ବାଗ୍ମୀ ବ୍ଯକ୍ତିତ୍ବ ପ୍ରାଜ୍ଞ ପୌରୁଷ - ଯୋଗାଚାର୍ଯ୍ଯ ରମାକାନ୍ତ କର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ହେ ବାଗ୍ମୀ ବ୍ଯକ୍ତିତ୍ବ      ଘେନ ପ୍ରଣିପାତ 
          ବେନି କର ସ୍ପର୍ଶେ ପଦ
ହେ ପ୍ରାଜ୍ଞ ପୌରୁଷ     ପ୍ରାପ୍ତେ ତବାଶିଷ
        ଭେଇଲି ମୁଁ କେଇ ପଦ ।
        ଯୋଗାଚାର୍ଯ୍ଯ ରମାକାନ୍ତ ;
ନିରଳସେ ପୁଣି     ଯୋଗ ବୀଜ ବୁଣି
      ମରତେ ହୋଇଲ ଖ୍ଯାତ ।୦

ସ୍ବାସ୍ଥ୍ୟ ପାଇଁ ହିତ     ଯୋଗ ବୋଲି ଜ୍ଞାତ
           ଶାସ୍ତ୍ରରେ ବି ପ୍ରମାଣିତ
ସେଲାଗି ହେ କର     ଯୋଗର ଶିବିର 
        ଗଢ଼ି ହେଲ ପ୍ରଶଂସିତ ।
        ଉତ୍କଳ ସାରା ବିଖ୍ଯାତ ;
ସମ୍ବାଦପତ୍ରରେ       ପତ୍ରପତ୍ରିକାରେ
      ଯୋଗ ପ୍ରବନ୍ଧ ମଣ୍ଡିତ ।୧

ସ୍ଥାନେ ସ୍ଥାନେ ପୁଣି     ଯୋଗ ସମ୍ମିଳନୀ 
         ଯୋଗର ପ୍ରତିଯୋଗିତା 
କରି ଆୟୋଜନ     ବୋଲାଇଛ ଧନ୍ଯ 
         ପ୍ରସ୍ଫୁଟିତ ବାଗ୍ମୀୟତା ।
        ତୁମ ପରି ବ୍ଯକ୍ତି ପାଇ ;
ଧରା ହେଲା ଧନ୍ଯ     ଆହେ ମହାମାନ୍ଯ 
         ଏ ଓଡ୍ର ଭୁଲିବ ନାହିଁ ।୨

ସମ୍ବାଦପତ୍ରର       ଭୂମିକାରେ କର
      ଆସୀନ ହୋଇ ମହାନ
ପ୍ରଜାତନ୍ତ୍ର ପରି       ଖବରକାଗଜ
        ରଖିବ ତୁମକୁ ମନ ।
      ଯୋଗ ପଲ୍ଲବ ପତ୍ରିକା ;
ସମ୍ପାଦନ କରି     ବଢ଼ାଇଛ ଶିରୀ
     ଫୁଟି ଉଠେ ମହାନତା ।୩

ଆଜିର ଦିନରେ      ଜନ୍ମ ଦିବସରେ
      ଶଙ୍ଖକ୍ଷେତ୍ରେଶ୍ବର ପାଶେ
ନମ୍ର ନିବେଦନ      କରେ ମୁଁ ପ୍ରାର୍ଥନ
       ତବ ଦୀର୍ଘତ୍ବର ଆଶେ ।
       କାବ୍ୟଭୂଷଣ ମୁଁ ଭାଷେ ;
ହେ କରୁଣାକର      ବଢ଼ାଇଣ କର
       କରଙ୍କୁ ରଖ ସ୍ବପାଶେ ।୪

ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା /ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଦୂରଭାଷ - ୮୨୪୯୭୭୨୩୬୧





Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା