ଧର୍ମୀୟ ଆଲୋଚ଼ନାରେ ଜୈନଧର୍ମ

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                  ସମ୍ପାଦକ - ଉଦୟ ଭାନୁ 

         ଭାରତୀୟ ସଂସ୍କୃତି ବହୁ ପୁରାତନ କାଳରୁ ପ୍ରଚ଼ଳିତ ହୋଇ ଆସୁଛି । ଯାହା ଭାରତର ଦୀର୍ଘ ଇତିହାସ , ଅଦ୍ବିତୀୟ ଭୁଗୋଳ ଓ ସିନ୍ଧୁ ଘାଟୀର ପ୍ରାଚ଼ୀନ ସଭ୍ଯତାର କାହାଣୀର ଭାର ବହନ କରେ । ଏତତ୍ ବ୍ୟତୀତ ଭାରତୀୟ ବୈଦିକ ଯୁଗର ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ବର୍ଣ୍ଣ ଯୁଗର ଆରମ୍ଭ ଓ ତାହାର ଆଗମନ ସହ ଆମ ନିଜ ପ୍ରାଚ଼ୀନ ସାମ୍ରାଜ୍ୟ ବି ସାମିଲ୍‌ ହୋଇଛି । ସର୍ବଧର୍ମ ସମନ୍ବୟର ରାଷ୍ଟ୍ର ଆମ ଭାରତ । ହିନ୍ଦୁ , ଜୈନ , ବୌଦ୍ଧ , ଶିଖ୍‌ ପରି ଧର୍ମ ମାନଙ୍କର ଜନକ ଭାରତ । ଏ ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଓ ପରମ୍ପରା ବିଶ୍ବର ଅଲଗା ଅଲଗା ଅଂଶକୁ ବି ବହୁ ପ୍ରଭାବିତ କରିଛି । ଆମ ଭାଷା , ଆମ ସାହିତ୍ୟ ଏବଂ ଆମ ପରମ୍ପରା ସବୁଠୁ ନିଆରା । ଆବ୍ରାହାମିକ ଧର୍ମ ପରେ ଭାରତୀୟ ଧର୍ମ ବିଶ୍ବ ଧର୍ମରେ ପ୍ରମୁଖ ଅଟେ , ଯେଉଁଥିରେ ହିନ୍ଦୁ , ବୌଦ୍ଧ , ଶିଖ୍‌ , ଜୈନାଦି ଧର୍ମ ସାମିଲ୍‌ ହୋଇଛି । ବିଶ୍ବ ବ୍ରହ୍ମାଣ୍ଡରେ  ଭାରତର ଧର୍ମରେ ବିଭିନ୍ନତା ସର୍ବାଧିକ , ଯେଉଁଥିରେ କିଛି ସାଂସ୍କୃତୀୟ ସଂସ୍ଥାର ଧର୍ମ ସାମିଲ୍‌ ହୋଇଛନ୍ତି । ଆଜି ବି ଧର୍ମ ଅନେକ ଜନତାଙ୍କ ମଧ୍ୟରେ ମୁଖ୍ୟ ଓ ନିଶ୍ଚିତ ଭୂମିକା ନିଭାଇଥାଏ । ୮୦.୦୪%ରୁ ଅଧିକ ଲୋକ ମାନଙ୍କର ଧର୍ମ ହିନ୍ଦୁଧର୍ମ ; କୁଳ ଭାରତୀୟ ଜନସଂଖ୍ୟାର ୧୩.୦୪% "ଇସଲାମ ଧର୍ମ"କୁ ମାନିଥାଏ । ଶିଖ୍‌ ଧର୍ମ , ଜୈନ ଧର୍ମ ଓ ବୌଦ୍ଧ ଧର୍ମ ପୂରା ବିଶ୍ବବ୍ରହ୍ମାଣ୍ଡରେ ପ୍ରଭାବିତ ଈସାଇ ଧର୍ମ , ପାରସୀ ଧର୍ମ , ଇହୁଦି ଧର୍ମ ଓ ବହାଇ ଧର୍ମ ବି ପ୍ରଭାବଶାଳୀ , କିନ୍ତୁ ଏମାନଙ୍କ ସଂଖ୍ୟା କମ୍‌ । ଭାରତୀୟ ଜୀବନରେ ଧର୍ମର ଦୃଢ଼ ଭୂମିକା ରହିବା ସତ୍ତ୍ବେ ନାସ୍ତିକତା ଓ ଅଜ୍ଞେୟବାଦର ମଧ୍ୟ ପ୍ରଭାବ ଦୃଶ୍ୟମାନ । 

      ୟୁଜୀନ ଏମ.ମକରଙ୍କ ମତାନୁସାରେ , ଭାରତୀୟ ପାରମ୍ପରିକ ସଂସ୍କୃତି ଅପେକ୍ଷାକୃତ କଠୋର ସାମାଜିକ ପଦନୁକ୍ରମ ଦ୍ବାରା ପରିଭାଷିତ କରାଯାଇଛି । ସେ କହିଥିଲେ - "ପିଲାଙ୍କୁ ବାଲ୍ଯବେଳେ ହିଁ ସେମାନଙ୍କ ଭୂମିକା ଏବଂ ସମାଜରେ ତାଙ୍କ ସ୍ଥାନ ସମ୍ବନ୍ଧରେ କୁହାଯାଇଥାଏ ।" ନାଭିକୀୟ ପରିବାର ଭାରତୀୟ ସଂସ୍କୃତି ପାଇଁ କେନ୍ଦ୍ରୀୟ ଅଟେ । ମହତ୍ତ୍ବପୂର୍ଣ୍ଣ ପାରିବାରିକ ସମ୍ବନ୍ଧ ଏତେ ଦୂର ଯାଏଁ ହୋଇଥାଏ , ଯେ ଯାଏଁ ସମାନ ଗୋତ୍ରର ସଦସ୍ଯ ରହିଥା'ନ୍ତି । ଗୋତ୍ର ହିନ୍ଦୁ ଧର୍ମାନୁସାରେ ନିର୍ଦ୍ଧାରିତ ହୋଇଥାଏ ନିଜ ପିତାଙ୍କ ତରଫରୁ ମିଳିଥିବା କୁଟୁମ୍ବ ବା ପନ୍ଥାନୁସାରେ ; ଯାହା ଜନ୍ମ ସହିତ ଥୟ ହୋଇଥାଏ । ଗ୍ରାମୀଣ କ୍ଷେତ୍ରେ ପରିବାର ତିନି କିମ୍ବା ଚ଼ାରି ପିଢ଼ି ମାନଙ୍କରେ ଏକ ଛାତ ତଳେ ରହିବା ସାଧାରଣ କଥା ; ବଂଶ ବା ଧର୍ମ ପ୍ରଧାନ ପ୍ରାୟ , ପରିବାରର ଅସୁବିଧାକୁ ଦୂର କରିଥାଏ । 

     ଆଧ୍ଯାତ୍ମିକତା ଶବ୍ଦ ଆମକୁ ବହୁତ ଗହନ କଥା ପରି ମନେହୁଏ ଏବଂ ଲାଗେ ଯେମିତି ଏ ଗୁରୁଗମ୍ଭୀର ; ବାସ୍ତବରେ ଏହା ସେଇଆ ନୁହେଁ ଯାହା ଆମେ ଭାବୁଛେ । ଏହା ହେଉଛି ଏକ ପରିପୂର୍ଣ୍ଣ , ପ୍ରଚ଼ୋଦନାମୟ ଜୀବନଚର୍ଯ୍ୟା । ଏହା ସରଳ , ସାବଲୀଳ , ଶ୍ରଦ୍ଧା , ବିଶ୍ବାସ ଓ ଭକ୍ତିର ସମ୍ମିଳନ ; ଭଲପାଇବାର ଏକ ମାର୍ଗ । ଯେକୌଣସି ପ୍ରକାରେ ଈଶ୍ୱରଙ୍କୁ ପ୍ରେମ କରିବାର , ମଣିଷଙ୍କୁ ଭଲପାଇବାର ଓ ସମସ୍ତ ଜୀବଙ୍କୁ ଦୟା ପରବଶ ହେବାର ପଥ ବାଛିନେବା ହିଁ ପ୍ରକୃତ ମାନବ ଧର୍ମ । ଶୂନ୍ଯତାରେ ହେଉ କି ପ୍ରତ୍ଯକ୍ଷରେ , ମୂର୍ତ୍ତିରେ ହେଉ କି ମାନବର ବାଣୀରେ ବା ସାଧୁସନ୍ଥଙ୍କ ସମ୍ମେଳନରେ ; ସତ୍ଯ , ନ୍ଯାୟ , ଧର୍ମର ପଥରେ ଆଗେଇ ଯିବା ମାନବ ଜନ୍ମର ସାର୍ଥକତାକୁ ପ୍ରତିପାଦନ କରେ । ଧର୍ମ ବିବିଧ ବେଶରେ ଦୃଶ୍ୟମାନ ; ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହୋଇଛି । ଧର୍ମ ମାନବ ଜାତିକୁ ଅନେକ ସମ୍ପ୍ରଦାୟରେ ବିଭାଜିତ କରି ମାନବ ସମାଜର ଏକତ୍ବରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ଯାବହାରିକ ଦୃଷ୍ଟିକୋଣରୁ ବିଚ଼ାର କଲେ ପ୍ରତ୍ଯେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନ କରିବା ଦୃଷ୍ଟାନ୍ତ ବିରଳ । ଏହା ଦୁଇଟି ଅନ୍ଧବିଶ୍ୱାସର ତୁମୁଳ ସଂଙ୍ଘର୍ଷ । ତଥାପି ଏ ରକ୍ଷଣଶୀଳ ଧର୍ମ ସବୁ ମଧ୍ୟେ ବି ସ୍ଥିତ ଆଧାର ମୂଳକ ସାମଞ୍ଜସ୍ୟ ; ସବୁ ଧର୍ମର ଦୃଢ଼ ଆଧାର ଈଶ୍ୱର ଏବଂ ସବୁ ଧର୍ମ ପୌରାଣିକ କାହାଣୀ ଓ ଅଲୌକିକ ଚ଼ମତ୍କାରିତାରେ ଭରପୂର । ପୌରାଣିକ କାହାଣୀ କୌଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚ଼ମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ନକଲି ଫଟୋ ପରିବେଷଣ କରେ । 

     ପ୍ରତ୍ଯେକ ଧର୍ମର ମୌଳିକତା ଈଶ୍ୱର ବିଶ୍ବାସ ; ଈଶ୍ୱରଙ୍କ ପ୍ରତିନିଧିଙ୍କ ମୁଖନିଃସୃତ ଉପାଦେୟ ବାଣୀ ପ୍ରତ୍ଯେକ ଧର୍ମରେ ରହିଛି । ପ୍ରତ୍ଯେକ ଧର୍ମରେ ଆଧାରିତ ପ୍ରାମାଣିକ ଗ୍ରନ୍ଥ ସହିତ ଦିବ୍ଯତା ରହିଛି ; କିନ୍ତୁ କୌଣସି ବି ଧର୍ମରେ ବା ଧର୍ମଗ୍ରନ୍ଥରେ ଭୌତିକ ବିଶ୍ବର ପ୍ରକୃତି ଓ ତା'ର କାର୍ଯ୍ଯଧାରା ବିଷୟରେ ପ୍ରାୟତଃ ଉଲ୍ଲେଖ ନାହିଁ । ଭାଗବତ କହେ - 
                   "କୀଟ ପତଙ୍ଗ ତରୁ ତୃଣ ।
                  ସବୁରି ଦେହେ ନାରାୟଣ ।"
ହିନ୍ଦୁ , ମୁସଲିମ , ଶିଖ , ଖ୍ରୀଷ୍ଟିଆନ ଯେତେ ଜାତି ହେଉ ବା ମଣିଷ , ପଶୁ , ପକ୍ଷୀ , ତୃଣ , ବୃକ୍ଷ ହେଉ , ସବୁରି ଶରୀରରେ ପରମେଶ୍ୱରଙ୍କ ବାସ । ନିଜ ଭିତରେ ଈଶ୍ୱରଙ୍କ ସତ୍ତା ଅନୁଭବ କରିବା ହିଁ ପ୍ରକୃତ ଯୋଗ । ଜଣେ ପ୍ରକୃତ ମଣିଷ ସଦାସର୍ବଦା ପରୋପକାର , ସହନଶୀଳ , ଭଲପାଇବା , ପ୍ରେମ , ସେବା , ଜୀବେଦୟାର ଭାବ , ସତ୍ଯବାଦ , ନିୟମାନୁବର୍ତ୍ତିତା ଆଦିକୁ ସ୍ବଜନ ମନେ କରି ଆପଣା କର୍ମକୁ ସୂଚାରୁରୂପେ ତୁଲାଇବା ଉଚ଼ିତ । ଏହାର ବାସ୍ତବ ବ୍ଯାଖ୍ଯାନକୁ ବୁଝି ନପାରି ମତଭେଦ ସୃଷ୍ଟି କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ନୁହେଁ । ଓଡ଼ିଆ ଜାତି ଧର୍ମଭୀରୁ , ଏଠି ଅନ୍ଧବିଶ୍ୱାସର ସତ୍ତା ଉପଲବ୍ଧି ହୁଏ । ସବୁକିଛି ବଖାଣି କାହାର ବିରୋଧୀ ହେବାକୁ ଅନିଚ୍ଛୁକ ମୁଁ । ସର୍ବଦା ସୁଖ ଦରାଣ୍ଡିବା ଉଚିତ ନୁହେଁ ; ଦୁ଼ଃଖକୁ ବି ସାମ୍ନା କରିବା ଉଚିତ୍‌ ଏବଂ ଦୁଃଖର ଅଳିଆଗଦା ଭିତରୁ ସୁଖର ହୀରକ ମୁଦ୍ରିକା ଖୋଜି ପାରିଲେ , ସେଇ ହେବ ମାନବର ସର୍ବଶ୍ରେଷ୍ଠ ଧନ । ଅତି ଦୁଃଖରେ ମଉଳି ଯିବା କି ଅତି ସୁଖରେ ବିହ୍ବଳିତ ହୋଇଯିବା ପ୍ରକୃତ ମାନବର ଧର୍ମ ନୁହେଁ । ଏକ ଶୃଙ୍ଖଳିତ ସମାଜ ଗଠନ ଓ ନୈତିକତାକୁ ଲକ୍ଷ୍ଯ କରି ତଥା ମାନବିକତାକୁ ଉଜ୍ଜୀବିତ କରିବାକୁ ଧର୍ମର ଉଦ୍ଭବ ହୋଇଥିଲା । ସମାଜ କଲ୍ଯାଣାର୍ଥେ ଉଦ୍ଭବ ଧର୍ମ ସବୁର ନୀତିନିୟମକୁ କେତେକ ବ୍ଯକ୍ତି ସଂହିତାବଦ୍ଧ କରିଦେବାରୁ ତା'ର ଜୀବନ୍ତତା ଲୋପ ପାଇ ଜଡ଼ ପଦାର୍ଥ ସଦୃଶ ହୋଇଗଲା । ତଥାପି କିଛି ଧାର୍ମିକ ପ୍ରଥା , ପରମ୍ପରା ଓ ରୀତିନୀତିରେ ସର୍ବ ସାମାଜିକ ଆଚ଼ାର ଆଚ଼ରଣ ସେ ପୁରୁଣା ପନ୍ଥା ସବୁକୁ ଏବେ ସୁଦ୍ଧା ଜାରି ରଖିଛି । 

        ଧାର୍ମିକ ଅନୁସନ୍ଧାନ ହେଲା ମାନବର ପ୍ରାରମ୍ଭିକ ବୌଦ୍ଧିକ ଅନୁସନ୍ଧାନ ଏବଂ ସଙ୍ଗଠିତ ଧର୍ମ ହେଲା ମଣିଷ ଦ୍ୱାରା ଗଠିତ ବୋଧେ ସର୍ବପ୍ରଥମ ସାମାଜିକ ସଂସ୍ଥା । ମାନବ ସମାଜ ଉପରେ ଧର୍ମ ପ୍ରଭାବ ବିସ୍ତାର କରି ଆସିଛି ଓ ପ୍ରବଳ ଉତ୍‌ପ୍ରେରକ ଶକ୍ତି ରୂପେ ଧର୍ମ ହିଁ ଇତିହାସ ପାଇଁ ରହି ଆସିଛି । ପ୍ରତି ସଙ୍ଗଠିତ ସମାଜରେ ଅପଧର୍ମୀ , ଧର୍ମତ୍ଯାଗୀ , ଧର୍ମବୈରାଗୀ , ବ୍ଯକ୍ତିମାନେ ଅଛନ୍ତି  । ତାଙ୍କ ମଧ୍ୟେ ବିବାଦ ବା ସଂଙ୍ଘର୍ଷ ଉପୁଜିବାରୁ ମୂଳ ଧାର୍ମିକ ଗୋଷ୍ଠୀରେ ନୂତନ ଉପଗୋଷ୍ଠୀମାନ ଜନ୍ମିଛି । ମଣିଷର ଅନ୍ତରତମ ଦେଶକୁ ପଶି ଅନୁସନ୍ଧାନ କରିବା , ତା'ର ଆକାଂକ୍ଷା ଓ ସମ୍ଭାବିତ ସମ୍ଭାବନାକୁ ଅନ୍ବେଷଣ କରିବା , ବ୍ଯକ୍ତି ଓ ସମାଜକୁ ସୁସ୍ଥ ରଖୁଥିବା ମୂଲ୍ଯବୋଧର ସନ୍ଧାନ କରିବା , ସ୍ବାର୍ଥପରତାରୁ ମୁକ୍ତ ହୋଇ ତଥା ନିଜସ୍ୱର ଉର୍ଦ୍ଧ୍ବକୁ ଆରୋହଣ କରି ମଣିଷ ଜୀବନର ଉଚ୍ଚତର ଉଦ୍ଦେଶ୍ୟରେ ରହସ୍ଯୋନ୍ମଚ଼ନ କରିବା ହିଁ ଧର୍ମର ଲକ୍ଷ୍ଯ । 

     ଏବେ ଆସନ୍ତୁ ଆମେ ଏକ ପ୍ରାଚ଼ୀନ ଧର୍ମ ଉପରେ ଆଲୋଚ଼ନା କରିବା । ବାୟୁ ପୁରାଣ , ମତ୍ସ୍ଯ ପୁରାଣ , ଭାଗବତ , ହରିବଂଶ ପୁରାଣ , ବିଷ୍ଣୁ ପୁରାଣ ପ୍ରାଚ଼ୀନ କଳିଙ୍ଗ ଓ ଉତ୍କଳ ସମ୍ପର୍କରେ ସୂଚ଼ନା ପ୍ରଦାନ କରେ । କଳିଙ୍ଗ , ଓଡ୍ର , ଉତ୍କଳ ଓ କୋଶଳ ; ଏହି ଚ଼ାରୋଟି ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଓଡ଼ିଶାର ଅନେକ ଅଧିବାସୀ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀ ଥିଲେ ଏବଂ ଏ ଦୁଇ ଧର୍ମ ଥିଲା ହିନ୍ଦୁ ଧର୍ମର ଦୁଇଟି ବୃହତ ଶାଖା , ଯାହା ଓଡ଼ିଶାରେ କାୟା ବିସ୍ତାର କରିଥିଲା । ବିଶ୍ବାସ କରାଯାଏ ଯେ , ରାୟପୁର ଥିଲା ପ୍ରାଚ଼ୀନ କଳିଙ୍ଗର ରାଜଧାନୀ । ଇରାନର ପ୍ରାଚ଼ୀନ ଧର୍ମ ମଧ୍ୟରେ ପ୍ରମୁଖ ଧର୍ମ ଥିଲା "ୟେରସାନ୍‌" ; ଏ ଧର୍ମର ପରମ୍ପରା , ମାନ୍ୟତା , ପୂଜାସ୍ଥଳ ଓ ଭକ୍ତିର ନୀତିନିୟମ ଅନ୍ଯ ସମସ୍ତ ଧର୍ମଠୁ ପୃଥକ । ଏ ଧର୍ମର ସଂସ୍ଥାପକ ଥିଲେ ସୁଲତାନ ସହାକ ଓ ଏ ଧର୍ମର ପ୍ରଚ଼ାର ସେ ଚ଼ତୁର୍ଦ୍ଦଶ ଶତାବ୍ଦୀରେ କରିଥିିଲେ । ଏ ଧର୍ମାବଲମ୍ବୀମାନେ ସୁଲତାନ ସହାକଙ୍କୁ ଈଶ୍ୱରଙ୍କ ସାତଟି ଚ଼ିହ୍ନ ମଧ୍ୟରୁ ଜଣେ ବୋଲି ମନେ କରୁଥିଲେ । ଏ ଧର୍ମର ଲୋକେ ପୁନର୍ଜନ୍ମରେ ବିଶ୍ବାସ କରନ୍ତି । ଇରାନ ଏକ ଇସଲାମ ରାଷ୍ଟ୍ର ; ତଥାପି ଏଠି ଏ ଧର୍ମାବଲମ୍ବୀ ଲୋକ ଅଛନ୍ତି । ଇସଲାମ ଧର୍ମାବଲମ୍ବୀ ଦାଢ଼ିକୁ ପବିତ୍ର ମାନି ନିଶ ରଖୁ ନଥିବା ବେଳେ ଏ "ୟେରସାନ" ଧର୍ମାବଲମ୍ବୀ ନିଶକୁ ପବିତ୍ର ମାନି ସାରା ଜୀବନ ନିଶ କାଟି ନଥା'ନ୍ତି । ଏ ଧର୍ମର ଲୋକେ ସୂର୍ଯ୍ଯ ଓ ଅଗ୍ନିଙ୍କୁ ପବିତ୍ର କହିବା ସହ ଧାର୍ମିକ ବିଧିବିଧାନ ଗୋପନୀୟତାରେ ସମ୍ପନ୍ନ କରନ୍ତି । ଏମାନଙ୍କ ପ୍ରାର୍ଥନାସ୍ଥଳ "ଜାମଖାନା" ନାମରେ ପରିଚ଼ିତ । ଈଶ୍ୱରଙ୍କ ଉପାସନାର୍ଥେ ଏକ ସ୍ବତନ୍ତ୍ର ବାଦ୍ଯଯନ୍ତ୍ର "ତମ୍ବୁର"ର ପ୍ରୟୋଗ ହୁଏ । ଜାମଖାନା ଯିବାକୁ ଦାଢ଼ି କାଟି ମଥାରେ ସ୍ବତନ୍ତ୍ର ଟୋପି ପରିଧାନ କରନ୍ତି ; କିନ୍ତୁ ନିଶ କାଟନ୍ତିନି । ଏମାନେ ପଶ୍ଚିମ ଇରାନରେ କୁର୍ଦ୍ଦ ଅଧ୍ଯୁଷିତାଞ୍ଚଳରେ ବାସ କରନ୍ତି । 

     ଅଲୌକିକ ଶକ୍ତି ଠାରେ ଗଭୀର ବିଶ୍ବାସ ହିଁ ଧର୍ମ ; ଚ଼ରମ ଲକ୍ଷ୍ୟସ୍ଥଳ ଛୁଇଁବାର ଗନ୍ତବ୍ୟ ପଥ ହେଉଛି ଧର୍ମ । କୌଣସି ଧର୍ମ ସ୍ବତଃପ୍ରବୃତ ସୃଷ୍ଟି ହୁଏନି , ସମାଜର ପରିସ୍ଥିତି ଓ ଅନୁଶାସନକୁ ଲକ୍ଷ୍ୟ କରି ଧର୍ମକୁ ସଂସ୍ଥାପନ କରାଯାଇଥାଏ । ଏଣୁ ସ୍ପଷ୍ଟ ବାରିହୁଏ ଧର୍ମ ଏକ ଗୋଷ୍ଠୀ ନୁହେଁ , ଏହା ଏକ ବିଶ୍ବାସ । ଧର୍ମ ମଣିଷକୁ ଆଧ୍ୟାତ୍ମମାର୍ଗୀ କରାଇ ସତ୍‌ପଥରେ ନେଇ ସତ୍‌ ଚି଼ନ୍ତାନ କରାଇ ସମାଜରେ ପ୍ରେମ , ଭଲପାଇବା ଓ ଅହିଂସା ବଜାୟ ରଖେ । ଜୀବନକୁ ଧ୍ଯେୟମୁଖୀ ଓ ସାଧନାମୁଖୀ କରାଇବାର ନାମ ଆଧ୍ୟାତ୍ମିକତା । 
 
      ଐତିହାସିକ ମାନଙ୍କ ମତରେ "ଜୈନଧର୍ମ" ଏକ ପ୍ରାଚ଼ୀନ ଧର୍ମ , ଯାହା ବୈଦିକ କର୍ମକାଣ୍ଡ , ଜୀବହତ୍ଯା , ବ୍ଯୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧକ । ଅଙ୍ଗସୂତ୍ର , ଉପାଙ୍ଗସୂତ୍ର , କଳ୍ପସୂତ୍ର ଆଦି ଜୈନ ମାନଙ୍କର ମୁଖ୍ଯ ଧର୍ମଗ୍ରନ୍ଥ । ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚ଼ାର କରିଥିଲେ । ଏ ଧର୍ମରେ ଜୀବ ମାନଙ୍କ ପ୍ରତି ଦୟା ଓ ଅହିଂସା ଉପରେ ଧର୍ମପଥର ଅବତାରଣା କରାଯାଇଛି ; ଏହାର ଦର୍ଶନ ଓ ବିଶ୍ବାସ ମୋକ୍ଷ ନିମନ୍ତେ ଅନ୍ତରାତ୍ମାର ଗତି ପାଇଁ ମାନବର ପ୍ରଚ଼େଷ୍ଟା ସମ୍ବନ୍ଧେ ଗୁରୁତ୍ବ ଆରୋପ କରିଥାଏ । ଯେଉଁ ଆତ୍ମା ଅନ୍ତରର ଶତ୍ରୁଙ୍କ ବିନାଶ କରି ମହାରୂପ ଧରିଛି ତାହାଙ୍କୁ ତୀର୍ଥଙ୍କର ବା ଜୀନ କୁହାଯାଇଥାଏ । ପୁରାଣ ବ୍ଯାଖ୍ଯାନନୁସାରେ ଜୈନବାଦ ଆହୁରି ବି ଶ୍ରମଣ "ଆତ୍ମନିର୍ଭରଶୀଳ" ଧର୍ମ ବା ନିଗଣ୍ଠ (ଗଣ୍ଠି ବା ବନ୍ଧନ ନଥିବା) ଧର୍ମକୁ ବୁଝାଇଥାଏ । ଜୈନ ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ତାଙ୍କ ମଧ୍ୟେ ଋଷଭନାଥ , ପାର୍ଶ୍ବନାଥ ଓ ମହାବୀର ଯଥାକ୍ରମେ ପ୍ରଥମ , ତ୍ରୟୋବିଂଶତମ , ଚ଼ତୁର୍ବିଂଶତମ ତୀର୍ଥଙ୍କର । ମହାବୀରଙ୍କର ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ବନାଥଙ୍କ ଜନ୍ମ । ତାଙ୍କର ଧର୍ମୋପଦେଶ ଚ଼ାରୋଟି ନୀତି ଉପରେ ପ୍ରତିଷ୍ଠିତ , ତାହା ହେଉଛି  - ଅହିଂସା , ସତ୍ଯ , ଅଚ଼ୌର୍ଯ୍ଯ , ଅପରିଗ୍ରହ । କାହା ପ୍ରତି ହିଂସା ନକରିବା , ସତ୍ଯବାଦୀତା ହେବା , ଚ଼ୌର୍ଯ୍ଯ ବୃତ୍ତି ନକରିବା ଓ କୌଣସି ସମ୍ପତ୍ତି ପ୍ରତି ଆସକ୍ତ ନରଖିବା ଥିଲା ତାଙ୍କ ଧର୍ମର ମୂଳ ଲକ୍ଷ୍ୟ ; ଏହାକୁ ଚ଼ତୁର୍ଯ୍ଯାମ ଧର୍ମ ନାମ ରଖାଯାଇଛି । 

     ମହାବୀର ଜୈନ ବିହାର ରାଜ୍ଯର ବୈଶାଳୀ ନଗରୀରେ "ଲିଚ୍ଛାବି" ରାଜବଂଶରେ ଜନ୍ମ ନେଇଥିଲେ । ତାଙ୍କର ନାମ ଥିଲା ବର୍ଦ୍ଧମାନ ; ବାଲ୍ଯରୁ ସେ ସଂସାର ବୈରାଗୀ ଥିଲେ । ସେ ପ୍ରଥମେ ପାର୍ଶ୍ବନାଥଙ୍କ ସନ୍ନ୍ଯାସୀ ସଂଙ୍ଘରେ ଯୋଗ ଦେଇଥିଲେ , କିନ୍ତୁ ତହିଁରେ ତାଙ୍କର ମନ ଅବୁଝା ରହିବାରୁ ସେ ଗଭୀର ଚ଼ିନ୍ତନ କରି ଏକ ନୂତନ ଧର୍ମର ପ୍ରଚ଼ାର କଲେ । ମହାବୀର ସ୍ବ ଇନ୍ଦ୍ରିୟ ସମୂହକୁ ଜୟ କରି ଦିବ୍ଯଜ୍ଞାନ ଲାଭ କରିଥିିଲେ । ସେ ପ୍ରଚ଼ାର କରିଥିବା ଧର୍ମ "ଜୈନଧର୍ମ" ନାମରେ ବିଖ୍ଯାତ ହେଲା । ସେ ମଗଧ ଓ ଅଙ୍ଗ (ଆଧୁନିକ ବିହାର)ରେ ସେହି ଧର୍ମ ପ୍ରଚ଼ାର କଲେ । ଖ୍ରୀ.ପୂ. ୫୨୭ରେ ମହାବୀରଙ୍କର ମହାପ୍ରୟାଣ ହେଲା । ଜୈନ ଧର୍ମାବଲମ୍ବୀମାନେ ଜୀବ ମାନଙ୍କ ପ୍ରତି ହିଂସା ହେବା ଭୟରେ ରାତ୍ରିରେ ଆଲୋକ ପ୍ରଜ୍ଜ୍ବଳନ କରନ୍ତିନି କି ମୁହଁ ଖୋଲି ନିଦ୍ରା ଯା'ନ୍ତି ନାହିଁ । ପଶୁ ମାନଙ୍କ ନିମନ୍ତେ ପଶୁଶାଳା ଓ ଚ଼ିକିତ୍ସାଳୟ ଖୋଲନ୍ତି  । କୌଣସି କୀଟ ପତଙ୍ଗ କି ଜୀବ ଉପରେ ଅତ୍ଯାଚ଼ାର କରନ୍ତିନି ; ଏମିତିକି ଜନ୍ଦା ପିମ୍ପୂଡି ବି ମାରନ୍ତି ନାହିଁ । 

       ଜୈନ ଧର୍ମାବଲମ୍ବୀମାନେ କର୍ମଫଳରେ ବିଶ୍ବାସ ରଖନ୍ତି ଆଉ ପୁନର୍ଜନ୍ମ ସତ୍ଯ ବୋଲି ମାନନ୍ତି , କିନ୍ତୁ ହିନ୍ଦୁଧର୍ମ ପରି ବେଦକୁ ମାନନ୍ତି ନାହିଁ ସେ । ପର୍ବପର୍ବାଣୀ ଓ ଉତ୍ସବରେ ହିନ୍ଦୁ ପୁରୋହିତଙ୍କୁ ନିଯୁକ୍ତ କରାନ୍ତି ଆଉ କିଛି ହିନ୍ଦୁ ଦେବଦେବୀଙ୍କୁ ପୂଜାରଧନା କରନ୍ତି । ସେମାନଙ୍କ ମଧ୍ୟେ ଥିବା ଜାତିପ୍ରଥା ହିନ୍ଦୁଧର୍ମ ଠାରୁ କିଛିକାଂଶେ ପୃଥକ ଓ ସେମାନେ ଚ଼ବିଶିଟି ଜୈନ ତୀର୍ଥଙ୍କରଙ୍କର ଉପାସକ । ମହାବୀରଙ୍କ ମହାପ୍ରୟାଣ ପରେ ଜୈନମାନେ "ଶ୍ବେତାମ୍ବର" ଓ "ଦିଗମ୍ବର" ନାମରେ ଦୁଇଭାଗରେ ବିଭକ୍ତ ହୋଇଥିଲେ । ଧଳାବସ୍ତ୍ର ପରିଧାନିତ ଜୈନ ଧର୍ମାବଲମ୍ବୀ "ଶ୍ବେତାମ୍ବର" ଥିବା ବେଳେ "ଦିଗମ୍ବର"ମାନେ ଉଲଗ୍ନ ରହୁଥିଲେ । ଜୈନଧର୍ମକୁ ପ୍ରତିଷ୍ଠା କରିଥିବା ଋଷଭନାଥ , ଅଜିତନାଥ , ସମ୍ଭବନାଥ , ଅଭିନନ୍ଦନ , ସୁମତି , ପଦ୍ମପ୍ରଭ , ସୁପାର୍ଶ୍ବ , ଚ଼ନ୍ଦ୍ରପ୍ରଭ , ପୁଷ୍ପଦନ୍ତ , ଶୀତଳ , ଶ୍ରେୟାଂଶ , ବାସୁପୂଜ୍ଯ , ବିମଳ , ଅନନ୍ତ , ଧର୍ମ , ଶାନ୍ତିନାଥ , କୁନ୍ଥୁ , ଅର , ମଲ୍ଲିନାଥ , ମୁନିସୁବ୍ରତ , ନିମି , ଅରିଷ୍ଟନେମି , ପାର୍ଶ୍ବନାଥ ଏବଂ ମହାବୀର ଚ଼ିର ନମସ୍ୟ ଓ ସ୍ମରଣୀୟ ରହିବେ ନିଶ୍ଚିତ  । ସମ୍ରାଟ ଖାରବେଳ ଜୈନ ଅନୁରାଗୀ ଥିଲେ । ଖଣ୍ଡଗିରି ଓ ଉଦୟଗିରିରେ ଜୈନମୂର୍ତ୍ତି ସବୁ ଖଚ଼ିତ କରି ଜୈନଧର୍ମର ସ୍ମାରକୀ ସ୍ବରୂପ ଲୋକଲୋଚନରେ ରଖି ପାରିଥିଲେ । 

      ଦୀପାବଳୀ ଏକ ଭାରତୀୟ ପର୍ବ ଓ ହିନ୍ଦୁ ମାନଙ୍କର ମୁଖ୍ଯ ପର୍ବ । କିନ୍ତୁ ଜୈନଧର୍ମାନୁସାରେ ଜୈନ ଅନୁଗାମୀମାନେ ଖ୍ରୀଷ୍ଟାବ୍ଦ ୫୨୭ରେ ମହାବୀରଙ୍କ ମହାପ୍ରୟାଣ ଦିବସରେ ଏ ପର୍ବ ପାଳନ କରିଥିଲେ ବୋଲି କିଛି ଐତିହାସିକ ପୃଷ୍ଠାରେ ଦୃଷ୍ଟିଗୋଚ଼ର ହୁଏ । ଜନଶ୍ରୁତିରୁ ଜଣାପଡ଼େ ଯେ , ମହାବୀର ମହାପ୍ରୟାଣ ପ୍ରାପ୍ତ କରିବା ପରେ ଉପସ୍ଥିତ ଥିବା ଜୈନ ଧର୍ମାବଲମ୍ବୀ ମାନେ ପୃଥିବୀକୁ କିଏ ଆଉ ଜ୍ଞାନଲୋକ ପ୍ରଦାନିବ ଭାବି ବ୍ଯଥିତ ହୋଇପଡ଼ିଥିଲେ । ସମସ୍ତେ ଏକତ୍ରିତ ହୋଇ ଦୀପାବଳୀ ଦିନ ମଶାଲ ଜଳାଇ ଜ୍ଞାନର ଅନ୍ବେଷଣରେ ଯାଇଥିଲେ ; ସେହି ଦିନଠୁ ଏ ଦୀପାବଳୀ ପର୍ବ ପାଳିତ ହେଉଛି ବୋଲି ଜୈନଧର୍ମରେ ଅଛି । ଆମ ହିନ୍ଦୁଧର୍ମର କଥା ଅଲଗା କିନ୍ତୁ , ଆଉ କେବେ ଆଲୋଚ଼ନା କରିବା । ଏ ଦିନର ସ୍ମରଣାର୍ଥେ ଜୈନମାନେ ଏ ପର୍ବ ପାଳନ କରନ୍ତି । ଦୀପ ଜାଳି ମିଠା ବାଣ୍ଟନ୍ତି ଏବଂ ଧର୍ମାବଲମ୍ବୀ ବ୍ଯବସାୟୀ ହିସାବ ଖାତା ଓ ମୁଦ୍ରା ପୂଜନ କରନ୍ତି ; ସେ ବର୍ଷ ବକେୟା ଟଙ୍କା ଅସୁଲ କରି ଖାତା ବନ୍ଦ କରିବା ସହିତ ପରବର୍ତ୍ତୀ ଆଠଦିନ ଯାଏଁ ବ୍ଯବସାୟ ବନ୍ଦ କରନ୍ତି । ଆଠଦିନ ଯାଏଁ ପୂଜା , ଜପ , ବ୍ରତ ପାଳନ ପରେ ନବମ ଦିନ ଜୈନ ମାନଙ୍କର ନବବର୍ଷ ହୋଇଥାଏ । ସତରେ , ବିଭିନ୍ନ ଧର୍ମରେ ବିଭିନ୍ନ ରୋଚ଼କ ତଥ୍ୟ ଇତିହାସରୁ ହିଁ ମିଳେ । 

       ଭୁବନେଶ୍ୱରର ଉଦୟଗିରି ପାହାଡ଼ର ହାତୀ ଗୁମ୍ଫା ଜଣାଇଦିଏ ଖାରବେଳ ଜୈନ ଧର୍ମାନୁରାଗୀ ବୋଲି ; ସେଠାର ପଥର ଖୋଦେଇ ହୋଇ ବ୍ରାହ୍ମୀ ଲିପିରେ ସତର ଧାଡ଼ିରେ ଲିଖିତ ଶିଳାଲେଖ ସ୍ପଷ୍ଟ ପ୍ରମାଣ ଦିଏ । ଏ ଶିଳାଲେଖ ୧୮୨୦ ମସିହାରେ ଏ.ଷ୍ଟାର୍ଲିଙ୍ଗ ଆବିଷ୍କାର କରିଥିଲେ ଏବଂ ଏକଥାକୁ ଏ.ଷ୍ଟାର୍ଲିଙ୍ଗ "ଏସିଆଟିକ୍‌ ରିସର୍ଚ୍ଚ"ର ୧୫ତମ ସଂଖ୍ଯା ତଥା ତାଙ୍କର ବହି "ଆନ୍‌ ଏକାଉଣ୍ଟ୍‌ ଜିଓଗ୍ରାଫିକାଲ , ଷ୍ଟାଟିଷ୍ଟିକାଲ ଏଣ୍ଡ୍‌ ହିଷ୍ଟୋରିକାଲ ଅଫ୍‌ ଓରିଶା ଅର୍‌ କଟକ"ରେ ପ୍ରକାଶ କରିଥିଲେ । ଏହା ପଢ଼ି ବିଶ୍ଳେଷଣ କରିଥିିଲେ ଭାଷାବିତ "ଜେମ୍ସ ପ୍ରିନ୍‌ସେପ" ଏବଂ ପୁନରାୟ ପ୍ରିନ୍‌ସେପଙ୍କ ପଢ଼ା ତଥା କିଟୋଏଙ୍କ ପ୍ରସ୍ତୁତ ଏକ ଫାକ୍ସକୁ ମିଶାଇ ୧୮୩୭ରେ "ଜର୍ଣ୍ଣାଲ୍‌ ଅଫ୍ ଦି ଏସିଆଟିକ୍‌ ସୋସାଇଟି ବେଙ୍ଗଲର"ର ଷଷ୍ଠ ସଂଖ୍ଯାରେ ପ୍ରକାଶିତ ହୋଇଥିଲା । ପ୍ରିନ୍‌ସେପଙ୍କ ଅନୁସାରେ ଶିଳାଲେଖରେ ଐର ନାମଙ୍କ ବ୍ଯକ୍ତିଙ୍କ ଉଲ୍ଲେଖ ରହିଛି । ୧୮୭୧ ଖ୍ରୀଷ୍ଟାବ୍ଦର ଶେଷ ବେଳକୁ ଏଚ଼. ଲୋକେଙ୍କ ଦ୍ବାରା ପ୍ରସ୍ତୁତ ଏକ ଅବିକଳ ପ୍ଲାଷ୍ଟର ପ୍ରତିରୂପ ବର୍ତ୍ତମାନ ଭାରତୀୟ ସଂଗ୍ରହାଳୟ , କଲିକତାରେ ଶୋଭା ପାଉଛି । ଏହାପରେ ୧୮୭୭ରେ ଆଲେକଜାଣ୍ଡାର କନିଙ୍ଗହାମ ଏହାକୁ "କର୍ପସ ଇନସ୍କ୍ରିପସନମ ଇଣ୍ଡିକାରମ - ପ୍ରଥମ ଭାଗ" ଏବଂ ୧୮୮୦ରେ ଆର . ଏଲ . ମିତ୍ରା ଏକ ସ୍ବଳ୍ପ ପରିବର୍ତ୍ତିତ ଲେଖା "ଆଣ୍ଟିକୁଇଟିଜ ଅଫ ଓଡ଼ିଶା - ଦ୍ବିତୀୟ ଭାଗ"ରେ ପ୍ରକାଶ କରିଥିଲେ । ୧୮୮୫ରେ ଅନୁଷ୍ଠିତ ଷଷ୍ଠ ଆନ୍ତର୍ଜାତୀୟ ଓରିଏଣ୍ଟାଲିଷ୍ଟ ମହାସଭାରେ ଐତିହାସିକ ପଣ୍ଡିତ ଭଗବାନ ଲାଲ ଇନ୍ଦ୍ରଜୀ ପ୍ରଥମ ଗବେଷକ ଭାବେ ଘୋଷଣା କରିଥିଲେ ଯେ ହାତୀଗୁମ୍ପା ଶିଳାଲେଖରେ ଥିବା ଅଭିଲେଖ ଖାରବେଳ ଏବଂ ଐର ନୁହେଁ  । କିନ୍ତୁ ସମୟକ୍ରମେ ଶିଳାଲେଖରେ ଅନେକ ଅବକ୍ଷୟ ଘଟିବାରୁ , ଏହାର ସଠିକ ପଠନ ହୋଇପାରିନି ; ବହୁ ତଥ୍ଯଗତ ବିବାଦର ସୂତ୍ରପାତ ହୋଇଛି । ଏ ଶିଳାଲେଖର ପ୍ରଥମ ପ୍ରାମାଣିକ ପଠନର ଶ୍ରେୟ ଏ ଆଜ୍ଞାଙ୍କୁ ଦିଆଯାଏ । ପାଖାପାଖି ୧୯୦୦ ବର୍ଷ ପରେ ଏହା ଆବିଷ୍କୃତ ହୋଇଥିବାରୁ ଏଥିରେ କିଛି ଅକ୍ଷର ନଷ୍ଟ ବା ଅସ୍ପଷ୍ଟ ହୋଇଯାଇଛି । ବିଭିନ୍ନ ଐତିହାସିକ ମତ ଏହା ଉପରେ ମିଳେ । 

     ଏହି ଶିଳାଲେଖ ପ୍ରମାଣ ଦିଏ ଖାରବେଳ ୧୬ ବର୍ଷ ବୟସରେ ଯୁବରାଜ ପଦାଧିଷ୍ଠିତ ହୋଇ ୯ ବର୍ଷ ଯାଏଁ ପଦବୀରେ ଥିଲେ ; ଏ ସମୟରେ ସେ ରାଜ୍ଯ ଶାସନ ସମ୍ବନ୍ଧୀୟ ତାଲିମ୍‌ ଓ ପତ୍ର ବିନିମୟ , ମୁଦ୍ରା , ଧାର୍ମିକ ରୀତି , ଅର୍ଥନୀତି ଆଦିର ତାଲିମ୍‌ ପ୍ରାପ୍ତ କରିଥିଲେ । ଖାରବେଳ ୨୪ ବର୍ଷ ବୟସରେ ରାଜସିଂହାସନାଧିଷ୍ଠିତ ହୋଇଥିଲେ । ଏ ଶିଳାଲେଖଟି ତାଙ୍କ ଶାସନର ୧୩ ବର୍ଷର ବର୍ଣ୍ଣନା କରିଥାଏ । ସେ ଯାହା ବି ହେଉ , କିନ୍ତୁ ଜୈନଧର୍ମ ଅହିଂସାକୁ ବିଶ୍ବମୁଖୀ କରାଇଛି । ଖାରବେଳ ଜୈନ ଧର୍ମ ଗ୍ରହଣ କରିଥିିଲେ ବି ସବୁ ଧର୍ମକୁ ଆଦର କରୁଥିଲେ । ଜୈନଧର୍ମର ଏକ ମନ୍ତ୍ର ଥିଲା - "ବସୁଧୈବ କୁଟୁମ୍ବକମ୍‌" ; ଏହାକୁ ସାରା ବିଶ୍ୱରେ ପ୍ରଚ଼ାର ପ୍ରସାର କରିବାକୁ ଭାତ୍ରୁତ୍ବର ଦିବ୍ଯ ଔଜଲ୍ଯମୟ ପ୍ରବାହକୁ ବିଶ୍ବର ମାନବ ସମାଜରେ ସଞ୍ଚାର କରିବାକୁ ଏ ଭୂଖଣ୍ଡରେ ଅଷ୍ଟାଦଶ ତୀର୍ଥଙ୍କର "ଅରନାଥ" ପ୍ରାଚ଼ୀନ ଉତ୍କଳର ରାୟପୁର ଠାରେ ସର୍ବଶ୍ରେଷ୍ଠ ଜ୍ଞାନାଧିକାରୀ ହୋଇଥିଲେ । ସେତେବଳେ ଏଇ ରାୟପୁର ଥିଲା କଳିଙ୍ଗର ରାଜଧାନୀ । ଏହି କଥାକୁ ପ୍ରତିପାଦନ କରେ ଇତିହସ ପୁସ୍ତକ "ଆବଶ୍ଯକ ନିରୟୁକ୍ତି" ; ଏଥିରେ ଲେଖା ଅଛି , ଜୈନଧର୍ମର ଚ଼ବିଶିତମ ତୀର୍ଥଙ୍କର ପ୍ରାଚ଼ୀନୋତ୍କଳର ତୋଷାଳୀ ଦେଇ ଯିବା ବେଳେ ଆଞ୍ଚଳିକ ଅଧିବାସୀଙ୍କ ଦ୍ବାରା ଲୁଣ୍ଠନକାରୀ ସନ୍ଦେହ ବଶତଃ ସେ ନିର୍ଯ୍ୟାତିତ ହୋଇଥିଲେ ; କିଛି କ୍ଷତ୍ରୀୟଙ୍କ ସହଯୋଗରେ ଉଦ୍ଧାର ପାଇଥିଲେ । ସେ ଚ଼ବିଶିତମ ତୀର୍ଥଙ୍କର ଥିଲେ ମହାବୀର  । ଜୈନ ହରିବଂଶ ବହି ଚ଼େଦୀ ବଂଶର ଉତ୍ପତ୍ତି ଓ ବିସ୍ତାର ବିଷୟରେ ସୂଚ଼ନା ଦିଏ । ଚ଼େଦୀ ବଂଶୀୟ ରାଜା ଅଭିଚ଼ନ୍ଦ୍ର କୋଶଳରେ ପ୍ରଥମେ ସାମ୍ରାଜ୍ୟ ଗଢ଼ି ତା'ର ବିସ୍ତାର କରିଥିଲେ ଓ ପରବର୍ତ୍ତୀ ସମୟରେ ଖାରବେଳ ତାହାକୁ ସମୃଦ୍ଧଶୀଳ କରାଇଥିଲେ ।

      ସେ ଯାହା ବି ହେଉ ସବୁ ଧର୍ମ ସମାନ , ସାରା ବ୍ରହ୍ମାଣ୍ଡ ଗୋଟିଏ ହିଁ ପରିବାର । କୌଣସି ଧର୍ମକୁ ଆକ୍ଷେପ , ସମାଲୋଚ଼ନା କରିବା କି ନିନ୍ଦା କରି କହିବା କି ବିରୋଧ କରିବା ଏକ ଧ୍ରଷ୍ଟବ୍ଯ ସାମାଜିକ ଅପରାଧ । ଆଚ଼ରଣ ଓ ଉଚ୍ଚାରଣ , ଲିଖନ , ପ୍ରକାରଭେଦରେ ଭିନ୍ନ ହୋଇପାରେ ସିନା , ଲକ୍ଷ୍ୟ କିନ୍ତୁ ଗୋଟିଏ । ସବୁ ଧର୍ମର ଏକ ଲକ୍ଷ୍ଯ ଈଶ୍ୱର ପ୍ରାପ୍ତି ; ତେଣୁ ସବୁ ଧର୍ମକୁ ସମ୍ମାନ ଦେବା ଉଚିତ୍ ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
     ଯୋଗାଯୋଗ - ୮୯୧୭୪୮୦୫୩୬




Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା