ରାଜନୀତିର ପଶାପାଲିରେ ଜୀବନ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

            ସମ୍ପାଦକ - ଉଦୟ ଭାନୁ 

     ରାଜନୀତିର ପଶାପାଲିରେ ପେଷି ହୋଇଯାଉଛି ଜୀବନ ; ଏଠି ବଞ୍ଚିବା ଦୁର୍ବିସହ । "ଜନତାଙ୍କ ସେବାରେ ନେତା" - ଏ ଆପ୍ତବାକ୍ଯଟି ମଳିନ ପ୍ରାୟ । ପୂର୍ବରୁ ଥିଲା ଏ ବାକ୍ଯର ଯଥାର୍ଥତା ; ଏବେ କିନ୍ତୁ "ନେତାଙ୍କ ସେବାରେ ଜନତା" । କିଛି କୁହନ୍ତି - "ସମୟ ବଦଳି ଯାଇଛି ।" ମୁଁ କିନ୍ତୁ କହିବି ସମୟ ବଦଳିନି , ଆମେ ବଦଳି ଯାଇଛୁ । ସମୟ ତା' ବାଟରେ ଠିକ୍‌ ଚାଲିଛି , ଆମେ ଆମର ଆଚରଣ ବଦଳେଇ ଦେଇଛୁ । କଥାରେ ଅଛି - "ବର୍ଷା ଯୁଆଡ଼େ ଛତା ସିଆଡ଼େ ।" ଜୀବନ ସାରା ମାଗି ଖାଇବାର କୁଅଭ୍ଯାସ ଆଜି ଆମକୁ ଏ ପରିସ୍ଥିତିରେ ଠିଆ କରିଛି । ଆମ ଅଧିକାର ଜାହିର୍‌କୁ ସ୍ତମ୍ଭୀଭୂତ କରି ଆମ କଣ୍ଠରୁଦ୍ଧ କରି ରଖିଛି , ଆମ ସ୍ବର ଉତ୍ତୋଳନ କରିବାର ଶକ୍ତି ପୁରା ଠପ୍‌ । ଯେମିତି ଜନତା , ନେତାଙ୍କ ହାତର କଣ୍ଢେଇ । ଯେମିତି ନଚେଇବେ ସେମିତି ନାଚିବେ ।

      କଥାରେ ଅଛି - "ଓଲା ଦୁଇଥର ହସେ ।" ଆମେ ସବୁ ଓଲା , ତେଣୁ ଦୁଇଥର ହସୁଛୁ । ନବୁଝିକି ହସୁଛୁ ଆଉ ବୁଝିଲା ପରେ ବି ହସୁଛୁ । ବୁଝିକି ବି ସୁଧୁରୁନୁ । ନିର୍ବାଚନ ପୂର୍ବରୁ କେତେ କାକୁତିମିନତି ଆଉ କେତେ କେତେ ପ୍ରତିଶ୍ରୁତି । "ଜାତି - ଧର୍ମ - ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ", "ଆମେ ସମସ୍ତେ ଭାଇ-ଭାଇ" - ଏକଥା ନିର୍ବାଚନ ପୂର୍ବରୁ ନେତାମାନେ ବେସ୍‌ ସୁନ୍ଦର ଭାବରେ ନିର୍ବାହ କରନ୍ତି । ଭୋଟ୍‌ ସରିଗଲା ପରେ କାଶିଆ କିଏ ନା କପିଳା କିଏ ? ହାତ ଯୋଡ଼ି ଗୋଡ଼ ତଳେ ପଡ଼ି "ଏତା କରିଦେବୁ - ସେତା କରିଦେବୁ" କହି ଭୋଟ୍‌ ଖଣ୍ଡକ ହାତେଇ ନେଇଗଲା ପରେ ଆଉ ଧରାଛୁଆଁ ନାହିଁ । କ'ଣ ନା "ଆମେ ଜନ ପ୍ରତିନିଧି , ଜନତାଙ୍କ ସେବା କରୁଛୁ", ଜଳଜଳ ଦିଶୁଛି ସେମାନଙ୍କର ଜନସେବା । କି ରାଜନୀତିରେ ବାବା ! ଶାର୍ଦ୍ଦୁଳ ମାନଙ୍କର ସିଂହାସନ ଲୋଭ ଏତେମାତ୍ରାରେ ପରିବର୍ଦ୍ଧିତ ଯେ ତାକୁ ଭାଷାରେ ବର୍ଣ୍ଣିବା ଅସମ୍ଭବ  ।

      ଏଠି ମାଳ ମାଳ ଯୋଜନା , ହେଲେ ସବୁକିଛି ଯେମିତି ପ୍ରହେଳିକା ; ମୃଗତୃଷ୍ଣା ପରି ମନେହୁଏ । ଯୋଜନା ରହିଲା ଯୋଜନା ବାଟରେ ଆଉ ଜନତା ରହିଲେ ତାଙ୍କ ବାଟରେ । ପ୍ରକୃତ ହିତାଧିକାରୀ ହତୋତ୍ସାହ , କିନ୍ତୁ ସମାଜର ବଡ଼ପଣ୍ଡା ଯେତେ ସବୁ ଫାଇଦାଦାର । "ତେଲିଆ ମୁଣ୍ଡରେ ତେଲ" - ଏକଥାଟି ଏଠି ପୁରା ଫିଟ୍‌ । ରାସନ କାର୍ଡ଼ରୁ ଆରମ୍ଭ କରି ବିଜୁ ପକ୍କାଘର ଯାଏଁ , ରାସ୍ତାକାମରୁ ପାଇଖାନା ଯାଏଁ , ଗୋଖାଦ୍ଯ ଦୁର୍ନୀତି ସବୁଠି ହୀନ ରାଜନୀତିର ଚକ୍କର । କ'ଣ ନା , ଜନ ପ୍ରତିନିଧି ; ଏଇମାନେ ଆମର ଜନ ପ୍ରତିନିଧି ! ଓଡ଼ିଶା ରାଜ୍ୟ ବନ୍ଯା - ବାତ୍ୟା - ମରୁଡ଼ିର ରାଜ୍ଯ ; ସଦାସର୍ବଦା ଅବହେଳିତ ଆଉ ଲୁଣ୍ଠିତ । ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ବିଜୁ ପକ୍କାଘର ଯୋଗାଇ ଦେବାର ପ୍ରତିଶ୍ରୁତି ଆଜି ପାଣିର ଗାର । କେତେଜଣ ଆଉ କୋଉମାନେ ପାଇଛନ୍ତି ଏହାର ଲାଭ ? ଯାହାର ନଅ ଶହ ନଉବାଟୀ , ସେ କିନ୍ତୁ ମାରିପାରିଛି ଫାଇଦା । 

     କହି କହି ଆଉ ଦଉଡ଼ି ଦଉଡ଼ି ପାଟି ସରିଗଲା ଆଉ ପାଦର ଜୋତା ବି ଘୋରି ହୋଇଗଲା ପଛେ , ଝାଟିମାଟି ଘର ଛାତରେ ରୂପାନ୍ତର ହୋଇପାରିଲା ନାହିଁ । ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ସରକାର, ଏଇଥରର ବନ୍ଯା ସ୍ଥିତି ପୁରା ଦର୍ଶେଇ ଦେଇଛି । ଜରି ପାଲ ତଳେ ବିତୁଥିବା ଜୀବନ କେତେ କହମହ ହେଉଛି ସାରା ଓଡ଼ିଶା କ'ଣ ଭାରତବର୍ଷ ବି ଦେଖିଛି । ନା ବିଜୁ ପକ୍କାଘର ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା , କିଛି ବି ନାହିଁ । କାର୍ଯ୍ୟ ଖାଲି କାଗଜପତ୍ରରେ ।

      ଏଯାଏଁ ବି କିଛି ଲୋକଙ୍କର ରାସନ କାର୍ଡ଼ ନାହିଁ  । ଯେଉଁମାନେ ସରକାରୀ ଚାକିରିଆ , ସେମାନଙ୍କର ଯୋଡ଼ା ଯୋଡ଼ା ରାସନ କାର୍ଡ଼ ; ଯିଏ ମୁଣ୍ଡ ଗୁଞ୍ଜିବାକୁ ଜରିପାଲକୁ ଆଶ୍ରା କରିଛି , ତା'ର ରାସନ କାର୍ଡ଼ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହିଣୀ ମାନଙ୍କ ପାଇଁ ଇନ୍ଧନ ଗ୍ଯାସ୍‌ ଯୋଗେଇଥିଲେ ପରା , ଆମ୍ବ ଦେଖେଇ ଆମ୍ବଡ଼ା ଧରେଇ ଦେଲେ ! ପାଞ୍ଚଶହ ଟଙ୍କାରେ ମିଳୁଥିବା ଗ୍ଯାସ୍‌ ଏବେ ଏଗାରଶହ ଟପିଲାଣି । ଗରିବ ଲୋକ କେତେ ଆଣିବ ଯେ ଗ୍ଯାସ୍‌ ଜାଳିବ ? ସେଇ ଚୂଲିକୁ ଭରସା , ତେବେ ଏ ଉଜାଲା ଯୋଜନା ନିରର୍ଥକ ନା ସାର୍ଥକ ଭାବନ୍ତୁ । ବାର ହଜାର ଟଙ୍କାରେ ଲାଟିନ୍‌ ; ଧକାଏ ପକେଇଲେ ଲେଉଟିବ । ଲୋକଙ୍କୁ ଭୁଆଁ ବୁଲେଇବାକୁ ଏଭଳି ଯୋଜନା କାର୍ଯ୍ୟକାରୀ ହୁଏ । 

      ଏବେ ବି କିଛି ଗାଁକୁ ରାସ୍ତା ନାହିଁ ; ସରକାରଙ୍କ ଦୃଷ୍ଟି ପଡୁନି କେମିତି ? ଲୋକ ଏବେ ବି ଭାରରେ ବୁହା ହୋଇ ହସ୍ପିଟାଲ ଯାଉଛନ୍ତି । ସରକାର ଅନ୍ଧ ଆଉ ପ୍ରଶାସନ ସ୍ଥାଣୁ  । ଧିକ୍‌ ତୁମ ରାଜନୀତି ଆଉ ଧିକ୍‌ ତୁମ ମଣିଷପଣିଆକୁ । ଚୋର ଗଲା ପରେ ପୋଲିସ୍ ଆସେ , ଠିକ୍‌ ସେମିତି ଅବସ୍ଥା ସୁଧୁରିଲା ପରେ ଗାଁକୁ ଆସନ୍ତି ନେତା-ମନ୍ତ୍ରୀ । ମନ୍ତ୍ରୀ ତ ମିଛ କଥା , କୁଜିନେତା ମାନଙ୍କର ଭିଡ଼ ଜମେ । ରାଜଧାନୀର ରାଜରାସ୍ତା ଛାଡ଼ି ଏ ମଫସଲ ଗାଁକୁ କାଦୁଅ-ପଙ୍କ କୁଦି କୋଉ ମନ୍ତ୍ରୀ ବା କାହିଁକି ଆସିବେ ? ତାଙ୍କର ଧୋବ ଫରଫର ପୋଷାକରେ ଦାଗ ଲାଗିଯିବନି କି ? ହାଇଫାଇ ଜୋତା ପଙ୍କ ହୋଇଯିବ ; ଲୋକେ ହନ୍ତସନ୍ତ ହଉଛନ୍ତି ହୁଅନ୍ତୁ , ତାଙ୍କର କି ଯାଏ ?

        ପାଣି ଘେରରେ ଥିବା ବେଳେ କେହି ଦେଖା ନଥିବେ । ପାଣି ଛାଡ଼ିଗଲେ ମାଳ ମାଳ ଚିଲ - ଶାଗୁଣାଙ୍କର ଭିଡ଼ । ଚୁଡ଼ା ଦିଅଣ୍ଡା ଆଉ ଗୁଡ଼ ଟେଳାଏ , ବିସ୍କୁଟ୍‌ ପ୍ଯାକେଟ୍‌ଟେ ଦେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ "ଆମେ ଜନତାଙ୍କ ସେବାରେ....." ; ବାଃ ! ସୁନ୍ଦର ରାଜନୀତିର ସରଣୀ  । କାହିଁକି ତମେ ଆସନ୍ତ କହିଲ ? ଯଦି ସବୁକିଛି ସୁବିଧା ହୋଇଯା'ନ୍ତା , ତେବେ ତମେ ଆସିବା ଦରକାର ପଡ଼ନ୍ତାନି । ଲୋକେ ବି ଆରାମରେ ରହନ୍ତେ । ନା , ଆମେ ଖାଇକି ଗଣ୍ଡି ବଢ଼େଇବୁ ଆଉ ଲୋକେ ମରନ୍ତୁ । ରାଜସ୍ୱ ଲୁଟିବାର ଇଏ ଏକ ନିଆରା କୌଶଳ । 

     ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ କିଣା ଏକ ହାସ୍ଯାସ୍ପଦ ଓ ଲଜ୍ଜାଜନକ ପ୍ରକ୍ରିୟା । ପାଞ୍ଚଶହ ଟଙ୍କାରେ ପାଞ୍ଚବର୍ଷ ଶୋଷଣ , ଯେମିତି କୁକୁରକୁ ପୋଡ଼ା ରୁଟି ପଟେ । ସେଇଥିପାଇଁ ତ ଆମେ ଆଜି ଲୋତକ ସ୍ରୋତରେ ଭାସମାନ । ଅଭିଯୋଗ କଲେ କହିବେ "ତମେ ଟଙ୍କା ନେଇ ଭୋଟ୍‌ ଦେଇଛ , ଆଉ କ'ଣ କହୁଛ ?" ଭୋଟ୍‌ ପାଇଗଲା ପରେ ଅଜଣା ଅଚିହ୍ନା ସମସ୍ତେ । ଏଇ ଆମ ରାଜନୀତି । ପ୍ରତିଶ୍ରୁତି ପୂରଣକୁ ଚାତକ ପରି ଜନତା ଅନେଇ ବସିଥିବା ବେଳେ ନେତା କିନ୍ତୁ ପାଶୋରି ପକାନ୍ତି ସବୁ । 

      ଏଇ ଯେମିତି ମୋ' ଅଙ୍ଗେ ନିଭା କଥା କହୁଛି ; କାହାର ନାଁ ନେଉନି , ତୀରଟା ଠିକ୍ ଜାଗାକୁ ଛୁଇଁବ । ୧୯୯୪ ମସିହାରେ ଯେତେବେଳେ ଗାଁ ଭିତରେ ପାଣି ପଶିଥିଲା , ସେତେବେଳର କଥା । କଣାସ ବ୍ଲକ୍‌ ପାଣି ଘେରରେ , ପାଣି କିଛି କିଛି ଛାଡ଼ି ଯିବା ପରେ ଗୋଟିଏ ଗୋଟିଏ ମିଛୁଆ ଗଡ଼ିଲେ ଗାଁକୁ । କାଦୁଆ ପଞ୍ଚାୟତର ଭାଟପଡ଼ା ଗାଁ କଥା କହୁଛି । ମୋରି ଦୁଆର ସାମ୍ନାରେ ଦାଣ୍ଡରେ ଆଣ୍ଠୁଏ ପାଣିରେ ବୁଲୁଥା'ନ୍ତି କିଛି ନେତା - କୁଜିନେତା । ଗାଁର କିଛି ଲୋକ ବି ଥା'ନ୍ତି ତାଙ୍କ ସହ । ଆଗକୁ ନିର୍ବାଚନ ବି ଅଛି । ପ୍ରତିଶ୍ରୁତି ଦେଇଥିଲେ ଗାଁରେ ଗୋଟେ ସ୍ବିଚ୍‌ ଗେଟ୍‌ ହେବ ଯଦି ଆଉ ପାଣି ପଶିବନି । କଥା ଦେଇଗଲେ ହେବ , କଥା ରହିଗଲା କଥାରେ ।

        ୧୯୯୪ରୁ ଏଯାଏଁ ବିତିଗଲା , ସ୍ବିଚ୍‌ ଗେଟ୍‌ ସ୍ବପ୍ନ ହୋଇ ରହିଛି । ଫନି ଗଲା , ଫାଇଲିନି ଗଲା ଆଉ ୧୯୯୯ ମହାବାତ୍ୟା ବି ଗଲା ; କାଇଁ ସେ ପ୍ରତିଶ୍ରୁତି  ? ଏବେ ୨୦୨୨ର ବନ୍ଯା ବି ଗଲା , କିଏ ତ କାଇଁ ଏଠି ଦେଖା ଗଲେନି । ଚୁଡ଼ା ୮୦୦, ଗୁଡ଼ ୨୦୦ ଆଉ ଦଶ ଟଙ୍କିଆ ବିସ୍କୁଟ୍‌ ଗୋଟେ ଧରେଇବାକୁ ଆସିଗଲେ କିଛି ଲୋକ ; ଏଇଆ ଖାଇ ସବୁ ବଞ୍ଚିଯିବେ ।

     କ'ଣ ପାଇଁ ଏ ପ୍ରହସନ ? ରାଜନୀତି ନୁହେଁ ଇଏ ହୀନ ରଣନୀତି । ସରକାରଙ୍କ ତାଗିଦ୍‌ ପୁଣି ଅଛି , ଯିଏ ତାଙ୍କ ବିରୁଦ୍ଧରେ ସ୍ବର ତୋଳିଲା ସେ ତିନି ପାଞ୍ଜିରୁ ଗଲା । ଅନ୍ୟାୟର ସ୍ବର ତୋଳିବା ବି ଏଠି ଭୁଲ୍‌ । ସରକାରୀ ଚାକିରିଆ ହୋଇଥିଲେ ତ ମଲା , କୋଉ ଉପାନ୍ତ ଅଞ୍ଚଳକୁ ବଦଳି ତ ନହେଲେ ଚାକିରୀ ଗଲା ଜାଣ । ଦୁର୍ବଳ ଉପରେ ସବଳର ଅତ୍ଯାଚାର ଜାଣ । ତାଙ୍କ ହାତରେ କ୍ଷମତା ଅଛି ତ , ସେ ଯାହା ଚାହିଁବେ କରିବେ । 

      ରାଜରାସ୍ତାରେ କେତେଦିନ ବୁଲିବ ? ନିଜେ ଆସି ଦେଖିଯାଅ ଗାଁ ଗହଳିର ଅବସ୍ଥା । ଏ ଚେଲା ଚାମୁଣ୍ଡାଙ୍କୁ ପଠେଇ ତଥ୍ଯ ସଂଗ୍ରହ ନକରି ନିଜେ ଆସ ଆଉ ଦେଖ , ଜାଣିବ ତୁମ ଶାସନ କେତେ ସ୍ବଚ୍ଛ । ରାଜ୍ଯର ସମ୍ପତ୍ତି , ଦେଶର ସମ୍ପତ୍ତିକୁ ହଡ଼ପ କରି ଜନ ଶୋଷଣ କରୁଛ କାହିଁକି ? 

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୦୪୩୯୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା