ଗୋଲାପ ପ୍ରକାର ଭେଦ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ଶୁଣ ବନ୍ଧୁମାନେ କହୁଛି ଏକ୍ଷଣେ
ଗୋଲାପ ପ୍ରକାର ଭେଦ
କେଉଁ ଗୋଲାପଟି କି କାର୍ଯ୍ଯ କରୁଛି
ପଢ଼ି ମତାମତ ରଖ ।୧
ଶୁଭ୍ର ନିରିମଳ ଗୋଲାପର ଫୁଲ
ବନ୍ଧୁତାର ସେ ପ୍ରତୀକ
ବନ୍ଧୁ ପରା ଦିଏ ବନ୍ଧୁକୁ ତାହାର
ଶ୍ବେତ ଗୋଲାପର ପୁଷ୍ପ ।୨
ସତ୍ଯ ନିରୀହଟା ଏଇ ଗୋଲାପଟା
ସାଜିଛି ପ୍ରତୀକ ତା'ର
ଯେଉଁ ବ୍ଯକ୍ତି ବେଶି ମନେ ପଡୁଥା'ନ୍ତି
ତାଙ୍କ ପାଇଁ ଉପହାର ।୩
ମହାନ ବ୍ଯକ୍ତିଙ୍କୁ ଏ ଫୁଲ ଦିଅନ୍ତୁ
ଦେଖି ହେବେ ସେହି ପ୍ରୀତ
ମହାନତା ତମ ପ୍ରକଟିତ ହେବ
ବଢ଼ିବ ନିଶ୍ଚେ ବନ୍ଧୁତ୍ୱ ।୪
ପ୍ରଥମ ଦେଖାରେ ପ୍ରଥମ ପ୍ରେମରେ
ନୀଳ ଲୋହିତ ଗୋଲାପ
ଉପହାର ଦେଲେ ଏହାକୁ ପ୍ରେମରେ
ପ୍ରେମରେ ଆସେ ସାର୍ଥକ ।୫
ପ୍ରଥମ ପ୍ରେମର ଆଦ୍ଯ ଉପହାର
ପ୍ରେମକୁ କରେ ନିବିଡ଼
ନୀଳ ଲୋହିତର ଏ ଗୋଲାପ ଫୁଲ
ଦିଅ ତାଙ୍କୁ ଉପହାର ।୬
କୃତଜ୍ଞତା ଯଦି ଦେବାକୁ ଚାହାନ୍ତି
ଇଷତ୍ ପୀତ ଗୋଲାପ
ସହାନୁଭୂତି ଓ ସମବେଦନାର
ଇଏ ତ ପ୍ରତୀକ ପୁଷ୍ପ ।୭
ଦେଇ ଏ ଗୋଲାପ ଲଭନ୍ତୁ କୃତିତ୍ୱ
ମିଳିବ ଅନେକ ଯଶ
ସବୁରି ସମୀପେ ପ୍ରିୟପାତ୍ର ହେବେ
ବନ୍ଧୁତ୍ୱ ହେବ ସରସ ।୮
କମଳା ରଙ୍ଗର ଗୋଲାପର ଫୁଲ
ସମ୍ପର୍କର ସେ ପ୍ରତୀକ
ଏହା ପ୍ରଦାନନ୍ତି ସମ୍ପର୍କ ସ୍ଥାପନ୍ତି
ଯେତେ ପ୍ରେମିକା ପ୍ରେମିକ ।୯
ନୂତନ ସମ୍ପର୍କ ହୁଅଇ ଗଠିତ
ଏହି ଗୋଲାପ ଫୁଲରେ
ଦୁଇଟି ହୃଦୟ ଦୁଇଗୋଟି ମନ
ବଦଳିଯାଏ ପ୍ରେମରେ ।୧୦
ଇଷତ୍ ଗୋଲାପି ରଞ୍ଜିତ ପୁଷ୍ପଟି
ଅନୁଗ୍ରହ କୋମଳତା
କୃତଜ୍ଞତାର ସେ ପ୍ରତୀକଟିଏ
ବୃଦ୍ଧି ପାଏ ସରଳତା ।୧୧
ଧବଳ ମିଶ୍ରିତ ଗୋଲାପି ଗୋଲାପ
ସ୍ନେହ ଆଦର ପ୍ରତୀକ
ସାଙ୍ଗ ସାଥୀ ବନ୍ଧୁ ଭ୍ରାତା ଭଗିନୀଙ୍କୁ
ଉପହାରେ ହୁଏ ପ୍ରାପ୍ତ ।୧୨
ଘନ ଗୋଲାପି ଏ ଗୋଲାପ ଫୁଲ
ଧନ୍ଯବାଦର ପ୍ରତୀକ
ଧନ୍ଯବାଦ ଯଦି ଯାହାକୁ ଦିଅନ୍ତି
ଦିଅନ୍ତୁ ଏହି ଗୋଲାପ ।୧୩
ଶ୍ବେତ ପୀତ ବର୍ଣ୍ଣ ଗୋଲାପ ପ୍ରସୂନ
ପ୍ରସନ୍ନତାର ପ୍ରତୀକ
ସମ୍ମାନ ସ୍ବରୂପ ଦିଅ ଏହି ପୁଷ୍ପ
ଏକତ୍ର କରି ସଂଯୁକ୍ତ ।୧୪
ରକ୍ତ ପୀତ ଯଦି ଏକତ୍ର ଦିଅନ୍ତି
ମିଳଇ ବହୁତ ଖୁସି
ପ୍ରସନ୍ନତା ଭାବ ମନରେ ଜାଗ୍ରତ
ବୁଝିବାକୁ ନାହିଁ ବାକି ।୧୫
ରକ୍ତ ସଙ୍ଗେ ଶ୍ବେତ ଗୋଲାପର ପୁଷ୍ପ
ଏକାଠି ହୋଇଲେ ଯୁକ୍ତ
ସତ୍ ଓ ନିର୍ମଳ ଭଲପାଇବାର
ଅଟଇ ସେହି ପ୍ରତୀକ ।୧୬
ପୀତ ଗୋଲାପଟି ଶୁଣନ୍ତୁ କହୁଛି
ସ୍ବାଧୀନତାର ସେ ପ୍ରତୀକ
ବନ୍ଧୁତାରେ ମଧ୍ଯ ପ୍ରଦାନନ୍ତି ୟାକୁ
ଯେସନେ ଶ୍ବେତ ଗୋଲାପ ।୧୭
ପ୍ରେମ ପାଇଁ ଏହି ଉଦ୍ଦିଷ୍ଟ ନୁହଁଇ
ପୀତ ଗୋଲାପର ପୁଷ୍ପ
ନବ ବିବାହିତ ଦମ୍ପତ୍ତିଙ୍କୁ ଦିଅ
ଉପହାରର ସ୍ବରୂପ ।୧୮
ପ୍ରଥମ କରି ଯେ ମା' ହେବାକୁ ଯାଏ
ତା' ପାଇଁ ଏ ପୀତ ପୁଷ୍ପ
ଅଧ୍ଯୟନେ ଯିଏ ସଫଳତା ପାଏ
ଶୁଭେଚ୍ଛା କର ତାହାଙ୍କ ।୧୯
ବେନି ଗୋଲାପକୁ ଏକତ୍ର ମିଶାନ୍ତୁ
ଦିଅନ୍ତୁ ନେଇ ତାହାଙ୍କୁ
ଅତି ନିକଟରେ ନିର୍ବନ୍ଧ ବିବାହ
ଯାହାର ହେଉଛି ତାଙ୍କୁ ।୨୦
ରକ୍ତର ଗୋଲାପ ପ୍ରେମ ପ୍ରତିରୂପ
ପ୍ରେମିକ ପ୍ରେମିକାଙ୍କର
ପ୍ରେମର ସମ୍ପର୍କ ହୁଅଇ ସୁଦୃଢ଼
ଦେଲେ ଏହା ଉପହାର ।୨୧
ସମ୍ପାଦକ- ଉଦୟ ଭାନୁ
ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment