ଅଲୌକିକତା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କଥାରେ ଅଛି - "ସତ କେବେ ଲୁଚ଼ି ରହେନା" ; ସେମିତି "ପାପ କରି କେହି ଛପାଇ ପାରେନା" । ଆଜି ନହେଲେ କାଲି ସତ୍ଯର ପରିପ୍ରକାଶ ହୁଏ ; ପାପକୁ ଲୁଚ଼ାଇ ଦେଇ ପାରିବା ଶକ୍ତି କାହାର ବି ନାହିଁ । ଦିନେ ନା ଦିନେ ଦୁନିଆ ଜାଣିବ କରିଥିବା କୁକର୍ମ । ଏହା ଚ଼ିରାଚ଼ରିତ କଥା , ବହୁ ପୂର୍ବରୁ ପ୍ରମାଣ ସିଦ୍ଧ ମଧ୍ଯ । ପାପରୁ ମୁକ୍ତି ପାଇଁ ଅନେକ କିଛି ତ୍ଯାଗ କରିବାକୁ ପଡ଼େ । ଦାନ , ଦକ୍ଷିଣା ତଥା ପ୍ରାୟଶ୍ଚିତ କରିବାକୁ ପଡ଼େ । ଆଧ୍ଯାତ୍ମିକ ଚ଼େତନାକୁ ଜାଗ୍ରତ କରି ହୋମ , ଯଜ୍ଞ କରିବା କଥା ମୁନିଋଷି ମାନଙ୍କ ଠାରୁ ଦେଖିବାକୁ ମିଳେ । ଦେବସ୍ଥଳୀରେ ବିପ୍ରଙ୍କ ଦ୍ବାରା ଏକପ୍ରକାର ପ୍ରାୟଶ୍ଚିତ କରିବାକୁ ହୁଏ ରୀତିନୀତି - ସଂସ୍କାର ଅନୁସାରେ । ଏଠାରେ ପ୍ରଶ୍ନ ଉଠେ କି , ଏସବୁ ଦ୍ବାରା କ'ଣ ପାପ ମୁକ୍ତ ହୋଇ ବୈକୁଣ୍ଠ ପ୍ରାପ୍ତ ହୁଏ କି ? ଉତ୍ତର ଆସିବ - ନା , ପାପରୁ କେବେ ମୁକ୍ତି ନଥାଏ । କେବଳ ଲୋକାଚ଼ାର-କୁଳାଚ଼ାର କଥାଟି ହୁଏ ; ପାପୀଟି ତପୀ ମାନଙ୍କ ସଙ୍ଗ କରିବାକୁ ଏକ ପ୍ରକାର ସଂସ୍କାର କରାଯାଇଥାଏ । ସଂସ୍କାର ପରେ ଅର୍ଥାତ୍ ପାପକୁ ସ୍ବୀକାର କରି ପ୍ରାୟଶ୍ଚିତ କରିବା ପରେ ସାଧୁ ସମାଜ ତାକୁ ପୁନରାୟ ନିଜର ସଙ୍ଗ କରେ । ବିପ୍ର ମାନଙ୍କ ଦ୍ୱାରା ମନ୍ତ୍ରପାଠ ପୂର୍ବକ ନାନାଦି ବିଧିବିଧାନରେ କରାଯାଉଥିବା ସଂସ୍କାର ଓ ପାପୀର ପାପ ସ୍ବୀକାର ପରେ ସାଧୁ ସମାଜରୁ ଦୂରେଇ ରଖା ଯାଇଥିବା ପାତକୀକୁ ପୁନର୍ବାର ସାଧୁ ସମାଜରେ ବିଚ଼ରଣ କରିବାକୁ ସୁଯୋଗ ଦିଆଯାଏ । କହିବାକୁ ଗଲେ ସଂସ୍କାର , ବିପ୍ରଙ୍କର ମନ୍ତ୍ରପାଠ , ପାତକୀର ପ୍ରାୟଶ୍ଚିତ ଏବଂ ପାତକୀର ପାପ କ୍ଷୟ ଏକ ସରଳରେଖାରେ ରହିଥାଏ ।ଏଠାରେ ବୁଝିବାକୁ ପଡ଼ିବ ଯେ ବିପ୍ର କେବଳ ମାଧ୍ଯମ ; ଯଜମାନର ଆତୁରତାକୁ ରକ୍ଷା କରିବାକୁ ସେ ପ୍ରଚ଼େଷ୍ଟିତ । ଏହି ସମ୍ବନ୍ଧରେ ଏକ ନିଛକ ସତ୍ଯ ଘଟଣାର କାହାଣୀଟିଏ ଉପସ୍ଥାପନ କରିବାକୁ ଯାଉଛି , ଯାହା ମୋ' ଅଙ୍ଗେନିଭା । ପାପ ସ୍ବୀକାର , ସଂସ୍କାର ଓ ପ୍ରାୟଶ୍ଚିତ ପରେ କିପରି ମୁକ୍ତିର ମାର୍ଗ ଫିଟିଯାଏ , ତାହା ଏହି ଗଳ୍ପରେ ପ୍ରତିପାଦିତ । ଆସନ୍ତୁ ଯିବା କାହାଣୀ ଉପରକୁ ଏବେ ।
ସକାଳ ସମୟ ; ଦାଣ୍ଡଘରେ ବସି କ'ଣ ଗୋଟେ କବିତା ରଚ଼ନାରେ ମଜି ଯାଇଥିଲି । ଗାଁର ଚ଼ାଷୀ ମୂଲିଆ ଲୋକ ଜଣେ ରବି ସ୍ବାଇଁ ଆସି ପହଞ୍ଚିଲା ଦୁଆରେ ଲୁଙ୍ଗି - ଗାମୁଛା ପରିଧାନ କରି । କାନ୍ଧରେ ଥିବା ଗାମୁଛାରେ କିଛି ଚ଼ାଉଳ - ପଇସା ଅଣ୍ଟି କରି ଧରିଥାଏ । ହଠାତ ଭିକ୍ଷା ମାଗିବା କଥା ଦେଖି ମୋର ଆଶ୍ଚର୍ଯ୍ୟର ସୀମା ରହିଲାନି । ପଚ଼ାରିଲି ତାକୁ ଏ ବିଷୟରେ ; ଭିକ୍ଷା ବୃତ୍ତିର କାରଣ କ'ଣ ବୁଝିଲି । ଉତ୍ତର ଥିଲା ଭିନ୍ନ ପ୍ରକାରର । ତା'ର ବାପା ବଂଶୀଧର ସ୍ବାଇଁ ଦୀର୍ଘଦିନ ହେବ ଶଯ୍ୟାଶାୟୀ ; ଏମିତିକି ଆଧାର ବି ଛାଡ଼ି ସାରିଲାଣି । ବୟସ ବି ବହୁତ ବେଶି ; କିନ୍ତୁ ଘାଣ୍ଟି ଚ଼କଟି ହେଉଛି , ଜୀବ ଛାଡୁନି । ଗୋ' ହରଣ ଦୋଷ ହେତୁ ମର୍ତ୍ତ୍ୟରେ ଯମଦଣ୍ଡ ଭୋଗ କରୁଛି । ପ୍ରାୟଶ୍ଚିତ ପାଇଁ ଅକ୍ଷମ ଥିବାରୁ ତା' ଦ୍ବାରା (ରବି ସ୍ବାଇଁ ଦ୍ବାରା) ସମସ୍ତ ସଂସ୍କାର ସହିତ ପାପ ମୁକ୍ତିର ପ୍ରାୟଶ୍ଚିତ କରିବା ପାଇଁ ବ୍ରାହ୍ମଣ ମାନଙ୍କ ଦ୍ୱାରା ସ୍ଥିର କରାଯାଇଛି । ସବୁ ଶୁଣିବା ପରେ ମୁଁ କିଛି ଭିକ୍ଷା ଦେଲି ତାକୁ । ମୁଁ ତା'ର କୁଳ ପୁରୋହିତ । ଜଣେ ଅଭିଜ୍ଞ ବ୍ରାହ୍ମଣ କହିଛନ୍ତି ଏଗାର ଦିନରେ ମୁକ୍ତି ହେବ । ପ୍ରକୃତରେ ଏକତିରିଶି ଦିନ ପାଳନ କରିବା କଥା , କିନ୍ତୁ ସବୁ ଅସୁବିଧାକୁ ଆଖି ଆଗରେ ରଖି ଏଗାର ଦିନ କରା ଯାଇଛି । ବୁଢ଼ା କାଳେ ଇହଧାମ ତ୍ୟାଗ କରିଦେବ ଓ ପ୍ରାୟଶ୍ଚିତ କରି ପାରିବନି ଭାବି ଶାସ୍ତ୍ରାନୁସାରେ କୋହଳ କରାଯାଇଛି । ମୁଁ ବି ଜଣେ ବ୍ରାହ୍ମଣଙ୍କୁ ପଚ଼ାରିବା ପରେ ସେ ବି କହିଲେ - "ହଁ , ହୋଇପାରିବ ; ଶାସ୍ତ୍ରରେ ଅଛି ।" ତେଣୁ ସେ ଏଗାର ଦିନ ପାଳିବା ଆରମ୍ଭ କରିଦେଲା । ଦୁଇଦିନ ପରେ ମୁଁ ପ୍ରାୟଶ୍ଚିତ କର୍ମର ତାଲିକା ବି ଦେଇଦେଲି ।
ସେଦିନ ଥାଏ ଶୁକ୍ରବାର ; ଗାଁର ଇଷ୍ଟଦେବ ଗ୍ରାମେଶ୍ବରଙ୍କ ମନ୍ଦିରରେ କର୍ମ ବିଧାନର ବ୍ଯବସ୍ଥା ହେଲା । ଦିନ ଆଠଟା ବେଳକୁ ରବି ସ୍ବାଇଁ ପହଞ୍ଚିଲା ମୋ' ପାଖରେ । କେତେବେଳେ କାମ ଆରମ୍ଭ କରିବା ବୋଲି ପଚ଼ାରିବାରୁ ମୁଁ କହିଲି - "ବାରଟା ପରେ ଆରମ୍ଭ ହେବ । ଦେଶ - ବିଶୋଇ - ବ୍ରାହ୍ମଣ ସମସ୍ତଙ୍କୁ କୁହ , ସେମାନେ ଆଗ ଉପସ୍ଥିତ ହୁଅନ୍ତୁ ।" ରବି କହିଲା - "ବହୁତ ଡେରି ହୋଇଯିବ , ବାପା ଖାଇବା ପିଇବା ଛାଡ଼ି ସାରିଲେଣି ଏବଂ କଥା ବି କହୁନାହାନ୍ତି ଆଉ ।" ମୁଁ କହିଲି - "ଚି଼ନ୍ତା ନାହିଁ , ପ୍ରାୟଶ୍ଚିତ ନ ହେବା ଯାଏଁ ସେ ସେମିତି ପଡ଼ିଥିବ । ଏ କାମ ତ ଡ଼େରି , ଚ଼ିନ୍ତା କରନା ।" ଦଶଟା ସମୟ ବେଳକୁ ଗାଧୋଇ ବାହାରିଲି । ତାଙ୍କରି ଘର ବାଟ ଦେଇ ଯିବା ବେଳେ ତାଙ୍କ ଘରର ଜଣେ ସ୍ତ୍ରୀଲୋକ କହିଲେ - "ଶିବ ! ଡ଼େରି ହେଲାଣି , କ'ଣ କରିବା ? ଆରମ୍ଭ କରିଦେ' ।" ମୁଁ ଯିବା ବାଟରେ କହି ଦେଇ ଗଲି - "କାଠ ଯୋଗାଡ଼ି ରଖିଥାଅ , ପ୍ରାୟଶ୍ଚିତ ପରେ କାମରେ ଆସିବ ।" କାହିଁକି କେଜାଣି ମତେ ଜଣା ପଡ଼ି ଯାଇଥିଲା ଯେ , ଏ କାମ ସରୁ ସରୁ ବଇଁଶୀ ସ୍ବାଇଁ ଏ ମରଧାମ ଛାଡ଼ିବା ନିଶ୍ଚିତ । ନିତ୍ଯକର୍ମ ସାରି ଫେରିଲି , ନିଜକୁ ପ୍ରସ୍ତୁତ କରି ନେଇ ଆମ ଗାଁ ମନ୍ଦିର ଗ୍ରାମେଶ୍ବର ପୀଠରେ ଉପସ୍ଥିତ ହେଲି । ଦେଶ - ବିଶୋଇ - ବ୍ରାହ୍ମଣ ସମସ୍ତେ ଉପସ୍ଥିତ ହୋଇ ସାରିଥିଲେ ।
ଯଥାବିଧି କାର୍ଯ୍ୟ ହେଲା । ବଇଁଶୀ ସ୍ବାଇଁକୁ ଚ଼ଉକିରେ ବସାଇ ମନ୍ଦିର ପାଖକୁ ଟେକି ଅଣାଗଲା । ଯାହା ଯେମିତି ଶାସ୍ତ୍ର ବିଧି ଅନୁସାରେ ପ୍ରାୟଶ୍ଚିତ କରାଗଲା । ପଞ୍ଚାମୃତ ପିଇ ସାରିବା ପରେ ହେଙ୍କା ଉଠିଲା ସେହି ମନ୍ଦିର ପ୍ରାଙ୍ଗଣରେ । ପ୍ରାୟଶ୍ଚିତ ସ୍ବରୂପ କର୍ମ ଉପଚ଼ାରର ସମସ୍ତ ଖର୍ଚ୍ଚ ପାଇଁ ନିଜ ତୁଣ୍ଡରେ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ସ୍ବୀକାର କଲା ରବି ସ୍ବାଇଁ । ମନ୍ଦିର ଠାରୁ ତାଙ୍କ ଘର ମାତ୍ର ଶହେ ମିଟର ଦୂର । ଟେକି ନେଇଗଲେ ଘରକୁ ; ଘର ଭିତରେ ରଖିଦେଲେ ବଇଁଶୀ ସ୍ବାଇଁକୁ । କିନ୍ତୁ ଦେଖିଲା ବେଳକୁ ବଇଁଶୀ ଦେହରେ ଜୀବନ ନାହିଁ । ପିଣ୍ଡ ପରିତ୍ଯାଗ କରି ଜୀବାତ୍ମା ବାହାରି ଯାଇଛି ଶୂନ୍ଯରେ ।
ଏହା ଏକ ଆଶ୍ଚର୍ଯ୍ୟର କଥା ନୁହେଁ କି ? ଯୋଉ ଲୋକ ଦାନ୍ତ - ପାଟି ପକେଇ ଦେଇଥିଲା , କଥା କହିପାରୁ ନଥିଲା ; ସେହି ଲୋକ ଅସ୍ପଷ୍ଟ ସ୍ବରରେ ପାଟି ଫିଟେଇ ମନ୍ଦିର ସାମ୍ନାରେ ନିଜ କୃତକର୍ମକୁ ସ୍ବୀକାର କଲା । ଏହା ବି ଏକ ଆଶ୍ଚର୍ଯ୍ୟର କଥା । ପୁଣି ଘରକୁ ଯିବା ବାଟରେ ହିଁ ମରଧାମ ତ୍ଯାଗ କଲା । ବୋଧହୁଏ ସେ ପ୍ରାୟଶ୍ଚିତକୁ ପ୍ରତୀକ୍ଷା କରି ଥିଲା । ଧର୍ମ ବୋଲି କିଛି ନିଶ୍ଚିତ ଅଛି , ଏକଥାକୁ ଅସ୍ବୀକାର କରାଯାଇ ପାରିବ ନାହିଁ । ପୂର୍ବରୁ ମୁନିଋଷି ମାନେ କରି ଯାଇଥିବା ସଂସ୍କାର କେବେ ଅନ୍ଧବିଶ୍ୱାସ ନୁହେଁ ; ଏକଥା ମନି ନେବାକୁ ଏହି କାହାଣୀଟି ଦ୍ରଷ୍ଟବ୍ୟ । ଧର୍ମ - ସଂସ୍କାର - ପ୍ରାୟଶ୍ଚିତ - କର୍ମ , ଏହି ଚ଼ାରୋଟି ଗୋଟିଏ ସରଳରେଖାରେ ଅବସ୍ଥିତ କହିଲେ ଚ଼ଳେ ଏବଂ ବିଶ୍ବାସର ଚ଼ଟାଣ ଉପରେ ଏହି ସରଳରେଖାର ଚ଼ିତ୍ରଟି ଅବସ୍ଥାପିତ ।
ସେ ଯାହା ବି ହେଉ , ଧର୍ମ ଓ ସଂସ୍କାରର ମହାତ୍ମ୍ଯ ନିଶ୍ଚୟ ଅଛି ବୋଲି ଜାଣିବକୁ ହେବ । ଆଉ ଗୋଟିଏ କଥା , ବିଶ୍ବାସ ହିଁ ସବୁକିଛି ବୋଲି ପ୍ରମାଣ ପ୍ରଦାନ କରେ । ଭୁଲ୍କୁ ସ୍ବୀକାର କରିବା ପ୍ରକୃତ ପ୍ରାୟଶ୍ଚିତ ବୋଲି ଏହି ଗଳ୍ପଟିରୁ ଜଣାପଡ଼େ । କିଏ ମାନୁ ବା ନ ମାନୁ , ମୁଁ କିନ୍ତୁ ଏ ସବୁକୁ ମାନି ନେଇଛି । କାହାର ଭାବନା କ'ଣ ମୁଁ ଜାଣିନି , ମୋ' ଭାବନାରେ ଏହା ଏକ ଅଲୌକିକତା । କାହା ଭାବନାକୁ ନେଇ ମୁଁ ଯୁକ୍ତି ବାଢ଼ିବା ମୋ' ପକ୍ଷେ ନିରର୍ଥକ ।
ଭାଟପଡ଼ା -ନିରାକାରପୁର - କଣାସ - ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment