ହିନ୍ଦୁ ନାରୀର ଷୋହଳ ଶୃଙ୍ଗାର
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବିଶ୍ବାସ ଅର୍ଥ ଗ୍ରହଣ , ଅନ୍ଯର୍ଥରେ କହିଲେ ଗ୍ରହଣ କରିବା ; କୌଣସି କଥାକୁ ଗ୍ରହଣ କରିବା ହେଲା ବିଶ୍ବାସ । ସବୁ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମରେ ଥିବା କିଛି କଥାକୁ ବିଶ୍ବାସ କରନ୍ତି ଶତକଡ଼ା ୯୦ ଭଗ ହିନ୍ଦୁ ; ଏହା ନିଆରା ଏବଂ ଏଥିରେ ସର୍ବାଧିକ ବିଶ୍ୱାସ ଅଛି । ଆଜି ଆସନ୍ତୁ ଆମେ ହିନ୍ଦୁ ଧର୍ମରେ ପ୍ରଚ଼ଳିତ କିଛି ବିଶ୍ବାସ ବିଷୟରେ କଥାବାର୍ତ୍ତା ହେବା । ସବୁ ଧର୍ମର ବିଶ୍ବାସ ଓ ହିନ୍ଦୁ ଧର୍ମର ବିଶ୍ବାସ ମଧ୍ୟରେ ରୋଚ଼କତା କେବଳ ହିନ୍ଦୁ ଧର୍ମରେ । ଧର୍ମର ଦ୍ବାହି ଦେଇ ଲୁକ୍କାୟିତ ଭାବରେ ବିଜ୍ଞାନକୁ ଜାବୁଡି ଧରିଛି ତ କେଉଁଠି ନୀତିବାଣୀ ଜରିଆରେ ସମସ୍ଯାର ସମାଧାନ କରୁଛି , ଆଉ କେଉଁଠି କିଛି ଅନ୍ଧବିଶ୍ୱାସ ବି ରହିଛି । ଆସନ୍ତୁ ଜାଣିବା ଏହି ସବୁ ବିଷୟରେ ।
କୌଣସି ଘଟଣାର ସତ୍ଯାସତ୍ୟ ନଜାଣି ଅନ୍ଧ ଭାବରେ ବିଶ୍ବାସ କରିବା ହେଉଛି ଅନ୍ଧବିଶ୍ୱାସ , ଯାହା ହିନ୍ଦୁ ଧର୍ମରେ ଅତିମାତ୍ରାରେ ଦୃଶ୍ଯମାନ । ରୋଗର ନିଦାନ ଯେ ଝଡ଼ାଫୁଙ୍କା କରିବା , ଏକଥା ଏକ ଦୃଷ୍ଟିରୁ ଅନ୍ଧବିଶ୍ୱାସ । ଡ଼ାକ୍ତରଖାନା ନନେଇ ତାନ୍ତ୍ରିକ ପାଖରେ ଝଡ଼ାଫୁଙ୍କା କରିବା କେତେଦୂର ଠିକ୍ ? ହିନ୍ଦୁ ଧର୍ମରେ ଥିବା ଏଭଳି ଅନ୍ଧବିଶ୍ୱାସ ଜୀବନ ବି ନେଇପାରେ , ତଥାପି ତୁଟୁନି ଜନମାନସରୁ ଏଭଳି ପ୍ରକାର ଅନ୍ଧବିଶ୍ୱାସ । ଭୁତପ୍ରେତ ଆଦିର ବିଶ୍ବାସରେ ପଡ଼ି କିଏ ନିର୍ଯ୍ଯାତିତ ତ କିଏ ପୁଣି ଜୀବନ ହାରିବାକୁ ବସିଲାଣି । ସର୍ପ ଦଂଶିତ ବ୍ଯକ୍ତି ପ୍ରଥମେ ଡ଼ାକ୍ତରଖାନା ଯିବା ବଦଳରେ ଝଡ଼ାଫୁଙ୍କା ପାଇଁ ତାନ୍ତ୍ରିକର ଚ଼ରଣରେ ଶରଣ ଏକ ରୋଚ଼କପୂର୍ଣ୍ଣ ଅନ୍ଧବିଶ୍ୱାସ ଏବଂ ଏଥିରେ ଜୀବନ ପ୍ରତି ବିପଦ ଶତକଡ଼ା ଶହେ ଭାଗ ରହିଛି । ଏଭଳି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଜକୁ ବିପଦର ପାରାବାରରେ ବିସର୍ଜନ କରୁନି କି ? ମାନସିକ ପୂରଣାର୍ଥେ ଠାକୁରାଣୀଙ୍କ ପାଖରେ ବଳିପ୍ରଥା ଏକ ବିରାଟ ଅନ୍ଧବିଶ୍ୱାସ । ନିଜର ଜିହ୍ଵା ଲାଳସାର ପରିତୃପ୍ତ ଛଡ଼ା ଅନ୍ଯ କିଛି ନୁହେଁ । ସମସ୍ତ ଜୀବ ତାଙ୍କ ସନ୍ତାନ , ମାଆ କେବେ ସନ୍ତାନର ବଳିଭୋଜ୍ଯ ଚ଼ାହେଁନା। ତେବେ ସେଠି ବଳି ଦେଇ କିପରି ମାନସିକ ପୂରଣ କରିହେବ ? ଏଭଳି ଅନ୍ଧବିଶ୍ୱାସ କେବଳ ଏ ସୃଷ୍ଟିରୁ ପ୍ରାଣୀ ଜଗତର ବିଲୋପ ହିଁ ହୋଇପାରେ ।
ଇଏ ଗଲା ଅନ୍ଧବିଶ୍ୱାସ , ଆଉ କିଛି ବିଶ୍ବାସ ବିଷୟରେ ଜାଣିବା ଏବେ । ହିନ୍ଦୁ ଧର୍ମର ବିଶ୍ବାସନୁସାରେ ସିନ୍ଦୂର ବିବାହିତା ମହିଳାଙ୍କର ସୁହାଗର ପ୍ରତୀକ । ବିବାହ ପରେ ସମସ୍ତ ହିନ୍ଦୁ ନାରୀ ସିନ୍ଦୂର ପିନ୍ଧିବା ସଙ୍କଳ୍ପ ସିଦ୍ଧ ହୋଇଥାଏ । କିନ୍ତୁ ପରବର୍ତ୍ତୀ କାଳରେ ଅନେକ ଲୋକ ଏହାକୁ ରୁଢ଼ିବାଦ କହି ସିନ୍ଦୂର ପିନ୍ଧନ୍ତିନି । ଏଥିରେ ଧାର୍ମିକ ଓ ବୈଜ୍ଞାନିକ ଉଭୟ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ଅନୁସାରେ ଯେଉଁ ବିବାହିତା ମହିଳା ସିନ୍ଦୂର ପିନ୍ଧନ୍ତି ନାହିଁ , ତାଙ୍କ ସ୍ବାମୀମାନେ ଧନ ତଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯାକୁ ସମ୍ମୁଖୀନ ହୁଅନ୍ତି । ହିନ୍ଦୁ ଧର୍ମାନୁସାରେ ବିବାହିତା ମହିଳା ନିଜ ଟଙ୍କାରେ ସିନ୍ଦୂର କିଣି ଲଗାଇବା ଉଚିତ ଓ ଅନ୍ଯ ମହିଳାଙ୍କର ସିନ୍ଦୂର ପିନ୍ଧିବା ଅନୁଚିତ ; ବିଶ୍ବାସ ରହିଛି ଅନ୍ଯ ମହିଳାଙ୍କ ସିନ୍ଦୂର ପିନ୍ଧିବା ଶୁଭ ନୁହେଁ । ବିବାହିତା ମହିଳାଙ୍କୁ ଉପହାରରେ ପ୍ରାପ୍ତ ହୋଇଥିବା ସିନ୍ଦୂର ଉପଯୋଗ କରିବା ଅନୁଚ଼ିତ ; ଶାସ୍ତ୍ର କହେ ଏହା ଅଶୁଭ । ଶାସ୍ତ୍ରର ଦୃଷ୍ଟିରେ ସିନ୍ଦୂର ପ୍ରାୟତଃ ପାରଦ କିମ୍ବା ସୀସାର ରସାୟନର ପଦାର୍ଥରେ ପ୍ରସ୍ତୁତ ; ଏହାର ପ୍ରୟୋଗରେ ସାବଧାନତା ରଖା ଯାଇଥାଏ ଏବଂ ଏହାକୁ ପିରା ମାନଙ୍କ ଠାରୁ ଦୂରେଇ ରଖାଯାଏ । ହିନ୍ଦୁଧର୍ମର ପରମ୍ପରା କହେ ସଧବା ନାରୀ ମାନଙ୍କୁ ଷୋହଳ ଶୃଙ୍ଗାର କରିବାକୁ ପଡ଼ିଥାଏ , ଏହି ଷୋହଳ ଶୃଙ୍ଗାର ମଧ୍ୟରୁ ଏହି ସିନ୍ଦୂର ଧାରଣ ମୁଖ୍ୟ ଶୃଙ୍ଗାର ଅଟେ । ସିନ୍ଦୂର ଧାରଣ କଲେ ସ୍ବାମୀ ଦୀର୍ଘାୟୁ ହୁଅନ୍ତି ବୋଲି ହିନ୍ଦୁ ଧର୍ମର ବିଶ୍ବାସ । ରାମାୟଣରେ ବି ମାତା ସୀତା ପ୍ରତ୍ଯହ ସିନ୍ଦୂର ଧାରଣ କରୁଥିବାର ଉଲ୍ଲେଖ ଅଛି । ଏହା ଖାଲି ହିନ୍ଦୁଧର୍ମ ନୁହେଁ , ବୌଦ୍ଧ , ଜୈନ ଏବଂ କିଛି ଅନ୍ଯ ସମ୍ପ୍ରଦାୟର ବିବାହିତା ମହିଳା ବି ବିଶ୍ବାସ ରଖି ସିନ୍ଦୂର ପିନ୍ଧନ୍ତି । ଏହି ସିନ୍ଦୂରର ପ୍ରଚ଼ଳନ ୫୦୦୦ ବର୍ଷ ତଳୁ ଚ଼ାଲି ଆସିଛି । କମିଲା ନାମକ ବୃକ୍ଷର ଏକ ଚ଼େର , ମୂଳ , ଛାଲି ଓ ଫଳରୁ ଏହା ପ୍ରସ୍ତୁତ ହୁଏ । ଏହି ପଦ୍ଧତି ହିନ୍ଦୁଧର୍ମର ଚ଼ିରାଚ଼ରିତ ପରମ୍ପରାର ନିଦର୍ଶନ ।
ବିଜ୍ଞାନ କହେ ସିନ୍ଦୂର ଲଗାଇବା ଦ୍ବାରା ରକ୍ତଚ଼ାପ ନିୟନ୍ତ୍ରିତ ହୋଇଥାଏ । ସିନ୍ଦୂର ମାଧ୍ଯମରେ ମହିଳାଙ୍କ ପିଟ୍ଯୁଇଟାରୀ ଗ୍ରନ୍ଥି ସ୍ଥିର ରହିଥାଏ । ହିନ୍ଦୁଧର୍ମର ବିଶ୍ବାସ ଯେ , ସିନ୍ଦୂର ପିନ୍ଧିଲେ ଦେବୀ ପାର୍ବତୀ ସେମାନଙ୍କୁ ଅର୍ଥାତ୍ ବିବାହିତା ମହିଳାଙ୍କୁ "ଅଖଣ୍ଡ ସୌଭାଗ୍ଯବତୀ"ର ଆଶୀର୍ବାଦ ପ୍ରଦାନ କରନ୍ତି । ବିଜ୍ଞାନ ଓ ଆଧ୍ଯାତ୍ମିକତା ଦୃଷ୍ଟିକୋଣରୁ ସିନ୍ଦୂର ସ୍ତ୍ରୀ ମାନଙ୍କୁ ଶାନ୍ତ ଓ ସୁସ୍ଥ ଚ଼ିତ୍ତ ପ୍ରଦାନ କରେ । କୁହାଯାଏ ଲକ୍ଷ୍ମୀ ପୃଥିବୀରେ ପାଞ୍ଚଟି ସ୍ଥାନରେ ନିବାସ କରନ୍ତି ; ତାଙ୍କୁ ହିନ୍ଦୁ ସମାଜରେ ମଥାରେ ସ୍ଥାନ ଦିଆଯାଇଥାଏ । ତେଣୁ ହିନ୍ଦୁ ସମାଜର ନାରୀମାନେ ମଥାରେ ସିନ୍ଦୂର , କୁଙ୍କୁମ ପିନ୍ଧନ୍ତି ; ସେଲାଗି ନାରୀମାନଙ୍କୁ ଗୃହଲକ୍ଷ୍ମୀ ବୋଲି କୁହାଯାଏ । ଶରୀର ରଚ଼ନା ଓ ବିଜ୍ଞାନ କଥା କହିଲେ ସ୍ତ୍ରୀ ସିନ୍ଦୂର ନାଉଥିବା ସ୍ଥାନଟି ବ୍ରହ୍ମରନ୍ଧ୍ର ଓ ଅହିମ ନାମ୍ନୀ ମର୍ମସ୍ଥଳର ଠିକ୍ ଉପରିସ୍ଥ ଭାଗ ; ସିନ୍ଦୂରରେ ଅତି ମାତ୍ରାରେ ଧାତୁ ଥିବା ହେତୁ ତ୍ବଚ଼ାରେ କୁଞ୍ଚନ ନଥାଏ । ବିଜ୍ଞାନ ବି ସିନ୍ଦୂର ନାଇବାକୁ ସମ୍ମତି ପ୍ରଦାନ କରିଛି । ବିଜ୍ଞାନ ମତନୁଯାୟୀ ସିନ୍ଦୂର ହଳଦୀ ଓ ପାରଦରେ ପ୍ରସ୍ତୁତ ; ପାରଦ ରକ୍ତଚ଼ାପକୁ ଆୟତ୍ତ କରେ ଓ ଯୌନ କ୍ଷମତା ବୃଦ୍ଧି କରେ । ସିନ୍ଦୂର ସର୍ବଦା ମସ୍ତିଷ୍କକୁ ଥଣ୍ଡା ରଖେ । ଯେଉଁ ଘରେ ମହିଳା ମାନେ ସିନ୍ଦୂର ଧାରଣ କରନ୍ତି ସେଠି ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ବାସ ; ଏ ସିନ୍ଦୂର ମହିଳାଙ୍କୁ କୁଶକ୍ତି ଓ ନକରାତ୍ମକ ଶକ୍ତିରୁ ସୁରକ୍ଷା ଦିଏ । ତେଣୁ ଏଠି କୁହା ଯାଇପାରେ ଯେ , ସିନ୍ଦୂର ଶାରୀରିକ ସୁସ୍ଥତାର ମହୌଷଧି ।
ଭାରତୀୟ ପରମ୍ପରାରେ ହିନ୍ଦୁ ନାରୀର ମଥାରେ ଓଢ଼ଣା ଏକ ସମ୍ମାନ ସୂଚ଼କ ଭାବରେ ଦଣ୍ଡାୟମାନ । ଓଡ଼ିଆ ନାରୀର ଶ୍ରେଷ୍ଠ ସମ୍ବଳ ତା'ର ଓଢ଼ଣା ; ପତିବ୍ରତା ଓ ସତୀ ନାରୀର ଲକ୍ଷଣ ମଥାରେ ଓଢ଼ଣା ଦେବା । ନମ୍ରତା , ଭକ୍ତି , ସ୍ନେହ , ଭଲପାଇବା ଆଦି ଓଢ଼ଣା ତଳେ ଲୁକ୍କାୟିତ ଥାଏ । ଓଢ଼ଣା ହେଉଛି ଶୃଙ୍ଖଳାର ବନ୍ଧନ ଓ ଓଡ଼ିଆଣୀର ସ୍ବାଭିମାନ । ନାରୀମାନେ ଗୃହର ଲକ୍ଷ୍ମୀ , ତେଣୁ ସେମାନେ ନାନାଳଙ୍କାର ଭୂଷିତା । ସାଗର ମନ୍ଥନରୁ ଶଙ୍ଖ , ଲକ୍ଷ୍ମୀ , ଅମୃତ , ବିଷ , ଚ଼ନ୍ଦ୍ର , ଐରାବତ ଆଦି ଅନେକ ଦ୍ରବ୍ୟ ଜନ୍ମ ନେଇଛନ୍ତି । ଜ୍ଯୋତିଷ ଶାସ୍ତ୍ର କହେ , ସୂର୍ଯ୍ଯ ଯେଭଳି ଆତ୍ମାର ପ୍ରତୀକ ସେଭଳି ଚ଼ନ୍ଦ୍ର ହେଲେ ମନର ପ୍ରତୀକ । ଶାସ୍ତ୍ର କହେ - "ଚ଼ନ୍ଦ୍ରମା ମନୋଃ ଜାତ", ଅର୍ଥ ଚ଼ନ୍ଦ୍ରଙ୍କ ଉତ୍ପତ୍ତି ମନରୁ । ଚ଼ନ୍ଦ୍ରଙ୍କ ଭଉଣୀ ଲକ୍ଷ୍ମୀ ; ଆମେ ଲକ୍ଷ୍ମୀଙ୍କୁ ମାଆ କହୁ , ସେଲାଗି ତାଙ୍କ ଭାଇ ଚ଼ନ୍ଦ୍ର ଆମର ମାମୁଁ ଅଟନ୍ତି । ସେଥିପାଇଁ କହନ୍ତି "ଜହ୍ନମାମୁଁ" ; ଓଡ଼ିଆ ଲୋକଗୀତରେ ବି ଅଛି :-
"ଆ' ଜହ୍ନମାମୁଁ ସରଗ ଶଶୀ
ମୋ' କାହ୍ନୁ ହାତରେ ପଡ଼ରେ ଖସି ।"
ଚ଼ନ୍ଦ୍ର ଓ ଲକ୍ଷ୍ମୀ ଉଭୟ ମନର ପ୍ରତୀକ ; ମନ ସ୍ବଭାବତଃ ଚ଼ଞ୍ଚଳ ହେତୁ ଲକ୍ଷ୍ମୀଙ୍କର ଅନ୍ଯ ନାମ ଚଞ୍ଚଳା । ମନ ଯଦି ଦୃଢ଼ ଇଚ୍ଛା ଓ ଦୃଢ଼ ସଙ୍କଳ୍ପର ଅଧିକାରୀ ହୋଇପାରିବ ; ତେବେ ସେ ଧନବାନ ହେବା ସହ ପରିବାରରେ ତଥା ସମାଜରେ ସୁଖ , ଶାନ୍ତି ବଜାୟ ରଖିପାରିବ । ଏହି ଦୃଷ୍ଟିରୁ ନାରୀଟିଏ ଗୃହଲକ୍ଷ୍ମୀ ପଦବାଚ଼୍ଯ । ତେଣୁ ନାରୀମାନେ ଶଙ୍ଖା ଧାରଣ କରି ନିଜର ପଦକୁ ବଜାୟ ରଖିଛନ୍ତି ।
ଷୋଳ ଶୃଙ୍ଗାରରୁ ଚୁଡ଼ି ପିନ୍ଧିବା ବି ଏକ ପ୍ରକାର ଶୃଙ୍ଗାର । ଚୁଡ଼ି ନାରୀର କେବଳ ସୌନ୍ଦର୍ଯ୍ଯ ବୃଦ୍ଧି କରେନା , ଉତ୍ତମ ସ୍ବାସ୍ଥ୍ୟ ବି ପ୍ରଦାନ କରେ ଇଏ । ହାତରେ ସ୍ବର୍ଣ୍ଣ - ରୌପ୍ୟ ଚୁଡ଼ି ପିନ୍ଧିଲେ ମହିଳା ମାନଙ୍କର ଶ୍ବାସ , ହୃଦ୍ରୋଗ ହେବାର ସମ୍ଭାବନା ବହୁତ କମ୍ ଥାଏ ଏବଂ ମାନସିକ ସନ୍ତୁଳନ ସଠିକ ରହେ । ବୈଜ୍ଞାନିକମାନେ ମତ ଦିଅନ୍ତି କାଚ଼ ଚୁଡ଼ିରୁ ହେଉଥିବା ଶବ୍ଦ ବାତାବରଣର ନକରାତ୍ମକ ଶକ୍ତିକୁ ବିନିଷ୍ଟ କରେ ଏବଂ ସକରାତ୍ମକ ଶକ୍ତି ସଞ୍ଚାର କରେ । ଚୁଡ଼ି ନାରୀ ମାନଙ୍କ ହସ୍ତରେ ଘର୍ଷଣ ହୋଇ ରକ୍ତ ସଞ୍ଚାଳନ ସୂଚ଼ାରୁରୂପେ କରିଥାଏ ଏବଂ ଥକ୍କାପଣକୁ ପରିହତ କରିଥାଏ । ଏହି ଚୁଡ଼ି ମହିଳା ମାନଙ୍କ ଶରୀରରେ ହରମୋନ ସଠିକ ସ୍ତରରେ କ୍ଷରଣ କରାଇଥାଏ । ଜ୍ଯୋତିଷ ଶାସ୍ତ୍ର କହେ ସଧବା ନାରୀ ସୁନା ବଦଳରେ ଅଧିକ କାଚ଼ ଚୁଡ଼ି ପିନ୍ଧିଲେ ସ୍ବାମୀ ଓ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଏହାର ସୁପ୍ରଭାବ ପଡ଼ିବା ସହ ସ୍ବାମୀଙ୍କର ଆୟୁ ବୃଦ୍ଧି ହୋଇଥାଏ । ସେହିପରି ବିଧବା ମହିଳାଙ୍କୁ ହାତ ଖାଲି ନକରି ସୁନା ଚୁଡ଼ି ପିନ୍ଧିବାକୁ କୁହାଯାଏ ; ଏତଦ୍ବାରା ସଂପୃକ୍ତ ମହିଳା ଓ ତାଙ୍କ ପିଲାଙ୍କୁ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମିଳେ । ଜ୍ଯୋତିଷ ଶାସ୍ତ୍ରାନୁସାରେ ସନ୍ତାନ ଜନ୍ମ ପରେ ତାକୁ ରୂପା ଚୁଡ଼ି ପିନ୍ଧାଇବା ଦ୍ବାରା ନକରାତ୍ମକ ଶକ୍ତିରୁ ତାଙ୍କୁ ସୁରକ୍ଷା ମିଳେ । ଶାସ୍ତ୍ରରେ ଅଛି ଝିଅମାନେ ହାତ ଖାଲି କରେ ବାପା ଓ ଭାଇଙ୍କର ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଖରାପ ରୁହେ । ଶାସ୍ତ୍ରରେ କୁହାଯାଇଛି ଚୁଡ଼ି ତୁଟିବା ଅଶୁଭ ; ଚୁଡ଼ି ତୁଟିଲେ ମହିଳା ତଥା ତାଙ୍କ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟହାନୀ ଘଟେ । ଆୟୁର୍ବେଦ କହେ ସୁନା ଓ ରୂପା ଚୁଡ଼ି ମହିଳା ମାନଙ୍କ ବଳବର୍ଦ୍ଧକ ; ଦୀର୍ଘାୟୁ ହୁଅନ୍ତି ଚୁଡ଼ି ଧାରଣକାରିଣୀ । ସୁନା ପିନ୍ଧିବା ଦ୍ବାରା ନିଜର ଷ୍ଟାଟସ୍ ମେଣ୍ଟେନ୍ କରିବା ସହ ନିଜକୁ ଆଲର୍ଜିରୁ ବି ରକ୍ଷା କରିଥା'ନ୍ତି ମହିଳାମାନେ ।
ଜ୍ଯୋତିଷ ଶାସ୍ତ୍ର କହେ ଚୁଡ଼ି ହେଉଛି ବୁଧ ଓ ଚ଼ନ୍ଦ୍ର ଗ୍ରହର ପ୍ରତୀକ । ବୈବାହିକ ସୁଖ ଓ ସମ୍ପର୍କର ପ୍ରତୀକ ହେଲା ଶୁକ୍ର ; ତେଣୁ ଚୁଡ଼ିକୁ ମଧ୍ୟ ଶୁକ୍ର ଗ୍ରହର ପ୍ରତୀକ ଭାବରେ ବିବେଚ଼ନା କରାଯାଇଛି । ହିନ୍ଦୁ ଧର୍ମାନୁସାରେ ଚୁଡ଼ି ମଙ୍ଗଳବାର ଓ ଶନିବାର ଦିନ କିଣିବାକୁ ବାରଣ ଅଛି ଏବଂ ଚୁଡ଼ି ପିନ୍ଧିବା ଆଗରୁ ମାଆ ଦୁର୍ଗାଙ୍କୁ ସମର୍ପଣ କରି ପିନ୍ଧିବାକୁ ଶାସ୍ତ୍ର କହେ । ପୁଣି କହେ , ନୂଆ ଚୁଡ଼ି ସକାଳେ ବା ସନ୍ଧ୍ଯାରେ ପିନ୍ଧିଲେ ଭଲ । ଅବିବାହିତା ନାରୀ ଯେକୌଣସି ରଙ୍ଗର ଚୁଡ଼ି ପିନ୍ଧି ପାରିବ , କିନ୍ତୁ ବିବାହିତା ନାରୀ କଳା ରଙ୍ଗରଚୁଡ଼ି ପିନ୍ଧିବାକୁ ମନା କରାଯାଇଛି ଶାସ୍ତ୍ରରେ ଏବଂ ଧଳା ପିନ୍ଧିଲେ ଲାଲ୍ ରଙ୍ଗର ଚୁଡ଼ି ସହିତ ମିଶାଇ ପିନ୍ଧିବାକୁ କୁହାଯାଇଛି । ସୁନା ଓ ରୂପାର ଚୁଡ଼ି ନାରୀ ସ୍ବାସ୍ଥ୍ୟ ସମସ୍ଯାର ପ୍ରତିରୋଧକ ହୋଇଥିବା ବେଳେ ଗୋଲାପୀ ଚୁଡ଼ି ପ୍ରେମ ପ୍ରାପ୍ତି ସହ ବୈବାହିକ ଜୀବନର ଶାନ୍ତି ପ୍ରଦାୟକ ଏବଂ ହଳଦିଆ ରଙ୍ଗର ଚୁଡ଼ି ସନ୍ତାନ ପ୍ରାପ୍ତିର ସହାୟକ ବୋଲି ଶାସ୍ତ୍ର ପ୍ରମାଣ । ଚୁଡ଼ି ମନରେ ପବିତ୍ରତା ଆଣେ । ସନ୍ଥ ରବି ଦାସ କହିଥିଲେ - "ମନ ଯଦି ପବିତ୍ର ଥାଏ ତେବେ ଗାଡ଼ିଆ ମଧ୍ୟ ଗଙ୍ଗା ।" ଯିଏ କର୍ମରେ ସଦା ଭଗବାନଙ୍କ ନାମ ସ୍ମରଣ କରିଥା'ନ୍ତି ତାଙ୍କଠୁ ବଡ଼ ଓ ପବିତ୍ର ଏ ବିଶ୍ବରେ ଆଉ କେହି ନାହାନ୍ତି ।
ନିଜର ସୌନ୍ଦର୍ଯ୍ଯ ବୃଦ୍ଧି ପାଇଁ ନାରୀ ନାନାଳଙ୍କାର ଭୂଷଣ ହୁଏ ; ପ୍ରାୟ ସୁନା-ରୂପାରେ ପ୍ରସ୍ତୁତ । ଖାଲି ସୌନ୍ଦର୍ଯ୍ଯ ନୁହେଁ , ସ୍ବତନ୍ତ୍ରତା ବି ରହିଛି । ବାସ୍ତୁଶାସ୍ତ୍ରରେ ପାଉଁଜି ପିନ୍ଧିବା ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଏହି ପାଉଁଜି ପିନ୍ଧିଲେ ନକରାତ୍ମକ ଶକ୍ତି ଦୂରୀଭୁତ ହୁଏ ଏବଂ ପାଉଁଜିରୁ ନିର୍ଗତ ଶବ୍ଦ ଘରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି କରେ । ଯେଉଁ ଘରେ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଭେ , ସେ ଘରେ ଦେବାଦେବୀଙ୍କ କୃପା ବର୍ଷଣ ହୁଏ ବୋଲି କୁହାଯାଏ । ପାଉଁଜି ସ୍ବାସ୍ଥ୍ୟଗତ ସମସ୍ଯାର ସୁଧାରକ ଏବଂ ଏହା ପାଦର ଅସ୍ଥି ସହ ଘଷି ହୋଇ ତାକୁ ମଜବୁତ କରେ । ପାଉଁଜି ପ୍ରାୟତଃ ରୂପାରେ ପ୍ରସ୍ତୁତ ; ସୁବର୍ଣ୍ଣ ହେଉଛି ମହାଲକ୍ଷ୍ମୀଙ୍କ ଦାନ ସ୍ବରୂପ , ତେଣୁ ପାଦରେ ପିନ୍ଧିଲେ ମହାଲକ୍ଷ୍ମୀଙ୍କୁ ବହୁ ଅପମାନ ବୋଲି କୁହାଯାଇଛି । ପାଉଁଜିକୁ ତେଣୁ ରୂପାରେ ପ୍ରସ୍ତୁତ କରାଯାଉଛି । ନିୟମିତ ନାରୀ ପାଉଁଜି ପିନ୍ଧିଲେ ଗର୍ଭାଶୟ ଜନିତ ସମସ୍ଯା ତଥା ମାସିକ ଋତୁଚକ୍ରରେ ଅନିୟମିତତା , ଗର୍ଭବତୀ ନହେବା ଆଦି ସମସ୍ଯାର ଦୂର ହୁଏ । ପାଦର ଯନ୍ତ୍ରଣା ଦୂର କରେ ପାଉଁଜି । ପାଉଁଜି ପିନ୍ଧିଲେ ଇମ୍ଯୁନିଟି ସିଷ୍ଟମ ଭଲଭାବେ କାମ କରେ ଓ ଲିମ୍ପ୍ ଗ୍ଲାଣ୍ଡ୍ ଆକ୍ଟିଭ୍ ହୋଇଥାଏ । ପାଉଁଜି ବଳାଗଣ୍ଠିର ଚ଼ାରିପଟକୁ ସ୍ପର୍ଶ କରିବାରୁ ଶରୀରରେ ହରମୋନ ସ୍ତର ନିୟନ୍ତ୍ରିତ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍ ରୂପେ ହୁଏ ।
ବିଜ୍ଞାନନୁସାରେ ମସ୍ତିଷ୍କ ସଦା ଗରମ ଓ ପାଦ ସଦା ଥଣ୍ଡା ; ଶୟୀରର ତାପମାତ୍ରାକୁ ସମତୁଲ କରିବାକୁ ପାଦରେ ରୂପା ଧାରଣ କରିବା ଉଚ଼ିତ । ସୁନା ସର୍ବଦା ଗରମ ଓ ରୂପା ଥଣ୍ଡା ; ତେଣୁ ପାଦରେ ରୂପ ପିନ୍ଧିଲେ ଶରୀରର ତାପମାତ୍ରା ଠିକ୍ ରହେ । ରୂପା ମୁଦି/ଝୁଣ୍ଟିଆ ଆଦି ପାଦରେ ପିନ୍ଧିଲେ ମାସିକ ଚ଼କ୍ର ନିୟମିତ ରହିଥାଏ । ଶାସ୍ତ୍ରୌଲ୍ଲିଖିତାନୁସାରେ ରାବଣ ଯେତେବଳେ ସୀତାଙ୍କୁ ହରଣ କରି ନିଜ ସହ ନେଇଯାଇଥିଲେ ସେ ସମୟେ ଚ଼ିହ୍ନ ରଖିବାର୍ଥେ ଏକ ସ୍ଥାନରେ ସୀତା ନିଜର ପାଦ ଝୁଣ୍ଟିଆକୁ କାଢ଼ି ଫୋପାଡ଼ି ଦେଇଥିଲେ । କାରଣ ଯେପରି ଭଗବାନ ରାମଙ୍କୁ ତାଙ୍କୁ ଖୋଜିବାରେ ସହଜ ହୋଇପାରିବ । ଏଥିରୁ ଜ୍ଞାତ ହୁଏ ଝୁଣ୍ଟିଆର ଇତିହାସ କେତେ ପୁରୁଣା ।
ଝୁଣ୍ଟିଆକୁ ଗୋଡ଼ର ତର୍ଜନୀ ଅଙ୍ଗୁଳି (ବୁଢ଼ା ଆଙ୍ଗୁଳିର ପାଖ ଆଙ୍ଗୁଳି)ରେ ପିନ୍ଧିବା ଦ୍ବାରା ଶରୀରର ଗୋଡ଼ ପଶ୍ଚାତପଟର ସ୍ନାୟୁ ଭଲରକମ କାର୍ଯ୍ଯ କରେ । ବିଜ୍ଞାନ ମତ ଅନୁସାରେ ଏ ଆଙ୍ଗୁଠିରେ ପିନ୍ଧିଲେ ଗର୍ଭାଶୟରେ ସଠିକ ରକ୍ତ ସଞ୍ଚାଳନ ହୁଏ । ଯଦ୍ଦ୍ବାରା କି ମହିଳା ମାନଙ୍କୁ ମାଆ ହେବାର କୌଣସି ସମସ୍ଯା ଉପୁଜି ନଥାଏ । ଦ୍ବିତୀୟ ଓ ତୃତୀୟ ଆଙ୍ଗୁଳିରେ ପିନ୍ଧିଲେ ମାସିକ ଧର୍ମ ଠିକ୍ ହୋଇଥାଏ । ଝୁଣ୍ଟିଆ ଶରୀରକୁ ସତେଜ ରଖେ ଓ ମାସିକ ସ୍ତରରେ ମହିଳାମାନେ ମଜବୁତ ଅନୁଭବ କରନ୍ତି । ହିନ୍ଦୁଧର୍ମର ବିଶ୍ବାସନୁସାରେ ଝୁଣ୍ଟିଆ ଯଦି ଆଙ୍ଗୁଠିରେ ଢ଼ିଲା ରହେ କିମ୍ବା ନିଜର ଝୁଣ୍ଟିଆ ଅନ୍ଯ କାହାକୁ ବ୍ଯବହାର କରିବାକୁ ଦିଆଗଲେ ସ୍ବାମୀର ସ୍ବାସ୍ଥ୍ଯାବସ୍ଥା ଖରାପ ହୁଏ । ଏଭଳି ଏକ ବିଶ୍ବାସ ବାସ୍ତବ କି ଅବାସ୍ତବ , ବିଜ୍ଞାନ ପ୍ରତିପାଦନ କରିନାହିଁ। ଶାସ୍ତ୍ରାନୁସାରେ ଝୁଣ୍ଟିଆ ଓ ପାଉଁଜି ପିନ୍ଧିଲେ ସର୍ବଦା ଘୁଙ୍ଗୁରବାଲା ପିନ୍ଧିବା ଦରକାର ; ଏହାର ଶବ୍ଦରେ ମାତା ଲକ୍ଷ୍ମୀ ପ୍ରୀତ ହୁଅନ୍ତି ।
ଷୋହଳ ଶୃଙ୍ଗାର କହିଲେ ବିନ୍ଦି , କଜ୍ଜଳ , ମେହେନ୍ଦି , ଲାଲ୍ ରଙ୍ଗର ବସ୍ତ୍ର , ଗଜରା, ମଥା ସିନ୍ଥି (ମଥାମଣି), ନାକର , କାନଫୁଲ , ବ୍ରତ , ଚୁଡ଼ି , ମୁଦି , ଅଣ୍ଟାବିଛା , ମଙ୍ଗଳସୂତ୍ର , ଝୁଣ୍ଟିଆ , ପାଉଁଜି ଏହି ସବୁ ଦ୍ରବ୍ଯକୁ ବୁଝାଏ । ଶାସ୍ତ୍ର କହେ ଆଖିରେ କଜ୍ଜଳ ଲଗାଇଲେ ଖାଲି ସୌନ୍ଦର୍ଯ୍ଯ ବୃଦ୍ଧି ହୁଏନି, ବରଂ କୁଦୃଷ୍ଟିରୁ ରକ୍ଷା ମିଳେ । ସେଲାଗି ଛୋଟ ଛୁଆଙ୍କୁ ବି କଜ୍ଜଳ ଟିପା ଲଗା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ରାନୁସାରେ ଅମାବାସ୍ଯା ତିଥିରେ ଅନାମିକା ଅଙ୍ଗୁଷ୍ଠିରେ କଜ୍ଜଳ ନେଇ ଆଖିରେ ଲଗାନ୍ତୁ ଓ ସେହି ହାତକୁ ମଥାରେ ପୋଛି ଦିଅନ୍ତୁ ; ଏପରି କଲେ ଜାତକ ଗଣନାନୁସାରେ କାଳସର୍ପ ଯୋଗ ଥିଲେ ତାହା ଖଣ୍ଡନ ହେବ । ଏହା ଏକ ଧର୍ମୀୟ ବିଶ୍ୱାସ । କିନ୍ତୁ ସାବଧାନ , କଜ୍ଜଳ ଓ ଲିପ୍ଷ୍ଟିକ୍ରେ ମୁଖ୍ୟତଃ ଚ଼ାରିଟି ରାସାୟନିକ ଦ୍ରବ୍ଯ ବ୍ଯବହୃତ ହୁଏ ଯାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ । କଜ୍ଜଳରେ ସର୍ବାଧିକ ବ୍ଯବହୃତ ହୋଇଥାଏ ବେଞ୍ଜକ୍ଳନିୟମ କ୍ଳୋରାଇଡ୍ ଯାହା ଆଖିର ରେଟିନା ଉପରେ କୁପ୍ରଭାବ ପକାଏ । ଆଖିରେ ଥିବା ଏପିଥୋଲିଆଲ କୋଷ (ଯାହା ଆଖିରେ ଥିବା କର୍ଣ୍ଣିକାକୁ ଧୂଳି ଓ ବ୍ଯାକ୍ଟେରିଆରୁ ସୁରକ୍ଷା କରେ) ଉପରେ ଏହି ରାସାୟନିକଟି ପ୍ରଭାବ ପକାଏ । ଆମ ତ୍ବଚ଼ାରେ ଯାହା ବି କ୍ରିମ୍ ଲଗାଉ ସେଥିରୁ ୬୦ ପ୍ରତିଶତ ଚ଼ର୍ମ ଶୋଷଣ କରିନିଏ ; ଫଳତଃ କେମିକାଲ ଗୁଡ଼ିକ ରକ୍ତକଣିକା ଯାଏଁ ପହଞ୍ଚିଯାଏ । ସାମ୍ପୁ ଆଉ ଟୁଥ୍ପେଷ୍ଟ୍ ଓ ମୁହଁରେ ଲଗାଉଥିବା କ୍ରିମ୍ରେ ସୋଡ଼ିମ୍ ଲରେଥ ସଲଫେଟର ବ୍ଯବହୃତ ହୁଏ ; ଏହାର ବହୁଳ ବ୍ଯବହାରରେ ଜଳାପୋଡ଼ା ହୁଏ । ଘର ନିର୍ମାଣ ଓ କୀଟନାଶକରେ ବ୍ଯବହାର ହେଉଥିବା ଥଲେଟ୍ କେମିକାଲ୍ ପ୍ରସାଧନ ସାମଗ୍ରୀରେ ପ୍ରଚୁର ବ୍ଯବହାର ହେଉଥିବାର ନଜରକୁ ଆସିଛି ; ଏହାକୁ ନେଲପଲିସ୍ ଓ ହେୟାର ସ୍ପ୍ରେରେ ବ୍ଯବହାର କରିବା ଦ୍ୱାରା ନେଲପଲିସ୍ ଶିଘ୍ର ଶୁଖି ନଥାଏ । ଏହା ଦ୍ୱାରା ଟାଇପ୍-୨ ଡ଼ାଇବେଟିସ୍ ଓ ଶ୍ବାସର ଆଶଙ୍କା ଥାଏ । ସିଧାସଳଖ ଲିପ୍ଷ୍ଟିକ୍ରେ ସୀସା ବ୍ଯବହୃତ ହୁଏନା ; ନାଲି , କମଳା ଓ ମାଟିଆ ରଙ୍ଗର ଲିପ୍ଷ୍ଟିକ୍ ପାଇଁ ସିନ୍ଥେଟିକ୍ ଆଇରନ୍ ଅକ୍ସାଇଡ୍ ବ୍ଯବହୃତ ହୁଏ । ଏହି କେମିକାଲ୍ ଦ୍ବାରା ସୀସା ବ୍ଯବହାର କରୁଥିବା ସାମଗ୍ରୀରେ ସ୍ବତଃ ଆସିଯାଇଥାଏ । ପ୍ରତ୍ଯହ ଲିପ୍ଷ୍ଟିକ୍ ବ୍ଯବହାରରେ ଆମ ଶରୀରକୁ ସୀସା ପହଞ୍ଚି ଯାଇଥାଏ ।
ବିବାହ ପରେ ପ୍ରତ୍ଯେକ ମହିଳା ବ୍ରତ ପିନ୍ଧିଥା'ନ୍ତି ବାହୁରେ ; ଧର୍ମ ବିଶ୍ବାସନୁସାରେ ବ୍ରତ ପିନ୍ଧିଲେ ଗୃହରେ ଧନବୃଦ୍ଧି ଘଟେ । ସେହିପରି ମହିଳା ମାନଙ୍କର ଆଉ ଏକ ଆଭୂଷଣ ଅଣ୍ଟାବିଛା ଯାହା ନାରୀର ସୌକ ଅଟେ ; ବିଜ୍ଞାନନୁସାରେ ଏହା ପିନ୍ଧିଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ସେହିପରି ନାକ ଫୋଡ଼ି ନାକର ବି ଲଗାନ୍ତି । ଏହା ବି ଏକ ଆଭୂଷଣ । ସୁହାଗର ଚ଼ିହ୍ନ ମଙ୍ଗଳସୂତ୍ର ; ଏହା ସବୁଠୁ ପ୍ରଭାବଶାଳୀ । ଜଣେ ବିବାହିତା ନାରୀ ପାଇଁ ମଙ୍ଗଳସୂତ୍ରର ମହତ୍ତ୍ବ ଅଧିକ । ପୁରାଣରେ ବି ଏହି ମଙ୍ଗଳସୂତ୍ର ବିଷୟରେ କୁହାଯାଇଛି । କଳା ମାଳି ଓ ସୁନାର ସଂଯୋଗରେ ମଙ୍ଗଳସୂତ୍ରର ପ୍ରସ୍ତୁତ ହୋଇଥାଏ । ବିବାହର ପ୍ୟତୀକ ଏହି ମଙ୍ଗଳସୂତ୍ର ହୋଇଥାଏ । ଧର୍ମୀୟ ବିଶ୍ୱାସ ଅନୁସାରେ ମଙ୍ଗଳସୂତ୍ରରେ ବ୍ଯବହୃତ କଳା ମାଳି ହେଉଛି ଶନିଦେବଙ୍କ ପ୍ରତୀକ ଓ ସୁନା ହେଉଛି ଗୁରୁଙ୍କ ପ୍ୟତୀକ । ଏ ଦୁଇଜଣଙ୍କ କୃପାରୁ ମହିଳା ଉପରେ ଖରାପ ନଜର କି ଅଶୁଭ ଶକ୍ତିର ପ୍ରହାର ବସେ ନାହିଁ । ମହିଳା ମାନଙ୍କର ମଙ୍ଗଳସୂତ୍ର ହିଁ ରକ୍ଷା କବଚ଼ । ପୂର୍ବ କାଳରେ ନାକରେ ଏକାଧିକ ଛିଦ୍ର କରି ନାରୀମାନେ ନାକର ପିନ୍ଧୁଥିଲେ ; ଏହି ପ୍ରଥା ବହୁ ପ୍ରାଚ଼ୀନ କାଳରୁ ପ୍ରଚ଼ଳିତ । ସେତେବଳଠୁ ଏହାକୁ ନାରୀଙ୍କର ସୌଭାଗ୍ୟର ପ୍ରତୀକ ଭାବେ ଧରାଯାଏ ।
ନାକ ଫୋଡ଼ିବା ଭାରତୀୟ ସଂସ୍କୃତି ଓ ପରମ୍ପରା ହିସାବରେ ବହୁତ ଜରୁରୀ । ଏହା ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଶରୀର ପାଇଁ ବି ଲାଭଦାୟକ । ଏହି ନାକ ଫୋଡ଼ାଇବା ପ୍ରଥା ଷୋହଳ ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଛି । ନାକ ଫୋଡ଼ିବାର ସମୟସୀମା ନଥାଏ , ଯେତେବଳେ ଚ଼ାହିଁବେ ଫୋଡ଼ି ପାରିବେ । ଶାସ୍ତ୍ର ମତରେ , ନାକ ଫୋଡ଼ାଇଲେ ମାସିକ ଧର୍ମର କଷ୍ଟରୁ ମହିଳାମାନେ ମୁକ୍ତି ପାଇଥା'ନ୍ତି ଓ ପ୍ରସବ ସମୟରେ ଶିଶୁ ଜନ୍ମ ଦେବା ସହଜ ହୋଇଥାଏ । ଏହା ଦ୍ୱାରା ମଧ୍ୟ ମାଇଗ୍ରେନ ସମସ୍ଯାରୁ ମୁକ୍ତି ମିଳେ । ନାକ ଫୋଡ଼ାଇଲେ ଶରୀରରେ ବିଶେଷ ଚ଼ାପ ପ୍ରଭାବିତ ହୋଇ ଏକ ଖାସ୍ ଚ଼ାପ ପକାଏ ଯାହା ହରମୋନ ତିଆରି କରେ ; ଏହା ସମସ୍ତ ଯନ୍ତ୍ରଣାକୁ ଉପଶମ କରେ । ନାକ ଫୋଡ଼ାଇବା ଦ୍ବାରା ଶ୍ବାସ ସମ୍ବନ୍ଧୀୟ ରୋଗ , ଥଣ୍ଡା କାଶରୁ ରକ୍ଷା ମିଳେ ଏବଂ ସୁନା ଓ ରୂପାର କାନଫୁଲର ସମସ୍ତ ଗୁଣ ଶରୀରରେ ସକରାତ୍ମକ ପ୍ରଭାବ ପକାଏ । ମଥାର ମଝିରେ ସିନ୍ଥି ଲଗାଇବା ଦ୍ବାରା ଜୀବନରେ ସୁଖ-ଶାନ୍ତି ବଜାୟ ରହେ । ଶାସ୍ତ୍ରରେ ଅଛି ଯେଉଁ ସ୍ତ୍ରୀ ମଥାର ଉପରିସ୍ଥ ଭାଗରେ (କପାଳ ଉପର ଭାଗରେ) ଲମ୍ବା ଆକାରରେ ସିନ୍ଦୂର ପିନ୍ଧନ୍ତି , ସେହି ମହିଳାଙ୍କ ସ୍ବାମୀ ମାନଙ୍କୁ ମାନ ସମ୍ମାନ ସହ ସମସ୍ତ ପ୍ରକାର ସଫଳତା ମିଳେ । ତେଢ଼ାମେଢ଼ା କରି ସିନ୍ଦୂର ନାଇଲେ ସ୍ବାମୀମାନେ ପ୍ରତ୍ଯେକ କାର୍ଯ୍ଯରେ ଅସଫଳ ଓ ଅପନିନ୍ଦା ପ୍ରାପ୍ତ କରନ୍ତି । ଶାସ୍ତ୍ର ବିଶ୍ବାସନୁସାରେ ସ୍ବପ୍ନରେ ସିନ୍ଦୂର ଦେଖିବା ଅତ୍ଯନ୍ତ ଶୁଭପ୍ରଦ ଅଟେ ।
କାନଫୁଲ ଖାଲି ସୌନ୍ଦର୍ଯ୍ଯ ବୃଦ୍ଧି କରେନି , ଶରୀର ଉପରେ ଅନେକ ସକରାତ୍ମକ ପ୍ରଭାବ ପକାଏ । କାନଫୁଲ ପରିଧାନ ଦୂର କରେ ପ୍ରଜନନ ଏବଂ ମାସିକ ଋତୁସ୍ରାବ ସମସ୍ଯା ; ଏକଥା ଆୟୁର୍ବେଦରେ କୁହାଯାଇଛି । ଏହା ଧୀଶକ୍ତି ବୃଦ୍ଧି ଏବଂ ଆଖି , ଗଳା ଆଉ ନାସାକୁ ପ୍ରଭାବିତ କରେ । ଆକ୍ଯୁପ୍ରେସର୍ ଅନୁସାରେ କର୍ଣ୍ଣବେଧ କରାଯାଉଥିବା ସ୍ଥାନର ଅଧ ଇଞ୍ଚ ଉପରକୁ ଆକ୍ଯୁପ୍ରେସର୍ ପଏଣ୍ଟ୍ ରହିଛି , ଯାହାକି ଆଖି , ନାକ , ଗଳା ଓ ମେରୁଦଣ୍ଡ ସହ ସମ୍ପୃକ୍ତ । କର୍ଣ୍ଣିବେଧ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୁଏ ବୋଲି କୁହାଯାଏ । ସୁନା କାନଫୁଲ ଶରୀରରେ ଶକ୍ତି ସଞ୍ଚାର କରାଇବା ବେଳେ ରୂପା କାନଫୁଲ ମନରେ ସଞ୍ଜମତା ଆଣେ । ଜ୍ଯୋତିଷ ଶାସ୍ତ୍ର କହେ କାନଫୁଲରେ ମାଣିକ ବ୍ଯବହାର କଲେ ମାସିକ ଚ଼କ୍ର ସମସ୍ଯା ଦୂର ହୁଏ ଓ ପାନ୍ନାର ବ୍ଯବହାର କଲେ ଗର୍ଭପାତରୁ ସୁରକ୍ଷା ଦିଏ । ସେହିପରି ଲାଲ୍ ରଙ୍ଗର ପୋଷାକ ନାରୀ ମାନଙ୍କର ଏକ ବିଶେଷ ଶୃଙ୍ଗାର । ଏହା ଇଚ୍ଛାଶକ୍ତି ଓ ଆଭ୍ଯନ୍ତରୀଣ ସାହସୀକତାକୁ ଦର୍ଶାଏ । ଲାଲ୍ ରଙ୍ଗ ଦେଖି ପୁରୁଷ ମାନଙ୍କର ହରମୋନରେ ପରିବର୍ତ୍ତନ ଆସି ତାଙ୍କ ମୁଡ୍ ବଦଳିଯାଏ , ଫଳତଃ କ୍ରୋଧ ବି ଶାନ୍ତ ପଡ଼ିଯାଏ । ତେଣୁ ଲାଲ୍ ରଙ୍ଗକୁ ଶୃଙ୍ଗାରର ମୁଖ୍ୟାଂଶ ବୋଲି କହନ୍ତି ।
ହିନ୍ଦୁ ଧର୍ମର ବିଶ୍ବାସନୁସାରେ ମହିଳାମାନେ ହାତର ବାହୁରେ ଆର୍ମଲେଟ୍ ପରିଧାନ କଲେ ପରିବାର ସଦସ୍ଯଙ୍କ ସ୍ବାସ୍ଥ୍ଯ ସୁସ୍ଥ ରହେ । ଗଜରା ହେଉଛି ପ୍ୟେମର ପ୍ରତୀକ , ଆକର୍ଷଣର କେନ୍ଦ୍ରବିନ୍ଦୁ । ତେଣୁ ଗଜରା ଲଗାଇଲେ ସମସ୍ତଙ୍କ ସହିତ ସୁସମ୍ପର୍କ ରହିବ ଏବଂ ସ୍ତ୍ରୀ ମାନେ ଗଜରା ନାଇଲେ ସ୍ବାମୀମାନେ ବେଶ୍ ଆକର୍ଷିତ ହେବା ସହ ଦାମ୍ପତ୍ଯ ଜୀବନ ସୁଖପ୍ରଦ ହୁଏ ବୋଲି ବିଶ୍ବାସ । ହାତରେ ମେହେନ୍ଦି ଲଗାଇବା ବି ଏକ ଶୃଙ୍ଗାର ଅନ୍ତର୍ଭୁକ୍ତ । ଏହା ବଶୀକରଣ ପରି କାର୍ଯ୍ଯ କରିବା ସହ ଉଚ୍ଚରକ୍ତଚ଼ାପ ତଥା କିଛି ଚ଼ର୍ମଗତ ରୋଗ ବିନାଶ କରେ । ସବୁଜ ରଙ୍ଗ ବିଭିନ୍ନ ରୋଗକୁ ଶରୀର ଠାରୁ ଦୂରେଇ ରଖୁଥିବାରୁ ମେହେନ୍ଦି ଲଗାଇବା ଲାଭପ୍ରଦ ବୋଲି ବିଜ୍ଞାନର ମତ । ପୁଣି ମେହେନ୍ଦିର ବାସ୍ନା ଓ ଥଣ୍ଡାପଣ ମାନସିକ ଉତ୍ତେଜନାର ହ୍ରାସକ ଏବଂ ଶରୀରର ଉଷ୍ମତାର ହ୍ରାସକ ବୋଲି ବୈଜ୍ଞାନିକ ମାନଙ୍କର ମତ । ଧର୍ମୀୟ ଭାବନା ଅନୁସାରେ ମେହେନ୍ଦି ଲଗାଇଲେ ନାରୀମାନେ ସୌଭାଗ୍ଯବତୀ ହୁଅନ୍ତି ।
ହାତରେ ମୁଦି ପିନ୍ଧିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼େନାହିଁ ଓ ରକ୍ତ ସଞ୍ଚାଳନ ଠିକ୍ ହୁଏ । କୁଙ୍କୁମ ହେଉଛି ପ୍ରେମ , ଉତ୍ସାହର ପ୍ରତୀକ ଏବଂ ଏହାଦ୍ୱାରା ପ୍ରସନ୍ନତା ପ୍ରାପ୍ତ ହୁଏ । ଧର୍ମଗ୍ରନ୍ଥ ଏହାକୁ ଦିବ୍ଯତାର ପ୍ରତୀକ ବୋଲି ମାନି ନେଇଛି । କୁଙ୍କୁମ ମନକୁ ଶାନ୍ତ ରଖିବା ସହ ସ୍ତ୍ରୀ ମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରିଥାଏ । ଷୋଳ ଶୃଙ୍ଗାର ଭିତରେ ଏକ ଶାଖା ଶୃଙ୍ଗାର ହେଉଛି ଅଳତା । ଅଳତାର ଉତ୍ପତ୍ତି ସମ୍ବନ୍ଧରେ କୌଣସି ତଥ୍ୟ ନଥିଲେ ବି ହିନ୍ଦୁ ଉପନିଷଦ ମାନଙ୍କରେ ଏହା ବିଷୟରେ ଅଛି ; ଭାରତୀୟ ବିବାହ ପରମ୍ପରାର ଅଭିନ୍ନ ଅଙ୍ଗ ଅଳତା । ଶ୍ରୀକୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇ ଦେଉଥିବାର କଥା ପୁରାଣରେ ଅଛି । ପାରମ୍ପରିକ ଭାବେ ପାନପତ୍ରରୁ ପ୍ରସ୍ତୁତ କରାଯାଏ ଅଳତା ; ବର୍ତ୍ତମାନ ସିନ୍ଦୂର ଓ କୁଙ୍କୁମର ମିଶ୍ରଣରେ କୁତ୍ରିମ ଅଳତା ପ୍ରସ୍ତୁତ ଚ଼ାଲିଛି । ଆଉ କିଛି ଲାଖ ଓ ଅନ୍ଯାନ୍ଯ ରାସାୟନିକ ପଦାର୍ଥରେ ତିଆରି । ଅଳତା ପ୍ୟଜନନ ଶକ୍ତି ଓ ସମୃଦ୍ଧି ସୂଚ଼କ : ଏହା ସୌନ୍ଦର୍ଯ୍ଯ ବୃଦ୍ଧି କରିବା ସହ ଶୀତଳତା ପ୍ରଦାନ କରେ । ଗୋଡ଼ ଫାଟିଥିଲେ ଅଳତା ଲଗାଇବା ଦ୍ବାରା କିଛିଦିନ ପରେ ଗୋଡ଼ଫଟା ଭଲ ହୋଇଯିବାର ନଜିର ରହିଛି । ବିଜ୍ଞାନ କହେ , ଅଳତା ଲଗାଇଲେ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳେ ଏବଂ ପାଦରେ ସୃଷ୍ଟି ହେଉଥିବା ବ୍ଯାକ୍ଟେରିଆ ବିନାଶ ହୁଅନ୍ତି । ହିନ୍ଦୁ ବିଶ୍ବାସ ଅନୁସାରେ ପାଦରେ ଅଳତା ଥିଲେ ମହାଲକ୍ଷ୍ମୀ ପ୍ରସନ୍ନ ।
ସେ ଯାହା ବି ହେଉ ନାରୀର ଏ ଷୋଳ ଶୃଙ୍ଗାର ବେଦଶାସ୍ତ୍ର ସମ୍ମତ ଓ ବିଜ୍ଞାନ ସ୍ବୀକୄତ । ଏଥିରେ ଅନ୍ଧବିଶ୍ୱାସ ଲୁକ୍କାୟିତ ଥିଲେ ମଧ୍ୟ କିଛି ଉପକାର ଓ ରୋଗର ଉପଚ଼ାର ଥାଏ ; ତେଣୁ ଏହାକୁ ପ୍ରତ୍ଯେକ ନାରୀ ସୂଚ଼ାରୁରୂପେ ପାଳନ କରିବା ଉଚି଼ତ । ବିଶ୍ୱାସରେ ଯଦି ବିଶ୍ବର ବା ନିଜର ମଙ୍ଗଳ ସାଧନ ହୋଇପାରେ , ତେବେ ସେହି ବିଶ୍ୱାସ ପୂଜନୀୟ ଓ ସଦାସର୍ବଦା ଗ୍ରହଣୀୟ ହେବା ଉଚିତ । ଏହି ଷୋହଳ ଶୃଙ୍ଗାର ନାରୀର ମହନୀୟତା ପ୍ରତିପାଦନ କରୁଛି । ପ୍ରମାଣିତ ହୋଇଯାଉଛି ଯେ , ନାରୀ ସର୍ବମଙ୍ଗଳକାରିଣୀ ଓ ଚ଼ିର ବନ୍ଦନୀୟା ।
****************************** ******
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ସମ୍ପର୍କ- ୮୯୧୭୪୮୦୫୩୬
****************************** ******
- Get link
- X
- Other Apps
Comments
Post a Comment