ଅନନ୍ତ ବ୍ରତ ପୂଜା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                  ସମ୍ପାଦକ - ଉଦୟ ଭାନୁ 

ଆଜିର ସକାଳ ଲାଗୁଛି ମଞ୍ଜୁଳ 
ଆସିଛି ଅନନ୍ତ ବ୍ରତ 
ଘରେ ଘରେ ଛୁଟେ ପୁପର ମହକ
ସବୁରି ଘରେ ଉତ୍ସବ ।୧
ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ 
ଅନନ୍ତ ଗୋସେଇଁ ପୂଜା
ପ୍ରତି ଦ୍ବାରେ ଆମ୍ର ପର୍ଣ୍ଣରେ ତୋରଣ
କଳସ ହୋଇଛି ସଜା ।୨
ଗୋମୟ ଉଦକେ ଲିପିଛନ୍ତି ଘର
ଲିପିଛି କିଏ ଚୁନରେ
ପ୍ରତ୍ଯେକ ଏରୁଣ୍ଡି ଶୋଭା ପରଷୁଛି
ଦୁଇ ଚାଉଳ ଫୁଲରେ ।୩
ଚଉଦ ମସଲା ଏକତ୍ର ଯୋଗରେ 
ସୁସ୍ବାଦୁ ପୁପ ପ୍ରସ୍ତୁତ
ବଡ଼ ଦୁଇଗୋଟି ସାନ ତ ଗୋଟିଏ
ଅଢ଼େଇ ଗୋଟି ହିସାବ ।୪
ଚତୁର୍ଦ୍ଦଶ ପୁଷ୍ପେ ଚତୁର୍ଦ୍ଦଶ ଫଳେ
ଚତୁର୍ଦ୍ଦଶ ବର୍ଷ ଯାଏଁ 
ବ୍ରତ ଉପବାସ କରୁଥାଏ ବ୍ରତୀ
ପନ୍ଦର ହେଲେ ଉଜାଏଁ ।୫
ଉଦ୍‌ଯାପନ କାଳେ ଅଠାଇଶ ପୁପ
ଅନନ୍ତ ବ୍ରତରେ ପୂଜା
ଘରେ ଘରେ ଶୁଭେ ଶଙ୍ଖ ହୁଳହୁଳି 
ପୁରୋହିତ ମନ୍ତ୍ର ପଢ଼ା ।୬
ପୁରାଣ ପଢ଼ନ୍ତି ବ୍ରତକୁ ବାନ୍ଧନ୍ତି 
ପୟୋମୃତେ ଧୌତ କରି 
ଅନନ୍ତ ଗୋସାଇଁ ଦୟା କରିଥା'ନ୍ତୁ
ବିଷାଦ ଯାଉ ସବୁରି ।୭
ସବୁରି ଅଧରେ ଖେଳୁଥାଉ ହସ
ମନବାଞ୍ଛା ଯାଉ ପୁରି
ଅନୀତି ଅନ୍ୟାୟ ସବୁ ହେଉ କ୍ଷୟ
ରାମରାଜ୍ଯ ଆସୁ ଫେରି ।୮

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧  




Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା