ନୃଗ ରାଜନ ଶାପ ବିମୋଚନ

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି

                 ସମ୍ପାଦକ - ଉଦୟ ଭାନୁ 
   
         ଦିବାକରଙ୍କର ସୁତ ମନୁ ବୈବସ୍ବତ
      ଦଶ ଗୋଟି ପୁତ୍ରଙ୍କର ଥିଲେ ସେହି ତାତ ।
        ତାଙ୍କ ଔରସୁ ଜନ୍ମିତ ଇକ୍ଷ୍‌ୱାକୁ କୁମର 
       ସୂର୍ୟ ବଂଶ ଆଦ୍ଯ ନୃପ ଜାଣେ ଏ ସଂସାର।
        ଇକ୍ଷ୍‌ୱାକୁ ବଂଶଜ ଥିଲେ ନୃଗ ନରାଧୀଶ 
        ଅଜ୍ଞାତ ପାତକ ଫଳେ ହେଲେ କୃକଲାସ ।
           ଦିନକ ଘଟଣା ଶୁଣ ଦେଇ ମନ କର୍ଣ୍ଣ 
           ନୃଗ ଶାପ ବିମୋଚନ କରୁଛି ବର୍ଣ୍ଣନ ।
           ଜାମ୍ବବତୀଙ୍କ ନନ୍ଦନ ସାମ୍ବ ଓ ପ୍ରଦ୍ଯୁମ୍ନ 
           ଚାରୁଭାନୁ ଗଦାଦି ଯେତେ ଯାଦବଗଣ ।
         ବାହାର ହେଲେ ଭ୍ରମଣେ ରାଜ ଉପବନ 
         ଏକମେଳେ କ୍ରୀଡା କଲେ ବହୁକାଳ ଜାଣ।
        କ୍ରୀଡାନ୍ତେ ସକଳେ କ୍ଳାନ୍ତ ତୃଷାରେ ଆତୁର 
        ଅନ୍ବେଷଣେ ବାହାରିଲେ କାହିଁ ଅଛି ନୀର ।
          କୂପଟିଏ ଦୃଶ୍ଯ ହେଲା ଅନତି ଦୂରରେ 
        ଅବିଳମ୍ବେ ପ୍ରବେଶିଲେ ତାହାରି କତିରେ ।
           ଚକିତ ଯାଦବଗଣେ କୂପ ଗର୍ଭ ଚାହିଁ 
     ସମ୍ପୂର୍ଣ୍ଣ ଶୁଷ୍କ ସେ କୂପ ଜଳ ଟୋପେ ନାହିଁ । 
      ଗିରି ଆକାର ପ୍ରାଣୀଟେ କୂପେ ଦୃଶ୍ଯମାନ 
       ଅନେକ ସମୟ ତାକୁ କଲେ ନିରୀକ୍ଷଣ ।
       ଅନ୍ତିମେ ନିର୍ଣ୍ଣିତ ହେଲା କୃକଲାସ ସେହି 
      ଦୂରାବସ୍ଥା ଦେଖି ତା'ର ନପାରିଲେ ସହି ।
       କୃକଲାସୋଦ୍ଧାର ପାଇଁ ରଜ୍ଜୁ ଧରି ହସ୍ତେ 
     ପ୍ରାଣ ପଣେ ଚେଷ୍ଟା କଲେ ଯାଦବ ସମସ୍ତେ ।
      ସଫଳତା ନାହିଁ ସର୍ବେ ବିଫଳ ହୋଇଲେ 
     କୃଷ୍ଣଙ୍କ ସମୀପେ ଯାଇ ବୃତ୍ତାନ୍ତ ବୋଇଲେ ।
         କୃକଲାସର ଉଦ୍ଧାର ନିମିତ୍ତେ ଆପଣ 
     ସହାୟ ହୁଅନ୍ତୁ ବୋଲି କଲେ ନିବେଦନ ।
         ସମସ୍ତ ବୃତ୍ତାନ୍ତ ଶୁଣି ପ୍ରଭୁ ଭାବଗ୍ରାହୀ   
       ଯାଦବ ସଙ୍ଗତେ ମିଳି ଅଇଲେକ ସେହି ।
        ପ୍ରବେଶି କେଶବ ଶୁଷ୍କ କୂପର ପାରୁଶ 
     ବାମ କରେ ତୋଳି ନେଲେ କୃଷ୍ଣ କୃକଲାସ ।
          କୃଷ୍ଣଙ୍କ କରକମଳ ପରଶରେ ସେହି 
        କୃକଲାସ ଉଭା ଦେବ ଶରୀରକୁ ନେଇ ।
      ଯା' ହାତେ ନ୍ଯସ୍ତ ସଂସାର ପାଳନର ଭାର 
        ସର୍ବଜ୍ଞ ସର୍ବେଶ ସେହି ସ୍ବୟଂ ଚକ୍ରଧର ।
         ଜନ ମାନସେ ପ୍ରକାଶ କରିବା ନିମିତ୍ତ 
       ଜିଜ୍ଞାସା ଜାଗି ମନରେ ପୁଚ୍ଛିଲେ ବୃତ୍ତାନ୍ତ ।
       କି କାରଣେ କୃକଲାସ ହୋଇଥିଲ କୁହ 
        ନିର୍ଭୟେ ଅବିକା ତୁମ ପରିଚୟ ଦିଅ ।
       ଉତ୍ତରେ ଭାଷିଲେ ସେହି ଶୁଣ ନଟବର 
      ମହାରାଜ ନୃଗ ମୁହିଁ ଇକ୍ଷ୍‌ୱାକୁ କୁମର ।
   ଦାନ ପ୍ରଦାନରେ ମୋର ଟିକେ ହେଳା ନାହିଁ 
      ସବୁ ଦାନୀ ମଧ୍ଯେ ମୁହିଁ ପ୍ରସିଦ୍ଧ ଅଟଇ ।
     କେତେ ଯାଗ ଯଜ୍ଞ କରି ଅରପିଛି ଦାନ 
    କୂପ ପୁଷ୍କରିଣୀ କେତେ କରିଛି ଖନନ ।
     ସମର୍ପି ଥିଲି ମୋ ପ୍ରାଣ ପରଜାଙ୍କ ହିତେ 
      ଦୁଗ୍ଧବତୀ ଗାଭୀ ପ୍ରଦାନିଛି ବିପ୍ର ହସ୍ତେ ।
   ଦୀନ ଦୁଃଖୀ ନେତ୍ରେ ଅଶ୍ରୁ ଅସହ୍ଯ ମୋ ପାଇଁ 
    ପ୍ରଜାଙ୍କୁ ପ୍ରଦାନେ ନ୍ଯାୟ କାନ୍ଦଇ ଅନ୍ଯାୟୀ ।
         ଏକଦିନକର କଥା ଶୁଣ ଜନାର୍ଦ୍ଦନ 
     ନୈଷ୍ଠିକ ବ୍ରାହ୍ମଣେ ଏକ ଧେନୁ କଲି ଦାନ
    ସତ୍ଯ ଏ ବଚନ ପ୍ରଭୋ ଅଜ୍ଞାତେ ମୋହର 
   ଧେନୁ ଫେରିଆସି ବାସ କଲା ମୋ ନଅର ।
    ସଂଖ୍ଯାଧିକ ଗାଭୀ ଥିଲେ ନପାରିଲି ଜାଣି 
    ଅନ୍ଯ ଏକ ବିପ୍ର କରେ ଦାନ ଦେଲି ପୁଣି।
     ବିପ୍ରାଳୟେ କିଛିଦିନ ବିତିଗଲା ପରେ 
  ଗାଭୀକୁ ଦେଖିଲେ ପୂର୍ବ ମାଲିକ ସେଠାରେ ।
     ଦାବି ବାଢ଼ିଲେ ବ୍ରାହ୍ମଣ ବ୍ରାହ୍ମଣ ପାରୁଶେ 
   ମୋର ଏ ଧେନୁ କିପରି ତୁମ୍ଭର ନିବାସେ ?
    ବେନି ବିପ୍ର ମଧ୍ଯେ ଉପୁଜିଲା ବହୁ ଦ୍ବନ୍ଦ 
    ଅବିଳମ୍ବେ ଆଗତିଲା ମୋ ପାଶେ ସମ୍ବାଦ।
      ବିପ୍ରଙ୍କ ମନ୍ଦିରେ ମିଳି ସମାଧାନ ପାଇଁ 
      ଭାଷିଲି ବଚନ ଶୁଣ ବ୍ରାହ୍ମଣ ଗୋସାଇଁ ।
     ଏକ ଧେନୁ ବଦଳରେ ଏକ ଲକ୍ଷ ଗାଭୀ 
     ସତ୍ଯ ଏ ତ୍ରିବାର ଦାନ ସୂତ୍ରେ ପ୍ରଦାନିବି ।
     ତ୍ରୁଟି ମୋର କ୍ଷମା କର ବେନି ବିପ୍ରବର 
     ଅଜ୍ଞାତରେ ଏ ପାପ ମୁଁ କରିଛି ପାମର।
    ବିପ୍ର ଦ୍ବୟ ଶୁଣିଲେନି ମୋର ନିବେଦନ 
  କ୍ରୋଧେ ଧେନୁ ଘେନି ଫେରିଗଲେ ନିଜ ସ୍ଥାନ ।
     ଯମ ଦୂତ ଆସି ମହାପ୍ରୟାଣାନ୍ତେ ମୋର 
     ଚର୍ମ ଦଉଡିରେ ବାନ୍ଧି ନେଲେ ଯମପୁର।
   ନର୍କାଧୀଶ ମୋର ପାଶେ ବାଢ଼ିଲେକ ପ୍ରଶ୍ନ 
    ପାପ ପୂଣ୍ୟ ମଧ୍ଯୁ ଆଗ କେଉଁଟି ଗ୍ରହଣ?
    ଯେହେତୁ ମୋ ପୂଣ୍ୟ ଫଳ ଅନନ୍ତ ଅପାର 
    କିଞ୍ଚିତ ପାପ ପ୍ରଲେପ ଲିପା ଏ ଶରୀର ।
   ତେଣୁ ସ୍ଥିର କଲି ଆଗେ ପାପର ବିଚାର 
     ପ୍ରଦାନନ୍ତୁ ଧର୍ମରାଜ ଭାଷିଲି ଉତ୍ତର ।
   କୃତ କର୍ମ ଭୋଗାର୍ଥେ ହେଲି ଅଧଃପତିତ 
   ଆପଣଙ୍କ କର ସ୍ପର୍ଶେ ହେଲି ଶାପମୁକ୍ତ ।
   ଜ୍ଞାତସାରେ ହେଉ ଅବା ହେଉ ଅଜ୍ଞାତରେ 
    ବିପ୍ର ସମ୍ପତ୍ତି ହରିଲେ ପଡିବ ନର୍କରେ।
    ବାସୁଦେବ ପାଶେ ତାଙ୍କ ସରିଲା ବଖାଣ 
      ଅଭିସମ୍ପାତୁ ମୁକତି ମିଳିଗଲା ପୁଣ ।
     ତତକ୍ଷଣେ ପ୍ରବେଶିଲା ସରଗୁ ବିମାନ 
  କୃଷ୍ଣ ସ୍ତବ ଗାନେ ରାଜା କରିଲେ ଗମନ ।
    ନରାଧୀଶ ନୃଗ ଅଭିଶାପ ବିମୋଚନ 
   ପ୍ରଭୁ ପଦ ଧ୍ଯାୟି ଶିବ କଲା ସମାପନ।
   ପ୍ରଭୁଙ୍କ ଚରଣେ ସଦା ଥାଉ ମୋର ମତି 
    ଜଗଦୀଶ୍ବର ସେ କୃଷ୍ଣ ଦିଅନ୍ତୁ ମୁକତି ।।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା