ଖ୍ରୀଷ୍ଟ ଧର୍ମ : ଏକ ସଂକ୍ଷିପ୍ତ ଆଲୋଚନା



     କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
             ସମ୍ପାଦକ - ଉଦୟ ଭାନୁ 

    ନିଜକୁ ସର୍ବଶ୍ରେଷ୍ଠ ମନେ କରୁଥିବା ଜୀବଟି ମଣିଷ ; ଏଇ ମଣିଷ ଭିତରେ ଯେତେ ସବୁ ଜାତି , ଧର୍ମ ଗଢ଼ି ଉଠିଛି । ମଣିଷକୁ ବାଦ ଦେଲେ ଅନ୍ଯ କୌଣସି ଜୀବର ଜାତି , ଧର୍ମ ନାହିଁ । କିନ୍ତୁ ଲିଙ୍ଗଗତ ପ୍ରାର୍ଥକ୍ଯ ପରିଲକ୍ଷିତ । ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ ଭେଦରେ ଦୁଇ ଶ୍ରେଣୀ , ଜାତି ତ କାହିଁ  ଦିଶୁନି ଅନ୍ଯ ଜୀବ ମାନଙ୍କ ମଧ୍ୟରେ ! ଏଇ ମଣିଷ ମାନଙ୍କ ଭିତରେ ଏତେ ଜାତିପ୍ରଥା କେମିତି ସୃଷ୍ଟି ହୋଇଛି ? କିଏ ଏସବୁ କରିଛି ? ନିଜେ ଏଇ ମଣିଷ ନା ? ଏତେ ଭେଦଭାବ ଓ ଉଚ୍ଚନୀଚ୍ଚ ଭାବନା କରୁଥିବା ପ୍ରାଣୀଟି ପୁଣି ନିଜକୁ ଶ୍ରେଷ୍ଠ ବୋଲାଉଛି ଶୁଣିଲେ ହସ ଲାଗେ । ନିଜ ନିଜ ଭିତରେ ଏପରି ଭାବନା ଆଣି ସମାଜରେ ହିଂସା , ଦ୍ବେଷ ଆଦିକୁ ଉଜ୍ଜୀବିତ କରୁଥିବା ମଣିଷ ପୁଣି ନିଜକୁ ଶ୍ରେଷ୍ଠ ମଣିବ , ହାସ୍ଯାସ୍ପଦ ନୁହେଁ କି ? କିଏ କହୁଛି ମୁଁ ହିନ୍ଦୁ ତ କିଏ କହିଲାଣି ମୁଁ ଖ୍ରୀଷ୍ଟିଆନ , ଆଉ କିଏ ବୌଦ୍ଧ , ଶିଖ , ଜୈନ ଆଦି ଧର୍ମର ପରିଚ଼ୟ ଦେଲାଣି । ହେଲେ ଏସବୁର ଅର୍ଥ କ'ଣ ? ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ "ଈଶ୍ୱର ପ୍ରାପ୍ତି" । ତେବେ ଲକ୍ଷ୍ୟ ଯଦି ଗୋଟିଏ , ଏତେ ଜାତି , ଧର୍ମ କାହିଁକି ? ସବୁ ଧର୍ମ ତ ସମାନ , ସମସ୍ତେ ଈଶ୍ୱରଙ୍କ ସନ୍ତାନ । ଧର୍ମ କହିଲେ ଐଶ୍ବରୀୟ ଉତାସନା ସହିତ ଶୃଙ୍ଖଳା ସୃଷ୍ଟି । ତେବେ ଏତେ ବିଶୃଙ୍ଖଳିତ କାହିଁକି ? ଏ ପ୍ରଶ୍ନର ଉତ୍ତର ସେତେଦିନ ଯାଏଁ ମିଳିବନି ଯେତେଦିନ ଯାଏଁ ଆମେ ଆମ ମନ ଓ ଭାବନାକୁ ଏକ ନ କରିଛେ । 

     ଧର୍ମର ପ୍ରତ୍ଯେକ ସଂଜ୍ଞା ବୁଝିଗଲେ ବୋଧହୁଏ ଏ ଜାତି ଧର୍ମ କିଛି ରହନ୍ତାନି । ସମସ୍ତେ ଏକ ହୋଇ ସୁକର୍ମ ସହ ଭାଇଚ଼ାରାର ସମ୍ପର୍କ ସୃଷ୍ଟି କରନ୍ତେ । ବେଦ କହେ ସତ୍ଯ , ନ୍ଯାୟ , ପ୍ରେମ , ଦୟା ଓ ଶାନ୍ତି ହେଉଛି ଧର୍ମର ପଞ୍ଚାଙ୍ଗ । ଧାରୟତି ଯଃ - ସା ଧର୍ମ । କ'ଣ ଧାରଣ କରେ ? ଏଇ ପଞ୍ଚାଙ୍ଗକୁ ଧାରଣ କରିଥାଏ ; ଯା' ଦ୍ବାରା ସମାଜ ଶୃଙ୍ଖଳିତ ହୋଇଥାଏ । ଏଇ ହେଉଛି ଧର୍ମ । ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ପରମ୍ପରା ମାନଙ୍କର ସମନ୍ବୟ ମଧ୍ୟଯୁଗରେ ଦେଖା ଦେଇଥିଲା । ଧାର୍ମିକ କ୍ଷେତ୍ରରେ ଭକ୍ତି ଓ ସୁଫି ଆନ୍ଦୋଳନ ଏହାର ଏକ ଉଦାହରଣ । ଭକ୍ତି ଆନ୍ଦୋଳନ ଯାହା ଏକେଶ୍ବରବାଦ ଏବଂ ଆତ୍ମଭକ୍ତି ଉପରେ ଗୁରୁତ୍ୱ ଆରୋପ କରିଥିଲା ତାହା ସାଧାରଣ ମାନବର ଦୈନନ୍ଦିନ ଜୀବନର ନିକଟବର୍ତ୍ତୀ ହୋଇପାରିଥିଲା । ଏହା ରୀତି ଆଉ ବଳିଦାନ ଅପେକ୍ଷା ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ୱ ଦେଇଥିଲା ; ଏହା ଜାତିପ୍ରଥା ଓ ବ୍ରାହ୍ମଣ ମାନଙ୍କର ପ୍ରତିପତ୍ତିକୁ ଜାହିର୍‌ କରିଥିଲା । ରାମାନୁଜ , କବୀର , ନାନକ , ରବିଦାସ , ମୀରାବାଈ , ତୁକାରାମ ଓ ଚ଼ୈତନ୍ଯଙ୍କ ପରି ଭକ୍ତି ସନ୍ଥମାନେ ସାଧାରଣ ଲୋକଙ୍କର ଜ୍ଞାନ ଓ ମନ ଉପରେ ଗଭୀର ପ୍ରଭାବ ପକାଇଥିଲେ , ଯାହା ଏଯାବତ୍‌ ଅବ୍ଯାହତ ରହିଛି । ଏହି ସନ୍ଥ ମାନଙ୍କର ବହୁ ଅନୁଗାମୀ ଥିଲେ । ଗୁରୁ ନାନକଙ୍କର ପଞ୍ଜାବରେ ଲୋକଙ୍କ ଉପରେ ଗଭୀର ପ୍ରଭାବ ଥିଲା ; ନାନକଙ୍କ ଅନୁଗାମୀମାନେ ଶିଖ ଧର୍ମ ବୋଲି ଏକ ନୂଆ ଧର୍ମ ଆରମ୍ଭ କଲେ ଓ ଏହାଙ୍କୁ ଶିଖ ବୋଲି କୁହାଗଲା । ସେପରି ସୁଫି ଧର୍ମ ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ୱ ଦେଇଥିଲା ଏବଂ ଏହାକୁ ଈଶ୍ୱର ପ୍ରାପ୍ତିର ଏକମାତ୍ର ଉପାୟ ବୋଲି ଏ ଧର୍ମ କହିଥିଲା । ସେମାନେ ସାଧାରଣ ସଂଯମ ଜୀବନଯାପନ କରିବା ସହ ସାଧାରଣ ଲୋକଙ୍କ ଦୁଃଖ ଓ ଚ଼ିନ୍ତାରେ ନିଜକୁ ସାମିଲ୍ କରୁଥିଲେ ଏବଂ ସହିଷ୍ଣୁତା ଓ ଦୟା ଭାବ ପ୍ରଚ଼ାର କରୁଥିଲେ । ଫଳତଃ ହିନ୍ଦୁ ଓ ମୁସଲମାନଙ୍କ ଉପରେ ତାଙ୍କର ଗଭୀର ପ୍ରଭାବ ରହିଥିଲା । ଭକ୍ତି ଓ ସୁଫି ସନ୍ଥ ମାନଙ୍କ ମଧ୍ୟେ ଅନେକ ପାରସ୍ପରିକ ବିଚ଼ାର ଓ ଦାର୍ଶନିକ ଭାବଧାରାର ଆଦାନ ପ୍ରଦାନ ହୋଇଥିଲା । ଉଭୟ ପରମ୍ପରା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟେ ଏକ ସେତୁ ରୂପେ କାର୍ଯ୍ଯ କରିଥିଲା । ଏବେ ଟିକେ ଖ୍ରୀଷ୍ଟ ଧର୍ମ ଉପରେ ନଜର ପକାଇବା ହୁଅନ୍ତୁ । 

