କଳିଯୁଗର ଡାହାଳ କୁକୁର

 


           କାବ୍ୟଭୂଷଣ  ଶିବ ପ୍ରସାଦ ବାହିନୀପତି 

   କଟକ ସହରର ପୁଣ୍ଯତୀର୍ଥ କ୍ଷେତ୍ର ଐତିହାସିକ ପେଣ୍ଠସ୍ଥଳୀ ବାରବାଟୀ ଦୁର୍ଗ ସନ୍ନିକଟ ବାଲିଯାତ୍ରା ପଡ଼ିଆ ତଥା ମହାନଦୀ ତୀରସ୍ଥ ଗଡ଼ଗଡ଼ିଆ ଘାଟରେ ଚ଼ାଲିଥାଏ ଶୁଦ୍ଧିକ୍ରିୟା କର୍ମ । ସପ୍ତମ ଓ ଅଷ୍ଟମ ଦିବସର କର୍ମ ପରିସମାପ୍ତ ପରେ ନବମ ଦିବସର କର୍ମ ଆଗତ ହୋଇଛି  । ଜନୈକ ମହିଳାଙ୍କର ଅନ୍ତ୍ଯେଷ୍ଟି କ୍ରିୟା ଚ଼ାଲିଥାଏ । ସପ୍ତମ ଦିବସ ଠାରୁ କ୍ରିୟା କର୍ମର ପ୍ରାରମ୍ଭ ହୋଇଥାଏ ତାଙ୍କର । ବ୍ରାହ୍ମଣ ସମ୍ପ୍ରଦାୟର ବ୍ଯକ୍ତିଙ୍କର ଏ ଅନ୍ତ୍ଯେଷ୍ଟି କ୍ରିୟା ସପ୍ତମ, ଅଷ୍ଟମ ଯାଇ ନବମ ଦିବସରେ ଉପନୀତ । ବାରୀକ, ବ୍ରାହ୍ମଣ ଓ କର୍ତ୍ତାଙ୍କର ଉପସ୍ଥିତିରେ ଏ କର୍ମ ଆଗେଇ ଚ଼ାଲିଛି । ମୁଁ ସ୍ବୟଂ ପୌରହିତ୍ଯ କରୁଥିଲି ଏବଂ ମୋ ଗାଁର ଜନୈକ ବ୍ୟକ୍ତି ବାରୀକ କର୍ମ କରୁଥିଲେ । କର୍ତ୍ତା ବି ମୋ ଗାଁର  ; କିନ୍ତୁ ବେଉସାର ବଶବର୍ତ୍ତୀ ସ୍ବରୂପ ଏବେ ସେ ସପରିବାର କଟକ ସହର ବାସିନ୍ଦା । 

     ସୁଦୂର କଣାସ ବ୍ଲକର ଭାଟପଡ଼ା ଗ୍ରାମରୁ ପୂର୍ଣ୍ଣ ପ୍ରସ୍ତୁତିର ସହିତ ଆସି ଉପନୀତ ହୋଇଗଲି କଟକର ବାରବାଟୀ ଷ୍ଟାଡ଼ିୟମର ପାଞ୍ଚ ନମ୍ବଗେଟ୍‌ ପାଖରେ ଦୀର୍ଘଦିନରୁ ବସତି ସ୍ଥାପନ କରିଥିବା ଆମ ଗାଁର ଆପଣାର ପରିଜନ ବଡ଼ଭାଇ ରମେଶ ଚନ୍ଦ୍ର ମହାପାତ୍ରଙ୍କ ନିଳୟରେ । ସନ୍ଧ୍ୟା ନଇଁ ଆସିବାର ସୂଚନା ଦେଉଥିବା ବେଳେ ମୋର ପାଦ ଯୁଗଳ ତାଙ୍କ ଏରୁଣ୍ଡିବନ୍ଧ ପାର ହୋଇ ଘର ଭିତରକୁ ପ୍ରବେଶ କରିଥିଲା । କ୍ଳାନ୍ତ ଶରୀର ଶାନ୍ତ ହେବାକୁ ବିଶ୍ରାମ ଲୋଡ଼ୁଥାଏ ; ଚ଼ା'-ପାଣିର ବନ୍ଦୋବସ୍ତ ଓ ସାମାନ୍ୟ କିଛି ଆଳାପ ପରେ ବସା ଗୃହରେ ଆସି ବିଶ୍ରାମ ନେଉ ନେଉ ଯାମିନୀରାଣୀ ଆଗତ ହୋଇସାରିଲାଣି । ଭୋଜନ କରିସାରି ରାତ୍ରିର କୋଳରେ ଆନନ ଥାପି ଆଖି ମୁଦି ନିର୍ଜୀବ ପରି ଲୋଟି ପଡ଼ିଲି । ରାତି ପାହି ସକାଳ ହେଲା ; ନିଦ ଭାଙ୍ଗିଲା ବେଳକୁ ସକାଳ ସାଢ଼େ ସାତ । ଚ଼ଳଚ଼ଞ୍ଚଳ ହୋଇ ଉଠିଲାଣି କଟକ ସହରର ବାଉନ ବଜାର ତେପନ ଗଳି । ବିପଣୀମାନେ ଆଡ଼ବା ମେଲି ବେପାରରେ ମଗ୍ନ ହୋଇ ସାରିଲେଣି ଏବଂ କର୍ମୀମାନେ କର୍ମରେ ଲାଗି ପଡ଼ିଲେଣି । ନିତ୍ଯକର୍ମ ସାରିବାକୁ ପ୍ରସ୍ତୁତ ଆମେ ବ୍ରାହ୍ମଣ ଓ ବାରୀକ । 

     ଦନ୍ତ ମଞ୍ଜନ ଓ ସ୍ନାନ ଶୌଚ଼ାଦି ସମାପନ କରି ଚ଼ା'ପାନର ବ୍ଯବସ୍ଥା ପରେ ନିଜକୁ ପ୍ରସ୍ତୁତ କରିନେଲୁ କ୍ରିୟାକର୍ମ ପାଇଁ । ସେତେବେଳକୁ ସମୟ ଏଗାରଟା ପ୍ରାୟ । ଆବଶ୍ୟକୀୟ ସାମଗ୍ରୀ ସମସ୍ତ ଏକଜୁଟ କରି କର୍ତ୍ତା, ବାରୀକ ଓ ବ୍ରାହ୍ମଣ ପ୍ରସ୍ତୁତ ମହାନଦୀ ପଠା ଅଭିମୁଖେ ଯାତ୍ରା ନିମିତ୍ତେ । ଘର ଠାରୁ ଟିକେ ଦୂର ; ତେଣୁ ଟାଟା ଏ. ସି ରେ ବସି ଯିବାକୁ ପଡ଼ିଲା । ସେଠାରେ ଉପନୀତ ହୋଇ ସମସ୍ତ ପ୍ରସ୍ତୁତି ସମାପନାନ୍ତେ କର୍ମ ଆରମ୍ଭ କଲୁ । କର୍ମ କରିବା ପାଇଁ ସେଠି ଏକ ଛାଇ ଜାଗାର ବନ୍ଦୋବସ୍ତ କଲୁ । ଶିମକଇଁଆ ଗଛଟିଏ ; ଅବଶ୍ଯ ବେଶି ବଡ଼ ନୁହେଁ । ଦୁଇ ମଣିଷ ଉଚ୍ଚାର ଗଛରେ କଣ୍ଟକିତ ପଲ୍ଲବରେ ବଡ଼ ବଡ଼ ଜନ୍ଦା - ପିମ୍ପୂଡ଼ି ମାନଙ୍କର ଧାଁ ଧଉଡ଼ର ଦୃଶ୍ୟ ଏକ ବିଶେଷ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ସେହି ଗଛ ମୂଳରେ କ୍ରିୟାକର୍ମର ବିଧି କରିବାର ନିଷ୍ପତ୍ତି ନେଇ ଆରମ୍ଭ କରିଦେଲୁ ବୈଦିକ ରୀତିନୀତିରେ ଅନ୍ତ୍ଯେଷ୍ଟି କ୍ରିୟା କର୍ମ । ପ୍ରାୟ ଅଢ଼େଇ ଘଣ୍ଟା ପରେ ସରିଗଲା ସପ୍ତମ ଦିବସର କର୍ମ  । 

    ଶାସ୍ତ୍ର ମତରେ ଘରୁ ଯାଇଥିବା ଦ୍ରବ୍ଯର ବଳକା ଅଂଶ ପୁନରାୟ ଆଉ ଘରକୁ ଫେରେ ନାହିଁ । ତେଣୁ ସେହି ବୃକ୍ଷ ପଲ୍ଲବରେ ବଳକା ଦ୍ରବ୍ଯ ସମୂହକୁ ସଞ୍ଚିତ ରଖି ସ୍ନାନାଦି କର୍ମ ସମାପନ କରି ଗୃହାଭିମୁଖେ ପ୍ରତ୍ଯାବର୍ତ୍ତନ କଲୁ । ଘର ପାଖରେ ଯାବତୀୟ ରୀତିନୀତିର ଅନ୍ବେଷଣରେ ଆବଶ୍ୟକୀୟ କ୍ରିୟା କର୍ମ ସାରି ଭୋଜନାଦି କର୍ମାନ୍ତେ ବିଶ୍ରାମ ପାଇଁ ପ୍ରସ୍ତୁତ ହେଲୁ । ସନ୍ଧ୍ୟାରେ ବ୍ରାହ୍ମଣ ଭୋଜନ ଓ ଆତ୍ମୀୟ ସ୍ବଜନଙ୍କର ହବିଷ କର୍ମ ସମାପନାନ୍ତେ ଘଟ ପାଖରେ କ୍ଷୀର-ନୀର ଦେଇ ଯାମିନୀ ଜନନୀ କୋଳରେ ବିଶ୍ରାମ କଲୁ । ପରଦିନ ପ୍ରାତଃ କାଳରେ ଅଷ୍ଟମ ଦିବସର କର୍ମ ପୂର୍ବବତ୍‌ କରାଗଲା । ସଞ୍ଚିତ ଦ୍ରବ୍ଯ ବାଦ୍‌ କିଛି ସାମଗ୍ରୀ ନେଇ ମହାନଦୀ ପଠାରେ ପହଞ୍ଚି ଦେଖିଲୁ ସଞ୍ଚିତ ଦ୍ରବ୍ଯ ସୁରକ୍ଷିତ । କାର୍ଯ୍ୟ ପୂର୍ବ ପରି ଚ଼ାଲିଲା ; ସମାପନ କରି ଫେରିଲୁ ।

     କିନ୍ତୁ ନବମ ଦିବସ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେଦିନ କିନ୍ତୁ ଘଟିଥିବା ଘଟଣାଟି ସତରେ ବିସ୍ମୟ । ଆବଶ୍ୟକୀୟ ଦ୍ରବ୍ଯ ନେଇ ସେଠି ଉପନୀତ ହୋଇ ଯାହା ଦେଖିଲୁ ସତରେ ଆମେ ଚ଼କିତ ସମସ୍ତେ । ପୂର୍ବରୁ କୁଶ, ଦିଆସିଲି, କିରୋସିନ୍‌, ଜାଳେଣି କାଠ ସଞ୍ଚିତ ଥିବାରୁ ସାଥିରେ ନନେଇ ଚ଼ାଲି ଯାଇଥିଲୁ । କର୍ମସ୍ଥଳୀରେ ପହଞ୍ଚି ଦେଖିଲୁ ମାଟିରେ ପ୍ରସ୍ତୁତ ପିତୁଳା ଉପରେ ଘୋଡ଼ା ଯାଇଥିବା ଛୋଟ ଚ଼ାଙ୍ଗଡ଼ାଟି ପିତୁଳା ଉପରୁ ବାହାରି ବାହାରେ ପଡ଼ିଛି । ଘୋଡ଼ା ଯାଇଥିବା କଣ୍ଟାଡ଼ାଳ ସବୁ ଅସଜଡ଼ା ପ୍ରାୟ । ଏଭଳି କ'ଣ ହୋଇଛି ? କିଏ କରିଲା ଏସବୁ ? ସମସ୍ତେ ଆଶ୍ଚର୍ଯ୍ୟ, ଏଠାକୁ କିଏ ଏମିତି ଆସିଥିଲା ? ଏସବୁରେ ତା'ର ପ୍ରୟୋଜନ କ'ଣ ? ଅନେକ ପ୍ରଶ୍ନବାଚୀ ଆମ ମାନଙ୍କ ମନ ମଧ୍ଯରେ । 

      ଶିମକଇଁଆ ଗଛକୁ ଦୃଷ୍ଟି ନିକ୍ଷେପ କଲୁ ; ମୂଳରୁ ଡ଼ାଳ ପର୍ଯ୍ୟନ୍ତ ଜନ୍ଦା-ପିମ୍ପୂଡ଼ିଙ୍କର ଅବିଶ୍ରାନ୍ତ ଧାଁ ଧପଡ଼ । ବୃକ୍ଷ ଡ଼ାଳରେ ସଞ୍ଚିତ ଦ୍ରବ୍ଯକୁ ଦେଖିଲୁ  । କିନ୍ତୁ ଆଶ୍ଚର୍ଯ୍ୟ  ; କୁଆଡ଼େ ଗଲା ସବୁ ? ଏଇଠି ତ ଆମେ ରଖି ଯାଇଥିଲୁ । କିରୋସିନ୍‌ ବଟଲ୍‌ଟି ପଲିଥିନ୍‌ ଜରି ଭିତରେ ପୂରାଇ ବୃକ୍ଷର ଡ଼ାଳରେ ଟାଙ୍ଗି ଦେଇ ଯାଇଥିଲୁ । ଜରିଟି ଚ଼ିରି ଯାଇଛି  ; କିରୋସିନ୍‌ ବଟଲ୍‌ଟି ନାହିଁ । କୁଶ ଗୋଟେ ଜାଗାରୁ ଯାଇ ଆଉଗୋଟେ ଜାଗାରେ ଉପରେ ଖୋସା ହୋଇଛି । ବିସ୍ମୟାଭିଭୂତ ସମସ୍ତେ ଆମେ । ଚ଼ାରିଆଡ଼କୁ ଲକ୍ଷ୍ଯ କଲୁ ; ଭଲଭାବେ ନିରୀକ୍ଷଣ କରିବା ପରେ ଆମେ ଅବଗତ ହେଲୁ କିଛି ମଦ୍ୟପଙ୍କର ଏସନେକ କାର୍ଯ୍ୟକଳାପ । ନିକଟରେ ମଦ ବୋତଲ, ପୋଡ଼ା ସିଗାରେଟ୍‌ ପଡ଼ିଥିବାର ଦୃଶ୍ଯ ଆମକୁ ଜଣାଇ ଦେଲା ଏସବୁ କିଛି ମଦୁଆଙ୍କର କାମ । 

       ଆଶ୍ଚର୍ଯ୍ୟ ଲାଗେ ; ଏମାନେ କିଭଳି ଶ୍ରେଣୀର ଲୋକ ? ମାଗଣା ପଡ଼ିଲେ ଆଲକତରା ବି ହଜମ କରିଦେବେ ଏମାନେ !! ଦିଅଁ ଗିଳି ଖଟୁଳି ଗିଳି ଦେବେ !! ପ୍ରେତ କାର୍ଯ୍ୟ ଜାଣି ବି କେମିତି ଏପରି କରି ପାରୁଛନ୍ତି, ସତରେ ଆଶ୍ଚର୍ଯ୍ୟ । ଧନ୍ଯ କହିବ ଏମାନଙ୍କୁ.......। ଏଭଳି ସର୍ବଗିଳାଙ୍କ ପେଟକୁ କିଛି ବି ଅଣ୍ଟୁନି । ଡ଼ାହାଳ କୁକୁର ପରି ଦରାଣ୍ଡି ହେଉଛନ୍ତି କେଉଁଠି ମାଂସଖଣ୍ଡ କି ହାଡ଼ଖଣ୍ଡ ପଡ଼ିଛି ଟାକୁଟାକୁ କରି ଗିଳି ପକାଇବେ । କଳିଯୁଗରେ ଏଭଳି ଡ଼ାହାଳ କୁକୁରଙ୍କର ପ୍ରାଦୁର୍ଭାବରୁ ରକ୍ଷା ପାଇବା ସତରେ ସରଳସାଧ୍ଯ ନୁହେଁ  । ସାଧାରଣ ପଶୁ କୁକୁର ମାନଙ୍କର ବି ନିଜର ନୈତିକତା ଅଛି  ; କିନ୍ତୁ ଏଭଳି ମାନବ ରୂପୀ କୁକୁରଙ୍କର ସାଧାରଣ ମାନବିକତା ନାହିଁ  ।

ସମ୍ପାଦକ - ଉଦୟଭାନୁ ସାହିତ୍ଯ ପତ୍ରିକା 

ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
ଫୋ- ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା