ଦୁର୍ଗା ନାମ ସ୍ତୁତିକା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ଅଇରୀ ବଇରୀ ନାଶିନୀ ଦେବୀ କାଳିକା
ଆଶିଷ ଦାୟିନୀ ଦୁର୍ଗତି ନାଶିନୀ ଦୁର୍ଗା ।
ଈଶ୍ବର ପ୍ରାଣବଲ୍ଲଭୀ ଗିରିଜା ଦୁଲ୍ଲଣୀ
ଈଶ୍ବରୀ ତୁ ମହାମାୟୀ ଦନୁଜ ନାଶିନୀ ।
ଉମା ମାହେଶ୍ୱରୀ ପାର୍ବତୀ ଅମ୍ବିକା ମାତା
ଉଗ୍ରରୂପା ଉଗ୍ରସେନୀ ବିମଳା ଚଣ୍ଡିକା ।
ଋଷିଗଣ ବନ୍ଦିତା ଆରୁଷିନେତ୍ରା ଋଦ୍ରା
ଋକ୍ଷନେତ୍ରା ମହାମାୟୀ ଦଶଭୁଜା ଭଦ୍ରା ।
ଏମନ୍ତେ କେତେ ତୋ' ନାମ ଦେଇଗଲେ ବ୍ରହ୍ମା
ଐଶ୍ୱରିକ ଶକ୍ତି ସମ୍ପର୍ଣ୍ଣା ଋଦ୍ରଙ୍କ ବାମା ।
ଓଁକାର ରୂପିଣୀ ସତ୍ଯ ଶାନ୍ତି ଦୟା କ୍ଷମା
ଔଜ୍ଜ୍ୱଲ୍ୟ ବିବର୍ଦ୍ଧିନୀ ତୁ ମାତା ଅନ୍ନପୂର୍ଣ୍ଣା ।
କମଳ ଦଳ ନିବାସିନୀ ଶ୍ରୀଦେବୀ ଲକ୍ଷ୍ମୀ
ଖ୍ଯାତି ଅରଜିଛୁ ମାଆ ଘରେ ଘରେ ପୁଣି ।
ଗରବ ଗଞ୍ଜନୀ ବୋଲି ପଡୁଅଛି ଡାକ
ଘୋର ସଙ୍କଟୁ ମତେ ଉଦ୍ଧାର ଆଦିମାତ ।
ଚଣ୍ଡ ମୁଣ୍ଡ ନିପାତିନୀ ଅଭୟ ଦାୟିନୀ
ଛିନ୍ନମସ୍ତା ରୂପେ ପିଉ ନିଜ ଲହୁ ପୁଣି ।
ଜଗଦମ୍ବା ଜାଗେଶ୍ବରୀ ଜଗତ ତାରିଣୀ
ଝରିଯାଏ ଅଶ୍ରୁ ମୋର ସାଜି ନିର୍ଝରିଣୀ ।
ଟହଟହ ହସେ ମା'ଗୋ କମ୍ପାଉ ମେଦିନୀ
ଠକ ସଂସାରରେ ମାଆ ଥକି ମୁଁ ଗଲିଣି ।
ଡମ୍ବରୁ ଧାରିଣୀ ମାଆ ଅର୍ଦ୍ଧଚନ୍ଦ୍ରଚୂଡ଼ା
ଢ଼ପଢ଼ପ ଚାଲିରେ ତୋ' ଥରଇ ବସୁଧା ।
ତୁ କମଳା ତୁ ବଗଳା ତୁ ମାତଙ୍ଗୀ ଶିବା
ଥାଉ ତୁହି ସର୍ବରୂପେ ସବୁଠାରେ ମାତା ।
ଦୈତ୍ଯ ସଂହାରି ମାଆ ତୁ ରଖିଲୁ ଅବନୀ
ଧୂମାବତୀ ରୂପେ ତୁ ମହାଭୟଙ୍କାରିଣୀ ।
ନମସ୍ତେ ମଙ୍ଗଳା ମା'ଗୋ ମଙ୍ଗଳ କାରିଣୀ
ପ୍ରଣମେ ତୋ' ପାଦ ଶିବ ରଖ ଲୋ ଜନନୀ ।
ଫୁଲ ମଧ୍ଯେ ରକ୍ତଜବା ଅତି ପ୍ରିୟ ତୋର
ବନସ୍ତେ ବନଦୁର୍ଗା ବନେ କରୁ ବିହାର ।
ଭଣଇ ମୁଁ ଶିବ ପ୍ରସାଦ ବାହିନୀପତି
ମମ ଦୋଷ କ୍ଷମା କର ଥିଲେ କିଛି ତ୍ରୁଟି ।
ଯାହା ମୁଁ ଜାଣିଛି ମାଆ କରିଲି ବଖାଣ
ରଖ ମୋତେ ତୋର ପାଦେ ଗଲି ମୁଁ ଶରଣ ।
ଶିବାନୀ ଭବାନୀ ରଖ ପଣତ ଘୋଡ଼ାଇ
ଷଡ଼ରୀପୁ ମର୍ଦ୍ଦନୀ ଲୋ ଦୋଷ ଧର ନାହିଁ ।
ସଖା ସହୋଦର ମୋର ନାହିଁ ବନ୍ଧୁ ବଳ
ହଟ କର ନାହିଁ ସ୍ଥାନ ଦିଅ ପାଦତଳ ।
କ୍ଷମା ଦାୟିନୀ ଜନନୀ କ୍ଷମା ଦିଅ ମୋତେ
ଲକ୍ଷ୍ଯହୀନ ପୁତ୍ର ପଥ ଦେଖାଅ ତୁରିତେ ।
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment