ବୌଦ୍ଧ ଧର୍ମ
- Get link
- X
- Other Apps
କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଧର୍ମ କହିଲେ ଏକ ନୀତି ଓ ଆଚ଼ରଣଧାରା ଯାହା ଆଧ୍ଯାତ୍ମିକ ଓ ଆଦିଭୌତିକ ଅନୁଭୂତିକୁ ପ୍ରକାଶ କରିଥାଏ ; ଧର୍ମଧାରା ଭିତରେ ନାନାଦି ଚ଼ଳଣି , ପ୍ରାର୍ଥନା , ପୂଜା ଆଦି ରହିଥାଏ । ପ୍ରାଚ଼ୀନ କାଳରେ ବହୁ ଧର୍ମ ରହିଥିଲା ଏବଂ ଲୋକମାନେ ପାଳନ ବି କରୁଥିଲେ । ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମର ଉଦୟ ପରେ ହଜାର ହଜାର ଧର୍ମର ବିଲୋପ ଘଟିଛି । ଅନ୍ଯପକ୍ଷେ କଟ୍ଟରପନ୍ଥୀ ଦେଶ ଗୁଡ଼ିକରୁ ବହୁତ ଗୁଡ଼େ ଧର୍ମ ଅସ୍ତିତ୍ଵ ହରାଇ ବସିଥିଲେ ଏବଂ ଏବେ ଯାହା ଜୀବିତ , ସେ ସବୁ ସଙ୍କଟର ସରଣୀରେ । ଏକ ଅନୁମାନ କରାଯାଏ , ସମଗ୍ର ସଂସାରେ ୩୦୦ରୈ ଉର୍ଦ୍ଧ୍ବ ଧର୍ମ ଅଛି । ବ୍ଯାପକ ଭାବେ ସାତଟି ଧର୍ମ ଯଥା ହିନ୍ଦୁ , ଜୈନ , ବୌଦ୍ଧ , ଶିଖ , ଇସଲାମ , ଇହୁଦି ଧର୍ମ ସ୍ଥାପିତ ଧର୍ମ ଭାବରେ ପରିଗଣିତ । ଆଫ୍ରିକାର "ବୁଡୁ ଧର୍ମ"ର ଲୋକଙ୍କ ସଂଖ୍ୟା କ୍ଷିପ୍ରଗତିରେ ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମରେ ପରିବର୍ତ୍ତିତ ହେଉଛନ୍ତି । ପାର୍ସି , ରଜିଦି , ଜୈନ , ଶିନ୍ତୋ , ଲାଓସ୍ଯୁ , ତାଓ , ସିଚ଼ୋ - ନୋ - ଲୋ , ତେନରିକ୍ଯୋ , କାଓ ଦାଇ , ଚ଼େନାଡ଼ୋ ମତ , ଜୁଚ଼ , କନଫ୍ଯୁଶୀବାଦ ଆଦି ଧର୍ମ ଉପରେ ଅସ୍ତିତ୍ବର ସଙ୍କଟ ରହିଛି । ପ୍ଯାଗା ନିଜମ , କ୍ଯାନେନିଟ୍ , ଏଟିନିଜମ୍ , ମିନୋୟନ , ଚ଼ର୍ବାକ , ମିଥରା , ମ୍ଯାନିକେସ୍ମ ବା ମାନି , ତଙ୍ଗରିଜମ୍ , ଅସୁରିଜମ୍ , ଅଲମେକ , ମୁଶରିକ , ସୱାଇନ , ଗ୍ଲାସ୍ତିମସ୍ମ , ଅହଲ ଇ ହକ୍କ , ସିଚ଼ୋ - ନୋ - ଲୋ , ତେନରିକ୍ଯୋ , କାଓ ଦାଇ , ୟୁନାନୀ , ସୁମେରିଆଇ ବା ଅଶ୍ଶୁର , ଇଜିପ୍ଟର ଧର୍ମ , ରୋମ୍ର ଧର୍ମ , ମାୟାର ଧର୍ମ ସବୁ ଲୋପ ପାଇ ଯାଇଛି । ଉପରୋକ୍ତ ଏହି ସବୁ ତଥ୍ୟ ଜି ନିଉଜ୍ (Zeenews)ର ଟ୍ରେଣ୍ଡିଙ୍ଗ୍ ଷ୍ଟୋରୀରୁ ପ୍ରାପ୍ତ କରିଛି ।
ମାନବ ଜୀବନର ଆଧାର ହେଲା ଧର୍ମ ; ଧର୍ମର ଆଧାରରେ ମଣିଷ ବଞ୍ଚେ ଓ ଜୀବନ ଧାରଣ କରେ । କିନ୍ତୁ ଏ ମାର୍ଗରୁ ବିଚ୍ଯୁତ ହୋଇ ଅଧର୍ମ ଆଚ଼ରଣ କରିବା ମହାଭୟଙ୍କର ପରିସ୍ଥିତିକୁ ନିମନ୍ତ୍ରଣ । ଧର୍ମରେ ଥିବା ସଂସ୍କାରକୁ ଆପଣାଅ , ବିକାର ବୋଲି ଅନୁଭବ ଆସୁଥିବା ଜିନିଷକୁ ନିଜ ଠାରୁ ଦୂରେଇ ଦିଅ ; କିନ୍ତୁ ସ୍ବଧର୍ମ ପରିତ୍ଯାଗ କରି ଅନ୍ଯ କେଉଁଥିରେ ଆଶ୍ରୟ ନିଅ ନାହିଁ । ତାହା କେବେ ବି ତୁମକୁ ଆନନ୍ଦ ପ୍ରଦାନ କରିବନି । ଆପଣା ଧର୍ମରେ ବ୍ରତୀ ହେବା ହିଁ ପୁଣ୍ଯ । ଧର୍ମ ମାନବ ସମାଜର ଆବଶ୍ୟକତା ଏବଂ ସବୁ ଧର୍ମ ସମାନ । ଧର୍ମ ଏକ ଅଦୃଶ୍ୟ ଶକ୍ତିକୁ ବିଶ୍ବାସ କରେ ଯାହାକୁ ଆମେ ଦୈବ ବା ଈଶ୍ୱର କହୁ । ଭଗବାନଙ୍କ ପ୍ରତି ଅତୁଟ ବିଶ୍ବାସ ହେଉଛି ଧର୍ମ । ଏଇ ପ୍ରବନ୍ଧଟିରେ ଆମେ ବୌଦ୍ଧ ଧର୍ମ ଉପରେ ଆଲୋକପାତ କରିବା ।
ବୌଦ୍ଧ ଧର୍ମ ଏମିତି ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା , ବିଶ୍ବାସ , ଆଚ଼ରଣ ରହିଛି ; ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ଖ୍ରୀ.ପୂ. ଷଷ୍ଠ ଓ ଚ଼ତୁର୍ଥ ଶତାବ୍ଦୀରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ପ୍ରଦାନ କରିଥିଲେ । ସେ ବୌଦ୍ଧବାଦୀ ମାନଙ୍କ ପାଇଁ ବୋଧି ବା ଜଣେ ଅଲୌକିକ ଗୁରୁ ; ଯିଏ ତାହାଙ୍କ ଜ୍ଞାନକୁ ଚ଼େତନା ରହିତ ଜନଙ୍କୁ ଅବିଦ୍ଯାର ବିନାଶ କରିବାର ଶିକ୍ଷା ପ୍ରଦାନ କରିଥିବା ଗୁରୁ ଭାବେ ଜଣା ଏବଂ ଯାହା ଏହି ସଂସାରର ଦୁଃଖ କ୍ଳେଶରୁ ତରିବାରେ ଜଣକୁ ସହଯୋଗ କରିଥାଏ । ଏହି ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ଗୌତମ ବୁଦ୍ଧ ; ବୌଦ୍ଧ ଧର୍ମ ବିଶ୍ବାସୀଙ୍କ ମଧ୍ୟେ ସର୍ବଶ୍ରେଷ୍ଠ ଥିଲେ ଧର୍ମ ସଂସ୍ଥାପକ ଗୌତମ ବୁଦ୍ଧ । "ବୁଧ ବା ବୁଦ୍ଧ" ଶବ୍ଦର ଅର୍ଥ ପାଲି ଭାଷାନୁସାରେ "ଉଠିଥିବା" ବା "ଆଲୋକିତ"କୁ ବୁଝାଇଥାଏ । ଅଶୋକଙ୍କର ଶିଳାଲେଖ , ଜଉଗଡ଼ର ଶିଳାଲେଖ ଓ ସେ ବେଳର ଓଡ଼ିଶାରେ ପ୍ରଚ଼ଳିତ ପାଲି ଭାଷାର ବ୍ଯବହାରରେ କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ "ତ୍ରିପିଟକ"ର ଭାଷାରୁ ପ୍ରମାଣ ମିଳେ ଯେ ଗୌତମ ବୁଦ୍ଧ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ବର ନିକଟସ୍ଥ କପିଳେଶ୍ବର ଜନପଦରେ ଜନ୍ମିଥିଲେ । ଆଉ କିଛି ଗବେଷକ ମତ ଦିଅନ୍ତି ନେପାଳର କପିଳବାସ୍ତୁ ଠାରେ ହୋଇଥିଲା । କପିଳବାସ୍ତୁର ଲୁମ୍ବିନୀ (ବର୍ତ୍ତମାନର ନେପାଳ) ଉପବନ ତାଙ୍କର ଜନ୍ମମାଟି ।
କପିଳବାସ୍ତୁ ଶାକ୍ଯ ବଂଶୀୟ କ୍ଷତ୍ରିୟ ମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା ଏବଂ ଏହାର ରାଜା ଥିଲେ ଗୌତମଙ୍କ ପିତା ଶୁଦ୍ଧୋଦନ । ଗୌତମଙ୍କ ମାତା ଥିଲେ ମାୟାଦେବୀ , ଯିଏକି ଗୌତମ ଜନ୍ମ ହେବାର ସାତଦିନ ପରେ ଇହଲୀଳା ସମ୍ବରଣ କରିଥିଲେ ; ମାତାଙ୍କ ମୃତ୍ଯୁ ପରେ ଗୌତମ ତାଙ୍କ ବିମାତା ଗୌତମୀଙ୍କ ଦ୍ବାରା ପରିପାଳିତ ହୋଇଥିଲେ । ରାଜପୁତ୍ର ହୋଇ ବି ରାଜକୀୟ ଭୋଗବିଳାସ ପ୍ରତି ସେ ଅନାକୃଷ୍ଟ ଥିଲେ ଓ ସଂସାର ବୈରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନାର୍ଥେ ପିତା ଶୁଦ୍ଧୋଦନ ତାଙ୍କୁ ଗୋପୀ ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟା ସହ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା ; ତଥାପି ମନର ପରିବର୍ତ୍ତନ ଘଟିଲାନି ତାଙ୍କର ।
କପିଳବାସ୍ତୁ ନଗର ପରିଭ୍ରମଣ କଲା ବେଳେ ଗୌତମ ଏକ ଜରାଜୀର୍ଣ୍ଣ ବ୍ଯକ୍ତି ଓ ଏକ ଶବ ଦେଖି ମନରେ ବିଷାଦ ପ୍ରାପ୍ତ କରିଥିଲେ । ମନୁଷ୍ଯର ଜନ୍ମ , ବାର୍ଦ୍ଧକ୍ୟ , ରୋଗ , ଦୁଃଖ , କ୍ଳେଶ , ମୃତ୍ଯୁ ଆଦି ବିଷୟ ଚ଼ିନ୍ତା କରି ସେ ବିଷାଦରେ ବୁଡ଼ି ଯାଇଥଲେ ; ଏଥିରୁ ମୁକ୍ତିର ଉପାୟ ଚି଼ନ୍ତା କରିବାକୁ ଲାଗିଲେ ଗୌତମ । ଦିନେ ସେ ପ୍ରସନ୍ନ ବଦନ ଜଣେ ସନ୍ନ୍ଯାସୀଙ୍କୁ ଦେଖି ଚ଼ିନ୍ତନ କଲେ , ସନ୍ନ୍ଯାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ; ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟା ବନ୍ଧନ ଛିନ୍ନ କରି ସମସ୍ତଙ୍କ ଅଗୋଚ଼ରରେ ରାଜପ୍ରାସାଦ ତ୍ଯାଗ କରିଥିଲେ । ରାଜ୍ୟ ପରିତ୍ଯାଗ ପରେ ସେ ଅନେମା ନଦୀତଟରେ ତପ କରିଥିଲେ ଓ ନିଜର ମୁଣ୍ଡନ କରାଇଥିଲେ । ଜ୍ଞାନ ପ୍ରାପ୍ତି ପାଇଁ ସେ ବହୁବର୍ଷ ପର୍ଯ୍ଯନ୍ତ ତପାଚ଼ରଣ କଲେ । ବିହାରରେ ରହଣି ବେଳେ ସେ ଏକ ସନ୍ନ୍ଯାସୀ ଅଲାର କଲାମଙ୍କ ଆଶ୍ରମରେ କିଛିଦିନ ରହି ସେଠାରୁ ବୋଧଗୟା ଯାଇଥିଲେ । ସେଠାରେ ଏକ ଅଶ୍ବତ୍ଥ ବୃକ୍ଷ ମୂଳରେ ନିଲୁହା ଛଅବର୍ଷ ଯାଏଁ ତପ ଆଚ଼ରିଲେ ; ବୈଶାଖ ପୂର୍ଣ୍ଣିମା ଦିନ ତାଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା । ସେ ଏମିତି ଏକ ଦୈବୀଶକ୍ତି ସମ୍ପନ୍ନ ଯିଏ ପୂର୍ଣ୍ଣିମା ତିଥିରେ ଜନ୍ମ , ପୂର୍ଣ୍ଣିମା ତିଥିରେ ଜ୍ଞାନପ୍ରାପ୍ତି କରିଥିଲେ । ସେ ତପସ୍ଯା କରିବା ବେଳେ ସୁଜାତା ନାମ୍ନୀ ଜନୈକ ମହିଳା ତାଙ୍କ ମନରେ ପୁତ୍ର ମନାସୀ ପ୍ରତ୍ଯହ କ୍ଷୀର ଚ଼ଢ଼େଇବା ପାଇଁ ଆସୁଥିଲେ ଏବଂ ସତକୁ ସତ ତାଙ୍କର ପୁତ୍ର ସନ୍ତାନ ହିଁ ହୋଇଥିଲା । ସେ କହିଥିଲେ - "ଯେପରି ମୋର ମନସ୍କାମନା ପୂର୍ଣ୍ଣ ହୋଇଗଲା , ସେପରି ତୁମର ବି ମନସ୍କାମନା ପୂର୍ଣ୍ଣ ହେବ ।" ସେହିଦିନ ରାତିରେ ତାଙ୍କୁ ଜ୍ଞାନପ୍ରାପ୍ତି ହୋଇ ସତର ବୋଧ ହୋଇଯାଇଥିଲା । ତା'ପରେ ସେ ଉପଦେଶ ପ୍ରଦାନ କରିବାକୁ ଲାଗିଲେ ; ତାଙ୍କର ପ୍ରଥମ ଦୁଇଜଣ ଶିଷ୍ଯ ଥିଲେ "ତପସ୍ୟା" ଓ "କାଲକୀ" ।
ଗୌତମଙ୍କର ବାଲ୍ଯ ନାମ ସିଦ୍ଧାର୍ଥ ଏବଂ ବାଲ୍ଯ ଗୁରୁ ଥିଲେ ବିଶ୍ବାମିତ୍ର , ତାଙ୍କ ଠାରୁ ସେ ବେଦ ଆଉ ଉପନିଷଦ ଶିକ୍ଷା ପ୍ରାପ୍ତ କରିଥିଲେ । ଯେଉଁ ଗଛ ମୂଳେ ତାଙ୍କର ଜ୍ଞାନପ୍ରାପ୍ତି ହେଲା , ସେ ଗଛକୁ ବୋଧିବୃକ୍ଷ ନାମରେ ନାମିତ କରାଗଲା ; ସେଠାରେ ତାଙ୍କର ଏକ ମନ୍ଦିର ନିର୍ମାଣ କରାଯାଇଛି । ବହୁ ଭକ୍ତ ସମାଗମ ପ୍ରତିବର୍ଷ ସେଠି ହେଉଛି । ଗୌତମ ବୁଦ୍ଧ ହିଂସାର ବିରୋଧୀ ଥିଲେ ; ଅହିଂସାକୁ ଶିରୋପରେ ଧାରଣ କରିବାକୁ ପରାମର୍ଶ ଦେଉଥିଲେ । ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କ ଅବତାର ବି ମଣାଯାଇଥାଏ । ଖ୍ରୀ.ପୂ. ୪୦୦ରେ ୮୦ ବର୍ଷ ବୟସରେ ନିର୍ବାଣ ପ୍ରାପ୍ତ କରିଥିଲେ ; ତାଙ୍କର ଶେଷ ସମୟ କୁସି ନଗରରେ ବିତିଥିଲା । ତାଙ୍କର ମୂଲ୍ଯବାନ ବାଣୀ ସବୁ ଆଜି ବି ଜନ ମାନସରେ ବିଦିତ । ସେ କହିଥିଲେ - "ଯେମିତି ମହମବତୀ ବିନା ନିଆଁରେ ଜଳିବ ନାହିଁ , ସେପରି ଆଧ୍ଯାତ୍ମିକ ବିନା ବି ଜୀବନ ବ୍ଯତିତ ହୋଇପାରିବ ନାହିଁ ।" ପୁଣି ସେ କହିଥିଲେ - "ଆମେ ଭାବନ୍ତି ଆଜି ଯେଉଁ କାର୍ଯ୍ଯ କରିନାହାନ୍ତି କାଲି ସେ କାର୍ଯ୍ୟ କରିବା ମାତ୍ରେ ଯୋଉ ସମୟ ବିତି ଯାଇଥାଏ , ତାହା ଆଉ ଆସେନି ; ସେଥିପାଇଁ ଠିକ୍ ବେଳେ କାର୍ଯ୍ଯ କରିବା ଉଚିତ୍ । ଯାହା ଆମ ଚ଼ିନ୍ତାଧାରା ହୋଇଥାଏ ସେହିପରି ଆମେ ବଡ଼ ହୋଇଥା'ନ୍ତି ; ସେଥିପାଇଁ ନିଜ ଚ଼ିନ୍ତାଧାରା ସକରାତ୍ମକ ହେବା ଯଥୋଚ଼ିତ ।" ସବୁଠୁ ମୂଲ୍ଯବାନ କଥାଟେ କହିଥିଲେ - "ଯଦି ଆପଣ ରାଗରେ ଥା'ନ୍ତି ତେବେ ଆପଣଙ୍କ ଶବ୍ଦ ହିଁ ଆପଣଙ୍କୁ ଧୋକା ଦିଏ । ରାଗ ଆପଣଙ୍କ ଶତ୍ରୁକୁ ଓ ଆପଣଙ୍କୁ , ଉଭୟଙ୍କୁ ମାରିଥାଏ ; ସେଲାଗି କ୍ରୋଧତ୍ଯାଗୀ ହେବା ଉଚିତ୍ । ଜିଭ ଏକ ଛୁରୀ ସଦୃଶ ଯାହା ବିନା ରକ୍ତ କାଢ଼ି ଜଣଙ୍କୁ ମାରିଦିଏ । ହଜାରେ ଖରାପ ଶବ୍ଦ କହିବା ବ୍ଯତୀତ ଏକ ଭଲ ଶବ୍ଦ କହିବା ଆବଶ୍ଯକ ।"
ତାଙ୍କ କହିବାନୁସାରେ - "ସୂର୍ଯ୍ଯ , ଚ଼ନ୍ଦ୍ର ଓ ସତ୍ଯ - ଏ ତିନୋଟି ଅଧିକ ସମୟ ଯାଏଁ ଲୁଚି଼ ପାରେନି । / ଶରୀର ଭଲ ରଖିବା ଆମ କାମ , ଯଦ୍ଦ୍ବାରା ମନ ବି ଭଲ ରହିଥାଏ । / ଆପଣଙ୍କ ପାଖରେ ଯାହା ଅଛି ତାକୁ ବଢ଼େଇ ଛଡ଼େଇ କୁହନ୍ତୁନି । / ଆପଣଙ୍କ ମୋକ୍ଷ ପାଇଁ ସ୍ବୟଂ ଚ଼େଷ୍ଟା କରନ୍ତୁ , କାହା ଉପରେ ନିର୍ଭରଶୀଳ ହୁଅନ୍ତୁ ନାହିଁ । / ମନୁଷ୍ଯ ଓ ପଶୁ ସହ ପ୍ରେମର ସହିତ ରୁହନ୍ତୁ । / ଧନ ସଞ୍ଚୟ କରନ୍ତୁ , ମିଥ୍ଯାଭାଷୀ ହୁଅନ୍ତୁ ନାହିଁ । / ନିଶା ସେବନ କରନ୍ତୁନି । / କୌଣସି ଜୀବର ହତ୍ଯା କରନ୍ତୁନି । / ଅନ୍ଯକୁ ସମ୍ପତ୍ତିର ଲାଳସା ଦେଖାନ୍ତୁ ନାହିଁ । / ଟୋପା ଟୋପା ପାଣିରେ ମାଠିଆ ଭରିଥାଏ । / କାମନାର ବିନାଶରେ ଦୁଃଖର ବିନାଶ ।" ତାଙ୍କର ଦଶଟି ପ୍ରଚ଼ଳିତ ବିଚ଼ାର ନିମ୍ନରେ ଦିଆଗଲା , ଯାହା ମଧ୍ୟେ ସୁଖୀ ଓ ସଫଳ ଜୀବନର ସୂତ୍ର ଲୁକ୍କାୟିତ ଅଛି ।
୧/ ଣେପରି ତୁଫାନ ଏକ ମଜବୁତ ପଥରକୁ ଭାଙ୍ଗି ପାରେନି , ଠିକ୍ ସେହିପରି ବୁଦ୍ଧିମାନ ବ୍ଯକ୍ତି ନିଜର ତାରିଫ ବା ଆଲୋଚ଼ନାରେ ପ୍ରଭାବିତ ହୁଅନ୍ତିନି ।
୨/ ଇର୍ଷା ଓ ନଫରତର ନିଆଁରେ ଜଳିବା ବେଳେ ଏ ସଂସାରେ ଖୁସି ଓ ଶାନ୍ତି ଅସ୍ଥାୟୀ ଥାଏ ; ଯଦି ଆପଣ ଅନ୍ଧାର ଭିତରେ ବୁଡ଼ି ରହିଥା'ନ୍ତି ତେବେ ଆପଣ ରଶ୍ମିକୁ ଖୋଜୁନାହାନ୍ତି କାହିଁକି !
୩/ ଜଣେ ଉଜାଗର ଥିବା ବ୍ଯକ୍ତିକୁ ରାତ୍ରି ବଡ଼ ଲମ୍ବା ଲାଗିଥାଏ , ଜଣେ କ୍ଳାନ୍ତ ବ୍ଯକ୍ତିକୁ ନିଜ ରାସ୍ତା ବଡ଼ ଦୂର ଲାଗେ , ସେହିପରି ସତ୍ଯ-ଧର୍ମ ଠାରୁ ଦୂରରେ ରହିଥିବା ବ୍ଯକ୍ତିଙ୍କ ପାଇଁ ଜୀବନ - ମୃତ୍ଯୁର ସିଲସିଲା ମଧ୍ୟ ସେତିକି ଲମ୍ବା ହୋଇଥାଏ ।
୪/ ଅତୀତରେ ଧ୍ଯାନ କେନ୍ଦ୍ରିତ ନକରିବା ଉଚିତ୍ , ଭବିଷ୍ୟ ପାଇଁ ସ୍ବପ୍ନ ନଦେଖିବା ଉଚିତ୍ ; କେବଳ ସ୍ବ ବୁଦ୍ଧିକୁ କେନ୍ଦ୍ରିତ କରିବା ଆବଶ୍ୟକ ।
୫/ ଜଣେ ମୂର୍ଖ କୌଣସି ବୁଦ୍ଧିମାନ ବ୍ଯକ୍ତି ସହ ରହିଲେ ମଧ୍ୟ ନିଜ ଜୀବନରେ ସତ୍ଯକୁ ସେହିପରି ଦେଖିବ ନାହିଁ , ଯେପରି ଏକ ଚ଼ାମଚ଼ ସୁପ୍ର ସ୍ବାଦର ଆନନ୍ଦ ନେଇପାରେନା ।
୬/ ଖରାପ ଅବଶ୍ଯ ରହିବା ଉଚିତ୍ , କାରଣ ଭଲ ତା' ଉପରେ ନିଜର ପବିତ୍ରତାକୁ ସାବିତ୍ କରିପାରିବ ।
୭/ ମୃତ୍ଯୁ ଏକ ବିଚ଼ଳିତ ମନ ଭଳି ବ୍ଯକ୍ତିକୁ ସେପରି ବୁହାଇ ନେଇଯାଏ , ଯେପରି ନଈବଢ଼ି ଏକ ଗାଁକୁ ନିଦ୍ରିତବସ୍ଥାରେ ଲୋକମାନେ ଭାସିଯା'ନ୍ତି ।
୮/ ଆପଣ ଇର୍ଷା - ରାଗ ଭାବ ପାଇଁ ଦଣ୍ଡିତ ହୁଅ ନାହିଁ , ଆପଣ ନିଜ ରାଗ ଭାବ ଦ୍ବାରା ହିଁ ଦଣ୍ଡିତ ହୋଇଥାଅ ।
୯/ ଆମ ମନ ହିଁ ସବୁକିଛି , ତୁମେ ଯେପରି ଭାବୁଛ ବା ଚ଼ିନ୍ତା କରୁଛ ଠିକ୍ ସେହିପରି ହୋଇଯାଉଛ ।
୧୦/ ସମସ୍ତ ବ୍ଯକ୍ତି ନିଜର ସ୍ବାସ୍ଥ୍ୟ ବା ରୋଗର ଲେଖକ ହୋଇଥା'ନ୍ତି ।
ଏହିପରି ଅନେକ ଉପାଦେୟ ବାଣୀ ଗୌତମ ବୁଦ୍ଧଙ୍କ ଠାରୁ ମିଳୁଥିଲା । ତାଙ୍କର ଜୀବନ କାଳରେ କୌଣସି ଲିଖିତ ବାଣୀ ଥିବାର ପ୍ରମାଣ ନାହିଁ ; ଜନମୁଖରେ ହିଁ ତାଙ୍କର ସବୁ ବାଣୀ ପ୍ରଚ଼ାର ଓ ପ୍ରସାର ହୋଇଥିଲା । ପରବର୍ତ୍ତୀ କାଳରେ "ଗାନ୍ଧରଣ ପାଲି" ଭାଷାରେ ତାଙ୍କ ଲେଖା ବିଭିନ୍ନ ବୌଦ୍ଧ ବିଜ୍ଞଙ୍କ ଦ୍ବାରା ଲେଖା ଯାଇଥିଲା , ଯାହାର ପାଣ୍ଡୁଲିପି ପରବର୍ତ୍ତୀ କାଳରେ ଉଦ୍ଧାର ହୋଇ ବର୍ତ୍ତମାନ ବ୍ରିଟିଶି ଲାଇବ୍ରେରୀରେ ଅଛି । ବକଳ ପତ୍ର ଉପରେ ବି ଲିପିବଦ୍ଧ ହୋଇଥିବା ବାଣୀ ଉପଲବ୍ଧ ଥିଲା । "ଆଧୁନିକ ଜାତକ କଥା"ରେ ବି ବୁଦ୍ଧଙ୍କର ଅନେକ ବାଣୀ ରହିଛି । ତାଙ୍କର ଜ୍ଞାନପ୍ରାପ୍ତ ପରେ ବି ସେ ଭାରତ , ନେପାଳ ଆଦି ଭ୍ରମଣ କରି ଅଧିକ ଜ୍ଞାନ ଆହରଣ ସହ ଜ୍ଞାନ ବିତରଣ ବି କରୁଥିଲେ । ବୁଦ୍ଧ ନିଜେ ଅନିଚ୍ଛୁକ ଥିଲେ ବୈଧାନିକ ସଙ୍ଗଠନ ଗଢ଼ିଉଠୁ ବୋଲି ; କିନ୍ତୁ ତାଙ୍କର ସସ୍ର ସସ୍ର ଅନୁଗାମୀ ହୋଇଗଲେ । ତାଙ୍କ ମତାନୁସାରେ - "ପ୍ରକୃତ ଭାଷା ନିରବତାରେ ହିଁ ପ୍ରାପ୍ତ ହୁଏ । ଏଥିଲାଗି କୌଣସି ମୂର୍ତ୍ତିପୂଜା ବା ଧର୍ମ ଅନୁଷ୍ଠାନର ଆବଶ୍ଯକତା ନାହିଁ ।" ସରଳ ଗଳ୍ପ ବଖାଣି ସେ ତାଙ୍କ ନୀତିବାଣୀର ଆବଣ୍ଟନ କରୁଥିଲେ । ସେ ଏକ ମହାନ କଥା କହିଥିଲେ - "ଅପମାନିତ ବ୍ଯକ୍ତି ଉତ୍ତେଜିତ ନହୋଇ ବା କ୍ରୋଧିତ ନହୋଇ ନିଜକୁ ସନ୍ତୁଳିତ କରୁଥିବା ଲୋକ ବାସ୍ତବରେ ବୁଦ୍ଧିମାନ ।"
ଜନଶ୍ରୁତିରୁ ଯାହା ଜଣାଯାଏ , ବୁଦ୍ଧଦେବ ଜଣେ ଜାପାନୀ ଶିଷ୍ୟ ଥିଲେ ଓ ତାଙ୍କର ନାମ ହୋତଇ ଥିଲା । ଜ୍ଞାନ ପ୍ରାପ୍ତ ପରେ ହୋତଇ ବହୁ ଜୋରରେ ହସିବାକୁ ଲାଗିଲେ ଏବଂ ତା' ପରଠୁ ଅନ୍ଯ ମାନଙ୍କୁ ହସାଇବା ସହ ତାଙ୍କୁ ଖୁସି ରହିବାର ଦେଖିବାର ଉଦ୍ଦେଶ୍ଯ ତାଙ୍କର ଥିଲା । ଏହି କାରଣରୁ ଜାପାନ ଓ ଚ଼ୀନ୍ର ଲୋକମାନେ ତାଙ୍କୁ ଲାଫିଙ୍ଗ୍ ବୁଦ୍ଧ (ହସୁଥିବା ବୁଦ୍ଧ) କହିବାକୁ ଲାଗିଲେ । ତାଙ୍କ ମାର୍ଗଦର୍ଶନରେ ଚ଼ାଲୁଥିବା ଲୋକ ବି ଅନ୍ଯ ମାନଙ୍କୁ ହସାଇବା ସହ ଖୁସି ଦେବାର ଉଦ୍ଦେଶ୍ଯ ରଖୁଥିଲେ । ଚ଼ୀନ୍ରେ ହୋତଇଙ୍କୁ ପୁତଇ ନାମରେ ଜାଣନ୍ତି ଓ ତାଙ୍କୁ ପେଙ୍ଗସୁଇର ଭଗବାନ ବୋଲି ବିଶ୍ବାସ କରନ୍ତି । ଜନଶ୍ରୁତି ଅନୁସାରେ ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତି ଘରେ ରଖିଲେ ସୁଖ ଶାନ୍ତି ଆସେ ଓ ଭାଗ୍ଯରେ ପରିବର୍ତ୍ତନ ହୁଏ ।
ଆଉ କିଛି ଐତିହାସିକ ମତବ୍ୟକ୍ତ କରନ୍ତି , ସେ ଗୃହତ୍ୟାଗ ପରେ ବୋଧଗୟାର ଏକ ପିପ୍ପଳ ବୃକ୍ଷ ମୂଳରେ ବୁଦ୍ଧତ୍ବ ପ୍ରାପ୍ତ କରିଥିଲେ ଏବଂ ବାରଣାସୀ ନିକଟସ୍ଥ ସାରନାଥ ଠାରେ ତାଙ୍କର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ । ସେ କହିଥିଲେ - "ଅଷ୍ଟାଙ୍ଗ ମାର୍ଗ ଅନୁରଣରେ ବିଷାଦର ବିନାଶ ।" ସେ ଅଷ୍ଟାଙ୍ଗ ମାର୍ଗ ଗୁଡ଼ିକ ହେଲା - "ସମ୍ଯକ ଦୃଷ୍ଟ , ସମ୍ଯକ ସଙ୍କଳ୍ପ , ସମ୍ଯକ କର୍ମ , ସମ୍ଯକ ଜୀବିକା , ସମ୍ଯକ ଉଦ୍ଯମ , ସମ୍ଯକ ସ୍ମୃତି ଓ ସମ୍ଯକ ଧ୍ଯାନ ।" ସେ ଏ ମାର୍ଗକୁ ମଧ୍ୟମ ମାର୍ଗ ବୋଲି ବର୍ଣ୍ଣନା କରିଥିଲେ ; ଯାହା ଅତ୍ଯଧିକ ବିଳାସ ବ୍ଯସନ ଏବଂ କଠୋର ସନ୍ନ୍ଯାସ ବ୍ରତଠୁ ଦୂରରେ ଥିଲା । ସେ ତାଙ୍କର ଅନୁଗାମୀ ମାନଙ୍କର୍ଥେ ଏକ ନୈତିକ ଆଚ଼ରଣ ବିଧି ଅହିଂସା ପାଳନ କରିବା , ଚ଼ୋରୀ ନକରିବା ଆଦି ନିୟମ ପ୍ରଣୟନ କରିଥିଲେ ।
ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ବର ନିକଟସ୍ଥ ଦୟାନଦୀ କୂଳରେ ଭୟାନକ କଳିଙ୍ଗ ଯୁଦ୍ଧରେ ସେ ଯାଏଁ ଅପରାଜିତ ଥିବା କଳିଙ୍ଗ ଦଖଲ କରିଥିଲେ । ଏ ଯୁଦ୍ଧର ଭୟାବହତା ତାଙ୍କୁ ବହୁଳ ମାତ୍ରାରେ ପ୍ରଭାବିତ କରିଥିଲା ; ସେ ବିଷାଦ ଚ଼ିତ୍ତରେ ଯୁଦ୍ଧ ପରିତ୍ଯାଗ କରି ଅହିଂସା ପଥର ପଥିକ ହୋଇ ଭାରତ ବାହାରେ ବୌଦ୍ଧ ଧର୍ମର ପ୍ରଚ଼ାର ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କଲେ । ଅଶୋକଙ୍କୁ କୁହାଯାଉଥିଲା "ଦେବାନାଂ ପ୍ରିୟଦର୍ଶୀ" । ଏହି କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚ଼ଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇ ବୌଦ୍ଧ ଧର୍ମର ପ୍ରଚ଼ାର ପ୍ରସାର କଲେ । ସେ ଥିଲେ "ଅହିଂସା ପରମ ଧର୍ମ" ନୀତିର ପ୍ରବକ୍ତା । କଳିଙ୍ଗ ଯୁଦ୍ଧ ବୌଦ୍ଧ ତଥା ପୃଥିବୀ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏ ଯୁଦ୍ଧରେ ଏକଲକ୍ଷ ଲୋକ ନିହତ ଓ ଦେଢ଼ଲକ୍ଷ ଲୋକ ବନ୍ଦି ହୋଇ ଦେଶାନ୍ତର ହୋଇଥିଲେ ; ସେହି ସଂଖ୍ୟକ ଲୋକ ଯୁଦ୍ଧ ପରେ ଆହତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୁଖରେ ପଡିଥିଲେ । ସେ ଅନୁଭବ କରିଥିଲେ - ହିଂସା ପ୍ରଣୋଦିତ ତରବାରୀର ଜୟ ପ୍ରକୃତ ଜୟ ନୁହେଁ , ମାନବ ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ । ଉପଗୁପ୍ତ ନାମକ ଜନୈକ ବୌଦ୍ଧ ସନ୍ନ୍ଯାସୀଙ୍କର ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ଯ ଆଉ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମନିୟୋଗ ହେଲେ ।
ସଂସ୍କୃତରେ 'ଅଶୋକ'ର ଅର୍ଥ ଯନ୍ତ୍ରଣାହୀନତା ; ନିଜ ଯନ୍ତ୍ରଣାକୁ ହୀନ କରି ନିଜ ନାମକୁ ପ୍ରତିପାଦିତ କରି ପାରିଥିଲେ ବୌଦ୍ଧ ଧର୍ମର ପ୍ରଚ଼ାର ପ୍ରସାର କରି । ତାଙ୍କ ସାମ୍ରାଜ୍ୟର ଚ଼ିହ୍ନ "ଅଶୋକ ସ୍ତମ୍ଭ" ଆଜି ଭାରତର ରାଷ୍ଟ୍ରୀୟ ଚ଼ିହ୍ନ ଭାବେ ପରିଚ଼ିତ । ବୌଦ୍ଧ ଧର୍ମର ଚ଼ାରୋଟି ଶ୍ରେଣୀ ଯଥା - ଥେରବାଦ , ମହାଯାନ , ବଜ୍ରଯାନ , ସହଜ ଯାନ ଅଛି । ଅଶୋକଙ୍କ ବୌଦ୍ଧ ଗୁରୁ ଉପଗୁପ୍ତ ଥିଲେ ମଥୁରାର ବାସିନ୍ଦା । ଅଶୋକ ସ୍ବୟଂ ପ୍ରଚ଼ାର କରିବା ସହ ନିଜ ପ୍ରଶାସନରେ ଧର୍ମ ମହାପାତ୍ର (ଅଧିକାରୀ) ନିଯୁକ୍ତ କରି ତାଙ୍କୁ ଶାନ୍ତିର ଆଦର୍ଶ ପ୍ରଚ଼ାରାର୍ଥେ ବିଭିନ୍ନ ଦେଶକୁ ପ୍ରେରଣ କଲେ । ସେ ପ୍ରଜାଙ୍କୁ ପିତୃତୁଲ୍ଯ ବ୍ଯବହାର କରିବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ଯ ପ୍ରାଣୀ ମାନଙ୍କ ପ୍ରତି ଦୟା ପରବଶ ହେବାକୁ ନିଜ ଅନୁଶାସନରେ ପରାମର୍ଶ ଦେଲେ । କଳିଙ୍ଗ ଯୁଦ୍ଧ ପୂର୍ବରୁ ଅର୍ଥାତ୍ ଅଶୋକ ସିଂହାସନରେ ବସିବା ବେଳେ ବୌଦ୍ଧ ଧର୍ମ ମଗଧ ଓ ତା'ର ପାଖାପାଖି ରାଜ୍ଯ ଯାଏଁ ସୀମିତ ଥିଲା । ଯୁଦ୍ଧ ପୂର୍ବରୁ ତାଙ୍କ ପୂର୍ବଜ ଚ଼ନ୍ଦ୍ରଗୁପ୍ତ ଓ ବିନ୍ଦୁସାର ମଧ୍ୟ ବୌଦ୍ଧ ଧର୍ମ ଗ୍ରହଣ କରିନଥିଲେ । ଚ଼ନ୍ଦ୍ରଗୁପ୍ତଙ୍କର ଜୈନ ଧର୍ମ ପ୍ରତି ଆକର୍ଷଣ ଥିଲା । ଗୌତମ ବୁଦ୍ଧଙ୍କ ସମୟରେ ମଗଧ ତଥା ଅନଯ କେତେକ ମହାଜନପଦରେ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ବୌଦ୍ଧ ଧର୍ମ ରାଜ ଅନୁଗ୍ରହ ପ୍ରାପ୍ତ ହୋଇଥିଲା । ଅଶୋକଙ୍କ ଉଦ୍ଯମରେ ଏ ଧର୍ମ ବିଭିନ୍ନ ଅଞ୍ଚଳ ତଥା ବିଦେଶକୁ ପ୍ରସାରିତ ହେଲା । ଯୁଦ୍ଧ ପରେ ଅଶୋକ ସେନାବାହିନୀ ଭଙ୍ଗ କରି ନଥିଲେ ଓ କଳିଙ୍ଗକୁ ବି ତ୍ଯାଗ ନକରି ମଗଧ ସାମ୍ରାଜ୍ୟର ପ୍ରତ୍ଯକ୍ଷ ଶାସନାଧିନ କରିଥିଲେ ବୋଲି ପ୍ରମାଣ ମିଳେ । ପରାଜୟ ପରେ କଳିଙ୍ଗ ମଗଧର ପଞ୍ଚମ ପ୍ରଦେଶ ଭାବେ ଶାସିତ ହେଲା ଏବଂ ତୋଷାଳୀ ଥିଲା ଏହାର ମୁଖ୍ୟ ରାଜଧାନୀ ଆଉ ସମାପା ଥିଲା ଦ୍ବିତୀୟ ରାଜଧାନୀ । ଆରମ୍ଭରେ କଳିଙ୍ଗ ଅଶୋକଙ୍କ ପ୍ରତ୍ଯକ୍ଷ ନିୟନ୍ତ୍ରଣରେ ଚ଼ାଲିଥିଲା ; ଫଳତଃ ମଗଧର ଅନ୍ଯାନ୍ଯ ପ୍ରାଦେଶିକ ରାଜଧାନୀ ତକ୍ଷଶିଳା , ଉଜ୍ଜୟିନୀ ଓ ସୁବର୍ଣ୍ଣଗିରି ପରି କଳିଙ୍ଗର ମୁଖ୍ଯ ରାଜଧାନୀ ତୋଷାଳୀର ବି ମହତ୍ତ୍ୱ ବୃଦ୍ଧି ହେଲା । ପରବର୍ତ୍ତୀ କାଳେ କଳିଙ୍ଗକୁ ଅଶୋକଙ୍କର ପ୍ରତିନିଧି ରୂପେ ଜଣେ ମଗଧର ରାଜକୁମାର ଶାସନ କଲେ , ଯାହାର ନାମ କୁମାରମନ୍ଯ ଥିଲା । ଏ ତ ଗଲା ଅଶୋକଙ୍କ କଥା , ବାବା ସାହେବ ଆମ୍ବେଦକର ବି ବହୁ ତର୍ଜମା ପରେ ନାଗପୁର ଠାରେ ପାଞ୍ଚଲକ୍ଷ ଅନୁଗାମୀଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରି ଭାରତୀୟ ବୌଦ୍ଧ ମହାସଭା ପ୍ରତିଷ୍ଠା କରିଥିଲେ । ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ଦିନଟି ଘଟଣାକ୍ରମେ ଦଶହରା ପର୍ବରେ ପରିଣତ ହୋଇଛି ବୋଲି ଶୁଣିବାକୁ ମିଳେ ।
ଡ଼ାଃ. ଆମ୍ବେଦକର ଦୀକ୍ଷା ଗ୍ରହଣ କରିବା ଜାଗାଟି ଦୀକ୍ଷାଭୂମିରେ ପରିଣତ ହୋଇଛି ; ପ୍ରତିବର୍ଷ ଅନେକ ଜନ ସମାଗମ ପୃଥିବୀର ବିଭିନ୍ନ ଜାଗାରୁ ସେହି ସ୍ଥାନରେ ହୋଇଥାଏ ଏବଂ ବୁଦ୍ଧଦେବ ତାଙ୍କର ପ୍ରଥମ ପାଞ୍ଚଜଣ ଅନୁଗାମୀଙ୍କୁ ଦୀକ୍ଷା ଦେଇଥିବା ଦିନଟି ବି ଧର୍ମଚ଼କ୍ର ପରିବର୍ତ୍ତନ ଦିବସ ରୂପେ ପାଳନ କରାଯାଏ । ସାରା ପୃଥିବୀକୁ ଭାରତ ବୁଦ୍ଧଙ୍କୁ ଦେଇଥିଲେ ବି ନିଜ ଦେଶରେ ତା' ବିଲୋପ ହେବାକୁ ଯାଉଥିଲା । ଧର୍ମାତ୍ମା ଅନାଗରିକ ଧର୍ମପାଳ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମକୁ ଖ୍ରୀଷ୍ଟ ମାନଙ୍କ ପ୍ରଭାବରୁ ରକ୍ଷା କରିବା ସହିତ ଭାରତ ଆସି ବୌଦ୍ଧ ଧର୍ମ ଓ ତା' କିର୍ତ୍ତୀରାଜିକୁ ରକ୍ଷା କରିଥିଲେ । ସେ ଭାରତରେ "ମହାବୋଧି ସୋସାଇଟି ଅଫ ଇଣ୍ଡିଆ" ପ୍ରତିଷ୍ଠା କରି ଭାରତୀୟ ବୌଦ୍ଧକୀର୍ତ୍ତି ଗୁଡ଼ିକର ଉଦ୍ଧାର ଓ ସଂରକ୍ଷଣ ସହିତ ବହୁ ସ୍ଥାନରେ ବୁଦ୍ଧବିହାରମାନ ପ୍ରତିଷ୍ଠା କରିଥିଲେ ; ତାଙ୍କ ନିର୍ଦ୍ଦେଶେ ଅନୁପ୍ରାଣିତ ହୋଇ ଅନେକ ଅନେକ ଅବହେଳିତ ଓ ସଚେତନ ଜନତା ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ମହାତ୍ମାଗାନ୍ଧୀ ହିନ୍ଦୁ ଧର୍ମରେ ଅଟଳ ବିଶ୍ବାସ ରଖୁଥିଲେ ବି ବୁଦ୍ଧଙ୍କ ନୀତି ଆଦର୍ଶରେ ଅହିଂସା ସଂଗ୍ରାମ କରି ଭାରତରେ ସ୍ବାଧୀନତା ଆଣିଥିଲେ । ବୌଦ୍ଧ ଧର୍ମ ଗ୍ରହଣ ପରେ ଅଶୋକ ୧୯୭୦ରେ ଜାପାନ ବୁଦ୍ଧ ସଂଙ୍ଘ ଓ କଳିଙ୍ଗ ବୁଦ୍ଧ ସଂଙ୍ଘର ମିଳିତ ପ୍ରଚ଼େଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତିସ୍ତୁପ ତୋଳାଇଥିଲେ । ବୌଦ୍ଧ ଧର୍ମ ଭାରତର ଶ୍ରମଣ ପରମ୍ପରା ଅନ୍ତର୍ଗତ ମହାନ ଧର୍ମ ଓ ଦର୍ଶନ । ଚ଼ୀନ୍ , ଜାପାନ୍ , ଭିଏତ୍ନାମ୍ , ଥାଇଲାଣ୍ଡ , ମିଆଁମାର , ଭୂଟାନ , ଶ୍ରୀଲଙ୍କା , କାମ୍ବୋଡ଼ିଆ , ମାଙ୍ଗୋଲିଆ , ଲାଓସ , ସିଙ୍ଗାପୁର , ଦକ୍ଷିଣ କୋରିଆ , ଉତ୍ତର କୋରିଆ ସମେତ ୧୩ଟି ଦେଶରେ ଏ ଧର୍ମ ପ୍ରମୁଖ ଧର୍ମ ଅଟେ । ଭାରତ , ନେପାଳ , ରୁଷ୍ , ଆମେରିକା , ଇଣ୍ଡୋନେସିଆ , ଅଷ୍ଟ୍ରେଲିଆ , ବ୍ରୁନେଇ , ମାଲେସିଆ ଆଦି ଦେଶ ମାନଙ୍କରେ ବହୁସଂଖ୍ୟାର ଲୋକ ଏହି ଧର୍ମାନୁସରଣକାରୀ ଅଟନ୍ତି । ବିଶ୍ବାମିତ୍ର ବ୍ଯତୀତ ବୁଦ୍ଧଙ୍କର ଆହୁରି ପ୍ରମୁଖ ଗୁରୁ ଅଲରା , କଲାମ , ଉଦ୍ଦାକା , ରାମାପୁତ୍ତ ଆଦି ଥିଲେ ।
ବୁଦ୍ଧଙ୍କର ପ୍ରମୁଖ ଶିଷ୍ୟ ଥିଲେ ଆନନ୍ଦ , ଅନିରୁଦ୍ଧ , ମହାକଶ୍ଯପ , ରାନୀ ଖେମା (ମହିଳା), ମହାପ୍ରଜାପତି (ମହିଳା) , ଭଦ୍ରିକା , ଭୃଗୁ , କିମ୍ବାଲ , ଦେବଦତ୍ତ , ଉପାଲୀ ଆଦି ଏବଂ ପ୍ରମୁଖ ପ୍ରଚ଼ାରକ ଭାବରେ ଅଙ୍ଗୁଳିମାଳ , ମିଲିନ୍ଦ୍ର (ୟୁନାନୀ ସମ୍ରାଟ), ସମ୍ରାଟ ଅଶୋକ , ହ୍ବେନସାଂ , ଫା ଶ୍ଯେନ , ଇ ଜିଂଗ , ହେ ଚ଼ୋ , ବୋଧିସତ୍ବ ପ୍ରଭୃତି । ନବଯାନ ସମ୍ପ୍ରଦାୟ ପୂର୍ଣ୍ଣତଃ ଶୁଦ୍ଧ। , ମାନବବାଦୀ ଏବଂ ବିଜ୍ଞାନବାଦୀ ; ଭାରତରେ ବୌଦ୍ଧ ଧର୍ମର ଏହି ନବଯାନ ସମ୍ପ୍ରଦାୟ ରହିଛି । ଯେଉଁମାନେ ବୌଦ୍ଧ ଧର୍ମର ମୌଳିକ ସଭ୍ୟ ହେଉଥିଲେ ସେହିମାନେ ତିନୋଟି ଧାଡ଼ିର ଶପଥପାଠ କରୁଥିଲେ , ଯାହା ଥିଲା ସଂସ୍କୃତ ଭାଷାରେ । ତାହା ହେଲା - "ବୁଦ୍ଧଂ ଶରଣଂ ଗଚ୍ଛାମି , ଧର୍ମଂ ଶରଣଂ ଗଚ୍ଛାମି , ସଂଙ୍ଘଂ ଶରଣଂ ଗଚ୍ଛାମି ।" ପୂର୍ବରୁ ଦୀକ୍ଷିତ ବ୍ଯକ୍ତି ନବାଗତଙ୍କୁ ଏହି ଶପଥପାଠ କରାଉଥିଲେ । ପୂର୍ଣ୍ଣିମା ତିଥିରେ ବୁଦ୍ଧଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିବାରୁ ସେ ଦିନଟିକୁ ବୁଦ୍ଧ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଦ୍ବାଦଶ ଶତାବ୍ଦୀର ବିଶ୍ବବଖ୍ଯାତ କବି ଜୟଦେବ ତାଙ୍କ ସୁପ୍ରସିଦ୍ଧ ଲେଖା "ଗୀତଗୋବିନ୍ଦ"ରେ ଜଗନ୍ନାଥଙ୍କୁ "ବୁଦ୍ଧ ଶରୀର" ରୂପେ ବନ୍ଦନା କରିଛନ୍ତି ; ସେ ଲେଖିଛନ୍ତି :- "କେଶବଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ ।" ଓଡ଼ିଆ ଭକ୍ତକବି ସାରଳା ଦାସ ଜଗନ୍ନାଥଙ୍କୁ ବୁଦ୍ଧ ଅବତାର କହି ଲେଖିଛନ୍ତି ମହାଭାରତରେ :-
"ପୁରୁଷୋତ୍ତମ ନଗର ମହୋଦଧି ତୀରେ
ନୀଳଗିରି ପରବତ ଅଛି ତା' ସ୍ଥାନରେ ।
ଦେଉଳ ଭିତରେ ସିଂହାସନେ ବିଜେ ହୋଇ
ବୌଦ୍ଧ ରୂପରେ ପ୍ରଭୁ ଶଙ୍ଖ ଚ଼କ୍ର ବହି ।"
ସେହି ମହାଭାରତରେ ପୁନରାୟ ଆଉ ଗୋଟିଏ ପଦ ରହିଛି ଠିକ୍ ଏହିପରି :-
"ସେ ଜଗନ୍ନାଥ ଯେ ସଂସାର ଉଦ୍ଧାରଣ
ମ୍ଳେଚ୍ଛଜନ ଉଦ୍ଧାରଣେ ସେ ବଉଦ ରୂପେଣ ।"
"ଗରୁଡ଼ ଗୀତା"ରେ ଶ୍ରୀ ଅଚ୍ଯୁତାନନ୍ଦ ଦାସ ୧୬ଶ ଶତାବ୍ଦୀରେ ରଚ଼ନା କରିଛନ୍ତି :-
"ଶ୍ରୀ ନୀଳକନ୍ଦରେ ବିଜେ କରିଅଛ ବଉଧ ରୂପ ବହିଛ
ଭକତ ନିମନ୍ତେ ତୁମ୍ଭର ଏ ସବୁ ଭିଆଣ ପ୍ରଭୁ ଶ୍ରୀବତ୍ସ ।"
ପୁଣି ସେ କହିଛନ୍ତି ଶୂନ୍ଯ ସଂହିତାରେ :-
"ଅବତାର ଦଶ ଏହି ଦାରୁ ରୂପ ଏହି ଦାରୁରେ ସେ ଲୀନ ,
ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ ବିଜେ ରତ୍ନସିଂହାସନ ।"
ବୌଦ୍ଧ ଧର୍ମରେ ଯେଉଁ ଚ଼କ୍ରଟି ଥାଏ ତାହା ସମୟର ପ୍ରତୀକାତ୍ମକ ଚ଼ିତ୍ର ; ଯଥା - କାଳଚ଼କ୍ର , ଧର୍ମଚ଼କ୍ର , ଯୋଗଚ଼କ୍ର ଇତ୍ଯାଦି । ଯୋଗୀଗଣଙ୍କ ଭାଷାରେ ଚ଼କ୍ର ମସ୍ତିଷ୍କ ଓ ମେରୁଦଣ୍ଡ ଶକ୍ତିକେନ୍ଦ୍ର ସବୁକୁ ବୁଝାଏ । ଚ଼କ୍ର ଗତିର ପ୍ରତୀକ , ଯେପରି ଯାନରେ ଚ଼କ ଲାଗିବାରୁ ତାହା ଗଡ଼ି ଗଡ଼ି ଆଗକୁ ଯାଏ ଆଉ ଯାତ୍ରୀ ସମସ୍ତେ ଗନ୍ତବ୍ୟସ୍ଥଳ ଅଭିମୁଖେ ଅଗ୍ରସର ହୁଅନ୍ତି । ସମୟର ଚ଼କ୍ର ଇଏ । କୁସମୟ ଓ ସୁସମୟ ; ସୁସମୟେ ଜୀବନ ସୁଖମୟ ଓ ବିଳାସପୂର୍ଣ୍ଣ । କୁସମୟ ଦୁଃଖମୟ ହୋଇଥାଏ । ବାଲ୍ଯ , କୈଶୋର , ଯୁବ , ପ୍ରୌଢ଼ , ବୃଦ୍ଧ ଓ ମହାପ୍ରୟାଣ ; ଏ ଯେଉଁ ସମୟ ତାହା ଏଇ ଚ଼କ୍ର ଅଟେ । ଋତୁ ପରିବର୍ତ୍ତନର ଚ଼କ୍ର ଇଏ ; ଛଅ ଋତୁ ଓ ତା'ର ପ୍ରକୃତି , ଏହି ଚ଼କ୍ରରେ ସବୁ ସୂଚ଼ନା ନିହିତ । ଏ ଚ଼କ୍ରରେ ଧାରାବାହିକତା ବି ଦୃଷ୍ଟିଗୋଚର ହୁଏ । ଶ୍ରୀମଦ୍ଭଗବତ ଗୀତାରେ ଅଛି :- "ଜାତସ୍ଯ ହି ଧ୍ରୁବୋ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ଯ ଚ଼" ; ଅର୍ଥାତ୍ ଜନ୍ମ ପରେ ମୃତ୍ୟୁ ଓ ମୃତ୍ୟୁ ପରେ ଜନ୍ମ ସୁନିଶ୍ଚିତ । ଏକଥାର ପ୍ରତିପାଦନ କରେ ଏହି ବୌଦ୍ଧଚ଼କ୍ର । କାଳର ଅର୍ଥ ମୃତ୍ୟୁ ; ତେଣୁ ଏହା କାଳଚ଼କ୍ରର ବି ପ୍ରତୀକ । ସତ୍ଯ , ନ୍ଯାୟ , ପରୋପକାର , ସୁଶୀଳତା , ଦାନ , କର୍ତ୍ତବ୍ୟ , ପ୍ରକୃତି ବା ଗୁଣ , ନୈତିକତା , ନିୟମାନୁବର୍ତ୍ତିତା , ଦୟା , କ୍ଷମା , ଶାନ୍ତ , ସମୟାନୁବର୍ତ୍ତିତା , ପ୍ରେମ , ଈଶ୍ବର ବିଶ୍ୱାସ ଆଦି ହେଉଛି ଧର୍ମ ; ତେଣୁ ଏ ସବୁର ପ୍ରତୀକ ଏ ଚ଼କ୍ର ହେତୁ ଏ ଧର୍ମଚ଼କ୍ର । ଏ ପୁଣି ଆମ ଶ୍ବାସ ପ୍ରଶ୍ବାସର ଅବିରାମ ଗତି , ତେଣୁ ଇଏ ଶ୍ବାସଚ଼କ୍ର । ଯୋଗ ହେଲା ନିରୋଗ ଓ ଶାନ୍ତିର ମାର୍ଗ ; ତେଣୁ ଇଏ ଯୋଗଚ଼କ୍ର ।
ବୌଦ୍ଧ ଧର୍ମ ବ୍ଯାପକ ନୀତିବାଣୀରେ ପୂର୍ଣ୍ଣ ; ଅନେକ ଜ୍ଞାନର ଗ୍ରନ୍ଥ । କହିବାକୁ ଗଲେ ସତ୍ୟ , ଧର୍ମ ଏବଂ ନୈତିକତାର ନୈପୁଣ୍ଯତା ଏହି ଧର୍ମରେ ଭରପୂର ଅଛି । ବୁଦ୍ଧଙ୍କ ଲାଗି ଏ ଧର୍ମ ଶ୍ରେଷ୍ଠ ଧର୍ମ ଭାବେ ବିବେଚ଼ିତ ହୋଇପାରିଛି । ଆଜିର ଏ ସମାଜରେ ଏ ଧର୍ମର ଆବଶ୍ଯକତା ଅନେକ ଅଛି । ବୁଦ୍ଧଦେବଙ୍କର ଏ ନୀତିବାଣୀ ଓ ତାଙ୍କର ସେ ଆଚ଼ରଣରୁ ଆମେ କାହିଁକି ଆହରଣ କରି ପାରିବାନି ବାସ୍ତବତାକୁ ? ଆସନ୍ତୁ ନା , ସମସ୍ତେ ଜଣେ ଜଣେ ବୁଦ୍ଧ ହୋଇଯିବା ; ତାଙ୍କ ନୀତି ଆଦର୍ଶକୁ ଆପଣାଇ ଆଉ ଏକ ରାଜ୍ଯରେ ବଦଳାଇ ଦେବା ଏ ମରଧାମକୁ , ଯେଉଁଠି ଥିବ ସ୍ନେହ , ଶ୍ରଦ୍ଧା ଆଉ ଅହେତୁକ ଭଲପାଇବା ସହିତ ଭାଇଚ଼ାରାର ସମ୍ପର୍କ । କ'ଣ ପାରିବାନି ? ଚ଼େଷ୍ଟା ତ କରିବା ନା , ବୁଦ୍ଧ ନହେଲେ ବି ଯତ୍କିଞ୍ଚିତ୍ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗଢ଼ି ତୋଳିବା ସୁନାର ସଂସାର ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment