ଜ୍ଯେଷ୍ଠ ମାସ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଜ୍ଯେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ସଂଯୁକ୍ତ ଚାନ୍ଦ୍ରାୟଣ ମାସଟି ଜ୍ଯେଷ୍ଠ ମାସ । ଏ ମାସରେ ରବି କର ଖର ହୋଇଥାଏ । ଏହି ମାସରେ ଦିନ ବଡ଼ ଓ ରାତି ଛୋଟ । ଏ ମାସରେ ବି ଜଳ ସଙ୍କଟ ଦୃଶ୍ୟମାନ ହୁଏ । ଭକ୍ତକବିଙ୍କ ବାରମାସ କବିତାର ପଂକ୍ତିଟିଏ ମନେପଡ଼େ -
"ଗ୍ରୀଷ୍ମେ ବୈଶାଖ ଜ୍ଯେଷ୍ଠ ମାସ ,
ପ୍ରଚଣ୍ଡ ରୌଦ୍ର ପରକାଶ ।"
ଏହି ମାସରେ ବି ପର୍ବପର୍ବାଣିର ଅଭାବ ନାହିଁ । ସାବିତ୍ରୀ ଅମାବସ୍ୟା , ଶୀତଳଷଷ୍ଠୀ , ଗଙ୍ଗା ଦଶହରା , ଚମ୍ପକ ଦ୍ବାଦଶୀ , ଶିବ ବିବାହ , ରଜ , ଦେବସ୍ନାନ ପୂର୍ଣ୍ଣମୀ ଆଦି ପର୍ବ ଆମ ଓଡ଼ିଶାର ଗୌରବତ୍ବ ।
ଜ୍ଯେଷ୍ଠ ମାସର କୃଷ୍ଣପକ୍ଷ ଏକାଦଶୀ ତିଥି ଅପରା ଏକାଦଶୀ ଭାବରେ ପାଳିତ । ଏ ଏକାଦଶୀ ବ୍ରତ ପାଳନ ଫଳତଃ ବ୍ରତୀ ଅପାର ସଂସାରକୁ ସରଳରେ ପାରି ହୋଇଥାଏ । କ୍ଷତ୍ରୀଗଣ ରଣକ୍ଷେତ୍ରରୁ ଛତ୍ରଭଙ୍ଗ ଦେବା , ମାତୃ-ପିତୃ-ଗୁରୁଜନ ନିନ୍ଦା , ବ୍ରହ୍ମହତ୍ୟା , ଗୋ ହତ୍ୟା , ପରଦାରା ହରଣ , ମିଥ୍ଯା ସମ୍ଭାଷଣ , ମିଥ୍ଯା ବେଦ ପଠନ , ମିଥ୍ଯା ଶାସ୍ତ୍ର ଲିଖନ , ମିଥ୍ଯା ବିଦ୍ଯାଦି ଅଭ୍ଯାସ କରିବା ଜନିତ ଯେତେ ଯେତେ ଅପରାଧ ଓ ପାତକ ପାଇଁ ନର୍କଦଶା ଭୋଗ ଥିଲେ ବି ଏ ଏକାଦଶୀ ବ୍ରତର ପାଳନରେ ବିନାଶ ହୋଇ ବୈକୁଣ୍ଠ ସ୍ଥାନ ପ୍ରାପ୍ତ ହୋଇଥାଏ । ପୁଣି କୁହାଯାଇଛି ଏହି ଏକାଦଶୀ ପାଳନ କଲେ ତ୍ରିପୁଷ୍କର ସ୍ନାନ , କାର୍ତ୍ତିକ ସ୍ନାନ ଏବଂ ଗଙ୍ଗାସ୍ନାନ ଆଦିର ଫଳ ପ୍ରାପ୍ତି ହୁଏ । ଏହି ବ୍ରତରେ ସର୍ବସ୍ୱ ଦାନର ଫଳ ମିଳେ ଏବଂ ସର୍ବ ପୁଣ୍ଯର ଫଳ ଏକାସାଥେ ମିଳେ । ସମସ୍ତ ପାପନାଶନର ଏହି ବ୍ରତ ।
ଏହାର ଅନ୍ଯ ନାମ ଜଳକ୍ରୀଡା ଏକାଦଶୀ ; ଏଦିନ ବିଷ୍ଣୁଙ୍କ ପୂଜାର ମହତ୍ତ୍ଵ ଅଛି । ଏହାକୁ ବି ଅଚଳା ଏକାଦଶୀ ଏବଂ ଭଦ୍ରକାଳୀ ଏକାଦଶୀ କହନ୍ତି । ଏଥିରୁ ଅପାର ପୁଣ୍ଯ ମିଳୁଥିବାରୁ ଏହାର ନାମ ଅପରା ଏକାଦଶୀ ଅଟେ । ପୁରାଣନୁଯାୟୀ କୃଷ୍ଣଙ୍କ କହିବା ଦ୍ବାରା ପାଣ୍ଡବ ଏ ବ୍ରତ କରି ମହାଭାରତ ଯୁଦ୍ଧକୁ ଜିଣିଥିଲେ । ଏହି ଦିବସରେ ଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ମଧ୍ଯେ ଜଳକ୍ରୀଡା ମଣ୍ଡପରେ ଜଳକ୍ରୀଡା କରନ୍ତି । ଏ ଉପବାସକୁ ନେଇ ଏକ କ୍ଷୁଦ୍ର କାହାଣୀଟିଏ ଅଛି । ମହାଦ୍ବିଜ ନାମ୍ନୀ ଜଣେ ଧାର୍ମିକ ରାଜନଙ୍କର ସାନଭାଇ ଭାଜରାଜ ୱାଜ ତାଙ୍କୁ ଘୃଣା କରୁଥିଲେ । ଦିନେ ସେ ରାଜାଙ୍କୁ ନିହତ କରି କାନନର ଏକ ଶିଖର ତଳେ ପୋତିଦେଲେ । ଅକାଳ ମୃତ୍ୟୁ ହେତୁ ତାଙ୍କ ଆତ୍ମା ପ୍ରେତ ହୋଇ ପିପାଲରେ ବାସ କଲା । ପଥ ଦେଇ ଯାଉଥିବା ପ୍ରତ୍ଯେକ ବ୍ଯକ୍ତି ଆତ୍ମାକୁ ବିଚଳିତ କରିବେ । ଦିନେ ଏହି ପଥରେ ଜଣେ ଋଷି ଯିବା ବେଳେ ଏ ଦୃଶ୍ଯ ଦର୍ଶନେ ତାଙ୍କ କଳ୍ପନା ହେବାର କାରଣ ଜ୍ଞାତ ହେଲା । ଋଷି କଦଳୀ ଗଛରୁ ତାଙ୍କ ଆତ୍ମାକୁ ଓହ୍ଲାଇ ପରବର୍ତ୍ତୀ କାଳେ ପ୍ରଚାର କଲେ । ରାଜାଙ୍କୁ ପ୍ରେତ ଯୋନିରୁ ମୁକ୍ତି କରିବାକୁ ଋଷି ନିଜେ ଅପରା ଏକାଦଶୀ ବ୍ରତ ପାଳିଲେ ଓ ଦ୍ବାଦଶୀ ଉପବାସ ଦିନ ପବାସର ଗୁଣକୁ ଚାଣକ୍ଯକୁ ଦେଲେ ; ଏ ବ୍ରତ ଗୁଣ ପ୍ରାପ୍ତ କରି ରାଜନ ସ୍ବର୍ଗଗାମୀ ହେଲେ ।
ଏ ମାସରେ ଆଉ କିଛି ପର୍ବ ନାରଦ ଜୟନ୍ତୀ , ଶନି ଜୟନ୍ତୀ , ବଟ ସାବିତ୍ରୀ ବ୍ରତ , ଜ୍ଯେଷ୍ଠା ଅମାବାସ୍ଯା , ଗାୟତ୍ରୀ ଜୟନ୍ତୀ ଓ ନିର୍ଜଳା ଏକାଦଶୀ ଆଦି ଆମ ଓଡ଼ିଶାର ଶିରୀ ବର୍ଦ୍ଧକ । ଏ ମାସରେ ଦିନରେ ଶୋଇବା ଅନୁଚିତ , କାରଣ ବ୍ଯକ୍ତି ରୋଗଗ୍ରସ୍ତ ହୋଇଥା'ନ୍ତି । ସୂର୍ଯ୍ୟଙ୍କ ପ୍ରକୋପ ମାତ୍ରାଧିକ ହେତୁ ଅପରାହ୍ନରେ ବାହାରେ ଚାଲିବା ଅନୁଚିତ । ଧାର୍ମିକ ମାନ୍ୟତାନୁଯାୟୀ ଏ ମାସରେ ଘରର ଜ୍ଯେଷ୍ଠ ପୁତ୍ର ଓ ଜ୍ଯେଷ୍ଠ କନ୍ଯା ବିବାହ କରିବା ଦ୍ବାରା ଜୀବନରେ ଅନେକ କଷ୍ଟ ଭୋଗିବାକୁ ପଡ଼େ । ଶାସ୍ତ୍ରାନୁସାରେ ଏ ମାସରେ ରାଶି ଦାନ କଲେ ସ୍ବାସ୍ଥ୍ୟ ଉତ୍ତମ ରହେ ।
ସ୍ତ୍ରୀମାନେ ସତୀ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଓଡ଼ିଶାର ପ୍ରତି ଘରେ ଜ୍ଯେଷ୍ଠ ଅମାବସ୍ୟା ଦିନ ପାଳନ ହୁଏ ସାବିତ୍ରୀ ବ୍ରତ ; ଏଦିନ ସତ୍ଯବାନ - ସାବିତ୍ରୀଙ୍କ ଅର୍ଚ୍ଚନା ହୁଏ । ସାବିତ୍ରୀ କିପରି ସ୍ବାମୀ ଅନୁରକ୍ତା ବା ପତିବ୍ରତା ହୋଇ ଯମ ଠାରୁ ସ୍ବାମୀଙ୍କୁ ଫେରାଇ ଆଣିଥିଲେ , ତାହା ପୁରାଣରେ ବିଶଦ ବର୍ଣ୍ଣିତ । ସାବିତ୍ରୀଙ୍କ ସତୀତ୍ୱ ପୃଥ୍ବୀର ଆଦର୍ଶ ହୋଇ ଅଛି ଏବଂ ସେ ସାଧ୍ବୀ ନାରୀଙ୍କ ଆଦର୍ଶ । ଏହିଦିନ କାଚ-ସିନ୍ଦୂରର ମହତ୍ତ୍ଵାଧିକ୍ଯ ହେତୁ ଗଞ୍ଜାମରେ ଏହି ଦିବସକୁ "କାଚ ଅମାବାସ୍ଯା" ବି କୁହାଯାଏ । ଓଡ଼ିଶାରେ ସାବିତ୍ରୀ ବ୍ରତ ସମ ଗୁଜୁରାଟର ମହିଳାମାନେ "ବଟ ସାବିତ୍ରୀ" କରନ୍ତି ।
ଜ୍ଯେଷ୍ଠ ଶୁକ୍ଳ ପଞ୍ଚମୀରେ ଶିବ-ପାର୍ବତୀଙ୍କ ବିବାହ ଓ ପରଦିନ ଷଷ୍ଠୀରେ ଶୀତଳଷଷ୍ଠୀ ପାଳିତ ହୁଏ । ଉଭୟ ଶିବ ଓ ପାର୍ବତୀଙ୍କ ପଟୁ ମା'-ବାପା ଚୟନ ହୁଅନ୍ତି ଏବଂ ବିବାହ କାର୍ଯ୍ଯ ଯଥାବିଧି ସମାପନ କରନ୍ତି । ବରଯାତ୍ରୀ , ବାଜା ଓ ରୋଷଣୀ ସହିତ ପାରମ୍ପରିକ ରୀତିନୀତି ଅନୁସାରେ ହୁଏ । ସତୀ ଝାସ ଦେବା ପରେ ପାର୍ବତୀଙ୍କ ସହ ବିବାହ ହୁଏ ଶିବଶଙ୍କରଙ୍କର । ଏହା ପୌରାଣିକ ଭିତ୍ତିଭୂମି ଉପରେ ଆଧାରିତ । ଜ୍ଯେଷ୍ଠ ଶୁକ୍ଳ ଦଶମୀ "ଗଙ୍ଗା ଦଶହରା" ନାମେ ନାମିତ । ଦଶ ଦୋଷ ବା ପାପରୁ ମୁକ୍ତି କରାଏ ବୋଲି ନାମ ଦଶହରା ; ଗଙ୍ଗାମାତା ସମସ୍ତ ପାପରୁ ମୁକ୍ତି ଦିଅନ୍ତି । ଏଦିନ ଗଙ୍ଗାସ୍ନାନ ମହାପାତକର ବିନାଶନ , ତେଣୁ ଏ "ଗଙ୍ଗା ଦଶହରା" । ଏଇଦିନ ଗଙ୍ଗା ମାଆ ଧରାବତରଣ କରିଥିଲେ ବୋଲି ଜନଶୃତି ଅଛି । ଏଦିନ ସ୍ନାନରେ ନାଶ ଯାଉଥିବା ଦଶ ପାପ ହେଉଛି - କିଛି ନଦେଇ କାହାଠାରୁ କିଛି ଗ୍ରହଣ କରିବା , ଶାସ୍ତ୍ର ବର୍ଜିତ ହିଂସାଚରଣ , ପରସ୍ତ୍ରୀ ଗମନ , କଟୁ ବାକ୍ଯ କଥନ , ମିଥ୍ଯା ଭାଷଣ , ପରେ ଅନ୍ଯର ଦୋଷ କଥନ , ନିଷ୍ପ୍ରୟୋଜନ କଥା କଥନ , ଅନ୍ଯର ଦ୍ରବ୍ଯ ଅନ୍ଯାୟେ ଘେନି ବିଚାର କରିବା , ଅନ୍ଯର ଅନିଷ୍ଟ ଚିନ୍ତନ , ନାସ୍ତିକ ବୁଦ୍ଧି ସଞ୍ଚୟ । ଗଙ୍ଗାସ୍ନାନ କରିବା ସହ ସମ୍ପୂର୍ଣ୍ଣ ହବିଷ୍ଯ ଭୋଜନ କରିବା ଉଚିତ । ଏହିଦିନ ଗାୟତ୍ରୀ(ବେଦମାତା)ଙ୍କ ଜନ୍ମଦିବସ ଏବଂ ଶ୍ରୀକୃଷ୍ଣଙ୍କ ରାଜେନ୍ଦ୍ରାଭିଷେକ ।
ଜ୍ଯେଷ୍ଠ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚମ୍ପକ ଦ୍ବାଦଶୀ ପର୍ବ ପାଳିତ ହୁଏ ; ଏଦିନ ଗୁଆଲି ଉତ୍ସବ ଅର୍ଥାତ ରୁକ୍ମିଣୀ ବିବାହ ଅନୁଷ୍ଠିତ ହୁଏ । ଅନ୍ଯପଟେ ଜ୍ଯେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି ହୁଏ । ଜ୍ଯେଷ୍ଠ ପୁର୍ଣ୍ଣିମାରେ ଜଗନ୍ନାଥଙ୍କର ହାତୀ ବେଶ ଦିବ୍ଯ ଦୁର୍ଲଭ ବେଶ । ଏ ମାସ ସତରେ ଆନନ୍ଦର ମାସ । ରଜ କେବେ ଜ୍ଯେଷ୍ଠରେ ତ କେବେ ଆଶାଢ଼ରେ ଜ୍ଯୋତିଷ ଶାସ୍ତ୍ରାନୁଯାୟୀ ସଂକ୍ରାନ୍ତି ଘରକୁ ଧରି ପଡ଼େ । ଏହା ବିଷୟରେ ଆଊ କେବେ ଆଲୋଚନା କରିବା ।
ପ୍ରତିଷ୍ଠାତା/ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment