ଉନିର ଗୁରୁ ପୂଜା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଛୋଟ ଗାଁଟିଏ ପଦୁଅଁପୁର । କୋଡ଼ିଏ କି ତିରିଶିଟି ଘର ମାତ୍ର । ସେହି ଗାଁରେ ରହୁଥିଲେ ଜଣେ ଅତି ଗରିବ ପରିବାର ; ପରିବାର କହିଲେ ପାଞ୍ଚ ଜଣ ଲୋକ । ଜୀବଧନ ରଣା , ତାଙ୍କ ସ୍ତ୍ରୀ ଜନନୀ ଦେବୀ , ଦୁଇ ପୁଅ ବାଙ୍କିଆ ଓ ସଦା ଏବଂ ଝିଅ ଉନି । ବାଙ୍କିଆ ଓ ସଦା ଗୋଟିଏ ଶ୍ରେଣୀରେ ପଢ଼ନ୍ତି ; ଦୁଇ ଜଣ ତୃତୀୟ ଶ୍ରେଣୀର ଛାତ୍ର । କିନ୍ତୁ ଝିଅ ପଞ୍ଚମ ଶ୍ରେଣୀରେ ପଢ଼େ । ଉନି କିନ୍ତୁ ବହୁତ ଭଲ ପଢ଼େ । ବାପା ଜୀବଧନ ରଣା ଜଣେ ଚାଷୀ । ବହୁ କଷ୍ଟରେ ପରିବାର ଚଳାନ୍ତି । ଚାଳ ଛପର ଘର ; ମାଟି କାନ୍ଥକୁ ମାଟି ଚଟାଣ । ପିଲାମାନେ ପାଠ ପଢ଼ି କେମିତି ମଣିଷ ହେବେ , ସେଇ ଚିନ୍ତାରେ ଘାରି ହୁଅନ୍ତି ବାପା ଆଉ ମାଆ ଦିହେଁ । ଚାଷବାସରୁ ଯାହା ମିଳେ , ଘର ଚଳେଇବା କଷ୍ଟ ହୋଇପଡ଼େ । ଦୁଇ ପୁଅ ଓ ଗୋଟେ ଝିଅର ପଢ଼ା ଖର୍ଚ୍ଚ ତୁଲେଇବା ସହଜ ହୁଏନି । ପାଠ ପଢ଼ାଇବାକୁ ମନା କରିଦେଇଥିଲେ ; କିନ୍ତୁ ଶ୍ରେଣୀ ଶିକ୍ଷକଙ୍କ ଅନୁରୋଧରେ ସେ ବାଧ୍ୟ ହୋଇ ପଢ଼ାଇ ଚାଲିଛନ୍ତି ।
ଦିନକର ଘଟଣା , ଶ୍ରେଣୀରେ ଶିକ୍ଷକ ପଢ଼ାଇବାକୁ ଲାଗିଛନ୍ତି । ପାଠ ପଢ଼ାଇବା ବେଳେ କିଛି ଗୋଟିଏ ଉଦାହରଣ ଦେଇ ଗୁରୁଙ୍କ ଉପରେ କହିଲେ । ରାତି ପାହିଲେ ଗୁରୁ ଦିବସ ହେବ । ସବୁ ପିଲାମାନେ ଗୁରୁଙ୍କ ପାଇଁ ଉପହାର କିଣି ରଖି ସାରିଲେଣି । ସମସ୍ତଙ୍କ ଭିତରେ କିଛି ଟଙ୍କା ଆଦାୟ କରି କାଲିର ଗୁରୁ ପୂଜା ପାଇଁ ପ୍ରସ୍ତୁତ ହୋଇଗଲେଣି । ସମସ୍ତେ ସମସ୍ତଙ୍କର ଚାନ୍ଦା ଦେଇ ସାରିଲେଣି , କିନ୍ତୁ ବାଙ୍କିଆ , ସଦା , ଉନି ଏଯାଏଁ ଚାନ୍ଦା ଦେଲେନି । ଅଭବୀ ପରିବାର ଚାନ୍ଦା ବା ଆଣିବେ କୁଆଡୁ ? ବାପା ଦେଇଥିବା ନିତିଦିନର ଖର୍ଚ୍ଚ ଟଙ୍କାକୁ ସଞ୍ଚୟ କରି ବାଙ୍କିଆ ଓ ସଦା ଯାହା ରଖିଥିଲେ ତାକୁ ଦେଲେ । କିନ୍ତୁ ଉନି ଦେଲାନି । ଗୁରୁଜୀ ଗୁରୁଙ୍କୁ କିପରି ଭକ୍ତି କରାଯାଏ , ଗୁରୁ ଶବ୍ଦର ଅର୍ଥ ଆଦି ବୁଝାଇଲେ । ପାଠପଢ଼ା ସରିଲା । ସମସ୍ତେ ଘରକୁ ଫେରିଲେ ।
ତହିଁ ଆରଦିନ ଗୁରୁ ଦିବସ ପାଳନ ପାଇଁ ସମସ୍ତେ ବିଦ୍ଯାଳୟରେ ପହଞ୍ଚିଲେ । ଗୁରୁଙ୍କୁ ସମ୍ମାନ ସହିତ ପୂଜା କରିବା ସହ ବିଭିନ୍ନ ପ୍ରକାର ମିଠା , ଫଳମୂଳ ଆଦି ଦେଇ ତାଙ୍କୁ ଖୁସି କରାଇଲେ । ସବୁରି ମନରେ ଗୁରୁଙ୍କ ପ୍ରତି ଭକ୍ତି ଓ ସମ୍ମାନ । ଅନେକ ଉପହାର ବି ଦେଲେ । ସମସ୍ତେ ବିଦ୍ଯାଳୟରେ ପହଞ୍ଚିବାର ବୁ ସମୟ ପରେ ଉନି ପହଞ୍ଚିଲା । ତା' ଆଗରୁ ପହଞ୍ଚି ସାରିଥିଲେ ବାଙ୍କିଆ ଓ ସଦା । ବିଦ୍ଯାଳୟର ପିଲାମାନେ ଉନିକୁ ପଚାରିଲେ - "ତୋର ଏତେ ଡେରି କାହିଁକି ହେଲା ?" ଉନି କହିଲା - "ଠାକୁର ପୂଜା କରୁଥିଲି ।" ବିଦ୍ଯାଳୟରେ ତା' ସହ ପଢ଼ୁଥିବା ଜଣେ ସାଙ୍ଗ ତାକୁ ପଚାରିଲା - "ଠାକୁର ପୂଜା ବାପା-ବୋଉ କରୁନାହାନ୍ତି କି ?" ଉନି କହିଲା - "ସେ ସିନା ଫଟୋରେ ଥିବା ଠାକୁରଙ୍କୁ ପୂଜା କରୁଛନ୍ତି , ମୁଁ ତ ଜୀଅନ୍ତା ଠାକୁରଙ୍କୁ ପୂଜା କରୁଛି ।" ଏମାନଙ୍କର କଥାବାର୍ତ୍ତା ଜଣେ ଶିକ୍ଷକ ବି ଶୁଣୁଥିଲେ । ସାଙ୍ଗଟି କହିଲା - "ଜୀଅନ୍ତା ଠାକୁର ! ସେ ପୁଣି କିଏ ?" ଉନି ଉତ୍ତର ଦେଲା - "ମୋ' ବାପା-ବୋଉ , ସେମାନେ ମୋ' ପାଇଁ ଜୀଅନ୍ତା ଠାକୁର । ଫଟୋରେ ଥିବା ଠାକୁର କ'ଣ ଜୀଅନ୍ତା ଠାକୁରଙ୍କଠୁ ବଡ଼ କି ?" ସାଙ୍ଗଟି ଆଉ କିଛି ନକହି ଚୁପ୍ ହୋଇଗଲା । ଏସବୁ କଥା ଶୁଣୁଥିବା ଶିକ୍ଷକ ବି ଆଶ୍ଚର୍ଯ୍ୟ ହୋଇଗଲେ ।
ସମସ୍ତେ ଗୁରୁ ପୂଜା ଶେଷ କରି ସାରିଛନ୍ତି ; ଉପହାର ବି ଦିଆ ସରିଛି । ଉନି ଶିକ୍ଷକ ମାନଙ୍କ ପାଖକୁ ଯାଇ ସବୁ ଶିକ୍ଷକଙ୍କୁ ପ୍ରଣାମ କଲା । ସବୁ ଶୁଣୁଥିବା ଶିକ୍ଷକ କହିଲେ - "ସମସ୍ତେ ସବୁ ଉପହାର ଦେଲେ ; ତୁ କି ଉପହାର ଆଣିଛୁ ?" ଉନି କହିଲା - "ମୁଁ ବି ଉପହାର ଦେଇଛି ଆପଣଙ୍କୁ ।" ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତ କିଛି ଉପହାର ପାଇନାହାନ୍ତି ତା'ଠୁ । ପିଲାଟି ଏମିତି ମିଛ କହୁଛି କାହିଁକି ? ଶିକ୍ଷକ କହିଲେ - "ମୁଁ ତ ତୋ'ଠୁ କିଛି ଉପହାର ପାଇନି । କ'ଣ ଦେଇଛୁ ମତେ ତୁ ?" ଉନି କହିଲା - "ମନରେ ଭକ୍ତି ରଖି ପ୍ରଣାମ କରିଛି । ଇଏ କ'ଣ ଉପହାର ନୁହେଁ ? ସବୁଠୁ ଦାମୀ ଉପହାର ତ ମୁଁ ଦେଇଛି ।" ଶିକ୍ଷକ ତଳକୁ ମୁହଁ ପୋତି ବସିଗଲେ । ସମସ୍ତେ ଏମିତି ଉତ୍ତର ଶୁଣି ଆଶ୍ଚର୍ଯ୍ୟ ତ ହେଲେ , ବହୁତ ପ୍ରଶଂସା ବି କଲେ ତାକୁ । ତା'ପରେ ସବୁ ଛାତ୍ର ଛାତ୍ରୀ ଗୁରୁ ଦିବସ ଉପରେ କିଛି କିଛି ଭାଷଣ ଦେଲେ। ଉନିର ପାଳି ପଡ଼ିଲା ଶେଷରେ କହିବାକୁ , କାରଣ ସେ ସମସ୍ତଙ୍କ ଶେଷରେ ହିଁ ଆସିଥିଲା ।
ଉନି ଭାଷଣ ଦେଲା ; ଶେଷରେ କହିଲା - "ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଇଏ । ସେ ପିଲା ମାନଙ୍କୁ ଭଲପା'ନ୍ତି । ସେଥିପାଇଁ ଗୁରୁ ଦିବସ ବୋଲି କୁହାଯାଏ । ଏଠି ତାଙ୍କ ଜନ୍ମଦିନ ପାଳନ କରିବା କଥା , ଗୁରୁ ଦିବସ କହି ଗୁରୁଙ୍କୁ ପୂଜା କରି ଟଙ୍କା ଖର୍ଚ୍ଚ କରି ଗୋଟିଏ ଦିନ ଭଲ ଖାଇବାକୁ ଦେଇ , ଭଲ ଉପହାର ଦେବା ଆଜିର ଦିନଟି ନୁହେଁ । ମନରେ ଭକ୍ତି ରଖି ସବୁଦିନ ଗୁରୁଙ୍କୁ ପୂଜା କରିହେବ । ଗୋଟିଏ ଦିନ ଗୁରୁ ପୂଜା ଜମା ଠିକ୍ କଥା ନୁହେଁ । ପ୍ରଥମ ଗୁରୁ ମାଆ-ବାପା , ତାଙ୍କୁ ପୂଜା କରି ସାରିଲେ ତା'ପରେ ବିଦ୍ଯାଳୟରେ ଗୁରୁଙ୍କୁ ପୂଜା କରିବା କଥା । ଫୁଲ ଚନ୍ଦନ ଦେଇ ପୂଜା କରିବାର ବିଧି ଭୁଲ୍ । ଭକ୍ତି ରୂପକ ଫୁଲ , ପ୍ରଣାମର ଜଳ ଦେଇ ପୂଜା କରିବା ହେଉଛି ପ୍ରକୃତରେ ଗୁରୁ ପୂଜା । ତେଣୁ ସବୁଦିନ ଏହିପରି ଗୁରୁ ପୂଜା କରିବା କଥା । ଆଜି ଗୋଟିଏ ଦିନ କିପରି ଗୁରୁଙ୍କୁ ପୂଜା କରିବ ?" ଏମିତି କଥା ଉନି ମୁହଁରୁ ଶୁଣି ସମସ୍ତେ ତାଳି ମାରି ଚାଲିଲେ । ଆଗରେ ବସିଥିବା ସବୁ ଶିକ୍ଷକ ହଠାତ ଉଠିଯାଇ ଉନିକୁ ଆସି ପିଠି ଥାପୁଡ଼େଇ ବହୁତ ପ୍ରଶଂସା କଲେ । ତା'ପରେ ଶିକ୍ଷକ ମାନେ ଭାଷଣ ଦେଇ ଚାଲିଲେ । ଉନିର କଥା କହି ବି ତାକୁ ପ୍ରଶଂସା କଲେ । କହିଲେ - "ଶିଖିବାର ଅଛି ତ ଉନି ଠାରୁ ଶିଖ । ଗୁରୁ ପୂଜାର ପ୍ରକୃତ କଥା ହିଁ ସେ କହିଛି ।" ଭାଷଣ ସରିଲା , ପିଲାମାନେ ଖୁସି ମନରେ ଘରକୁ ଫେରିଲେ ।
ସତରେ ଉନିର ବୁଦ୍ଧିକୁ ସେ ଗାଁ ସାରା ଗୁଣୁଗୁଣେଇଲେ । ସମସ୍ତଙ୍କର ପ୍ରଶଂସା ଉନି ଉପରେ ଢ଼ାଳି ହୋଇଗଲା । ଉନିର ପରିବାର ବି ଉନି ପରି ଝିଅ ପାଇଁ ଗର୍ବ ଅନୁଭବ କଲେ । ଗୁରୁ ପୂଜାର ମହତ୍ତକୁ ଉନି କେଇପଦ କଥାରେ ବେଶ୍ ଭଲ ଭାବରେ ବୁଝାଇ ସମସ୍ତଙ୍କର ମନ କିଣି ନେଲା ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment