ଅନ୍ତିମ ମହାବିଦ୍ୟା - କମଳାତ୍ମିକା

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ସମ୍ପାଦକ - ଉଦୟ ଭାନୁ / ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 

       ଦଶ ମହାବିଦ୍ୟା ମଧ୍ଯେ ଅନ୍ତିମ ମହାବିଦ୍ୟା ହେଲେ କମଳାତ୍ମିକା ଯାହା ଶକ୍ତିର ସୌନ୍ଦର୍ଯ୍ୟ ରୂପ ; ସେ ସମ୍ପଦ ତତ୍ତ୍ବ । ଏହା ନିରବଚ୍ଛିନ୍ନ ବିଦ୍ଯା ; ଦେବୀଙ୍କ ତନ୍ତ୍ର ରୂପ କମଳା ଅଟେ । କିନ୍ତୁ ସାଧାରଣରେ ସେ ଲକ୍ଷ୍ମୀ ରୂପେ ଅର୍ଚ୍ଚିତା । ମହାବିଦ୍ୟା ମାନଙ୍କ ମଧ୍ୟେ ଏ ବିଦ୍ଯା ସବୁଠୁ ରହସ୍ଯମୟ ଓ ଜଟିଳ , କାରଣ ଏହା ଶକ୍ତିର ନକରାତ୍ମକ ଉର୍ଜା । ସମସ୍ତଙ୍କୁ କୁହାଯାଏ ଦେବୀ, ଇଏ କିନ୍ତୁ ମହାଦେବୀ । ଏହି ଶକ୍ତି ଦ୍ବିସ୍ତରୀୟ ; ଏହାଙ୍କର ଉପାସକଙ୍କୁ ଆଦ୍ଯ ସ୍ତରରେ ସବୁକିଛି ବିନା ଶ୍ରମରେ ପ୍ରାପ୍ତ ହୋଇଯାଏ । ଏହା ପରେ ସାଧକ ସେଇ ଭିତରେ ଦିଶା ଭ୍ରଷ୍ଟ ହୋଇ ଲୋଭ , ମୋହ , ଅହଂଗ୍ରସ୍ତ ହୋଇଯାଏ ବା ଅଟକି ଯାଏ ; ବହୁ କଷଣ ଭୋଗ କରେ । କିନ୍ତୁ ଯିଏ ଏହା ପରେ ବି ସାଧନା ନିରବଚ୍ଛିନ୍ନ ରଖନ୍ତି , ଦେବୀଙ୍କ ମାୟାରେ ମୋହଗ୍ରସ୍ତ ହୁଅନ୍ତି ନାହିଁ ତାଙ୍କୁ ଐହିକ ଜଗତରେ ଅତିନ୍ଦ୍ରିୟ ଶାନ୍ତି , ନିରୋଗ ଶରୀର , ଯନ୍ତ୍ରଣା ବିହୀନ ମୃତ୍ଯୁ , ଅନନ୍ତ ସିଦ୍ଧି ଓ ପରଲୋକରେ ମୋକ୍ଷ ପ୍ରାପ୍ତି ହୁଏ । ଏଲାଗି କମଳାତ୍ମିକା ଚଞ୍ଚଳା ଓ ଅନ୍ନଦାତ୍ରୀ ଭାବରେ ସେ ଅନ୍ନପୂର୍ଣ୍ଣା ; ଏରୂପେ ମାର୍ଗଶୀର ମାସରେ ପୂଜିତ ସେ । ପଦ୍ମାସନା (ଲକ୍ଷ୍ମୀ)ଙ୍କୁ ଗୃହରେ ପୂଜା ହୁଏ ; ଦଣ୍ଡାୟମାନ ରୂପ ତାଙ୍କର କମଳାତ୍ମିକା ଯାହା ତନ୍ତ୍ର ରୂପ । 

     ସେ ଯୋଗାନନ୍ଦକରୀ , ଜଗତ୍ସୁଖକରୀ ; ସେ ସଦା ସଦାଶିବଙ୍କ ଚିତ୍ତ ବିନୋଦନକାରିଣୀ , ସର୍ବ ସୁଖର ଈଶ୍ୱରୀ । ବ୍ରାହ୍ମଣମାନେ ତାଙ୍କୁ ଶ୍ରୀ ଆଦି ପ୍ରସିଦ୍ଧ ସୂକ୍ତରେ ସ୍ତୁତି କରନ୍ତି ଏବଂ ସେ ଏକାନ୍ତରେ ରହିବାକୁ ଭଲପା'ନ୍ତି ; ବ୍ରହ୍ମା , ରୁଦ୍ର , କମଳାପତି , ବୃହସ୍ପତିଙ୍କୁ ସେ ଦେବତ୍ବ ଏବଂ ଐଶ୍ବର୍ଯ୍ଯର ବରଦାତ୍ରୀ , ସେ ବିଶ୍ବର ମାଲିକାଣୀ ଅଟନ୍ତି । ସେ ଅଶୁଚୀ ବା ଅପବିତ୍ରତାର ବିଧ୍ବଂସକାରିଣୀ ଅଟନ୍ତି । ତାଙ୍କ ସ୍ବାମୀ କମଳେଶ୍ବର ମହାରୁଦ୍ର ଏବଂ ଭୈରବ ହେଲେ ବିଷ୍ଣୁ ଭୈରବ ; କମଳାତ୍ମିକାଙ୍କ ଗଣପତି ହେଉଛନ୍ତି ସ୍ବର୍ଣ୍ଣାକର୍ଷଣ ଗଣପତି । ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ବୁଦ୍ଧ ଅବତାର ଏହି ତତ୍ତ୍ବ ହ ସମ୍ପର୍କୀତ । ନବଗ୍ରହ ମଧ୍ଯରୁ ଶୁକ୍ରଗ୍ରହର ପ୍ରଭାବ ଏବଂ ଶରୀରର ଆଧ୍ଯାତ୍ମ ଚକ୍ର ମଧ୍ୟରୁ ସହସ୍ରାର ଚକ୍ର ଏ ଦେବୀଙ୍କ ନିୟନ୍ତ୍ରଣାଧିନ । ମାର୍ଗଶୀର ଅମାବାସ୍ଯା ତିଥି କମଳାତ୍ମିକା ମହାବିଦ୍ୟାଙ୍କ ସହ ଜଡ଼ିତ । ଜୀବନରେ ବିଳାସବ୍ଯସନ କମଳାତ୍ମିକାଙ୍କ ନିୟନ୍ତ୍ରଣାଧିନ । ସ୍ତ୍ରୀ ରୋଗ ବିଶେଷଜ୍ଞ , ଗହଣା , ପ୍ରସାଧନ , ପ୍ଲାଷ୍ଟିକ୍‌ ସର୍ଜନ , ଚର୍ମ ଓ କେଶ ବିଶେଷଜ୍ଞ , ସୌନ୍ଦର୍ଯ୍ୟ ବିଶେଷଜ୍ଞ , ଫାଷ୍ଟ୍‌ଫୁଡ୍‌ , ଖାଦ୍ୟ ପ୍ରକ୍ରିୟାକରଣ , ଚିତ୍ରକର , ଲଳିତ କଳା , ସଙ୍ଗୀତ , ଚଳଚ୍ଚିତ୍ର , କବି , ଲେଖକ , କଳାକାର , ଭିଡ଼ିଓ ସିଷ୍ଟମ , ଗୃହ ସାଜସଜ୍ଜା , ଶିଳ୍ପ କାରିଗର , ସ୍ବଚ୍ଛତା ସମ୍ବନ୍ଧୀୟ ବିଷୟ , କାର୍ପେଟ୍‌ , ମାର୍ବଲ , ଟାଇଲ୍ , ଶୀତତାପ ନିୟନ୍ତ୍ରଣ , ସମସ୍ତ ପ୍ରକାରର କଳା-କଳାକାର , କାରିଗର , ସୃଜନଶୀଳତା ଓ ସମସ୍ତ ବାଣିଜ୍ୟ ବ୍ଯବସାୟର କ୍ଷେତ୍ର କମଳାତ୍ମିକାଙ୍କ ନିୟନ୍ତ୍ରଣରେ । ମଡ଼େଲିଂ , ଫ୍ଯାସନ ଡିଜାଇନ୍‌ , ସିନେମା , ଟେଲିଭିଜନ , ଥିଏଟର , କମ୍ପ୍ଯୁଟର ସଫ୍ଟୱେର୍‌ ଆଦି କ୍ଷେତ୍ରେ ଅଗ୍ରଗତ୍ଯାର୍ଥେ କମଳାତ୍ମିକାଙ୍କୁ ଶୁକ୍ରବାର ଶ୍ବେତ ଜବା ,କମଳ ବା ପଦ୍ମ ଓ ଡାଳିମ୍ବ ଫଳ ଅର୍ପଣ ପୂର୍ବକ ଅର୍ଚ୍ଚନା କରାଯାଇଥାଏ । ଦୁର୍ବଳ / ଅଳ୍ପ ଶୁକ୍ର , ବିକୃତ ଫେଲୋପିଆନ ଟ୍ଯୁବ୍‌ ବା ତା' ସମ୍ବନ୍ଧୀୟ ଅସୁବିଧା ,ଜରାୟୁରେ ସଂକ୍ରମଣ ବା ତତ୍‌ ସମ୍ବନ୍ଧୀୟ ଅସୁବିଧା ,ଲଗାତର ଆର୍ଥିକ ସମସ୍ଯା , ଯୌନ ରୋଗ / ବିକୃତି , ମାସିକ ଋତୁସ୍ରାବ ସମ୍ବନ୍ଧୀୟ ଅସୁବିଧା , ଜାତକରେ ଶୁକ୍ର / ମଙ୍ଗଳ / ଶନି / ରାହୁ / କେତୁ ସହ ମିଳିତ ହୋଇ ଅଶୁଭ ଫଳ ପ୍ରଦାନ ବା ଶୁକ୍ର କର୍କଟ / ସିଂହ / କନ୍ଯା ରାଶିରେ ଅବସ୍ଥାନ ଆଦିର ନିରାକରଣାର୍ଥେ କମଳାର୍ଚ୍ଚନା କରାଯାଏ । 

      "କମଳା ସପର୍ଯ୍ଯା" ପ୍ରମାଣସିଦ୍ଧି କରେ ଯେ :-
 "ପରମାରାଧ୍ୟା ସା ଚ ଦଶଦିକ୍‌-ପାଳୟନ୍ତେଶ୍ବରମ୍‌ ।
ତାଂ ନାମ୍ନାଂସ ଦଶମ ବିଦ୍ଯା ସିଦ୍ଧବିଦ୍ଯା ପ୍ରସିଦ୍ଧତି ।।"
ଯେଉଁ ଦେବୀ ଦିଗପାଳ ମାନଙ୍କର ପରମ ଆରାଧ୍ୟା , ସେ ଦେବୀ ଦଶମ ବିଦ୍ଯା ରୂପେ କିର୍ତ୍ତୀମାନ । "ଶ୍ରୀ ମନ୍ତ୍ର ପଦ୍ଧତିମ୍‌" ଅନୁସାରେଣ :- 
    "କମଳ ନୟନୀ ରକ୍ତା କମଳୋଦ୍ଭବାସୁନ୍ଦରୀମ୍‌
   କମଳରୁଦ୍ରଭାର୍ଯ୍ଯା ସାଃ କମଳାଳୟ ବିହାରିଣୀମ୍‌
   କମଳା ନାମ୍ନୀ ସା ଦେବୀ ଭୃଗୁସ୍ଯ କୁଳନନ୍ଦିନୀଂ ।"
କମଳ ନୟନଯୁକ୍ତା , ରକ୍ତବର୍ଣ୍ଣା ଏବଂ ସେ କମଳରୁ ଉଦ୍ଭବା ; ସେ ଦେବୀ କମଳେଶ୍ବର ମହାରୁଦ୍ରଙ୍କ ଭାର୍ଯ୍ୟା ତଥା ପଦ୍ମଗୃହେ ଭ୍ରମଣକାରିଣୀ ଏବଂ ଭୃଗୁ ଋଷିଙ୍କ କୁଳନନ୍ଦିନୀ ହେତୁ ସେ କମଳାତ୍ମିକା ଅଟନ୍ତି । 

    ଥରେ ମହର୍ଷି ଭୃଗୁ ମାତଙ୍ଗ ଋଷିଙ୍କୁ ଭେଟିବାକୁ ଯାଇ ତାଙ୍କ କୁଟୀରରେ ଦେଖନ୍ତେ ମାତଙ୍ଗ ତାଙ୍କ କନ୍ଯା ସହ କ୍ରୀଡ଼ାରତ ; ଭୃଗୁ ଜନୈକ ସିଦ୍ଧ ତପସ୍ବୀ ହେତୁ ସେ ଏ କନ୍ଯାକୁ ଦେଖି ସ୍ବୟଂ ପରମେଶ୍ୱରୀ ଏଇ କନ୍ଯା ରୂପେ ଡାତ ହୋଇଥିଲେ ବୋଲି ଜାଣି ପାରିଲେ । ନିରବରେ ଆଶ୍ରମକୁ ଆସି ସେ ଆଦି ପରାଶକ୍ତିଙ୍କୁ କନ୍ଯା ରୂପେ ପାଇବାର ଉତ୍ସୁକତା ବୃଦ୍ଧି କରୁଥିଲେ । ଏମନ୍ତ ଚିନ୍ତନ ପୂର୍ବକ ସେ କୈଳାସ ମାନସରୋବର ତଟରେ ମହାତ୍ରିପୁରାସୁନ୍ଦରୀଙ୍କ ବିଷ୍ଣୁ ଉପାସ୍ୟ ମନ୍ତ୍ର ଜପ ପୂର୍ବକ ଅର୍ଚ୍ଚନା କଲେ ; ଅନେକ ବର୍ଷ ବିତିଗଲେ ବି ମହାତ୍ରିପୁରାସୁନ୍ଦରୀ ଆବିର୍ଭାବ ହେଲେ ନାହିଁ । ତେଣୁ ମନସ୍ତାପରେ ପ୍ରାଣ ବିସର୍ଜିବା ପାଇଁ ମାନସରୋବରକୁ ଗମନ ବେଳେ ସେ ଦେଖନ୍ତି ଘୋର ଅମାସ୍ୟା ରଜନୀରେ ଏକ ଅପୂର୍ବ ଲାବଣ୍ୟମୟ ପଦ୍ମ ମଧ୍ୟୁ ଏକ ଶିଶୁର କ୍ରନ୍ଦନ ଶୁଭୁଛି ; ସେ ଦେଖନ୍ତି ତ ଏକ ସୁନ୍ଦର ଅପୂର୍ବ ଲାବଣ୍ୟମୟୀ ଶିଶୁକନ୍ୟାଟେ । ଠିକ୍‌ ତେତେବେଳେ ମହାତ୍ରିପୁରାସୁନ୍ଦରୀ ଆବିର୍ଭୁତା ହୋଇ ମହର୍ଷିଙ୍କୁ ଜଣାଇଲେ "ମୁଁ ତୁମ ତପରେ ସନ୍ତୁଷ୍ଟ ହୋଇ ଏଠାରେ ଜନ୍ମ ନେଇଛି" ; ସେଦିନ ଥିଲା ମାର୍ଗଶୀର ଅମାବାସ୍ଯା ଯାହା ପୀୟୁଷରାତ୍ରୀ ନାମରେ ପରିଚିତ ହେଲା । ଏ କିମ୍ବଦନ୍ତୀ "କମଳାତ୍ମିକା ରତ୍ନମ୍‌" ସୂଚନା ପ୍ରଦାନ କରେ । କମଳାତ୍ମିକା ତନ୍ତ୍ରୋକ୍ତ ଷଟ୍‌କର୍ମରେ ଥିବା ଶାନ୍ତି କର୍ମାଧିଶ୍ବରୀ ; ସୃଷ୍ଟିରେ ଯେତେବେଳେ ପ୍ରଳୟ , ବିଧ୍ବଂସ ତଥା ବିନାଶ କାର୍ଯ୍ୟ ଚଳମାନ , ତା'ର ପ୍ରଶମନ କରନ୍ତି ସେ । ତେଣୁ ତାଙ୍କ ନାମ ହେଲା "ସର୍ବପ୍ରଶମନୀ" ବା "ମହାପ୍ରଶମନୀ ବିଦ୍ଯା" । ମହର୍ଷି ଭୃଗୁଙ୍କ କନ୍ଯା ହେତୁ ସେ "ଭାର୍ଗବୀ" ନାମରେ ନାମିତ ।

     କମଳାତ୍ମିକାଙ୍କ ପାଖରେ ଦୁଇ ରାଜସିକ ଶକ୍ତି ତଥା ଏକ ତାମସିକ ଶକ୍ତି ଥିବା ଯୋଗୁଁ ତାଙ୍କ ଗୁଣ ପମୋରାଜସିକ ; ତାଙ୍କ ପାଖରେ ସାତ୍ତ୍ୱିକ ଗୁଣ ବିଶେଷ ନାହିଁ । ଦେବଗୁରୁ ବୃହସ୍ପତି , ଦୈତ୍ଯଗୁରୁ ଶୁକ୍ରାଚାର୍ଯ୍ଯ ତଥା ଦେବରାଜ ଇନ୍ଦ୍ର ତାଙ୍କର ବିଶେଷ ସାଧକ । ସ୍ବର୍ଗର ଐଶ୍ବର୍ଯ୍ଯ ତାଙ୍କ କୃପାରୁ ତିଷ୍ଠିତ । ତାଙ୍କ ମସ୍ତକରେ ସ୍ଥିତ ଦ୍ବିତୀୟା ଚନ୍ଦ୍ର ରାଜସିକ ତତ୍ତ୍ବର ଦ୍ଯୋତକ ଏବଂ ତାଙ୍କ ତ୍ରିନୟନ ଧନ - ଜନ  - ଗୋପ ତ୍ରି ଐଶ୍ବର୍ଯ୍ଯର ସୂଚକ । ଦେବୀ ଧାରଣ କରିଥିବା ପଦ୍ମ ରକ୍ତବର୍ଣ୍ଣର ଓ ତା'ର ନାମ "ପୁଷ୍ଟି" ଅଟେ ଏବଂ ବାମ ହସ୍ତରେ ଥିବା ରକ୍ତପଦ୍ମ "ତୁଷ୍ଟି" ନାମରେ ନାମିତ । କମଳାତ୍ମିକାଙ୍କ ଚତୁଃପାର୍ଶ୍ୱେ ଚାରୋଟି ହସ୍ତୀ କନକ କଳସ ମାନସରୋବରର ଅମୃତ ନୀରରେ ମାତାଙ୍କ ଅଭଂଷେକ କରୁଥା'ନ୍ତି ; ସେମାନେ ହେଲେ କ୍ରମାନ୍ୱୟରେ ଦକ୍ଷିଣରୁ ବାମ ପ୍ରଣଙ୍ଗ , ପ୍ରସୂତ , ପ୍ରବୀଣ ଓ ପ୍ରଦୋଷ  । କୁହାଯାଏ ଏ ହସ୍ତୀମାନେ ଚାରିବେଦ ; କମଳାତ୍ମିକାଙ୍କ ରକ୍ତବାସ ସୌଭାଗ୍ୟର ପ୍ରତୀକ ଏବଂ ତାଙ୍କ ଶରୀରର ବର୍ଣ୍ଣ ହିମଗିରି ପରି ଶୁକ୍ଳ । ସେ ଗଳାରେ ଶୁଦ୍ଧ ସ୍ଫଟିକମାଳା ଧାରଣ କରିଛନ୍ତି ଏବଂ ସଦ୍ୟ ପ୍ରସ୍ଫୁଟିତ ପାରିଜାତମାଳା ବି ଧାରଣ କରିଛନ୍ତି । ତାଙ୍କ ସିଂହାସନଟି ଷଡ଼ୈଶ୍ବର୍ଯ୍ଯାତ୍ମକ ମହାପଦ୍ମମଞ୍ଚ ଷଟ୍‌କୋଣୀ ଯା'ର ଷଡ଼କୋଣରେ ବ୍ରହ୍ମା , ଯମ , ଧର୍ମ , ଇନ୍ଦ୍ର , ଶୁକ୍ର , ବୃହସ୍ପତି ଅଛନ୍ତି । ମଣିଦ୍ବୀପରେ ତାଙ୍କ ମଣ୍ଡପର ନାମ "ଇନ୍ଦ୍ରନୀଳ ମଣ୍ଡପ" । ସେଦେଖିବାକୁ ଲକ୍ଷ୍ମୀଙ୍କ ପରି ହୋଇଥିଲେ ମଧ୍ୟ ଲକ୍ଷ୍ମୀ ନୁହଁନ୍ତି , ଲକ୍ଷ୍ମୀ ତତ୍ତ୍ବ କେବଳ ତାଙ୍କ ପାଖରେ ପରିଲକ୍ଷିତ । ସେ ପାର୍ବତୀଙ୍କ ଶରୀରରେ ପ୍ରକାଶିତ ଆଦିପରାଶକ୍ତିଙ୍କ ଛାୟା ।

       ଦେବୀଙ୍କ ହୃଦୟଚକ୍ର (ଅନାହତ)କୁ ସ୍ପର୍ଶ କରି ଶୁଦ୍ଧ ସ୍ଫଟିକମାଳା ଥିବାରୁ ତାଙ୍କ ମନ୍ତ୍ର ସ୍ଫଟିକମାଳାରେ ଜପ ହୁଏ । ସେ ସୌମ୍ୟଦେବୀ କିନ୍ତୁ ରକ୍ତ ତଥା ଗଣ୍ଡାମାଂସ ପ୍ରିୟା ; ମହାବଳିପ୍ରିୟା ସେ । ନଦୀ , ପୋଖରୀ ମାଛ ଅତି ପ୍ରିୟ । ସେ ପଦ୍ମପୁଷ୍ପ ଭରା ପୁଷ୍କରିଣୀ , ପଦ୍ମ ଉଦ୍ଯାନ ଓ ଗୋଶାଳାରେ ହିଁ ବାସ କରନ୍ତି , ଏସବୁ ସ୍ଥାନରେ ସାଧନ ମହାଫଳଦାୟକ ଅଟେ । 

     ଭାରତରେ ଥିବା କମଳାତ୍ମିକାଙ୍କ ପ୍ରମୁଖ ପୀଠ ହେଉଛି କର୍ଣ୍ଣାଟକର ବେଲଗୁମ୍‌ ଜିଲ୍ଲାର ଚିକାଲାଦିନ୍ନୀ କମଳାମ୍ବିକା ପୀଠ , ମହାରାଷ୍ଟ୍ରର ଥାନେ ଜିଲ୍ଲାର ଦଣ୍ଡିପଡ଼ା କମଳେଶ୍ବରୀ ଧାମ , ତାମିଲ୍‌ନାଡୁର ତିରୁବାରୁର କମଳେଶ୍ବରୀ ପୀଠ ଏବଂ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଚଲାମମ୍ବାପୁରମ୍‌ର କମଳାତ୍ମିକା ପୀଠ । ମହାମାୟୀ ସର୍ବମଙ୍ଗଳ ବିଧାନ କରନ୍ତୁ ; ଏତିକି ପ୍ରାର୍ଥନା ମାତ୍ର ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬








Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା