କର୍ମ ଘେନି ଫଳ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କଥାରେ ଅଛି - "ସୁଖ - ଦୁଃଖ ଦୁନିଆର ରୀତି ।'' ସୁଖ - ଦୁଃଖ ଦୁହେଁ ସାବତ ଭାଇ । ପରସ୍ପର ମଧ୍ୟରେ ପ୍ରତିଯୋଗିତା ; କିଏ କେତେ କରିତ୍କର୍ମା । ଜଣେ ସଫଳତାର ଅଶ୍ରୁ ପ୍ରଦାନ କରୁଥିବା ବେଳେ ଆଉ ଜଣେ କିନ୍ତୁ ବିଫଳତାର ଅଶ୍ରୁ ପ୍ରଦାନ କରେ । ଜଣେ ଯୁକ୍ତାତ୍ମକ ଓ ଆଉ ଜଣେ ବିଯୁକ୍ତାତ୍ମକ । ଉଭୟଙ୍କର ଆବଶ୍ଯକତା ନିହାତି କିନ୍ତୁ ଜୀବନ ପାଇଁ । ଯେମିତି ବୈଦ୍ୟୁତିକ ବଲ୍ବ୍ ଜଳିବା ପାଇଁ ବିଦ୍ଯୁତ୍ର ଆବଶ୍ଯକ ହୁଏ ; ସେମିତି ଜୀବନକୁ ସରସ ସୁନ୍ଦର କରିବାକୁ ଏମାନଙ୍କର ଆବଶ୍ଯକତା ପଡ଼ିଥାଏ । ବଲ୍ବ୍ ଜଳିବାକୁ ଏକ ମାଧ୍ୟମ ଦରକାର ଯାହା ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ; ଏକ ତାରର ଆବଶ୍ଯକତା । ଗୋଟିଏ ସୂତ୍ରରେ ଛନ୍ଦାଛନ୍ଦି ଦୁଇଟି ଦୁଇଟି ତାରର ଏକପାଖ ଯୁକ୍ତାତ୍ମକ ବା ସୁଖ ଓ ଆରପାଖ ବିଯୁକ୍ତାତ୍ମକ ବା ଦୁ଼ଃଖ ଅଟେ । ଶରୀର ରୂପୀ ତାର ଦ୍ବାରା ସଂଯୋଗ ହୋଇଥାଏ ଜୀବନର ଦୁଇପାଖ ଏବଂ କର୍ମ ରୂପୀ ବଲ୍ବ୍ ଜଳି ଉଠେ । ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼େ ଯେ ଜୀବନରେ ସୁଖ ଓ ଦୁଃଖର ଆବଶ୍ଯକତା ସମପରିମାଣରେ ରହିଛି । ଦୁ଼ଃଖ ଶିକ୍ଷା ଦିଏ ଓ ସୁଖ ପ୍ରାପ୍ତ କରାଏ । ତେଣୁ ଉଭୟକୁ ସ୍ବାଗତ କରିବା ପ୍ରତ୍ଯେକ ପ୍ରାଣୀର ଉଚିତ ବୋଲି ମନେହୁଏ ।
"ଦୁ଼ଃଖ" ଯନ୍ତ୍ରଣା ଦାୟକ ହେଲେ ବି ଉତ୍ତମ ଶିକ୍ଷକ ; କିନ୍ତୁ ସୁଖ କେବଳ ଦାତା । ସବୁକିଛି ଦିଏ ଓ ମନରେ ପ୍ରଫୁଲ୍ଲତା ଆଣେ । ତେଣୁ ସେ ବନ୍ଧୁଟିଏ । ଜଣେ ଶିକ୍ଷକ ଆଉ ଜଣେ ବନ୍ଧୁ ; ଅପୂର୍ବ ସମ୍ମେଳନ । ବେଳେବେଳେ ସୁଖ ଏତେ ପ୍ରଭାବିତ କରେ ଯେ , ଦୁଃଖ ଆପେ ଆପେ ଆଗତ ହୋଇଯାଏ ଏବଂ ପରେ ବିଚ୍ଯୁତି ଘଟେ । ଫଳତଃ ଜତୁଶାଳା ପରି ମନେହୁଏ ଜୀବନ । ତେଣୁ ସୁଖରେ ଏତେ ଆନନ୍ଦ କି ଦୁ଼ଃଖରେ ଏତେ ମ୍ରିୟମାଣ ହେବା ଅନୁଚିତ୍ । "ଅତି ସର୍ବତ୍ର ଇତି" କଥାଟି ମନେପଡ଼େ । ଅତି ଆନନ୍ଦ ଓ ଅତିମାତ୍ରାରେ ଭାଙ୍ଗି ପଡ଼ିବା ଜୀବନକୁ ଦୁର୍ବିସହ କରିବା ସହ ସମାନ । ଏହି କଥାକୁ ପ୍ରତିପାଦନ କରିବାକୁ ଏଠି ମୁଁ କାହାଣୀଟିଏ ରଖୁଛି । ଆଶା କରେ କାହାଣୀଟି ରୁଚି଼ିକର ହେବା ସହ ସମାଜକୁ ଏକ ନବଶିକ୍ଷା ପ୍ରଦାନ କରିବ ।
ରତିପୁରର ରତ୍ନାକର ରାୟ ; ବୟସ ଷାଠିଏ ହେଲାଣି । ସେଥିରେ ପୁଣି ଅଗାଧ ଖଟଣି । ସକାଳରୁ ସଞ୍ଜ ଟିକେ ବି ତର ନାହିଁ । ନିଜର ବୋଲି ଭୂଇଁରେ ଗାର ନାହିଁ ; ପର ଜମି ଚ଼ାଷ କରିବା ସହ ପେଟ ପୋଷିବାକୁ ନିଜର ବାସସ୍ଥାନ ପାଖରେ ଏକ ଶାଳଘର କରି ପିଟି ଚ଼ାଲିଛନ୍ତି ଲୁହା । ଯୋଉ ଦୁଇମାଣ ବିଲ ଥିଲା ତାହା ଝିଅ ବାହାଘର କରି ସବୁ ସାରି ଦେଇଛନ୍ତି । ଗୋଟିଏ ବୋଲି ଝିଅ ପ୍ରୀତିପଦ୍ମା ; ମାଆ ମରିଯିବା ପରେ ରତ୍ନାକର ତା'ର ମାଆ-ବାପା ସବୁକିଛି । ସ୍ତ୍ରୀ ଜବାବତୀଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡ଼ିଥିଲେ ରତ୍ନାକର । ସେତେବଳକୁ ପ୍ରୀତିପଦ୍ମାକୁ ପାଞ୍ଚବର୍ଷ ବୟସ ଏବଂ ପୁଅ ରତିକାନ୍ତକୁ ଆଠବର୍ଷ ବୟସ । ଏ ପିଲା ଦୁଇଟାଙ୍କୁ ମଣିଷ କରିବାକୁ ଯେ କେତେ ଯନ୍ତ୍ରଣାକୁ ଆପଣେଇବାକୁ ପଡ଼ିଛି ତା'ର କଳନା ନାହିଁ । ସେତେବେଳେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲା ; ଏବେ ଟିକେ ପରିବର୍ତ୍ତନ ହେଲା ବେଳକୁ ଘର ଢ଼ିଙ୍କି କୁମ୍ଭୀର ସାଜିଲା । ସବୁ ଥାଇ କିଛି ନାହିଁ ତାଙ୍କର । କେତେ ଦୁ଼ଃଖ କଷ୍ଟ ସହି ରକ୍ତକୁ ପାଣି ଫଟେଇ ପୁଅକୁ ପାଠ ପଢ଼େଇ ଥିଲେ । ପୁଅ ଏବେ ଡ଼ାକ୍ତରଟିଏ ହୋଇ ବାହାରିଛି । ବୋହୂ ବି ଜଣେ ଶିଶୁରୋଗ ବିଶେଷଜ୍ଞ । ପୁଅ ରତିକାନ୍ତ , ବୋହୂ ପ୍ରଜ୍ଞାପ୍ରିୟା ଓ ରତ୍ନାକରକୁ ନେଇ ଏହି ପରିବାରଟି ଏବେ ମୁଣ୍ଡ ଟେକି ଛିଡ଼ା ହୋଇଛି । ଆଗ ପରି ଆଉ ସେ ଚ଼ାଳଛପର ଘର ନାହିଁ ; ଏବେ ଦି' ମହଲା ଛାତଘର ସାଙ୍ଗକୁ ଶଙ୍ଖ ମଲମଲ ଚ଼ଟାଣ । ଖାଇବା ପିଇବା ଓ ପିନ୍ଧିବା ଲଗାଇବାରେ ଅସୁବିଧା ନାହିଁ ; ତଥାପି ବି ରତ୍ନାକର ନିଜ କର୍ମରୁ ବିଚ୍ଯୁତ ହୋଇନାହାନ୍ତି । ଆଗରୁ ଜମି ନଥିଲା ; ଏବେ ପାଞ୍ଚମାଣ ଜମି ବି କିଣା ସରିଛି । ଦିନଯାକ ଜମିରେ ଖଟି ଖଟି ନୟାନ୍ତ ହୋଇ ବି ସନ୍ଧ୍ଯାରେ ଶାଳଘରେ ବରାଦ ଦ୍ରବ୍ଯର ପ୍ରସ୍ତୁତିରେ ପିଟି ଚ଼ାଲିଥା'ନ୍ତି ଲୁହା ହାମରରେ ଲୌହଖଣ୍ଡକୁ । ପଚାରିଲେ କହନ୍ତି - "ମୁଁ କର୍ମକୁ ବିଶ୍ବାସ କରେ ; କର୍ମ ମୋର ଭଗବାନ । ହାତ ଗୋଡ଼ ଚ଼ଳୁଥିବା ଯାଏଁ ପଙ୍ଗୁ ପରି ବସି ନପଡ଼ି କର୍ମ କରି ଚ଼ାଲିଥିବି । ଏବେ ବସି ପଡ଼ିଲେ ଅଚ଼ଳ ହୋଇଗଲା ପରେ କ'ଣ କରିବି ?" ସତରେ ପରିଶ୍ରମୀ ମଣିଷଟିଏ ରତ୍ନାକର ରାୟ ।
ଦିନକର କଥା ; ରତ୍ନାକର ଘରେ ଶୁଭଶଙ୍ଖର ନିନାଦ । ପୁଅ ରତିକାନ୍ତ ଓ ବୋହୂ ପ୍ରଜ୍ଞାପ୍ରିୟାଙ୍କ ଔରସରୁ ଜନ୍ମ ନେଲା ଏକ ପୁତ୍ର ସନ୍ତାନ । ଦୀର୍ଘ ସାତ - ଆଠ ବର୍ଷ ହେଲା କୋଳ ଶୂନ୍ଯ ଥିଲା ; ଏତେଦିନ ପରେ ଘରେ କୁଆଁ କୁଆଁ ରଡ଼ି ଶୁଭିଲା । ରତିକାନ୍ତ ପରିବାରରେ ଆନନ୍ଦର ବାତାବରଣ । ଗ୍ରାମବାସୀ ସୁଅ ଛୁଟାଇ ଥିଲେ ଘରକୁ । ସମସ୍ତଙ୍କ ମଧ୍ୟରେ ଚ଼ାଲିଥିଲା ଭୁଟୁରୁଭାଟୁର । "ଯାହାହେଉ ରତିକାନ୍ତର ଦୁ଼ଃଖ ଗଲା" ବୋଲି କହି ହେଉଥିଲେ ସମସ୍ତେ । ରତ୍ନାକରର ଖୁସି କହିଲେ ନସରେ । ସାଇଭାଇ ଡ଼ାକି ଭୋଜିଭାତ ବି ବେଶ୍ ଜମିଥିଲା ପୁଅର ଏକୋଇଶା ଦିନ । ବ୍ରାହ୍ମଣର ମନ୍ତ୍ରୋଚ୍ଚାରଣରେ ଫାଟି ପଡ଼ୁଥିଲା ଘର । ଘରେ ବିରାଜମାନ କରିଥିଲେ ଶ୍ରୀମାନ ସତ୍ଯନାରାୟଣ । ଚ଼ିତାଲାଗି ଅମାବାସ୍ୟାରେ ଜନ୍ମ ନେଇଥିବାରୁ ଛୁଆଟିର ନାମ ଚିତ୍ରସେନ ରଖାଗଲା । ବହୁ ଗେଲବସରରେ ଶଶିକଳା ପରି ବଢ଼ି ଚ଼ାଲିଲା ଚ଼ିତ୍ରସେନ । ଧିରେ ଧିରେ ସମୟ ଗଡ଼ିବା ସହିତ ଚ଼ିତ୍ରସେନ ଗାଁ ବିଦ୍ଯାଳୟରୁ ପଢ଼ା ସାରି କଲେଜରେ ନାମ ଲେଖାଇଲା । ରତିକାନ୍ତର ଚ଼ାକିରୀର ଅବସର ସମୟ ପାଖେଇ ଆସୁଥାଏ । ବହୁଦିନ ପରେ ପୁଅଟିଏ ହେଲା ବୋଲି ବାଲ୍ଯରୁ ଅତି ଗେଲବସର କରିବାରୁ ଲଗାମଛଡ଼ା ହୋଇଯାଇଛି । ପ୍ରଥମରୁ ବହୁତ ଭଲ ପଢ଼ୁଥିଲା ସେ ; ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଓଡ଼ିଶାରେ ଦଶଜଣଙ୍କ ମଧ୍ୟରେ ଜଣେ ହୋଇଥିଲା । ଏବେ କଲେଜ ଆସିବା ଦିନଠୁ ସେ ବାଳୁଙ୍ଗା ହୋଇଯାଇଛି । ଜେଜେବାପା ବି ବୁଢ଼ା ହୋଇଗଲେଣି । ଶଯ୍ଯା ଧରିଲେଣି ରତ୍ନାକର ରାୟ । ପକ୍ଷାଘାତ ରୋଗ ତାଙ୍କୁ ପଙ୍ଗୁ ଓ ଅଥର୍ବ ସଜାଇ ଦେଇଛି । ପାଚ଼ିଲା ପତର ପରି ଲଟକିଛନ୍ତି , କେତେବେଳେ ଯେ ସାମାନ୍ୟ ସମୀର ପ୍ରବାହରେ ମାଟି କାମୁଡ଼ି ନପଡ଼ିବେ କିଏ କହିବ ? ଚ଼ିତ୍ରସେନ ପୂରାପୂରି ବଦଳି ଯାଇଛି କହିଲେ ଚ଼ଳେ । ପାଠପଢ଼ା ଆଉ ଏତେ ସରସ ନାହିଁ ତା'ର । ଅଭଦ୍ରାମି ଓ ବାଳୁଙ୍ଗାମିରେ ବଳି ପଡ଼ିଛି ସେ । କେତେବେଳେ କ'ଣ କରୁଛି ତା'ର ହିସାବ ନାହିଁ ।
ଚ଼ିତ୍ରସେନର ଏଭଳି ଆଚ଼ରଣ ଆଚ଼ମ୍ବିତ କରେ ବାପା ରତିକାନ୍ତ ଓ ମାଆ ପ୍ରଜ୍ଞାପ୍ରିୟାଙ୍କୁ । ଉଭୟଙ୍କ ଭିତରେ ସାମାନ୍ୟ ବଚ଼ସା ବି ହୁଏ ତାଙ୍କର । ରତିକାନ୍ତ ତାଙ୍କ ସ୍ତ୍ରୀକୁ ଦୋଷାରୋପ କରନ୍ତି - "ତୁମ ସ୍ନେହ ଆଦର ପାଇଁ ମୁହଁବଢ଼ିଆ ପାଇ ଆଜି ସେ ଏଭଳି ହୋଇଛି । ମତେ ଖରାପ ଲାଗୁଛି । ମୋର କେତେ ଖାତିର୍ ଏ ଅଞ୍ଚଳରେ ; ଆଜି ମୋ' ନାକନିଶ ତଳେ ପଡ଼ିଛି ଏଭଳି ଗୋଟେ ପୁଅ ପାଇଁ ।" ପ୍ରଜ୍ଞାପ୍ରିୟା ନାଚ଼ାର ; କ'ଣ ବା ଆଉ ସେ କରିପାରିବେ ? ତଥାପି ତାଙ୍କର ରଙ୍କର ରତନ ଏକୋଇର ବଳା ବିଶିକେଶନ ପାଇଁ ମୁମ୍ବଡ଼ିଆ ଯୁକ୍ତିରେ ମିଛ ପ୍ରତିବାଦ ବାଢ଼ି ପୁଅର ଦୋଷ ଦୁର୍ବଳତାକୁ ନିଜ ପଣତକାନିରେ ଢ଼ାଙ୍କିବାକୁ ପ୍ରଚ଼େଷ୍ଟା କରି ସ୍ବାମୀଙ୍କର ଗାଳି , ଅଭିମାନ ଆଦିକୁ ସୁଧାରସ ମନେକରି ପାନ କରି ଚ଼ାଲିଛନ୍ତି । ଚ଼ିତ୍ରସେନ ଲଫଙ୍ଗା ପାଲଟି ଯାଇଛି କହିଲେ ଚ଼ଳେ । ପ୍ରତିଦିନ ଗୋଟେ ଗୋଟେ କଲେଜ ଝିଅଙ୍କୁ ଧରି ପାର୍କ୍ , ନଈକୂଳ , ହୋଟେଲ୍ରେ ଘୁରି ବୁଲୁଛି । କଲେଜ ଯିବା ନାଁରେ କୁଆଡେ କୁଆଡ଼େ ଯାଉଛି ତା'ର ହିସାବ ନାହିଁ । ସରମରେ ସଢ଼ି ଯାଉଛନ୍ତି ରତିକାନ୍ତ । ତାଙ୍କର ଡ଼ାକ୍ତର ସହକର୍ମୀ ଓ ଅଞ୍ଚଳ ବାସିନ୍ଦାଙ୍କ ଟୁପୁରୁଟାପୁରୁ କଥାବାର୍ତ୍ତା - ଚୁଗୁଲିଚ଼ପଟ ଶୁଣି ଶୁଣି ସ୍ତମ୍ଭୀଭୁତ ପ୍ରାୟ ସେ । ନିଜେ ନିଜକୁ ଘୃଣା କରିବାକୁ ଲାଗିଲେଣି । ସ୍ତ୍ରୀ ପ୍ରଜ୍ଞାପ୍ରିୟା ବି ଚ଼ିନ୍ତିତ । କିନ୍ତୁ "ଆପଣା ସୁନା ଭେଣ୍ଡି" ବୋଲି ଜାଣି ବି ସେ ମୁକ ଓ ବଧିର । କିନ୍ତୁ "ଚ଼ିନ୍ତା ଖାଏ ଗଣ୍ଡି - ଲୁଣ ଖାଏ ହାଣ୍ଡି" ନ୍ଯାୟରେ ସେ ଚ଼ରାଚ଼ର ।
ହଠାତ୍ ଦିନେ ଆଖି ବୁଜିଦେଲେ ଶଯ୍ୟାଶାୟୀ ରତ୍ନାକର ରାୟ । ପରିଶ୍ରମୀ , ମେଳାପୀ ଏବଂ ସତ୍ଯ - ନ୍ଯାୟର ପୂଜାରୀଙ୍କ ବିୟୋଗରେ ଅଞ୍ଚଳ ସାରା ଖେଦିଗଲା ବାର୍ତ୍ତା ଓ ଖେଳିଗଲା ଶୋକର ଛାୟା । ସେ ଯାହା ଯେମିତି ହେଉ ପଛେ ସରିଗଲା ଶୁଦ୍ଧିକ୍ରିୟା । ଭଲ ନପଢ଼ିଲେ ବି ପୁଅ ଚ଼ିତ୍ରସେନ କଲେଜରୁ ଉତ୍ତୀଣ୍ଣ ହୋଇ ପୋଷ୍ଟ ପିଅନ ଚ଼ାକିରୀ ପାଇଁ ବାରମ୍ବାର ଆପ୍ଲାଇ କରି ବିଫଳ ହୋଇ ଘରେ ବସିଛି । ଚ଼ାକିରୀ ନଥିବାରୁ ବାହାଘର ହୋଇପାରୁନି । ତା'ର ଚ଼ରିତ୍ର ସଂହାର କରିବାରେ ଲାଗି ପଡ଼ିଛନ୍ତି ଜନସାଧାରଣ । ଅନ୍ତରରୁ ଭଲପାଉଥିବା ଝିଅ ଚ଼ିତ୍ରାଙ୍ଗଦାର ପରିବାର ବି ଡ଼ି ବସିଛନ୍ତି ଚ଼ାକିରୀ ନକଲେ ଆମ ଝିଅକୁ ଭୁଲିଯାଅ । ଚ଼ିତ୍ରସେନ କହେ - "ମୋ' ବୋପାର ସମ୍ପତ୍ତିର ଅଭାବ ନାହିଁ ; ଆଜି ନହୋଇଛି କାଲି ଚ଼ାକିରୀ ହେବ । ବିଭାଘରରେ ଅସୁବିଧା କ'ଣ ?" "ବସି ଖାଇଲେ ନଈବାଲି ସରେ" ବୋଲି ସର୍ବତ୍ର ଶୁଣିବାକୁ ମିଳେ ତାକୁ । ଏମିତି କିଛିଦିନ ଗଡ଼ି ଚ଼ାଲିଲା । ହଠାତ ଦିନେ ଖବରକାଗଜରେ ଶିକ୍ଷକ ନିଯୁକ୍ତି ଖବର ଦେଖି ବ୍ଲକ୍ଗ୍ରାଣ୍ଡ୍ ଟିଚ଼ର୍ ଭାବରେ ଫର୍ମ୍ ପକାଇଲା । ଭାଗ୍ଯକୁ ସଫଳତା ଆସି ହାତମୁଠାରେ ଧରା ଦେଲା । ଚ଼ାକିରୀ ପାଇଲା ଏବଂ କିଛି ବର୍ଷ ପରେ ରେଗୁଲାର ହୋଇଗଲା । ବାହାଘର ପାଇଁ ରାଜି ହେଲେ ଏବେ ଝିଅଘର ପରିବାର । ଦିନ - ବାର ଧାର୍ଯ୍ୟ ହେଲା ଓ ଭଲରେ ଭଲରେ ସରିଲା ବାହାଗର ।
କିଛିବର୍ଷ ବିତିଗଲା । ଦୀର୍ଘ ତିନି ବର୍ଷ କାଳ କୋଳଶୂନ୍ଯତାର ବିଷାଦରେ ଭାଙ୍ଗିପଡ଼ି କେତେ ଦିଅଁ ଦେବତା ପୂଜା କଲା ପରେ ହଠାତ ଦିନେ ଶୁଭ ଖବର ପାଇ ଆନନ୍ଦରେ ଫାଟି ପଡ଼ିଥିଲା ପରିବାର । ଚ଼ିତ୍ରାଙ୍ଗଦା ମାଆ ହେବାକୁ ଯାଉଛି ବୋଲି ଡ଼ାକ୍ତର କହିବା ପରେ ଖୁସିର ଲହରୀ ଖେଳି ଯାଇଥିଲା ପରିବାରରେ । ସମୟ ଗଡ଼ିବା ସହ ଚ଼ିତ୍ରସେନ ବାପା ହୋଇଗଲା କିଛିଦିନ ପରେ । ସର୍ବାନନ୍ଦ ପ୍ରାପ୍ତ କଲେ ପରିବାର ଓ ଗ୍ରାମବାସୀ । ପୁଅଟିଏ ହୋଇଛି ବୋଲି ସମସ୍ତେ ଖୁସି ହୋଇଗଲେ । ଶ୍ରଦ୍ଧାରେ ତା'ର ନାମ ରଖିଲେ ଦେବାଞ୍ଜନ । ଚ଼ନ୍ଦ୍ରକଳା ପରି ବଢ଼ି ଚ଼ାଲିଲା ଶିଶୁଟି । ବିଦ୍ଯାଳୟରେ ନାମ ଲେଖାଇଲା । ଦିନେ ବିଦ୍ଯାଳୟରେ କିଛି କଥାକୁ ନେଇ ପ୍ରଧାନଶିକ୍ଷକଙ୍କ ସହିତ ବଚ଼ସା ହେଲା । ରାଗରେ ଇସ୍ତଫା ଦେଇ ଚ଼ାଲି ଆସିଲା ଚ଼ିତ୍ରସେନ । ବାପା ରତିକାନ୍ତ ଓ ମାଆ ପ୍ରଜ୍ଞାପ୍ରିୟା ସେତେବେଳକୁ ଇହଲୀଳା ସମ୍ବରଣ କରିସାରିଥିଲେ । ରତିକାନ୍ତ ଚ଼ାକିରୀ ଛାଡ଼ିଦେଇ ଘରେ ବସିଲା । ସ୍ତ୍ରୀ ଚ଼ିତ୍ରାଙ୍ଗଦା ଏବେ ଚ଼ିନ୍ତାରେ ପଡ଼ିଗଲେ । ସ୍ବାମୀଙ୍କର ଚ଼ାକିରୀ ନାହିଁ ; ତେଣୁ ଚ଼ଳିବେ କେମିତି ? ପଚ଼ାରିବାରୁ ଚ଼ିତ୍ରସେନ କହେ - "ମୋର ଅଚ଼ଳାଚ଼ଳ ସମ୍ପତ୍ତି ଅଛି , ଅସୁବିଧା ନାହିଁ ଚ଼ଳିବାରେ । ମୁଁ କାହାର ଆଜ୍ଞାଧୀନ ହୋଇ ରହିବାକୁ ନାପସନ୍ଦ କରେ । ସେ ପ୍ରଧାନଶିକ୍ଷକ ହେଲା ବୋଲି କ'ଣ ମୁଣ୍ଡରେ ଚ଼ଢ଼ିବ ?"
ଏକଥା ଶୁଣି ବିସ୍ମିତ ଚ଼ିତ୍ରାଙ୍ଗଦା । ପାଗଳ ପରି କଥାବାର୍ତ୍ତା କରୁଥିବା ବେରୋଜଗାରିଆ ସ୍ବାମୀକୁ କିଛି କହିବାକୁ ସାହସ ନାହିଁ । ଚ଼ିନ୍ତାରେ ଚ଼ିନ୍ତାରେ କଟି ଯାଉଥିଲା ଦିନ ଗୁଡ଼ାକ । ପୁଅ ଦେବାଞ୍ଜନ ଦ୍ବିତୀୟ ଶ୍ରେଣୀର ଛାତ୍ର ଥିଲା । ସେତେବଳେ ପାଞ୍ଚମାଣ ଜମି ବିକ୍ରି କରିସାରିଥାଏ ଚ଼ିତ୍ରସେନ । ଚ଼ାଷ କରିବା ବଦଳରେ ଜମି ବିକି ଖାଦ୍ଯ - ବସ୍ତ୍ରର ବ୍ଯବସ୍ଥା କରି ବଞ୍ଚୁଥିବା ବୋକା ମଣିଷ ତା' ପରି ଏ ସଂସାରରେ ଆଉ କେହି ନାହିଁ । ଧିରେ ଧିରେ ସଙ୍କଟର ସମୟ ଆଗତ ହେବାରେ ଲାଗିଲା । ଏମିତିକି କଂସାବାସନ ବି ବନ୍ଧା ପକାଇ ସାରିଥାଏ ଚି଼ତ୍ରସେନ । ଆଉ କେବଳ ଘର ଖଣ୍ଡିକ ଛଡ଼ା ଅନ୍ୟ କିଛି ନଥାଏ ତା' ପାଖରେ । ଶେଷରେ ଜେଜିବାପାର ଶାଳଘରକୁ ସଜଡ଼ା ସଜଡ଼ି କରି ଲୁହା କାମ କରିବାର ନିଷ୍ପତ୍ତି ନେଇ ଉକ୍ତ କାର୍ଯ୍ୟରେ ନିୟୋଜିତ ହେଲା ଚ଼ିତ୍ରସେନ । ଚ଼ିତ୍ରାଙ୍ଗଦା ଭାବୁଥିଲା ତା'ର ଭବିଷ୍ଯତ ଓ ତା' ପୁଅ ଦେବାଞ୍ଜନର ଭବିଷ୍ଯତ କଥା । କ'ଣ ହେବ ଆମର ଭବିଷ୍ଯତ ? ତର୍ଜମା କରୁଥିଲା ଅତୀତ ଓ ବର୍ତ୍ତମାନକୁ ; ତଉଲୁଥିଲା ନିକିତିର ଦୁଇ ପଲାରେ । ଅତୀତର ସୁଖ ଅପେକ୍ଷା ବର୍ତ୍ତମାନର ଦୁ଼ଃଖ ବହୁତ ଭାରି ଥିଲା ; ତେଣୁ ତଳକୁ ଓହଳି ରହିଥିଲା । ମାଟି ଛୁଇଁବାକୁ ଗଲାଣି ବର୍ତ୍ତମାନର ବିଷମ ସଙ୍କଟ । ଯୋଉଦିନ ମାଟି ଛୁଇଁବ ସେଦିନ ଭୂକମ୍ପ ସୁନିଶ୍ଚିତ । ସବୁକିଛି ମାଟି ମାଆର କୋଳରେ ଲୀନ ହୋଇଯିବ । ନିରବରେ ଅଶ୍ରୁପାତ କରି ଚ଼ାଲିଥିଲା ଚ଼ିତ୍ରାଙ୍ଗଦା ।
ଚ଼ିତ୍ରସେନ ବି ଅନୁତପ୍ତ ଥିଲା ; ପୂର୍ବ ଅର୍ଜିତ କର୍ମଫଳର ଭୋଗାଭୋଗ ଇଏ ବୋଲି ଜାଣି ନିଜକୁ ଧିକ୍କାର କରି ଚ଼ାଲିଥିଲା । ନିରବରେ ଢ଼ାଳି ଚ଼ାଲିଥିଲା ଲୋତକ ଲୋଚ଼ନ ଦ୍ବୟରୁ । ପୁଅ ଦେବାଞ୍ଜନ ଛୋଟ ହେଲେ ବି ବୁଝି ପାରୁଥିଲା ପରିସ୍ଥିତିକୁ । ସେଥିପାଇଁ ସବୁକିଛିକୁ ସମ୍ଭାଳି ନେଇଯାଉଥିଲା ସେ ; ଅଳି ଅଝଟ ବି କିଛି ନଥିଲା ତା'ର । ହଠାତ୍ ଦିନେ ଘଟିଗଲା ଏକ ଅଘଟଣ । ଅନେକ ଚ଼ିନ୍ତାଗ୍ରସ୍ତ ହୋଇ ହୃଦ୍ଘାତାକ୍ରାନ୍ତ ଥିବା ଚ଼ିତ୍ରାଙ୍ଗଦା ହଠାତ୍ ଆଖି ବୁଜିଦେଲେ । ପରିବାରରେ ଘୋଟିଗଲା ବିଷାଦ କାଳିମା ; ଆଲୋକର ଅପସାରଣ ପରେ ଅନ୍ଧାରର ଆଗମନ ପରି ସବୁକିଛି ଅନ୍ଧାର । ଆଗକୁ ବଢ଼ିବା ପାଇଁ କୌଣସି ବି ପଥ ଦୃଶ୍ଯ ହେଲାନାହିଁ । ସେତେବଳକୁ ପୁଅ ଦେବାଞ୍ଜନ ଚ଼ତୁର୍ଥ ଶ୍ରେଣୀର ଛାତ୍ରଟିଏ । ମାଆ ମରିଗଲା ପରେ ମାଆ ଛେଉଣ୍ଡ ହୋଇପଡ଼ିଲା ଦେବାଞ୍ଜନ । ତଥାପି ବାପା ଚ଼ିତ୍ରସେନ ତା'ର ବାପା-ମାଆ ଉଭୟ ହୋଇ ତାକୁ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ କରିଲେ ନାହିଁ । ବହୁ କଷ୍ଟରେ ଚ଼ଳିଲେ ବାପ-ପୁଅ ଦିହେଁ ।
ଦିନକର ଘଟଣା ; ସ୍ତ୍ରୀଙ୍କୁ ହରାଇବା ଦୁ଼ଃଖରେ ଭାଙ୍ଗି ପଡ଼ିଥିବା ଚ଼ିତ୍ରସେନ ଦିନେ ବଜାରରୁ ଚ଼ାଲି ଚ଼ାଲି ଫେରୁଥିବା ବେଳେ ରାସ୍ତା ପାରି ହେବା ସମୟରେ ଏକ ମାଟାଡ଼ୋର ଧକ୍କାରେ ଛିଟିକି ପଡ଼ିଲେ ଅନେକ ଦୂରକୁ । ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡ଼ିକାଲରେ ଆଡ୍ମିଟ୍ କରାଗଲା ତାଙ୍କୁ । ବାପାଙ୍କ ଦୁର୍ଘଟଣା ଖବର ଶୁଣି ବିଚ଼ଳିତ ହୋଇ ପଡ଼ିଥିଲା ପୁଅ ଦେବାଞ୍ଜନ । ଗ୍ରାମବାସୀ ଓ ସ୍ବୟଂସହାୟକ ଗୋଷ୍ଠୀଙ୍କ ସାନ୍ତ୍ବନାରେ ଶାନ୍ତ ପଡ଼ିଯାଇଥିଲା ସିନା ତା'ର ମନଟା ; ହେଲେ ଭିତରେ ଭିତରେ କୋହ ଗୁଡ଼ାକ ଜମାଟ ବାନ୍ଧି ରହିଥିଲା । ଲୁଚ଼ି ଲୁଚ଼ି ସେସବୁ କୋହକୁ ଉଦ୍ଗାରୁ ଥିଲା ସେ । ଭଲ ହୋଇ କିଛିଦିନ ପରେ ଘରକୁ ଫେରିଲା ଚ଼ିତ୍ରସେନ । ହେଲେ ପରିତାପର ବିଷୟ ଯେ ,ସେ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ସାରିଥିଲା ଚ଼ିତ୍ରସେନ । ଦିନ ପରେ ଦିନ ଦୁ଼ଃଖ ଓ ଯନ୍ତ୍ରଣାକୁ ପାଥେୟ କରି ବଞ୍ଚି ଚ଼ାଲିଥିଲେ ବାପ-ପୁଅ । ଆଶାବାଡ଼ି ସାଜିଥିଲା ଚ଼ିତ୍ରସେନର ଚ଼ିର ସାଥି ।
ଏକଦିନକର ଘଟଣା ; ଦିନେ ବିଦ୍ଯାଳୟରେ ଶିକ୍ଷକ ପିଲାଙ୍କୁ ପଢ଼ାଇବା ବେଳେ ଦେଇଥିବା ହୋମ୍ୱାର୍କ୍ ମାଗିଲେ । ସମସ୍ତେ ଖାତା ସବୁ ବଢ଼ାଇ ଦେଲେ । କିନ୍ତୁ ଦେବାଞ୍ଜନ ଦେଲା ନାହିଁ । ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ , ଦେବାଞ୍ଜନ କାହିଁକି ଦେଲାନି ବୋଲି ପ୍ରଶ୍ନ ଉଠିଲା ତାଙ୍କ ମନରେ । ସେ ଦେବାଞ୍ଜନ ପାଖକୁ ଆସି ପଚ଼ାରିବାରୁ ଉତ୍ତର ଆସିଲା - "ମୁଁ ହୋମ୍ୱାର୍କ୍ କରିପାରିନି ସାର୍ ।" ଶିକ୍ଷକ ରାଗିଗଲେ ଏବଂ ବେତବାଡ଼ିରେ ଦି'-ଚ଼ାରି ପାହାର କସିଦେଲେ ତା' ପିଠିରେ । ଦେବାଞ୍ଜନ "ମରିଗଲି , ମରିଗଲି" ବୋଲି ରଡ଼ି ଛାଡୁଥାଏ । ଶିକ୍ଷକ କହିଲେ -" କ'ଣ ପାଇଁ ବେଖାତିର କଲୁ ? ପାଠ ପଢ଼ିବୁନି ତ କ'ଣ କରିବୁ ? କ'ଣ ଗୋବର ଗୋଟେଇବୁ କି ? ବାପା-ମାଆ ସ୍କୁଲ୍ ଛାଡୁଛନ୍ତି କ'ଣ ପାଇଁ ? ସମସ୍ତେ କଲେ ହେଲେ ତୁ କାହିଁକି କଲୁନି ?" ଦେବାଞ୍ଜନ କିଛି କହି ନପାରି ନିରବ ରହିଲା । ଖେଳଛୁଟି ହେଲା ; ଶିକ୍ଷକଙ୍କ ମନ ଅସ୍ଥିର ଥିଲା । ପିଲାଟିକୁ ବହୁତ ପିଟିଛନ୍ତି ବୋଲି ଅନୁତପ୍ତ ଥିଲେ । ପିଲାଟିକୁ ଡ଼କାଇ ପଠାଇଲେ ଅନ୍ୟ ପିଲାଙ୍କ ଦ୍ବାରା । ପିଲାଟି ଆସି ପହଞ୍ଚି ଗଲା ବିଦ୍ଯାଳୟର କାର୍ଯ୍ୟାଳୟରେ ।
ଶିକ୍ଷକଙ୍କ ବଦନଟି ବିଷାଦରେ ଝାଉଁଳି ପଡ଼ିଥିବା ବେଳେ ଦେବାଞ୍ଜନର ବି ସମରୂପ । ଶିକ୍ଷକ କହିଲେ - "ମୁଁ ତୋତେ ଆଜି କେତେ ପିଟିଲି ; ବହୁତ ଖରାପ ଲାଗୁଛି । ଭଲ ପଢ଼ୁଥିଲୁ ତୁ , ହେଲେ ହୋମ୍ୱାର୍କ୍ କାହିଁକି ଆଜି କରିପାରିଲୁନି ? କ'ଣ ଅସୁବିଧା ହେଲା ତୋର ବାବା ?" ପିଲାଟି କିନ୍ତୁ ନିରବ ଥିଲା । ବହୁତ ସାକୁଲେଇ ପଚ଼ାରିବାରୁ ପିଲାଟି କହିଲା - "ମୁଁ ଘର କାମରେ ବ୍ଯସ୍ତ ଥିଲି ସାର୍ । ରୋଷେଇ କରୁଥିଲି ।" ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ । "ତୁ ରୋଷେଇ କରୁଥିଲୁ !!" - ଆଶ୍ଚର୍ଯ୍ୟର ସହ ପ୍ରଶ୍ନଟିଏ କଲେ ଶିକ୍ଷକ । ପିଲାଟିର ମୁହଁ ଶୁଖି ଯାଇଥିଲା । ଶିକ୍ଷକ କହିଲେ - "ତୁ କ'ଣ ରୋଷେଇ କରୁଥିଲୁ ? ମାଆ କୁଆଡ଼େ ଗଲେ କି ?" ପିଲାଟି ଆଖିରୁ ଝରିଗଲା ଦୁଇଧାର ଲୁହ । ଶିକ୍ଷକ ଆହୁରି ଆଶ୍ଚର୍ଯ୍ୟ ହୋଇ ପଚ଼ାରିଲେ - "କ'ଣ ହେଲା ବାବା , କାନ୍ଦୁଛୁ କାହିଁକି ?" ସକେଇ ହୋଇ ପିଲାଟି କହିଲା - "ମୋର ମାଆ ନାହିଁ ; ମୁଁ ଦ୍ବିତୀୟ ଶ୍ରେଣୀରେ ପଢ଼ିବା ବେଳେ ମୋ' ମାଆ ମତେ ଛାଡ଼ି ବହୁଦୂରକୁ ଚ଼ାଲିଯାଇଛି ।" ଶିକ୍ଷକଙ୍କର ବି ଦୁଇ ଆଖି ଓଦା ହୋଇ ଆସିଲା । ପଚ଼ାରିଲେ - "ଆଉ ବାପା ?" ପିଲାଟି ଉତ୍ତର ଦେଲା - "ବାପା ଅଛନ୍ତି ; କିନ୍ତୁ ସେ ଏକ ଦୁର୍ଘଟଣାରେ ଗୋଟେ ଗୋଡ଼ ହରେଇ ବସିଛନ୍ତି । କାଲି ସେ ବହୁଦୂରକୁ ଯାଇଥିଲେ । ଆଶାବାଡ଼ି ଧରି ଚ଼ାଲି ଚ଼ାଲି ଆସୁଥିଲେ । ତେଣୁ ତାଙ୍କର ଦେହ ବଥା ହେଉଥିଲା ବୋଲି ମୁଁ ସେବା କରୁଥିଲି । ସେହିଲାଗି ହୋମ୍ୱାର୍କ୍ କରିପାରିନି ସାର୍ ।" କୋହ ଗୁଡ଼ାକ ଯେମିତି ଲହରୀ ଭାଙ୍ଗୁଥିଲା ଦେବାଞ୍ଜନର ବୁକୁ ବିବରରେ । ଭୋ' ଭୋ' ହୋଇ କାନ୍ଦି ଉଠିଲା ସେ ।
ଶିକ୍ଷକ ଜଣକ ବି ମଥାରେ ହାତ ଦେଇ କାନ୍ଦିବାକୁ ଲାଗିଲେ । କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଶିକ୍ଷକ , କିରାଣି ଓ ଚ଼ପରାଶିଙ୍କ ନେତ୍ର ସିକ୍ତ ହୋଇଗଲା । ସମସ୍ତେ ଆସି ପିଲାଟିକୁ କୁଣ୍ଢାଇ ପକାଇ ଢ଼ାଳି ଚ଼ାଲିଲେ ଅଶ୍ରୁ । ସମସ୍ତଙ୍କର ନିଷ୍ପତ୍ତି କ୍ରମେ ବିଦ୍ଯାଳୟର ଶିକ୍ଷକ ଓ କର୍ମକର୍ତ୍ତା ମିଶି ଗଲେ ଦେବାଞ୍ଜନର ଘରକୁ । ସତକୁ ସତ ଚ଼ିତ୍ରସେନକୁ ଦେଖି ହତବାକ୍ ହୋଇଗଲେ । ତା' ଠାରୁ ସବୁ ଶୁଣି ବହୁ ଧିକ୍କାର କଲେ ତାକୁ । ତା'ର କୃତକର୍ମ ପାଇଁ ଆଜି ଏପରି ଦିନ ଦେଖିବା ପାଇଁ ମିଳିଲା । କିଛି କରିପାରିବାର ଉପାୟ ବି ନାହିଁ । ତଥାପି ସମସ୍ତଙ୍କର ସହଯୋଗ କ୍ରମେ ସରକାରୀ ସହାୟତାରେ ତା' ପାଇଁ ଦିବ୍ଯାଙ୍ଗ ଭତ୍ତା ଏବଂ ପିଲାଟିର ପଢ଼ା ଖର୍ଚ୍ଚ ମିଳିଗଲା । ଏବେ ପିଲାଟି ଷଷ୍ଠ ଶ୍ରେଣୀର ଛାତ୍ର ।
ସତରେ ,"କର୍ମ ଘେନି ଫଳ" କଥାଟି ମିଥ୍ଯା ନୁହେଁ । ସେଲାଗି ତ କଥାରେ ଅଛି - "ଆପେ ଅର୍ଜିଲା କର୍ମମାନ / ଆଗୁ ହୋଇବ ସାବଧାନ ।" ଯଦି ସେ ନିଜ ଗର୍ବ , ଅହଙ୍କାର ଏବଂ ବଡ଼ିମା ଦେଖାଇ ଚ଼ାକିରୀ ଛାଡ଼ି ନଥା'ନ୍ତା , ତେବେ ଆଜିର ଏ ଦିନ ଦେଖିବାକୁ ପଡ଼ି ନଥା'ନ୍ତା ତାକୁ । ନିଜର କ୍ଷତି ଘଟାଇବା ସହ ପିଲାଟିର ଭବିଷ୍ଯତ ଆଜି ଅନ୍ଧାର ଘେରରେ ନଥା'ନ୍ତା , ଯଦି ସେଦିନ ସେ ସଚେ଼ତନ ହୋଇପାରିଥା'ନ୍ତା । ତେଣୁ ଏଠି ସୁଖ ବେଳେ ଅୟସ କରି ସମ୍ପତ୍ତିର ଦ୍ବାହି ଦେଇ କରିଥିବା କର୍ମ ସବୁକୁ ତର୍ଜମା କରି ଅନୁତପ୍ତ ଥିଲା ଚ଼ିତ୍ରସେନ ; କିନ୍ତୁ ବହିଗଲା ପାଣି କ'ଣ ପଛକୁ ଫେରେ ? ଏଠି ଶିକ୍ଷା ମିଳିଲା ତାକୁ , ଦୁ଼ଃଖ ହେଉଛି ପ୍ରକୃତ ଶିକ୍ଷକ । ହେଲେ ବୁଝିଲା ବେଳକୁ ସବୁକିଛି ଓଲଟପାଲଟ ହୋଇସାରିଥିଲା ତା'ର । ବଦଳି ଯାଇଥିଲା ପରିବେଶ ଓ ପରିସ୍ଥିତି । ଲେଡ଼ି ଗୁଡ଼ କହୁଣିକୁ ବୋହି ସାରିବା ପରେ ଆଉ କି ଜିହ୍ୱା ସ୍ପର୍ଶ କରିବ ତାକୁ ? ତେଣୁ ବୁଝି ବିଚ଼ାରି କାର୍ଯ୍ୟ କରିବା ମଣିଷର କର୍ତ୍ତବ୍ୟ ଅଟେ ।
¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥
ଭାଟପଡ଼ା ,ନିରାକାରପୁର,କଣାସ,ପୁରୀ
ସମ୍ପର୍କ ସ୍ଥାପନ - ୮୯୧୭୪୮୦୫୩୬
¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥
- Get link
- X
- Other Apps
Comments
Post a Comment