ଶିକ୍ଷା , ଆମର ନିରନ୍ତର ଅଧିକାର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ସମ୍ପାଦକ -  ଉଦୟ ଭାନୁ 

           ଶିକ୍ଷା ହିଁ ସଭ୍ୟତାର ପ୍ରଥମ ସକାଳ । ସେଥିପାଇଁ କୁହାଯାଇଛି , "ସା ବିଦ୍ୟା ଯା ବିମୁକ୍ତୟେ" । ଅଜ୍ଞାନତାର ଅନ୍ଧକାରରୁ ମୁକ୍ତି ପାଇଁ ଶିକ୍ଷା ମଣିଷ ଜୀବନର ଏକାନ୍ତ ଅପରିହାର୍ଯ୍ୟ ଅଙ୍ଗ । ଶିକ୍ଷା ମଣିଷକୁ କେଵଳ ଜ୍ଞାନ ପ୍ରଦାନ କରେ ନାହିଁ , ଏହା ପ୍ରତ୍ୟେକ ମଣିଷର ଚେତନା ଓ ଚରିତ୍ରର ବିକାଶ ଘଟାଇବା ସହ ମଣିଷକୁ ବିବେକ, ବିଚାର, ନୀତି ବିଧି , ଶୃଙ୍ଖଳା ଓ ଅନୁଶାସନ ସହ ଅଭ୍ୟସ୍ତ କରାଇଥାଏ । ସେଥିପାଇଁ ଆମ ଦେଶର ସଂବିଧାନରେ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଛି । 
      
        ସମଗ୍ର ଶିକ୍ଷା- ବିସ୍ତାରିତ ପ୍ରାକ୍ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା କ୍ଷେତ୍ର ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ । ତେଣୁ ବିଦ୍ୟାଳୟ ପାଇଁ ସମାନ ସୁଯୋଗ ଏବଂ ସମାନ ଶିକ୍ଷଣ ଫଳାଫଳ ପାଇଁ ମପା ଯାଇଥିବା ବିଦ୍ୟାଳୟର କାର୍ଯ୍ୟକାରିତାକୁ ସୁଦୃଢ କରିବାର ବୃହତ ଲକ୍ଷ୍ୟ ସହିତ ପ୍ରସ୍ତୁତ କରାଯାଇଛି | ଏଥିରେ ୩ଟି ଯୋଜନା ସର୍ବ ଶିକ୍ଷା ଅଭିଯାନ (ଏସ୍.ଏସ୍.ଏ.), ରାଷ୍ଟ୍ରୀୟ ମାଧ୍ୟାମିକ୍ ଶିକ୍ଷା ଅଭିଯାନ (ଆର.ଏମ୍.ଏସ୍.ଏ.) ଏବଂ ଶିକ୍ଷକ ଶିକ୍ଷା (ଟି.ଇ.) ଅନ୍ତଭୁକ୍ତ କରାଯାଇଛି । ଏହି ଯୋଜନାରେ ପ୍ରାକ୍ ବିଦ୍ୟାଳୟ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଠାରୁ ବରିଷ୍ଠ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଏକ ନିରନ୍ତର ଭାବରେ ‘ବିଦ୍ୟାଳୟ’ ଧାର୍ଯ୍ୟ କରାଯାଇଛି | ଏହି ଯୋଜନାର ଦୃଷ୍ଟିକୋଣ ହେଉଛି ପ୍ରାକ୍ ବିଦ୍ୟାଳୟରୁ ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଅନ୍ତର୍ଭୂକ୍ତ କରିବା ଏବଂ ସମାନ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ସହିତ ସମରୁପତା ଭାବେ ଶିକ୍ଷା ପାଇଁ ସ୍ଥାୟୀତ୍ତ୍ୱ  ବିକାଶର ଲକ୍ଷ ରଖିବା (ଏସ.ଡ଼ି.ଜି.) । ଏହି ଯୋଜନା ରାଜ୍ୟ ସ୍ତରରେ ଏକକ ରାଜ୍ୟ କାର୍ଯ୍ୟନ୍ବୟନ ସମିତି (ଏସ.ଆଇ.ଏସ.) ମାଧ୍ୟମରେ ବିଭାଗ ଦ୍ୱାରା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ କାର୍ଯ୍ୟକାରୀ ହେବ।

        ଆସନ୍ତୁ ଆଦ୍ଯେ ଆଲୋଚନା ପରିସରଭୁକ୍ତ କରିବା ଶିକ୍ଷାର ମୌଳିକଧିକାର ତଥା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଧିକାର ଅଧିନିୟମ ୨୦୦୯ , ୮୬ତମ ସମ୍ବିଧାନ ସଶୋଧନ, ଅଧିନିୟମ ୨୦୦୨ରେ ସ୍ଥାନିତ ଅନୁଚ୍ଛେଦ ୨୧-କ, ଭାରତୀୟ ସମ୍ବିଧାନ ବ୍ୟବସ୍ଥା ବାବଦରେ । ଏହି ବ୍ୟବସ୍ଥା ଅନୁଯାୟୀ ୬ ରୁ ୧୪ ବର୍ଷର ବଯସର ପ୍ରତ୍ୟେକ ଶିଶୁର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିକଟବର୍ତ୍ତୀ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବା ଅଧିକାର ରହିଛି । ଯେଉଁଠାରେ ଜଣେ ଛଅ ବର୍ଷରୁ ଊର୍ଦ୍ଧ୍ବ ବଯସର ଶିଶୁ କୌଣସି ବିଦ୍ୟାଳୟରେ ନାମ ଲେଖାଇନାହିଁ କିମ୍ବା ଯଦି ବିଦ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷା ସମାପ୍ତ କରିପାରିଲା ନାହିଁ ତାହା ହେଲା ସେ ତାହାର ବୟସ ଉପଯୋଗୀ ଗୋଟିଏ ଶ୍ରେଣୀରେ ନାମ ଲେଖାଇପାରିବ ।

         ଯେଉଁଠାରେ ଗୋଟିଏ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବାର ବ୍ୟବସ୍ଥା ନାହିଁ ସେଠାରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପାଇଁ ଧାରା ୨ର ଖଣ୍ଡ (n )ର ଉପଖଣ୍ଡ(iii) ଏବଂ (iv)ରେ ସ୍ବତନ୍ତ୍ର ଭାବେ କୁହାଯାଇଥିବା ବିଦ୍ୟାଳୟକୁ ଛାଡି ଅନ୍ୟ ଯେ କୌଣସି ବିଦ୍ୟାଳୟକୁ ଯିବାର ଅଧିକାର ରହିବ । କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି ଶିଶୁର ନାମଲେଖା ସମୟରେ କୌଣସି ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରିପାରିବେ ନାହିଁ ଏବଂ ଶିଶୁ କିମ୍ବା ତା'ର ପିତାମାତା ବା ଅଭିଭାବକଙ୍କୁ କୌଣସି ଚୟନ ପ୍ରକ୍ରିୟା ଦେଇ ଯିବାକୁ ହେବ ନାହିଁ । ବୟସ ପ୍ରମାଣପତ୍ର ଅଭାବରୁ କୌଣସି ଶିଶୁକୁ ବିଦ୍ୟାଳୟରେ ନାମଲେଖା ନିମନ୍ତେ ମନା କରାଯିବ ନାହିଁ । ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ନାମ ଲେଖାଇଥିବା କୌଣସି ଶିଶୁ କୌଣସି ଶ୍ରେଣୀରେ ଅଟକି ଯିବ ନାହିଁ । କୌଣସି ଶିଶୁକୁ ଶାରୀରିକ ଦଣ୍ଡ ବା ମାନସିକ ନିର୍ଯ୍ୟାତନା ଦିଆଯିବ ନାହିଁ । ଧାରା ୨ ଖଣ୍ଡ (n) ଅନ୍ତର୍ଗତ ଉପଖଣ୍ଡ (iv)ରେ ନିର୍ଦ୍ଧାରିତ ହୋଇଥିବା ବିଦ୍ୟାଳୟଗୁଡ଼ିକ ବ୍ୟତୀତ ଅନ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ନିର୍ବାଚିତ ପ୍ରତିନିଧି, ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ପିତାମାତା , ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଗୋଟିଏ ପରିଚାଳନା କମିଟି ଗଠିତ ହେବ ।  

ଆମ ଦେଶ ସର୍ବଦା ଶିକ୍ଷା ବ୍ଯବସ୍ଥାର ଗୁରୁତ୍ୱତାକୁ ସମ୍ମାନ ଦେଇ ଆସିଛି । ପ୍ରାଚୀନ ଭାରତରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଶିକ୍ଷା ବ୍ୟବସ୍ଥା ହେଉଛି ବୈଦିକ ଶିକ୍ଷା ବ୍ୟବସ୍ଥା । ଏହି ଶିକ୍ଷାର ମୂଳ ଲକ୍ଷ୍ୟ ଏ ସଂସାରେ ବା ଏହା ପରେ ଜୀବନ ଧାରଣର ଜ୍ଞାନ ନଥିଲା , ଥିଲା ଆତ୍ମାର ସମ୍ପୂର୍ଣ୍ଣ ଅନୁଭୂତି । ଗୁରୁକୂଳ ବ୍ୟବସ୍ଥା ଗୁରୁ ଓ ଶିଷ୍ୟ ମଧ୍ୟରେ ଏକ ବନ୍ଧନ ସୃଷ୍ଟି କରୁଥିଲା ଏବଂ ଶିକ୍ଷକ କୈନ୍ଦ୍ରିକ ବ୍ୟବସ୍ଥାକୁ ପ୍ରତିଷ୍ଠିତ କରିଥିଲା ଯେଉଁଠି ଶିଷ୍ୟକୁ କଠୋର ଅନୁଶାସନ ପାଳନ କରିବାକୁ ପଡ଼ୁଥିଲା ଏବଂ ଗୁରୁଙ୍କ ଦାୟିତ୍ଵ ନିର୍ବାହ କରିବା ପାଇଁ କେତେକ କ୍ଷେତ୍ରରେ ଶିଷ୍ୟ ବାଧ୍ୟ ହେଉଥିଲା । ଭାରତୀୟ ବିଦ୍ଵାନ ଚରକ, ସୁଶୃତ ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ, ଚାଣକ୍ୟ, ପତଞ୍ଜଳି, ବାତ୍ସାୟାନ ଓ କେତେକ ବିଦ୍ବାନଗଣ ଗଣିତଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ପଦାର୍ଥବିଜ୍ଞାନ, ରାସାୟନିକବିଜ୍ଞାନ, ଭେଷଜ ବିଜ୍ଞାନ, ଶଲ୍ୟବିଜ୍ଞାନ, ଲଳିତକଳା, ଯାନ୍ତ୍ରିକ ଓ ଉତ୍ପାଦନ , ପ୍ରଯୁକ୍ତି ବିଜ୍ଞାନ, ସିଭିଲ ଇଂଜିନିଅରିଙ୍ଗ, ବାସ୍ତୁକଳା, ଜାହାଜନିର୍ମାଣ, ନୌପରିବହନ, କ୍ରୀଡ଼ା କ୍ଷେତ୍ରରେ ପୃଥିବୀର ଜ୍ଞାନ ବ୍ୟବସ୍ଥାକୁ ବହୁମୂଲ୍ୟ ଅବଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମ ସମୟରେ ଅନେକ ନେତା ଗୋଖଲେ, ରାମମୋହନ ରାୟ, ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ମହାତ୍ମା ଗାନ୍ଧୀ ଭାରତୀୟଙ୍କ ଉତ୍ତମ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ ।  

     ଶିକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଘଟିଛି । ଶୈକ୍ଷିକ କାର୍ଯ୍ୟକଳାପ ଏବଂ ଶିକ୍ଷଣ ପ୍ରକ୍ରିୟା ଏବେ ଆଉ ଶ୍ରେଣୀ କୋଠରୀ ଭିତରେ ଆବଦ୍ଧ ନୁହେଁ ଏବଂ ଶିକ୍ଷାର ପରିସର ଆଉ ଆନୁଷ୍ଠାନିକ ଭାବେ ପାଠ ପଢ଼ିବା ବା ଉଚ୍ଚଶିକ୍ଷାରେ ସୀମିତ ନୁହେଁ । ଶୈକ୍ଷିକ ପ୍ରକ୍ରିୟା କେବଳ ଶ୍ରେଣୀ ଆଧାରିତ ପାଠ୍ୟକ୍ରମ ମାଧ୍ୟମରେ ଘଟୁନାହିଁ ; ଇଲେକଟ୍ରୋନିକ ଓ ପ୍ରିଣ୍ଟ ଗଣମାଧ୍ୟମ , ସୂଚନା ଓ ସଂଚାର ଟେକନୋଲୋଜି , ପୁସ୍ତକ ଏବଂ ପତ୍ରପତ୍ରିକା ଇତ୍ୟାଦି ଦ୍ବାରା ମଧ୍ୟ ହେଉଅଛି । ଆଜିର ଶିକ୍ଷାର୍ଥୀ ଅଣଆନୁଷ୍ଠାନିକ ମାଧ୍ୟମ ଦ୍ଵାରା ସାମ୍ପ୍ରତିକ ଜ୍ଞାନ ଲାଭ କରିପାରୁଛି । ଶିକ୍ଷାର ପରିବର୍ତ୍ତନ ସାମାଜିକ ପ୍ରସଙ୍ଗ ଏବଂ ସମାନତା ଆଉ ସମ୍ମିଳନ ହାସଲ କରିବାକୁ ରାଷ୍ଟ୍ରୀୟ ଅନୁଚିନ୍ତା ଶିକ୍ଷାର ଏକ ପରିବର୍ତ୍ତନ ଦୃଷ୍ଟିକୋଣ ଆବଶ୍ୟକ କରେ ଓ ଏହା ସମସ୍ତ ଶିକ୍ଷାର୍ଥୀ ପାଇଁ ସୁଯୋଗ ସୃଷ୍ଟି କରେ । ଯାହା ଫଳରେ ସେମାନେ ଶିକ୍ଷଣ ଅନୁଭୂତିରେ ସଫଳ ହେବେ ଏବଂ ସମସ୍ତ ଶିକ୍ଷା ଅନୁଷ୍ଠାନକୁ ବିବିଧ  ଛାତ୍ର ଗୋଷ୍ଠୀର ସମାନ ଶୈକ୍ଷିକ ଲାଭ ପାଇଁ ଉତ୍ତରଦାୟୀ ହେବେ । 

     ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ଯଥେଷ୍ଟ ସଂଖ୍ୟକ ଶିଶୁଙ୍କ ନାମ ଲେଖାଇବା ପ୍ରକ୍ରିୟାରେ ଯଦିଓ ପ୍ରଗତି ହୋଇଛି , ତଥାପି ସମାଜର ଏପରି ଅସମର୍ଥ ଜନଗୋଷ୍ଠୀ ଅଛନ୍ତି  ଯେଉଁମାନଙ୍କ  ସନ୍ତାନମାନେ ଏ ସୁଯୋଗରୁ ବଂଚିତ ହେଉଛନ୍ତି । ବିଶେଷତଃ ଅର୍ଥନୈତିକ ଦୃଷ୍ଟିକୋଣରୁ ସେମାନେ ସମର୍ଥ ନୁହଁନ୍ତି ଓ ସେମାନଙ୍କ ସନ୍ତାନମାନେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ଭାଗ ନେଇ ପାରୁନାହାଁନ୍ତି । କିଛି ମାତ୍ରାରେ ପ୍ରଗତି ହେବା ସତ୍ତ୍ୱେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ କେତକ ରାଜ୍ୟ ଜାତୀୟ ହାର ତୁଳନାରେ ବହୁ ନିମ୍ନ ସ୍ତରରେ ଅଛି । ପ୍ରାଥମିକ ଶିକ୍ଷା ପାଇଁ ଆଗ୍ରହ ବଢୁଥିଲା ବେଳେ ଓ ମାଧ୍ୟମିକ ବିଦ୍ୟାଳୟର ସଂଖ୍ୟା ବଢୁଥିଲା ବେଳେ ମାଧ୍ୟମିକ ଶିକ୍ଷାର ପ୍ରସାର କ୍ଷେତ୍ରରେ ସମଗ୍ର ଦେଶରେ ବୈଷମ୍ୟ ପରିଲକ୍ଷିତ ହୁଏ, ଛାତ୍ରମାନଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଆଞ୍ଚଳିକ ବୈଷମ୍ୟ ମଧ୍ୟ ଦୃଷ୍ଟିଗୋଚର ହୁଏ । 

          ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁବିଧାରୁ ବଞ୍ଚିତ ଶିକ୍ଷାର୍ଥୀ ଗୋଷ୍ଠୀଙ୍କର ନାମ ଲେଖାଇବା ଓ ଶ୍ରେଣୀରେ ଅଟକ ରଖିବା ପାଇଁ ଅଧିକାଂଶ ରାଜ୍ୟ ସମ୍ମିଳିତ କୌଶଳ ସଫଳ ଭାବରେ ପାଳନ କରୁଛନ୍ତି । ଏହିସବୁ ଉଦ୍ୟମ ସତ୍ତ୍ୱେ କେତେକ ଭିନ୍ନକ୍ଷମ ଶିଶୁ , ଅପହଞ୍ଚ ଅଞ୍ଚଳରେ ବାସ କରୁଥିବା ଶିଶୁ , ଯାଯାବର ପରିବାରର ଶିଶୁ ଏବଂ କ୍ଷତିଗ୍ରସ୍ତ ବଞ୍ଚିତ ପରିବାରର ପିଲାମାନେ ସମ୍ପୁର୍ଣ୍ଣ ଭାବରେ ଶିକ୍ଷା ଗ୍ରହଣ କରିବାର ସୁବିଧା ଲାଭ କରିପାରୁନାହାନ୍ତି । ସହରାଞ୍ଚଳରେ ବାସ କରୁଥିବା ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଯୋଗଦାନ ଅତ୍ୟନ୍ତ ନଗଣ୍ୟ । ସାର୍ବଜନୀନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଫଳପ୍ରଦ ହେବା ପାଇଁ ଶିକ୍ଷା କ୍ଷେତ୍ରରେ ବାଧ୍ୟତାମୂଳକ ପ୍ରବେଶ ପ୍ରାଧାନ୍ୟ ।   ଆହୁରି ମଧ୍ୟ ଜଣାଯାଏ ଯେ , ସହରାଞ୍ଚଳର ଶିକ୍ଷାର୍ଥୀମାନେ ଗ୍ରାମୀଣ ଶିକ୍ଷାର୍ଥୀଙ୍କ ତୁଳନାରେ ଅନେକାଂଶରେ ଭଲ ପ୍ରଦର୍ଶନ କରୁଛନ୍ତି । ସରକାରୀ ତୁଳନାରେ ଘରୋଇ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସାମାନ୍ୟ ଭଲ ପ୍ରଦର୍ଶନ କରନ୍ତି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅପେକ୍ଷା ସାଧାରଣ ଓ ଅନ୍ୟ ପଛୁଆ ବର୍ଗର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରନ୍ତି । ଏପରି ପରିସଂଖ୍ୟାନ ଅଧ୍ୟୟନର ସମାନତାକୁ ଧ୍ୟାନ ଦେବାରେ ଗୁରୁତର ସମସ୍ୟା ଦେଇଥାଏ । ସମାଜରେ ଇତିହାସ ଅନୁଯାୟୀ କ୍ଷତିଗ୍ରସ୍ତ ବର୍ଗ ଏବଂ ପ୍ରଥମ ପିଢ଼ିର ଅଧ୍ୟୟନକାରୀଙ୍କର ଶିକ୍ଷାଗ୍ରହଣ ସାମର୍ଥ୍ୟ ଅତି କମ୍ ହୋଇଥାଏ  l 

     ବ୍ଯକ୍ତିର ବ୍ଯକ୍ତିତ୍ବ ବିକାଶର ଆଧାର ଜ୍ଞାନ ଯେହେତୁ ପିଲାମାନଙ୍କ ମଧ୍ଯେ ପିଲାଦିନରୁ ହିଁ ଯଦି ଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇ ଦିଆଯାଏ ତେବେ ଯୌବନ କାଳରେ ସେମାନେ ଜୀବନର ସର୍ବାହ୍ବାନକୁ ଅତି କୁଶଳତାର ସହ ସାମ୍ନା କରିପାରିବେ । ଶିକ୍ଷା ହେଉଛି ଏକ ଦ୍ବାର ଯାହା କିଛି ନୂଆ କରିବା , ଆବିଷ୍କାର କରିବା , ଉଦ୍ଭାବନ କରିବା , ଏକ ନୂତନ ଜଗତ ସୃଷ୍ଟି କରିବା । ସଂପୂର୍ଣ୍ଣ ସାକ୍ଷରତା ହେଉଛି ଆମ ଦେଶର ସ୍ବପ୍ନ ଏବଂ ଆମର ନିରନ୍ତର ପରିଶ୍ରମ ଦ୍ବାରା ଏହାକୁ ହାସଲ କରିହେବ ।  

     ନିମ୍ନମାନର ଶିକ୍ଷା କୁଶିକ୍ଷଣ ପ୍ରଦାନ କରେ ଯାହା ଚିନ୍ତାର ବିଷୟ ; ଅନୁପଯୁକ୍ତ ପାଠ୍ଯକ୍ରମ , ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷକର ଅଭାବ , ଅପ୍ରଭାବନୀୟ ଶିକ୍ଷଣୀୟ ପଦ୍ଧତି ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ ଏକ ପ୍ରମୁଖ ସମସ୍ୟା ରୂପେ ଦଣ୍ଡାୟମାନ । ଛାତ୍ର ଶିକ୍ଷଣର ଅତୃପ୍ତକର ସ୍ତର ବିଦ୍ଯାଳୟ ଶିକ୍ଷା ବ୍ଯବସ୍ଥାର ବଡ଼ ସମସ୍ଯା । ଏଲାଗି ସ୍ବୀକୃତ ଗୁଣ ଓ ମାନନୁସରଣ କରୁନଥିବା ଅନେକ ବିଦ୍ଯାଳୟର ଉପସ୍ଥିତି , ଛାତ୍ର ଓ ଶିକ୍ଷକ ମାନଙ୍କର ଅନୁପସ୍ଥିତି , ଶିକ୍ଷକଙ୍କ ପ୍ରେରଣା ଓ ପ୍ରଶିକ୍ଷଣରେ ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ଯ ଯାହା ଫଳତଃ ଶିକ୍ଷକଙ୍କ ଗୁଣବତ୍ତା ଓ ଦକ୍ଷତାରେ ଅକ୍ଷମତା ଦୃଷ୍ଟିଗୋଚର , ସୂଚନା ଆଉ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଟେକନୋଲୋଜିର ବ୍ଯବହାରରେ ଧୀର ପ୍ରଗତି , ଅନୁଚ୍ଚ ମାନର ପରିଚାଳନା ବ୍ଯବସ୍ଥା , ଦକ୍ଷତାର ପରିଚାଳନାରେ ଉପଯୁକ୍ତ ଧ୍ଯାନ ନଦେବା ଆଦି ଦାୟୀ । ଛତୁ ଭଳି ଫୁଟି ଉଠୁଥିବା ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ମଧ୍ଯରୁ ଅନେକାଂଶ ଉତ୍ତମ ଗୁଣବତ୍ତାର ନୁହଁନ୍ତି । ଶିକ୍ଷାନୁଷ୍ଠାନରେ ଆବଶ୍ଯକତା ଅନୁଯାୟୀ ଯଥେଷ୍ଟ ସଂଖ୍ଯକ ଦକ୍ଷତା ସମ୍ପନ୍ନ ଓ ତାଲିମ୍‌ ପ୍ରାପ୍ତ ଶିକ୍ଷକଙ୍କର ଅଭାବ ଦୃଶ୍ଯମାନ ।

      କିଛି ଲୋକଙ୍କ ହୀନଚିନ୍ତନ ଫଳତଃ ଅନେକ ଝିଅଙ୍କୁ ବିଦ୍ଯାଳୟ ମନା ; ପ୍ରାଥମିକ ବିଦ୍ଯାଳୟ ପଢ଼ା ପରେ କିଚି ଝିଅ ପାଠପଢାରେ ଡୋରୀ ବାନ୍ଧୁଛନ୍ତି । ତେଣୁ ଏସବୁ ସମସ୍ୟା ବି ଶିକ୍ଷା କ୍ଷେତ୍ରରେ ଅପୂରଣୀୟ କ୍ଷତି ; ଏଭଳି ଚିନ୍ତନ ଚିନ୍ତନକାରୀଙ୍କ ମନରୁ ଦୂରୀଭୂତ କରିବା ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ । ଯେଉଁ ବିଦ୍ଯାର୍ଥୀମାନେ ବିଦ୍ଯାଳୟରେ ନାମ ଲେଖାଉଛନ୍ତି ତାଙ୍କର ପ୍ରାଥମିକ , ମାଧ୍ୟମିକ ଓ ଉଚ୍ଚ ମାଧ୍ଯମିକ ଶିକ୍ଷା ସମାପ୍ତିକୁ ସ୍ଥିର ନିଶ୍ଚିତ କରିବା ବର୍ତ୍ତମାନ ପରିସ୍ଥିତିରେ ଜରୁରୀ । କିଛିମାତ୍ରାରେ ଦୃଶ୍ଯମାନ ଯେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି , ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟକୁ ସରକାରୀ ଅନୁଦାନରେ ବିଳମ୍ବ , ଶାସକୀୟ ଅପାରଗତା ; କାର୍ଯକ୍ରମର ଫଳପ୍ରଦ ସଂଯୋଜନା ଓ ରୂପାୟନ କରିବାରେ ବାଧକ ଯାହା ମୁଖ୍ଯ ପ୍ରସଙ୍ଗ ଅଧୁନା । ବର୍ତ୍ତମାନ ଘରୋଇ ବିଦ୍ଯାଳୟ ଗୁଡ଼ିକରେ ନାମଲେଖା ଲାଗି ଯେଉଁଭଳି ଭାବରେ ଶୁଳ୍କ ଆଦାୟ ହେଉଛି , ତହିଁରୁ ଜ୍ଞାତ ଯେ ଉଭୟ ବିଦ୍ଯାଳୟ ଓ ଉଚ୍ଚତର ଶିକ୍ଷା କ୍ଷେତ୍ରେ ବ୍ଯବସାୟୀକରଣ ହେଉଅଛି । 

     ଶିକ୍ଷା ଆମର ନିରନ୍ତର ଅଧିକାର , ଶିକ୍ଷା ବିନା ଜୀବନର ମାନେ କିଛି ନାହିଁ । ଭାରତକୁ ସମୃଦ୍ଧଶାଳୀ କରିବାକୁ ହେଲେ ଶିକ୍ଷା ବ୍ଯବସ୍ଥାକୁ ସୁଦୃଢ଼ କରିବାକୁ ହେବ । "ଆଜିର ଶିସୁ କାଲିର ଭବିଷ୍ଯ" ସ୍ଲୋଗାନକୁ ସାକାର କରିବାକୁ ହେଲେ ଆମକୁ ସିକ୍ଷାର ବିକାଶ କରିବା ପାଇଁ ପଡ଼ିବ । ଏଥିଲାଗି ଛାତ୍ର ସମାଜ , ଶିକ୍ଷକ ସମାଜ  , ଅଭିଭାବକ , ରାଜନୈତିକ ସ୍ତରରେ ମଧ୍ଯ ପୂର୍ଣ୍ଣ ପ୍ରୟାସ ଲୋଡ଼ା ।

    ଭାଟପଡ଼ା , ନିରାକାରପୁର , କଣାସ , ପୁରୀ

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା