ଏମିତି ବି ହୁଏ !

               ଶିବ ପ୍ରସାଦ ବାହିନୀପତି 

                           ସମ୍ପାଦକ - ଉଦୟ ଭାନୁ 

     ଛୋଟ ଏକ ପଡ଼ାଟିଏ ; ପଚ଼ାଶଟି ଘରର ସମଷ୍ଟି । ସମସ୍ତେ ଦୀନ ଦୁଃଖୀ ପରିବାରର ; ଚ଼ାଷବାସ ମୂଲ ମଜୁରୀ କରି ଚ଼ଳନ୍ତି । ଛାତଘର ତ ସ୍ବପ୍ନ ସେହି ପଡ଼ାରେ । ମାଟିକାନ୍ଥ ଓ ଚ଼ାଳଛପର ଘର ସମସ୍ତଙ୍କର । ସେହି ପଡ଼ାର ବାସିନ୍ଦା ଥିଲେ ରାମଧୂନ୍‌ ରାଉତରାୟ । ପରିବାର କହିଲେସେ ନିଜେ , ସ୍ତ୍ରୀ ରାଲି , ପୁଅ ମକରଧ୍ବଜ , ଝିଅ ଚନ୍ଦ୍ରାନନୀ । ମୂଲ ମଜୁରୀ କରି ଚ଼ଳନ୍ତି । ଏ ପରିବାରର ଏକମାତ୍ର ରୋଜଗାରିଆ ଲୋକ ଥିଲେ ରାମଧୂନ୍‌ । ପୁଅ ମକରଧ୍ବଜ ବାଳୁଙ୍ଗା ; ଅବୋଲକରାଟିଏ । ଦଶମ ଶ୍ରେଣୀ ପରୀକ୍ଷାରେ ତିନି ତିନି ଥର ଅକୃତକାର୍ଯ୍ୟ ହୋଇ ଘରେ ବସି ରହିଛି । ଖାଇପିଇ ଅନ୍ନ ଧ୍ବଂସ କରିବା ସହିତ ବାଜ୍ଯ ସାଙ୍ଗସାଥିଙ୍କ ମେଳରେ ପଡ଼ି ନିଜ ଜୀବନକୁ ମାଟି କରି ପକାଇଛି । ପୂରା ଅଳସୁଆଟାଏ କହିଲେ ଚ଼ଳେ ; କୁଟା ଖଣ୍ଡକ ଦୁଇ ଖଣ୍ଡ କରୁନି । ସମ୍ପୂର୍ଣ୍ଣ ଗଜମୁର୍ଖ କହିଲେ ବି ଅତ୍ଯୁକ୍ତି ହେବନି । ରାମଧୂନ୍‌ ବହୁତ ଚ଼ିନ୍ତିତ ଥା'ନ୍ତି ପୁଅ ମକରଧ୍ବଜକୁ ନେଇ । ମୁଣ୍ଡ ଉପରେ ଝିଅର ବୋଝ ; ଆଉ ଦୁଇ ବର୍ଷ ଘରେ ରହିବ କି ନା ସନ୍ଦେହ । ପାଖରେ ଧନ ନାହିଁ ; ଝିଅ ବାହାଘର ପାଇଁ ଖଣ୍ଡେ ବି କିଛି ଜିନିଷ କିଣା ହୋଇନି । ଏଣେ ରାତି ପାହିଲେ ପେଟ ଚ଼ିନ୍ତା ; ଦେହ ପା', କୁଣିଆ ମୈତ୍ର ଓ ବନ୍ଧୁବାନ୍ଧବ କଥା ଏକା ବୁଝିଲା ବେଳକୁ ବହୁତ କଷ୍ଟ ଅନୁଭବ କରନ୍ତି ରାମଧୂନ୍‌ । ଏତେ ସବୁ କଥା ଭାବି ଭାବି ଭାଙ୍ଗି ପଡ଼ନ୍ତି ସେ । ପୁଅକୁ ବି ବୟସ ଢ଼େର୍‌ ଅଧିକ ହୋଇଗଲାଣି । ଏବର୍ଷ ତାକୁ ପଇଁତିରିଶି ପୂରି ଛତିଶି ବର୍ଷ ଚ଼ାଲିଲା । ଚ଼ାରି ବର୍ଷ ହେଲାଣି ତା' ପାଇଁ ଖୋଜା ଚ଼ାଲିଛି ପ୍ରସ୍ତାବ । 

   ପ୍ରସ୍ତାବ ଖୋଜି ଖୋଜି ଥକି ପଡ଼ିଲେଣି ରାମଧୂନ୍‌ । କୋଉଠୁ ବି କୁଆଡ଼ୁ ଠିକ୍‌ ହୋଇ ପାରୁନି । କେତେ କୁଆଡେ ବୁଲି ସାରିଲେଣି ବାପା ରାମଧୂନ୍‌ ; ବୟସ ଗଡ଼ି ଯାଉଛି ବୋଲି ମାଆ ରାଲି ବି ଚ଼ିନ୍ତିତ । ମାଆ ରାଲି ବି ହୃଦ୍‌ରୋଗୀ ; ବାପାଙ୍କ ବୟସ ବି ଖସିଲାଣି । ଏଣେ ଝିଅଟା ବି ଘରେ ବସିଛି । ଘରକୁ ବୋହୂଟିଏ ଆସିଲେ ଝିଅ ଚନ୍ଦ୍ରାନନୀ ପରଘରକୁ ଯାଆନ୍ତା । ଘର ସମ୍ଭାଳିବାରେ ଆଉ ଅସୁବିଧା ହୁଅନ୍ତା ନାହିଁ । କ'ଣ କରିବେ ଆଉ ? ସବୁ କର୍ମର ଦୋଷ । କିଏ ଆସି ଦେଖିଦେଇ ମନା କରି ଯାଉଛି ତ ଆଉ କିଏ କିଛି ବି ଉତ୍ତର ନ ଦେଇ ନିରବ ରହିଯାଉଛି ; ଆଉ କେହି କେହି ରାଜି ବି ହେଉ ନାହାନ୍ତି ମୂଳରୁ । ଅକର୍ମା ଅବୋଲକରାକୁ କିଏ କାହିଁକି ବିବାହ କରିବ ? କେହି କେହି ତ ମୁହେଁ ମୁହେଁ  ମନା କରି ଦେଉଛନ୍ତି ଯେ - " ତୁମ ପୁଅକୁ ଜୋଇଁ କରିବା ଅପେକ୍ଷା ଝିଅକୁ ନିଜ ହାତରେ ଶଙ୍ଖି ଚ଼ିପି ଶେଷ କରିଦେବା ଭଲ ।" ଏତେ ସବୁ ଶୁଣି ଶୁଣି ଛାତିକୁ ପଥର କରି ପଡ଼ି ରହିଛନ୍ତି ପରିବାର ଲୋକେ । 

     ଗାଁ ଲୋକଙ୍କ ଟାହିଟାପରା ଓ ମାଇପି ମାନଙ୍କ ଚୁଗୁଲିଚ଼ପଟ ; ନନ୍ଦଛନ୍ଦ କହି ଦେଖେଇ ଶିଖେଇ ବୋଲି ମାରିବା ଆଦିକୁ ସହିବାକୁ ପଡୁଛି ଧୈର୍ଯ୍ୟର ସହିତ । ଅସହ୍ୟ ହେଲେ ବି ଆଉ କ'ଣ କରାଯିବ ? ସହିବାକୁ ତ ପଡ଼ିବ ନା ! ଭଲ ହେଉ କି ମନ୍ଦ ; ଯେତେ ଯାହା ହେଉ , ପୁଅଟାକୁ ମାରି ଦେବେ ନା କ'ଣ ! କାହାକୁ କହିବେ ? କପାଳରେ ସିନା କର ମାରିବେ ! ଦିନଯାକ ମୂଲ ମଜୁରୀର ଶ୍ରମ ସାଙ୍ଗକୁ ଚ଼ିନ୍ତା ଭୂତାକ୍ରାନ୍ତ ଏବଂ ରାତିରେ ଅନିଦ୍ରା ରହି ତକିଆ ଖୋଳକୁ ଅଶ୍ରୁ ଜଳରେ ଭିଜାଇବା ଥିଲା ପରିବାରର ଦୈନନ୍ଦିନ କାର୍ଯ୍ଯ । ସତେ ଅବା କେଉଁ ଜନ୍ମର କାହା ଅଭିଶାପ । 

    ଦିନକର ଘଟଣା ; ରାତି ପ୍ରାୟ ସାଢ଼େ ଆଠଟା । ଖିଆପିଆ ଆରମ୍ଭ କରିବାକୁ ପ୍ରସ୍ତୁତ ପରିବାର । ମକରଧ୍ବଜ ଦାଣ୍ଡରେ ସାଙ୍ଗସାଥିଙ୍କ ସହ ଖଟି କରି ବସିଛି । ଏଯାଏଁ ଫେରିନି ଘରକୁ । ସ୍ତ୍ରୀ ରାଲି ଖାଇବା ବାଢ଼ିଲେ ବାପ - ଝିଅଙ୍କ ପାଇଁ ଏବଂ ସେମାନେ ସମସ୍ତେ ଖାଇ ସାରିଲେ ଖାଇବେ ବୋଲି ଅପେକ୍ଷା କରି ବସିଲେ । ଖାଇବା ଭିତରେ ଭଲମନ୍ଦ ଆଲୋଚ଼ନା ଚ଼ାଲିଲା । ସ୍ତ୍ରୀ ରାଲି କହିଲେ ସ୍ବାମୀଙ୍କୁ -
- ପୁଅ ପାଇଁ କୁଆଡ଼ୁ ପ୍ରସ୍ତାବ ଜୁଟିଲା କି ?
- ନା , କୋଉଠି ବି ଠିକ୍‌ ହୋଇ ପାରୁନି । କାମଧନ୍ଦା କିଛି ନାହିଁ ; କିଏ ଏଇଟାକୁ ଝିଅ ଦେବ ?
- ଆମ ପୁଅ କ'ଣ ଏମିତି ବାହା ନ ହୋଇ ରହିଯିବ ? 
- ଯାହା ତା' କପାଳରେ ଲେଖା ଥିବ , କିଏ ଆଉ କ'ଣ କରିବ ? ଆମେ ଜନ୍ମ ଦେଇଛେ , କର୍ମ ତ ଦେଇନେ ନା । ୟା' ଠାରୁ କେତେ ସାତସାନ ପିଲା ବାହାରେ କମ୍ପାନିରେ ରହି , ମୂଲ ମଜୁରୀ କରି ବେଶ୍‌ କିଛି ରୋଜଗାର କରି ପରିବାର ଚ଼ଳଉଛନ୍ତି । ଇଏ ଆସି ବୁଢ଼ାଟିଏ ହେଲାଣି , କାମ ନାହିଁ କି ଧନ୍ଦା ନାହିଁ । ଭୂତ ହୋଇ ଯଦି ବୁଲିବାକୁ ଇଛା କରୁଛି ତ ବୁଲୁ ; ମୋ' ପାଖରେ ଆଉ ଉପାୟ କ'ଣ ? 
- ଯେତେହେଲେ ବି ସେ ଆମ ପୁଅ , ତମେ କିଛି  ଗୋଟେ କର । ନହେଲେ ଏମିତି ତ ଯାହା ଶୁଣିବାକୁ ମିଳୁଛି ; ୟା' ପରେ ଆମେ ଆଉ ମୁଣ୍ଡ ଟେକି ବାଟ ଚ଼ାଲି ପାରିବାନି । 
- ତା' ପୂର୍ବରୁ ମୁଁ ବିଷ ଟିକେ ଆଣି ଦେଉଛି , ତମେ ଟିକେ ଆଉ ମୁଁ ଟିକେ ପିଇଦେବା । ଝିଅକୁ ବି ଟିକେ ଦେଇଦେବ , ସେ କାହିଁକି ଯନ୍ତ୍ରଣା ପାଇବ ? ସବୁ ଠିକ୍‌ ହୋଇଯିବ । ଏ ସବୁ ତୁମରି ଗେଲବସରର ଫଳ । ପିଲାଦିନରୁ ମୋ' ପୁଅ - ମୋ' ପୁଅ କହି ମୁଣ୍ଡରେ ମୁଣ୍ଡେଇଲ , ଦେହରେ ପବନ ବାଜିବାକୁ ଦେଲନି ; ମମତାର ପଣତକାନି ଘୋଡ଼େଇ ରଖିଲନି ଯେ ଜାଣିଶୁଣି ନିଆଁକୁ ଅଣ୍ଟିରେ ପୂରେଇଲ । ନହେଲେ ଆଜି ଏ ଦିନ ଦେଖିବାକୁ ପଡ଼ିଥା'ନ୍ତା ? ହୁଁ...................

      ଅଧା ଖାଇବାରୁ ଉଠି ଚ଼ାଲିଗଲେ ରାମଧୂନ୍‌ । ସ୍ତ୍ରୀ ରାଲିଙ୍କ ଆଖିରେ ଆଖିଏ ଲୁହ । ବିଷାଦିତ ବଦନରେ ଧିରେ ଧିରେ ଖାଉଥାଏ ଝିଅ ଚ଼ନ୍ଦ୍ରାନନୀ । ତା' ଖାଇବା ସରିଲା ବେଳକୁ ପୁଅ ମକରଧ୍ବଜ ଆସି ଘରେ ପହଞ୍ଚିଲା । ମାଆ ବାଢ଼ିଦେଲେ ଖାଇବାକୁ ପଖାଳ ଭାତ , ଶାଗଭଜା , ଭେଣ୍ଡି ସନ୍ତୁଳା ଓ ବଡ଼ିଚୁରା । ଚ଼ନ୍ଦ୍ରାନନୀ ଖାଇବା ସାରି ହାତ ଧୋଇ ଚ଼ାଲିଗଲା ଶୋଇବାକୁ । ପୁଅ ଖାଇ ସାରିବା ପରେ ମାଆ ରାଲି ନିଜ ପାଇଁ ଖାଇବା ବାଢ଼ିଲେ । ଖାଇ ସାରି ବାସନକୁସନ ମାଜି ସବୁ କାମ ଛିଣ୍ଡାଇ ଶୋଇବାକୁ ଗଲା ବେଳକୁ ରାତି ଏଗାରଟା ପରେ ହେଲାଣି । ଦେଖିଲେ ସ୍ବାମୀଙ୍କ ଆଖିରେ ନିଦ ନାହିଁ ; ଆଖି ତଳ ପତା ଓଦା । ପାଖରେ ଶୋଇପଡ଼ି ପଚ଼ାରିଲେ ସ୍ବାମୀଙ୍କୁ -
- ଏଯାଏଁ ଶୋଇନ ଯେ ?
- ନିଦ ନାହିଁ । ସବୁଦିନ ପାଇଁ ଶୋଇଗଲେ ତ୍ରାହି ମିଳନ୍ତା । 
- ଛି଼ ! ଏମିତି କ'ଣ କହୁଛ  ! ଏତେବଡ଼ କଥା ତୁଣ୍ଡରେ ଧରନି । 
- କ'ଣ ଆଉ କରିବି ? ଲଜ୍ଜା ଓ ଅପମାନରେ ମୁଣ୍ଡ ନଇଁ ଗଲାଣି । ମରିଗଲେ ତରି ଯାଆନ୍ତି । 

        ସ୍ବାମୀଙ୍କ କଥା ବ୍ଯଥା ଦେଲା ସ୍ତ୍ରୀ ରାଲିଙ୍କୁ । କିଛି ସମୟର ନିରବତା ରକ୍ଷା କରି ରାଲି କହିଲେ - "ମୋ' ମୁଣ୍ଡକୁ ଗୋଟେ ଉପାୟ ଆସିଛି । ଏମିତି ଉପାୟ କଲେ କେମିତି ହୁଅନ୍ତା ?" 
- ଉପାୟ ! କି ଉପାୟ ? 
- ପୁଅକୁ କିଛିଦିନ ପାଇଁ ତା' ମଉସା ଘରକୁ ପଠେଇ ଦେଲେ କେମିତି ହୁଅନ୍ତା ? 
- ମଉସା ଘରକୁ ! ସେଠି ଯାଇ କ'ଣ କରିବ ? 
- ଯିଏ ପଚ଼ାରିବ ପୁଅ କୁଆଡେ ଗଲା , କହିବ ତା'ର କମ୍ପାନି ଚ଼ାକିରୀ ହୋଇଗଲା । ମାସକୁ ଚ଼ାଳିଶି ହଜାର ପାଉଛି । 
- ଲୋକମାନେ ତ ଅନ୍ଧ ଆଉ , ସେମାନେ କିଛି ଜାଣି ପାରିବେନି ବୋଧେ ?
- ସେମାନେ କେମିତି ଜାଣିବେ ଆମ ପୁଅ କୋଉଠି ଅଛି ବୋଲି ? 
- ଆଜି ନହେଲେ କାଲି ତ ଜାଣିବେ । 
- ସେତେବେଳକୁ ପୁଅର ବାହାଘର ସରି ଯାଇଥିବ । 
- ବୁଝିଗଲି , ବୁଝିଗଲି ; କାଲି ଯେତେବେଳେ ଝିଅ ଜାଣିବ ? କ'ଣ ଅବସ୍ଥା ହେବ ବୁଝି ହେଉଛି ତ ? 
- ସେତେବେଳେ ଦେକାଯିବ , ଆଜି କଥା ଚ଼ିନ୍ତା କର ।
- ଯାହା କରୁଛ କର ; ମୋର ଆଉ କିଛି କରିବାର ଉପାୟ ନାହିଁ  । 

     ଧିରେ ଧିରେ ନିଦ୍ରାଦେବୀଙ୍କ ମାୟାଜାଲରେ ଛନ୍ଦି ହୋଇଗଲେ ରାଲି ଓ ରାମଧୂନ୍‌ । ରାତି ପାହି ସକାଳ ହେଲା । କର୍ମରେ ଲାଗି ପଡ଼ିଲେ ରାଲି ; ରାମଧୂନ୍‌ ବି ବାହାରି ପଡ଼ିଲେ କାମରେ । ମକରଧ୍ବଜ ଚ଼ାଲିଗଲା ସାଙ୍ଗ ମାନଙ୍କ ସହିତ ଖଟି କରିବାକୁ । ଦିନ ବାରଟା ବାଜିଲା ; ରାମଧୂନ୍‌ ଘରକୁ ଫେରି ଖାଇପିଇ ବିଶ୍ରାମ ନେବା ବେଳକୁ ଘରକୁ ଫେରିଲା ପୁଅ ମକରଧ୍ବଜ । ମାଆ ରାଲି ବାଢ଼ିଦେଲେ ଖାଇବା ; ସେ ଥୋକାଏ ଭୋଜନ କଲା । ଖାଇ ସାରିବା ପରେ ମାଆ କହିଲେ -
- ଏମିତି କେତେଦିନ ବାଳୁଙ୍ଗା ହୋଇ ବୁଲିବୁ ? କିଛି କାମଧନ୍ଦା କର୍‌ ; ବୟସ ଅଛିଟି ଆଉ ? ତୋ' ଠାରୁ ସାତସାନ ପିଲା କେତେ ରୋଜଗାର କରୁଛନ୍ତି ଦେଖୁନୁ ? ବାହା ହୋଇ ପୁଅ - ଝିଅର ବାପା ହେଲେଣି । ତୁ ବୁଢ଼ା ହୋଇ ଘରେ ବସିଥା' । ଭଉଣୀଟା ଘରେ ଅଛି , ତୋ' ପରେ ତା'ର ପୁଣି ବାହାଘର ହେହ ନା ନାଇଁ ? ଆମ କଥା ଛାଡ଼ , ଆଜି ଅଛୁ କାଲି ମରିବୁ । ତୋ' ଭବିଷ୍ଯତ କଥା ଟିକେ ଚ଼ିନ୍ତା କର । 

     ମକରଧ୍ବଜ କିଛି ନ କହି ନିରବରେ ବସି ରହିଥିଲା । ପୁଣି ରାଲି କହି ଉଠିଲେ - "ମୋ' କଥା କିଛି ମୁଣ୍ଡରେ ପଶିଲା ନା ନାହିଁ ?" ତଥାପି ନିରବ ମକରଧ୍ବଜ । ମାଆ କହିଲେ - "ଗୋଟେ କାମ କରେ , କିଛିଦିନ ପାଇଁ ମଉସାଙ୍କ ଘରକୁ ଯାଆ । ବାକି ଆମେ ବୁଝିବୁ , ଆମେ ଡ଼ାକିଲେ ଆସିବୁ ।" ମକରଧ୍ବଜ ବୁଝି ସାରିଥିଲେ ବି ନିରବ । ମଉସାଙ୍କ ଘରକୁ ଫୋନ୍‌ କରି ସବୁକଥା କହି ପୁଅକୁ ପଠାଇ ଦେଲେ । ଯିଏ ପଚ଼ାରିଲେ କହିଲେ - "ପୁଅର କମ୍ପାନି ଚ଼ାକିରୀ ହୋଇଗଲା , ମାସକୁ ଚ଼ାଳିଶି ହଜାର ଟଙ୍କା ଦରମା ।" ସମସ୍ତେ ଖୁସି ହେଲେ ; "ଯାହାହେଉ , କୁଳାଙ୍ଗାରଟା କୁଳରେ ଲାଗିଗଲା" ବୋଲି କହିଲେ । ପୋଖରୀ ତୁଠ , ଚ଼ା' ଦୋକାନ , ଜଳଖିଆ ଦୋକାନ , ଛକ - ବଜାର ସବୁଠି ଚ଼ାଲିଲା ଚ଼ର୍ଚ୍ଚା - "ରାମଧୂନ୍‌ର ଭାଗ୍ଯାକାଶରେ ଏତେଦିନେ ଭାସ୍କର ଉଦୟ ହେଲା  ।" 

    ପୁଅର ଚ଼ାକିରୀ ପାଇବା କଥା ଗାଁରୁ ସହର ପ୍ରଚ଼ାର ହୋଇଗଲା । ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଆଗତ ହେଲା । ବହୁତ ଭଲ ଭଲ ପ୍ରସ୍ତାବ ଆସିଲା ସବୁ । ହଁ , ନାହିଁ - ହଁ , ନାହିଁରେ କିଛି ଭାଙ୍ଗିଗଲା । ପଡ଼ା ଠାରୁ ପାଞ୍ଚ କୋଶ ବାଟରେ ଏକ ପ୍ରସ୍ତାବ ଠିକ୍‌ ହେଲା । ଝିଅଟି ବି.ଏ ପାଶ୍‌ କରିଛି ; ମଧ୍ଯବିତ ପରିବାରର । ଜାତକ ମେଳକ ବି ହୋଇଛି ; ରାଜଯୋଟକ ପଡ଼ିଛି । ସେମାନେ ପୁଅକୁ ଦେଖିବାକୁ ଚ଼ାହିଁଲେ ; ଏମାନେ ଝିଅ ଦେଖି ସାରିଛନ୍ତି । ରାମଧୂନ୍‌ କହିଲେ - "ତା'ର ଏବେ ଛୁଟି ନାହିଁ । ନିର୍ବନ୍ଧ ବେଳକୁ ଆସିବ , ନିର୍ବନ୍ଧ ଦିବସ ଠିକ୍‌ କରିବା ।" ସେମାନେ ବହୁ କଷ୍ଟରେ ରାଜି ହେଲେ । ନିର୍ବନ୍ଧ ଦିନ ଠିକ୍‌ କରିବାକୁ ଜ୍ଯୋତିଷ ପାଖକୁ ଯାଇ ପାଞ୍ଜି ଦେଖି ଦିନ ଠିକ୍‌ କଲେ । ନିର୍ବନ୍ଧର ଦୁଇଦିନ ପୂର୍ବରୁ ପୁଅ ଆସି ଘରେ ପହଞ୍ଚି ଗଲା । ପୂରା ଫିଟ୍‌ଫାଟ୍‌ ; ସତେ ଅବା ଜଣେ ବଡ଼ ଅଫିସର । ଜୋଇଁଙ୍କୁ ଦେଖି ସମସ୍ତେ ଖୁସ୍‌ । କୁହାକୁହି ହେଲେ ଏଭଳି ଜୋଇଁ ଭାଗ୍ୟରେ ଥିଲେ ମିଳେ । ନିର୍ବନ୍ଧ ସରିଲା ; ପନ୍ଦର ଦିନ ପରେ ବାହାଘର । ବାହାଘର ଦିନ ଯାଏଁ ପୁଅ ନିଜ ଘରେ ରହିଲା । ଧୂମ୍‌ଧାମ୍‌ରେ ବାହାଘର ହେଲା । ଘରକୁ ବୋହୂ ଆସିଲା । ବାହାଘରର ପନ୍ଦର ଦିନ ପରେ ପୁଅ ଚ଼ାଲିଗଲା ମଉସା ଘରକୁ । ପ୍ରତି ଛଅମାସରେ ଥରେ ଆସେ । 

     ବିତିଗଲା ପ୍ରାୟ ଏକବର୍ଷ  । ବୋହୂ ଜାନୀ ବି ଅନ୍ତସତ୍ତ୍ବା । ଧିରେ ଧିରେ ସମୟ ଗଡ଼ିବାକୁ ଲାଗିଲା । ଜାନୀ ଜାଣିଛି ତା' ସ୍ବାମୀ କମ୍ପାନିରେ କାମ କରନ୍ତି । ଯିଏ ପଚ଼ାରେ ସେ ସେହି କଥା ହିଁ କୁହେ । ଝିଅଟିଏ ହେଲା , ନାମ ରଖାଗଲା ମନ୍ଦାକିନୀ । ଝିଅକୁ ଚ଼ାରି ମାସ ପୂରିବା ପରେ ଜାନୀ ଜାଣିରା ଯେ , ତା' ସ୍ବାମୀ ମଉସା ଘରେ ରହେ । କୌଣସି କାମଧନ୍ଦା କରେ ନାହିଁ । ଏହା ଜାଣି କାନ୍ଦି ବୋବେଇ ନିଜ ଘର ଲୋକଙ୍କୁ ଜଣାଇଲା । ଘର ଲୋକେ ଆସି ଏମାନଙ୍କୁ ପ୍ରଶ୍ନ କଲେ , ସତ କ'ଣ ଜାଣିବାକୁ ଚ଼େଷ୍ଟା କଲେ । 
- ପୁଅ ଚ଼ାକିରୀ କରିଛି ବୋଲି କହୁଥିଲ , କାଇଁ ଚ଼ାକିରୀ ଫାକିରୀ କିଛି ନାହିଁ ତ ! ଏମିତି ମିଛ କହି କାହିଁକି ବିଭାଘର କଲେ ? 
- ମିଛ ନ କହିଥିଲେ ମୋ' ପୁଅ ବାହା ହୋଇଥା'ନ୍ତା କେମିତି  ? କିଏ ଆଜିକାଲି ସତ କହି ବାହାଘର କରୁଛି କି ? 
- ୟା' ବୋଲି ମିଛ ! ଏସବୁ ଠିକ୍‌ କଲେନି । ଆମ ଝିଅର ଜୀବନକୁ ନଷ୍ଟ କରିଦେଲେ । 
- ଏବେ ନେଇଯା'ନ୍ତୁ ଆପଣଙ୍କ ଝିଅକୁ ସାଙ୍ଗରେ ; ଜୀବନଟା ସ୍ବର୍ଗ ହୋଇଯିବ । 

     ଏମିତି ଅବାନ୍ତରିଆ ଉତ୍ତରରେ ସ୍ତବ୍ଧ ଝିଅ ଘର ଲୋକେ  । ଯାହା ତ ଘଟିବା କଥା ଘଟି ସାରିଛି ; ଏବେ ଆଉ ବଦଳାଇବା ଅସମ୍ଭବ । ସେ ପୁଣି ଏକ କନ୍ଯା ସନ୍ତାନର ମାଆ ହୋଇ ସାରିଲାଣି ; ତାକୁ ବା ଆଉ କିଏ ବିଭା ହେବ ? ସବୁକିଛିକୁ ଅନୁଧ୍ୟାନ କରି ବାଧ୍ଯ ହୋଇ ନିରବ ରହିଲେ ଝିଅ ଘର ପରିବାର । ଆଉ କିଛି କରି ପାରିବାର ଉପାୟ ନଥିଲା ତାଙ୍କ ପାଖରେ । ଝିଅ ଜାନୀ ବି ବାଧ୍ଯ ହୋଇ ନିଜର କର୍ମ ଆଦରି ଅକର୍ମା ସ୍ବାମୀକୁ ଇହକାଳ - ପରକାଳର ଦେବତା ମାନି ନେଇ ପଡ଼ି ରହିଲା ଶାଶୂଘରେ । ଅହର୍ନିଶ ବିଷାଦର ମହାସାଗରରେ ସନ୍ତରଣ କରୁଥିଲା ଜାନୀ । କାହାକୁ ବା କହିବ ? କପାଳ ଲିଖନକୁ କିଏ ପୋଛି ପାରିବ ? ଭାବୁଥିଲା ନିରୋଳାରେ ବସି ,ଶ୍ବଶୁରଙ୍କ ପରେ ତା' ଅବସ୍ଥା କ'ଣ ହେବ । କନ୍ଯା ସନ୍ତାନର ଭବିଷ୍ଯତ ଓ ପେଟ ଚ଼ାଖଣ୍ଡକ ପାଇଁ ଦାନା କିଏ ଆଉ ଯୋଗେଇବ ? ଅତି ଅଲିଅଳୀ ଝିଅର ଜୀବନ ଯନ୍ତ୍ରଣା ଯେ ଏତେ ଅସହ୍ଯ , ପ୍ରତ୍ଯକ୍ଷାନୁଭବୀ ଥିଲାସେ । ଚ଼ିନ୍ତା କରୁଥିଲା ତା'ର ଭବିଷ୍ଯତ ବିଷୟରେ । ମନେ ମନେ ଭାବୁଥିଲା - "ଏମିତି ବି ହୁଏ !" 

ଭାଟପଡ଼ା - ନିରାକାରପୁର - କଣାସ - ପୁରୀ 
ସମ୍ପର୍କ - ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା