ଟିକୁର ବୁଦ୍ଧି ପରୀକ୍ଷା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଗୀତାଞ୍ଜଳୀ ଦେବୀଙ୍କର ଗୋଟିଏ ବୋଲି ପୁଅ - ଟିକୁ । ଯିଏକି ପଞ୍ଚମ ଶ୍ରେଣୀରେ ପଢ଼େ । ବୟସ ମାତ୍ର ଦଶ ବର୍ଷ । ଭଲ ପାଠ ମଧ୍ୟ ପଢ଼େ । ପୁଅକୁ ଯେତେବେଳେ ଅଢ଼େଇ ବର୍ଷ ହୋଇଥିଲା ଠିକ୍ ସେତିକି ବେଳେ ଏକ ଅଜଣା ବେମାରୀର ଶକ୍ତ ଆକ୍ରମଣରେ ଆରପାରି ଗମନ କରିଥିଲେ ଗୀତାଞ୍ଜଳୀଙ୍କ ସ୍ବାମୀ । ନିଃସହାୟ ପ୍ରାୟ ହୋଇ ପଡ଼ିଥିଲେ ଗୀତଞ୍ଜଳୀ ସେବେଳେ । ଏଡ଼ିକି ବକଟ ପିଲାଟିକୁ ନେଇ କେମିତି କାଟିବେ ଜୀବନ ; ସେହି ଚ଼ିନ୍ତାରେ ଘାରି ହେଉଥିଲେ ଶ୍ରୀମତୀ ଗୀତାଞ୍ଜଳୀ ଦେବୀ । ଶାଶୁ ବି ବୃଦ୍ଧା ହେଲେଣି । ଶ୍ବଶୁର ତ କାହିଁ କେବେଠୁ ଇହଲୀଳା ସମ୍ବରଣ କରିସାରିଲେଣି । ଘରେ ଆଉ କିଏ ଯେ ? ବର୍ତ୍ତମାନର ପରିବାର କହିଲେ ବୃଦ୍ଧା ଶାଶୂ , ଶ୍ରୀମତୀ ଗୀତାଞ୍ଜଳୀ ଦେବୀ ଏବଂ ତାଙ୍କର ଏଇ ଦଶ ବର୍ଷର ପୁଅ - ଟିକୁ । ସ୍ବାମୀ ଚ଼ାଲିଯିବା ପରେ ବହୁତ ଭାଙ୍ଗି ପଡ଼ିଥିଲେ ଗୀତାଞ୍ଜଳୀ ଦେବୀ । କ'ଣ ଖାଇବେ ଆଉ କେମିତି ବଞ୍ଚିବେ , ଏଇ ଚ଼ିନ୍ତା ସଦାସର୍ବଦା ଗ୍ରାସ କରି ଚ଼ାଲିଥିଲା ତାଙ୍କୁ । ତିନି ତିନିଟା ଉଦରର ଭରଣ ପୋଷଣ କିପରି କରି ହେବ ସେଇ କଥା ଭାବୁଥିଲେ । ଜୀବନ ଜୀଇଁବା କଷ୍ଟସାଧ୍ୟ ହୋଇ ପଡ଼ିଥିଲା ତାଙ୍କର । ନିରବରେ ବାରମ୍ବାର ଅଶ୍ରୁପାତ ।
ଗୀତାଞ୍ଜଳୀ ଦେବୀଙ୍କର ସ୍ୱାମୀ ଥିଲେ ଜଣେ ଶିକ୍ଷକ । ତାଙ୍କର ମୃତ୍ଯୁ ପରେ ସେ ପଦବୀ ମଣ୍ଡନ କଲେ ଶ୍ରୀମତୀ ଗୀତାଞ୍ଜଳୀ ଦେବୀ । ଦରମା ମାସକୁ ପନ୍ଦର ହଜାର । ଯାହାହେଉ କିଛି ତ ଗୋଟିଏ ରାହା ଦିଶିଲା । ସେଇ ଅର୍ଥରେ ଅଳ୍ପେ ବହୁତେ ଚ଼ଳିଗଲା ସୁରୁଖୁରୁରେ ତାଙ୍କ ପରିବାର । ଗୀତାଞ୍ଜଳୀ ଦେବୀ ନିଜ ଗାଁ ଠାରୁ ତିନି କି.ମି ଦୂରରେ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଲେ । ପୁଅକୁ ବି ନେଇ ସେହି ବିଦ୍ଯାଳୟରେ ନାମ ଲେଖାଇଲେ । ପ୍ରଥମରୁ ପଞ୍ଚମ , ଏ ପର୍ଯ୍ଯନ୍ତ ସେଇ ଗୋଟିଏ ବିଦ୍ଯାଳୟରେ ହିଁ ଗୀତାଞ୍ଜଳୀ ଦେବୀଙ୍କର ପୁଅ ଟିକୁର ଛାତ୍ର ଜୀବନ ଅବ୍ଯାହତ ଅଛି । ଗୀତାଞ୍ଜଳୀ ଦେବୀ ବି ସେଠାରୁ ଆଉ କେଉଁଠିକି ବଦଳି ହୋଇ ନାହାନ୍ତି ।
ଏକ ଦିନକର ଘଟଣା । ବିଦ୍ଯାଳୟରେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗୀତାଞ୍ଜଳୀ ଦେବୀ 'ମାଆ' ଉପରେ ଆଧାରିତ ବିଷୟବସ୍ତୁଟିଏ ବୁଝାଉଥା'ନ୍ତି । 'ମାଆ' ଶବ୍ଦର ବିଭିନ୍ନ ସଂଜ୍ଞାକୁ ଉପସ୍ଥାପନ କରି ଅତି ନିଖୁଣ ଓ ସୁନ୍ଦର ଭାବରେ ବୁଝାଇବାରେ ଲାଗିଛନ୍ତି । ଆସନ୍ତା କାଲି ମାତୃ ଦିବସ ବି ଅଛି । ଛାତ୍ର ଛାତ୍ରୀ ମାନଙ୍କୁ ଏହି ବିଷୟକୁ ବୁଝାଇବା ସମୟରେ ଜଣେ ଛାତ୍ର ଛିଡ଼ା ହୋଇ କହିଲା - "ମାମ୍ ! କାଲି ତ ମାତୃ ଦିବସ ଅଛି ।" ଗୀତାଞ୍ଜଳୀ ଦେବୀ କହିଲେ - "ହଁ , କାଲି ମାତୃ ଦିବସ । ସମସ୍ତେ ନିଜ ନିଜ ମାଆଙ୍କର ସେବା ଯତ୍ନ କରିବ । ଭଲ ଭଲ ଚ଼ିଜ ଖାଇବାକୁ ଦେବ । ମାଆକୁ କେହି କଟୂ କଥା କହିବନି ।" କେବଳ ଟିକୁକୁ ଛାଡ଼ି ଆଉ ବାକି ସମସ୍ତେ ହଁ ଭରି ଏକସ୍ୱରରେ ଉତ୍ତର ଦେଲେ । ଗୀତାଞ୍ଜଳୀ ଦେବୀ ଦେଖିଲେ ଟିକୁର 'ହଁ' ବୋଲି ଶବ୍ଦ କି 'ନା' ବୋଲି ଶବ୍ଦ କିଛି ବି ନାହିଁ । ସେ ପୂରା ନିରବ ଏବଂ ନିଶ୍ଚଳ । ଆଶ୍ଚର୍ଯ୍ୟ ହୋଇଗଲେ ଗୀତାଞ୍ଜଳୀ ଦେବୀ ।
ପୁଣି ପ୍ରଶ୍ନ କଲେ "କୋଉମାନେ କାଲି ମାଆଙ୍କର ସେବା ଶୁଶ୍ରୂଷା କରିବ ଏବଂ ବହୁତ୍ ଖୁସି ଦେବା ସହ ନିଜେ ବି ଖୁସି ମନେଇବ , ସେମାନେ ହାତ ଟେକ ।" ଶ୍ରେଣୀର ସବୁ ପିଲା ହାତ ଟେକିଲେ , କିନ୍ତୁ ଟିକୁ ଜମା ବି ହାତ ଟେକିଲାନି । ଗୀତାଞ୍ଜଳୀ ଦେବୀଙ୍କର ଆଶ୍ଚର୍ଯ୍ୟର ସୀମା ଅନେକ ମାତ୍ରାରେ ବଢ଼ି ଗଲା । ସେ ମନରେ ଗୁଡ଼ାଏ ପ୍ରଶ୍ନ ଉଙ୍କାରିଲେ - "ସମସ୍ତେ ତ ସମ୍ମତି ଦେଲେ , ହେଲେ ଟିକୁ କାହିଁକି ଦେଲାନି ସମ୍ମତି ? ମୋ' ଦ୍ବାରା ତା' ପ୍ରତି କିଛି ଭୂଲ୍ କି ଅବିଚ଼ାର ହୋଇଛି କି ? ନା , ସେ ତା'ର ମାଆକୁ ଅନ୍ତରରୁ ଭଲପାଉନି ?" ଏମିତି ଗୁଡ଼ାଏ ପ୍ରଶ୍ନର ଅଡୁଆ ସୂତା ମଧ୍ୟରେ ଛନ୍ଦି ହୋଇଗଲେ ଗୀତାଞ୍ଜଳୀ ଦେବୀ । ଘରକୁ ଫେରିଲେ ପଚ଼ାରିବାକୁ ମନସ୍ଥ କରି ସମସ୍ତଙ୍କୁ ହାତ ତଳକୁ କରିବାକୁ କହିଲା ବେଳକୁ ଚ଼ପରାଶି ଘଣ୍ଟା ପିଟି ଜଣେଇ ଦେଲା ସ୍କୁଲ୍ ଛୁଟି କର । ସ୍କୁଲ୍ ଛୁଟି ହେଲା ଓ ଯିଏ ଯାହା ବାଟରେ ମଧ୍ୟ ଘୋ' ଘା' ହୋଇ ବିଦ୍ଯାଳୟରୁ ବାହାରି ଚ଼ାଲିଗଲେ । ଗୀତାଞ୍ଜଳୀ ଦେବୀ ତାଙ୍କ ସ୍କୁଟିରେ ପୁଅ ଟିକୁକୁ ବସାଇ ଘରକୁ ଫେରିଲେ । ମନରେ ଥାଏ କିନ୍ତୁ ବଡ଼ ଅଭିମାନଟିଏ । ଘରେ ପହଞ୍ଚିଲେ ଗୀତାଞ୍ଜଳୀ ଦେବୀ ଓ ତାଙ୍କ ପୁଅ ଟିକୁ । ଖିଆ ପିଆ ଶେଷ କରି ଗୀତାଞ୍ଜଳୀ ଦେବୀ ନିଯୁକ୍ତି ହୋଇଗଲେ ସବୁଦିନ ପରି ଘର କାମରେ । ଟିକୁ କିନ୍ତୁ ଚ଼ାଲିଗଲା ସାଙ୍ଗ ପିଲାମାନଙ୍କ ସହ ଖେଳିବାକୁ ବାହାରକୁ ।
ଧିରେ ଧିରେ ନଇଁ ଆସିଲା ସଞ୍ଜ ; ଗାଈମାନେ ଫେରିଲେ ଗୋଠରୁ । ଘରକୁ ଫେରିଲା ଟିକୁ । ଗୋଡ଼ହାତ ଧୂଆଧୋଇ ହୋଇସାରି ପ୍ରତିଦିନ ପରି ଠାକୁରଙ୍କ ଘରେ ପ୍ରାର୍ଥନା କର୍ମ ଶେଷ କରି ଆସିଲା ମାଆଙ୍କ ପାଖକୁ । ନିତିଦିନର କର୍ମ ତା'ର ସକାଳେ ସନ୍ଧ୍ୟାରେ ମାଆଙ୍କୁ ପ୍ରଣାମ କରିବା । ସେ ଗୀତାଞ୍ଜଳୀ ଦେବୀଙ୍କୁ ପ୍ରଣାମ କରିବା କ୍ଷଣି ମାଆ ତା'ର ମୁଣ୍ଡରେ ହାତ ବୁଲାଇ ଆଣି କୋଳେଇ ନିଅନ୍ତି ତାକୁ । ଆଜି କିନ୍ତୁ ସେହିପରି କିଛି କଲେନି । ନିରବରେ ଶ୍ରୀମତୀ ଗୀତାଞ୍ଜଳୀ ଦେବୀ । ଟିକୁ ବୁଝି ପାରିଲା ସବୁକିଛି । ଜାଣି ପାରିଲା ଯେ - ସେ ବିଦ୍ଯାଳୟରୁ ହିଁ ଅଭିମାନ କରି ଫେରିଛନ୍ତି । କ୍ଷଣିକ ନିରବ ପରେ ଗୀତାଞ୍ଜଳୀ ଦେବୀ କହିଲେ - "ଆଉ ଠିଆ ହେଲୁ କାହିଁକି ? ଯାଆ ପଢ଼ିବୁ ।" ଟିକୁ ଟିକେ ପାଖକୁ ଲାଗି ଆସି କହିଲା - "ମାଆ ! ଆଜି ତମର କ'ଣ ହୋଇଛି ? ମୋତେ ଆଜି ତୁମର ଆଶୀର୍ବାଦ ମିଳିଲାନି ଯେ ?"
ଗୀତାଞ୍ଜଳୀ ଦେବୀ ଅଭିମାନ ଭରା କଣ୍ଠରେ କହିଲେ - "ତୁ ତ ମାଆକୁ ଆଉ ଭଲପାଉନୁ । ମାଆ ପାଖକୁ କାହିଁକି ଆସିଛୁ ?" ଏ କଥା ଶୁଣି ଟିକୁର ଆଖି ଛଳଛଳ ହୋଇ ଦୁଇଧାର ଲୁହ ଝରିଗଲା । ଲକ୍ଷ୍ଯ କରୁଥିଲେ ଗୀତାଞ୍ଜଳୀ ଦେବୀ ; ହଠାତ ଟିକୁର ମୁହଁ କଳାକାଠ ପଡ଼ିଗଲା ପରି ଲାଗିଲା । ଚ଼ନ୍ଦ୍ରରେ କଳଙ୍କ ଲାଗିଲା ପରି ଚ଼ନ୍ଦ୍ରବଦନରେ ବି କଳଙ୍କ କାଳିମା ଛିଟାକୁ ଦେଖି ଆହୁରି ବେଶି ହତବାକ୍ ଗୀତାଞ୍ଜଳୀ ଦେବୀ । କିଛି ସମୟ ପରେ ପୁଅର ଆଖିରୁ ଲୁହ ପୋଛି ଗୀତାଞ୍ଜଳୀ ଦେବୀ କହିଲେ - "କାନ୍ଦୁଛୁ କାହିଁକି ? ମୁଁ କ'ଣ ଭୂଲ୍ କହିଲି କି ? ବିଦ୍ଯାଳୟରେ ସମସ୍ତେ ହାତ ଟେକିଲେ , ହେଲେ ତୁ ତ ଟେକିଲୁନି ! କ'ଣ ପାଇଁ ଟେକିଲୁନି ହାତ ?"
ଟିକୁ କହିଲା - "ମାଆ ! ତୁମେ ଯେଉଁ ପ୍ରଶ୍ନ କରିଥିଲ ସେ ପ୍ରଶ୍ନ ଠିକ୍ ନୁହେଁ । ପ୍ରଶ୍ନରେ ତ୍ରୁଟି ଅଛି ।" ଗୀତାଞ୍ଜଳୀ ଦେବୀ ଆଉ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲେ - "ତ୍ରୁଟି ! କ'ଣ ତ୍ରୁଟି ଅଛି ? ମୁଁ କ'ଣ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ କରିଛି ଟିକେ ବୁଝା ତ ମତେ ।" ଟିକୁ କହିଲା - "ମା' ! ସ୍ବାଧୀନତା ଦିବସ , ସାଧାରଣତନ୍ତ୍ର ଦିବସ - ଏସବୁ ମୁଁ ଶୁଣିଥିଲି ବହୁ ଆଗରୁ ; ହେଲେ ମାତୃ ଦିବସ ମୁଁ ତ ଶୁଣିନି । ମତେ କୌଣସି ବି ଶିକ୍ଷକ କିମ୍ବା ତମେ। ବି ତ ଆଗରୁ ଏ ବିଷୟରେ କେବେ କହିନ । କେବେ ଏ ଦିବସ ପାଳନ ହେଲା ଓ ଏହି ଦିବସର ସ୍ରଷ୍ଟା କିଏ ମୁଁ ତ ଏପର୍ଯ୍ୟନ୍ତ ଜାଣିନି ।" ଗୀତାଞ୍ଜଳୀ ଦେବୀ ପୂରା ନିରବ ପୁଅର ଏ କଥାରେ ।
ପୁଣି କହିଲା ଟିକୁ - "ମାଆ ! କାଲି କ'ଣ ଗୋଟିଏ ଦିନ ମାଆର ସେବା ଯତ୍ନ କରିବେ ସମସ୍ତେ ? ପଅରଦିନଠୁ ଆଉ ସେବା ଯତ୍ନ କରିବେନି କି ଖୁସି ଦେବେନି ? ଗୋଟିଏ ଦିନ କ'ଣ ମାଆ ସହ ଖୁସି ମନେଇବେ ? ମାଆର ସେବା ତ ସବୁଦିନ କରିହେବ । ତେଣୁ କୌଣସି ସେବା ଯତ୍ନ କି ସାହାଯ୍ଯ ସହଯୋଗ କିମ୍ବା ହସଖୁସି ମନାଇବାକୁ ନିର୍ଦ୍ଧିଷ୍ଟ ଗୋଟିଏ ଦିନ କେମିତି ଧାର୍ଯ୍ୟ କରାଯାଇ ପାରିବ ମାଆ ?"
ପୁଅ ମୁହଁରୁ ଏ କଥା ଶୁଣି ଗୀତାଞ୍ଜଳୀ ଦେବୀ ସ୍ତବ୍ଧ ପାଲଟି ଗଲେ । ଆଁ' କରି ଅନେଇ ରହିଲେ ପୁଅର ମୁହଁକୁ । ଏଡ଼ିକି ବକଟେ ପିଲା , ତା'ର ପୁଣି ଏଭଳି ଜ୍ଞାନ ! ମନେ ମନେ ନିଜକୁ ଗର୍ବିତ ମନେ କରୁଥିଲେ ଶ୍ରୀମତୀ ଗୀତାଞ୍ଜଳୀ ଦେବୀ । ସେ ଜାଣିଶୁଣି ଅଭିମାନର ଅଭିନୟ ରଚ଼ି ଥିଲେ ପ୍ରକୃତ ଜ୍ଞାନ ପରଖିବାକୁ ପୁଅର । ସେ ବିଦ୍ଯାଳୟ ଶ୍ରେଣୀ ଗୃହରୁ ହିଁ ଜାଣି ପାରିଥିଲେ ଏଇଭଳି କିଛି ଭାବନା 'ଟିକୁ' ମନରେ ଜାଗ୍ରତ ହୋଇ ପାରିଛି ବୋଲି । ଫିଁ କିନା ହସିଦେଇ ସାଲ୍ଯୁଟ୍ ମୁଦ୍ରାର ପ୍ରଦର୍ଶନ ପୂର୍ବକ ଖୁସିରେ ଗଦଗଦ ହୋଇ କୁଣ୍ଢେଇ ପକେଇଲେ ପୁଅକୁ । କହିଲେ - "ସାବାସ୍ ବେଟା , ସାବାସ୍ ! ମୁଁ ଏଇ ଉତ୍ତର ତୋ'ଠୁ ଆଶା କରୁଥିଲି । ମୁଁ ଶ୍ରେଣୀରୁ ହିଁ ଜାଣିଥିଲି ଏମିତି କିଛି ଭାବନା ହିଁ ତୋ' ମନରେ ଉଠିଛି ବୋଲି । ମାଆ କ'ଣ କେବେ ପୁଅ ଉପରେ ରାଗିପାରେ ? ଭଗବାନ୍ ତତେ ଦୀର୍ଘଜୀବୀ କରନ୍ତୁ । ମୋ' ଆୟୁଷ ତୋତେ ଲାଗୁ । ତୁ ଦୁନିଆରେ ଦିନେ ନିଶ୍ଚୟ ବଡ଼ ହେବୁ ଆଉ ଏ ଦେଶର ନାମ ରଖିବୁ ।"
ଟିକୁ ବି ବହୁତ୍ ଖୁସି ହୋଇଗଲା । ମାଆ ମତେ ପରୀକ୍ଷା କରିବାକୁ ଏତେ ସବୁ କରିଥିଲେ ! ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି ଭାବି ମାଆକୁ କୁଣ୍ଢେଇ ପକେଇଲା ଖୁସିରେ l ଜେଜିମା' (ଗୀତାଞ୍ଜଳୀ ଦେବୀଙ୍କ ଶାଶୂ ) ବି ଏସବୁ ଦେଖି ନାତିକୁ କୁଣ୍ଢେଇ ଧରି କହିଲେ - "ଆଜିଠୁ ମୁଁ ତତେ ହିଁ ବାହା ହେବି ।" ଟିକୁ କହିଲା - "ତୁ ବୁଢ଼ୀ ହେଲୁଣି , ତୋତେ କିଏ ବାହା ହେବ ବା ମୋର ? ମୁଁ ଗୋଟେ ସୁନ୍ଦର ଝିଅ ଆଣିବି ।" ଏକଥା ଶୁଣି ଶାଶୂ ବୋହୂ ହସି ଉଠିଲେ ।
ଭାଟପଡ଼ା- ନିରାକାରପୁର -କଣାସ -ପୁରୀ
- Get link
- X
- Other Apps
Comments
Post a Comment