ସୋମନାଥ ବ୍ରତ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                  ସମ୍ପାଦକ - ଉଦୟ ଭାନୁ 

     ସୋମନାଥ ହେଉଛନ୍ତି ସ୍ବୟଂ ଶିବ । ସୋମର ଅର୍ଥ ଚନ୍ଦ୍ର  ; ନାଥର ଅର୍ଥ ସ୍ବାମୀ ବା ପ୍ରଭୁ । ସ୍ବୟଂ ଶଙ୍କର ସ୍ବ-ଶୀରରେ ଚନ୍ଦ୍ରଙ୍କୁ ଧାରଣ କରି ଚନ୍ଦ୍ରଙ୍କର ପ୍ରଭୁ ବୋଲି ପରିଚୟ ପ୍ରଦାନ କରିଛନ୍ତି । ସେ ଚନ୍ଦ୍ରଙ୍କୁ ନିଜର ଶୀରରେ ସ୍ଥାନ ପ୍ରଦାନିଥିବାରୁ ସୋମନାଥ ନାମ ଧାରଣ କରି ସଂସାରରେ ବିଦିତ । ଦ୍ବାଦଶ ଜ୍ଯୋତିର୍ଲିଙ୍ଗ ମଧ୍ଯରେ ସୋମନାଥଙ୍କ ସ୍ଥାନ ଅଛି । ସେ ପ୍ରଭାସ ତୀର୍ଥର ଅଧିଶ୍ବର ଅଟନ୍ତି । ଭାରତର ପ୍ରତିଚୀ ଦିଶେ ଆରବ ସାଗର ସୈକତରେ ସୋମେଶ୍ୱର ଜ୍ଯୋତିର୍ଲିଙ୍ଗ ପୂଜା ପାଇ ଆସୁଛନ୍ତି । ପ୍ରଭୁ ଶ୍ରୀ ସୋମନାଥଙ୍କ ପ୍ରୀତ୍ଯର୍ଥେ ଭାଦ୍ରବ ମାସ ଶୁକ୍ଳପକ୍ଷ ଠାରୁ ଆଶ୍ବିନ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ସୋମନାଥଙ୍କର ବ୍ରତକୁ ପାଳନ କରା ଯାଇଥାଏ । ପଶ୍ଚିମ ସୋମନାଥ ଏ ବ୍ରତର ଆରାଧ୍ଯ ଅଟନ୍ତି । ସ୍ବୟଂ ଶଙ୍କର ଏ ବ୍ରତର ବକ୍ତା ବନିଥିବା ବେଳେ ମାତା ପାର୍ବତୀ ଶ୍ରୋତା । ଓଡ଼ିଶାର ପୁରପଲ୍ଲୀରେ ମହିଳାମାନେ ଶ୍ରଦ୍ଧା ଓ ନିଷ୍ଠାରେ ଏହି ବ୍ରତଟିକୁ ପାଳନ କରିଥାଆନ୍ତି । 

     ପ୍ରତ୍ଯୁଷରୁ ତଳ୍ପ ତେଜି ଅପମାରଙ୍ଗ ଦନ୍ତକାଷ୍ଠରେ ଦନ୍ତ ମଞ୍ଜନ କରି ହଳଦି ବାଟି ବା ମେଥି ବାଟି ଶରୀରରେ ଲେପନାନ୍ତେ ସ୍ନାନ କରିଥା'ନ୍ତି ଏବଂ ବ୍ରତଧାରିଣୀ ଶୁଭ୍ର ଶୁକ୍ଳ ବସ୍ତ୍ର ପରିଧାନ ପୂର୍ବକ ଶ୍ରୀ ସୋମନାଥ ଦେବଙ୍କର ବ୍ରତ ପୂଜନରେ ଲାଗି ପଡ଼ନ୍ତି । ପଞ୍ଚବର୍ଣ୍ଣୀ ମୁରୁଜରେ ଚିତା ଅଙ୍କନ କରି ତହିଁ ପରେ କାଷ୍ଠାସନଟେ ପକାଇ ଦଶଟି ଅକ୍ଷତ, ଦୁର୍ବା ସ୍ଥାପନ କରି ଓ ଦଶଖିଅ ସୂତାରେ ପ୍ରସ୍ତୁତ ବ୍ରତକୁ ସେହି କାଷ୍ଠ ଆସନରେ ରଖି କଖାରୁ ଫୁଲ ସହିତ ଦଶବର୍ଣ୍ଣ ଫୁଲ, ଫଳ ରଖି ସୋମନାଥଙ୍କ ପୂଜା କରିବାକୁ ହୁଏ । ପୂଜାନ୍ତେ ବ୍ରତ ଧାରଣ କରିବାକୁ ପଡ଼ିଥାଏ । ଏତଦ୍ବାରା ସପରିବାର ସୋମନାଥଙ୍କର କଲ୍ଯାଣ ପ୍ରାପ୍ତ କରନ୍ତି ବୋଲି ସମୂହ ବିଶ୍ବାସ ଅଛି । ଶିବଙ୍କର ବିଭିନ୍ନ ନାମ ଜପ ପୂର୍ବକ ଭାଦ୍ର ଷଷ୍ଠୀରେ ପ୍ରାରମ୍ଭ ଏବଂ ଦଶହରା ଦିବସରେ ଉଦ୍‌ଯାପନ । ସୋମନାଥ ବ୍ରତ କଥାରେ ପ୍ରଭୁଙ୍କର ମାହାତ୍ମ୍ୟ ବା ବ୍ରତର ମାହାତ୍ମ୍ୟ ବିସ୍ତୃତ ବର୍ଣ୍ଣିତ । ଶ୍ରୀ ସୋମନାଥଙ୍କୁ ସକ୍ଷମାନୁସାରେଣ ପଞ୍ଚୋପଚାରରେ ପୂଜାନ୍ତେ ବ୍ରତ ପଠନ ଓ ଶ୍ରବଣ କରାଯାଇଥାଏ ।

             ମାଳବ ଦେଶର ପାଟଳୀ ନଗରର ରାଜା ବୀର ବିକ୍ରମ ଯିଏକି ବିତ୍ତଶାଳୀ ଓ ପ୍ରତାପୀ ଥିଲେ । ରାଜାଙ୍କର ଥିଲା ବାଉନ କୋଟି ଭଣ୍ଡାର । ଏକଦିନକର ଘଟଣା ; ଷାଠିଏ ଜଣ କାପୁଡ଼ିଆ ବା ସନ୍ନ୍ଯାସୀମାନେ ସୋମନାଥ ଦେବଙ୍କ ଦର୍ଶନାର୍ଥେ ଆଗମିଲେ । ବାହୁଡ଼ା ବାଟରେ ସେ ପହଞ୍ଚିଲେ ରାଜା ବିକ୍ରମାଦିତ୍ୟଙ୍କ ରାଜ୍ଯରେ । ରାଜାଙ୍କ ସହ ଭେଟି ତାଙ୍କର ଆତିଥ୍ଯତା ସ୍ବିକାର କଲେ ; ଖାଦ୍ଯ ପେୟ ଅନ୍ତେ ରାଜା ପାନ ଦେଲେ ତାଙ୍କୁ । ସୋମନାଥଙ୍କ ବ୍ରତ ଥିବାରୁ କାପୁଡ଼ିଆଗଣ ପାନ ପରିବର୍ତ୍ତେ କଷାଫଳ ମଗାଇଲେ ଏବଂ ରାଜାଙ୍କ ବରାଦରେ ତାହା ଆସିଗଲା ବି । ରାଜାଙ୍କ ଅତିଥି ଚର୍ଚ୍ଚାରେ ତୃପ୍ତି ଲାଭ କରି ରାଜାଙ୍କ କଲ୍ଯାଣାର୍ଥେ ତାଙ୍କୁ ସୋମନାଥ ବ୍ରତ ପାଳନର ଉପଦେଶ ପ୍ରଦାନିଲେ । ବ୍ରତର ବିଧି ବର୍ଣ୍ଣିଲେ ରାଜାଙ୍କ ସମ୍ମୁଖେ । ସେମାନେ ରାଜାଙ୍କୁ କହିଲେ -"ହେ ମହାରାଜନ୍‌ ! ମାଣୁଟିଏ ତଣ୍ଡୁଳରେ ଏ ବ୍ରତ ପାଳନ ।" ରାଜା କହିଲେ -" ମୁଁ ଅତୁଳ ବିତ୍ତାଧିକାରୀ , ମାଣୁଟିଏ ତଣ୍ଡୁଳରେ ବ୍ରତ ପାଳିଲେ ମୋର ପାତ୍ର ମନ୍ତ୍ରୀ ସମ୍ମୁଖରେ ମୋତେ ନିନ୍ଦିତ ହେବାକୁ ପଡ଼ିପାରେ।" ଏତକ ଶ୍ରବଣେ କାପୁଡ଼ିଆଙ୍କ ମୁଖମଣ୍ଡଳ ମଳିନ ପ୍ରାୟ । ବ୍ରତକୁ ନିନ୍ଦା କରିବାରୁ ଶଙ୍କରାସନ ଟଳମଳ ହେଲା । ସେ କୋପିତ ହେବାରୁ ରାଜାଙ୍କୁ କୁଷ୍ଠରୋଗ ହୋଇଯିବାରୁ ରାଜା ନିଜର ମନ୍ତ୍ରୀ ସମୀଗ୍ରହାଙ୍କୁ କହିଲେ -"ରାଜ୍ଯ ତୁମ୍ଭେ ସମ୍ଭାଳି ରାଣୀମାନଙ୍କୁ ଓ ପ୍ରଜାଙ୍କୁ ରକ୍ଷା କରିବ । ମୋ ଶରୀର କ୍ଷମା ହୋଇଲେ ମୁଁ ରାଜ୍ଯାଭିମୁଖୀ ହୋଇବି ।" ପୁଅ ବୀରଭଦ୍ରଙ୍କ ସହିତ ରାଜା ବିକ୍ରମାଦିତ୍ୟ ଦେଶାନ୍ତର ହୋଇଲେ । ଅର୍ଦ୍ଧପଥେ ଧନରତ୍ନ ଡ଼କାୟତି ହୋଇଯିବାରୁ ନିରାହାର ହୋଇଗଲେ ପିତା ଏବଂ ପୁତ୍ର  । କ୍ରମେ ବୃଦ୍ଧିପ୍ରାପ୍ତ କଲା ବ୍ଯାଧି । ହସ୍ତ ପାଦ ଛିଡ଼ି ପଡ଼ିଲା ରାଜାଙ୍କର । ପୁତ୍ର ବୀରଭଦ୍ର ଭିକ୍ଷାବୃତ୍ତିକୁ ଆପଣାଇ ପିତାଙ୍କୁ ପ୍ରତିପୋଷଣ କରୁଥାଏ । ବୀରବିକ୍ରମଙ୍କର ଏ ଦୁର୍ଦ୍ଦଶା ସମୀଗ୍ରହାଙ୍କର ଡ଼ଗର ନୟନରେ ପତିତ ହେଲାରୁ ସେ ଯାଇ ଜଣାଇଲା ମନ୍ତ୍ରୀ ସମୀଗ୍ରହାଙ୍କୁ । ସେ ଖେଦ ପ୍ରକାଶ ବଦଳରେ ପ୍ରଚୁର ପ୍ରୀତ ହୋଇ ରାଣୀ ଓ ରାଜକୁମାରୀଙ୍କୁ କୁଟୀର ତୋଳାଇ ରଖାଇ ଦେଲେ ଏବଂ ସ୍ବୟଂ ରାଜନବରର ବାସିନ୍ଦା ହେଲେ । ରାଣୀ ଓ ରାଜକୁମାରୀ ଧାନ କୁଟି , ସୂତା କାଟି ଉଦର ପୋଷଣ କରିଲେ ।

         ପରବର୍ଷ ପୁନଃ ପ୍ରବେଶିଲେ କାପୁଡ଼ିଆମାନେ ସେହି ସୋମନାଥ ବ୍ରତର ଦିନରେ ହିଁ । ରାଜାଙ୍କ ବେଦନା କର୍ଣ୍ଣପାତ ହେବା କ୍ଷଣି ମାନସେ ବିଷାଦ ପ୍ରାପ୍ତ କଲେ । ସେମାନେ ହାଟରେ ସୌଦା କ୍ରୟ କରିବା କାଳରେ ବ୍ରାହ୍ମଣୀଗଣ ତାଙ୍କଠୁଁ ବ୍ରତର ବିଷୟ ପୁଚ୍ଛି ଶ୍ରବଣ କଲେ । ରାଜା ବୀର ବିକ୍ରମାଦିତ୍ୟଙ୍କ କନ୍ଯା ମଧୁମତୀ ଏସନେକ କଥା ଶ୍ରବଣାନ୍ତେ ରାଣୀ ପାଶରେ ଉପସ୍ଥାପନ କରନ୍ତେ ରାଣୀ ସମୀଗ୍ରହାଙ୍କଠୁଁ ବ୍ରତ ସାମଗ୍ରୀ ମଗାଇଲେ  ; କିନ୍ତୁ ବ୍ଯର୍ଥ ହେଲେ ଓ ବ୍ଯଥା ପ୍ରାପ୍ତ କଲେ । ପରିଶେଷରେ ବ୍ରାହ୍ମଣ ମାନଙ୍କଠାରୁ ସଂଗ୍ରହ କରି ବ୍ରତ ବିଧାନେ ପୂଜା କଲେ । ସୋମନାଥଙ୍କ କୃପା ହେବାରୁ ସେ ଦର୍ଶନ ଦେଇ କହିଲେ - "ଅପରାଜିତା ଦିନ ତୁ ମୋର ବ୍ରତ କଲୁ  ; ତେଣେ ରାଜନଙ୍କର ଗୋଡ଼ ହାତ କଅଁଳିଲାଣି । ଏବେ ତୁମ୍ଭର ସମସ୍ତ ଦୋଷ ମାର୍ଜନା କରିଲି ।"

        ଫେରି ଆସିଲା ବୀର ବିକ୍ରମଙ୍କର ପରାକ୍ରମଣ ଏବଂ ସ୍ବାସ୍ଥ୍ୟରେ ଘଟିଲା ଅହେତୁକ ଉନ୍ନତି । ସେ ପୁତ୍ର ସହିତ ଫେରି ଆସିଲେ ନିଜ ରାଜ୍ଯକୁ  ; ନଗରବାସୀ ଓ ପରିଚାରମାନେ ପାଛୋଟି ଆଣିଲେ ତାଙ୍କୁ । ରାଜା ନବର ପ୍ରତ୍ଯାବର୍ତ୍ତନ ପରେ ସର୍ବ ବାର୍ତ୍ତା ଜ୍ଞାତ କଲେ । ପରିଶେଷେ ମନ୍ତ୍ରୀ ସମୀଗ୍ରହା ଉପଯୁକ୍ତ ଦଣ୍ଡ ବିଧାନ ଭୋଗ କଲେ ଏବଂ ରାଣୀ, ରାଜକୁମାରୀ ଓ ତାଙ୍କ ସହାୟତାକାରୀମାନେ ସୁଦିନକୁ ସ୍ବଚକ୍ଷୁରେ ଦର୍ଶନ କଲେ । ରାଜା ବୁଝିଲେ ବ୍ରତର ମହିମା । ଏ ବ୍ରତ "ସାମବେଦ"ରୁ ଆନୀତ  ; ଏହା ମାତ୍ର ଲୌକିକ ବ୍ରତ । ଓଡ଼ିଶାର ଅନ୍ଯତ୍ର ସଂସ୍କୃତ ଭାଷାରେ ରଚିତ ଏ ବ୍ରତ ମିଳେ । ସୋମନାଥ ବ୍ରତ କଥାର ବିଷୟବସ୍ତୁ ଏହାଠୁଁ ଭିନ୍ନ କିନ୍ତୁ ବହୁଳ ପ୍ରଚାରିତ ନୁହେଁ  । ଏ। ବ୍ରତ ଦିନ ଏହି ଉପରେ ବର୍ଣ୍ଣିତ କଥା ହିଁ ସାଧାରଣ ଭାବରେ ପଢ଼ାହୁଏ , ଶୁଣାହୁଏ । ପ୍ରତି ପୁରପଲ୍ଲୀରେ ପ୍ରଚଳିତ ଏ ବ୍ରତ ।

            ଅନ୍ଯ ଏକ କାହାଣୀ ଅନୁସାରେଣ -"କାପୁଡ଼ିଆମାନେ ରାଜାଙ୍କ ଆତିଥ୍ଯେୟତାରେ ସୁସନ୍ତୁଷ୍ଟ ହୋଇ ସୋମନାଥ ବ୍ରତ କରିବାର ଉପଦେଶ ଦିଅନ୍ତେ ତ ରାଜା "ଏ ବ୍ରତ କଲେ ମୁଁ ପାତ୍ର ମନ୍ତ୍ରୀ ସମ୍ମୁଖେ ନିନ୍ଦିତ ହେବି" କହିବାରୁ କାପୁଡ଼ିଆମାନେ କୋପିତ ହୋଇ "କୁଷ୍ଠରୋଗ ପ୍ରାପ୍ତ କର"ର ଶାପ୍ଯ ପ୍ରଦାନିଥିଲେ  ; ଫଳତଃ ଶାପ୍ଯ ଭୋଗ ସ୍ବରୂପ ରାଜନ କୁଷ୍ଠରୋଗାକ୍ରାନ୍ତ ହୋଇ ଗଳିତାଙ୍ଗ ହେବା ବେଳକୁ ସନ୍ନ୍ଯାସୀ ମାନଙ୍କ ଶାପ୍ଯ ସମ୍ବାଦ ସ୍ମରଣକୁ ଅଇଲା । ରାଜା ବିକ୍ରମାଦିତ୍ୟ ପ୍ରଭାସ କ୍ଷେତ୍ରକୁ ଗମନ କରି ସେଠି ଘଞ୍ଚାରଣ୍ଯ ଗର୍ଭରେ ରହି ଏହି ବ୍ରତ ପାଳନ କରି ଆରୋଗ୍ୟତା ପ୍ରାପ୍ତାନ୍ତେ ମହାଦେବ ସୋମନାଥଙ୍କ ଦର୍ଶନ କରି କୃତକୁତ୍ଯ ହୋଇଥିଲେ ।" ତେଣୁ ସୋମନାଥ ବ୍ରତକୁ ସମସ୍ତେ ସଶ୍ରଦ୍ଧେ ବିଧିବିଧାନାନ୍ତେ ପାଳିଥାଆନ୍ତି ।

       ପ୍ରତ୍ଯହ ବ୍ରତ ପାଳି ବ୍ରତ କଥା ଶୁଣନ୍ତି  । ଉଦ୍‌ଯାପନ ଦିବସରେ ବ୍ରାହ୍ମଣ ମାନଙ୍କ ହସ୍ତରେ ପୂଜାର୍ଚ୍ଚନା କରାଇବା ସହିତ ନାନାବିଧ ନୈବେଦ୍ଯ ଅର୍ପଣ କରି କଲ୍ଯାଣ ଆବାହନ କରନ୍ତି  । ବିଶ୍ବାସ ରହିଛି ଏ ବ୍ରତ ଦ୍ବାରା ଭାଗ୍ଯ ବୃଦ୍ଧି ହୁଏ  ; ତେଣୁ ଓଡ଼ିଆ ଘରେ ସୋମନାଥ ବ୍ରତ ଶ୍ରଦ୍ଧା,ଭକ୍ତି ଓ ନିଷ୍ଠାର ସହ ପାଳିତ ହୁଏ ।

          ଏ ବ୍ରତକୁ ଅନ୍ଯ ଏକ କଥାନୁସାରେ ବି ବର୍ଣ୍ଣନା କରାଯାଇଛି । ଦିନେ କୈଳାସ କନ୍ଦରେ ଦେବୀ ପାର୍ବତୀ ପରମେଶ୍ବର ଶଙ୍କରଙ୍କୁ ପୁଚ୍ଛିଲେ - "ହେ ପରମେଶ୍ବର ! ତୁମ୍ଭେ କହିଛ ମତେ ଅନେକ ବ୍ରତ ଓ ତା'ର ବିଧାନମାନ । ତୁମ୍ଭର ସୋମନାଥ ବ୍ରତ କଥା ତ କେବେ ମଧ୍ୟ କହିନାହଁ  ; ମୋତେ କହିବା ହୁଅନ୍ତୁ ।" ବ୍ରତ ବଖାଣିଲେ ଶଙ୍କର୍ଷଣ । "ହେ ପାର୍ବତୀ ! ତୀର୍ଥମାନଙ୍କ ମଧ୍ଯରେ ପ୍ରୟାଗ, ନଦୀ ମାନଙ୍କ ମଧ୍ୟେ ଗଙ୍ଗା ଯେପରି ଶ୍ରେଷ୍ଠ  ; ସେପରି ମୋର ଏ ସୋମନାଥ ବ୍ରତ ଶ୍ରେଷ୍ଠ ଅଟେ । ଏ ବ୍ରତ କଲେ ଯଶ, ଆୟୁ, ବିତ୍ତ ଓ ପୁତ୍ର ପ୍ରାପ୍ତ ହୁଏ । ମୋର ଏ ବ୍ରତ  ଅନୁଗ୍ରହରୁ ନିଷ୍କଣ୍ଟକ ରାଜ୍ଯଭୋଗ ମିଳେ ।" ପାର୍ବତୀ ପୁନରାୟ ପ୍ରଶ୍ନ କଲେ  -"ଏ ବ୍ରତ ନିୟମ ମତେ କହିବା ହୁଅନ୍ତୁ ନାଥନ । କିଏ କେବେ ଏ ବ୍ରତ ମର୍ତ୍ତ୍ୟକୁ ଆଣିଲା ଓ ମର୍ତ୍ତ୍ୟରେ ପ୍ରଚାର କରିଲା ବୁଝାଇ କୁହନ୍ତୁ ।" ଇଶ୍ବର ବର୍ଣ୍ଣିଲେ ବ୍ରତ ବିଷୟ ।

         ପୂର୍ବକାଳେ ଏକୋଇ ବେଦଭ୍ଯାଷୀ ବ୍ରାହ୍ମଣଟିଏ ଥିଲା ଯିଏ ବହୁ କୁଟୁମ୍ବଯୁକ୍ତ ଦରିଦ୍ର ଅଟେ । ଏତେ ଉଦର ପ୍ରତିପୋଷଣ କରିବାର ଅକ୍ଷମତା ହେତୁ ପତ୍ନୀ ଦ୍ବାରା ଗାଳି ଖାଇବା ପରେ ମନ ମଧ୍ଯେ ଚିନ୍ତା କଲା ପୂର୍ବ ଜନ୍ମରେ ଶିବ ସେବି କାହିଁକି ତୋଷ ନକରିଲି ତାଙ୍କୁ ? ବୋଧହୁଏ ସେହି କାରଣରୁ  ଏପରି ଅବସ୍ଥା ମୋର । ଶିବଙ୍କର ବ୍ରତ ଆଚରଣ କରିବାର ଦୃଢ଼ ନିଷ୍ପତ୍ତି ନେଇ ପତ୍ନୀ ପାଶେ ବେଇଲା ବ୍ରାହ୍ମଣ  -" ସୋମନାଥଙ୍କୁ ନଦେଖିବା ଯାଏଁ ମୁଁ ନିରାହାର ରହିବି । ମୋ ପାଖରେ ତ କିଛି ନାହିଁ, କ'ଣ ନେବି ତାଙ୍କ ପାଇଁ  ; କେଉଁ ପ୍ରକାରରେ ମନୋରଥ ମୋର ସିଦ୍ଧ କରିବି ?" ଏହା ଶୁଣି ପ୍ରୀତ ହେଲା ବ୍ରାହ୍ମଣୀ । ସେ କହିଲା -" ନାଥ ! ବହୁଦିନୁ ସଞ୍ଚିଛି ମୁଁ ତଣ୍ଡୁଳ କଣିକାମାନ କିଛି ଏବଂ ବିରି ମଧ୍ଯ ସଞ୍ଚି ରଖିଛି । ଦୁହିଁଙ୍କୁ ମିଶାଇ ସାତଟି ପିଠା କରିବି ; ତୁମ୍ଭେ ତାହାକୁ ନେଇ ସୋମନାଥଙ୍କୁ ଦେବ ।" ବ୍ରାହ୍ମଣୀର କହିବାନୁସାରେ ସାତଗୋଟି ପିଠା ପ୍ରସ୍ତୁତ କଲା । ତାକୁ ପୁଡ଼ା ବାନ୍ଧି ବ୍ରାହ୍ମଣ ହସ୍ତରେ ଦେଇ କହିଲା - "ହେ ପତିଦେବ ! ଏହାକୁ କୁଶଳରେ ନିଅ ଓ ମନୋରଥ ସିଦ୍ଧ କରି ଫେର ଘରକୁ ଯଥାଶିଘ୍ର ।

         ମହାପ୍ରୀତେ ଚଳିଗଲା ବ୍ରାହ୍ମଣ  ; ଭେଟିଲା ଅର୍ଦ୍ଧପଥେ ମିତ୍ରକୁ ତାହାର । ମିତ୍ରକୁ ଦେଖି ମିତ୍ର ପ୍ରୀତ ହେଲା ଏବଂ ପଚାରିଲା -" ହେ ମିତ୍ର ! ଗମନ କେଉଁଆଡ଼େ ?" ମିତ୍ରକୁ ବ୍ରାହ୍ମଣର ଉତ୍ତର ଥିଲା -" ସୋମନାଥଙ୍କ ଦର୍ଶନାଭିପ୍ରାୟେ ବାହାରିଛି ।" ମିତ୍ର ବଚନ ଶୁଣି ମିତ୍ରଟି କହିଲା ସେ ବି ସଙ୍ଗତେ ସୋମନାଥଙ୍କର ଦର୍ଶନରେ ଯିବ । ଦୁହେଁ ଆରମ୍ଭିଲେ ଯାତ୍ରା  ; ବିଗତ ହୋଇଲା ସାତଦିନ । ମିତ୍ରଟି କ୍ଷୁଧାର୍ତ୍ତ ହୋଇ ବ୍ରାହ୍ମଣକୁ କହିଲା -"ହେ ମିତ୍ର ! ପିଠା ପରି ଲାଗୁଥିବା ତୁମ୍ଭ ହସ୍ତରେ କ'ଣ ଅଛି ? ସତ କୁହ କ୍ଷୁଧା ଯନ୍ତ୍ରଣା ମୋର ଅସହ୍ୟ ପ୍ରାୟ । ଯଦି ତୁମ୍ଭର ଇଚ୍ଛା ଅଛି ତୁମ୍ଭ ମିତ୍ରର ଜୀବନ ରହୁ  ; ତେବେ ଏ ପିଠା ମୋତେ ଦେଇ ମୋର ପ୍ରାଣ ରକ୍ଷା କର ।" ଏହା ଶୁଣି ବ୍ରାହ୍ମଣ ବାରଣ କରି କହିଲା -"ହେ ମିତ୍ର ! ଏ ପିଠା ମୋର ପତ୍ନୀ ଶ୍ରୀ ସୋମନାଥଙ୍କୁ ଦେବା ପାଇଁ ଦେଇଛନ୍ତି । ମୁଁ ସୋମନାଥଙ୍କୁ ଦେବା ପାଇଁ ହିଁ ନେଉଛି ।" ଏହା ଶୁଣି ମିତ୍ର ବ୍ରାହ୍ମଣଠାରୁ ସେହି ପିଠା ପୁଡ଼ାକୁ ଜୋରଜବରଦସ୍ତ ଛଡ଼େଇବାକୁ ଚେଷ୍ଟା କଲା । ଛଡ଼େଇ ଆଣି ବ୍ରାହ୍ମଣର ହସ୍ତରୁ ପିଠାକୁ ଭାଙ୍ଗି ପକାଇଲା । ସାତଟିଯାକ ପିଠା ସ୍ବର୍ଣ୍ଣ ଧାତୁରେ ରୂପାନ୍ତରିତ । ମନ ଆନନ୍ଦିତ ହୋଇଗଲା ଓ ସେ ବ୍ରାହ୍ମଣକୁ କହିଲା -" ଏବେ ଆମ କାର୍ଯ୍ୟ ସଫଳ ହୋଇଛି ;ଚାଲ, ଫେରିଚାଲ ଏବେ ଘରକୁ ମିତ୍ର ।" ବ୍ରାହ୍ମଣର କିନ୍ତୁ ନାସ୍ତି ସୂଚକ ଉତ୍ତର -" ନା, ମୁଁ ପ୍ରତିଜ୍ଞାବଦ୍ଧ ମିତ୍ର ; ସୋମନାଥ ଦେବଙ୍କୁ ଦର୍ଶନ କରିବି । ପିଣ୍ଡରେ ପରାଣ ପୂର୍ଣ୍ଣ ଥିବା ଯାଏଁ ମୁଁ ଗୃହକୁ ଯିବିନି, ଯେ ଯାଏଁ ନଦେଖିଛି ସ୍ବୟଂ ଶଙ୍କରଙ୍କୁ। ତୁମ୍ଭେ ଏହାକୁ ନେଇ ଗୃହକୁ ଫେରିଯାଅ ଏବଂ ମୋର ଚାରି ପୁତ୍ରଙ୍କୁ ଏ ପିଠା ଦେଇଦିଅ ।" ତହୁଁ ଫେରିଗଲା ମିତ୍ର ବିପ୍ରର ଘରକୁ । ଶ୍ରୀ ଶିବ ଶଙ୍କରଙ୍କ ଅପାର କୃପା ଭାଜନ ହୋଇକରି ରାଜ ସମ୍ପଦ ଭୂଷିତ ହୋଇଥିବାର ଦେଖି ବିସ୍ମିତ ହେଲା । ଚାରି ପୁଅଙ୍କୁ ଚାରିଗୋଟି ସୁନାପିଠା ଦେଲା । 

        ଏପଟେ ମିତ୍ରଙ୍କୁ ମେଲାଣି ଦେଇସାରି ବ୍ରାହ୍ମଣ ମନ ମଧ୍ଯେ ଶିବ ଚିନ୍ତା କରି ଅରଣ୍ୟ ମଧ୍ଯରେ ପ୍ରବେଶ କଲା । ସେ ଅରଣ୍ୟ ମଧ୍ଯେ ତାଳ ତମାଳ ଆଦି ବୃକ୍ଷ ଯେତେ ସହିତ ବ୍ଯାଘ୍ର,ସିଂହ, ନାନାଦି ହିଂସ୍ର ଜନ୍ତୁମାନେ ବି ବାସ କରନ୍ତି । ଝିଙ୍କାରି ଓ ଭ୍ରମର ପକ୍ଷୀ ଶବ୍ଦରେ ମନରେ ଭୟ ଜନ୍ମି ଆସେ । ଅରଣ୍ୟରେ ବି କୂପ ଓ ପୁଷ୍କରିଣୀ ରହିଛନ୍ତି । ପୁଷ୍କରିଣୀରେ ହଂସ ଓ ଚକ୍ରବାକ ପକ୍ଷୀମାନେ ବିହାର କରନ୍ତି  । ସାତଦିନର ଉପବାସରେ ହସ୍ତ ପାଦର ଚାଳନ ହେଉନି ବିପ୍ରର  ; କଣ୍ଠ ତାଳୁ ଶୁଷ୍କ ହୋଇ ଦୁର୍ବଳତା ହେତୁ ମୋହ ଯାଇ ଭୂମିରେ ପତିତ ହେଲା । ସୋମନାଥ ଦେବଙ୍କର ଦୟା ହେବାରୁ ଛଦ୍ମ ବେଶେ ପ୍ରବେଶି ଦକ୍ଷିଣ ହସ୍ତକୁ ତା'ର ଧରି ଭୂମିରୁ ଉଠାଇଲେ ଓ କୋମଳ ବଚନ ଭାଷି ମନ ତୋଷ କଲେ । "କିଏ ତୁମ୍ଭେ କେଉଁଠି ତୁମ୍ଭର ବାସ? ଏ ଅରଣ୍ୟରେ ଶୟନ କରିବା ଅନୁଚିତ୍‌। ଏହି ଅରଣ୍ଯ ବ୍ଯାଘ୍ର,ସିଂହ,କେନ୍ଦୁଆ,ମଇଁଷି ପରି ଅନେକ ଦୁଷ୍ଟ ଜନ୍ତୁମାନଙ୍କ ବାସସ୍ଥଳୀ ଅଟେ । ବଣହାତୀ, ବଳିଆ ଓ ଶୁକର ପରି ଜନ୍ତୁ କ୍ଷତି ଘଟାଇ ପାରନ୍ତି  ।" ଏହା ଶୁଣି ବିପ୍ର ବଚନରେ ଭାଷିଲା -" ମୁଁ ଶ୍ରୀ ସୋମନାଥଙ୍କ ଦର୍ଶନରେ ଆଗତିଛି । ଯଦି ତୁମ୍ଭେ ତାଙ୍କୁ ଜାଣିଥାଅ ମୋତେ ସେ ଠାବକୁ ନେଇଯା'ନ୍ତୁ ।" ଛଦ୍ମ ବେଶୀ ସେ ତପସ୍ବୀ କହିଲେ - ଚିନ୍ତା କରନି ; ଆସନ୍ତୁ ଦର୍ଶନ କରାଇଦେବି ମୁଁ ଶ୍ରୀ ସୋମନାଥ ଦେବଙ୍କୁ।" ବ୍ରାହ୍ମଣର ଦକ୍ଷିଣ କର ଧରି ନେଇଗଲେ ତପସ୍ବୀ ଶ୍ରୀ ସୋମନାଥଙ୍କର ସମୀପେ ।

               ସେଠାକାର ପରିବେଶ ଅତ୍ଯନ୍ତ ମନୋରମ । ସେ ସ୍ଥାନ ବାଳଭାନୁ ସମ ତେଜ ପ୍ରକାଶେ ; ସତେ ମାଣିକ୍ଯରେ ମଣ୍ଡିତ ଓ ମଣି ବେଷ୍ଟିତ । କଳ୍ପବୃକ୍ଷ ସହ ନାନା ପ୍ରଜାତିର ସୁମନରେ ସୁସଜ୍ଜିତ ସେହି ସ୍ଥାନ ଗୋଟି । ଭ୍ରମର ଓ କୋକିଳ ତାନରେ ପୂରି ଉଠୁଛି ଏବଂ ହଂସ, ଚକ୍ରବାକ ପକ୍ଷୀ ବିହରନ୍ତି । ଉଚ୍ଚ ପର୍ବତ ଶିଖରୁ ଝରି ଆସି ଝରଣା ନଦୀ ହୋଇ ବହି ଯିବାର ଦୃଶ୍ଯ ଅତ୍ଯନ୍ତ ଆନନ୍ଦ ଦାୟକ । ଦିଗପାଳଗଣ ଆଶ୍ରୟ ନିଅନ୍ତି ସେଠି ଓ ରତ୍ନ ଖମ୍ବ ସଂଯୁକ୍ତ  ପ୍ରାସାଦ ସବୁ ବିଦ୍ଯ । ବଜାର ପାଚେରୀ ଚତୁ଼ପାର୍ଶ୍ବରେ ଲହରୀ ଯାହା ଆକୃଷ୍ଟ କରେ କୋଟି ମାନସ । ମଧ୍ଯ ଭାଗେ ପାଟ କନାରେ ଜଡ଼ିତ ମଣ୍ଡପରେ ନାନାଦି ରତ୍ନ ଖଚିତ ସିଂହାସନରେ ଉପବେଶନ କରିଥିଲେ ଶୁକ୍ଳବର୍ଣ୍ଣ ସୋମନାଥ ମହାପ୍ରଭୁ । ତପସ୍ବୀ ସେ ସ୍ଥାନଟିକୁ ଦେଖାଇ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ସୋମନାଥ ମହାପ୍ରଭୁଙ୍କୁ ବ୍ରାହ୍ମଣ ସ୍ବଚକ୍ଷୁରେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କଲା ।

    ଭୂମିଷ୍ଠ ପ୍ରଣାମ ସହିତ ସ୍ତୁତିରେ କହିଲା -" ହେ ମହାପ୍ରଭୋ ! ମୁଁ ମହାପାପୀ ଜଣେ । ମୋର ସମସ୍ତ ପାତକ ହରଣ କରିବା ହୁଅ । ପୁରାଣରେ ଅଛି ପଦ୍ଯାଂଶଟିଏ -
 
 "ପାପୀ ପାପକର୍ମ ମୁହିଁ ପାପାତ୍ମା ଆବର ।     ମହାପାପୁ ଜୀତ ହୋଇଅଛି ମୋ ଶରୀର ।। 
   ଆହେ ଉମାକାନ୍ତ ତବ ପାଦେ ନମସ୍କାର । 
 ସର୍ବ ପାପ କ୍ଷୟ କରି ମୋତେ ରକ୍ଷା କର ।। 
 ଆହେ ପ୍ରଭୁ କରିଣ ମୁଁ ଚରଣ ଦର୍ଶନ ।
 ଜନ୍ମ ମୋ ସଫଳ କଲି ଜ୍ଞାତି ବନ୍ଧୁ ଜନ ।। 
  ଧନ୍ଯ ମୋର ପିତା ମାତା କୁଳ ମୋର ଧନ୍ଯ । 
   ଆଜି ଠାରୁ ପାଦପଦ୍ମେ ରହୁ ମୋର ମନ ।।" 

           ସ୍ତୁତିରେ ସନ୍ତୋଷତା ପାଇ ସୋମନାଥ ବର ଣାଟିଲେ - ଦାରିଦ୍ର୍ୟତା ବିନାଶ ହେଉ ଏବଂ ଧର୍ମକର୍ମରେ ମନ ରହୁ । ସୋମନାଥ କହିଲେ  -  ଆଜିଠାରୁ ମୋର ବ୍ରତ ପାଳନ କରିବ ଏବଂ ଅନ୍ତ ପରେ ଶିବ ଲୋକରେ ବସତି ସ୍ଥାପନ କରିବ । ବନ୍ଧୁଜନଙ୍କୁ କହି ଏହି ବ୍ରତ କରାଇବ ; ମୁଁ ଏ ବ୍ରତର ବିଧାନ କହୁଛି ।" ତା'ପରେ ପ୍ରଭୁ ବ୍ରତ ପାଳନର ବିଧାନ ବତାଇ ଦଶବର୍ଷ ପର୍ଯ୍ଯନ୍ତ ପାଳନ କରିବାକୁ କହିଛନ୍ତି । ଧନରେ କୃପଣ ନହୋଇ ବିଧିବିଧାନରେ କରିବା ପାଇଁ ବ୍ରାହ୍ମଣଙ୍କୁ ଉପଦେଶ ଦେଇଛନ୍ତି । ସୋମବାରେ ଏହି କଥା ଯିଏ ଶୁଣିବ ସେ ଶିବଲୋକ ପ୍ରାପ୍ତ ହେବ ବୋଲି ବ୍ରାହ୍ମଣଙ୍କୁ କହିଛନ୍ତି ।

           ଏହା ଶୁଣି ବ୍ରାହ୍ମଣ ପଥରେ ଆସନ୍ତେ ଦହିହାଣ୍ଡି ମୁଣ୍ଡାଇ ଏକ ଗୋପୀ ଆସୁଥିବାର ଦେଖି ଶିବଙ୍କ ଆଜ୍ଞାରେ ସୋମନାଥ ବ୍ରତ କଥା ବଖାଣିବାକୁ କହିବାରୁ ଗୋପୀଟି ନିଷ୍ଠୁରତାର ସହ କହିଛି -" ତୁମ୍ଭ କର୍ଯ୍ଯେ ତୁମ୍ଭେ ଯାଅ, ମୁଁ ଦହି ବିକ୍ରି କରିବାକୁ ଯାଉଛି।" ଏପରି ଅବଜ୍ଞାରୁ କିଛି ଦୂର ଯା'ନ୍ତେ ମଥାରୁ ଦହିହାଣ୍ଡି ଖସିପଡ଼ି ଭାଙ୍ଗି ଯାଇଛି ସେ ଗୋପୀର । କପାଳରେ କର ଥାପି ଅନୁତାପ କରି ସୋମନାଥ ବ୍ରତ କଥା ଶୁଣିବାକୁ ବିପ୍ର ପାଶକୁ ଯାଇ କୃତାଞ୍ଜଳୀ ହୋଇ ପୟରେ ପଡ଼ି ବ୍ରତ ଶୁଣିବାକୁ ଈଚ୍ଛା ପ୍ରକାଶ କଲା। ତା'ପରେ ବ୍ରାହ୍ମଣଟି ବ୍ରତ କଥା କହିବା ପରେ ଗୋପୀଟି କହିଛି - "ଯଦି ମୁଁ ଦଧିଭାଣ୍ଡ ଫେରି ପାଇବି, ତେବେ ଏ ବ୍ରତ କରିବାରୁ କେହି ମୋତେ ବିରତ କରି ପାରିବେ ନାହିଁ  । ପଥରେ ଆସନ୍ତେ ତା'ର ଦଧିଭାଣ୍ଡ ଦେଖି ଆନନ୍ଦିତ ହେଲା ଓ ଦହି ବିକିବାକୁ ଗଲା । ତା'ପରେ ପଥରେ ସାତଟି ଚୋର ବନ୍ଧନରେ ପଡ଼ିଥିବାର ଦେଖି ତାଙ୍କୁ ବ୍ରତ କଥା କୁହନ୍ତେ ସେମାନେ ସାନନ୍ଦେ ଶ୍ରବଣ କରି ଶିବଙ୍କୁ ସ୍ମରିବାରୁ ବନ୍ଧନ ମୁକ୍ତ ହେଲେ । ତା'ପରେ ସେଠାରୁ ବ୍ରାହ୍ମଣ ଯାଇ ଏକ ମଣ୍ଡପରେ ଉପବେଶନ କଲା  ; ଏକ ରୋଗୀ ବ୍ରତ କଥାଟି ଶୁଣିବାକୁ ଇଚ୍ଛିଲା । ବ୍ରତ କଥା ଶ୍ରବଣାନ୍ତେ ସୋମନାଥଙ୍କୁ ଚିନ୍ତା କରି ସେ ରୋଗମୁକ୍ତ ହୋଇଅଛି  ବୋଲି ବ୍ରତକଥାରେ ବର୍ଣ୍ଣିତ । ତା'ପରେ ସେ ବ୍ରାହ୍ମଣଟି ନିଜ ଗ୍ରାମକୁ ଯାଇ ପହଞ୍ଚିଲା ଓ ରାଜଗୃହରେ କୁଟୀରଟି ପରିବର୍ତ୍ତିତ ଦେଖିଲା । ମନରେ ଅନେକ ଆନନ୍ଦ ପ୍ରାପ୍ତ କରିଛି ବ୍ରାହ୍ମଣ ।

        ନିଜର ପୁତ୍ର ଭାର୍ଯ୍ୟାକୁ ଚିହ୍ନି ନପାରି କ୍ଷୁଧାର୍ତ୍ତ ହୋଇ ପୁତ୍ରକୁ ଅନ୍ନ ଭିକ୍ଷା କଲା ବ୍ରାହ୍ମଣ । ପୁତ୍ରକୁ ବ୍ରାହ୍ମଣ ରାଜା ମନେ କରିଥିଲେ । "କ୍ଷଣେ ରୁହ ମୁଁ ଅନ୍ନ ଦେଉଛି" କହି ଭିତରକୁ ଯାଇ ନିଜେ ଭୁଞ୍ଜି ଆନନ୍ଦରେ ଶୟନ କକ୍ଷରେ ଶୟନ କରିଗଲା । ସାୟାହ୍ନ ସମୟେ ଉଠି ବ୍ରାହ୍ମଣର ଅନ୍ନ ଭିକ୍ଷା କଥା ମନ କରି "ଭୋଜନ ମୋର ବ୍ଯର୍ଥ ହେଲା ; ଜନୈକ ବିପ୍ର ମୋତେ ଭୋଜନ ଭିକ୍ଷା କରିଥିଲେ" ବୋଲି ମାତାଙ୍କ ସମୀପେ ପ୍ରକାଶ କରିଲା । ପୁନର୍ବାର କହିଲା - " ମୁଁ କିନ୍ତୁ ବ୍ରାହ୍ମଣଙ୍କୁ ନଦେଇ ଶୟନ କରିଗଲି  ; ସେ ଅସନ୍ତୁଷ୍ଟ ହେଲେ ସବୁ ସ୍ବାର୍ଥ ହେବ ବିଅର୍ଥ ।" ଏସବୁ କହି ବିପ୍ର ପାଶେ ପ୍ରବେଶ କରି ଭୋଜନ ପାଇଁ ବିନୟ କରିବାରୁ ବିପ୍ର ମନା କରି କହିଲା ଯେ - ମୁଁ ଆଜି ରାତିରେ ଖାଇବିନି, ସୋମନାଥ ପୂଜା କରି ବ୍ରତ କଥା କହିବି ।" ଏକଥା ଶୁଣି ସର୍ବ ପ୍ରସ୍ତୁତିରେ ଲାଗି ପଡ଼ିଲା ପୁତ୍ରଟି। ପ୍ରସ୍ତୁତି ପରେ ପୂଜା କରିଲା ବ୍ରାହ୍ମଣ । ପୂଜାନ୍ତେ ବ୍ରାହ୍ମଣ ମନୋରଥ ବାଞ୍ଛା କରିବା ପାଇଁ କହନ୍ତେ ସ୍ତ୍ରୀ କହଇ "ମୋ ସ୍ବାମୀ ସୋମନାଥ ଦର୍ଶନରେ ଯାଇଛନ୍ତି ; ସତ୍ବର ଗୃହାଭିମୁଖୀ ହୁଅନ୍ତୁ ।" ଏ ବଚନଟି ଶ୍ରବଣାନ୍ତେ ପରସ୍ପର ଚିହ୍ନାଚିହ୍ନି ହେଲେ ଏବଂ ପାତ୍ର ମନ୍ତ୍ରୀ ଗ୍ରାମ ବାସିନ୍ଦା ସର୍ବେ ଆସି ବ୍ରାହ୍ମଣଙ୍କୁ ଦେଖି ଆନନ୍ଦିତ ହେଲେ । ପିତା ପୁତ୍ର ବେନି ସୋମନାଥ ବ୍ରତ କରି ଅକଣ୍ଟକ ରାଜ୍ଯ ଭୁଞ୍ଜିଲେ । 

       
          ଏ କାହାଣୀ ମନଗଢ଼ା କି ବାସ୍ତବ ଯାହା ବି ହେଉ ; ଧର୍ମୀୟ ଭାବନାକୁ ବେଶ୍‌ ଉଜ୍ଜୀବିତ କରିବା ସହିତ ଇଶ୍ବରଙ୍କ ଉପରେ ପ୍ରଗାଢ ବିଶ୍ବାସର ବୀଜ ବୁଣି ପାରିଛି । ହିନ୍ଦୁ ଧର୍ମକୁ କିଛି ମାତ୍ରାରେ ବଞ୍ଚାଇ ରଖିଛି  ; ଶିବଙ୍କ ଉପରେ ଏ ବ୍ରତଟି ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ରତାର ପରିଚୟ ଦେଉଛି  ।

ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
       ସମ୍ପର୍କ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା