ଆଶ୍ବିନ ମାସର ପିତୃପକ୍ଷ ପିଣ୍ଡଦାନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


       ହିନ୍ଦୁ ଧର୍ମାନୁସାରେ ଷଷ୍ଠତମ ମାସ ଆଶ୍ବିନ , ଯାହା ଅଶ୍ବିନୀ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ସଂଯୁକ୍ତ । ଅଶ୍ବିନୀ ହେଉଛି ପ୍ରଥମ ତାରକା ଯାହା ସନ୍ଧ୍ୟା ଆକାଶରେ ଦୃଶ୍ଯମାନ ହୁଏ । ଭାରତୀୟ ଜ୍ଯୋତିଷ ଶାସ୍ତ୍ରରେ ଏହା ମେଷ ରାଶିର ମୁଖ୍ୟ ଓ ସପ୍ତବିଂଶ ନକ୍ଷତ୍ରର ପ୍ରଥମ ନକ୍ଷତ୍ର । ଆଶ୍ବିନ ମାସ ହିନ୍ଦୁ କ୍ଯାଲେଣ୍ଡରର ଏକ ଗୁରୁତ୍ବପୂର୍ଣ୍ଣ ମାସଟିଏ । ହିନ୍ଦୁ ଧର୍ମରେ ଚାରି ମାସ ମଧ୍ୟରେ ଏ ମାସ ଶୁଭ ଭାବେ ବିବେଚିତ । ଏହା ଶାନ୍ତି ଆଉ ସମନ୍ବୟ ଉପରେ ଗୁରୁତ୍ବ ଦେଇଥାଏ ଓ ସାମଗ୍ରିକ ସୁସ୍ଥତା ପାଇଁ ସହାୟକ ହୁଏ । ଏହା ଦର୍ଶନର ଦେବତା ଏବଂ ଆୟୁର୍ବେଦିକ ଔଷଧର ଗୁରୁତ୍ବ ପ୍ରତିପାଦିତ କରେ । ଏ ମାସରେ ଭଗବାନ ବିଷ୍ଣୁ ଆରାଧିତ ହୁଅନ୍ତି ପଦ୍ମନାଭ ନାମରେ । ଏ ମାସ ସୂର୍ଯ୍ଯୋଦୟ ଓ ସୂର୍ଯ୍ଯୋଦୟର ଉଜ୍ଜ୍ୱଳତାକୁ ପ୍ରତୀକ କରେ । 

      ଆଶ୍ବିନ କୃଷ୍ଣପକ୍ଷ ଆମର ପିତୃପକ୍ଷ ; ପିତୃଲୋକଙ୍କୁ ଏ ମାସରେ ଶ୍ରାଦ୍ଧ ପିଣ୍ଡ ସହ ଦୀପଦାନ ପୂର୍ବକ ଅର୍ଚ୍ଚନା କରାଯାଏ । ଏ ମାସର ଅମାବସ୍ୟାଟି "ମହାଳୟା ଅମାବାସ୍ଯା" ନାମରେ ପରିଖ୍ଯାତି ଲାଭ କରିଛି । ଏ ପକ୍ଷରେ ଦିଆଯାଉଥିବା ଶ୍ରାଦ୍ଧଟି "ମହାଳୟା ଶ୍ରାଦ୍ଧ" , "ସାମ୍ବତ୍ସରିକ ଶ୍ରାଦ୍ଧ" , "ପାର୍ବଣ ଶ୍ରାଦ୍ଧ", "ମଉଳା ଶ୍ରାଦ୍ଧ" ଆଦି ନାମରେ ପରିଗଣିତ । ଏହାକୁ ବି "ପିତୃପର୍ବ" କୁହାଯାଏ । ବ୍ରାହ୍ମଣମାନେ ପ୍ରତ୍ଯହ ଏ ପକ୍ଷ ସାରା ତର୍ପଣ କରିଥା'ନ୍ତି । ଏ ସମୟରେ ସୂର୍ଯ୍ଯ ଥା'ନ୍ତି କନ୍ଯା ରାଶିରେ । ଏ ପକ୍ଷର ତର୍ପଣରେ ଥରେ ଲେଖାଁ ବ୍ରହ୍ମା , ରୁଦ୍ର , ବିଷ୍ଣୁ , ପ୍ରଜାପତି  , ଆଚାର୍ଯ୍ୟ , ବେଦ , ଛନ୍ଦ , ଗନ୍ଧର୍ବଗଣ , ଦେବଗଣ , ପୁରାଣାଚାର୍ଯ୍ଯ , ସମ୍ବତ୍ସର  , ଶାବୟବ , ନାଗଗଣ , ଯକ୍ଷ , ଭକ୍ଷ , ପିଶାଚ , ବନସ୍ପତି , ଔଷଧ , ଭୁତଗ୍ରାମ , ଚତୁଷ୍ଟୟ , ପୃଥ୍ବୀ ଆଦିଙ୍କୁ ଏବଂ ସନତ , ସନନ୍ଦ , ସନାତାନ , କପିଳ , ଆସୁରୀ , ଡୋବୁ , ପଞ୍ଚଶିଖ ଆଦି ସପ୍ତଋଷିଙ୍କୁ ଦୁଇଥର ତର୍ପଣ ଜଳ ଅର୍ପଣ ହେବା ବେଳେ ପିତୃପୁରୁଷଗଣଙ୍କୁ ତିନିଥର ଲେଖାଁ ତର୍ପଣ ନୀର ଅର୍ପଣ କରାଯାଇଥାଏ । 

    ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ , ପିତାମହଙ୍କୁ ବସୁ ରୂପେ , ପ୍ରପିତାମହଙ୍କୁ ଆଦିତ୍ଯ ରୂପେ କଳ୍ପିତ ହୁଏ । ପିଣ୍ଡଦାତାଙ୍କ ନିଳୟରେ ସର୍ବଦେବ , ଋଷି , ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହା "ମହାଳୟା" । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ କରାଯାଉଥିବା ପିଣ୍ଡଦାନ ମଧ୍ୟେ "ମହାଳୟା" ଶ୍ରେଷ୍ଠତର । ଏ ପକ୍ଷରେ ଯେକୌଣସି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । କିମ୍ବଦନ୍ତୀ କହେ , କର୍ଣ୍ଣ କଦାପି ଅନ୍ନଦାନ କରି ନଥିବାରୁ ଯମପୁରରେ ତାଙ୍କୁ ସୁନା , ରୂପା ମିଳିଥିଲା କିନ୍ତୁ ଖାଦ୍ଯ କିଛି ମିଳି ନଥିଲା । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚତୁର୍ଦ୍ଦଶ ଦିବସ ପାଇଁ ମର୍ତ୍ତ୍ଯାବତରଣ କରି ବ୍ରାହ୍ମଣ ତଥା ଦୀନଙ୍କୁ ଅନ୍ନଦାନ କରି ଯମପୁର ଫେରିବା ପରେ ସେଠାରେ ତାଙ୍କୁ ଖାଦ୍ଯ ପ୍ରାପ୍ତ ହେଲା ; ସେହି ଚତୁର୍ଦ୍ଦଶ ଦିନ ଥିଲା ପିତୃପକ୍ଷ । 

       "ଶ୍ରଦ୍ଧା ଇତି ଶ୍ରାଦ୍ଧ" - ଶ୍ରାଦ୍ଧ କର୍ମରେ ଶ୍ରଦ୍ଧା ସ୍ଥାନ ପ୍ରମୁଖ  । ବିନା ଶ୍ରଦ୍ଧାରେ କାର୍ଯ୍ଯ ଫଳହୀନ । ଜଣେ ଗୃହସ୍ଥ ବର୍ଷକ ମଧ୍ୟରେ ଚାରୋଟି ଶ୍ରାଦ୍ଧ ଯଥା - ପିତୃଶ୍ରାଦ୍ଧ , ମାତୃଶ୍ରାଦ୍ଧ , ମହାଳୟା ଶ୍ରାଦ୍ଧ , ଦୀପଦାନ ଶ୍ରାଦ୍ଧ ବା ପୟା ଶ୍ରାଦ୍ଧ କରିବାର ବିଧି ଅଛି । ନିୟମାନୁସାରେ ପିତାଙ୍କ ଦେହାନ୍ତ ଯେଉଁ ତିଥିରେ ହୋଇଥିବ , ଏ ପକ୍ଷରେ ସେଇ ତିତିରେ ହିଁ ଶ୍ରାଦ୍ଧ ଦେବା ବିଧେୟ । ପ୍ରତ୍ଯେକ ଦିବସରେ ତର୍ପଣ ପରେ ବୈଶ୍ବଦେବ କରିବା ଉଚିତ ଅଟେ । ଯଦି ପିତା ପୂର୍ଣ୍ଣିମୀ ତିଥିରେ ହତ ହୋଇତିବେ , ତେବେ ଅମାବାସ୍ଯା ଦିନ ହିଁ ଶ୍ରାଦ୍ଧ ଦେବା ଉଚିତ । ଏ ଶ୍ରାଦ୍ଧରେ ଅଜାଙ୍କ ଘର ତିନି ପୁରୁଷକୁ ବି ସାମିଲ୍‌ କରାଯାଇଥାଏ । 

     ପାର୍ବଣ ଶ୍ରାଦ୍ଧରେ ତିନୋଟି ପିଣ୍ଡ ବଢ଼ାଯାଉଥିବା ବେଳେ ମହାଳୟାରେ ଛଅଟି ପିଣ୍ଡ ବଢ଼ାଯାଇଥାଏ । ଏହି ଛଅ ପିଣ୍ଡ ସହ କର୍ତ୍ତା ମିଶି ସାତ ପୁରୁଷ ହୁଅନ୍ତି । ପ୍ରତ୍ଯେକ ଶ୍ରାଦ୍ଧରେ ପିଣ୍ଡ ସହ ଏକ ଲେପଭାଗ ପିଣ୍ଡ (ଛୋଟ ପିଣ୍ଡ) ଦିଆଯାଏ ; ଏହା ତିନି ପୁରୁଷଙ୍କ ପୂର୍ବଜ ଯଥା ବୃଦ୍ଧ ପିତାମହ , ଅତିବୃଦ୍ଧ ପିତାମହ , ଅତିତୀ ବୃଦ୍ଧ ପ୍ରପିତାମହଙ୍କ ଉଦ୍ଦେଶ୍ଯରେ ଅର୍ପିତ । ଏଥୁଁ ଅଧିକ ତିନି ପୁରୁଷଙ୍କୁ "ସୋଦକ" ଓ ତଦୁର୍ଦ୍ଧ୍ବ ତିନି ପୁରୁଷଙ୍କୁ କହନ୍ତି "ଗୋତ୍ରଜ" । 

     ପିତୃଲୋକରେ "ନିତ୍ଯପିତର" ଓ "ସାଧାରଣ ପିତର" ନାମ୍ନୀ ଦୁଇ ପ୍ରକାର ପିତର ଅବସ୍ଥାନ କରନ୍ତି । ଅଗ୍ନିଷ୍ବାତ୍ତ , ବହିର୍ଷଦ , ସୋମପ , ଆଜ୍ଯପ , ସାଗ୍ନିକ ଓ ନିରଗ୍ନିକ ହେଲେ ନିତ୍ଯପିତର ଯିଏକି ସର୍ବଦା ପ୍ରତି ପ୍ରାଣୀଙ୍କ ବଂଶବୃଦ୍ଧି ଇଚ୍ଛାରେ ମଜ୍ଜି ରହନ୍ତି ମହାସମାଧିରେ ; ଯକ୍ଷକନ୍ଯା ସ୍ବଧା ଏ ପିତର ମାନଙ୍କ ପତ୍ନୀ ଅଟନ୍ତି । ସେଥିପାଇଁ ପିତୃହୋମ ଓ ତିଳୋଦକରେ ସ୍ବଧା ଉଚ୍ଚାରଣ କରି ଏମାନଙ୍କୁ ସନ୍ତୁଷ୍ଟ କରାଯାଏ । ଯିଏ ଇହଲୋକରୁ ମହାପ୍ରୟାଣ ପାଇ ପିତୃଲୋକ ଗମନ କରନ୍ତି ସେମାନେ ସାଧାରଣ ପିତର ଶ୍ରେଣୀର ; ଏମାନେ ହେଲେ ଆମମାନଙ୍କ ପିତୃପୁରୁଷ । ପିତୃଋଣରୁ ମୁକ୍ତି ପ୍ରାପ୍ତ୍ଯାର୍ଥେ ପିତୃପୁରୁଷଙ୍କୁ ତିଳୋଦକ ଓ ପିଣ୍ଡଦାନ କରାଯାଏ । ସୃଷ୍ଟି ଆରମ୍ଭରେ ସର୍ବେ ଅମର ଥିବାରୁ ପିତୃ ଶ୍ରାଦ୍ଧ ବ୍ଯବସ୍ଥା ନଥିଲା ; ଅତ୍ରି ଋଷିଙ୍କ ପ୍ରପୌତ୍ରର ଅକାଳ ବିୟୋଗ ହେତୁ ତାଙ୍କ ଅନୁମୋଦନ କ୍ରମେ ପିତୃଶ୍ରାଦ୍ଧର ପ୍ରଚଳନ ହୋଇଥିଲା । 

     ଅପୁତ୍ରିକ ପିତା-ମାତା ମୋକ୍ଷ ପାଆନ୍ତି ନାହିଁ ବୋଲି ଧର୍ମ ବିଶ୍ବାସ ; ପୁତ୍ରର ପିଣ୍ଡଦାନ ଦ୍ବାରା ତାଙ୍କୁ ମୁକ୍ତି ମିଳେ । ପିଣ୍ଡଦାନାନ୍ତେ କର୍ତ୍ତା ପିଣ୍ଡକୁ ଆଘ୍ରାଣ କରେ , କାରଣ ଭକ୍ତ ସମର୍ପିତ ପ୍ରସାଦ ପାଇବା ଉଚିତ । ସେଥିଲାଗି ଅଛି - "ଆଘ୍ରାଣେ ଅର୍ଦ୍ଧ ଭୋଜନଂ" ; ଆଘ୍ରାଣ ଦ୍ବାରା ଭୋଜନ ସମାନ ହୁଏ । "ମହତାଂ ଆଳୟଃ ମହାଳୟଃ" । ଅର୍ଥାତ୍‌ ମହାନ ପୁରୁଷ ମାନଙ୍କର ଆଳୟ ହେଉଛି ଏହି "ମହାଳୟ" । ସ୍ବର୍ଗରେ ସେମାନେ ଯେଉଁ ପିତୃଲୋକରେ ନିବାସ କରନ୍ତି ତାହା "ମହାଳୟା" ଅଟେ । ମାତୃକୁଳର ତ୍ରିପୁରୁଷଙ୍କୁ ତର୍ପଣୋଦକ ଓ ପିଣ୍ଡଦାନ କରାଯାଉଥିବାରୁ ଏହାର ନାମ "ମଉଳା ଶ୍ରାଦ୍ଧ" । ଶାସ୍ତ୍ରାନୁସାରେ - "ତୃପ୍ଯନ୍ତେ ଅନେନ ଜଳେନ ଇତି ତର୍ପଣମ୍‌" ; କେବଳ ଜଳାର୍ପଣ ଦ୍ବାରା ବି ପିତୃଗଣ ତୃପ୍ତ ହୁଅନ୍ତି । ଶ୍ରଦ୍ଧାରୁ ଶ୍ରାଦ୍ଧ ଓ ତୃପ୍ତିରୁ ତର୍ପଣ ଶବ୍ଦ ଉତ୍ପନ୍ନ ।

       ମର୍ତ୍ତ୍ୟଲୋକରେ ଏକବର୍ଷ ପିତୃଲୋକରେ ଏକଦିନ ଭାବେ ଗଣତି , ସେଲାଗି ତିଥି ଅନୁସାରେ ପିଣ୍ଡଦାନ ହୁଏ । ନଚେତ ପିତୃଗଣ ଉପବାସ ରହନ୍ତି । ଦକ୍ଷିଣ ହସ୍ତର ବୃଦ୍ଧା ଓ ତର୍ଜନୀ ଆଙ୍ଗୁଠି ମଧ୍ୟବିତ୍ତ ସ୍ଥାନ ପିତୃତୀର୍ଥ ନାମରେ ହିଁ ପରିଚିତ , ତେଣୁ ପିଣ୍ଡଦାନ ବେଳେ ଏହି ମୁଦ୍ରାରେ ପିଣ୍ଡ ଅର୍ପଣ କରାଯାଏ । ଯେଉଁ ପିତୃପୁରୁଷଙ୍କର ମହାପ୍ରୟାଣ ତିଥି ପୁତ୍ରର ସ୍ମରଣ ନଥାଏ , ସେହି ପୁତ୍ର ଆଶ୍ବିନ ଅମାବାସ୍ଯାରେ ବି ଶ୍ରାଦ୍ଧ ଦେଇପାରିବ ।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା