ଭାରତୀୟ ପ୍ରାଚୀନ ବୈଦିକ ଯୁଗ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ମାନବ ଜନ୍ମ ଠାରୁ ଶ୍ରେଷ୍ଠ ଜନ୍ମ ସଂସାରରେ ନାହିଁ , ଏକଥା ବେଦୋପନିଷଦ ବି ପ୍ରମାଣ ଦିଏ । ସ୍ବୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ବି ଆଚ଼ମ୍ବିତ , ବ୍ରହ୍ମାଙ୍କ ବାଣୀ ଅନୁସାରେ :-
"ଆହା କି ସୁନ୍ଦର ସଂସାର ,
ଲତା ପାଦପ ପକ୍ଷୀ କୁଳ ।
କୀଟ ପତଙ୍ଗ ଯେତେ ଜୀବ ,
ଭେଇଲି ମରତେ ମାନବ ।
ମାଟି-ଆକାଶ-ଜଳ-ବାୟୁ ,
ପ୍ରାଣୀଙ୍କ ଠାରେ ଦେଲି ଆୟୁ ।
ବିଶ୍ବାସ ନ ଆସଇ ମୋର ,
ମରଧାମରେ ଦେଖି ନର ।"
କହିବା , ବୁଝିବା , କାର୍ଯ୍ୟ କରିବା , ଉତ୍ତମ ଜ୍ଞାନ କୌଶଳର ପ୍ରୟୋଗ ଆଦି ମାନବ ପକ୍ଷରେ ସମ୍ଭବ । ଏହି ମାନବର ଇତିହାସ ବ୍ଯାପକ ; ଆଦିମାନବରୁ ମାନବ ଏବଂ ପ୍ରସ୍ତର ଯୁଗରୁ ଏଯାବତ ଅନେକ ଅନେକ ତଫାତ । ଗୋଟିଏ ପରେ ଗୋଟିଏ ପାବଚ୍ଛ ଅତିକ୍ରମ କରି ଏ ସ୍ଥାନରେ ଉପନୀତ ହୋଇଛି । ଇତିହାସକୁ ରୋମନ୍ଥନ କଲେ ଲୋମ ଟାଙ୍କୁରି ଉଠେ , ରୋଚ଼କ ତଥ୍ୟ ସମୂହ ଦେଖିବା ପରେ ସ୍ବତଃ ପ୍ରଶ୍ନ ଉଠେ - "ଆମେ ସେଇ ମାନବ ତ , ଯିଏ ଆଦିମ କାଳରେ ବନବାସୀ ଥିଲା ; କଞ୍ଚାମାଂସ ଭକ୍ଷଣ କରୁଥିଲା ?" ଉତ୍ତର ଆସୁଛି ଯେ - "ହଁ ଆମେ ସେଇ ମାନବ , ଯିଏ ଆଜି ବିଜ୍ଞାନ ଯୁଗରେ ପହଞ୍ଚି ମଙ୍ଗଳ ଗ୍ରହରେ ଘର କରିବାର ସ୍ବପ୍ନ ଦେଖୁଛି ।" ସତରେ ବନ୍ଧୁର ଶିଳା ପରିପୂଣ୍ଣ କଣ୍ଟକିତ ପଥରୁ ଆମେ ଆସି ପକ୍କା ସଡ଼କରେ ରାଜପଥରେ ଛିଡ଼ା ହୋଇଛେ , କମ୍ କଥା କି ? ପ୍ରତ୍ଯେକ ଯୁଗକୁ ଅତିକ୍ରମ କରି ଆମେ ଆଜି ବିଜ୍ଞାନ ଯୁଗରେ , ୟା' ପୂର୍ବରୁ ଆମର ବୈଦିକ ଯୁଗ କିପରି ଥିଲା ଜାଣିଛନ୍ତି ?
ପରଂବ୍ରହ୍ମ ସନାତନ ପରମେଶ୍ୱର ପୃଥ୍ବୀ ପୃଷ୍ଠରେ ବିଚ଼ିତ୍ରବର୍ଣ୍ଣ ଶିଳ୍ପୀଟେ ହୋଇ ଅତି ସତର୍କତାରେ ଛପନ କୋଟି ଜୀବଜନ୍ତୁ ସୃଷ୍ଟି କରିଛନ୍ତି । ନିଜ ହାତରେ ଗଢ଼ିଥିବା ଭବସାଗରରେ ଭାସମାନ ବୃହତ୍ତମ ଜାହାଜର ନିଜେ ମଙ୍ଗୁଆଳ ସାଜିଛନ୍ତି । ତାଙ୍କରି ନିର୍ଦେଶରେ ଚ଼ାଲିଛି ଏ ସଂସାର ଜାହାଜ ; ସେ ନିର୍ଦେଶକ ଆଉ ଆମେ ଅଭିନେତା ଅଭିନେତ୍ରୀ । ଏ ସଂସାରଟା ଏକ ରଙ୍ଗମଞ୍ଚ ଆଉ ଆମେ କରିଚ଼ାଲିଛୁ ଅଭିନୟ ଅଦୃଶ୍ୟ ଶକ୍ତିର ନିର୍ଦେଶନାରେ । ମୁକ୍ତାକାଶ ରଙ୍ଗମଞ୍ଚରେ ସୂର୍ଯ୍ୟ , ଚ଼ନ୍ଦ୍ର , ତାରା ଢ଼ାଳି ଚ଼ାଲିଛନ୍ତି ଆଲୋକ , ପ୍ରକୃତି ସାଜିଛି ଦର୍ଶକ । ସେଲାଗି ପବିତ୍ର ଗ୍ରନ୍ଥ ଭାଗବତରେ ଲେଖା ଅଛି -
"କରି କରାଉ ଥାଏ ସେହି ।
ତା' ବିନୁ ଆନ ଗତି ନାହିଁ ।।"
ପୁଣି କହୁଛି ପୁରାଣ :- "ମୋ' ମାୟା ମତେ ଅଗୋଚର ।
କିମ୍ପା ଜାଣିବେ ନର ଛାର ।"
ଏ ସଂସାରଟା ମୟା, ମୋହ'ର ବନ୍ଧନ ; ସବୁକିଛି ଏଠି ଚ଼କ୍ଷୁବନ୍ଧନର ଯାଦୁଖେଳ । ସତ୍ଯ କେବଳ ସେଇ ସନାତନ ସର୍ବେଶ୍ୱର । ତାଙ୍କରି ପାଇଁ ଏ ବିଶାଳ ସଂସାରରେ ଜୀବଜଗତ , ପ୍ରକୃତି , ଗ୍ରହ ନକ୍ଷତ୍ରଙ୍କ ଚ଼ଳନ , ସୂର୍ଯ୍ୟ - ଚ଼ନ୍ଦ୍ରଙ୍କ ଉଦୟ ଓ ଅସ୍ତ ; ତେଣୁ ସେ ହିଁ ସତ୍ଯ । ସେଲାଗି କୁହାଯାଇଛି :- "ବ୍ରହ୍ମ ସତ୍ୟ , ଜଗତ ମିଥ୍ଯା ।" ଜନ୍ମ - ମୃତ୍ୟୁ ଚ଼ିରନ୍ତନ ସତ୍ଯ , ସ୍ବୟଂ ଜଗନ୍ନାଥ ବି ନବକଳେବରରେ ନବଜନ୍ମ ପ୍ରାପ୍ତ କରନ୍ତି । ଭାଗବତରେ ବଣ୍ଣିତ ଅଛି :-
"ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ।
ଦେବତା ହେଲେ ବି ମରଇ ।।"
ଅବତାର ଗ୍ରହଣ କରିଥିବା ଦେବଗଣ ବି ଶରୀର ତ୍ୟାଗ କରିଛନ୍ତି । ଆମେ ତ ଛାର ମଣିଷ , ଆମେ ଅମରତ୍ବ ପ୍ରାପ୍ତ କରିବା କିପରି ?
ବୁଦ୍ଧି , ବିବେକ , ଜ୍ଞାନ , ଧ୍ଯାନ ସମ୍ପନ୍ନ ପ୍ରାଣୀ ମଣିଷ ସେଦିନର ବୃକ୍ଷ ବକ୍କଳ ପିନ୍ଧି ବଣଜଙ୍ଗଲରେ ଦଳବଦ୍ଧ ଭାବେ ରହି କଞ୍ଚାମାଂସ ତଥା ଫଳମୂଳ ଖାଇ ଜୀବିକା ନିର୍ବାହ କରୁଥିବା ଆଦିମାନବ କାଳର ବିବର୍ତ୍ତନ ହେଉ ବା ସମୟର ଚ଼କ୍ରରେ ଗଡ଼ି ଗଡ଼ି ପାଲଟି ଯାଇଛି ଆଧୁନିକ ମାନବ ବା ସଭ୍ୟ ମାନବ । ସଭ୍ୟ ମାନବ କହିଲେ ଭୁଲ୍ ହୋଇପାରେ ; ଆଧୁନିକ ମାନବ କହିଲେ କିଛି ତ୍ରୁଟି ନାହିଁ । ଆଧୁନିକ ମଣିଷ ହେଉଛି ଚ଼ାକଚ଼କ୍ଯର ମଣିଷ । କହିବାକୁ ଗଲେ , ଜ୍ଞାନ ଥାଇ ବି ଅଜ୍ଞାନ ଓ ଲୋଭର ବଶବର୍ତ୍ତୀ ; ବିବେକହରା ଇନ୍ଦ୍ରିୟ ଦ୍ବାରା ପରିଚ଼ାଳିତ ଏବେ । ପୁରାଣର କଂସାସୁର ଓ ଦୁର୍ଯ୍ୟୋଧନ ଠାରୁ ବି ଆହୁରି ଗର୍ବୀ ଓ ଅହଙ୍କାରୀ । ଅସାମାଜିକ କାର୍ଯ୍ୟ , ହିଂସା , ପର ନିନ୍ଦା , ପର ସ୍ତ୍ରୀ ଅପହରଣ , କପଟ ବା ଛଳନାର ପଥରେ ପଥିକ , ଭଦ୍ର ମୁଖା ତଳେ କଦର୍ଯ୍ଯ ଚ଼େହେରା ଲୁକ୍କାୟିତ । ଉଦ୍ଦେଶ୍ଯ କାମନାର ଚ଼ରିତାର୍ଥେ ପର ସ୍ତ୍ରୀ - ଝିଅର ଇଜ୍ଜତ ଲୁଟ୍ । ଗୌତମ ବୁଦ୍ଧ କହିଥିଲେ - "କାମନାର ବିନାଶରେ ଦୁଃଖର ବିନାଶ ।" କାମନାସୁରର ବିନାଶ ହେଲେ ସିନା ଦୁଃଖ ହଟିବ , କାମନାସୁରର ଅତ୍ଯାଚ଼ାରରେ ଅତିଷ୍ଠ ହେଇପଡୁଛନ୍ତି ସାଧୁ ସଜ୍ଜନ । ଦୁଃଖ ହଟିବ କ'ଣ , ବରଂ ବୃଦ୍ଧି ଘଟୁଛି । ବାହ୍ଯ ଆଭରଣଟା ବେଶ୍ ଚ଼ାକଚ଼କ୍ଯ , କିନ୍ତୁ ଭିତରଟା ପୂରା ଫମ୍ପା । ସେ ଯାହା ବି ହେଉ , ଆମର ପୂର୍ବ ଗୌରବ ବରଂ ଭଲ ଥିଲା , ଆଜିର ଯୁଗରେ ଆମେ ଆଗ ଭଳି ଏତେଟା ଶାନ୍ତିରେ ନାହୁଁ । ସେ ବଣଜଙ୍ଗଲ ହିଁ ଉତ୍ତମ ଥିଲା । ପ୍ରସ୍ତର ଯୁଗ ଓ ଧାତୁ ଯୁଗ ପରେ ମାନବ ପାଦ ଦେଇଥିଲା ବୈଦିକ ଯୁଗରେ । ବେଦ , ଉପନିଷଦ , ଦେବତା ବିଶ୍ବାସ , ଅଧର୍ମକୁ ଡ଼ର , ଧର୍ମକୁ ସମ୍ମାନ ଆଦି ମାନବ ପାଇଁ ଏକ ନୂଆ ଦିଗନ୍ତ ସୃଷ୍ଟି କରିଥିଲା । ଏଥିରେ ମୁଖ୍ଯ ଭୂମିକା ଆଦରି ଥିଲା ଭାରତ । ଭାରତ ହିଁ ଥିଲା ବୈଦିକ ଯୁଗର ପ୍ରଥମ ଦେଶ ।
ଭାରତର ପ୍ରାଚ଼ୀନ ଇତିହାସରେ ବୈଦିକ ଯୁଗ ଏକ ନବୀନ ଯୁଗାରମ୍ଭର ସୂଚ଼ନା ପ୍ରଦାନ କରିଥିଲା । ଖ୍ରୀ.ପୂ. ୧୫୦୦ରେ ଆର୍ଯ୍ଯମାନେ ଭାରତକୁ ଆସି ବୈଦିକ ଯୁଗର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପ୍ରାୟ ୧୦୦୦ ବର୍ଷ ଯାଏଁ ଅକ୍ଷୂଣ୍ଣ ଥିଲା । ସେହି ୧୦୦୦ ବର୍ଷ ଯାଏଁ ଅର୍ଥନୈତିକ , ରାଜନୈତିକ , ସାମାଜିକ , ଧାର୍ମିକ କ୍ଷେତ୍ରରେ ଯଥାସାଧ୍ୟ ଉନ୍ନତି ଘଟି ନଥିଲା । ବୈଦିକ ଯୁଗକୁ "ଆଦିବୈଦିକ ଯୁଗ" ଓ "ପରବର୍ତ୍ତୀ ବୈଦିକ ଯୁଗ" ନାମରେ ସମାନ ଅବଧିର ଦୁଇ ଭାଗରେ ବିଭକ୍ତ କରାଯାଇଛି । ବେଦରେ ବୈଦିକ ଯୁଗ ବିଷୟରେ ସମସ୍ତ ପ୍ରକାର ତଥ୍ୟ ନିହିତ ଅଛି । ବେଦ କହିଲେ ଆମେ କ'ଣ ବୁଝୁ , ଆଗ ଜାଣିବା । ବେଦ କହିଲେ ସାଧାରଣତଃ ହିନ୍ଦୁଧର୍ମର ମୁଖ୍ଯ ଧର୍ମଗ୍ରନ୍ଥକୈ ବୁଝାଏ । ବେଦ ହେଉଛି ସଂହିତା , ବ୍ରାହ୍ମଣଭାଗ , ଆରଣ୍ୟକ , ଉପନିଷଦ , ବେଦାଙ୍ଗ , ଉପବେଦ । ଋଷିମାନେ ଏହାକୁ ଶୁଣି ଶୁଣି ମନେରଖୁଥିବାରୁ ଏହାର ଅନ୍ଯ ନାମ "ଶ୍ରୁତି" ; ଏହି ବେଦ ପରମ୍ପରାକୁ ମାନୁଥିବା ସନାତନ ହିନ୍ଦୁଧର୍ମୀଙ୍କୁ "ଶ୍ରୌତୀ" ବା "ଶ୍ରୋତ୍ରୀୟ" କୁହାଯାଏ । ପ୍ରତ୍ଯକ ବେଦର ନିଜସ୍ବ ସଂହିତା , ବ୍ରାହ୍ମଣ , ଉପନିଷଦ , ଆରଣ୍ୟକ , ବେଦାଙ୍ଗ ଓ ଉପବେଦ ରହିଛି ।
'ବେଦ' ଶବ୍ଦଟି 'ବିଦ୍' ଧାତୁରୁ ଆନୀତ ; 'ବିଦ୍'ର ଅର୍ଥ ଜ୍ଞାନ ପ୍ରାପ୍ତ କରିବା । 'ବେଦ' ସମଗ୍ର ମାନବ ଜାତି ପାଇଁ ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର । 'ବେଦ' ଭାରତୀୟ ସଂସ୍କୃତିର ମୂଳାଧାର । କହିବାକୁ ଗଲେ , 'ବେଦ' ହେଉଛି ସମଗ୍ର ମାନବ ଜାତିର ବିଶଲ୍ଯକରଣୀ , ଆସନ୍ନ ମୃତ୍ଯୁରୁ ରକ୍ଷା କରିବାର। ଅମୋଘ ମୋଦକ । ଏଥିରେ ଅଛି ସମସ୍ତ ଉପଚ଼ାର , ବୁଝିବାକୁ ଚ଼େଷ୍ଟା କଲେ ସବୁ ବୁଝି ହେବ । 'ବେଦ' ଆର୍ଯ୍ଯ ମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥ୍ବୀର ପ୍ରାଚ଼ୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ନାହିଁ । ଆର୍ଯ୍ଯ ମାନଙ୍କର ବିଶ୍ବାସନୁଯାୟୀ "ବେଦ" ହେଉଛି ଭଗବାନଙ୍କର ମୁଖନିଃସୃତ ବାଣୀ । ଆର୍ଯ୍ଯ ମାନେ ବେଦକୁ ପୁରୁଷାନୁକ୍ରମେ ଶୁଣି ଶୁଣି ମନେରଖୁଥିଲେ । ଅଲୌକିକ ଜ୍ଞାନର ଭଣ୍ଡାର "ବେଦ" । ବହୁ ସ୍ତୋତ୍ର , ମନ୍ତ୍ର , ବିଭିନ୍ନ ଉପାଦେୟ ତଥ୍ଯର ସମଷ୍ଟି ଏଇ 'ବେଦ' ଯାହା ବିଭିନ୍ନ କାଳରେ ବହୁ ଜ୍ଞାନୀ , ମୁନିଋଷି ମାନଙ୍କ ଦ୍ୱାରା ରଚ଼ନା କରାଯାଇଥିଲା । ସଂହିତା କହିଲେ ନାନା ସ୍ଥଳରୁ ସଂଗୃହୀତ ବା ସଙ୍କଳିତ ଗ୍ରନ୍ଥକୁ ବୁଝାଏ । ଅନେକ ସଂହିତା ଅଛି ; ଆହରଣ କରିପାରିଲେ ଅନେକ ଲାଭ ମିଳେ ।
ମନ୍ବାଦି ସମସ୍ତ ସଂହିତାର ସଂଖ୍ଯା କୋଡ଼ିଏ ; ଏହାକୁ ସ୍ମୃତି ଗ୍ରନ୍ଥ ବି କହନ୍ତି । ସେଗୁଡିକ ହେଲା :~ ମନୁ , ଅତ୍ରି , ବିଷ୍ଣୁ , ହାରିତ , ଯାଜ୍ଞବଳ୍କ , ଉଶନା , ଅଙ୍ଗିରା , ଯମ , ଆପସ୍ତମ୍ଭ , ସମ୍ବର୍ତ୍ତ , କାତ୍ଯାୟନ , ବୃହସ୍ପତି , ପରାଶର , ବ୍ଯାସ , ଶଙ୍ଖ , ଲିଖିତ , ଦକ୍ଷ , ଗୌତମ , ଶତତାପ ଓ ବଶିଷ୍ଠ । ଏମାନଙ୍କ ମଧ୍ୟରୁ ମନୁ , ଯାଜ୍ଞବଳ୍କ ଓ ପରାଶରଙ୍କ ସଂହିତାରେ ଲିଖିତ ବିଧିମାନ ଦେଶରେ ପରିପାଳିତ । ଭୃଗୁଙ୍କ ନାମ ସ୍ମୃତିକାରଙ୍କ ମଧ୍ୟରେ ନାହିଁ , ତଥାପି ସେ ଜଣେ ସଂହିତାକାର । ହିନ୍ଦୁଧର୍ମ ଯେଉଁ ବହି ବା ଶାସ୍ତ୍ର ଦ୍ବାରା ଚ଼ାଲେ ତାକୁ "ମନୁ ସଂହିତା" ବା "ମନୁସ୍ମୃତି" କୁହାଯାଏ । ଏହି ସଂହିତାନୁସାରେ ହିନ୍ଦୁଧର୍ମରେ ଚ଼ାରିଟି ବଣ୍ଣ ବ୍ଯବସ୍ଥା ଅଛି । ସବା ଉପରେ ରହିଛନ୍ତି ବ୍ରହ୍ମାଙ୍କ ମୁଖରୁ ଜାତ ବ୍ରାହ୍ମଣ ; ଏମାନଙ୍କର କାର୍ଯ୍ଯ ଶିକ୍ଷା ପ୍ରଦାନ କରିବା ଓ ଦେବ ପୂଜନ ଆଦି ବୈଦିକ କାର୍ଯ୍ଯ କରିବା । ଦ୍ବିତୀୟରେ ଅଛନ୍ତି କ୍ଷତ୍ରିୟ , ଯିଏ ବ୍ରହ୍ମାଙ୍କ ବାହୁ ମୂଳରୁ ଜାତ ; ଏମାନଙ୍କର କାର୍ଯ୍ଯ ରାଜଶାସନ ଚଳେଇବା । ତୃତୀୟର ରହିଲେ ବ୍ରହ୍ମାଙ୍କ ଜଂଘରୁ ଜାତ ବୈଶ୍ୟ ; ଏମାନେ ବେପାର ବଣିଜ କରିବେ ଏବଂ ସର୍ବଶେଷ ସ୍ଥାନ ଚ଼ତୁର୍ଥରେ ରହିଲେ ଶୁଦ୍ର ; ଉପରୋକ୍ତ ତିନି ବଣ୍ଣଙ୍କ ସେବାରେ ଲାଗିବେ । ମନୁ ସଂହିତାନୁଯାୟୀ ଶୁଦ୍ର ନା ଶିକ୍ଷା ଦେବେ , ନା ରାଜ୍ଯ ଶାସନ କରିବେ , ନା ବେପାର ବଣିଜ କରିବେ ; ସେଲାଗି ଏ ବଣ୍ଣକୁ ଛୁଆଁରେ ରଖାଯାଇଛି । କିନ୍ତୁ ନ ଛୁଇଁଲେ ସେବା କିପରି ପାଇବେ ? ବେଦ କହୁଛି :- ସ୍ପର୍ଶ ମାତ୍ରେ କାର୍ଯ୍ୟାନ୍ତେ ସ୍ନାନଂ କୁର୍ଯ୍ଯାତ୍ ।" ଏ କଳିଯୁଗରେ ଏସବୁ କଥା କହିଲେ , ଭେଦଭାବ ସୃଷ୍ଟି କରାଯାଉଛି ବୋଲି କହିବେ । ସେଲାଗି ବହୁବର୍ଷ ପୂର୍ବରୁ ମାଳିକାରେ ଲିଖିତ ଅଛି :-
"ସର୍ବେ ହୋଇବେ ଏକାକାର ,
ନଥିବ ବେଦର ବିଚ଼ାର ।"
ଏ କଳି କାଳରେ ମାଳିକାର କଥା ଗୋଟି ଗୋଟି ସତ୍ଯ ହେବାରେ ଲାଗିଛି ବୋଲି ଧିରେ ଧିରେ ସମସ୍ତେ ଉପଲବ୍ଧି କରିଲେଣି ।
ଏହାର ଅର୍ଥ ନୁହେଁ କାହାକୁ ଘୃଣ୍ୟ ମନେ କରିବା , ସେଲାଗି ଭାଗବତ ପ୍ରମାଣ ଦେଇଛି :-
"କୀଟ ପତଙ୍ଗ ତରୁ ତୃଣ
ସକଳ ଘଟେ ନାରାୟଣ ।"
ଆଜ୍ଞା , ସମସ୍ତେ ଗୋଟିଏ ଜାତି ଆମେ , ସେ ହେଲା "ଜୀବଜଗତ" । ସମସ୍ତ ମାନବ ଏକ ଏବଂ ଦୁଇଟି ଜାତି ; ନାରୀ ଓ ପୁରୁଷ । କେବଳ ଏହି ସଂସାରରେ କାର୍ଯ୍ୟ ବଣ୍ଟନ ଓ ସମାଜର ଭାରସାମ୍ୟ ରକ୍ଷା କରିବାକୁ ଚ଼ାରିଟି ବଣ୍ଣ କରାଯାଇଛି । ଜନ୍ମରୁ କେହି ଜାତି ନେଇ ଜନ୍ମ ନେଇ ନଥାଏ । ସମସ୍ତେ ଶୁଦ୍ର ପ୍ରାୟ ; ବ୍ରାହ୍ମଣ କୁଳେ ଜନ୍ମ ନେଲା ବୋଲି ବ୍ରାହ୍ମଣ , କ୍ଷତ୍ରିୟ କୁଳ ଜନ୍ମ ନେଲେ କ୍ଷତ୍ରିୟ , ବୈଶ୍ଯ କୁଳେ ବୈଶ୍ଯ ଏବଂ ଶୁଦ୍ର କୁଳେ ଜନ୍ମ ନେଲେ ଶୁଦ୍ର କୁହାଯାଏ । କିନ୍ତୁ ଏସବୁ ଭୁଲ୍ ଅଟେ । ବ୍ରାହ୍ମଣ କହିଲେ ତା'ର ନୀତିଗତି ଅଛି, ଉଚ଼ିତ୍ ନୀତିନିୟମକୁ ଅବଲମ୍ବନ କରିବ । ମୋର "ଉତ୍କଳ ବ୍ରାହ୍ମଣ ସମାଜ" ପ୍ରବନ୍ଧଟି ପାଠ କଲେ ଜାଣି ପାରିବେ ମୁଁ ସେଥିରେ ବିଶଦ ବଣ୍ଣନା କରିଛି । ଆଚ଼ରଣ ଓ ଉଚ଼ାରଣରେ ଭିନ୍ନତା ଥାଇପାରେ, କିନ୍ତୁ ଶରୀର ଗଠନଟି ଏକପ୍ରକାରର ଏବଂ ସମସ୍ତଙ୍କର ରକ୍ତ ଲାଲ୍ ; କାହାଠାରୁ ଲାଲ୍ ଭିନ୍ନ ଅଲଗା ରକ୍ତ ନିର୍ଗତ ହୋଇପାରେନା । ତେବେ ଏତେ ଘୃଣା କାହିଁକି ? ସମସ୍ତଙ୍କୁ ଭଲପାଇବା ଶିଖିବା ଉଚ଼ିତ୍ । ବିବେକାନନ୍ଦଙ୍କ ବାଣୀ ଅନୁସାରେ - "ମାନବ ସେବା ହିଁ ମାଧବ ସେବା ।" ଏକଥାକୁ ପାସୋରି ପକାଇବା ଅନୁଚ଼ିତ୍ । "ମାନବ ଧର୍ମ ଶ୍ରେଷ୍ଠ ଧର୍ମ" - ଏକଥାକୁ ପ୍ରତିପାଦନ କରିବା ପାଇଁ ହେଲେ ମାନବ ସମାଜ ପ୍ରତି ପ୍ରେମ ଉଦ୍ରେକ ହେବା ଦରକାର । କଳି କାଳରେ ଏ ଜାତିକୁ ନେଇ ବହୁ ବିଭ୍ରାଟ ; ଜାତି ଏକ ଭୟଙ୍କର ରୋଗ ଯାହାର ନିରାକରଣ ସମ୍ଭବପର ନୁହେଁ ।
ଏ ଜାତିପ୍ରଥା ଆଜିର ନୁହେଁ ; ବହୁ ପ୍ରାଚୀନ କାଳରୁ ପ୍ରଚ଼ଳିତ । ଏହା ଏମିତି ଏକ ବ୍ଯବସ୍ଥା ଜନ୍ମ ପୂର୍ବରୁ ଓ ମୃତ୍ଯୁ ପରେ ବି ମଣିଷକୁ ପଙ୍ଗୁ କରିପକାଇଥାଏ ; ମାନବୀୟ ଚ଼ିନ୍ତାଧାରା ସହିତ ତା' ଅସ୍ତିତ୍ବକୁ ଦଳି ଚ଼କଟି କ୍ଷିନ୍ନଭିନ୍ନ କରିପକାଇଥାଏ । ସଂଖ୍ଯାଲଘୁ ଲୋକଙ୍କ ଜାତି ନାମରେ ଅତ୍ଯାଚ଼ାରର ସବୁ ସୀମା ଟପି ଯାଇଛି । କହିବା ବାହୁଲ୍ୟ ଯେ , ହିନ୍ଦୁ ମାନଙ୍କର ଗ୍ରାମ ସୃଷ୍ଟି ହୁଏ ମନ୍ଦିରରୁ ଓ ପରିସମାପ୍ତି ବି ଘଟେ ସେଇ ମନ୍ଦିରରେ ; ମନ୍ଦିରରେ ହିଁ ଅନୁଭବ କରିହୁଏ ଛୁଆଁ ଅଛୁଆଁ ଭେଦଭାବ ଭଲ ରକମରେ । ଏହା ଏକ ଅମାନବୀୟ ସଂସ୍ଥା ଓ ବ୍ଯବସ୍ଥା ; ଏମାନେ ଜଣେ ଜଣେ ସାମାଜିକ ରୋଗୀ । ଏଥିପାଇଁ ସମାଜରେ ବିତରଣ ଚ଼ାଲିଛି କୁଢ଼ କୁଢ଼ ହିଂସା ଓ ଗଦା ଗଦା ଘୃଣା । ହିନ୍ଦୁ ଧର୍ମରେ ଏଭଳି ବିଦ୍ବେଷ ଆଶ୍ଚର୍ଯ୍ୟ ଲାଗେ । ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ା. ଭୀମରାଓ ଆମ୍ବେଦକର ୧୯୩୬ରେ ଏକ ଉଦ୍ବୋଧନରେ କହିଥିଲେ - "ହିନ୍ଦୁ ଧର୍ମରେ ଜନ୍ମ ନେବା ମୋ' ହାତରେ ନଥିଲା, ହେଲେ ମୁଁ ହିନ୍ଦୁ ହୋଇ କଦାପି ମରିବିନି ।" ସେ ୧୯୫୬ରେ ପାଞ୍ଚଲକ୍ଷ ଲୋକଙ୍କୁ ନେଇ ବୌଦ୍ଧଧର୍ମର ଦୀକ୍ଷା ଗ୍ରହଣ କଲେ । ସେ ଧର୍ମ ସମତା , ବନ୍ଧୁତା ତଥା କରୁଣା ଭଳି ମାନବୀୟ ତଥା ଲୋକତାନ୍ତ୍ରିକ ମୂଲ୍ୟରେ ପରିପୂଣ୍ଣ ।
ସେ ଯାହା ବି ହେଉ , ପ୍ରତ୍ଯେକ ଜାତିର ଗୋତ୍ର ଓ ପ୍ରବର ଥାଏ । 'ଗୋତ୍ର' ଶବ୍ଦଟି 'ଗୋ' ବା ଗାଈଗୋରୁଙ୍କ ବାସସ୍ଥାନ ବା ଗୁହାଳ । ଭାରତକୁ ଆର୍ଯ୍ଯ ମାନଙ୍କ ଆଗମନ ପରେ ତାଙ୍କ ଜୀବନଚ଼ର୍ଯ୍ୟାରେ ଗୋ'ମାତା ପୂଜା ତଥା ସେବା କରିବା ଏକ ଗୁରୁତ୍ୱପୂଣ୍ଣ ଭୂମିକା ନିର୍ବାହ କରୁଥିଲା ; ଆର୍ଯ୍ଯମାନେ ଏ ପ୍ରଥାକୁ ବଞ୍ଚାଇ ରଖିଥିଲେ ଏବଂ ଏବେ ବି ରହିଛି । ଋଷି ମାନଙ୍କର ନାମାନୁସାରେ ଗୋତ୍ର ହୋଇଛି ଏବଂ ପ୍ରସିଦ୍ଧି ପ୍ରାପ୍ତ ଋଷିଙ୍କ ନାମ ସ୍ଥାନରେ ପ୍ରବର ଲେଖାଯାଏ । ଏ କଥା "ଦି ୱାଣ୍ଡର୍ ଦ୍ଯାଟ୍ ୱାଜ୍ ଇଣ୍ଡିଆ" (The wander that was India)ପୁସ୍ତକରେ ଅଧ୍ୟାପକ ଏ.ଏଲ୍.ବାଶମ୍ ଉଲ୍ଲେଖ କରିଛନ୍ତି । ମନୁ ସଂହିତାରେ ମନୁଷ୍ୟର ଧର୍ମ , କର୍ମ , ନ୍ଯାୟ , ଅନ୍ୟାୟ , ଆଚ଼ାର , ବିଚ଼ାରାଦି ଉଲ୍ଲିଖିତ ଅଛି । ବିଖ୍ଯାତ ଭାଷାବିତ୍ ଏବଂ ଇଣ୍ଡୋଲୋଜିଷ୍ଟ୍ ପ୍ରଥମେ ମନୁ ସଂହିତାକୁ ପାଶ୍ଚାତ୍ୟ ଜଗତର ବିଦ୍ବାନଙ୍କ ଆଗରେ ଉପବେଶନ କରାଇଥିଲେ ; ତାଙ୍କ ମତରେ ଏହି ଗ୍ରନ୍ଥର ରଚ଼ନାକାଳ ଖ୍ରୀ.ପୂ. ୧୨୫୦ ମସିହାରୁ ୧୦୦୦ ମସିହା ମଧ୍ୟ ରେ ଓ ଏହାର ପ୍ରକୃତ ନାମ ଥିଲା - "ମାନବ ଧର୍ମ ଶାସ୍ତ୍ର" । ଗବେଷକ ମାନଙ୍କ ମତରେ ଏ ଗ୍ରନ୍ଥର ରଚ଼ୟିତା ଜଣେ ବ୍ଯକ୍ତି ନୁହେଁ , ଅନେକ ବ୍ଯକ୍ତି । କେବଳ ପ୍ରଥମ ୫୮ଟି ସୂତ୍ର ମନୁଙ୍କ ରଚ଼ନା । ଏହାର ଏକଲକ୍ଷ ଶ୍ଳୋକ ୧୦୮୦ଟି ଅଧ୍ୟାୟରେ ବିଭକ୍ତ ; ଅନେକ ଶ୍ଳୋକ ପ୍ରକ୍ଷିପ୍ତ ଓ ଗ୍ରନ୍ଥର ମୂଳ ଅଙ୍ଗ ନୁହେଁ । ଏଣୁ ବହୁ ଜାଗାରେ ବିରୋଧାଭାସ ଅଛି । ଉଦାହରଣ :- ଏକ ଜାଗାରେ ଅଛି ନାରୀକୁ ବାଲ୍ଯାବସ୍ଥାରେ ପିତା , ଯୌବନବସ୍ଥାରେ ସ୍ବାମୀ ଆଉ ବୃଦ୍ଧାବସ୍ଥାରେ ପୁତ୍ର ରକ୍ଷା କରିବେ ଏବଂ ଅନ୍ଯତ୍ର ଏକ ଶ୍ଳୋକରେ ଅଛି ଯେ , ଯେଉଁଠି ନାରୀର ସମ୍ମାନ ଥାଏ ସେଠି ଦେବଗଣ ମହାନନ୍ଦରେ ବିଚ଼ରଣ କରନ୍ତି । ନାରୀଙ୍କ ଅନୁପସ୍ଥିତିରେ ସମସ୍ତ ଧର୍ମକାର୍ଯ୍ଯ , ହୋମ ଯଜ୍ଞ ଫଳପ୍ରଦ ନୁହେଁ ; ନାରୀ ସମାଜ ଓ ପରିବାରର ଅଭିନ୍ନ ଅଙ୍ଗ , ତେଣୁ ସେ ସ୍ବତନ୍ତ୍ର ଓ ସ୍ବାଧୀନ । ଆଉ ଗୋଟିଏ ଶ୍ଳୋକରେ ଅଛି ମଣିଷର ଶରୀର ଚ଼ାରି ଭାଗରେ ବିଭକ୍ତ ; ମସ୍ତିଷ୍କ ବ୍ରାହ୍ମଣ , ବାହୁ ଓ ବକ୍ଷ କ୍ଷତ୍ରିୟ , ଉଦର ଓ ନାଭି ବୈଶ୍ଯ ଓ ଜଂଘ ଆଉ ପାଦ ଶୁଦ୍ର । ପର କାଳରେ ଏଇଥିରୁ ଜାତ ହେଲା ଜାତିଭେଦ ; ସୃଷ୍ଟି ହେଲା ଉଚ୍ଚ ଓ ନୀଚ୍ଚ ଭାବ । ସାମାଜିକ ସ୍ବୀକୃତି ପାଇଁ ମନୁ ସଂହିତାରେ ପୂରେଇ ଦିଆଗଲା । ଗ୍ରନ୍ଥର ଶେଷ ଭାଗରେ ଉଲ୍ଲିଖିତ ଅଛି - "ଯେ ନିଜକୁ ସମସ୍ତ ପ୍ରାଣୀଙ୍କ ଭିତରେ ଦେଖନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ନିଜ ଭିତରେ ଦେଖନ୍ତି , ସେ ହିଁ ବାସ୍ତବରେ ସମଦ୍ରଷ୍ଟା ଓ ବ୍ରହ୍ମଜ୍ଞାନୀ । ମନୁ ସଂହିତାକୁ ସମ୍ମାନ ଦେବା ଉଚ଼ିତ୍ , କିନ୍ତୁ ପ୍ରତ୍ୟେକ କଥାକୁ ଗଭୀର ଭାବରେ ଚ଼ିନ୍ତନ ସହ କାର୍ଯ୍ଯରେ ଲଗାଇବା ଯଥୋଚି଼ତ ।
ମନୁସ୍ମୃତିରେ କୃଷି , ଗୋ'ପାଳନ ଓ ବାଣିଜ୍ୟ ସହିତ ଯଜ୍ଞ , ଅଧ୍ଯୟନ , ଦାନ , ସୁଧ ଗ୍ରଣ ବୈଶ୍ଯ ମାନଙ୍କର ବୃତ୍ତି ବୋଲି ଉଲ୍ଲେଖ ରହିଛି । ଯାହା ବି ହେଉ ; ପ୍ରତ୍ଯେକ ଶ୍ଳୋକକୁ ଉଚ଼ିତ୍ ବିଶ୍ଳେଷଣ କରିପାରିଲେ ଦିବ୍ୟଜ୍ଞାନ ପ୍ରାପ୍ତି କରିହେବ । ମହର୍ଷି ଅତ୍ରି ବେଦକୁ ନେଇ ଲେଖିଛନ୍ତି ଯେ - "ବେଦ ଠାରୁ ବଳି ଉତ୍ତମ ଶାସ୍ତ୍ର ନାହିଁ ଓ ମାତା ଠାରୁ ବଳି ଉତ୍ତମ ଗୁରୁ ନାହିଁ ।" ମହର୍ଷି ଯାଜ୍ଞବଳ୍କ କହିଛନ୍ତି ଯେ - "ନ ବେଦଶାସ୍ତ୍ର ଦନ୍ଯତ୍ ଶାସ୍ତ୍ରଂ ହି ବିଦ୍ଯତେ ।" ଅର୍ଥାତ୍ , ବେଦ ସମସ୍ତ ଶାସ୍ତ୍ର ଠାରୁ ଶ୍ରେଷ୍ଠ , ଅନ୍ଣ ସମସ୍ତ ଶାସ୍ତ୍ର ବେଦ ଠାରୁ ଜନ୍ମ । ବେଦ ପ୍ରକୃତରେ ଏକ , କିନ୍ତୁ ମନ୍ତ୍ର ସ୍ବରୂପ ଭେଦରେ କର୍ମ , ଜ୍ଞାନ ଓ ଉପାସନା ନାମରେ ତିନି ଭାଗରେ ବିଭକ୍ତ ; ସେଲାଗି ଅନେକ ବେଦବିଦ୍ ଏହାକୁ ବେଦ ତ୍ରୟୀ କହନ୍ତି । ଅନ୍ୟ କେତେକ ବେଦ ବିଦ୍ବାନ ଗଦ୍ଯ - ପଦ୍ଯ - ଗାନ ଥିବାରୁ ଏହାକୁ ତ୍ରୟୀ ବୋଲି କହନ୍ତି । ସତ୍ଯ ବିଦ୍ଯାର ପୁସ୍ତକ ହେଲା ବେଦ । ବେଦ ଅପୌରୁଷେୟ ଅର୍ଥାତ୍ ଏହାକୁ କେହି ରଚ଼ନା କରିନାହାନ୍ତି ; ମନ୍ତ୍ରଦ୍ରଷ୍ଟା ଋଷି ମାନେ ତୁରୀୟାତୀତବସ୍ଥାରେ ବେଦ ମନ୍ତ୍ରକୁ ସ୍ବ- ନେତ୍ରେ ରଖିଛନ୍ତି । ଋତଂମ୍ଭରା ପ୍ରଜ୍ଞା ଦ୍ବାରା ଋଷି ମାନେ ବେଦକୁ କଣ୍ଠସ୍ଥ କରି ଶିଷ୍ୟ ପରମ୍ପରାକୁ ଶିକ୍ଷା ଦିଅନ୍ତି । ଏହା କୈଶ୍ବରବାଦ ଉପରେ ଆଧାରିତ ଏବଂ ଏହା କାଳାତୀତ , ଅନାଦି ଆଉ ନିତ୍ଯ ; ସର୍ବଶକ୍ତିମାନ ପରମାତ୍ମାଙ୍କର ସର୍ବବ୍ଯାପକତା ଅଜର ଅମରତ୍ବକୁ ବେଦ ସ୍ବୀକାର କରେ ।
ଋକ୍ , ଯଜୁଃ , ସାମ ଓ ଅଥର୍ବ ନାମରେ ବେଦକୁ ଚ଼ାରିଭାଗରେ ବିଭକ୍ତ କରାଯାଇଛି ; ଏଥିରୁ ତିନୋଟି ବେଦ ପ୍ରାଚ଼ୀନ ହୋଇଥିବା ବେଳେ ଅଥର୍ବ ବେଦ ପରବର୍ତ୍ତୀ ସମୟର ବୋଲି ଅନୁମାନ କରାଯାଏ । ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ହୋଇ ଋଷି ପରମ୍ପରା କ୍ରମେ ସୃଷ୍ଟି ଆଦ୍ୟରୁ ଚ଼ଳି ଆସୁଛି ବୋଲି ହିନ୍ଦୁ ମାନଙ୍କର ବିଶ୍ବାସ । ହିନ୍ଦୁ ମାନଙ୍କର ବେଦ ପରି ଅନ୍ୟ ଧର୍ମାବଲମ୍ବୀ ମାନଙ୍କର ଧର୍ମଶାସ୍ତ୍ର ବି ଅଛି । ମୁସଲମାନଙ୍କର କୋରାନ , ଖ୍ରାଷ୍ଟିୟାନ ମାନଙ୍କର ବାଇବେଲ , ବୌଦ୍ଧ ମାନଙ୍କର ତ୍ରିପିଟକ , ପାର୍ସୀ ମାନଙ୍କର ଜେନା-ଭେସ୍ତା ଅଛି । ହିନ୍ଦୁଧର୍ମର ଚ଼ାରିବେଦର ଶାଖା ସଂଖ୍ୟା ୧୧୩୧ଟି ଏବଂ ସମସ୍ତ ମନ୍ତ୍ର ସଂଖ୍ଯା ଏକଲକ୍ଷ ଅଟେ । ଏହି ଏକଲକ୍ଷ ମନ୍ତ୍ର ମଧ୍ୟରୁ କର୍ମକାଣ୍ଡ ୮୦ ହଜାର , ଉପାସନା କାଣ୍ଡ ୧୬ ହଜାର ଓ ଜ୍ଞାନ କାଣ୍ଡ ୪ ହଜାର ; ଏ ସମସ୍ତ ମିଶି ଏକଲକ୍ଷ । କର୍ମକାଣ୍ଡ ରେ ସର୍ବାଧିକ ମନ୍ତ୍ର ଦୃଶ୍ଯମାନ ଏବଂ କର୍ମକାଣ୍ଡ ହିଁ ବେଦର ମୁଖ୍ଯ । ବଳରାମ ଦାସ ଜଗନ୍ନାଥାଦି ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ଚ଼ାରିବେଦ ସହ ତୁଳନା କରିଛନ୍ତି । ବଳଭଦ୍ର ସାମବେଦ , ଜଗନ୍ନାଥ ଯଜୁଃବେଦ , ସୁଭଦ୍ରା ଋକ୍ବେଦ ଏବଂ ସୁଦର୍ଶନ ଅଥର୍ବ ବେଦ । ସେ ଲେଖିଛନ୍ତି :-
ବଳଭଦ୍ର ଯେ ସାମ ହୋଇ । ଋକ୍ ସୁଭଦ୍ରା ଅଟଇ ।।
ଯଜୁଃବେଦ ଶ୍ରୀ ଜଗନ୍ନାଥ । ଅଥର୍ବ ସୁଦର୍ଶନ ପାର୍ଥ ।।
ମହାଭାରତକୁ ପଞ୍ଚମ ବେଦର ଆଖ୍ଯା ମିଳିଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ବ୍ଯାସଦେବ ଯେଉଁ କଳି ଯୁଗର ଯେପରି ବଣ୍ଣନା କରିଥିଲେ , ତାହା ଆଜି ପ୍ରତିଫଳିତ । ଦ୍ବାପର ଯୁଗର ସମାପ୍ତି ଓ କଳିଯୁଗର ପ୍ରାରମ୍ଭ କାଳରେ ବ୍ଯାସଦେବଙ୍କୁ କଳିଯୁଗର ଦର୍ଶନ ହୋଇଥିଲା ; କଳିରେ ଜୀବନ ଅର୍ଥ ଓ କାମରେ ହିଁ ପୂରଣ ହୋଇଯିବ ବୋଲି ସେ କହିଥିଲେ । ସେ କହିଥିଲେ ଯେ - "ଜୀବନ ଖାଲି ଭୋଗ ପ୍ରଧାନ ହେବ ଏବଂ ଏ ଯୁଗରେ ଲୋକମାନେ କୁଳ , ଗୋତ୍ର , ଜାତିର ବିଚ଼ାର ରଖିବେନି । ପ୍ରେମ ବିବାହ ପ୍ରଚ଼ଳନ ବିଶେଷତଃ ହେବ ଏବଂ ବହୁ ବଣ୍ଣସଙ୍କର ଓ ଜାତିସଙ୍କର ଜନ୍ମ ନେବେ ; ଲୋକେ ବେଦ ଅଧ୍ଯୟନ କରିବେନି ।" ବେଦରୁ ବୁଝିବା ଜଟିଳକର ହେତୁ ବ୍ଯାସଦେବ ପୁରାଣ ରଚ଼ନା କଲେ । ବେଦର ଅଧିକାର ସମସ୍ତଙ୍କୁ ମିଳିନି ; ଆଜିକାଲି ବ୍ରାହ୍ମଣ ସର୍ବ ସମୀପେ ବେଦମନ୍ତ୍ର ପାଠ କରିବା ହେତୁ ବ୍ରହ୍ମତେଜର ବିନାଶ ହୁଏ । ଯିଏ ବେଦ ଶାଖା ରହିତ , ତା' ପାଖରେ ବଦ ମନ୍ତ୍ରୋଚ୍ଚାରଣ ଅନୁଚି଼ତ । ସେଲାଗି ମହାଭାରତ ରଚ଼ନା ହେଲା ବ୍ଯାସଙ୍କ ଦ୍ବାରା ଏବଂ ଏହାକୁ ପଞ୍ଚମ ବେଦ ବୋଲାଗଲା । ଏଥିରେ ଅନେକ ଗୁଢ଼ ତତ୍ତ୍ବ ନିହିତ ଯାହା ବେଦତୁଲ୍ଯ । ବ୍ଯାସଦେବଙ୍କ ମତନୁସାରେ କଳିରେ ପ୍ରକୃତ ବେଦ ଏ ମହାଭାରତ ଗ୍ରନ୍ଥ ଅଟେ । ଦେବମୁନି ନାରଦ ଏହାର ପ୍ରମାଣ ବି ଦେଇଛନ୍ତି ।
ପଦ୍ଯ ଓ ଅର୍ଥଯୁକ୍ତ ଛନ୍ଦୋବଦ୍ଧ ବୈଦିକ ମନ୍ତ୍ର ଗୁଡ଼ିକ ଋକ୍ ଏବଂ ଗୀତ ରୂପେ ସଙ୍କଳିତ ବୈଦିକ ମନ୍ତ୍ର ଗୁଡ଼ିକ ସାମବେଦରେ ଥିବା ବେଳେ ଗଦ୍ୟାକାର ଛନ୍ଦୋବଦ୍ଧ ମନ୍ତ୍ର ଗୁଡ଼ିକ ଯଜୁଃ ବେଦରେ ରହିଛି । କ୍ ଓ ଯଜୁଃ ବେଦର ସ୍ଥୂଳ ଜଗତରେ ପ୍ରୟୋଗାତ୍ମକ ଉପଯୋଗୀ ପାଇଁ ଅଥର୍ବ ବେଦ ଉଦ୍ଦିଷ୍ଟ । ଯଜ୍ଞର କର୍ମକାଣ୍ଡରେ ଋକ୍ ,ଯଜୁଃ ଓ ସାମ୍ ବେଦରୁ ମନ୍ତ୍ର ପାଠ କରାଯାଏ । ବ୍ରହ୍ମା ହେଲେ ଯଜ୍ଞାଧ୍ଯକ୍ଷ ଏବଂ ଚ଼ତୁର୍ବେଦର ଜ୍ଞାତା ଆଉ ଅଥର୍ବ ବେଦର ବିଶେଷଜ୍ଞ । ଋକ୍ବେଦର "ହୋତା" , ଯଜୁଃବେଦର "ଅଧ୍ବୟୁ" ଏବଂ ସାମବେଦର "ଉଦ୍ଗାତା" ପ୍ରତିନିଧି ହୋଇ ଯଜ୍ଞର ଅଂଶୀ ହୋଇଥା'ନ୍ତି ; ଅଥର୍ବ ବେଦର ପ୍ରତିନିଧି ସ୍ବୟଂ "ବ୍ରହ୍ମା"। ସେ ଯଜ୍ଞର ସାକ୍ଷୀ ହୋଇ ବସନ୍ତି । ବିଜ୍ଞାନକାଣ୍ଡ ଭାବେ ପରିଚ଼ିତ ଋକ୍ବେଦର ବୈଦିକ ମନ୍ତ୍ରକୁ "ଋଚ଼ା" କହନ୍ତି ଓ ଏହାର ମନ୍ତ୍ର ସଂଖ୍ଯା ୧୦୫୮୦ ଅଟେ ; ଏହାର ଅଧିପତି ଗ୍ରହ ବୃହସ୍ପତି ଆଉ ବାର ହେଲା ଗୁରୁବାର । ଏହାର ଉପବେଦ ଆୟୁର୍ବେଦ , ମାନବଙ୍କୁ ଜ୍ଞାନ ପ୍ରଦାନ ଏହି ମନ୍ତ୍ର ମାନଙ୍କର ଲକ୍ଷ୍ଯ ଅଟେ । ଶାକଳ , ବାଷ୍କଳ , ଅଶ୍ବଲାୟନ , ସଂଖ୍ଯାୟନ , ମାଣ୍ଡୁକେୟ , ଐତରେୟୀ , କୌଷୀତକି , ଶୈଶିରୀ , ପୈଙ୍ଗୀ ଆଦି ୨୧ଟି ଶାଖା ଥିବାର "ଚ଼ାରଣ ବ୍ଯୁହ" ଗ୍ରନ୍ଥରୁ ଜଣାଯାଏ । ବର୍ତମାନ କେବଳ "ଶାକଳ" ଶାଖା ଅଧ୍ଯୟନ କରାଯାଉଛି । ଏହାର ସ୍ବଭାବ ସାତ୍ତ୍ବିକ ଓ ଏହାକୁ ବାଚ଼ିକ ଓ ଉଚ୍ଚସ୍ବରରେ ପଢ଼ା ଯାଏ ।
ଯଜୁଃବେଦର ବୈଦିକ ମନ୍ତ୍ର ସଂଖ୍ଯା ୧୯୭୫ ଏବଂ କର୍ମ ପ୍ରେରଣା ଦେବା ଏହି ମନ୍ତ୍ର ସମୂହର ଲକ୍ଷ୍ଯ ; ଏଥିରେ ଧର୍ମ ସମ୍ପର୍କୀୟ କ୍ରିୟାକଳାପ ଓ ଉପାସନାଦି ଅଛି ଏବଂ ଏହାର ଉପବେଦ "ଧନୁର୍ବେଦ" । ଏହାର ଅଧିପତି ଗ୍ରହ ଶୁକ୍ର ଓ ବାର ଶୁକ୍ରବାର । ଋକ୍ବେଦର ଦୁଇଟି ପ୍ରଧାନ ବ୍ରାହ୍ମଣ ଗ୍ରନ୍ଥ "ଐତରେୟ ବ୍ରାହ୍ମଣ" ଓ "କୌଷିତକୀ ବା ସଂଖ୍ଯାୟନ" ଥିବା ବେଳେ ଯଜୁଃବେଦର ମଧ୍ୟ ଦୁଇଟି ପରମ୍ପରା "ଶୁକ୍ଳ ବା ବାଜସନେୟୀ" ଏବଂ "କୃଷ୍ଣ ବା ମିଶ୍ର" ରହିଛି । ଶୁକ୍ଳ ଯଜୁଃବେଦଟି କୃଷ୍ଣ ଯଜୁଃବେଦ ଅପେକ୍ଷା ବେଶି ଆଦରଣୀୟ ; କାରଣ , ଏଥିରେ ସଂହିତା ଓ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ଅଛି । ଏହାର ସ୍ବଭାବ ରାଜସିକ ହେତୁ ଏହାକୁ ଉପାଂଶୁ ଭାଦେ ଜପ କରାଯାଏ । ଉପାସନାକାଣ୍ଡ ଭାବେ ପରିଚ଼ିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ ହୋଇଥିବା ବେଳେ ବାର ମଙ୍ଗଳବାର ଏବଂ ଏ ବେଦ ଆଧ୍ଯାତ୍ମମୁଖୀ ; ଏହା ମନୁଷ୍ୟ ର ଆନ୍ତରିକ ଗୁଣ ଗୁଡ଼ିକୁ ବିକଶିତ କରେ । ସାମବେଦର ଉପବେଦ ବା ଅଙ୍ଗ ଗାନ୍ଧର୍ବ ବେଦ (ସଙ୍ଗୀତ ବିଦ୍ଯା) ; ଏହାର ଉପନିଷଦ ହେଉଛି "କେନଉପନିଷଦ" (ଜୈମିନୀୟ ଶାଖା) ଓ "ଛନ୍ଦୋଗ୍ଯୋପନିଷଦ" । ସାମବେଦର ଅନେକ ଶାଖା (ଉଚ୍ଚାରଣ ତଥା ମନ୍ତ୍ର ବିଭାଜନ ଶୈଳୀ) ମଧ୍ୟୁ ରାଣାୟଣୀୟ , ସାତ୍ଯମୁଗ୍ର , କାଳାପ , କୌଥୁମୀ , ଜୈମିନୀୟ (ତଲବକାର) ଆଦି ପ୍ରଧାନ । କୌଥୁମୀ ଶାଖାର "ସାରାୟଣୀୟ , ବାତରାଣୀୟ , ବୈଧୃତ , ପ୍ରାଚ଼ୀନ , ତୈଜସ, ଅନିଷ୍ଟକ ନାମ୍ନୀ ଷଡ଼ଭେଦ ଅଛି । ସାମବେଦ ଦୁଇ ଭାଗରେ ବିଭକ୍ତ ।
ତାହା ହେଲା ପୂର୍ବାର୍ଚ୍ଚିକ ଓ ଉତ୍ତରାର୍ଚ୍ଚିକ । ଏ ଦୁଇ ଭାଗ ମଧ୍ୟରେ ଦଶଟି ମନ୍ତ୍ର ବିଶିଷ୍ଟ ଏକ କ୍ଷୁଦ୍ର ଅଧ୍ଯାୟ (ମହାନାମ୍ନୀ ଆର୍ଚ୍ଚିକ) ଅଛି ; ପୂରା ସାମବେଦର ମନ୍ତ୍ର ସଂଖ୍ଯା ୧୮୭୫ । ଏଥିରେ ନିଜସ୍ବ ମନ୍ତ୍ର ୭୫ ବେଳେ ଅନ୍ଯ ସମସ୍ତ ଋକ୍ବେଦରୁ ନିଆଯାଇ ଗାନ ପ୍ରକ୍ରିୟା ପ୍ରସ୍ତୁତ ହୋଇଛି । ଏହାର ବ୍ରାହ୍ମଣ ଗ୍ରନ୍ଥ ମାନେ ହେଲେ "ତାଣ୍ଡ୍ଯ ମହାବ୍ରାହ୍ମଣ" , "ବଂଶ ବ୍ରାହ୍ମଣ" , "ଜୈମିନୀୟ ତଲବକାର ବ୍ରାହ୍ମଣ" । ଏହାର ଗାନ ଶୈଳୀକୁ ଅରଣ୍ଯ ଗାନ , ଗ୍ରାମଗେୟ ଗାନ , ଋଚ଼ା ଗାନ , ରହସ୍ୟ ଗାନ ଆଦି ବିଭାଗରେ ଭାଗ କରାଯାଇଛି ଏବଂ ଏହାର ସ୍ବଭାବ ରୌଦ୍ର ହୋଇଥିବାରୁ ୟା'କୁ ବାଚ଼ିକ ଭାବେ ଗାନ କରାଯାଏ ।
ପୂର୍ବାର୍ଚ୍ଚିକକୁ "ଆଗ୍ନେୟ କାଣ୍ଡ , ଐନ୍ଦ୍ରକାଣ୍ଡ ପାବନ କାଣ୍ଡ ଓ ଆରଣ୍ୟକ କାଣ୍ତ" ନାମରେ ଚ଼ାରୋଟି ପର୍ବରେ ବିଭକ୍ତ କରାଯାଇଛି । କାଣ୍ତ ଗୁଡ଼ିକ କେତେକ ପ୍ରପାଠକରେ ବିଭକ୍ତ ଓ ପ୍ରତି ପ୍ରପାଠକର ଦୁଇଟି ଅର୍ଦ୍ଧପାଠକ ଅଛି ; ପ୍ରତ୍ଯେକ ଅର୍ଦ୍ଧପାଠକର ପାଞ୍ଚୋଟି ଲେଖାଁ ଦଶତି ଥାଏ । ଗୋଟିଏ ଦଶତିରେ ଦଶଟି ମନ୍ତ୍ର ରହିବା ସ୍ବାଭାବିକ ହେଲେ ବି କେତେକ ଦଶତିରେ କମ୍ ବା ଅଧିକ ମନ୍ତ୍ର ରହିଛି । ଏହି ପୂର୍ବାର୍ଚ୍ଚିକର ମନ୍ତ୍ର ସଂଖ୍ଯା ୬୪୦ ଅଟେ । ଉତ୍ତରାର୍ଚ୍ଚିକରେ ୨୧ଟି ଅଧ୍ଯାୟ ଓ ୯ଟି ପ୍ରପାଠକ ଅଛି ; ଏଥିରେ ଦଶତି ବଦଳରେ ସୂକ୍ତିର ଗଣନା କରାଯାଏ । ଉତ୍ତରାର୍ଚ୍ଚିକର ସୂକ୍ତ ସଂଖ୍ଯା ୪୦ ଏବଂ ମନ୍ତ୍ର ସଂଖ୍ଯା ୧୨୨୫ । ଏହାର କଳ୍ପସୂତ୍ର ଗୁଡ଼ିକ ହେରା , "ଦ୍ରାହ୍ଯାୟଣ (କୌଥୁମୀ) , ଲାଟ୍ଯାୟନ , ଜୈମିନୀୟ , ମଷକ" । "କୌଥୁମ" ଶାଖାରେ ଦୁଇଟି ଗୃହ୍ଯସୂତ୍ର ଅବଲମ୍ବନ କରାଯାଏ , ତା' ହେଲା - "ଗୋଭିଲ୍ଯ"(ଉତ୍ତର ଭାରତ) ଓ "ଖାଦିର"(ଆନ୍ଧ୍ର , ତାମିଲନାଡୁ) ।
ଅଥର୍ବ ବେଦ ୨୦ କାଣ୍ତରେ ବିଭକ୍ତ ଓ ଏହାର ସର୍ବମୋଟ ୭୩୧ ସୂକ୍ତ ଆଉ ୫୯୭୭ ବୈଦିକ ମନ୍ତ୍ର ଅଛି । ଏଥିରେ ଅନେକ ଅଭିଚ଼ାର ମନ୍ତ୍ର ଆପଦ ଉଦ୍ଧାରଣାର୍ଥେ ଅନେକ ଋଚ଼ା ରହିଛି । ଏହାର ଦେବତା ସୋମ(ଚନ୍ଦ୍ର) , ଛନ୍ଦ ପଂକ୍ତି ଏବଂ ଏହାର ଅଧିପତି ଗ୍ରହ ବୁଧ ଆଉ ବାର ବୁଧବାର । ଏହାର ୯ଟି ଶାଖା , ୫ଟି କଳ୍ପ ଓ ୫୨ଟି ଉପନିଷଦ ଅଛି ; ଏହାର ଉପବେଦ ସ୍ଥାପତ୍ୟ , ଅଥର୍ବ ବେଦ ଅଟେ । ଏହାର ୯ଟି ଶାଖା :- "ପୈପ୍ପଳାଦ , ତୌଦ , ମୌଦ , ଶୌନକୀୟ , ଜାବାଳ , ଜାଜଳ , ବ୍ରହ୍ମବାଦ , ଦେବଦର୍ଶୀ ଓ ଚ଼ାରଣ" । ବର୍ତ୍ତମାନ କେବଳ "ପୈପ୍ପଳାଦ" ଓ "ଶୌନକ" ଶାଖା ଜୀବିତ ଅଛି । ଉକ୍ତ ବେଦ ସମୂହ ବୈଦିକ ଯୁଗ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରେ । ଋକ୍ବେଦରୁ ଆଦିବୈଦିକ ଯୁଗ ବିଷୟରେ ଜଣାଯାଏ । ସେହି ସମୟରେ କେତେକ ବୈଦିକ ଜନଜାତିମାନେ ଇଉରୋପୀୟ ମହାଦେଶର ଉତ୍ତର-ପଶ୍ଚିମ ଭାଗ ସହ ପଞ୍ଜାବ ଓ ଆଫଗାନିସ୍ଥାନରେ ବସବାସ କରୁଥିଲେ ; କିନ୍ତୁ ଏହାର ଯଥେଷ୍ଟ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ନାହିଁ । କାରଣ , ସମ୍ଭବତଃ ଆଦିବୈଦିକ ଯୁଗ ଲୋକମାନେ ସାଧାରଣ ଜୀବନଯାପନ କରୁଥିଲେ ଓ ଗୋଟିଏ ସ୍ଥାନରେ ଅଧିକ ସମୟ ବିତାଉ ନଥିଲେ । ସେମାନଙ୍କର ଅର୍ଥନୀତି ମୁଖ୍ୟତଃ ପଶୁପାଳନ ଥିଲା । ମୁଖ୍ଯ ଜୀବିକା ଗୋ'ପାଳନ ସହ ଘୋଡ଼ା , ମେଷ , ଛାଗ ଆଦି ପାଳିତ ହେଉଥିଲା ଏବଂ ସାଧାରଣତଃ କୃଷିକାର୍ଯ୍ୟ ମଧ୍ୟ ପ୍ରଚ଼ଳିତ ଥିଲା । ପରିବାର ବା କୁଳ , ଗ୍ରାମ ଓ ଗ୍ରାମ ଠାରୁ ବୃହତ୍ତମ ଅଞ୍ଚଳ , 'ଜନ' ଏପରି ସାମାଜିକ ସ୍ତରରେ ବୈଦିକ ସମାଜ ବିଭକ୍ତ ଥିଲା ଓ ଲୋକପ୍ରିୟ ଅନୁଷ୍ଠାନ ଯଥା - ସଭା ଓ ସମିତି ଲୋକତାନ୍ତ୍ରିକ ପ୍ରଣାଳୀର ଏକ ମୁଖ୍ଯ ଭୂମିକା ରହିଥିଲା ।
ଆଦିବୈଦିକ ଯୁଗରେ ସମସ୍ତ ପ୍ରକାର ଦେବାଦେବୀ ପୂଜିତ ହେଉଥିଲେ । ତନ୍ମଧ୍ୟରେ ସମସ୍ତଙ୍କର ପ୍ରିୟ ଦେବତା ଥିଲେ ଇନ୍ଦ୍ର । ପରବର୍ତ୍ତୀ ବୈଦିକ କାଳ ବିଷୟରେ ବିଶଦ ଭାବରେ ସେ ସମୟେ ବିଶାଳ ଲେଖା ସଂଗ୍ରହ ଏବଂ ପ୍ରତ୍ନତାତ୍ତ୍ୱିକ ଉପାଦାନ ଗୁଡ଼ିକରୁ ଜଣାଯାଏ । ସେ ସମୟେ ବେଦ ରଚ଼ନା ଯଥା - ସାମ ,ଯଜୁଃ ଓ ଅଥର୍ବ , ଏ ତିନୋଟି ବେଦ ଥିଲା ; କିନ୍ତୁ ଚ଼ାରିବେଦର ବ୍ଯାଖ୍ଯା ଯଥା- ବ୍ରାହ୍ମଣ ସଂହିତା , ଆରଣ୍ୟକ ଓ ଉପନିଷଦ ଆଦିର ଅନ୍ତର୍ଭୁକ୍ତ । ସେ ସମୟେ ଅନେକ ଅଞ୍ଚଳକୁ ଖନନ କରାଯାଇଛି । ସେଗୁଡିକ ଏକ ଧୂସରବଣ୍ଣ ପାତ୍ର ଦ୍ବାରା ଚ଼ିହ୍ନିତ କରାଯାଇଛି , ଯେଉଁଥିପାଇଁ ସେହି ଗୁଡ଼ିକ "ପେଣ୍ଟେଡ୍ ଗ୍ରେ ୱେୟାର" ନାମରେ ନାମିତ କରାଯାଇଛି । ପରବର୍ତ୍ତୀ ବୈଦିକ କାଳରେ ଆର୍ଯ୍ଯ ସମ୍ପ୍ରଦାୟ ପୂର୍ବମୁଖୀ ଯଥା - ଗାଙ୍ଗେୟ କ୍ଷେତ୍ର ଦୋଆଦ ଏବଂ ଉଚ୍ଚଗାଙ୍ଗେୟ ସମତଳ ଭୂମି ଅଭିମୁଖେ ଗତି କରିଥିବା ଲକ୍ଷ୍ଯ କରାଯାଏ । ସେ ସମୟେ ତିନୋଟି ପ୍ରମୁଖ ରାଜ୍ଯ କାଶି , କୋଶଳ ଓ ବିଦେହ ଏହାର ସୁଦୂର ପୂର୍ବରେ ମୁଣ୍ଡ ଟେକିଥିଲା । ଏ ସମୟେ ମୁଖ୍ଯ ଜୀବିକା ଥିଲା କୃଷି ; ଧାନ, ଗହମ , ଆଖୁ ସମେତ ବିଭିନ୍ନ ପ୍ରକାରର ଫସଲ ଉତ୍ପାଦନ କରାଯାଉଥିଲା ଏବଂ ଲୋକମାନେ ଏକ ସ୍ଥାୟୀ ଗ୍ରାମ୍ଯ ଜୀବନ ବିତାଉ ଥିଲେ । ଶିଳ୍ପ ବିଦ୍ଯାର ଅଭିବୃଦ୍ଧି ଘଟିଥିଲା ଓ ଲୌହାସ୍ତ୍ର ଓ ସରଞ୍ଜାମର ବ୍ଯବହାର ଥିଲା । ଜାତିପ୍ରଥା ସୃଷ୍ଟି ହୋଇ ଚ଼ାରୋଟି ବଣ୍ଣ ବ୍ରାହ୍ମଣ , କ୍ଷତ୍ରିୟ , ବୈଶ୍ୟ ଓ ଶୁଦ୍ର ଆଦିରେ ବିଭକ୍ତ ହୋଇଥିଲା । ରାଜା ଓ ତାଙ୍କ ଅନୁଗାମୀ ମାନଙ୍କର ଶକ୍ତି ବୃଦ୍ଧି ଓ ସଭା ଗୁଡ଼ିକର ପ୍ରଭାବ ସମାନୁପାତୀରେ ହ୍ରାସ ପାଇଥିଲା ଏବଂ ଯାଗଯଜ୍ଞ ଆଉ ବଳିପ୍ରଥା ଅଭିବୃଦ୍ଧି ଘଟିଲା ; ଇନ୍ଦ୍ର ଦେବତାଙ୍କ ପ୍ରାଧାନ୍ୟ ହ୍ରାସ ହେବା ସହ ବିଭିନ୍ନ ନୂଆ ଦେବତା ମାନଙ୍କ ମଧ୍ୟରେ 'ପ୍ରଜାପତି' ବିଶେଷ ପ୍ରସିଦ୍ଧିଲାଭ କରିଥିଲେ । ଏ ଯୁଗର ଶେଷ ସମୟରେ ବଳି ଓ ଦାନ ପ୍ରଥାର ବିରୋଧାଭାସ ବିଶେଷତଃ ଉପନିଷଦରେ ଦୃଶ୍ୟ ହୁଏ ।
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଉତ୍ତର ଓ ପୂର୍ବ ଭାରତରେ ମହାଜନପଦ ନାମକ ଅନେକ ଗୁଡ଼ିଏ ବୃହତ ରାଜ୍ୟ ମାନଙ୍କରେ ଉତ୍ପତ୍ତି ହୋଇଥିଲା । ସେପରି ଷୋଳଟି ରାଜ୍ୟ ଯଥା - ଅଙ୍ଗ , ମଗଧ , ବ୍ରଜ , କାଶୀ , କୋଶଳ , ମଲ୍ଲ , କୁରୁ , ପାଞ୍ଚାଳ , ବସ୍ତ୍ର , ଅବନ୍ତି , କମ୍ବୋଜ , ଗାନ୍ଧାର , ଅସ୍ମକ , ଚ଼େଦି , ମତ୍ସ୍ଯ ଏବଂ ସୁରସେନ ଥିଲା ଯାହାକୁ ଷୋଡ଼ଶ ମହାଜନପଦ କହନ୍ତି ; ଏମାନଙ୍କ ମଧ୍ୟେ ମଗଧ , କୋଶଳ ଓ ଅବନ୍ତି ଅଧିକ ଶକ୍ତିଶାଳୀ ଥିଲେ । କୃଷିର ବିସ୍ତାର , ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଉନ୍ନତି , ରାଜ୍ଯ ଗୁଡ଼ିକର ଉତ୍ଥାନ ଓ ସହରୀକରଣର ପ୍ରାରମ୍ଭ ଦ୍ବାରା ସମାଜରେ ଏକ ନୂତନ ଶକ୍ତିର ଅଭ୍ଯୁଦୟ ହୋଇଥିଲା । ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ଏକ ଯୁଗ ଥିଲା ; ଲୋକେ ବ୍ରାହ୍ମଣବାଦ ଓ ବୈଦିକ ରୀତି ପ୍ରତି ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ । ସେହି ସମୟରେ ବିଭିନ୍ନ ସମ୍ପ୍ରଦାୟର ଅଭ୍ଯୁଦୟ ହୋଇଥିଲା ; ତନ୍ମଧ୍ୟେ ମୁଖ୍ଯ ଥିଲା ବୌଦ୍ଧଧର୍ମ ଓ ଜୈନଧର୍ମ । ଏ ଦୁଇ ଧର୍ମ ବିଷୟରେ ଆଗାମୀ ପ୍ରବନ୍ଧରେ ଆଲୋଚନା କରିବା। ଗୌତମ ବୁଦ୍ଧ ବୌଦ୍ଧଧର୍ମ ପ୍ରଚ଼ାର କରିଥିବା ବେଳେ ଜୈନଧର୍ମର ପ୍ରବର୍ତ୍ତକ ଥିଲେ ପ୍ରଥମ ତୀର୍ଥାଙ୍କର ରିସଭନାଥ ।
ଏହା ଥିଲା ମାନବ ଇତିହସର ବୈଦିକ ଯୁଗ । ଧର୍ମକାର୍ଯ୍ଯ , ବ୍ରତ ଆଉ ଉପାସନା ସହ ବିଶ୍ବାସ ଥିଲା ଦେବଦେବୀଙ୍କ ଠାରେ । ପରବର୍ତ୍ତୀ ବୈଦିକ ଯୁଗର ଧର୍ମ ବ୍ଯବସ୍ଥା ଦୁଇଟି ବେଦ ସାମବେଦ ଓ ଅଥର୍ବ ବେଦକୁ ନେଇ ସମୃଦ୍ଧିଲାଭ କରିଥିଲା ଏବଂ ପରବର୍ତ୍ତୀ ବୈଦିକ ଯୁଗରେ ଲୋକ ପରମ୍ପରା ଅଥର୍ବ ବେଦ ଉପରେ ପର୍ଯ୍ଯବେଶିତ ଥିଲା । ପରବର୍ତ୍ତୀ ବୈଦିକ ଯୁଗର ବଳି ପ୍ରଥା ସମ୍ବନ୍ଧେ ଯଜୁଃବେଦରେ ଉଲ୍ଲେଖ ଅଛି । ପରବର୍ତ୍ତୀ ବୈଦିକ ଯୁଗରେ ରାଜସୂୟ ଯଜ୍ଞ , ବାଜପେୟ ଯଜ୍ଞ ଓ ଅଶ୍ବମେଧ ଯଜ୍ଞ ଗୁରୁତ୍ୱ ବହନ କରିଥିଲା ଏବଂ ରାଣୀ ଧରିତ୍ରୀର ପ୍ରତିନିଧିତ୍ବ କରୁଥିଲେ ; ଏ ଯୁଗରେ ଅଶ୍ବମେଧ ଯଜ୍ଞ ରାଜାଙ୍କର ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା । କୃଷିର ଉନ୍ନତି ପାଇଁ ବାଜପେୟ ଯଜ୍ଞ ଓ ରାଜସୂୟ ଯଜ୍ଞ ଅନୁଷ୍ଠିତ ହେଉଥିଲା । ପରବର୍ତ୍ତୀ ବୈଦିକ ଯୁଗରେ ଧରିତ୍ରୀର ବ୍ଯବଧାନ ପୁନର୍ବାର ଯୌବନ ପ୍ରାପ୍ତି ଓ ଉର୍ବରତାର ପ୍ରତୀକ ଥିଲା । ପୂଜା ପଦ୍ଧତିର ଜଟିଳତା ଓ ଯୌଗିକ ତଥା କଷ୍ଟସାଧ୍ୟ ରୀତି ଯୋଗୁଁ ପୁରୋହିତ ମାନଙ୍କର ଗୁରୁତ୍ୱ ଅଭିବୃଦ୍ଧି ହୋଇଥିଲା ; ଶାସ୍ତ୍ରଜ୍ଞ କାରଣରୁ ବ୍ରାହ୍ମଣମାନେ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ରୂପେ କାର୍ଯ୍ଯ କରୁଥିଲେ । ଯଜମାନର ଆବଶ୍ଯକତା ଓ ଆର୍ଥିକ କ୍ଷମତାକୁ ନେଇ ଏ ଯୁଗରେ ବଳିର ପ୍ରକାର ନିର୍ଦ୍ଧାରଣ ହେଉଥିଲା ଏବଂ ଏ ଯୁଗରେ ଭୁତପ୍ରେତ , ରାକ୍ଷସ , ଖର୍ବକାୟ ଅସୁନ୍ଦର ଅସୁର , ଦୁଷ୍ଟ ଭୁତ , ବଶୀକରଣ ଓ ଅବତାର ସମ୍ବନ୍ଧୀୟ ଅନ୍ଧବିଶ୍ୱାସ ଲୋକପ୍ରିୟ ହୋଇଥିଲା ; ଏଗୁଡ଼ିକ ବୈଦିକ ପୁରାଣରେ ସ୍ଥାନିତ ହୋଇଥିଲା । ତନ୍ତ୍ରଶକ୍ତି ଦ୍ବାରା ଏ ଯୁଗରେ ମନ୍ତ୍ର ସବୁ ସମୃଦ୍ଧିଲାଭ କରିଥିଲା ; ପରିବାର ସୁଖ ତଥା ରୋଗମୁକ୍ତି ପାଇଁ ତନ୍ତ୍ରବିଦ୍ୟାର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ଖର୍ଚ୍ଚ ବହୁଳତା ଓ ପୂଜା ପଦ୍ଧତିର ଜଟିଳତା ଯୋଗୁଁ ଏ ଯୁଗେ ସାଧାରଣ ଗରିବ ଜନତା ବିଭିନ୍ନ ପର୍ବପର୍ବାଣୀଠୁ ଦୂରେଇ ଗଲେ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment