ଶ୍ରୀକ୍ଷେତ୍ରାଧିଶ୍ବରୀ ବିମଳା ଓ ଦୁର୍ଗାମାଧବ ପୂଜା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 

          ଶକ୍ତି ସ୍ବରୂପିଣୀ ଜଗଜ୍ଜନନୀ ମାଆ ବିମଳା ହେଲେ ଶ୍ରୀକ୍ଷେତ୍ରର ଅଧିଶ୍ବରୀ ଯିଏକି ଶ୍ରୀମନ୍ଦିର ଭିତର ବେଢ଼ାରେ ଅବସ୍ଥାନ କରିଛନ୍ତି । କୁହାଯାଏ କି ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ମାଆ ଏହି କ୍ଷେତ୍ରାଧିଶ୍ବରୀ ଅଟନ୍ତି । ଜଗନ୍ନାଥ ଯଦି ଭୈରବ ତେବେ ବିମଳା ହେଲେ ଭୈରବୀ ଯାହା ତନ୍ତ୍ର ଶାସ୍ତ୍ରରେ ଉଲ୍ଲେଖ ଅଛି । ବାସ୍ତବରେ ଏହା ଥିଲା ବିମଳା କ୍ଷେତ୍ର , କିନ୍ତୁ ଜଗନ୍ନାଥ ଏହି କ୍ଷେତ୍ରାବସ୍ଥାନ ପାଇଁ ତାଙ୍କ ଅନୁମତି ଲୋଡ଼ିଥିଲେ ବୋଲି କୁହାଯାଏ । ସେଲାଗି ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରସାଦ ବିମଳାଙ୍କୁ ଅର୍ପଣ କରାଯାଇଥାଏ ; ଏହାପରେ ସେ ମହାପ୍ରସାଦ ପାଲଟେ । ମାଆକୁ ସମର୍ପଣ କରାଯିବାରୁ ମହାପ୍ରସାଦ ହେଲା ବୋଲି କେତେକ ମତବ୍ୟକ୍ତ କରନ୍ତି । ନିମ୍ନ ମନ୍ତ୍ରରେ ମହାପ୍ରଭୁଙ୍କ ପ୍ରସାଦ ମାଆଙ୍କୁ ସମର୍ପିତ ହୁଏ । 

     "ହରି କୈବଲ୍ୟ ଭକ୍ଷିଣି ବିମଳା ବିମଳଂ ପ୍ରଦା

   ଗୃହଣନ୍ତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତାନ୍ଯକାରିଣୀ ।"

ଐତିହାସିକ କେଦାରନାଥ ମହାପାତ୍ରଙ୍କ ଅନୁସାରେ ସପ୍ତମ ଶତାଦ୍ଦୀର ସୋମବଂଶ ରାଜତ୍ବ କାଳରେ ଯେବେ ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧିଲାଭ କରିଥିଲା , ବର୍ତ୍ତମାନର ବିମଳା ମନ୍ଦିରଟି ସେହି ସମୟର ।


   "ତନ୍ତ୍ର ଚୂଡ଼ାମଣି" ଅନୁସାରେ ଉତ୍କଳରେ ହିଁ ପଡ଼ିଥିଲା ସତୀଙ୍କ ନାଭି । "ମହାନିର୍ବାଣ ତନ୍ତ୍ର" ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ । ଏଠି ଜଗନ୍ନାଥ ହେଲେ ଅଜୈକପାଦ ଭୈରବ , ବଳଭଦ୍ର ହେଲେ ଅହିର୍ବୁଧ୍ନ୍ଯ ଶେଷ ଭୈରବ , ସୁଭଦ୍ରା ହେଲେ ଭୁବନେଶ୍ବରୀ ଆଉ ସୁଦର୍ଶନ ଏକଲିଙ୍ଗ ସହ ମହାଲକ୍ଷ୍ମୀ ହେଲେ କମଳାତ୍ମିକା ଏବଂ ବିମଳା ହେଉଛନ୍ତି କୌଳେଶ୍ବରୀ ବା ମହାଭୈରବୀ ବୋଲି କହେ "କୁଳୋଡ୍ଡୀଶ ତନ୍ତ୍ର" । "ବ୍ରହ୍ମଯାମଳ" ତନ୍ତ୍ର କହେ -

 "ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ

  ବିରଜା ଓଡ୍ର ଦେଶେ ଚ କାମାକ୍ଷା ନୀଳ ପର୍ବତେ ।"

ଏହାର ଅର୍ଥ ବୁଝି ପାରୁଥିବେ । ବିମଳା ଚତୁର୍ଭୁଜା , ତ୍ରିନେତ୍ରା , ମୁଣ୍ଡମାଳା ଧାରିଣୀ ସହିତ ଅଷ୍ଟଦଳ ପଦ୍ମାସୀନା ; ଉପର କରଦ୍ବୟେ ନାଗଫାଶ , ମତ୍ସ୍ଯକନ୍ଯା ଧାରଣ କରିଥିବା ବେଳେ ନିମ୍ନ କରଦ୍ବୟେ ମଦ୍ଯପାତ୍ର ଆଉ ଜପମାଳା ଧାରଣ କରିଛନ୍ତି ଏବଂ ଉଭୟ ପାର୍ଶ୍ୱରେ ଦୁଇଜଣ ନାଗକନ୍ଯା ଓ ଦେବକନ୍ୟା ଦଣ୍ଡାୟମାନ । ଏହାଙ୍କ ବ୍ଯତୀତ ମନ୍ଦିରରେ ପୂଜା ପାଉଛନ୍ତି ସପ୍ତମାତୃକା , ଦଶମହାବିଦ୍ୟା ଓ ଦୁର୍ଗାଦି ଦେବୀ । 


       ପ୍ରତ୍ଯହ ମାଆ ଷୋଡ଼ଶୋପଚାରରେ ସକାଳ  , ଦ୍ବିପ୍ରହର ଓ ସନ୍ଧ୍ୟାରେ ପୂଜା ପାଉଥିବା ବେଳେ , ବର୍ଷର ସବୁ ସମୟେ ସେ ପରମବୈଷ୍ଣବୀ ରୂପେ ଆରାଧ୍ୟା ଥିବା ବେଳେ ଶରତ କାଳୀନ ଦୁର୍ଗାପୂଜା କାଳେ ଦେବୀ ମାଆ "କୌଳାଚାର ତନ୍ତ୍ର" ଅନୁସାରେ କାଳଭୈରବୀ ରୂପେ ପୂଜିତା ହୋଇଥା'ନ୍ତି । ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଓ ଶାକ୍ତ ଗୁଣ୍ଡିଚା ତାଙ୍କର ପ୍ରସିଦ୍ଧ । ସପ୍ତମୀ , ଅଷ୍ଟମୀ ଓ ନବମୀର ଅର୍ଦ୍ଧରାତ୍ର ସମୟେ ମହାନିଶା ପୂଜା ଅନ୍ତେ ପାର୍ଶ୍ବଦେବୀ ସହ ଚତୁଃଷଷ୍ଠୀ ଯୋଗ୍ନୀଙ୍କୁ ପହଡ଼ ପଡ଼ିବା ପରେ ବେଢ଼ା ବାହାରେ ବଳି ଦିଆଯାଇ କେବଳ ଛାଗ ଶିର ଭିତରକୁ ଆସେ ପାଚେରୀ ଡେଇଁ । କେବଳ ନିର୍ବାଚିତ କୌଳିକ ବ୍ରାହ୍ମଣ ମାନଙ୍କ ବ୍ଯତୀତ ଆଉ କେହି ଭିତରକୁ ଆସନ୍ତି ନାହିଁ । ଏହି ଷୋଳଦିନ ମହିଳାମାନେ ଭିତରେ ପ୍ରବେଶ କରନ୍ତି ନାହିଁ । ଶ୍ରୀମନ୍ଦିର ଚୂନରା ସେବାୟତଙ୍କ ମତାନୁସାରେ ଭକ୍ତର ମାନସିକ ବଳି ମନ୍ଦିର ଭିତରକୁ ପଶେନି , ତାହା କାକୁଡ଼ିଖାଇଙ୍କ ନିକଟରେ ଲାଗି ହୁଏ । ଷୋଡ଼ଶ ପୂଜାର ପ୍ରଥମ ଓ ଶେଷ ଦିନ ଛାଡ଼ି ପ୍ରତ୍ଯେକ ଦିନ ଦେବୀଙ୍କୁ ବିଭିନ୍ନ ବେଶ କରାଯାଏ । ପୂଜାର ଦ୍ବିତୀୟ ଦିନ ଠାରୁ ୧୨ ଦିନ ଯାଏଁ ସେ ଯଥାକ୍ରମେ ଭୁବନେଶ୍ବରୀ , ବନଦୁର୍ଗା , ରାଜରାଜେଶ୍ୱରୀ , ଉଗ୍ରତାରା , ମାତଙ୍ଗୀ , ବଗଳା , ନାରାୟଣୀ , ସିଂହବାହିନୀ , ଶୂଳଦୁର୍ଗା ଓ ହରଚଣ୍ଡୀ ବେଶ ଧାରଣ କରନ୍ତି । କିମ୍ବଦନ୍ତୀ ଅନୁସାରେ ବିମଳା ମନ୍ଦିର କେଶରୀ ବଂଶର ରାଜା ଇନ୍ଦ୍ର ରଥଙ୍କ ଦ୍ବାରା ପ୍ରତିଷ୍ଠିତ । କେହି କେହି ସପ୍ତମ ତ କେହି କେହି ତୃତୀୟ ଶତାବ୍ଦୀରୁ ମା'ଙ୍କ ଆରାଧନା ହୋଇ ଆସୁଛି ବୋଲି କହନ୍ତି । 


        ଅହର୍ବୁୟଂ ସଂହିତା , ପୁରୁଷୋତ୍ତମ ମାହାତ୍ମ୍ୟ , ଶାଶ୍ୱତ ସଂହିତା , ବ୍ରହ୍ମ ପୁରାଣ , ଶାରଦା ତିଳକ , ସ୍କନ୍ଦ ପୁରାଣ , ନାରଦ ପୁରାଣ ଆଦିରେ ବିମଳାଙ୍କ ଆରାଧନା ପଦ୍ଧତି ଓ ବର୍ଣ୍ଣନା ରହିଛି  । ବିମଳାଙ୍କୁ ସର୍ବେ ଆମିଷାସୀ କହିଲେ ବି ସେ ପରମବୈଷ୍ଣବୀ , ସେ ଆମିଷ ଗ୍ରହଣ କରନ୍ତି ନାହିଁ  । କେହି କେହି ତାଙ୍କ ପାର୍ଶ୍ୱଦେବୀଙ୍କୁ ଛାୟା , ମାୟା କହନ୍ତି , ସେ ହିଁ ଆମିଷ ଗ୍ରହଣ କରନ୍ତି । ବିମଳା କିନ୍ତୁ ନିର୍ମାଲ୍ୟ ପ୍ରିୟା ବା କୈବଲ୍ୟ ଲୋଲୁପିନୀ ; କିନ୍ତୁ ଶାରଦୀୟ ସପ୍ତମୀ , ଅଷ୍ଟମୀ ଓ ନବମୀରେ ତାଙ୍କ ପାଖରେ ଛାଗ ବଳି ଅର୍ପଣ କେବଳ ପାର୍ଶ୍ୱଦେବୀଙ୍କ ପାଇଁ । ଷୋଳପୂଜାବସରରେ ରତ୍ନସିଂହାସନ ଉପରେ ପୂଜିତ ମାଧବ ବା କାଳପୁରୁଷୋତ୍ତମ ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ କରି ବିମଳା ମନ୍ଦିର ଯା'ନ୍ତିଓ ସେଠି ଆଠଦିନ ଧରି ଦୁର୍ଗାମାଧବ ପୂଜା ପାଇବା ପରେ ନବମୀ ଦିନ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ରଥାରୁଢ଼ ହୋଇ ବିଜେ କରନ୍ତି ; ଏହା ହିଁ ତ ଶାକ୍ତ ଗୁଣ୍ଡିଚା । ଶ୍ରୀମନ୍ଦିରରେ ପ୍ରସାଦ ଲାଗି ପରେ ସେଥିରୁ ତୁଳସୀପତ୍ରମାନ କାଢ଼ି "ଉଡ୍ଡୀୟାନ ତନ୍ତ୍ର" ଅନୁସାରେ ପଇଡ଼ପାଣି ଦ୍ବାରା ସେହି ଶଙ୍ଖୁଡ଼ିକୁ ବିମଳାଙ୍କୁ ଲାଗି କଲା ପରେ ତାହା ମହାପ୍ରସାଦରେ ପରିଣତ ହୁଏ । ଏଥିଲାଗି କେହି କେହି ବିମଳାଙ୍କୁ "ଉଚ୍ଛିଷ୍ଟ ଭୈରବୀ" କହିଥା'ନ୍ତି । ନବମ ଶତାବ୍ଦୀ ବେଳକୁ ଦେବୀଙ୍କ ବିଗ୍ରହ କଳାମୁଗୁନି ପଥରରେ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବାର ବି କେହି କେହି ମତ ଦିଅନ୍ତି ।


      ବିମଳାଙ୍କ ମନ୍ଦିରର ଉଚ୍ଚତା ୬୦ ଫୁଟ ଓ ଏହା ତିନି ଭାଗରେ ବିଭକ୍ତ । ମୁଖଶାଳା ବା ବିମାନ , ଜଗମୋହନ , ନାଟମଣ୍ଡପ ନାମ୍ନୀ ଅଟେ ଏବଂ ଷୋଡ଼ଶ ମାତୃକା ଓ ଯୋଗ୍ନୀଙ୍କ ୪୪ଟି ଚିତ୍ର ନାଟମଣ୍ଡପ କାନ୍ଥରେ ଚିତ୍ରିତ । ମା'ଙ୍କ ଗାୟତ୍ରୀ ଜପ - "ଓଁ ଶ୍ରୀ କ୍ଷେତ୍ରେଶ୍ବର୍ଯ୍ଯୈ ବିଦ୍ମହେ , ଦୁର୍ଗାମାଧବାଭ୍ଯାଂ ଧିମହୀ , ତନ୍ନୋ ବିମଳା ପ୍ରଚୋଦୟାତ" ଦୁର୍ଗାମାଧବ ପୂଜା କାଳେ କରାଯାଇଥାଏ । ବିମଳାଙ୍କ ବିଗ୍ରହ ପ୍ରାୟ ୫ ଫୁଟ ଉଚ୍ଚତା ବିଶିଷ୍ଟ । ବିମଳା ଓଲଟା ପଦ୍ମଫୁଲ ଉପରେ ଦଣ୍ଡାୟମାନ ହୋଇ ଦେବୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱଦେବୀ ସାଜିଥା'ନ୍ତି । ବିମଳା ସାକ୍ଷାତ ଭୈରବୀ ବୋଲି ପ୍ରମାଣ ମିଳେ ଉକ୍ତ ଶ୍ଳୋକରୁ -

     "ଗଙ୍ଗାୟାଂ ମଙ୍ଗଲାନାମ ବିମଳା ପୁରୁଷୋତ୍ତମ

     ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବଃ ।"

ଦୁର୍ଗାମାଧବଙ୍କ ଉପାସନା ତଥା ପରମ୍ପରା ବିଶ୍ୱ ପ୍ରସିଦ୍ଧ ଓ ଏହା କେବଳ ଶ୍ରୀକ୍ଷେତ୍ର ଠାରେ ଦୃଶ୍ୟମାନ । ଏଣୁ ଓଡ଼ିଶାରେ ଓଡ଼ିଆ ପରମ୍ପରାରେ ଅଧିକାଂଶ ଶୁଭ କାର୍ଯ୍ଯରେ ଦୁର୍ଗାମାଧବ ପଟ୍ଟି ବା ଚିତ୍ର କିମ୍ବା ଦୁର୍ଗାମାଧବ ପୂଜା କରାଯାଇଥାଏ । ମାଧବ ହେଲେ କଟି ଓଡ଼ିଆଙ୍କ ଇଷ୍ଟ ଏବଂ ଦୁର୍ଗା ଶକ୍ତିପୁଞ୍ଜର ଆଧାର , ତେଣୁ ଏ ଦୁର୍ଗାମାଧବ ପୂଜା କରଣୀୟ । ଅନ୍ଯର୍ଥରେ ହେଲା ଜଗନ୍ନାଥ ଶକ୍ତି ଓ ଦୁର୍ଗା ମହାଶକ୍ତି ; ଉଭୟ ଶକ୍ତିର ମିଳନରେ ସୃଷ୍ଟି ମହାଜାଗତିକ ଶକ୍ତି । ତେଣୁ ମହାଜାଗତିକ ଶକ୍ତି ସଞ୍ଚାରାର୍ଥେ ଏହି ପୂଜା କରାଯାଏ ।


ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 

                ୮୯୧୭୪୮୦୫୩୬


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା