ହେତୁବାଦୀଙ୍କୁ ପଦେ..........
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସମୟ ବୋଧହୁଏ ସନ୍ଧ୍ଯା ସାତଟା ହେବ , ଠିକ୍ସେ ମନେ ପଡୁନି । ସେଦିନ ହ୍ବାଟ୍ସ୍ଆପ୍ ଖେଳାଉ ଖେଳାଉ ବ୍ରହ୍ମାନନ୍ଦ ପତି ପଠାଇଥିବା ଏକ ୟୁଟୁବ୍ ଲିଙ୍କ୍ ଉପରେ ନଜର ପଡ଼ିଲା । ମଝି ଆଙ୍ଗୁଠିଟିକୁ ତା' ଉପରେ ଛୁଆଁଇବା କ୍ଷଣି ଖୋଲିଗଲା ୟୁଟ୍ଯୁବ୍ ନନ୍ଦିଘୋଷ ଟି.ଭି. ଚ୍ଯାନେଲ୍ର ସେଇ ଭିଡ଼ିଓଟି । ଦେଖୁ ଦେଖୁ ହତବାକ୍ ହୋଇପଡ଼ିଲି ; ଲାଗିଥିଲା ଭୀଷଣ ପାଟିତୁଣ୍ଡ । ପାଟିତୁଣ୍ଡ ତ ନୁହେଁ ତର୍କ-ବିତର୍କ । ପରସ୍ପର ମଧ୍ଯରେ କଥା କଟାକଟି । ଉପସ୍ଥିତ ଥିଲେ ନନ୍ଦିଘୋଷର ନିଉଜ୍ ଆଙ୍କର ସହିତ ଦୁଇ ଜଣ ବ୍ଯକ୍ତି ; ଉଭୟେ ବ୍ରାହ୍ମଣ । ଜଣେ ଆଧ୍ଯାତ୍ମବାଦୀ ଓ ଆଉ ଜଣେ ହେତୁବାଦୀ । ଘଟଣା କ'ଣ ଜାଣିବା ପାଇଁ ଭିଡ଼ିଓଟିକୁ ଏକଲୟରେ ନିରୀକ୍ଷଣ କଲି । କିଛି ବୁଝି ପାରୁନଥାଏ , କିଛି ମିନିଟ ପରେ ସବୁକିଛି ସ୍ପଷ୍ଟ ଭାବେ ବୁଝି ପାରିଲି । ୨୦୨୨ ମସିହା କାର୍ତ୍ତିକ ମାସ ଦୀପାବଳି ଅମାସ୍ୟା ଦିନ ଲାଗିଥିବା ସୂର୍ଯ୍ଯପରାଗ ଉପରେ ଦମ୍ଦାର୍ ଲଢ଼େଇ । କାହିଁକି ଏ ଲଢ଼େଇ ? ଭିଡ଼ିଓଟିରୁ ଜାଣିବାକୁ ପାଇଲି ହେତୁବାଦୀ ବ୍ଯକ୍ତି ଜଣକ ସୂର୍ଯ୍ଯପରାଗ ଦିନ ବାହାରେ ରୋଷେଇ କରି ଚିକେନ ବିରିୟାନୀ ଖାଉଥିଲେ । ସେ ପୁଣି ଏକା ନଥିଲେ , ଆଉ କିଛି ହେତୁବାଦୀମାନେ ଏକସଙ୍ଗରେ ଖାଉଥିଲେ । ଅନ୍ୟ ମାନଙ୍କୁ ଏକପ୍ରକାର ସମ୍ବାଦ ପରଷୁଥିଲେ କି ଏସବୁ ଅନ୍ଧବିଶ୍ୱାସ ; କିଛି ବି ମାନନ୍ତୁନି । ମିଡ଼ିଆବାଲା ଦେଖିଦେଲେ ; ସେମାନେ ତ ଚାତକପକ୍ଷୀ । କୋଉଠି କିଏ ଛିଙ୍କିଲା - ପାଡ଼ିଲା ଯଦି ସେଠି ହାଜର । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ବେଳେବେଳେ ପରିବେଷଣ ହୋଇପାରେନି । ସେମାନେ ହେତୁବାଦୀ ମାନଙ୍କୁ ପଚାରିବାରୁ ଅଯୌକ୍ତିକ କଥା ଓ ଧର୍ମୀୟ ଭାବନାରେ କୁଠାରଘାତ କଲା ପରି ଖବର ଦେଲେ । ସେ କଥାକୁ ହାଇଲାଇଟ୍ ବନେଇବାରେ ଧୁରନ୍ଧର ମିଡ଼ିଆବାଲା ଆରମ୍ଭ କରିଦେଲେ ଇନ୍ଭେଷ୍ଟିକେସନ୍ । ଚାହୁଁ ଚାହୁଁ ଜମିଗଲେ ଜଣକ ପରେ ଜଣେ ମିଡ଼ିଆବାଲା । ଗୋଟିଏ ପରେ ଗୋଟିଏ ଟି.ଭି. ଚ୍ଯାନେଲ ଲାଇଭ୍ ଟେଲିକାଷ୍ଟ୍ରେ ପ୍ରସାରଣ କରିବା ଆରମ୍ଭ କରିଦେଲେ । ମୁଁ ତ ତାକୁ ଦେଖିକି ତୋବା !
ସେହି ଭିଡ଼ିଓଟି ଦେଖିବା ଭିତରେ ଏକ ଦୃଶ୍ଯ ମତେ ବ୍ଯଥିତ କରି ପକାଇଲା । ଯୁକ୍ତି କଥା ତ ପରେ ଆଲୋଚ୍ୟ ହେବ , କିନ୍ତୁ ନିଜର ଶାଳୀନତା ଭୁଲି ଜଣେ ବ୍ରାହ୍ମଣଙ୍କୁ ତୁ-ତା'-ରେ'-ରା' ଶବ୍ଦ ପ୍ରୟୋଗ ମତେ କାହିଁକି ଟିକେ ଅଡୁଆ ଲାଗିଲା । ନିଜେ ବୟୋଜ୍ୟେଷ୍ଠ ହେଲେ ବି କନିଷ୍ଠକୁ ବି ସମ୍ମାନ ଦେବା କଥା ; କିନ୍ତୁ ଜଣେ ଅଜଣା ବ୍ଯକ୍ତିକୁ - ବ୍ରାହ୍ମଣକୁ ଅପମାନିତ କଲା ଭଳି ବାକ୍ଯ ବା ଶବ୍ଦ ପ୍ରୟୋଗ କୋଉ ହେତୁବାଦୀର ଆଭିଧାନିକ ଶବ୍ଦ ବୁଝା ପଡ଼ିଲା ନାହିଁ । ନିଉଜ ଆଙ୍କର୍ ବାରମ୍ବାର କହୁଛନ୍ତି ନିଜର ଶାଳୀନତା ରକ୍ଷା କର ; ବାବୁ କିନ୍ତୁ ଶୁଣିବାର ନାହିଁ । ହେତୁବାଦୀ ମାନଙ୍କର ମୁଖିଆ ସାଜିଛନ୍ତି ନା , ତେଣୁ କାଢୁ ତ ବାହାରିବ । ମୋର ଏଠି ଗୋଟିଏ ପ୍ରଶ୍ନ ରହିବ - "ହେତୁବାଦୀମାନେ କ'ଣ କାହାକୁ ସମ୍ମାନ ଦେଇ ଶିଖି ନାହାନ୍ତି ?" ନିଜକୁ ଠିକ୍ ପ୍ରମାଣ କରିବାକୁ ଯାଇ କାହା ପ୍ରତି ଅଶାଳୀନ ବ୍ଯବହାର କି ମନ୍ତବ୍ଯ ଦେବା ଏବଂ କାହାର ଜୀବନଶୈଳୀ ବା ଧର୍ମୀୟ ଭାବନାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା କେତେ ଠିକ୍ ? ଏଥିରୁ ଜଣା ପଡୁଛି ସେମାନଙ୍କର ସ୍ବଭାବ ।
ଯଦି ଖାଇବାର ଇଚ୍ଛା ଥିଲା ତ ନିଜ ଘରେ କରିକି ଖାଇଲନି , ରାସ୍ତାକଡ଼ରେ ରୋଷେଇ କରି ସମସ୍ତଙ୍କୁ ଏକଜୁଟ କରି ଅସାମାଜିକତା ବୃଦ୍ଧି କରିବାର କାରଣ କ'ଣ ? ପଚାରିଲେ ଉତ୍ତର ଦେଉଛ - "ଏସବୁ ଅନ୍ଧବିଶ୍ୱାସ , ଆମେ ଗ୍ରହଣ କରିବୁନି । ସୂର୍ଯ୍ଯ ଗୋଟେ ନକ୍ଷତ୍ର, ସେ ଦେବତା ନୁହଁ ; ବୈଜ୍ଞାନିକ ଚିନ୍ତାଧାରା ରହିବା ଦରକାର । ବ୍ରାହ୍ମଣ ପଣ୍ଡିତମାନେ ଲୋକଙ୍କୁ ଭ୍ରାନ୍ତ ପଥର ପଥିକ କରୁଛନ୍ତି ।" କାହାକୁ ତମେ ଅନ୍ଧବିଶ୍ୱାସ କହୁଛ ? ଯାହା ଦେଖିବ ତାହା ସତ ଆଉ ଦେଖି ନପାରିଲେ ମିଛ ? ତେବେ ଭଗବାନଙ୍କୁ ଦେଖିଛ ? ତେବେ ଭଗବାନ ବି ମିଛ ବୋଲି କହୁଛ , କାରଣ ତମେ ଦେଖିନ ତାଙ୍କୁ । ଯଦି ଭଗବାନ ମିଛ ତେବେ ଏ ପ୍ରାଣୀ ଜଗତ ତଥା ଏ ବିଶ୍ବ ସୃଷ୍ଟି କିପରି ସମ୍ଭବ ? ବିଜ୍ଞାନ ଆଗ ନା ଆଧ୍ଯାତ୍ମ ଆଗ ?
କହିବେ କି ଟିକେ , ମାତୃଗର୍ଭରେ ଜୀବସତ୍ତା କିପରି ସମ୍ଭବ ? ତାକୁ କ'ଣ ବିଜ୍ଞାନ ସହ ତୁଳନା କରିବ ? ହେଇପାରେ ବିଜ୍ଞାନ , କିନ୍ତୁ ଜୀବନ ଦେଲା କିଏ ? ଦୀର୍ଘ ଦିନ ଧରି ଜମି ରହିଥିବା ଜଳରେ ଛୋଟ ଛୋଟ କୀଟ ଜନ୍ମ ନେବା ଦେଖିଛ ତ ? ସେ ଜୀବନ ଆସିଲା କୁଆଡୁ ? ବିଜ୍ଞାନ କ୍ଷଣିକରେ ଜୀବନ କାହାର ନେଇଯାଇପାରେ କିନ୍ତୁ ଏଠି ମୋର ଏକ ବଡ଼ ପ୍ରଶ୍ନ ରହିବ କି , ମୃତ ଲୋକକୁ ବିଜ୍ଞାନ କ'ଣ ଜୀବନ ସଞ୍ଚାର ପୂର୍ବକ ଜୀବୀତ କରିପାରିବ ? ହିମ୍ମତ ଅଛି ତ ଉତ୍ତର ଦିଅ , ଖୋଲା ଚ୍ଯାଲେଞ୍ଜ୍ରେ ପଚାରୁଛି । କି ବିଜ୍ଞାନ ଦେଖଉଛ ହୋ ତମେ ଆମକୁ । କ'ଣ ନା ଆମେ ହେତୁବାଦୀ !!
ପ୍ରଥମେ ଆଧ୍ଯାତ୍ମିକତା , ଏଇ ଆଧ୍ଯାତ୍ମିକତା ହିଁ ପ୍ରଥମ ବିଜ୍ଞାନ । ରାବଣର ପୁଷ୍ପକ ବିମାନ କଥା , କୋଉଠି ଥିଲା ସେତେବେଳେ ବିଜ୍ଞାନ ? ପୁରାଣ ଯୁଗରେ ବ୍ରହ୍ମାସ୍ତ୍ର ଆଦି ପ୍ରୟୋଗ , ସେତେବେଳେ କୋଉ ବିଜ୍ଞାନ ଥିଲା ? ଗଭୀର ସମୁଦ୍ରରେ ରାମସେତୁ , କୋଉ ବୈଜ୍ଞାନିକ ଗଢ଼ିଥିଲେ ? ତମେ ଏସବୁ ପୁରାଣପାଠ ମନଗଢ଼ା ବୋଲି ଫାଙ୍କି ଦେଇପାର , ତେବେ ଆଜି ବି ବୈଜ୍ଞାନିକମାନେ ରାମସେତୁ ଦେଖି ଆଚମ୍ବିତ । ବାହାର ଦେଶର ବୈଜ୍ଞାନିକଙ୍କ ରିସର୍ଚ୍ଚରେ ଏହା ପୌରାଣିକ ଓ ବାସ୍ତବ ବୋଲି ପ୍ରମାଣିତ । ଏମିତି ବି ଅନେକ କଥା ଅଛି ଯୋଉଠି ବୈଜ୍ଞାନିକ ଓ ପ୍ରତ୍ନତତ୍ତ୍ୱବିତ୍ମାନେ ବି ତାହାର କାରଣ ଖୋଜି ପାଇନାହାନ୍ତି । ଏଇ ଆଧ୍ଯାତ୍ମିକ ଭାବନାରେ ବୈଜ୍ଞାନିକ ଉପାଦାନ ଚନ୍ଦ୍ରଯାନ ବି ପ୍ରସ୍ତୁତ ହୋଇଥିଲା ବୋଲି ଭୁଲି ଯାଇଛନ୍ତି କି ହେତୁବାଦୀମାନେ ? ଆମେ କ'ଣ ବିଜ୍ଞାନ ଜାଣିନୁ ? ଆଧ୍ଯାତ୍ମିକ ଯାହା କହିଛି ବିଜ୍ଞାନ ମଧ୍ୟ ସେଇଆ କହିଛି । ରାତିରେ ଦହି ଖାଇବା ଦୋଷାବହ ବୋଲି ଆଧ୍ଯାତ୍ମ କଥା ଅଛି ; ବିଜ୍ଞାନ ବି ତାକୁ ରୋଗାକ୍ରାନ୍ତ ହେବ ବୋଲି ଖାଇବାକୁ ମନା କରିଛି । ତେବେ ପାର୍ଥକ୍ଯ କୋଉଠି ରହିଲା ?
ସମସ୍ତେ ବିଜ୍ଞାନ ପଢ଼ିଛନ୍ତି ଆଉ ଜାଣିଛନ୍ତି ପରାଗ କିପରି ହୁଏ । କିନ୍ତୁ ଜଣେ ହିନ୍ଦୁ ତା'ର ବୌଦ୍ଧିକ ଭାବନାରେ ସେ ଚାଲିଛି । ବର୍ଷକ ପୂର୍ବରୁ ଗଣନା କରାଯାଇ ଦିନଟି ସ୍ଥିରୀକୃତ ହୋଇଛି ଏବଂ ପାକ ତ୍ଯାଗ ଓ ସାତ୍ତ୍ୱିକ ଆହାର କରିବାକୁ ପରାମର୍ଶ ଦିଆଯାଇଛି । ହିନ୍ଦୁ ଏକ ଧର୍ମ ନୁହେଁ , ହିନ୍ଦୁତ୍ବ ଏକ ଜୀବନଚର୍ଯ୍ୟା ; କିନ୍ତୁ ଏହା ମନେରଖ ଯେ , ପ୍ରତ୍ଯେକ ହିନ୍ଦୁ ସନାତନ ଧର୍ମରେ ବ୍ରତୀ । ଏହା ଏକ ପୁରାତନ ଧର୍ମ । ତେଣୁ ଏ ଧର୍ମାନୁସାରେ ପାକ ତ୍ଯାଗ ଅଛି । ପ୍ରତ୍ଯେକ ହିନ୍ଦୁ ବା ସନାତନୀ ତାକୁ ମାନିବାକୁ ବାଧ୍ଯ । ସେ ହେତୁବାଦୀ ଜଣକ ଯୁକ୍ତି ବାଢୁଥିଲେ ଧର୍ମ ବୋଲି କିଛି ନାହିଁ , ଏସବୁ ମିଛ କଥା । ତେବେ ଏଠି ମୋର ଆଉ ଗୋଟେ ପ୍ରଶ୍ନ , ଧର୍ମକୁ ନିନ୍ଦୁଥିବା ହେତୁବାଦୀ ଜଣକ କେଉଁ ଧର୍ମର ? ପୂର୍ବପୁରୁଷମାନେ କରିଥିବା ନିୟମ ତଥା ସଂସ୍କାର ଯଦି ମିଛ ତେବେ ରାମସେତୁ କିପରି ସତ ? ଯୋଉ ଜ୍ଯୋତିଷଶାସ୍ତ୍ରକୁ ନିନ୍ଦୁଥିଲେ , ସେଇ ଶାସ୍ତ୍ର ସ୍ବୟଂ ବିଜ୍ଞାନ ବୋଲି ବିଦିତ ; ଏଇ ଧର୍ମରୁ ହିଁ ବିଜ୍ଞାନ ଉଦ୍ଭବ ।
ଗ୍ରହଣ ବା ପରାଗ ବେଳେ ସୂର୍ଯ୍ଯ - ଚନ୍ଦ୍ର ଠାରେ ଯେଉଁ ବିଘଟନ ଓ ଆଲୋଡ଼ନ ସୃଷ୍ଟି ହୁଏ ତାହା ସର୍ବ ଜୀବଜଗତ ଉପରେ ପ୍ରଭାବ ପକାଏ । ସୂର୍ଯ୍ଯ କର ଆନ୍ଦୋଳିତ ହେଲେ ମାନବ ଶରୀରର ସୂର୍ଯ୍ଯକ୍ଷେତ୍ର , ଡାହାଣ ନେତ୍ର , ଜଠରାଗ୍ନି ଅକାମୀ ହୋଇପାରେ । ଖାଲି ଆଖିରେ ଦେଖିଲେ ଚକ୍ଷୁରୋଗ ହୁଏ କିମ୍ବା ଜଣେ ଅନ୍ଧ ହୋଇଯାଇପାରେ । ଚନ୍ଦ୍ର ରସ କାରକ , ବାମ ନେତ୍ରର କାରକ ଏବଂ ଚନ୍ଦ୍ର କର ଦ୍ବାରା ବନୌଷଧି ପରିପୃଷ୍ଟ ହୁଏ । ମନୁଷ୍ଯ ଉଦର ଯନ୍ତ୍ରଣା ଭୋଗ କରିପାରେ । ଏ ଜ୍ଞାନ କ'ଣ ତାଙ୍କର ନାହିଁ ? କେଡ଼େ ଅଜ୍ଞାନୀ କିହୋ ତମେ ? ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକ ମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରି କାହାର ଚଳଣୀକୁ ବିଭ୍ରାନ୍ତକର ଯୁକ୍ତିରେ କୁଠାରଘାତ କରିବାକୁ ଲଜ୍ଜା ଲାଗୁନି ତୁମ ମାନଙ୍କୁ ? କେଡ଼େ ବେସରମୀ ଗୁଡ଼ାକ କିହୋ ?
କ'ଣ କହୁଥିଲ ତମେ ? ସୂର୍ଯ୍ଯପରାଗ ବେଳେ ଅତିବାଇଗଣି ରଶ୍ମି ନିର୍ଗତ ହୋଇ କର୍କଟ ରୋଗ ହେବା ବା ଶରୀରରେ କ୍ଷତି ପହଞ୍ଚାଇବା ମିଛ । ବିଜ୍ଞାନ କ'ଣ ଏକଥା କହୁନି ? କି ବିଜ୍ଞାନ ପଢ଼ିଛ ହୋ ? ତମେ ପରା ହେତୁବାଦୀଙ୍କ ସଭାପତି ପୁଣି ପ୍ରଫେସର ! ତୁମ ପଢ଼ା ବହିରେ କ'ଣ ଏସବୁ ନଥିଲା ? ସାରା ବ୍ରାହ୍ମଣ ସମାଜକୁ ନିନ୍ଦା କରିବା କେତେଦୂର ଠିକ୍ ? ପାଠପଢା ମୂର୍ଖ ବୋଧେ । ଯୋଉ ବ୍ରାହ୍ମଣଙ୍କୁ ନିନ୍ଦା କଲ ବା କରୁଛ , ରାତି ପାହିଲେ ତାଙ୍କୁ ହିଁ ଡାକୁଛ କର୍ମ କରିବା ପାଇଁ ବିବାହ - ବ୍ରତ - ସୁଧଘର , ପ୍ରତିଷ୍ଠା ଇତ୍ଯାଦି କାମରେ । ତାଙ୍କଠୁ କୁଶବଟୁ ଗ୍ରହଣ କରୁଛ କେମିତି ? ଆଜିଠୁ ହେତୁବାଦୀ ଦଳ ଆଉ ତମେ ବ୍ରାହ୍ମଣଙ୍କୁ କର୍ମ କରିବାକୁ ଡାକନି ଯଦି ମୁହଁରେ ଟିକେ ଲାଜ ରହିଥିବ । ବ୍ରାହ୍ମଣ ମାନଙ୍କୁ ବି ଅନୁରୋଧ , ସେଭଳି ପାପୀଷ୍ଠ ମାନଙ୍କୁ ସ୍ପର୍ଶ କରି ନିଜ କାୟା ଅପବିତ୍ର କରନ୍ତୁ ନାହିଁ ।
କେତେ ହେତୁ ଖୋଜୁଛ ହେ ତମେ ? ନଡ଼ିଆ ଭିତରେ ପାଣି କେମିତି ରହିଲା ? କହିପାରିବ କି ତମେମାନେ ? ଏମିତି ଅନେକ ପ୍ରଶ୍ନ ଅଛି , ଯାହା ତୁମ ବୋପା ଚଉଦ ପୁରୁଷ ବି କହି ପାରିବେନି । ତମେ କ'ଣ ବ୍ରାହ୍ମଣଙ୍କର ସତେଇଶି ପୁରୁଷ ଉଙ୍ଘଉଁଛ ? ତମେ ମଣିଷ ନୁହଁ , ରାକ୍ଷସଠୁ ବଳି । ସେଲାଗି ପର୍ବପର୍ବାଣୀ କି ପରାଗ-ଗ୍ରହଣ ବେଳେ ଆମିଷ କଡ଼କଡ଼ କରି ଚୋବେଇ ଚାଲିଛ । ଯଦି ହିମ୍ମତ ଅଛି ପରାଗ ବେଳେ (ଠିକ୍ ପରାଗ ସମୟ ବେଳେ) ପାକସିଦ୍ଧ କରି ଖାଅ ଆଉ ଦେଖ ଫଳ କ'ଣ ହେଉଛି । ଯଦି ହିମ୍ମତ ଅଛି ତେବେ ଜଣେ ଗର୍ଭବତୀକୁ ଆଣି ପରାଗ ଛାଡ଼ିବା ଯାଏଁ ବାହାରେ ଠିଆ କରି ତା'ର ପରିଣାମ ପରବର୍ତ୍ତୀ ସମୟରେ ପରଖ । ଜାଣିବ ଏହା ଠିକ୍ ନା ଭୁଲ୍ । ସରକାରଙ୍କ ନିୟମାନୁସାରେ କୌଣସି ଧର୍ମ କିମ୍ବା ବିଶ୍ବାସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଅର୍ଥ ଆଇନ୍କୁ ହାତକୁ ନେବା । ସରକାରଙ୍କୁ ଅନୁରୋଧ ଏହା ଉପରେ ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳୁ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୦୪୩୯୬
- Get link
- X
- Other Apps
Comments
Post a Comment