      ଖ୍ରୀଷ୍ଟ ଧର୍ମ ଏକ ଆବ୍ରାହମୀୟ ଓ ଏକେଶ୍ବରବାଦୀ ଧର୍ମ ଯାହା ଯୀଶୁଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଖ୍ରୀଷ୍ଟିଆନ କହନ୍ତି । ଧର୍ମାବଲମ୍ବୀଙ୍କ ସଂଖ୍ୟାନୁସାରେ ଏ ଧର୍ମ ପୃଥିବୀର ବୃହତ୍ତମ ଧର୍ମ ; ଏହି ଧର୍ମ ଅବଲମ୍ବୀଙ୍କ ସଂଖ୍ୟା ପ୍ରାୟ ୨୨୦ କୋଟି ହେବ । ବାଇବେଲ ହେଉଛି ଏହି ଧର୍ମର ପବିତ୍ର ଗ୍ରନ୍ଥ । ଅନେକ ଧାର୍ମିକ ବିଶ୍ୱାସ ମଧ୍ୟେ ଏ ଧର୍ମ ଅସାଧାରଣ ମନେହୁଏ ; ଏହା ଧାର୍ମିକ ବିଧିବିଧାନ ନୁହଁ କିନ୍ତୁ ଏହା ଏକ ସମ୍ବନ୍ଧ । ଏହି ଧର୍ମର ଉଦ୍ଦେଶ୍ଯ ଈଶ୍ୱରଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ । ବାଇବେଲ କଥା ଅନୁସାରେ ଈଶ୍ୱରଙ୍କ ସହ ଘନିଷ୍ଠ ସମ୍ପର୍କ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ଯ ଓ ପବିତ୍ର ଆତ୍ମାଙ୍କର ସେବାକାର୍ଯ୍ୟ ଯୋଗୁଁ ସମ୍ଭବ ; ଏହା ମୌଳିକ ବିଶ୍ବାସ । ଖ୍ରୀଷ୍ଟିଆନ ମାନଙ୍କ ବିଶ୍ବାସ ଅନୁସାରେ ବାଇବେଲ "ଈଶ୍ୱର - ନିଶ୍ବେଷିତ (ଈଶ୍ୱରଙ୍କ ବାକ୍ଯ) ଏବଂ ସର୍ବ ବିଶ୍ବାସ ଆଉ ଆଚ଼ରଣ ସମ୍ବନ୍ଧେ ଏହା ଅନ୍ତିମ କ୍ଷମତା ।" ତାଙ୍କର ବିଶ୍ବାସ , ମଣିଷ ନିର୍ଦ୍ଧିଷ୍ଟ ରୂପେ ଈଶ୍ୱରଙ୍କ ସହ ସମ୍ବନ୍ଧ ସ୍ଥାପିବାକୁ ନିର୍ମିତ ହୋଇଥିଲା , କିନ୍ତୁ ପାପ ହିଁ ସବୁ ମଣିଷକୁ ଈଶ୍ୱରଙ୍କଠୁ ଅଲଗା କରିଛି । ତାଙ୍କ ବିଶ୍ବାସ ଯେ , ଯୀଶୁଖ୍ରୀଷ୍ଟ ଏ ଜଗତରେ ସମ୍ପୂର୍ଣ୍ଣ ରୂପେ ଈଶ୍ୱର , ସମ୍ପୂର୍ଣ୍ଣ ମନୁଷ୍ୟ ଭାବରେ ଜୀବନ କାଟିଥିଲେ । ଖ୍ରୀଷ୍ଟିଆନଙ୍କ ମର ଶରୀରକୁ ଦାହ କରା ନଯାଇ କବର ଦିଆଯାଏ ମାଟିତଳେ । କାରଣ ତାଙ୍କର ବିଶ୍ବାସ ରହିଛି ମଣିଷ ମୃତ୍ଯୁ ପରେ ଅର୍ଥାତ୍‌ ଖ୍ରୀଷ୍ଟଧର୍ମୀର ମହାପ୍ରୟାଣାନ୍ତେ ତାଙ୍କୁ କବର ଦେଲେ , ସେ ପୁନର୍ଜୀବିତ ହେଲେ ଓ ସେ ପିତାଙ୍କ ଦକ୍ଷିଣ ପାର୍ଶ୍ବେ ଉପବିଷ୍ଟ ଅଟନ୍ତି , ଚ଼ିରକାଳ ପାଇଁ ସେ ବିଶ୍ବାସୀଙ୍କ ନିମନ୍ତେ ନିବେଦନ କରୁଛନ୍ତି । 

     ଖ୍ରୀଷ୍ଟ ମାନଙ୍କ ପବିତ୍ର ଗ୍ରନ୍ଥ ବାଇବେଲ କହେ ଉଦ୍ଧାର ପ୍ରାପ୍ତ୍ଯର୍ଥେ ସ୍ବର୍ଗରେ ପ୍ରବେଶିବାକୁ ଜଣେ ବ୍ଯକ୍ତି ଯୀଶୁଖ୍ରୀଷ୍ଟଙ୍କ ସମ୍ପନ୍ନ କରିଥିବା କ୍ରୁଶୀୟ କାର୍ଯ୍ଯରେ ବିଶ୍ବାସ କରିବାକୁ ହେବ । ଯଦି ଆମେ ବିଶ୍ବାସ କରୁ ଯେ , ଖ୍ରୀଷ୍ଟ ଆମ ସ୍ଥାନରେ ମୃତ୍ୟୁ ଭୋଗ କଲେ ଆଉ ଆମ ପାପର ବେତନ ଦେଲେ ଓ ପୁନର୍ଜୀବିତ ହେଲେ ତେବେ ଆମେ ଉଦ୍ଧାର ପାଇବା । ଏହି ଧର୍ମ କେବଳ ବିଶ୍ବାସରେ ହିଁ ଚ଼ାଳିତ , ଈଶ୍ୱର ବିଶ୍ବାସର ନିଦର୍ଶନ ଏହି ଧର୍ମ । ବେଦ ସମ୍ମତ ଆଚ଼ରଣ ହିଁ ଧର୍ମ ବାସ୍ତବରେ ; ହିନ୍ଦୁ , ମୁସଲିମ , ଜୈନ , ଶିଖ , ଖ୍ରୀଷ୍ଟିଆନ ଆଦି ଏକ ଏକ ସମ୍ପ୍ରଦାୟ । ଧର୍ମ ହେଉଛି ଈଶ୍ବର ବିଶ୍ୱାସ ମାତ୍ର । ଏଠାରେ କହି ରଖିବାକୁ ହେବ ଯେ , ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ଥିଲେ ଯୀଶୁଖ୍ରୀଷ୍ଟ ; ସେ ଥିଲେ ମୂଳ ବ୍ଯକ୍ତିତ୍ବ । ଖ୍ରୀଷ୍ଟ ଧର୍ମ ବିଶ୍ବାସନୁସାରେ ଯୀଶୁ ପରମେଶ୍ୱରଙ୍କ ସନ୍ତାନ ; ଯୀଶୁଙ୍କର ଜୀବନ ଓ ଉପଦେଶ ବାଇବେଲର ନୂତନ ନିୟମରେ ବର୍ଣ୍ଣିତ । ଇସଲାମ ଧର୍ମରେ ଯୀଶୁଙ୍କୁ ଭବିଷ୍ଯବକ୍ତା ଭାବେ ଗ୍ରହଣ କରାଯାଏ । ଅନେକ ବିଦ୍ବାନ ମତ ଦିଅନ୍ତି ଯେ , ପ୍ରାୟ ପ୍ରଥମ ଶତାବ୍ଦୀର ପ୍ରାରମ୍ଭରେ ଯୀଶୁଙ୍କ ଜନ୍ମ ଏବଂ ୩୦ରୁ ୩୬ ଖ୍ରୀଷ୍ଟାବ୍ଦ ମଧ୍ଯରେ ମୃତ୍ଯୁ ହୋଇଥିଲା । ରୋମାନ ସାମ୍ରାଜ୍ଯରେ ଯୀହୁଦା ପ୍ରଦେଶର ବେଥଲେହିମ ତାଙ୍କର ଜନ୍ମସ୍ଥାନ କୁହାଯାଉଥିବା ବେଳେ ଗାଲୀଲୀ ପ୍ରଦେଶର ନାଜରିତ୍‌ ତାଙ୍କ ପୈତୃକ ସ୍ଥାନ ବୋଲି କୁହାଯାଏ । 

     ପୃଥିବୀରେ ଅନେକ ବ୍ଯକ୍ତି ଓ ବ୍ଯକ୍ତିତ୍ବ ଅଛନ୍ତି ଆଉ ଆମେ ତାଙ୍କ ନାମ କିଛି ଜଣଙ୍କର ଜାଣିଲେ ସୁଦ୍ଧା ତାଙ୍କୁ ଭଲକରି ଜାଣିଛେ ବୋଲି କହିପାରିବାନି ; ସେପରି ଜଣେ ପ୍ରସିଦ୍ଧ ବ୍ଯକ୍ତି ଥିଲେ ଯୀଶୁଖ୍ରୀଷ୍ଟ । ଯୀଶୁ କିପରି ବ୍ଯକ୍ତିତ୍ବ ଥିଲେ ଅଧିକାଂଶ ଲୋକ ଅଜ୍ଞ ପ୍ରାୟ ; କିଛି କହନ୍ତି ସେ ବହୁତ ଉତ୍ତମ ଲୋକ ଥିଲେ ତ ଆଉ କିଛି କହନ୍ତି ସେ ଥିଲେ ଭବିଷ୍ଯବକ୍ତା । ଆଉ କେଇଜଣ ତାଙ୍କୁ ଈଶ୍ୱର ବୋଲି ମାନନ୍ତି । ଯୀଶୁ ଓ ଈଶ୍ୱର ଦିହେଁ ଏକ ବ୍ଯକ୍ତି , ଭିନ୍ନ ନୁହଁନ୍ତି । ବାଇବେଲ କହେ ଯେ ଯୀଶୁଙ୍କୁ ସୃଷ୍ଟି କରାଯାଇଥିଲା , ଅର୍ଥାତ୍‌ ତାଙ୍କର ଏକ ଆରମ୍ଭ ଥିଲା । କିନ୍ତୁ ଯିହୋବା ସମସ୍ତ ସୃଷ୍ଟିର କର୍ତ୍ତା ବା ସୃଷ୍ଟିକର୍ତ୍ତା ଓ ତାଙ୍କର କୌଣସି ଆରମ୍ଭ ନଥିଲା । ଯୀଶୁ ଈଶ୍ୱରଙ୍କ ସୁତ ସତ , ହେଲେ ସେ ଈଶ୍ୱର ସହ ସମାନ ହେବାକୁ ପରିକଳ୍ପନା କରିନଥିଲେ କଦାପି । ବାଇବେଲ ଅନୁସାରେ , ପିତା ମହାନ ପୁତ୍ର ଠାରୁ , କେବଳ ଯିହୋବା ହିଁ "ସର୍ବଶକ୍ତିମାନ ପରମେଶ୍ୱର" ଅଟନ୍ତି । ଯିହୋବାଙ୍କ ଏ ପ୍ରିୟ ପୁତ୍ର ସ୍ବେଚ୍ଛା ପୂର୍ବକ ସ୍ବର୍ଗ ତେଜି ଜନୈକ ମଣିଷ ସ୍ବରୂପେ ଜନ୍ମ ନେବାକୁ ପୃଥ୍ବୀ କୁ ଆଗମିଲେ । କିନ୍ତୁ ତାହା ସମ୍ଭବ କେମିତି ? ଯିହୋବା ସ୍ବର୍ଗରେ ଥିବା ନିଜର ପୁତ୍ରଙ୍କ ଜୀବନକୁ ଅଲୌକିକ ଭାବେ ମରୀୟମ ନାମ୍ନୀ ଜଣେ କୁମାରୀ ଗର୍ଭକୁ ସ୍ଥାନାନ୍ତରିତ କଲେ । ଏପରି ଭାବେ ଯୀଶୁଙ୍କର କେହି ମାନବୀୟ ପିତା ନଥିଲେ । ତେଣୁ ମରୀୟମ ଏପରି ଏକ ପୁତ୍ରଙ୍କୁ ଜନ୍ମ ଦେଲେ ଯାହାଙ୍କଠି କିଛି ପାପ ନଥିଲା । ତାଙ୍କ ନାମ ରଖାଗଲା ଯୀଶୁ । ଯୀଶୁ ଥିଲେ ନମ୍ର ଓ ସେ ଲୋକ ମାନଙ୍କୁ ସହାୟତା କରିବାର ଇଚ୍ଛା ପ୍ରକଟ କରୁଥିଲେ ; ସେ ସ୍ତ୍ରୀ ମାନଙ୍କୁ ଅଧିକ ଆଦର ଓ ମର୍ଯ୍ୟାଦା ଦେଉଥିଲେ ଏବଂ ସମସ୍ତଙ୍କ ପ୍ରତି ପ୍ରେମର ସହ ବ୍ଯବହାର ପ୍ରଦର୍ଶନ କରୁଥିବାରୁ ଲୋକେ ତାଙ୍କ କଥା ଶୁଣି ପ୍ରୀତ ହେଉଥିଲେ । ବାଇବେଲ କହେ - "ଏକମାତ୍ର ସତ୍ଯ ଈଶ୍ୱର ଯେ ତୁମ୍ଭେ , ତୁମ୍ଭକୁ , ତୁମ୍ଭର ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୈ ଜାଣିବା ଅନନ୍ତ ଜୀବନ ଅଟେ ।" ତେଣୁ ଯୀଶୁଙ୍କୁ ଜାଣିବା ଜରୁରୀ ଅଟେ । ଯୀଶୁଙ୍କୁ ଜାଣିଲେ ପୃଥିବୀରେ ଚ଼ିରଜୀବିତ ରହି ପାରିବେ । 

     ଆମେ କିପରି ଜୀବନଯାପନ କରିବା କଥା , ଅନ୍ଯ ମାନଙ୍କ ପ୍ରତି କିଭଳି ବ୍ଯବହାର କରିବା ଯୀଶୁଙ୍କୁ ଜାଣିଲେ ଆମେ ଏସବୁ ଜାଣିବା । ଯୀଶୁ ଜନ୍ମ ହେବାର ବହୁବର୍ଷ ପୂର୍ବେ ବାଇବେଲରେ ଯିହୋବା ପ୍ରତିଜ୍ଞା କରିଥିଲେ ସେ ଜନୈକ ମସୀହ ବା ଖ୍ରୀଷ୍ଟଙ୍କୁ ପଠାଇବେ । "ମସୀହ" ଶବ୍ଦଟି ଏବ୍ରୀ ଭାଷାରୁ ଆନୀତ ଓ "ଖ୍ରୀଷ୍ଟ" ଶବ୍ଦ ଗ୍ରୀକ୍‌ ଭାଷାରୁ ଆସିଛି । ଏ ଦୁଇଟି ଯାକର ଅର୍ଥ "ଅଭିଷିକ୍ତ ବ୍ଯକ୍ତି", ଅର୍ଥାତ୍‌ ଈଶ୍ୱର ଜଣେ ବ୍ଯକ୍ତିକୁ ମନୋନୀତ କରି ଏକ ବିଶେଷ ପଦବୀ ଦିଅନ୍ତି । ଏହି ଖ୍ରୀଷ୍ଟ ଭବିଷ୍ଯେ ଈଶ୍ୱରଙ୍କ ସମସ୍ତ ପ୍ରତିଜ୍ଞା ପୂରଣ କରିବାରେ ମୁଖ୍ଯ ଭୂମିକା ତୁଲାଇବେ । ଯୀଶୁ ଯାହା ଯାହା କରିଥିଲେ ଯଦି ଆମେ ତାକୁ ଅନୁଧ୍ୟାନ କରିବା ଆମର ଲାଭ ହିଁ ଲାଭ ; ଜୀବନ ଓ ଜନ୍ମ ସାର୍ଥକ । ଯୀଶୁ ଜନ୍ମ ହେବା ପୂର୍ବରୁ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଥିଲା , "ଏହି ଖ୍ରୀଷ୍ଟ ହେବ କିଏ ?" ଯୀଶୁଙ୍କ ଶିଷ୍ଯ ମାନଙ୍କ ମନରେ କୌଣସି ବି ସନ୍ଦେହ ନଥିଲା ଯେ ଯୀଶୁ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ବୋଲି । ଶିମୋନ ପିତର ଯୀଶୁଙ୍କୁ କହିଥିଲେ - "ଆପଣ ଖ୍ରୀଷ୍ଟ ଅଟନ୍ତି ।" ଏହା ବାଇବେଲ କହେ । ଆମେ ନିଶ୍ଚିତ କି ଯୀଶୁ ଖ୍ରୀଷ୍ଟ ବୋଲି ? 

     ଯୀଶୁ ଜନ୍ମ ହେବାର ବହୁବର୍ଷ ପୂର୍ବେ , ଈଶ୍ୱରଙ୍କ ଭବିଷ୍ଯବକ୍ତାମାନେ ଏସନେକ ତଥ୍ୟ ସମୂହ ରଚ଼ିଥିଲେ ଯାହା ଖ୍ରୀଷ୍ଟଙ୍କୁ ପ୍ରାପ୍ତ କରିବାକୁ ଲୋକଙ୍କୁ ସହାୟ ହେଲା । ବାଇବେଲରେ ଉଲ୍ଲେଖ ଅଛି ଯେ , ଖ୍ରୀଷ୍ଟ କ'ଣ କରିବେ ଓ ତାଙ୍କ ଜୀବନରେ କ'ଣ ଘଟିବ ସେ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଯିହୋବା ଭବିଷ୍ଯବକ୍ତା ମାନଙ୍କୁ ବ୍ଯବହାର କରିଥିଲେ । ଏହି ସମୂହ ଭବିଷ୍ଯତ ବାଣୀ ପୂର୍ଣ୍ଣ ହେବାର ଦର୍ଶି ନମ୍ର ଜନଗଣ ଜାଣି ପାରିଲେ ଯୀଶୁ ହିଁ ଖ୍ରୀଷ୍ଟ । ଏକଥାକୁ ପ୍ରମାଣ କରୁଥିବା ଦୁଇଟି ଭବିଷ୍ଯବାଣୀ ବାଇବେଲରୁ ଉଦ୍ଧୃତ ହୋଇଛି । ପ୍ରଥମ ଭବିଷ୍ଯବାଣୀଟି ବିଷୟରେ ଜାଣିବା ; ଯୀଶୁ ଜନ୍ମ ହେବାର ୭୦୦ ବର୍ଷ ପୂର୍ବେ ମୀଖା ଭବିଷ୍ଯବାଣୀ କରିଥିଲେ ଯେ ଖ୍ରୀଷ୍ଟ ବେଥଲେହିମ ନାମକ ଏକ ଛୋଟ ସହରରେ ଜନ୍ମ ନେବେ ; ସତକୁ ସତ ସେଇଠାରେ ଯୀଶୁଙ୍କର ଜନ୍ମଲାଭ ହେଲା । ଦ୍ବିତୀୟ ଭବିଷ୍ଯବାଣୀ ହେଲା , ଦାନିୟେଲ୍‌ ଭବିଷ୍ଯବାଣୀ କରିଥିଲେ ଯେ ଖ୍ରୀଷ୍ଟ ୨୯ ଖ୍ରୀଷ୍ଟାବ୍ଦରେ ଆସିବେ ; ଠିକ୍‌ ତା' ହିଁ ହେଲା । ଏପରି ଅନେକ ଭବିଷ୍ଯବାଣୀ ଅଛି ଯାହା ପ୍ରମାଣ ଦିଏ ଯୀଶୁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ । ଯିହୋବା ସ୍ବୟଂ ସ୍ପଷ୍ଟ କରିଦେଇଥିଲେ ଯୀଶୁ ହିଁ ଖ୍ରୀଷ୍ଟ । ସେ ଯୋହାନ ନାମ୍ନୀ ଜନୈକ ବ୍ୟକ୍ତିଙ୍କୁ ଏକ ଚ଼ିହ୍ନ ଦେଲେ ଯାହା ଫଳରେ ସେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ; ଯୋହନ ଲୋକ ମାନଙ୍କୁ ପାଣିରେ ବାପ୍ତିସ୍ମ ଦେଉଥିଲେ । ୨୯ ଖ୍ରୀଷ୍ଟାବ୍ଦରେ ଯୀଶୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ନେବାକୁ ଯୋହନଙ୍କ ପାଖକୁ ଆସନ୍ତେ ତ ଯୋହନ ସେ ଚ଼ିହ୍ନ ଦେଖିଲେ । ସେଠାରେ ଯୀଶୁ ବାପ୍ତିଜିତ ହେଲେ । ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା ଓ ସେଠାରେ ପରମେଶ୍ୱରଙ୍କ ଆତ୍ମାକୁ ଏକ କପୋତ ରୂପେ ତଳକୁ ଓହ୍ଲାଇ ତାଙ୍କ ଉପରକୁ ଆସୁଥିବାର ଦେଖିଲେ । ସେବେଳେ ଆକାଶରୁ ବାଣୀ ହେଲା - "ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ ; ମୁଁ ତାଙ୍କ ଉପରେ ପରମ ସନ୍ତୁଷ୍ଟ ।" ସ୍ବର୍ଗରୁ ଈଶ୍ୱରଙ୍କ ଏ ବାଣୀ ଶୁଣିବା ମାତ୍ରେ ଯୋହନ ଜାଣିଗଲେ ଯେ , ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । ସେହିଦିନ ଯେତେବେଳେ ଯିହୋବା ଯୀଶୁଙ୍କ ଉପରେ ପବିତ୍ରାତ୍ମା ଅର୍ଥାତ୍‌ ତାଙ୍କର ପବିତ୍ର ଶକ୍ତି ଢ଼ାଳିଲେ , ସେ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ହେଲେ । ଯୀଶୁ ହିଁ ସେ ବ୍ଯକ୍ତି ଥିଲେ , ଯାହାଙ୍କୁ ଈଶ୍ୱର ଶାସକ ବାରଜା ଭାବେ ମନୋନୀତ କରିଥିଲେ । 

      ବାଇବେଲ ବର୍ଣ୍ଣନାନୁସାରେ ଯୀଶୁ ପୃଥିବୀକୁ ଆସିବା ଆଗରୁ ବହୁ ମୟ ଧରି ସ୍ବର୍ଗରେ ଥିଲେ ଓ ଏକଥା ଯୀଶୁ ନିଜେ ଅନେକ ଥର କହିଛନ୍ତି । ମୀଖା କହିଥିଲେ - "ଖ୍ରୀଷ୍ଟ ପୁରାତନ କାଳର ଥିଲେ ।" ଈଶ୍ୱର ଅନ୍ଯ ସବୁକିଛି ଓ ସଭିଙ୍କୁ ସୃଷ୍ଟି କରିବା ପୂର୍ବରୁ ଯୀଶୁଙ୍କୁ ସୃଷ୍ଟି କରିଥିଲେ , ତେଣୁ ତାଙ୍କୁ "ସୃଷ୍ଟିର ପ୍ରଥମ ଜାତ" ବୋଲି କହନ୍ତି । ଯିହୋବା ପ୍ରତ୍ଯକ୍ଷରେ ଅର୍ଥାତ୍‌ ନିଜେ ଯୀଶୁଙ୍କୁ ସୃଷ୍ଟି କରିଥିଲେ ; ଏଲାଗି ଯୀଶୁ ତାଙ୍କର ପ୍ରିୟ । ଯୀଶୁ ଅଦ୍ବିତୀୟ ପୁତ୍ର ଥିଲେ ବୋଲି ବାଇବେଲ ମତ । ଅନ୍ୟ ସମସ୍ତ କିଛି ସୃଷ୍ଟି କରିବାକୁ ସେ ଯୀଶୁଙ୍କୁ ବ୍ଯବହାର କରୁଥିଲେ । ଯିହୋବା ନିଜ ବାର୍ତ୍ତା ଓ ପରାମର୍ଶକୁ ସ୍ବର୍ଗଦୂତ ଓ ମଣିଷଙ୍କ ପାଖରେ ପହଞ୍ଚାଇବାକୁ ଯୀଶୁଙ୍କୁ ବ୍ଯବହାର କରିଥିବାରୁ କେବଳ ଯୀଶୁଙ୍କୁ "ବାକ୍ଯ" କହନ୍ତି । ସ୍ବର୍ଗ ଓ ପୃଥିବୀକୁ ସୃଷ୍ଟି କରାଯିବାର ବହୁତ ଆଗରୁ ଯିହୋବା ଓ ତାଙ୍କର ପୁତ୍ର ଯୀଶୁ ଦୁଇଜଣ ମିଶି କୋଟି କୋଟି ବର୍ଷ ଧରି କାମ କରିଥିଲେ । ଉଭୟଙ୍କ ମଧ୍ୟେ ଘନିଷ୍ଠତା ଓ ପ୍ରେମଭାବ ଥିଲା । ତାଙ୍କ ପିତାଙ୍କ ଗୁଣ ସବୁକୁ ଏତେ ଉତ୍ତମ ଭାବେ ଦେଖାଇ ଥିଲେ ଯେ ବାଇବେଲ ତାଙ୍କୁ "ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି" କହିଥାଏ । ବାଇବେଲର ଚ଼ାରୋଟି ବହି "ମାଥିଉ , ମାର୍କ , ଲୂକ ଓ ଯୋହାନ"ରୁ ଯୀଶୁଙ୍କର ଗୁଣ ସବୁ ଓ କର୍ମ ସବୁ ବିଷୟରେ ଜଣାପଡ଼େ । ଏ ବହି ଗୁଡ଼ିକୁ କହନ୍ତି "ସୁସମାଚ଼ାରର ବହି" । ଯୀଶୁ ଠିକ୍‌ ତାଙ୍କ ପିତାଙ୍କ ପରି ଥିଲେ । ଯୀଶୁଙ୍କ ସମ୍ବନ୍ଧେ ଶିଖିଲେ ତାଙ୍କ ପିତାଙ୍କୁ ଜାଣିପାରିବେ । ସେଲାଗି ଯୀଶୁ କହିଥିଲେ - "ଯେ ମୋତେ ଦେଖିଅଛି , ସେ ପିତାଙ୍କୁ ଦେଖିଅଛି ।" 

     ଅନେକ ଲୋକ ଯୀଶୁଙ୍କୁ "ଗୁରୁ" ବୋଲି କହୁଥିଲେ । ସେ ଲୋକ ମାନଙ୍କୁ ଶିଖାଉଥିବା ଗୁରୁତ୍ତ୍ବପୂର୍ଣ୍ଣ ବିଷୟ ଥିଲା , "ରାଜ୍ୟର ସୁସମାଚ଼ାର" । ବାଇବେଲ କହେ , ଏ ରାଜ୍ୟ କ'ଣ । ଏହା ଈଶ୍ୱରଙ୍କ ସରକାର ଯାହା ଖୁବ୍‌ ଶିଘ୍ର ସ୍ବର୍ଗରୁ ସମଗ୍ର ପୃଥିବୀ ଉପରେ ଶାସନ କରିବ ଓ ଈଶ୍ୱରଙ୍କର ଆଜ୍ଞା ପାଳନକର୍ତ୍ତା ବା କର୍ତ୍ତ୍ରୀ ପାଇଁ ଭରପୂର ଆଶିଷ ଆଣିଦେବ । ଯାହା କିଛି ଶିଖାଇ ଥିଲେ ସବୁକିଛି ଯିହୋବାଙ୍କ ତରଫରୁ ; ଯୀଶୁ କହିଥିଲେ - "ମୋହର ଶିକ୍ଷା ମୋ' ନିଜର ନୁହେଁ , କିନ୍ତୁ ମୋ' ପ୍ରେରଣକର୍ତ୍ତାର ।" ଯୀଶୁ ଲୋକଙ୍କୁ ଶିଖାଇବାକୁ ଗାଁ , ସହର , ବଜାର , ସଭାଗୃହ ଏବଂ ଉପାସନାର ଜାଗାକୁ ଯାଉଥିଲେ । ସେ ଆଶା କରୁନଥିଲେ ଯେ ଲୋକେ ତାଙ୍କ ପାଖକୁ ଆସନ୍ତୁ ; ବରଂ ସଦା ସେ ଯାଉଥିଲେ । ସେ ଦେଖି ପାରୁଥିଲେ ଯେ ଧର୍ମଗୁରୁମାନେ ଈଶ୍ୱର ଓ ତାଙ୍କ ରାଜ୍ୟ ବିଷୟରେ ଶିଖାଉ ନଥିଲେ , ତେଣୁ ଯୀଶୁ ଅଧିକାଂଶ ସମୟ ଓ ଶକ୍ତି ଏ କାର୍ଯ୍ଯରେ ଲଗାଉଥିଲେ । ସେ ଲୋକ ମାନଙ୍କ ବିଷୟରେ ଚ଼ିନ୍ତା କରୁଥିଲେ ଏବଂ ତାଙ୍କୁ ଭଲ ପାଉଥିଲେ । ସମସ୍ତେ ନିର୍ଭୟରେ ଯୀଶୁଙ୍କ ସହ କଥା ହୁଅନ୍ତି । ଏପରିକି ଛୋଟ ପିଲା ବି ତାଙ୍କ ପାଖକୁ ନିର୍ଭୟରେ ଆସେ । ଯୀଶୁ ଥିଲେ ନ୍ଯାୟ ପ୍ରିୟ ; ସେ ଦୁର୍ନୀତି ଓ ଅନ୍ଯାୟକୁ ଘୃଣା କରୁଥିଲେ । ବାଇବଲରେ ଅଛି , ଯୀଶୁ ସାଧାରଣ ଘରର ଦାସ କିମ୍ବା ସେବକଙ୍କ ପରି ଦିନେ ସନ୍ଧ୍ୟାରେ ତାଙ୍କ ଶିଷ୍ଯ ମାନଙ୍କର ପଦଧୌତ କରୁଥିଲେ । 

     ଯୀଶୁ ସମସ୍ତଙ୍କର ଆବଶ୍ୟକତା ଜାଣିପାରି ଲୋକଙ୍କୁ ସାହାଯ୍ୟ କରୁଥିଲେ ଓ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାରେ ଉତ୍ତମ ଉଦାହରଣ ରଖିଛନ୍ତି । ଶତ୍ରୁ ମାନଙ୍କ ବିରୋଧକୁ ସାମ୍ନା କରିବା ସତ୍ତ୍ୱେ ସେ ନିଜ ପିତାଙ୍କର ବିଶ୍ବସ୍ତ ରହିଲେ । ଯୀଶୁଙ୍କର ପରିବାରର କିଛି ସଦସ୍ଯ ତାଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ ନକରି ତାଙ୍କୁ ପାଗଳର ଆଖ୍ୟା ଦେଇ ନିଷ୍ଠୁର ନିର୍ଯ୍ୟାତନା ଦେଇଥିଲେ ଶତ୍ରୁ ମାନଙ୍କ ଦ୍ୱାରା । ସେ ଈଶ୍ୱରଙ୍କ ବିଶ୍ବସ୍ତ ରହି କାହାର ବି ଅନିଷ୍ଟ କଲେନାହିଁ । ତାଙ୍କୁ ଅତି ନିଷ୍ଠୁରତାର ସହ ଅସହ୍ୟ ଯନ୍ତ୍ରଣା ଦେଇ ହତ୍ୟା କରାଗଲା ; ତଥାପି ସେ ତାଙ୍କ ମୃତ୍ୟୁ ଯାଏଁ ଈଶ୍ୱରଙ୍କ ବିଶ୍ବସ୍ତ ରହିଲେ । ଯୀଶୁଙ୍କୁ ବନ୍ଦି କରାଗଲା ଓ ମିଥ୍ୟା ସାକ୍ଷୀମାନେ ତାଙ୍କୁ ଧର୍ମଦ୍ରୋହୀ ବୋଲି ଦୋଷାରୋପ କଲେ ; ଭ୍ରଷ୍ଟ ବିଚ଼ାରକର୍ତ୍ତାମାନେ ତାଙ୍କୁ ଦୋଷୀ ସାବ୍ଯସ୍ତ କରି ଜନଗହଳିରେ ପରିହାସ କଲେ । ସୈନିକମାନେ ନାନା ପ୍ରକାର ଯନ୍ତ୍ରଣା ଦେଲେ ଓ ଶେଷରେ ତାଙ୍କୁ କାଠଖୁଣ୍ଟରେ କଣ୍ଟା ପିଟି ମାରି ଦିଆଗଲା । ସେ ମରିବା ପୂର୍ବରୁ ଉଚ୍ଚସ୍ବରରେ କହିଲେ - "ସମାପ୍ତ ହେଲା" । ଯୀଶୁଙ୍କ ମୃତ୍ୟୁର ତିନିଦିନ ପରେ ଯିହୋବା ତାଙ୍କୁ ପୁନରୁତ୍‌ଥାନ କରି ଏକ ଆତ୍ମିକ ଶରୀର ଦେଲେ । କିଛି ସପ୍ତାହ ପରେ ଯୀଶୁ ସ୍ବର୍ଗକୁ ଫେରିଯାଇ ଈଶ୍ୱରଙ୍କ ଡ଼ାହାଣ ପଟେ ବସିଲେ ଏବଂ ସେ ସମୟକୁ ଅପେକ୍ଷା କଲେ , ଯେତେବେଳେ ଈଶ୍ୱର ତାଙ୍କୁ ରାଜା କରିଥା'ନ୍ତେ । 

    ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ଖ୍ରୀଷ୍ଟ ଧର୍ମ ସମ୍ପୂର୍ଣ୍ଣ ବିଶ୍ବାସର ଗନ୍ତାଘର । ଭାବ ନୈବିଦ୍ଯର ପୂଜାଥାଳିରେ ବିଶ୍ବାସର ମନ୍ତ୍ର ଉଚ୍ଚାରଣ ପୂର୍ବକ ଈଶ୍ୱର ପ୍ରାପ୍ତିର ମାର୍ଗ ଅନ୍ବେଷଣ ଖ୍ରୀଷ୍ଟ ଧର୍ମ । ଧର୍ମ ବିଶ୍ବାସ ଅନୁସାରେ ଯୀଶୁ ଈଶ୍ୱର । ବାସ୍ତବିକ ଚ଼ିନ୍ତାଧାରାରେ ନେଲେ , ଯୀଶୁ ଈଶ୍ୱର ନୁହଁନ୍ତି । ସେ ଜଣେ ମାନବ , କିନ୍ତୁ ଉଚ୍ଚ ଚ଼ିନ୍ତାଧାରାର ସମ୍ପନ୍ନ ବ୍ଯକ୍ତି ଏବଂ ଭକ୍ତି ନୈବିଦ୍ଯର ପ୍ରମାଣ । ବାଇବେଲରୁ ଶିକ୍ଷା ମିଳେ ଯେ ଯୀଶୁ ଏକ ଭାବବାଦୀ , ଉତ୍ତମ ଶିକ୍ଷକ ଓ ଧର୍ମ ପରାୟଣ ବ୍ଯକ୍ତି ଠାରୁ ବହୁଗୁଣାଧିକ , କିନ୍ତୁ ଈଶ୍ୱର ନୁହଁନ୍ତି । ତାଙ୍କୁ ଆମେ ଈଶ୍ୱରଙ୍କର ଆଖ୍ଯା ଦେବା ଭୁଲ୍‌ । କିନ୍ତୁ ତାଙ୍କୁ ଈଶ୍ୱର କହୁଥିବା ଲୋକମାନେ ଭୁଲ୍‌ ନୁହଁନ୍ତି । ତାଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ପ୍ରେମ ଭାବ ବହି ଈଶ୍ୱର ବୋଲି ସମ୍ବୋଧନ କରନ୍ତି । ଈଶ୍ୱର କହିଲେ ପ୍ରଭୁ ; ପ୍ଭୁ କହିଲେ ମୁନିବକୁ ବୁଝାଏ । ମୁନିବର ଅର୍ଥ ଆପଣମାନେ ବୁଝି ପାରୁଥିବେ । ସତ୍‌ ପଥର ପ୍ରଦର୍ଶକ ଥିଲେ ଯୀଶୁ , ସେଲାଗି କିଛି ଲୋକ ତାଙ୍କୁ ମୁନିବ ଅର୍ଥାତ୍‌ ଈଶ୍ୱର ମାନୁଥିଲେ । ଏଣୁ ଯୀଶୁଙ୍କୁ ଜଣେ ସାଧୁ ପୁରୁଷ କହିଲେ ବି ଅତ୍ଯୁକ୍ତି ନାହିଁ । ଯୀଶୁଙ୍କର ଅନୁଗାମୀ "ଥୋମାସ୍‌"ଙ୍କ ଦ୍ବାରା ଖ୍ରୀଷ୍ଟ ଧର୍ମ ଭାରତରେ ପ୍ରବେଶ କରିଥିଲା । ସେ ପ୍ରଥମେ କିଛି ନିମ୍ବୁଦ୍ରୀ ବ୍ରାହ୍ମଣଙ୍କୁ ଏ ଧର୍ମରେ ଦୀକ୍ଷିତ କରାଇ ଥିଲେ । ଷୋଡ଼ଶ ଶତାବ୍ଦୀରେ ପର୍ତ୍ତୁଗୀଜମାନେ ଭାରତକୁ ଆସି ଗୀର୍ଜା ସ୍ଥାପନ କରିଥିଲେ ଏବଂ ବ୍ରିଟିଶମାନେ ଭାରତକୁ ଆସିବା ପରେ ଖ୍ରୀଷ୍ଟ ଧର୍ମର ପ୍ରସାର ହେଲା । ଏହି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କୁ "ରୋମୀୟ କ୍ଯାଥୋଲିକ୍‌" ଓ "ପ୍ରୋଟେଷ୍ଟାଣ୍ଟ୍‌" ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯୀଶୁଖ୍ରୀଷ୍ଟଙ୍କ ଜୀବନ ଉପରେ ଆଧାରିତ "ଯୀଶୁ" ଚ଼ଳଚ୍ଚିତ୍ର ଲୂକା ଲିଖିତ ସୁସମାଚ଼ାର ଉପରେ ଆଧାରିତ ଯାହା ୧୯୭୯ ମସିହା ଠାରୁ ୧୧୦୦ଟି ଭାଷାରେ ଅନୁବାଦ କରାଯାଇଛି । ଏହା ଇତିହାସରେ ସର୍ବାଧିକ ଭାଷାରେ ଅନୁବାଦିତ ଚ଼ଳଚ୍ଚିତ୍ର ଓ ଏହାର ଦର୍ଶକ ସଂଖ୍ଯା ଅପର୍ଯ୍ଯାପ୍ତ । 

      କ୍ଷୁଦ୍ର କ୍ଷୁଦ୍ର କାହାଣୀରେ ଅନେକ ବାଣୀ ବାଇବେଲରୁ ମିଳେ । ସତ୍‌ ମାର୍ଗ , ସତ୍‌ ଚି଼ନ୍ତା , ସତ୍‌ କର୍ମ ଓ ଧର୍ମାର୍ଜନ ସହିତ ପ୍ରେମ , ବିଶ୍ବାସ ଓ ଭକ୍ତି ଏହି ସପ୍ତ ବିଧାନ ବାଇବେଲ ବହନ କରେ । ସେ ଯାହା ବି ହେଉ , ବାଇବେଲ ସତରେ ଏକ ପବିତ୍ର ଗ୍ରନ୍ଥ ଓ ମାନବ ସମାଜର ପ୍ରକୃତ ଶିକ୍ଷକ । ପ୍ରତ୍ଯେକ ଗ୍ରନ୍ଥରୁ କିଛି ନା କିଛି ଶିଖିବାର ଅଛି । ଈଶ୍ୱର ଉପାସନାର ଓ ବିଶ୍ବାସର ବଳିଷ୍ଠ ଗ୍ରନ୍ଥ ବାଇବେଲରୁ ଅନେକ କିଛି ଆହରଣ କରିବାର ଅଛି । ଅନନ୍ତ ଜୀବନ ପ୍ରାପ୍ତ ପାଇଁ ବାଇବେଲ ଗୋଟିଏ ସ୍ପଷ୍ଟ ମାର୍ଗ ପ୍ରଦର୍ଶନ କରେ । ପ୍ରଥମେ ଆମକୁ ନିଶ୍ଚିତ ଭାବେ ଚ଼ିହ୍ନିବାକୁ ପଡ଼ିବ ଯେ ଆମେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଛୁ , ପୁଣି ଈଶ୍ୱର ଗୌରବରହିତ ହୋଇଛନ୍ତି । ଆମେ ସର୍ବେ ଏପରି କର୍ମ କରିଛୁ ଯାହା ଈଶ୍ୱରଙ୍କୁ ଅସନ୍ତୁଷ୍ଟ କରିଛି , ଯାହା ଆମକୁ ଦଣ୍ଡ ପାଇବାକୁ ଯୋଗ୍ୟ ବିବେଚିତ କରୁଛି । ଯେହେତୁ ଆମର ସମସ୍ତ କର୍ମ ପରିଶେଷରେ ଅନନ୍ତ ଈଶ୍ୱରଙ୍କର ବିରୁଦ୍ଧରେ , କେବଳ ଗୋଟିଏ ଅନନ୍ତ ଦଣ୍ଡ ହିଁ ଯଥେଷ୍ଟ ; କାରଣ ପାପର ବେତନ ମୃତ୍ୟୁ । କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭ ମାନଙ୍କ ପ୍ରଭୁ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ । ସତରେ , କେତେବଡ ମହାନ ଶିକ୍ଷା ଦେଲା ବାଇବେଲ ଜାଣନ୍ତୁ । 

      ଏଠି ଏକ ରୋଚ଼କ କଥା ଶୁଣିବା ଆସନ୍ତୁ । ତୃତୀୟ ଶତାବ୍ଦୀ ବେଳକୁ ରୋମରେ ସମ୍ରାଟ କ୍ଲନେଡ଼ିୟସଙ୍କ ଶାସନ ଚ଼ାଲିଥିଲା । ସମ୍ରାଟ ଭାବୁଥିଲେ ବିବାହିତ ପୁରୁଷ ଅବିବାହିତ ପୁରୁଷଙ୍କ ପରି ଶକ୍ତିଶାଳୀ ନୁହଁନ୍ତି । ସମ୍ରାଟ କହନ୍ତି - "ବିବାହ ପରେ ଜଣେ ପୁରୁଷ ତା'ର ସମସ୍ତ ଶକ୍ତି ହରାଏ ଓ ତା'ର ଜ୍ଞାନରେ ବି ହ୍ରାସ ଘଟେ ।" ଏଲାଗି ତାଙ୍କ ଶାସନ କାଳରେ ସେ ଦେଶର କୌଣସି ସେନା ଓ ଅଧିକାରୀ ବିବାହ କରି ପାରିବେନି ବୋଲି କହିଥିଲେ । ଏ କଥାର ବିରୋଧୀ ସାଜିଥିଲେ ପାଦ୍ରୀ ଭାଲେଣ୍ଟାଇନ୍‌ ; ଏହା ପରେ ତାଙ୍କୁ ସଫଳତା ବି ମିଳିଥିଲା । ସେନା ଓ ଅଧିକାରୀ ସମସ୍ତ ବିବାହ କରିଥିଲେ । ହେଲେ ୧୪ ଫେବୃଆରି ୨୬୯ରେ ଭାଲେଣ୍ଟାଇନ୍‌ଙ୍କୁ ଫାଶୀ ଦିଆଗଲା । ତେଣୁ ସେବେଠୁ ତାଙ୍କ ମୃତ୍ୟୁ ଦିବସକୁ "ଭାଲେଣ୍ଟାଇନ୍‌ ଡ଼େ" ରୂପେ ପାଳନ କରାଯାଉଛି । ବୁଝିବାକୁ ହେବ ଯେ ଭାଲେଣ୍ଟାଇନ୍‌ କୌଣସି ଦିବର ନାଁ ନୁହେଁ , ଏହା ରୋମ୍‌ର ଜଣେ ପାଦ୍ରୀଙ୍କ ନାମ । ଆଉ ଏକ କଥା ହେଲା ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିବା ଦିବସଟି ଥିଲା ଶୁକ୍ରବାର ; ତେଣୁ ଏ ଦିନକୁ ଦୁଃଖର ସହ ସ୍ମରଣାର୍ଥେ ବିଶ୍ବ ସାରା "ଗୁଡ୍‌ ଫ୍ରାଇଡ଼େ" ରୂପେ ପାଳନ କରାଯାଉଛି । ଖ୍ରୀଷ୍ଟ ଧର୍ମ ପରମ୍ପରାରେ ଇଷ୍ଟର ରବିବାର ପୂର୍ବବର୍ତ୍ତୀ ଶୁକ୍ରବାରକୁ "ଗୁଡ୍‌ ଫ୍ରାଇଡ଼େ" ରୂପେ ପାଳନ କରାଯାଏ । ସେହିପରି ଯୀଶୁଙ୍କର ଜନ୍ମଦିନକୁ ବଡ଼ଦିନ ରୂପେ ପାଳନ କରାହୁଏ ; ପ୍ରତିବର୍ଷ ଡ଼ିସେମ୍ବର ୨୫ରେ ଏ ଦିନ ପାଳନର ନିୟମ ରହିଛି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜା ର କ୍ଯାଲେଣ୍ଡର ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛିଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ କରି "ବଡ଼ଦିନ" ଉତ୍ସବର ପ୍ରାରମ୍ଭ ହୁଏ । କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏ ଉତ୍ସବ ଆଠଦିନ ଧରି ପାଳିତ ହୁଏ । ସମସ୍ତଙ୍କର ଏହା ବଡ଼ ପର୍ବ ହେତୁ ଏ ଦିନକୁ ସରକାରୀ ଛୁଟିଦିନ ରୂପେ ଘୋଷଣା କରାଯାଇଛି । 

      ଯୀଶୁଙ୍କ ପ୍ରକୃତ ଜନ୍ମ ତିଥି , ବାର , ନକ୍ଷତ୍ର ଓ ତାରିଖ ସମସ୍ତଙ୍କୁ ଜ୍ଞାତ ନୁହେଁ , କିନ୍ତୁ ଚ଼ତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ "ୱେଷ୍ଟର୍ଣ୍ଣ ଖ୍ରୀଷ୍ଟିଆନ ଚର୍ଚ୍ଚ" ( ପାଶ୍ଚାତ୍ୟ ଦେଶ ମାନଙ୍କର ପ୍ରମୁଖ ଗୀର୍ଜାଘରମାନେ ) ଡ଼ିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମଦିନ ବୋଲି ଅଭିହିତ କଲେ ; ପ୍ରାଚ଼୍ଯ ଦେଶ ମାନଙ୍କରେ ବି ଏହି ପ୍ରଥା ପ୍ରଚ଼ଳିତ ହେଲା । ବର୍ତ୍ତମାନ କାଳରେ ଗ୍ରେଗୋରିଆନ ପାଞ୍ଜି ବା କ୍ଯାଲେଣ୍ଡର୍‌ ଓ ଅଧିକାଂଶ ଦେଶର ସରକାରୀ କ୍ଯାଲେଣ୍ଡର୍‌ ଏହି ଦିନକୁ "ବଡ଼ଦିନ" ବୋଲି ଘୋଷଣା କରିଛନ୍ତି । ଏ ପର୍ବ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା , ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ଯ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି । ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ପରମ୍ପରା ବି ଅଛି । ସନ୍ଥ ନିକୋଲାସ୍ ବା "ସାଣ୍ଟା କ୍ଲସ୍‌" ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ । ପାଇନ୍‌ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା ; ମଧ୍ଯଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍‌ଭିଆ ) ଏ ପ୍ରଥା ଜନ୍ମ ନେଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍‌ ଖ୍ରୀଷ୍ଟିଆନ ମାନେ ଏ ସଜ୍ଜିତ ଗଛ ଘରକୁ ଆଣି ଘର ସଜାଉଥିଲେ । ଏହା ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସୁସଜ୍ଜିତ କରିଥା'ନ୍ତି ; ଏହାକୁ "କ୍ରିସ୍ମସ୍‌ ଟ୍ରି" କହନ୍ତି । ଏ ଗଛକୁ କେହି କେହି "ୟୁଲ୍‌ ଗଛ" ବା "ୟୁଲ୍‌ ଟ୍ରି" ସହ ତୁଳନା କରିଥା'ନ୍ତି ଯାହା ବିଭିନ୍ନ ଲୋକକଥାରେ ଲେଖା ଅଛି । ୧୫୭୬ ମସିହାର ଏକ ପଥର ଖୋଦିତ କାରୁକାର୍ଯ୍ୟରେ କ୍ରିସ୍ମସ୍‌ ଗଛର ଉଲ୍ଲେଖ ଦେଖିବାକୁ ମିଳେ ଯାହାକୁ ପ୍ରଥମ  ଲିପିବଦ୍ଧ ପ୍ରମାଣ ଭାବେ ବିବେଚ଼ନା କରାଯାଇପାରେ । ଏହି ପ୍ରସ୍ତରକଳା ତୁର୍କହାଇମ୍‌ ( ତତ୍କାଳୀନ ଜର୍ମାନୀ ଓ ବର୍ତ୍ତମାନର ଫ୍ରାନ୍ସରେ ଅବସ୍ଥିତ ) ସରର ଏକ ଘରେ ଅଛି । ଯଦିଓ ଏବେ କ୍ରିସ୍ମସ୍‌ ଗଛ ବଡ଼ଦିନ ଛୁଟି ସମୟର ଆଗମନର ସୂଚ଼କ , ପୂର୍ବେ କିନ୍ତୁ ଏହା ପାଗାନ୍‌ ପ୍ରଥା ଥିଲା ; ଏହାର ବଡ଼ଦିନ ସହ ସମ୍ବନ୍ଧ ନଥିଲା । ବାଇବେଲରେ ବର୍ଣ୍ଣିତ "ସ୍ବର୍ଗର ଗଛ" ସହିତ ଆଧୁନିକ କାଳର କ୍ରିସ୍ମସ୍‌ ଗଛର ସମ୍ପର୍କ ଅଛି । ମଧ୍ଯଯୁଗ ପରେ ( ପ୍ରାୟ ୧୪୦୦ ମସିହାରେ ) ପର୍ତ୍ତୁଗାଲର ଆଲ୍କୋବାକାରେ ଆଧୁନିକ କ୍ରିସ୍ମସ୍‌ ଗଛର ଆଉ ଏକ ପୂର୍ବ ରୂପର ଉଲ୍ଲେଖ "ଅର୍ଡର ଅଫ ଦି ସିଷ୍ଟର"ରେ ରେଜିମେଣ୍ଟ ( ନନ୍‌ ଓ ପାଦ୍ରୀଙ୍କ ସଙ୍ଗଠନ )ର ବିଧିରେ ମିଳେ । ସେ ଯାହା ବି ହେଉ , ଏ ଧର୍ମ ଶିକ୍ଷା ଦିଏ ଈଶ୍ୱର ବିଶ୍ବାସ ; ତେଣୁ ଯେକୌଣସି ଧର୍ମାବଲମ୍ବୀ ବାଇବେଲ ପଠନ କରି ଈଶ୍ୱରଙ୍କୁ ବିଶ୍ବାସ ପୂର୍ବକ "ସତ୍‌"କୁ ଆହରଣ କରିବା ଉଚିତ୍‌ । 

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
    ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା