ନୃଗ ରାଜନ ଶାପ ବିମୋଚନ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଦିବାକରଙ୍କର ସୁତ ମନୁ ବୈବସ୍ବତ
ଦଶ ଗୋଟି ପୁତ୍ରଙ୍କର ଥିଲେ ସେହି ତାତ ।
ତାଙ୍କ ଔରସୁ ଜନ୍ମିତ ଇକ୍ଷ୍ୱାକୁ କୁମର
ସୂର୍ୟ ବଂଶ ଆଦ୍ଯ ନୃପ ଜାଣେ ଏ ସଂସାର।
ଇକ୍ଷ୍ୱାକୁ ବଂଶଜ ଥିଲେ ନୃଗ ନରାଧୀଶ
ଅଜ୍ଞାତ ପାତକ ଫଳେ ହେଲେ କୃକଲାସ ।
ଦିନକ ଘଟଣା ଶୁଣ ଦେଇ ମନ କର୍ଣ୍ଣ
ନୃଗ ଶାପ ବିମୋଚନ କରୁଛି ବର୍ଣ୍ଣନ ।
ଜାମ୍ବବତୀଙ୍କ ନନ୍ଦନ ସାମ୍ବ ଓ ପ୍ରଦ୍ଯୁମ୍ନ
ଚାରୁଭାନୁ ଗଦାଦି ଯେତେ ଯାଦବଗଣ ।
ବାହାର ହେଲେ ଭ୍ରମଣେ ରାଜ ଉପବନ
ଏକମେଳେ କ୍ରୀଡା କଲେ ବହୁକାଳ ଜାଣ।
କ୍ରୀଡାନ୍ତେ ସକଳେ କ୍ଳାନ୍ତ ତୃଷାରେ ଆତୁର
ଅନ୍ବେଷଣେ ବାହାରିଲେ କାହିଁ ଅଛି ନୀର ।
କୂପଟିଏ ଦୃଶ୍ଯ ହେଲା ଅନତି ଦୂରରେ
ଅବିଳମ୍ବେ ପ୍ରବେଶିଲେ ତାହାରି କତିରେ ।
ଚକିତ ଯାଦବଗଣେ କୂପ ଗର୍ଭ ଚାହିଁ
ସମ୍ପୂର୍ଣ୍ଣ ଶୁଷ୍କ ସେ କୂପ ଜଳ ଟୋପେ ନାହିଁ ।
ଗିରି ଆକାର ପ୍ରାଣୀଟେ କୂପେ ଦୃଶ୍ଯମାନ
ଅନେକ ସମୟ ତାକୁ କଲେ ନିରୀକ୍ଷଣ ।
ଅନ୍ତିମେ ନିର୍ଣ୍ଣିତ ହେଲା କୃକଲାସ ସେହି
ଦୂରାବସ୍ଥା ଦେଖି ତା'ର ନପାରିଲେ ସହି ।
କୃକଲାସୋଦ୍ଧାର ପାଇଁ ରଜ୍ଜୁ ଧରି ହସ୍ତେ
ପ୍ରାଣ ପଣେ ଚେଷ୍ଟା କଲେ ଯାଦବ ସମସ୍ତେ ।
ସଫଳତା ନାହିଁ ସର୍ବେ ବିଫଳ ହୋଇଲେ
କୃଷ୍ଣଙ୍କ ସମୀପେ ଯାଇ ବୃତ୍ତାନ୍ତ ବୋଇଲେ ।
କୃକଲାସର ଉଦ୍ଧାର ନିମିତ୍ତେ ଆପଣ
ସହାୟ ହୁଅନ୍ତୁ ବୋଲି କଲେ ନିବେଦନ ।
ସମସ୍ତ ବୃତ୍ତାନ୍ତ ଶୁଣି ପ୍ରଭୁ ଭାବଗ୍ରାହୀ
ଯାଦବ ସଙ୍ଗତେ ମିଳି ଅଇଲେକ ସେହି ।
ପ୍ରବେଶି କେଶବ ଶୁଷ୍କ କୂପର ପାରୁଶ
ବାମ କରେ ତୋଳି ନେଲେ କୃଷ୍ଣ କୃକଲାସ ।
କୃଷ୍ଣଙ୍କ କରକମଳ ପରଶରେ ସେହି
କୃକଲାସ ଉଭା ଦେବ ଶରୀରକୁ ନେଇ ।
ଯା' ହାତେ ନ୍ଯସ୍ତ ସଂସାର ପାଳନର ଭାର
ସର୍ବଜ୍ଞ ସର୍ବେଶ ସେହି ସ୍ବୟଂ ଚକ୍ରଧର ।
ଜନ ମାନସେ ପ୍ରକାଶ କରିବା ନିମିତ୍ତ
ଜିଜ୍ଞାସା ଜାଗି ମନରେ ପୁଚ୍ଛିଲେ ବୃତ୍ତାନ୍ତ ।
କି କାରଣେ କୃକଲାସ ହୋଇଥିଲ କୁହ
ନିର୍ଭୟେ ଅବିକା ତୁମ ପରିଚୟ ଦିଅ ।
ଉତ୍ତରେ ଭାଷିଲେ ସେହି ଶୁଣ ନଟବର
ମହାରାଜ ନୃଗ ମୁହିଁ ଇକ୍ଷ୍ୱାକୁ କୁମର ।
ଦାନ ପ୍ରଦାନରେ ମୋର ଟିକେ ହେଳା ନାହିଁ
ସବୁ ଦାନୀ ମଧ୍ଯେ ମୁହିଁ ପ୍ରସିଦ୍ଧ ଅଟଇ ।
କେତେ ଯାଗ ଯଜ୍ଞ କରି ଅରପିଛି ଦାନ
କୂପ ପୁଷ୍କରିଣୀ କେତେ କରିଛି ଖନନ ।
ସମର୍ପି ଥିଲି ମୋ ପ୍ରାଣ ପରଜାଙ୍କ ହିତେ
ଦୁଗ୍ଧବତୀ ଗାଭୀ ପ୍ରଦାନିଛି ବିପ୍ର ହସ୍ତେ ।
ଦୀନ ଦୁଃଖୀ ନେତ୍ରେ ଅଶ୍ରୁ ଅସହ୍ଯ ମୋ ପାଇଁ
ପ୍ରଜାଙ୍କୁ ପ୍ରଦାନେ ନ୍ଯାୟ କାନ୍ଦଇ ଅନ୍ଯାୟୀ ।
ଏକଦିନକର କଥା ଶୁଣ ଜନାର୍ଦ୍ଦନ
ନୈଷ୍ଠିକ ବ୍ରାହ୍ମଣେ ଏକ ଧେନୁ କଲି ଦାନ
ସତ୍ଯ ଏ ବଚନ ପ୍ରଭୋ ଅଜ୍ଞାତେ ମୋହର
ଧେନୁ ଫେରିଆସି ବାସ କଲା ମୋ ନଅର ।
ସଂଖ୍ଯାଧିକ ଗାଭୀ ଥିଲେ ନପାରିଲି ଜାଣି
ଅନ୍ଯ ଏକ ବିପ୍ର କରେ ଦାନ ଦେଲି ପୁଣି।
ବିପ୍ରାଳୟେ କିଛିଦିନ ବିତିଗଲା ପରେ
ଗାଭୀକୁ ଦେଖିଲେ ପୂର୍ବ ମାଲିକ ସେଠାରେ ।
ଦାବି ବାଢ଼ିଲେ ବ୍ରାହ୍ମଣ ବ୍ରାହ୍ମଣ ପାରୁଶେ
ମୋର ଏ ଧେନୁ କିପରି ତୁମ୍ଭର ନିବାସେ ?
ବେନି ବିପ୍ର ମଧ୍ଯେ ଉପୁଜିଲା ବହୁ ଦ୍ବନ୍ଦ
ଅବିଳମ୍ବେ ଆଗତିଲା ମୋ ପାଶେ ସମ୍ବାଦ।
ବିପ୍ରଙ୍କ ମନ୍ଦିରେ ମିଳି ସମାଧାନ ପାଇଁ
ଭାଷିଲି ବଚନ ଶୁଣ ବ୍ରାହ୍ମଣ ଗୋସାଇଁ ।
ଏକ ଧେନୁ ବଦଳରେ ଏକ ଲକ୍ଷ ଗାଭୀ
ସତ୍ଯ ଏ ତ୍ରିବାର ଦାନ ସୂତ୍ରେ ପ୍ରଦାନିବି ।
ତ୍ରୁଟି ମୋର କ୍ଷମା କର ବେନି ବିପ୍ରବର
ଅଜ୍ଞାତରେ ଏ ପାପ ମୁଁ କରିଛି ପାମର।
ବିପ୍ର ଦ୍ବୟ ଶୁଣିଲେନି ମୋର ନିବେଦନ
କ୍ରୋଧେ ଧେନୁ ଘେନି ଫେରିଗଲେ ନିଜ ସ୍ଥାନ ।
ଯମ ଦୂତ ଆସି ମହାପ୍ରୟାଣାନ୍ତେ ମୋର
ଚର୍ମ ଦଉଡିରେ ବାନ୍ଧି ନେଲେ ଯମପୁର।
ନର୍କାଧୀଶ ମୋର ପାଶେ ବାଢ଼ିଲେକ ପ୍ରଶ୍ନ
ପାପ ପୂଣ୍ୟ ମଧ୍ଯୁ ଆଗ କେଉଁଟି ଗ୍ରହଣ?
ଯେହେତୁ ମୋ ପୂଣ୍ୟ ଫଳ ଅନନ୍ତ ଅପାର
କିଞ୍ଚିତ ପାପ ପ୍ରଲେପ ଲିପା ଏ ଶରୀର ।
ତେଣୁ ସ୍ଥିର କଲି ଆଗେ ପାପର ବିଚାର
ପ୍ରଦାନନ୍ତୁ ଧର୍ମରାଜ ଭାଷିଲି ଉତ୍ତର ।
କୃତ କର୍ମ ଭୋଗାର୍ଥେ ହେଲି ଅଧଃପତିତ
ଆପଣଙ୍କ କର ସ୍ପର୍ଶେ ହେଲି ଶାପମୁକ୍ତ ।
ଜ୍ଞାତସାରେ ହେଉ ଅବା ହେଉ ଅଜ୍ଞାତରେ
ବିପ୍ର ସମ୍ପତ୍ତି ହରିଲେ ପଡିବ ନର୍କରେ।
ବାସୁଦେବ ପାଶେ ତାଙ୍କ ସରିଲା ବଖାଣ
ଅଭିସମ୍ପାତୁ ମୁକତି ମିଳିଗଲା ପୁଣ ।
ତତକ୍ଷଣେ ପ୍ରବେଶିଲା ସରଗୁ ବିମାନ
କୃଷ୍ଣ ସ୍ତବ ଗାନେ ରାଜା କରିଲେ ଗମନ ।
ନରାଧୀଶ ନୃଗ ଅଭିଶାପ ବିମୋଚନ
ପ୍ରଭୁ ପଦ ଧ୍ଯାୟି ଶିବ କଲା ସମାପନ।
ପ୍ରଭୁଙ୍କ ଚରଣେ ସଦା ଥାଉ ମୋର ମତି
ଜଗଦୀଶ୍ବର ସେ କୃଷ୍ଣ ଦିଅନ୍ତୁ ମୁକତି ।।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment