ହିନ୍ଦୁତ୍ବ ଏକ ଜୀବନଧାରା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ହିନ୍ଦୁ କହିଲେ ଭାରତୀୟ ଉପମହାଦେଶର ମୂଳ ନିବାସୀ ମାନଙ୍କର ଦାର୍ଶନିକ , ଧାର୍ମିକ ଓ ସାଂସ୍କୃତିକ ଭାବଧାରାକୁ ବୁଝାଏ । ସାଧାରଣ ଭାବରେ ହିନ୍ଦୁ ଧର୍ମାନୁଗାମୀ ମାନେ ହିନ୍ଦୁ ଭାବେ ପରିଚ଼ିତ । ହିନ୍ଦୁମାନେ ଆତ୍ମା , କର୍ମ , ଅବତାରବାଦ, ପୁନଃଜନ୍ମ , ମୂର୍ତ୍ତିପୂଜା , ଅହିଂସା ଆଦିରେ ବିଶ୍ବାସ କରନ୍ତି । ବହୁ ପ୍ରାଚ଼ୀନ କାଳରୁ ହିନ୍ଦୁ ଧର୍ମକୁ "ସନାତନ ଧର୍ମ" ବି କୁହାଯାଉଛି । ଏହି ହିନ୍ଦୁ ଶବ୍ଦଟି ସିନ୍ଧୁ ନଦୀରୁ ଆନୀତ । ସିନ୍ଧୁ ନଦୀର ପଶ୍ଚିମରେ ବସବାସ କରୁଥିବା ପାର୍ସି , ଆରବିକ ଅଧିବାସୀ ମାନେ ବି ହିନ୍ଦୁ ନାମରେ ପରିଚ଼ିତ । ସିନ୍ଧୁ ନଦୀର ପୂର୍ବଦେଶ ହିନ୍ଦୁସ୍ଥାନ , ସେଠାକାର ଅଧିକାଂଶ ଅଧିବାସୀ ହିନ୍ଦୁ । ହିନ୍ଦୁ ଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ଯତଃ ଭାରତୀୟ ଉପମହାଦେଶରେ ଅନୁସରଣ ହୋଇଥାଏ । ଏହି ଧର୍ମ କୌଣସି ବ୍ଯକ୍ତି ବିଶେଷ ସ୍ଥାପନା କରିନାହିଁ ; ଏହା ପ୍ରାଚ଼ୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ବାସରୁ ଉତ୍ପନ୍ନ ।
ହିନ୍ଦୁ ଧର୍ମର ଉତ୍ପତ୍ତି ସମୟ ସମ୍ବନ୍ଧରେ ମତ ପାର୍ଥକ୍ୟ ଥିଲେ ବି ଏହା ପ୍ରାୟ ଖ୍ରୀ.ପୂ. ୨୦୦୦-୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି କିଛିଙ୍କ ମତ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହ ହିନ୍ଦୁ ଧର୍ମ ଖ୍ରୀଷ୍ଟ ଓ ଇସଲାମ ଧର୍ମ ପରେ ଦୁନିଆର ତୃତୀୟ ବଡ଼ ଧର୍ମ ; ହିନ୍ଦୁ ଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତ ଓ ନେପାଳରେ ବସବାସ କରନ୍ତି । ଏହି ହିନ୍ଦୁ ଧର୍ମର ଧର୍ମଗ୍ରନ୍ଥ ହେଉଛି "ବେଦ" । ସିନ୍ଧୁ ନଦୀରୁ ଆନୀତ ଏହି "ହିନ୍ଦୁ" ଶବ୍ଦଟି ଆରବୀ ଭାଷାରେ "ଅଲ୍ ହିନ୍ଦ୍" ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ବେ ବସବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଏବଂ ଏ ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । ଏହାର ପ୍ରାଚ଼ୀନ ଇତିହାସ ମୁନିଋଷି ମାନଙ୍କର ବେଦ । ଏହାର ଧର୍ମଗ୍ରନ୍ଥ ନୈତିକ ଉପଦେଶ , ଦେବତା , ଶାସ୍ତ୍ର କୌଣସି ଗୋଟିଏ ନୁହେଁ ; ଏହାର ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ଯ ନାହାନ୍ତି କିମ୍ବା ଏଥିରେ ମସିହା (ପୟଗମ୍ବର)ବାଦ ନାହିଁ । ହିନ୍ଦୁ ଧର୍ମର ଅନେକ ହଜାରେ ବର୍ଷ ପୂର୍ବେ ରଚ଼ିତ । ପୁରାଣ ଓ ମହାକାବ୍ୟ ମଧ୍ୟରେ "ରାମାୟଣ" ଓ "ମହାଭାରତ" ଅନ୍ୟତମ ଏବଂ "ଭଗବତ ଗୀତା" ହେଉଛି ମହାଭାରତର ଏକ ଅଂଶ ; ଏହାକୁ ଚ଼ାରିବେଦର ସାର କୁହାଯାଏ । ଏଥିପାଇଁ ହିନ୍ଦୁ ଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ଏ ଧର୍ମର ମୂଳସତ୍ତ୍ବ "ସତ୍ୟ , ଅହିଂସା , ଦୟା , କ୍ଷମା ଏବଂ ଦାନ" ; ସେଲାଗି ନିଜର ମନ , ବଚ଼ନ , କର୍ମ ଦ୍ବାରା ହିଂସାଠୁ ଅନେକ ଦୂରରେ ଥିବା ମଣିଷକୁ "ହିନ୍ଦୁ" କହନ୍ତି । ହିନ୍ଦୁର ଏକ ପରିଭାଷା ହେଲା - "ଯିଏ ସବୁ ଧର୍ମକୁ ଭଲପାଏ" ; ଅନ୍ୟର୍ଥରେ ଏ "ହିନ୍ଦୁ" ଶବ୍ଦର ପରିଭାଷା ବ୍ଯାପକ ।
ବୈଦିକ ବାଙ୍ମୟରେ ବା ଅନ୍ଯାନ୍ଯ ପ୍ରାଚ଼ୀନ ଗ୍ରନ୍ଥାବଳୀରେ "ହିନ୍ଦୁ" ଶବ୍ଦ ଉଲ୍ଲେଖ ନାହିଁ ; କିନ୍ତୁ ଆର୍ଯ୍ଯ ବୋଲି ଲେଖା ଅଛି । 'ଆର୍ଯ୍ଯ' ଶବ୍ଦର ଅର୍ଥ "ଶ୍ରେଷ୍ଠ ବା ସଭ୍ୟ"। ଅମରକୋଷ ପ୍ରମାଣ ଦିଏ - "ମହାକୁଳକୁଳୀନାର୍ଯ୍ଯ ସଭ୍ଯ ସଜ୍ଜନ ସାଧବାଃ ।" ଏହାର ଅର୍ଥ -: ଆର୍ଯ୍ଯ ଶବ୍ଦର ପ୍ରୟୋଗ ମହାନ କୁଳ , କୁଳୀନ , ସଭ୍ଯ , ସଜ୍ଜନ , ସାଧୁ ଆଦିଙ୍କ ନିମନ୍ତେ ଉଦ୍ଦିଷ୍ଟ । ଏଲାଗି ପ୍ରାଚ଼ୀନ କାଳରେ ଭାରତର ନାମ ଥିଲା "ଆର୍ଯ୍ଯବର୍ତ୍ତ" (ଆର୍ଯ୍ଯ ମାନଙ୍କ ଭୂମି ) ଯାହା ପ୍ରତିପାଦନ କରୁଥିଲା "ଶ୍ରେଷ୍ଠ ଜନଙ୍କ ନିବାସସ୍ଥଳୀ" ; ହିନ୍ଦୁମାନେ ନିଜକୁ "ଆର୍ଯ୍ଯପୁତ୍ର" ବା "ଆର୍ଯ୍ୟପତ୍ନୀ" ଭାବେ ସମ୍ବୋଧନ କରୁଥିଲେ ।
କିଛି ଐତିହାସିକଙ୍କ ମତରେ , ଚ଼ୀନ୍ ଦେଶର ପରିବ୍ରାଜକ ହୁଏନ୍ସାଂଙ୍କ କାଳରେ "ହିନ୍ଦୁ" ଶବ୍ଦର ଉତ୍ପତ୍ତି "ଇନ୍ଦୁ" ଶବ୍ଦରୁ ହୋଇଛି । "ଇନ୍ଦୁ" ଶବ୍ଦଟିର ଅର୍ଥ "ଚ଼ନ୍ଦ୍ର" ; ଭାରତୀୟ ଜ୍ଯୋତିଷ ଶାସ୍ତ୍ରରେ ସମସ୍ତ ଗଣନା ଚ଼ନ୍ଦ୍ର ମାସନୁସାରେ ହୋଇଥାଏ । ତେଣୁ ଚ଼ୀନ୍ ଦେଶର ବାସିନ୍ଦା ଭାରତୀୟଙ୍କୁ "ଇନ୍ଦୁ" ବା "ହିନ୍ଦୁ" ବୋଲି କହିବାକୁ ଲାଗିଲେ । ପରବର୍ତ୍ତୀ କାଳରେ ଭାରତୀୟମାନେ "ହିନ୍ଦୁ" ଭାବେ ପରିଚ଼ୟ ପ୍ରାପ୍ତ ପରେ ଏ ଶବ୍ଦର ପରିଭାଷା ବି ଅଧୁନା କାଳର ନାନାଦି ସଂସ୍କୃତ ଗ୍ରନ୍ଥରେ ବିଦ୍ବାନ ମାନଙ୍କ ଦ୍ବାରା ପ୍ରୟୋଗ ହେବାକୁ ଲାଗିଲା । ପ୍ରମାଣ ମିଳେ ଯେ :-
"ଆସିନ୍ଧୋଃ ସିନ୍ଧୁ ପର୍ଯ୍ଯନ୍ତା ଯସ୍ଯ ଭାରତ ଭୂମିକା ।
ପିତୃଭୂଃ ପୁଣ୍ଯଭୂଶ୍ଚୈବ ସ ବୈ ହିନ୍ଦୁରିତି ସ୍ମୃତଃ ।।"
ଲୋକମାନ୍ୟ ତିଲକଙ୍କ ଅନୁଯାୟୀ ଏହାର ବ୍ଯାଖ୍ଯା "ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳରୁ ଆରମ୍ଭ କରି ଭାରତ ମହାସାଗର ଯାଏଁ ଯାହାର ଜନ୍ମଭୂମି ଓ ପୁଣ୍ଯଭୂମି , ସେ ହିଁ ହିନ୍ଦୁ ଅଟେ ।" ପୁନରାୟ ଏକ ଶ୍ଳୋକରେ :-
"ଗୋଷୁ ଭକ୍ତିର୍ଭବେଦସ୍ଯ ପ୍ରଣବେ ଚ଼ ଦୃଢ଼ା ମତିଃ ।
ପୁନର୍ଜନ୍ମନି ବିଶ୍ବାସଃ ସ ବୈ ହିନ୍ଦୁରିତି ସ୍ମୃତଃ ।।"
ଅର୍ଥାତ - ଯାହାର ଗୋ'ମାତା ଠାରେ ଭକ୍ତି , ପ୍ରଣବରେ ଦୃଢ଼ମତି ଓ ପୁନର୍ଜନ୍ମ ବିଶ୍ବାସ ଥାଏ ସେ ହିଁ ହିନ୍ଦୁ ।" ଏଥିରୁ ଜ୍ଞାତ ହେଉଛି ହିନ୍ଦୁ ଧର୍ମର ମୁଖ୍ଯ ମନ୍ତ୍ର , ଅବସ୍ଥିତି , ପରିସ୍ଥିତି , ଧର୍ମ ବିଶ୍ବାସ , ଐକ୍ୟଭାବ । ଆଚ଼ାର୍ଯ୍ଯ ବିନୋବା ଭାବେ କହିଛନ୍ତି :-
"ଯୋ ବର୍ଣ୍ଣାଶ୍ରମ ନିଷ୍ଠାବାନ୍ ଗୋଭକ୍ତ ଶ୍ରୁତିମାତୃକଃ ।
ମୂର୍ତ୍ତିଂ ଚ଼ ନାବଜାନାତି ସର୍ବଧର୍ମ ସମାଦରାଃ ।।
ଉତ୍ପ୍ରକ୍ଷତେ ପୁନର୍ଜନ୍ମ ତସ୍ମାନ୍ମୋକ୍ଷଣମୀହତେ ।
ଭୂତାନୁକୁଲ୍ଯଂ ଭଜତେ ସ ବୈ ହିନ୍ଦୁରିତି ସ୍ମୃତଃ ।।"
ଅର୍ଥାତ - ବର୍ଣ୍ଣାଶ୍ରମ ବ୍ଯବସ୍ଥାରେ ଯା'ର ନିଷ୍ଠା , ଯିଏ ଗୋ'ମାତାର ପରମ ଭକ୍ତ ଏବଂ ବେଦମାତାର ଉପାସକ , ମୂର୍ତ୍ତିପୂଜାର ଅବଜ୍ଞାକାରୀ ନୁହେଁ , ସର୍ବଧର୍ମ ପ୍ରେମୀ , ପୁନର୍ଜନ୍ମକୁ ଉପେକ୍ଷା କରି ମୋକ୍ଷକୁ ଅପେକ୍ଷା କରେ , ସଂସାରର କଲ୍ଯାଣକାରୀ ସେ ହିଁ ହିନ୍ଦୁ ।
ହିନ୍ଦୁ ପୁରାଣନୁସାରେ ବ୍ରହ୍ମାଙ୍କର ଏକଦିନ ବା ଏକ ରାତିର ସମୟ ହେଲା ମାନବ ମାନଙ୍କର ୪୩୨କୋଟି ବର୍ଷର ସମୟ । ବ୍ରହ୍ମାଙ୍କ ସୃଷ୍ଟିର ଆଦିଯୁଗର ପ୍ରଥମ କଳ୍ପ ଶ୍ବେତ ବରାହ କଳ୍ପ ଯାହାର ପରିମାଣ ମୋଟ୍ରେ ୪୩୨ କୋଟି ବର୍ଷ ଅଟେ । ଏ କଳ୍ପ ଆରମ୍ଭ ହେଲା ବେଳେ ଏହି ପୃଥିବୀର ସର୍ଜନା ହୋଇନଥିଲା । ଏ କଳ୍ପ ଆରମ୍ଭର ଏକ କୋଟି ସତୁରୀ ଲକ୍ଷ ଚ଼ୌଷଠୀ ହଜାର ବର୍ଷ ପରେ ଏ ପୃଥିବୀ ସୃଷ୍ଟି ହୋଇଛି । ବ୍ରହ୍ମାଙ୍କର ୧୪ ଜଣ ମାନସ ପୁତ୍ର ଯଥା - ସ୍ବାୟଂଭୁବ , ସ୍ବାରୋଚ଼ିଷ , ଉତ୍ତମ , ତାମସ , ରୈବତ , ଚ଼ାକ୍ଷୁସ , ବୈବସ୍ୱତ , ସାବର୍ଣ୍ଣି , ଦକ୍ଷ ସାବର୍ଣ୍ଣି , ବ୍ରହ୍ମସାବର୍ଣ୍ଣି , ଧର୍ମସାବର୍ଣ୍ଣି , ରୁଦ୍ରସାବର୍ଣ୍ଣି , ଦେବସାବର୍ଣ୍ଣି ଓ ଇନ୍ଦ୍ରସାବର୍ଣ୍ଣି ; ସୃଷ୍ଟିର ପ୍ରତ୍ଯେକ କଳ୍ପରେ ଏମାନେ ବ୍ରହ୍ମାଙ୍କ ମନରୁ ଜାତ ହୁଅନ୍ତି ଆଉ ଯଥାକ୍ରମେ ସୃଷ୍ଟି କର୍ମରେ ଲାଗନ୍ତି ଓ ସୃଷ୍ଟିିର ଅଧିକାରୀ ହୁଅନ୍ତି । ପୃଥିବୀର ବର୍ତ୍ତମାନ ମନ୍ବନ୍ତରେ ବୈବସ୍ବତ ମନୁଙ୍କର ଅଧିକାର ଅଛି । ହିନ୍ଦୁ ଧର୍ମ ଅନୁସାରେ ଚ଼ାରିଟି ଯୁଗର ପରିକଳ୍ପନା ହୋଇଛି । ସତ୍ୟ , ତ୍ରେତା , ଦ୍ବାପର ଓ କଳି ନାମରେ ଚ଼ାରି ଯୁଗ , ବର୍ତ୍ତମାନ କଳିଯୁଗ ଚ଼ାଲିଛି । ସତ୍ଯ ଯୁଗର ଉତ୍ପତ୍ତି ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ରବିବାର ଦିନ , ତ୍ରେତା ଯୁଗର ଉତ୍ପତ୍ତି କାର୍ତ୍ତିକ ଶୁକ୍ଳପକ୍ଷର ଅଁଳା ନବମୀ ତିଥିସୋମବାର , ଦ୍ବାପର ଯୁଗର ଉତ୍ପତ୍ତି ଭାଦ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଗୁରୁବାର ହୋଇଥିବା ବେଳେ କଳିଯୁଗର ଉତ୍ପତ୍ତି ମାଘ ପୂର୍ଣ୍ଣିମା ଶୁକ୍ରବାରରେ ହୋଇଥିଲା । ସତ୍ୟ ଯୁଗର ପରିମାଣ ୧୭ ଲକ୍ଷ ୨୮ ହଜାର ବର୍ଷ , ତ୍ରେତା ଯୁଗର ପରିମାଣ ୧୨ ଲକ୍ଷ ୯୬ ହଜାର ବର୍ଷ ହୋଇଥିବା ବେଳେ ଦ୍ବାପର ଯୁଗର ପରିମାଣ ୮ ଲକ୍ଷ ୬୪ ହଜାର ବର୍ଷ ଏବଂ କଳିଯୁଗର ପରିମାଣ ୪ ଲକ୍ଷ ୩୨ ହଜାର ବର୍ଷ । ଆଧୁନିକ ଗଣନାନୁଯାୟୀ କଳିଯୁଗର ଆରମ୍ଭ କାଳ ଖ୍ରୀ.ପୂ. ୩୧୦୧ ସାଲ । ଏହା ବିଷୟରେ ଆଉ ଏକ ପ୍ରବନ୍ଧରେ ବିଶେଷ ଆଲୋଚ଼ନା କରିବା । ହିନ୍ଦୁ ସମୟ ଗଣନାରେ ସମ୍ବତ ଓ ଶକାବ୍ଦ ବି ଅଛି । ସମ୍ବତ ହେଉଛି ରାଜା ବିକ୍ରମାଦିତ୍ୟଙ୍କ ଦ୍ବାରା ପ୍ରବର୍ତ୍ତିତ ଅବ୍ଦ ; ଖ୍ରୀଷ୍ଟ ଜନ୍ମର ୫୭ ବର୍ଷ ପୂର୍ବରୁ ଏହା ପ୍ରଚ଼ଳିତ । ଖ୍ରୀଷ୍ଟାବ୍ଦ ସହ ୫୭ ଯୋଗ କଲେ ସମ୍ବତ ଅବ୍ଦର ସଂଖ୍ୟା ମିଳେ । ଶକ ବା ସିଦିୟାନ୍ ମାନେ ଭାରତରେ ରାଜତ୍ବ କରିବା ବେଳେ ଶକରାଜା ଶାଳିବାହନଙ୍କ ରାଜତ୍ବ କାଳରୁ ଏହି ସନ ଗଣନାର ପ୍ରାରମ୍ଭ । ଏହା ଖ୍ରୀଷ୍ଟାବ୍ଦ ସଂଖ୍ୟା ଅପେକ୍ଷା ୭୮ ବର୍ଷ ଊଣା, ଅର୍ଥାତ ଖ୍ରୀଷ୍ଟାବ୍ଦ ୭୮ ମସିହାରେ ଏହାର ଆରମ୍ଭ ; ଏହା ମହାବିଷୁବ (ପଣାସଂକ୍ରାନ୍ତି ) ସଂକ୍ରାନ୍ତି ଦିନ ଆରମ୍ଭ ହୁଏ ।
ଏବେ ଟିକେ 'ଆର୍ଯ୍ଯ' ଶବ୍ଦକୁ ଯିବା । 'ଆର୍ଯ୍ଯ' କୌଣସି ଜାତି ନୁହେଁ , ଏ ଶବ୍ଦଟି ଏକ ସମ୍ମାନ ଜନକ ଶବ୍ଦ 'ଶ୍ରେଷ୍ଠ' ଭାବେ ପରିଚ଼ିତ । ମହାଭାରତ ଆଉ ରାମାୟଣରେ 'ଆର୍ଯ୍ଯ' ଶବ୍ଦର ବହୁଳ ବ୍ଯବହାର ଦେଖା ଯାଇଥାଏ । ସ୍ବୟଂ ରାମଚନ୍ଦ୍ରଙ୍କୁ ଆର୍ଯ୍ଯ ନରେଶ ଓ ଶ୍ରୀକୃଷ୍ଣଙ୍କୁ ଆର୍ଯ୍ଯପୁତ୍ର ସମ୍ବୋଧନ କରାଯାଏ । ଯୁଧିଷ୍ଠିରାଦି ପଞ୍ଚୁପାଣ୍ଡବଙ୍କୁ ଆର୍ଯ୍ଯପୁତ୍ର ଏବଂ ଦ୍ରୌପଦୀଙ୍କୁ ଆର୍ଯ୍ଯପୁତ୍ରୀ କୁହାଯାଏ । ଭାରତୀୟମାନେ ସାରା ପୃଥିବୀରେ ଭାରତୀୟ ସଭ୍ଯତା ଓ ସଂସ୍କୃତିକୁ ପ୍ରଚ଼ାର ପ୍ରସାର କରିଛନ୍ତି । କିଛି ମତାମତ ମିଳେ ଯେ ଆର୍ଯ୍ଯ ବାହାରୁ ଆମ ଭାରତକୁ ଆସି ନଥିଲେ , ଆର୍ଯ୍ଯମାନେ ଏଇ ଭାରତରେ ଥିଲେ । କିନ୍ତୁ ଇତିହାସ ଅନୁସାରେ ଆର୍ଯ୍ଯ ବାହାରୁ ଆସିଥିଲେ । ଏହାର ସତ୍ୟତା କ'ଣ ଏଯାଏଁ ପ୍ରମାଣ ସ୍ବରୂପ ସିଦ୍ଧ ହୋଇପାରିନି । ଭାରତୀୟ ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀ ୧୮୭୫ ମସିହାରେ ଆର୍ଯ୍ଯ ସମାଜ ଗଠନ କରିଥିଲେ ଏବଂ "ସତ୍ଯାର୍ଥ ପ୍ରକାଶ'' ନାମରେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହା ସମାଜକୁ ଶିକ୍ଷା ପ୍ରଦାନ କରୁଛି । ତାଙ୍କଲ ଅକାଟ୍ଯ ବିଚ଼ାର ଅନୁସାରେ , ବେଦ ସବୁ ଜ୍ଞାନର ମୂଳଦୁଆ । ତାଙ୍କ ମତରେ ପ୍ରତ୍ଯେକ ବ୍ଯକ୍ତିର ଈଶ୍ୱରଙ୍କ ସହ ସିଧାସଳଖ ସମ୍ପର୍କ ଅଛି । ଯେଉଁ ହିନ୍ଦୁମାନେ ଇସଲାମ କି ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଛନ୍ତି ତାଙ୍କୁ ନିଜ ଧର୍ମକୁ ପ୍ରତ୍ଯାବର୍ତ୍ତନ କରାଇବାକୁ ସେ ଆରମ୍ଭ କରିଥିଲେ ସୁଦ୍ଧି ଆନ୍ଦୋଳନ । ସାମାଜିକ ସଂସ୍କାର ପାଇଁ ଆର୍ଯ୍ଯ ସମାଜ ଯୁକ୍ତି ବାଢ଼ିଥିଲା ଓ ମହିଳା ମାନଙ୍କ ଅବସ୍ଥାର ଉନ୍ନତି ଅର୍ଥେ କାର୍ଯ୍ୟକ୍ଷମ ଥିଲା । ଏହା ଅସ୍ପୃଶ୍ୟତା ଓ ଜାତିପ୍ରଥାରେ ଥିବା ବଂଶାନୁକ୍ରମିକ ରକ୍ଷଣଶୀଳତା ବିରୁଦ୍ଧରେ ଲଢ଼ୁଥିଲା । ଆର୍ଯ୍ଯ ସମାଜ ଜାତୀୟ ଆନ୍ଦୋଳନରେ ମୁଖ୍ଯ ଭୂମିକା ନିର୍ବାହ କରିବା ସହ ଲୋକଙ୍କ ମନରେ ଆତ୍ମସମ୍ମାନ ଆଉ ଆତ୍ମବିଶ୍ୱାସ ଜାଗ୍ରତାର୍ଥେ ପ୍ରୋତ୍ସାହନ ପ୍ରଦାନ କରୁଥିଲା ।
ଆର୍ଯ୍ଯ ସମାଜ ସଦା ପ୍ରଚେଷ୍ଟିତ ଥିଲା ଲୋକ ମାନଙ୍କ ମଧ୍ୟେ ଶିକ୍ଷା ର ବିକାଶ କରିବାକୁ । ସ୍ବାମୀ ଦୟାନନ୍ଦଙ୍କର କେତେ ଅନୁଗାମୀ ଦେଶରେ ପରେ ଡ଼ି.ଏ.ଭି. (ଦୟାନନ୍ଦ ଆଙ୍ଗ୍ଲୋ ଭେଦିକ୍) ବିଦ୍ଯାଳୟ ଓ ମହାବିଦ୍ୟାଳୟ ସ୍ଥାପନ କରିବା ଆରମ୍ଭ କରିଦେଇଥିଲେ । ସେଠି ବୈଦିକ ଶିକ୍ଷାଧାରା ସହ ସାଲିସ୍ ନକରି ପାଶ୍ଚାତ୍ୟ ଧାରାରେ ଶିକ୍ଷା ଦିଆଯାଉଥିଲା ; ସେ ଇଂରାଜୀ ଶିକ୍ଷା ଓ ଆଧୁନିକ ବିଜ୍ଞାନ ଶିକ୍ଷା ସହିତ ସଂସ୍କୃତ ଓ ବୈଦିକ ଶିକ୍ଷା ପାଇଁ ଉତ୍ସାହିତ କରୁଥିଲେ । ରାମକୃଷ୍ଣ ପରମହଂସଙ୍କ ବିଶ୍ବାସନୁସାରେ , ପୃଥିବୀର ବିଭିନ୍ନ ଧର୍ମ ହେଉଛି ଈଶ୍ୱରଙ୍କ ନିକଟରେ ଉପନୀତ ହେବାର ଅଲଗା ଅଲଗା ମାର୍ଗ । ତାଙ୍କ ଶିଷ୍ଯ ସ୍ବାମୀ ବିବେକାନନ୍ଦ ହେଲେ ପ୍ରଥମ ଆଧ୍ଯାତ୍ମିକ ନେତା ଯିଏକି ଧର୍ମ ସମ୍ବନ୍ଧୀୟ ସଂସ୍କାର ଆଣିବାକୁ ଚେଷ୍ଟା କଲେ । ସେ ଅନୁଭବ କଲେ ଯେ ଭାରତର ଜନସାଧାରଣ ଧର୍ମ ନିରପେକ୍ଷ ଏବଂ ଆଧ୍ଯାତ୍ମିକ ଜ୍ଞାନରେ ଶକ୍ତିଶାଳୀ ହେବାକୁ ଇଚ୍ଛୁକ , ଯଦ୍ଦ୍ବାରା କି ତାଙ୍କ ନିଜ ଉପରେ ବିଶ୍ବାସ ଜନ୍ମେ । ଗୁରୁ ରାମକୃଷ୍ଣଙ୍କ ନାମାନୁସାରେ ସ୍ବାମୀ ବିବେକାନନ୍ଦ "ରାମକୃଷ୍ଣ ମିଶନ" ସ୍ଥାପନ କଲେ । ତାଙ୍କର ବକ୍ତୃତା ଓ ଲେଖା ମାଧ୍ଯମରେ ସେ ହିନ୍ଦୁ ସଂସ୍କୃତି ଆଉ ଧର୍ମର ସାରସ୍ୱତକୁ ପଦାକୁ ଆଣିଲେ । ସେ ବେଦାନ୍ତର ଆଧ୍ଯାତ୍ମିକତା ଉପରେ ବିଶ୍ବାସ କରୁଥିଲେ । ସେ ଧର୍ମରେ ଥିବା କଠୋରତା ଆଉ ଛୁଆଁ ଅଛୁଆଁ ଭେଦଭାବକୁ ଉଠାଇବାକୁ ପ୍ରଚେଷ୍ଟିତ ଥିଲେ । ସେ ଯେବେ ମହିଳା ମାନଙ୍କ ପ୍ରଗତି ଓ ଶିକ୍ଷା ପାଇଁ କାର୍ଯ୍ୟରତ ଥିଲେ ସେବେ ସେ ମହିଳା ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ ଏବଂ ଲୋକ ମାନଙ୍କ ମଧ୍ୟେ ଅଜ୍ଞାନତାକୁ ଦୂର କରିବାକୁ ଆଦ୍ଯ ଗୁରୁତ୍ୱ ଦେଉଥିଲେ ।
ପଣ୍ଡିତା ରାମାବାଈ ୧୮୮୧ ମସିହାରେ ପୁନେରେ ଆରମ୍ଭ କରିଥିଲେ "ଆର୍ଯ୍ଯ ମହିଳା ସମାଜ" ; ସେ ଥିଲେ ମହାରାଷ୍ଟ୍ରର ପଣ୍ଡିତା ତଥା ପ୍ରସିଦ୍ଧ ସମାଜ ସଂସ୍କାରିକା । ସେ ମହିଳା ମାନଙ୍କ ଅଧିକାର ସମ୍ବନ୍ଧରେ ଲଢ଼ିଥିଲେ ଏବଂ ବାଲ୍ଯ ବିବାହକୁ ବିରୋଧ କରୁଥିଲେ । ମହିଳା ମାନଙ୍କ ଅବସ୍ଥାରେ ଉନ୍ନତି ଆଣିବାକୁ "ଆର୍ଯ୍ଯ ମହିଳା ସମାଜ"ର ଆଭିମୁଖ୍ଯ ଥିଲା । ବିଶେଷ ଭାବରେ ବାଳ ବିଧବା ପାଇଁ ସେ ପୁନେରେ ୧୮୮୯ ମସିହାରେ ମୁକ୍ତି ମିଶନ ସ୍ଥାପନା କରିଥିଲେ । ଏହି ମିଶନ ଥିଲା ସେଇମାନଙ୍କ ପାଇଁ , ଯୁବା ବିଧବା ଯେଉଁମାନେ କି ତାଙ୍କ ପରିବାର ଦ୍ବାରା ଲାଞ୍ଛିତ ଏବଂ ବିଚ୍ଯୁତ ହୋଇଯାଇଥିଲେ । ବିଧବା ଆଉ ପିତୃ - ମାତୃହୀନ ପିଲାଙ୍କର ନିବାସ ପାଇଁ ସେ ଖୋଲିଥିଲେ "ସାରଦା ସଦନ" ; ଏଠାରେ ଶିକ୍ଷା ବ୍ୟବସ୍ଥା ସହ ବୈଷୟିକ ଟ୍ରେନିଂ ବ୍ଯବସ୍ଥା ଥିଲା । ମହିଳା , ବାଳ ବିଧବା ଏବଂ ପିଲାଙ୍କର କଷ୍ଟକର ଜୀବନଚ଼ର୍ଯ୍ୟା ବିଷୟରେ ବର୍ଣ୍ଣନାତ୍ମକ ଅନେକ ପୁସ୍ତକ ତାଙ୍କ ଦ୍ବାରା ରଚ଼ନା କରାଯାଇଛି । ତାଙ୍କ ଦ୍ବାରା ଗଠିତ "ମୁକ୍ତି ମିଶନ" ଏଯାବତ୍ କାର୍ଯ୍ୟକ୍ଷମ ରହିଛି । "ଥିଓସୋଫିକାଲ ସୋସାଇଟି"ର ସଦସ୍ୟ ଆନି ବେସାନ୍ତ ୧୮୯୩ ମସିହାରେ ପ୍ରଥମ କରି ଭାରତକୁ ଆସିଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ଆନ୍ଦୋଳନ ପଶ୍ଚିମର ଲୋକଙ୍କ ଦ୍ବାରା ଆଗେଇ ଥିଲା , ଯେଉଁମାନେ କି ଭାରତୀୟ ଧାର୍ମିକ ଓ ଦାର୍ଶନିକ ପ୍ରଥାକୁ ଗୌରବାନ୍ୱିତ କରିଥିିଲେ ଏବଂ ମାତୃଭାଷା ଆଉ ସାହିତ୍ୟିକ କାର୍ଯ୍ୟ ସବୁକୁ ଉତ୍ସାହିତ କରୁଥିଲେ । ଏଥିପାଇଁ ଗର୍ବିତ ହେବାକୁ ପଡୁଥିଲା ଭାରତୀୟ ସଭ୍ଯତା ଓ ବଂଶାନୁକ୍ରମିକତାକୁ । ଏହା ରାଜନୈତିକ ଜାଗରଣ ଉଦ୍ରେକ କଳା ଓ ଭାରତୀୟଙ୍କୁ ତାଙ୍କର ଆତ୍ମବିଶ୍ୱାସ ଫେରି ପାଇବାକୁ ସହାୟ ହେଲା , ଫଳରେ ସ୍ବଦେଶରେ ସେମାନେ ଗର୍ବିତ ହେଲେ । ମନୁଷ୍ଯର ବିଶ୍ବ ଭାତ୍ରୁଭାବକୁ ସମାଜ ପ୍ରଚାର କଲା । ଆଧୁନିକ ଭାରତର ଉନ୍ନତି ପାଇଁ ଏହାର ଅବଦାନ ରହିଛି । ୧୯୦୭ ମସିହାରେ ଆନି ବେସାନ୍ତ "ବ୍ରହ୍ମଜ୍ଞାନ ସମିତି"ର ସଭାପତି ହେଲେ ଓ ବାଳକ ମାନଙ୍କ ପାଇଁ ସେ ବନାରସରେ ବ୍ରହ୍ମଜ୍ଞାନ ନୀତି ଉପରେ ଆଧାରିତ ଏକ ହିନ୍ଦୁ କଲେଜ ଖୋଲିଲେ ; ଏହାର ଲକ୍ଷ୍ଯ ଥିଲା ଭାରତ ପାଇଁ ନୂତନ ନେତୃତ୍ୱ ତିଆରି କରିବା । ଆଧୁନିକ ବିଜ୍ଞାନ ସହ ଏଠାକାର ଛାତ୍ରମାନେ ଧର୍ମ ସମ୍ପର୍କୀୟ ପୁସ୍ତକ ପଢ଼ୁଥିଲେ ; ଏହି କଲେଜ୍ ନୂଆ ବିଶ୍ବବିଦ୍ୟାଳୟର ଏକ ଅଂଶ ହୋଇଗଲା । ୧୯୧୭ ମସିହାରୁ ଏହା "ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ" ହୋଇଛି । ଏହିପରି ଏ ହିନ୍ଦୁ ସମାଜର ସଂସ୍କାର ପାଇଁ ଅନେକଙ୍କର ଅବଦାନ ରହିଛି । ତେଣୁ ଏହି ହିନ୍ଦୁ ଧର୍ମ ବ୍ଯାପକ ବୋଲି ପ୍ରମାଣିତ ହେଉଛି । ଏହାକୁ ଏକ ସୂତ୍ରରେ ସଜାଇବା ଏତେ ସରଳସାଧ୍ଯ ନୁହେଁ । ଯେତେ ଗଭୀରକୁ ଯିବ , ସେତେ ସେତେ ନୂଆ କିଛି ଆବିଷ୍କାର କରିବ ଓ ଦେଖିବ ।
ଆଚ଼ରଣ ଅନୁସାରେ ଜଣେ ଆର୍ଯ୍ଯ ବା ହିନ୍ଦୁ ହୋଇଥାଏ । "ତୈତ୍ତିରୀୟ ଉପନିଷଦ" କହେ - "ସତ୍ଯଂ ବଦ ଧର୍ମଂ ଚ଼ର (ସତ୍ୟ କୁହ ଓ ଧର୍ମ ଆଚ଼ରଣ କର ।) ପୁଣି ବେଦ କହେ :-
"କର୍ତ୍ତବ୍ୟମ୍ ଆଚ଼ରନ୍ କାମମ୍ ଅକର୍ତ୍ତବ୍ଯମ୍ ଅନାଚ଼ରନ୍ ।
ତିଷ୍ଠତି ପ୍ରକୃତାଚ଼ାରେ ଯଃ ସଃ ଆର୍ଯ୍ଯ ଇତି ସ୍ମୃତଃ ।।"
ଏହାର ଅର୍ଥ ଏୟା ଯେ :- ଯେ' ଅନାଚ଼ରଣୀୟ କର୍ମକୁ ନପାଳି ଆଚ଼ରଣୀୟ କର୍ତ୍ତବ୍ୟ କର୍ମର ପାଳନ ଆଚ଼ାର ଅନୁସାରେ ପ୍ରାକୃତ ସ୍ଥିତିରେ ରହି କରିଥା'ନ୍ତି , ତାଙ୍କୁ ଆର୍ଯ୍ଯ କୁହାଯାଏ । ଏହି କର୍ତ୍ତବ୍ୟ କର୍ମ , ଆର୍ଯ୍ଯ ଧର୍ମ ବା ସନାତନ ଧର୍ମ (ଯାହାକୁ ଆମେ ହିନ୍ଦୁଧର୍ମ କହୁ)ର ଉପଦେଶ ଅନୁଯାୟୀ ସମ୍ପାଦିତ ହୋଇଥାଏ । ହିନ୍ଦୁ ଶବ୍ଦର ଅର୍ଥ ବୁଝିବା ପାଇଁ ପ୍ରଥମେ ସନାତନ ଧର୍ମର ଅର୍ଥ ବୁଝିବା ପାଇଁ ହେବ ; ଯେ ସନାତନ ଧର୍ମର ଉପଦେଶାନୁସାରେ କାର୍ଯ୍ୟ କରେ , ସେ ହିନ୍ଦୁ ।
ହିନ୍ଦୁଧର୍ମ ହିଁ ସନାତନ ଧର୍ମ ; ୧୯୯୫ ମସିହାରେ ସର୍ବୋଚ୍ଚନ୍ଯାୟାଳୟର ରାୟ ଅନୁସାରେ - "ହିନ୍ଦୁତ୍ବ ଏକ ଜୀବନଧାରା" ଯାହା ସମସ୍ତ ବିବାଦର ଅନ୍ତ କରିଛି । "ସନାତନ" ଶବ୍ଦର ଅର୍ଥ ହେଲା "ଚ଼ିରସ୍ଥାୟୀ" , ଅର୍ଥାତ ଯାହାର ସବୁ ସମୟରେ ସ୍ଥାୟିତ୍ବ ଥାଏ । ମାନବ ଚ଼ିରସ୍ଥାୟୀ ହୋଇ ନପାରେ , କିନ୍ତୁ ତା'ର ଧର୍ମ ଚ଼ିରସ୍ଥାୟୀ । ମନୁଷ୍ଯ ଚ଼ିରସ୍ଥାୟୀ ନହେଲେ ବି ଏହାଦ୍ୱାରା ପାଳନୀୟ ଆଦର୍ଶ ନୈତିକ ମୂଲ୍ଯବୋଧ ସମସ୍ତ ଚ଼ିରସ୍ଥାୟୀ , ଯେପରିକି ସତ୍ୟ , ଅହିଂସା , କ୍ଷମା , ଦୟା , ଶାନ୍ତି ଇତ୍ୟାଦି । ଯୁଗ ବଦଳିଯାଏ , କିନ୍ତୁ ଏସବୁ ମୂଲ୍ଯବୋଧର ପରିବର୍ତ୍ତନ ନାହିଁ । ଏସବୁ ଅପରିବର୍ତ୍ତିତ ଅର୍ଥାତ ଚ଼ିରସ୍ଥାୟୀ । ଏହା ଉପରେ ପର୍ଯ୍ଯବେସିତ ଧର୍ମ ଓ ଆଚରଣ ସଂହିତା ହିଁ ସନାତନ ଧର୍ମ । ଏ ଧର୍ମ ପାଇଁ କୌଣସି ପୁସ୍ତକ ନାହିଁ କି ତର୍କ ନାହିଁ ଏହାକୁ ଜାଣିବାକୁ । ବେଦରେ ଅଛି :-
"ତର୍କୋଽପ୍ରତିଷ୍ଠଃ ଶୃତୟୋ ବିଭିନ୍ନାନୈକୋ ଋଷିର୍ଯ୍ଯସ୍ଯ ମତଂ ପ୍ରମାଣମ୍ ।
ଧର୍ମସ୍ଯ ତତ୍ତ୍ବଂ ନିହିତଂ ଗୁହାୟାମ୍ ମହାଜନୋ ଯେନ ଗତଃ ସଃ ପନ୍ଥାଃ ।।"
ଜୀବନ ଧାରଣର ଏକ ନିର୍ଦ୍ଧିଷ୍ଟ ମାର୍ଗ ଅବଲମ୍ବନାର୍ଥେ କିଛି ସଂସ୍ଥାପିତ ତର୍କ ନାହିଁ ; ଅନେକ ଶ୍ରୁତି ଅନେକ କଥା କୁହନ୍ତି ଏବଂ କୌଣସି ଋଷିଙ୍କ ମତକୁ ଦକ୍ଷ ପ୍ରମାଣ ଭାବରେ ଗ୍ରହଣ କରିହେବନି । ଧର୍ମତତ୍ତ୍ବକୁ ବୁଝିବା ଜଟିଳକର ଅଟେ । ପ୍ରତିଷ୍ଠିତ ବ୍ଯକ୍ତି ବିଶେଷ ଅବଲମ୍ବନ କରିଥିବା ମାର୍ଗ ସଠିକ ବୋଲି ଭାବିବାକୁ ହେବ । ସ୍ବାମୀ ବିବେକାନନ୍ଦ କହିଥିଲେ - "ଯଦି ଜଣେ ହିନ୍ଦୁ ଧର୍ମ ପରିବର୍ତ୍ତନ କରେ ତେବେ ଜଣେ ହିନ୍ଦୁ କମ୍ ହୁଏନି , ଏହାଦ୍ୱାରା ଦେଶରେ ଜଣେ ଶତ୍ରୁ ତିଆରି ହୁଏ ।" ତେବେ ଜାଣନ୍ତୁ ସ୍ବାମୀ ବିବେକାନନ୍ଦ ଏ ଧର୍ମକୁ କେତେ ବୁଝିଥିଲେ । ପ୍ରଖ୍ଯାତ ଭବିଷ୍ୟବକ୍ତା ନାସ୍ତ୍ରେଦମସ୍ ଭାରତ ଓ ହିନ୍ଦୁ ଧର୍ମକୁ ନେଇ ଏକ ଭବିଷ୍ଯବାଣୀ କରିଥିଲେ । ସେ ରାଜନୀତିକ , ଧାର୍ମିକ , ପ୍ରାକୃତିକ ଆଦି ଘଟଣା ସମ୍ବନ୍ଧରେ କରିଥିବା ଭବିଷ୍ଯବାଣୀ ସତ୍ୟ ବୋଲି କୁହାଯାଇଛି । ଯେମିତି ସେ କହିଥିଲେ ପ୍ରଥମ ଭବିଷ୍ଯବାଣୀ ସତ୍ୟ ହୋଇଛି । ତା' ହେଉଛି - "ତିନିପଟେ ସମୁଦ୍ର କ୍ଷେତ୍ରରେ ସେ ଜନ୍ମ ନେବ , ଯାହା ବୃହସ୍ପତି ଦିନକୁ ନିଜର ଅବକାଶ ଦିବସ ବୋଲି ଘୋଷିତ କରିବ । ତାହାର ପ୍ରଶଂସା , ପ୍ରସିଦ୍ଧ , ସତ୍ତା ଓ ଶକ୍ତି ବଢ଼ୁଥିବ । ଭୂମି ଓ ସମୁଦ୍ରରେ ତା' ଭଳି ଶକ୍ତିଶାଳୀ ଆଉ କେହି ରହିବେନି ।" ଏହା ପ୍ରଥମ ଥିଲା । ଭାରତକୁ ନେଇ କରିଥିବା ଭବିଷ୍ଯବାଣୀ ହେଲା - "ଭାରତରେ ଯାହା ହେବ ଦୁନିଆରେ ଆଉ କେଉଁଠି ହେବନି । ଗୋଟିଏ ଗରିବ ଘରେ ଜନ୍ମ ନେବ ଦୁନିଆର ମୁକ୍ତିଦାତା ଏବଂ ପ୍ରଥମେ ତାହାକୁ ସମସ୍ତେ ଘୃଣା କରିବେ, କିନ୍ତୁ ପରେ ସମସ୍ତେ ତାଙ୍କୁ ଭଲପାଇବେ ।" କହିବାକୁ ଗଲେ ଏକଥା ନରେନ୍ଦ୍ର ମୋଦୀ ଆଡ଼କୁ ଇସାରା କରୁଛି । ପ୍ରାୟତଃ ସମସ୍ତେ କହୁଛନ୍ତି କି ଦୁନିଆର ମୁକ୍ତିଦାତା ଭାରତରେ ହିଁ ଜନ୍ମ ନେବ । ତାଙ୍କର ଏକ ଭବିଷ୍ଯବାଣୀ ଆଶ୍ଚର୍ଯ୍ୟ କରିଦେଇଥିଲା ଯେଉଁ ଭବିଷ୍ଯବାଣୀରେ ସେ କହି- "ଋଷ୍ ସାମ୍ଯବାଦକୁ ତ୍ଯାଗ କରି ହିନ୍ଦୁ ଧର୍ମ ଆପଣେଇବ ।" ସେ କହିଥିଲେ - "ଭାରତର ସୈନିକମାନେ ନିଜର ପୁରୁଣା ଭୁଲ୍ ଗୁଡ଼ିକୁ ସୁଧାରି ଅନ୍ଯ ଦେଶ ଗୁଡ଼ିକରେ ନିଜର ପତାକା ଉଡ଼ାଇବ ଓ ଋଷ୍ ଏଧିରେ ସାହସ ଦେବ ।"
ଭାରତର ହିନ୍ଦୁଧର୍ମକୁ ନେଇ ତାଙ୍କର ଭବିଷ୍ଯବାଣୀ ଥିଲା - "ଭାରତ ଏକ ସୁନ୍ଦର ଭବିଷ୍ୟତର ଦେଶ ଅଟେ, ଭାରତର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଅଟେ ଏବଂ ହିନ୍ଦୁଧର୍ମ ପୂରା ଏସିଆ ମହାଦ୍ବୀପରେ ଓ ଅନ୍ଯ ଦେଶ ଗୁଡ଼ିକରେ ମଧ୍ୟ ପ୍ରଚ଼ଳିତ ହେବ ।" ବାସ୍ତବରେ ସେଇଆ ହିଁ ହେଉଛି । ଧର୍ମ ଓ ବିଜ୍ଞାନ ସ୍ବାଭାବିକ ଭାବେ ପରସ୍ପର ପରିପନ୍ଥୀ । ବିଜ୍ଞାନ ସଦା ସତ୍ୟତା ଅର୍ଥାତ ତଥ୍ୟ , ପ୍ରମାଣ ସ୍ପଷ୍ଟ ଯୁକ୍ତି ଉପରେ ପ୍ରତିଷ୍ଠିତ , କିନ୍ତୁ ଧର୍ମ କପୋଳକଳ୍ପିତ ବା ଅନ୍ଧବିଶ୍ୱାସ ଉପରେ ନିର୍ଭରଶୀଳ । ପୃଥିବୀର ଏକମାତ୍ର ଧର୍ମ ହିନ୍ଦୁଧର୍ମ ଯେଉଁଠି ବେଳେ ବେଳେ ଧର୍ମ ଓ ବିଜ୍ଞାନ ଉଭୟଙ୍କର ସମନ୍ବୟ ବା ବିସ୍ମୟାଭିଭୁତ ମିଳନ ଘଟେ । ବିଂଶ ଶତାବ୍ଦୀର ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ତଥା ବିଜ୍ଞାନ ଦୂତ ସ୍ବର୍ଗତଃ କାର୍ଲ ସାଗାନ ତାଙ୍କର ସର୍ବପ୍ରସିଦ୍ଧ ପୁସ୍ତକ "କସ୍ମସ୍"ରେ ଲେଖିଥିଲେ - "ହିନ୍ଦୁ ଧର୍ମ ହେଉଛି ପୃଥିବୀର ମହାନ ଧର୍ମ ମାନଙ୍କ ମଧ୍ୟରେ ଏକମାତ୍ର ଧର୍ମ ଯିଏ ଏହି ଧାରଣା ଉପରେ ପ୍ରତିଷ୍ଠିତ ଯେ ଏ ବିଶ୍ବ ବ୍ରହ୍ମାଣ୍ଡ (କସ୍ମସ୍) ନିଜେ ଅସରନ୍ତି ସଂଖ୍ଯକ ବିଲୟ ଓ ପୁନର୍ଜନ୍ମ ଦେଇ ଗତି କରିଥାଏ । ଏହା ହେଉଛି ଏକମାତ୍ର ଧର୍ମ ଯେଉଁଥିରେ ବ୍ଯବହୃତ ସମୟ ମାପକ (ଟାଇମ୍ ସ୍କେଲ୍) ଆଧୁନିକ ବ୍ରହ୍ମାଣ୍ଡ ବିଜ୍ଞାନ (ସାଇଣ୍ଟିଫିକ କସ୍ମୋଲାଜି)ର ସମୟ ମାପ ସହିତ ମେଳ ଖାଇଥାଏ । ଏହାର ସମୟ ଚ଼କ୍ର ଆମର ସାଧାରଣ ଦିନ ଓ ରାତିରୁ ଆରମ୍ଭ କରି ବ୍ରହ୍ମାଙ୍କ ଗୋଟିଏ ଦିନ ଓ ରାତି ପର୍ଯ୍ଯନ୍ତ ବ୍ଯାପି ଥାଏ ଯାହା ହେଲା ୮୬୪ କୋଟି ବର୍ଷ ଲମ୍ବା । ଏହା ହେଲା ପୃଥିବୀ କିମ୍ବା ସୂର୍ଯ୍ଯର ବୟସ ଠାରୁ ଆହୁରି ଲମ୍ବା ଏବଂ ମହାବିସ୍ଫୋରଣ (ବିଗ୍ ବ୍ଯାଙ୍ଗ୍) ଘଟିବା ପରର ସମୟର ପ୍ରାୟ ଅଧା ଅଟେ ।"
ତେବେ ବୁଝା ପଡ଼ୁଛି ହିନ୍ଦୁଧର୍ମ ଗୁଢ଼ ତତ୍ତ୍ବ କିଛି ଜାବୁଡ଼ି ଧରିଛି । ଏହା ବାସ୍ତବରେ ବ୍ଯାପକ । ଧର୍ମ ବିଶ୍ବାସ ଭିତରେ ଜୀବନ ଦର୍ଶନ ଲୁକ୍କାୟିତ ରହିଛି । ସନାତନ ଧର୍ମରେ ଅନେକ ଗୁଢ଼ ତତ୍ତ୍ବର ସମାହାର ବି ରହିଛି ; ଯାହା ସତ୍ୟର ସନ୍ଧାନରେ ସହାୟକ । ସମାଜକୁ ଶୃଙ୍ଖଳାର ବେଡ଼ିରେ ବାନ୍ଧି ରଖିବାର ଅଦମ୍ୟ ସାହସକୁ ଶତ ପ୍ରଣିପାତ । ବାସ୍ତବରେ ଏହି ହିନ୍ଦୁ ଧର୍ମଟି ଏକ ଜୀବନଧାରା , ଏଥିରେ ଦ୍ବିମତ ନାହିଁ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment