ଗଣେଶ ପୂଜା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଚତୁର୍ଦ୍ଦିଗେ ଶୁଭେ ଆଜି ବାଦ୍ଯଘୋଷର ଝଙ୍କାର
ଉତ୍କଳର ପୁରପଲ୍ଲୀ ଆଜି ଉତ୍ସବ ମୁଖର ।
ଗ୍ରାମେ ଗ୍ରାମେ ଓ ନଗ୍ରେ ନଗ୍ରେ ସଙ୍ଗୀତର ମୂର୍ଚ୍ଛନା
ସବୁରି ଓଷ୍ଠରୁ ଝରିଯାଏ ହସ ଚୁନା ଚୁନା ।
ବିଦ୍ଯାଳୟ ପ୍ରାଙ୍ଗଣରେ ଆଜି ଛାତ୍ରଛାତ୍ରୀଗଣ
ଶିକ୍ଷକ ସମେତ ସଭିଙ୍କର ଉଲ୍ଲାସିତ ମନ ।
ପ୍ରତି ଗ୍ରାମେ ପ୍ରତି ନଗ୍ରେ ଆଜି ପୂଜାର ଆସର
ଝଲସୁଛି ଶୋଭା ଦେଖ ଆମର ଗାଁ ସାହି ମେଢ଼ ।
ଥାଟେ ଥାଟ ସଜା ହୋଇଛି ନାନାଦି ଆଭୂଷଣେ
ଭକ୍ତିର ରସରେ ଆପ୍ଯାୟିତ ଆଜି ନରଗଣେ ।
ନବ ବସ୍ତ୍ର ନବ ବେଶରେ ଉତ୍ଫୁଲ୍ଲିତ ମନେ
ଭକ୍ତି ରସ ବର୍ଷିଯାଏ ଏଇ ଉତ୍କଳ ଭୁବନେ ।
ସହର୍ଷ ବଦନେ ସରବେ ହୁଅନ୍ତି ଆତଯାତ
ଆବାଳ ବୃଦ୍ଧ ବନିତା ଆଜି ସର୍ବେ ଆନନ୍ଦିତ ।
ନାନାଦି ଆଲୋକମାଳେ ଶୁଭ ତୋରଣ ମଣ୍ଡିତ
ଆତସବାଜିର ଶବଦରେ କର୍ଣ୍ଣ ହୁଏ ସ୍ତବ୍ଧ ।
ଥାଟ ଦିଶଇ ସୁମନୋହର ଆଖି ଫେରେ ନାହିଁ
ଗଣପତି ହେରମ୍ବ ଅଛନ୍ତି ଥାଟ ପରେ ରହି ।
ସେଲାଗି ଥାଟ ସୌନ୍ଦର୍ଯ୍ୟ ହୁଏ ଆହୁରି ବର୍ଦ୍ଧିତ
ବ୍ରାହ୍ମଣଙ୍କ ବେଦମନ୍ତ୍ରପାଠ ହୁଏ କର୍ଣ୍ଣପାତ ।
ଘଣ୍ଟଘଣ୍ଟା ଶଙ୍ଖନାଦେ ହରିବୋଲ ହୁଳହୁଳି
ମୃଦଙ୍ଗ ଭେରୀ ତୂରୀରେ ଥାନ ପଡ଼ଇ ଉଚ୍ଛୁଳି ।
କେତେ ଭୋଜିଭାତ ମହୋତ୍ସବ ହୋଇଥାଏ ଖଞ୍ଜା
ପବିତ୍ର ଦିବସ ଆଜି ଏଇ ଗଣପତି ପୂଜା ।
ବିଦ୍ଯାଦାତା ବିଦ୍ଯା ଦିଅ ଦିଅ ପ୍ରଭୋ ଯଶ ଆୟୁ
ଏହିପରି ଆନନ୍ଦ ଯେ ସଦା ଲାଗି ରହିଥାଉ ।
ନରହୁ ବିଘ୍ନେଶ କେବେ ଜାତି ବର୍ଣ୍ଣର ବିଭେଦ
ଭାଈଚାରାରେ ଆପ୍ଯାୟିତ ହେଉ ଏଇ ଜଗତ ।
ପରସ୍ପର ସ୍ନେହ ସମ୍ପର୍କର ଏ ଅକ୍ଷୁର୍ଣ୍ଣ ସୂତ୍ର
ନହେଉ କେବେ ଛିନ୍ନ ଏଇ ସୂତ୍ର ଅମ୍ବିକା ସୂତ ।
ଶ୍ରୀ ଗଜାନନ ପଦେ ମୋହର କୋଟିଏ ପ୍ରଣାମ
ଦୀନଦୁଃଖୀ ଶିବ ତବ ପଦ କରୁଛି ବନ୍ଦନ ।
ଦୟା କର ଦୟାମୟ ଗିରିରାଜ ସୁତା ସୁତ
ଚଲାପଥ ସର୍ବଦା ମୋହର ହେଉ କୁସୁମିତ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment