ସମସ୍ୟାର ସମାଧାନ କେବେ ?
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ପୁରୀ ଜିଲ୍ଲାର କଣାସ ବ୍ଲକର ଗୋଟିଏ ଗ୍ରାମ ଭାଟପଡ଼ା । ଯେଉଁଠି ଅଛି ମୋ' ଷଠୀଘର । ମାତ୍ର ଶହେ ଘରର ସମଷ୍ଟିକୁ ନେଇ ମୋ' ଗାଁଟି ମଥା ଟେକି ଛିଡ଼ା ହୋଇଛି । ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ବାସିନ୍ଦା । ପରସ୍ପର ସ୍ନେହ ପ୍ରେମ ବିରାଜିତ । କିନ୍ତୁ ଆଜିର ଏ କୂଟ ରାଜନୀତିର ପଶାପାଲିରେ ବଳି ପଡ଼ି ଯାଇଛନ୍ତି କିଛି ଲୋକ । ଗାଁରେ ପ୍ରାୟ ସମସ୍ତେ ଦୀନ ମଜୁରିଆ । କାଁ ଭାଁ ଚାକିରିଆ ଅଛନ୍ତି । କ୍ଷେତବାଡ଼ି କାମ ପ୍ରାୟ ଲୋକ କରନ୍ତି । ଗାଁର ଅଧିକ ସ୍ବଚ୍ଛଳତା ଉପରକୁ ବହୁତ ଭଲ ; ହେଲେ ପ୍ରକୃତରେ ସେତେ ଉନ୍ନତ ନୁହେଁ । ଗାଁ ମଝିରେ ଗ୍ରାମେଶ୍ବର ମହାଦେବଙ୍କ ମନ୍ଦିର ଓ ତା ସନ୍ନିକଟେ ଗ୍ରାମଦେବୀ ମା' କ୍ଷେତ୍ରପାଳୀଙ୍କ ଆଳୟ । ଗାଁର ପ୍ରାଚୀ ଦିଶେ ଅନତି ଦୂରରେ ଜଣେ ଦୀନ ହୀନ ବ୍ରାହ୍ମଣ ପ୍ରମୋଦ ବାହିନୀପତିଙ୍କର ଅଦମ୍ଯ ଉଦ୍ଯମରେ ଗଢ଼ି ଉଠିଛି ମା' ତାରିଣୀଙ୍କ ମନ୍ଦିର । ଭିକ୍ଷା କରି ବ୍ରାହ୍ମଣ ଜଣକ ମନ୍ଦିରଟି ଛିଡ଼ା କରାଇଥିଲେ । ଗାଁର ପରିବେଶ ବହୁତ ଭଲ ଓ ସୌନ୍ଦର୍ଯ୍ୟମୟ । କିନ୍ତୁ ରକ୍ଷଣାବେକ୍ଷଣର ଅଭାବରୁ ସେ ଆଜି ମଳିନ ପ୍ରାୟ ।
ଏଠି ଅନେକ ସମସ୍ୟା । ପ୍ରଥମତଃ ରାସ୍ତାଘାଟ ; ଅବଶ୍ଯ ଆଗ ଠାରୁ ଢ଼େର୍ ଗୁଣ ପରିବର୍ତ୍ତନ ଘଟିଛି । କିନ୍ତୁ ଏତେଟା ଉନ୍ନତି ହୋଇପାରିନି । କାମ ଆସେ ଗାଁକୁ ; ହେଲେ ବାଟରୁ ଅର୍ଦ୍ଧେକ ସଂଖ୍ଯାରେ ବାଟମାରଣା ହୋଇଯାଏ । କଣ୍ଟ୍ରାକ୍ଟର୍ ବି ଗୋଡ଼ି ବାଲି ଛିଞ୍ଚି ଦେଇ ନିମ୍ନ ମାନର କାମ ଦେଖେଇ ଉଦରସ୍ଥ କରିଦିଏ ସବୁ । ବର୍ଷେ ନପୂରୁଣୁ ପୁଣି ରାସ୍ତାଘାଟ ଯେମିତି ଖାଲ ଢିପ ସେମିତି । ଗାଁରେ ପାଞ୍ଚ ପାଞ୍ଚଟା ପୋଖରୀ । ଗାଁ ଦାଢ଼ରେ ଝରିଯାଉଛି ପୁଣ୍ଯତୋୟା ଦୟାର ଧାରଟିଏ ମକରା ନାମରେ । ହେଲେ ଗାଁ ଠାରୁ ଗୋଟେ କି.ମି ଦୂରରେ । ଖରାଦିନେ ନଦୀ ପୋଖରୀ ଫାଟି ଆଁ କରିଥାଏ । ପଡ଼ୋଶୀ ଗାଁକୁ ପାଣିର ସୁବିଧା , କିନ୍ତୁ ଆମ ଗାଁକୁ (ଏ ସନ୍ଦର୍ଭ ଲେଖା ବେଳକୁ) କାହାର ନଜର ପଡ଼େନା । ଜଳ ବିନା ହା' ହା' କାର ଜୀବନ । ଶୌଚ ପାଇଁ ବି ପାଣି ନଥାଏ । ସମସ୍ତେ ସେଇ ଗୋଟେ କି.ମି ଦୌଡ଼ନ୍ତି ମକରା ନଦୀରୁ ପାଣି ଟୋପେ ପାଇଁ । ପାଣି ପଞ୍ଚାୟତ ଥାଇ ବି କିଛି କାମକୁ ନୁହଁ ।
ଏଠି କେବଳ ଇଲେକ୍ସନ୍ ବେଳେ ଦେଖିବାକୁ ମିଳେ ବିଧାୟକ , ସରପଞ୍ଚ ମାନଙ୍କୁ । ବନ୍ଯା ବାତ୍ଯା ବେଳେ ବି ନାହିଁ । ବନ୍ଯା ବାତ୍ଯା ସରିବା ପରେ ଗ୍ରାମାଭିମୁଖୀ ହୁଅନ୍ତି ସବୁ କେବଳ ସାନ୍ତ୍ବନା ଦେବାକୁ । ରିଲିଫ୍ ଆକାରରେ ଗଣ୍ଡେ ଚୁଡ଼ା ଓ ଖଣ୍ଡେ ବିସ୍କୁଟ୍ ଫୋପାଡି ଦେଇ ବାଃ ବାଃ ନିଅନ୍ତି ସେମାନେ । କେଇଟା ଟଙ୍କାରେ କିଣି ନିଅନ୍ତି ଗାଁ ଜନତାଙ୍କୁ । ଭୋଟ୍ ପୂର୍ବରୁ ଦେଇ ଯାଆନ୍ତି ଅନେକ ବଚନ । ହେଲେ ରାଜଗାଦି ଆରୋହଣ ପରେ ତାଙ୍କର ଆଉ ସେ ସବୁ ମନେ ନଥାଏ । ବିପଦ ବେଳରେ ଆମ୍ବୁଲାନ୍ସ୍ ଖୋଜିଲେ ସହଜେ ମିଳେନା । ବେଳେବେଳେ ରୋଗୀ ପ୍ରାଣତ୍ୟାଗ କରେ ସିନା , ଆମ୍ବୁଲାନ୍ସ୍ ମିଳେନା ।
ଏଠି ଇନ୍ଦିରା ଆବାସ ଯୋଜନା ବି ଅସଫଳ । ଯିଏ ପାଇବାର ହକ୍ ସେ କିନ୍ତୁ ପାଇପାରେନି । ଯାହାର ନଅଶହ ନୌବାଟୀ ଭାସି ଯାଉଛି ତା' ପାଇଁ ସବୁକିଛି । ଏସବୁ କୂଟ ରାଜନୀତିର ପ୍ରଭାବ । ପ୍ରଭାବଶାଳୀ ବ୍ଯକ୍ତିଙ୍କ ପାଇଁଁ ସବୁକିଛି । ପ୍ରକୃତ ଦୀନ ସବୁବେଳେ ଓଳିଏ ଖାଇ ଓଳିଏ ଉପବାସ । ଏସବୁ ସମସ୍ୟାର ସମାଧାନ କେବେ ? କେବେ ବଦଳିବ ଏ ଗାଁର ରୂପରେଖ ? କେତେଦିନ ଆଉ ଶୋଷି ଚାଲିଥିବେ ଦୀନଦୁଃଖୀଙ୍କ ଶୋଣିତ ? ସମାଧାନ ଖୋଜି ଖୋଜି ନୟାନ୍ତ ; ହେଲେ ମିଳୁନି ।
ସମ୍ପାଦକ - ଉଦୟ ଭାନୁ
ପ୍ରତିଷ୍ଠାତା/ ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment