"ଭାଦ୍ର"ର ରୁଦ୍ଧିମନ୍ତୀ ପର୍ବ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


     ଭାଦ୍ରପଦ ଯୁକ୍ତ ପୂର୍ଣ୍ଣିମା ପାତିତ ଚାନ୍ଦ୍ରମାସ ଭାଦ୍ରବ । ଏହା ଶରତର ଆଦ୍ଯାଗମନର ମାସ ଏବଂ ଉତ୍ସବମୁଖରର ମାସ ଅଟେ । ରେଖା ପଞ୍ଚମୀ , ଜନ୍ମାଷ୍ଟମୀ , ବୁଧିବାମନ ଓଷା , ସପ୍ତପୁରୀ ଅମାସ୍ଯା , ବାଲିତୃତୀୟା ବ୍ରତ , ଗଣେଶ ଚତୁର୍ଥୀ  , ଋଷି ପଞ୍ଚମୀ  , ଷଷ୍ଠୀଓଷା , ସୋମନାଥ ବ୍ରତ , କୁକ୍କୁଟୀ ବ୍ରତ , ରାଧାଷ୍ଟମୀ , ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ , ଶ୍ରୀ ବାମନ ଜନ୍ମ , ସୁନିଆ , ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ , ଇନ୍ଦ୍ରଧ୍ବଜ ପୂଜା , ଅନନ୍ତ ଚତୁର୍ଦ୍ଦଶୀ , ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସହିତ ପ୍ରତି ରବିବାର ଖୁଦରଙ୍କୁଣୀ ଓଷା ପାଳିତ ହୁଏ ଭାଦ୍ରବରେ । ଏ ମାସର ପ୍ରଭୁ ହେଲେ ହୃଷିକେଶ । ବ୍ଯାଖ୍ଯାନୁସାରେ ହୃଷିକ ଯିଏ ଅର୍ଥାତ ଯେ' ଇନ୍ଦ୍ରିୟେଶ୍ବର (ଇନ୍ଦ୍ରିୟ ମାନଙ୍କ ଈଶ୍ବର), ସେ ହିଁ ହୃଷିକେଶ । ସର୍ବେନ୍ଦ୍ରିୟ ତାଙ୍କର ହିଁ ବଶୀଭୂତ । ଭାଗବତାନୁସାରେ :- 
               "ହୃଷିକ ମାନଙ୍କ ଈଶ୍ବର ।
              ଶ୍ଯାମ ସୁନ୍ଦର କଳେବର ।।"
ଲୋକନାଥ ବିଦ୍ଯାଧର ତାଙ୍କ "ନିଳାଦ୍ରି ମହୋତ୍ସବ"ରେ ସୁନ୍ଦର ବର୍ଣ୍ଣନା କରି କହିଛନ୍ତି ଯେ - "ଶ୍ରୀକୃଷ୍ଣଙ୍କ ନାମ ଶ୍ରବଣ ପରେ ଯେସନେକ "ତମ" ବା "ଅଜ୍ଞାନତା" ଅପସରି ଯାଏ , ତେସନେକ ଏ ମାସାଗମନେ ବର୍ଷା ଉଭେଇ ଯାଏ ଏବଂ ବେଙ୍ଗ ରାବ ଆଉ ଶୁଭେନି ।"

       ଧର୍ମସିନ୍ଧୁ ସହିତ ଅନ୍ଯ କିଛି ଗ୍ରନ୍ଥରେ ଏ ମାସକୁ ବେସ୍‌ ଗୁରୁତ୍ବ ଦିଆଯାଇଛି । ଏ ମାସରୁ ପାର୍ବଣ ଋତୁର ପ୍ରାରମ୍ଭ । ଏ ମାସରେ ସ୍ନେହ-ଶ୍ରଦ୍ଧା ଓ ଭଲପାଇବାର ପର୍ବ ରାକ୍ଷୀ ପୂର୍ଣ୍ଣିମା ଏ ମାସକୁ ଋଦ୍ଧିମନ୍ତ କରିପାରିଛି । ଏ ମାସ ଚତୁର୍ମାସ୍ୟା ମାସର ଗୋଟିଏ ହେତୁ କିଛି ସତର୍କତାର ଆବଶ୍ୟକତା ଅଛି , ଯାହାକୁ ନମାନିଲେ ପାରିବାରିକ ସମସ୍ୟା , ଅର୍ଥହାନି ଆଦି ଅଘଟଣର ସମ୍ଭାବନାଧିକ । ଧର୍ମ ମାସ ହେତୁ ମିଥ୍ଯା କଥନ ମହାପାତକ ଏବଂ ଏ ମାସରେ ମାଂସ , ମଧୁ , କନ୍ଦ , ସବୁଜ ପରିବା , ମୂଳା , ବାଇଗଣ ଆଦି ଭକ୍ଷଣ ଅନୁଚିତ ସହ ଖଟ ଉପରେ ନ୍ସୋଇ ତଳେ ଶୋଇବ । ପତି-ପତ୍ନୀଙ୍କ ଶାରୀରିକ ସମ୍ପର୍କ ସ୍ଥାପନ ବାରଣ ଅଟେ ଏବଂ କୌଣସି ନିଶା ଦ୍ରବ୍ଯ ସେବନ କରିବନି ; ଏହାଦ୍ବାରା ଲକ୍ଷ୍ମୀଚ୍ଯୁତ ହେବାର ସମ୍ଭାବନା ଥାଏ ବୋଲି ବେଦ ମତ । ଧର୍ମଗ୍ରନ୍ଥ ଅନୁସାରେ ତେଲ ପ୍ରସ୍ତୁତ ଦ୍ରବ୍ଯରୁ ଦୂରେଇ ରହିବା ସହ ଏହି ମାସରେ ପଞ୍ଚଗବ୍ୟ ଉଚିତ ମାତ୍ରାରେ ସେବନ କରିବା ଉଚିତ ।

     ଆୟୁର୍ବେଦ ଓ ନାଥୁରୋପାଥି ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମାସରେ ହଜମ ଶକ୍ତି ଦୁର୍ବଳ ଓ ଧୀର ହେତୁ ଖାଦ୍ଯ ପ୍ରତି ଯତ୍ନବାନ ହେବା ଉଚିତ । କ୍ଷୀର ଓ କଦଳୀଠୁ ଯଥାସମ୍ଭବ ଦୂରେଇ ରହିବା ଉଚିତ ଅଟେ । ରସୁଣ , ଫଳ , ବିଲାତି , କାକୁଡ଼ି , ଫାଷ୍ଟଫୁଡ୍‌ ଏବଂ ପୁରୁଣା ଜିନିଷ (ଖାଦ୍ଯ) ଖାଇବା ଅନୁଚିତ ; ଅତ୍ଯଧିକ ମିଠା ବି ନ ଖାଇବା ଭଲ ଓ ଥଣ୍ଡାପାନୀୟ କି ଆଇସ୍‌କ୍ରିମ୍‌ ଖାଇବା ସ୍ବାସ୍ଥ୍ୟ ପକ୍ଷେ କରାପ । ସତେଜ ଓ ଗରମ ଖାଦ୍ଯ ଏ ମାସରେ ସ୍ବାସ୍ଥ୍ୟ ହିତକର ଏବଂ ସେଓ , ଡାଳିମ୍ବ , ମୋତି ଆଦି ଋତୁଫଳ ଖାଇବା କଥା । ଟମାଟୋ ସୁପ୍‌ , ପିଆଜ-ରସୁଣ , ଫୁଟାପାଣି , କଦଳୀ ଓ ଗରମ କ୍ଷୀର ଏକତ୍ର , ଦେଶୀ ଚା' କିମ୍ବା ଡୋକେନ୍‌ , ପୁରୁଣା ଚାଉଳ , ଗହମ , ମକା , ସୋରିଷ , ମୁଗ ଆଦି ଖାଇବା ଉଚିତ । ଏ ମାସରେ କଞ୍ଚା ଜିନିଷ ଓ ଦଧି ସେବନ ନିଷେଧ । ଏ ମାସରେ ଉଚ୍ଚରକ୍ତଚାପ ହୁଏ ବୋଲି କହନ୍ତି । 

         ଶାସ୍ତ୍ର କଥିତରେ ଏ ମାସରେ ପୀତବସ୍ତ୍ର ପରିଧାନ କରିବା କଥା ; ତଦ୍ଦ୍ୱାରା ମନ-ଶରୀର ସୁସ୍ଥ ରହେ । 'ଭାଦ୍ରବ'ର ଅର୍ଥ କଲ୍ଯାଣ ପ୍ରଦାନ ; ତେଣୁ ବ୍ରତ-ଉପବାସ-ପୂଜାର୍ଚ୍ଚନା କଲେ ଶୁଭଫଳ ମିଳେ । ଭଗବାନ ବିଷ୍ଣୁ ଏ ମାସରେ ଯୋଗନିଦ୍ରାରୁ ଉଠୁଥିବାରୁ ଏ ମାସର ପ୍ରତି ରବିବାରେ ସୂର୍ଯ୍ୟ ଆଉ ବିଷ୍ଣୁଙ୍କ ଅର୍ଚ୍ଚନା କଲେ ବିଶେଷ ଫଳପ୍ରାପ୍ତି ସହ ଅନେକ ସୁଫଳ ମିଳେ । ଏ ମାସର ରବିବାରେ ତମ୍ବା ଜିନିଷ କ୍ରୟ , ନୀଳ ଓ କଳା ପୋଷାକ ପରିଧାନ, ସୂର୍ଯ୍ୟାସ୍ତ ପୂର୍ବରୁ ଲବଣର ବ୍ଯବହାର , ଆମିଷ ଓ ମଦିରା ସେବନ , କେଶ ଛେଦନ ଆଦି ନ କରିବାକୁ ଶାସ୍ତ୍ରର ପରାମର୍ଶ ଅଛି । ଏ ମାସରେ ଦୁଇଥର ସ୍ନାନ କରିବା ସହ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅର୍ପଣ କରିବା ଓ ଜଳ କିମ୍ବା କ୍ଷୀରରେ ତୁଳସୀ ପକାଇ ପିଇବାକୁ ବେଦଶାସ୍ତ୍ର ପରାମର୍ଶ ଦେଇଛି । ଶାସ୍ତ୍ର କହେ ଏ ମାସରେ ନିଷ୍ଠାର ସହ କାମ କରିବା ଉଚିତ । ଏହାକୁ ଢ଼ଗାକାରେ ଲୋକମତରେ କୁହାଯାଏ -
                    "ଅକାଳେ ମାଇଲି ଘାଏଁ
                  ଗଲା ଭୋଦୁଅ ଶ୍ରାବଣ ଯାଏଁ ।"
ନିଷ୍ଠାତଃ କାର୍ଯ୍ଯରତ ନହୋଇ ସମୟ ଅପଚୟ କରିବା ଆଳରେ ଏ ଢ଼ଗ ପ୍ରସ୍ତୁତ । ଚାନ୍ଦ୍ରମାସର କୌଣସି ପକ୍ଷର ତୃତୀୟା ତିତିରେ ସ୍ତ୍ରୀଲୋକମାନେ ବ୍ରତ କରନ୍ତି। ଏ ମାସର ଶୁକ୍ଳପକ୍ଷ ତୃତୀୟାରେ ବି କରାଯାଏ ହରିତାଳିକା ବ୍ରତ । 

     ଏ ମାସର କୃଷ୍ଣପକ୍ଷ ପଞ୍ଚମୀରେ ପାଳିତ ରେଖା ପଞ୍ଚମୀ ଶ୍ରୀମନ୍ଦିର ପରମ୍ପରାରେ ଏକ ବିଶେଷ ଦିବସ ; ଏଦିନ ଠାକୁରଗଣ ସୁବର୍ଣ୍ଣ ରାହୁରେଖା ଲାଗି ହୋଇଥା'ନ୍ତି । ଏ ଦୃଷ୍ଟିରୁ ଏହାର ନାମ ରେଖା ପଞ୍ଚମୀ । ଏଦିନ ଓଡ଼ିଶାର କିଛି ଜାଗାରେ "ରକ୍ଷା ପଞ୍ଚମୀ" ନାମରେ ଦ୍ବାର ପୂଜା କରାଯାଏ । ସର୍ପ , ପଶୁ ଓ ଭୁତ-ପିଶାଚଙ୍କ ଠାରୁ ସୁରକ୍ଷିତାର୍ଥେ ଏ ପୂଜା କରାଯାଇଥାଏ । ଏ ପୂଜାର ଇଷ୍ଟ ହେଲେ ବଟୁକ ଭୈରବ । ଏହାଙ୍କୁ ଅର୍ଚ୍ଚନା କଲେ ଭୟଭ୍ରାନ୍ତିରୁ ମୁକ୍ତି ମିଳିବାର କଥା କଥିତ ରହିଛି । ଏ ପୂଜାରେ ଗୃହ ପ୍ରବେଶ ଦ୍ବାରେ ଗଣେଶ ଓ ବାରିଦ୍ବାରେ ବଟୁକ ଭୈରବ ମୂର୍ତ୍ତି ଅଙ୍କନ କରି ପୂଜା କରି ପ୍ରାର୍ଥନା ବାଢ଼ନ୍ତି -
    "ଦ୍ବାରଦେବ ନମସ୍ତୁଭ୍ଯଂ ନମସ୍ତେ ନନ୍ଦିକେଶ୍ବର
   ଭାଦ୍ରବକୃଷ୍ଣଂ ପଞ୍ଚମ୍ଯାଂ ରକ୍ଷ ରକ୍ଷ ମହେଶ୍ୱରମ୍‌ ।"
ବିଧିତଃ ଏ ମନ୍ତ୍ରକୁ ତାଳପତ୍ରରେ ଲେଖି କିଛି ଦୁବ ଓ ଅରୁଆ ଚାଉଳ ସହ ବାନ୍ଧି ଦ୍ବାରବନ୍ଧରେ ଜୁଲାଇ ଦିଆଯାଏ ଏବଂ ବ୍ରାହ୍ମଣ ଦ୍ବାରା ପୂଜାର୍ଚ୍ଚନା କରାଯାଏ ; ଭୋଗନୈବିଦ୍ଯ ପଶୁପକ୍ଷୀ , ସର୍ପ ଓ ପିଶାଚଙ୍କ ଉଦ୍ଦେଶ୍ଯରେ ଅର୍ପଣ କରାଯାଏ । କିଛି ଜନମତ ଏହି ପୂଜା କଲେ ବାହ୍ଯ ଶତ୍ରୁ କବଳରୁ ରକ୍ଷା । ଶାସ୍ତ୍ରାନୁସାରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ଶ୍ରୀଅଙ୍ଗରେ ନବଗ୍ରହଙ୍କୁ ଧାରଣ କରିଛନ୍ତି ; ତାଙ୍କ ଠାରେ ଅର୍ପିତ ରେଖା ରାହୁଙ୍କ ପ୍ରତୀକ । ଓଡ଼ିଆ କବିଙ୍କ ଭାଷାରେ :- 
   "କରକୋଷ୍ଠୀ କପାଳ ମୁଁ ଦେଖେଇବି କାହାକୁ 
     ଜଗନ୍ନାଥ ମହାପ୍ରଭୁ ଥାଇ ଚଉବାହାକୁ ।"
ଏହିଦିନ ଘରେ ଘରେ ପିଠା ପୂଜା କରି ବାଘମାମୁଁଙ୍କ ଉଦ୍ଦେଶ୍ଯରେ ଘରର ବାହାରେ ଭିନ୍ନ ଭିନ୍ନ ଦିଗକୁ ପକାଯାଏ କିଛି ଜାଗାରେ , ସେଲାଗି ଏହାର ନାମ "ବାଘ ପଞ୍ଚମୀ" । ଦ୍ବାର ପ୍ରଦେଶରେ ଏକ ସ୍ବତନ୍ତ୍ର ମନ୍ତ୍ର ଲେଖାଯାଏ ।
     "ଘଣ୍ଟକର୍ଣ୍ଣ ମହାବୀର! ସର୍ବବ୍ଯାଧି ନିବାରଣ ,
     ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟାଃ ।
   କଣ୍ଠେ ଯସ୍ଯ ମହାନୀଳଂ ଭୂଷଣଂ ଯସ୍ଯ ପନ୍ନଗାଃ ,
   ତେଜାଂସି ତସ୍ଯ ଦେବସ୍ଯ ରକ୍ଷନ୍ତୁ ମମ ମନ୍ଦିରଂ  ।
    ଭୈରବାୟ ନମସ୍ତୁଭ୍ଯଂ , ନମସ୍ତେ ନନ୍ଦିକେଶ୍ବର ,
     ପଞ୍ଚମ୍ଯାଂ ନିଶିପୂଜାୟାଂ ରକ୍ଷଦେବ ବରପ୍ରଦ । 
ସନ୍ଧ୍ୟା ପରେ ହଳଦି - ସିନ୍ଦୂର , ଚନ୍ଦନରେ ଉପରୋକ୍ତ ମନ୍ତ୍ର ଲେଖି ଅର୍ଚ୍ଚନା କରାଯାଏ । ସ୍ବସ୍ତିକ ଚିହ୍ନ ବି ଅଙ୍କନ ହୁଏ । 

       ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ "କାଳୀୟ ଦଳନ ଏକାଦଶୀ" ଭାବରେ ପରିଚିତ । ଏହା ପାଳନ କଲେ ପାପ ନାଶ ଓ ଅଶ୍ବମେଧ ଯଜ୍ଞର ଫଳ ପ୍ରାପ୍ତି । କଥିତ ଅଛି ଏହା ପାଳନ କଲେ ପୁଅ ଉପରେ ସ୍ଥିତ ଅସୁବିଧା ନାଶ ଯାଏ ; ଅନେକ ସ୍ଥାନରେ ଏହାର ନାମ "ଅଜା ଏକାଦଶୀ" । ଏଦିନ ଶ୍ରୀମନ୍ଦିରେ ତିନି ଠାକୁରଙ୍କର ସ୍ବତନ୍ତ୍ର ବେଶ କରାଯାଏ ଯାହାର ନାମଟି "କାଳୀୟ ଦଳୀନ ବେଶ" । ଯୁଧିଷ୍ଠିରଙ୍କୁ କେଶବ କହିଛନ୍ତି ଯେଉଁ ବ୍ଯକ୍ତି ଏହି ଦିନ ଋଷିକେଶାର୍ଚ୍ଚନା କରେ ସେ ନିଶ୍ଚେ ବୈକୁଣ୍ଠ ପ୍ରାପ୍ତି ଉଏ । ଆଖ୍ଯାନୁସାରେ ପୂର୍ବେ ରାଜା ହରିଶ୍ଚନ୍ଦ୍ର ଦାନ ରୂପେ ସର୍ବସ୍ୱ ଦେବା ପରେ ଦକ୍ଷିଣା ସ୍ବରୂପ ସ୍ବପରିବାରକୁ ବି ବିକ୍ରି କରିଦେଲେ ; ଫଳତଃ ସେ ଚଣ୍ଡାଳର ଦାସ ସ୍ବରୂପ ସତ୍ଯ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ । ସେ କେବେ ସତ୍ଯରୁ ବିଚଳିତ ହେଉ ନଥିଲେ ; କ'ଣ କରିବେ , କୁଆଡ଼େ ଯିବେ , କିପରି ଉଦ୍ଧାର ହେବେ ବୋଲି ଚିନ୍ତାମଗ୍ନ ରହୁଥିଲେ । ଦିନେ ଚିନ୍ତାଗ୍ରସ୍ତ ଭାବେ ସାଗର କିନାରେ ଥିବା ବେଳେ ଗୌତମ ଋଷି ଭେଟ ହେଲେ ; ରାଜା ବେଦନା ତାଙ୍କର ଜଣାଇବାରୁ ସେ ଅଜା ଏକାଦଶୀ ପାଳନ କରିବାକୁ ଭାଦ୍ରବ କୃଷ୍ଣପକ୍ଷରେ କହିଲେ । ଋଷି ବଚନ ମୁତାବକ ରାଜା ବ୍ରତ ପାଳନ କଲାରୁ ସମସ୍ତ ପାପ ବିନିଷ୍ଟ ହୋଇଲାରୁ ନିଜ ପୁତ୍ର ଓ ପତ୍ନୀଙ୍କ ସହ ସର୍ବସ୍ବ ଫେରି ପାଇ ନିଷ୍ପାପରେ ସ୍ବର୍ଗ ପ୍ରାପ୍ତି କଲେ । ଏହିଦିନ ଏକାଦଶୀ ବ୍ରତ ଓ ପୂଜା କରିବା ଇନ୍ଦ୍ରିୟ ନିୟନ୍ତ୍ରଣର ପ୍ରେରଣା ଯୋଗାଏ । ଏହିଦିନ ବିଷ୍ଣୁ ପୂଜା ସହ ବିଷ୍ଣୁଙ୍କ ପ୍ରିୟ ଜିନିଷ ନୈବିଦ୍ଯ କରାଯାଇଥାଏ ।

         ଏ ମାସର ଶୁକ୍ଳପକ୍ଷର ଏକାଦଶୀକୁ "ପରିବର୍ତ୍ତନ ଏକାଦଶୀ" ଅଭିହିତ କରାଯାଇଛି ; ଏହିଦିନ ଭଗବାନ ବିଷ୍ଣୁ ପାର୍ଶ୍ବ ପରିବର୍ତ୍ତନ କରନ୍ତି । ଏହା ପାଳନ କଲେ ସର୍ବ ଦୁଃଖର ବିନାଶନ ହୁଏ । ଆଶାଢ଼ ଶୁକ୍ଳ ଦ୍ବାଦଶୀ ଦିନ ହରି ଶୟନ ପଲଙ୍କ ତଳେ ନିଦ୍ରା ଯାଇଥିବା ଗରୁଡ଼ଙ୍କର ପାର୍ଶ୍ବ ପରିବର୍ତ୍ତନ ନୀତି ଭାଦ୍ର ଶୁକ୍ଳ ଦ୍ବାଦଶୀରେ ହୋଇଥାଏ ଏବଂ ଏହିଦିନ ଶ୍ରୀରାଜନଅରରେ ଗଜପତିଙ୍କର ସୁନିଆ ନୀତି ହୁଏ । ଏହିଦିନ ବି ଜଗନ୍ନାଥ ମନ୍ଦିରରେ ବାମନ ଜନ୍ମ ପାଳିତ ହୁଏ । ପୌରାଣିକ ବିଷୟବସ୍ତୁ ଅନୁସାରେଣ ଏଦିନ ବିଷ୍ଣୁ ସ୍ବୟଂ ବାମନ ରୂପରେ ଧରାବତରଣ କରିଥିଲେ । ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଉ ଏକ ବାମନ ବାଳକ ରୂପେ ବେଶ କରି ଦିଆଯାଏ । ବାମନଙ୍କ ଜନ୍ମୋତ୍ସବ ନୀତି ଏବଂ ଦ୍ବିପ୍ରହରର ଧୂପ ଶେଷ ପରେ ମହାପ୍ରଭୁ ବାମନ ବେଶରେ ଦର୍ଶନ ଦିଅନ୍ତି ଏବଂ ବଳଭଦ୍ର ଓ ସୁଭଦ୍ରା ସ୍ବର୍ଣ୍ଣ ବେଶରେ ସଜ୍ଜିତ ହୋଇଥା'ନ୍ତି । ବଳରାମ ଧନୁଶର ଧାରଣ କରିଥା'ନ୍ତି । 

        ଓଡ଼ିଶାରେ ରାଜକୀୟ ନବବର୍ଷର ପ୍ରାରମ୍ଭ ଭାଦ୍ରବ ମାସ ଶୁକ୍ଳ ଦ୍ବାଦଶୀ ତିଥିର ସୁନିଆଁଠୁ ; ଏହା ଓଡ଼ିଆ ରାଜାଙ୍କର ରାଜତ୍ବର ଅଙ୍କ ଗଣନା ବର୍ଷର ପ୍ରଥମ ଦିନ । ଏହିଦିନ ରାଜାଙ୍କର ରାଜସ୍ୱ ଆଦାୟ ଏବଂ ନୂଆ ଖାତା ଆରମ୍ଭ ; ଏଦିନ ଏକ ସୁନା ମୋହର ଉପରେ ରାଜାଙ୍କ ରାଜତ୍ବର ଅଙ୍କ ବା ବର୍ଷ ଚିହ୍ନିତ କରାଯାଏ । ଏହାକୁ କହନ୍ତି ସାଧାରଣରେ "ଅଙ୍କ କଟା" ; ସମ୍ଭବତଃ ଏହା ସୁନା ଶବ୍ଦ ସହ ଜଡିତ ହୋଇଥିବାରୁ ଏହାର ନାମ "ସୁନିଆଁ" । ଏହି ଦିନରୁ ସନ ବା ସାଲ ଗଣନା ହୁଏ । ଯଯାତିକେଶରୀଙ୍କ ରାଜତ୍ବ ବେଳୁ ଉତ୍କଳରେ ସନ ପ୍ରଚଳିତ ।

     ସେ ଯାହା ବି ହେଉ , ଏହି ଚାରୋଟି ପର୍ବ ଏ ମାସର ମହାପୁଣ୍ୟର ପ୍ରତୀକ ; ଅନ୍ଯାନ୍ଯ ପର୍ବ ପୁଣ୍ଯଯୁକ୍ତ ହେଲେ ବି ଏହାଠାରୁ ବଳି କିଛି ନାହିଁ । ଆମ ଉତ୍କଳର ପାରମ୍ପରିକ ପର୍ବ ଭାବରେ ଏବଂ ସର୍ବଜନାଦୃତ ଭାବରେ ଏହାର ଫଳ ବେସ୍‌ ପୁଣ୍ଯଦାୟୀ । ଭାଦ୍ର ମାସର ଏହା ଐତିହ୍ୟର କିର୍ତ୍ତୀରାଜିର ଉଦାହରଣ । ଏହା ଏହି ମାସକୁ ବେସ୍‌ ରୁଦ୍ଧିମନ୍ତ ଓ ସମୃଦ୍ଧିଶାଳୀ କରିପାରିଛି । 

ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 



Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା