ମହିମା ଧର୍ମ : ଏକ ଅନାସକ୍ତ ଭାବ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
"ସତ୍ଯ ମହିମା ଅଲେଖ ଧର୍ମ", ଯାହାକୁ ସଂକ୍ଷେପରେ "ମହିମା ଧର୍ମ" ବୋଲି କହନ୍ତି । ଏହା ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟ ମାନଙ୍କରେ ପ୍ରଚ଼ଳିତ ଏକ ଅଦ୍ବୈତ ସାମାଜିକ-ଧର୍ମଧାରା । ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କ ଦ୍ବାରା ବ୍ରାହ୍ମଣବାଦ ବିରୋଧରେ ଏକ ନବ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ଆରମ୍ଭ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ବାସ କରାଯାଏ । ଏହା ପୃଥିବୀର କନିଷ୍ଠତମ ଧର୍ମ ଭାବେ ଜଣା ; ଏଥିରେ ବୌଦ୍ଧ ଆଉ ଜୈନ ଧର୍ମ ତଥା ଅଦ୍ବୈତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତ୍ତଳିକତା , ଜାତିବାଦ ଓ ବାହ୍ଯ ଉପଚ଼ାର ଆଦି ବିରୋଧରେ ସ୍ବର ତୋଳିଥିଲା । ଓଡ଼ିଶାର ନିଜସ୍ବ ଧର୍ମ ଇଏ ; ସୀମା ସରହଦ ଡ଼େଇଁ ଏହି ଧର୍ମ ସମଗ୍ର ବିଶ୍ୱରେ ବ୍ଯାପ୍ତ । ଏହାର ସଂସ୍କାର ଓ ରୀତିନୀତି ଆସ୍ତେସୁସ୍ଥେ ଜନାଦୃତ ହେବାରେ ମଗ୍ନ । ଏ ଧର୍ମର ସଂସ୍ଥାପକ ଥିଲେ ପ୍ରବୃଦ୍ଧଗୁରୁ ମହିମା ସ୍ବାମୀ । ଏହା ଏକ ଧର୍ମ ନୁହେଁ ତ ଏକ ଆଧ୍ଯାତ୍ମିକ ଜାଗରଣ । ଏ ଧର୍ମର ସଂସ୍ଥାପକ ପ୍ରବୃଦ୍ଧଗୁରୁ ଯୋଗେଶ୍ୱର ମହିମା ସ୍ବାମୀ ୩୬ ବର୍ଷ କାଳ ଆତ୍ମଯୋଗ ସମାଧିରେ ବିନିଷ୍ଟ ହୋଇ ଏ ଧର୍ମ ପ୍ରଚ଼ାର କରିଥିଲେ । ପ୍ରଥମେ ସେ ୧୮୨୬ ମସିହାରେ ପୁରୀରେ ଆବିର୍ଭାବ ହୋଇଥିଲେ ଓ ତାଙ୍କୁ ସର୍ବେ "ଧୂଳିଆ ବାବା" ଡ଼ାକୁଥିଲେ । ତାଙ୍କର ପିତା-ମାତାଙ୍କ ସମ୍ବନ୍ଧରେ ଏଯାବତ ଜଣାପଡ଼ିନି । ମହିମା ଧର୍ମର ପ୍ରଚ଼ାରକ ସନ୍ଥକବି ଭୀମଭୋଇଙ୍କ "ସ୍ମୃତି ଚ଼ିନ୍ତାମଣି" ଗ୍ରନ୍ଥରୁ ଜଣାପଡ଼େ ମହିମା ସ୍ବାମୀଙ୍କ ଜନ୍ମ ବୃତ୍ତାନ୍ତ ଓ ଏଥିରୁ ଅନୁମେୟ ଯେ , ମହିମା ସ୍ବାମୀ ଅଯୋନୀ ସମ୍ଭୂତ । ସେ ୧୮୨୬ରୁ ୧୮୩୮ ଯାଏଁ ଖଣ୍ଡଗିରି ପାହାଡ଼ରେ ତପସ୍ଯା କରୁଥିଲେ ଓ ୧୮୩୮ରୁ ୧୮୫୦ ମସିହା ଯାଏଁ କପିଳାସ ପର୍ବତରେ ତପସ୍ଯା କରୁଥିଲେ ; ପୁନରାୟ ସେଇ କପିଳାସରେ ୧୮୫୦ରୁ ୧୮୬୨ ଯାଏଁ ତପାଚ଼ରଣ କରିଥିଲେ । ରେଢ଼ାଖୋଲର କଙ୍କଣ ଗ୍ରାମରେ ଏକ କୂପ ମଧ୍ୟରୁ ଅନ୍ଧ ଭୀମଭୋଇଙ୍କୁ ଉଦ୍ଧାର କରି ତାଙ୍କୁ ସେ ଆଶୀର୍ବାଦ ପୂର୍ବକ କବିତ୍ୱ ପ୍ରଦାନ କରିଥିଲେ ; ସେଦିନ ଠାରୁ ସେ ସନ୍ଥକବି ନାମରେ ଜଣା ହେଲେ ଓ ମହିମା ଧର୍ମ ପ୍ରଚ଼ାରାର୍ଥେ ଓ ପ୍ରସାରାର୍ଥେ ଅନେକ ଗ୍ରନ୍ଥ , ଜଣାଣ , ଭଜନ , ଚ଼ୌତିଶା ଆଦି ରଚ଼ନା କରି ଏ ଧର୍ମକୁ ରୁଚି଼ମନ୍ତ ଓ ରୁଦ୍ଧିମନ୍ତ କରିଥିଲେ । ମହିମା ସ୍ବାମୀଙ୍କର ପ୍ରଥମ ଶିଷ୍ଯ ଥିଲେ ଗୋବିନ୍ଦ ବାବା । ମହିମା ସ୍ବାମୀ କଟକ ଜିଲ୍ଲାର ମାଳବିହାରପୁର , ଖୁଣ୍ଟୁଣୀ , ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ , ଅଙ୍ଗାରବନ୍ଧ , ଜକା , ମଢ଼ି (କାମାକ୍ଷାନଗର) ଏବଂ ଯୋରନ୍ଦାରେ ଟୁଙ୍ଗୀ ପ୍ରତିଷ୍ଠା କରି ଏ ଧର୍ମକୁ ଲୋକାଭିମୁଖୀ କରିଥିଲେ ।
ମହିମା ଧର୍ମରେ ଶୁକ୍ଳପକ୍ଷ ଚ଼ତୁର୍ଦ୍ଦଶୀ ତିଥିରେ ବିଭିନ୍ନ ଟୁଙ୍ଗୀ ଓ ଆଶ୍ରମ ସବୁରେ ଧୂନି ସ୍ଥାପନ ଓ ମହିମା ମେଳା ଆୟୋଜିତ ହେବାର ଦୃଶ୍ଯ ହୁଏ । ୧୮୭୪ରେ ସ୍ବୟଂ ମହିମା ସ୍ବାମୀ ଯୋରନ୍ଦାରେ ଏକୋଇଶି ହାତିଆ ଟୁଙ୍ଗୀ ପ୍ରତିଷ୍ଠା ପୂର୍ବକ ବ୍ରହ୍ମଧୂନି ସ୍ଥାପନ କରିଥିଲେ ଏବଂ ସେ ବର୍ଷ ମାଘ ମାସ ଶୁକ୍ଳପକ୍ଷ ଚ଼ତୁର୍ଦ୍ଦଶୀରେ ଓ ପୂର୍ଣ୍ଣିମାରେ ମେଳା ଆରମ୍ଭ କରିଥିଲେ । ନିଜେ ଏହାକୁ ମହିମା ସ୍ବାମୀ ଆରମ୍ଭ କରିଥିବାରୁ ଧର୍ମର ସନ୍ନ୍ଯାସୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ଏହାକୁ "ଗୁରୁ ପୂର୍ଣ୍ଣମୀ" ଭାବରେ ବିବେଚ଼ନା କଲେ ଓ ଧିରେ ଧିରେ ଏହା ଯୋରନ୍ଦା ମେଳା ନାମରେ ବିଶ୍ବ ବିଖ୍ଯାତ ହେବାରେ ଲାଗିଲା । ମହିମା ସନ୍ନ୍ଯାସୀ , ତ୍ଯାଗୀ , ଭକ୍ତମାନେ ପ୍ରାତଃ କାଳରେ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗି ନିତ୍ଯକର୍ମ ସାରି ଅଲେଖ ବ୍ରହ୍ମ ସମୀପେ ଶରଣ ଦର୍ଶନ କରନ୍ତି ; ଦିନ ୧୦ଟା ମଧ୍ୟେ ମଧ୍ୟାହ୍ନ ଭୋଜନ ସାରି ପୁନଶ୍ଚ ସାଢ଼େ ବାରଟାରେ ଶରଣ ଦର୍ଶନ କରନ୍ତି । ଅପରାହ୍ନ ସାଢ଼େ ଚ଼ାରିଟା ଅର୍ଥାତ୍ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରି ଭୋଜନ ସାରନ୍ତି ଏବଂ ରାତ୍ରିରେ ଆଉ ଭୋଜନ କରନ୍ତି ନାହିଁ ।
ଏ ଧର୍ମ ଶୁଦ୍ଧ ହିନ୍ଦୁ ଧର୍ମ ; ବେଦ ବେଦାନ୍ତର ସାରକଥା ଏକଲକ୍ଷ ମନ୍ତ୍ର , ୮୦ ହଜାର କର୍ମକାଣ୍ଡ , ୧୬ ଉପାସନା କାଣ୍ଡ , ବେଦର ଜ୍ଞାନକାଣ୍ଡରେ ଏ ଧର୍ମର ଶେଷ ସିଦ୍ଧାନ୍ତ କଥା ଅଛି । ଏହା ଏକ ନିଷ୍କାମ ଜୀବ ଧର୍ମ ; ଏଠି କର୍ମକାଣ୍ଡର ସ୍ଥାନ ନାହିଁ । ଜନ୍ମ , ମୃତ୍ୟୁ , ଜରାବ୍ଯାଧି ଆଦି ଦୁଃଖରେ ହନ୍ତସନ୍ତ ପ୍ରାଣୀ ଏ ସବୁରୁ ମୁକୁଳିବାକୁ ପରଂବ୍ରହ୍ମଙ୍କ ଏକାନ୍ତ ଚ଼ିନ୍ତନ କରି ପରମଗତି ପ୍ରାପ୍ତ କଲେ ପୁନର୍ଜନ୍ମ ହୁଏନି । ଅନ୍ତଃକରଣ ଶୁଦ୍ଧି ସହ ବିଶୁଦ୍ଧାଚ଼ରଣ ପାଳନ ପୂର୍ବକ ବ୍ରାହ୍ମ ମୁହୂର୍ତ୍ତେ ସ୍ନାନ ଶୌଚ଼ାଦି ସମାପନ , ପ୍ରାତଃ-ସାୟଂ କାଳରେ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଶରଣ ଦର୍ଶନ , ସାତ୍ତ୍ୱିକ ଆହାର ଗ୍ରହଣ , କାମିନୀ କାଞ୍ଚନ ବର୍ଜନ , ରାତ୍ର ଭୋଜନ ନିଷେଧ ଆଦି ଏ ଧର୍ମର ବିଶେଷତ୍ୱ ଅଟେ । "ମହିମା"ର ଓଡ଼ିଆ ଶବ୍ଦ "ମହିମ" ; ଏହା ମୂଳ ପାଲି ଭାଷା "ମଝିମ"ରୁ ଆହରିତ ଯାହାର ଅର୍ଥ "ମଝି" ବା "ମଧ୍ୟ" । ଏ ଧର୍ମର ମୂଳାଧାର କହିବାକୁ ଗଲେ "ନିରାକାରବାଦ" ବା "ଶୂନ୍ଯ ପୁରୁଷ ପୂଜନ" ଉପରେ ଆଧାରିତ ଏବଂ ଏଥିରେ ଓଡ଼ିଶାର ମୌଳିକ ଆରାଧନା ସୂର୍ଯ୍ୟପୂଜା "ଅଲେଖ" ଭାବେ ସାଙ୍କେତିକ ରୂପରେ ପୂଜିତ । ସନ୍ଥକବି ଭୀମଭୋଇଙ୍କ ରଚ଼ନାରେ ଏ ଦର୍ଶନ ଫୁଟି ଉଠିଛି :-
"ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ , ଦେଖୁ ଦେଖୁ କିବା ସହୁ
ମୋ' ଜୀବନ ପଛେ ନର୍କେ ପଡ଼ିଥାଉ , ଜଗତ ଉଦ୍ଧlର ହେଉ ।"
ମହିମା ସ୍ବାମୀଙ୍କ ଆଜ୍ଞାରେ ତାଙ୍କର ପ୍ରଥମ ଶିଷ୍ଯ ଗୋବିନ୍ଦ ଦାସ ବାବା ପ୍ରଥମେ ଦାରୁଠେଙ୍ଗ ଠାରେ ସାତ ଜଣଙ୍କୁ ବଳ୍କଳ ଦେଇ ସନ୍ନ୍ଯାସୀ ଧର୍ମର ଦୀକ୍ଷା ପ୍ରଦାନ କରିଥିଲେ । ସେମାନେ ହେଲେ ବୌଦ୍ଧର ନରସିଂହ ଦାସ , କଟକ ଜିଲ୍ଲାର ସାଇଲୋ ଗ୍ରାମର ଭଗବାନ ଦାସ , ଅନ୍ଧାରୁଆର କୃଷ୍ଣ ଦାସ ଓ ଭାଇଗ ଦାସ ଏବଂ ଦାରୁଠେଙ୍ଗର ମାଧବ ଦାସ , କୃପାସିନ୍ଧୁ ଦାସ ଓ ଅଚ୍ୟୁତାନନ୍ଦ ଦାସ । "ମହିମା ଧର୍ମ" ଗୋବିନ୍ଦ ଦାସ ବାବାଙ୍କ ବିଚ଼ାରକ୍ରମେ ରଖାଯାଇଥିବା ନାମ । ଉତ୍କଳ ଗୌରବ ମଧୁସୁଦନ ବି ମହିମା ସ୍ବାମୀଙ୍କ ଏକେଶ୍ବରବାଦ ବକ୍ତବ୍ୟରେ ତାଙ୍କ ଧର୍ମ ସଂସ୍କାର ବାଣୀ , ଧାର୍ମିକ ଚ଼ିନ୍ତା - ଚ଼େତନା , ଆଦର୍ଶାଦି ଉପଲବ୍ଧି କରି ଅଶେଷ ମୁଗ୍ଧ ହୋଇଯାଇଥିଲେ । ପରବର୍ତ୍ତୀ କାଳରେ ମଧୁବାବୁ ବିଭିନ୍ନ ସ୍ଥାନରେ ସଭାସମିତିରେ ତାଙ୍କ ଉଦାହରଣ ଦେଇ କହୁଥିଲେ - "ମହିମା ଗୋସେଇଁ ଏ ଓଡ଼ିଶାରେ ଜନ୍ମ ନହୋଇ ପଞ୍ଜାବ , ଗୁଜୁରାଟ , ମହାରାଷ୍ଟ୍ର କି ବଙ୍ଗଳାରେ ଜନ୍ମ ହୋଇଥା'ନ୍ତେ ଯଦି ଆର୍ଯ୍ଯ ସମାଜର ଦୟାନନ୍ଦ ସରସ୍ବତୀ , ବ୍ରାହ୍ମ ସମାଜର ରାଜା ରାମମୋହନ ରାୟଙ୍କ ପରି ବିଶେଷ ଖ୍ଯାତି ଓ ସମ୍ମାନ ପାଇପାରିଥାଆନ୍ତେ ।" କଲିକତା ଓ ପାଟନା ଆଦି ଜାଗାରେ ବିଜ୍ଞମଣ୍ଡଳୀ ସମାବେଶରେ ମଧୁବାବୁ ଦୃଢ଼ତାର ସହ କହୁଥିଲେ -"ମହିମା ଧର୍ମ ଓଡ଼ିଶାର ଗର୍ବ ଓ ଗୌରବ ; ଉଦାର ଜଗନ୍ନାଥ ଧର୍ମ ଆଉ ମହିମା ଧର୍ମ ଉତ୍କଳ ମାଟିର ସନ୍ତାନ । ଏ ଧର୍ମ ଦ୍ବୟ ବିଶ୍ବକୁ ଓଡ଼ିଶାର ଶ୍ରେଷ୍ଠ ଓ ମହତ ଦାନ ।" ମହିମା ସ୍ବାମୀ ୧୮୬୬ରେ ପଟିଆ ଛାଡ଼ି ବାଙ୍କୀର ମାଳବିହାରପୁରରେ ଧୂନିଘର ସ୍ଥାପି ଶିଷ୍ୟ ନରସିଂହ ଦାସଙ୍କ ଦ୍ବାରା ୮୩ ଜଣଙ୍କୁ ବଳ୍କଳ ଦେଇ ସନ୍ନ୍ଯାସୀ କରିବା ସହ ୧୮୭୪ରେ ସେ ଢ଼େଙ୍କାନାଳର ଜକ୍କାରେ ବାଞ୍ଛାନିଧି ଦାସଙ୍କ ଦ୍ବାରା ୬୪ ଜଣଙ୍କୁ କୌପୀନ ଦେଇ ସନ୍ନ୍ଯାସୀ କରିଥିଲେ । ମହିମା ସ୍ବାମୀଙ୍କ ଦ୍ବାରା ଯୋରନ୍ଦାରେ ୧୮୭୪ରେ ଯୋରନ୍ଦା ମେଳା ଆରମ୍ଭ ହୋଇଥିଲା । ୧୮୭୬ ମସିହା ଫାଲ୍ଗୁନ ମାସର ଶୁକ୍ଳ ଚ଼ତୁର୍ଦ୍ଦଶୀ ତିଥିରେ ମହିମା ସ୍ବାମୀ ମହାପ୍ରୟାଣ ପ୍ରାପ୍ତ କରିଥିଲେ ଏବଂ ତାଙ୍କ ନଶ୍ୱର ଶରୀରକୁ ଏଠାରେ ଭୂସମାଧି କରାଯାଇଛି ଯାହା ଏବେ ମହିମା ଗାଦିର ସ୍ମାରକ ବହନ କରୁଛି ।
କେତେକ ସାହିତ୍ଯିକ ଓ ବିଦ୍ବାନ ବ୍ଯକ୍ତିଙ୍କ ମତ ମିଳେ ଯେ , ମହିମା ଧର୍ମ ହେଲା ବୌଦ୍ଧଧର୍ମର ରୂପାନ୍ତର ; ଏ ବାଚ଼୍ଯ ତ୍ରୁଟିପୂର୍ଣ୍ଣ ସମ୍ପୂର୍ଣ୍ଣ । ବୌଦ୍ଧଧର୍ମର ଲକ୍ଷ୍ଯ ଓ ମହିମା ଧର୍ମର ଲକ୍ଷ୍ଯ ପୂରାପୂରି ଅଲଗା ; ବୌଦ୍ଧଧର୍ମର ଲକ୍ଷ୍ଯ ନିର୍ବାଣ ପ୍ରାପ୍ତି ହୋଇଥିବା ବେଳେ ମହିମା ଧର୍ମର ଲକ୍ଷ୍ଯ କିନ୍ତୁ ବ୍ରହ୍ମ ଲାଭ । ଏ ମହିମା ଧର୍ମରେ ଦୁଇ ଶ୍ରେଣୀର ସନ୍ନ୍ଯାସୀ ଥା'ନ୍ତି , ଯଥା :- "କୌପୀନ ଧାରୀ" ଓ "ବଳ୍କଳ ଧାରୀ" । ମହିମା ଧର୍ମର ପଞ୍ଚ ଧାମ ଗୁଡ଼ିକ ହେଲେ - "ଯୋରନ୍ଦା , ଅଙ୍ଗାରବନ୍ଧ , ଜକା , ମଢ଼ି ଏବଂ ବରହମପୁର" । ଏ ଧର୍ମ ଦୁଇଟି ପନ୍ଥାରେ ବିଭକ୍ତ , ତା' ହେଲା "ସନ୍ନ୍ଯାସ ପନ୍ଥା" ଏବଂ "ଗୃହସ୍ଥ ପନ୍ଥା" ; ଉଭୟଙ୍କ ଉପାସନା ଶୈଳୀ ଭିନ୍ନ ଭିନ୍ନ । ଏ ଧର୍ମର ନୀତି "ଏକ ବ୍ରହ୍ମ ଦ୍ବିତୀୟ ନାସ୍ତି , ସମସ୍ତେ ପରଂବ୍ରହ୍ମଙ୍କ ପୁତ୍ର , ଜୀବେ ଦୟା , ଦୟା-କ୍ଷମା-ସତ୍ଯ-ଶାନ୍ତି , ସ୍ନେହ-ପ୍ରେମ-ଭଲପାଇବା-ସଦ୍ଭାବନା- ସହାନୁଭୂତି" ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବା ସହିତ ସଭିଙ୍କୁ ଆକର୍ଷିତ କରିପାରୁଛି । "ଅସତ୍ୟର ପରାଜୟରେ ସତ୍ଯର ସ୍ଥାପନ" ଏ ଧର୍ମର ମୂଳ ଉଦ୍ଦେଶ୍ଯ ଏବଂ "ଅନାସକ୍ତ ଭାବ" ହେଉଛି ମୂଳତତ୍ତ୍ୱ ।
ମନେପଡ଼େ ସାଧୁ ନିରଞ୍ଜନ ଦାସଙ୍କ ହିତୋପଦେଶ - "ଜୀବନର ଅମୂଲ୍ୟ ଧନ ହେଲା ସମୟ ; ନଜାଣିପାରି ଅଯଥାରେ ସମୟ ନଷ୍ଟ କରି ଚ଼ାଲିଛି । ଶେଷରେ ବୁଝିଲା ପରେ ଭାବେ , ଏତେବଡ଼ ଭୁଲ୍ ମୁଁ କ'ଣ ପାଇଁ କଲି ।" କେତେ ସୁନ୍ଦର ବାକ୍ଯାଂଶଟେ ଦେଖିଲେ ; ପୁଣି ସେ କହିଛନ୍ତି - "ଏ ସୃଷ୍ଟିର ମାଲିକ ପରଂବ୍ରହ୍ମ ପରମାତ୍ମା ; ତାଙ୍କୁ ପାଇବାକୁ ତୀର୍ଥ - ବ୍ରତ - ଉପବାସର ପ୍ରୟୋଜନ ନାହିଁ । କେବଳ ଏ ସବୁ ପାଳନ କଲେ ପରମାତ୍ମା ଆପେ ଆପେ ତୁମ ପାଖକୁ ଚ଼ାଲିଆସିବେ । ତା' ହେଲା - ଓଠରେ ସତ୍ଯ , ପାଟିରେ ପ୍ରାର୍ଥନା , ଆଖିରେ ଦୟା , ହାତରେ ଦାନ , ହୃଦୟରେ କ୍ଷମା , ଚ଼େହରାରେ ହସ । ଏହି ସମାଜରେ ମହାନ ହେବାକୁ ହେଲେ ସମସ୍ତଙ୍କୁ ପ୍ରେମ କରିବା ଆବଶ୍ୟକ ।" ତେଣୁ ସମସ୍ତଙ୍କୁ ପ୍ରେମ କରିବା ହିଁ ଈଶ୍ୱର ପ୍ରାପ୍ତିର ମାର୍ଗ ।
ଏଭଳି ଏକ ସୁଜ୍ଞାନ ଦାୟକ , ପ୍ରେମ - ମୈତ୍ରୀ - ସଦ୍ଭାବନାପୂର୍ଣ୍ଣ ଧର୍ମ ସର୍ବକନିଷ୍ଠ ହେଲେ ବି ଯଥେଷ୍ଟ ଉଚ୍ଚରେ ଅଛି ବୋଲି ଭାବିନେବା ଉଚ଼ିତ । ଆମ ଐଶ୍ୱରିକ ଭାବନାର ସର୍ବଶ୍ରେଷ୍ଠ ଧର୍ମ "ମହିମା ଧର୍ମ" । ଏ ଧର୍ମର ତଥା ଏ ଧର୍ମାବଲମ୍ବୀଙ୍କ ଚ଼ରଣ ପାଦୁକା ରେଣୁ ମମାନନେ ଲେପି ସେହି ଅଲେଖ ସ୍ବାମୀଙ୍କ ସ୍ମରଣ ପୂର୍ବକ ଈଶ୍ୱର ପ୍ରାପ୍ତିର ମାର୍ଗ ଅନ୍ବେଷଣ କରିବା ଆମ ମାନଙ୍କର କର୍ତ୍ତବ୍ୟ ହେବା ଉଚ଼ିତ ।
ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା ,ନିରାକାରପୁର , କଣାସ , ପୁରୀ
ସମ୍ପର୍କ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment