ଶାସ୍ତ୍ରାନୁସାରେଣ ଚ଼ତୁଃଯୁଗ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଯୁଗ କହିଲେ କାଳକୁ ବୁଝାଏ । ହିନ୍ଦୁ ଧର୍ମାନୁସାରେ କାଳକୁ ଚ଼ାରି ଭାଗରେ ବିଭକ୍ତ କରାଯାଇଛି , ଯଥା :- ସତ୍ଯଯୁଗ ବା କୃତଯୁଗ , ତ୍ରେତାଯୁଗ , ଦ୍ବାପର ଯୁଗ ଓ କଳିଯୁଗ । ଗୋଟିଏ କଳ୍ପ ଗୋଟେ ଦିନ ଓ ଗୋଟେ କଳ୍ପ ଗୋଟେ ରାତି ବ୍ରହ୍ମାଙ୍କର । ଗୋଟିଏ ମହାଯୁଗ ବ୍ରହ୍ମାଙ୍କ ଗୋଟିଏ ଦିନ ଓ ଗୋଟିଏ ରାତି , ଅର୍ଥାତ ୪୩୨ କୋଟି ବର୍ଷ ; ବ୍ରହ୍ମାଙ୍କର ଏକ ରାତ୍ରି କଳ୍ପ ଶେଷରେ ବ୍ରହ୍ମା ସୃଷ୍ଟିକୁ ସଂହାର କରି ନିଦ୍ରା ଯା'ନ୍ତି ଏବଂ ସର୍ବତ୍ର ଅନ୍ଧକାର ହୁଏ । ରାତ୍ରି ଅପସରିଲେ ବ୍ରହ୍ମାଙ୍କର ନିଦ୍ରା ଭଙ୍ଗ ହୁଏ ଏବଂ ପୁନଃ ସୃଷ୍ଟି ଆରମ୍ଭ ହୁଏ ; ଏହିପରି କଳ୍ପ କଳ୍ପ ବ୍ଯାପି ସୃଷ୍ଟି - ସ୍ଥିତି - ପ୍ରଳୟ କ୍ରିୟା ଚ଼ାଲିଛି ।
ଚ଼ାରିଯୁଗ ମଧ୍ୟରେ ସତ୍ଯଯୁଗ ପ୍ରଥମ ଓ ଆଦର୍ଶ ଯୁଗ ଅଟେ । ଏହି ଯୁଗର ଉତ୍ପତ୍ତି ବୈଶାଖ ମାସର ଶୁକ୍ଳପକ୍ଷରେ ପଡୁଥିବା ଅକ୍ଷୟ ତୃତୀୟାରେ ରବିବାରରେ ହୋଇଥିଲା ଓ ଏହାର ପରିମାଣ ୧୭ ଲକ୍ଷ ୨୮ ହଜାର ବର୍ଷ ଥିଲା । ତ୍ରେତୟା ଯୁଗର ଉତ୍ପତ୍ତି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଁଳା ନବମୀ ତିଥିରେ ସୋମବାରରେ ହୋଇଥିବା ବେଳେ ଦ୍ବାପର ଯୁଗର ଉତ୍ପତ୍ତି ଭାଦ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଗୁରୁବାରରେ ହୋଇଥିଲା ; ତ୍ରେତାଯୁଗର ଅବଧି ଥିଲା ୧୨ ଲକ୍ଷ ୯୬ ହଜାର ବର୍ଷ ଓ ଦ୍ବାପର ଯୁଗର ଅବଧି ଥିଲା ୮ ଲକ୍ଷ ୬୪ ହଜାର ବର୍ଷ । ସର୍ବଶେଷେ କଳିଯୁଗର ଉତ୍ପତ୍ତି ମାଘ ପୂର୍ଣ୍ଣିମା ଶୁକ୍ରବାର ଦିନ ହୋଇଥିଲା ଓ ଏହାର ପରିମାଣ ୪ ଲକ୍ଷ ୩୨ ହଜାର ବର୍ଷ ଅଟେ । ସତ୍ଯଯୁଗରେ ଚ଼ାରି ପାଦ ପୁଣ୍ଯ ଥିଲା ; ପାପର ଚ଼ିହ୍ନବର୍ଣ୍ଣ ସୁଦ୍ଧା ନଥିଲା । ତ୍ରେତୟା ଯୁଗରେ ପୁଣ୍ଯ ତିନିପାଦ ଓ ପାପ ଏକ ପାଦ ଏବଂ ଦ୍ବାପର ଯୁଗରେ ଉଭୟ ସମାନ ଅର୍ଥାତ ପାପ ଓ ପୁଣ୍ଯ ଦୁଇ ପାଦ ଲେଖାଏଁ ଥିବା ବେଳେ କଳିରେ କିନ୍ତୁ ପୁଣ୍ଯ ଏକ ପାଦ ଓ ପାପ ତିନି ପାଦ ।
ସତ୍ଯଯୁଗରେ ବିଷ୍ଣୁଙ୍କ ଅବତାର ଥିଲେ ମତ୍ସ୍ଯ , ବରାହ , ନୃସିଂହ ଏବଂ କିଛି ହିନ୍ଦୁ ଶାସ୍ତ୍ର ମତରେ ବାମନ ଅବତାର ହୋଇଥିଲେ ବୋଲି ଶୁଣାଯାଏ । ଏ ସମୟରେ ୬ ଜଣ ଚ଼କ୍ରବର୍ତ୍ତୀଙ୍କ ରାଜତ୍ବ ଚ଼ାଲିଥିଲା । ସେମାନେ ହେଲେ - ବଳି , ବେଣୁ , ମାନ୍ଧାତା , ପୁରୁରବା , ଧୁନ୍ଦୂମାର (ମାଦଳା ପାଞ୍ଜିରେ ଜାନୁଘଣ୍ଟା) ଏବଂ କୀର୍ତ୍ତ ବୀର୍ଯ୍ୟାର୍ଜୁନ । ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ଥିଲେ ବାମନ , ପର୍ଶୁରାମ ଓ ଶ୍ରୀରାମ ; ମତାନ୍ତରେ ପ୍ରମାଣ ଯେ ବାମନ ଦ୍ବାପର ଯୁଗରେ ଥିଲେ । ଏ ଯୁଗରେ ଚ଼କ୍ରବର୍ତ୍ତୀ ଥିଲେ ସୂର୍ଯ୍ଯବଂଶୀୟ ରାଜାଗଣ । ଦ୍ବାପର ଯୁଗରେ ବିଷ୍ଣୁଙ୍କ ଅବତାର ଥିଲେ ଶ୍ରୀକୃଷ୍ଣ , ବୁଦ୍ଧ (ମତାନ୍ତରେ ବୁଦ୍ଧ ଦ୍ବାପର ଯୁଗର ଅବତାର ନୁହଁନ୍ତି ) ଏବଂ ଚ଼କ୍ରବର୍ତ୍ତୀ ଥିଲେ ଶାଲ୍ବ , ବିରାଟାଦିଙ୍କ ଠାରୁ କଂସ ପର୍ଯ୍ଯନ୍ତ ୧୬ ଜଣ । କଳି ଯୁଗରେ ଅବତାର ଜଗନ୍ନାଥ ; କେତେକଙ୍କ ମତରେ କଳିଯୁଗର ଶେଷ ଅର୍ଥାତ ସତ୍ଯ ଯୁଗର ଆରମ୍ଭ ହେବା ସମୟରେ କଳ୍କୀ ଅବତାର ଆରମ୍ଭ ହେବ । ଜଗନ୍ନାଥ କିନ୍ତୁ ଅବତାର ନୁହଁନ୍ତି ; ମତାନ୍ତରେ ପ୍ରମାଣ ବୁଦ୍ଧି ହେଉଛି କଳିଯୁଗର ଅବତାର । ଏ ଯୁଗର ଚ଼କ୍ରବର୍ତ୍ତୀ ଥିଲେ ପ୍ରଥମେ ଯୁଧିଷ୍ଠିରାଦି ୧୨ ଜଣ ହିନ୍ଦୁ ରାଜା , ତାଙ୍କର ଶାସନକାଳ ଥିଲା ୩୬୯୫ ବର୍ଷ ଯାଏଁ ଓ ତା'ପରେ ଶାହା , ସୁଲତାନାଦି ୨୧ ଜଣ ଯବନ ରାଜା ୧୨୪୪ ବର୍ଷ ପର୍ଯ୍ଯନ୍ତ ରାଜତ୍ବ କରିଥିିଲେ । ଆଜି ଯାଏଁ ଇଂଲଣ୍ଡ ଦେଶୀୟ ରାଜାମାନେ ରାଜତ୍ବ କରୁଛନ୍ତି ।
ସତ୍ଯ ଯୁଗରେ ମନୁଷ୍ଯଙ୍କ ପରମାୟୁ ଏକଲକ୍ଷ ବର୍ଷ ଓ ଉଚ୍ଚତା ୨୧ ହାତ ଥିବା ବେଳେ ମଜ୍ଜାଗତ ପ୍ରାଣ ଆଉ ଇଚ୍ଛାମୃତ୍ୟୁ ଥିଲା ;ତ୍ରେତୟା ଯୁଗରେ ମାନବର ପରମାୟୁ ଦଶ ହଜାର ବର୍ଷ ଓ ଉଚ୍ଚତା ୧୪ ହାତ ସହିତ ପ୍ରାଣ ଥିଲା ଅସ୍ଥିଗତ । ସେହିପରି ଦ୍ବାପର ଯୁଗରେ ମାନବର ପରମାୟୁ ଏକ ହଜାର ବର୍ଷ ଆଉ ଉଚ୍ଚତା ୭ ହାତ ସାଙ୍ଗକୁ ପ୍ରାଣ ଥିଲା ରୁଧିରଗତ ଏବଂ କଳିଯୁଗର ମଣିଷର ପରମାୟୁ ୧୨୦ ବର୍ଷ ଓ ଉଚ୍ଚତା ୩ ହାତ ସାଙ୍ଗକୁ ପ୍ରାଣ ଅଛି ଅନ୍ନଗତ । ସତ୍ଯ ଯୁଗରେ ସୁବର୍ଣ୍ଣ ପାତ୍ର , ତ୍ରେତୟାରେ ରୌପ୍ୟ ପାତ୍ର , ଦ୍ବାପରରେ ତାମ୍ର ପାତ୍ର ଓ କଳି ଯୁଗରେ ମାଟି ପାତ୍ର (କିଛି ସନାତନୀ ଧର୍ମୀଙ୍କ ମତରେ କଳି ଯୁଗରେ ମାନବ ପାପାନୁରକ୍ତ ଓ ସ୍ତ୍ରୈଣ ପାତ୍ରର ନିର୍ଣ୍ଣୟ ନାହିଁ ।)। ସତ୍ଯ ଯୁଗ ଥିଲା ସାମବେଦର ଅଧିକର ଏବଂ ତ୍ରେତୟା ଯୁଗ ଋକ୍ବେଦ , ଦ୍ବାପର ଯୁଗ ଯଜୁର୍ବେଦ , କଳି ଯୁଗରେ ଅଥର୍ବ ବେଦ ହେଲେ ବି ତାହା ଗ୍ରହଣୀୟ ନୁହେଁ ; କାରଣ କଳି ଯୁଗରେ ବେଦର ମର୍ଯାଦା ହାନି ଘଟୁଛି । ସତ୍ଯ ଯୁଗରେ ପୁଷ୍କର , ତ୍ରେତା ଯୁଗରେ ନୈମିଷାରଣ୍ଯ , ଦ୍ବାପର ଯୁଗରେ କୁରୁକ୍ଷେତ୍ର ଏବଂ କଳି ଯୁଗରେ ଗଙ୍ଗା ତୀର୍ଥ ସର୍ବ ପୁଣ୍ଯ ପ୍ରଦାୟକ ଅଟେ । ସତ୍ଯ ଯୁଗରେ କର୍ତ୍ତବ୍ୟ ଥିଲା ଭକ୍ତି , ତ୍ରେତୟାରେ ଥିଲା ଜ୍ଞାନ , ଦ୍ବାପରରେ ମଣିଷର କର୍ତ୍ତବ୍ୟ ଥିଲା ଯଜ୍ଞ ଏବଂ କଳିରେ ଅଛି ଦାନ ।
ସତ୍ଯ ଯୁଗରେ ମୋକ୍ଷ ପାଇବାକୁ ତାରକ ବ୍ରହ୍ମ ନାମ ଥିଲା -
"ନାରାୟଣ ପରା ବେଦାଃ , ନାରାୟଣ ପରାକ୍ଷରାଃ
ନାରାୟଣ ପରା ମୁକ୍ତି , ନାରାୟଣ ପରା ଗତିଃ ।"
ତ୍ରେତୟା ଯୁଗରେ ତାରକ ବ୍ରହ୍ମ ନାମ ଥିଲା -
"ରାମ ନାରାୟଣାନନ୍ତ ମୁକୁନ୍ଦ ମଧୁସୁଦନ
କୃଷ୍ଣ କେଶବ କଂସାରେ ହରେ ବୈକୁଣ୍ଠ ବାମନ ।"
ଦ୍ବାପର ଯୁଗରେ ତାରକ ବ୍ରହ୍ମ ନାମ ଥିଲା -
"ହରେ ମୁରାରେ ମଧୁକୈଟଭାରେ , ଗୋବିନ୍ଦ ଗୋପାଳ ମୁକୁନ୍ଦ ଶୌରେ
ଯଜ୍ଞେଶ ନାରାୟଣ ଶ୍ରୀକୃଷ୍ଣ ବିଷ୍ଣୋ , ନିରାଶ୍ରୟ ମାଂ ଜଗଦୀଶ ରକ୍ଷ ।।"
କଳି ଯୁଗର ତାରକ ବ୍ରହ୍ମ ନାମ ହେଉଛି -
"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେରାମ ହରେରାମ ରାମ ରାମ ହରେ ହରେ ।"
ନିତ୍ଯ ଧର୍ମରୀତି , ତୀର୍ଥାଶ୍ରୟ , ସତ୍ଯ ପରାୟଣତା ଯୋଗୁଁ ମନୁଷ୍ଯମାନେ ସଦା ଦେବ ନିନ୍ଦୁକ ଥିଲେ ସତ୍ଯ ଯୁଗରେ ଓ କିଛି ଭକ୍ତି ବି କରୁଥିଲେ ବୋଲି ଶାସ୍ତ୍ର କହେ ଏବଂ ତ୍ରେତୟା ଯୁଗରେ ଲୋକମାନେ ଦାନ , ଧର୍ମ , ତପସ୍ୟା ଓ ତୀର୍ଥଦର୍ଶନରତ ଥିଲେ ଆଉ ରାଜାମାନେ ଯଜ୍ଞଶୀଳ ଥିଲେ । ସେପରି ଦ୍ବାପରର ଲୋକମାନେ ଧର୍ମାଧର୍ମରତ , ପ୍ରଳାପୀ ଓ ଚ଼ପଳ ରାଜା ସହ ଜ୍ଞାନନିଷ୍ଠ କପଟବାକ୍ ଥିଲେ ଏବଂ ଅଦ୍ଯ କଳି ଯୁଗରେ ସଂସାର ଧର୍ମହୀନ , ତପୋବିରହିତ , ସତ୍ଯହୀନ ଅର୍ଥାତ ଲୋକେ ପାପରତ , ବ୍ରାହ୍ମଣମାନେ ଲୋଭୀ ଆଉ ମୁର୍ଖ , ନୃପତି ଲୋଭୀ ଆଉ କପଟୀ ସହିତ ମନୁଷ୍ଯମାନେ ସ୍ତ୍ରୀ ବଶ ଓ ପାପାନୁରକ୍ତ , ସ୍ତ୍ରୀମାନେ ଚ଼ପଳା , ପୃଥିବୀ ନିବୀର୍ଯ୍ଯ ଆଉ ନିରୌଷଧିରସା ଓ ମନ୍ଦଫଳା , ଦୁର୍ଜନଙ୍କର ପ୍ରଭାବ ବୃଦ୍ଧି ଓ ସଜ୍ଜନଙ୍କର ଦୂରାବସ୍ଥା ବୋଲି ଅରୁଣୋଦୟ ପ୍ରେସ୍ ପ୍ରକାଶିତ ଖଡ଼ିରତ୍ନ ପଞ୍ଜିକାରେ ସୂଚ଼ିତ ଅଛି ।
ଆଧୁନିକ ଗଣନାନୁସାରେ କଳିଯୁଗର ଆରମ୍ଭ କାଳ ଖ୍ରୀ.ପୂ. ୩୧୧ସାଲ । ପାପର ଭାର ବଢ଼ିଗଲେ ସ୍ବୟଂ ଭଗବାନ ବିଷ୍ଣୁ କଳ୍କୀ ଅବତାର ହେବେ ବୋଲି ଶାସ୍ତ୍ରାଦିରୁ ପ୍ରମାଣ ମିଳେ । ଆଉ ଏକ କଥା ଲକ୍ଷ୍ଯ କରନ୍ତୁ ଏବେ , ସତ୍ଯ ଯୁଗରେ ଅସୁର ହିରଣ୍ଯାକ୍ଷ ଥିଲା ; ଯାହାର ଅକ୍ଷର ସଂଖ୍ୟା ଚ଼ାରି ଥିଲା । ତାକୁ ବଧ କରିଥିବା ଭଗବାନଙ୍କ ନାମ ବି ଚ଼ାରି ଅକ୍ଷର , ଭଗବାନଙ୍କ ନାମ ଥିଲା ନରସିଂହ । ତ୍ରେତୟାରେ ଭଗବାନ ଓ ରାକ୍ଷସ ବି ତିନି ଅକ୍ଷରର ସମଷ୍ଟି । ରାକ୍ଷସ ଥିଲା ରାବଣ ଏବଂ ବଧ କରିଥିବା ଭଗବାନ ହେଉଛନ୍ତି ଶ୍ରୀରାମ । ଏବେ ଦ୍ବାପର ଦେଖନ୍ତୁ , ରାକ୍ଷସ ଓ ଭଗବାନ ଦୁଇ ଅକ୍ଷରର ସମଷ୍ଟି । ରାକ୍ଷସ ହେଲା କଂସ ଓ ତାକୁ ବଧ କରିଥିବା ଭଗବାନ ହେଉଛନ୍ତି କୃଷ୍ଣ । ଏବେ କଳି ଦେଖନ୍ତୁ , ସବୁ ଏକ ଅକ୍ଷର ସମଷ୍ଟି । କଳି ଯୁଗର ରାକ୍ଷସ ହେଉଛି ନିଜର ଅହଂତ୍ବ ଅର୍ଥାତ "ମୁଁ" ଏବଂ ଏହି "ମୁଁ"କୁ ବଧ କରିବାକୁ ଜଣେ ଭଗବାନ ହିଁ ଅଛନ୍ତି , ସେ ହେଲେ ଏକାକ୍ଷରୀ ବ୍ରହ୍ମ "ଓଁ" । ତେବେ ଦେଖନ୍ତୁ ସବୁକିଛି ସମ ପରିମାଣରେ ହ୍ରାସ ପାଇ ଆସିଛି । ସତ୍ଯ , ତ୍ରେତା , ଦ୍ବାପର ଓ କଳି ନାମ୍ନୀ ଏହି ଚ଼ତୁର୍ଯୁଗକୁ ଯଥାକ୍ରମେ ସ୍ବର୍ଣ୍ଣ , ରୌପ୍ୟ , କାଂସ୍ୟ ଓ ଲୌହ ସହ ତୁଳନା କରାଯାଇଛି । ଶାସ୍ତ୍ର କହେ ପ୍ରତ୍ୟେକ ଯୁଗର ଶେଷରେ ମହାପ୍ରଳୟ ଆସି ଯୁଗର ପରିସମାପ୍ତି ଘଟେ ।
ଶ୍ରୀମଦ୍ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ପାର୍ଥଙ୍କୁ ବୁଝାଇଛନ୍ତି -
"ଯଦା ଯଦା ହି ଧର୍ମସ୍ଯ ଗ୍ଲାନିର୍ଭବତି ଭାରତଃ
ଅଭ୍ଯୁଥାନମଧର୍ମସ୍ଯ ତଦାତ୍ମାନଂ ସୃଜାମ୍ଯହମ୍
ପରିତ୍ରାଣାୟ ସାଧୁନାଂ ବିନାଶାୟ ଶ୍ଚ ଦୁଷ୍କୃତାମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।"
ଅର୍ଥାତ ଯେତେବଳେ ଧର୍ମର ହାନି ଘଟି ଅଧର୍ମର ରାଜୁତି ଚ଼ାଲିଲା ପରେ ଧରାଧାମ ଦୁଃଖ , କ୍ଳେଶ ଓ ଯନ୍ତ୍ରଣାରେ ଜର୍ଜରିତ ହୋଇପଡ଼େ , ଦୂରାଚ଼ାରୀଙ୍କ ଆଧିପତ୍ୟ ବିସ୍ତାର ହୁଏ ଆଉ ଅରାଜକତା ସବୁ ସୀମା ଲଙ୍ଘନ କରେ ସେତେବେଳେ ମୁଁ ଧରାରେ ଜନ୍ମ ନିଏ ଆଉ ଅସାଧୁ ତଥା ଦୂରାଚ଼ାରୀଙ୍କୁ ନିହତ କରି ସାଧୁ ମାନଙ୍କୁ ପରିତ୍ରାଣ ଅର୍ଥାତ ସାଧୁଙ୍କର ଦୁଃଖ ଓ ଯନ୍ତ୍ରଣାକୁ ନିବାରଣ କରି ତାଙ୍କୁ ସ୍ବାଚ୍ଛନ୍ଦରେ କାଳାତିପାତ କରିବାକୁ ସୁଯୋଗ ଦିଏ ଏବଂ ପୁନଃ ଧର୍ମ ସ୍ଥାପନ କରେ । ମୋ' ଜନ୍ମ ପରେ ଏକ ଯୁଗର ପରିସମାପ୍ତି ହୁଏ ବୋଲି ବି ସେ ପାର୍ଥଙ୍କୁ ଏକାନ୍ତରେ କହିଥିଲେ ।
ପୁରାଣରେ ଚ଼ାରି ପ୍ରକାର ପ୍ରଳୟ ଯଥା - ନିତ୍ଯ , ନୈମିତ୍ତିକ , ପ୍ରାକୃତ ଓ ଆତ୍ଯନ୍ତିକ ଉଲ୍ଲେଖ ଅଛି । ଆତ୍ଯନ୍ତିକ ପ୍ରଳୟଟି ସବୁଠାରୁ ଜଟିଳ ଅଟେ । ଜ୍ଞାନ ପ୍ରାପ୍ତ ପାଇଁ ଯୋଗୀ ମାନଙ୍କର ପରମାତ୍ମାଙ୍କ ସହିତ ବିଲୀନ ହେବା ହେଉଛି ଆତ୍ଯନ୍ତିକ ପ୍ରଳୟ । ଜୀବ ଓ ବସ୍ତୁର ପ୍ରାତ୍ଯହିକ ବିନାଶକୁ ନିତ୍ଯ ପ୍ରଳୟ କହନ୍ତି ଓ ଏହାଛଡ଼ା ସୁସୁପ୍ତି ବା ନିଦ୍ରାକୁ ମଧ୍ୟ ଏହି ପ୍ରଳୟ ଭାବେ ଉଲ୍ଲେଖ ଅଛି । ନୈମିତ୍ତିକ ପ୍ରଳୟ ହେଉଛି ବ୍ରହ୍ମ ପ୍ରଳୟ । ଏକ କଳ୍ପାନ୍ତେ ବ୍ରହ୍ମାଙ୍କ ପରି ଏକ ସମୟକାର ଯାହାଙ୍କ ପୂର୍ଣ୍ଣ ରୂପଟି ସହସ୍ର ଚ଼ତୁର୍ଯୁଗ ଆଉ ତା' ମଧ୍ୟରୁ ଏକ ଦିବା ଭାଗର ଅବସାନ ହେଲେ ତିନିଲୋକ ବିନାଶ ହୁଏ । ଏହାକୁ ନୈମିତ୍ତିକ ପ୍ରଳୟ କହନ୍ତି । ଏହାର ଅନ୍ଯ ନାମ ହେଲା "ଖଣ୍ଡ ପ୍ରଳୟ" । ଏ ପ୍ରଳୟ ସମୟେ ବ୍ରହ୍ମା ସମଗ୍ର ତ୍ରିଲୋକକୁ ତାଙ୍କର ସ୍ବ ଚ଼କ୍ଷୁରେ ରଖିଥା'ନ୍ତି , ଯେହେତୁ ଆଖିଠୁ ବଳି ସୁରକ୍ଷିତ ବନ୍ଦିଶାଳା ଆଉ କେଉଁଠି ନାହିଁ ; ଆଖି କାରାଗାରରୁ ମୁକୁଳିବା ସହଜସାଧ୍ୟ ନୁହେଁ ଜମା । ଠିକ୍ ସେପରି ବ୍ରହ୍ମାଙ୍କ ଆଖିରେ ତ୍ରିଲୋକ ସୁରକ୍ଷିତ ରହେ ସ୍ଥିର ଭାବରେ ଓ ନିୟମିତ ଭାବରେ ; ସେଇଠି ଚ଼ାଲିଥାଏ ଭଙ୍ଗାରୁଜା । ପ୍ରାକୃତ ପ୍ରଳୟଟି ଆତ୍ଯନ୍ତିକ ପ୍ରଳୟ ସମ ଅନେକାଂଶରେ ତାତ୍ତ୍ୱିକ ପ୍ରଳୟ । ସମଗ୍ର ସୃଷ୍ଟି ଯେତେବେଳେ ପ୍ରକୃତିରେ ଲୀନ ହୋଇଯାଏ , ସେହି ବିନାଶକୁ କୁହାଯାଏ ପ୍ରାକୃତ ପ୍ରଳୟ । କାଳ ଏହି ପ୍ରଳୟଟି ଅଗ୍ନି ରୂପ ହୋଇ ଘଟାଇଥାଏ ।
ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଏହି ଚ଼ାରିଯୁଗ ବିଷୟରେ ବାସ୍ତବତାକୁ ଲକ୍ଷ୍ଯ କଲେ ଅବିକା ଅନୁମେୟ ଯେ ଈଶ୍ବର ବୋଲି ଏକ ଅଦୃଶ୍ୟ ଶକ୍ତି ହିଁ ଏ ଜୀବଜଗତ ତଥା ଏ ସୃଷ୍ଟି ପାଇଁ କାର୍ଯ୍ୟ କରୁଛନ୍ତି । ଧର୍ମ ବୋଲି ସଂସାରରେ କିଛି ଅଛି ; ଧର୍ମକୁ ଅବିଶ୍ବାସ କରି ଜାଣି ଜିହ୍ବା ଚ୍ଛେଦନ କରିବା ଅନୁଚିତ । ଯଦି ସର୍ବତ୍ର ଧର୍ମମୟ ହୋଇଯିବ ତେବେ କେବଳ ଗୋଟିଏ ଯୁଗ "ସତ୍ଯଯୁଗ" ହିଁ ପ୍ରଚ଼ଳିତ ହେବ ; ଅହଂତ୍ବକୁ ଦୂରୀଭୁତ କଲେ ସର୍ବତ୍ର ସୌଖ୍ଯ ପ୍ରାପ୍ତ ହେବ । ନହେଲେ ଆଉ ବେଶି ଡ଼େରି ନୁହେଁ ଏ ଭୟାନକ କଳି ଯୁଗର ପରିସମାପ୍ତିକୁ ; ଧିରେ ଧିରେ ବିପଦ ଆଖିଠାର ମାରିଲାଣି । ଠାର ବୁଝି ପାରିଲେ ଅଧର୍ମର ଗତି ତୀବ୍ରରୁ ହ୍ରାସ ହୋଇପାରିବ । ପ୍ରକୃତି ତା'ର ତାଣ୍ଡବ ଲୀଳା ରଚ଼ିବ ବା କାହିଁକି ? ଆମେ ଯଦି ଭାଇଚ଼ାରାର ସମ୍ପର୍କରେ ବାନ୍ଧି ହୋଇଯିବା ଆଉ ଅହଂତ୍ବକୁ ଦୂରେଇ ପରସ୍ପର ପ୍ରତି ସ୍ନେହ , ଶ୍ରଦ୍ଧା ,ଭଲପାଇବା ପ୍ରଦର୍ଶନ କରିପାରିବା ତେବେ ଏ କଳି ଯୁଗରେ ପ୍ରଳୟ ନ ଆସି ଆପେ ଆପେ ସତ୍ଯ ଯୁଗ ବିରାଜିତ ହେବ । ଆସନ୍ତୁ ନା , ଗଢ଼ିବା ପ୍ରେମର ମହଲ , ସୃଷ୍ଟିି କରିବା ଭାଇଚ଼ାରାର ସମ୍ପର୍କ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment