ସନ୍ଥକବି ଭୀମଭୋଇ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ସମ୍ପାଦକ - ଉଦୟ ଭାନୁ / ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 

       "ପ୍ରାଣୀଙ୍କ ଆରତ      ଦୁଃଖ ଅପ୍ରମିତ
               ଦେଖୁ ଦେଖୁ କେ' ବା ସହୁ
      ମୋ' ଜୀବନ ପଛେ     ନର୍କେ ପଡ଼ିଥାଉ
                ଜଗତ ଉଦ୍ଧାର ହେଉ ।"

     ଏହି କାଳଜୟୀ ପଦ୍ଯାଂଶଟି ସନ୍ଥକବି ଭୀମଭୋଇଙ୍କ ରଚନାରୁ ଯାହା ଭାରତ ପାର୍ଲିଆମେଣ୍ଟ ଭବନ ତଥା ମିଳିତ ଜାତିସଂଘରେ ସ୍ଥାନିତ ଅଛି । ସେ ଥିଲେ ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦ୍‌ବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ । ଏମିତି ଆଲେଖ୍ୟ ଆଉ କିଏ ଲେଖିଛି ତାହା ମୋ' ଦୃଷ୍ଟିର ବାହାରେ । ଏଭଳି ଚିନ୍ତନଶୀଳ ବ୍ଯକ୍ତିତ୍ବ ସତରେ ବିଶ୍ବରେ ବିରଳ ପ୍ରାୟ । ବିଶ୍ବବାସୀ ତାଙ୍କ ସମୀପରେ ସର୍ବଦା ଋଣୀ । ଏହି ଭାବୋଚ୍ଛ୍ବାସମୟ ପଦାବଳୀ କଲିକତାର ଜାତୀୟ ପାଠାଗାର ସମ୍ମୁଖରେ ଶୋଭା ବର୍ଦ୍ଧନ କରୁଛି ଏବଂ ପ୍ରତ୍ଯେକ ବିଦ୍ଯାଳୟ , ମହାବିଦ୍ଯାଳୟ କାନ୍ଥରେ ପରିଦୃଷ୍ଟ ; ଏହା ଗର୍ବ ଓ ଗୌରବର ଗାଥା । ସେ ଅନେକ କାବ୍ୟ ଯଥା ସ୍ତୁତି ଚିନ୍ତାମଣି , ଶ୍ରୁତିନିଷେଧ ଗୀତା , ଆଦିଅନ୍ତ ଗୀତା , ବ୍ରହ୍ମନିରୂପଣ ଗୀତା , ନିର୍ବେଦସାଧକ , ପଦ୍ମକଳ୍ପ ଆଦି ରଚନା କରିଛନ୍ତି । ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ପ୍ରଚାରିତ । ଓଡ଼ିଶାର ଅନ୍ଯତମ ବରପୁତ୍ର ଡକ୍ଟର ମାୟାଧର ମାନସିଂହ ଭୀମଭୋଇଙ୍କ ଶ୍ରେଷ୍ଠ ପଦାବଳୀକୁ ଇଂରାଜୀ ଅନୁବାଦ କରି ଆନ୍ତଃର୍ଜାତୀୟ ସ୍ତରରେ ଜାତିସଂଘରେ ଲିପିବଦ୍ଧ କରାଇଛନ୍ତି । ଭୀମଭୋଇ ଶ୍ରେଣୀହୀନ ସମାଜ ବ୍ଯବସ୍ଥାର ପ୍ରବର୍ତ୍ତକ , ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ଏବଂ ମାନବବାଦର ପ୍ରଚାରକ ଥିଲେ । ସେ ଥିଲେ ଅନ୍ଧ , କନ୍ଧ ଆଦିବାସୀ ଓ ନିରକ୍ଷର । "ଯେଉଁଠି ବିପର୍ଯ୍ୟୟ , ସେଇଠି ଜୟ ଜୟ" - ଏହାକୁ ସେ ପ୍ରମାଣିତ କରିଥିଲେ । ତାଙ୍କ ରଚନାରେ ଭରି ରହିଛି ବିଶ୍ବଚେତନା । ସେ ଓଡ଼ିଆ ଆଧୁନିକ କବିତାର ପିତା ; ସେ ବି ଅନେକ ଭଜନ - ଜଣାଣ ଲେଖି ଯାଇଛନ୍ତି  । ସେ ଚେତନାର ଚାରଣ ଅଟନ୍ତି ।

                   ବୈଶାଖ ପୂର୍ଣ୍ଣିମା ତିଥିରେ ୧୮୫୦ ମସିହାରେ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ନିକଟସ୍ଥ ଯତେସିଂଙ୍ଘା ଗ୍ରାମରେ ଏକ କନ୍ଧ ପରିବାରରେ ଜନ୍ମ ଭୀମଭୋଇଙ୍କର । ଏ ସ୍ଥାନ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହର ପାଖରେ ଥିବାରୁ କେତେକ ସ୍ଥାନରେ କବିଙ୍କ ଜନ୍ମସ୍ଥାନଟି ରେଢ଼ାଖୋଲ ବୋଲି ମାନି ନେଇଛନ୍ତି । ସେ ଅତି ଦୁଃଖ ଦୁର୍ଦ୍ଦଶାରେ ବାଲ୍ଯରୁ ଅତିବାହିତ କରିଛନ୍ତି ଜୀବନକୁ । ଜନ୍ମର କିଛି ବର୍ଷ ପରେ ପିତାଙ୍କ ଦେହାନ୍ତ ପରେ ମାତାଙ୍କର ଅନ୍ଯତ୍ର ବିବାହ ତାଙ୍କୁ ଅହେତୁକ ଦୁଃଖ ପ୍ରଦାନ କରିଥିଲା । ଲୋକକଥାନୁସାରେ ଶିଶୁ ସମୟରେ ବସନ୍ତ ରୋଗ ପ୍ରଭାବରେ ସେ ଦୃଷ୍ଟିଶକ୍ତି ହରାଇଥିଲେ । ବାପାଙ୍କ ଦେହାନ୍ତ ଓ ମାଆଙ୍କ ଗୃହତ୍ଯାଗ ପରେ ସେ ନିଜର ଗୁରୁ ଶ୍ରୀ ମୁକୁନ୍ଦ ଦାସ ମହାରାଜାଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରେ ଶ୍ରୀ ମୁକୁନ୍ଦ ଦାସ ମହିମା ଗୋସେଇଁ ଭାବରେ ପରିଚିତ ହେଲେ । ତାଙ୍କ ସହ ମିଶି ଭୀମଭୋଇ ମହିମା ଧର୍ମର ପ୍ରଚାର ଓ ପ୍ରସାରାର୍ଥେ କାର୍ଯ୍ୟ କଲେ । ଏ ଧର୍ମରେ ଜାତିପ୍ରଥା , ଛୁଆଁ ଅଛୁଆଁ ତଥା ଉଚ୍ଚ ନୀଚ୍ଚକୁ ବିରୋଧ କରାଯାଇଛି । ମୁଖ୍ଯ ମନ୍ଦିରର ପଶ୍ଚାତରେ ଏକ ପଣା ବା ଶୂନ୍ୟ ମନ୍ଦିର (ଯେଉଁଠି ପ୍ରାତଃ- ସାୟଂରେ ଆଳତୀ ଓ ଅନେକ ଧୂପ-ଦୀପ ପ୍ରଦାନ କରାଯାଇଥାଏ) ଅଛି ; ଏହି ସ୍ଥାନରେ ସନ୍ଥକବି ଭୀମଭୋଇ ୧୮୯୫ ମସିହା ଶିବ ଚତୁର୍ଦ୍ଦିଶୀ ତିଥିରେ ମହାପ୍ରୟାଣ ଲଭି ଥିଲେ ଏବଂ ତାଙ୍କ ଉଦ୍ଦେଶ୍ଯରେ ଏ ପୀଠ । ଏଠି ମୂର୍ତ୍ତି କି ପୂଜନୀୟ ଜିନିଷ କିଛି ନାହିଁ ; ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହେଲା ଅଲେଖ ଧର୍ମର ମୂଳମନ୍ତ୍ର । ପାଦୁକାପୂଜା ଏହି ଶୂନ୍ୟ ମନ୍ଦିରର ବିଶେଷତ୍ତ୍ୱ । ଭୀମଭୋଇଙ୍କ ସମାଧି ପୀଠରେ ଦିନକୁ ତିନିଥର ପାଦୁକା ପୂଜା କରାଯାଏ । ପ୍ରାତଃରେ ଫଳମୂଳ , ମଧ୍ୟାହ୍ନରେ ସଙ୍ଖୁଡ଼ି ଓ ସନ୍ଧ୍ଯାରେ ଲିଆ-ଉଖୁଡ଼ା ଭୋଗ ହୁଏ । ୧୮୭୭ ମସିହାରେ ଗ୍ରାମର ଗ୍ଯୈନ୍ତିଆ ଶ୍ରୀ ଲୋଚନ ବଗର୍ତ୍ତୀ ଏବଂ ତତ୍କାଳୀନ ସୁବର୍ଣ୍ଣପୁର ରାଜ୍ଯର ମହାରାଜା ନିଳାଦ୍ରି ସିଂହଦେଓଙ୍କ ସହାୟତାରେ ଏଠି ପ୍ରତିଷ୍ଠିତ ଆଶ୍ରମରେ ସନ୍ଥକବି ଭୀମଭୋଇଙ୍କୁ ସମାଧିସ୍ଥ କରାଯାଇଥିଲା । ତାଙ୍କର ସାହିତ୍ଯ ସାଧନା ସ୍ଥାନରେ ତାଙ୍କ ପାଦୁକା ସର୍ବଦା ପୂଜା ହେଉଛି । ତାଙ୍କ ରଚିତ ତାଳପତ୍ର ପୋଥି ତଥା ଗ୍ରନ୍ଥ ମନ୍ଦିର ପରିରରେ ଥିବା ସଂଗ୍ରହାଳୟରେ ଗଚ୍ଛିତ ଅଛି ଏବଂ ତାଙ୍କ ବ୍ଯବହୃତ କଲମ , ଦୁଆତ , ଛତା ଓ କଠାଉ ବି ସୁରକ୍ଷିତ ରହିଛି ଏଠାରେ । ଏଠି କେବଳ କବିଙ୍କ ସମାଧି ନୁହେଁ , ତାଙ୍କ ପୁତ୍ର କପିଳେଶ୍ବର ଓ କନ୍ଯା ଲାବଣ୍ୟବତୀଙ୍କ ସମାଧି ବି ରହିଛି । ତାଙ୍କ ଜୀବନୀ ତଥା କୃତି ଉପରେ ଅଧିକ ଗବେଷଣାର୍ଥେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ "ଭୀମଭୋଇ ଚେୟାର" ଖୋଲା ଯାଇଛି । କବିଙ୍କ ଆଦର୍ଶ ତଥା କବିତାରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟର ନାମ "ଭୀମଭୋଇ ଭେଷଜ ମହାବିଦ୍ୟାଳୟ" ରଖାଯାଇଛି । ବାଲ୍ଯବେଳେ ଅନ୍ଧ ଥିବାରୁ ଗୋଚାରଣ ବେଳେ ଏକ ଖୋଲା କୂପରେ ପଡ଼ିଯାଇଥିଲେ ; ଗାଁ ଲୋକ ଉଦ୍ଧାର ପାଇଁ ଆସିବା ବେଳେ ସ୍ବ ଦିବ୍ଯଦୃଷ୍ଟିରେ ସେ ଆପେ ଆପେ କୂପରୁ ବାହାରି ଆସିଥିଲେ । 

       ସେହିଦିନଠୁ ଭୀମଭୋଇଙ୍କ ସ୍ମୃତିପୀଠ ଭାବେ ରେଢ଼ାଖୋଲର କନ୍ଧରା ଗ୍ରାମ ପରିଚିତି ପ୍ରାପ୍ତ ଏବଂ ୨୦୦୩ ମସିହାରେ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ଯତା ପ୍ରଦାନ କରିଥିଲେ । କେତେକ ରଚନାରେ ବର୍ଣ୍ଣିତ ଅଛି ସେ ସୁମେଧା ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ ଯିଏ ଥିଲେ ମଢ଼ି ଗ୍ରାମର ଅନ୍ନପୂର୍ଣ୍ଣା ଓ ଗୌନ୍ତିଆ ମୋହନ ଦାସଙ୍କ କନ୍ଯା । ପୁଣି ଉଲ୍ଲେଖ ଅଛି ସେ ମୋହିନୀ , ସରସ୍ଵତୀ ଓ ସୁବର୍ଣ୍ଣାଙ୍କୁ ମଧ୍ୟ ବିବାହ କରିଥିଲେ । ମହିମା ଧର୍ମାନୁଗାମୀ ମାନଙ୍କ ପାଇଁ ସେ ଭଗବାନ ଅଟନ୍ତି । 

        ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
                ୮୯୧୭୪୮୦୫୩୬



Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା