ଲୁଣ

            କାବ୍ଯଭୂଷଣ ଶିବ ପ୍ରସାଦ ବୀହିନୀପତି

                   ସମ୍ପାଦକ - ଉଦୟ ଭାନୁ 

     "ଲୁଣ"କୁ ସମସ୍ତେ ପ୍ରାୟ ଭଲଭାବେ ଜାଣନ୍ତି । ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ।  ଲୁଣ ବିନା ସମସ୍ତ ପାକ ଓ ଖାଦ୍ୟ ସ୍ବାଦ ହରାଇ ବସେ । ତେଣୁ ସମସ୍ତେ ଲୁଣ ବ୍ଯବହାରକାରୀ । ଲୁଣ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ; ଏହାର ରାସାୟନିକ ନାମ ସୋଡ଼ୟମ କ୍ଲୋରାଇଡ । ପ୍ରାକୃତିକ ଲୁଣକୁ ସୈନ୍ଧବ ଲବଣ କହନ୍ତି । ସମୁଦ୍ର ଜଳରୁ ଲୁଣ ଉତ୍ପାଦନ କରାଯାଏ । ସମୁଦ୍ର ଜଳର ପ୍ରତି ଲିଟରରେ ପ୍ରାୟ ୩୫ ଗ୍ରାମ କଠିନ ଲୁଣ ଥାଏ ଓ ଏହାର ଲବଣତା ୩.୫% ଅଟେ । ଉଦ୍ଭିଦ ତନ୍ତୁ ମାନଙ୍କରେ ପ୍ରାଣୀ ମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । କିଛି ପୁରୁଣା ପ୍ରମାଣରୁ ଜଣାପଡେ ଯେ ଲୁଣ ପ୍ରସ୍ତୁତିକରଣ ପଦ୍ଧତି ପ୍ରାୟ ୮୦୦୦ ବର୍ଷ ତଳର ପୁରୁଣା । ଯେତେବେଳେ ରୋମାନିଆ ଦେଶରେ ଭୂଗର୍ଭରୁ ଆସୁଥିବା ଝର ପାଣିକୁ ସିଝାଇ ଲୁଣ ପ୍ରସ୍ତୁତ ହେଉଥିଲା, ସେହି ସମୟରେ ଚୀନରେ ବି ଲୁଣ ପ୍ରସ୍ତୁତ କରାଯାଉ ଥିଲା । ହିବୃ, ରୋମାନ, ଗ୍ରୀସ,ମିଶର ଆଦି ଦେଶ ଗୁଡ଼ିକରେ ସେତେବେଳ ଲୁଣକୁ ଅତି ମୂଲ୍ଯବାନ ମନେ କରାଯାଉଥିଲା ; ବ୍ଯବସାୟ ପାଇଁ ଲୁଣ ଥିଲା ମହତ୍ତ୍ୱପୂର୍ଣ୍ଣ ପଦାର୍ଥ । ଭୂମଧ୍ୟସାଗରକୁ ଡ଼ଙ୍ଗା ପାର କରି ଲୁଣ ନିଆ ଯାଉଥିଲା, ଓଟ ପିଠିରେ ସାହାରା ମରୁଭୂମିରେ ନିଆ ଯାଉଥିଲା । ଦୁର୍ଲଭ ଦ୍ରବ୍ଯଟିଏ ହୋଇଥିବା ଯୋଗୁଁ ଲୁଣ ପାଇଁ ଯୁଦ୍ଧର ସୂତ୍ରପାତ ହେଉଥିଲା ଏବଂ ଏହା ଉପରେ ଟିକସ ବସାଇ ରାଜସ୍ୱ ଆଦାୟ କରାଯାଉଥିଲା । କେତେକ ଧାର୍ମିକ ପୂଜାରେ ଲୁଣକୁ ବ୍ୟବହାର କରାଯାଉଥିଲା । ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ । କଷ୍ଟିକ ସୋଡ଼ା, କ୍ଲୋରିନ ପ୍ରସ୍ତୁତିରେ ଏବଂ ପ୍ଲାଷ୍ଟିକ, କାଗଜ, ପଲ୍ପ ଓ ପଲିଭିନାଇଲ କ୍ଲୋରାଇଡ ଇତ୍ଯାଦି କେତେକ କାରଖାନା ମାନଙ୍କରେ ବ୍ଯବହୃତ ହୁଏ । ପୃଥିବୀରେ ପ୍ରସ୍ତୁତ ହେଉଥିବା ୨୦୦ ନିୟୁତ ଟନ୍‌ ଲୁଣରୁ ମାତ୍ର ୬% ମାନବ ଖାଦ୍ଯ ନିମନ୍ତେ ବ୍ଯବହୃତ ହୁଏ । ଖାଦ୍ଯ ଯୋଗ୍ୟ ଲୁଣ ତିନି ପ୍ରକାରର -"ସାମୁଦ୍ରିକ ଲୁଣ, ଖାଇବା ଲୁଣ (ଟେବୁଲ ଲୁଣ) ଯେଉଁଥିରେ ମୁଣ୍ଡା ନ ହେବା ପଦାର୍ଥ ମିଶ୍ରିତ, ଆୟୋଡ଼ିନ ମିଶ୍ରିତ ଲୁଣ" । ମଣିଷ ସ୍ବାସ୍ଥ୍ୟ ପାଇଁ ସୋଡ଼ୟମ ଏକ ଅତି ଆବଶ୍ଯକ ପୋଷକ ଯାହା ଇଲେକ୍ଟ୍ରୋଲାଇଟ ଓ ଅସମୋସିସ ପ୍ରକ୍ରିୟାରେ ଭୂମିକା ନିର୍ବାହ କରେ । ଅତ୍ଯଧିକ ଲୁଣ ଖାଇବା କ୍ଷତିକାରକ ; ହୃତପିଣ୍ଡ, ରକ୍ତନଳୀରେ ରୋଗ ହୁଏ । ଉଚ୍ଚରକ୍ତଚାପ ସୃଷ୍ଟି ହୁଏ । ଲୋକପ୍ରିୟ ଲୁଣିଆ ଖାଦ୍ଯ କମ ଖାଇବାକୁ ସ୍ବାସ୍ଥ୍ୟ ଆସୋସିଏସନ ଓ ବିଶାରଦମାନେ ସୁପାରିସ କରୁଛନ୍ତି । ଦୈନିକ ୬ ଗ୍ରାମ ଲୁଣ (୨୦୦୦ ମି.ଗ୍ରା ସୋଡ଼ୟମ) ଖାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରୁଛି  । 

                  ସେତେବେଳେ ମାନବ ବସତି ଲୁଣ ମିଳୁଥିବା ସ୍ଥାନରେ ଗଢ଼ି ଉଠୁଥିଲା,ଯେଉଁଠି ତାଙ୍କୁ ବେପାର କରିବାକୁ ସୁବିଧା ହେଉଥିଲା ।ରୋମାନ ସୈନିକ ମାନଙ୍କୁ ବେଳେବେଳେ ଦରମା ବାବଦରେ ଲୁଣ ଦିଆ ଯାଉଥିଲା ଯାହା ସମ ପରିମାଣର ସୁନା ସହ ସମାନ ଥିଲା । ବ୍ରିଟେନରେ ଏକଦା ଲୁଣର ଉତ୍ସ ଥିଲା ଉଇଚ, ତେଣୁ ସ୍ଯାଣ୍ଡ ଉଇଚ, ନରଉଇଚ ଆଦି ଶବ୍ଦ ବ୍ଯବହାର ହେଉଥିଲା । ମିଶରର ନାଟ୍ରମ ଉପତ୍ୟକାରୁ ଆସୁଥିବା ଏକ ପ୍ରକାର ଲୁଣକୁ "ନାଟ୍ରନ" କୁହାଯାଉଥିଲା । ଖ୍ରୀ:ପୂ: ୫୪୦ରୁ ୟୁରୋପରେ ଥିବା ବୁଲଗେରିଆର ସୋଲନିଟସାଟା ସ୍ଥାନରେ ଲୁଣ ଖଣି ଥିବାରୁ ଏଭଳି ନାମକରଣ, ଯାହାର ବର୍ତ୍ତମାନ ନାମ ବାଲକାନ । ସୋଲନିଟସାଟା ଶବ୍ଦର ଅର୍ଥ ଲୁଣ କାମ । ବିଗତ ୧୦୦ ବର୍ଷ ଧରି ବୋତଲିକରଣ ଓ ରେଫ୍ରିଜରେସନ କରି ଖାଦ୍ଯ ସୁରକ୍ଷିତ ରଖା ଯିବା ପୂର୍ବରୁ ହଜାର ହଜାର ବର୍ଷ ଧରି ମାଂସ ସୁରକ୍ଷିତ କରିବାକୁ ଲୁଣକୁ ବ୍ୟବହାର କରା ଯାଉଥିଲା । ରୋମାନିଆର ନିଟ କଣ୍ଟ୍ରିରେ ସ୍ଥିତ ଲୁନକା ସ୍ଥାନ ନିକଟରେ ଥିବା ଲୁଣ ଝର ସନ୍ନିକଟରେ ପ୍ରତ୍ନତତ୍ତ୍ୱ ଖନନ ବେଳେ ପୁରାତନ ଲୁଣ କାମ ଅପରେସନ ହେଉଥିବା ଆବିଷ୍କାର କରାଯାଇଛି । ପ୍ରମାଣ ମିଳୁଛି ଯେ ଖ୍ରୀ:ପୂ: ୬୫୦ରେ ଲୁଣ ଭର୍ତ୍ତି ଝରଣା ଜଳକୁ ପ୍ରୋସେସିଙ୍ଗ କରି ଲୁଣ ପ୍ରସ୍ତୁତ କରୁଥିଲେ ; ଏ କାରଣରୁ ସେଠାକାର ଜନସଂଖ୍ୟାରେ ଦୃତ ବୃଦ୍ଧି ଘଟିଥିଲା । ସର୍ବପୁରାତନ ତଦାରଖ ଯୋଗ୍ୟ ଲୁଣ କାମର ସ୍ଥାନ ଚୀନ ଦେଶର ୟୁଞ୍ଚେଙ୍ଗ ନିକଟସ୍ଥ ଜିଏଚି ହ୍ରଦ ପୃଷ୍ଠରୁ ଲୁଣ ମରାଯାଉଥିଲା ।ରାଜପୁତନାର ସମ୍ବର ହ୍ରଦରୁ ବି ଲୁଣ ମରା ଯାଉଥିଲା । 

         କଳା ଲୁଣ, ବଗଡ଼ା ଲୁଣ, ସାଧାରଣ ଲୁଣ - ଏପରି ବିଭିନ୍ନ ପ୍ରକାରର ଲୁଣ ଅଛି । କଳା ଲୁଣକୁ ସାଧାରଣତଃ ସାଲାଡ୍‌, ଚାଟ, ରାଇତା ଆଦିରେ ବ୍ଯବହାର କରାଯାଏ । ବଗଡ଼ା ଲୁଣକୁ ପୂଜା ଓ ପର୍ବପର୍ବାଣୀରେ ବ୍ଯବହାର କରାଯାଏ । ଆୟୁର୍ବେଦ ଶାସ୍ତ୍ର କହେ ପ୍ରତ୍ଯହ ଖାଦ୍ଯରେ ବଗଡ଼ା ଲୁଣ ବ୍ଯବହାର କରିବାକୁ, କାରଣ ଏଥିରେ କୌଣସି ରାସାୟନିକ ଦ୍ରବ୍ଯ ବ୍ଯବହାର ହୋଇ ନ ଥାଏ ; ଲୁଣ ସମ୍ପୂର୍ଣ୍ଣ ଶୁଦ୍ଧ । ବଗଡ଼ା ଲୁଣ ଶରୀର ପାଇଁ ହିତକାରକ ; ଏଥିରେ ପ୍ରାୟ ୮୫% ସୋଡ଼ୟମ ଥାଏ । ଏତତ୍ ବ୍ଯତିତ ଏଥିରେ ଆୟରନ, ଜିଙ୍କ, କପର, ମାଗ୍ନେସିୟମ, ଆୟୋଡ଼ିନ ଭରପୂର ମାତ୍ରାରେ ଥାଏ । ବଗଡ଼ା ଲୁଣ ଅଶୋଧିତ ହେତୁ ଏହା ପ୍ରାକୃତିକ । ଅଧିକ ଶୋଧିତ ହେବା କାରଣରୁ ଲୁଣର ଆବଶ୍ଯକୀୟ ପଦାର୍ଥ ବିନିଷ୍ଟ ହୋଇଯାଇଥାଏ । ବଗଡ଼ା ଲୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ । ଲୁଣ ଅତି ସହଜରେ ଜଳରେ ମିଳେଇ ଯାଏ ଓ ଲୁଣର ବାୟୁରୁ ଜଳ ଗ୍ରହଣ କରିବାର ଶକ୍ତି ଥାଏ । ଏଥିପାଇଁ ଲୁଣ ସମ୍ବନ୍ଧରେ ନାଆଁ ଦିଆ କଥାଟେ ଅଛି -"ଟିକି ଚଢ଼େଇ, ଟିକକ ପାଣିରେ ବୁଡ଼ି ମରଇ ।" 

            ଓଡ଼ିଶାରେ ସେତେବେଳେ ଦୁଇ ପ୍ରକାର ଲୁଣ ଉତ୍ପାଦନ ହେଉଥିଲା ।ବାଲେଶ୍ବର ଓ କଟକ ଉପକୂଳରେ ଲବଣାକ୍ତ ପାଣିକୁ ଫୁଟାଇ ଲୁଣ ଉତ୍ପାଦନ କରାଯାଉଥିଲା ; ଏହାର ନାମ ଥିଲା ପଙ୍ଗା ଲୁଣ । ଲୁଣ ମାରିବାକୁ ଜାଳେଣୀର ଆବଶ୍ୟକତା ପଡୁଥିବାରୁ ଏଥିରେ ଅଧିକ ଅର୍ଥ ବ୍ଯୟ ହେଉଥିଲା । ଚିଲିକା, ହୁମା ଓ ଗଞ୍ଜାମର ଅନ୍ଯାନ୍ଯ ଉପକୂଳରେ ଲବଣାକ୍ତ ପାଣିକୁ ସୂର୍ଯ୍ୟ ତାପରେ ଶୁଖାଇ ଉତ୍ପାଦନ କରା ଯାଉଥିବା ଲୁଣକୁ କର୍କଚ ଲୁଣ କୁହାଯାଉଥିଲା । ପଙ୍ଗା ଲୁଣ ଅପେକ୍ଷା ଖର୍ଚ୍ଚ କମ ଏଥିରେ । ସେତେବେଳେ ମାଡ୍ରାସ ଲବଣ ବିଭାଗରେ ବଙ୍ଗ ଅପେକ୍ଷା ଲବଣ ଶୁଳ୍କ ଖୁବ୍‌ କମ୍‌, ପ୍ରାୟ ଅଧାଅଧି ଥିଲା । ସରକାର ଲବଣରୁ ଅଧିକ କର ଆଦାୟ କରିବା ଅଭିପ୍ରାୟରେ ଓଡିଶାର ଲବଣ କାରବାରକୁ ବଙ୍ଗ ଅଧିନସ୍ଥ କରି ଉତ୍ପାଦନ ଖର୍ଚ୍ଚ ଉଣା କରିବା ସକାଶେ ସର୍ବତ୍ର ପଙ୍ଗା ବଦଳରେ କର୍କଚ୍‌ ପଦ୍ଧତିରେ ଲୁଣ ମାରିବାକୁ ନିର୍ଦ୍ଦେଶ ଦେଲେ । ଜଳବାୟୁ ଦୃଷ୍ଟିରୁ ଏହା ସମ୍ଭବପର ନ ହେବାରୁ ଲୁଣ ଉତ୍ପାଦକ ମଲାଙ୍ଗିମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ ; ସେମାନେ ଆଗୁଆ ଅର୍ଥ ନେଇ ଏଜେଣ୍ଟ ବା କମ୍ପାନୀ ମାନଙ୍କ ପାଇଁ ଲୁଣ ମାରୁଥିଲେ । ଏଥିରେ ତାଙ୍କୁ ସ୍ବଳ୍ପ ପାରିଶ୍ରମିକ ମିଳୁଥିଲା ; ପାରିଶ୍ରମିକ ବ୍ଯତୀତ ବ୍ଯକ୍ତିଗତ ବ୍ଯବହାର ପାଇଁ ତାଙ୍କୁ ଖୋରାକି ଲୁଣ ଯୋଗାଇ ଦିଆ ଯାଉଥିଲା ।  ବ୍ଯବହାର ବାହାରେ ସେମାନେ ବଳକା ଲୁଣକୁ ବଜାରରେ ବିକ୍ରି କରୀ ଯତ୍‌କିଞ୍ଚିତ୍‌ ଲାଭ ପାଉଥିଲେ । ଲୁଣ ଆଇନ କଠୋର ନଥିବାରୁ ଅଧିକ କିଛି ଲୁଣ ମଧ୍ୟ ଉତ୍ପାଦନ କରି ଚୋରାରେ ବିକ୍ରି କରୁଥିଲେ । ୧୮୩୬ରେ ମଲାଙ୍ଗି ମାନଙ୍କୁ ଦିଆଯାଉଥିବା ଖୋରାକି ଲୁଣ ବନ୍ଦ କରିଦିଆଗଲା ଏବଂ ପରେ ପରେ ୧୮୩୮ରେ ତାଙ୍କର ମହଣ ପିଚ୍ଛା ପାରିଶ୍ରମିକକୁ ମଧ୍ୟ ହ୍ରାସ କରିଦିଆଗଲା । ରିଭରପୁଲ୍‌ରୁ ଆମଦାନୀ ହେଉଥିବା ଲୁଣର ପ୍ରସାରାର୍ଥେ ଏହା କରା ଯାଉଥିଲା । ଫଳତଃ ଦେଶୀ ଲୁଣ ତୁଳନାରେ ବିଦେଶୀ ଲୁଣ ବଜାରରେ ଉପଲବ୍ଧ ହେଲା । ଆରମ୍ଭରେ ବିଦେଶୀ ଲୁଣ ବ୍ଯବହାରରେ ସାମାଜିକ ବାରଣ ଥିଲା ; ମାତ୍ର ଶସ୍ତା ହେତୁ ୧୮୬୦ ମସିହା ବେଳକୁ ଏହା ଓଡ଼ିଶାରେ ପ୍ରବଳ ମାତ୍ରାରେ ବିକ୍ରୀ ହେଲା  । ଦେଶୀ ପଙ୍ଗା ଓ କର୍କଚ ଲୁଣ ବିରୁଦ୍ଧରେ ଯୁକ୍ତି ବଢ଼ାଗଲା ଯେ, ଏହା ବିଦେଶୀ ଲୁଣ ତୁଳନାରେ ନିମ୍ନମାନର ଏବଂ ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ । ମାତ୍ର ୧୮୨୨ରେ ଓଡ଼ିଶାର କମିଶନର ଷ୍ଟର୍ଲିଂ ସାହେବ ଦେଶୀ ଲୁଣର ପ୍ରଶଂସା କରି ଲେଖିଥିଲେ ଯେ - "ଅସ୍ବାସ୍ଥ୍ଯକର ପରିବେଶ ହେବା ସତ୍ତ୍ୱେ ଏଠାରେ (ଓଡ଼ିଶାରେ) ଭାରତର ସବୁଠୁ ଉତ୍କୃଷ୍ଟ ଲୁଣ ସରକାରଙ୍କ ଏକଚାଟିଆ ବ୍ଯବସ୍ଥା ମାଧ୍ୟମରେ ଉତ୍ପାଦିତ ହୁଏ। ଏଥିରୁ ବାର୍ଷିକ ପାଖାପାଖି ଅଠର ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୁଏ ।" 

          ଏବେ ବଜାରରେ ପ୍ରାୟ ଆୟୋଡ଼ିନ ଯୁକ୍ତ ଲୁଣ ଉପଲବ୍ଧ । ଆୟୋଡ଼ିନ ଅଭାବ ଜନିତ ଅସୁବିଧା ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟଗତ ସମସ୍ଯା ମଧ୍ୟରୁ ଏକ ମୁଖ୍ୟ ସମସ୍ଯା ଅଟେ । ସେଥିପାଇଁ ଆୟୋଡ଼ିନ ପାଇବାର ଏକମାତ୍ର ସୁରକ୍ଷିତ ପନ୍ଥା ହେଉଛି ପ୍ରତ୍ଯହ ଖାଦ୍ଯରେ ନିଶ୍ଚିତ ଭାବେ ଆୟୋଡ଼ିନ ଲୁଣ ବ୍ଯବହାର କରିବା । 

       ଲୁଣ ଖାଲି ଖାଦ୍ୟକୁ ସ୍ବାଦିଷ୍ଟ କରାଏନି, ଏହା ଜୀବନକୁ ବି ସ୍ବାଦିଷ୍ଟ କରାଇଥାଏ । ବାସ୍ତୁ ଦୋଷ ଦୂର କରିବାରେ ଏହା ଉପଯୋଗୀ । ଝିଅ ବିବାହ କରିବା ବେଳେ ଲୁଣର ମୁଣି ବା ପୁଡ଼ିଆଟିଏ ଝିଅ ହାତରେ ଦେଲେ ଆପଣଙ୍କ ଓ ଆପଣଙ୍କ ଝିଅ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହେବା ସହିତ ଉଭୟ ପରିବାରରେ ଲକ୍ଷ୍ମୀ ବିରାଜମାନ କରନ୍ତି ବୋଲି ଶୁଣିବାକୁ ମିଳେ । ପ୍ରତ୍ଯହ ସ୍ନାନ ବେଳେ ସ୍ନାନ ଜଳରେ ଚିମୁଟାଏ ଲୁଣ ପକାଇ ସ୍ନାନ କରିଲେ ଦିନ ତମାମ୍‌ ଆପଣଙ୍କ ଶରୀରକୁ ଆଗତ ନକରାତ୍ମକ ଶକ୍ତିର ବିନିଷ୍ଟ ହୁଏ । ତନ୍ତ୍ର ଶାସ୍ତ୍ର କହେ - ରାତିରେ ଶୋଇବାକୁ ଯିବା ପୂର୍ବୟୁ ପ୍ରତି ଘରେ ଅଳ୍ପ ଲୁଣ ଛିଞ୍ଚି ଓ ସକାଳୁ ଝାଡୁ ମାରି ଧୂଳି ସହ ଏ ଲୁଣକୁ ବାହାରକୁ ଫିଙ୍ଗି ଦେଲେ ପ୍ରେତ ପ୍ରବେଶର ଭୟ ନ ଥାଏ । କିଛି ମନସ୍ତତ୍ବବିତ୍‌ଙ୍କ ମତରେ ପ୍ରତିଦିନ ୨୦ ମିନିଟ୍‌ ଯାଏଁ ଲୁଣପାଣିରେ ଗୋଡ଼ ବୁଡ଼ାଇ ରଖିଲେ ମାନସିକ ଦୁଶ୍ଚିନ୍ତା ଦୂର ହୁଏ । 

        ସନ ୧୮୧୧ରେ ସାମୁଦ୍ରିକ ଶିଉଳିରୁ ବର୍ଣ୍ଣାଡ଼ କୋର୍ଟଏସ ଆୟୋଡ଼ିନ ପୃଥକ କରିଥିଲେ ଓ ସନ ୧୮୨୦ରେ ଆୟୋଡ଼ିନ ଏବଂ  ଗଏଟର ଆକାରର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଥମେ ଏହା ବିଶୋଧନ ଏବଂ ଗଏଟର ପାଇଁ ବ୍ଯବହାର କରାଗଲା । ଏହାର ନାମ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅତ୍ଯାବଶ୍ଯକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ବାସ୍ଥ୍ୟ ସିଷ୍ଟମ ପାଇଁ ଅତ୍ଯନ୍ତ ମହତ୍ତ୍ୱପୂର୍ଣ୍ଣ । ଏକଶହ ଦଶରୁ ଅଧିକ ଦେଶରେ ଏହାକୁ ଲୁଣ (ଟେବୁଲ ସଲ୍ଟ) ସହ ମିଶାଇ ଆୟୋଡାଇଜ୍‌ଡ଼ ସଲ୍ଟ ନାମରେ ବିକ୍ରୀ ହେଉଛି । 

           ଏଇ ଲୁଣ ପାଇଁ କେତେ ସତ୍ଯାଗ୍ରହ, କେତେ ଆନ୍ଦୋଳନ ଆଉ କେତେ ଯୁଦ୍ଧ । ଭାରତରେ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜୁରାଟ ରାଜ୍ଯର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ଆରମ୍ଭ ହୋଇଥିଲା, ଯାହା ଥିଲା ଆମ ଦେଶ ଭାରତର ସ୍ବାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା । ପରାଧୀନ ଭାରତରେ ବ୍ରିଟିଶ୍‌ ସରକାରଙ୍କ ଲବଣ ବ୍ଯବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ଯଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ୍ଣ ଆନ୍ଦୋଳନ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଦ୍ବାରା ମାର୍ଚ୍ଚ ୧୨ ସକାଳ ୬ ଘଟିକା ୩୦ ମିନିଟ୍‌ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍‌ &୩୯୦କି.ମି) ଦୂରସ୍ଥ ଦାଣ୍ଡୀ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଏହି ଯାତ୍ରା ୧୯୩୦ ମସିହା ଅପ୍ରେଲ ୫ ତାରିଖରେ ସରିଥିଲା । ଏ ସତ୍ଯାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀମାନେ ଦାଣ୍ଡୀ ସମୁଦ୍ର ତଟରେ ଲୁଣ ମାରିଥିଲେ । ଏ ସତ୍ଯାଗ୍ରହ ସମସ୍ତ ଭାରତ ବାସିନ୍ଦାଙ୍କ ମଧ୍ୟେ ଗଭୀର ଉତ୍ସାହ ଭରିବା ସହ ବ୍ରିଟିଶ୍‌ ସରକାରଙ୍କ ଲବଣ ଆଇନ୍‌ ଭଙ୍ଗ କରି ପାରିଥିଲା । ଓଡ଼ିଶାର ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ିରେ ୧୯୩୦ ମେ ୨୧ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ବାରା "ଲୁଣ ମରା ଆଇନ୍‌" ଭଙ୍ଗ କରାଯାଇଥିଲା । ସେ ପ୍ରଥମେ କାକଟପୁର ଆସି ପାଟଳଦା ଗ୍ରାମର ସତ୍ଯାଗ୍ରହୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଭେଟି କାର୍ଯ୍ଯକ୍ରମ ପ୍ରସ୍ତୁତି କରିଥଲେ ; ତା'ପରେ ଓଳଙ୍ଗର ଗ୍ରାମର ଭୁବନାନନ୍ଦ ସ୍ବାଇଁ ଗ୍ରାମବାସୀଙ୍କ ସହ ଆଲୋଚନା ପୂର୍ବକ ଖାଦ୍ଯ -ବାସର ବ୍ଯବସ୍ଥା କରିଥିଲେ । ଲବଣ ସତ୍ଯାଗ୍ରହ ଅନୁଷ୍ଠିତ ହେବାର ଖବର ଚତୁଃପାର୍ଶ୍ୱ ପରିବ୍ୟାପ୍ତ ହୋଇଯାଇଥିଲା । ନୀଳକଣ୍ଠ ଦାସଙ୍କ ସହ ଯୋଗ ଦେବା ପାଇଁ ଜଗନ୍ନାଥ ରଥ, ରଘୁନାଥ ମିଶ୍ର, ସତ୍ଯବାଦୀ ତ୍ରିପାଠୀ,ବୈକୁଣ୍ଠନାଥ ପ୍ରତିହାରୀ,ମାଆ ଇନ୍ଦୁମତୀ  ଆଦି ଉପନୀତ ହୋଇଥିଲେ । ପ୍ରଥମେ ଲୁଣ ମାରିଥିଲେ ଉତ୍କଳମଣିଙ୍କ ପ୍ରିୟ ଛାତ୍ର ମଧୁସୁଦନ ମିଶ୍ର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୁଣମରାକୁ ବେଆଇନ ଘୋଷଣା କରିବା ସହ ଲାଠି ଚାଳନା କରିଥିଲେ ଏବଂ ଫାଙ୍କା ଗୁଳି ବର୍ଷଣ ବି ହୋଇଥିଲା । ପ୍ରଥମେ ଗିରଫ ହୋଇଥିଲେ ମଧୁ ମିଶ୍ର ଓ ଲାଠି ମାଡ଼ରେ ଜଗନ୍ନାଥ ମିଶ୍ରଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥଲା । ବୋଲଗଡ଼ର ସତ୍ଯାଗ୍ରହୀ ବାନାମ୍ବର ପରିଡ଼ାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ଏବଂ ମହାପ୍ରୟାଣ ଘଟିଥିଲା । ଆକ୍ରମଣ ଓ ଗିରଫଦାରୀକୁ ଭ୍ରୁକ୍ଷେପ ନ କରି ଲୁଣମରା ଜାରି ରଖିବାରୁ ସମଗ୍ର ପୁରୀ ଜିଲ୍ଲାରେ ଏ ସତ୍ଯାଗ୍ରହ ସଫଳତା ପାଇଥିଲା ।

        ଗାନ୍ଧିଜୀଙ୍କ ଲବଣ ସତ୍ଯାଗ୍ରହ ନିଷ୍ପତ୍ତି ଅନୁସାରେ ୧୯୩୦ ମସିହା ଏପ୍ରିଲ ୬ ତାରିଖରେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ବରେ ଓଡ଼ିଶାର ପ୍ରଥମ ଲବଣ ସତ୍ଯାଗ୍ରହ ବାଲେଶ୍ବରର ଇଞ୍ଚୁଡ଼ି ଅଭିମୁଖେ ହୋଇଥିଲା । ଗୋପବନ୍ଧୁ ଚୌଧୁରୀଙ୍କ ସହ ସାଥ୍‌ ଦେଇଥିଲେ ଡ଼ଃ. ହରେକୃଷ୍ଣ ମହତାବ  । ଏ ସତ୍ଯାଗ୍ରହ ପାଇଁ ସ୍ଥିର କରିଥିଲେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି । ଏ ସତ୍ଯାଗ୍ରହ ସ୍ଥିର ହେବା ପରେ ଇଂରେଜ ସରକାର ପୂଜ୍ଯ ଗୋପବନ୍ଧୁ ଚୌଧୁରୀ, ଭାଗିରଥୀ ମହାପାତ୍ର, ଡ଼ଃ. ଅଟଳବିହାରୀ ଆଚାର୍ଯ୍ୟ, ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ରାଜକୃଷ୍ଣ ବୋଷ, ଯଦୁମଣି ମଙ୍ଗରାଜଙ୍କୁ ନିଷେଧାଜ୍ଞା ଜାରି କଲେ କଟକର କୌଣସି ଜାଗାରେ ଭାଷଣ ଦେଇପାରିବେ ନାହିଁ  ବୋଲି । ଏ ଆଦେଶ ଅମାନ୍ୟ କରି ପୂଜ୍ଯ ଗୋପବନ୍ଧୁ ଚୌଧୁରୀ ମାର୍ଚ୍ଚ ୨୩ରେ କଟକ କାଠଯୋଡ଼ି ନଦୀବାଲିରେ ଏକ ସାଧାରଣ ସଭାରେ ଭାଷଣ ଦେଲେ । ସେବେଳେ ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ଭାଷଣ ଦେଇ ଗିରଫ ହୋଇ ଏକ ବର୍ଷ କାରାବରଣ କରିଥିଲେ । ଏହି ସତ୍ଯାଗ୍ରହରେ ଆଉ କିଛି ସତ୍ଯାଗ୍ରହୀ ଆଚାର୍ଯ୍ୟ ହରିହର ଦାସ, ବାଲେଶ୍ବରର ଗୋଲଖନାଥ ଦେ, ଗୋକୁଳାନନ୍ଦ ମହାନ୍ତି, କିଶୋରୀ ମୋହନ ମହାପାତ୍ର, ବିଶ୍ବନାଥ ହୋତା, କାଳୀପଦ ଦାସ, ସମ୍ବଲପୁରରୁ ଦୁର୍ଗା ପ୍ରସାଦ ଗୁରୁ, ରାମ ପ୍ରସାଦ ସାହୁ, ସୁଧାଂଶୁ ଶେଖ ଗୁପ୍ତ ଯୋଗ ଦେବା ସହ କଟକ ଜିଲ୍ଲାରୁ ଗୁଣନିଧି ମହାନ୍ତି, ଗୌରାଙ୍ଗ ଚରଣ ଦାସ, ସାଧୁ ଚରଣ ପାଢ଼ୀ, ଶିବ ପ୍ରସାଦ ଭଗତ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶ୍ରୀଧର ମହାରଣା, ଉଦୟନାଥ ମହାନ୍ତି ଯୋଗଦାନ କରିଥିଲେ । ପୁରୀ ଜିଲ୍ଲାରୁ ରଘୁନାଥ ମିଶ୍ର ଓ ମୁରାରୀ ତ୍ରିପାଠୀ ମଧ୍ୟ ଯୋଗଦାନ କରିଥିଲେ । ଲବଣ ସତ୍ଯାଗ୍ରହ ବାହାରିଲା ବେଳେ ଶ୍ରୀମତୀ ରମାଦେବୀ ଓ ଶ୍ରୀମତୀ ମାଳତୀ ଦେବୀ ପୁଷ୍ପ ଚନ୍ଦନରେ ବନ୍ଦାପନା କରିଥିଲେ । ପଥରେ ସତ୍ଯାଗ୍ରହୀ ମାନଙ୍କୁ ଗ୍ରାମବାସୀ ହରିବୋଲ - ହୁଳହୁଳି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ୧୪୪ ଧାରା ଅମାନ୍ୟ କରି କାଠଯୋଡ଼ିର ନଦୀବାଲିରେ ବକ୍ତୃତା ଦେବା ଅଭିଯୋଗରେ ଗୋପବନ୍ଧୁ ଚୌଧୁରୀ ଗିରଫ ହେବା ଦ୍ବାରା ଆଚାର୍ଯ୍ୟ ହରିହର ଦାସ ଏ ସତ୍ଯାଗ୍ରହର ନେତୃତ୍ବ ନେଇଥିଲେ । ଏପ୍ରିଲ୍‌ ୯ ତାରିଖରେ ଦ୍ବିତୀୟ ଦଫାରେ କଟକରୁ ମଦନମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଲୌହସ୍ତମ୍ଭ ବାହିନୀ ସତ୍ଯାଗ୍ରହୀ ଇଞ୍ଚୁଡ଼ି ଯାତ୍ରା କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ମିଶ୍ରଙ୍କ, ପୁରୀର ଗତିକୃଷ୍ଣ ସ୍ବାଇଁ, ବାଲିକୁଦାର ବୀର କିଶୋର ଦାସ, ଚଉଦ୍ବାରର ବିନୋଦ ବିହାରୀ ଚୌଧୁରୀ ଓ ବନମାଳୀ ପୃଷ୍ଟି ଥିଲେ ଓ ଏହା ପରେ ପୁରୀରୁ ସତ୍ଯବାଦୀ ନନ୍ଦଙ୍କ ନେତୃତ୍ବରେ ପତିତ ପାବନ ବାହିନୀ ନାମରେ ଆଉ ଏକ ଦଳ ମଧ୍ୟ ବାହାରିଥିଲେ । ଗଞ୍ଜାମ ଓ ସମ୍ବଲପୁରରୁ ଗୋଟିଏ ଗୋଟିଏ ଦଳ ବାହାରି ଲବଣ ସତ୍ଯାଗ୍ରହରେ ସାମିଲ୍‌ ହୋଇଥିଲେ । ଶ୍ରୀମତୀ ରମାଦେବୀ ଓ ଶ୍ରୀମତୀ ମାଳତୀ ଦେବୀଙ୍କ ନେତୃତ୍ବରେ ଉପକୂଳ ଅଞ୍ଚଳରେ ଶତ ଶତ ନାରୀକର୍ମୀ ଲବଣ ସତ୍ଯାଗ୍ରହୀ ସାଜିଥିଲେ । 

                         ଜାତୀୟ କଂଗ୍ରେସରୁ ଆନୀତ ନିର୍ଦ୍ଦେଶନାମାନୁସାରେ ୧୯୩୦ ଏପ୍ରିଲ ୧୩ରେ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ବରେ ଇଞ୍ଚୁଡ଼ିରେ ଆରମ୍ଭ ହେଲା ଲୁଣମରା । ତା'ପରେ କଟକରୁ ଆସିଥିବା ସତ୍ଯାଗ୍ରହୀ ଦଳ ଲବଣ ଆଇନ୍‌ ଭାଙ୍ଗି ଲୁଣ ମାରିଲେ । ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ଅନୁଷ୍ଠାନ ପକ୍ଷରୁ ସତ୍ଯାଗ୍ରହ ଚାଲିଥିଲା । ଶ୍ରୀମତୀ ମାଳତୀ ଦେବୀ କଟକ ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଲବଣ ସତ୍ଯାଗ୍ରହର ନେତୃତ୍ବ ନେଲେ । ଗଞ୍ଜାମ ଜିଲ୍ଲାରେ ନାରାୟଣ ପାତ୍ର, କଟକ। ଜିଲ୍ଲାରେ ଶରତ ଚନ୍ଦ୍ର ମହାନ୍ତି ଓ ନାଟୁ ମୋହନ ମହାନ୍ତି, ବାଲେଶ୍ବର ଜିଲ୍ଲାରେ ମହେଶ୍ୱର ପ୍ରଧାନ ପ୍ରମୁଖ ସତ୍ଯାଗ୍ରହ ଛାଉଣୀମାନ ଖୋଲି ଲୁଣ ମାରି ଚାଲିଲେ । ସେବର୍ଷ ଜୁନ୍‌ ମାସରେ କୁଜଙ୍ଗର ସେବେଳର ସର୍ବସମ୍ମତ ନେତା ନାରାୟଣ ବୀରବର ସାମନ୍ତ ଗିରଫ ହେବା ପରେ ହରତାଳ ପାଳନ କରାଯାଇଥିଲା ଜୁନ୍‌ ୧୦ ତାରିଖରେ । ତାଙ୍କ ପରେ କୁଜଙ୍ଗର ଭୂତପୂର୍ବ ରାଣୀ ଶ୍ରୀମତୀ ଭଗବତୀ ପାଟ ମହାଦେବୀ ଲବଣ ସତ୍ଯାଗ୍ରହରେ ଯୋଗ ଦେଲାରୁ ଲୋକମାନଙ୍କ ମଧ୍ୟେ ବିଶେଷ ଉତ୍ସାହ ଏବଂ ଉନ୍ମାଦନା ସୃଷ୍ଟି ହୋଇଥିଲା । 

               ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ସାତ ଲକ୍ଷ ମେଟ୍ରିକ୍‌ ଟନ ଲୁଣର ଆବଶ୍ଯକତା ଥିବା ବେଳେ ରାଜ୍ଯରେ ଉତ୍ପାଦିତ ହେଉଛି ଚାରି ହଜାର ମେଟ୍ରିକ୍‌ ଟନରୁ କମ ଲୁଣ ; ତେଣୁ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାକୁ ଲୁଣ ପାଇଁ ଓଡ଼ିଶା ଅନ୍ଯ ରାଜ୍ଯ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇ ପଡ଼ୁଛି । ଆମ ରାଜ୍ଯ ଓଡ଼ିଶାରେ ୪୮୦ କି.ମି ଦୈର୍ଘ୍ୟ ସାମୁଦ୍ରିକ ବେଳାଭୂମି ସହ ପ୍ରାୟ ୧୧୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳର ଲବଣାକ୍ତ ହ୍ରଦ ଚିଲିକା ଅଛି  । ଏହି ଭିତ୍ତିଭୂମିର ପୂର୍ଣ୍ଣ ଉପଯୋଗ କରାଯାଇ ପାରିଲେ ଓଡ଼ିଶା ବର୍ଷକୁ ଅତି କମରେ ୬୦ ଲକ୍ଷ ଟନ ଲୁଣ ଉତ୍ପାଦନ କରି ପାରନ୍ତା ବୋଲି ଯୋଜନା ବିଶାରଦ ଓ ଅର୍ଥନୀତିଜ୍ଞ ମାନଙ୍କ ମତ । ଓଡ଼ିଶାରେ ଯଦି ଲବଣ ଶିଳ୍ପକୁ ଯୋଜନାବଦ୍ଧ ଭାବେ ବିକାସ କରାଯାଇ ପାରନ୍ତା ତେବେ ଏ କ୍ଷେତ୍ରରେ ଅନ୍ଯୁନ ୩ ଲକ୍ଷ ଲୋକ ପ୍ରତ୍ଯକ୍ଷ କର୍ମ ନିଯୁକ୍ତି ପାଇବା ସହ ଓଡ଼ିଶାର ଅର୍ଥନୀତିକୁ ବିକଶିତ କରିବା କ୍ଷେତ୍ରରେ ଲୁଣ ଉତ୍ପାଦନ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ଯକୁ ପ୍ରଚୁର ପରିମାଣରେ ଲୁଣ ଯୋଗାଇ ବେଶ୍‌ ମୁନାଫା ଉଠାଇ ପାରନ୍ତା  । 

     ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
       ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା