ସର୍ପ ଜଣାଣ(କବିସୂର୍ଯ୍ୟ ବଳଦେବ ରଥ) ଓ ଆର୍ତ୍ତତ୍ରାଣ ଚଉତିଶା(ଭକ୍ତକବି ଦୀନକୃଷ୍ଣ) ଆଦି ପ୍ରମୂଖ । ଉଲ୍ଲେଖଯୋଗ୍ୟ ଯେ ଜଣାଣ ଓ ଚଉତିଶା ଉଭୟରେ ଯଥେଷ୍ଟ ପାର୍ଥକ୍ଯ ଅଛି । 

            ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳେ । ଏଥିରେ ସମ୍ଭୋଗ ଓ ବିପ୍ରଲମ୍ବ ଶୃଙ୍ଗାର ବର୍ଣ୍ଣିତ । କାବ୍ୟ ଯୁଗରେ ଏପରି ଚଉତିଶା ଲିଖିତ । ରାଧାକୃଷ୍ଣ ମିଳନ ଚଉତିଶା(ସୁଦର୍ଶନ ପଟ୍ଟନାୟକ), ରାଧା ବିରହ ଚଉତିଶା(କେଶବ), ଶୀତ ବିଚ୍ଛେଦ ଚଉତିଶା(ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା(ଗୋପୀନାଥ), କୃଷ୍ଣ ବିରହ ଚଉତିଶା(ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କ କୃଷ୍ଣ ବିରହ ଚଉତିଶା ଏ ଶ୍ରେଣୀର । ଏ ପୌରାଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣା ବର୍ଣ୍ଣିତ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ଯାମଙ୍କର କୁସୁମିତ ଭୂତ କୁଞ୍ଜ ଚଉତିଶା,ନରସିଂହ ସେଣଙ୍କର କୁସୁମ ସମୟ କାଳେ(ଇନ୍ଦୁମତୀ ସ୍ବୟମ୍ବର ବର୍ଣ୍ଣନା), ଦନାଇ ଦାସ(ଜନର୍ଦ୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ବିଜ ଶ୍ରୀଧରଙ୍କର ଗୁଣ୍ଡିଚା ବିଜେ ଚଉତିଶା ଆଦି ପ୍ରଧାନ ।

              ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଆଳଙ୍କରିକ ତଥା କାବ୍ଯତତ୍ତ୍ବ ନାନାଦି ବିଷୟକୁ ନେଇ ଚଉତିଶା ରଚିତ । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀ ମାନଙ୍କର ନାନା ବିଭାଗରେ ସ୍ବାଧୀନ ଭର୍ତ୍ତୃକା,ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକା ମାନଙ୍କ କଥା ବଖଣା ଯାଇଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏ ଶ୍ରେଣୀର । ଶ୍ଳୋକ ବା ବିଳାପମୂଳକ ଚଉତିଶାର କିନ୍ତୁ ଅନେକ ସଂଖ୍ୟା । ଏସବୁ କରୁଣ ରସ ପ୍ରଧାନ ଓ ଓଡ଼ିଶାର ଗାଉଁଲି ଜୀବନ ଓ ସାହିତ୍ଯରେ ପ୍ରଧାନ ସ୍ଥାନ ଅଧିକାର କରିଛି । କବି ରଘୁନାଥଙ୍କର କୌଶଲ୍ୟା ବିଳାପ ଚଉତିଶା,ହଋତଙ୍କର କାନ୍ଦି କହେ ନନ୍ଦରାଣୀ ଓ ମୁକୁନ୍ଦ ରଚିତ କରେ କୋଦଣ୍ଡ ଚଉତିଶା ଏ ଶ୍ରେଣୀର ରଚନା । ଓଡ଼ିଶାରେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶାର ରଚନା ଅଛି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେଶରୀର ଭେଦ ବା ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଗୁଡ଼ିକ ଭଜନ ମାଧ୍ଯମରେ ଗୀତ ଓ ଆଲୋଚିତ ହୋଇଥାଏ । ଏସବୁ ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ବରିକ ଦାସଙ୍କ କାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, ଜଗନ୍ନାଥ ଦାସଙ୍କ କମଳ କେଶର ଚଉତିଶା,ହଋଦାସଙ୍କ ଗୋପୀଜ୍ଞାନ ଚଉତିଶା,ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା,ପର୍ଶୁରାମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏ ଶ୍ରେଣୀର । ନଶ୍ୱରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ-ବଡ଼ କବିତା ରଚିତ ହୋଇଥିଲା । ଏ ପ୍ରକାର ଚଉତିଶା ଭିତରୁ ଭକ୍ତ ଚରଣ ଦାସଙ୍କ ମନବୋଧ ଚଉତିଶା ପ୍ରଧାନ  । ଏସବୁକୁ ଛାଡ଼ି ଆହୁରି ଅନେକ ବିଷୟରେ ଚଉତିଶା ରଚିତ । ପୁରାତନ ଓଡ଼ିଆ ଗଣିତ ଶାସ୍ତ୍ରରେ ଅନେକ ଗଣିତ ସୂତ୍ର,ଜ୍ଯୋତିଷ ଶାସ୍ତ୍ରରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା,କାମଶାସ୍ତ୍ର, ବୈଦ ଶାସ୍ତ୍ରରେ ଅନେକ ବିଷୟ ଚଉତିଶା ଭାବେ ଲିଖିତ । ଏହା ଛଡା ଶାଶୁବୋହୂ ଛଟା,ଉପଦେଶ ମୂଳକ ଅନେକ ଚଉତିଶା ରଚିତ । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ ।ଏହା ଏକ ବିଶାଳ ଗୀତି ସାହିତ୍ୟ  । ଚଉତିଶାର ସମକକ୍ଷ ସାହିତ୍ୟ-"ଚଉପଦୀ" ।

        ଚଉତିଶା 'କ'ରୁ 'କ୍ଷ' ଯାଏଁ ବ୍ଯଞ୍ଜନ ବର୍ଣ୍ଣରେ ରଚିତ  । ଏହାର ଗୋଟିଏ ପଦ ବା ଗୋଟିଏ ପାଦରେ ଆଦି ବର୍ଣ୍ଣ ଗୋଟିଏ କ୍ରମରେ 'କ'ରୁ 'କ୍ଷ' ଯାଏଁ ବର୍ଣ୍ଣମାଳାରେ ଆବଦ୍ଧ । ସେହିପରି 'ଙ' ଓ 'ଣ' ବଦଳରେ 'ନ', 'ଛ' ବଦଳରେ 'କ୍ଷ','ଖ', 'ଞ' ବଦଳରେ 'ଛ' ବ୍ଯବହୃତ ହୋଇଥାଏ । ପୁରାତନ ଓଡ଼ିଆ ଚଉତିଶାରେ 'ଜ','ଯ', ପୁଣି 'ସ','ଶ','ଷ' ବ୍ଯବହାରରେ କିଛି ନିର୍ଦ୍ଧିଷ୍ଠତା ନଥାଏ । କବିମାନେ ନିଜ ମନ ମୁତାବକ ତିନୋଟି 'ସ' ଓ ଦୁଇଟି 'ଜ'ର ବ୍ଯବହାର କରିଥା'ନ୍ତି ।

      ୧୫ଶ ଶତାଦ୍ଦୀରେ ଜଗତସିଂହପୁରର ଝଙ୍କଡ  ଠାରେ ସାରଳା ଦାସଙ୍କ ଜନ୍ମ । ତାଙ୍କ ମୂଳ ନାମ ସିଦ୍ଧେଶ୍ୱର ପରିଡ଼ା ଥିଲା ଓ ସେ ଥିଲେ ଚଣ୍ଡୀ ଭକ୍ତ ; ତାଙ୍କରି କୃପାରୁ ସେ ସାହିତ୍ୟ ସର୍ଜନା କରିବାର କ୍ଷମତା ଲଭିଥିଲେ ବୋଲି ଜନ ବିଶ୍ବାସ । ସେ ତାଳପତ୍ର ପୋଥିରେ ଅଠର ଖଣ୍ତ ମହାଭାରତର ରଚୟିତା ; ଏ ମହାଭାରତଟି ଦାଣ୍ଡି ବୃତ୍ତରେ ଲେଖା । ଏଥିରେ କେବଳ ପୁରାଣ ବଖାଣ ନାହିଁ,ବରଂ ଓଡ଼ିଶାର ଇତିହାସ ଓ ଭୂଗୋଳ,ଲୋକକଥା,ସାଧାରଣ ଜନଜୀବନର ଛବି ଅଛି । ତାଙ୍କ ରଚିତ ବିଲଙ୍କା ରାମାୟଣ , ଚଣ୍ଡୀ ପୁରାଣ ଓ ରାମାୟଣ ଗ୍ରନ୍ଥ ଏ ଯୁଗର କିଛି କାଳଜୟୀ ସୃଷ୍ଟି ସମ୍ପଦ । ଓଡ଼ିଆ ଗଦ୍ୟ ରଚନାରେ ନାରାୟଣାନନ୍ଦ ଅବଧୂତ ସ୍ବାମୀଙ୍କ ରଚିତ "ରୁଦ୍ର ସୁଧାନିଧି" ଗୋଟିଏ ଅମୂଲ୍ୟ ଗ୍ରନ୍ଥ ; ଖୁବ୍‌ ଛୋଟ ଛୋଟ ବାକ୍ଯରେ ରଚିତ ଏହା । ଏହାର ଗଦ୍ୟ ରଚନା ଭଙ୍ଗୀରେ ପଦ୍ଯ ମାଧୁରୀ ଦେଖିବାକୁ ମିଳେ । ବତ୍ସା ଦାସଙ୍କର "କଳସା ଚଉତିଶା" ଓ ମାର୍କଣ୍ଡ ଦାସଙ୍କ "କେଶବ କୋଇଲି" ଓଡ଼ିଆ ସାହିତ୍ୟର ଦୁଇଟି ପ୍ରାଚୀନ ରଚନା । ଚଉତିଶା ଓ କୋଇଲି ରଚନାରେ ସମୃଦ୍ଧଶାଳୀ ହୋଇପାରିଛି ଆମ ଓଡ଼ିଆ ସାହିତ୍ୟ । ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ,ବଳରାମଙ୍କ ଜଗମୋହନ ରାମାୟଣ, ଅଚ୍ଯୁତାନନ୍ଦଙ୍କ ହରିବଂଶ ଓ ମାଳିକା ପଞ୍ଚସଖା ଯୁଗର ଅମୂଲ୍ୟ ରଚନା । ପଞ୍ଚସଖାଙ୍କ ପରେ ଖଡ଼ିଆଳର ଚୈତନ୍ୟ ଦାସଙ୍କ ରଚନା ମଧ୍ୟ ଓଡ଼ିଆ ସାହିତ୍ୟରେ ଉନ୍ନତି ଆଣିଛି । ଏକାଳରେ ଓଡ଼ିଆ ଭାଷାରେ ପ୍ରଥମ ଜୀବନୀ ଲେଖକ ଦିବାକର ଦାସଙ୍କ ଦେଇ ଲେଖାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ସାଲବେଗଙ୍କ ଭକ୍ତି ରଚନା ବି ଅଗ୍ରଗଣ୍ୟ । ୧୬ଶ-୧୭ଶ ଶତାଦ୍ଦୀ ବେଳକୁ ଅନେକ କିଛି ପଦ୍ଯ ରଚନା କରାଯାଇଥିଲା । ସୋମନାଥ ବ୍ରତକଥା, ମାଦଳା ପାଞ୍ଜି ଏ ସମୟର ଲେଖା ବୋଲି ଅନୁମାନ ଲଗାଯାଏ ।

ପଞ୍ଚସଖାଙ୍କ ଯୁଗ ଥିଲା ପୁରାଣ ଓ ଭକ୍ତି ଯୁଗ ; ତା'ପରେ ଆସିଲା କାବ୍ଯ ଯୁଗ, ଯହିଁରେ ଆଳଙ୍କରିକତାର ବିଶେଷ ପ୍ରଭାବ ଦେଖାଯାଏ । ଅର୍ଜୁନ ଦାସ,ଦେବ ଦୁର୍ଲ୍ଲଭ ଦାସ,ନରସିଂହ ସେଣ, ପାର୍ଥ ଶ୍ରୀଚନ୍ଦନ ପ୍ରତାପରାୟ,ବିଷ୍ଣୁ ଦାସ, ଧନଞ୍ଜୟ , ରଘୁନାଥ ହରିଚନ୍ଦନ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର , ବ୍ରଜନାଥ ବଡ଼ଜେନା,ଯଦୁମଣି ପ୍ରମୁଖ ଏ ଯୁଗର କବି । ଉପେନ୍ଦ୍ର ଭଞ୍ଜଙ୍କ "ବୈଦେହୀଶ ବିଳାସ", "ଲାବଣ୍ୟବତୀ", "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ଏ ଯୁଗର କିଛି ଉତ୍କୃଷ୍ଟ ରଚନା । ଦୀନକୃଷ୍ଣଙ୍କ "ରସ କଲ୍ଲୋଳ" ଓ "ରସ ବିନୋଦ" ଏବଂ ଅଭିମନ୍ୟୁଙ୍କ "ବିଦଗ୍ଧ ଚିନ୍ତାମଣି" ଏ ଯୁଗର ଆଉ କିଛି କାଳଜୟୀ ରଚନା  । ଏ ଯୁଗର କବି ମାନଙ୍କ ରଚନା ସଙ୍ଗୀତିକତା ଦୃଷ୍ଟିରୁ ବେଶ ଜନପ୍ରିୟ ଥିଲା । ଏ ଯୁଗର ଶେଷ ଆଡ଼କୁ କବି ବ୍ରଜନାଥ ବଡ଼ଜେନା "ସମର ତରଙ୍ଗ", "ଅମ୍ବିକା ବିଳାସ" କାବ୍ଯ  ଓ କବିସୂର୍ଯ୍ୟ ବଳଦେବ ରଥ "କିଶୋର ଚନ୍ଦ୍ରାନନ ଚମ୍ପୂ" ଓ "ଚନ୍ଦ୍ରକଳା" କାବ୍ଯ ରଚନା କରିଥିଲେ । ବ୍ରଜନାଥ ବଡ଼ଜେନାଙ୍କ "ଚତୁର ବିନୋଦ" ସୁନ୍ଦର ତୃପ୍ତି । ବନମାଳୀ ଦାସ, ଗୋପାଳକୃଷ୍ଣ ପଟ୍ଟନାୟକ, ଗୌର ଚରଣ ଗୀତିକାରମାନେ କାଳଜୟୀ ରଚନାରେ ଏ ଯୁଗକୁ ସମୃଦ୍ଧ କରିଛନ୍ତି  । ଭୀମ ଭୋଇଙ୍କ ରଚନାରେ ଭକ୍ତି ଓ ବିଶ୍ବମାନବବାଦ ଦୃଶ୍ଯମାନ । ପାଶ୍ଚାତ୍ୟ ସିକ୍ଷା ଓ ସ୍ବ୍ଯତାର ସମ୍ପର୍କରୁ ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅଭ୍ଯୁଦୟ ଘଟିଥିଲା । ଖ୍ରୀ. ୧୮୦୩ରେ ଓଡ଼ିଶା ଇଂରେଜଙ୍କ ଅଧୀନକୁ ଓ ଏ ସମୟରୁ ଧିରେ ଧିରେ ଇଂରେଜମାନେ ତାଙ୍କ ଧର୍ମ, ଭାଷା, ସ୍ବ୍ଯତା, ଶିକ୍ଷା,ଦିକ୍ଷା ଓ ଆଚାର-ବ୍ଯବହାରମାନ ଏ ଦେଶରେ ପ୍ରବର୍ତ୍ତନ କରିବାକୁ ଲାଗିଲେ । ଫଳତଃ କାଳକ୍ରମେ ଏ ଦେଶ ବାସିନ୍ଦାଙ୍କ ରୁଚି ପରିବର୍ତ୍ତିତ ଓ ସେମାନେ ପ୍ରାଚୀନ ସାହିତ୍ୟର ଗତାନୁଗତିକତାକୁ ପରିହାର କରି ଆଧୁନିକତାକୁ ବରଣ କଲେ । ଅତଏବ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସୃଷ୍ଟି ପ୍ରାଚ୍ୟ -ପାଶ୍ଚାତ୍ଯ ସଂଙ୍ଘର୍ଷରୁ ଘଟିଛି ବୋଲି କହନ୍ତି ।

      ଓଡ଼ିଶାରେ ଏ ସଂଙ୍ଘର୍ଷର ସୂତ୍ରପାତ "କମ୍ପାନୀ ସରକାର"ଙ୍କ ଅମଳରୁ ହିଁ ଘଟିଥିଲା  ଓ ଏହା ସମୟକ୍ରମେ ଏ ଦେଶର ସମାଜ, ଧର୍ମ-ଧାରଣା, ସଭ୍ୟତା,ସଂସ୍କୃତି ଓ ସର୍ବୋପରି ସାହିତ୍ୟ କ୍ଷେତ୍ରେ ଏକ ଅନୁଭୂତିପୂର୍ବ ପରିବର୍ତ୍ତନ ଆଣିଥିଲା । ଏହି ସଂଙ୍ଘର୍ଷ ଏ ଦେଶର ଖ୍ରୀ. ୧୮୦୩ରୁ ୧୮୭୦ ଯାଏଁ ଲାଗି ରହିଥିଲା । ଏ ସଂଙ୍ଘର୍ଷରେ ସାହିତ୍ୟରେ ପୂର୍ବବର୍ତ୍ତୀ ଧାରା ସେହି ଏକା ଦିନରେ ତିରୋହିତ ହୋଇଯାଇନଥିଲା । ଏ ସଂଙ୍ଘର୍ଷର ଇତିହାସ ଏକ ଦୃଷ୍ଟି ଦୀର୍ଘକାଳବ୍ଯାପୀ କୌତୁହଳ ଉଦ୍ଦୀପକ । ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସୃଷ୍ଟି ପୃଷ୍ଠ ଭାଗେ ଯେଉଁ ସବୁ ସାହିତ୍ଯିକ,ସାଂସ୍କୃତିକ, ସାମାଜିକ,ରାଜନୀତିକ ଘଟଣାବଳୀ ସକ୍ରିୟ ହୋଇଉଠିଥିଲା,ପର୍ଯ୍ଯାୟକ୍ରମେ ସେସବୁ ଘଟଣାବଳୀର ଉପସ୍ଥାପନ ଦ୍ବାରା ଆଧୁନିକ ଯୁଗର ସୃଷ୍ଟି । ଓଡ଼ିଶାରେ ମିସନାରୀ ମାନଙ୍କର କାର୍ଯ୍ୟକଳାପ ଯେତେବେଳେ ସକ୍ରିୟ ହୋଇ ଉଠିଥିଲା,ସେତେବେଳେ ଆଧୁନିକ ଧରଣର ସ୍କୁଲ୍‌ ପ୍ରତିଷ୍ଠା ତାଙ୍କର ଥିଲା ପ୍ରଥମ ଲକ୍ଷ୍ୟ । ତାଙ୍କ ପ୍ରଚେଷ୍ଟାରେ ପ୍ରଥମେ କଟକରେ ଆଧୁନିକ ସ୍କୁଲ୍‌ ଖ୍ରୀ. ୧୮୨୨ରେ ପ୍ରତିଷ୍ଠା ହେଲା । କମ୍ପାନୀ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ୧୮୩୫ରେ ମିସନାରୀ ମାନଙ୍କ ପୁରୀ ଇଂରାଜୀ ସ୍କୁଲ୍‌ ଖ୍ରୀ. ୧୮୪୧ରେ କଟକ ଇଂରାଜୀ ସ୍କୁଲ୍‌ ଓ ଅନ୍ୟ ୮ଟି ସ୍ଥାନରୀ ଇଂରାଜୀ ସ୍କୁଲ୍‌ ସବୁ ପ୍ରତିଷ୍ଠା ହେଲା । ଏ ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା- ଦେଶୀୟ ବିଦ୍ଯାଳୟ ଗୁଡ଼ିକରେ ଏ ଦେଶର ଛାତ୍ର ମାନଙ୍କୁ ପାଶ୍ଚାତ୍ଯ ଜ୍ଞାନ-ବିଜ୍ଞାନ ସହିତ ପରିଚିତ କରାଇ ଏ ଦେଶ ଜନସାଧାରଣଙ୍କର ପାରମ୍ପରିକ ରୁଚିବୋଧର ପରିବର୍ତ୍ତନ ଓ ଏ ଦେଶ ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ସୂତ୍ରପାତ କରିବା । ମିସନାରୀମାନେ ଖ୍ରୀ. ୧୮୨୨ରେ ଓଡ଼ିଶାରେ ପ୍ରଥମ ଇଂରାଜୀ ୪ଟି ସ୍କୁଲ୍‌ ପ୍ରତିଷ୍ଠା କରିଥିଲେ ବି ଅର୍ଥାଭାବ ହେତୁ ତାକୁ ବେଶିଦିନ ଚଳାଇ ପାରି ନ ଥିଲେ । ତେଣୁ ଖ୍ରୀ. ୧୮୪୧ରେ କମ୍ପାନୀ ସରକାର ଏ ସ୍କୁଲ୍‌ର ପରିଚାଳନା ଭାର ଗ୍ରହଣ କରିଥିଲେ । ଏହି ବିଦ୍ଯାଳୟଟି କାଳକ୍ରମେ ଓଡ଼ିଶାର ପ୍ରଧାନ ଶିକ୍ଷାକେନ୍ଦ୍ର ହୋଇଉଠିଲା ।

              ପ୍ରଥମେ ହାଇସ୍କୁଲ୍‌ ଓ ପରେ ଏଠି ଖ୍ରୀ. ୧୮୬୮ ଏଫ୍‌. ଏ ଶ୍ରେଣୀ ଖୋଲିଥିଲା ।ଏଥିରେ ଖ୍ରୀ.୧୮୭୬ ବି.ଏ ଶ୍ରେଣୀ ଖୋଲିବା ପରେ କଲେଜ ଓ ସ୍କୁଲ୍‌ ପରସ୍ପରଙ୍କ ଠାରୁ ଭିନ୍ନ ହୋଇଗଲେ । ଏ କଲେଜ ହିଁ ବିଶ୍ବବିଦ୍ୟାଳୟ ଶିକ୍ଷାର ଅନ୍ୟତମ ପ୍ରଧାନ କେନ୍ଦ୍ର "ରେଭେନ୍ସା କଲେଜ" । ଖ୍ରୀ. ୧୮୫୩ ବେଳକୁ ପୁରୀ ଓ ବାଲେଶ୍ବରରେ ଉଚ୍ଚ ଇଂରାଜୀ ବିଦ୍ଯାଳୟ ପ୍ରତିଷ୍ଠା ହେଲା । ସେବେଳେ ଓଡିଶାର ପୁରୀ,ଖୋର୍ଦ୍ଧା, ବାଲେଶ୍ବର,ରେମୁଣା,ଭଦ୍ରକ,କେନ୍ଦ୍ରାପଡା, ମାହାଙ୍ଗା,ହରିହରପୁର ଆଦି ସ୍ଥାନରେ ୮ଟି ଭର୍ଣ୍ଣାକୁଲାର ସ୍କୁଲ୍‌ ପ୍ରତିଷ୍ଠା କରାଗଲା । ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ଖ୍ରୀ.୧୮୫୦ରୁ ୧୮୬୦ ମଧ୍ୟେ ଖ୍ରୀଷ୍ଟିଆନ ଓ ପାଦ୍ରୀ ଏବଂ କମ୍ପାନୀ ସରକାରଙ୍କର ପରିଚାଳନାରେ ପ୍ରାୟ ୨୦ଟି ପର୍ଯ୍ଯନ୍‌ ଭର୍ଣ୍ଣାକୁଲାର ସ୍କୁଲ୍‌ ପ୍ରତିଷ୍ଠା ହେଲା  । ସମୟକ୍ରମେ ସରକାରୀ ଓ ବେସରକାରୀ ସ୍କୁଲ୍‌ ସଂଖ୍ୟା ଖ୍ରୀ.୧୮୭୦ ବେଳକୁ ପ୍ରାୟ ୧୦୦ ପାଖାପାଖି ହୋଇଯାଇଥିଲା । ଏଥିରୁ ମାତ୍ର ୧୪ଟି ଇଂରାଜୀ ବିଦ୍ଯାଳୟ ଏବଂ ବାକି ସବୁ ଭର୍ଣ୍ଣାକୁଲାର ସ୍କୁଲ୍‌ ।

       ଆଚାର୍ଯ୍ୟ ହରିହର,ପଣ୍ଡିତ କୃପାସିନ୍ଧୁ  ପ୍ରମୁଖ ସତ୍ଯବାଦୀ ଗୋଷ୍ଠୀର ରଚନାରେ ଆମ ଦେଶର ଚଳଣି ଜାତୀୟତାବାଦର ସ୍ବର ଦେଖିବାକୁ ମିଳେ । ଏହି କାଳରେ ଇତିହାସ,ସମାଲୋଚନା ସାହିତ୍ୟର ସାହିତ୍ୟ ଲେଖାଗଲା । ଗୋଦାବରୀଶ ମହାପାତ୍ର,କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପଦ୍ମ ଚରଣ ପଟ୍ଟନାୟକ ଆଦି ସ୍ରଷ୍ଟାଗଣ ଏ କାଳର ଅଟନ୍ତି । ଗୋଦାବରୀଶଙ୍କ "ନିଆଁଖୁଣ୍ଟା" ପତ୍ରିକା ଓଡ଼ିଶାରେ ବେଶ୍‌ ପଠନଯୋଗୀ ଓ ଜନପ୍ରିୟ ହୋଇପାରିଥିଲା । ସେକାଳର ସରକାରଙ୍କ ଦୋଷତ୍ରୁଟି ସବୁକୁ ପଦାରେ ପକାଇଦେବାରେ ଓ ଇଂରେଜ ସରକାର ବିରୋଧରେ ଜାତୀୟତାବାଦର ଉନ୍ମେଷ ପାଇଁ ଏ ସମୟର ରଚନା ସବୁ ବାଟ କଢ଼ାଇ ଥିଲା । ପଣ୍ଡିତ ଗୋପବନ୍ଧୁ ଦୀସ,ନୀଳକଣ୍ଠ ଦାସ ଏ ଯୁଗର ଅନ୍ୟତମ ବିଶିଷ୍ଟ ଲେଖକ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପ୍ରତିଷ୍ଠିତ "ସମାଜ" ଖବରକାଗଜ ଓଡ଼ିଶାର ଏକ ପ୍ରମୁଖ ଖବରକାଗଜ ଭାବରେ ସୁପ୍ରତିଷ୍ଠିତ । ୧୯୨୧ରୁ ୧୯୩୫ ମଧ୍ୟେ ଓଡ଼ିଆ ସାହିତ୍ୟରେ ଏକ ନବ ଧାରାର ସନ୍ଧାନ ମିଳିଥିଲା । ଏ କାଳେ ଅନ୍ନଦା ଶଙ୍କର ରାୟ,ବୈକୁଣ୍ଠନାଥ ପଟ୍ଟନାୟକ,କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରମୁଖ ସବୁଜ ଗୋଷ୍ଠୀର କବି କୃତବିଦ୍ୟମାନେ ଯେଉଁ କବିତା ସାହିତ୍ୟ ରଚନା କରିଯାଇଥିଲେ ତାହା ସବୁଜ ଧାରା ନାମରେ ନାମିତ ।କାଳିନ୍ଦୀ ଚରଣଙ୍କ "ମାଟିର ମଣିଷ" ଏକ ଅମଳିନ କୃତି । ଏ ସମୟେ ୯ ଜଣ ଲେଖକଙ୍କ ଦେଇ ଲେଖା "ବାସନ୍ତୀ ଉପନ୍ୟାସ" ଏକ ସାହିତ୍ୟରେ ଏକ ନୂତନ ପରୀକ୍ଷା । କୁନ୍ତଳା କୁମାରୀ ସାବତ, ମାୟାଧର ମାନସିଂହ, ସଚି ରାଉତରାୟ ଏହି ସମୟର ସମକାଳୀନ କବି ଓ ଲେଖକ । ମାୟାଧର ମାନସିଂହ ଜଣେ ଶିକ୍ଷାବିତ, କବି ଓ ସମାଲୋଚ ଭାବରେ ଅନେକ ଖ୍ଯାତି ଅର୍ଜନ କରିଯାଇଛନ୍ତି । 

             ମାୟାଧର ମାନସିଂହଙ୍କ ରଚିତ "ଓଡ଼ିଆ ସାହିତ୍ୟର ଇତିହାସ" ଏକ ଗବେଷଣାତ୍ମକ ନିବନ୍ଧ । ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ସଚି ରାଉତରାୟ ସାହିତ୍ୟରେ ମୁକ୍ତଛନ୍ଦ ପ୍ରୟୋଗ କରି ଆଧୁନିକ କବିତାରେ ଏକ ନୂଆ ଯୁଗ ସୃଷ୍ଟି କରିଯାଇଛନ୍ତି । ତାଙ୍କର "ବାଜି ରାଉତ" କବିତା ପାଇଁ ସେ ବିଶ୍ବ ବିଦିତ । ଏ ସମୟର ଆଉ ଦୁଇଜଣ ଗାଥା କବି ହେଲେ ରାଧାମୋହନ ଗଡ଼ନାୟକ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ  । ଓଡ଼ିଆ ଭାଷାରେ ଫକୀର ମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ବୋଲି ଧରାଯାଇଥାଏ । ତାଙ୍କ ରଚିତ "ରେବତୀ" ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପର ମାନ୍ୟତା ଲାଭ କରିଛି  । ଫକୀର ମୋହନ ସେନାପତିଙ୍କ ପରି ସରଳ ଓ ବୋଧ୍ଯ ଭାଷାରେ ତାଙ୍କ ରଚିତ "ନନାଙ୍କ ବସ୍ତାନି", "ଭାଗବତ ଟୁଙ୍ଗିରେ ସନ୍ଧ୍ୟା", "ଆମ ଗାଁର ହାଲଚାଲ" ଆଦି କାହାଣୀ ଓ ପ୍ରବନ୍ଧ ପୋଥି ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି । 

    ଉମେଶ ଚନ୍ଦ୍ର ସରକାରଙ୍କ ଲିଖିତ "ପଦ୍ମମାଳୀ" ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ , ୧୮୮୮ ରେ ଯାହା କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ବାରା ପ୍ରକାଶିତ ହୋଇଥିଲା  ।"ପଦ୍ମମାଳୀ" ପ୍ରକାଶ ହେବାର ଦଶ ବର୍ଷ ପୂର୍ବରୁ ରାମଶଙ୍କର ରାୟଙ୍କ ଦ୍ବାରା ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ "ସୌଦାମିନୀ" ୧୮୭୮ରେ "ଉତ୍କଳ ମଧୂପ" ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ ଥର ଛାପିବା ପରେ ୧୮୮୦ରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଯିବାରୁ ଆଉ ସେ ଉପନ୍ୟାସ ପ୍ରକାଶ ପାଇ ନ ଥିଲା ।ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିବାରୁ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳୀରେ ବି ଏହା ସ୍ଥାନ ପାଇ ନଥିଲା । ଓଡ଼ିଆ ସାହିତ୍ୟରେ  ଫକୀର ମୋହନ ସେନାପତିଙ୍କ "ମାମୁଁ", "ଲଚ୍ଛମା", "ଛ'ମାଣ ଆଠଗୁଣ୍ଠ" ଆଦି କାଳଜୟୀ ଉପନ୍ୟାସର ସୃଷ୍ଟି । ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ - "ଦାଦିବୁଢ଼ା" (୧୯୪୪), "ପରଜା" (୧୯୪୫ ), "ଅମୃତର ସନ୍ତାନ" (୧୯୪୭), "ହରିଜନ"(୧୯୪୮) ଅନେକ ଉନ୍ନତମାନର । "ମାଟି ମଟାଳ"(୧୯୬୪) ପାଇଁ ସେ ୧୯୭୩ରେ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ ।ଓଡ଼ିଆ ଉପନ୍ୟାସ ଜଗତ କାହ୍ନୁଚରଣ ମହାନ୍ତି,ସୁରେନ୍ଦ୍ର ମହାନ୍ତି,ପ୍ରତିଭା ରାୟ , ମନୋଜ ଦାସ, ସଚି ରାଉତରାୟ , ରାମଚନ୍ଦ୍ର ବେହେରା, ଶାନ୍ତନୁ ଆଚାର୍ଯ୍ୟ,ବିଭୁତି ପଟ୍ଟନାୟକ ପାଇଁ ବେଶ୍‌ ପ୍ରସିଦ୍ଧିଲାଭ କରିଛି  । କବିତା ପାଇଁ ବିଶେଷ ଅବଦାନ ନିମନ୍ତେ କବି ସୀତାକାନ୍ତ ମହାପାତ୍ରଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଜଗମୋହନ ଲାଲଙ୍କ ରଚିତ "ବାବାଜୀ" (୧୮୭୭)ଥିଲା ପ୍ରଥମ ଓଡ଼ିଆ ନାଟକ । ଓଡ଼ିଆ ସାହିତ୍ୟକୁ କାଳୀଚରଣ ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର ,ପ୍ରାଣବନ୍ଧୁ କର ,ଗୋପାଳ ଛୋଟରାୟ , ମନୋରଞ୍ଜନ ଦାସ, ବିଶ୍ବଜିତ ଦାସ ଓ ବିଜୟ ମିଶ୍ରଙ୍କ ନାଟକ କ୍ଷେତ୍ରରେ ଅବଦାନ ଅବିସ୍ମରଣୀୟ ।

        ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆରମ୍ଭ ହେବା ପରେ ପରେ ଅନେକ ପ୍ରଥିତଯଶା କଥାକାରଙ୍କ ଉପନ୍ୟାସ ଓ ନାଟକ ଚଳଚ୍ଚିତ୍ରରେ ସ୍ଥାନ ପାଇବା ଆରମ୍ଭ କଲା । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ "ମାଟିର ମଣିଷ" ପରି କାଳଜୟୀ ଉପନ୍ୟାସ ସବୁ ଚଳଚ୍ଚିତ୍ର ପରଦାରେ ସିନେମାର ରୂପ ନେଲା । ବିଭୂତି ପଟ୍ଟନାୟକଙ୍କର "ବଧୂ ନିରୁପମା" ଏ ମଧ୍ଯୁ ଏକ ସଫଳ ରୂପାନ୍ତରିତ ନାଟକ । ବିଶିଷ୍ଟ ନାଟ୍ଯକାର ମନୋରଞ୍ଜନ ଦାସଙ୍କ ଅନେକ ଏକାଙ୍କିକା ଓ ନାଟକ ଚଳଚ୍ଚିତ୍ର ରୂପେ ପ୍ରକାଶିତ । ବିଶିଷ୍ଟ ନାଟ୍ଯକାର ରାମଚନ୍ଦ୍ର ମିଶ୍ରଙ୍କ "ଭାଇ-ଭାଉଜ","ଘରସଂସାର" ମଞ୍ଚ ନାଟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେସ୍‌ ଆଦୃତ ହୋଇଥିଲା । କିଛି ଜଣାଶୁଣା ଚଳଚ୍ଚିତ୍ର ନାଟ୍ଯକାରଙ୍କ ମଧ୍ୟେ ଡ଼ା. ସୁବୋଧ ପଟ୍ଟନାୟକ ଅନ୍ୟତମ । ଉନବିଂଶ ଶତାଦ୍ଦୀରେ ଓଡ଼ିଆ ଭ୍ରମଣ ସାହିତ୍ୟର ଶୁଭାରମ୍ଭ ହୋଇଥିବାର ଲକ୍ଷ୍ଯ କରାଯାଏ । ଗୋବିନ୍ଦ ରଥ ପ୍ରଥମେ ଭ୍ରମଣ ଜନିତ ସ୍ବ-ଅନୁଭୂତିକୁ ଦୁଇଟି ପୁସ୍ତକରେ ଲିପିବଦ୍ଧ କରିଯାଇଛନ୍ତି ; ଦୁଇଟି ଭ୍ରମଣ ସାହିତ୍ୟ ହେଲା "କଟକ ଦର୍ଶନ" ଓ "କଲିକତା ବର୍ଣ୍ଣନ"(୧୮୭୫) । ଫକୀର ମୋହନ ସେନାପତି "ଉତ୍କଳ ଭ୍ରମଣ" କାବ୍ଯରେ ଉତ୍କଳର ବିଭିନ୍ନ ସ୍ଥାନର ବର୍ଣ୍ଣନା କରିଛନ୍ତି । ୧୮୯୬ରେ ଶଶିଭୂଷଣ ରାୟ ଦକ୍ଷିଣ ଭାରତ ଭ୍ରମଣାନୁଭୂତିକୁ ନେଇ "ଦାକ୍ଷିଣାତ୍ୟ ଭ୍ରମଣ" ରଚନା କରିଥିଲେ ।

         ଓଡ଼ିଆ ସାହିତ୍ୟରେ ଆଦି କାଳରୁ ପଦ୍ଯ ଓ ଗଦ୍ୟରେ ହାସ୍ୟରସ ଥିଲେ ବି କେବଳ ହାସ୍ୟରସକୁ ନେଇ ଲେଖା ସାହିତ୍ୟ ବିଶେଷ କରି ଫତୁରାନନ୍ଦଙ୍କ କାଳରେ ବିକାଶଲାଭ କରିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡ଼ିସିନ୍‌" ଭଳି ଗପ ଓ "ମାମୁଁ", "ଲଚ୍ଛମା", "ଛ' ମାଣ ଆଠଗୁଣ୍ଠ" ପରି ଉପନ୍ୟାସରେ ବି ହାସ୍ୟରସର ବହୁଳତା ଦେଖିବାକୁ ମିଳେ । ଗୋଦାବରୀଶଙ୍କ ସମ୍ପାଦିତ "ନିଆଁଖୁଣ୍ଟା" ପତ୍ରିକା ସମଗ୍ର ଓଡ଼ିଶାରେ ରମ୍ଯରଚନା ମାଧ୍ଯମେ ଇଂରେଜ ସରକାରର ଦୋଷ ଦୁର୍ବଳତାକୁ ପଦାରେ ପକାଇବାରେ ସ୍ବାଧିନତା ଆନ୍ଦୋଳନକୁ ମଧ୍ୟ ତେଜିଥିଲା । ଗୋପାଳ ଛୋଟରାୟଙ୍କ ଅନେକ ନାଟକ, ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ରମ୍ଯରଚନା ବ୍ଯଙ୍ଗ ସାହିତ୍ୟରେ ଅନେକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଆଧୁନିକ ଯୁଗର ବ୍ଯଙ୍ଗ ଲେଖକ ଗନ୍ତାୟତ ଶିବ ପ୍ରସାଦ, ରାଧୁ ମିଶ୍ର,ଜ୍ଞାନ ହୋତା,ଶ୍ରୀ ସତ୍ଯାନାଶ,ଡ.କୁଳାଙ୍ଗାର ଆଦି ବ୍ଯଙ୍ଗ ରଚନା ଉଲ୍ଲେଖଯୋଗ୍ୟ  । ଓଡ଼ିଆ ସାହିତ୍ୟରେ ବିଜ୍ଞାନ ଭିତ୍ତିକ ଓ କଳ୍ପିତ କାହାଣୀ,ଗଳ୍ପ, ଉପନ୍ୟାସ ଦେଖିବାକୁ ମିଳେ । ବିଜ୍ଞାନ ଓ କାରିଗରୀ ବିଜ୍ଞାନର ବିଷୟ , ଭବିଷ୍ଯତର ଆଧାରରେ କଳ୍ପନା ପ୍ରସୂତ ଆଦିଭୌତିକ ଘଟଣା, ପୃଥିବୀ ବାହାରେ ଜୀବନ ଓ ଜୀବମାନଙ୍କ ଅଦ୍ଭୂତ କାହାଣୀ ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି  । ଗୋକୁଳାନନ୍ଦ ମହାପାତ୍ର ,ଜଗନ୍ନାଥ ମହାନ୍ତି, ରମେଶ ଚନ୍ଦ୍ର ପରିଡ଼ା, ମାୟାଧର ସ୍ବାଇଁ, ହିମାଂଶୁ ଶେଖର ଫତେସିଂହ, ନିତ୍ଯାନନ୍ଦ ସ୍ବାଇଁ , ଦେବକାନ୍ତ ମିଶ୍ର , ବସନ୍ତ କୁମାର ଦାସ ବିଜ୍ଞାନ ଭିତ୍ତିକ ଲେଖା ପାଇଁ ସଦା ପୂଜନୀୟ । 

     ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ଓଡ଼ିଆ ଭାଷାର ବୃହତ୍ତମ ଅଭିଧାନ । ଓଡ଼ିଆ ବ୍ଯାକରଣ ବହି ଗୁଡ଼ିକ ମଧ୍ୟରେ "ସର୍ବସାର ବ୍ଯାକରଣ" ପ୍ରଧାନ ଅଟେ । ଏଯାଏଁ ବହୁ ବ୍ଯାକରଣ ପୁସ୍ତକ ରଚିତ ହୋଇଥିଲେ ବି ଅଧିକାଂଶ ସଂସ୍କୃତ ବ୍ଯାକରଣ ଛାୟାରେ ଲେଖା ଯାହା ପୂର୍ଣ୍ଣାଙ୍ଗ ଓଡ଼ିଆର ପରିପ୍ରକାଶାର୍ଥେ ଅନୁପଯୁକ୍ତ । ସଂସ୍କୃତର ବହୁ ପୂର୍ବରୁ ଏକ ଭିନ୍ନ ଭୌଗୋଳିକ ଅବସ୍ଥାନରେ ଓଡ଼ିଆ ଭାଷାର ବିକାଶ ଘଟିଥିବାରୁ ପୁରାତନ ଓଡ଼ିଆ ଶବ୍ଦ ବିଭବ, ଭାଷା ସଂଯୋଜନା ତଥା ବ୍ଯାକରଣର ନିୟମାନୁସାରେ ଓଡ଼ିଆ ବ୍ଯାକରଣ ରଚନା ଏଯାଏଁ କରାଯାଇନି ।

ସହିତ ଶବ୍ଦରେ 'ୟ' ପ୍ରତ୍ଯୟ ଯୋଗ କରି ସାହିତ୍ୟ ଶବ୍ଦର ସୃଷ୍ଟି । ବିଜ୍ଞ ମାନଙ୍କ ବ୍ଯାଖ୍ଯାନୁସାରେ ଯାହା ଜୀବାତ୍ମାକୁ ପରମାତ୍ମା ସହ ମିଶାଏ, ସେ ସାହିତ୍ୟ ଅଟେ । ଯୁଗେ ଯୁଗେ ସାହିତ୍ୟ ସୃଷ୍ଟି କରନ୍ତି ସ୍ବଳ୍ପ ସ୍ଥିତଧି ବ୍ଯକ୍ତି ଓ ସେଥିରେ ଆପ୍ଯାୟିତ ହୁଅନ୍ତି ଅସଂଖ୍ୟ ପାଠକ । ଯେପରି ଜଣେ ଭଗୀରଥ ଗଙ୍ଗାଙ୍କୁ ସ୍ବର୍ଗରୁ ଅବତରଣ କରାଇଥିଲେ, ଚେବଳ ଷାଠିଏ ସହସ୍ର ସଗର ସୁତ ନୁହନ୍ତି କୋଟି କୋଟି ବ୍ଯକ୍ତି ସେ ଜଳରେ ଅବଗାହନ ଓ ପାନ କରି ଉପକୃତ ହେଉଛନ୍ତି । ସାହିତ୍ୟ ସୃଷ୍ଟି ସେପରି ଶାଶ୍ୱତ ଓ ସାର୍ବଜନୀନ ହେବା ଆବଶ୍ଯକ ।ମନୀଷୀ ମାନଙ୍କ ମତରେ :- "ସଙ୍ଗୀତସାହିତ୍ୟ-ରସାନଭିଜ୍ଞଃ ସାକ୍ଷାତ୍‌ ପଶୁଃ ପୁଚ୍ଛ ବିଷାଣହୀନଃ ।" ଅର୍ଥାତ୍‌ ସଙ୍ଗୀତ ଓ ସାହିତ୍ଯର ଆହ୍ଲାଦ ଦାୟିନୀ ସ୍ରୋତରେ ଯେ ଆପ୍ଯାୟିତ ହୋଇନି ସେ ପୁଚ୍ଛ ଓ ଶିଙ୍ଗ ନଥିବା ପଶୁ ତୁଲ୍ଯ । ସଙ୍ଗୀତର ସୁମଧୁର ମୁର୍ଛନାରେ ପଶୁମାନେ ପ୍ରତିକ୍ରିୟାଶୀଳ ହେବା ବହୁ ଦୃଷ୍ଟାନ୍ତ ଅଛି , ଯେପରି କୃଷ୍ଣଙ୍କ ବଂଶୀବାଦନ ଶୁଣି ଗାଇଗୋରୁ ତୃଣ ଭକ୍ଷଣ ପରିହାର କରି ସ୍ତମ୍ଭୀଭୂତ ହୋଇ ଶୁଣୁଥିଲେ । ସଙ୍ଗୀତର ମଧୁର ଧ୍ବନୀରେ ଆକୃଷ୍ଟ ହୋଇ ବଣ୍ଯ ପ୍ରାଣୀ ବଶତା ସ୍ବୀକାର କରିବାର କିଛି ଉଦାହରଣ ଅଛି । ସର୍ବୋପରି ପ୍ରଭୁଙ୍କୁ ପାଇବାର ପ୍ରକୃଷ୍ଟ ସାଧନ ସଙ୍ଗୀତ ଓ ସାହିତ୍ଯ ଅଟେ । ଆମ ଭାଷା ଓ ଆମ ସାହିତ୍ୟର ଉନ୍ନତି ପାଇଁ ଯଥାସାଧ୍ୟ ଚେଷ୍ଟା କରିବା ଆମର ପ୍ରଧାନ କର୍ତ୍ତବ୍ୟ  ।

              କେନ୍ଦ୍ର ସରକାର ଆମ ଓଡ଼ିଆ ଭାଷାକୁ ୨୦୧୪ ମସିହା ଫେବୃଆରୀ ୨୦ ତାରିଖ ଦିନ ଶାସ୍ତ୍ରୀୟ ମାନ୍ଯତା ଦେଲେ । ମାର୍ଚ୍ଚ ୧୧ରେ ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଗଲା ;ଏ ମାନ୍ଯତା ପାଇବାରେ ଆମ ଓଡ଼ିଆ ହେଲା ଷଷ୍ଠ ଭାଷା । ୨୦୧୪ ମାର୍ଚ୍ଚ ୧୧ରେ ଶାସ୍ତ୍ରୀୟ ମାନ୍ଯତା ପାଇଁ ରାଜପତ୍ର ବିଜ୍ଞପ୍ତି ଜୀରି ହୋଇଥିବାରୁ ୨୦୧୫ରୁ ଏ ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରିବାକୁ ଓଡ଼ିଶା ସରକୀର ନିଷ୍ପତ୍ତି ନେଲେ । ଓଡ଼ିଶା ବିଧାନସଭାରେ ୧୯୫୪ ମସିହା ଓଡ଼ିଆ ଭାଷାର ସରକାରୀ ସ୍ତରରେ ସବୁ କାମ ଓଡ଼ିଆରେ ହେବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଦ୍ୟମର ଅଭାବ ଓ ଓଡ଼ିଆ ଟାଇପ୍‌ ରାଇଟର୍‌ରେ ଓଡ଼ିଆ ଟାଇପ୍‌ କରିବାର ଅସୁବିଧାଗତ କାରଣରୁ ଏହା ବାସ୍ତବିକ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରି ନ ଥିଲା । ତେବେ ବର୍ତ୍ତମାନ ସରକାରଙ୍କ ଦ୍ବାରା ପୁନରାୟ ତାକୁ କାର୍ଯ୍ୟକାରୀ ସକାଶେ ଦୃଢ଼ ନିଷ୍ପତ୍ତି ନିଆଯାଇ ତାହାକୁ ଲାଗୁ କରାଯାଇଛି । ଏଥିପାଇଁ ରାଜ୍ଯର ଭାଷା ସଚେତନ ନାଗରିକମାନେ ବି ବହୁବାର ଦାବି କରି ଆସିଛନ୍ତି  । ବର୍ତ୍ତମାନ କମ୍ପ୍ଯୁଟର ଯୋଗେ ଓଡ଼ିଆ ଟାଇପ୍‌ ସରଳସାଧ୍ଯ । ଏ ଲାଗି ଯଥେଷ୍ଟ ଓଡ଼ିଆ ଆପ୍ଲିକେସନ ଉପଲବ୍ଧ । ଲିପି,ଆକୃତି ପରି ଓଡ଼ିଆ ଆପ୍ଲିକେସନ ସହ ମାଇକ୍ରୋସଫ୍ଟ ଦ୍ବାରା ଇଣ୍ଡିକ୍‌ ଇନ୍‌ପୁଟ୍‌ ଭାରତୀୟ ଭାଷାରେ ଉପଲବ୍ଧ, ଯଦ୍ଦ୍ବାରା ଓଡ଼ିଆ ଲିପି ଟାଇପ୍‌ ସହଜ ବର୍ତ୍ତମାନ । ଏହା ଭିନ୍ନ ୱେବ୍‌ରେ ଅନେକ ପରିମାଣେ ଓଡ଼ିଆ ଅଭିଧାନ, ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିବା ପାଇଁ ବହୁ ସୁବିଧା ପ୍ରଦାନ କରୁଛି । 

         ଆଜି ଓଡ଼ିଆ ଭାଷା ସଙ୍କଟାପନ୍ନ । ୨୦୧୦ ମସିହା ନଭେମ୍ବର ୯ ତାରିଖରେ ଭାରତ ସରକାର orissaକୁ odisha ଏବଂ oriyaକୁ odiaରେ ରୂପାନ୍ତରିତ କଲେ । ପରେ ପରେ ୨୦୧୪ ଫେବୃଆରୀରେ ଶାସ୍ତ୍ରୀୟ ମାନ୍ଯତା ପ୍ରାପ୍ତ କଲା ଓଡ଼ିଆ । ଯେଉଁମାନେ ହୀନଚକ୍ରାନ୍ତ କରି ଓଡ଼ିଆକୁ ଲୁପ୍ତ କରିବାକୁ ବସିଥିଲେ ସେମାନଙ୍କ ମୁଖ ଲଜ୍ଜାବନତ । ଓଡ଼ିଶାରେ ଅଧୁନା ଓଡ଼ିଆ ସରକାରୀ ଭାଷା ରୂପେ ଗୃହୀତ । ଯେଉଁ ଜାତିର ଭାଷା ଯେତେ ଉନ୍ନତ ସେ ଜାତି ସେତେ ସମୃଦ୍ଧ ; କିନ୍ତୁ ଦୀର୍ଘଦଶନ୍ଧି ଧରି ସୀମାନ୍ତଞ୍ଚଳ ଓ ବିଛିନ୍ନାଞ୍ଚଳ ଗୁଡ଼ିକେ ଓଡ଼ିଆର ବାସ୍ତବ ରୂପ ଅନୁସନ୍ଧାନ କଲେ କିଛି ଆନନ୍ଦ ଅନୁଭବ କରିବାଟା କଷ୍ଟସାଧ୍ୟ ମନେହୁଏ । ପଡୋଶୀ ରାଜ୍ଯର ଭାଷା ପ୍ରଭାବରେ ସୀମାନ୍ତଞ୍ଚଳର ଭାଷା ର୍ପଭାବିତ। ସୀମାନ୍ତଞ୍ଚଳର ଓଡ଼ିଆ ବାସିନ୍ଦାଗଣ ଓଡ଼ିଆ ଭାବେ ଓ ଓଡ଼ିଶା ରାଜ୍ଯର ବାସିନ୍ଦା ଭାବେ ଓଡ଼ିଶାରୁ ପ୍ରାପ୍ତ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ । ଆନ୍ଧ୍ରପ୍ରଦେଶ,ଛତିଶଗଡ,ସୀମାନ୍ତ ଗାଁ ମାନଙ୍କରେ ସୀମା ସେପଟ ଓ ଏପଟ ଅଞ୍ଚଳର ବିକାଶରୁ ଏହା ପ୍ରମାଣିତ । କେଉଁଠି ଭାଷାର ପ୍ରଭାବେ ଓଡ଼ିଆଟିଏ ତା' ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆପ୍ରାଣ ଉଦ୍ୟମରତ ବେଳେ ନାନାଦି ସମସ୍ୟାର ସମ୍ମୁଖୀନ ହୁଏ ତ କେବେ ସୀମା ସରହଦକୁ ନେଇ ବିଭିନ୍ନ ଜଞ୍ଜାଳରେ ଘାଣ୍ଟି ହୋଇଥାଏ । ପଢ଼ିବା ପାଇଁ ପାଠ୍ଯ ପୁସ୍ତକର ଅଭାବ ଓ ଶିକ୍ଷକର ଅଭାବ । ସେମାନେ ଓଡ଼ିଆ ହୋଇ ଓଡ଼ିଶାର ଅଙ୍ଗ ରୂପେ ରହିବାକୁ ପସନ୍ଦ କରୁଥିଲେ ବି ତାଙ୍କ କର ଧାରଣ କରି ବାଟ କଢ଼ାଇ ନେବାକୁ କେହି ନାହାନ୍ତି । ରାୟଗଡ଼ା, ନୂଆପଡ଼ା,କଳାହାଣ୍ଡି,ନବରଙ୍ଗପୁର ଆଦି ଅଞ୍ଚଳରେ ପଡୋଶୀଙ୍କ ପ୍ରାଦୁର୍ଭାବରେ ଅସ୍ତବ୍ୟସ୍ତ ; ସେଇ ଏକା ପ୍ରକାର ସମସ୍ୟାରେ ହତୋତ୍ସାହିତ । ସରକାରୀ ସ୍ତରେ ପ୍ରାପ୍ତ ସେମାନଙ୍କ ସୁବିଧା ସୁଯୋଗ କେତେ ତାହା ପ୍ରକୃତରେ ଦୁଃଖଦାୟୀ । ସୀମାନ୍ତ ଅଞ୍ଚଳବାସୀ ପୂର୍ଣ୍ଣ ମାତ୍ରାରେ କୌଣସି ଗୋଟିଏ ରାଜ୍ଯର ସମବେଦନା ପାଉ ନାହାନ୍ତି । କିଛି ରାଜ୍ଯ ବି ସୀମାନ୍ତ ସ୍ଥିତ ଗ୍ରାମାଞ୍ଚଳକୁ ଇନୈତିକ ଦଖଲ କରିଛନ୍ତି । ପକ୍କାଘର , ପକ୍କାରାସ୍ତା, ବିଜୁଳିବତୀ, ରାସନ କାର୍ଡ ସ୍କୁଲ୍‌ ଓ କଲେଜ ଆଦି କରି ଓଡ଼ିଆଞ୍ଚଳଗୁଡ଼ିକୁ ପ୍ରଲୋଭିତ କରିବାକୁ ପଛାଉ ନାହାନ୍ତି । ତେଣୁ ଏସବୁ ଅଞ୍ଚଳ ପୂର୍ବବତ୍‌ ସ୍ଥିତ । ଭାଷାକୁ ଉଜ୍ଜୀବିତ କରିବାକୁ ସରକାରୀ -ବେସରକାରୀ ଉଭୟ ସ୍ତରେ ପଦକ୍ଷେପ ନେଇ ଏକ ଜାତିର ଟେକ ବା ପଣ ଜାତୀୟସ୍ତରରେ ରଖି ପାରିବା ହିଁ ସର୍ବମହତ୍ତ୍ବ କାର୍ଯ୍ଯ  । 
    
    ବିଦେଶରେ ବି ଆମ ଓଡ଼ିଆ ରୁହନ୍ତି ; ସେଠି ବି ଓଡ଼ିଆ ପତ୍ରିକା ପ୍ରକାଶନ ହେଉଛି ଜାଣି ଖୁସି ଲାଗେ । ବିଦେଶରେ ଥିବା ଓଡ଼ିଆମାନେ ଓଡ଼ିଶା ସମ୍ବନ୍ଧେ ବିଭିନ୍ନ ଓଡ଼ିଆ ଖବର ପ୍ରସାରଣକାରୀ ୱେବ୍‌ସାଇଟ୍‌ରୁ ପଠନ କରନ୍ତି ଏବଂ ଓଡ଼ିଆ ଇ-ପତ୍ରିକାର ଆଦର ଅନେକ । ଅନେକ ଓଡ଼ିଆ ବିଦେଶରେ ରହି ଓଡ଼ିଆ ଭାଷାରେ ସୁନ୍ଦର ସୁନ୍ଦର ଲେଖାମାନ ପ୍ରକାଶ କରୁଛନ୍ତି ଏବଂ ବିଭିନ୍ନ ପତ୍ର ପତ୍ରିକାରେ ବାହାରୁଛି । ଏସବୁ ଭିତରେ ବର୍ତ୍ତମାନ କଥା ଉଠୁଛି ଓଡ଼ିଶା ଭିତର ଓଡ଼ିଆଙ୍କର ଓଡ଼ିଆ ଭାଷା ପ୍ରତି କି ପ୍ରକାର ଧାରଣା ତାଙ୍କ ମନରେ । ଭାଷା ପ୍ରଚାର-ପ୍ରସାରର ମୁଖ୍ଯ ବାର୍ତ୍ତାବହ ପୁସ୍ତକ ଓ ଗଣମାଧ୍ୟମ  । ରେଡ଼ିଓ,ଟେଲିଭିଜନ କି ଖବର କାଗଜ ହେଉ ;ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ସର୍ବତ୍ର । ଆଜିକାଲିର ଖବର କାଗଜ ଓ ପତ୍ର ପତ୍ରିକାରେ ସସ୍ର ସସ୍ର ବନାନ ତ୍ରୁଟି, ବ୍ଯାକରଣ ତ୍ରୁଟି ଏବଂ ଅନେକ ଭୂଲ୍‌ ପରିଲକ୍ଷିତ । ଅବଶ୍ଯ ଏ ସବୁକୁ ମୁଦ୍ରଣଗତ ତ୍ରୁଟି ବା କ୍ଷିପ୍ରବେଗେ ଖବର ପରିବେଷଣ ବା ପ୍ରକାଶନ ହେତୁ ଖବର କି ଲେଖାକୁ ତ୍ରୁଟିହୀନ କରିବାର ସମୟ ଅଭାବ ବୋଲି ଧରିନିଆ ଯାଇପାରେ । ଅବଶ୍ଯ କିଛି ଖବର କାଗଜ ଓ ପତ୍ରପତ୍ରିକା ଭାଷାକୁ ସରଳ କରିବା ପାଇଁ କଦର୍ଯ୍ଯ କରିଦେବାରେ ବି ପଛଘୁଞ୍ଚା ଦେଇ ନାହାନ୍ତି । ରେଡ଼ିଓ ଓ ଟେଲିଭିଜନରେ ପ୍ରସାରିତ ଓଡ଼ିଆ କାର୍ଯ୍ୟକ୍ରମ କଥା ନକହିବା ଭଲ ।ଉଦଘୋଷିକାମାନେ ଯେ କ'ଣ ଭାଷା ବ୍ୟବହାର କରୁଛନ୍ତି, ତହିଁରେ ଓଡ଼ିଆ ମାତ୍ରା କେତେ, ଇଂରାଜୀ ଓ ହିନ୍ଦୀର ମାତ୍ରା କେତେ ତାହା ପରୀକ୍ଷାଯୋଗ୍ଯ । ଆମେ ଓଡ଼ିଶାରେ ରହି ଯଦି ସଠିକ ଓଡ଼ିଆ କହିବାନି କିମ୍ବା ଲେଖିବାନି, ତେବେ ଯିଏ ବାହାରେ ରହିରା ସେ ଓଡ଼ିଆ କହିଲା କି ନ କହିଲା ସେ ସମ୍ବନ୍ଧେ ଆମର ଚର୍ଚ୍ଚା କରିବାର ଅଧିକାର ନାହିଁ  । ଆମେ ଓଡ଼ିଆ ବୋଲି ଗର୍ବ କାହିଁକି ତେବେ ? ସଭା ସମିତିରେ ଭାଷଣ ଦେଲା ବେଳେ, ସାଙ୍ଗସାଥୀ ମେଳେ ଥିବା ବେଳେ, ବଜାରରୁ ପଣ୍ଯ ଦ୍ରବ୍ଯ କ୍ରୟ ବେଳେ, ରେସ୍ତୋରାଂରେ କି ହୋଟେଲରେ ଭୋଜନ ବେଳେ ଆମେ କେତେ ଓଡ଼ିଆ ବ୍ଯବହାର କରୁ ଏବଂ ଆମ ବ୍ଯବସାୟ ପ୍ରତିଷ୍ଠାନର ଫଳକରେ କେଉଁ ଭାଷାରେ ଲେଖୁ ? ଆତ୍ମଚିନ୍ତନର ସମୟ ଏ ; ଓଡ଼ିଆର ଗର୍ବ ଗାରିମାର ମୁକୁଟ ପିନ୍ଧିବା ପାଇଁ ଓଡ଼ିଆ ଭାଷା ପ୍ରତି ସେତିକି ସାଧନା ରହିବା ଆବଶ୍ଯକ । ପରସ୍ପର ସମର ନକରି ମିଳିତ ଭାବେ ଆମ ଭାଷାର ଉନ୍ନତି ଆଣିବା ଏକାନ୍ତ କାମ୍ଯ ହେବା ଦରକାର । କେବଳ କିଛିଟା ରାଜନୀତିଜ୍ଞ କି ସାହିତ୍ଯିକ ଦ୍ବାରା ଭାଷାର ଉନ୍ନତି ହେବ, ଏକଥା ଭାବିବାଟା ଭୂଲ୍‌ ; ସମସ୍ତଙ୍କର ଚେଷ୍ଟା, ସହଯୋଗ ଓ ଆନ୍ତରିକତା। ଆବଶ୍ଯକ  ।

ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା