ଓଡ଼ିଶା ପ୍ରକୃତ ଧନି ନା ଗରିବ ?

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


     ସବୁଦିନ ପରି ସକାଳୁ ସମାଜ କାଗଜ ଧରି ବସି ପଡ଼ିଲି । ଅନେକ ଭଲମନ୍ଦ ଖବର ଭିତରେ ହଜିଗଲି । ହଠାତ ଏକ ସମ୍ବାଦ ଉପରେ ଆଖି ପଡ଼ିଗଲା । ଚିହିଁକି ଉଠିଲି ତତକ୍ଷଣ । ସମାଜ କାଗଜର ପୃଷ୍ଠା ମଣ୍ଡନ କରିଛି ଏକ ଚାଞ୍ଚଲ୍ୟ ଖବର । ନରେନ୍ଦ୍ର ମୋଦି ଓଡ଼ିଶାକୁ ଗରିବ କହି ଉପହାସ କରିଛନ୍ତି । ସେଲାଗି ଓଡ଼ିଶା ଜନତା କ୍ଷୁବ୍ଧ । (ଏ ସନ୍ଦର୍ଭ ଲେଖା ବେଳକୁ) କାହିଁକି ଗରିବ କହିଲେ ? ଆମେ କ'ଣ ଗରିବ ସତରେ ! ନରେନ୍ଦ୍ର ମୋଦି ଠିକ୍‌ କଲେ ନା ଭୁଲ୍‌ ?

       ପ୍ରକୃତରେ ଓଡ଼ିଶା କ'ଣ ଧନି ! ଯଦି ସେ ଧନି ତେବେ ଟଙ୍କିକିଆ ଚାଉଳ ପାଉଛି କେମିତି ? ବି.ପି.ଏଲ୍‌ (B.P.L) ତାଲିକାରେ ଗରିବ ବୋଲି ପରିଚିତ କେମିତି ? ଏଠି ଗରିବ ହେବା ପାଇଁ ପ୍ରତିଯୋଗିତା ଚାଲିଛି । ସରକାରୀ ଚାକିରିଆ ବି ଚାହୁଁଛି ବି.ପି.ଏଲ୍‌ କାର୍ଡ୍‌ଧାରୀ ବନିବାକୁ । କିଏ ଧନି ହେବାକୁ ପ୍ରତିଯୋଗିତା କରେ ; କିନ୍ତୁ ଗରିବ ହେବାକୁ ପ୍ରତିଯୋଗିତା ! ଲାଞ୍ଚଲୁଞ୍ଚା ଦେଇ ଇନ୍ଦିରା ଆବାସ ଯୋଜନା ହାତେଇବାକୁ ମଧ୍ଯ ପଛଉ ନାହାନ୍ତି ଏମାନେ । ପ୍ରକୃତ ଗରିବ ଯୋଉ ଅବହେଳିତକୁ ସେଇ ଅବହେଳିତ । ଗରିବ ମାନେ ନପାଇ ଗରିବ , ଆଉ ଧନିମାନେ ଗରିବ ଯୋଜନାରେ ନାମ ପଞ୍ଜୀକୃତ କରି ଗରିବ । ତେବେ ଧନି କୋଉଠୁ ଆସିଲେ ଓଡ଼ିଶାରେ ? 

      ଏଠି ବିନା ପଇସାରେ ମତଦାନ ହୁଏନି । ଗରିବ ଶ୍ରେଣୀର ବୋଲି ସିନା ଟଙ୍କା ନେଇ ଭୋଟ୍‌ ଦେଉଛନ୍ତି । ତେବେ ଧନି କୋଉଠି ରହିଲେ ଓଡ଼ିଶାରେ ମୁଁ ତ ଜାଣିପାରୁନି । ସରକାରୀ ଯୋଜନାନ୍ତର୍ଭୁକ୍ତ ହୋଇ ପ୍ରକୃତରେ ଧନି ନା ଗରିବ ଏ ଓଡ଼ିଶା ଲୋକ ? ତେବେ ନରେନ୍ଦ୍ର ମୋଦିଙ୍କ କଥା ଉପହାସ କେମିତି ଲାଗିଲା ? ଓଡ଼ିଆ ଗରିବ ସତ୍ଯ ।

      ଯେତେ ଅର୍ଜିଲେ ଅଣ୍ଟୁନି । ସରକାରୀ ଧନକୁ ଆଶା କରି ବଣିକ ବି ଗରିବ ବନିବାକୁ ପ୍ରୟାସ କରୁଛି । ଏଠି ସାହିତ୍ଯକୁ ବି ବିକ୍ରି ହେଉଛି କେଇଟା ଟଙ୍କାରେ। ଏଠି ଧଳା ପାଲଟୁଛି କଳା କେଇଟା ଟଙ୍କାରେ । ନ୍ଯାୟ ବଦଳୁଛି କେଇଟା ଟଙ୍କାରେ । ନ୍ଯାୟୀ କାନ୍ଦୁଛି ଅନ୍ଯାୟୀ ହସୁଛି ; କେବଳ ଏଇ କେଇ ଟଙ୍କା ବିନିମୟରେ । ଗରିବ ନହେଲେ ଏମିତି ବିକ୍ରିବଟା କେମିତି ହୁଅନ୍ତା ?

       କାହା କଥାକୁ ଉପହାସ ଭାବିବା ପୂର୍ବରୁ ନିଜେ ହିଁ ସଚେତନ ହେବା ଦରକାର । ନହେଲେ ନରେନ୍ଦ୍ର ମୋଦି କ'ଣ , ବିଦେଶୀ ବି ଉପହାସ କରିବାକୁ ପଛେଇବେନି ।

                         ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
          ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
               ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା