ଏକ ସାରସ୍ବତ ସୃଷ୍ଟି :- "ସ୍ରଷ୍ଟା , ସୃଷ୍ଟି ଓ ଦ୍ରଷ୍ଟା"
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସାହିତ୍ଯ କହିଲେ ସବୁରି ହିତ ସାଧନକୁ ବୁଝାଏ ; ଅର୍ଥାତ୍ ଯିଏ ସମୀଜର ହିତ ସାଧନାରେ ଥାଏ ସିଏ ସାହିତ୍ଯ । କେବଳ ଯେ ମଣିଷ ତାହା ନୁହେଁ ; କୀଟପତଙ୍ଗ , ତରୁତୃଣ ସବୁରି ହିତରେ ଆସେ ସାହିତ୍ଯ । ଆମେ ଏଠି କହିବା ଯେ , କେବଳ ମଣିଷ ହିଁ କହିପାରେ , ବୁଝିପାରେ ଓ ଲେଖିପାରେ ; ସେମାନେ ତ ବୁଝନ୍ତି ନାହିଁ କି ଲେଖନ୍ତି ନାହିଁ , ତେଣୁ ସେମାନଙ୍କର ହିତ କେମିତି ହେବ ? ଏଇ ମଣିଷ ଦ୍ବାରା ହୋଇପାରିବ ବୋଲି ଉତ୍ତର ଆସିବ । ଏଠି କହି-ଲେଖି-ବୁଝି ପାରୁଥିବା ପ୍ରାଣୀ ହିଁ ତାଙ୍କୁ ସୁରକ୍ଷା ଦେବ । ପାରଙ୍ଗମ ଥିବା ପ୍ରାଣୀ ଅପାରଗ ପ୍ରାଣୀ ବା ଜୀବର ହିତ ସାଧନ କରିପାରିବ । ଏଇ ତ ମାନବିକତା ବା ଜୀବ ସୁଲଭ ଗୁଣ । ସମାଜକୁ ସତ୍ ପଥ ଦେଖାଇବା ଓ ଦୁଃସ୍ଥ ଅସହାୟର ସହାୟତା କରିବା ଜଣେ ସାହିତ୍ୟିକର ଧର୍ମ ହେବା ଉଚିତ । ଅନ୍ଯାୟ ଦେଖି ଚୁପ୍ ହୋଇ ବସିବା ଜଣେ ସୁସାହିତ୍ଯିକର ଧର୍ମ ନୁହେଁ । ସତ୍ଯ-ନ୍ଯାୟ-ଧର୍ମର କଲମ ମୁନରେ ମାନବିକତାର କାଗଜ ଚଟାଣରେ ସମାଜ ମଙ୍ଗଳର ବାର୍ତ୍ତା ବୀଜ ବୁଣିବା ଜଣେ ସାହିତ୍ଯ ସାଧକର ପ୍ରଧାନ କାର୍ଯ୍ଯ ହେବା ଉଚିତ । ସତ୍ଯକୁ ସାମ୍ନାକୁ ଆଣିବା ଜଣେ ସାହିତ୍ୟିକର କର୍ତ୍ତବ୍ୟ ବୋଲି ମାନି ନେବା ଉଚିତ । ଏସବୁ କରି ନପାରିଲେ ସେ ସାହିତ୍ୟିକ ପଦାଧିଷ୍ଠିତ ହୁଏ ନାହିଁ ।
ଏମିତି ଏକ ବ୍ଯକ୍ତିତ୍ବ ଏବଂ ମୋ' ପାଇଁ ଯିଏ ମହାମାନ୍ୟ ; ସେ ହେଲେ କଟକର ମହାନଦୀ ବିହାର ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ଯ ବିଭାଗର ଅଧ୍ଯାପକ ଡକ୍ଟର ଲକ୍ଷ୍ମଣ ସାହୁ । ଯାହାଙ୍କ ବ୍ଯକ୍ତିତ୍ବକୁ ମୁଁ ଏଇ କିଛିଦିନ ହେବ ଉପଲବ୍ଧି କରିସାରିଛି ଏବଂ ତାଙ୍କର ଶିକ୍ଷା ଓ ଚେତନାଧର୍ମୀ ଲେଖାକୁ ତନ୍ନତନ୍ନ କରି ପଢ଼ି ସାରିଛି । ତାଙ୍କ କାଳଜୟୀ ସୃଷ୍ଟି ସମୂହର ମୁଁ ଏକ ବଡ଼ ପ୍ରଶଂସକ । ତାଙ୍କ ଚିନ୍ତାଧାରା ଓ ସୃଜନଶୀଳତାରେ ମୁଁ ଅନୁପ୍ରାଣିତ । ତାଙ୍କର ପ୍ରତ୍ଯେକଟି ଲେଖାରେ ଭରି ରହିଛି ଅନେକ ଶିକ୍ଷା , ଚେତନା ; ଯାହା ଆଜିର ସମାଜକୁ ମଙ୍ଗଳର ବାର୍ତ୍ତା ପ୍ରଦାନ କରେ । ଖାଲି ଲେଖାରେ ନୁହେଁ , କଥାରେ ଓ କାମରେ ମଧ୍ଯ ସେ ଶିକ୍ଷା ଏବଂ ଚେତନାର ବାର୍ତ୍ତାବହ । ତାଙ୍କର ଉଦାର ହୃଦୟକୁ ଯେ' କେହି ଉପଲବ୍ଧି କରିଥିବେ , ସେ ହିଁ କହିପାରିବେ ତାଙ୍କ ବ୍ଯକ୍ତିତ୍ବ ବିଷୟରେ । ସ୍ନେହ , ପ୍ରେମ ଓ ଭଲପାଇବାର ମୂର୍ତ୍ତିମନ୍ତ ପ୍ରତୀକ ସେ ଜଣେ । ସତ୍ଯନିଷ୍ଠ ଏବଂ ସାହିତ୍ଯାନୁରାଗୀ ; ସରଳ ଓ ନିଷ୍କପଟ ମନକୁ ସେମାନେ ହିଁ ବୁଝିବେ ଯେଉଁମାନେ ତାଙ୍କ ସହ ସଂଶ୍ଳିଷ୍ଟ । ଏଭଳି ବ୍ଯକ୍ତିତ୍ବ ଏବଂ ସାରସ୍ବତ ସ୍ରଷ୍ଟା ମୋ' ପାଇଁ ସଦାସର୍ବଦା ନମସ୍ୟ ଏବଂ ମୋର ପୂଜ୍ୟ ।
ମୋର ଅହୋଭାଗ୍ୟ ମୁଁ ଏଭଳି ଜନୈକ ମହାମାନ୍ୟଙ୍କ ସଂସ୍ପର୍ଶରେ ଆସି ପାରିଛି ଏବଂ ତାଙ୍କ ଠାରୁ କିଛି ଶିଖିବାର ମନୋବୃତ୍ତି ବି ମୋତତେ ତାଙ୍କ ସହିତ ଆହୁରି ଘନିଷ୍ଠ କରିଛି । ତାଙ୍କର ପ୍ରତ୍ଯେକ ଲେଖା ପାଠକଙ୍କର ପ୍ରାଣସ୍ପର୍ଶୀ , ମୋ' ପ୍ରାଣକୁ ବିଶେଷ କରି ବିମୋହିତ କରିପାରିଛି । ତାଙ୍କର ପ୍ରତ୍ଯେକ ଲେଖା ମୁଁ ପାଠ କରେ ; ପ୍ରତ୍ଯେକଟି ଲେଖାରୁ ମୁଁ ପ୍ରାପ୍ତ କରେ ନୂଆ କିଛି କରିବାର ପଦ୍ଧତି । ଅର୍ଥାତ୍ , ତାଙ୍କ ଲେଖାରୁ ମୁଁ କିଛି ଖୋରାକ ପାଇଯାଏ ଯାହା ମତେ ଆଗକୁ କିଛି ଲେଖିବାର ସୁଯୋଗ ମିଳେ । ତା' ସହିତ ଅନେକ ଶିକ୍ଷା ପ୍ରାପ୍ତ କରେ ତାଙ୍କ ସୃଜନୀରୁ । ତାଙ୍କର ଏମିତି ଏକ ସୃଜନୀ ମୋର ହସ୍ତଗତ ହୋଇଛି ଯାହା ମୋ' ଆନନ୍ଦକୁ ଦ୍ବିଗୁଣିତ କରିପାରିଛି । ସେହି ସୃଜନୀଟି ହେଲା - "ଓଡ଼ିଆ ସାହିତ୍ଯର :ସ୍ରଷ୍ଟା ସୃଷ୍ଟି ଓ ଦ୍ରଷ୍ଟା" । ସମ୍ପୂର୍ଣ୍ଣ ସୃଜନୀଟି ପାଠ କଲା ପରେ ତାଙ୍କ ବିଷୟରେ ଓ ତାଙ୍କର ସୃଜନୀ ସମ୍ବନ୍ଧରେ ନଲେଖି ରହି ପାରିଲି ନାହିଁ । ଅନୁମତି ଲୋଡ଼ିଲି ଦିନେ ; କାରଣ ସେହି ସୃଜନୀଟିକୁ ବ୍ଯାଖ୍ଯା କଲେ କେତେଦିନ ଯେ ଲାଗିବ ଓ କେତେ ବଡ଼ ଗ୍ରନ୍ଥ ହେବ ତାହା ଅନୁମମାନ କରିବା ଅସମ୍ଭବ । ତେଣୁ ମୋର ସକ୍ଷମାନୁସାରେ , ମୋ' ପାରିବାପଣରେ ଯେତିକି ଲେଖୁଛି ତାହା ପାଠକ ମାନଙ୍କ ସାମ୍ନାରେ ଉପସ୍ଥାପନ କରୁଛି । କୌଣସି ବି ପାଠକ ତାଙ୍କର ଏହି ସୃଜନୀ ବିଷୟରେ ଜାଣି ତାଙ୍କର ସାହିତ୍ଯ ପ୍ରୀତିକୁ ଉପଲବ୍ଧି କରିପାରିଲେ ମୁଁ ଜାଣିବି ଯେ ମୋ' ଲେଖାରେ ସାର୍ଥକତା ଆସିଲା ।
ସଙ୍କଳନଟିର ନାମକୁ ଦେଖନ୍ତୁ , କେତେ ଗଭୀର ଚିନ୍ତାଧାରାର ନାମଟିଏ । ଏଠି ସେ ଚାରୋଟି କଥାକୁ ସୂଚେଇଛନ୍ତି - "ଓଡ଼ିଆ ସାହିତ୍ଯ , ସାହିତ୍ଯ ସ୍ରଷ୍ଟା , ସାହିତ୍ଯର ସୃଷ୍ଟି ଏବଂ ଦ୍ରଷ୍ଟା", ଅର୍ଥାତ୍ ଦେଖୁଥିବା ଲୋକ ବା ପରୋକ୍ଷରେ କହିବାକୁ ଗଲେ ପାଠକ । କେତେ ଚିନ୍ତା କରି କେଡ଼େ ସୁନ୍ଦର ନାମକରଣ ; ଏଇଥିରୁ ଅନୁଭବ କରି ପାରୁଥିବେ ଏହି ସାହିତ୍ଯାନୁରାଗୀଙ୍କ ସାହିତ୍ଯ ପ୍ରୀତିକୁ । ଏପରି ନାମକରଣର ଯଥାର୍ଥତା ହେଲା ସେ ଏହି ସଙ୍କଳନର ସ୍ରଷ୍ଟା , ଏହି ସଙ୍କଳନଟି ତାଙ୍କ ଦ୍ବାରା ସୃଷ୍ଟି ଏବଂ ଆମେମାନେ ତା''ର ପାଠକବୃନ୍ଦ । ଏଠି ସମସ୍ତଙ୍କୁ ଗୋଟିଏ ସରଳରେଖାରେ ଯୋଡ଼ି ସାହିତ୍ଯର ସରଣୀକୁ ରୁଦ୍ଧିମନ୍ତ କରିଛନ୍ତି ଡକ୍ଟର ଲକ୍ଷ୍ମଣ ସାହୁ । ଏହି ସଙ୍କଳନଟିରେ ସ୍ଥାନ ପାଇଛି ସମୁଦାୟ ଛବିଶିଟି ପ୍ରବନ୍ଧ ; ପ୍ରତ୍ଯେକଟି ଲେଖା ସମାଜ କଲ୍ଯାଣାର୍ଥେ ଉଦ୍ଦିଷ୍ଟ । ଏହି ସଙ୍କଳନଟି ୨୦୧୫ ମସିହାରେ ଭବାନୀ ବୁକ୍ସ୍ ଦ୍ବାରା ପ୍ରକାଶିତ ହୋଇଥିଲା । କିନ୍ତୁ ୨୦୧୯ରେ ମୋତେ ପ୍ରାପ୍ତ ହେଲା । ସଙ୍କଳନଟିକୁ ସମ୍ପୂର୍ଣ୍ଣ ପାଠ କରି ସାରିବା ପରେ ମୋ' କଲମ ଲଙ୍ଗଳଟି କାଗଜ କ୍ଷେତ ଚଷିବାକୁ ଅଥୟ ହୋଇ ଉଠିଲା । ବାଧ୍ଯ ହେଲି କ୍ଷେତକୁ ଚଷି କିଛି ପ୍ରୀତିପୂର୍ଣ୍ଣ ବୀଜ ବପନ କରିବାକୁ । ଗଛ ତ ଉଠିଗଲା ଓ ଫଳ ବି ଧରିନେଲା , କିନ୍ତୁ ସେ କେତେ ସୁସ୍ବାଦୁ ଭୁକ୍ତା କହିବେ ; ଭୋଜନ ଉପଯୋଗୀ କି ନା ଆପଣମାନେ କହିବେ । ମୁଁ ତ ଚାଷୀଟିଏ ମାତ୍ର ।
ଏଥିରେ ଉଲ୍ଲିଖିତ ପ୍ରତ୍ଯେକଟି ପ୍ରବନ୍ଧ ମୋର ଆତ୍ମବିଭୋରତାକୁ ବଢ଼ାଇ ଦେଇଛି ଏବଂ ଅନେକ କିଛି ଶିଖିବାର ସୁଯୋଗ ଦେଇଛି । ଐତିହ୍ୟ , ସଂସ୍କୃତି ଓ ସଭ୍ଯତା ସହିତ ଓଡ଼ିଆର ପରମ୍ପରା ଓ ପ୍ରତ୍ଯେକ ମଣିଷର ଜୀବନ ଓ ନୈତିକତା ତଥା ମାନବିକତା ବିଷୟରେ ସୁନ୍ଦର ବର୍ଣ୍ଣାଢ୍ୟ ରଚନା ସତରେ କେତେ ସ୍ବାଦ ଯୁକ୍ତ , ଭୋଜନ କଲା ପରେ ବାରି ହୋଇପଡ଼େ । ପୁରାଣ ଓ ନୀତିଶିକ୍ଷା ସହିତ ଜନଜାଗରଣ ସଙ୍କଳନଟିକୁ ପରିପୁଷ୍ଟ କରିପାରିଛି । ପୂର୍ବସୂରୀ ମାନଙ୍କ ସ୍ମୃତିଚାରଣ ତଥା ତାଙ୍କ କୃତିରୁ ପ୍ରାପ୍ତ ଶିକ୍ଷାକୁ ଏହି ସଙ୍କଳନରେ ସ୍ଥାନିତ କରି ସେ ଯେଉଁ ମହନୀୟ କାର୍ଯ୍ଯ କରିଛନ୍ତି ସେଥିରୁ ସମାଜକୁ କିଛି ଶିକ୍ଷା ଓ ଚେତନା ପ୍ରାପ୍ତ ହେଉଛି । ସମାଜ ପାଇଁ ନିଜର ସର୍ବସ୍ବ ଜ୍ଞାନକୁ ସମର୍ପିତ କରି ସେ ପ୍ରକୃତ ସାଧକଙ୍କର ପରିଚୟ ପ୍ରାପ୍ତ କରି ପାରିଛନ୍ତି ।
ଅତୀତର ଅନେକ କଥା (ଯାହା ଏବେ ଇତିହାସ) ଏଥିରେ ଅଳଙ୍କୃତ କରି କିଛି ଦେଖ , ଶିଖ ଓ ଲେଖ ବୋଲି ପରୋକ୍ଷରେ ପରଷିଛନ୍ତି ପ୍ରତି ପାଠକଙ୍କ ପାଖରେ । ପୁରାତନ ଓ ଅଧୁନା ଯୁଗ ମଧ୍ୟରେ ତାରତମ୍ୟକୁ ସେ ତଉଲି ପାରିଛନ୍ତି ସାହିତ୍ଯ ତରାଜୁରେ । ପରୋକ୍ଷ ଭାବରେ ସେ କହିଛନ୍ତି ଯେ - "ସମୟ ଥାଉ ସୁଧୁରି ଯାଅ" ; ପ୍ରକୃତ ପାଠକ ଏହା ହିଁ ଉପଲବ୍ଧି କରିପାରିବ । ଧର୍ମ-ଅର୍ଥ-କାମ - ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶନ କରାଇଛନ୍ତି ତାଙ୍କର ପ୍ରତ୍ଯେକଟି ପ୍ରବନ୍ଧରେ । ପ୍ରତ୍ଯେକ ମଣିଷ ତାଙ୍କ ନିଜର ସୃଜନଶୀଳତାକୁ ଉଜ୍ଜୀବିତ କରିବାକୁ ପରୋକ୍ଷରେ ପ୍ରବନ୍ଧ ମାଧ୍ଯମରେ ପ୍ରବର୍ତ୍ତାଇଛନ୍ତ । ସାହିତ୍ଯରେ ଶାଳୀନତା ରକ୍ଷା କରିବା ଏବଂ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ପ୍ରତ୍ଯେକ ଓଡ଼ିଆର ଧର୍ମ ବୋଲି ପ୍ରତିପାଦନ କରିଛନ୍ତି । ପ୍ରଥମ ପ୍ରବନ୍ଧ - "ସାରଳା ମହାଭାରତ ଓଡ଼ିଆ ସଂସ୍କୃତିର ଏକ ଅଧ୍ଯୟନ"ରେ ସେ ମହାଭାରତର ପ୍ରତ୍ଯେକ ଘଟଣାକୁ ଅତି ସଂକ୍ଷିପ୍ତରେ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି ଯାହା ପ୍ରତ୍ଯେକ ଓଡ଼ିଆଙ୍କୁ ଶିକ୍ଷା ରୂପକ ସୁସ୍ବାଦୁ ବ୍ଯଞ୍ଜନରେ ଅପ୍ଯାୟିତ କରିପାରିବ । ଏହି ପ୍ରବନ୍ଧଟି ଓଡ଼ିଆ ଜାତିର ପ୍ରେରଣାଦାତା କହିଲେ ଅତ୍ୟୁକ୍ତି ହେବନି । ସେହିପରି ଦ୍ବିତୀୟ ପ୍ରବନ୍ଧ - "ଅଦ୍ଭୁତ ରାମାୟଣ ଓ ବିଲଙ୍କା ରାମାୟଣରେ ମହାଶକ୍ତି ସ୍ବରୂପିଣୀ ଦେବୀ ସୀତା"ରେ ସେ ଯେଉଁ ବର୍ଣ୍ଣନା କରିଛନ୍ତି ତାହା ତାଙ୍କର ମହାନତାର ପରିଚୟ ସୃଷ୍ଟି କରୁଛି । ତହିଁରେ ସେ "ଦେବୀ ଭାଗବତ"ରୁ ଏକ ଅଂଶ ଉଦ୍ଧୃତ କରି ଲେଖିଛନ୍ତି - "ଶିବୌପି ଶବାତାଂଯାତି , ଜୟଶକ୍ଯା , ବିବର୍ଜିତଃ" । ଅର୍ଥାତ୍ ଶକ୍ତିକୁ ତ୍ଯାଗ କଲେ , ଶିବ ଶବରେ ପରିଣତ ହୁଅନ୍ତି । କେତେ ସୁନ୍ଦର ଉକ୍ତିଟିଏ ! ନିଖୁଣ ଭାବରେ ସେ ବୁଝାଇଛନ୍ତି ତାକୁ । ମହାଶକ୍ତି ସୀତାଙ୍କ ପରାକ୍ରମ ଏବଂ ପରୋକ୍ଷ ଭାବରେ ରାବଣର ମୋକ୍ଷ ପାଇଁ ଚତୁରତା ଆପଣେଇବା ; ରାମାୟଣ ବିଷୟରେ ବହୁ ଅଜଣା କଥାକୁ ଉପସ୍ଥାପନ କରି ସମାଜକୁ କିଛି ଶିକ୍ଷା ଦେବା ଥିଲା ଏହି ପ୍ରବନ୍ଧ ରଚନାର ମୂଳ ଉଦ୍ଦେଶ୍ଯ । ଏଭଳି ରଚନା ଅଧୁନା ଯୁଗରେ ବିରଳ ପ୍ରାୟ କହିଲେ କିଛି ତ୍ରୁଟି ହେବନି ।
ଉକ୍ତ ସଙ୍କଳନର ତୃତୀୟ ପ୍ରବନ୍ଧ ଥିଲା -"ଓଡ଼ିଆ ଜନଜୀବନର ଭାଗବତ" । ଅତିବଡ଼ୀ ଜଗନ୍ନାଥ ଦାସଙ୍କର ଏହି ସାରସ୍ବତ କୃତିକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି ଡକ୍ଟର ଲକ୍ଷ୍ମଣ ସାହୁ । ଭୁରିଭୁରି ପ୍ରଶଂସାରେ ପୋତି ପକାଇଛନ୍ତି ଏବଂ ଭାଗବତ ଏ ଭୂଖଣ୍ଡର ଶିକ୍ଷକ ବୋଲି ପ୍ରମାଣ ଦେଇଛନ୍ତି ସେ ପରୋକ୍ଷରେ । ଏପରି ଆଧ୍ଯାତ୍ମିକ ସମୀକ୍ଷାର ପ୍ରବନ୍ଧ ପ୍ରତ୍ଯେକ ପାଠକଙ୍କୁ ସୁଶିକ୍ଷା ଦେବାରେ ତିଳେ ହେଁ କୁଣ୍ଠାବୋଧ କରିବନି । ସେଥିରେ ସ୍ଥାନିତ ଏକ ଉକ୍ତି ପ୍ରବନ୍ଧଟିକୁ ଆହୁରି ସାରସ୍ବତ କରିବା ସହ ପ୍ରତି ପୁରପଲ୍ଲୀରେ ପ୍ରଚଳିତ ଭାଗବତ ଗ୍ରନ୍ଥକୁ ସର୍ବଦା ଉଜ୍ଜୀବିତ କରି ରଖିବାର ପ୍ରୟାସ କରିଛି । ଉକ୍ତିଟି ଥିଲା ଏହିପରି - 'ବିଦ୍ଯା ଭାଗବତ ବିଧି' ବା 'ସରଳ ଶାସ୍ତ୍ର ଭାଗବତ - ଅଭ୍ଯାସ କରୁଥିବ ନିତ୍ଯ ।' "ଏ ଉକ୍ତିଟି ଶହ ଶହ ବର୍ଷ ଧରି ଓଡ଼ିଆ ସାମାଜିକ ଜୀବନକୁ ନିୟନ୍ତ୍ରଣ କରି ଆସୁଅଛି" ବୋଲି ସେ ଯାହା ଲେଖିଛନ୍ତି ତାହା ଆକ୍ଷରିକ ସତ୍ଯ । ସେ ପୁଣି କହିଛନ୍ତି - "ଓଡ଼ିଆ ଭାଗବତ ଓଡ଼ିଆ ଜାତିର 'ବେଦ' ସ୍ବରୂପ ।" ପୁଣି କହିଛନ୍ତି - "ଭାଗବତର ପ୍ରତ୍ଯେକ ପଦ 'କାମଧେନୁ' ସଦୃଶ । ଯାହାର ଅମୃତ - ମଧୁର ବାଣୀ ଶ୍ରବଣରେ ବ୍ଯକ୍ତିଗତ ଇର୍ଷା , ଅହମିକା , ଅହଙ୍କାର , କ୍ରୋଧ , ଦ୍ବେଷ , ଆସକ୍ତି ପରିତ୍ଯାଗ ହୁଏ ଓ ମଣିଷକୁ ଆଧ୍ଯାତ୍ମିକ ଜୀବନ ସ୍ରୋତରେ ଭସାଇ ଦିଏ ।" କେତେ ସୁନ୍ଦର ଭାବନାକୁ ସେ ଶବ୍ଦ ଏବଂ ଧାଡ଼ିର ରୂପ ଦେଇଛନ୍ତି ! ବହୁ ପୁରାତନ କାଳରୁ ଆଜି ଯାଏଁ ପ୍ରତ୍ଯେକ ପୁରପଲ୍ଲୀରେ ଥିବା "ଭାଗବତ ଟୁଙ୍ଗି" ବିଷୟରେ ବି ସଂକ୍ଷୀପ୍ତ ଟିପ୍ପଣୀ ଉକ୍ତ ପ୍ରବନ୍ଧରେ ମିଳି ପାରିବ । ଭାଗବତର କିଛି ପଦ୍ଯାଂଶକୁ ସୁନ୍ଦର ଭାବରେ ସମୀକ୍ଷା କରି ସମାଜକୁ ସୁନ୍ଦର ଶିକ୍ଷା ପ୍ରଦାନ କରିଛନ୍ତି ଡକ୍ଟର ଲକ୍ଷ୍ମଣ ସାହୁ । ଭାଗବତର ପ୍ରତ୍ଯେକଟି ନୀତି , ଆଦର୍ଶ , ଲକ୍ଷ୍ୟ , ଦର୍ଶନ ଆଦି ସମୀକ୍ଷା କରି କ୍ଷୋଭ ପ୍ରକାଶ କରିଛନ୍ତି ଆଜିର ସମାଜକୁ ଦେଖି । ସମାଗରେ ଏସବୁ ପୁନର୍ବାର ପ୍ରତିରୋପଣ କରିବାକୁ ସମସ୍ତଙ୍କୁ ବିନମ୍ରତାର ସହିତ ଅନୁରୋଧ ବାଢ଼ିଛନ୍ତି । ଏଭଳି ମହାନ ଚିନ୍ତାଧାରା ସମ୍ପନ୍ନ ବ୍ଯକ୍ତି ସତରେ ପୂଜନୀୟ ହେବା ଉଚିତ । ତାଙ୍କର ଚତୁର୍ଥ ପ୍ରବନ୍ଧ "ପଞ୍ଚସଖା ସାହିତ୍ଯରେ ଶିଶୁ ଅନନ୍ତଙ୍କ ଅନିର୍ବାଣ ଅଭିବ୍ଯକ୍ତି " ଏବଂ ପଞ୍ଚମ ପ୍ରବନ୍ଧ "ପଞ୍ଚସଖାଙ୍କ ଧର୍ମ ଦର୍ଶନ"ରେ ସେ ପଞ୍ଚସଖାଙ୍କ ଉପରେ ଯାହା ସବୁ ଉଦାହରଣରେ ରଖିଛନ୍ତି , ପ୍ରତ୍ଯେକ ଓଡ଼ିଆ ପ୍ରାଣକୁ ପୁଲକିତ କରିଛି ଏବଂ ସୁନ୍ଦର ସୁନ୍ଦର ଶିକ୍ଷା ବି ପ୍ରଦାନ କରିପାରିଛି । ଏଭଳି ଲେଖା ତାଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି ।
ଶିଶୁ ଅନନ୍ତଙ୍କର ସାରସ୍ବତ ସୃଷ୍ଟିକୁ ସେ ଅତ୍ଯୁତ୍ତମ ଭାବରେ ବର୍ଣ୍ଣନା କରି ତହିଁରେ ଥିବା ଭକ୍ତି - ବିଶ୍ବାସ - ଶିକ୍ଷା - ଚେତନାକୁ ଲୋକଲୋଚନକୁ ଆଣି ସମାଜରେ ଏସବୁକୁ ପୁନଃ ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା କରିଛନ୍ତି । ପଞ୍ଚସଖାଙ୍କ ସାହିତ୍ଯରେ ଯନ୍ତ୍ର , ମନ୍ତ୍ର ଓ ତନ୍ତ୍ର ସାହିତ୍ଯର ପ୍ରଭାବ ପରିଲକ୍ଷିତ ହେଉଥିଲା ବୋଲି ତାଙ୍କର ଷଷ୍ଠତମ ପ୍ରବନ୍ଧ " ପଞ୍ଚସଖାଙ୍କ ତନ୍ତ୍ର , ମନ୍ତ୍ର , ଯନ୍ତ୍ର ଓ ଯୋଗ"ରୁ ଜଣାପଡ଼େ । ଏହି ପ୍ରବନ୍ଧରେ ବେଦ , ବ୍ରାହ୍ମଣ , ମନ୍ତ୍ର , ଯନ୍ତ୍ର , ତନ୍ତ୍ର ଓ ଯୋଗକୁ ସୁନ୍ଦର ଭାବରେ ସମୀକ୍ଷାରେ ଫୁଟାଇ ପାରିଛନ୍ତି ଲକ୍ଷ୍ମଣ ସାହୁ । ବେଦୋପନିଷଦର ନିଖୁଣ ବର୍ଣ୍ଣନା ପ୍ରବନ୍ଧଟିକୁ ଏକ ଶିକ୍ଷାଧର୍ମୀ ଭାବରେ ଛିଡ଼ା କରି ପାରିଛି । ସପ୍ତମରେ ସ୍ଥାନ ପାଇଛି "ରହସ୍ୟ ମଞ୍ଜରୀରେ ରହସ୍ଯବାଦ ଓ ମଞ୍ଜରୀ ଭାବ" ବିଷୟଟି । "ରହସ୍ୟ ମଞ୍ଜରୀ" କାବ୍ଯର ସ୍ରଷ୍ଟା ଦେବଦୁର୍ଲଭ ଦାସଙ୍କ ଏହି କୃତିକୁ ବହୁତ ବଢ଼ିଆ ସମୀକ୍ଷା କରିଛନ୍ତି ସଙ୍କଳନର ସ୍ରଷ୍ଟା ଡକ୍ଟର ଲକ୍ଷ୍ମଣ ସାହୁ । ପ୍ରବନ୍ଧର ପ୍ରଥମ ପାରାରେ "ସ୍ରଷ୍ଟା ଓ ସୃଷ୍ଟି ଯଥାର୍ଥରେ କବି ଓ କାବ୍ଯର ସମ୍ପର୍କ ଅତି ନିବିଡ଼" ବୋଲି ସୁନ୍ଦର ଭାବରେ ସେ ଦର୍ଶାଇଛନ୍ତି । ତାଙ୍କର ଅଷ୍ଟମ ସ୍ଥାନରେ ସ୍ଥାନିତ ପ୍ରବନ୍ଧଟି ଥିଲା - "ରହସ୍ୟ ମଞ୍ଜରୀ କବିଙ୍କ ଧର୍ମାଦର୍ଶ" । ସେହି ଦେବଦୁର୍ଲଭ ଦାସଙ୍କ ବିଷୟରେ ଧର୍ମୀୟ ଭାବନାକୁ ନେଇ ତାଙ୍କର ଆଦର୍ଶ ବିଷୟରେ ବର୍ଣ୍ଣନା ବେଶ୍ ଉଚ୍ଚକୋଟୀର । କଥାରେ ଅଛି - "ସାନ ସିନା ଦାନ ତା' ମହାନ" ; ପ୍ରବନ୍ଧଟି ସାନ ହେଲେ ବି ସମାଜକୁ ଏକ ଶିକ୍ଷା ପ୍ରଦାନ କରେ । ଏହି ଶିକ୍ଷା ପାଇଁ ପ୍ରବନ୍ଧଟି ମହନୀୟ । ଏହିପରି ଅନ୍ଯ ପ୍ରବନ୍ଧ ଗୁଡ଼ିକ ହେଉଛି :- "ଆଗ୍ନେୟଗିରିର ଲାଭା(ଭୀମଭୋଇଙ୍କ କବିତାରେ ବୈପ୍ଳବିକ ଧାରା) , କଥା ନ କହନ୍ତି ଜଗତ ମୋହନ୍ତି (ରସକଲ୍ଲୋଳ କାବ୍ଯର ଶ୍ରୀଜଗନ୍ନାଥ) , ଆକାଶର ନିଃଶ୍ବାସ (କବି ରାଧାନାଥଙ୍କ ନୈରାଶ୍ଯବାଦ) , ଉତ୍କଳ ଭାରତୀ କୁନ୍ତଳାଙ୍କ ସ୍ମରଣେ , ତାଙ୍କୁ ମଧ୍ଯ ବୋଲିଥା'ନ୍ତି ଧର୍ମ ଅବତାର , ଚନ୍ଦ୍ରମାର ଚୁଡ଼ି - ନାରୀ ସ୍ଥିତିର ଏକ ଇସ୍ତାହାର , ବିଷର୍ଣ୍ଣ ବସୁନ୍ଧରା (ଶବ୍ଦଶିଳ୍ପୀ ସୀତାକାନ୍ତଙ୍କ କବିତା ପ୍ରତିଶ୍ରୁତିର ଏକ ସୀମିତ ମୂଲ୍ଯାୟନ) , ଆଧୁନିକ ଓଡ଼ିଆ କବିତାରେ ନାଟ୍ଯ ଧର୍ମୀତା , ଓଡ଼ିଆ କବିତାରେ ମୃତ୍ୟୁ ଚେତନା : ଏକ ଦୃଷ୍ଟିପାତ , 'ଶାସ୍ତି' ଉପନ୍ୟାସ ଏକ ଯୁଗାନୁକୁଳର ଆହ୍ବାନ , ଗୋଦାବରୀଶଙ୍କ ଗଳ୍ପରେ ସମାଜ ଚେତନା , ଗୀତିନାଟ୍ୟ ସମ୍ରାଟ - ଗୋପାଳ ଛୋଟରାୟ , ସ୍ରଷ୍ଟା , ସୃଷ୍ଟି ଓ ଦ୍ରଷ୍ଟା ।"ଏତତ୍ ବ୍ଯତିତ ମଝିରେ ଭିନ୍ନ ସ୍ବାଦର ଲେଖା ତିନୋଟି ଦେଖିବାକୁ ପାଇଲି । ତାହା ହେଉଛି - "୰କାହ୍ନୁଙ୍କୁ ଧୋବୀର ଚିଠି , ଧୋବୀକୁ କାହ୍ନୁଙ୍କ ପ୍ରତ୍ଯୁତ୍ତର , ଜିଲିର ବୟାନ (ଦୃଷ୍ଟି ଓ ଦୃଷ୍ଟାନ୍ତରେ ଗୋପୀନାଥ ମହାନ୍ତିଙ୍କ 'ପରଜା')" ମତେ ବେଶ୍ ଆକୃଷ୍ଟ କରିଥିଲା ଏବଂ "ନୀଳମାଷ୍ଟ୍ରାଣୀର ଫିଟା ଚିଟାଉ" ବିଷୟଟି ମତେ ବାରମ୍ବାର ପଢ଼ିବାକୁ ବାଧ୍ଯ କଲା ; ଏତେ ଭଲ ପାଇଗଲି ଯେ ତାହା ବର୍ଣ୍ଣନା କରିପାରୁନି ଭାଷାରେ । ସବୁ ବିଷୟକୁ ବର୍ଣ୍ଣନା କରିବା ମୋ' ପାଇଁ ସମୟ ସାପେକ୍ଷ ।
ତେବେ ସଙ୍କଳନଟିର ନାମକରଣ ବିଷୟଟି "ସ୍ରଷ୍ଟା , ସୃଷ୍ଟି ଓ ଦ୍ରଷ୍ଟା" ମତେ ଅନେକାଂଶରେ ସାହାଯ୍ୟ କରିଛି କିଛି ଜାଣିବାର । ସ୍ରଷ୍ଟାର ସୃଷ୍ଟିକୁ ନେଇ ଉଠୁଥିବା ଝଡ଼ ବିଷୟରେ ସୁନ୍ଦର ବର୍ଣ୍ଣନା କରିଛନ୍ତି ସଙ୍କଳନ ସ୍ରଷ୍ଟା । ଆଜିର ସମାଜରେ କଟୁ ସମାଲୋଚନା କରୁଥିବା କିଛି ବାଗ୍ମୀ ଲେଖକ ଅଛନ୍ତି ବୋଲି ସେ କହିଛନ୍ତି ଏବଂ ସୁନ୍ଦର ଚିତ୍ରଣ କରିଛନ୍ତି । କିନ୍ତୁ ଉଦାରତା ହେତୁ ଉଦାହରଣ ଦେଇ ନାହାନ୍ତି ସିନା , ବାସ୍ତବତାକୁ ପ୍ରତିପାଦନ କରିଛନ୍ତି । ଏସବୁ ବୋଧଗମ୍ୟ ନୁହେଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ସେ । ସେ ପୁଣି କହିଛନ୍ତି ଯେ - "ଅନକ ଆଧୁନିକ କବି ନିଜ କବିତା ନିଜେ ବୁଝି ପାରନ୍ତି ନାହିଁ , ସାଧାରଣ ପାଠକ କଥା ଛାଡ଼ନ୍ତୁ । ତେବେ କେତେକ ସମାଲୋଚକ ଅଛନ୍ତି , ସ୍ରଷ୍ଟାର ସୃଷ୍ଟିକୁ ନିଜେ ବୁଝନ୍ତୁ ନ ବୁଝନ୍ତୁ ସ୍ରଷ୍ଟାଙ୍କୁ ଖୁସି କରାଇବା ପାଇଁ ସୃଷ୍ଟିକୁ ଏଣୁତେଣୁ ଗୁଡ଼ାଏ ଫେଣ୍ଟି କରି ଅଯଥା କଥା ଲେଖନ୍ତି ସୃଷ୍ଟିକୁ ମହତ୍ତମ କରନ୍ତି । ବାହାବା ନେବା ପାଇଁ.....।" ସତରେ ଆଜିର ସମାଜରେ ଘଟୁଥିବା ବାସ୍ତବତାକୁ ସେ ଉପଲବ୍ଧି କରିଛନ୍ତି । ସ୍ରଷ୍ଟାର ସୃଷ୍ଟିକୁ ବୁଝି ନ ପାରି ଅଯଥା ଦୋଷାରୋପ କରୁଥିବା କଥା ତାଙ୍କୁ କ୍ଷୋଭତା ପ୍ରଦାନ କରିଛି । ଏ ନିନ୍ଦା ନ କରି ସଚେତନ ହେବା ସହ ତ୍ରୁଟି ବାଛିବା ଦରକାର ବୋଲି ସେ କହିଛନ୍ତି ।
ଏହି ବିଷୟରେ ସେ ସୁନ୍ଦର ବର୍ଣ୍ଣନା କରିଛନ୍ତି ସ୍ରଷ୍ଟା ଓ ସୃଷ୍ଟିକୁ ନେଇ । ଖ୍ଯାତନାମା ଲେଖକ ଖୁସବନ୍ତ ସିଂଙ୍କର କବି ରବିନ୍ଦ୍ରନାଥ ଠାକୁରଙ୍କ ଉପରେ ଥିବା ମନ୍ତବ୍ୟ ଏବଂ ଜାତୀୟ ସଙ୍ଗୀତ "ଜନଗଣମନ" ଉପରେ ଲୁକ୍କାୟିତ ରହସ୍ୟ ଉନ୍ମୋଚନ କଥା ତାଙ୍କୁ ବିସ୍ମିତ ତ କରିଛି ବିଶେଷତଃ ବିଷାଦତା ପ୍ରଦାନ କରିଛି ବୋଲି ସେ ଲେଖିଛନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ବି ସମ୍ଯକ ଭାବରେ ଲେଖିଛନ୍ତି ଡକ୍ଟର ଲକ୍ଷ୍ମଣ ସାହୁ । ଆଜିର ସମାଜର କିଛି ସ୍ରଷ୍ଟାଙ୍କ ଆତ୍ମଗର୍ବ ତାଙ୍କୁ ବିସ୍ମିତ କରିଛି ବୋଲି ପରୋକ୍ଷରେ ସୂଚନା ମିଳେ ଉକ୍ତ ଲେଖାଟିରୁ ।
ସେ ଯାହା ବି ହେଉ , ଏ ସଙ୍କଳନଟି ଏକ ଶିକ୍ଷାଧର୍ମୀ ଓ ମାନବିକତାର ପରିଚୟ କହିଲେ ଚଳେ । ଏଭଳି ଏକ ସଙ୍କଳନ ପାଠ କରି ଅନେକ କିଛି ଜାଣିବାକୁ ଓ ଶିକ୍ଷା କରିବାକୁ ମିଳିଲା । ଏତେ ସୁନ୍ଦର ସଙ୍କଳନ ମତେ ସାଦରେ ପ୍ରଦାନ କରି ସ୍ନେହ - ଶ୍ରଦ୍ଧା ଓ ଭଲପାଇବାର ଜାହ୍ନବୀ ଜଳ ମୋର ଶିରରେ ସିଞ୍ଚନ କରି ମତେ ପବିତ୍ର କରିଥିବା ସେହି ମହାନ ସ୍ରଷ୍ଟା ଡକ୍ଟର ଲକ୍ଷ୍ମଣ ସାହୁଙ୍କୁ ମୋର ଶତ କୋଟି ପ୍ରଣାମ । ତାଙ୍କର ଏଭଳି ସୁନ୍ଦର ସୃଷ୍ଟି ମତେ ଆଗକୁ ଆହୁରି ପ୍ରାପ୍ତ ହେଉ ଏବଂ ମୁଁ ପଠନ କରି କିଛି ଜ୍ଞାନ ଆହରଣ କରେ , ଏତିକି ଆଶା ପୋଷଣ କରୁଛି । ପ୍ରଭୁ ଜଗନ୍ନାଥ ତାଙ୍କର ଲେଖନୀକୁ ଏହିପରି ସାରସ୍ବତ ସୃଷ୍ଟି ପାଇଁ ସଦାସର୍ବଦା ଚଳମାନ କରନ୍ତୁ , ପ୍ରଭୁ ପଦାରବିନ୍ଦ ଯୁଗଳେ ବିନମ୍ର ପ୍ରାର୍ଥନା ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
ଯୋଗାଯୋଗ - ୮୯୧୭୪୮୦୫୩୬
Email - sibacool12@gmail.com
- Get link
- X
- Other Apps
Comments
Post a Comment