ଅଷ୍ଟବିଧ ବିବାହ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବିବାହ କହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସହ ସାମାଜିକ ଓ ଆଇନଗତ ସ୍ବୀକୃତି ସହିତ ସହବସ୍ଥାନ ଓ ପରସ୍ପର ପ୍ରତି ତଥା ତାଙ୍କର ପିଲା ମାନଙ୍କ ଏବଂ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଆଉ କର୍ତ୍ତବ୍ୟକୁ ବୁଝାଏ । ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଥାଏ , କିନ୍ତୁ ଏହା ଏକ ଅନୁଷ୍ଠାନ ଯେଉଁଥିରେ ମୁଖ୍ଯତଃ ଯୌନ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଏ । ଏହା ସହିତ ପାରିବାରିକ , ସାମାଜିକ , ଅର୍ଥନୈତିକ , ଧର୍ମ ସମ୍ବନ୍ଧୀୟ ଭାବୁକତା ମଧ୍ଯ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କିଛି ସଂସ୍କୃତିରେ ଅଛି , ଯୌନ କାରବାର କରିବା ପୂର୍ବରୁ ବିବାହ ବାଧ୍ଯତାମୂଳକ । କିଛି ସଂସ୍କୃତି ସ୍ଥିରୀକୃତ ବିବାହ , ବାଲ୍ଯ ବିବାହ , ଏକାଧିକ ବିବାହ ଏବଂ ବଳପୂର୍ବକ ବିବାହ କରନ୍ତି । ଅନ୍ଯପକ୍ଷେ ଏଭଳି ବିବାହ ଅନେକ ସ୍ଥାନରେ ବେନିୟମ ଓ ଦଣ୍ଡନୀୟ ଅଟେ ; କାରଣ ଏହା ମହିଳାଙ୍କ ଅଧିକାରର ଆନ୍ତର୍ଜାତୀୟ ନିୟମର ପରିପନ୍ଥୀ । ଆଗରୁ ଅଣସ୍ବୀକୃତ ଥିହା ଭିନ୍ନ ଜାତି ବିବାହ , ଭିନ୍ନ ବିଶ୍ବାସ ବିବାହ , ସମଲିଙ୍ଗୀ ବିବାହକୁ ଅନେକ ଦେଶ ବିଂଶ ଶତାବ୍ଦୀରେ ସ୍ବୀକୃତି ପ୍ରଦାନ କରିସାରିଛନ୍ତି । ହିନ୍ଦୁ ମାନଙ୍କର ଦଶବିଧ ସଂସ୍କାର ଗର୍ଭାଧାନ , ପୁଂସବନ , ସୀମାନ୍ତୋନ୍ନୟନ , ଜାତକର୍ମ , ନାମକରଣ , ଅନ୍ନପ୍ରାଶନ , ମୁଣ୍ଡନ , ଉପନୟନ , ସମାବର୍ତ୍ତନ ଓ ବିବାହ ।
ପ୍ରାଚୀନ ହିନ୍ଦୁ ମାନଙ୍କ ମଧ୍ୟରେ ଅଷ୍ଟବିଧ ବିବାହ ଯଥା - ବ୍ରାହ୍ମ , ଦୈବ , ଆର୍ଯ୍ଯ , ପ୍ରାଜପତ୍ଯ , ଆସୁର , ଗାନ୍ଧର୍ବ , ରାକ୍ଷସ , ପୈଶାଚ ପ୍ରଚଳିତ ଥିଲା । କନ୍ଯା ପିତା କନ୍ଯାକୁ ବସ୍ତ୍ର - ଅଳଙ୍କାର ଦ୍ବାରା ଭୂଷିତ କରି ବିଦ୍ବାନ ଏବଂ ସଦାଚାର ସମ୍ପନ୍ନ ବରକୁ ସ୍ବୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ଯାଦାନ କରିବାକୁ "ବ୍ରାହ୍ମ ବିବାହ" କୁହାଯାଏ । ଜ୍ଯୋତିଷ୍ଟୋମାଜି ଯଜ୍ଞରେ ଯଜ୍ଞକର୍ତ୍ତା ପୁରୋହିତଙ୍କୁ ଦୈବ କାର୍ଯ୍ଯ ସିଦ୍ଧି କାମନାରେ ଅଳଙ୍କୃତ କନ୍ଯାକୁ ସମ୍ପ୍ରଦାନ କରିବାକୁ "ଦୈବ ବିବାହ" କହନ୍ତି । ଜାଗାଦି ଅବଶ୍ଯକର୍ତ୍ତବ୍ଯ କର୍ମର ସାହାଯ୍ଯାର୍ଥେ ବର ଠାରୁ ଗୋଟିଏ ବା ହଳେ ବଳୀଫର୍ଦ୍ଧ ନେଇ ତାହାଙ୍କ ହସ୍ତରେ ବିଧି ଅନୁରୂପ କନ୍ଯାଦାନ କରିବା ହେଉଛି "ଆର୍ଯ୍ଯ ବିବାହ"। "ତୁମ୍ଭେମାନେ ଉଭୟ ଗାର୍ହ୍ଯସ୍ଥ୍ଯ ଧର୍ମାଚରଣ କର" - ଏ ବାକ୍ଯ ଉଚ୍ଚାରଣ ପୂର୍ବକ କନ୍ଯାପିତା ଯଥାବିଧି ବରକୁ କଣ୍ଯାଦାନ କରିବା ବିଧିକୁ କହନ୍ତି "ପ୍ରାଜପତ୍ଯ ବିବାହ" । କନ୍ଯାକୁ କ୍ରୟ କରି ଗ୍ରହଣ ପୂର୍ବକ ବିବାହ କରିବା ହେଲା "ଆସୁର ବିବାହ" । କନ୍ୟା ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହେଲେ ତାହାକୁ ବୋଲାଯାଏ "ଗାନ୍ଧର୍ବ ବିବାହ" । କନ୍ଯାପକ୍ଷ ଲୋକ ମାନଙ୍କର ଇଚ୍ଛା ବିରୁଦ୍ଧରେ କନ୍ଯାକୁ ବଳପୂର୍ବକ ହରଣ କରି ବିବାହ କଲେ ତାହା "ରାକ୍ଷସ ବିବାହ" ହୋଇଥାଏ । ନିର୍ଜନରେ ନିଦ୍ରା ବା ମଦ୍ଯପାନ ଦ୍ବାରା ଅଚେତନତା ବା ଉନ୍ମତ୍ତା କନ୍ଯାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ କରିବାକୁ କହନ୍ତି "ପୈଶାଚ ବିବାହ" । ଗୃହ୍ଯସୂତ୍ରମତେ ବିବାହ କର୍ମରେ ବର-କନ୍ୟାଙ୍କର କର୍ତ୍ତବ୍ୟ ୧୩ଟି ଭିନ୍ନ ଭିନ୍ନ ଅନୁଷ୍ଠାନର ବିବରଣୀ ମିଳେ । ତା' ହେଲା - ପାଣିଗ୍ରହଣ , ବିବାହ ହୋମ , ଲାଜା ହୋମ , ଅଶ୍ମାରୋହଣ , ସପ୍ତପଦୀ , ଧ୍ରୁବ ଦର୍ଶନ , ଯାନାରୋହଣ ଓ ବିବାହାଗ୍ନି ; ଏହାକୁ ସଙ୍ଗତେ ନେଇ ଗମନ , ଗୃହପ୍ରବେଶ , ଚତୁର୍ଥୀ କର୍ମ , ଗୃହାଗ୍ନି ପରିଚରଣ , ପକ୍ଷାଦିରେ ସ୍ଥାଳିପାକ , ଗର୍ଭାଧାନ ।
ଏ ହେଉଛି ଆଠ ପ୍ରକାର ବିବାହ । ବିବାହ ହେଉଛି ଏକ ସାମାଜିକ ଶୃଙ୍ଖଳା ଓ ଚଳଣି । ପ୍ରତ୍ଯେକଙ୍କ ଜ୍ଞାତସାରରେ - ସହମତିରେ ବିବାହ କରିଲେ ସାମାଜିକ ସୁରକ୍ଷା ସୃଷ୍ଟି ହୁଏ ; ପରସ୍ପର ପ୍ରତି ଅନୁରକ୍ତ ହିଁ ଭରିଦିଏ ଜୀବନରେ ଅହେତୁକ ସୁଖ-ଶାନ୍ତି । ସମାଜର ପ୍ରଗତି ପାଇଁ ତଥା ସୃଷ୍ଟିର ସ୍ଥିତିକୁ ଲକ୍ଷ୍ଯ ରଖି କାର୍ଯ୍ଯ ବହନ ; ଅର୍ଥାତ ମାନବ ସମାଜରେ ନାନବର ସ୍ଥିତି ବଜାୟ ପାଇଁ ଦାୟିତ୍ବ ବହନ ବିବାହ ଶବ୍ଦକୁ ଆହୁରି ବୋଧଗମ୍ୟ କରାଉଛି ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ (ପୁରୀ)
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment